Categories
ଆଜିର ଖବର ଜାତୀୟ ଖବର

‘ସ୍ମାର୍ଟ ଇଣ୍ଡିଆ ହାକାଥନ୍- ୨୦୨୩’ର ପ୍ରତିଯୋଗୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ସ୍ମାର୍ଟ ଇଣ୍ଡିଆ ହାକାଥନ -୨୦୨୩(ଏସ୍‌ଆଇଏଚ୍) ଗ୍ରାଣ୍ଡ୍ ଫିନାଲେର ପ୍ରତିଯୋଗୀଙ୍କ ସହ ମତ ବିନିମୟ କରିଛନ୍ତି।

ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନ କହିଛନ୍ତି ଯେ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ସ୍ମାର୍ଟ ଇଣ୍ଡିଆ ହାକାଥନର କଳ୍ପନା ହୋଇଥିଲା। ଦେଶର ନୂଆପିଢିର ସୃଜନଶୀଳତାକୁ ଭାରତର ବିକାଶରେ ଯୋଡିବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ଏହି ନେତୃତ୍ୱ ନେଉଛନ୍ତି। ଚଳିତ ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣରେ ୨ ଲକ୍ଷ ୬୭ ହଜାର ପ୍ରତିଯୋଗୀ ଅଛନ୍ତି। ୫୧ ହଜାର ନୂଆ ଆଇଡିଆକୁ ନେଇ ପ୍ରତିଯୋଗିତା ହେବାର କାର୍ଯ୍ୟକ୍ରମ ରହିଛି। ୨୦୧୭ରେ ଏହି ହକାଥନ ଆରମ୍ଭ ବେଳେ ମାତ୍ର ୭ ହଜାର ୫୩୧ଟି ଟିମ୍ ଥିବା ବେଳେ ଏହି ସଂଖ୍ୟା ୬ ଗୁଣା ବୃଦ୍ଧି ପାଇଁ ୪୪ ହଜାର ୬୧୭ରେ ପହଞ୍ଚିଛି।

ଦେଶରେ ଦୀର୍ଘ ୩୪ ବର୍ଷ ପରେ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ଆମ ଦେଶ ନୂଆ ନୂଆ ଉଚ୍ଚତାକୁ ଯାଉଛି । ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଥିବା ବେଳେ ଆଗାମୀ ଦିନରେ ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି । ସର୍ବାଧିକ ଯୁବଶକ୍ତିର ଦେଶ ଭାରତ ନିଜ ପାଇଁ ନୁହେଁ ବରଂ ଅନ୍ୟ ମାନଙ୍କ ପାଇଁ ଭାବୁଥିବା ଦେଶ । ଆଗାମୀ ଦିନରେ ଭାରତକୁ ବିକଶିତ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଉଦ୍ୟମିତା, ନବସୃଜନ ଓ ବ୍ୟବସାୟିକ ଦୃଷ୍ଟିକୋଣରୁ ଆମ ଦେଶ ଆଗକୁ ବଢୁଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀଙ୍କ ଯୁବ ନେତୃତ୍ୱାଧୀନ ବିକାଶର ଦୃଷ୍ଟିକୋଣ ଅନୁଯାୟୀ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ହେଉଛି ସରକାରଙ୍କ ମନ୍ତ୍ରଣାଳୟ ଏବଂ ବିଭାଗ, ଶିଳ୍ପ ଏବଂ ଅନ୍ୟାନ୍ୟ ସଂଗଠନର ଜଟିଳ ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ପାଇଁ ଏକ ଦେଶବ୍ୟାପୀ ପଦକ୍ଷେପ । ୨୦୧୭ରେ ଶୁଭାରମ୍ଭ ହୋଇଥିବା ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଯୁବ ଉଦ୍ଭାବକମାନଙ୍କ ମଧ୍ୟରେ ବ୍ୟାପକ ଲୋକପ୍ରିୟତା ହାସଲ କରିଛି। ଗତ ପାଞ୍ଚଟି ସଂସ୍କରଣରେ, ବିଭିନ୍ନ ଡୋମେନ୍‌ରେ ଅନେକ ଅଭିନବ ସମାଧାନ ଉଭା ହୋଇଛି ଏବଂ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ ଭାବରେ ଉଭା ହୋଇଛି ।

Categories
ବିଶେଷ ଖବର

ସୁରକ୍ଷା ଉଲ୍ଲଂଘନକୁ ନିନ୍ଦା କରାଯିବା ଉଚିତ, କିନ୍ତୁ କିଛିଦଳ ଏହାକୁ ସମର୍ଥନ କରୁଛନ୍ତି: ମୋଦୀ

ନୂଆଦିଲ୍ଲୀ: ସଂସଦ ପାଠାଗାର ପରିସରରେ ଭାରତୀୟ ଜନତା ପାର୍ଟି (ବିଜେପି) ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେଇଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ସଂସଦ ପରିସରରେ ଅନୁପ୍ରବେଶ ଘଟଣାକୁ ନିନ୍ଦା କରିବା ଉଚିତ, କିନ୍ତୁ କିଛିଦଳ ଏହାକୁ ସମର୍ଥନ କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଦଳଗୁଡ଼ିକର ଏହି ଆଚରଣ ସୁରକ୍ଷା ତ୍ରୁଟି ପରି ଭୟଙ୍କର। ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଣ୍ଡି ମେଣ୍ଟ ଲକ୍ଷ୍ୟ ଆମ ସରକାରକୁ ହଟାଇବା ହୋଇଥିବାବେଳେ ଆମ ସରକାରଙ୍କ ଲକ୍ଷ୍ୟ ହେଉଛି ଏହି ଦେଶ ପାଇଁ ଏକ ଉନ୍ନତ ଭବିଷ୍ୟତ ସୃଷ୍ଟି କରିବା।

ଏହା ପୂର୍ବରୁ ଡିସେମ୍ବର ୭ରେ ବିଜେପି ଏକ ସଂସଦୀୟ ଦଳ ବୈଠକ ଆୟୋଜନ କରିଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ମନ୍ତ୍ରୀ-ନେତା ଉପସ୍ଥିତ ଥିଲେ। ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ତିନିଦିନ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା, ତେଣୁ ବୈଠକ ଆରମ୍ଭରେ ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତିନିଟି ରାଜ୍ୟରେ ବିପୁଳ ବିଜୟ ପାଇଁ ସ୍ୱାଗତ କରିଥିଲେ।

ଡିସେମ୍ବର ୭ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜେପିର ବିଜୟ ପାଇଁ କର୍ମୀମାନଙ୍କୁ ଶ୍ରେୟ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ତିନିଟି ରାଜ୍ୟରେ ଭଲ ବିଜୟ ହାସଲ କରିଛୁ ଏବଂ ତେଲେଙ୍ଗାନା ଏବଂ ମିଜୋରାମରେ ଆମର ଶକ୍ତି ବୃଦ୍ଧି ପାଇଛି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ତାମିଲନାଡୁ-ଆନ୍ଧ୍ରପ୍ରଦେଶରେ ବାତ୍ୟା ମିଚାଉଙ୍ଗଦ୍ୱାରା ହୋଇଥିବା କ୍ଷୟକ୍ଷତି ବିଷୟରେ ମଧ୍ୟ କହିଥିଲେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ମୋତେ ମୋଦୀ କୁହନ୍ତୁ, ମୋଦୀଜୀ ନୁହେଁ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏନଏସଡିସି, ଏଆଇସିଟିଇ ଓ ବଜାଜ ଫାଇନାନ୍ସ ମଧ୍ୟରେ ଏମଓୟୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆମେ ଏପରି ଏକ ଦୁନିଆରେ ରହୁଛୁ ଯେଉଁଠାରେ କେବଳ ଡିଗ୍ରୀ ରହିବା ଯଥେଷ୍ଟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମକୁ ଭାରତରେ ଜ୍ଞାନ ଓ ଦକ୍ଷତାର ଏକ ସୁପର ହାଇୱେ ନିର୍ମାଣ କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ  ଆର୍ଥିକ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଦେବା ପାଇଁ ସ୍ନାତକ ଯୁବପିଢିଙ୍କୁ ପ୍ରସ୍ତୁତ କରାଇବା ଦିଗରେ ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ସହ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଏବଂ ବଜାଜ ଫାଇନାନ୍ସ କମ୍ପାନୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ବ୍ୟାଙ୍କିଂ, ଫାଇନାନ୍ସ ଓ ବୀମା କ୍ଷେତ୍ରରେ ଏକ ସାର୍ଟିଫିକେଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଆଜିର ଏମଓୟୁ ଶିକ୍ଷାନୁଷ୍ଠାନ-ଶିଳ୍ପାନୁଷ୍ଠାନ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ । ଯୁବବର୍ଗଙ୍କୁ ସଶକ୍ତ କରିବ। ବିଶ୍ୱସ୍ତରୀୟ ଦକ୍ଷତା ଦେଇ ଭବିଷ୍ୟତ ପାଇଁ ଯୁବକ ଯୁବତୀଙ୍କୁ ପ୍ରସ୍ତୁତ କରାଇବା ସହ ଆର୍ଥିକ କ୍ଷେତ୍ରରେ ବ୍ୟାପକ ଦକ୍ଷତା ସୃଷ୍ଟି କରିବ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିକଶିତ ଭାରତ ପାଇଁ ଥିବା ଦୂରଦୃଷ୍ଟି ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ।

ସେ କହିଛନ୍ତି ଲୋକଙ୍କର ଦକ୍ଷତା ବଢାଇବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ ସହ ଯୋଡିଲେ ହିଁ ଦେଶ ଆଗକୁ ବଢିବ। ଆଜି ଦେଶରେ ଡିପିଆଇ ବା ଡିଜିଟାଲ ପବ୍ଲିକ ଇନଟ୍ରେଷ୍ଟ କାରଣରୁ ଦେଶ ଆଗକୁ ବଢୁଛି। ଭାରତର ଆର୍ଥିକ କ୍ଷେତ୍ର ମଜଭୂତ୍ ହେଉଛି। ଏକ ବିକଶିତ ଭାରତ ପାଇଁ ଯୁବବର୍ଗଙ୍କ ସୃଜନଶୀଳ ଚିନ୍ତାଧାରା ସହ ବିକଶିତ ଭାରତ ଗଠନରେ ଦକ୍ଷତା ବିକାଶ ଓ ଆର୍ଥିକ କ୍ଷେତ୍ରର ଯୋଗଦାନକୁ ଏକାଠି କରିବା ପାଇଁ ହେବ।  ବିଶ୍ୱସ୍ତରୀୟ ଦକ୍ଷତା ସହ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦେଶର ଯୁବବର୍ଗ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ବିଶେଷ ଖବର

କାଶ୍ମୀରରେ ଯାହା ଘଟିଲା ତାହା ଦେଶ ପ୍ରତି ବିଶ୍ୱାସଘାତକତା: ସୁପ୍ରିମକୋର୍ଟଙ୍କ ରାୟ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲେଖା

ନରେନ୍ଦ୍ର ମୋଦି
ଧାରା-୩୭୦ ଓ ୩୫(ଏ) ଉଚ୍ଛେଦ ନେଇ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଡିସେମ୍ବର ୧୧ରେ ଏକ ଐତିହାସିକ ରାୟ ଦେଇଛନ୍ତି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ବଜାୟ ରଖିଛନ୍ତି, ଯାହାକୁ ପ୍ରତ୍ୟେକ ଭାରତୀୟ ସର୍ବଦା ମନେ ରଖିବେ। ସୁପ୍ରିମକୋର୍ଟ ଏହା କହିବା ସମ୍ପୂର୍ଣ୍ଣ ଠିକ୍ ଯେ, ୨୦୧୯ ଅଗଷ୍ଟ ୫ ତାରିଖର ରାୟ ସାମ୍ବିଧାନିକ ଏକତା ବୃଦ୍ଧି ଉଦ୍ଦେଶ୍ୟରେ ନିଆଯାଇଥିଲା, ଏହାର ଭଙ୍ଗ ଉଦ୍ଦେଶ୍ୟ ନୁହେଁ। ଧାରା-୩୭୦ର ପ୍ରକୃତି ସ୍ଥାୟୀ ନୁହେଁ ବୋଲି କୋର୍ଟ ମଧ୍ୟ ସ୍ୱୀକାର କରିଛନ୍ତି।

ଜମ୍ମୁ, କାଶ୍ମୀର ଓ ଲଦାଖର ସୁନ୍ଦର ଓ ଶାନ୍ତ ସମତଳ ଅଞ୍ଚଳ, ବରଫଘେରା ପର୍ବତ, ପିଢ଼ି ପିଢ଼ି ଧରି କବି, କଳାକାର ଏବଂ ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଆକର୍ଷିତ କରି ଆସୁଛି। ଏହା ଏକ ଅନନ୍ୟ ଅଞ୍ଚଳ ଯାହା ସବୁ ଦୃଷ୍ଟିରୁ ଅଭୂତପୂର୍ବ, ଯେଉଁଠାରେ ହିମାଳୟ ଆକାଶକୁ ସ୍ପର୍ଶ କରେ, ଯେଉଁଠାରେ ଏହାର ହ୍ରଦ ଏବଂ ନଦୀର ଶାନ୍ତ ଜଳ ସ୍ୱର୍ଗର ଦର୍ପଣ ପରି ମନେହୁଏ।

କିନ୍ତୁ ଗତ କିଛି ଦଶନ୍ଧି ଧରି ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ଏଭଳି ହିଂସା ଓ ଅସ୍ଥିରତା ଦେଖିବାକୁ ମିଳୁଛି, ଯାହା କଳ୍ପନା କରାଯାଇ ପାରିବ ନାହିଁ। ପରିସ୍ଥିତି ଏପରି ହୋଇଥିଲା ଯେ ଜମ୍ମୁ-କଶ୍ମୀରର ପରିଶ୍ରମୀ, ପ୍ରକୃତିପ୍ରେମୀ ଓ ସ୍ନେହୀ ଲୋକଙ୍କୁ କେବେ ବି ମୁକାବିଲା କରିବା ଉଚିତ ନ ଥିଲା। ଦୁର୍ଭାଗ୍ୟବଶତଃ ଶତାବ୍ଦୀ ଧରି ଚାଲିଥିବା ଉପନିବେଶ, ବିଶେଷକରି ଅର୍ଥନୈତିକ ଓ ମାନସିକ ନିୟନ୍ତ୍ରଣ ସେହି ସମୟର ସମାଜକୁ ଦ୍ୱନ୍ଦ୍ୱରେ ପକାଇଥିଲା। ଦେଶ ସ୍ୱାଧୀନହେବା ବେଳକୁ ତତ୍କାଳୀନ ରାଜନୈତିକ ନେତୃତ୍ୱଙ୍କ ପାଖରେ ଜାତୀୟ ଏକତା ପାଇଁ ଏକ ନୂତନ ଆରମ୍ଭ କରିବାର ବିକଳ୍ପ ଥିଲା, କିନ୍ତୁ ଏହା ବଦଳରେ ଦୀର୍ଘକାଳୀନ ଜାତୀୟ ସ୍ୱାର୍ଥକୁ ଅଣଦେଖା କଲେ ମଧ୍ୟ ସମାନ ଦ୍ୱନ୍ଦ୍ୱପୂର୍ଣ୍ଣ ସମାଜ ଆଭିମୁଖ୍ୟ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ।

ମୁଁ ମୋ ଜୀବନର ଆରମ୍ଭରୁ ହିଁ ଜମ୍ମୁ-କଶ୍ମୀର ଆନ୍ଦୋଳନ ସହ ଜଡ଼ିତ ହେବାର ସୁଯୋଗ ପାଇଛି। ମୋର ଧାରଣା ସବୁବେଳେ ରହିଆସିଛି ଯେ, ଜମ୍ମୁ-କଶ୍ମୀର କେବଳ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ସମାଜର ଆକାଂକ୍ଷା ପୂରଣ କରିବା ବିଷୟରେ। ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀ ନେହେରୁ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ ଏବଂ ସେ ଦୀର୍ଘ ଦିନ ପର୍ଯ୍ୟନ୍ତ ସରକାରରେ ରହିପାରିଥାନ୍ତେ। ତଥାପି ସେ କାଶ୍ମୀର ପ୍ରସଙ୍ଗରେ କ୍ୟାବିନେଟ ଛାଡ଼ି ଥିଲେ ଏବଂ ଆଗକୁ ଯିବା ପାଇଁ କଠିନ ବାଟ ବାଛିଥିଲେ, ଯଦିଓ ଏହା ତାଙ୍କ ଜୀବନ ନେଇଥିଲା। ତାଙ୍କର ଅକ୍ଳାନ୍ତ ପ୍ରୟାସ ଏବଂ ବଳିଦାନ କୋଟି କୋଟି ଭାରତୀୟଙ୍କୁ କଶ୍ମୀର ପ୍ରସଙ୍ଗ ସହିତ ଭାବନାତ୍ମକ ଭାବରେ ଜଡ଼ିତ କରିଥିଲା।

ବହୁ ବର୍ଷ ପରେ ଶ୍ରୀନଗରରେ ଏକ ସାଧାରଣ ସଭାରେ ଅଟଳ ବିହାରୀ ବାଜପାୟୀ ସବୁବେଳେ ପ୍ରେରଣାର ଉତ୍ସ ପାଲଟିଥିବା ‘ଇନସାନିୟତ, ଜାମୁରିୟତ ଓ କାଶ୍ମୀରୀୟତ’ର ପ୍ରଭାବଶାଳୀ ବାର୍ତ୍ତା ଦେଇଥିଲେ। ମୁଁ ସର୍ବଦା ଦୃଢ଼ ଭାବରେ ବିଶ୍ୱାସ କରିଆସିଛି ଯେ, ଜମ୍ମୁ-କଶ୍ମୀରରେ ଯାହା ଘଟିଛି ତାହା ଆମ ଦେଶ ଏବଂ ସେଠାକାର ଲୋକଙ୍କ ପ୍ରତି ଏକ ବଡ଼ ବିଶ୍ୱାସଘାତକତା। ଏହି କଳଙ୍କ ଓ ଅନ୍ୟାୟକୁ ଦୂର କରିବା ପାଇଁ ମୁଁ ଯାହା ସମ୍ଭବ ତାହା କରିବାକୁ ମୋର ଦୃଢ଼ ଇଚ୍ଛା ଥିଲା। ସରଳ ଭାଷାରେ କହିବାକୁ ଗଲେ ଧାରା-୩୭୦ ଓ ୩୫(ଏ) ଜମ୍ମୁ-କଶ୍ମୀର ଓ ଲଦାଖ ସମ୍ମୁଖରେ ମୁଖ୍ୟ ପ୍ରତିବନ୍ଧକ ଥିଲା। ମୁଁ ଗୋଟିଏ କଥାରେ ସ୍ପଷ୍ଟ ଥିଲି, ଜମ୍ମୁ-କଶ୍ମୀରର ଲୋକମାନେ ବିକାଶ ଚାହୁଁଛନ୍ତି। ମୋର ମନେଅଛି, ୨୦୧୪ରେ ଆମେ ଦାୟିତ୍ୱ ଗ୍ରହଣ କରିବାମାତ୍ରେ ଜମ୍ମୁ-କଶ୍ମୀରରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ସେପ୍ଟେମ୍ବର ୨୦୧୪ରେ ମୁଁ ଶ୍ରୀନଗର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲି। ଥଇଥାନ ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା କରିଥିଲି। ସଙ୍କଟ ସମୟରେ ସେଠାକାର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମ ସରକାର କେତେ ସମ୍ବେଦନଶୀଳ ତାହା ମଧ୍ୟ ଏହା ଲୋକଙ୍କୁ ବାର୍ତ୍ତା ଦେଇଛି। ସେହି ବର୍ଷ ମୁଁ ନିଷ୍ପତ୍ତି ନେଇଥିଲି ଯେ, ଜମ୍ମୁ-କଶ୍ମୀରରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ଦୀପାବଳି ପାଳନ କରିବି ନାହିଁ।

ଜମ୍ମୁ-କଶ୍ମୀରର ବିକାଶ ଯାତ୍ରାକୁ ଆହୁରି ସୁଦୃଢ଼ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ ଯେ ଆମ ସରକାରଙ୍କ ମନ୍ତ୍ରୀମାନେ ବାରମ୍ବାର ସେଠାକୁ ଯାଇ ସେଠାକାର ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ କରିବେ। ମେ ୨୦୧୪ରୁ ମାର୍ଚ୍ଚ ୨୦୧୯ ମଧ୍ୟରେ ୧୫୦ରୁ ଅଧିକ ମନ୍ତ୍ରୀସ୍ତରୀୟ ଗସ୍ତ ହୋଇଥିଲା। ଏହା ଏକ ରେକର୍ଡ଼। ଯୁବକମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମେ କ୍ରୀଡ଼ା ଶକ୍ତିର ସମ୍ଭାବନାକୁ ସ୍ୱୀକାର କରିଥିଲୁ ଏବଂ ଜମ୍ମୁ-କଶ୍ମୀରରେ ଏହାର ପୂର୍ଣ୍ଣ ଉପଯୋଗ କରିଥିଲୁ।

ମୋର ମନେଅଛି ପ୍ରତିଭାବାନ ଫୁଟବଲ ଖେଳାଳି ଅଫଶାନ ଆଶିକଙ୍କ ନାମ। ସେ ଡିସେମ୍ବର ୨୦୧୪ରେ ଶ୍ରୀନଗରରେ ଏକ ପଥରମାଡ଼ ଗୋଷ୍ଠୀର ସଦସ୍ୟ ଥିଲେ, କିନ୍ତୁ ଉପଯୁକ୍ତ ପ୍ରୋତ୍ସାହନ ମିଳିବା ପରେ ସେ ଫୁଟବଲ ଆଡ଼କୁ ମୁହାଁଇଥିଲେ। ପଞ୍ଚାୟତ ନିର୍ବାଚନ ମଧ୍ୟ ଏହି ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଆମେ ସରକାର ହରାଇବାକୁ ପସନ୍ଦ କରିଥିଲୁ ଏବଂ ଯେଉଁ ଆଦର୍ଶ ପାଇଁ ଆମେ ଠିଆ ହୋଇଛୁ ତାହାକୁ ପ୍ରାଥମିକତା ଦେଇଥିଲୁ। ଅଗଷ୍ଟ ୫ ତାରିଖର ଏହି ଐତିହାସିକ ଦିନ ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଓ ମନରେ ଚିହ୍ନିତ ହୋଇ ରହିଛି। ଆମ ସଂସଦ ଧାରା-୩୭୦ ଉଚ୍ଛେଦ ପାଇଁ ଐତିହାସିକ ନିଷ୍ପତ୍ତି ପାରିତ କରିଛି। ଏହାପରଠାରୁ ଜମ୍ମୁ-କଶ୍ମୀର ଓ ଲଦାଖରେ ଅନେକ କିଛି ବଦଳିଯାଇଛି।

୨୦୨୩ ଡିସେମ୍ବରରେ ଅଦାଲତ ଏହି ରାୟ ଦେଇଛନ୍ତି, କିନ୍ତୁ ଜମ୍ମୁ-କଶ୍ମୀର ଏବଂ ଲଦାଖରେ ବିକାଶର ଗତିକୁ ଦୃଷ୍ଟିରେ ରଖି ଲୋକ ଅଦାଲତ ଚାରି ବର୍ଷ ପୂର୍ବେ ଧାରା-୩୭୦ ଏବଂ ୩୫(ଏ) ଉଚ୍ଛେଦ ପାଇଁ ସଂସଦର ନିଷ୍ପତ୍ତିକୁ ଦୃଢ଼ ସମର୍ଥନ କରିଛନ୍ତି।

ଗତ ୪ ବର୍ଷକୁ ତୃଣମୂଳ ସ୍ତରରେ ଗଣତନ୍ତ୍ର ଉପରେ ଆସ୍ଥା ପ୍ରକଟ କରିବା ଭଳି ଦେଖାଯିବା ଉଚିତ। ମହିଳା, ଆଦିବାସୀ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ସମାଜର ବଞ୍ଚିତ ବର୍ଗସେମାନଙ୍କର ପ୍ରାପ୍ୟ ପାଉନାହାନ୍ତି। ଲଦାଖର ଆକାଂକ୍ଷାକୁ ମଧ୍ୟ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିଲା, କିନ୍ତୁ ୫ ଅଗଷ୍ଟ ୨୦୧୯ ସବୁକିଛି ବଦଳାଇ ଦେଇଥିଲା। ସମସ୍ତ କେନ୍ଦ୍ରୀୟ ଆଇନ ଏବେ ବିନା ଭୟ କିମ୍ବା ପକ୍ଷପାତରେ କାର୍ଯ୍ୟକାରୀ ହେଉଛି। କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ଯୋଜନାଗୁଡ଼ିକ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିଛନ୍ତି। ଏହାର ଶ୍ରେୟ ସ୍ୱାଭାବିକଭାବେ ଜମ୍ମୁ-କଶ୍ମୀରବାସୀଙ୍କ ଅଧ୍ୟବସାୟକୁ ଯାଉଛି। ଡିସେମ୍ବର ୧୧ରେ ସୁପ୍ରିମକୋର୍ଟ ତାଙ୍କ ରାୟରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ଦୃଢ଼ କରିଛନ୍ତି।

ଏକତା ଏବଂ ସୁଶାସନ ପାଇଁ ଏକ ମିଳିତ ପ୍ରତିବଦ୍ଧତା ଆମର ପରିଚୟ ବୋଲି ଏହା ଆମକୁ ମନେପକାଇ ଦେଇଛି। ଆଜି ଜମ୍ମୁ-କଶ୍ମୀରରେ ନିରାଶା, ନିରାଶା ଓ ନିରାଶାର ସ୍ଥାନ ନେଇଛି ବିକାଶ, ଗଣତନ୍ତ୍ର ଓ ଗୌରବ।

(ଲେଖକ ଭାରତର ପ୍ରଧାନମନ୍ତ୍ରୀ)

Categories
ବିଶେଷ ଖବର

ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ପାଇଁ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି।

ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଳଚେର ହେଉଛି ସଂଗ୍ରାମ ଓ ସ୍ୱାଭିମାନର ଭୂମି। ମହାନ ସଂଗ୍ରାମୀ ନେତା ପବିତ୍ର ମୋହନ ପ୍ରଧାନ ଏ ମାଟିରେ ଜନ୍ମ ନେଇଥିଲେ। ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭକରି ରାଜ୍ୟର ବିକାଶ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ସ୍ୱର୍ଗତ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି ହସ୍ପିଟାଲକୁ ଆଗାମୀ ଦିନରେ ଏକ ମେଡିକାଲ୍ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟସେବା ସବୁବେଳେ ଆମର ଫୋକସ୍ ହୋଇ ରହିଛି। ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ମେଡିକାଲ୍‌ କଲେଜ ସଂଖ୍ୟା ବଢିଛି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସଂଖ୍ୟା ବଢିଛି। ନୂଆ ନୂଆ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ହେଉଛି। ସରକାରୀ ହସ୍ପିଟାଲ ଉପରେ ଏବେ ଲୋକଙ୍କ ଆସ୍ଥା ବଢିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ସେ କହିଲେ ଯେ ଏ ଯୋଜନାରେ ପ୍ରତିମାସରେ ଲକ୍ଷ ଲକ୍ଷ ଲୋକ ଉତ୍ତମ ଚିକିତ୍ସା ସେବା ପାଉଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଜି ଯେଉଁ ରୂପାନ୍ତର ଆସିଛି ତାହା ଲୋକମାନଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇଛି ବୋଲି ସେ କହିଥିଲେ ଏବଂ ଏଥିପାଇଁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ।

ପ୍ରତି ଜୀବନ ମୂଲ୍ୟବାନ ମନ୍ତ୍ରକୁ ଆଦର୍ଶ କରି ଏହି ହସ୍ପିଟାଲ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସଫଳ ହେବ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଲେ ଯେ ଏହି ହସ୍ପିଟାଲ ତାଳଚେର ଓ ଅନୁଗୋଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବହୁ ଉପଯୋଗୀ ହେବ । ଏହି ହସ୍ପିଟାଲ ପାଇଁ କୋଲ ଇଣ୍ଡିଆର ବହୁ ଅବଦାନ ରହିଛି ଏବଂ ଆଗାମୀ ଦିନରେ ଏହି ହସ୍ପିଟାଲକୁ ମେଡିକାଲ୍‌ କଲେଜରେ ପରିଣତ କରିବା ପାଇଁ କୋଲ ଇଣ୍ଡିଆ ସମସ୍ତ ସହଯୋଗ ଦେବ। ଏହି ହସ୍ପିଟାଲ ପାଇଁ ସମସ୍ତ ସହାୟତା ଓ ସହଯୋଗ ଯୋଗାଇ ଦେଇଥିବାରୁ ଓଡିଶା ସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇବା ସହିତ ଆଗାମୀ ୫ ବର୍ଷ ପାଇଁ ଏହି ହସ୍ପିଟାଲ ପରିଚାଳନା ପାଇଁ ଏମ୍.ସି.ଏଲ୍ ୬୨୮ କୋଟି ଟଙ୍କା ସହାୟତା ଯୋଗାଇଦେବ ବୋଲି ଶ୍ରୀ ଯୋଶୀ ପ୍ରକାଶ କରିଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହା ଏକ ଗୌରବର ଦିନ ଓ ସ୍ମରଣୀୟ ହୋଇ ରହିବ। ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଦ୍ୱାରା ଏ ମାଟି ତାଙ୍କୁ ଉପଯୁକ୍ତ ସମ୍ମାନ ଦେଲା। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇ ଖୁବ୍ ଶୀଘ୍ର ମେଡିକାଲ୍‌ କଲେଜ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଏ ଦିଗରେ ଆମକୁ ଅଧିକ ପ୍ରେରଣା ଯୋଗାଉଛି।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଓ ମହାନଦୀ କୋଲ ଫିଲ୍ଡର ସି.ଏମ୍.ଡି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ସାଂସଦ ପଦରୁ ବହିଷ୍କୃତ ମାମଲା: ମହୁଆଙ୍କ ଆଗରେ କ’ଣ ରହିଛି ଆଇନଗତ ବିକଳ୍ପ?

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମହୁଆ ମୋଇତ୍ରାଙ୍କୁ ‘କ୍ୟାସ୍ ଫର୍ କ୍ୱେରି’ ମାମଲାରେ ନୈତିକତା କମିଟି ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ଲୋକସଭା ସାଂସଦ ପଦରୁ ବହିଷ୍କାର କରାଯାଇଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାରକୁ ଘେରିବା ପାଇଁ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ସେ ଜଣେ ବ୍ୟବସାୟୀଙ୍କଠାରୁ ଉପହାର ଏବଂ ନଗଦ ଟଙ୍କା ଗ୍ରହଣ କରିଥିଲେ ବୋଲି ନୈତିକ କମିଟିର ରିପୋର୍ଟକୁ ନେଇ ତୀବ୍ର ସମାଲୋଚନା କରାଯାଇଛି।

ସଂସଦୀୟ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ମାଗିବା କାର୍ଯ୍ୟ ବେଆଇନ ଲାଞ୍ଚ କି ନାହିଁ ତାହାକୁ ନେଇ ମୋଇତ୍ରାଙ୍କ ମାମଲା ଚର୍ଚ୍ଚାର ବିଷୟ ପାଲଟିଛି। ଆଇନ ବିଶେଷଜ୍ଞମାନେ ଏହି ଉଲ୍ଲଂଘନର ଗମ୍ଭୀରତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଯଦି ଜଣେ ସାଂସଦ ପ୍ରକୃତରେ ପାରିଶ୍ରମିକ ପାଇଁ ସଂସଦୀୟ ଦାୟିତ୍ୱ ନିର୍ବାହ କରନ୍ତି, ତେବେ ଅବମାନନା ଏବଂ ଅଧିକାରର ଗୁରୁତର ଉଲ୍ଲଂଘନ ପାଇଁ ଅଧିକାର କମିଟି ଦ୍ୱାରା ତଦନ୍ତ ହେବା ଆବଶ୍ୟକ।

ତେବେ ଏହି ମାମଲାରେ ମୈତ୍ରଙ୍କୁ ବହିଷ୍କାର କରିବାକୁ ନୈତିକତା କମିଟି ନିଷ୍ପତ୍ତି ନେଇଛି।
କିନ୍ତୁ ମାମଲାକୁ ଜଟିଳ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସାଂସଦମାନଙ୍କୁ ସେମାନଙ୍କ ସଂସଦ ଲଗ୍‍ଇନ୍ ପ୍ରମାଣପତ୍ର ଅନ୍ୟମାନଙ୍କୁ ଦେବା ପାଇଁ ବାରଣ କରିବା ପାଇଁ ସ୍ପଷ୍ଟ ନିୟମର ଅନୁପସ୍ଥିତି ରହିଛି। କାରଣ ଅନଲାଇନ୍ ପ୍ରଶ୍ନ ଦାଖଲର ଅଭ୍ୟାସ ଅପେକ୍ଷାକୃତ ସାମ୍ପ୍ରତିକ ଅଟେ। ତେବେ ନିର୍ଦ୍ଦିଷ୍ଟ ନିୟମ ନ ଥିବାରୁ ସଂସଦୀୟ ଆଚରଣର ସମ୍ଭାବ୍ୟ ଉଲ୍ଲଂଘନର ଗମ୍ଭୀରତା ହ୍ରାସ ପାଉନାହିଁ।

ମୋଇତ୍ରାଙ୍କୁ ବହିଷ୍କାର କରାଯିବା ପରେ ଏବେ ତାଙ୍କୁ ଏହି ନିଷ୍ପତ୍ତିକୁ ଅଦାଲତରେ ଚ୍ୟାଲେଞ୍ଜ କରିବାର ଅଧିକାର ରହିଛି। କମିଟିର ତଦନ୍ତ ସମୟରେ ସମ୍ଭାବ୍ୟ ବେଆଇନ ପଦକ୍ଷେପ, ଅସାମ୍ବିଧାନିକତା କିମ୍ବା ପ୍ରାକୃତିକ ନ୍ୟାୟରୁ ବଞ୍ଚିତ ହେବା ଭଳି କୌଣସି କାରଣ ରହିଛି।

ପୂର୍ବ ମାମଲାରେ ସୁପ୍ରିମକୋର୍ଟ କ’ଣ ରାୟ ଦେଇଛନ୍ତି?

ଅତୀତରେ ସମାନ ମାମଲା ଉପରେ ସୁପ୍ରିମକୋର୍ଟ ଭିନ୍ନ ଭିନ୍ନ ମତ ରଖିଛନ୍ତି, ଯାହା ସଂସଦୀୟ ବହିଷ୍କାରର ଜଟିଳତାକୁ ପ୍ରତିଫଳିତ କରୁଛି। ୨୦୦୭ର ରାଜା ରାମ ପାଲ ମାମଲା ଦର୍ଶାଇଥିଲା ଯେ ନ୍ୟାୟଯୋଗ୍ୟତା ଅଧୀନରେ ସଂସଦ ନିଜର ସଦସ୍ୟମାନଙ୍କୁ ବହିଷ୍କାର କରିବାର କ୍ଷମତା ରଖିଛି। ତେବେ ସଂସଦରେ ବାଖ୍ୟା କରିବା ସମ୍ପର୍କିତ ଧାରା ୧୦୧ର ବ୍ୟାଖ୍ୟା ଯୋଗୁଁ ବିଚାରପତିଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା।
ବହିଷ୍କାର କରିବା ସଂସଦର କ୍ଷମତା ମଧ୍ୟରେ ଅଛି ବୋଲି ସଂଖ୍ୟାଗରିଷ୍ଠ ଯୁକ୍ତି ବାଢ଼ିଥିବାବେଳେ ଅନ୍ୟମାନେ ଧାରା ୧୦୧ର ସମ୍ପୂର୍ଣ୍ଣ ପ୍ରକୃତି ଏବଂ ବହିଷ୍କାର ଉପରେ ନିରବତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ପରବର୍ତ୍ତୀ ମାମଲାରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବହିଷ୍କାରକୁ ଅସାମ୍ବିଧାନିକ ବୋଲି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ପଞ୍ଜାବ ବିଧାନସଭାର ଅମରିନ୍ଦର ସିଂହ ବନାମ ସ୍ପେଶାଲ କମିଟି ଘୋଷଣା କରିଛନ୍ତି। ଏହି ରାୟ ବିଶେଷକରି ପୂର୍ବ କାର୍ଯ୍ୟକାଳରୁ ସେମାନଙ୍କ ଆଇନଗତ କାର୍ଯ୍ୟ ସମ୍ବନ୍ଧରେ ରାଜନୈତିକ ବିରୋଧୀ କିମ୍ବା ଅସନ୍ତୁଷ୍ଟମାନଙ୍କୁ ଟାର୍ଗେଟ କରିବା ପାଇଁ ଆଇନଗତ ଅଧିକାରର ସମ୍ଭାବ୍ୟ ଅପବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛି।

ମୋଇତ୍ରାଙ୍କୁ ଲୋକସଭାରୁ ବହିଷ୍କାର କରାଯିବାର ସାମ୍ପ୍ରତିକ ଦୃଶ୍ୟ ଦର୍ଶାଉଛି ଯେ ଶାସନରେ ପରିବର୍ତ୍ତନ ନ କରି ମଧ୍ୟ କିପରି ରାଜନୈତିକ ବିରୋଧୀଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇପାରିବ। କୌଣସି ଆର୍ଥିକ ଅନିୟମିତତାକୁ ପ୍ରମାଣିତ କରିବା ପାଇଁ ନୈତିକତା କମିଟିର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ପରିସ୍ଥିତିର ଗମ୍ଭୀରତାକୁ ଦର୍ଶାଉଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅମରିନ୍ଦର ସିଂହ ମାମଲାରେ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ବହିଷ୍କାର ପାଇଁ ଅସ୍ପଷ୍ଟ କାରଣ, ଯେପରିକି ଜଣେ ସଦସ୍ୟଙ୍କୁ ଅଯୋଗ୍ୟ ଆଚରଣ କରିବା କିମ୍ବା ଗୃହର ମର୍ଯ୍ୟାଦା ହ୍ରାସ କରିବା ଭଳି ଅସ୍ପଷ୍ଟ କାରଣକୁ ନେଇ ଚିନ୍ତା ପ୍ରକଟ କରିଛି। ଏଭଳି ବ୍ୟାପକ ମାନଦଣ୍ଡ ରାଜନୈତିକ ବିରୋଧୀଙ୍କ ବିରୁଦ୍ଧରେ ଆଇନଗତ ଅଧିକାରର ଚୟନମୂଳକ ପ୍ରୟୋଗ ପାଇଁ ବାଟ ଖୋଲିପାରେ।

ମହୁଆ ମୋଇତ୍ରାର ଆଇନଗତ ବିକଳ୍ପ

ପ୍ରଥମତଃ ନୈତିକ କମିଟିର ନିଷ୍ପତ୍ତି ବିରୋଧରେ ମୋଇତ୍ରା ଆବେଦନ କରିପାରିବେ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା କିମ୍ବା ଆଦେଶ ଦେବା ପାଇଁ ଅନୁରୋଧ କରିପାରିବେ। ଏହି ଆବେଦନ ପ୍ରାକୃତିକ ନ୍ୟାୟ ଏବଂ ନିରପେକ୍ଷ ଶୁଣାଣିର ନୀତି ଆଧାରରେ ହେବ।

Categories
ବିଶେଷ ଖବର

କ’ଣ ରହିଛି ନୀତୀଶ କୁମାରଙ୍କ ‘ମିଶନ ୟୁପି’?: ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ପାଇଁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ଯୋଜନା!

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ପରେ ଏବେ ବିହାର ରାଜନୀତି ଚରମ ସୀମାରେ ରହିଛି। ଇଣ୍ଡି ମେଣ୍ଟର ସ୍ଥାପକ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଗାମୀ ଲୋକସଭା ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିବା ମୁଡରେ ଅଛନ୍ତି। ରାଜନୈତିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ ବର୍ଷରେ ନୀତୀଶ କୁମାର ହିନ୍ଦୀ ବେଲ୍ଟରେ ସର୍ବାଧିକ ସାଂସଦ ଥିବା ରାଜ୍ୟ ଉତ୍ତରପ୍ରଦେଶ ଉପରେ ଫୋକସ କରିବେ। କୁହାଯାଉଛି ଯେ ଆଗାମୀ କିଛିଦିନ ମଧ୍ୟରେ ନୀତୀଶ କୁମାର ଉତ୍ତରପ୍ରଦେଶ ମାଟିରେ ଜୋରଦାର ରାଲି କରି ମୋଦିଙ୍କ ଗଡ଼ ଅର୍ଥାତ୍ ବାରାଣାସୀରେ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିବାକୁ ଯାଉଛନ୍ତି। ତେବେ ଏହି ରାଲି ଇଣ୍ଡି ମେଣ୍ଟ କିମ୍ବା ଜେଡିୟୁ ବ୍ୟାନରରେ ହେବ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

କ’ଣ ରହିଛି ନୀତୀଶ କୁମାରଙ୍କ ଯୋଜନା?

ମିଳିଥିବା ସୂଚନା ଅନୁଯାୟୀ, ମୋଦିଙ୍କ ଗଡ଼ରୁ ନିର୍ବାଚନୀ ହୋହଲ୍ଲା ଆରମ୍ଭ କରିବା ପାଇଁ ନୀତୀଶ କୁମାର ୟୁପିର ବାରଣାସୀରେ ନିଜର ପ୍ରଥମ ରାଲି କରିବାକୁ ଯାଉଛନ୍ତି। ସମ୍ଭବତଃ ୨୦୨୪ ପ୍ରାରମ୍ଭରେ ଅର୍ଥାତ୍ ଜାନୁଆରୀରେ ୟୁପି ମାଟିରେ ଲୋକସଭାର ନିର୍ବାଚନୀ ଘୋଷଣା ହେବାକୁ ଯାଉଛି। ବାରଣାସୀ ପରେ ଆମ୍ବେଦକର ନଗରରେ ନୀତୀଶ କୁମାରଙ୍କ ଦ୍ୱିତୀୟ ରାଲି ହେବାକୁ ଯାଉଛି। ବନାରସରେ ରାଲି ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଥିଲା। ଜେଡିୟୁର ବରିଷ୍ଠ ନେତାମାନେ ସଭାସ୍ଥଳକୁ ଯାଇ ସେଠାରେ ସ୍ଥିତି ଆକଳନ କରିଛନ୍ତି।
ଉତ୍ତରପ୍ରଦେଶ କାହିଁକି ଟାର୍ଗେଟରେ?

ବିହାର ରାଜନୀତି ଓ ଉତ୍ତରପ୍ରଦେଶ ରାଜନୀତିର ପ୍ରକୃତି ସମାନ ଏବଂ ଏଠାରୁ ଦେଶକୁ ୮୦ ଜଣ ସାଂସଦ ମିଳୁଥିବାରୁ ଉତ୍ତରପ୍ରଦେଶ ମଧ୍ୟ ନୀତୀଶ କୁମାରଙ୍କ ଟାର୍ଗେଟରେ ରହିଛି। ବିହାରର ସୀମା ନିକଟରେ ଥିବା ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ଉପରେ ବିହାର ରାଜନୀତିର ପ୍ରଭାବ ରହିଛି। ବିହାର ଭଳି ୟୁପିରେ ମଧ୍ୟ ସାମାଜିକ ନ୍ୟାୟ ନାଁ’ରେ ଜାତିଗତ ସଚେତନତାର କେନ୍ଦ୍ର ପାଲଟିଛି। ଯୋଗୀ ଆଦିତ୍ୟନାଥଙ୍କ ଆଗମନ ପୂର୍ବରୁ ଆରଜେଡି ଭଳି ସମାଜବାଦୀ ପାର୍ଟି ମଧ୍ୟ ମୁସଲମାନ ଓ ଯାଦବଙ୍କ ସମାଗମରେ ୟୁପିରେ କ୍ଷମତା ଉପଭୋଗ କରିଆସୁଛି। ଇଣ୍ଡିଆ ମେଣ୍ଟରେ ଅନ୍ୟାନ୍ୟ ଦଳ ସାମିଲ ହେବା ପରେ ବିଜେପିର ଭୋଟ ଯୋଗୁଁ ଜାତିଗତ ସମୀକରଣ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି। ନୀତୀଶ କୁମାର ମଧ୍ୟ ଜାଣନ୍ତି ଯେ ଅନେକ ଲୋକସଭା ଆସନ ଅଛି ଯେଉଁଠାରେ କୁର୍ମି ଜନସଂଖ୍ୟା ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥାଏ। ନୀତୀଶ କୁମାରଙ୍କ ନଜର ସେହି ଆସନଗୁଡ଼ିକ ଉପରେ ରହିଛି ଯାହା ବିହାରକୁ ଲାଗି ରହିଛି ଏବଂ ଯେଉଁ ଅଞ୍ଚଳରେ ବିହାରରୁ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ଭଲ ରହିଛି।

ନୀତୀଶ ୟୁପିରୁ ନିର୍ବାଚନ ଲଢ଼ିବେ କି?

ନୀତୀଶ କୁମାର ଉତ୍ତରପ୍ରଦେଶର ଫୁଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଠାରେ କୁର୍ମି ମତଦାତା ପ୍ରଚୁର ମାତ୍ରାରେ ଅଛନ୍ତି। ଦ୍ୱିତୀୟ ବଡ଼ କଥା ହେଉଛି ଜବାହରଲାଲ ନେହେରୁ ମଧ୍ୟ ଏଠାରୁ ନିର୍ବାଚନ ଲଢ଼ିଥିଲେ। ବିହାର ସରକାରଙ୍କ ମନ୍ତ୍ରୀ ତଥା ଜେଡିୟୁର ୟୁପି ପ୍ରଭାରୀ ଶ୍ରବଣ କୁମାର ଏହି ସୂଚନା ଦେଇଛନ୍ତି। ସେତେବେଳେ ଶ୍ରବଣ କୁମାର କହିଥିଲେ ଯେ ଜେଡିୟୁ କର୍ମୀମାନେ ୟୁପିର ଅନେକ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ତେବେ ଫୁଲପୁର ବ୍ୟତୀତ ୟୁପିର ଜେଡିୟୁ କର୍ମୀମାନେ ମଧ୍ୟ ଆମ୍ବେଦକର ନଗର କିମ୍ବା ମିର୍ଜାପୁରରୁ ନିର୍ବାଚନ ଲଢ଼ିବାକୁ ନିମନ୍ତ୍ରଣ ପଠାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହ

ନୂଆଦିଲ୍ଲୀ: ପ୍ରାଚୀନ କାଳରେ ସଂସ୍କୃତ ଭାଷା ଜ୍ଞାନ ବିଜ୍ଞାନର ପ୍ରବାହର ମାଧ୍ୟମ ଥିଲା। ଆଜିର ସମୟରେ ସଂସ୍କୃତ ଅଧ୍ୟୟନରେ ନୂତନ ଦୃଷ୍ଟିଭଙ୍ଗୀ ଆସିବା ଜରୁରୀ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି କାରଣରୁ ହିଁ ସଂସ୍କୃତ ଶିକ୍ଷା ଏବଂ ସଂସ୍କୃତର ପ୍ରଚାର ପ୍ରସାରରେ ନୂଆ ଉପକ୍ରମ ଯୋଡିହେଉଛି । ତିନୋଟି ସଂସ୍କୃତ ବିଶ୍ୱବିଦ୍ୟାଳୟର ପୁନଃ ସଂରଚନା କରି ମୋଦିଜୀ ଭାରତର ମୂଳ ବିଦ୍ୟା ଭଣ୍ଡାରକୁ ସଂରକ୍ଷିତ କରିବା ପାଇଁ ପ୍ରୟାସକୁ ଅଧିକ ଗତି ଦେଇଛନ୍ତି ।

ସଭ୍ୟତାର ସବୁଠୁ ପୁରୁଣା ଗ୍ରନ୍ଥ ବେଦ ସଂସ୍କୃତରେ ଲେଖାଯାଇଥିଲା । ବେଦ କେବଳ ଏକ ଗ୍ରନ୍ଥ ନୁହେଁ ବଂର ସର୍ବବିଦ୍ୟାର ମହାଗ୍ରନ୍ଥ । ଏହି ସବୁ ବିଷୟକୁ ସର୍ବଜନବିଦିତ କରିବାର ମାଧ୍ୟମ ହେଉଛି ସଂସ୍କୃତ । ଆଜିର ସମୟରେ ସଂସ୍କୃତକୁ ନୂଆ ଦୃଷ୍ଟିକୋଣରେ ପଢିବା, ପଢାଇବା ଏବଂ ସଂସ୍କୃତରେ ଗବେଷଣାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଜାତୀୟ ଶିକ୍ଷା ନୀତି ଭାରତୀୟ ଭାଷାକୁ ପ୍ରାଥମିକତା ଦେଇଛି । ଏହି ଶିକ୍ଷା ନୀତିର ଉଦ୍ଦେଶ୍ୟ ଅନୁସାରେ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଭାରତୀୟ ଜ୍ଞାନ ପରମ୍ପରାକୁ ପୁନର୍ଜୀବିତ କରିବା ସହ ସଂସ୍କୃତ ସମେତ ଭାରତୀୟ ଭାଷା ଗୁଡିକୁ ସମୃଦ୍ଧ କରିବ ତଥା ଭାରତୀୟତା ମୂଲ୍ୟବୋଧ ଏବଂ ବେଦରେ ସମାହିତ ଅନନ୍ତ ଜ୍ଞାନକୁ ସର୍ବବିଦିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ ପାଇଁ ଶ୍ରୀ ପ୍ରଧାନ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କୃତଜ୍ଞତା ଜ୍ଞାପନ କରିବା ସହ ପଦକ ଓ ଉପାଧି ପାଇଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ଶୁଭକାମନା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Categories
ବିଶେଷ ଖବର

୯ ବର୍ଷ ପରେ ଏଭଳି ସଫଳତା: ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦି?

ନୂଆଦିଲ୍ଲୀ: ୪ ଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ସବୁଠି ମୋଦି-ମୋଦି ସ୍ୱର ଶୁଣିବାକୁ ମିଳୁଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ଚମତ୍କାର ବିଜୟ ହାସଲ କରିଥିବାବେଳେ ତେଲେଙ୍ଗାନାରେ ନିଜର ପ୍ରଦର୍ଶନରେ ଉନ୍ନତି ଆଣିଛି। ଫଳାଫଳ ପରେ ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଏବଂ ପରଦିନ ସକାଳେ ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି। ରାଜ୍ୟର ଫଳାଫଳରୁ ଗୋଟିଏ କଥା ସ୍ଥିର ହୋଇଛି ଯେ ଆସନ୍ତା ଗ୍ରୀଷ୍ମ ଋତୁରେ ସାଧାରଣ ନିର୍ବାଚନ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଲେଞ୍ଜ ଦେବା ପାଇଁ ବିରୋଧୀଙ୍କୁ ଅଧିକ ଝାଳ ବୋହିବାକୁ ପଡ଼ିବ। ଯଦି ରାଜ୍ୟଗୁଡ଼ିକର ଫଳାଫଳକୁ ଭଲ ଭାବରେ ଦେଖାଯାଏ, ତେବେ ଲାଗୁଛି ଅନେକ ଘଟଣା ଘଟିଛି ଯାହା ପୂର୍ବରୁ ଦେଖିବାକୁ ମିଳିନଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯାଇଥିଲା ଏବଂ ‘ମୋଦିଙ୍କ ଗ୍ୟାରେଣ୍ଟି’ର ପ୍ରଭାବ ସବୁଠାରୁ ଅଧିକ ଦେଖିବାକୁ ମିଳିଥିଲା। ମୋଦିଙ୍କ ଗ୍ୟାରେଣ୍ଟି ଚଳିତ ନିର୍ବାଚନରେ ବିରୋଧୀଙ୍କ ମାଗଣା ପ୍ରତିଶ୍ରୁତିଠାରୁ ଅଧିକ ବୋଲି ଜଣାପଡ଼ିଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛନ୍ତି କି?

ପରାଜୟ ପରେ କ’ଣ ହୁଏ, ବିରୋଧୀଙ୍କୁ ଏହା ବୁଝିବାକୁ ପଡ଼ିବ

ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପୂର୍ବରୁ ବିଜେପି ମାତ୍ର ୭ଟି ରାଜ୍ୟରେ କ୍ଷମତା ସମ୍ଭାଳି ଥିଲା ଏବଂ ମାର୍ଚ୍ଚ ୨୦୧୮ ସୁଦ୍ଧା ୨୧ଟି ରାଜ୍ୟରେ ସରକାର ଗଠନ କରିବାରେ ସଫଳ ହୋଇଥିଲା। ତେବେ ଏହାପରେ କିଛି ରାଜ୍ୟରେ କ୍ଷମତା ମଧ୍ୟ ତାଙ୍କ ହାତରୁ ଚାଲିଯାଇଥିଲା। ୨୦୧୯ ସାଧାରଣ ନିର୍ବାଚନ ପରେ କିଛି ମାସ ମଧ୍ୟରେ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଦଳର ପ୍ରଦର୍ଶନ ପୂର୍ବ ଭଳି ନ ଥିଲା। ପରବର୍ତ୍ତୀ ବର୍ଷଗୁଡ଼ିକରେ ବିଜେପି କିଛି ରାଜ୍ୟରେ ଭଲ ପ୍ରଦର୍ଶନ କରିଛି ତ ଆଉକିଛି ରାଜ୍ୟରେ ଭଲ ପ୍ରଦର୍ଶନ କରିନାହିଁ। ଏସବୁ ଭିତରେ ଚଳିତ ବର୍ଷ କର୍ଣ୍ଣାଟକ ନିର୍ବାଚନ ଆସୁଛି ଏବଂ ମେ ମାସରେ ଆସିଥିବା ଫଳାଫଳ ବିଜେପିକୁ ପରାସ୍ତ କରିଛି। ଏହି ପରାଜୟକୁ ନେଇ ଅନେକ ପ୍ରଶ୍ନ ଉଠିଛି। କର୍ଣ୍ଣାଟକ ନିର୍ବାଚନ ପରେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଏବଂ ପରେ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ଏହାକୁ ନେଇ ଅଧିକ ଚର୍ଚ୍ଚା ହୋଇଥିଲା। କର୍ଣ୍ଣାଟକ ନିର୍ବାଚନ ପରେ ବିରୋଧୀ ଦଳମାନେ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି ଏବଂ ଇଣ୍ଡି ମେଣ୍ଟ ତ୍ୱରାନ୍ୱିତ ହୋଇଛି। ବିରୋଧୀମାନେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଏବଂ କୁହାଯାଏ ଯେ ପ୍ରଧନମନ୍ତ୍ରୀ ମୋଦି ଇଣ୍ଡି ମେଣ୍ଟଦ୍ୱାରା ଭୟଭୀତ ହୋଇଥିଲେ। ତେବେ ଡିସେମ୍ବର ୩ ତାରିଖରେ ଫଳାଫଳ ଆସିବା ପରେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ସେହି ଇଣ୍ଡି ମେଣ୍ଟ ଉପରେ।

ନିରାଶ ହେବାର ଆବଶ୍ୟକତା ନାହିଁ, ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି ମୋଦି

ବିଜୟର ପରଦିନ ଏବଂ ଶୀତ କାଳୀନ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନିର୍ବାଚନ ଫଳାଫଳ ଆଧାରରେ ବିରୋଧୀ ଦଳରେ ବସିଥିବା ସହକର୍ମୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏହି ଅଧିବେଶନରେ ପରାଜୟର କ୍ରୋଧକୁ ବାହାର କରିବା ପାଇଁ ଯୋଜନା କରିବା ପରିବର୍ତ୍ତେ, ଏହି ପରାଜୟରୁ ଶିକ୍ଷା ଗ୍ରହଣ କରି, ଗତ ୯ ବର୍ଷର ନକାରାତ୍ମକ ପ୍ରବୃତ୍ତିକୁ ବାଦ୍ ଦେଇ ଯଦି ଆମେ ଏହି ଅଧିବେଶନରେ ସକାରାତ୍ମକତା ସହିତ ଆଗକୁ ବଢ଼ିବୁ, ତେବେ ସେମାନଙ୍କୁ ଦେଖିବା ପାଇଁ ଦେଶର ଆଭିମୁଖ୍ୟ ବଦଳିଯିବ। ଏହି ପରାମର୍ଶରେ କଟାକ୍ଷ ହୋଇପାରେ, କିନ୍ତୁ ଆଜି ବିରୋଧୀ କେଉଁଠି ଠିଆ ହୋଇଛନ୍ତି ତାହା ମଧ୍ୟ ବୁଝିବାକୁ ପଡ଼ିବ। ତାଙ୍କ ମନୋବଳ ଏତେ ତଳକୁ ଖସିଯାଇଛି କି? ବିରୋଧୀ ଦଳରେ ଥାଇ ମଧ୍ୟ ସକାରାତ୍ମକ ଚିନ୍ତାଧାରାରେ ସମସ୍ତଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ସେ ପରାମର୍ଶ ଦେଉଛନ୍ତି ବୋଲି ମୋଦି କହିଛନ୍ତି। ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ମୋଦୀ କହିଛନ୍ତି ଯେ ସେ ତାଙ୍କର ଦୀର୍ଘ ଅଭିଜ୍ଞତା ଆଧାରରେ କହୁଛନ୍ତି ଯେ ବିରୋଧୀ ସହଯୋଗୀମାନେ ସେମାନଙ୍କ ଆଭିମୁଖ୍ୟ ପରିବର୍ତ୍ତନ କରନ୍ତୁ ଏବଂ ପ୍ରତିବାଦ କରିବା ପାଇଁ ପ୍ରତିବାଦର ପଦ୍ଧତି ଛାଡ଼ି ଦିଅନ୍ତୁ। ବିରୋଧୀ ଦଳମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ଜାଣନ୍ତି ଏବଂ ଅନେକ ନେତା କ୍ୟାମେରା ସାମ୍ନାରେ ଏହା କହିପାରନ୍ତି ନାହିଁ, କିନ୍ତୁ ସେମାନେ ବିଶ୍ୱାସ କରନ୍ତି ଯେ ମୋଦୀ ହିଁ ସେମାନଙ୍କ ଦଳ ଏବଂ ବିଜେପି ମଧ୍ୟରେ ବଡ଼ ବ୍ୟବଧାନର କାରଣ।

ଆପଣ ଏହି ସଫଳତାକୁ କ’ଣ କହିବେ

ଗୁଜରାଟ ବିଷୟରେ କୁହାଯାଏ ଯେ ଏଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେହେରା ଯଥେଷ୍ଟ। ଗତ ନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ସେଠାରେ ଜନସାଧାରଣ କେବଳ ଗୋଟିଏ ଚେହେରା ଦେଖୁଥିବା ସାମ୍ନାକୁ ଆସିଥିଲା। ସେ ହେଉଛନ୍ତି ମୋଦି। ଗୁଜରାଟ ଓ ମୋଦିଙ୍କ ମଧ୍ୟରେ ସମ୍ପର୍କ ବୁଝାପଡ଼ୁଥିଲେ ମଧ୍ୟ ଏକାସାଙ୍ଗରେ ତିନିଟି ରାଜ୍ୟରେ ମୋଦିଙ୍କ ଗ୍ୟାରେଣ୍ଟିର ଯାଦୁ। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ଏହା ଦେଖାଇଛନ୍ତି। ମୋଦିଙ୍କ ଗ୍ୟାରେଣ୍ଟିରେ ଟିକେଟ ବଣ୍ଟନ କରାଯାଏ, ନିର୍ବାଚନ ପ୍ରଚାର କରାଯାଏ ଏବଂ ବିଜୟ ମଧ୍ୟ ସିଲ କରାଯାଏ। ମୋଦିଙ୍କ ନାମରେ ବିଜେପି ଅତୀତରେ ଅନେକ ରାଜ୍ୟରେ ବିଜୟୀ ହୋଇଥିଲେ ମଧ୍ୟ ଏହି ତିନି ରାଜ୍ୟର ବିଜୟ ଅନେକ ଦୃଷ୍ଟିରୁ ପୂର୍ବ ବିଜୟଠାରୁ ଭିନ୍ନ। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜୟ ଆହୁରି ଖାସ। ଯଦି ଦଳ ପକ୍ଷରୁ ଏହା କୁହାଯାଉଛି, ତେବେ ଏଥିରେ ଯଥାର୍ଥତା ରହିଛି। ଚଳିତ ନିର୍ବାଚନରେ କଂଗ୍ରେସ ଦୁଇଟି ରାଜ୍ୟର କ୍ଷମତା ହରାଇଛି ଏବଂ ମଧ୍ୟପ୍ରଦେଶରେ କ୍ଷମତାକୁ ଫେରିବ ବୋଲି ଆଶା ରଖିଥିଲେ ମଧ୍ୟ ତାହା ହୋଇପାରିନାହିଁ। ତେଲେଙ୍ଗାନାର ଗୋଟିଏ ବିଜୟ ତାଙ୍କ ଖାତାକୁ ଆସିଛି।

ମାଗଣା ପ୍ରତିଶ୍ରୁତି କାମ କରୁନାହିଁ, କଂଗ୍ରେସ ଚିନ୍ତା କରିବା ଦରକାର

ତେଲେଙ୍ଗାନାରେ କଂଗ୍ରେସ ବିଜୟୀ ହୋଇଛି। ଏହା ତାଙ୍କ ପାଇଁ ଟିକେ ଆଶ୍ୱସ୍ତି ଦେଇଛି। କାରଣ ଫଳାଫଳ ପରେ ତାଙ୍କ ଇଣ୍ଡି ମେଣ୍ଟ ସହକର୍ମୀଙ୍କ ଦ୍ୱାରା ତାଙ୍କ ଉପରେ ହୋଇଥିବା ଆକ୍ରମଣ ତେଲେଙ୍ଗାନା ରାଜ୍ୟ ବିଜୟର ମଜାକୁ ମଧ୍ୟ ଖରାପ କରିଛି। ଇଣ୍ଡି ମେଣ୍ଟରେ ସମ୍ପୃକ୍ତ ଦଳଗୁଡ଼ିକ ବୁଝିବା ଦରକାର ଯେ ବିଜେପି ସହ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିପାରିନାହାନ୍ତି। ତିନିଟି ରାଜ୍ୟରେ ବିଜେପିର ବିଜୟ ଏହି ମେଣ୍ଟର ଭବିଷ୍ୟତ ଏବଂ କଂଗ୍ରେସ ଦଳର ମର୍ଯ୍ୟାଦାକୁ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି। ବିଜେପିର ହିନ୍ଦୁତ୍ୱ-ଜାତୀୟତାବାଦର ଏକମାତ୍ର ସମାଧାନ ମାଗଣା ନୁହେଁ ବୋଲି ବିରୋଧୀ ଦଳ, ବିଶେଷ କରି କଂଗ୍ରେସର ମତ। ମୋଦିଙ୍କ ପାଇଁ କଂଗ୍ରେସକୁ ଏକ ପ୍ରକୃତ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ।

୨୦୨୪ ପୂର୍ବରୁ ବିରୋଧୀଙ୍କ ସାମ୍ନାରେ ବଡ଼ ପ୍ରଶ୍ନ

ନରେନ୍ଦ୍ର ମୋଦିଙ୍କ ଉପରେ ଦୁର୍ନୀତି ଅଭିଯୋଗ କିମ୍ବା ବ୍ୟକ୍ତିଗତ ଆକ୍ରମଣ ରହୁନାହିଁ। ରାଫେଲ ଏବଂ ତା’ପରେ ଆଦାନୀ, ରାହୁଲ ଗାନ୍ଧି ଏହି ଦୁଇଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହୁତ ଟାର୍ଗେଟ କରିଥିଲେ, କିନ୍ତୁ ଫଳାଫଳ କ’ଣ ହେଲା। ନିକଟରେ ପନୌତି ଶବ୍ଦର ଆଶ୍ରୟ ନେବାକୁ ଚେଷ୍ଟା କରାଯାଇଥିଲା। ରାହୁଲ ଗାନ୍ଧି ଭାରତ ଯୋଡୋ ଯାତ୍ରା ସମୟରେ ସୃଷ୍ଟି ହୋଇଥିବା ମୋହବତ କି ଦୁକାନ ବନାମ ଘୃଣା କା ବଜାରର ଧାରଣାକୁ ଅନୁସରଣ କରିବାକୁ ଚେଷ୍ଟା କରିଥିଲେ ଏବଂ ଏଥିରେ ତାଙ୍କର କିଛି ରାଜନୈତିକ ଆଗ୍ରହ ଥିଲା। କିନ୍ତୁ ତାହା ବି ଭୁଲ ପ୍ରମାଣିତ ହୋଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବସୁନ୍ଧରା, ଶିବରାଜ ଓ ରମଣ ସିଂହଙ୍କ ଭଳି ନେତା ଥିଲେ ମଧ୍ୟ ସାମୂହିକ ନେତୃତ୍ୱ ଓ ମୋଦିଙ୍କ ଗ୍ୟାରେଣ୍ଟି ବଳରେ ବିଜେପି ଆଗକୁ ଯାଇ ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ଯେତେ ସଫଳତାର ଶୀର୍ଷରେ ଥାଆନ୍ତୁ ନା କାହିଁକି, କିନ୍ତୁ ତୃଣମୂଳ ସ୍ତରର ଆକର୍ଷଣ ଏବଂ ନିରନ୍ତର କଠିନ ପରିଶ୍ରମରୁ ସେ ପଛଘୁଞ୍ଚା ଦେଇପାରିବେ ନାହିଁ।

ତେଲେଙ୍ଗାନାରୁ ଭାରତ ଅଭିମୁଖେ ଯାତ୍ରା କରିଥିବା କେସିଆରଙ୍କ ପାଇଁ ମଧ୍ୟ ଏହି ବାର୍ତ୍ତା ରହିଛି । ନାମ ପରିବର୍ତ୍ତନ କଲେ କିଛି ପରିବର୍ତ୍ତନ ହୁଏ ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ପାଇଁ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ଟେଲିଫୋନ ଯୋଗେ କଥା ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ କହିଲେ ଜାଣନ୍ତୁ

ନୂଆଦ୍ବିଲ୍ଲୀ: ଚାରୋଟି ରାଜ୍ୟର ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୁଇଟ କରି ଜନସାଧାରଣଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ,

‘ ଆମେ ଜନ ଜନାର୍ଦ୍ଦନକୁ ପ୍ରଣାମ କରୁ

ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ଫଳାଫଳ ସୂଚାଇ ଦେଇଛି ଯେ ଭାରତର ଲୋକମାନେ ଉତ୍ତମ ଶାସନ ଏବଂ ବିକାଶ ରାଜନୀତି ବିଜେପି ସହ ଅଛନ୍ତି। ମୁଁ ଏହି ରାଜ୍ୟଗୁଡିକର ଲୋକଙ୍କୁ ସେମାନଙ୍କର ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଦେଉଛି ଏବଂ ସେମାନଙ୍କୁ ନିଶ୍ଚିତ କରୁଛି ଯେ ଆମେ ସେମାନଙ୍କ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ ଜାରି ରଖିବୁ।

ଦଳୀୟ କର୍ମିମାନେ କଠିନ ପରିଶ୍ରମ କରିଥିବାରୁ ସେମାନଙ୍କୁ ମଧ୍ୟ ବିଶେଷ ଧନ୍ୟବାଦ।  ସେମାନେ ପ୍ରତ୍ୟେକ ଆଦର୍ଶ, ସେମାନେ ନିରନ୍ତର ପରିଶ୍ରମ କରିଛନ୍ତି ଏବଂ ଲୋକଙ୍କ ମଧ୍ୟରେ ଆମର ବିକାଶ ଏଜେଣ୍ଡାକୁ ପହଞ୍ଚାଇ ପାରିଛନ୍ତି। ସେଥିପାଇଁ ତାଙ୍କୁ ଧନ୍ୟବାଦ।’

Categories
ବିଶେଷ ଖବର

ଓଡ଼ିଶାରେ ଫିଫାର ‘ଫୁଟବଲ ଫର୍ ସ୍କୁଲ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ମୁଣ୍ଡଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟବଲ ଖେଳ ପ୍ରତି ଉତ୍ସାହ ତଥା ଖେଳୁଆଡ ମନୋଭାବ ତିଆରି କରିବା ଉଦ୍ଦେଶ୍ୟରେ ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକର ମୁଣ୍ଡଳୀ ଠାରେ ପିଏମ  ଜବାହର ନବୋଦୟ ବିଦ୍ୟାଳୟରେ ଫିଫାର ଫୁଟବଲ ଫର୍ ସ୍କୁଲ୍ (F4S) କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟ ଓ  ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କରିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଫିଫା, ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍ଏଫ୍) ଓ ଜବାହର ନବୋଦୟ ବିଦ୍ୟାଳୟ(ଜେଏନଭି)ର ମିଳିତ ପ୍ରୟାସରେ ଏହି ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଫିଫା ସମଗ୍ର ବିଶ୍ୱରେ ୪୦ ଲକ୍ଷ ଫୁଟବଲ ବିତରଣ କରୁଥିବା ବେଳେ କେବଳ ଭାରତରେ ମୋଟ ୭୪୨ଟି ଜିଲ୍ଲାରେ ୧ ଲକ୍ଷ ୫୩ ହଜାର ସ୍କୁଲରେ ପ୍ରାୟ ୧୧ ଲକ୍ଷରୁ ଉର୍ଦ୍ଧ୍ୱ ଫୁଟବଲ ବଣ୍ଟନ କରାଯିବ । ସେହିପରି ଓଡ଼ିଶାରେ ପ୍ରାୟ ସାଢେ ୫ ହଜାର ସ୍କୁଲରେ ପାଖାପାଖି ୩୦ ହଜାର ଫୁଟବଲ ବିତରଣ କରାଯିବ । ଆଗାମୀ ଦୁଇ ମାସ ମଧ୍ୟରେ ଫୁଟବଲ ଖେଳକୁ ନେଇ ଥିବା ଅନୁକୂଳଯୁକ୍ତ ବାତାବରଣକୁ ଲକ୍ଷ୍ୟ କରି ସେହି ସ୍କୁଲ ଗୁଡିକୁ ଫୁଟବଲ ଦିଆଯିବ । କେବଳ ଏତିକି ନୁହେଁ ଖେଳ ଶିକ୍ଷକ ମାନଙ୍କୁ ଆଧୁନିକ କୌଶଳର ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ଯୋଜନା ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଫୁଟବଲ ଖେଳିବା ପାଇଁ ଉପଦେଶ ଦେବା ସହ କହିଛନ୍ତି ଯେ ଫୁଟବଲ ଏକ ରୁଚିପୂର୍ଣ୍ଣ ଖେଳ । ଫୁଟବଲ ଖେଳରେ କେବଳ ଖେଳାଳୀ ନୁହେଁ ଦର୍ଶକମାନେ ଆନନ୍ଦିତ ହୁଅନ୍ତି । ମୁଁ ମଧ୍ୟ ପିଲାବେଳେ ଫୁଟବଲ ଭାବେ ଖେଳୁଥିଲି । ଫୁଟବଲରେ ରେଜଲ୍ଟ ତୁରନ୍ତ ମିଳିଥାଏ। ଏଥିପାଇଁ ଏହା ମୋର ପ୍ରିୟ ଖେଳ ।  ଛାତ୍ରଛାତ୍ରୀଙ୍କ ପକ୍ଷେ ଖେଳ ସ୍ୱାସ୍ଥ୍ୟ ଓ ଶରୀର ପାଇଁ ବେଶ୍ ଉପଯୋଗୀ ।  ଖେଳ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସହ ଖେଳୁଆଡ ମାନସିକତା ଜାଗ୍ରତ କରିଥାଏ । ଯେଉଁ ପିଲାମାନେ ମଇଦାନରେ ଫୁଟବଲ୍ ଖେଳିବେ, ସେମାନେ ଜୀବନରେ ନିଶ୍ଚୟ ସଫଳତା ପାଇବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଏଆଇଏଫଏଫର ସଭାପତି କଲ୍ୟାଣ ଚୌବେଙ୍କ ସହ ପିଏମ ଶ୍ରୀ ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଢେଙ୍କାନାଳ ମଧ୍ୟରେ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚକୁ ଦେଖିଥିଲେ। ଶ୍ରୀ ପ୍ରଧାନ ବିଜୟୀ ଟିମ ନବୋଦୟ ବିଦ୍ୟାଳୟ ଓ ପ୍ରତିଦ୍ୱନ୍ଦୀ ଟିମକୁ ଶୁଭେଚ୍ଛା ଜଣାଇବା ସହ ପୁରସ୍କୃତ କରିଥିଲେ।

 

Categories
ବିଶେଷ ଖବର

ପ୍ରଥମେ ଭଣ୍ଡାର ଖୋଜିଲେ, ଏବେ ଖନନ କରାଯିବ…ଶକ୍ତିଶାଳୀ ଭାରତର ଆଉ ଏକ ମୂଳଦୁଆ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନର ପ୍ରଚଳନ ହେଉ କିମ୍ବା ପେଟ୍ରୋଲ ଓ ଡିଜେଲରେ ଇଥାନଲର ଅପମିଶ୍ରଣ ହେଉ, ପବନ ଶକ୍ତି ହେଉ କିମ୍ବା ସୌର ଶକ୍ତି; କାର୍ବନ ନିର୍ଗମନକୁ ହ୍ରାସ କରିବା ପାଇଁ ଭାରତ ଦ୍ରୁତ ଗତିରେ ବିକଳ୍ପ ଶକ୍ତି ଉତ୍ସ ଆଡ଼କୁ ଅଗ୍ରସର ହେଉଛି। ଇତିମଧ୍ୟରେ ବିଶ୍ୱରେ ଭବିଷ୍ୟତର ଟେକ୍ନୋଲୋଜିର ଭିତ୍ତିଭୂମି ମଧ୍ୟ ଦ୍ରୁତ ଗତିରେ ବଦଳୁଥିବା ଜଣାପଡିଛି। ଏବେ ପୃଥିବୀଗର୍ଭରେ ଲୁଚି ରହିଥିବା ଲିଥିୟମ, ଟାଇଟାନିୟମ ଭଳି ବିରଳ ଉପାଦାନ (ଆରଆରଇ) ବୈଷୟିକ ଉପକରଣର ଆଧାର ପାଲଟିଛି। ଯାନ ବ୍ୟାଟେରୀ ହେଉ କି ମୋବାଇଲ, ଲିଥିୟମ ହେଉଛି ସେମାନଙ୍କର ମୌଳିକ ଶକ୍ତି ଉତ୍ସ। ଯେହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନ ଦେଖୁଛନ୍ତି, ତେଣୁ ଭବିଷ୍ୟତର ଦାବିଗୁଡ଼ିକୁ ଚିହ୍ନଟ କରି ପୂରଣ କରିବାରେ ବ୍ୟସ୍ତ ଥିବା ଜଣାପଡ଼ିଛି। ଦେଶରେ ପ୍ରଥମ ଥର ପାଇଁ ‘ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ପଦାର୍ଥ’ର ଅନଲାଇନ୍ ନିଲାମ ଘୋଷଣା ଏହି ଦିଗରେ ମୋଦୀ ସରକାରଙ୍କ ଏକ ଅତ୍ୟନ୍ତ ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ।

୨୪ଟି ଗୁରୁତ୍ବପୂର୍ଣ୍ଣ ଓ ରଣନୈତିକ ଖଣିଜ ପଦାର୍ଥ ଚିହ୍ନଟ

ଅଗଷ୍ଟ ୧୭ ତାରିଖରେ ଭାରତ ସରକାର ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନରେ ସଂଶୋଧନ କରିଥିଲେ, ଯାହା ଏମଏମଡିଆର ଆଇନ ନାମରେ ଜଣାଶୁଣା। ଭବିଷ୍ୟତର ଯୋଗାଣ ଶୃଙ୍ଖଳାକୁ ଭାରତ ସପକ୍ଷରେ ଝୁଲାଇବା ଦିଗରେ ଅନେକ ବଡ଼ ପଦକ୍ଷେପ ମଧ୍ୟରେ ଏହି ସଂଶୋଧନ ପ୍ରଥମ। ଏହି ସଂଶୋଧନ ଜରିଆରେ ସରକାର ୨୪ଟି ଖଣିଜ ପଦାର୍ଥକୁ ‘ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ’ଭାବେ ବିଜ୍ଞପ୍ତି ଦେଇଥିଲେ। ଏହି ସଂଶୋଧନରେ କେନ୍ଦ୍ର ସରକାରଙ୍କୁ ଏହି ଖଣିଜ ପଦାର୍ଥଗୁଡ଼ିକୁ ଖଣିଜ ରିହାତି ପ୍ରଦାନ କରିବାର କ୍ଷମତା ଦିଆଯାଇଛି ଯାହାଦ୍ୱାରା କେନ୍ଦ୍ର ସରକାର ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଖଣିଜ ପଦାର୍ଥର ନିଲାମକୁ ପ୍ରାଥମିକତା ଦେଇପାରିବେ।

କାହିଁକି ଗୁରୁତ୍ୱପୂର୍ଣ୍ଣ ଓ ରଣନୈତିକ ହେଉଛି ଏହି ଖଣିଜ ପଦାର୍ଥ

ଏବେ ଖଣି ମନ୍ତ୍ରାଳୟ ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ପଦାର୍ଥର ପ୍ରଥମ କିସ୍ତି ନିଲାମ ଆରମ୍ଭ କରିଛି। କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରଥମ ଥର ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ନିଲାମ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ଥିବା ଗୁରୁତ୍ୱପୂର୍ଣ୍ଣ ଓ ରଣନୈତିକ ଖଣିଜ ପଦାର୍ଥର ୨୦ଟି ବ୍ଲକକୁ ନିଲାମ କରାଯାଉଛି। ଏହା ଏକ ଐତିହାସିକ ପଦକ୍ଷେପ ଯାହା କେବଳ ଆମ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ଜାତୀୟ ନିରାପତ୍ତାକୁ ମଧ୍ୟ ବଢ଼ାଇବ। ଏହା ସହିତ ସ୍ୱଚ୍ଛ ଶକ୍ତିର ଭବିଷ୍ୟତରେ ଏହା ଆମର ପଦକ୍ଷେପକୁ ସୁଦୃଢ଼ କରିବ।

ଦେଶର ଅର୍ଥନୈତିକ ବିକାଶ ଏବଂ ଜାତୀୟ ନିରାପତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଅତ୍ୟାବଶ୍ୟକ।

ଏହି ଖଣିଜ ପଦାର୍ଥର ଉପଲବ୍ଧତା ଅଭାବ କିମ୍ବା କେତେକ ଦେଶର ଆଧିପତ୍ୟ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିପାରେ।

ଭବିଷ୍ୟତର ଜ୍ଞାନକୌଶଳ ଯାହା ବିଶ୍ୱ ଅର୍ଥନୀତିକୁ ତ୍ୱରାନ୍ୱିତ କରିବ ତାହା ଆରଆରଇ ପରି ନିର୍ଦ୍ଦିଷ୍ଟ ଏବଂ ଖଣିଜ ପଦାର୍ଥ ଉପରେ ନିର୍ଭର କରିବ।

୨୦୩୦ ସୁଦ୍ଧା ଅଣ-ଜୀବାଶ୍ମ ଉତ୍ସରୁ ସଞ୍ଚିତ ବିଦ୍ୟୁତ ଉତ୍ପାଦନ କ୍ଷମତାର ୫୦% ହାସଲ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ।

ଏଥିପାଇଁ ଇଲେକ୍ଟ୍ରିକ୍ କାର୍, ପବନ ଓ ସୌରଶକ୍ତି ପ୍ରକଳ୍ପ ଏବଂ ବ୍ୟାଟେରୀ ଷ୍ଟୋରେଜ୍ ସିଷ୍ଟମର ଚାହିଦା ବଢ଼ିବାକୁ ଯାଉଛି।

ଏହିସବୁ ଜିନିଷକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ପଦାର୍ଥର ଚାହିଦା ମଧ୍ୟ ବୃଦ୍ଧି ପାଇବ।

ମୋଦି ସରକାରଙ୍କ ଏହି ନିଷ୍ପତି କାହିଁକି ଦୂରଦର୍ଶୀ

ଦେଶରେ ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ପଦାର୍ଥର ଚାହିଦା ବହୁତ ଅଧିକ ଏବଂ ଏହା ସାଧାରଣତଃ ଆମଦାନୀ ମାଧ୍ୟମରେ ପୂରଣ ହୋଇଥାଏ। ଅକ୍ଷୟ ଶକ୍ତି, ପ୍ରତିରକ୍ଷା, କୃଷି, ଔଷଧ, ହାଇଟେକ୍ ଇଲେକ୍ଟ୍ରୋନିକ୍ସ, ଟେଲିକମ୍ୟୁନିକେସନ୍, ପରିବହନ, ଗିଗାଫ୍ୟାକ୍ଟର ନିର୍ମାଣ ଇତ୍ୟାଦି କ୍ଷେତ୍ରର ଆବଶ୍ୟକତାକୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପୂରଣ କରିଥାଏ।

ସେଥିପାଇଁ ଭାରତ ସରକାର ଦେଶ ତଥା ବିଦେଶରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଖଣି ଉପରେ ନଜର ରଖିଛନ୍ତି। ନିକଟରେ ଏକ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆର୍ଜେଣ୍ଟିନାରେ କିଛି ଲିଥିୟମ୍ ବ୍ଲକକୁ ସୁରକ୍ଷିତ କରିବା ପାଇଁ ଭାରତ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲିଥିୟମ୍ ବ୍ଲକକୁ ସୁରକ୍ଷିତ ରଖିବା ପାଇଁ ଚିଲି ସରକାରଙ୍କ ସହ ମଧ୍ୟ ଆଲୋଚନା ଚାଲିଛି।

କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଖଣିଜ ଭଣ୍ଡାର ଉପରେ ନଜର ରଖିଛନ୍ତି ମୋଦି ସରକାର

ବାସ୍ତବରେ ଲିଥିୟମର ବଢୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାର ଯୋଗାଣ ଶୃଙ୍ଖଳାକୁ ସୁରକ୍ଷିତ ରଖିବାର ଉପାୟ ଖୋଜୁଛନ୍ତି। ଏହି କ୍ରମରେ ୨୦୧୯ ମସିହାରେ ବିଦେଶରେ ଖଣି ଖନନ ଏବଂ ସେଥିରୁ ଉତ୍ତୋଳନ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ପ୍ରକ୍ରିୟାକରଣ ପାଇଁ ଖାନିଜ୍ ବିଦେଶ ଇଣ୍ଡିଆ ଲିମିଟେଡ୍ (କାବିଲ୍) ପ୍ରତିଷ୍ଠା କରାଯାଇଥିଲା। ତିନିଟି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ), ହିନ୍ଦୁସ୍ତାନ କପର ଲିମିଟେଡ୍ (ଏଚ୍‍ସିଏଲ୍) ଏବଂ ମିନେରାଲ୍ ଏକ୍ସପ୍ଲୋରେସନ୍ କମ୍ପାନି ଲିମିଟେଡ୍‍ର ମିଳିତ ଉଦ୍ୟୋଗ ପ୍ରତିଷ୍ଠା କରାଯାଇଥିଲା। ଏହି ଉଦ୍ୟୋଗ ବିଦେଶରେ ରଣନୈତିକ ଖଣିଜ ପଦାର୍ଥର ଚିହ୍ନଟ, ଅଧିଗ୍ରହଣ, ବିକାଶ ଏବଂ ପ୍ରକ୍ରିୟାକରଣର ଦାୟିତ୍ୱ ନେଇଥାଏ। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନକାରୀ ଦେଶ ଭାରତ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ଓ ଚିଲି ଭଳି ସମ୍ବଳ ସମୃଦ୍ଧ ଦେଶଗୁଡ଼ିକରେ ପ୍ରମୁଖ ଖଣିଜ ପଦାର୍ଥ ସୁରକ୍ଷିତ ରଖିବା ପାଇଁ ବିଦେଶୀ ଚୁକ୍ତି କରିଛି।

ନିଲାମ ପାଇଁ ପ୍ରକାଶିତ ୨୦ଟି ଖଣିଜ ଭଣ୍ଡାର ତାଲିକା

ତେବେ ୨୦ଟି ଖଣିଜ ବ୍ଲକ ମଧ୍ୟରୁ ୪ଟି ଖଣି ଲିଜ୍ ପାଇଁ ଓ ୧୬ଟି ଖଣିଜ ବ୍ଲକକୁ କମ୍ପୋଜିଟ୍ ଲାଇସେନ୍ସ ପାଇଁ ଚିହ୍ନଟ କରାଯାଇଛି। ଟେଣ୍ଡର ପାଇଁ ସରକାର ଟେଣ୍ଡର ଆହ୍ୱାନ କରିଛନ୍ତି। ଟେଣ୍ଡର ପୈଠ ପରେ ଇ-ନିଲାମ ପ୍ଲାଟଫର୍ମ ପ୍ରଦାନକାରୀୱେବସାଇଟରେ ଟେଣ୍ଡର ଦସ୍ତାବିଜ କିଣିବାର ଶେଷ ତାରିଖ ୧୬ ଜାନୁଆରୀ ୨୦୨୩ ଅପରାହ୍ନ ୫ଟା ପୂର୍ବରୁ ଏବଂ ନିଲାମ ଦାଖଲର ଶେଷ ତାରିଖ ୨୨ ଜାନୁଆରୀ ୨୦୨୩ ଅପରାହ୍ନ ୫ଟା ପୂର୍ବରୁ (ଭାରତୀୟ ମାନକ ସମୟ) ରହିଛି। ଟେଣ୍ଡର ଡକ୍ୟୁମେଣ୍ଟର ମୂଲ୍ୟ ୩ ଲକ୍ଷ ଟଙ୍କା ଏବଂ ଜିଏସଟି ରହିଛି। ରିଭର୍ସ ଚାର୍ଜ ବ୍ୟବସ୍ଥା ଅଧୀନରେ ଜିଏସଟି ପ୍ରଦାନ କରାଯାଏ।

ବ୍ଲକ ନାମ ଖଣିଜ ପଦାର୍ଥ ରାଜ୍ୟ

ଚୁଟିଆ- ନୌହଟ୍ଟା ଗ୍ଲୁକୋନାଇଟ୍ ବ୍ଲକ- ଗ୍ଲୁକୋନାଇଟ୍- ବିହାର

ପିପରଡିହ- ଭୁରୱା ଗ୍ଲୁକନାଇଟ୍ ବ୍ଲକ- ଗ୍ଲୁକନାଇଟ୍- ବିହାର

ଜେଞ୍ଜାନା ନିକେଲ, କ୍ରୋମିୟମ୍ ଏବଂ ପିଜିଇ ବ୍ଲକ ନିକେଲ, କ୍ରୋମିୟମ୍ ବିହାର

କୁନ୍ଦୋଲ ନିକେଲ ଏବଂ କ୍ରୋମିୟମ୍ ବ୍ଲକ୍ ନିକେଲ ଏବଂ କ୍ରୋମିୟମ୍ ଗୁଜରାଟ

ମୁସ୍କାନିଆ-ଗରିଆତୋଳା-ବରୱାରୀ ପୋଟାଶ ବ୍ଲକ ପୋଟାସ ଝାଡ଼ଖଣ୍ଡ

ଦୁଧିଆସୋଲ ପୂର୍ବ ନିକେଲ ଓ ତମ୍ବା ବ୍ଲକ ନିକେଲ ଓ ତମ୍ବା ଓଡ଼ିଶା

ବବ୍ଜା ଗ୍ରାଫାଇଟ୍ ଏବଂ ମାଙ୍ଗାନିଜ ବ୍ଲକ ଗ୍ରାଫାଇଟ୍ ଏବଂ ମାଙ୍ଗାନିଜ ଓଡ଼ିଶା

ବୀରପଲ୍ଲୀ ଗ୍ରାଫାଇଟ ଓ ମାଙ୍ଗାନିଜ ବ୍ଲକ ଗ୍ରାଫାଇଟ ଓ ମାଙ୍ଗାନିଜ ଓଡ଼ିଶା

ଆଖଡ଼ା ଗ୍ରାଫାଇଟ୍ ବ୍ଲକ ଗ୍ରାଫାଇଟ୍ ଓଡ଼ିଶା

ଭେଲାକଲ ସେଣ୍ଟ୍ରାଲ (ସେଗ୍ମେଣ୍ଟ-ଏ) ମୋଲିବଡେନମ୍ ବ୍ଲକ ମୋଲିବଡେନମ୍ ତାମିଲନାଡୁ

ନୋଚିପଟ୍ଟି ମୋଲିବ୍ଡେନମ୍ ବ୍ଲକ ମୋଲିବଡେନମ୍ ତାମିଲନାଡୁ

ଭେଲାମ୍ପଟ୍ଟି ଉତ୍ତର ଏ ଓ ବି ମୋଲିବ୍ଡେନମ୍ ବ୍ଲକ ମୋଲିବଡେନମ୍ ତାମିଲନାଡୁ

କୁରୁଞ୍ଜକୁଲମ ଗ୍ରାଫାଇଟ୍ ବ୍ଲକ ଗ୍ରାଫାଇଟ୍ ତାମିଲନାଡୁ

ଇଲୁପ୍ପାକୁଡି ଗ୍ରାଫାଇଟ୍ ବ୍ଲକ ଗ୍ରାଫାଇଟ୍ ତାମିଲନାଡୁ

ମନ୍ନାଦିପଟ୍ଟି ସେଣ୍ଟ୍ରାଲ ମୋଲିବଡେନମ୍ ବ୍ଲକ ମୋଲିବଡେନମ୍ ତାମିଲନାଡୁ

ମାରୁଡ଼ିପଟ୍ଟି (କେନ୍ଦ୍ରୀୟ) ମୋଲିବଡେନମ୍ ବ୍ଲକ ମୋଲିବଡେନମ୍ ତାମିଲନାଡୁ

କୁର୍ଚା ଗ୍ଲୁକୋନାଇଟ୍ ବ୍ଲକ ଗ୍ଲୁକୋନାଇଟ୍ ଉତ୍ତର ପ୍ରଦେଶ

ପାହାଡ଼ି କଲାନ-ଗୋରା କଲାନ ଫସଫରାଇଟ୍ ବ୍ଲକ ଫସଫରାଇଟ୍ ଉତ୍ତର ପ୍ରଦେଶ

ସାଲଲ-ହାମନା ଲିଥିୟମ୍, ଟାଇଟାନିୟମ ଏବଂ ବକ୍ସାଇଟ୍ (ଆଲୁମିନାସ୍ ଲାଟେରାଇଟ୍) ଜମ୍ମୁ-କାଶ୍ମୀର, କେନ୍ଦ୍ର ଶାସିତ ଅଞ୍ଚଳ ଲିଥିୟମ୍,

କଟଘୋରା ଲିଥିୟମ୍ ଏବଂ ଆରଇଇ ଲିଥିୟମ୍ ଏବଂ ଆରଇଇ ଛତିଶଗଡ଼

ଧନୀ ହେବେ ରାଜ୍ୟ ସରକାର

ଏହି ନିଲାମରୁ ରାଜସ୍ୱ ରାଜ୍ୟ ସରକାରଙ୍କୁ ଯିବ। ଅଧିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ରୟାଲଟି ହାରକୁ ଯୁକ୍ତିଯୁକ୍ତ କରାଯାଇଛି । ପ୍ଲାଟିନମ୍ ଗ୍ରୁପ୍ ଅଫ୍ ମେଟାଲ୍ସ (ପିଜିଏମ୍) ପାଇଁ ସରକାର ୨୦୨୨ ମାର୍ଚ୍ଚରେ ରୟାଲଟି ହାର ୪%, ମୋଲିବଡେନମ୍ ପାଇଁ ୭.୫%, ଗ୍ଲୁକୋନାଇଟ୍ ଏବଂ ପୋଟାସ୍ ପାଇଁ ୨.୫% ଧାର୍ଯ୍ୟ କରିଥିଲେ । ଅକ୍ଟୋବର ୧୨, ୨୦୨୩ରେ ସରକାର ଲିଥିୟମ୍ ପାଇଁ ରୟାଲଟି ହାର ୩%, ନିଓବିୟମ ପାଇଁ ୩% ଏବଂ ବିରଳ ପୃଥିବୀ ଉପାଦାନ ପାଇଁ ୧% ଧାର୍ଯ୍ୟ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ପ୍ରୟାସ: ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଏକ ନୂତନ ବହୁପକ୍ଷବାଦର ପ୍ରାରମ୍ଭ

ଲେଖକ: ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବାକୁ ଆଜି ୩୬୫ ଦିନ ପୂରିଛି। ‘ବସୁଧୈବ କୁଟୁମ୍ବକମ୍ ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ର ଭାବନାକୁ ପ୍ରତିଫଳିତ କରିବା, ସଂକଳ୍ପବଦ୍ଧ ହେବା ଏବଂ ଏହାକୁ ପୁନର୍ଜୀବିତ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ମୁହୂର୍ତ୍ତ ଉପନୀତ ହୋଇସାରିଛି।

ଗତ ବର୍ଷ ଯେତେବେଳେ ଆମେ ଏହି ଦାୟିତ୍ୱ ଗ୍ରହଣ କରିଥିଲୁ, ବିଶ୍ୱ ପରିଦୃଶ୍ୟ ବହୁମୁଖୀ ଆହ୍ୱାନର ସମ୍ମୁଖୀନ ହୋଇଥିଲା: କୋଭିଡ୍ -୧୯ ମହାମାରୀରୁ ପୁନରୁଦ୍ଧାର, ଜଳବାୟୁ ବିପଦ, ଆର୍ଥିକ ଅସ୍ଥିରତା ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଋଣ ସଙ୍କଟ ସହିତ ହ୍ରାସ ପାଉଥିବା ବହୁପକ୍ଷବାଦ ଚିନ୍ତାର କାରଣ ପାଲଟିଥିଲା। ସଂଘର୍ଷ ଓ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବିକାଶ ପାଇଁ ସହଯୋଗ କ୍ଷତିଗ୍ରସ୍ତ ହୋଇଛି, ପ୍ରଗତିରେ ବାଧା ସୃଷ୍ଟି ହୋଇଛି।

ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରି ଭାରତ ବିଶ୍ୱକୁ ସ୍ଥିତାବସ୍ଥାର ବିକଳ୍ପ ପ୍ରଦାନ କରିବାକୁ ଚାହୁଁଥିଲା, ଯାହା ଜିଡିପି-କେନ୍ଦ୍ରୀତ ଆଭିମୁଖ୍ୟରୁ ମାନବ-କେନ୍ଦ୍ରୀତ ପ୍ରଗତିକୁ ପରିବର୍ତ୍ତିତ ହୋଇଥିଲା। କେଉଁ ସବୁ କାରଣ ଆମକୁ ବିଭାଜିତ କରୁଛି ତାହା ବଦଳରେ ଆମକୁ କେଉଁ କାରଣ ଏକାଠି କରିଥାଏ ତାହା ବିଶ୍ୱକୁ ମନେ ପକାଇବାକୁ ଭାରତ ଲକ୍ଷ୍ୟ ରଖିଥିଲା। ଶେଷରେ, ଏକ ବିଶ୍ୱସ୍ତରୀୟ ବିଚାରବିମର୍ଶ ବିକଶିତ ହୋଇଥିଲା – ଅନେକଙ୍କ ଆକାଂକ୍ଷା ପାଇଁ ଅଳ୍ପ କିଛି ଲୋକଙ୍କ ସ୍ୱାର୍ଥ ବାଧ୍ୟ ହୋଇ ବାଟ ଛାଡ଼ିଥିଲା। ଏଥିପାଇଁ ବହୁପକ୍ଷବାଦର ମୌଳିକ ସଂସ୍କାର ଆବଶ୍ୟକ ଥିଲା ଯାହା ଆମେ ପୂର୍ବରୁ ଜାଣିଥିଲୁ।

ସମାବେଶୀ, ଉଚ୍ଚାକାଂକ୍ଷୀ, କାର୍ଯ୍ୟଭିତ୍ତିକ ଏବଂ ନିର୍ଣ୍ଣାୟକ – ଜି-୨୦ ଅଧ୍ୟକ୍ଷ ଭାବରେ ଏହି ଚାରିଟି ଶବ୍ଦ ଆମର ଆଭିମୁଖ୍ୟକୁ ବ୍ୟାଖ୍ୟା କରିଥିଲା ଏବଂ ସମସ୍ତ ଜି-୨୦ ସଦସ୍ୟଙ୍କ ଦ୍ୱାରା ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିବା ନୂଆଦିଲ୍ଲୀ ନେତୃମଣ୍ଡଳୀଙ୍କ ଘୋଷଣାନାମା (ଏନଡିଏଲଡି) ଏହି ନୀତିଗୁଡ଼ିକୁ କାର‌୍ୟ୍ୟକାରୀ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ।

ଅନ୍ତର୍ଭୁକ୍ତିକରଣ ଆମ ଅଧ୍ୟକ୍ଷତାର କେନ୍ଦ୍ରରେ ରହିଛି। ଆଫ୍ରିକୀୟ ସଂଘ (ଏୟୁ)କୁ ଜି-୨୦ର ସ୍ଥାୟୀ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରିବା ଦ୍ୱାରା ୫୫ଟି ଆଫ୍ରିକୀୟ ଦେଶ ଏହି ମଞ୍ଚରେ ସାମିଲ ହୋଇଥିଲେ ଏବଂ ବିଶ୍ୱ ଜନସଂଖ୍ୟାର ୮୦% ଭାଗକୁ ସାମିଲ କରିବା ପାଇଁ ଏହି ମଞ୍ଚକୁ ବିସ୍ତାର କରିଥିଲେ। ଏହି ସକ୍ରିୟ ଆଭିମୁଖ୍ୟ ବୈଶ୍ୱିକ ଆହ୍ୱାନ ଏବଂ ସୁଯୋଗ ଉପରେ ଅଧିକ ବ୍ୟାପକ ଆଲୋଚନାକୁ ପ୍ରୋତ୍ସାହିତ କରିଛି।

ଦୁଇଟି ସଂସ୍କରଣରେ ଭାରତ ପକ୍ଷରୁ ଆୟୋଜିତ ପ୍ରଥମ ‘ଭଏସ୍ ଅଫ୍ ଦି ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ’ ବହୁପକ୍ଷବାଦର ଏକ ନୂତନ ପର‌୍ୟ୍ୟାୟର ଶୁଭାରମ୍ଭ କରିଛି। ଆନ୍ତର୍ଜାତିକ ଆଲୋଚନାରେ ଗ୍ଲୋବାଲ ସାଉଥର ଚିନ୍ତାକୁ ଭାରତ ମୁଖ୍ୟ ସ୍ରୋତରେ ସାମିଲ କରିଛି ଏବଂ ଏକ ଯୁଗ ଆରମ୍ଭ କରିଛି ଯେଉଁଠାରେ ବିକାଶଶୀଳ ଦେଶମାନେ ବିଶ୍ୱ ପରିଦୃଶ୍ୟକୁ ଆକାର ଦେବାରେ ଉପଯୁକ୍ତ ସ୍ଥାନ ଗ୍ରହଣ କରିବେ।

ଅନ୍ତର୍ଭୁକ୍ତିକରଣ ମଧ୍ୟ ଜି-୨୦ ପ୍ରତି ଭାରତର ଘରୋଇ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିଥିଲା ଏବଂ ଏହାକୁ ଏକ ପିପୁଲ୍ସ ପ୍ରେସିଡେନ୍ସି ରେ ପରିଣତ କରିଥିଲା ଯାହା ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଅନୁରୂପ ହୋଇପାରିଛି। ‘ଜନ ଭାଗିଦାରୀ’ କାର‌୍ୟ୍ୟକ୍ରମ ଜରିଆରେ ଜି-୨୦ ୧୪୦ କୋଟି ନାଗରିକଙ୍କ ନିକଟରେ ପହଞ୍ଚିଛି, ଯେଉଁଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଂଶୀଦାର ଭାବେ ସାମିଲ ହୋଇଛନ୍ତି। ଆହୁରି ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ ରୂପରେ ଭାରତ ସୁନିଶ୍ଚିତ କରିଛି ଯେ ଜି-୨୦ର ଉଦ୍ଦେଶ୍ୟ ଅନୁରୂପ ବ୍ୟାପକ ବିକାଶମୂଳକ ଲକ୍ଷ୍ୟ ପ୍ରତି ଆନ୍ତର୍ଜାତିକ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା।

୨୦୩୦ ଏଜେଣ୍ଡାର ଗୁରୁତ୍ୱପୂର୍ଣ୍ଣ କେନ୍ଦବିନ୍ଦୁରେ ଭାରତ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି)ର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଜି-୨୦ କାର‌୍ୟ୍ୟଯୋଜନା ୨୦୨୩ ପ୍ରଦାନ କରିଛି । ସ୍ୱାସ୍ଥ୍ୟ, ଶିକ୍ଷା, ଲିଙ୍ଗଗତ ସମାନତା ଏବଂ ପରିବେଶ ସ୍ଥାୟିତ୍ଵ ସମେତ ପରସ୍ପର ସହ ଜଡିତ ପ୍ରସଙ୍ଗଗୁଡିକ ପାଇଁ ଏକ କାର‌୍ୟ୍ୟକାରିତା ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିଛି ।
ଏହି ଅଗ୍ରଗତିର ଏକ ପ୍ରମୁଖ କ୍ଷେତ୍ର ହେଉଛି ସୁଦୃଢ଼ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ)। ଆଧାର, ୟୁପିଆଇ ଓ ଡିଜିଲକର ଭଳି ଡିଜିଟାଲ ଉଦ୍ଭାବନର ବୈପ୍ଳବିକ ପ୍ରଭାବ ପ୍ରତ୍ୟକ୍ଷ ଭାବେ ଦେଖିଥିବା ଭାରତ ଏଠାରେ ନିଜ ସୁପାରିସ କରିବାରେ ନିର୍ଣ୍ଣାୟକ ସାଜିଥିଲା।

ଜି-୨୦ ଜରିଆରେ ଆମେ ସଫଳତାର ସହ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ରିପୋଜିଟୋରୀକୁ ସମ୍ପୂର୍ଣ୍ଣ କରିଛୁ, ଯାହାକି ବିଶ୍ୱ ବୈଷୟିକ ସହଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ୧୬ଟି ଦେଶର ୫୦ରୁ ଅଧିକ ଡିପିଆଇଙ୍କୁ ନେଇ ଗଠିତ ଏହି ଭଣ୍ଡାର ଗ୍ଲୋବାଲ ସାଉଥକୁ ଡିପିଆଇ ନିର୍ମାଣ, ଗ୍ରହଣ ଏବଂ ବିସ୍ତାର କରିବାରେ ସହାୟକ ହେବ। ଆମର ଏକ ପୃଥିବୀ ପାଇଁ, ଆମେ ଜରୁରୀ, ସ୍ଥାୟୀ ଏବଂ ସମାନ ପରିବର୍ତ୍ତନ ସୃଷ୍ଟି କରିବା ଲାଗି ଉଚ୍ଚାକାଂକ୍ଷୀ ଏବଂ ସମାବେଶୀ ଲକ୍ଷ୍ୟ ପ୍ରଚଳନ କରିଛୁ। ଘୋଷଣାନାମାର ‘ସବୁଜ ବିକାଶ ଚୁକ୍ତି’ ସମ୍ପାଦିତ ହୋଇଛି।

ନିଯୁକ୍ତି ଓ ପରିବେଶ ପରସ୍ପରର ଅନୁପୂରକ ହେବା, ଉପଭୋଗ ଜଳବାୟୁ ସଚେତନ ହେବା ଏବଂ ଉତ୍ପାଦନ ପୃଥିବୀ ଅନୁକୂଳ ହେବା ପାଇଁ ଏକ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିବା ଜରିଆରେ କ୍ଷୁଧା ମୁକାବିଲା ଓ ପୃଥିବୀର ସୁରକ୍ଷା ମଧ୍ୟରେ ରହିଥିବା ଆହ୍ବାନର ସମାଧାନ କରିବା ନିମନ୍ତେ ଏଥିରେ ଗୁରୁତ୍ଵ ଦିଆଯାଇଛି। ଏଥିସହିତ ଜି-୨୦ ଘୋଷଣାନାମାରେ ୨୦୩୦ ସୁଦ୍ଧା ବିଶ୍ଵ ଅକ୍ଷୟ ଶକ୍ତି କ୍ଷମତାକୁ ତିନି ଗୁଣା ବୃଦ୍ଧି କରିବାକୁ କୁହାଯାଇଛି। ବିଶ୍ଵ ଜୈବ ଇନ୍ଧନ ମେଣ୍ଟ ପ୍ରତିଷ୍ଠା ଏବଂ ସବୁଜ ହାଇଡ୍ରୋଜେନ ପାଇଁ ମିଳିତ ପ୍ରୟାସ ଏବଂ ଏକ ସ୍ୱଚ୍ଛ, ସବୁଜ ବିଶ୍ୱ ଗଠନ ପାଇଁ ଜି-୨୦ର ଆକାଂକ୍ଷା ଅନସ୍ୱୀକାରଯୋଗ୍ୟ । ଏହା ସର୍ବଦା ଭାରତର ନୀତି ରହିଆସିଛି। ଦୀର୍ଘସ୍ଥାୟୀ ବିକାଶ ପାଇଁ ଜୀବନଶୈଳୀ (ଏଲଆଇଏଫଇ) ମାଧ୍ୟମରେ ବିଶ୍ୱ ଆମର ବହୁ ପୁରୁଣା ସ୍ଥାୟୀ ପରମ୍ପରାରୁ ଉପକୃତ ହୋଇପାରିବ।

ଏହାବ୍ୟତୀତ, ଏହି ଘୋଷଣାନାମା ଜଳବାୟୁ ନ୍ୟାୟ ଏବଂ ସମାନତା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚାଇ ଦେଇଛି ଏବଂ ଗ୍ଲୋବାଲ ନର୍ଥଠାରୁ ଯଥେଷ୍ଟ ଆର୍ଥିକ ଏବଂ ବୈଷୟିକ ସହାୟତା ପାଇଁ ଅନୁରୋଧ କରିଛି। ପ୍ରଥମ ଥର ପାଇଁ, ବିକାଶ ଅର୍ଥଯୋଗାଣର ପରିମାଣରେ ଆବଶ୍ୟକ ବୃଦ୍ଧି ଲାଗି ସ୍ୱୀକୃତି ମିଳିଛି, ଯାହା ବିଲିୟନ ଡଲାରରୁ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି। ଜି-୨୦ ସ୍ୱୀକାର କରିଛି ଯେ ବିକାଶଶୀଳ ଦେଶଗୁଡ଼ିକ ୨୦୩୦ ସୁଦ୍ଧା ସେମାନଙ୍କର ଜାତୀୟ ସଂକଳ୍ପବଦ୍ଧତା ଅବଦାନ (ଏନଡିସି) ପୂରଣ କରିବା ପାଇଁ ୫.୯ ଟ୍ରିଲିୟନ ଡଲାର ଆବଶ୍ୟକ କରନ୍ତି।

ଆବଶ୍ୟକ ବିପୁଳ ସମ୍ବଳକୁ ଦୃଷ୍ଟିରେ ରଖି ଜି-୨୦ ଉନ୍ନତ, ବୃହତ ଏବଂ ଅଧିକ ପ୍ରଭାବଶାଳୀ ବହୁପାକ୍ଷିକ ବିକାଶ ବ୍ୟାଙ୍କର ଗଠନ ଉପରେ ଗୁରୁତ୍ଵାରୋପ କରିଥିଲା। ଏହା ସହିତ ଭାରତ ଜାତିସଂଘ ସଂସ୍କାର, ବିଶେଷକରି ଜାତିସଂଘ ନିରାପତ୍ତା ପରିଷଦ ଭଳି ପ୍ରମୁଖ ଅଙ୍ଗର ପୁନର୍ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି, ଯାହା ଅଧିକ ସମାନ ବୈଶ୍ଵିକ ବ୍ୟବସ୍ଥା ସୁନିଶ୍ଚିତ କରିବ।

ଏହି ଘୋଷଣାନାମାରେ ଲିଙ୍ଗଗତ ସମାନତାକୁ ଗୁରୁତ୍ୱ ଦିଆଯାଇଛି, ଯାହା ଆସନ୍ତା ବର୍ଷ ମହିଳା ସଶକ୍ତିକରଣ ଉପରେ ଏକ ସମର୍ପିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ସହିତ ସାକାର ରୂପ ନେବ। ଭାରତର ମହିଳା ସଂରକ୍ଷଣ ବିଲ୍ ୨୦୨୩, ଦେଶର ସଂସଦ ଏବଂ ରାଜ୍ୟ ବିଧାନସଭାରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ କରିବ ଯାହାକି ମହିଳାଙ୍କ ନେତୃତ୍ୱାଧୀନ ବିକାଶ ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି।

ନୀତି ସମନ୍ଵୟ, ବିଶ୍ୱସନୀୟ ବାଣିଜ୍ୟ ଏବଂ ଉଚ୍ଚାକାଂକ୍ଷୀ ଜଳବାୟୁ କାର‌୍ୟ୍ୟ ଉପରେ ଗୁରୁତ୍ୱ ଦେଇ ଏହି ପ୍ରମୁଖ ପ୍ରାଥମିକତା ଗୁଡ଼ିକରେ ସହଯୋଗର ଏକ ନୂତନ ଭାବନାକୁ ନୂଆଦିଲ୍ଲୀ ଘୋଷଣାନାମାରେ ପ୍ରତିଫଳିତ କରାଯାଇଛି। ଏହା ଗର୍ବର ବିଷୟ ଯେ ଆମ ଅଧ୍ୟକ୍ଷତା କାଳରେ ଜି-୨୦ ୮୭ଟି ପରିଣାମ ବିଶିଷ୍ଟ ଏବଂ ୧୧୮ଟି ଗୃହୀତ ଦସ୍ତାବିଜ ହାସଲ କରିଛି, ଯାହା ଅତୀତ ତୁଳନାରେ ଉଲ୍ଲେଖନୀୟ ବୃଦ୍ଧି।

ଆମର ଜି-୨୦ ଅଧ୍ୟକ୍ଷତା ସମୟରେ ଭାରତ ଭୂ-ରାଜନୈତିକ ପ୍ରସଙ୍ଗ ଏବଂ ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶ ଉପରେ ଏହାର ପ୍ରଭାବ ଉପରେ ଆଲୋଚନାର ନେତୃତ୍ୱ ନେଇଥିଲା। ଆତଙ୍କବାଦ ଏବଂ ସାଧାରଣ ନାଗରିକଙ୍କ ଅଯଥା ହତ୍ୟା ଗ୍ରହଣୀୟ ନୁହେଁ ଏବଂ ଆମକୁ ଶୂନ୍ୟ ସହନଶୀଳତା ନୀତି ସହିତ ଏହାର ସମାଧାନ କରିବାକୁ ହେବ । ଶତ୍ରୁତାକୁ ଛାଡି ମାନବିକତାକୁ ଆମେ ଗ୍ରହଣ କରିବା ଉଚିତ ଏବଂ ଏହା ଯୁଦ୍ଧର ଯୁଗ ନୁହେଁ ବୋଲି ଦୋହରାଇବା ଉଚିତ୍।

ମୁଁ ଆନନ୍ଦିତ ଯେ ଆମ ଅଧ୍ୟକ୍ଷତା କାଳରେ ଭାରତ ଅସାଧାରଣ ସଫଳତା ହାସଲ କରିଛି: ଏହା ବହୁପକ୍ଷବାଦକୁ ପୁନର୍ଜୀବିତ କରିଛି, ଗ୍ଲୋବାଲ ସାଉଥର ସ୍ୱରକୁ ବିସ୍ତାର କରି, ବିକାଶକୁ ପ୍ରୋତ୍ସାହିତ କରିଛି ଏବଂ ସବୁଠି ମହିଳା ସଶକ୍ତିକରଣ ପାଇଁ ଲଢ଼େଇ କରିଛି। ଯେତେବେଳେ ଆମେ ବ୍ରାଜିଲକୁ ଜି-୨୦ ଅଧ୍ୟକ୍ଷତା ହସ୍ତାନ୍ତର କରୁଛୁ, ଆମର ଏହି ବିଶ୍ୱାସ ରହିଛି ଯେ ଜନସାଧାରଣ, ପୃଥିବୀ, ଶାନ୍ତି ଏବଂ ସମୃଦ୍ଧି ପାଇଁ ଆମର ସାମୂହିକ ପଦକ୍ଷେପ ଆଗାମୀ ବର୍ଷଗୁଡ଼ିକରେ ଉତ୍ତମ ପରିଣାମ ଆଣିବ।

Categories
ବିଶେଷ ଖବର

ଦକ୍ଷିଣ ଭାରତରେ ସଂରକ୍ଷଣକୁ ନେଇ ଏଭଳି ବାଜି ଲଗାଇଲେ ମୋଦି, ଯାହାର ସିଧାସଳଖ ପ୍ରଭାବ ୨୦୨୪ରେ ପଡ଼ିବ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଦକ୍ଷିଣ ରାଜ୍ୟଗୁଡ଼ିକରେ ନିଜର ଦଖଲ କୋହଳ କରିବାକୁ ଚାହୁଁନାହିଁ। ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ସେ ଏଥିପାଇଁ ଉଦ୍ୟମ ଜାରି ରଖିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଡିଗାମାନଙ୍କ ପାଇଁ ସଂରକ୍ଷଣ ପ୍ରତିଶ୍ରୁତି ଦେଇଥିଲେ। ଏହାର କିଛିଦିନ ପରେ ଶୁକ୍ରବାର ସେ କ୍ୟାବିନେଟ୍ ସଚିବ ରାଜୀବ ଗୌବା ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କଠାରୁ ସମ୍ପ୍ରଦାୟ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ସମ୍ପ୍ରଦାୟମାନଙ୍କ ପାଇଁ ଅନୁସୂଚିତ ଜାତି ସଂରକ୍ଷଣର ଉପବର୍ଗୀକରଣ ପାଇଁ ଏକ କମିଟି ଗଠନକୁ ତ୍ୱରାନ୍ୱିତ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ନଭେମ୍ବର ୧୮ରେ ଗୃହମନ୍ତ୍ରୀ ଅମିତ ଶାହା ସିକନ୍ଦରାବାଦରେ ୧୦ରୁ ଅଧିକ ମାଡିଗା ପ୍ରତିନିଧିଙ୍କ ସହ ବୈଠକ କରିଥିଲେ। ସୂତ୍ରରୁ ପ୍ରକାଶ ଯେ ଉପବର୍ଗୀକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଗୃହମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପରେ ଏମଆରପିଏସ ପ୍ରତିଷ୍ଠାତା ମନ୍ଦା କ୍ରିଷ୍ଣା ମାଡିଗା ନଭେମ୍ବର ୩୦ରେ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପାଇଁ ବିଭିନ୍ନ ମାଡିଗା ସଂଗଠନକୁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

ମାଦିଗା ସଂଗଠନଗୁଡ଼ିକୁ ଉଦ୍ଦେଶ୍ୟରେ ଲେଖିଥିବା ଏକ ଚିଠିରେ କ୍ରିଷ୍ଣା ମାଡିଗା କହିଛନ୍ତି ଯେ ଏସସି ସଂରକ୍ଷଣର ଉପବର୍ଗୀକରଣ ଦାବିରେ କଂଗ୍ରେସ ସେମାନଙ୍କ ପ୍ରତି ଅନ୍ୟାୟ କରିଛି । ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ କେନ୍ଦ୍ରରେ କ୍ଷମତାରେ ଥିବାବେଳେ ଏସସି ବର୍ଗୀକରଣ ପାଇଁ ଆଇନ ପାରିତ କରିବାରେ ବିଫଳ ହୋଇଥିଲା । ଗତ ୧୦ ବର୍ଷ ଧରି ସେ ଏହି ଦାବିକୁ କଂଗ୍ରେସ ସମର୍ଥନ କରିନଥିଲା । କଂଗ୍ରେସ ଶାସନରେ ଆମ ପ୍ରତି ଅନେକ ଅନ୍ୟାୟ ହୋଇଛି । ଗତ ୧୦ ବର୍ଷ ମଧ୍ୟରେ ଏସସି ବର୍ଗୀକରଣ ବିଷୟରେ ସଂସଦରେ କଂଗ୍ରେସ ଗୋଟିଏ ଶବ୍ଦ ମଧ୍ୟ କହିନାହିଁ ।

ମାଡିଗା ସମ୍ପ୍ରଦାୟର ଭୋଟ ଗଣିତ

ତେଲେଙ୍ଗାନାର ମୋଟ ଅନୁସୂଚିତ ଜାତିର ଅତି କମରେ ୫୦ ପ୍ରତିଶତ ହେଉଛନ୍ତି ମାଡିଗା ସମ୍ପ୍ରଦାୟର । ୨୦୧୧ ଜନଗଣନା ଅନୁଯାୟୀ, ଅନୁସୂଚିତ ଜାତିର ଜନସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ୧୫% ରୁ କିଛି ଅଧିକ ଅଟେ । ବର୍ଷ ବର୍ଷ ଧରି ମାଡିଗା ସମ୍ପ୍ରଦାୟ କହିଛି ଯେ ଏସସି ବର୍ଗଅଧୀନରେ ସଂରକ୍ଷଣର ସୁବିଧା ମାଲା ସମ୍ପ୍ରଦାୟ ଛଡ଼ାଇ ନେଇଛନ୍ତି । ଯେତେବେଳେ କି ମାଡିଗାଙ୍କୁ ଏହି ସୁବିଧାରୁ ବଞ୍ଚିତ କରାଯାଇଛି ।

୧୯୯୪ ମସିହାରୁ ଏହି ସମ୍ପ୍ରଦାୟ ଉପବର୍ଗୀକରଣ ପାଇଁ ସଂଘର୍ଷ କରୁଛି । ପ୍ରଥମେ ମାଡିଗା ଦଣ୍ଡୋରା ଆନ୍ଦୋଳନ ଏବଂ ପରେ ଏମଆରପିଏସ ମାଧ୍ୟମରେ ଏହି ଦାବିଗୁଡ଼ିକର ସମୀକ୍ଷା ପାଇଁ ଏକାଧିକ କମିଶନ ଗଠନ କରାଯାଇଛି । ଏଥିରେ ୧୯୯୬ରେ ଜଷ୍ଟିସ ପି ରାମଚନ୍ଦ୍ର ରାଜୁ ଏବଂ ପରେ ୨୦୦୭ରେ ଜଷ୍ଟିସ ଉଷା ମେହେରାଙ୍କ ନେତୃତ୍ୱରେ କମିଶନ ଅନ୍ତର୍ଭୁକ୍ତ । ଉପବର୍ଗୀକରଣ ପାଇଁ ପଦ୍ଧତି ଓ ଉପାୟ ମିଳିପାରିବ ବୋଲି ଉଭୟ କହିଛନ୍ତି ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ସନ୍ଥକବି ଭୀମଭୋଇ ଓ ମହିମା ପରମ୍ପରାର ମାହାତ୍ମ୍ୟ ଉପରେ ‘ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ’ ଉଦଘାଟିତ

ଭୁବନେଶ୍ୱର: ମହିମା ପରମ୍ପରା କାହା ପାଇଁ ଧର୍ମ ହୋଇପାରେ, କାହା ପାଇଁ ସେମାନଙ୍କ ଠାରୁ ମିଳୁଥିବା ବାଉଁଶ ଛତା ଉପହାରର ବସ୍ତୁ ହୋଇପାରେ କିନ୍ତୁ ମୋ ପାଇଁ ମହିମା ତତ୍ତ୍ୱ ଜୀବନ ପ୍ରେରଣାର ମୂଳ ଉତ୍ସ ହୋଇ ରହିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ଭୁବନେଶ୍ୱର ଠାରେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥକବି ଭୀମଭୋଇ ଓ ମହିମା ସଂସ୍କୃତିର ପରମ୍ପରାର ମାହାତ୍ମ୍ୟ ଉପରେ ଆୟୋଜିତ ‘ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ’ର ଉଦଘାଟନୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ଓଡ଼ିଶାର ଆତ୍ମା, ତା’ର ସାଧୁ ସଜ୍ଜନ ଓ ସନ୍ନ୍ୟାସୀମାନଙ୍କ ଜୀବନ ଦର୍ଶନରେ ପରିପୂର୍ଣ୍ଣ। ଏ ଦେଶର ଅନ୍ଧକାରାଚ୍ଛନ୍ନ ମଣିଷ ସମାଜକୁ ସେମାନେ ନିଜ ମହାନ୍‌ ଚିନ୍ତାଧାରା ଏବଂ ଭାବଧାରାରେ ଅନୁପ୍ରାଣିତ କରିଥାନ୍ତି। ଯେତେବେଳେ ସମାଜ ଅନ୍ଧକାରରେ ଥିଲା, ରାଜାରାଜୁଡା ଓ ଇଂରେଜ ଶାସନ ସହ ପ୍ରତିପ୍ରତ୍ତିଶାଳୀଙ୍କ ହାତରେ ସମାଜର ଦାୟିତ୍ୱ ଥିଲା, ସେ ସମୟରେ ମୃଷ୍ଟିମେୟ ଲୋକମାନେ ଏକ ବୃହତ ସମାଜକୁ ଉପେକ୍ଷା କରିଥିଲେ। ସେହିଭଳି ଘଡିସନ୍ଧି ମୁହୂର୍ତ୍ତରେ ପରବ୍ରହ୍ଣ ଓ ନିରାକାରଙ୍କୁ ଆଖ୍ୟା ଦେବା ପାଇଁ ମହିମା ଗୋସାଇଙ୍କ ଅନନ୍ୟ ଭକ୍ତ ସନ୍ଥ କବି ଭୀମ ଭୋଇଙ୍କ ଆବିର୍ଭାବ ଓଡ଼ିଶାରେ ହୋଇଥିଲା।  ଭୀମ ଭୋଇ ସମାଜର କୁସ୍କାର, ଅନ୍ଧବିଶ୍ୱାସ, ଅନ୍ୟାୟ ବିରୋଧରେ ସ୍ୱର ଉଠାଇଥିଲେ। ତାଙ୍କ ସମୟରେ ଓଡ଼ିଶା ସାହିତ୍ୟରେ ସମାଜିକ ଉତ୍ଥାନର ନବଜାଗରଣର ସୁବର୍ଣ୍ଣ ଯୁଗର ଅଭ୍ୟୁଦୋୟ ହୋଇଥିଲା। ପ୍ରଜାତନ୍ତ୍ରିକ ସମାଜ ଗଣତନ୍ତ୍ରରେ ବିଶ୍ୱାସ କରେ। ଆଜି ବି ଅନେକ ଲୋକମାନେ ସମସ୍ୟାର ବାଟ ବନ୍ଧୁକର ତାକତରେ ଅଛି ବୋଲି କହୁଥିବା ବେଳେ ଓଡ଼ିଶାରେ ଦୀର୍ଘ ବର୍ଷ ପୂର୍ବେ ମହିମା ଗୋସାଇଁ ଓ ଭୀମ ଭୋଇଙ୍କ ପରି କ୍ରାନ୍ତିକାରୀମାନେ ସମାଜବାଦର ସଠିକ୍ ପ୍ରତିନିଧିତ୍ୱ କରିଥିଲେ। ଏମାନେ ଦାର୍ଶନିକ କାର୍ଲ ମାର୍କସଙ୍କ ଠାରୁ ବଡ ସମାଜବାଦୀ ଥିଲେ। ଅନ୍ୟ କାହାକୁ ଗାଳି ନ ଦେଇ ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେବା ଭଳି କଳ୍ପନା କରିଥିଲେ।  ମହିମା ଧର୍ମର ମୁଁ ଅନୁୟାୟୀ, ଏହି ଧର୍ମ ମୋ ପାଇଁ ସଂସ୍କାର, ଉତ୍କଳୀୟ ପରମ୍ପରାକୁ ବିଶ୍ୱକୁ ନେବା ଦିଗରେ ମହିମା ଧର୍ମ ହେବ ସର୍ବଶ୍ରେଷ୍ଠ ମାଧ୍ୟମ।

ମହିମା ଧର୍ମର ପ୍ରତିଷ୍ଠାତା ମହିମା ଗୋସାଇଁ, ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇ, ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ମାଧୋ ସିଂହ, ବାଜି ରାଉତ, ଧର୍ମପଦ, ଗୋପବନ୍ଧୁ ଦାସଙ୍କ ସହ ଦାସିଆ ବାଉରୀ, ବାଇମୁଣ୍ଡିଙ୍କ ପରି ସମାଜରେ କୀର୍ତ୍ତି ସ୍ଥାପନ କରିଥିବା ଲୋକମାନେ ସର୍ବଦା ନିଜ ଜାତି ଓ ସମାଜ ପାଇଁ ଆଗଭର ହୋଇଛନ୍ତି। ଓଡ଼ିଆ ଲୋକ ସମୟ ସମୟରୁ ସଂକୀର୍ଣ୍ଣ ବିଚାରରେ ନିଜକୁ ସୀମିତ ରଖିନାହିଁ। ଏଥିପାଇଁ ଓଡ଼ିଆ ଜାତିର ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଓଡ଼ିଆ ସମାଜର ଦୃଷ୍ଟିକୋଣ ସମାଜ କଲ୍ୟାଣ।

ସନ୍ଥ କବି ବଳରାମ ଦାସଙ୍କ ଲିଖିତ ଲକ୍ଷ୍ମୀ ପୂରାଣ ଓ ସନ୍ଥ କବିଙ୍କ ତତ୍ତ୍ୱ ସମାନ। ଗରିବ, ବଞ୍ଚିତ , ନିଷ୍ପେସିତ, ସମାଜର ତଳ ଲୋକମାନଙ୍କ ସେବା କଲେ ହିଁ ଭଗବାନ ମିଳିବେ, ଏହା ଓଡ଼ିଆ ଜାତିର ପରମ୍ପରା ଓ ସଂସ୍କାରରେ ଦୀର୍ଘଦିନରୁ ରହିଆସିଛି। ମହିମା ଧର୍ମର ସଂସ୍କୃତି ଓ ପରମ୍ପରା ଅନନ୍ୟ। ମହିମା ବିଚାର ତତ୍ତ୍ଵ ପାଞ୍ଚ ମୁଠା ନୁହେଁ, ମୁଠେ ଖାଇବାରେ ବିଶ୍ୱାସ କରେ। ମାତ୍ର ଆଜିର ଏ ସମ୍ମିଳନୀର ବମର୍ଷ କଣ ପାଇଁ? ଗାନ୍ଧିଜୀ ଖଦୀ ବସ୍ତ୍ର ପିନ୍ଧି ସ୍ୱଦେଶୀ ବସ୍ତ୍ରର ଆହ୍ୱାନ ଦେଇ ସମସ୍ତଙ୍କ ଆଦର୍ଶ ହୋଇଥିବା ବେଳେ ଶହେ ବର୍ଷ ପୂର୍ବରୁ ଜାତିପ୍ରଥା ବିରୋଧରେ କଷ୍ଟ ସହି ଏବଂ ମୁଠେ ଖାଇ ବଞ୍ଚିଥିବା ସନ୍ଥ କାହିଁକି ଅନାଲୋଚିତ? ମହିମା ଗୋସାଇଁ ଓ ସନ୍ଥ କବିଙ୍କ ବିଚାର ପ୍ରଭାବଶାଳୀ ଥିବା କାରଣରୁ ଜାତି ସଂଘର କାନ୍ଥରେ ଲେଖାଗଲା। ଏହା ବିଚାରକୁ ସେ ପର୍ଯ୍ୟନ୍ତ କିଏ ନେଲା? ଏହାକୁ ଜାଣିବାର ଆବଶ୍ୟକତା ରହିଛି।

ଶ୍ରୀ ପ୍ରଧାନ କହିଛନ୍ତି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ପ୍ରଣାଳୀର ସଂସ୍କାରରେ ମହିମା ଗୋସାଇଁ ଏବଂ ଭୀମ ଭୋଇଙ୍କ ବିଚାର ଅନ୍ତର୍ନିହିତ। ଆଜି ସବକା ସାଥ-ସବକା ବିକାଶ- ସବକା ପ୍ରୟାସ-ସବକା ବିଶ୍ୱାସ ମୋଦିଙ୍କ ମୂଳ ମନ୍ତ୍ର ହୋଇଛି।

ସମାଜ ପାଇଁ ଉତ୍ସର୍ଗୀକୃତ ବିଚାରକୁ ନୂଆପିଢି ପାଖରେ ପହଞ୍ଚାଇବାର ଦାୟିତ୍ୱ ବିଶ୍ୱବିଦ୍ୟାଳୟ ନେବା ଦରକାର। ସନ୍ଥକବି ଭୀମଭୋଇ ଚେୟାର ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହୋଇଛି। ଆଗାମୀ ଦିନରେ ଭାରତର ଦକ୍ଷିଣାଞ୍ଚଳରେ ଏବଂ ଦେଶ ବାହାରେ ମହିମା ଗୋସାଇଁଙ୍କ ନାଁରେ ଚେୟାର ପ୍ରତିଷ୍ଠା କରିବା ପାଇଁ ଯୋଜନା କରାଯିବ। ଆଜି ପ୍ରଥମ ଥର ପାଇଁ ହିନ୍ଦି ଭାଷାରେ ମହିମା ଧର୍ମ ସମ୍ପର୍କରେ ଲୋକାର୍ପିତ ପୁସ୍ତକଟିକୁ ସମାଜର ସବୁ ବର୍ଗର ଲୋକମାନେ ପଢନ୍ତୁ, ବିମର୍ଷ କରନ୍ତୁ ଓ ନିଜର ଅଭିବ୍ୟକ୍ତି ଦେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଅନୁରୂପ ଭାବରେ ମହିମା ବିଚାରକୁ ସବୁ ଭାରତୀୟ ଭାଷାରେ ପହଞ୍ଚାଇବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ।

ମହିମା ସାଧୁ ସନ୍ଥମାନେ ଓଡ଼ିଶାର ପୁଞ୍ଜି, ସଂସ୍କାର, ଓଡ଼ିଶାର ସ୍ପନ୍ଦନ। ସେମାନଙ୍କ ମାର୍ଗଦର୍ଶନରେ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଜାତି ତାର ସଂସ୍କୃତିକୁ ସୁରକ୍ଷିତ ରଖିବ। ବଞ୍ଚିତ ବର୍ଗଙ୍କ ମଧ୍ୟରେ ଆତ୍ମବିଶ୍ୱାସରେ ଭରି ସମାଜର ମୂଳଧାରା ସହ ଯୋଡିବା ନେତୃତ୍ୱ ଦେଉଥିବାର ମହିମା ପରମ୍ପରା ସର୍ବଦା ବଜାୟ ରହୁ ବୋଲି ଶ୍ରୀ ପ୍ରଧାନ କାମନା କରିଥିଲେ। ମହିମା ସମାଜର ଆଶା ଓ ଅପେକ୍ଷାକୁ ପୂରଣ କରିବା ପାଇଁ ଭାରତ ସରକାର ସହଯୋଗୀ ହେବେ ବୋଲି ସେ କହିଥିଲେ।

ଉଲ୍ଲେଖନୀୟ ଯେ, ସେଣ୍ଟ୍ରାଲ ଟ୍ରାଇବାଲ ବିଶ୍ୱବିଦ୍ୟାଳୟ, ବିଜୟନଗରମ, କେନ୍ଦ୍ରୀୟ ବିଶ୍ୱବଦ୍ୟାଳୟ କୋରାପୁଟ, ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବିଲାସପୁର ଏବଂ ଇଣ୍ଡିଆନ କାଉନସିଲ ଅଫ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ ଅନୁଷ୍ଠାନ ପକ୍ଷରୁ ଏହି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀରେ ରାଷ୍ଟ୍ରୀୟ ଏବଂ ଅନ୍ତଃରାଷ୍ଟ୍ରୀୟ ଲେଖକ, କବି, ସାହିତ୍ୟିକ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଭାଗ ନେଇଛନ୍ତି। ସମ୍ମିଳନୀରେ ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଯୋଡିହୋଇଥିବା ବ୍ୟକ୍ତିବିଶେଷଙ୍କୁ ଶୂନ୍ୟ ମନ୍ଦିର ଓ ମହିମା ଗାଦି ବୁଲିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ହରିୟାଣାରେ ପିଏମ-ଶ୍ରୀ ସ୍କୁଲର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ହରିୟାଣାରେ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ତଥା ପିଏମ ଶ୍ରୀ ସ୍କୁଲର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ରାଜ୍ୟର ଲୋକମାନଙ୍କୁ ବିଜୟା ଦଶମୀର ଉପହାର। ପିଏମ୍ ଶ୍ରୀସ୍କୁଲ ଏକବିଂଶ ଶତାବ୍ଦୀର ଆଧୁନିକ ଶିକ୍ଷା ସହ ଉତ୍କୃଷ୍ଟତାର ପ୍ରତୀକ ହେବ ବୋଲି ଆଜି ପ୍ରଥମ ପର୍ଯ୍ୟାୟରେ ହରିୟାଣାରେ ୧୨୪ଟି ପିଏମ ଶ୍ରୀ ସ୍କୁଲର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି ଆଧାରରେ ଉନ୍ନତ ଏବଂ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ହରିୟାଣାର ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ ଆଜି ଏକ ଐତିହାସିକ ଦିନ। ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା । ଜାତୀୟ ଶିକ୍ଷା ନୀତିର ଦ୍ୱାରା ପରିକଳ୍ପିତ ବିଦ୍ୟାଳୟ ଶିକ୍ଷାକୁ ଭାଇବ୍ରେଣ୍ଟ କରିବା ପାଇଁ ହରିୟାଣା ବିଦ୍ୟାଳୟ ଶିକ୍ଷା ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଉପକ୍ରମ ଏବଂ ସଂସ୍କାର ପାଇଁ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଉଛି । ସ୍କିଲ୍ ଆଧାରିତ, ଜନ ଜୀବନ ସଂସ୍କୃତି ଏବଂ ମାତୃଭାଷା ଆଧାରିତ ଏକବିଂଶ ଶତାବ୍ଦୀର ଆଧୁନିକ ଶିକ୍ଷା ସହ ପିଏମ ଶ୍ରୀ ସ୍କୁଲ ଉତ୍କୃଷ୍ଟତାର ପ୍ରତୀକ ହେବ । ଏହି ସ୍କୁଲର ଶୁଭାରମ୍ଭ ଦ୍ୱାରା ହରିୟାଣାରେ ବିଦ୍ୟାଳୟ ଶିକ୍ଷାର କ୍ଷମତା ବଢିବ ଓ ହରିୟାଣାର ପିଲାମାନେ ଲାଭାନ୍ୱିତ ହେବେ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଗୁରୁ ଦିବସ ଅବସରରେ ପିଏମ ଶ୍ରୀ ଯୋଜନାର ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ୨୦୨୨-୨୩ ରୁ ୨୦୨୬-୨୦୨୭ ପର୍ଯ୍ୟନ୍ତ ଆଗାମୀ ୫ ବର୍ଷ ପାଇଁ ଆର୍ଥିକ ବ୍ୟୟବରାଦ ମଧ୍ୟ କରିଥିଲେ । ଆଜି ଶିକ୍ଷା ବ୍ୟବସ୍ଥାରେ ଅନେକ ସଂସ୍କାର ଅଣାଯାଉଛି । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସର୍ବଶିକ୍ଷା ଅଭିଯାନ- ସଭିଏଁ ପଢ଼ନ୍ତୁ, ସଭିଏ ବଢ଼ନ୍ତୁ ଠାରୁ ଆରମ୍ଭ କରି ମୋଦି ସରକାରରେ ପିଏମ ଶ୍ରୀସ୍କୁଲର ବିକଶିତ କରାଯାଉଛି । ଦେଶରେ ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା଼ ନୀତି ପ୍ରଣୟନ କରାଯାଇଛି । ନୂଆ ଶିକ୍ଷା ନୀତିରେ ବିଶେଷତଃ ତିନୋଟି ବିଷୟକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ବାଲବାଟିକା ମାଧ୍ୟମରେ ଖେଳକୁଦ ଓ ବିଭିନ୍ନ ଆକ୍ଟିଭିଟି ଜରିଆରେ ପାଠପଢା, ପାଠ ପଢିବାର ପ୍ରାରମ୍ଭିକ ଅବସ୍ଥାରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯାଇଛି । ତୃତୀୟତଃ ଦକ୍ଷତା ଆଧାରିତ ଶିକ୍ଷାକୁ ବିଶେଷ ଗୁରୁତ୍ୱାରୋପ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଭବ୍ୟ କାର୍ଯ୍ୟକ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ, ରାଜ୍ୟ ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ କନଓ୍ୱର୍ ପାଲ୍ ଓ ଲୋକସଭା ସାଂସଦ ଡା. ଅରବିନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର

ଆଇଓସି ଅଧିବେଶନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଜିଓ ୱାର୍ଲଡ ସେଣ୍ଟରରେ ପ୍ରସ୍ତୁତି ଚୂଡାନ୍ତ

ମୁମ୍ବାଇ: ଜି-୨୦ ର ସଫଳ ଆୟୋଜନ ପରେ ବର୍ତ୍ତମାନ ଭାରତରେ ଆଉ ଏକ ଆନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଆନ୍ତର୍ଜାତିକ ଅଲମ୍ପିକ୍ କମିଟି (ଆଇଓସି) ର ୧୪୧ ତମ ଅଧିବେଶନ ୧୫ ରୁ ୧୭ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଅନୁଷ୍ଠିତ ହେବ। ଅକ୍ଟୋବର ୧୪ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆଇଓସି ଅଧିବେଶନ ଉଦଘାଟିତ ହେବ। ଏହା ବ୍ୟତୀତ କ୍ରୀଡା ସହ ଜଡିତ ଭାରତ ତଥା ବିଦେଶର ବହୁ ସେଲିବ୍ରିଟି ଏଥିରେ ଅଂଶଗ୍ରହଣ କରିବେ।

ଏହି ଅଧିବେଶନରେ କାତାର, ଜୋର୍ଡାନ, ମୋନାକୋ, ଲକ୍ସମବର୍ଗ ଏବଂ ଭୁଟାନର ରାଷ୍ଟ୍ରମୁଖ୍ୟମାନଙ୍କ ସମେତ ଗ୍ରେଟର ବ୍ରିଟେନ ଏବଂ ଲିଚଟେଷ୍ଟାଇନ୍‌ର ରାଜ ପରିବାରର ସଦସ୍ୟମାନେ ଉପସ୍ଥିତ ରହିବେ। ଏତଦ ବ୍ୟତୀତ ସାତଥର ଅଲିମ୍ପିକ୍ ସନ୍ତରଣ ପଦକ ବିଜେତା କିର୍ଷ୍ଟି କୋଭେନଟ୍ରି, ଦୁଇଥର ଅଲିମ୍ପିକ୍ ପୋଲ୍ ଭଲ୍ଟ ସ୍ୱର୍ଣ୍ଣ ପଦକ ବିଜେତା ୟେଲେନା ଇସେନବାଏଭା, ଦୁଇଥର ଅଲିମ୍ପିକ୍ ୧୦,୦୦୦ ମିଟର ରୌପ୍ୟ ପଦକ ବିଜେତା ତଥା କେନିଆର ଜାତୀୟ ଅଲିମ୍ପିକ୍ କମିଟି ସଭାପତି ପଲ୍ ଟର୍ଗଟ୍‌, ଅଲିମ୍ପିକ୍ ପୋଲ୍ ଭଲ୍ଟ ସ୍ୱର୍ଣ୍ଣ ପଦକ ବିଜେତା ସରୋଜ ବୁବ୍କା ଏବଂ ଅଲିମ୍ପିକ୍ ସୁଟିଂ ଚାମ୍ପିଅନ୍ ଅଭିନ୍ୱ ବିନ୍ଦ୍ରା। ଏଥିସହିତ ଅଲିମ୍ପିକ୍ ୧୫୦୦ ମିଟର ଚାମ୍ପିଅନ୍ ତଥା ବିଶ୍ୱ ଆଥଲେଟିକ୍ସ ସଭାପତି ସେବାଷ୍ଟିଆନ୍ କୋଏ ଏବଂ ଫିଫା ସଭାପତି ଜିଆନି ଇନଫେଣ୍ଟିନୋ ମଧ୍ୟ ଉପସ୍ଥିତ ରହିବେ। ଆନ୍ତର୍ଜାତିକ ଅଲମ୍ପିକ୍ କମିଟି (ଆଇଓସି) ସଭାପତି ଥୋମାସ ବାକ୍‌, ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ତଥା ବିଭିନ୍ନ କ୍ରୀଡା ମହାସଂଘର ପ୍ରତିନିଧିଗଣ ଏହି ଅଧିବେଶନରେ ଅଂଶଗ୍ରହଣ କରିବେ।

ସୂଚନା ଯୋଗ୍ୟ ଯେ ଫେବୃଆରୀ ୨୦୨୨ ରେ ଚୀନ୍‌ର ରାଜଧାନୀ ବେଜିଂରେ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଆଇଓସି ଅଧିବେଶନ ପାଇଁ ବିଡ଼ିଙ୍ଗ କରାଯାଇଥିଲା । ଏହି ଐତିହାସିକ ବୈଠକରେ ଭାରତ ସପକ୍ଷରେ ୭୫ ଭୋଟ ମିଳିଥିବାବେଳେ ବିପକ୍ଷରେ ମାତ୍ର ଗୋଟିଏ ଭୋଟ ପଡିଥିଲା । ଭାରତରେ ଦୀର୍ଘ ୪୦ ବର୍ଷ ପରେ ଏହି ଆଇଓସି ଅଧିବେଶନ ଅନୁଷ୍ଠିତ ହେଉଥିବାରୁ ଏହା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆକଳନ କରାଯାଇପାରିବ ।

ଆଇଓସି ଅଧିବେଶନ ହେଉଛି ସର୍ବୋଚ୍ଚ ସଂସ୍ଥା ଯାହା ଅଲିମ୍ପିକ୍ ଗେମ୍ସ ଉପରେ ନିଷ୍ପତ୍ତି ନିଏ । ଏଥିରେ ଅଲିମ୍ପିକ୍ ଚାର୍ଟର ଗ୍ରହଣ କିମ୍ବା ସଂଶୋଧନ, ଆଇଓସି ସଦସ୍ୟ ଏବଂ ପଦାଧିକାରୀଙ୍କ ଚୟନ କରିବା ଏବଂ ଅଲିମ୍ପିକ୍ସର ଆୟୋଜକ ସହର ବାଛିବା ଅନ୍ତର୍ଭୁକ୍ତ । ଉଦାହରଣ ସ୍ୱରୂପ, ଅଲିମ୍ପିକ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରିବା ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି ଏବଂ ଯଦି ଏହାକୁ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ ଗେମ୍ସରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଏ, ତେବେ ତାହା ମୁମ୍ବାଇର ଆଇଓସି ଅଧିବେଶନରେ ଘୋଷଣା କରାଯିବ ।

Categories
ବିଶେଷ ଖବର ରାଜ୍ୟ ଖବର

କନ୍ଧମାଳ ଜିଲ୍ଲାରେ ବିଜେପି ସଭାପତି ମନମୋହନ ସାମଲ, ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମରେ ସାମିଲ

କନ୍ଧମାଳ/ଭୁବନେଶ୍ୱର: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଆଜି ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନରେ ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇଛନ୍ତି।

ଦେଶର ଏକତା, ଅଖଣ୍ଡତା ପାଇଁ ଯବାନମାନେ ଲଢ଼ି ପ୍ରାଣବଳି ଦେଇ ସହିଦଙ୍କ ସ୍ମୃତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଆହ୍ୱାନ ଦେଇଛନ୍ତି। ସ୍ୱାଧୀନତାର ଶତାବ୍ଦୀ ପୂର୍ତି ଅବସରରେ ୨୦୪୭ ମସିହାରେ ଭାରତବର୍ଷକୁ ବିଶ୍ୱ ଗୁରୁ ଭାବେ ପରିଣତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି।

ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରିଛନ୍ତି। ଏହି ମାଟି ଦିଲ୍ଳୀ ଯିବ, ସେଠାରେ ସହିଦଙ୍କ ପାଇଁ ଏହା ଏକ ବଡ ସ୍ମାରକୀ ହେବ। ଏହି ସ୍ମାରକୀ ଦେଶମାତୃକା ପାଇଁ ସର୍ବୋଚ୍ଚ ବଳିଦାନ କରିଥିବା ବୀର ଯବାନମାନଙ୍କ ପାଇଁ ଶେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଶ୍ରୀ ସାମଲ କହିଛନ୍ତି।

ଆଜି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ, କନ୍ଧମାଳ ଜିଲ୍ଲା ଖଜୁରୀପଡା, ଦୁକ୍ତିମେଣ୍ଢୀ, ଫୁଲବାଣୀ, ଟିକାବାଲି ଠାରେ ସ୍ୱାଗତ କରାଯାଇଥିଲା। ଏହାପରେ ଶ୍ରୀ ସାମଲ ଶହୀଦ ସୁନାଶିର ମହାନ୍ତିଙ୍କ ପରିବାରକୁ ଭେଟି ଆଲୋଚନା କରିବା ସହ କଳସରେ ମାଟି ସଂଗ୍ରହ କରିଥିଲେ ଓ ରାଇକିଆ ବ୍ଲକ ବିଅରିପାଙ୍ଗା ଗାଁ ଶହୀଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ତାଙ୍କ ପରିବାରଠାରୁ ମାଟି ସଂଗ୍ରହ କରିଛନ୍ତି। ଏହାପରେ ଫୁଲବାଣୀରେ ମଟୋର ସାଇକେଲ ରାଲି କରାଯାଇଥିଲା। ଫୁଲବାଣୀରେ ଅନୁଷ୍ଠିତ କାର୍ଯ୍ୟକର୍ତା ବୈଠକରେ ଯୋଗ ଦେଇ ଦଳୀୟ କାର୍ଯ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରିଥିଲେ ଶ୍ରୀ ସାମଲ।

ରାଷ୍ଟ୍ର ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଅମର ‘ଯବାନ’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକ୍ରମେ ଦେଶବ୍ୟାପୀ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ‘ମାଟିକୁ ପ୍ରଣାମ ଓ ବୀରଙ୍କୁ ବନ୍ଦନା’ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି।

ଏହି ଅବସରରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା, ବନ ମହାନ୍ତି ପ୍ରମୁଖଙ୍କ ସମେତ ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଓ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

Categories
ଆଞ୍ଚଳିକ

ବିଜେପି ପକ୍ଷରୁ ବାଣପୁରରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭାରତୀୟ ଜନତା ପାର୍ଟି ତରଫରୁ ‘ମୋ ମାଟି ମୋ ଦେଶ ‘ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ବିଜେପି ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ଘରକୁ ଘର ବୁଲି ପବିତ୍ର ମାଟି ସଂଗ୍ରହ କରିଛନ୍ତି।

ପ୍ରକାଶ ଥାଉକି ଏକ ଭାରତ ଶ୍ରେଷ୍ଠ ଭାରତ କରିବାର ସଂକଳ୍ପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୧୦୩ ତମ ମନ କି ବାତରେ ଏହି ଅଭିଯାନର ଘୋଷଣା କରିଥିଲେ। ଏହି ଅଭିଯାନର ମୂଳ ତତ୍ତ୍ୱ ହେଉଛି ଦେଶର ପ୍ରତ୍ୟେକ କୋଣରେ ଅମୃତ କଳସ ଯାତ୍ରା କରିବା, ଯାହାକି ଦେଶର ପ୍ରତ୍ୟେକ କୋଣରୁ ୭୫୦୦ କଳସରେ ମାଟି ସଂଗୃହିତ ହୋଇ ରାଜଧାନୀ ଦିଲ୍ଲୀରେ ପହଞ୍ଚିବ।

ଅମୃତ କଳସର ସଂଗୃହିତ ମାଟିକୁ ନେଇ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ଅମୃତ ବାଟିକା ନିର୍ମାଣ ହେବ। ଉକ୍ତ ସ୍ମାରକୀ ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରତୀକ ହୋଇ ରହିବ।

ଏହି ପରିପ୍ରେକ୍ଷୀରେ ଶ୍ରୀ ପାତ୍ର ଓ ହରିଚନ୍ଦନଙ୍କ ସମେତ ଏନଏସିର ବିଜେପି କାଉନସିଲରଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ଯୋଗଦେଇ ଅମୃତ କଳସରେ ଘରୁ ଘରୁ ମାଟି ସଂଗ୍ରହ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ ଦ୍ୱାରା ସାରା ବାଣପୁର ଏନଏସି ରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ନରେନ୍ଦ୍ର ମୋଦି ଷ୍ଟାଡିୟମରେ “କ୍ରାୟୋ ଫର୍ ଗୁଡ୍” ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗୁଜୁରାଟର ଅହମ୍ମଦବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପୁଅ ଓ ଝିଅଙ୍କ ମଧ୍ୟରେ ଲିଙ୍ଗଗତ ସମାନତା ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ “କ୍ରାୟୋ ଫର୍ ଗୁଡ୍(Criiio 4 Good)” ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ କ୍ରୀଡାର ଶକ୍ତି ଏବଂ କ୍ରିକେଟର ଲୋକପ୍ରିୟତା ମାଧ୍ୟମରେ ଶିଶୁ କନ୍ୟାଙ୍କୁ ସଶକ୍ତ କରିବା ସହ ଲିଙ୍ଗଗତ ସମାନତା ଉପରେ ସଚେତନତା ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଆଇସିସି, ବିସିସିଆଇ, ୟୁନିସେଫ ଏବଂ ଶିକ୍ଷା ମନ୍ତ୍ରଣାଳୟର ମିଳିତ ଭାଗିଦାରୀରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ୮ଟି ସିରିଜ୍ ବିଶିଷ୍ଟ କ୍ରିକେଟ୍ ଆଧାରିତ ଆନିମେସନ ଚଳଚ୍ଚିତ୍ର ମାଧ୍ୟରେ ଲିଙ୍ଗଗତ ସମାନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଝିଅମାନଙ୍କୁ ଲାଇଫ ସ୍କିଲ୍ ସହ ଯୋଡିବା ଏବଂ କ୍ରୀଡାରେ ସେମାନଙ୍କର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି ଅଭିନବ ଅଭିଯାନକୁ ପ୍ରଶଂସା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଝିଅମାନେ ପୂର୍ବରୁ ଦେଶ ପାଇଁ ଗୌରବ ଆଣିଛନ୍ତି। ସାଇନା ନେହଓ୍ୱାଲ, ପିଭି ସିନ୍ଧୁ, ମେରି କମ୍, ଝୁଲଣ ଗୋସ୍ୱାମୀ, ମିତାଲି ରାଜ, ସ୍ମୃତି ମାନ୍ଧନାଙ୍କ ଭଳି ଝିଅ ଆମ ଦେଶର ଗୌରବ ବଢାଇଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମହିଳା ସଶକ୍ତିକରଣ ବିଶେଷ ଭାବରେ ଝିଅମାନଙ୍କ ସଶକ୍ତିକରଣ ଜାତୀୟ ଶିକ୍ଷା ନୀତିର ମୂଳ ଆଧାର। ଆଜିର ପଦକ୍ଷେପ ନେତୃତ୍ୱ, ସମସ୍ୟାର ସମାଧାନର ସୂତ୍ର ବାହାର କରିବା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜାଗ୍ରତ କରିବା, ନିଷ୍ପତି ନେବାର ସାମର୍ଥ୍ୟ, ବୁଝାମଣା, ସମବେଦନା, ଟିମ୍ ଓ୍ୱାର୍କ ଏବଂ ଲକ୍ଷ୍ୟ ସ୍ଥିର କରିବା ଭଳି ଆବଶ୍ୟକୀୟ ଲାଇଫ୍ ସ୍କିଲ୍ ଉପରେ ଗୁରୁତ୍ୱ ଦେବ। ଖେଳ ଆମ ସମସ୍ତଙ୍କ ଜୀବନରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶିକ୍ଷା ମନ୍ତ୍ରଣାଳୟ ଏହି ମଡ୍ୟୁଲ ଗୁଡିକୁ ଦେଶରେ ଥିବା ୧.୫ ମିଲିୟନ ସ୍କୁଲକୁ ଦୀକ୍ଷା ପ୍ଲାଟଫର୍ମ ମାଧ୍ୟମରେ ପ୍ରଦାନ କରିବ।

ଆମ ଦେଶ ମହିଳା ସଶକ୍ତିକରଣକୁ ପାରମ୍ପରିକ ଭାବେ ପରିଚୟ ଦେଇଆସିଛି। ଚନ୍ଦ୍ରାୟାନ-୩ ଅଭିଯାନରେ ଶତାଧିକ ମହିଳା ବୈଜ୍ଞାନିକଙ୍କ ଯୋଗଦାନ ରହିଛି। ନିକଟରେ ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହରେ ଉପସ୍ଥାପନ କରିବା ସହ ପାରିତ କରାଇଛନ୍ତି। ଦେଶ ଏବେ ମହିଳା ଆଧାରିତ ବିକାଶର ନେତୃତ୍ୱ ନେଉଛି।

ଏହି କାର୍ଯ୍ୟକ୍ରମରେ ଭାରତୀୟ ମହିଳା କ୍ରିକେଟ ଦଳର ଉପ ଅଧିନାୟକ ସ୍ମୃତି ମାନ୍ଧନା, ବିସିଆଇର ସେକ୍ରେଟାରୀ ଜୟ ଶାହ ପ୍ରମୁଖ ଉପସ୍ଥିତ ଥିଲେ।