Categories
ଜାତୀୟ ଖବର ବିଶେଷ ଖବର

ନୂଆ ଶିକ୍ଷା ନୀତି ଦେଶରେ ନଲେଜ ହବ୍ ରେ ପରିଣତ କରିବ, ରାଜ୍ୟପାଳ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଦୃଢକ୍ତି

ନୂଆଦିଲ୍ଲୀ, ନୂତନ ଶିକ୍ଷାନୀତି ୨୦୨୦ ଉପରେ ଆଜି ସାରାଦିନ ଏକ ସମ୍ମିଳନୀ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଗଣ, ପ୍ରଶାସକ ଏବଂ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀ ଏହି ନୂଆ ନୀତିର ଲକ୍ଷ୍ୟ ଓ ଆଦର୍ଶ ସଂପର୍କରେ ଏକମତ ହୋଇଛନ୍ତି । ସେମାନେ କହିଛନ୍ତି ଯେ ଏହି ଶିକ୍ଷାନୀତି କେବଳ ଏକ ମାମୁଲି ନଥି ନୁହେଁ, ଏହା ଦେଶର ଆକାଂକ୍ଷା ପରିପୂରଣ ପାଇଁ ଏକ ଉଦ୍ୟମ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଶିକ୍ଷାନୀତି ଉପରେ ଆୟୋଜିତ ରାଜ୍ୟପାଳମାନଙ୍କ ସମ୍ମିଳନୀକୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କାର‌୍ୟ୍ୟକ୍ରମ ନୂଆ ଶିକ୍ଷାନୀତିକୁ କାର‌୍ୟ୍ୟକାରୀ କରିବା ଦିଗରେ ବିଶେଷ ଗୁରୁତ୍ୱ ବହନ କରେ । ନୂଆ ଶିକ୍ଷାନୀତିକୁ ସମସ୍ତେ ସ୍ୱାଗତ କରୁଛନ୍ତି। ଲୋକେ ଏହାକୁ ନିଜର ବୋଲି ଭାବୁଥିବାରୁ ଏଥିପ୍ରତି ସମର୍ଥନ ବୃଦ୍ଧି ପାଇଛି। ବିପୁଳ ଜନସମର୍ଥନ ଓ ଗ୍ରହଣୀୟତା ଉପରେ ହିଁ ଯେକୌଣସି ନୀତିର ସଫଳତା ନିର୍ଭର କରେ। ଏଥିରେ ବ୍ୟାପକଭାବେ ବିଭିନ୍ନ ପକ୍ଷ ସଂପୃକ୍ତ ହୋଇ ଅବଦାନ ରଖିଥିବାରୁ ଏହାର ମାଲିକାନା ବସ୍ତୁତଃ ସେହିମାନଙ୍କ ହାତରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଆମ ପଟରୁ ଯେତେବେଳେ ସର୍ବାଧିକ ନମନୀୟତା ପ୍ରଦର୍ଶନ କରିବା ସେତେବେଳେ ଯାଇ ଏହି ନୂଆ ଶିକ୍ଷାନୀତି ବିଶେଷ ଫଳ ଦେଇପାରିବ। ଏହି ନୀତି ସମଗ୍ର ଦେଶର ଏବଂ କୌଣସି ନିର୍ଦ୍ଦିଷ୍ଟ ସରକାରର ନୁହେଁ ବୋଲି ସେ ଗୁରୁତ୍ୱର ସହ କହିଛନ୍ତି। ଏହି ନୀତି ଲୋକଙ୍କ ଆଶା ଆକାଂକ୍ଷାର ଫଳ ବୋଲି ସେ ଦୃଢତାର ସହ ମତ ଦେଇଛନ୍ତି। ତେଣୁ ନୂଆ ଶିକ୍ଷାନୀତିକୁ ଅକ୍ଷରେ ଅକ୍ଷରେ କାର‌୍ୟ୍ୟକାରୀ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି।

ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ କହିଛନ୍ତି ଯେ ଜାତୀୟ ଶିକ୍ଷାନୀତି ଦେଶକୁ, ବିଶେଷକରି ଯୁବ ସମାଜକୁ ଏକବିଂଶ ଶତାବ୍ଦୀର ଆଶା ଆକାଙ୍‌କ୍ଷା ପୂରଣ ଦିଗରେ ଆଗେଇ ନେବ। ଏହି ଐତିହାସିକ ଦସ୍ତାବିଜ ପ୍ରସ୍ତୁତ କରିବାରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ୱ ଓ ପ୍ରେରଣାଦାୟୀ ଭୂମିକାକୁ ସେ ଉଚ୍ଚ ପ୍ରଶଂସା କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ମଧ୍ୟ ଏହି ଶିକ୍ଷାନୀତି ପ୍ରସ୍ତୁତିରେ ଡ. କସ୍ତୁରୀରଙ୍ଗନ ଏବଂ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି ଯେ, ଏହିମାନଙ୍କ ଅବଦାନ ଫଳରେ ନୂଆ ଶିକ୍ଷାନୀତି ଆକାର ନେଇପାରିଛି ଏବଂ ବ୍ୟାପକ ବିଚାରବିମର୍ଶ ପରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ପ୍ରସ୍ତାବଗୁଡିକୁ ଗ୍ରହଣ କରାଯାଇ ଏହି ଦସ୍ତାବିଜ ପ୍ରସ୍ତୁତ ହୋଇଛି । ରାଷ୍ଟ୍ରପତି କହିଛନ୍ତି ଯେ ଦେଶର ୨.୫ ଲକ୍ଷ ଗ୍ରାମପଞ୍ଚାୟତ, ୧୨,୫୦୦ରୁ ଅଧିକ ପୌରସଂସ୍ଥା ଏବଂ ପ୍ରାୟ ୬୭୫ ଜିଲାରୁ ଯେଉଁସବୁ ପ୍ରସ୍ତାବମାନ ଆସିଥିଲା ତାହାକୁ ବିଚାରକୁ ନିଆଯାଇଛି । ସେ କହିଛନ୍ତି ଯେ ଯଦି ପରିବର୍ତ୍ତନଗୁଡିକୁ ସଫଳତାର ସହ କାର‌୍ୟ୍ୟକାରୀ କରାଯାଏ, ତାହାହେଲେ ଭାରତ ଏକ ଶିକ୍ଷା ମହାଶକ୍ତିରେ ପରିଣତ ହେବ ।

ନୂଆ ଶିକ୍ଷାନୀତି ବିଷୟରେ ବିସ୍ତାରିତଭାବେ ଆଲୋଚନା କରି ରାଷ୍ଟ୍ରପତି କହିଛନ୍ତି ଯେ ରାଜ୍ୟପାଳମାନେ ପ୍ରାଦେଶିକ ବିଶ୍ୱବିଦ୍ୟାଳୟର କୁଳାଧିପତି ହୋଇଥିବାରୁ ନୂତନ ଶିକ୍ଷାନୀତି କାର‌୍ୟ୍ୟକାରୀ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଦେଶରେ ଏବେ ପ୍ରାୟ ୪୦୦ ରାଜ୍ୟ ବିଶ୍ୱବିଦ୍ୟାଳୟ ରହିଛି ଏବଂ ଏସବୁ ସହ ପ୍ରାୟ ୪୦ ହଜାର କଲେଜ ସହବନ୍ଧିତ । ତେଣୁ ଏସବୁ ବିଶ୍ୱବିଦ୍ୟାଳୟ ସହ ନୂଆ ଶିକ୍ଷାନୀତିର କାର‌୍ୟ୍ୟକାରିତା ସଂପର୍କରେ ଆଲୋଚନା ଏବଂ ସମନ୍ୱୟ ରଖିବା ଏକାନ୍ତ ଅପରିହାର‌୍ୟ୍ୟ । ରାଜ୍ୟପାଳମାନେ କୁଳାଧିପତି ହୋଇଥିବାରୁ ଏ କ୍ଷେତ୍ରରେ ବିଶେଷ ଭୂମିକା ନିର୍ବାହ କରିପାରିବେ ବୋଲି ରାଷ୍ଟ୍ରପତି ମତ ଦେଇଛନ୍ତି ।

ନୂଆ ଶିକ୍ଷାନୀତି ସଂପର୍କରେ ରାଜ୍ୟପାଳମାନଙ୍କୁ ସୂଚନା ଦେଇ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଯେ ଏହି ଦସ୍ତାବିଜରେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଗୋଷ୍ଠୀଙ୍କୁ ଅଗ୍ରାଧିକାର ଦିଆଯାଇ ସେମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରେ ୨୦୨୫ ସୁଦ୍ଧା ପ୍ରାଥମିକ ଶ୍ରେଣୀସ୍ତରରେ ସମସ୍ତଙ୍କୁ ମୌଳିକ ସାକ୍ଷରତା ଏବଂ ସର୍ବନିମ୍ନ ଗଣିତ ଦକ୍ଷତା ନିଶ୍ଚିତ କରିବାର ପ୍ରୟାସ କରାଯାଇଛି ।

ନୂଆ ଶିକ୍ଷାନୀତିରେ ଶିକ୍ଷକମାନଙ୍କ ଭୂମିକା ସଂପର୍କରେ ରାଷ୍ଟ୍ରପତି କହିଛନ୍ତି ଯେ ନୂତନ ବ୍ୟବସ୍ଥାରେ ସେମାନଙ୍କର ମୁଖ୍ୟ ଭୂମିକା ରହିବ । ସବୁଠୁ ଉଦୀୟମାନ ଓ ପ୍ରତିଭାବାନ ପ୍ରାର୍ଥୀମାନଙ୍କୁ ଶିକ୍ଷକ ବୃତ୍ତି ପାଇଁ ବଛାଯିବ । ଏହାକୁ ଦୃଷ୍ଟିରେ ରଖି ଏକ ନୂଆ ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ଆସନ୍ତାବର୍ଷ ଶେଷସୁଦ୍ଧା ପ୍ରସ୍ତୁତ କରାଯିବ ।

ଧନ୍ଦାମୂଳକ ଶିକ୍ଷା ସଂପର୍କରେ ଉଲ୍ଲେଖକରି ରାଷ୍ଟ୍ରପତି କହିଛନ୍ତି ଯେ ଭାରତୀୟ ଶ୍ରମଶକ୍ତିର ପାଞ୍ଚ ଭାଗରୁ କମ୍ ଲୋକ ଆନୁଷ୍ଠାନିକ ଧନ୍ଦାମୂଳକ ଶିକ୍ଷା ଲାଭ କରିବାର ସୁଯୋଗ ପାଇଥାନ୍ତି। ପାଶ୍ଚାତ୍ୟ ଦେଶଗୁଡିକରେ ଦିଆଯାଉଥିବା ଧନ୍ଦାମୂଳକ ଶିକ୍ଷା ତୁଳନାରେ ଏହା ନଗଣ୍ୟ। ତେଣୁ ନୂଆ ଶିକ୍ଷାନୀତିର ଧନ୍ଦାମୂଳକ ଶିକ୍ଷା ଏବେ ପ୍ରମୁଖ ଧାରାର ଶିକ୍ଷାର ଏକ ଅଂଶଭାବେ ବିବେଚିତ ହେବ ଏବଂ ଏହାକୁ ସମାନ ମର‌୍ୟ୍ୟାଦା ପ୍ରଦାନ କରାଯିବ। ଏହା ଫଳରେ ଛାତ୍ରଛାତ୍ରୀମାନେ ଅଧିକ କୁଶଳୀ ହେବାସହ ସେମାନଙ୍କ ମଧ୍ୟରେ ଶ୍ରମ ପ୍ରତି ମର‌୍ୟ୍ୟାଦା ଓ ସମ୍ମାନ ସୃଷ୍ଟି ହେବ।

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଯେ ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷାଦାନର ମାଧ୍ୟମ ହେବା ଉଚିତ ବୋଲି ଅଧିକାଂଶ ମହଲରୁ ମତପ୍ରକାଶ ପାଇଛି । ତେଣୁ ତାହାକୁ ବିଚାରକୁ ନେଇ ନୂଆ ଶିକ୍ଷାନୀତିରେ ତ୍ରିଭାଷୀ ସୂତ୍ରକୁ ଗ୍ରହଣ କରାଯାଇଛି । ଏହା ଫଳରେ ଭାରତୀୟ ଭାଷା, କଳା ଓ ସଂସ୍କୃତିକୁ ଲାଭ ମିଳିବ ଏବଂ ଏହା ଦେଶର ଏକତା ଓ ଅଖଣ୍ଡତା ସୁରକ୍ଷିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଦେଶର ଭାଷାଗତ ବିବିଧତା ଦୃଷ୍ଟିରୁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ।

ସେ କହିଛନ୍ତି ଯେ ଗୋଟିଏ ବୃହତ୍ ମଲ୍‌ଟି ଡିସିପ୍ଲିନାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ପ୍ରତ୍ୟେକ ଜିଲା କିମ୍ବା ତାହାର ଆଖପାଖରେ ୨୦୩୦ ସୁଦ୍ଧା ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରଖାଯାଇଛି । ଏ ସବୁ ଶିକ୍ଷାନୁଷ୍ଠାନ ଶିକ୍ଷା ଦୃଷ୍ଟିରୁ ପଛୁଆ ଅଞ୍ଚଳରେ ପ୍ରତିଷ୍ଠା କରାଯିବ। ନୂଆ ଶିକ୍ଷାନୀତିରେ ଏହି ବ୍ୟବସ୍ଥା ରହିଛି । ଏହା ଫଳରେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଗୋଷ୍ଠୀ ଉତ୍ତମମାନର ଉଚ୍ଚଶିକ୍ଷା ପାଇବାର ସୁଯୋଗ ଲାଭ କରିବେ । ଏହାଛଡା ଭାରତକୁ ଗ୍ଲୋବାଲ ଷ୍ଟଡି ଡେଷ୍ଟିନେସନରେ ପରିଣତ କରିବା ପାଇଁ ଉଦ୍ୟମ କରାଯାଉଛି । ସେଥିପାଇଁ ପ୍ରତିଷ୍ଠିତ ବିଦେଶୀ ବିଶ୍ୱବିଦ୍ୟାଳୟ ସମୂହକୁ ଭାରତରେ ଶିକ୍ଷାଦାନ କରିବା ପାଇଁ ଅନୁମତି ଦିଆଯିବ ।

ରାଜ୍ୟପାଳମାନଙ୍କର ଆଗ୍ରହକୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ କେତେକ ଇତିମଧ୍ୟରେ ନୂଆ ଜାତୀୟ ଶିକ୍ଷାନୀତିକୁ କାର‌୍ୟ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ସେମାନେ ନିଜ ନିଜର ଶିକ୍ଷାମନ୍ତ୍ରୀ ଓ କୁଳପତିମାନଙ୍କ ସହ କଥାବାର୍ତ୍ତା କଲେଣି । ଏହାକୁ ସେ ସ୍ୱାଗତ କରିବା ସହ ନୂଆ ଶିକ୍ଷାନୀତିର କାର‌୍ୟ୍ୟକାରିତା ପାଇଁ ଏକ ବିଷୟଭିତ୍ତିକ ଭର୍ଚୁଆଲ ସମ୍ମିଳନୀ ଆୟୋଜନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏ ସଂପର୍କରେ ମଧ୍ୟ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପ୍ରସ୍ତାବ ଲୋଡିଛନ୍ତି ।

ରାଷ୍ଟ୍ରପତି କହିଛନ୍ତି ଯେ ରାଜ୍ୟପାଳବୃନ୍ଦ ଓ ଶିକ୍ଷାମନ୍ତ୍ରୀଗଣଙ୍କ ଅବଦାନ ଫଳରେ ଜାତୀୟ ଶିକ୍ଷାନୀତି କାର‌୍ୟ୍ୟକାରୀ ହୋଇପାରିବ ଏବଂ ନୂଆ ଶିକ୍ଷାନୀତି ଭାରତକୁ ଏକ ନଲେଜ ହବ୍‌ରେ ପରିଣତ କରିପାରିବା ଘେନି ସେ ଆଶାବାଦୀ ।

Categories
ବିଶେଷ ଖବର

ଚୀନ ସେନାର ସୀମା ଅତିକ୍ରମଣ, କିଏ ସତ କହୁଛି ପ୍ରଧାନମନ୍ତ୍ରୀ ନା ପ୍ରତିରକ୍ଷା ମନ୍ତ୍ରଣାଳୟ??

କେଦାର ମିଶ୍ର

“ନା ଆମର ସୀମାରେ କେହି ଅନୁପ୍ରବେଶ କରିଛି, ନା କେହି ଆମ ମାଟିରେ ପାଦ ଦେଇଛି କିମ୍ବା ଆମର ସାମରିକ ପୋଷ୍ଟ ଦଖଲ କରିଛି। ଲଦ୍ଦାଖରେ ଆମର ୨୦ ବୀର ଜବାନ ସହିଦ ହୋଇଛନ୍ତି। ସେମାନଙ୍କର ବଳିଦାନ ବ୍ୟର୍ଥ ହୋଇନାହିଁ।“ ଗତ ଜୁନ ୨୦ ତାରିଖ ଦିନ ଏକ ସର୍ବଦଳୀୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ କଥା ଦୃଢତାର ସହିତ କହିଥିଲେ। ସେହି ସମୟରେ ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ଓ ଦେଶର କେତେଜଣ ବରିଷ୍ଠ ସୁରକ୍ଷା ବିଶେଷଜ୍ଞ ଆମକୁ ଚେତାଇ ଦେଉଥିଲେ ଯେ ଲଦ୍ଦାଖ ଅଞ୍ଚଳରେ ଆମର ଅନେକ ଅଞ୍ଚଳକୁ ଚୀନ ସେନା ଅନୁପ୍ରବେଶ କରିଛନ୍ତି। ସେତେବେଳେ ସରକାର ଓ ସରକାରଙ୍କ ଗୁଣଗାନ କରୁଥିବା ଆମର କେତୋଟି ଟେଲିଭିଜନ ଚ୍ୟାନେଲ ଏହି ସତ୍ୟକୁ ଲୁଚାଇବାକୁ ଚାହୁଁଥିଲେ। ଭାରତ ସରକାର ଓ ଖୋଦ ପ୍ରଧାନମନ୍ତ୍ରୀ ଚୀନର ଅନୁପ୍ରବେଶକୁ ଲୋକଙ୍କ ଆଗରେ ଅସ୍ଵୀକାର କରିଥିଲେ। ଯଦି ଚୀନ ସେନା ଆମର ସୀମା ଭିତରକୁ ଅନୁପ୍ରବେଶ କରିନାହିଁ, ତା ହେଲେ ଏ ଉତ୍ତେଜନା କାହିଁକି ଓ କେଉଁ କାରଣରୁ ଆମର ୨୦ ଜବାନ ସହିଦ ହେଲେ, ତାର ସ୍ପଷ୍ଟ ଉତ୍ତର ଆମକୁ ମିଳିଲା ନାହିଁ। ମଇ ମାସରୁ ଗଲାୱାନ ନଦୀ ଉପତ୍ୟକାରେ ଚୀନ ସେନା ନିଜର ଡେରା ପକାଇ ରହିବା ଓ ଭାରତୀୟ ସେନାଙ୍କୁ ନିଜ ଅଞ୍ଚଳରେ ପେଟ୍ରୋଲିଂ କରିବାକୁ ଅଟକାଇବା କାରଣରୁ ଏହି ଉତ୍ତେଜନା ସୃଷ୍ଟି ହୋଇଛି ବୋଲି ସ୍ପଷ୍ଟ ଜଣା ପଡୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଓ ତାଙ୍କର ବିଶ୍ଵସ୍ତ ଗଣମାଧ୍ୟମ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ।

ପ୍ରଧାନମନ୍ତ୍ରୀ ଜୁନ ମାସରେ ଯାହା କହିଥିଲେ, ଠିକ ତାର ବିପରୀତ ତଥ୍ୟ ଏବେ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜ ୱେବ ସାଇଟରେ ରଖିଛନ୍ତି। ଗତ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ସରକାରୀ ନଥି ମାଧ୍ୟମରେ ପ୍ରଘଟ କରିଛନ୍ତି ଯେ “ମଇ ମାସ ୧୭-୧୮ ତାରିଖରେ “ଚୀନ ସେନା ଉତ୍ତର ହଟ ସ୍ପ୍ରିଙ୍ଗ-ପେଟ୍ରୋଲିଂ ପଏଣ୍ଟ  ୧୫ ପାଖରେ ଥିବା କୁଗ୍ରାଙ୍ଗ ନାଳ ଅଞ୍ଚଳକୁ ଅନୁପ୍ରବେଶ କରିଥିଲେ”। ସରକାରଙ୍କ ପ୍ରତିରକ୍ଷା ବିଭାଗ ସ୍ପଷ୍ଟ ଭାବେ ମାନିଛନ୍ତି ଯେ ଚୀନ ସେନା ଭାରତ ସୀମାରେ ଅନୁପ୍ରବେଶ କରିଥିଲା। ଅତି ସ୍ପଷ୍ଟ ଭାବରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏଥିରେ ଅନୁକ୍ରମଣ ବା transgression ଶବ୍ଦ ବ୍ୟବହାର କରିଛନ୍ତି। ମଇ ୫-୬ ତାରିଖରୁ ପାଙ୍ଗଙ୍ଗ ସୋ ଅଞ୍ଚଳରେ ଚୀନ ସେନା ସହିତ ଆମର ମୁହାଁମୁହିଁ ଆରମ୍ଭ ହେଲାଣି। ଆଗକୁ ମଧ୍ୟ ଚୀନ ସେନା ସହିତ ଆମର ଏ ପ୍ରକାର ମୁହାଁମୁହିଁ ପରିସ୍ଥିତି ଲାଗି ରହିପାରେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

ତେବେ ଏହି ନଥି ସରକାରୀ ୱେବ ସାଇଟରେ ଉପଲବ୍ଧ ହେବାର ଅଳ୍ପ ସମୟ ଭିତରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ତେବେ ଏହାରି ଆଧାରରେ ସେତେବେଳକୁ ସବୁ ଗଣମାଧ୍ୟମ ରେ ଏ ଖବର ପ୍ରକାଶ ପାଇ ସାରିଥିଲା। ପ୍ରତିରକ୍ଷା ବିଭାଗର ଏହି ତଥ୍ୟ ଆସିବା ପରେ ସ୍ଵାଭାବିକ ଭାବରେ ପ୍ରଶ୍ନ ଉଠୁଛି- କିଏ ସତ କହୁଛି? ପ୍ରଧାନମନ୍ତ୍ରୀ ନା ପ୍ରତିରକ୍ଷା ମନ୍ତ୍ରଣାଳୟ। ପ୍ରଧାନମନ୍ତ୍ରୀ ଆମ ସୀମାକୁ କେହି ଅତିକ୍ରମଣ କରି ନାହାନ୍ତି ବୋଲି ସ୍ପଷ୍ଟ କହିଥିବା ବେଳେ ମନ୍ତ୍ରଣାଳୟ କହୁଛି, ଅତିକ୍ରମଣ ହୋଇଛି। ଆଜି ଆମେ ସତ ମିଛର ଚକ୍ରବ୍ୟୁହରେ ଠିଆ ହୋଇଛୁ। ଦେଶର ସାଧାରଣ ନାଗରିକ ଭାବରେ ଅନ୍ତତଃ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଆମକୁ ସତ କୁହାଯିବ ବୋଲି ଆମେ ବିଶ୍ଵାସ ରଖୁଛୁ। ଏଠି କିନ୍ତୁ ସରକାର ଭିତରେ ଦୁଇଟି ପରଷ୍ପର ବିରୋଧୀ ମତ ଆସୁଛି। ପ୍ରଧାନମନ୍ତ୍ରୀ ଛାତିରେ ହାତ ଦେଇ ଲୋକଙ୍କୁ ଯାହା କହିଥିଲେ, ତାର ବିପରୀତ କଥା ପ୍ରତିରକ୍ଷା ବିଭାଗର ସରକାରୀ ନଥି କହୁଛି।

୧୫ ଜୁନରେ ଚୀନ ସେନା ଆମର ୨୦ ଜଣ ଜବାନଙ୍କୁ ନୃଶଂସ ଭାବେ ହତ୍ୟା କରିବା ପୂର୍ବରୁ ମଧ୍ୟ ବିଭିନ୍ନ ଗଣମାଧ୍ୟମ ଏ ସମ୍ପର୍କରେ ଖବର ଛାପିଥିଲେ। ଚୀନ ସେନା ଦୁଇ ଦେଶ ମଧ୍ୟରେ ରହିଥିବା ବାସ୍ତବ ସୀମାରେଖା ଅତିକ୍ରମ କରୁଛି ବୋଲି ପ୍ରମାଣ ମିଳୁଥିବା ବେଳେ ସେମିତି କିଛି ଘଟୁନାହିଁ ବୋଲି ଆମକୁ ସରକାର କହୁଥିଲେ। ଜୁନ ୧୫ରେ ଆମର ୨୦ ସୈନିକ ସହିଦ ହେଲେ ଓ ପଚାଶରୁ ଅଧିକ ଆହତ ହେଲେ। ଆମର କିଛି ସୈନିକ ଓ ସେନା ଅଧିକାରୀଙ୍କୁ ଚୀନ ସେନା ବନ୍ଦୀ କରିଥିବାର ଖବର ମଧ୍ୟ ଆସିଲା। ଏହି ଘଟଣାକୁ ନେଇ ସାରା ଦେଶରେ କ୍ରୋଧ ତଥା ଉତ୍ତେଜନାର ବାତାବରଣ ତିଆରି ହୋଇଥିଲା। ଏହି ଉତ୍ତେଜନାକୁ ସାମୟିକ ଭାବେ ପ୍ରଶମିତ କରିବାକୁ ସରକାର କେତେକ ଚାଇନିଜ ଆପ୍ଲିକେସନ କୁ ନିଷିଦ୍ଧ ଘୋଷଣା କରିଥିଲେ। ଏହା ସହିତ ଚୀନ-ଭାରତ ସୀମାରେ ଉତ୍ତେଜନା ହ୍ରାସ ଲାଗି ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ଏହି ଆଲୋଚନା ଚାଲିଥିବା ବେଳେ ସୀମାନ୍ତରେ ଚୀନ ପଛକୁ ହଟିବାର ନାଁ ଧରୁନାହିଁ, ବରଂ ସୀମାରେ ଅଧିକ ସାମରିକ ଗତିବିଧି ବଢାଇ ଚାଲିଛି।

ଏବେ ଚୀନ ସେନା ଆକ୍ରାମକ ଗୋଟି ଚାଳନା କରୁଛି ବୋଲି ସ୍ପଷ୍ଟ ଜଣା ପଡୁଥିବା ବେଳେ ଭାରତ ସରକାର ଏ ପ୍ରସଙ୍ଗରେ ଅଧା ଲୁଚାଇବା-ଅଧା ଦେଖାଇବା ନୀତି ଆପଣେଇଛନ୍ତି। ଚୀନ ସେନା ଆମ ସୀମାରେ ଅନୁପ୍ରବେଶ କରିଥିବା ସତ୍ୟ ଓ ଆମ ସୀମାକୁ ସୁରକ୍ଷା ଦେବାକୁ ଯାଇ ଆମର ସେନାବାହିନୀ ପ୍ରାଣାମୂର୍ଚ୍ଛା ସଂଘର୍ଷ କରୁଛନ୍ତି। ଭାରତୀୟ ସୀମା ଅତିକ୍ରମଣ କରିଥିବା ଚୀନକୁ ତାଙ୍କରି ଭାଷାରେ ଉତ୍ତର ଦେବା ଲାଗି ଆମର ସେନାବାହିନୀ ସମର୍ଥ।

ହେଲେ ଆମର ପ୍ରଧାନମନ୍ତ୍ରୀ ଏହି ସତ୍ୟକୁ ଅସ୍ଵୀକାର କରୁଛନ୍ତି କାହିଁକି?