Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶା ପାଇଁ ପ୍ରସ୍ତୁତ ହେବ ଭିଜନ ଡକ୍ୟୁମେଣ୍ଟ ୨୦୩୬ , ମୁଖ୍ୟମନ୍ତ୍ରୀଙ୍କ ସହ ନୀତି ଆୟୋଗ ସିଇଓଙ୍କ ଆଲୋଚନା

ଭୁବନେଶ୍ବର: ବିକଶିତ ଓଡିଶାର ସ୍ୱପ୍ନକୁ ସାକାର କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନୀତି ଆୟୋଗ ଆଗେଇ ଆସିଛି। ଆଜି ଲୋକସେବା ଭବନରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବି.ଭି.ଆର୍ ସୁବ୍ରମନିୟମ୍ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶା ପାଇଁ ଏକ ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ଭିଜନ ଡକ୍ୟୁମେଣ୍ଟ ୨୦୪୭ ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ବିଭିନ୍ନ କ୍ଷେତ୍ରରେ ବିକାଶର ବ୍ୟାପକ ସମ୍ଭାବନା ରହିଛି। ସମ୍ଭାବନାକୁ ସଫଳତାରେ ପରିଣତ କରିବା ଓ ଉପଯୁକ୍ତ କାର୍ଯ୍ୟାନ୍ବୟନ ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତରେ ଓଡିଶା ଏକ ସମୃଦ୍ଧ ଇଂଜିନ ହେବାର ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ। ଏହା ପୂର୍ବରୁ ୨୦୩୬ରେ ସ୍ୱତନ୍ତ୍ର ଓଡିଶା ଗଠନର ୧୦୦ ବର୍ଷ ପୂରଣ ହେଉଛି । ତେଣୁ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟ ରଖି ଦୁଇଟି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ।

ସେ କହିଥିଲେ ଯେ ବର୍ତ୍ତମାନ ଓଡିଶାର ଅର୍ଥନୀତିର ଆକାର ୧୦୦ ବିଲିଅନ୍ ଡଲାରୁ ଅଧିକ ଅଛି। ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫୦ ଟ୍ରିଲିଅନ୍ ଡଲାର ଅର୍ଥନୀତି ହାସଲ କରିବା ପାଇଁ ଓଡିଶା ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ।

ନୀତି ଆୟୋଗର ସି.ଇ.ଓ ଶ୍ରୀ ସୁବ୍ରମନିୟମ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଓଡିଶାର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ରହିଛି। ୨୦୪୭ର ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ସବୁ ରାଜ୍ୟର ବିକାଶ ଦରକାର। ଓଡିଶା କ୍ଷେତ୍ରରେ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟ ରଖି ଦୁଇଟି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ନୀତି ଆୟୋଗ ପୂର୍ଣ୍ଣ ସହଯୋଗ ଯୋଗାଇଦେବ ବୋଲି ସେ କହିଥିଲେ।

ଆଲୋଚନାରୁ ନିଷ୍ପତ୍ତି ହୋଇଥିଲା ଯେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ। ନୀତି ଆୟୋଗ ସହଯୋଗରେ ଆସନ୍ତା ୩ ମାସ ମଧ୍ୟରେ ଓଡିଶା ପାଇଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ ବୋଲି ଜଣା ଯାଇଛି। ଏହି ଡକୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟବ୍ୟାପୀ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ମତାମତ ମଧ୍ୟ ଗ୍ରହଣ କରାଯିବ। ଭିଜନ ଡକ୍ୟୁମେଣ୍ଟର କାର୍ଯ୍ୟାନ୍ବୟନ ପାଇଁ ସ୍ୱତନ୍ତ୍ର ଆକସନ ପ୍ଲାନ ମଧ୍ୟ ପ୍ରସ୍ତୁତ କରାଯିବ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ନୀତି ଆୟୋଗର ସିଇଓ ଏବଂ ଅଧିକାରୀମାନେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ସମସ୍ତ ବିଭାଗର ସଚିବ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ନୀତି ଆୟୋଗର ନବମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ନୀତି ଆୟୋଗର ନବମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଅଧ୍ୟକ୍ଷତା କରିବେ। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ବିକଶିତ ଭାରତ@୨୦୪୭’, ଯେଉଁଥିରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଗଭର୍ଣ୍ଣିଂ କାଉନସିଲ ବୈଠକରେ ବିକଶିତ ଭାରତ @୨୦୪୭ ଉପରେ ଭିଜନ ଡକ୍ୟୁମେଣ୍ଟ ପାଇଁ ଆପ୍ରୋଚ ପେପର ଉପରେ ଆଲୋଚନା ହେବ। ଏହି ବୈଠକର ଉଦ୍ଦେଶ୍ୟ ହେଉଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଭାଗିଦାରୀ ଶାସନ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା, ସରକାରୀ ହସ୍ତକ୍ଷେପ ଗୁଡିକର ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରି ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳ ଜନସଂଖ୍ୟାର ଜୀବନଧାରଣର ଗୁଣବତ୍ତା ବୃଦ୍ଧି କରିବା। ଏହି ବୈଠକରେ ବିକଶିତ ଭାରତ @୨୦୪୭ ର ଲକ୍ଷ୍ୟ ହାସଲ କରିବାରେ ରାଜ୍ୟ ଗୁଡ଼ିକର ଭୂମିକା ଉପରେ ବିସ୍ତୃତ ଆଲୋଚନା ହେବ।

ଜିଡିପି ୫ ଟ୍ରିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିବା ସହ ୨୦୪୭ ସୁଦ୍ଧା ୩୦ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିରେ ପହଞ୍ଚିବା ଲକ୍ଷ୍ୟ ରଖି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ଲକ୍ଷ୍ୟ ହାସଲ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମିଳିତ ଆଭିମୁଖ୍ୟର ଆବଶ୍ୟକତା ରହିଛି। ନବମ ଗଭର୍ଣ୍ଣିଂ କାଉନସିଲ ବୈଠକର ଉଦ୍ଦେଶ୍ୟ ହେଉଛି ଏହି ଦୃଷ୍ଟିକୋଣ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବା, କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ‘ଟିମ୍ ଇଣ୍ଡିଆ’ ଭାବରେ ଦଳଗତ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା।

ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ୨୭ ରୁ ୨୯ ଡିସେମ୍ବର ୨୦୨୩ ମଧ୍ୟରେ ଅନୁଷ୍ଠିତ ମୁଖ୍ୟ ଶାସନ ସଚିବଙ୍କ ତୃତୀୟ ଜାତୀୟ ସମ୍ମିଳନୀର ସୁପାରିସ ଗୁଡିକ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରିବ। ମୁଖ୍ୟ ଶାସନ ସଚିବଙ୍କ ତୃତୀୟ ଜାତୀୟ ସମ୍ମିଳନୀରେ ‘ଇଜ୍ ଅଫ୍ ଲିଭିଂ’/ ସହଜ ଜୀବନଯାପନ ଶୀର୍ଷକ ଅନୁସାରେ ନିମ୍ନଲିଖିତ ପାଞ୍ଚଟି ପ୍ରମୁଖ ବିଷୟବସ୍ତୁ ଉପରେ ସୁପାରିସ କରାଯାଇଥିଲା।

୧. ପାନୀୟ ଜଳ : ଉପଲବ୍ଧତା, ପରିମାଣ ଏବଂ ଗୁଣବତ୍ତା

୨. ବିଦ୍ୟୁତ୍‌ : ଗୁଣବତ୍ତା, ଦକ୍ଷତା ଏବଂ ବିଶ୍ୱସନୀୟତା

୩. ସ୍ୱାସ୍ଥ୍ୟ : ଉପଲବ୍ଧତା, ସୁଲଭତା ଏବଂ ଯତ୍ନର ଗୁଣବତ୍ତା

୪. ବିଦ୍ୟାଳୟ ଶିକ୍ଷା : ଉପଲବ୍ଧତା ଏବଂ ଗୁଣବତ୍ତା

୫. ଜମି ଓ ସମ୍ପତ୍ତି : ଉପଲବ୍ଧତା, ଡିଜିଟାଲୀକରଣ, ପଞ୍ଜୀକରଣ ଏବଂ ପରିବର୍ତ୍ତନ

ଏହାବ୍ୟତୀତ ସାଇବର ସୁରକ୍ଷା, ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ, ରାଜ୍ୟ ଗୁଡ଼ିକର ଭୂମିକା ଏବଂ ଶାସନରେ ଏଆଇ ଉପରେ ଆଲୋଚନା ପାଇଁ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମୁଖ୍ୟ ଶାସନ ସଚିବଙ୍କ ତୃତୀୟ ଜାତୀୟ ସମ୍ମିଳନୀରେ ମଧ୍ୟ ଆଲୋଚନା ହୋଇଥିଲା ।

ନୀତି ଆୟୋଗର ନବମ ଗଭର୍ଣ୍ଣିଂ କାଉନସିଲ ବୈଠକର ପ୍ରସ୍ତୁତି ପାଇଁ ଡିସେମ୍ବର ୨୦୨୩ ଶେଷରେ ତୃତୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଏହି ପାଞ୍ଚଟି ପ୍ରମୁଖ ବିଷୟ ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ଭାରତ ସରକାରଙ୍କ ସଚିବ ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନେ ଏହି ଢାଞ୍ଚାକୁ ନିର୍ଦ୍ଧାରଣ କରିବା ଏବଂ ‘ବିକଶିତ ଭାରତ ୨୦୪୭’ର ଏଜେଣ୍ଡା ପାଇଁ ପରାମର୍ଶ ପ୍ରଦାନ କରିବା ଦିଗରେ ପରାମର୍ଶ ପ୍ରକ୍ରିୟାର ଅଂଶ ବିଶେଷ ଥିଲେ ।

ପ୍ରଧାନମନ୍ତ୍ରୀ ହେଉଛନ୍ତି ନୀତି ଆୟୋଗର ଅଧ୍ୟକ୍ଷ । ଏଥିରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଲେଫ୍ଟନାଂଟ ଗଭର୍ଣ୍ଣର, କାର୍ଯ୍ୟନିର୍ବାହୀ ସଦସ୍ୟ ଓ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ କେନ୍ଦ୍ର ମନ୍ତ୍ରୀ ଏବଂ ନୀତି ଆୟୋଗର ଉପାଧ୍ୟକ୍ଷ ଓ ସଦସ୍ୟମାନେ ଯୋଗଦେବେ ।

Categories
ଆଜିର ଖବର ଜାତୀୟ ଖବର

ବିଶିଷ୍ଟ ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀତି ଆୟୋଗରେ ବିଶିଷ୍ଟ ଅର୍ଥନୀତିଜ୍ଞମାନଙ୍କ ସହ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, “ଆଜି ବିଶିଷ୍ଟ ଅର୍ଥନୀତିଜ୍ଞମାନଙ୍କ ସହ ଆଲୋଚନା କରିବା ସହ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଦିଗରେ ସେମାନଙ୍କ ବିଚାର ଶୁଣିଲି”।

Categories
ଆଜିର ଖବର ଜାତୀୟ ଖବର

ଷୋଡ଼ଶ ଅର୍ଥ ଆୟୋଗ ଗଠନ କଲେ ଭାରତ ସରକାର: ଅଧ୍ୟକ୍ଷ ହେଲେ ଡ. ଅରବିନ୍ଦ ପାନାଗାରିଆ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଭାରତ ସରକାର ସମ୍ବିଧାନର ଧାରା ୨୮୦(୧) ଅନୁଯାୟୀ ଷୋଡ଼ଶ ଅର୍ଥ ଆୟୋଗ ଗଠନ କରିଛନ୍ତି।

ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଅରବିନ୍ଦ ପାନଗାରିଆ ଏହାର ଅଧ୍ୟକ୍ଷ ହେବେ। ଷୋଡ଼ଶ ଅର୍ଥ ଆୟୋଗର ସଦସ୍ୟମାନଙ୍କୁ ପୃଥକ ଭାବେ ବିଜ୍ଞପ୍ତି ଦିଆଯିବ। ରିତ୍ବିକ ରଞ୍ଜନମ ପାଣ୍ଡେଙ୍କୁ ଆୟୋଗର ସଚିବ ଭାବେ ନିଯୁକ୍ତ କରାଯାଇଛି। ଆଜି ଜାରି ବିଜ୍ଞପ୍ତିରେ ଷୋଡ଼ଶ ଅର୍ଥ ଆୟୋଗପାଇଁ ବିସ୍ତୃତ ଟର୍ମସ ଅଫ୍ ରେଫରେନ୍ସ ମଧ୍ୟ ଉଲ୍ଲେଖ କରାଯାଇଛି।

ଷୋଡ଼ଶ ଅର୍ଥ ଆୟୋଗ ନିମ୍ନଲିଖିତ ବିଷୟଗୁଡିକ ଉପରେ ସୁପାରିସ କରିବେ, ଯଥା:-

(i) ସମ୍ବିଧାନର ପ୍ରଥମ ଅଧ୍ୟାୟ, ଦ୍ୱାଦଶ ଭାଗ ଅଧୀନରେ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ମଧ୍ୟରେ ଟିକସର ନେଟ୍ ଆୟ ବଣ୍ଟନ ଏବଂ ସେହି ଆୟର ସମ୍ପୃକ୍ତ ଅଂଶର ରାଜ୍ୟମାନଙ୍କ ମଧ୍ୟରେ ଆବଣ୍ଟନ;

(ii) ଭାରତର ସଂଯୁକ୍ତ ପାଣ୍ଠିରୁ ରାଜ୍ୟଗୁଡ଼ିକର ରାଜସ୍ୱର ଅନୁଦାନ ଏବଂ ସମ୍ବିଧାନର ଧାରା ୨୭୫ ଅଧୀନରେ ସେହି ଧାରା (୧) ର ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟ ପାଇଁ ରାଜ୍ୟମାନଙ୍କୁ ସେମାନଙ୍କ ରାଜସ୍ୱ ଅନୁଦାନ ମାଧ୍ୟମରେ ପ୍ରଦାନ କରାଯାଉଥିବା ଅର୍ଥକୁ ନିୟନ୍ତ୍ରଣ କରିବା ଉଚିତ; ଏବଂ

(iii) ରାଜ୍ୟର ଅର୍ଥ ଆୟୋଗଙ୍କ ସୁପାରିସ ଆଧାରରେ ରାଜ୍ୟର ପଞ୍ଚାୟତ ଓ ପୌରପାଳିକାଗୁଡ଼ିକର ସମ୍ବଳକୁ ପୂରଣ କରିବା ପାଇଁ ଏକ ରାଜ୍ୟର ସମନ୍ୱିତ ପାଣ୍ଠି କୁ ବୃଦ୍ଧି କରିବା ପାଇଁ ଆବଶ୍ୟକ ପଦକ୍ଷେପ।

ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ (୨୦୦୫ ର ୫୩) ଅଧୀନରେ ଗଠିତ ପାଣ୍ଠି ସମ୍ପର୍କରେ ଷୋଡ଼ଶ ଅର୍ଥ ଆୟୋଗ ବିପର୍ଯ୍ୟୟ ପରିଚାଳନା ପଦକ୍ଷେପଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ ସମ୍ପର୍କରେ ବର୍ତ୍ତମାନର ବ୍ୟବସ୍ଥାର ସମୀକ୍ଷା କରିପାରିବେ ଏବଂ ଏଥିପାଇଁ ଉପଯୁକ୍ତ ସୁପାରିସ କରିପାରିବେ।

୨୦୨୬ ଏପ୍ରିଲ ପହିଲା ଠାରୁ ଆରମ୍ଭ ହୋଇ ୫ ବର୍ଷ ର ଅବଧି କୁ ନେଇ ଅକ୍ଟୋବର ୩୧, ୨୦୨୫ ତାରିଖ ସୁଦ୍ଧା ରିପୋର୍ଟ ଉପଲବ୍ଧ କରାଇବାକୁ ଅର୍ଥ ଆୟୋଗଙ୍କୁ ଅନୁରୋଧ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପାଂଚ ବର୍ଷରେ ବହୁମୁଖୀ ଦାରିଦ୍ର୍ୟରୁ ରକ୍ଷା ପାଇଛନ୍ତି ୧୩.୫ କୋଟି ଭାରତୀୟ: ନୀତି ଆୟୋଗ

ନୂଆଦିଲ୍ଲୀ: ନୀତି ଆୟୋଗଙ୍କ ରିପୋର୍ଟ ‘ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ସୂଚକାଙ୍କ: ଏକ ପ୍ରଗତି ସମୀକ୍ଷା ୨୦୨୩’ ଅନୁଯାୟୀ ୨୦୧୫-୧୬ ରୁ ୨୦୧୯-୨୧ ମଧ୍ୟରେ ରେକର୍ଡ ପରିମାଣରେ ୧୩.୫ କୋଟି ଲୋକ ବହୁମୁଖୀ ଦାରିଦ୍ର‌୍ୟରୁ ବାହାର ପାରିିଛନ୍ତି। ସୋମବାର ଦିନ ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ, ନୀତି ଆୟୋଗ ସଦସ୍ୟ ଡକ୍ଟର ଭି କେ ପଲ୍ ଏବଂ ଡକ୍ଟର ଅରବିନ୍ଦ ବୀରମଣି ଏବଂ ନୀତି ଆୟୋଗ ସିଇଓ ବି ଭି ଆର ସୁବ୍ରମଣ୍ୟମଙ୍କ ଉପସ୍ଥିତିରେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି।

ସର୍ବଶେଷ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଏନ୍‌ଏଫ୍‌ଏଚ୍‌ଏସ୍ -୫ (୨୦୧୯-୨୧), ଉପରେ ଆଧାର କରି, ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ସୂଚକାଙ୍କ (ଏମ୍‌ପିଆଇ) ର ଏହି ଦ୍ୱିତୀୟ ସଂସ୍କରଣ, ଏନ୍‌ଏଫ୍‌ଏଚ୍‌ଏସ୍ -୪ (୨୦୧୫-୧୬) ଏବଂ ଏନ୍‌ଏଫ୍‌ଏଚ୍‌ଏସ୍ -୫ (୨୦୧୯-୨୧) ମଧ୍ୟରେ ବହୁମୁଖୀ ଦାରିଦ୍ର‌୍ୟ ହ୍ରାସ କରିବାରେ ଭାରତର ଅଗ୍ରଗତିକୁ ଉପସ୍ଥାପିତ କରେ। ନଭେମ୍ବର ୨୦୨୧ ରେ ଆରମ୍ଭ ହୋଇଥିବା ଭାରତର ଜାତୀୟ ଏମ୍‌ପିଆଇର ବେସଲାଇନ୍ ରିପୋର୍ଟ ଉପରେ ଏହା ଆଧାରିତ। ଗ୍ରହଣ କରାଯାଇଥିବା ବ୍ୟାପକ କାର୍ଯ୍ୟପ୍ରଣାଳୀ ବୈଶ୍ୱିକ ପଦ୍ଧତି ଅନୁସାରେ ରହିଛି।

ଜାତୀୟ ଏମ୍‌ପିଆଇ ସ୍ୱାସ୍ଥ୍ୟ, ଶିକ୍ଷା, ଏବଂ ଜୀବନଧାରଣର ତିନୋଟି ସମାନ ରୂପ ବିଶିଷ୍ଟ ଏକା ସହିତ ଅଭାବକୁ ମାପ କରିଛି ଯାହାକି ୧୨ ଏସ୍‌ଡିଜି- ସଂରେଖିତ ସୂଚକ ଗୁଡିକ ଦ୍ୱାରା ଦର୍ଶା ଯାଇଛି। ଏଥି ମଧ୍ୟରେ ପୁଷ୍ଟିକର ଖାଦ୍ୟ, ଶିଶୁ ଏବଂ କିଶୋର ମୃତ୍ୟୁ, ମାତୃ ସ୍ୱାସ୍ଥ୍ୟ, ବିଦ୍ୟାଳୟର ବର୍ଷ, ବିଦ୍ୟାଳୟରେ ଉପସ୍ଥାନ, ରନ୍ଧନ ନିମନ୍ତେ ଆବଶ୍ୟକ ଇନ୍ଧନ, ସ୍ୱଚ୍ଛତା, ପାନୀୟ ଜଳ, ବିଦ୍ୟୁତ୍ ଶକ୍ତି, ଗୃହ, ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକ ଅନ୍ତର୍ଭୁକ୍ତ । ସମସ୍ତ ୧୨ ସୂଚକାଙ୍କରେ ଉଲ୍ଲେଖନୀୟ ଉନ୍ନତି ଦେଖାଯାଇଛି।

ରିପୋର୍ଟ ଅନୁଯାୟୀ, ଭାରତର ବହୁମୁଖୀ ଗରିବଙ୍କ ସଂଖ୍ୟାରେ ୯.୮୯ ପ୍ରତିଶତ ଉଲ୍ଲେଖନୀୟ ହ୍ରାସ ପଞ୍ଜିକୃତ ହୋଇଛି, ଯାହା ୨୦୧୫-୧୬ରେ ୨୪.୮୫% ଥିବାବେଳେ ୨୦୧୯-୨୦୨୧ ରେ ୧୪.୯୬% ହୋଇଛି। ଗ୍ରାମାଞ୍ଚଳରେ ଦାରିଦ୍ର‌୍ୟ କ୍ଷେତ୍ରରେ ଦ୍ରୁତତମ ହ୍ରାସ ୩୨.୫୯% ରୁ ୧୯.୨୮% ହୋଇଛି। ସମାନ ଅବଧିରେ, ସହରାଞ୍ଚଳରେ ଦାରିଦ୍ର‌୍ୟ ପରିମାଣ ୮.୬୫% ରୁ ୫.୨୭% କୁ ହ୍ରାସ ପାଇଥିଲା। ଉତ୍ତରପ୍ରଦେଶରେ ଗରିବଙ୍କ ସଂଖ୍ୟାରେ ସର୍ବାଧିକ ହ୍ରାସ ଘଟିଛି ଏବଂ ୩.୪୩ କୋଟି ଲୋକ ବହୁମୁଖୀ ଦାରିଦ୍ର‌୍ୟରୁ ରକ୍ଷା ପାଇ ପାରିଛନ୍ତି। ୩୬ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ତଥା ୭୦୭ ଟି ପ୍ରଶାସନିକ ଜିଲ୍ଲା ପାଇଁ ବହୁମୁଖୀ ଦାରିଦ୍ର‌୍ୟ ଆକଳନ ପ୍ରଦାନ କରି, ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଓଡିଶା ଏବଂ ରାଜସ୍ଥାନରେ ବହୁମୁଖୀ ଗରିବଙ୍କ ଅନୁପାତରେ ଦ୍ରୁତତମ ହ୍ରାସ ଘଟିଛି ।

୨୦୧୫-୧୬ ରୁ ୨୦୧୯-୨୧ ମଧ୍ୟରେ, ଏମ୍‌ପିଆଇ ମୂଲ୍ୟ ୦.୧୧୭ ରୁ ପ୍ରାୟ ଅଧା ୦.୦୬୬ କୁ ହ୍ରାସ ପାଇଛି ଏବଂ ଦାରିଦ୍ର‌୍ୟର ତୀବ୍ରତା ୪୭% ରୁ ୪୪% କୁ ହ୍ରାସ ପାଇଛି, ଯାହା ଦ୍ୱାରା ୨୦୩୦ ର ନିର୍ଦ୍ଧାରିତ ସମୟ ସୀମା ଠାରୁ ବହୁ ଆଗରୁ ଭାରତକୁ ଏସ୍‌ଡିଜି ଲକ୍ଷ୍ୟ ୧.୨ (ବହୁମୁଖୀ ଦାରିଦ୍ର‌୍ୟ ଅତି କମରେ ଅଧା ହ୍ରାସ କରିବା) ପଥରେ ସ୍ଥିର କର ଯାଇଛି । ଏହା ସ୍ଥାୟୀ ତଥା ସମାନ ବିକାଶକୁ ସୁନିଶ୍ଚିତ କରିଥାଏ ଏବଂ ୨୦୩୦ ସୁଦ୍ଧା ଦାରିଦ୍ର‌୍ୟ ଦୂରୀକରଣ ଉପରେ ସରକାରଙ୍କ ରଣନୀତିକ ଧ୍ୟାନକୁ ପ୍ରଦର୍ଶିତ କରିଥାଏ, ଯାହା ଦ୍ୱାରା ଏସ୍‌ଡିଜି ଗୁଡ଼ିକ ଉଦ୍ଦେଶ୍ୟରେ ପ୍ରତିବଦ୍ଧତା ପାଳନ କରାଯାଇଛି ।

ସ୍ୱଚ୍ଛତା, ପୁଷ୍ଟିକର ଖାଦ୍ୟ, ରନ୍ଧନ ପାଇଁ ଆବଶ୍ୟକ ଇନ୍ଧନ, ଆର୍ôଥକ ଅନ୍ତର୍ଭୁକ୍ତୀକରଣ, ପାନୀୟ ଜଳ ଏବଂ ବିଦ୍ୟୁତ୍ ସୁବିଧା ଉପରେ ସରକାରଙ୍କ ଉତ୍ସର୍ଗୀକୃତ ଧ୍ୟାନ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରାଇ ପାରିଛି । ଏମ୍‌ପିଆଇର ସମସ୍ତ ୧୨ଟି ଯାକ ମାନଦଣ୍ଡ ଉଲ୍ଲେଖନୀୟ ଉନ୍ନତି ପ୍ରଦର୍ଶନ କରିଛି । ପୋଷଣ ଅଭିଯାନ ଏବଂ ରକ୍ତହୀନତା ମୁକ୍ତ ଭାରତ ଭଳି ପ୍ରମୁଖ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଭାବ ହ୍ରାସ କରିବାରେ ଅବଦାନ ରଖିଛି । ସ୍ୱଚ୍ଛ ଭାରତ ମିଶନ (ଏସବିଏମ) ଏବଂ ଜଳ ଜୀବନ ମିଶନ (ଜେଜେଏମ) ଭଳି ପଦକ୍ଷେପ ସମଗ୍ର ଦେଶରେ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିଛି । ପରିମଳ ବ୍ୟବସ୍ଥାର ଅଭାବ କ୍ଷେତ୍ରରେ ୨୧.୮ ପ୍ରତିଶତ ପଏଣ୍ଟର ଉନ୍ନତିରେ ଏହି ପ୍ରୟାସର ପ୍ରଭାବ ସ୍ପଷ୍ଟ ହୋଇଛି ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍‌ୟୁୱାଇ) ମାଧ୍ୟମରେ ରିହାତିିଯୁକ୍ତ ରନ୍ଧନ ପାଇଁ ଆବଶ୍ୟକ ଇନ୍ଧନର ଯୋଗାଣ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି ଏବଂ ରନ୍ଧନ ଇନ୍ଧନର ଅଭାବକୁ ହ୍ରାସ କରିବା କ୍ଷେତ୍ରରେ ୧୪.୬ ପ୍ରତିଶତ ପଏଣ୍ଟ ଉନ୍ନତି ହୋଇଛି । ଦେଶରେ ବହୁମୁଖୀ ଦାରିଦ୍ର‌୍ୟକୁ ହ୍ରାସ କରିବାରେ ସୌଭାଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ), ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମ୍‌ଜେଡିୱାଇ) ଏବଂ ସମଗ୍ର ଶିକ୍ଷା ଭଳି ପଦକ୍ଷେପ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବିଶେଷ କରି ବିଦ୍ୟୁତ୍‌, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଏବଂ ପାନୀୟ ଜଳ ପାଇଁ ଅତ୍ୟଧିକ ନିମ୍ନ ଅଭାବ ହାରରେ ହାସଲ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତି, ନାଗରିକ ମାନଙ୍କର ଜୀବନରେ ଉନ୍ନତି ଆଣିବା ଏବଂ ସମସ୍ତଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବା ପାଇଁ ସରକାରଙ୍କ ଅଦମ୍ୟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି । ବିଭିନ୍ନ ପ୍ରକାରର କ।।ର୍ଯ୍ୟକ୍ରମ ଏବଂ ପଦକ୍ଷେପ ଗୁଡ଼ିକର କ୍ରମାଗତ କାର୍ଯ୍ୟକାରିତା, ଯେଉଁ ଗୁଡ଼ିକର ବଳିଷ୍ଠ ଆଭ୍ୟନ୍ତରୀଣ ସଂଯୋଗ ରହିଛି, ତାହା ଏକାଧିକ ସୂଚକାଙ୍କରେ ବଞ୍ଚିତତାକୁ ହ୍ରାସ କରିବା ଦିଗରେ ପଥ କଢ଼ାଇ ନେଇଛି ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ବୈଠକ: ଯୋଗଦେଲେ ନାହିଁ 8 ଟି ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ରାଜଧାନୀର ପ୍ରଗତି ମଇଦାନରେ ନୂତନ ସମ୍ମିଳନୀ କେନ୍ଦ୍ରରେ ‘ବିକଶିତ ଭାରତ @ 2047: ଟିମ୍ ଇଣ୍ଡିଆର ଭୂମିକା’ ବିଷୟବସ୍ତୁ ଉପରେ ନୀତି ଆୟୋଗର ଅଷ୍ଟମ ଗଭର୍ନିଙ୍ଗ କାଉନ୍ସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଅଧ୍ୟକ୍ଷତା କରୁଛନ୍ତି। ତେବେ ଆଠଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇନାହାଁନ୍ତି।

ତେବେ ଏହି ବୈଠକରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ, ବିହାରର ନୀତୀଶ କୁମାର, ତେଲେଙ୍ଗାନାର କେ ଚନ୍ଦ୍ରଶେଖର ରାଓ, ତାମିଲନାଡୁର ଏମ.କେ ଷ୍ଟାଲିନ, ରାଜସ୍ଥାନର ଅଶୋକ ଗେହଲୋଟ ଏବଂ କେରଳର ପିନାରାଇ ବିଜୟନ ଅଛନ୍ତି। ଏଥି ସହ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବର ଭଗବନ୍ତ ମନ ସିଧାସଳଖ ଏହି ବୈଠକ ବର୍ଜନ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟରେ ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ସଶକ୍ତିକରଣ ଏବଂ ଭିତ୍ତିଭୂମି ବିକାଶ ସହ ଜଡିତ ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି।

NITI ଆୟୋଗ କହିଛି ଯେ, ଦିନିକିଆ ବୈଠକରେ ଆଠଟି ପ୍ରମୁଖ ବିଷୟବସ୍ତୁ ଉପରେ ଆଲୋଚନା କରାଯିବ, ଯେଉଁଥିରେ (1) ବିକଶିତ ଭାରତ @ 2047, (2) ଏମଏସଏମଇ ଉପରେ ଜୋର, (3) ଭିତ୍ତିଭୂମି ଏବଂ ପୁଞ୍ଜି ବିନିଯୋଗ, (4) ଅନୁପାଳନ ହ୍ରାସ (5) ମହିଳା ସଶକ୍ତିକରଣ , (6) ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର, (7) ଦକ୍ଷତା ବିକାଶ, ଏବଂ (8) କ୍ଷେତ୍ର ବିକାଶ ଏବଂ ସାମାଜିକ ଭିତ୍ତିଭୂମି ପାଇଁ ଚାଗତି ଶକ୍ତି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ବୈଠକରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ /ଉପ-ରାଜ୍ୟପାଳ, କେନ୍ଦ୍ର ମନ୍ତ୍ରୀ, ନୀତି ଆୟୋଗର ସଦସ୍ୟ ଏବଂ ଉପାଧ୍ୟକ୍ଷ ଅଂଶଗ୍ରହଣ କରିବେ। ଅଷ୍ଟମ ଗଭର୍ନିଙ୍ଗ କାଉନ୍ସିଲ ବୈଠକ ପାଇଁ ଏକ ପ୍ରସ୍ତୁତି ଭାବରେ ଜାନୁଆରୀ 2023 ରେ ଦ୍ୱିତୀୟ ମୁଖ୍ୟ ସଚିବଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ଏହି ବିଷୟଗୁଡ଼ିକ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା।

Categories
ବିଶେଷ ଖବର

ରାଜ୍ୟମାନଙ୍କ ସହିତ କୋଭିଡ-୧୯ ମୁକାବିଲା ପ୍ରସ୍ତୁତି ଏବଂ ଟିକାକରଣ ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। କୋଭିଡ-୧୯ ମହାମାରୀ ମୁକାବିଲାର ସମସ୍ତ ଦିଗ ବିଷୟରେ ସମୀକ୍ଷା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭିକେ ପଲ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ଡକ୍ଟର ରାଜୀବ ବେହଲ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ଏଥିପୂର୍ବରୁ ମାର୍ଚ୍ଚ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ବିଷୟରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଥିଲେ ଯେ, ରାଜ୍ୟମାନେ କୋଭିଡ-୧୯ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ। ପ୍ରସ୍ତୁତି କ୍ଷେତ୍ରରେ ରହିଥିବା ବକେୟା କାର୍ଯ୍ୟ ସାରିବାକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ସ୍ୱାସ୍ଥ୍ୟ ଗବେଷଣା ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୨୫ ମାର୍ଚ୍ଚ, ୨୦୨୩ରେ ଜାରି କରାଯାଇଥିବା ଯୁଗ୍ମ ମାର୍ଗଦର୍ଶିକା ଅନୁଯାୟୀ ପ୍ରାଥମିକତା ନିର୍ଦ୍ଧାରଣ କରି ପ୍ରସ୍ତୁତି କରାଯିବା ଉଚିତ। ସେ ସନ୍ଦିଗ୍ଧ ନମୁନାର ଆରଟି-ପିସିଆର ଟେଷ୍ଟ ବଢ଼ାଇବା ଉପରେ ଜୋର ଦେଇଥିଲେ। ସେହିପରି ନମୁନାଗୁଡ଼ିକର ହୋଲ ଜିନୋମ ସିକୁଏନ୍ସିଂ ବା ସମ୍ପୂର୍ଣ୍ଣ ଜିନଗତ ଅନୁଶୀଳନ ନିମନ୍ତେ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଥିଲେ। ଯଥାଶୀଘ୍ର ସମସ୍ତଙ୍କୁ, ବିଶେଷ କରି ଦୁର୍ବଳ ବର୍ଗଙ୍କୁ ବୁଷ୍ଟର ଡୋଜ ଟିକା ଦେବାର ଆବଶ୍ୟକତା ରହିଛି ବୋଲି ସେ ଜୋର ଦେଇ କହିଥିଲେ।

ବୈଠକରେ ବିଶ୍ୱସ୍ତରରେ କୋଭିଡ-୧୯ ପରିସ୍ଥିତି ଏବଂ ଭାରତରେ ବର୍ଦ୍ଧିତ ସଂକ୍ରମଣ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଥିଲା। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ସୂଚନା ଦିଆଯାଇଥିଲା ଯେ ୩ ମାର୍ଚ୍ଚ, ୨୦୨୩ରେ ଶେଷ ହେଉଥିବା ସପ୍ତାହରେ ଦୈନିକ ହାରାହାରୀ କୋଭିଡ ସଂକ୍ରମଣ ୩୧୩ ଥିବା ବେଳେ ୨୩ ମାର୍ଚ୍ଚ ୨୦୨୩ରେ ଶେଷ ହୋଇଥିବା ସପ୍ତାହରେ ଦୈନିକ ହାରାହାରୀ ସଂକ୍ରମଣ ୯୬୬କୁ ବୃଦ୍ଧି ପାଇଛି। ସାପ୍ତାହିକ ପଜିଟିଭିଟୀ ହାର ୧.୦୮%କୁ ବୃଦ୍ଧି ପାଇଛି।

୨୪ ମାର୍ଚ୍ଚରେ ମହାରାଷ୍ଟ୍ରରେ ସାପ୍ତାହିକ ପଜିଟିଭିଟୀ ହାର ୪.୫୮%କୁ ବୃଦ୍ଧି ପାଇଛି ଯାହାକି ୩ ମାର୍ଚ୍ଚରେ ଶେଷ ହୋଇଥିବା ସପ୍ତାହରେ ୦.୫୪% ଥିଲା। ଗୁଜରାଟରେ ସାପ୍ତାହିକ ସଂକ୍ରମଣ ୦.୦୭%ରୁ ୨.୧୭%କୁ ବଢ଼ିଛି। କେରଳରେ ସାପ୍ତାହିକ ସଂକ୍ରମଣ ହାର ୧.୪୭%ରୁ ୪.୫୧%କୁ ବୃଦ୍ଧି ପାଇଛି। କର୍ଣ୍ଣାଟକରେ ଏହି ହାର ୧.୬୫%ରୁ ୪.୫୧%, ଦିଲ୍ଲୀରେ ୦.୫୩%ରୁ ୪.୨୫%କୁ ବୃଦ୍ଧି ପାଇଛି। ସେହିପରି ହିମାଚଳ ପ୍ରଦେଶରେ ସାପ୍ତାହିକ ପଜିଟିଭିଟୀ ହାର ୧.୯୨%ରୁ ୭.୪୮%କୁ ବୃଦ୍ଧି ପାଇଛି। ତାମିଲନାଡ଼ୁରେ ସାପ୍ତାହିକ ପଜିଟିଭିଟୀ ହାର ୦.୪୬%ରୁ ୨.୪୦%କୁ ବୃଦ୍ଧି ପାଇଛି।

୨୨ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ଦୈନିକ ଟିପିଏମ ଜାତୀୟ ହାରାହାରୀ ଠାରୁ କମ ରହିଛି। ଦେଶର ୨୪ଟି ଜିଲ୍ଲାରେ ୨୪ ମାର୍ଚ୍ଚ ରେ ଶେଷ ହୋଇଥିବା ସପ୍ତାହ ସୁଦ୍ଧା ୧୦%ରୁ ଅଧିକ ସାପ୍ତାହିକ ପଜିଟିଭିଟୀ ହାର ରେକର୍ଡ କରାଯାଇଛି। ଅନ୍ୟପଟେ ଏହି ସମୟ ମଧ୍ୟରେ ୪୩ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭିଟୀ ହାର ୫-୧୦% ରହିଛି।

ଅକ୍ସିଜେନ ସିଲିଣ୍ଡର, ପିଏସଏ ପ୍ଲାଣ୍ଟ, ଭେଣ୍ଟିଲେଟର ଏବଂ ମାନବ ସମ୍ବଳ ସମେତ ଡାକ୍ତରଖାନା ଭିତ୍ତିଭୂମିକୁ କାର୍ଯ୍ୟକ୍ଷମ ସ୍ଥିତିରେ ପ୍ରସ୍ତୁତ ରଖିବା ଲାଗି ଆସନ୍ତା ଏପ୍ରିଲ ୧୦ ଓ୧୧ ତାରିଖରେ ସବୁ ଡାକ୍ତରଖାନାରେ ମକଡ୍ରିଲ କରିବା ନିମନ୍ତେ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଥିଲେ। ୨୭ ଡିସେମ୍ବର ୨୦୨୩ରେ ହୋଇଥିବା ଶେଷ ମକଡ୍ରିଲ ସମ୍ପର୍କରେ ସେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ମୋଟ ୨୧,୯୩୯ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ମକଡ୍ରିଲ କରାଯାଇଥିଲା। ଏଥିରେ ୧୬,୬୦୧ ସରକାରୀ ଡାକ୍ତରଖାନା ଓ ୫,୩୩୮ଟି ଘରୋଇ ଡାକ୍ତରଖାନା ସାମିଲ ରହିଛି। ୯୪% ପିଏସଏ ପ୍ଲାଣ୍ଟ ଓ ଅକ୍ସିଜେନ କନସେନଟ୍ରେଟର ପରିଚାଳନା ସ୍ଥିତିରେ ରହିଥିବା ବେଳେ ୮୭% ଆଇସିୟୁ ଶଯ୍ୟା, ଭେଣ୍ଟିଲେଟର, ଅକ୍ସିଜେନ ଶଯ୍ୟା ଓ ପୃଥକବାସ ଶଯ୍ୟା କାର୍ଯ୍ୟକ୍ଷମ ସ୍ଥିତିରେ ରହିଛି।

ନୂଆ କୋଭିଡ ଭେରିଏଣ୍ଟ ବା ପ୍ରତିରୂପର ଆଗମନ ସତ୍ତ୍ୱେ ପରୀକ୍ଷା-ଚିହ୍ନଟ-ଚିକିତ୍ସା-ଟିକାକରଣ ଏବଂ କୋଭିଡ ଅନୁକୂଳ ବ୍ୟବହାର ପରିକ୍ଷୀତ ରଣନୀତି ଭାବେ କାର୍ଯ୍ୟ କରିବା ଜାରି ରଖିବ। ଯଥେଷ୍ଟ ସଂଖ୍ୟାରେ ଶଯ୍ୟା ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରସ୍ତୁତ ରଖିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା। ରୋଗ ଓ ଟିକାକରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ କୋଭିଡ ଇଣ୍ଡିଆ ପୋର୍ଟାଲରେ ନିୟମିତ ଭାବେ କୋଭିଡ-୧୯ ତଥ୍ୟ ଅପଡେଟ୍ କରିବାକୁ କୁହାଯାଇଥିଲା।

ଡକ୍ଟର ଭିକେ ପଲ କହିଥିଲେ ଯେ ନୂଆ ଭୂତାଣୁ ପ୍ରତିରୂପକୁ ନେଇ ସମସ୍ତେ ସତର୍କ ରହିବା ଆବଶ୍ୟକ। ବର୍ତ୍ତମାନ ଟିକା ପ୍ରତିଷେଧକ ବ୍ୟବସ୍ଥା ସାରା ଦେଶରେ ସାଧାରଣ ସ୍ତରରେ ରହିଛି। ଅଧିକ ଆରଟି-ପିସିଆର ନମୁନା ପରୀକ୍ଷା କରିବା ସହିତ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଲାଗି ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଲୋକମାନଙ୍କ ମଧ୍ୟରେ ବୁଷ୍ଟର ଡୋଜ ଟିକାକରଣ ବଢ଼ାଇବାକୁ ଆହ୍ୱାନ କରିଥିଲେ।

ଡକ୍ଟର ରାଜୀବ ବେହଲ ରାଜ୍ୟମାନଙ୍କୁ ଅଧିକ ସଂଖ୍ୟାରେ ଆରଟି-ପିସିଆର ପରୀକ୍ଷା କରିବାକୁ କହିବା ସହିତ ସତର୍କତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଗୋଷ୍ଠୀ ସଚେତନତା ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପଠାଯାଇଥିବା ମାର୍ଗଦର୍ଶିକା ଅନୁସରଣ କରିବାକୁ ସେ କହିଥିଲେ। ନୂଆ ସଂକ୍ରମଣ କ୍ଲଷ୍ଟର ଓ ଗୁରୁତର ସଂକ୍ରମିତଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

କୋଭିଡ ପରିଚାଳନାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଓ ସବିଶେଷ ଚର୍ଚ୍ଚା ହୋଇଥିଲା। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମୟୋଚିତ ସମୀକ୍ଷା ବୈଠକ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାର୍ଗଦର୍ଶିକା ପାଇଁ ରାଜ୍ୟମାନେ ଧନ୍ୟବାଦ ଜଣାଇଥିଲେ। କୋଭିଡ-୧୯ର ସଫଳ ମୁକାବିଲା ନିମନ୍ତେ ସେମାନେ କେନ୍ଦ୍ର ସରକାରଙ୍କ ସହିତ ମିଶି କାର୍ଯ୍ୟ କରିବେ ବୋଲି ଆଶ୍ୱାସନା ଦେଇଥିଲେ। ରାଜ୍ୟମାନେ ସୂଚନା ଦେଇଥିଲେ ଯେ, ସେମାନେ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ସହିତ ବର୍ତ୍ତମାନର ସ୍ଥିତିକୁ ସମୀକ୍ଷା କରୁଛନ୍ତି। ହସ୍ପିଟାଲ ଭିତ୍ତିଭୂମି ପ୍ରସ୍ତୁତି ଅନୁଧ୍ୟାନ ପାଇଁ ଏପ୍ରିଲ ୧୦-୧୧ ତାରିଖରେ ମକ୍ ଡ୍ରିଲ ନିମନ୍ତେ ସବୁ ରାଜ୍ୟ ପ୍ରସ୍ତୁତ ଥିବା ବୈଠକରେ ସୂଚନା ଦେଇଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଲବ ଅଗ୍ରୱାଲଙ୍କ ସମେତ ଅନ୍ୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିଥିଲେ। ସମୀକ୍ଷା ବୈଠକରେ ସବୁ ରାଜ୍ୟର ଓ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ନୀତି ଆୟୋଗର ନୂତନ ସିଇଓ ଭାବରେ ନିଯୁକ୍ତ ହେଲେ ବିଭିଆର ସୁବ୍ରମଣ୍ୟମ୍

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ବି.ଭି.ଆର ସୁବ୍ରମଣ୍ୟମ୍ ଙ୍କୁ NITI ଆୟୋଗର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ନିଯୁକ୍ତ କରାଯାଇଛି। ସେ ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବରେ ନିଯୁକ୍ତ ପରମେଶ୍ୱରନ୍ ଆୟରଙ୍କ ସ୍ଥାନ ନେବେ। ଆଜି କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ସୁବ୍ରମଣ୍ୟମଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ତାଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ପାଇଁ କରାଯାଇଛି।

NITI ଆୟୋଗର ସିଇଓ ଭାବରେ କାର୍ଯ୍ୟ କରୁଥିବା ଆୟାରଙ୍କୁ ତିନି ବର୍ଷ ପାଇଁ ବିଶ୍ୱ ବ୍ୟାଙ୍କ ମୁଖ୍ୟାଳୟରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ବିଶ୍ୱ ବ୍ୟାଙ୍କର ମୁଖ୍ୟାଳୟ ଆମେରିକାର ୱାଶିଂଟନ୍ ଡିସିରେ ଅଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଚାଇନାରୁ କିଛି ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଆବଶ୍ୟକ: ନୀତି ଆୟୋଗ

ନୂଆଦିଲ୍ଲୀ: ଚୀନ୍ ସହିତ ମୋଟ ବାଣିଜ୍ୟ ନିଅଣ୍ଟ ଉପରେ ନୁହେଁ, ବରଂ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷର ଆମଦାନୀ ଉପରେ ନିର୍ଭରଶୀଳତା ଉପରେ ଭାରତର ଧ୍ୟାନ ଦେବା ଉଚିତ୍। ଆଜି ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଏହା କହିଛନ୍ତି। ବେରୀଙ୍କ କହିବାନୁସାରେ, ସକ୍ରିୟ ଔଷଧ ସାମଗ୍ରୀ (API) ଏବଂ ନବୀକରଣ ଯୋଗ୍ୟ ଶକ୍ତି ପାଇଁ ଯୋଗାଣ ଶୃଙ୍ଖଳା ସହିତ ମୁଖ୍ୟ କଞ୍ଚାମାଲ ଯୋଗାଣର ଅନ୍ୟାନ୍ୟ ଉତ୍ସଗୁଡ଼ିକରେ ବିବିଧତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଚାଇନା ହେଉଛି API ର ବିଶ୍ଵର ସର୍ବ ବୃହତ ଉତ୍ପାଦକ ଏବଂ ରପ୍ତାନିକାରୀ ଏବଂ ଅନେକ ଭାରତୀୟ କମ୍ପାନୀ ବିଭିନ୍ନ ଔଷଧ ଉତ୍ପାଦନ ପାଇଁ ସାମଗ୍ରୀ ଆମଦାନୀ ଉପରେ ନିର୍ଭର କରନ୍ତି।

ସେ କହିଛନ୍ତି ଯେ, “ଚୀନ୍ ସହିତ ବାଣିଜ୍ୟ ନିଅଣ୍ଟ ଉପରେ ଭାରତର ଧ୍ୟାନ ରହିବା ଉଚିତ ନୁହେଁ। ଏହା ପରିବର୍ତ୍ତେ, କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ପାଇଁ ଚୀନ୍ ଉପରେ ଆମର ନିର୍ଭରଶୀଳତା ହ୍ରାସ କରିବା ଉଚିତ୍। ବେରୀ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ, ଗତ ସାତ ବର୍ଷ ମଧ୍ୟରେ ଆମେରିକା ଏବଂ ଚୀନ୍ ଭଳି ବଡ଼ ଶକ୍ତି ବାଣିଜ୍ୟରେ ଅସ୍ତ୍ର ଭାବରେ ପାରସ୍ପରିକ ନିର୍ଭରଶୀଳତାକୁ ବାଛିଛନ୍ତି।

ପରିସଂଖ୍ୟାନ ଅନୁଯାୟୀ, ଭାରତ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ୨୦୨୨ ମସିହାରେ ସର୍ବକାଳୀନ ୧୩୫.୯୮ ବିଲିୟନ ଡ଼ଲାରକୁ ଛୁଇଁବାକୁ ଯାଉଛି। ଏହି ସମୟ ମଧ୍ୟରେ ଚୀନ୍ ସହିତ ଭାରତର ବାଣିଜ୍ୟ ନିଅଣ୍ଟ ପ୍ରଥମ ଥର ପାଇଁ ୧୦୦ ବିଲିୟନ ଡଲାର ଅତିକ୍ରମ କରିଛି। ବେରୀ କହିଛନ୍ତି ଯେ, ଚୀନ୍ ସହିତ ବାଣିଜ୍ୟ ନିଅଣ୍ଟକୁ ହ୍ରାସ କରିବା ପାଇଁ ଭାରତ ଏକ ଆଞ୍ଚଳିକ ରଣନୀତି ପ୍ରସ୍ତୁତ କରିବା ଉଚିତ୍।

Categories
ଆଜିର ଖବର ଜାତୀୟ ଖବର

୭୫ ଜଣ ସଫଳ ମହିଳା ଉଦ୍ୟୋଗୀମାନଙ୍କ ସମ୍ବନ୍ଧିତ କଫି ଟେବୁଲ୍ ପୁସ୍ତକ ଜାରି କଲା ନୀତି ଆୟୋଗ

ଦିଲ୍ଲୀ: ଅଟଳ ଇନୋଭେସନ୍ ମିଶନ (ଏଆଇଏମ୍‌), ନୀତି ଆୟୋଗ ଭାରତର ୭୫ ଜଣ ସଫଳ ମହିଳା ଉଦ୍ୟୋଗୀ ମାନଙ୍କର ଚିତ୍ରଣ କରୁଥିବା କଫି ଟେବଲ୍  ପୁସ୍ତକ ‘ଇନୋଭେସନସ୍ ଫର ୟୁ’ ର ଚତୁର୍ଥ ସଂସ୍କରଣକୁ ଆଜି ଜାରି କରିଛି।

ଏହି ୭୫ ଜଣ ମହିଳା ଉଦ୍ୟୋଗୀ ମାନଙ୍କୁ ଏଆଇଏମ୍‌, ନୀତି ଆୟୋଗର ଅଟଳ ଇନ୍‌କ୍ୟୁବେସନ୍ ସେଂଟର (ଏଆଇସି) ଦ୍ୱାରା ସହାୟତା ପ୍ରଦାନ କରା ଯାଇଥାଏ। ଏବେ ଯେତେବେଳେ ଦେଶ ଆଜାଦୀର ଅମୃତ ମହୋତ୍ସବ – ସ୍ୱତନ୍ତ୍ରତାର ୭୫ ତମ ବର୍ଷ  ପାଳନ କରୁଛି, ‘ଇନୋଭେସନ୍ ଫର୍ ୟୁ’ ର ଶୃଙ୍ଖଳା ଏହା ଦର୍ଶାଇଥାଏ ଯେ ବିଭିନ୍ନ କ୍ଷେତ୍ର ଗୁଡିିକରେ ରହିଥିବା ଷ୍ଟାର୍ଟ – ଅପ୍ ଗୁଡିକ କିଭଳି ବିଭିନ୍ନ ସମୁଦାୟ ଗୁଡିକଙ୍କ ନିମନ୍ତେ ଏକ ସ୍ଥିର ଭବିଷ୍ୟତ ନିର୍ମାଣ କାରଣରୁ  ନବସୃଜନକୁ ପ୍ରୋତ୍ସାହିତ କରୁଛନ୍ତି।

‘ଇନୋଭେସନ୍ ଫର ୟୁ’ ଏକ କଫି ଟେବଲ୍ ପୁସ୍ତକ ଶୃଙ୍ଖଳା ଅଟେ, ଯାହାର ତିନୋଟି ସଂସ୍କରଣ ପୂର୍ବରୁ ଜାରି କରା ଯାଇ ସାରିଛି। ଏହି ପୁସ୍ତକ ଅଟଳ ଇନୋଭେସନ୍ ଅଧୀନରେ ତିନି ପ୍ରମୁଖ କାର୍ଯ୍ୟକ୍ରମ ଗୁଡିକ – ଅଟଳ ଇନକ୍ୟୁବେସନ ସେଂଟର, ଅଟଳ କମ୍ୟୁନିଟି ଇନୋଭେସନ୍ ସେଂଟର ଏବଂ ଅଟଳ ନ୍ୟୁ ଇଣ୍ଡିଆ ଚ୍ୟାଲେଞ୍ଜ – ଦ୍ୱାରା ସମର୍ଥିତ ବିଭିନ୍ନ ଷ୍ଟାର୍ଟ – ଅପ୍‌ର ସଫଳତାର କାହାଣୀ ଗୁଡିକୁ ଉଲ୍ଲେଖ କରିଥାଏ। ଏହି ପୁସ୍ତକର ପ୍ରତ୍ୟେକ ସଂସ୍କରଣ ବିଭିନ୍ନ କ୍ଷେତ୍ର ଗୁଡିକରେ କାର୍ଯ୍ୟ କରୁଥିବା ଉଦ୍ୟୋଗୀ ମାନଙ୍କର ଯାତ୍ରାକୁ ପ୍ରଦର୍ଶିତ କରିଥାଏ ଏବଂ ଏହା ସେହି ନୂତନ, ବିଘଟନକାରୀ, ନୂତନ ଉତ୍ପାଦ ଗୁଡିକର, ସେବା ଗୁଡିକର ଏବଂ ସମାଧାନ ଗୁଡିକର ସୃଜନ ପ୍ରତି ସମର୍ପିତ ଅଟେ, ଯାହା ଏକ ସ୍ଥିର ଭବିଷ୍ୟତର ମାର୍ଗ ପ୍ରଶସ୍ତ କରିପାରେ।

ଏହି ପୁସ୍ତକର ପ୍ରଥମ ସଂସ୍କରଣ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଉପରେ ଆଧାରିତ ହୋଇଥିଲା; ଦ୍ୱିତୀୟଟି କୃଷି ଏବଂ ସମ୍ବନ୍ଧିତ କ୍ଷେତ୍ର ଉପରେ ଏବଂ ତୃତୀୟଟି ପରିବହନ ଏବଂ ଗତିଶୀଳତା ଉପରେ କେନ୍ଦ୍ରିତ ଥିଲା। ଏଆଇଏମ୍ ଦ୍ୱାରା ସମର୍ଥିତ ୨୯୦୦ ଷ୍ଟାର୍ଟ – ଅପ୍ ଗୁଡିକ ମଧ୍ୟରୁ ୮୫୦ରୁ ଅଧିକ ଷ୍ଟାର୍ଟ – ଅପ୍ ଗୁଡିକର ନେତୃତ୍ୱ ମହିଳା ମାନେ ନେଉଛନ୍ତି।

ଏହି ପୁସ୍ତକର ଉନ୍ମୋଚନ କରି ଅଟଳ ଇନୋଭେସନ ମିଶନର ନିର୍ଦ୍ଦେଶକ ଡଃ. ଚିନ୍ତନ ବୈଷ୍ଣବ କହିଥିଲେ ଯେ ‘ନାରୀ ତୁ ନାରାୟଣୀ’ ଆମ ଦେଶର ପରମ୍ପରା ରହି ଆସିଛି। ଆମେ ଏହି ପୁସ୍ତକକୁ ସେହି ସମସ୍ତ ମହିଳା ମାନଙ୍କୁ ଉତ୍ସର୍ଗ କରୁଛୁ , ଯେଉଁମାନେ ଦେଶର ନେତୃତ୍ୱ ନେଉଛନ୍ତି ଏବଂ ଭବିଷ୍ୟତର ନେତୃତ୍ୱ ନେବା ପାଇଁ ଅଭିଳାଷ ପୋଷଣ କରନ୍ତି। ଆଗାମୀ ଦଶକରେ ଭାରତରେ କାର୍ଯ୍ୟ କରୁଥିବା ଲୋକ ମାନଙ୍କର ସଂଖ୍ୟା ସାରା ବିଶ୍ୱରେ ସବୁଠାରୁ ଅଧିକ ହେବ ଏବଂ ଏହି ଶ୍ରମ ଶକ୍ତିରେ ମହିଳା ମାନଙ୍କର ଭାଗିଦାରୀ ଭାରତର ଆର୍ଥିକ ଏବଂ ସାମାଜିକ ବିକାଶ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ଏହି କାର୍ଯ୍ୟକ୍ରମରେ ଆନ୍ନା ରୟ, ବରିଷ୍ଠ ପରାମର୍ଶଦାତା (ଡିଏମ୍ ଆଣ୍ଡ ଏ), ଚାରୁ ଅଗ୍ରୱାଲ୍‌, ଲିଡ୍ ପ୍ରୋଜେକ୍ଟ ହର୍ ଆଣ୍ଡ ନାଓ, ଜିଆଇଜେଡ୍‌, ଅର୍ପିତା କାଲାନୁରିଆ, ପ୍ରତିଷ୍ଠାତା ଆମ୍ପଲଆର୍ଥ ପ୍ୟାକେଜିଂ ଆଣ୍ଡ ସିଷ୍ଟମସ୍ ପ୍ରାଇଭେଟ୍ ଲିମିଟେଡ୍‌, ମେହା ଲାହିରି, ସହ – ପ୍ରତିଷ୍ଠାତା, ରେସିଟି ଏବଂ ସୋନଲ ଅଗ୍ରୱାଲ୍ ବାଲି, ସିଏଫ୍‌ଓ, ଇଂଟେଲୋ ଲାବସ୍ ଇତ୍ୟାଦି ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭିଡ ପରିଚାଳନାରେ ସଫଳତାର ତଥ୍ୟ ସଂରକ୍ଷଣ ହେଉ: ନୀତି ଆୟୋଗ ପ୍ରତିନିଧି

ଭୁବନେଶ୍ୱର: କରୋନା ମହାମାରୀକୁ ପ୍ରତିହିତ କରିବା ସହ ମୁକାବିଲା କରିବାରେ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟଗୁଡ଼ିକର ଭୂମିକା ବେଶ ଉଲ୍ଲେଖନୀୟ। ଏହି ରାଜ୍ୟଗୁଡ଼ିକ ଯେଉଁଭଳି ଢ଼ଙ୍ଗରେ ପରିଚାଳନା କରିଛନ୍ତି ସେ ବିଷୟରେ ବିସ୍ତୃତ ତଥ୍ୟ ସଂରକ୍ଷିତ କରି ରଖାଯିବା ଜରୁରୀ ଯାହା ଦ୍ୱାରା କି ଭବିଷ୍ୟତରେ ଏଭଳି କୌଣସି ବିପର୍ଯ୍ୟୟ ଆସିଲେ ପ୍ରଶାସନ ଠିକ୍ ଭାବେ ପରିଚାଳନା କରିପାରିବ ବୋଲି କହିଛନ୍ତି ନୀତି ଆୟୋଗର ସ୍ୱାସ୍ଥ୍ୟ ବିଭାଗ ସମ୍ପର୍କୀୟ ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର କେ. ମଦନ ଗୋପାଲ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ପକ୍ଷରୁ କକ୍ରେନ୍ ଇଣ୍ଡିଆନ୍ ନେଟୱାର୍କର ପ୍ରଥମ ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଡାକ୍ତର ଗୋପାଲ। କକ୍ରେନ୍ ସମ୍ପର୍କିତ ସୂଚନା ଦେଇ ଡାକ୍ତର ଗୋପାଲ କହିଛନ୍ତି ଯେ ଗବେଷଣା ଏବଂ ପ୍ରମାଣକୁ ଆଧାର କରି ଏହି ସଂସ୍ଥାର ନେଟୱାର୍କିଂ କାର୍ଯ୍ୟ ବେଶ ପ୍ରଶଂସନୀୟ। ଏହାକୁ ସବୁ ସ୍ତରରେ ଗ୍ରହଣ କରିବା ଉଚିତ୍ ଏବଂ ଏଥି ନେଇ ଏକ ଖସଡ଼ା ପ୍ରସ୍ତୁତ କରିବା ଆବଶ୍ୟକ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡେଂଟାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଡାକ୍ତର ଦିବ୍ୟେନ୍ଦୁ ମଜୁମ୍‌ଦାର ଦନ୍ତ ଚିକିତ୍ସା ନିମନ୍ତେ ପ୍ରସ୍ତୁତ ହୋଇଥିବା ନୂତନ ପାଠ୍ୟକ୍ରମ ଏବଂ ଖସଡ଼ା ସମ୍ପର୍କରେ ସୂଚନା ଦେଇଥିଲେ। ଡାକ୍ତର ଦିବ୍ୟେନ୍ଦୁ କହିଥିଲେ ଯେ ନୂତନ ପାଠ୍ୟକ୍ରମ ଅନୁଯାୟୀ ଛାତ୍ରଛାତ୍ରୀମାନେ ସାଢ଼େ ଚାରି ବର୍ଷ ଶିକ୍ଷା ଗ୍ରହଣ କରିବେ ଏବଂ ଗୋଟିଏ ବର୍ଷ ଇନ୍‌ଟର୍ଣ୍ଣସିପ କରିବାର ପ୍ରସ୍ତାବ ରହିଛି। ଏହି ପାଠ୍ୟକ୍ରମରେ ସର୍ବ ମୋଟ ୯ଟି ସେମିଷ୍ଟର ରହିଥିବା ବେଳେ କ୍ୟାମ୍ପସରେ ଏକ କମ୍ପ୍ରେନ୍‌ହିସିଭ୍ କ୍ଲିନିକ ମଧ୍ୟ ରହିବ। ଏହି କ୍ଲିନିକ୍‌ରେ ଇନ୍‌ଟର୍ଣ୍ଣସିପ କରୁଥିବା ଛାତ୍ରଛାତ୍ରୀମାନେ ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରିବେ। ଆଗାମୀ ବର୍ଷରେ ଏହି ପାଠ୍ୟକ୍ରମ ଆରମ୍ଭ କରାଯିବା ନେଇ ସେ ଆଶାବାଦୀ ରହିଥିବା କହିଛନ୍ତି।

ଡେଂଟାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ଅଧିନରେ ୩୧୬ଟି ଡେଂଟାଲ୍ କଲେଜ ରହିଥିବା ବେଳେ ୬୦୦ଟି ବ୍ରାଂଚ ରହିଛି ଏବଂ ପ୍ରତ୍ୟେକ ବର୍ଷ ୨୬୦୦୦ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି ବୋଲି ସେ କହିଛନ୍ତି। ତେବେ ସବୁ କ୍ଷେତ୍ରରେ ଗବେଷଣା ଭିତିକ ପ୍ରମାଣର ଆବଶ୍ୟକତା ରହିଛି ଯାହାକି କକ୍ରେନ୍ କରୁଛି ବୋଲି ସେ କହିଛନ୍ତି। ସୋଆ ପରିଚାଳିତ ଆଇଡିଏସ୍‌କୁ ଉଚ୍ଚ ପ୍ରଶଂସା କରି ସେ କହିଥିଲେ ଯେ ୨୦୦୬ରେ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ବର୍ତମାନ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ୧୦ମ ସ୍ଥାନ ହାସଲ କରିଛି। ଏଥି ସହିତ କକ୍ରେନ୍ ଇଣ୍ଡିଆ ନେଟୱାର୍କରେ ଯୋଡି ହୋଇଥିବା ୧୦ଟି ଅନୁଷ୍ଠାନ ମଧ୍ୟରୁ ଏକମାତ୍ର ଦନ୍ତ ଶିକ୍ଷାନୁଷ୍ଠାନ ଭାବେ ଆଇଡିଏସ୍ ଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଇଣ୍ଡିଆନ୍ ଡେଂଟାଲ୍ ଆସୋସିଏସନ୍‌ର ସେକ୍ରେଟାରୀ ଜେନେରାଲ୍ ଡଃ ଅଶୋକ ଢ଼ୋବଲେ ଯୋଗ ଦେଇ ଆଇଡିଏସ୍ ସହିତ ୭୫୦୦୦ ସଦସ୍ୟ ଯୋଡି ହୋଇଥିବା ସୂଚନା ଦେଇଥିଲେ। ଦନ୍ତ ଚିକିତ୍ସା କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ତଥ୍ୟ ସମ୍ବଳିତ ଗବେଷଣା ଓ ପ୍ରମାଣର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ କକ୍ରେନ୍ ଇଣ୍ଡିଆ ନେଟ୍‌ୱାର୍କର କୋ-ଚେୟାର ଡଃ ଅଞ୍ଜୁ ପ୍ରଧାନ କକ୍ରେନ୍ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଡାକ୍ତରୀ ଗବେଷଣା କ୍ଷେତ୍ରରେ ପ୍ରମାଣ ଭିତିକ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେବା ହେଉଛି ଏହି ଅନୁଷ୍ଠାନର ମୂଳ ଉଦ୍ଦେଶ୍ୟ। ତେଣୁ କକ୍ରେନ୍ ଇଣ୍ଡିଆ ନେଟୱାର୍କ ନୀତି ଆୟୋଗ ସହିତ ଜଡ଼ିତ ହୋଇ ଏ ଦିଗରେ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ।

ସେହିପରି କକ୍ରେନ୍ ଇଣ୍ଡିଆ ନେଟ୍‌ୱାର୍କର ଅନ୍ୟ କୋ-ଚେୟାର ଡଃ ମିନୁ ସିଂହ ଛାତ୍ରଛାତ୍ରୀମାନେ କିଭଳି ପ୍ରମାଣ ଭିତିକ ଗବେଷଣା କରିବେ ସେ ବିଷୟରେ ଗୁରୁତ୍ୱ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ତଥ୍ୟ, ସମୟ, ଲକ୍ଷ୍ୟ ଏବଂ ଉନ୍ନତିକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ। ଆମ ଦେଶରେ ପ୍ରାୟ ୧୮ ଲକ୍ଷ ଡାକ୍ତର ରହିଥିବା ବେଳେ ଅଧିକ ଡାକ୍ତରଙ୍କର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। କୋଭିଡ ମହାମାରୀରେ ଭାରତରେ ପ୍ରାୟ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା ପ୍ରକାଶ କରିଥିଲା। କିନ୍ତୁ ଆମ ଦେଶର ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କର ଆପ୍ରାଣ ଉଦ୍ୟମ, ଚିକିତ୍ସା ଓ ନିଷ୍ଠା ଯୋଗୁଁ ଏହି ବଡ଼ ଧରଣର ମୃତ୍ୟୁ ସଂଖ୍ୟାକୁ ରୋକା ଯାଇପାରିଲା ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ଏହି ଅବସରରେ ଦନ୍ତ ଚିକିତ୍ସକଙ୍କ କ୍ଷେତ୍ରରେ ପ୍ରମାଣ ଭିତିକ ଗବେଷଣା ଓ ଜ୍ଞାନ ଆହରଣ ନିମନ୍ତେ ଆଇଡିଏସ୍ ଏବଂ ଆଇଡିଏ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା
ଏହି କାର୍ଯ୍ୟକ୍ରମରେ ଆଇଡିଏସ୍‌ର ଡିନ୍ ତଥା କକ୍ରେନ୍ ଆଫିଲିଏଟ୍ ସେଂଟରର ନିର୍ଦ୍ଦେଶିକା ପ୍ରଫେସର ନୀତା ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ କକ୍ରେନ୍ ଇଣ୍ଡିଆ ନେଟୱାର୍କିଂ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଭାରତରେ ଏମ୍‌ସ, ନୂଆଦିଲ୍ଲୀ, ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ, ଭେଲୋର, ଆଇସିଏମ୍‌ଆର୍‌, ନୂଆଦିଲ୍ଲୀ, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍‌ଥ, ହାଇଦ୍ରାବାଦ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ସୋଆ, ଭୁବନେଶ୍ୱର, କିଙ୍ଗ ଜର୍ଜ ମେଡିକାଲ୍ ୟୁନିଭର୍ସିଟି, ଲକ୍ଷେ୍ନା, ମନିପାଲ୍ ଏକାଡେମୀ ଅଫ୍ ହାୟର୍ ଏଜୁକେସନ୍‌, ମନିପାଲ, ପିଜିଆଇ, ଚଣ୍ଡିଗଡ ଏବଂ ଟାଟା ମେମୋରିଆଲ୍ ସେଂଟର୍‌, ମୁମ୍ବାଇ ଯୋଡି ହୋଇଥିବା ବେଳେ ଚଳିତ ବର୍ଷ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ଆଇଡିଏସ୍ ଏକମାତ୍ର ଦନ୍ତ ଶିକ୍ଷାନୁଷ୍ଠାନ ଭାବେ ସ୍ଥାନ ପାଇଥିବା ସୂଚନା ଦେଇଛନ୍ତି ପ୍ରଫେସର ମହାନ୍ତି। କାର୍ଯ୍ୟକ୍ରମରେ ଆଇଡିଏସ୍‌ର ଡାକ୍ତର ସୌରଭ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଣିଥରେ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏହି ଗସ୍ତକାଳରେ ସେ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକରେ ଯୋଗଦେବେ। ସେହିପରି ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ୫ତାରିଖ ଅପରାହ୍ନରେ ଦିଲ୍ଲୀ ଗସ୍ତରେ ଯିବେ। ୬ ତାରିଖରେ ୭୫ତମ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକ‌ରେ ଯୋଗଦେବେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଯୋଗଦେବେ।

ସେହିପରି ୭ତାରିଖରେ ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ନବୀନ ଯୋଗଦେବେ। ଏହି ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମାନେ ସାମିଲ ହେବେ। ଅଗଷ୍ଟ ୮ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ୍ ହେବା ପାଇଁ ମୁଖ୍ୟମନ୍ତ୍ରୀ ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ସିଇଓ ଭାବେ ପରମେଶ୍ୱରନ ଆୟାରଙ୍କୁ ସ୍ୱାଗତ କଲା ନୀତି ଆୟୋଗ

ଦିଲ୍ଲୀ: ନୀତି ଆୟୋଗ ଏହାର ସିଇଓ ଭାବେ ପରମେଶ୍ୱରନ ଆୟାରଙ୍କୁ ସ୍ୱାଗତ କରିଛି। ଜଳ ଏବଂ ସ୍ୱଚ୍ଛତା କ୍ଷେତ୍ରରେ ୨୫ ବର୍ଷରୁ ଅଧିକ ସମୟର ଅନୁଭବ ସହିତ, ଶ୍ରୀ ଆୟାର ଭାରତର ପ୍ରମୁଖ ୨୦ ଡଲାର ବିଲିୟନ୍‌ର ସ୍ୱଚ୍ଛ ଭାରତ ମିଶନର କାର୍ଯ୍ୟାନ୍ୱୟନର ନେତୃତ୍ୱ ନେଇଥିଲେ, ଯେଉଁଥିରେ ସେ ସଫଳତାପୂର୍ବକ ୫୫୦ ମିଲିୟନ୍ ଲୋକ ମାନଙ୍କୁ ସୁରକ୍ଷିତ ସ୍ୱଚ୍ଛତା ପ୍ରଦାନ କରିଛନ୍ତି।

“ପୁଣି ଥରେ ଦେଶର ସେବା କରିବା ପାଇଁ ନୀତି ଆୟୋଗର ସିଇଓ ରୂପରେ ଏହି ଅବିଶ୍ୱସନୀୟ ସୁଯୋଗ ମିଳିଥିବାରୁ ମୁଁ ସମ୍ମାନିତ ଏବଂ ବିନମ୍ର। ଏକ ପରିବର୍ତ୍ତିତ ଭାରତ ନିର୍ମାଣ ଦିଗରେ କାର୍ଯ୍ୟ କରିବାର ଆଉ ଏକ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଗଭୀର କୃତଜ୍ଞତା ଜଣାଉଛି” ବୋଲି ଶ୍ରୀ ଆୟାର କହିଛନ୍ତି।

ଉତ୍ତରପ୍ରଦେଶ କ୍ୟାଡରର ୧୯୮୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ, ଶ୍ରୀ ଆୟାର ସରକାରୀ ଏବଂ ଘରୋଇ ଉଭୟ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ସେ ୨୦୧୬ – ୨୦ ଅବଧିରେ ନୂଆ ଦିଲ୍ଲୀରେ ଭାରତ ସରକାରଙ୍କ ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟର ସଚିବ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ନୀତି ଆୟୋଗ ଦ୍ୱାରା ଜାତୀୟ ଡାଟା ଓ ଆନାଲିଟିକ୍ସ୍ ଫ୍ଲାଟଫର୍ମର ଶୁଭାରମ୍ଭ

ନୂଆଦିଲ୍ଲୀ: ନୀତି ଆୟୋଗ ପକ୍ଷରୁ ଜାତୀୟ ଡାଟା ଓ ଅନାଲିଟିକ୍ସ ପ୍ଲାଟଫର୍ମ (ଏନ୍‌ଡିଏପି) ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଆଜି ଆରମ୍ଭ କରାଯାଇଛି। ଏହି ପ୍ଲାଟଫର୍ମ ବା ମଂଚର ଉଦ୍ଦେଶ୍ୟ ହେଲା ସରକାରୀ ତଥ୍ୟାବଳୀକୁ ଲୋକଙ୍କୁ ସହଜରେ ଯୋଗାଇଦେବା। ଏହା ଫଳରେ ସରକାରୀ ଡାଟା ସଂଗ୍ରହ ସହଜ, ଆନ୍ତଃ ସଂଚାଳିତ, ଆନ୍ତଃକ୍ରିୟ ହେବ ଏବଂ ବ୍ୟବହାର ଅନୁକୂଳ ମଂଚରେ ସର୍ବସାଧାରଣ ଏହାକୁ ଅନାୟାସରେ ପାଇପାରିବେ।

ଏହି ପ୍ଲାଟଫର୍ମ ବିଭିନ୍ନ ସରକାରୀ ସଂସ୍ଥାରୁ ତଥ୍ୟାବଳୀମାନ ସଂଗ୍ରହ କରି ଅତି ସୁସମନ୍ୱିତ ଭାବେ ପ୍ରଦାନ କରୁଛି। ଏହାଛଡା ଏହି ତଥ୍ୟାବଳୀକୁ ଦେଖିବା, ପଢିବା, ବିଶ୍ଲେଷଣ କରିବା ପାଇଁ ଏହି ପ୍ଳାଟଫର୍ମରେ ଆବଶ୍ୟକ ‘ଟୁଲ୍ସ’ର ବ୍ୟବସ୍ଥା ରହିଛି। ପୂର୍ବରୁ ଜନସାଧାରଣଙ୍କ ପାଇଁ ୨୦୨୧ ଅଗଷ୍ଟରେ ଏକ ‘ବେଟା ରିଲିଜ୍‌’ ବ୍ୟବସ୍ଥା କରାଯାଇଥିଲା। ଏହାଫଳରେ ସୀମିତ ସଂଖ୍ୟକ ବ୍ୟବହାରକାରୀ ଏହାକୁ ଦେଖିବାର ସୁଯୋଗ ପାଇଥିଲେ। ଏହି କାମଟିକୁ ସେତେବେେଳେ ଏହି ବ୍ୟବସ୍ଥାର ପରୀକ୍ଷାମୂଳକ ପ୍ରୟୋଗ ଓ ମତାମତ ପାଇଁ କରାଯାଇଥିଲା।

ଏହି ପ୍ଳାଟଫର୍ମରେ ଉପଲବ୍ଧ ଡାଟା ସରକାରୀ କ୍ଷେତ୍ର, ଶିକ୍ଷାନୁଷ୍ଠାନ, ଶିକ୍ଷାବିତ୍‌, ସାମ୍ବାଦିକତା, ନାଗରିକ ସମାଜ ଓ ଘରୋଇ ଉଦ୍ୟୋଗ ପାଇଁ ବିଶେଷ ଉପଯୋଗୀ ହେବ। ସମ୍ପୃକ୍ତ ସବୁ ବର୍ଗର ବ୍ୟବହାରକାରୀଙ୍କ ପାଇଁ ଏଥିରେ ତଥ୍ୟାବଳୀଗୁଡିକୁ ସୁସଂହତ ଭାବେ ରଖାଯାଇଛି। ସମସ୍ତ ଡାଟାସେଟ୍ କମନ ସ୍କିମ୍‌ରେ ମାନକୀକୃତ  କରାଯାଇଛି। ଏହାଫଳରେ ତଥ୍ୟାବଳୀଗୁଡିକୁ ଏକାଠି କରି ବିଭିନ୍ନ କ୍ଷେତ୍ରର ତଥ୍ୟ ବିଶ୍ଳେଷଣ କରିବା ସହଜ ହେବ।

ଏହି ପ୍ଳାଟଫର୍ମକୁ ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ, ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଡକ୍ଟର ଅନନ୍ତ ନାଗେଶ୍ୱରନ୍‌, ନୀତି ଆୟୋଗର  ଅନେକ ବରିଷ୍ଠ ଅଧିକାରୀ, ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଅଧିକାରୀ, ଗବେଷକ ଓ ଶିକ୍ଷାବିତ୍ ଉପସ୍ଥିତ ଥିଲେ।

ସୁମନ ବେରୀ ଏହି ପ୍ଳାଟଫର୍ମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଏହା ସରକାରୀ ତଥ୍ୟାବଳୀ, ବିଶେଷକରି ଡାଟାକୁ ସର୍ବସାଧାରଣରେ ସହଜରେ ଉପଲବ୍ଧ କରିବାରେ ସହାୟକ ହେବ। ବ୍ୟବହାରକାରୀ ଏହାକୁ ସୁବିଧାରେ ଆକ୍‌ସେସ୍ କରିବା ସହିତ  ବିଭିନ୍ନ ଡାଟାକୁ ସହଜରେ ବିଶ୍ଳେଷଣ ଓ ବ୍ୟବହାର କରିପାରିବେ। ଏହି ଅବସରରେ ଆୟୋଜିତ ଏକ କ୍ଷୁଦ୍ର ଆଲୋଚନାଚକ୍ରରେ ସରକାରୀ ଓ ବେସରକାରୀ କ୍ଷେତ୍ରର ବହୁ ବିଶେଷଜ୍ଞ, ବିଷୟବିତ୍‌, ଗବେଷକ, ଶିକ୍ଷାବିତ୍ ଭାଗ ନେଇଥିଲେ। ସେମାନେ ଆୟୋଗର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ।

ଅମିତାଭ କାନ୍ତ କହିଥିଲେ ଯେ ଏବେ ଡାଟା ଓ ଡିଜିଟାଲ ଟେକ୍ନୋଲୋଜି ଦେଶର ଅର୍ଥନୀତି ଓ ସମାଜରେ ଦ୍ରୁତ ପରିବର୍ତ୍ତନ ଆଣୁଛି। ସରକାରଙ୍କ ଦୈନନ୍ଦିନ ବ୍ୟବହାରରେ ଏହାର ବ୍ୟାପକ ଆବଶ୍ୟକତା ରହିଛି। ଭାରତର ବିକାଶ ଯାତ୍ରାରେ ଏନଡିଏପି ଏକ ମାଇଲଖୁଣ୍ଟ। ଏହା ଭାରତର ବିକାଶରେ ସହାୟକ ହେବ ଏବଂ ଡାଟା ପରିଚାଳିତ ତଥ୍ୟ ପ୍ରଘଟ, ନିଷ୍ପତ୍ତି ଗ୍ରହଣ ଏବଂ ସମସ୍ତଙ୍କୁ ଡାଟା ଯୋଗାଣ ସୁନିଶ୍ଚିତ କରିବାରେ ବିଶେଷ ଅବଦାନ ରଖିବ। ଡାଟା ଶକ୍ତିକୁ କିପରି କାମରେ ଲଗାଯାଇପାରିବ ଏହା ତାହାର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ସେ କହିଛନ୍ତି।

ଆୟୋଗର ବରିଷ୍ଠ ପରାମର୍ଶଦାତା ଆନ୍ନା ରାୟ କହିଥିଲେ ଯେ ଭାରତରେ “ଡାଟା” ପରିତନ୍ତ୍ର ଅତ୍ୟନ୍ତ ସମୃଦ୍ଧ। ଏହି ବ୍ୟବସ୍ଥା ଯୋଗାଉଥିବା ତଥ୍ୟାବଳୀ ବା ଡାଟା ନିଷ୍ପତ୍ତିଗ୍ରହଣ ଏବଂ ଗବେଷଣା ପାଇଁ ଅତି ମୂଲ୍ୟବାନ। ଏହି ଡାଟା ସିଷ୍ଟମକୁ ଅଧିକ ସୁଦୃଢ କରିବାକୁ ଉଦ୍ୟମ କରାଯାଉଛି । ଏହାକୁ ଉପଯୋଗୀ କରି ରଖିବାକୁ ଆମେ ଏହି ପ୍ଳାଟଫର୍ମରେ ନିରନ୍ତର ଡାଟାକୁ ଅପଡେଟ କରିବା କାର୍ଯ୍ୟ ଜାରି ରଖିଛୁ।

ଏନ୍‌ଡିଏପିକୁ  http: //ndap.niti.gov.in ରେ ଆକ୍‌ସେସ୍  କରି ହେବ। ଏହି ପ୍ଲାଟଫର୍ମରୁ ସବୁ ଡାଟାସେଟ୍‌କୁ ଡାଉନଲୋଡ ଓ ମର୍ଜ କରାଯାଇପାରିବ। (ପିଆଇବି)

Categories
ବିଶେଷ ଖବର

ଅର୍ଥନୀତିଜ୍ଞ ରାଜୀବ କୁମାର ନୀତି ଆୟୋଗର ଉପାଧ୍ୟକ୍ଷ ପଦରୁ ଦେଲେ ଇସ୍ତଫା, ସୁମନ ବେରୀ ନେବେ ଦାୟିତ୍ଵ

ନୂଆଦିଲ୍ଲୀ: ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ଇସ୍ତଫା ଦେବାର କାରଣ ଜଣା ପଡିନାହିଁ। ଜଣାଶୁଣା ଅର୍ଥନୀତିଜ୍ଞ କୁମାର ଅଗଷ୍ଟ ୨୦୧୭ ରେ ନୀତି ଆୟୋଗର ଉପାଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ। ତତ୍କାଳୀନ ଉପାଧ୍ୟକ୍ଷ ଅରବିନ୍ଦ ପନଗଢିଆ କମିଶନରୁ ଇସ୍ତଫା ଦେବା ପରେ କୁମାରଙ୍କୁ ଏହି ଦାୟିତ୍ଵ ଦିଆଯାଇଥିଲା। କୁମାର ଅକ୍ସଫୋର୍ଡ ୟୁନିଭରସିଟିରୁ ଅର୍ଥନୀତିରେ ଡକ୍ଟରେଟ ଏବଂ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଥିଲେ। ସେ ସେଣ୍ଟର ଫର ପଲିସି ରିସର୍ଚ୍ଚରେ ଜଣେ ବରିଷ୍ଠ “ଫେଲୋ” ମଧ୍ୟ ରହିଛନ୍ତି।

ରାଜୀବ କୁମାରଙ୍କ ସ୍ଥାନରେ ଅର୍ଥନୀତିଜ୍ଞ ସୁମନ ବେରୀ ନୀତି ଆୟୋଗର ଉପାଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରିବେ। ସେ ଏହି ଦାୟିତ୍ୱ ମେ ୧ ତାରିଖରୁ ପାଇବେ। ରାଜୀବ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ ୩୦ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ସମୟ ପୂର୍ବରୁ ସେ ନିଜ ଦାୟିତ୍ଵରୁ ଇସ୍ତଫା ନେବେ।

ରାଜୀବ କୁମାରଙ୍କ ଇସ୍ତଫା ଗ୍ରହଣ କରାଯାଇଛି ଏବଂ ତାଙ୍କୁ ଏପ୍ରିଲ ୩୦ ତାରିଖରେ ମୁକ୍ତ କରାଯିବ। ରାଜୀବ କୁମାର ନୀତି ଆୟୋଗର ଯୋଜନାରେ ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ବିଶେଷକରି କୃଷି, ସମ୍ପତ୍ତି ବିମୁଦ୍ରୀକରଣ, ବିନିଯୋଗ, ବୈଦ୍ୟୁତିକ ଯାନ ପରି କ୍ଷେତ୍ରରେ ସେ ସମସ୍ତ ନୀତି ଯୋଜନା ଉପସ୍ଥାପନ କରିବାରେ ସହଯୋଗ କରିଥିଲେ।

ଏଥି ସହିତ, ସୁମନ ବେରୀ ନ୍ୟାସନାଲ କାଉନସିଲ୍ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ ରିସର୍ଚ୍ଚର ମହାନିର୍ଦ୍ଦେଶକ (ମୁଖ୍ୟ କାର୍ଯ୍ୟନିର୍ବାହୀ) ଭାବରେ କାର୍ଯ୍ୟ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ମଧ୍ୟ ରହିଛନ୍ତି। ସେ ପରିସଂଖ୍ୟାନ ଆୟୋଗ ଏବଂ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତିର ବୈଷୟିକ ପରାମର୍ଶଦାତା କମିଟିରେ ମଧ୍ୟ ରହିଛନ୍ତି।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

କୃଷି ପାଇଁ ମିଳିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ ସହିତ ନୀତି ଆୟୋଗର ଚୁକ୍ତି ସ୍ୱାକ୍ଷରିତ, ଜାଣନ୍ତୁ କଣ

ନୂଆଦିଲ୍ଲୀ: ବାଜରା ଓ ସେହି ଜାତୀୟ ଖାଦ୍ୟଶସ୍ୟର ଗୁରୁତ୍ୱକୁ ସ୍ୱୀକୃତି ପ୍ରଦାନ କରି ଭାରତ ସରକାର ୨୦୧୮କୁ ବାଜରାବର୍ଷ ଭାବେ ପାଳନ କରିଥିଲେ । ଏହି ବର୍ଷ ପାଳନର ପ୍ରଧାନ ଲକ୍ଷ୍ୟ ଥିଲା ବାଜରା ଜାତୀୟ ଫସଲ ଚାଷକୁ ପ୍ରୋତ୍ସାହିତ କରିବା । ଏହି ପ୍ରୟାସକୁ ଆହୁରି ଆଗେଇ ନେଇ ଭାରତ ସରକାର ମିଳିତ ଜାତିସଂଘର ସାଧାରଣ ପରିଷଦରେ ଏକ ପ୍ରସ୍ତାବ ଆଣି ୨୦୨୩କୁ ଆନ୍ତର୍ଜାତିକ ବାଜରାବର୍ଷ ଭାବେ ପାଳନ କରିବାକୁ ଅଗ୍ରଣୀଭୂମିକା ନିର୍ବାହ କରିଛନ୍ତି ।

ବାଜରାଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଏକ ଉତ୍କର୍ଷ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ପୁଷ୍ଟିକର ଶସ୍ୟକୁ ସାମିଲ କରିବା ନୀତିରେ ବାଜରା ଅନ୍ତର୍ଭୁକ୍ତ ହୋଇଛି । ଏହା ବ୍ୟତୀତ ଅନେକ ରାଜ୍ୟରେ ବାଜରା(ମିଲେଟ) ମିଶନ ଗଠନ କରାଯାଇଛି ।

ଏହା ସତ୍ତ୍ୱେ ବାଜରାର ଉତ୍ପାଦନ, ବଣ୍ଟନ ଓ ବ୍ୟବହାର କ୍ଷେତ୍ରରେ ଅନେକ ସମସ୍ୟା ଏବଂ ଆହ୍ୱାନ ଖାଉଟିଙ୍କ ପାଇଁ  ରହିଛି । ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ଏବେ ଖାଦ୍ୟଶସ୍ୟ ଯୋଗାଣ କେବଳ କ୍ୟାଲୋରୀ ଯୁକ୍ତ ଶସ୍ୟ ପରିବର୍ତ୍ତେ  ବିଭିନ୍ନ ପୁଷ୍ଟିକର ଖାଦ୍ୟଶସ୍ୟ ଓ ଭୋଜନ ଉପାଦାନ ଯୋଗାଇବାର ଆବଶ୍ୟକତା ପହଞ୍ôଚଛି । ଏଥିରେ ନାନାପ୍ରକାର ମୋଟାଶସ୍ୟ ଯଥା ବାଜରା, ଜୁଆର ଆଦି ପ୍ରାକ୍‌-ସ୍କୁଲ ପିଲା ଏବଂ ପ୍ରଜନନକ୍ଷମ ବୟସର ମହିଳାମାନଙ୍କୁ ଯୋଗାଇ ସେମାନଙ୍କ ପୁଷ୍ଟିସାଧନ ସ୍ଥିତିରେ ଉନ୍ନତି ଆଣିବାରେ ଆବଶ୍ୟକତା ରହିଛି । ଏହି କ୍ଷେତ୍ରରେ ଯେଉଁ ସବୁ ଆହ୍ୱାନ ଓ ସମସ୍ୟା ରହିଛି ତାହାକୁ ଠାବ କରି ବ୍ୟବସ୍ଥିତ ଓ ସଫଳତାର ସହିତ ସେସବୁର ସମାଧାନ କରିବାକୁ ନୀତି ଆୟୋଗ ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫପି) ମିଳିତଭାବେ ଆଗ୍ରହ ପ୍ରକାଶ କରିଛନ୍ତି ।

ଏଥିପାଇଁ ନୀତି ଆୟୋଗ, ଡବ୍ଲୁଏଫପି ସହିତ ଏକ ଷ୍ଟେଟମେଣ୍ଟ ଅଫ ଇଣ୍ଟେଟ ବା ଚୁକ୍ତି ୨୦୨୧ ଡିସେମ୍ବର ୨୦ତାରିଖରେ ସ୍ୱାକ୍ଷର କରିଛି । ଦୁଇ ସଂଗଠନ ମଧ୍ୟରେ ଏ କ୍ଷେତ୍ରରେ ଯେଉଁ ଅଂଶୀଦାରୀ ହୋଇଛି, ସେଥିରେ ବାଜରା ଓ ସେହି ଜାତୀୟ ମୋଟା ଶସ୍ୟକୁ ଭୋଜନର ମୁଖ୍ୟଧାରାକୁ ଆଣିବା ଉପରେ ଗୁରୁତ୍ୱ ଦିଆଯିବ ।

ଆହୁରି ମଧ୍ୟ ୨୦୨୩ ଆନ୍ତର୍ଜାତିକ ବାଜରା (ମିଲେଟ)ବର୍ଷ ଭାବେ ପାଳିତ ହେବାକୁ ଯାଉଥିବା ଅବସରରେ ବାଜରା ଓ ସେହି ଜାତୀୟ ମୋଟା ଶସ୍ୟକୁ ଖାଦ୍ୟର ମୁଖ୍ୟଧାରାକୁ ଆଣି ଖାଉଟିଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ଭାରତ ନେତୃତ୍ୱ ନେବାରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସାହାଯ୍ୟ ସହଯୋଗ କରି ଏଥିରେ ଅଂଶୀଦାର ହେବ । ତା’ଛଡା ବିଭିନ୍ନ ଦେଶ ସହିତ ଭାରତ ଆବଶ୍ୟକ ଜ୍ଞାନ ଆଦାନପ୍ରଦାନ କରିବ । ଉଭୟପକ୍ଷ ମଧ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଏକ ସ୍ଥିତିସ୍ଥାପକ ଜୀବିକା ବ୍ୟବସ୍ଥା ତିଆରି  କରିବାରେ ମିଳିତଭାବେ କାମ କରିବେ ଏବଂ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବାଜରା ଜାତୀୟ ମୋଟା ଶସ୍ୟ ଅଧିକ ଚାଷ କରିବାକୁ ଚାଷୀଙ୍କୁ ଆବଶ୍ୟକ ଦିଗ୍‌ଦର୍ଶନ ତଥା କୌଶଳ ଶିକ୍ଷା ଦେବେ । ଏହା ଫଳରେ ଭାରତ ଓ ବିଶ୍ୱର ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଘଟିବ ।

ଏହି ଚୁକ୍ତି ଫଳରେ ଭାରତରେ ଜଳବାୟୁ ଉପଯୋଗୀ କୃଷି ବ୍ୟବସ୍ଥା ନିର୍ମାଣ ପାଇଁ ଉଭୟପକ୍ଷ ମଧ୍ୟରେ ବୈଷୟିକ ସହଯୋଗ ରହିବ । ଏହାଫଳରେ ଖାଦ୍ୟ ଉତ୍ପାଦନ ବଢିବ ଏବଂ ଦେଶର ପୌଷ୍ଟିକ ନିରାପତ୍ତା ସୁନିଶ୍ଚିତ ହୋଇପାରିବ ।

ଉଭୟପକ୍ଷ ନିମ୍ନ ବିଷୟରେ ମିଳିତଭାବେ କାମ କରିବେ ।

  • ଭାରତର ନିର୍ଦ୍ଦିଷ୍ଟ ରାଜ୍ୟଗୁଡିକରେ ବାଜରା ଚାଷର ବିକାଶ ପାଇଁ ନୂଆ ରଣନୀତି ପ୍ରସ୍ତୁତ ସହ ଏହି ଚାଷର ଉତ୍ତମ ନୀତିଗୁଡିକୁ ନେଇ ଏକ ମିଳିତ କମ୍ପେଡିୟମ(ସଂକଳନ) ପ୍ରସ୍ତୁତ ହେବ । ଏହା ମାଧ୍ୟମରେ ଏହି ଫସଲକୁ ମୁଖ୍ୟଧାରାକୁ ଆଣି ଖାଉଟିଙ୍କ ପାଖରେ ସହଜରେ ପହଞ୍ଚାଇବାରେ ବ୍ୟବସ୍ଥା  କରାଯିବ ।
  • ଏହି ଚାଷର ପରିବର୍ଦ୍ଧନ ଓ ପ୍ରୋତ୍ସାହନ ପାଇଁ ମନୋନୀତ ହୋଇଥିବା ରାଜ୍ୟଗୁଡିକରେ ଆଇଆଇଏମ୍‌ଆର ଓ ଅନ୍ୟାନ୍ୟ ସହଯୋଗୀ ପ୍ରତିଷ୍ଠାନଗୁଡିକୁ ନିୟୋଜିତ କରାଯିବ । ବାଜରା ଭଳି ମୋଟାଶସ୍ୟର ବହୁଳ ବ୍ୟବହାର ପାଇଁ କେନ୍ଦ୍ର ଓ ରାଜ୍ୟସରକାର, ବିଭିନ୍ନ ସରକାରୀ ବିଭାଗ, ସଂସ୍ଥା, ଶୈକ୍ଷିକ ଅନୁଷ୍ଠାନ, ଏ କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ସଂସ୍ଥାଙ୍କ ପରାମର୍ଶ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ । ବହୁପାକ୍ଷିକ ପରାମର୍ଶ ସହିତ ଏଥିପାଇଁ ବୈଷୟିକ ସହଯୋଗ ନୀତି ଆୟୋଗ ଓ ବିଶ୍ୱ ଖାଦ୍ୟ ସଂଗଠନ ଯୋଗାଇ ଦେବେ । ଏ କ୍ଷେତ୍ରରେ ଜାତୀୟ ପରାମର୍ଶ ବ୍ୟବସ୍ଥା ଉଭୟପକ୍ଷ ତିଆରି କରିବେ ।
  • ବାଜରା ଭଳି ମୋଟା ଶସ୍ୟ ଚାଷ ଓ ବ୍ୟବହାର କ୍ଷେତ୍ରରେ ଭାରତର ଯେଉଁ ଅଭିଜ୍ଞତା ରହିବ ସେ ସମ୍ପର୍କୀତ ଜ୍ଞାନ ଓ ଅଭିଜ୍ଞତାକୁ ଭାରତ ବିଶ୍ୱର ଅନ୍ୟାନ୍ୟ ଦେଶକୁ ଯୋଗଇଦେବ । ଏହି ଜ୍ଞାନ ଆଦାନପ୍ରଦାନ ପ୍ରକ୍ରିୟା ଓ ବଜରା ବ୍ୟବହାର ବୃଦ୍ଧି ପାଇଁ ଏକ ଜ୍ଞାନ ପରିଚାଳନାମଞ୍ଚ (ପ୍ଲାଟଫର୍ମ) ଗଠିତ ହେବ ।

ନିମ୍ନଲିଖିତ ଚାରିଟି ପର୍ଯ୍ୟାୟରେ ଏହି  ଅଂଶୀଦାରୀର ଫଳାଫଳ ହାସଲ ହେବ ।

ପର୍ଯ୍ୟାୟ-୧- ବାଜରାକୁ ଏକ ପ୍ରମୁଖ ଖାଦ୍ୟଭାବେ ମୁଖ୍ୟଧାରାକୁ ଆଣିବା ପାଇଁ ଶ୍ରେଷ୍ଠ ନୀତି ଓ ପରିବର୍ଦ୍ଧନ ରଣନୀତି ସମ୍ପର୍କରେ ଏକ ସଂକଳନ ପ୍ରସ୍ତୁତ କରାଯିବ ।

ପର୍ଯ୍ୟାୟ-୨- ବାଜରାକୁ ପ୍ରମୁଖ ଖାଦ୍ୟଭାବେ ମୁଖ୍ୟଧାରାକୁ ଆଣିବା ପାଇଁ ବିଭିନ୍ନ ଉଦ୍ୟମକୁ ପ୍ରୋତ୍ସାହନ ଓ ସହାୟତା ଯୋଗାଇ ଦିଆଯିବ । ଏହାଛଡା ଏଥିପାଇଁ ମନୋନୀତ ହୋଇଥିବା ରାଜ୍ୟଗୁଡିକ ସହ ଘନିଷ୍ଠ ସମ୍ପର୍କ ରଖି ଏହି କାର୍ଯ୍ୟକ୍ରମରେ ଦିଗ୍‌ଦର୍ଶନ ପ୍ରଦାନ କରାଯିବ ।

ପର୍ଯ୍ୟାୟ-୩- ବାଜରା ଜାତୀୟ ଫସଲର ଚାଷ ଓ ମୋଟ ଶସ୍ୟ ବ୍ୟବହାର କ୍ଷେତ୍ରରେ ଭାରତର ଜ୍ଞାନ ଓ ଅଭିଜ୍ଞତାକୁ ବିକାଶଶୀଳ ରାଷ୍ଟ୍ରଙ୍କ ପାଖରେ ପହଞ୍ଚାଇ ଏହି ଖାଦ୍ୟଶସ୍ୟକୁ ଖାଉଟିଙ୍କ ପାଇଁ ପ୍ରମୁଖ ବ୍ୟବହାର୍ଯ୍ୟ ସାମଗ୍ରୀରେ ପରିଣତ କରିବାକୁ ଉଦ୍ୟମ ହେବ । ଏହା ଫଳରେ ଏହି ଖାଦ୍ୟ ମୁଖ୍ୟଧାରାକୁ ସହଜରେ ଆସିପାରିବ ।

ପର୍ଯ୍ୟାୟ ୪- ଜଳବାୟୁ ସ୍ଥିତିସ୍ଥାପକ ଓ ପରିବର୍ତ୍ତିତ ପାଣିପାଗ ଉପଯୋଗୀ କୃଷି ଜୀବିକା ନିର୍ମାଣ ଓ ଦକ୍ଷତା ବିକାଶ ଦିଗରେ କାର୍ଯ୍ୟ କରାଯିବ ।

Categories
ଆଜିର ଖବର ଜାତୀୟ ଖବର

ଓଡିଶାରେ ମୁଣ୍ଡ ପିଛା ଆୟ ବୃଦ୍ଧି ପାଉଛି: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଆଜି ରାଜ୍ୟ ସରକାର ସହିତ ବୈଠକ ଆରମ୍ଭ କରିଛନ୍ତି। ଏହି ବୈଠକରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର, ସଦସ୍ୟ ଭି କେ ପଲ ଉପସ୍ଥିତ ଥିବା ବେଳେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି। ଏତଦବ୍ୟତୀତ ମୁଖ୍ୟ ସଚିବ, ଉନ୍ନୟନ କମିଶନର, ଅନ୍ୟ ପଦାଧିକାରୀ ଉପସ୍ଥିତ ଅଛନ୍ତି। ତେବେ ଏହି ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ଫୋକସ ରାଜ୍ୟ ସହ ଅନ୍ୟ ଦାବି ଉପସ୍ଥାପନ କରାଯିବା ନେଇ ସୂଚନା ରହିଛି।

କିନ୍ତୁ ଓଡିଶା ପହଞ୍ଚିବା ପରେ ନୀତି ଆୟୋଗ ଉପାଧ୍ୟକ୍ଷ ଏକ ବଡ ବୟାନ ଦେଇଥିଲେ। ଓଡିଶାରେ ମୁଣ୍ଡ ପିଛା ଆୟ ବୃଦ୍ଧି ପାଉଛି ବୋଲି ରାଜୀବ କୁମାର କହିଥିଲେ। ୨୦୧୧ ମସିହା ଠାରୁ ୨୦୨୦ ପର୍ଯ୍ୟନ୍ତ ଓଡିଶାର ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଥିବା ନେଇ ସେ କହିଥିଲେ। ଦେଶ ତୁଳନାରେ ଏହା ଅଧିକ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଜିଲ୍ଲାସ୍ତରୀୟ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ନୀତି ଆୟୋଗର ଅନୁଧ୍ୟାନ ରିପୋର୍ଟ ଉନ୍ମୋଚିତ

ନୂଆଦିଲ୍ଲୀ: ନୀତି ଆୟୋଗ ପକ୍ଷରୁ ଦେଶର ଦ୍ୱିତୀୟ ଓ ତୃତୀୟସ୍ତର ଚିକିତ୍ସା ସେବା କ୍ଷେତ୍ର ଏବଂ ଜିଲ୍ଲାସ୍ତରର ଜରୁରୀକାଳୀନ ତଥା ଆଘାତ ଚିକିତ୍ସା ସେବା ସମ୍ପର୍କରେ ଦୁଇଟି ଆକଳନ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟ ଦୁଇଟିରେ ବ୍ୟାପକ ତଥ୍ୟାବଳୀ ରହିଛି। ଗୋଟିଏ ରିପୋର୍ଟ ଦ୍ୱୟରେ ମାଧ୍ୟମିକ ଓ ତୃତୀୟକ ସ୍ୱାସ୍ଥ୍ୟ ସେବା ସୁବିଧା ସମ୍ପର୍କରେ ହୋଇଥିବାବେଳେ ଅନ୍ୟଟି ଜିଲ୍ଳାସ୍ତରୀୟ ଜରୁରୀ ଓ ଆଘାତଜନିତ ଚିକିତ୍ସାସେବା ଯୋଗାଣ ତଥା ଯତ୍ନ ଉପରେ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟ ଦ୍ୱୟରେ ସମ୍ପୃକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଯୋଗାଣର ପରିସର, ସ୍ଥିତି, ଏହା ଉପରେ ନିର୍ଭର କରୁଥିବା ରୋଗୀଙ୍କ ବୋଝ, ବିଶେଷକରି ଜରୁରୀ ଚିକିତ୍ସା ଚାହୁଁଥିବା ରୋଗୀଙ୍କ ସଂଖ୍ୟା, ଆମ୍ବୁଲାନ୍ସ ସେବା ଯୋଗାଣରେ ଥିବା ଅଭାବ, ସ୍ୱାସ୍ଥ୍ୟଭିତ୍ତିଭୂମିର ଅଭାବ ଅସୁବିଧା, ଆବଶ୍ୟକ ମାନବସମ୍ବଳ ଓ ଚିକିତ୍ସା ଉପକରଣର ଅଭାବ ଆଦି ସମ୍ପର୍କରେ ତଥ୍ୟ ରହିଛି।

ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି.କେ. ପାଲ, ଅତିରିକ୍ତ ସଚିବ ଡକ୍ଟର ରାଜେଶ ସରୱାଲ ଆଦି ଅତିଥିଙ୍କ ଉପସ୍ଥିତିରେ ଏହି ଦୁଇ ରିପୋର୍ଟ ଆଜି ନୂଆଦିଲ୍ଲୀରେ ଉନ୍ମୋଚିତ ହୋଇଛି।

ନୀତି ଆୟୋଗର ସହାୟତାରେ ନୂଆଦିଲ୍ଲୀସ୍ଥିତ ଏମ୍‌ସର ଜୟପ୍ରକାଶ ନାରାୟଣ ଆପେକ୍ସ ଟ୍ରଉମା ସେଣ୍ଟର(ଜେପିଏନଏଟିସି)ର ଇମରେଜେନ୍ସି ମେଡିସିନ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଇ ଏହି ଦୁଇ ରିପୋର୍ଟ ପ୍ରସ୍ତୁତ କରାଯାଉଛି।

ରିପୋର୍ଟର ମୁଖବନ୍ଧ ଲେଖିଛନ୍ତି ନୀତି ଆୟୋଗର ସଦସ୍ୟ ଭି.କେ ପାଲ। ସେଥିରେ ସେ ସମଗ୍ର ଦେଶ ପାଇଁ ଏକ ବିଶ୍ୱସ୍ତରୀୟ ଦକ୍ଷ, ପେସାଦାର, ସମନ୍ୱିତ ‘ଏମର୍ଜେନ୍ସି କେୟାର’ ବ୍ୟବସ୍ଥା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି। ସେ ଲେଖିଛନ୍ତି ଯେ ଏହି ସମନ୍ୱିତ ଜରୁରୀ ଚିକିତ୍ସା ଓ ସେବା ବ୍ୟବସ୍ଥା ଟେକ୍‌ନୋଲୋଜି ଦ୍ୱାରା ପରିଚାଳିତ ହେବା ଆବଶ୍ୟକ। ଏହାଫଳରେ ଦୁର୍ଘଟଣା, ଜରୁରୀ ଚିକିତ୍ସା ଏବଂ ଟ୍ରଉମାର ସମ୍ମୁଖୀନ ବ୍ୟକ୍ତିଙ୍କୁ ଦେଶର ଯେକୌଣସି ପ୍ରାନ୍ତରେ ତୁରନ୍ତ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ। ଏହି ଲକ୍ଷ୍ୟପୂରଣ କରିବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ଜରୁରୀ ଚିକିତ୍ସା ଓ ସେବା ଯୋଗାଣ ବ୍ୟବସ୍ଥାର ଆକଳନ କରାଯାଇଥିଲା। ଏଥିରୁ ମିଳିଥିବା ତଥ୍ୟ ଉପରେ ବିଚାର ଆଲୋଚନା କରାଯିବ।

ନୂଆଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ସମଗ୍ର ଦେଶ ପାଇଁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଣ ବ୍ୟବସ୍ଥା ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଏହି ଚିକିତ୍ସା ବ୍ୟବସ୍ଥାରେ ହୃଦ୍‌ରୋଗ, ହୃଦ୍‌ଘାତ, ଶ୍ୱାସପ୍ରଶ୍ୱାସଜନିତ ରୋଗ, ଗର୍ଭବତୀ, ପ୍ରସୂତି ଓ ଶିଶୁରୋଗ ତଥା ଆଘାତ ଜନିତ ଜରୁରୀ ଚିକିତ୍ସା ପରାମର୍ଶ ଓ ସେବା ଯୋଗାଇ ଦେବାର ବିଶେଷ ଆବଶ୍ୟକତା ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି। ଏହି ସମନ୍ୱିତ ସେବା ଓ ଚିକିତ୍ସାର ଅଭାବ ଯୋଗୁଁ ଦେଶରେ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି ଓ ଦୁର୍ଘଟଣା ଆଦି କାରଣରୁ ଉପଯୁକ୍ତ ଚିକିତ୍ସା ନ ପାଇଁ ଅଧିକ ଲୋକ ପଙ୍ଗୁ ହେଉଥିବା ସେ ଦର୍ଶାଇଛନ୍ତି।

ଦେଶର ୨୮ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଂଚଳର ୧୦୦ସରକାରୀ ଓ ବେସରକାରୀ ଏମର୍ଜେନ୍ସି ଓ କେୟାର(ଜରୁରୀ ଚିକିତ୍ସା ଓ ସେବା) ଚିକିତ୍ସା କେନ୍ଦ୍ରର ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ଏଥିରେ ଦେଶର ୩୪ଗୋଟି ଜିଲ୍ଲା ଅନ୍ତର୍ଭୁକ୍ତ। ସମ୍ପୃକ୍ତ ଅନୁଧ୍ୟାନରୁ ପ୍ରାପ୍ତ ତଥ୍ୟକୁ ଭଲଭାବେ ପରୀକ୍ଷାନିରୀକ୍ଷା କରାଯାଇ ଜରୁରୀ ଚିକିତ୍ସା ଓ ସେବା ଯୋଗାଣ କ୍ଷେତ୍ରରେ ଥିବା ପ୍ରମୁଖ ଅଭାବ ଅସୁବିଧାଗୁଡିକୁ ଚିହ୍ନଟ କରାଯାଇଛି। ସେଥିରେ ରହିଛି ଆମ୍ବୁଲାନ୍ସ ସେବା, ଭିତ୍ତିଭୂମି, ମାନବସମ୍ବଳ, ଚିକିତ୍ସାଉପକରଣ, ଅତ୍ୟାବଶ୍ୟକ ଔଷଧପତ୍ର, ସେବା ଯୋଗାଣ ବ୍ୟବସ୍ଥା ଏବଂ ବିଭିନ୍ନ ରୋଗର ବୋଝ ସଂକ୍ରାନ୍ତ ପ୍ରକୃତ ସ୍ଥିତି। ସେସବୁ ବିଷୟରେ ଉଭୟ ରିପୋର୍ଟରେ ବସ୍ତୁନିଷ୍ଟ  ତଥ୍ୟ ରହିଛି। ଏହାସହିତ ଏହି ଦୁଇ ରିପୋର୍ଟରେ ସେବା ଯତ୍ନର ବାସ୍ତବ ତଥ୍ୟାବଳୀ ଓ ଟିକିନିଖି ତଥ୍ୟ ସ୍ଥାନ ପାଇଛି।

ରିପୋର୍ଟରେ କୁହାଯାଇଛି ଯେ ସମ୍ବଳ ଅଭାବରୁ ସବୁ ରୋଗୀଙ୍କୁ ଶ୍ରେଷ୍ଠ ଚିକିତ୍ସାସେବା ଓ ଯତ୍ନ ଯୋଗାଇ ଦିଆଯାଇ ପାରୁ ନ ଥିବା ପରମ୍ପରା(ଟ୍ରାଏଜ୍‌) ଫଳରେ କେବଳ ଅତି ଗୁରୁତର ରୋଗୀଙ୍କୁ ଚିକିତ୍ସାସେବାରେ ଗୁରୁତ୍ୱ ଦିଆଯିବା ପ୍ରଥାର ଅବସାନ ଘଟିବା ଆବଶ୍ୟକ। ଏହାଛଡା ରୋଗୀସେବାରେ ଏକ ମାନକୀକୃତ ବିଧିବ୍ୟବସ୍ଥା, ବିଶ୍ୱସ୍ତରୀୟ, ଆମ୍ବୁଲାନ୍ସ ସେବା, ବ୍ୟାଙ୍କଗୁଡିକର ସମ୍ପ୍ରସାରଣ ଏବଂ ଦକ୍ଷ ଓ ଆବଶ୍ୟକ ସଂଖ୍ୟକ ପାରା ମେଡିକାଲ ଷ୍ଟାଫଙ୍କ ନିଯୁକ୍ତି ପାଇଁ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିଭଳି ଜରୁରୀକାଳୀନ ସେବା ପରିସରରେ ଗୁରୁତର ଆହତଙ୍କୁ ତତ୍କାଳ ଉପଯୁକ୍ତ ଚିକିତ୍ସା ଓ ସେବା ଯତ୍ନ ଯୋଗାଣ ଉପରେ ରିପୋର୍ଟ ଗୁରୁତ୍ୱ ଦେଇଛି। ରିପୋର୍ଟ ଅନୁସାରେ ଏକ ସୁଦୃଢ, ସମନ୍ୱିତ ଜରୁରୀ ଚିକିତ୍ସାସେବା ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଅକାଳମୃତ୍ୟୁ ଏବଂ ଅକ୍ଷମତାଜନିତ ଦୁଃଖଦ ଜୀବନ ବଞ୍ଚିତ ସମସ୍ୟାକୁ ଅନେକାଂଶରେ ଦୂର କରାଯାଇପାରିବ।

ଦେଶରେ ସ୍ୱାସ୍ଥ୍ୟସେବା ଓ ଜରୁରୀ ଚିକିତ୍ସା/ବ୍ୟବସ୍ଥା ସମ୍ପର୍କରେ ନୀତି ପ୍ରଣୟନବେଳେ ଏହି ଦୁଇ ରିପୋର୍ଟର ତଥ୍ୟାବଳୀ ବିଶେଷ ସହାୟକ ହେବ। (ପି.ଆଇ.ବି.)