Categories
ଆଜିର ଖବର ଜାତୀୟ ଖବର

“ନ୍ୟାୟ ବ୍ୟବସ୍ଥାରେ ବିଶ୍ୱାସର ଏକ ସୁବର୍ଣ୍ଣ ବର୍ଷ” କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ନୂତନ ଅପରାଧିକ ଆଇନ୍‍ର ସଫଳ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ “ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସର ଏକ ସୁବର୍ଣ୍ଣ ବର୍ଷ” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଦିଲ୍ଲୀର ଉପରାଜ୍ୟପାଳ ଭି. କେ. ସାକ୍ସେନା, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, କେନ୍ଦ୍ର ଗୃହ ସଚିବ ଏବଂ ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଅମିତ ଶାହ କହିଥିଲେ ଯେ ନୂତନ ଅପରାଧିକ ଆଇନ ଉପରେ ଏକ ପ୍ରଦର୍ଶନୀ ମଧ୍ୟ ଆଜି ଉଦଘାଟିତ ହୋଇଛି। ସେ ଉଲ୍ଲେଖ କରିଥିଲେ ଯେ ଯେତେବେଳେ ଏହି ପ୍ରଦର୍ଶନୀ ପୂର୍ବରୁ ଚଣ୍ଡିଗଡ଼ରେ ଅନୁଷ୍ଠିତ ହୋଇଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନଙ୍କୁ ଦେଶର ପ୍ରତ୍ୟେକ ରାଜ୍ୟରେ ଏହି ପ୍ରଦର୍ଶନୀ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଉଦ୍ଦେଶ୍ୟ ଥିଲା ସାମ୍ବାଦିକ, ବରିଷ୍ଠ ପୋଲିସ ଅଧିକାରୀ, ବାର୍ ଆସୋସିଏସନର ସଦସ୍ୟ, ସମସ୍ତ ନ୍ୟାୟିକ ଅଧିକାରୀ ଏବଂ ବିଶେଷ କରି ବିଦ୍ୟାଳୟ ଏବଂ କଲେଜର ଛାତ୍ରଛାତ୍ରୀମାନେ ଏହାକୁ ଦେଖିପାରିବେ ଏବଂ ନୂତନ ଅପରାଧିକ ଆଇନ ବିଷୟରେ ଜାଣିପାରିବେ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନୀ ଆୟୋଜନ କରିଥିବାରୁ ଶ୍ରୀ ଶାହ କେନ୍ଦ୍ର ଗୃହ ସଚିବ ଏବଂ ତାଙ୍କ ସମଗ୍ର ଟିମ୍‍କୁ ଅଭିନନ୍ଦନ ଜଣାଇଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରବର୍ତ୍ତିତ ତିନୋଟି ନୂତନ ଅପରାଧିକ ଆଇନ ସୁଲଭ, ସଂଗତ ଏବଂ ସୁଗମ୍ୟ ହେବ, ଏବଂ ନ୍ୟାୟିକ ପ୍ରକ୍ରିୟାକୁ ସରଳ, ଅଧିକ ସୁସଂଗତ ଏବଂ ସ୍ୱଚ୍ଛ ମଧ୍ୟ କରିବ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସାମାଜିକ, ଆର୍ଥିକ ଏବଂ ରାଜନୈତିକ ନ୍ୟାୟ ଉପରେ ଆଧାରିତ ଶାସନର ଏକ ସୁବର୍ଣ୍ଣ ଯୁଗ ଆରମ୍ଭ ହେବାକୁ ଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଗାମୀ ଦିନରେ ଆମର ଅପରାଧିକ ନ୍ୟାୟ ବ୍ୟବସ୍ଥା ଏକ ନୂତନ ଯୁଗରେ ପ୍ରବେଶ କରିବ, ଯାହା ନିଶ୍ଚିତ ଭାବରେ ଲୋକଙ୍କ ମଧ୍ୟରେ ଏକ ଦୃଢ ବିଶ୍ୱାସର ଭାବନା ସୃଷ୍ଟି କରିବ ଯେ ନ୍ୟାୟ ତୁରନ୍ତ ପ୍ରଦାନ କରାଯିବ। ସେ କହିଥିଲେ ଯେ ନୂଆ ଆଇନ ‘‘ଯଦି ମୁଁ ଏଫ୍. ଆଇ. ଆର୍. ଦାଖଲ କରେ ତେବେ କ’ଣ ହେବ” ଭୟର ସ୍ଥାନରେ ଆତ୍ମବିଶ୍ୱାସ ସହିତ ଦର୍ଶାଇବ ଯେ  ‘‘ଏଫ୍. ଆଇ. ଆର୍. ଦାଖଲ କରିବା ଦ୍ୱାରା ତୁରନ୍ତ ନ୍ୟାୟ ମିଳିବ”।

ଅମିତ ଶାହ କହିଥିଲେ ଯେ ନୂଆ ଅପରାଧିକ ଆଇନ ଆଗାମୀ ଦିନରେ ଭାରତୀୟ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଆଣିବ। ସେ କହିଥିଲେ ଯେ ପୂର୍ବରୁ ଆମ ନ୍ୟାୟ ବ୍ୟବସ୍ଥାରେ ସବୁଠାରୁ ବଡ଼ ସମସ୍ୟା ଥିଲା ଯେ କେବେ ନ୍ୟାୟ ମିଳିବ ତାହା କେହି ଜାଣି ନଥିଲେ। ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରାୟ ତିନି ବର୍ଷ ମଧ୍ୟରେ ଏହି ଆଇନଗୁଡ଼ିକର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ପରେ ଏଫ୍. ଆଇ. ଆର୍. ଦାଖଲ କରିବା ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଦେଶରେ ନ୍ୟାୟ ପ୍ରଦାନ କରାଯିବ। ସେ ବ୍ୟାଖ୍ୟା କରିଥିଲେ ଯେ ଏହି ଆଇନ ନାଗରିକମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାୟୀ ତିନୋଟି ପ୍ରମୁଖ ସ୍ତମ୍ଭ-ପୋଲିସ, ଅଭିଯୋଜନ ଏବଂ ନ୍ୟାୟପାଳିକା ଉପରେ କଠୋର ସମୟସୀମା ଲାଗୁ କରିଥାଏ। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ନୂତନ ଆଇନରେ ୯୦ ଦିନ ମଧ୍ୟରେ ତଦନ୍ତ ଶେଷ କରିବା, ଚାର୍ଜସିଟ୍ ଦାଖଲ କରିବା, ଚାର୍ଜଫ୍ରେମ୍ କରିବା ଏବଂ ରାୟ ପ୍ରଦାନ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ନୂତନ ଆଇନରେ ଅନେକ ଜ୍ଞାନକୌଶଳ ଆଧାରିତ ବ୍ୟବସ୍ଥା ମଧ୍ୟ ରହିଛି, ଯାହା ଥରେ କାର୍ଯ୍ୟକାରୀ ହେଲେ, ଅପରାଧୀମାନଙ୍କୁ ସନ୍ଦେହର ଲାଭ ଉଠାଇ ଦଣ୍ଡରୁ ରକ୍ଷା ପାଇବାର କୌଣସି ସୁଯୋଗ ମିଳିବ ନାହିଁ। ସେ କହିଥିଲେ ଯେ ନୂତନ ଅପରାଧିକ ନ୍ୟାୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବା ପରେ ଆମ ଦେଶରେ ଦଣ୍ଡବିଧାନ ହାରରେ ଉଲ୍ଲେଖନୀୟ ଉନ୍ନତି ଘଟିବ ଏବଂ ଅପରାଧୀମାନଙ୍କୁ ନିଶ୍ଚିତ ଭାବେ ଦଣ୍ଡିତ କରାଯିବ। ଶ୍ରୀ ଶାହ କହିଥିଲେ ଯେ ତିନୋଟି ନୂତନ ଆଇନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ପରେ, ଜ୍ଞାନକୌଶଳର ବ୍ୟବହାର ସହିତ, ଆମର ନ୍ୟାୟ ବ୍ୟବସ୍ଥା ବିଶ୍ୱର ସବୁଠାରୁ ଆଧୁନିକ ନ୍ୟାୟ ବ୍ୟବସ୍ଥାରେ ପରିଣତ ହେବ।

ଅମିତ ଶାହ କହିଥିଲେ ଯେ ପ୍ରାୟ ୮୯ଟି ଦେଶର ନ୍ୟାୟ ବ୍ୟବସ୍ଥାର ଅଧ୍ୟୟନ କରିବା ପରେ ଏବଂ ସେମାନଙ୍କଠାରୁ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ଆଇନଗତ ଭାବେ ଅନ୍ତର୍ଭୁକ୍ତ କରିବା ପରେ, ଏହି ବ୍ୟବସ୍ଥାଗୁଡ଼ିକୁ ନତନ ଆଇନରେ ସାମିଲ କରାଯାଇଛି। ମୋଦୀ ସରକାର ଭାରତୀୟ ଦୃଷ୍ଟିକୋଣରୁ ଏହି ଆଇନଗୁଡ଼ିକୁ ପ୍ରସ୍ତୁତ କରିଛନ୍ତି। ସେ କହିଥିଲେ ଯେ ପୂର୍ବ ଆଇନଗୁଡ଼ିକ ବ୍ରିଟିଶମାନଙ୍କ ଦ୍ୱାରା ଇଂଲଣ୍ଡର ସଂସଦରେ ସେମାନଙ୍କ ଶାସନକୁ ଦୀର୍ଘସ୍ଥାୟୀ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା, ଯେତେବେଳେ କି ନୂଆ ଅପରାଧିକ ଆଇନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ସରକାର ଦ୍ୱାରା ଭାରତୀୟ ନାଗରିକଙ୍କ ସୁବିଧା ପାଇଁ ପ୍ରସ୍ତୁତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ପୁରୁଣା ଆଇନର ଉଦ୍ଦେଶ୍ୟ ହେଉଛି ବ୍ରିଟିଶ ଶାସନକୁ ସମ୍ପ୍ରସାରିତ କରିବା ଏବଂ ସେମାନଙ୍କ ସମ୍ପତ୍ତିର ସୁରକ୍ଷା କରିବା, ଯେତେବେଳେ କି ନୂତନ ଆଇନର ଉଦ୍ଦେଶ୍ୟ ହେଉଛି ଭାରତୀୟ ନାଗରିକଙ୍କ ଜୀବନ, ସମ୍ପତ୍ତି ଏବଂ ସମସ୍ତ ସାମ୍ବିଧାନିକ ଗ୍ୟାରେଣ୍ଟି ପ୍ରାପ୍ତ ଅଧିକାରର ସୁରକ୍ଷା କରିବା।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଆଇପିସି ବଦଳରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ (ବିଏନ୍ଏସ୍), ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ (ବିଏନ୍ଏସ୍ଏସ୍) ଏବଂ ଭାରତୀୟ ପ୍ରମାଣ ଅଧିନିୟମ ବଦଳରେ ଭାରତୀୟ ସାକ୍ଷୀ ଅଧିନିୟମ ୨୦୨୩ (ବିଏସ୍ଏ) କାର୍ଯ୍ୟକାରୀ ହେବା ଦ୍ୱାରା ଏହା ଦର୍ଶାଉଛି ଯେ ଏହି ଆଇନର ଲକ୍ଷ୍ୟ ଦଣ୍ଡ ନୁହେଁ ବରଂ ନ୍ୟାୟ। ସେ କହିଥିଲେ ଯେ ଭାରତର ନ୍ୟାୟ ଯାତ୍ରା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହେବାକୁ ଯାଉଛି। ବର୍ତ୍ତମାନ ଏହି ପରିବର୍ତ୍ତନ କାଗଜରେ ନାହିଁ କାରଣ ଭାରତ ସରକାର ଏବଂ ରାଜ୍ୟ ସରକାରମାନେ ଏହି ଆଇନରେ ପ୍ରଯୁକ୍ତିବିଦ୍ୟା ଅନ୍ତର୍ଭୁକ୍ତ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଶ୍ରୀ ଶାହ କହିଥିଲେ ଯେ ଆମେ ପ୍ରତ୍ୟେକ ଅପରାଧରେ ଫୋରେନସିକ୍ ପରୀକ୍ଷା ବାଧ୍ୟତାମୂଳକ କରିଛୁ, ଯେଉଁଥିରେ ୭ ବର୍ଷ କିମ୍ବା ତା ‘ଠାରୁ ଅଧିକ ଦଣ୍ଡର ବ୍ୟବସ୍ଥା ରହିଛି ଏବଂ ଏବେ ଜାତୀୟ ସ୍ୱୟଂକ୍ରିୟ ଫିଙ୍ଗରପ୍ରିଣ୍ଟ ଆଇଡେଣ୍ଟିଫିକେସନ୍ ସିଷ୍ଟମ (ନାଫିସ୍) ର ମଧ୍ୟ ବହୁତ ଭଲ ବ୍ୟବହାର କରାଯାଉଛି। ସେହିଭଳି, ପକସୋ ମାମଲାରେ, ଡିଏନ୍ଏ ମେଳ କୌଣସି ଅପରାଧୀକୁ ଦଣ୍ଡରୁ ରକ୍ଷା ପାଇବାକୁ ଦେବ ନାହିଁ।

ଅମିତ ଶାହ କହିଥିଲେ ଯେ ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୧୪ ଲକ୍ଷ ୮୦ ହଜାର ପୋଲିସ କର୍ମଚାରୀ, ୪୨ ହଜାର କର୍ମଚାରୀ, ୧୯ ହଜାରରୁ ଅଧିକ ନ୍ୟାୟିକ ଅଧିକାରୀ ଏବଂ ୧୧ ହଜାରରୁ ଅଧିକ ସରକାରୀ ଓକିଲଙ୍କୁ ତାଲିମ ଦିଆଯାଇଛି। ସେ କହିଥିଲେ ଯେ ଗତ ଏକ ବର୍ଷ ମଧ୍ୟରେ ଆମେ ନିରନ୍ତର ସମୀକ୍ଷା ବୈଠକ କରିଛୁ ଏବଂ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୧୦୦ ପ୍ରତିଶତ କ୍ଷମତା ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ୧୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଇ-ପ୍ରମାଣ ଏବଂ ଇ-ସମନର ବିଜ୍ଞପ୍ତି ଜାରି କରାଯାଇଛି, ୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ନ୍ୟାୟ ଶ୍ରୁତି ବିଜ୍ଞପ୍ତି ଜାରି କରାଯାଇଛି ଏବଂ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦଣ୍ଡାଦେଶ ବିଜ୍ଞପ୍ତି ଜାରି କରାଯାଇଛି। ସେ କହିଥିଲେ ଯେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଦିଲ୍ଲୀ ସରକାର ଏହି ଆଇନଗୁଡ଼ିକୁ ତ୍ୱରାନ୍ୱିତ ଭାବେ ଲାଗୁ କରିବା ଦିଗରେ ଯଥାସମ୍ଭବ ପ୍ରୟାସ କରିଛନ୍ତି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ନୂତନ ଆଇନର କାର୍ଯ୍ୟକାରିତାରେ, ବ୍ୟାପକ ପରାମର୍ଶ ମାଧ୍ୟମରେ ଛୋଟ ଛୋଟ ତ୍ରୁଟି ପୂରଣ କରାଯାଇଛି ଏବଂ ବହୁ ଅଂଶୀଦାର ଦୃଷ୍ଟିକୋଣ ସହିତ ଅନେକ କାର୍ଯ୍ୟ କରାଯାଇଛି। ଶ୍ରୀ ଶାହ କହିଥିଲେ ଯେ ଏହି ଆଇନଗୁଡ଼ିକ ଉପରେ ସେ ନିଜେ ୧୬୦ଟି ବୈଠକ କରିଥିଲେ। ସେ କହିଥିଲେ ଯେ ୨୦୧୯ ମସିହାରେ ଆମେ ସମସ୍ତ ରାଜ୍ୟପାଳ, ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପ୍ରଶାସକ, ମୁଖ୍ୟ ବିଚାରପତି, ବାର୍ କାଉନସିଲ୍ ଏବଂ ଆଇନ ବିଶ୍ୱବିଦ୍ୟାଳୟ ଏବଂ ବିପିଆର ଆଣ୍ଡ ଡି ସହିତ ସମସ୍ତ ଆଇପିଏସ୍ ଅଧିକାରୀଙ୍କ ଠାରୁ ପରାମର୍ଶ ମାଗିଥିଲୁ। ସେ କହିଛନ୍ତି ଯେ ଏହା ପରେ ଏକ କମିଟି ଗଠନ କରାଯାଇଥିଲା ଏବଂ ପ୍ରତ୍ୟେକ ବିଭାଗକୁ ପଢ଼ି ଏବଂ ସମସ୍ତ ପରାମର୍ଶକୁ ବିଚାର କରି ଏହି ଆଇନଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଥିଲା।

ଅମିତ ଶାହ କହିଛନ୍ତି ଯେ ଶିଶୁ ଏବଂ ମହିଳାଙ୍କ ବିରୋଧରେ ଅପରାଧ ଉପରେ ଏହି ଆଇନରେ ଏକ ପୃଥକ ଅଧ୍ୟାୟ ଯୋଡାଯାଇଛି। ପ୍ରଥମ ଥର ପାଇଁ ଆତଙ୍କବାଦକୁ ପରିଭାଷିତ କରାଯାଇଛି ଏବଂ ସଙ୍ଗଠିତ ଅପରାଧକୁ ମଧ୍ୟ ପରିଭାଷିତ କରାଯାଇଛି ଏବଂ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି। ସେ କହିଛନ୍ତି ଯେ ନୂତନ ଆଇନରେ ଡାଇରେକ୍ଟର ଅଫ୍ ପ୍ରସିକ୍ୟୁସନ୍ ପାଇଁ ମଧ୍ୟ ଏକ ବ୍ୟବସ୍ଥା କରାଯାଇଛି ଯାହା ଦଣ୍ଡବିଧାନ ହାରକୁ ବହୁ ପରିମାଣରେ ବୃଦ୍ଧି କରିବ।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ କେବଳ ପୋଲିସ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏସବୁ କରିପାରିବ ନାହିଁ। ନୂତନ ଆଇନର ସଫଳ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ, ସଚେତନତା ଏବଂ ଜନସାଧାରଣଙ୍କ ଅଧିକାର ବିଷୟରେ ଜ୍ଞାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଶାହ କହିଥିଲେ ଯେ ଯେତେବେଳେ ବି ଏହି ଆଇନଗୁଡ଼ିକର ବିଶ୍ଳେଷଣ କରାଯିବ, ସେଗୁଡ଼ିକୁ ସ୍ୱାଧୀନତା ପରର ସବୁଠାରୁ ବଡ଼ ସଂସ୍କାର ଭାବେ ବିବେଚନା କରାଯିବ, କାରଣ ଲୋକମାନଙ୍କ ଅଧିକାରର ସୁରକ୍ଷା କରୁଥିବା ନ୍ୟାୟ ବ୍ୟବସ୍ଥାକୁ ସ୍ୱଚ୍ଛ, ନାଗରିକ କୈନ୍ଦ୍ରିକ ଏବଂ ସମୟବଦ୍ଧ କରିବା ଠାରୁ ବଡ଼ ସଂସ୍କାର ଆଉ କିଛି ହୋଇପାରିବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ପୋଲିସ ଏକାଡେ଼ମୀ ତରଫରୁ ଆୟୋଜିତ “ନୂତନ ଅପରାଧିକ ଆଇନ” ସମ୍ପର୍କିତ କର୍ମଶାଳା

ଭୁବନେଶ୍ଵର: ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ନିମନ୍ତେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀ ତରଫରୁ ଆୟୋଜିତ “ନୂତନ ଅପରାଧିକ ଆଇନ” ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆନୁଷ୍ଠାନିକ ଭାବେ ଉଦଘାଟନ କରି ତିନୋଟି ନୂତନ ଆଇନର ମୌଳିକ ଉପାଦାନ ଉପରେ ଆଲୋକପାତ କରିଥିଲେ।

ଏହି କର୍ମଶାଳାରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥାନ (ସିବିଆଇ) ର ପୂର୍ବତନ ସ୍ଵତନ୍ତ୍ର ନିର୍ଦ୍ଦେଶକ ଧରମ ଚାନ୍ଦ ଜୈନ ଓ ସିବିଆଇ ର prosecution ନିର୍ଦ୍ଦେଶିକା ପଦ୍ମିନୀ ସିଂହ Resource Person ଭାବେ ଯୋଗ ଦେଇ ଭାରତୀୟ ନ୍ୟାୟ ସଂହିତା (BNS), ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ଆଗାମୀ ଦିନରେ ପରିବର୍ତ୍ତିତ ନୂତନ ଆଇନର କାର୍ଯ୍ୟକାରିତା ଏବଂ ତୃଣ ମୂଳ ସ୍ତରରେ ଏହାର ସଠିକ ଉପଯୋଗ ହେବା କ୍ଷେତ୍ରରେ ବରିଷ୍ଠ ପୋଲିସ ଅଧିକାରୀମାନେ ଗୁରୁ ଦାୟିତ୍ୱ ତୁଲାଇବେ ବୋଲି ଡିଜିପି ଆଶା ବ୍ୟକ୍ତ କରିଛନ୍ତି।

ଆଇନ ବ୍ୟବସ୍ଥାକୁ ବଜାୟ ରଖିବା ସହ ପ୍ରତ୍ୟେକ ନାଗରିକଙ୍କ ଅଧିକାର ଏବଂ ମର୍ଯ୍ୟାଦାକୁ ସୁରକ୍ଷା ଦେବା ପାଇଁ ବଦ୍ଧପରିକର ହୋଇ କାର୍ଯ୍ୟ କରିବାକୁ ଡିଜିପି ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ଦୃଢ ଇଚ୍ଛାଶକ୍ତି ଏବଂ ବୃତ୍ତିଗତ୍ତ ଦକ୍ଷତାର ସହିତ ଏହି ଆଇନଗତ ସଂସ୍କାର ଭାରତର ନ୍ୟାୟିକ ବ୍ୟବସ୍ଥାରେ ଏକ ମାଇଲଖୁଣ୍ଟ ଭାବେ ପରିଗଣିତ ହେବ ଏବଂ ନ୍ୟାୟ ବ୍ୟବସ୍ଥାରେ ଜନସାଧାରଣଙ୍କ ବିଶ୍ୱାସକୁ ଆହୁରି ମଜବୁତ କରି ଗଢି ତୋଳିବାକୁ ଡିଜିପି ଆହ୍ୱାନ ଦେଇଛନ୍ତି।

ଏହି ନୂତନ ଅପରାଧିକ ଆଇନ ଗୁଡ଼ିକ ଦଣ୍ଡ କେନ୍ଦ୍ରିକ ହେବା ପରିବର୍ତ୍ତେ ନ୍ୟାୟ କେନ୍ଦ୍ରିକ ହେବା ଦିଗରେ କାର୍ଯ୍ୟ କରିବାକୁ ଡିଜିପି କହିଛନ୍ତି।

ଏହି ନୂତନ ଅପରାଧିକ ଆଇନ ଗୁଡିକ ନ୍ୟାୟ ବ୍ୟବସ୍ଥାରେ ଏକ ଐତିହାସିକ ପରିବର୍ତ୍ତନକୁ ପ୍ରତିନିଧିତ୍ୱ କରିବା ସହ ଆଧୁନିକ ଭାରତର ଗଣତନ୍ତ୍ର, ସାମ୍ବିଧାନିକ ଏବଂ ସାମାଜିକ-ସାଂସ୍କୃତିକ ମୂଲ୍ୟବୋଧରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଡିଜିପି ଆଶା ବ୍ୟକ୍ତ କରିଥିଲେ।

ଏହି ଆଇନଗୁଡ଼ିକୁ କାର୍ଯ୍ୟକାରୀ କରିବାର ପ୍ରାଥମିକ ସଂସ୍ଥା ହେଉଛି ପୋଲିସ। ତେଣୁ ପ୍ରତ୍ୟେକ ପୋଲିସ କର୍ମଚାରୀ ଆଇନର ପ୍ରତିଟି ଶବ୍ଦ ସହିତ ଏହାର ଆତ୍ମାକୁ ମଧ୍ୟ ସଠିକ ଭାବେ ବୁଝି କାର୍ଯ୍ୟ କ୍ଷେତ୍ରରେ ଉପଯୋଗ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ।

ଏହା ସହ ତଦନ୍ତରେ ଦକ୍ଷତା ବୃଦ୍ଧି, ପୀଡିତଙ୍କୁ ସୁନିଶ୍ଚିତ ନ୍ୟାୟ ପ୍ରଦାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏହି ନୂତନ ଆଇନ ଆହୁରି ସଶକ୍ତ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ଏହି ନୂତନ ଆଇନ ଆତଙ୍କବାଦ, ସଂଗଠିତ ହତ୍ୟା ଏବଂ ସଂଗଠିତ ଅପରାଧ ଭଳି ଜଘନ୍ୟ ଅପରାଧର ବ୍ୟାପକ ସଂଜ୍ଞା ପ୍ରଦାନ କରି ଅଛି। ସମୟସୀମା, ଇଲେକ୍ଟ୍ରୋନିକ୍ ସମନ, ଇ-FIR, ବୟାନର ଭିଡିଓ ରେକର୍ଡିଂ ଏବଂ ଡିଜିଟାଲ୍ ଫୋରେନ୍ସିକ୍ କୌଶଳ ଭଳି ଡିଜିଟାଲ୍ ଉପକରଣର ବ୍ୟବହାରକୁ ଏହି ଆଇନ ପ୍ରୋତ୍ସାହିତ କରିଥାଏ ବୋଲି ସେ କହିଥିଲେ।

ଏହି ପରିବର୍ତ୍ତିତ ଆଇନ ଗୁଡ଼ିକ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ପୀଡିତଙ୍କୁ ନ୍ୟାୟ, ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ତଦନ୍ତ ଏବଂ ସମୟସୀମା ପ୍ରକ୍ରିୟା ଉପରେ ଗୁରୁତ୍ୱାରୋପ କରୁଛି।

ଏହି କର୍ମଶାଳାରେ ଭୁବନେଶ୍ୱର ଓ କଟକରେ କାର୍ଯ୍ୟରତ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିବା ବେଳେ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ, ସମସ୍ତ ବାଟାଲିୟନର କମାଣ୍ଡାଣ୍ଟ ଓ ସମସ୍ତ ପୋଲିସ ରେଞ୍ଜର ପୋଲିସ ଅଧିକାରୀ ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ। ପୋଲିସ ଏକାଡେ଼ମୀର ନିର୍ଦ୍ଦେଶକ ସଂଜୀବ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଆଇଜି ତାଲିମ ଅନୁପ ସାହୁ ଏହି କର୍ମଶାଳାକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ତିନୋଟି ନୂତନ ଅପରାଧିକ ଆଇନ ଉପରେ ସମୀକ୍ଷା କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସହ ରାଜ୍ୟରେ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ପୋଲିସ, କାରାଗାର, ଅଦାଲତ, ଅଭିଯୋଜନ ଏବଂ ଫରେନ୍ସିକ୍ ସମ୍ବନ୍ଧୀୟ ବିଭିନ୍ନ ନୂତନ ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରାଯାଇଥିଲା। ଏହି ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ, ଆନ୍ଧ୍ର ପ୍ରଦେଶର ମୁଖ୍ୟ ସଚିବ ଏବଂ ଗୃହ ମନ୍ତ୍ରଣାଳୟ ତଥା ଆନ୍ଧ୍ର ପ୍ରଦେଶ ସରକାରଙ୍କ ବରିଷ୍ଠ ଅଧିକାରୀ, ପୋଲିସ ମହାନିର୍ଦ୍ଦେଶକ, ବିପିଆର ଆଣ୍ଡ ଡି ମହାନିର୍ଦ୍ଦେଶକ ଏବଂ ଏନସିଆରବି ନିର୍ଦ୍ଦେଶକ ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅଣାଯାଇଥିବା ତିନୋଟି ନୂଆ ଅପରାଧିକ ଆଇନ ଭାରତୀୟ ସମ୍ବିଧାନର ଭାବନାକୁ ପ୍ରତିଫଳିତ କରିବା ଏବଂ ସେଗୁଡ଼ିକୁ ବାସ୍ତବ ରୂପ ଦେବା ପାଇଁ ଉଦ୍ଦିଷ୍ଟ। ସେ କହିଥିଲେ ଯେ କେବଳ ନୂଆ ଅପରାଧିକ ଆଇନ ପ୍ରଣୟନ ଦ୍ୱାରା ନାଗରିକ ଅଧିକାର ସୁଦୃଢ଼ ହେବ ନାହିଁ, ବରଂ ନାଗରିକମାନଙ୍କୁ ଅଧିକାର ପ୍ରଦାନ କରିବା ପାଇଁ ତୃଣମୂଳ ସ୍ତରରେ ଏହି ଆଇନଗୁଡ଼ିକର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ଆବଶ୍ୟକ। ଶ୍ରୀ ଅମିତ ଶାହ କହିଥିଲେ ଯେ ନାଗରିକମାନେ କେବଳ ନୂତନ ଅପରାଧିକ ଆଇନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ଦ୍ୱାରା ସେମାନଙ୍କର ଅଧିକାର ପାଇପାରିବେ, ଯେଉଁଥିପାଇଁ ଜ୍ଞାନକୌଶଳର ବ୍ୟବହାର ଏବଂ ନିରନ୍ତର ତଦାରଖ ଆବଶ୍ୟକ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ନୂତନ ଅପରାଧିକ ଆଇନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ପାଇଁ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାର ସ୍ଥିତିକୁ ସମୀକ୍ଷା କରିବା ଉଚିତ । ଏହା ରାଜ୍ୟରେ ନୂତନ ଆଇନର ଶୀଘ୍ର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ପଥ ପରିଷ୍କାର କରିବ। ସେ କହିଥିଲେ ଯେ ଯଥାକ୍ରମେ ୬୦ ଏବଂ ୯୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବା ଏବଂ ଚାର୍ଜ ପ୍ରସ୍ତୁତ ପାଇଁ ସମୟସୀମା ନିର୍ଦ୍ଧାରଣ କରିବା ଗୁରୁତ୍ୱପୂର୍ଣ୍ଣ।

ଅମିତ ଶାହ କହିଥିଲେ ଯେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ମାସକୁ ଥରେ, ମୁଖ୍ୟ ଶାସନ ସଚିବ ପନ୍ଦର ଦିନରେ ଏବଂ ଗୃହ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ ସପ୍ତାହରେ ଥରେ ରାଜ୍ୟରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାର ସ୍ଥିତି ସମୀକ୍ଷା କରିବା ଉଚିତ।

ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କ ନେତୃତ୍ୱରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ମାଧ୍ୟମରେ ଭାରତୀୟ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ବିରାଟ ପରିବର୍ତ୍ତନ ଆଣିବା ପାଇଁ କରାଯାଇଥିବା ପ୍ରୟାସ ପାଇଁ ଧନ୍ୟବାଦ ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରରେ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ସମୀକ୍ଷା କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ମହାରାଷ୍ଟ୍ରରେ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ରାଜ୍ୟରେ ପୋଲିସ, କାରାଗାର, ଅଦାଲତ, ଅଭିଯୋଜନ ଏବଂ ଫରେନ୍ସିକ୍ ସମ୍ବନ୍ଧୀୟ ବିଭିନ୍ନ ନୂତନ ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରାଯାଇଥିଲା। ଏହି ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ, ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକ, ପୁଲିସ ଗବେଷଣା ଏବଂ ବିକାଶ ବ୍ୟୁରୋ (ବିପିଆରଡି)ର ମହାନିର୍ଦ୍ଦେଶକ, ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ମହାନିର୍ଦ୍ଦେଶକ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ ମୋଦୀ ସରକାର ଦେଶବାସୀଙ୍କୁ ଏକ ଦ୍ରୁତ ଏବଂ ସ୍ୱଚ୍ଛ ନ୍ୟାୟ ବ୍ୟବସ୍ଥା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ସେ କହିଥିଲେ ଯେ ଆଇନ ଶୃଙ୍ଖଳା ସୁଦୃଢ଼ କରିବା ପାଇଁ ଅପରାଧ ପଞ୍ଜିକୃତ ହେବା ଜରୁରୀ, ତେଣୁ ଏଫ୍ଆଇଆର ଦାଖଲ କରିବାରେ କୌଣସି ବିଳମ୍ବ ହେବା ଉଚିତ ନୁହେଁ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ମହାରାଷ୍ଟ୍ର ନୂତନ ଅପରାଧିକ ଆଇନ ଆଧରରେ ଏକ ମଡେଲ୍ ଡାଇରେକ୍ଟୋରେଟ୍ ଅଫ୍ ପ୍ରସିକ୍ୟୁସନ୍ ସିଷ୍ଟମ୍ ପ୍ରତିଷ୍ଠା କରିବା ଉଚିତ। ୭ ବର୍ଷରୁ ଅଧିକ ଦଣ୍ଡାଦେଶ ଥିବା ମାମଲାରେ ୯୦ ପ୍ରତିଶତରୁ ଅଧିକ ଦଣ୍ଡବିଧାନ ହାର ହାସଲ କରିବା ପାଇଁ ପ୍ରୟାସ କରାଯିବା ଉଚିତ ଏବଂ ଦୋଷୀମାନଙ୍କୁ ଯଥାଶୀଘ୍ର ଦଣ୍ଡ ଦେବା ପାଇଁ ପୋଲିସ, ସରକାରୀ ଓକିଲ ଏବଂ ନ୍ୟାୟପାଳିକା ମିଳିତ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଅପରାଧ ସମ୍ବନ୍ଧୀୟ ଧାରାଗୁଡ଼ିକର ଅପବ୍ୟବହାରକୁ ରୋକିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀମାନେ ନିୟମିତ ଭାବେ ସଙ୍ଗଠିତ ଅପରାଧ, ଆତଙ୍କବାଦ ଏବଂ ଗଣଦୁଷ୍କର୍ମ ମାମଲା ଉପରେ ନଜର ରଖିବା ଉଚିତ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଦୋହରାଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ କାରାଗାର, ସରକାରୀ ଡାକ୍ତରଖାନା, ବ୍ୟାଙ୍କ, ଫରେନ୍ସିକ ବିଜ୍ଞାନ ପରୀକ୍ଷାଗାର (ଏଫଏସଏଲ) ଇତ୍ୟାଦି ସୁବିଧା କ୍ଷେତ୍ରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରମାଣ ରେକର୍ଡିଂ ପାଇଁ ଏକ ବ୍ୟବସ୍ଥା ରହିବା ଉଚିତ। ଶ୍ରୀ ଶାହ ଏହା ମଧ୍ୟ କହିଥିଲେ ଯେ ଏପରି ଏକ ବ୍ୟବସ୍ଥା ଲାଗୁ କରାଯିବା ଉଚିତ, ଯେଉଁଥିରେ ‘କ୍ରାଇମ୍ ଆଣ୍ଡ କ୍ରିମିନାଲ୍ ଟ୍ରାକିଂ ନେଟୱାର୍କ ଆଣ୍ଡ ସିଷ୍ଟମ୍ “(ସିସିଟିଏନ୍ଏସ୍) ଜରିଆରେ ଦୁଇ ରାଜ୍ୟ ମଧ୍ୟରେ ଏଫ୍ଆଇଆର୍ ହସ୍ତାନ୍ତର କରାଯାଇପାରିବ। ସେ ସୁପାରିଶ କରିଥିଲେ ଯେ ମହାରାଷ୍ଟ୍ର ସିସିଟିଏନ୍ଏସ୍ ୨.୦ ଏବଂ ଆଇସିଜେଏସ୍ ୨.୦ ଗ୍ରହଣ କରିବା ଉଚିତ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ ଇଲେକ୍ଟ୍ରୋନିକ ଡାସବୋର୍ଡ ମାଧ୍ୟମରେ ପଚରାଉଚରା ପାଇଁ ପୋଲିସ ହେପାଜତରେ ଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେବା ଉଚିତ୍। ଥାନା ଇଣ୍ଟରନେଟ ସଂଯୋଗକୁ ଉନ୍ନତ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଶାହ ଏହା ମଧ୍ୟ କହିଥିଲେ ଯେ ପ୍ରତ୍ୟେକ ପୁଲିସ ଉପଖଣ୍ଡରେ ଫୋରେନସିକ ବିଜ୍ଞାନ ସୁବିଧା ଥିବା ଭ୍ରାମ୍ୟମାଣ ଯାନର ଉପଲବ୍ଧତା ସୁନିଶ୍ଚିତ କରାଯିବା ଉଚିତ। ସ୍ୱରାଷ୍ଟ୍ର ମନ୍ତ୍ରୀ ଫରେନ୍ସିକ୍ ବିଶେଷଜ୍ଞ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଫରେନ୍ସିକ୍ ବିଭାଗରେ ଖାଲି ଥିବା ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବାକୁ ଅନୁରୋଧ କରିଥିଲେ।

ଅମିତ ଶାହ ମହାରାଷ୍ଟ୍ର ସରକାରଙ୍କୁ ରାଜ୍ୟର ଫିଙ୍ଗର ପ୍ରିଣ୍ଟ ଆଇଡେଣ୍ଟିଫିକେସନ୍ ସିଷ୍ଟମକୁ ଜାତୀୟ ସ୍ୱୟଂଚାଳିତ ଫିଙ୍ଗର ପ୍ରିଣ୍ଟ ଆଇଡେଣ୍ଟିଫିକେସନ୍ ସିଷ୍ଟମ (ଏନଏଏଫଆଇଏସ୍‍) ସହିତ ସମନ୍ୱିତ କରିବାକୁ ଅନୁରୋଧ କରିଥିଲେ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ନୂତନ ଅପରାଧିକ ଆଇନର ବ୍ୟବସ୍ଥା ଅନୁଯାୟୀ ଅପରାଧୀମାନଙ୍କଠାରୁ ଉଦ୍ଧାର ହୋଇଥିବା ସମ୍ପତ୍ତି ଏହାର ପ୍ରକୃତ ମାଲିକଙ୍କୁ ଫେରାଇ ଦେବା ପାଇଁ ପୋଲିସ ଏକ ବ୍ୟବସ୍ଥା ପ୍ରତିଷ୍ଠା କରିବା ଉଚିତ୍। ଥାନାଗୁଡ଼ିକୁ ଅଧିକ ଗ୍ରହଣୀୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରାଜ୍ୟରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଦ୍ୱି-ସାପ୍ତାହିକ ସମୀକ୍ଷା କରିବା ଉଚିତ, ଯେତେବେଳେ କି ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ ପ୍ରତି ସପ୍ତାହରେ ସମୀକ୍ଷା କରିବା ଉଚିତ।

Categories
ଜାତୀୟ ଖବର ବିଶେଷ ଖବର

ନୂତନ ଅପରାଧିକ ଆଇନକୁ ନେଇ ଜନସାଧାରଣଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରାଯାଉଛି: ଅମିତ ଶାହ

ନୂଆଦିଲ୍ଲୀ: ଆଜିଠାରୁ ସାରା ଦେଶରେ ଲାଗୁ ହୋଇଥିବା ୩ ଟି ନୂଆ ଅପରାଧିକ ଆଇନକୁ ଦଣ୍ଡ ପରିବର୍ତ୍ତେ ନ୍ୟାୟଭିତ୍ତିକ ଏବଂ ପୀଡ଼ିତା କେନ୍ଦ୍ରୀତ ଦୃଷ୍ଟିକୋଣ ନେଇ ପ୍ରସ୍ତୁତ କରାଯାଇଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ କହିଛନ୍ତି। ନୂଆ ଆଇନରେ ଦଣ୍ଡ ବଦଳରେ ନ୍ୟାୟକୁ ପ୍ରାଥମିକତା ଦିଆଯିବ, ବିଳମ୍ବ ପରିବର୍ତ୍ତେ ଶୀଘ୍ର ବିଚାର ଓ ତ୍ୱରିତ ନ୍ୟାୟ ପ୍ରଦାନ କରାଯିବା ସହ ପୀଡ଼ିତାଙ୍କ ଅଧିକାରର ସୁରକ୍ଷା ସୁନିଶ୍ଚିତ କରାଯିବ। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହ କହିଛନ୍ତି ଯେ, ନୂତନ ଅପରାଧିକ ଆଇନକୁ ନେଇ ବିଭିନ୍ନ ମିଥ୍ୟା ଅପପ୍ରଚାର କରାଯାଉଛି, ଯାହାର ଉଦ୍ଦେଶ୍ୟ ହେଉଛି ଏହି ଆଇନଗୁଡ଼ିକ ବିଷୟରେ ଜନସାଧାରଣଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା। ସେ କହିଛନ୍ତି ଯେ, ନୂଆ ଆଇନର ପ୍ରତ୍ୟେକ ଦିଗ ଉପରେ ୪ ବର୍ଷ ଧରି ବିଭିନ୍ନ ଅଂଶୀଦାରଙ୍କ ସହ ବ୍ୟାପକ ଆଲୋଚନା ହୋଇଛି ଏବଂ ସ୍ୱାଧୀନ ଭାରତର କୌଣସି ଆଇନ ଉପରେ ଏତେ ବିସ୍ତୃତ ଆଲୋଚନା ହୋଇନାହିଁ।

ସ୍ୱାଧୀନତାର ୭୭ ବର୍ଷ ପରେ ଭାରତର ଅପରାଧିକ ନ୍ୟାୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ୱଦେଶୀ ହେବାରେ ଲାଗିଛି ଏବଂ ଆଜିଠାରୁ ଦେଶର ପ୍ରତ୍ୟେକ ଥାନାରେ ଏହି ତିନୋଟି ନୂଆ ଆଇନ କାର୍ଯ୍ୟକାରୀ ହୋଇଛି ବୋଲି ଗୃହମନ୍ତ୍ରୀ କହିଛନ୍ତି। ଅମିତ ଶାହ କହିଛନ୍ତି ଯେ ଏହି ଆଇନଗୁଡ଼ିକରେ ଦଣ୍ଡ ବଦଳରେ ନ୍ୟାୟ, ବିଳମ୍ବ ପରିବର୍ତ୍ତେ ଶୀଘ୍ର ବିଚାର ଓ ତ୍ୱରିତ ନ୍ୟାୟ ପାଇଁ ବ୍ୟବସ୍ଥା କରାଯାଇଛି। ଏହାସହିତ ପୂର୍ବ ଆଇନ କେବଳ ପୋଲିସର ଅଧିକାରକୁ ସୁରକ୍ଷିତ ରଖିଥିଲା କିନ୍ତୁ ଏବେ ଏହି ନୂଆ ଆଇନରେ ପୀଡ଼ିତା ଏବଂ ଅଭିଯୋଗକାରୀଙ୍କ ଅଧିକାରକୁ ମଧ୍ୟ ସୁରକ୍ଷିତ ରଖିବାର ବ୍ୟବସ୍ଥା ରହିଛି।

ଅମିତ ଶାହ କହିଛନ୍ତି ଯେ ଏହି ତିନୋଟି ନୂତନ ଆଇନ ଆମ ଦେଶର ସମଗ୍ର ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଭାରତୀୟ ଭାବନାକୁ ପ୍ରତିଫଳିତ କରୁଛି। ସେ କହିଛନ୍ତି ଯେ ଏହି ଆଇନରେ ଅନେକ ବ୍ୟବସ୍ଥା ରହିଛି ଯାହା ଦେଶର ନାଗରିକଙ୍କ ପାଇଁ ଲାଭଦାୟକ ହେବ। ସେ କହିଛନ୍ତି ଯେ ଏହି ଆଇନଗୁଡ଼ିକରେ ବ୍ରିଟିଶ ସମୟରୁ ଜାରି ରହିଥିବା ଓ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଅନେକ ବିବାଦୀୟ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି ଏବଂ ନୂତନ ଧାରା ଯୋଡ଼ାଯାଇଛି ଯାହାର ବର୍ତ୍ତମାନ ସମୟରେ ପ୍ରାସଙ୍ଗିକତା ରହିଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ଏହି ଆଇନଗୁଡ଼ିକରେ ଭାରତୀୟ ସମ୍ବିଧାନର ଭାବନା ଅନୁଯାୟୀ ଧାରା ଏବଂ ଅଧ୍ୟାୟଗୁଡ଼ିକର ପ୍ରାଥମିକତା ନିର୍ଦ୍ଧାରଣ କରାଯାଇଛି। ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି ବୋଲି ସେ କହିଛନ୍ତି। ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ଉପରେ ଏକ ନୂଆ ଅଧ୍ୟାୟ ଯୋଡ଼ାଯାଇଛି, ଯେଉଁଥିରେ ୩୫ଟି ଧାରା ଓ ୧୩ଟି ବ୍ୟବସ୍ଥା ରହିଛି, ନୂଆ ଆଇନକୁ ଅଧିକ ସମ୍ବେଦନଶୀଳ କରାଯାଇଛି। ସେହିପରି ମବ୍ ଲିଞ୍ଚିଂ ବା ଭିଡ଼ ଦ୍ୱାରା ଆକ୍ରମଣ ଅପରାଧ ପାଇଁ ପୂର୍ବ ଆଇନରେ କୌଣସି ବ୍ୟବସ୍ଥା ନଥିଲା; କିନ୍ତୁ ଏହି ନୂଆ ଆଇନରେ ପ୍ରଥମ ଥର ପାଇଁ ଭିଡ଼ ଦ୍ୱାରା ଆକ୍ରମଣକୁ ପରିଭାଷିତ କରାଯାଇଛି ଏବଂ ଏଥିପାଇଁ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି। ଶ୍ରୀ ଶାହ କହିଛନ୍ତି ଯେ, ନୂଆ ଆଇନରେ ଇଂରେଜମାନଙ୍କ ଦ୍ୱାରା ପ୍ରସ୍ତୁତ ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରାଯାଇଛି। ସେ କହିଛନ୍ତି ଯେ ନୂଆ ଆଇନରେ ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ଏକ ନୂତନ ଧାରା ଯୋଡାଯାଇଛି ଯାହା ଅଧୀନରେ ଭାରତର ଏକତା ଓ ଅଖଣ୍ଡତାକୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତିଙ୍କ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି।

ଅମିତ ଶାହ କହିଛନ୍ତି ଯେ ତିନୋଟି ନୂତନ ଆଇନ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବା ପରେ ସବୁଠାରୁ ଆଧୁନିକ ନ୍ୟାୟିକ ବ୍ୟବସ୍ଥା ସୃଷ୍ଟି କରିବ। କେବଳ ତିନୋଟି ନୂଆ ଆଇନରେ ବୈଷୟିକ ଜ୍ଞାନକୌଶଳକୁ ଗ୍ରହଣ କରାଯାଇନାହିଁ ବରଂ ଆଗାମୀ ୫୦ ବର୍ଷ ମଧ୍ୟରେ ଆସୁଥିବା ସମସ୍ତ ଜ୍ଞାନକୌଶଳକୁ ଏଥିରେ ଅନ୍ତର୍ଭୁକ୍ତ କରିବାର ବ୍ୟବସ୍ଥା କରାଯାଇଛି। ଦେଶର ୯୯.୯ ପ୍ରତିଶତ ଥାନାକୁ କମ୍ପ୍ୟୁଟରୀକରଣ କରାଯାଇଛି ଏବଂ ୨୦୧୯ରେ ଇ-ରେକର୍ଡ ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନୂଆ ଆଇନରେ ଜିରୋ-ଏଫଆଇଆର, ଇ-ଏଫଆଇଆର ଏବଂ ଚାର୍ଜସିଟ୍ ସବୁ ଡିଜିଟାଲ ହେବ ବୋଲି ସେ କହିଛନ୍ତି। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ନୂତନ ଆଇନଗୁଡ଼ିକ ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଏକ ସମୟ ସୀମା ଧାର୍ଯ୍ୟ କରିଛନ୍ତି ଏବଂ ଆଇନଗୁଡ଼ିକର ସମ୍ପୂର୍ଣ୍ଣ ରୂପାୟନ ନ୍ୟାୟ ପାଇଁ ସୀମାହୀନ ପ୍ରତୀକ୍ଷାର ଅନ୍ତ ଘଟିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଫଆଇଆର ଦାଖଲ କରିବାର ୩ ବର୍ଷ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ନ୍ୟାୟ ମିଳିପାରିବ।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ନୂତନ ଆଇନରେ ୭ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡନୀୟ ଅପରାଧରେ ଫରେନସିକ୍ ତଦନ୍ତ ବାଧ୍ୟତାମୂଳକ କରାଯାଇଛି, ଯାହା ନ୍ୟାୟକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ଏବଂ ଦୋଷୀ ସାବ୍ୟସ୍ତ ହାର ୯୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଶ୍ରୀ ଶାହ କହିଛନ୍ତି ଯେ, ନୂଆ ଆଇନରେ ଫରେନସିକ୍ ପରିଦର୍ଶନକୁ ବାଧ୍ୟତାମୂଳକ କରିବା ପାଇଁ ସରକାର ୨୦୨୦ରେ ଏକ ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ନେଇଥିଲେ ଏବଂ ଜାତୀୟ ଫରେନସିକ୍ ସାଇନ୍ସ ଲାବୋରେଟୋରି ପ୍ରତିଷ୍ଠା କରିଥିଲେ। ଏଥିପାଇଁ ପ୍ରଶିକ୍ଷିତ ମାନବସମ୍ବଳର ଆବଶ୍ୟକତା ପଡ଼ିବ ଏବଂ ଦେଶରେ ୩ ବର୍ଷ ପରେ ୪୦ ହଜାରରୁ ଅଧିକ ପ୍ରଶିକ୍ଷିତ ମାନବସମ୍ବଳ ରହିଥିବେ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ୍ ନିକଟରେ ଫରେନସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ପ୍ରତିଷ୍ଠା ଏବଂ ଆହୁରି ୯ଟି ରାଜ୍ୟରେ ୬ଟି କେନ୍ଦ୍ରୀୟ ଫରେନ୍ସିକ୍ ଲାବୋରେଟୋରି ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି।

ଅମିତ ଶାହ କହିଥିଲେ ଯେ ଭାରତୀୟ ସାକ୍ଷ ଅଧିନିୟମ ୨୦୨୩ ମଧ୍ୟ ପ୍ରମାଣ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିଛି। ସେ କହିଛନ୍ତି ଯେ ଇଲେକ୍ଟ୍ରୋନିକ୍ ପ୍ରମାଣର ବିଶ୍ୱସନୀୟତା ବୃଦ୍ଧି ପାଇଁ ଅନେକ ବ୍ୟବସ୍ଥା କରାଯାଇଛି। ଏବେ ସର୍ଭର୍ ଲଗ୍, ଅବସ୍ଥାନ ପ୍ରମାଣ ବା ଲୋକେସନ୍‌ ଏଭିଡେନ୍ସ ଏବଂ ଭଏସ୍ ମେସେଜ୍ କୁ ପ୍ରମାଣ ଭାବରେ ବ୍ୟାଖ୍ୟା କରାଯାଇଛି। ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଉଲ୍ଲେଖ କରାଯାଇଥିବା ସମସ୍ତ ଭାଷାରେ ଏହି ତିନୋଟି ଆଇନ ଉପଲବ୍ଧ ହେବ ଏବଂ ସେହି ଭାଷାଗୁଡ଼ିକରେ ଅଦାଲତଙ୍କ ପ୍ରକ୍ରିୟା ମଧ୍ୟ ହେବ ବୋଲି ଶ୍ରୀ ଶାହ କହିଛନ୍ତି।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ପ୍ରତ୍ୟେକ ରାଜ୍ୟର ଗୃହ ବିଭାଗ ଏବଂ ନ୍ୟାୟ ମନ୍ତ୍ରଣାଳୟ ଏହି ଆଇନଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟାପକ ପ୍ରୟାସ କରିଛନ୍ତି। ସେ କହିଛନ୍ତି ଯେ, ନୂଆ ଆଇନରେ ବର୍ତ୍ତମାନ ସମୟର ପ୍ରାସଙ୍ଗିକତା ଅନୁଯାୟୀ ଧାରା ଯୋଡାଯାଇଛି ଏବଂ ବିବାଦୀୟ ଥିବା ଅନେକ ଧାରାକୁ ହଟାଇ ଦିଆଯାଇଛି, କାରଣ ଏସବୁ ଧାରା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିଲେ। ଶ୍ରୀ ଶାହ କହିଛନ୍ତି ଯେ, ନୂତନ ଆଇନ ଉପରେ ପ୍ରାୟ ୨୨.୫ ଲକ୍ଷ ପୋଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ୧୨୦୦୦ ମାଷ୍ଟର ଟ୍ରେନରଙ୍କୁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୩ ହଜାରରୁ ଅଧିକ ମାଷ୍ଟର ଟ୍ରେନରଙ୍କୁ ମାନ୍ୟତାପ୍ରାପ୍ତ ଅନୁଷ୍ଠାନ ସାହାଯ୍ୟରେ ତାଲିମ ଦିଆଯାଇଛି। ନ୍ୟାୟପାଳିକାରେ ୨୧ ହଜାର ଅଧସ୍ତନ ନ୍ୟାୟପାଳିକା ଅଧିକାରୀଙ୍କୁ ତାଲିମ ଦିଆଯାଇଥିବା ବେଳେ ୨୦ ହଜାର ସରକାରୀ ଓକିଲଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଲୋକସଭାରେ ମୋଟ ୯ ଘଣ୍ଟା ୨୯ ମିନିଟ୍ ଧରି ଏହି ଆଇନ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା ଯେଉଁଥିରେ ୩୪ ଜଣ ସଦସ୍ୟ ଅଂଶଗ୍ରହଣ କରି ନିଜର ମତାମତ ଦେଇଥିଲେ ଏବଂ ରାଜ୍ୟସଭାରେ ଏହା ଉପରେ ୬ ଘଣ୍ଟା ୧୭ ମିନିଟ୍ ଆଲୋଚନା ହୋଇଥିଲା ଯେଉଁଥିରେ ୪୦ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ। ସେ କହିଛନ୍ତି ଯେ ସଂସଦ ସଦସ୍ୟଙ୍କ ବହିଷ୍କାର ପରେ ଏହି ଆଇନ ପାରିତ ହୋଇଛି ବୋଲି ମିଥ୍ୟା ଅପପ୍ରଚାର କରାଯାଉଛି। ସେ କହିଛନ୍ତି ଯେ ବହିଷ୍କୃତ ସଦସ୍ୟମାନଙ୍କ ପାଖରେ ଗୃହକୁ ଆସି ଆଲୋଚନାରେ ଅଂଶଗ୍ରହଣ କରି ନିଜର ମତ ରଖିବାର ବିକଳ୍ପ ଥିଲା, କିନ୍ତୁ ଜଣେ ବି ସଦସ୍ୟ ତାହା କରିନଥିଲେ।