Categories
ଆଜିର ଖବର ରାଜ୍ୟ ଖବର

ପୁରୀରୁ ଆରମ୍ଭ ହୋଇଛି ଦିନିକିଆ କୋଷ୍ଟାଲ ଟେକ୍ରିଂ: ଜାଣନ୍ତୁ ଏହାର ଉଦ୍ଧେଶ୍ୟ

ପୁରୀ: ପରିବେଶ ସଚେତନତା, ଅଲିଭ ରିଡଲେ କଇଁଛ ସୁରକ୍ଷା ତଥା ବେଳାଭୂମି ପରିଷ୍କାର, ପରିଚ୍ଛନ୍ନତା ରଖିବା ସଚେତନତାର ବାର୍ତ୍ତା ନେଇ ପୁରୀରୁ ଆରମ୍ଭ ହୋଇଛି ଦିନିକିଆ କୋଷ୍ଟାଲ ଟେକ୍ରିଂ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ସାଇକ୍ଲିଂ କ୍ଲବ ଦ୍ୱାରା ଏହି ଟ୍ରେକିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଚଳିତ ବର୍ଷ ନବମ ସଂସ୍କରଣରେ ପହଂଚିଛି। ବେଳାଭୂମି ସଫେଇ କାର୍ଯ୍ୟ ସହ ଇକୋ ସିଷ୍ଟମ ସନ୍ତୁଳନ ଲାଗି କାର୍ଯ୍ୟ କରିବା ଲକ୍ଷ ନେଇ ଏହି ଟ୍ରେକିଂ ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ବର୍ଗରୁ ପ୍ରାୟ ୫୦ରୁ ଅଧିକ ସଭ୍ୟ ଅଂଶଗ୍ରହଣ କରିଥିଲେ।

ପୁରୀରୁ ଚିଲିକା ଧଳାବାଲି ପର୍ଯ୍ୟନ୍ତ ପ୍ରାୟ ୩୨ କିଲୋମିଟରର ଏହି ଟ୍ରେକିଂ ଦ୍ୱାରା ଏଥିରେ ସାମିଲ ହୋଇଥିବା ସଭ୍ୟ ମାନେ ବିଶେଷ ଉପକୃତ ହେଉଥିବା ମତ ରଖିଥିଲେ। ଏଥି ସହ ଏହି ଟ୍ରେକିଂ ମାଧ୍ୟମରେ ଉପକୂଳ ଇକୋ ପର୍ଯ୍ୟଟନ ବୃଦ୍ଧି ନେଇ ସ୍ୱତନ୍ତ୍ର କ୍ୟାମ୍ପେନ କରାଯାଇଥିବା ନଜରକୁ ଆସିଅଛି।ଟ୍ରେକିଂରେ ଭାଗ ନେଇଥିବା ସମସ୍ତ ସଦସ୍ୟ ମାନେ ହାତରେ ବିଭିନ୍ନ ସଚେତନତା ବାର୍ତ୍ତାର ପ୍ଲା କାର୍ଡ ଧରି ଟ୍ରେକିଂ ରେ ବାହାରିଥିବା ବେଳେ ବେଶ ଉତ୍ସାହିତ ଥିବା ନଜରକୁ ଆସିଥିଲା। ବିଶେଷତଃ ପୁରୀର ବେଳାଭୂମିକୁ ସ୍ୱଚ୍ଛ ରଖିବା ସହ ପରିବେଷକୁ ପରିଷ୍କାର ରଖିବା ଓ କଇଁଛ ସୁରକ୍ଷା ନେଇ ଏହି ଟ୍ରେକିଂ ରେ ସାମିଲ ହୋଇ ଅନେକ ଖୁସି ବ୍ୟକ୍ତ କରିବା ସହ ନିଜକୁ ଧନ୍ୟ ମନେ କରିଥିଲେ।

ତେବେ ପୁରୀ ବ୍ଲୁ ଫ୍ଲାଗ ସମୁଦ୍ର ବେଳଭୂମିରୁ ଏହି ଟ୍ରେକିଂ ର ଶୁଭାରମ୍ଭ ହୋଇଥିବା ବେଳେ ପୁରୀ ଏସ୍ପି ଭିନିତ ଅଗ୍ରୱାଲ ଏହାକୁ ଉଦଘାଟନ କରିଥିଲେ। ଅନ୍ୟ ପକ୍ଷରେ ଏପରି ଟ୍ରେକିଂ କାର୍ଯ୍ୟକ୍ରମ ଦ୍ୱାରା ସଚେତନତା ବାର୍ତା ପ୍ରଦାନ କରିବା ସହ ଶରୀର ମଧ୍ୟ ସୁସ୍ଥ ରହିବାରେ ସହାୟକ ହୋଇ ପାରୁଥିବା ଆୟୋଜକ ଭୁବନେଶ୍ୱରର ସାଇକ୍ଲିଂ କ୍ଲବ ର ସଦସ୍ୟ ତଥା ବରିଷ୍ଠ ଆଇପିଏସ ଅଧିକାରୀ ସଂଜୀବ ପଣ୍ଡା ମତ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଢେଙ୍କାନାଳରେ ‘କପିଳାସ ହାଫ୍ ମାରାଥନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ: ଢେଙ୍କାନାଳ କପିଳାସ ଅଭୟାରଣ୍ୟର ସବୁଜ ସୁନ୍ଦର ପରିବେଶରେ ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ‘କପିଳାସ ହାଫ୍ ମାରାଥନ’ ଦ୍ୱିତୀୟ ସଂସ୍କରଣର ଶୁଭାରମ୍ଭ ହୋଇଯାଇଛି। ହାତୀ ସୁରକ୍ଷା ଓ ପରିବେଶ ସୁରକ୍ଷାର ସଚେତନତା ସୃଷ୍ଟି କରାଇବାରେ ଏହାକୁ ସାଧୁ ଉଦ୍ୟମ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ‘କପିଳାସ ହାଫ୍ ମାରାଥନ’ର ଦ୍ୱିତୀୟ ସଂସ୍କରଣକୁ ଶୁଭାରମ୍ଭ କରିବା ସହ ମାରାଥନରେ ସାମିଲ ହୋଇ ଆନନ୍ଦିତ। ଜୈବ ବିବିଧତାରେ ପରିପୂର୍ଣ୍ଣ କପିଳାସର ସଂରକ୍ଷଣ ଏବଂ ଗଜରାଜଙ୍କ ସୁରକ୍ଷା ଦିଗରେ ସାମାଜିକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ସ୍ୱାଗତଯୋଗ୍ୟ। ଏହି ହାଫ୍ ମାରାଥନରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଯୁବବର୍ଗ ଓ ବରିଷ୍ଠ ଲୋକମାନେ ଭାଗ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଟ୍ ଇଣ୍ଡିଆର ଆହ୍ୱାନ କ୍ରମେ ଏହି ମାରାଥନ ସମାଜରେ କେବଳ ସୁସ୍ଥ ଜୀବନଶୈଳୀ ଓ ଫିଟନେସକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ସମାଜରେ ପରିବେଶ ସୁରକ୍ଷା ଓ ପର୍ଯ୍ୟଟନର ବିକାଶରେ ମଧ୍ୟ ସଚେତନ କରାଇବ। ଏହି ମାରାଥନ, କପିଳାସକୁ ବିଶ୍ୱ ପର୍ଯ୍ୟଟନ ତଥା ମାରାଥନ ଦୌଡ଼ର ଏକ ପ୍ରମୁଖ ସ୍ଥଳ ଭାବରେ ପ୍ରତିଷ୍ଠିତ କରାଇବାରେ ସହାୟକ ହେବ।

ଆମର ପ୍ରାଚୀନ ପରମ୍ପରା, ସଂସ୍କୃତି ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଐରାବତ ବା ହାତୀର ସ୍ଥାନ ସ୍ୱତନ୍ତ୍ର। ହାତୀ ହେଉଛି ଆମର ଐତିହ୍ୟ ପ୍ରାଣୀ। ଗଜରାଜଙ୍କ ସୁରକ୍ଷା ତଥା ମନୁଷ୍ୟ ଓ ହାତୀ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଦିଗରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଢେଙ୍କାନାଳରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଆୟୋଜିତ ଏହି ମାରାଥନ ପ୍ରଶଂସନୀୟ। କପିଳାସ ଏକ ପର୍ଯ୍ୟଟନ ଭିତ୍ତିକ ସ୍ଥାନ। ଏଠାରେ କିପରି ପର୍ଯ୍ୟଟନ ଭିତ୍ତିଭୂମି ଏବଂ ପର୍ଯ୍ୟଟକଙ୍କ ପାଇଁ ସୁବିଧା ତ୍ୱରାନ୍ୱିତ ହେବ, ସେଥିପ୍ରତି ଆମେ ସମସ୍ତେ ଦାୟିତ୍ୱ ନେବା ଦରକାର। ଆକାଂକ୍ଷୀ ଜିଲ୍ଲା ଢେଙ୍କାନାଳର ସଂସ୍କୃତି, ଐତିହ୍ୟର ସଂରକ୍ଷଣ ସହ ଜିଲ୍ଲାର ସର୍ବାଙ୍ଗୀନ ବିକାଶ କରିବା ପାଇଁ ଡବଲ ଇଞ୍ଜିନ  ସରକାର ବଦ୍ଧପରିକର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ପରିବେଶ ଦିବସ ମାଧ୍ୟମରେ ପରିବେଶ ସଚେତନତାର ପ୍ରୟାସ

ରଣପୁର: ପୃଥିବୀ ପୃଷ୍ଠକୁ ମଣିଷ ରହିବା ଯୋଗ୍ୟ କରିବାକୁ ହେଲେ ପ୍ରକୃତି ଏବଂ ପରିବେଶକୁ ସୁରକ୍ଷିତ ରଖିବାକୁ ପଡ଼ିବ। ଆମ ପରିବେଶ ଜୀବଜଗତକୁ ବଞ୍ଚାଇ ରଖିବା ପାଇଁ ପାଣି, ପବନ, ଖାଦ୍ୟ ଭଳି ଅନେକ ଜରୁରି ତତ୍ତ୍ୱ ଉପଲବ୍ଧ କରାଇଥାଏ। କିନ୍ତୁ ଏକାଧିକ ମନୁଷ୍ୟକୃତ କାରଣ ପାଇଁ ଆମ ପରିବେଶ ପ୍ରଦୂଷିତ ତଥା ନଷ୍ଟ ହେବାରେ ଲାଗିଛି। ଜଳବାୟୁ ବିଗିଡ଼ିବା ସହ ବିଶ୍ୱତାପନ ବଢ଼ୁଛି। ସାମୁଦ୍ରିକ ପରିବେଶ ମଧ୍ୟ ନଷ୍ଟ ହେଉଛି। ଏଥିଯୋଗୁ ପ୍ରକୃତିକୁ ବିପୁଳ କ୍ଷତି ହେଉଛି। ତେଣୁ ପରିବେଶକୁ ସୁରକ୍ଷିତ ରଖିବା ପ୍ରତିଟି ମଣିଷର କର୍ତ୍ତବ୍ୟ ଏବଂ ସଭିଏ ଏଥିପ୍ରତି ସଚେତନ ହେବା ଜରୁରି। ଏ ନେଇ ଜନସଚେତନତା ବୃଦ୍ଧି ପାଇଁ ପ୍ରତିବର୍ଷ ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ଏହି ଦିନ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରରେ ଜନସଚେତନତା ବଣ୍ଟାଯାଏ।

ଏହି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ରଣପୁର ଶିକ୍ଷା ବ୍ଲକର ନରସିଂହପୁର କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ବିଭିନ୍ନ ଉପାୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି। ଏହା ସହ ବିଭିନ୍ନ ନୃତ୍ୟ, ନାଟକ, ବକ୍ତୃତା ପ୍ରତିଯୋଗିତା କରାଯାଇ ପିଲାମାନଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରାଯାଇଛି। କୃତି ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି।

ଏହି ଅଵସରରେ ଆମ୍ବ, ଅମୃତଭଣ୍ଡା, ପଣସ, କଦଳୀ ଆଦି ବୃକ୍ଷ ରୋପଣ କରାଯାଇଛି।  ସି.ଆର.ସି.ସି. ସୁଶୀଲ କୁମାର ରଣା ବିଭିନ୍ନ ବିଦ୍ୟାଳୟ ବୁଲି ଏହାର ପର୍ଯ୍ୟବେକ୍ଷଣ କରିଛନ୍ତି। ସେଗୁଡିକ ମଧ୍ୟରୁ ନରସିଂହପୁର ୟୁ.ଜି.ଏମ.ଇ ବିଦ୍ୟାଳୟ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ, ସାମନ୍ତରାୟପୁର ପ୍ରାଥମିକ ବିଦ୍ୟାଳୟ, ହଂସରା ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟକ୍ରମ ଅତ୍ୟନ୍ତ ସୁନ୍ଦର ହୋଇଛି।

ସେହିପରି ମଝିଆଖଣ୍ଡ, ଗୌରାଙ୍ଗପୁର, ରଣପୁର, ସୁନାଖଳା, କାସନ୍ଦା, ସରଙ୍ଗାଧରପୁର ଆଦି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ମଧ୍ୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି।

ବିଶ୍ୱ ପରିବେଶ ଦିବସର ଆରମ୍ଭ ୧୯୭୨ରେ ହୋଇଥିଲା। ଜାତିସଂଘ ୧୯୭୨ ଜୁନ୍‌ ୫ରେ ପ୍ରଥମ କରି ପରିବେଶ ଦିବସ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲା। ସୁଇଡେନ୍‌ର ରାଜଧାନୀ ଷ୍ଟକ୍‌ହୋମ୍‌ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଏଠାରେ ଆୟୋଜିତ ପ୍ରଥମ ପରିବେଶ ସମ୍ମିଳନୀରେ ୧୧୯ ଦେଶ ଭାଗ ନେଇଥିଲେ।