ବିଶ୍ୱ ପରିବେଶ ଦିବସ ମାଧ୍ୟମରେ ପରିବେଶ ସଚେତନତାର ପ୍ରୟାସ

Published: Jun 5, 2023, 2:50 pm IST

ରଣପୁର: ପୃଥିବୀ ପୃଷ୍ଠକୁ ମଣିଷ ରହିବା ଯୋଗ୍ୟ କରିବାକୁ ହେଲେ ପ୍ରକୃତି ଏବଂ ପରିବେଶକୁ ସୁରକ୍ଷିତ ରଖିବାକୁ ପଡ଼ିବ। ଆମ ପରିବେଶ ଜୀବଜଗତକୁ ବଞ୍ଚାଇ ରଖିବା ପାଇଁ ପାଣି, ପବନ, ଖାଦ୍ୟ ଭଳି ଅନେକ ଜରୁରି ତତ୍ତ୍ୱ ଉପଲବ୍ଧ କରାଇଥାଏ। କିନ୍ତୁ ଏକାଧିକ ମନୁଷ୍ୟକୃତ କାରଣ ପାଇଁ ଆମ ପରିବେଶ ପ୍ରଦୂଷିତ ତଥା ନଷ୍ଟ ହେବାରେ ଲାଗିଛି। ଜଳବାୟୁ ବିଗିଡ଼ିବା ସହ ବିଶ୍ୱତାପନ ବଢ଼ୁଛି। ସାମୁଦ୍ରିକ ପରିବେଶ ମଧ୍ୟ ନଷ୍ଟ ହେଉଛି। ଏଥିଯୋଗୁ ପ୍ରକୃତିକୁ ବିପୁଳ କ୍ଷତି ହେଉଛି। ତେଣୁ ପରିବେଶକୁ ସୁରକ୍ଷିତ ରଖିବା ପ୍ରତିଟି ମଣିଷର କର୍ତ୍ତବ୍ୟ ଏବଂ ସଭିଏ ଏଥିପ୍ରତି ସଚେତନ ହେବା ଜରୁରି। ଏ ନେଇ ଜନସଚେତନତା ବୃଦ୍ଧି ପାଇଁ ପ୍ରତିବର୍ଷ ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ଏହି ଦିନ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରରେ ଜନସଚେତନତା ବଣ୍ଟାଯାଏ।

ଏହି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ରଣପୁର ଶିକ୍ଷା ବ୍ଲକର ନରସିଂହପୁର କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ବିଭିନ୍ନ ଉପାୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି। ଏହା ସହ ବିଭିନ୍ନ ନୃତ୍ୟ, ନାଟକ, ବକ୍ତୃତା ପ୍ରତିଯୋଗିତା କରାଯାଇ ପିଲାମାନଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରାଯାଇଛି। କୃତି ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି।

ଏହି ଅଵସରରେ ଆମ୍ବ, ଅମୃତଭଣ୍ଡା, ପଣସ, କଦଳୀ ଆଦି ବୃକ୍ଷ ରୋପଣ କରାଯାଇଛି।  ସି.ଆର.ସି.ସି. ସୁଶୀଲ କୁମାର ରଣା ବିଭିନ୍ନ ବିଦ୍ୟାଳୟ ବୁଲି ଏହାର ପର୍ଯ୍ୟବେକ୍ଷଣ କରିଛନ୍ତି। ସେଗୁଡିକ ମଧ୍ୟରୁ ନରସିଂହପୁର ୟୁ.ଜି.ଏମ.ଇ ବିଦ୍ୟାଳୟ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ, ସାମନ୍ତରାୟପୁର ପ୍ରାଥମିକ ବିଦ୍ୟାଳୟ, ହଂସରା ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟକ୍ରମ ଅତ୍ୟନ୍ତ ସୁନ୍ଦର ହୋଇଛି।

ସେହିପରି ମଝିଆଖଣ୍ଡ, ଗୌରାଙ୍ଗପୁର, ରଣପୁର, ସୁନାଖଳା, କାସନ୍ଦା, ସରଙ୍ଗାଧରପୁର ଆଦି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ମଧ୍ୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି।

ବିଶ୍ୱ ପରିବେଶ ଦିବସର ଆରମ୍ଭ ୧୯୭୨ରେ ହୋଇଥିଲା। ଜାତିସଂଘ ୧୯୭୨ ଜୁନ୍‌ ୫ରେ ପ୍ରଥମ କରି ପରିବେଶ ଦିବସ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲା। ସୁଇଡେନ୍‌ର ରାଜଧାନୀ ଷ୍ଟକ୍‌ହୋମ୍‌ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଏଠାରେ ଆୟୋଜିତ ପ୍ରଥମ ପରିବେଶ ସମ୍ମିଳନୀରେ ୧୧୯ ଦେଶ ଭାଗ ନେଇଥିଲେ।

Related posts