Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିଛି। ବିଶ୍ବକେଶନ କଂଗ୍ରେସ ସେବା ଦଳର ପୂର୍ବତନ ପୁରୀ ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିଥିଲେ। ଆଜି ଦଳର ହାଇକମାଣ୍ଡ ତାଙ୍କ ନାଁକୁ ମୋହର ମାରିଛନ୍ତି। ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ମୁକୁଲ ୱାସନିକ ଏନେଇ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ମେ’ ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ହେବ। ମେ’ ୧୯ ତାରିଖରେ ଏହି ଉପନିର୍ବାଚନର ଭୋଟ ଗଣତି ହେବ। ପୂର୍ବରୁ ଏହି ଉପନିର୍ବାଚନ ଏପ୍ରିଲ ୧୭ ତାରିଖରେ ହେବାକୁ ଥିଲା। କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ, ନୂଆ ତାରିଖ ଘୋଷଣା କଲେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର, ପିପିଲି ଉପନିର୍ବାଚନ ତାରିଖ ପୁଣି ଥରେ ପରିବର୍ତ୍ତନ କରାଯାଇଛି। ଏ ନେଇ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଉପ ନିର୍ବାଚନ ମେ ମାସ 13 ତାରିଖରେ ହେବାର ଥିଲା ଏବଂ ଗଣତି ମେ 17 ତାରିଖକୁ ନିର୍ଦ୍ଧାରିତ କରାଯାଇଥିଲା।

ହେଲେ ବର୍ତ୍ତମାନ ନୂଆ ତାରିଖ ଅନୁସାରେ ପିପିଲି ଉପନିର୍ବାଚନ ଆସନ୍ତା ମେ 16 ତାରିଖରେ ହେବ। ଭୋଟ ଗଣତି ମେ 19 ତାରିଖରେ କରାଯିବ। ନିର୍ବାଚନର ସମସ୍ତ ପକ୍ରିୟା 21 ତାରିଖ ସୁଦ୍ଧା ଶେଷ କରାଯିବ।

ମେ 13 ତାରିଖରେ ଇଦୁଲ-ଇ-ଫିତର ହେବାର ସମ୍ଭାବନା ଥିବାରୁ ଏ ନେଇ କେତେକ ସଂଗଠନ ତରଫରୁ ନିର୍ବାଚନ ଆୟୋଗକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ ସବୁକୁ ଅନୁଧ୍ୟାନ କରି କମିସନର ପୁଣି ଥରେ ପିପିଲି ଉପନିର୍ବାଚନ ପାଇଁ ନୂଆ ତାରିଖ ଧାର୍ଯ୍ୟ କରିଛନ୍ତି।

ପ୍ରଥମେ ଏହି ଆସନରୁ ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ ପରଲୋକରେ ଉପନିର୍ବାଚନ ଏପ୍ରିଲ 17 ତାରିଖରେ ହେବାର ଥିଲା। ସେତେବେଳେ ବିଜ୍ଞପ୍ତି ପ୍ରକାଶ ପାଇଁ ପ୍ରାର୍ଥି ପତ୍ର ଦାଖଲ କରାଯାଇ ପ୍ରଚାର ଆରମ୍ଭ ହୋଇଯାଇଥିଲା।

ହେଲେ ଦୁଃଖର କଥା କଂଗ୍ରେସ ପ୍ରାର୍ଥି ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ପରେ ଏହି ନିର୍ବାଚନ ସ୍ଥଗିତ ରଖାଗଲା। ପରେ ଏହା ମେ 13 ତାରିଖରେ ହେବ ବୋଲି ନିର୍ଦ୍ଧାରିତ କରାଯାଇଥିଲା। ଏବେ ପୁଣି ଥରେ ଏହା ନିର୍ଦ୍ଧାରିତ କରାଯାଇ ମେ 16 ତାରିଖରେ ଭୋଟ ଗ୍ରହଣ କରାଯିବ ବୋଲି ନିଷ୍ପତି ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବଡ ନିଷ୍ପତି, ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ଭୁବନେଶ୍ବର, ପିପିଲି ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ନିଷ୍ପତି ଗ୍ରହଣ କରିଛନ୍ତି। ତାହା ହେଲା କରୋନା ପାଇଁ ଦଳ ତରଫରୁ କୌଣସି ରାଲି କରାଯିବ ନାହିଁ। ଏପରିକି ପ୍ରଚାର ସଭା କାର୍ଯ୍ୟ ମଧ୍ୟ କରାଯିବ ନାହିଁ। ବର୍ତ୍ତମାନ କରୋନାର ଦ୍ବିତୀୟ ଲହର ସାରା ଓଡିଶାରେ କାୟା ବିସ୍ତାର କରିବାରେ ଲାଗିଛି। ଏପରି ପରିସ୍ଥିତିରେ କର୍ମିମାନଙ୍କୁ ମରଣ ମୁହଁକୁ ଠେଲି ଦିଆଯିବ ନାହିଁ। ସେଥିପାଇଁ ବିଜେଡି ସୁପ୍ରିମୋ ଏହି ନିଷ୍ପତି ଗ୍ରହଣ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ କରି ଏହି ଘୋଷଣା କରିଛନ୍ତି।

ପିପିଲି ଉପନିର୍ବାଚନରେ ବିଜେଡି ତରଫରୁ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ପ୍ରସାଦ ମହାରଥୀ ନିର୍ବାଚନ ଲଢୁଛନ୍ତି। ତାଙ୍କ ପାଇଁ ନବୀନ ଭର୍ଚୁୟାଲ ପ୍ରଚାର ମଧ୍ୟ କରିସାରିଛନ୍ତି। ହେଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ନୂଆ ନିଷ୍ପତି ଅନୁସାରେ ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ମେ 13 ତାରିଖରେ ଭୋଟ ଗ୍ରହଣ ହେବ।

ସେହିପରି ଏହି ନିର୍ବାଚନରେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ପ୍ରତିଦ୍ବନ୍ଦିତା କରୁଛନ୍ତି। କଂଗ୍ରେସ ପ୍ରାର୍ଥୀ ମୃତ୍ୟୁ ପରେ ବର୍ତ୍ତମାନ କାହାର ନାମ ଘୋଷଣା କରାଯାଇ ନାହିଁ। ତେବେ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଜିତ ମଙ୍ଗରାଜଙ୍କ ପତ୍ନୀଙ୍କୁ ଟିକେଟ ଦେବା ପାଇଁ କଂଗ୍ରେସ ହାଇକମାଣ୍ଡ ନିକଟକୁ ସୁପାରିଶ କରିଛି।

ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଓଡିଶା ସଚେତନ ନାଗରିକ ଫୋରମ ତରଫରୁ ଏହି ନିଷ୍ପତିକୁ ସ୍ବାଗତ କରାଯାଇଛି। ଏହାର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ନବୀନଙ୍କ ଏପରି ନିଷ୍ପତିକୁ ପ୍ରଶଂସା କରିଛନ୍ତି। ସେହିପରି ସଂପାଦକ ଦିଲ୍ଲୀପ ହାଲି ମଧ୍ୟ ଏହି ପଦକ୍ଷେପକୁ ସ୍ବାଗତ କରିବା ସହିତ ଅନ୍ୟଦଳ ଏପରି ନିଷ୍ପତି ନେବା ଉଚିତ ବୋଲି କହିଛନ୍ତି।

ବିଜେଡି ସୁପ୍ରିମୋଙ୍କ ଏପରି ନିଷ୍ପତି ପରେ ବର୍ତ୍ତମାନ ବିଜେପି ମଧ୍ୟ ସେହିପରି ପଦକ୍ଷେପ ନେବ ବୋଲି ଚିନ୍ତା କରୁଥିବାର ଜଣାପଡିଛି। କଂଗ୍ରେସ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ବଡ ରାଲି କରିବା ନାହିଁ ବୋଲି ପରୋକ୍ଷରେ ଜଣେ ନେତା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଘୋଷଣା ହେଲା ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରାଯାଇଛି। ଏପ୍ରିଲ ୧୭ ତାରିଖରେ ଏହି ନିର୍ବାଚନ ହେବାର ଥିଲା। କିନ୍ତୁ ଏବେ ଏହି ଉପନିର୍ବାଚନ ମେ’ ୧୩ ତାରିଖରେ ହେବ ବୋଲି ସୂଚନା ରହିଛି। ଏବଂ ମେ’ ୧୬ ତାରିଖ ଏହାର ଭୋଟ ଗଣତି ହେବ। ଏନେଇ ସିଇଓଙ୍କ କାର୍ଯ୍ଯାଳୟରୁ ସୂଚନା ମିଳିଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ: ବନ୍ଦ ହୋଇପାରେ ପିପିଲି ନିର୍ବାଚନ

ଭୁବନେଶ୍ଵର: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଆଜି ପରଲୋକ ହୋଇଯାଇଛି। ଅଜିତଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନ ବନ୍ଦ ହୋଇପାରେ ବୋଲି କୁହାଯାଉଛି। ନିର୍ବାଚନ କମିଶନ ମତଦାନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ଥିଲା। ହେଲେ ନିର୍ବାଚନର ୩ ଦିନ ପୂର୍ବରୁ ଅଜିତଙ୍କ ଦେହାନ୍ତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ

ଭୁବନେଶ୍ଵର: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ହୋଇଯାଇଛି। ସଂକଟାପନ୍ନ ଅବସ୍ଥାରେ ଅଜିତଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ଦେହାନ୍ତ ହୋଇଛି। ସେ କରୋନାରେ ଆକ୍ରାନ୍ତ ହେବା ପରେ ଅସୁସ୍ଥ ହୋଇପଡିଥିଲେ।

ତାଙ୍କର ଶେଷ ଦର୍ଶନ ପାଇଁ ହସ୍ପିଟାଲରେ କଂଗ୍ରେସ ନେତାଙ୍କ ଭିଡ ଜମିଛି। ଅଜିତଙ୍କ ଦେହାନ୍ତରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ: ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ହୋଇପଡିଛନ୍ତି। ସଂକଟାପନ୍ନ ଅବସ୍ଥାରେ ଅଜିତଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା 10 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି କୋଟିପତି

ଭୁବନେଶ୍ବର, ପିପିଲିରେ ଚାଲିଥିବା ଉପନିର୍ବାଚନରେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି  ଦୁଇ ଜଣ। ସେମାନେ ହେଲେ କଂଗ୍ରେସର ଅଜିତ ମଙ୍ଗରାଜ ଏବଂ ବିଜେଡିର ରୁଦ୍ର ପ୍ରତାପ ମହାରାଥୀ। ଏହି ଉପନିର୍ବାଚନରେ ମୋଟ 10 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ଏହି ଦୁଇ ଜଣ ହେୁଛନ୍ତି କୋଟିପତି ପ୍ରାର୍ଥୀ। ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠକୁ ଅନୁଧ୍ୟାନ କରି ଏହି ତଥ୍ୟ ଦେଇଛି ଓଡିଶା ଇଲେକ୍ସନ ୱାଚ୍ ସଂସ୍ଥା।

ତଥ୍ୟ ଅନୁସାରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୋଟ ସଂପତ୍ତି ମୂଲ୍ୟ ହେଉଛି 8 କୋଟି 1 ଲକ୍ଷ 40 ହଜାର ଟଙ୍କା। ଏଥିସହିତ ଗତ ଆର୍ଥିକ ବର୍ଷରେ ସେ 39 ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ତାଙ୍କର ରିଏଲ ଇଷ୍ଟେଟ ବ୍ୟବସାୟ ରହିଛି। ସତ୍ୟପାଠ ଅନୁସାରେ ଅଜିତ ମଙ୍କରାଜଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଗ୍ରାଜୁଏସନ।

ସେହିପରି ଦ୍ବିତୀୟ ଧନି ପ୍ରାର୍ଥୀ ହେଉଛନ୍ତି ବିଜେଡିର ରୁଦ୍ର ପ୍ରତାପ ମହାରାଥୀ। ତାଙ୍କର ମୋଟ ସଂପତ୍ତି ମୂଲ୍ୟ ରହିଛି 5 କୋଟି 26 ଲକ୍ଷ 71 ହଜାର 997 ଟଙ୍କା। ସେ ମଧ୍ୟ ଗତ ଆର୍ଥିକ ବର୍ଷରେ ରୋଜଗାର କରିଛନ୍ତି ମୋଟ 15 ଲକ୍ଷ ଟଙ୍କା। ସେ ସ୍ବରୋଜଗାରକ୍ଷମ ବୋଲି ତାଙ୍କର ସତ୍ୟପାଠରେ ଦାଖଲ କରିଛନ୍ତି। ରୁଦ୍ରଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ପୋଷ୍ଟ ଗ୍ରାଜୁଏଟ।

ତୃତୀୟ ତାଲିକାରେ ଅଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ହେଉଛି 97 ଲକ୍ଷ ଟଙ୍କା। ଏଥିସହିତ ଗତ ଆର୍ଥିକ ବର୍ଷରେ ସେ 15 ଲକ୍ଷ ଟଙ୍କା ରୋଜଗାର କରିଥିଲେ। ସେ ଜଣେ ସମାଜ ସେବୀ ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଲା ଦ୍ବାଦଶ ବୋଲି ଜଣାପଡିଛି।

ଅନ୍ୟମାନଙ୍କ ମଧ୍ୟରେ ସିପିଏମ ପ୍ରାର୍ଥୀ ଅଶୋକ ପ୍ରଧାନଙ୍କ ସଂପତ୍ତି 94 ଲକ୍ଷ, ସ୍ବାଧୀନ ପ୍ରାର୍ଥୀ ନଗେନ୍ଦ୍ର ନାଥ ମିଶ୍ରଙ୍କର 23 ଲକ୍ଷ ଏବଂ ଜୟପ୍ରକାଶ ସେଠୀଙ୍କର 19 ଲକ୍ଷ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ: ବିଜେଡିରେ ମିଶିଲେ ଶତାଧିକ ବିଜେପି କର୍ମୀ

ପିପିଲି, ଆଜି ପିପିଲି ବ୍ଲକର ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ସେମାନେ ହେଲେ ପୁରୀ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଈଶ୍ୱର ପ୍ରସାଦ ଦାଶ ମହତାବ, ପୂର୍ବତନ ବ୍ଲକ ମହିଳା ମୋର୍ଚ୍ଚା ସଭାପତି ଓ ପୂର୍ବତନ ଜିଲ୍ଲା ପରିଷଦ ପାର୍ଥିନୀ ମମତା ମଞ୍ଜରୀ ମହାନ୍ତି।

ସେହିପରି ଶଙ୍କର୍ଷଣ ସ୍ୱାଇଁ, ଧୀରେନ୍ଦ୍ରନାଥ ଦଳେଇ, ଅଭିରାମ ବେହେରା, ବୈକୁଣ୍ଠନାଥ ପାତ୍ରଙ୍କ ନେତୃତ୍ୱ ରେ ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ଉପସ୍ଥିତି ଥିଲେ। ପିପିଲି ଉପ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ ଏପରି ମିଶ୍ରଣ ପର୍ବ ବିଜେଡିକୁ ଶକ୍ତିଶାଳି କରିଛି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନରେ ସରକାରୀ ଡାକ୍ତରଙ୍କ ପ୍ରଚାର କରୁଥିବାର ଅଭିଯୋଗ କଲା ବିଜେପି

ଭୁବନେଶ୍ବର, ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୁଡାନ୍ତ ହେବା ପରେ ବର୍ତ୍ତମାନ ରାଜନୀତି ସରଗରମ ହୋଇ ଉଠିଛି। ଆଜି ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି। ଦଳ ଅଭିଯୋଗ କରିଛି ଯେ, ପିପିଲି ସ୍ବାସ୍ଥ୍ୟ କେନ୍ଦ୍ରର ସରକାରୀ ଡାକ୍ତର ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଏହି ଡାକ୍ତର ଜଣଙ୍କ ନିଜ ସାମାଜିକ ଗଣମାଧ୍ୟମ ଜରିଆରେ ବିଜେଡିକୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି।

ଏହି ଡାକ୍ତରଙ୍କୁ ତୁରନ୍ତ ବଦଳି କରାଯିବା ସହିତ ସରକାରୀ କର୍ମଚାରୀଙ୍କୁ ଦଳୀୟ ପ୍ରଚାରରୁ ନିବୃତ ରହିବା ପାଇଁ ବିଜେପି ଅନୁରୋଧ କରିଛି। ଏହି ପ୍ରତିନିଧୀ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହାର ପ୍ରମାଣ ପ୍ରଦାନ କରିଛନ୍ତି। ନିର୍ବାଚନ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବୀ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନରେ ପ୍ରାର୍ଥୀଙ୍କ ସହିତ ପ୍ରଚାର ପାଇଁ ରହିବେ ମାତ୍ର ପାଞ୍ଚଜଣ କର୍ମି

ଭୁବନେଶ୍ବର, ପିପିଲି ଉପନିର୍ବାଚନ ଆସନ୍ତା ଏପ୍ରିଲ 17 ତାରିଖରେ ହେବ ବୋଲି ଘୋଷଣା ହେବା ପରେ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଜି ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟରେ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ବିସ୍ତୁତ ରୂପରେଖ ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଯେ, କୋଭିଡ କଟକଣା ମଧ୍ୟରେ ପିପିଲି ଉପନିର୍ବାଚନ ହେବ। ସେଥିପାଇଁ ପ୍ରାର୍ଥୀଙ୍କ ସହିତ ମାତ୍ର ପାଞ୍ଚଜଣ କର୍ମି ପ୍ରଚାରରେ ଯାଇପାରିବେ। ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାର୍ଥୀମାନଙ୍କୁ ମାତ୍ର ଦୁଇଟି ଗାଡି ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯିବ।

ସେହିପରି 80 ବର୍ଷରୁ ଉର୍ଦ୍ଧ, ଦିବ୍ୟାଙ୍ଗ, କରୋନା ସଂକ୍ରାମିତମାନେ ପୋଷ୍ଟାଲ ଭୋଟ ଦେବା ପାଇଁ ଆବେଦନ କରିପାରିବେ। ସେମାନେ ବୁଥକୁ ନ ଆସି ଘରେ ରହି ଏହି ଭୋଟ ଦେଇପାରିବେ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି।

ଯେଉଁମାନେ ଭୋଟ ଗ୍ରହଣ କାର୍ଯ୍ୟରେ ନିୟୋଜିତ ହେବେ, ସେମାନଙ୍କର ଅଗ୍ରାଧୀକାର ଭାବେ କରୋନା ଟୀକା ପ୍ରଦାନ କରାଯିବ। ସେହିପରି ଏହି ଅଧିକାରୀମାନେ କୋଭିଡ ଯୋଦ୍ଧା ଭାବେ ବିବେଚନା କରାଯିବ ବୋଲି ଲୋହାନୀ କହିଛନ୍ତି।

ସେହିପରି ପ୍ରଚାର ବେଳେ କର୍ମିମାନେ କୋଭିଡ ଗାଇଡ ଲାଇନ ଅନୁସାରେ ପ୍ରଚାର କରିବେ। ସେମାନେ ସାନିଟାଇଜର, ମାସ୍କ ଏବଂ ସାମାଜିକ ଦୂରତା ଭିତରେ ରହି ପ୍ରଚାର କରିବେ।

ଚଳିତ ଉପନିର୍ବାଚନରେ ପିପିଲିରେ ଅଧିକ 77ଟି ବୁଥ କରାଯିବ ବୋଲି ନିଷ୍ପତି କରାଯାଇଛି। ଗତ ସାଧାରଣ ନିର୍ବାଚନରେ ପିପିଲି ନିର୍ବାଚନ ମଣ୍ଡଳିରେ 273 ଟି ବୁଥ କରାଯାଇଥିଲା। ଏଥର କରୋନା ପାଇଁ  350ଟି ବୁଥ କରାଯିବ ବୋଲି ଲୋହାନୀ କହିଛନ୍ତି। ପିପିଲିରେ ମୋଟ ଭୋଟର ସଂଖ୍ୟା ହେଉଛି 2 ଲକ୍ଷ 29 ହଜାର 5 ଶହ 83। ଗୋଟିଏ ବୁଥରେ ଯେପରି ହଜାର ଭୋଟର ଭୋଟ ଦେବେ ସେହିପରି ବ୍ୟବସ୍ଥା କରାଯିବ।

ପିପିଲି ଉପନିର୍ବାଚନ ଆସନ୍ତା ଏପ୍ରିଲ 17 ତାରିଖରେ ଭୋଟ ଗ୍ରହଣ ହେବ। ଏନେଇ ମାର୍ଚ୍ଚ 23 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲ ଶେଷ ତାରିଖ ରହିଛି ମାର୍ଚ୍ଚ 30 ତାରିଖ ଏବଂ ଯା଼ଞ୍ଚ 31 ତାରିଖ ହେବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏପ୍ରିଲ 3 ତାରିଖ ରଖାଯାଇଛି। ଭୋଟ ଗଣତି ମୋ 5 ତାରିଖରେ କରାଯିବ। ଏହିଦିନ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ଭୋଟ ଗଣତି ମଧ୍ୟ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଛଅ ମାସ ବିତିଗଲା, ପିପିଲି ଉପନିର୍ବାଚନ ତାରିଖ ଘୋଷଣା ହେଲା ନାହିଁ, ବିଜେପିର ଚାପ ରହିଛି କି ?

ଭୁବନେଶ୍ବର, ପିପିଲି ବିଧାନସଭା ଆସନ ଖାଲି ପଡିବାର 6 ମାସରୁ ଅଧିକ ସମୟ ବିତିଗଲାଣି। କାରଣ ଏହି ଆସନରୁ ପ୍ରତିନିଧିତ୍ବ କରୁଥିବା ବିଧାୟକ ପ୍ରଦୀପ ମହାରଥୀଙ୍କର ଗତ ବର୍ଷ ଅକ୍ଟୋବର 4 ତାରିଖରେ ପରଲୋକ ଘଟିଛି। ମାର୍ଚ୍ଚ 4 ତାରିଖକୁ ଏହା ଛଅ ମାସ ପୁରଣ କରି ସାରିଲାଣି। ହେଲେ ଭାରତ ନିର୍ବାଚନ କମିସନ ଏ ପର୍ଯ୍ୟନ୍ତ ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନାହିଁ।

ଭାରତରେ ପ୍ରଣୟନ ହୋଇଥିବା ରିପ୍ରେଜେଣ୍ଟସନ ଅଫ ପିପୁଲ ଆକ୍ଟ 1951 ଅନୁଯାୟୀ କୌଣସ ବିଧାନସଭା ଆସନ ଖାଲି ପଡିଲେ ତାହାକୁ ଛଅ ମାସ ମଧ୍ୟରେ ପୁରଣ କରିବାର ଆବଶ୍ୟକତା ରହିଛି। ଧାରା 149 ଏବଂ 151-କ ଅନୁସାରେ ନିର୍ବାଚନ କମିସନର ଏହି ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରି ନିର୍ବାଚନ କରିବା ଉଚିତ୍। ହେଲେ ପିପିଲି କ୍ଷେତ୍ରରେ ତାହା ଏ ପର୍ଯ୍ୟନ୍ତ ହୋଇପାରି ନାହିଁ।

କେବଳ ପିପିଲି ଘଟଣା ନୁହେଁ ଏକଦା ବିଜେପୁର ଉପନିର୍ବାଚନ ବେଳକୁ ସମାନ ସ୍ଥିତି ଉପୁଜିଥିଲା। ସେତେବେଳେ ଦୀର୍ଘ ମାସଧରି ଏହି ଆସନ ଖାଲି ପଡିଥିଲେ ମଧ୍ୟ ନିର୍ବାଚନ କମିସନ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରି ନ ଥିଲେ। ଫଳରେ ସେତେବେଳେ ସାଧାରଣରେ ଲୋକଙ୍କର ବିଜେପି ପ୍ରତି ସନ୍ଦେହ ସୃଷ୍ଟି ହୋଇଥିଲା। ଏପରକି ବିରୋଧୀମାନେ ମଧ୍ୟ ବିଜେପି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ବିଜେପି ହାରିଯିବା ଭୟରେ ସେ ଜାଣିଶୁଣି ଏପରି କାର୍ଯ୍ୟ କରୁଛି ବୋଲି ଅଭିଯୋଗ ହୋଇଥିଲା।

ସେହିପରି ସମାନ ସ୍ଥିତି ବର୍ତ୍ତମାନ ପିପିଲି ଘଟଣାରେ ହେଉଛି ବୋଲି ଅଭିଯୋଗ ହେଲାଣି। କାରଣ ନିୟମ ରହିଥିଲେ ମଧ୍ୟ ପିପିଲି ଉପନିର୍ବାଚନ ତାରିଖ ଘୋଷଣା ନ ହେବା କେଉଁଠି ନା କେଉଁଠି ବିଜେପି ପ୍ରତି ସନ୍ଦେହ ସୃଷ୍ଟି ହୋଇଛି। ପିପିଲିରେ ବିଜେପି ହାରିଯିବା ଭୟ ହେଉ କିମ୍ବା ପ୍ରଦୀପ ମହାରଥୀଙ୍କ ମୃତ୍ୟୁର ସମବେଦନାକୁ ହ୍ରାସ କରିବା ହେଉ, ବିଜେପି ଏପରି କରୁଛି ବୋଲି ଆଲୋଚନା ଚାଲିଛି।

ପିପିଲି ପରି ବିଜେଡି ଗଡରେ ବିରୋଧୀ ଦଳର କୌଣସି ସ୍ଥିତି ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସେଠାରେ ଗୋଟିଏ ପଟେ ପ୍ରଦୀପ ମହାରାଥୀ ପରି ରଥୀ ଏବଂ ଅନ୍ୟପଟେ ବିଜେଡି ପରି ଶକ୍ତିଶାଳୀ ଦଳ, ସେଥିପାଇଁ ଅନ୍ୟ କୌଣସି ପ୍ରାର୍ଥୀଙ୍କର ସ୍ଥିତି ରହିବ ନାହିଁ ବୋଲି ସମସ୍ତେ ଅନୁମାନ କରିସାରିଲେଣି। କେବଳ ନିର୍ବାଚନ ଲଢିବା ନାମରେ ଯୁଦ୍ଧ କରାଯିବ ସିନା, ଫଳ କଣ ହେବ ତାହା ଅନ୍ୟଦଳ ହୃଦୟଙ୍ଗମ କରିସାରିଲେଣି। ତେଣୁ ଉପନିର୍ବାଚନ ଦିନ ଗଡାଇ ଲାଭ କିଛି ନାହିଁ ବୋଲି ମଧ୍ୟ ବିଜେପି ବୁଝିବା ଆବଶ୍ୟକ।

ଅନ୍ୟପଟେ ପିପିଲି ଉପନିର୍ବାଚନ ତାରିଖ ଘୋଷଣା ନେଇ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ମଧ୍ୟ ଦାୟର କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନୀଜୀବୀ ସିଦ୍ଧାର୍ଥ ଦାସ ମାମଲା ଲଢୁଛନ୍ତି। ସେଥିରେ ଦର୍ଶାଯାଇଛି ଯେ, ରିପ୍ରେଜେଣ୍ଟସନ ଅଫ ପିପୁଲ ଆକ୍ଟ 1951 ଅନୁଯାୟୀ ଖାଲି ପଡିଥିବା ବିଧାନସଭା ଆସନରେ ଛଅ ମାସ ମଧ୍ୟରେ ତାହା ପୁରଣ ହେବା ଆବଶ୍ୟକ। ଯଦି ଆଇନି ଶୃଙ୍ଖଳା ପରିସ୍ଥିତି ଖରାପ ଥିବ ତେବେ ତାହାର ଅବଧୀ ଘୁଞ୍ଚି ପାରେ। ହେଲେ ଓଡିଶାରେ କିମ୍ବା ପିପିଲିରେ ସେପରି କୌଣସି ପରିସ୍ଥିତି ନ ଥିଲେ ମଧ୍ୟ କଣ ପାଇଁ ଉପନିର୍ବାଚନ ଘୋଷଣା କରାଯାଉ ନାହିଁ ସେ ନେଇ ମାମାଲା ଋଜୁ କରାଯାଇଛି। ଫଳରେ ପିପିଲି ଉପ ନିର୍ବାଚନ ନେଇ ଅନିଶ୍ଚିତତା ଲାଗି ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ପିପିଲି ଉପନିର୍ବାଚନ ପାଇଁ ହୋଇପାରେ ତାରିଖ ଘୋଷଣା

ଭୁବନେଶ୍ବର, ଆଜି ଅପରାହ୍ନରେ ଭାରତ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଏଥିରେ ପାଞ୍ଚୋଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ନେଇ ଘୋଷଣା ହେବାର ସମ୍ଭାବନା ରହିଛି। ସେହି ରାଜ୍ୟଗୁଡିକ ହେଲା ପଶ୍ଚିମବଂଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ। ତେବେ ଏଥିସହିତ ଭାରତର କେତେକ ଉପନିର୍ବାଚନ ତାରିଖ ମଧ୍ୟ ଘୋଷଣା ହେବ ବୋଲି କୁହାଯାଉଛି। ଏଥିରେ ପିପିଲି ଉପ ନିର୍ବାଚନ ପାଇଁ ତାରିଖ ମଧ୍ୟ ଘୋଷଣା ହେବରା ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି କରିବାକୁ ମୁଖ୍ୟ ନିର୍ବାଚନ କମିଶନର ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର, ପିପିଲି ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କର। କେତୋଟି ବୁଥ ହେବ, କେତେ ସୁରକ୍ଷା କର୍ମି ରହିବେ, କିପରି ଉପନିର୍ବାଚନ ପରିଚାଳନା ହେବ ସେ ନେଇ ପଦକ୍ଷେପ ଆରମ୍ଭ କରି। ଏହିପରି ଏକ ନିର୍ଦ୍ଦେଶ ଭାରତ ମୁଖ୍ୟ ନିର୍ବାଚନ କମିଶନର ଓଡିଶା ନିର୍ବାଚନ ଅଧିକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପିପିଲି ଆସନରେ ଥିବା ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏହି ଆସନ ଖାଲି ପଡିଛି। ଯାହା ଜଣାପଡିଛି ନିର୍ବାଚନ ତାରିଖ ଆସନ୍ତା ମାର୍ଚ୍ଚ 3 କିମ୍ବା 4 ତାରିଖରେ ଘୋଷଣା ହେବ।

ନୂଆଦିଲ୍ଲୀ ସୁତ୍ରରୁ ଜଣାପଡିଛି ଯେ ବର୍ତ୍ତମାନ ଦେଶର 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେଗୁଡିକ ହେଲା ପଶ୍ଚିମବଂଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ। ଏହି ବିଧାନସଭା ନିର୍ବାଚନ ସହିତ ଦେଶର ଖାଲିପଡିଥିବା ବିଧାୟକ ଆସନରେ ମଧ୍ୟ ଉପନିର୍ବାଚନ ହେବ ବୋଲି ଆଶା କରାଯାଉଛି। ସେଥିପାଇଁ ନିର୍ବାଚନ କମିସନର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ: ବିଜେଡ଼ିର ପର୍ଯ୍ୟବେକ୍ଷକ ନିଯୁକ୍ତି ପରେ ପ୍ରାର୍ଥୀ ହେବା ପାଇଁ ଇଚ୍ଛାପ୍ରକାଶ କଲେ ରୁଦ୍ର ମହାରଥୀ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଲାଗି ବିଜେଡ଼ି ଦଳର ପ୍ରସ୍ତୁତ ଆରମ୍ଭ ହୋଇଯାଇଛି। ଏଥିପାଇଁ ଦଳ ପକ୍ଷରୁ ମୁଖପାତ୍ର ତଥା ଆଳି ବିଧାୟକ ପ୍ରତାପ ଦେବଙ୍କୁ ପିପିଲିର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଛି।

ତେବେ ଏହି ଆସନରେ ପ୍ରାର୍ଥୀ ହେବା ପାଇଁ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ପୂର୍ବରୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଆଜି ଏହି ଆସନ ଲାଗି ପର୍ଯ୍ୟବେକ୍ଷକ ନିଯୁକ୍ତି ପରେ ପ୍ରଦୀପଙ୍କ ପୁଅ ରୁଦ୍ର ମହାରଥୀ ବି ଟିକେଟ ଆଶାୟୀ ଥିବା ପରୋକ୍ଷରେ କହିଛନ୍ତି।

କିନ୍ତୁ ରୁଦ୍ର ଏନେଇ କହିଛନ୍ତି ଯେ, ମୋର ନିର୍ବାଚନର ଅଭିଜ୍ଞତା ଅଛି। ବାପାଙ୍କ ସହ ମୁଁ ଦୁଇଟି ନିର୍ବାଚନରେ କାମ କରିଛି। ମା’ଙ୍କର ମଧ୍ୟ ନିର୍ବାଚନ ପରିଚାଳନା ଅଭିଜ୍ଞତା ରହିଛି। ଦଳ ଯାହାକୁ ନିଷ୍ପତ୍ତି ନେବ ଆମେ ସମର୍ଥନ କରିବୁ। ଆମକୁ ଯାହା ଦଳରୁ ଆଦେଶ ଆସିବ, ତାହାକୁ ମୁଁ ଓ ମା ପାଳନ କରିବୁ। ମୋର ଅଭିଜ୍ଞତା ଅଛି। ମା’ଙ୍କ ବି ଅଭିଜ୍ଞତା ରହିଛି। ମାଟିର ଉନ୍ନତି ପାଇଁ ସର୍ବଦା ରୁଦ୍ର ମହାରଥୀ ରହିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ ନେଇ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଲେ ଏମିତି କଥା

ଭୁବନେଶ୍ବର, ପିପିଲିର ରଥୀ ଥିବା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ବର୍ତ୍ତମାନ ପିପିଲିରେ ଉପନିର୍ବାଚନ ହେବ। ହେଲେ ସେଠାରୁ ବିଜେଡିର କିଏ ପ୍ରାର୍ଥୀ ହେବ ସେ ନେଇ ସମସ୍ତଙ୍କ ନଜର। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲଭାବେ ଜାଣନ୍ତି ଯେ ପିପିଲିରେ ମହାରଥୀଙ୍କ ଦୁର୍ଗ କେତେ ସୁଦୃଢ ଥିଲା। ତେବେ ପିପିଲି ଉପନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ପୁତ୍ର ପ୍ରାର୍ଥୀ ହେବେ ନା ତାଙ୍କ ଧର୍ମପତ୍ନୀ ସେ ନେଇ ଚାଲିଛି ଅଙ୍କକଷା।

ଏପରି ପରିସ୍ଥିତିରେ ଆଜି ମହାରଥୀଙ୍କ ଧର୍ମପତ୍ନୀ ପ୍ରତିଭା ମହାରଥୀ ଯାହା କହିଛନ୍ତି ତାହା ଚର୍ଚ୍ଚାର ପରିସରକୁ ଆସିଛି। ସେ କହିଛନ୍ତି ଯେ ନିର୍ବାଚନ ହେଉଛି ଏକ ପକ୍ରିୟା। ଏଥିରେ ବିଜେଡି ସୁପ୍ରିମୋ କାହାକୁ ପ୍ରାର୍ଥୀ କରିବେ ତାଙ୍କ ଉପରେ ନିର୍ଭର କରେ। ହେଲେ ସେ ଯଦି ମୋତେ ସୁଯୋଗ ଦିଅନ୍ତି ତେବେ ମୁଁ ଖୁସି ହେବି। ଏହାର ଅର୍ଥ ପ୍ରତିଭା ନିଜେ ଛିଡା ହେବେ ବୋଲି ସ୍ପଷ୍ଟ କରିଦେଲେ। ଏହାକୁ ନେଇ ଓଡିଶା ରାଜନୀତିରେ ବର୍ତ୍ତମାନ ଜୋରଦାର ଚର୍ଚ୍ଚା ଚାଲିଛି ।

Categories
ବିଶେଷ ଖବର ରାଜ୍ୟ ଖବର

ପିପିଲିରେ କିଏ ହେବେ ବିଜେଡି ପ୍ରାର୍ଥୀ, ପ୍ରଦୀପ ମହାରଥୀଙ୍କ ପରିବାରରୁ ନା ବାହାରୁ କିଏ ! 

ଭୁବନେଶ୍ୱର: ସଦ୍ୟ ସମାପ୍ତ ଉପ ନିର୍ବାଚନରେ ଦୁଇଟି ଆସନ ହାତେଇଥିବା ବିଜୁ ଜନତା ଦଳ ଆଗକୁ ପିପିଲି ପାଇଁ ସଜ ହେଉଛି। ଏହି ବିଧାନସଭା ଆସନ ବିଜେଡି ହାତରେ ଓ ଏହା ଦିବଂଗତ ନେତା, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଗଡ଼ ବୋଲି ସମସ୍ତେ ଜାଣନ୍ତି। ବିଜେଡିର ଜଣେ ଟାଣୁଆ ନେତା ଭାବେ ପରିଚିତ ସ୍ବର୍ଗତ ମହାରଥୀଙ୍କ ଅବର୍ତ୍ତମାନରେ ବିଜେଡି କର୍ମୀଙ୍କୁ ଚିନ୍ତାରେ ପକାଇଛି। କାରଣ ପ୍ରଦୀପଙ୍କ ପତ୍ନୀ ଅଧ୍ୟାପିକା, ଲେଖିକା ପ୍ରତିଭା ମହାରଥୀଙ୍କ ନାମ ଆଗାମୀ ଦିନର ପ୍ରାର୍ଥୀ ବୋଲି ଶୁଣାଯାଉଥିଲେ ବି ତାଙ୍କ ପୁତ୍ର ରୁଦ୍ରପ୍ରତାପଙ୍କ ସପକ୍ଷରେ ଯୁବ ଭୋଟର ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଅନ୍ୟ ଏକ ସୂତ୍ର ଅନୁସାରେ ଡେଲାଙ୍ଗ ଅଂଚଳର ଅଧିକାଂଶ ଭୋଟରଙ୍କ ଇଚ୍ଛା ଭିନ୍ନ ପ୍ରକାରର। ସେମାନଙ୍କ କହିବା କଥା ସ୍ବର୍ଗତ ମହାରଥୀଙ୍କ ପରିବାରରୁ କାହାକୁ ପ୍ରାର୍ଥୀ ନ କରି ବିଜେଡି ଏଠାରେ ଜଣେ ନୂଆ ପ୍ରାର୍ଥୀ ଦେଉ। ଯଦି ସେଭଳି କିଛି ହୁଏ, ତେବେ ପିପିଲିରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ସେଠାରେ ଅଙ୍କ କଷା ମଧ୍ୟ ଚାଲିଥିବା ଶୁଣାଯାଉଛି। ଏପରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ତରଫରୁ ଲଢି ହାରିଥିବା ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିପାରନ୍ତି। ହେଲେ ପ୍ରଦୀପ ମହାରଥୀଙ୍କ ଗଡରେ ଅରୂପ ପଟ୍ଟନାୟକ କେତେ ଦୂର ପତିୟାରା ସୃଷ୍ଟି କରିପାରିବେ ତାହା ପ୍ରଶ୍ନବାଚୀ।

ପୁରୀ ଜିଲ୍ଲାରେ ବିଜେପି ତାର ପ୍ରଭାବ ବିସ୍ତାର କରୁଥିବା ନେଇ ମଧ୍ୟ ବିଜେଡି ଅନୁଭବ କରୁଥିବା ଜଣାପଡିଛି।  ତେଣୁ ପ୍ରଦୀପଙ୍କ ଭଳି ଗଡ଼ ସମ୍ଭାଳିବା ଭଳି ଜଣେ ଟାଣୁଆ ନେତା ଦରକାର ଯିଏ ଆଗାମୀ ଦିନରେ ବିଜେପିକୁ କଡା ଟକ୍କର ଦେଇପାରିବେ। ସେ ଦୃଷ୍ଟିରୁ ବିଚାରକଲେ ଅରୂପ କେତେଦୂର ଉପଯୁକ୍ତ ପ୍ରାର୍ଥୀ ହୋଇପାରିବେ ତାହା କହି ହେବ ନାହିଁ। ବର୍ତ୍ତମାନ ଅରୂପ ପଟ୍ଟନୟାକ ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠକ ଘଟଣାରେ ଫସିଲେଣି। ଏପରି କ୍ଷେତ୍ରରେ ବିଜେଡି ଟିକେଟ ଦେବା ଠିକ୍ ହେବ ନାହିଁ।

କିନ୍ତୁ ଅନ୍ୟପକ୍ଷରେ ପ୍ରଦୀପଙ୍କ ଅନୁଗତଙ୍କ ଭାବନା ଅନୁସାରେ ମହାରଥୀଙ୍କ ପରିବାରରୁ ଜଣଙ୍କୁ ନିର୍ବାଚନ ଲଢ଼ିବାକୁ ଟିକଟ ମିଳିଲେ ବିଜେଡିକୁ ଅଧିକ ଫାଇଦା ମିଳିବ। କାରଣ ବିଜେଡି ଭୋଟର ଅନୁକମ୍ପା ଭୋଟ ମହାରଥୀଙ୍କ ପୁତ୍ର କିମ୍ବା ପତ୍ନୀ ଯିଏ ବି ପ୍ରାର୍ଥୀ ହେଲେ ମିଳିବ। ତେଣୁ ପିପିଲି ଉପ ନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ, ତାହା ଏବେ ଚର୍ଚ୍ଚାର ବିଷୟ।

ନିକଟରେ ହୋଇଥିବା ଉପନିର୍ବାଚନରେ ବିଜେପି ବାଲେଶ୍ୱର ସଦର ଆସନ ହରାଇବା ସହ ତିର୍ତ୍ତୋଲରେ ମଧ୍ୟ ପରାଜିତ ହୋଇଛି। ତେଣୁ ଯେକୌଣସି ପ୍ରକାର ପିପିଲି ଆସନ ହାତେଇବା ଲକ୍ଷ୍ୟରେ ଅଛି ବିଜେପି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ ସମ୍ବିତ ପାତ୍ର ଏ ନେଇ ଆଗୁଆ ପଦକ୍ଷେପ ମଧ୍ୟ ଆରମ୍ଭ କରିସାରିଲେଣି। ପୁରୀ ଓ ବ୍ରହ୍ମଗିରି ଆସନ ଏବେ ବିଜେପି ଅକ୍ତିଆରରେ ଥିବା ବେଳେ ଆଗାମୀ ଦିନରେ ପିପିଲି ଆସନଟିକୁ ଦଖଲ ଲକ୍ଷ୍ୟରେ ବିଜେପି ଅଛି। ତେଣୁ ପିପିଲି ଉପ ନିର୍ବାଚନ ପାଇଁ ବିଜେଡି ଏବେଠାରୁ ରଣନୀତି ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡିଛି।

Categories
ବିଶେଷ ଖବର

ପିପିଲି ଉପନିର୍ବାଚନ ପାଇଁ ସଜବାଜ: ବିରୋଧୀ କଂଗ୍ରେସ, ବିଜେପି ପାଇଁ ଅଣ୍ଟା ସଳଖିବା ହେବ କଷ୍ଟକର

ଭୁବନେଶ୍ୱର: ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପ ନିର୍ବାଚନରେ ବିପୁଳ ଭୋଟ ପାଇ ଶାସକ ବିଜୁ ଜନତା ଦଳ ନିଜର ଦମ୍ଭ ଦେଖାଇସାରିଛି। ଏବେ ପିପିଲିର ପାଳି। କାରଣ ଦୀର୍ଘ ବର୍ଷରୁ ପିପିଲି ନିର୍ବାଚନ ମଣ୍ଡଳୀ ବିଜେଡି ହାତରେ ରହିଛି। ଏହି ନିର୍ବାଚନ ମଣ୍ଡଳୀ ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ଗଡ଼ ଭାବେ ପରିଚିତ। ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକଟ ପାଇ ନିର୍ବାଚନ ଲଢ଼ୁଥିବା କେଦାର ସାମନ୍ତରାୟ ଶେଷ ମୁହୂର୍ତ୍ତରେ ନିର୍ବାଚନ ମୈଦାନରୁ ଓହରି ଯାଇଥିଲେ। ଫଳରେ କଂଗ୍ରେସ ଏଠାରେ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଥିଲା।ଏଥର ଉପନିର୍ବାଚନରେ ଅଜିତ ମଙ୍ଗରାଜ କଂଗ୍ରେସ ଟିକେଟ ପାଇବା ପାଇଁ ପୁଣି ଆଶାବାଦୀ ଅଛନ୍ତି।

ସେହିପରି ଗତ ସାଧାରଣ ନିର୍ବାଚନରେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ନିର୍ବାଚନ ଲଢ଼ି ଦ୍ଵିତୀୟ ସ୍ଥାନରେ ରହିଥିଲେ। ସେ ମଧ୍ୟ ଆଶାବାଦୀ ଏଥର ବିଜେପି ତରଫରୁ ତାଙ୍କୁ ଟିକେଟ ମିଳିବ। ସେଥିପାଇଁ ପିପିଲି ଅଂଚଳରେ ଭୋଟରଙ୍କ ନିକଟରେ ପହଂଚିବା ପାଇଁ ଆଗୁଆ ରଣନୀତି ପ୍ରସ୍ତୁତ କରିଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ପାଇଁ ସାଂସଦ ପ୍ରାର୍ଥୀ ହୋଇଥିବା ଡ଼ଃ ସମ୍ବିତ ପାତ୍ରଙ୍କ ସହ ମିଶି ପିପିଲି ଭୋଟରଙ୍କ ନିକଟରେ ପହଂଚିବା ଆରମ୍ଭ କରିଦେଇଛନ୍ତି।

ହେଲେ ଘରେ ନ ପଶୁ ଚାଳ ବାଜିବା ପରି ଏଠାରେ ବିଜେପି ନିନ୍ଦିତ ହୋଇଯାଇଛି। ଏକ ସଭାରେ ସମ୍ବିତ ପାତ୍ରଙ୍କୁ ଲେଖାଶ୍ରୀ ସାମନ୍ତସିଂହାର ତାଙ୍କ ଭାଷଣରେ ଯେପରି ଉପରକୁ ଟେକିଲେ ତାହା ଅଡୁଆ ସୃଷ୍ଚି କରିଛି। ଲେଖାଶ୍ରୀ କହୁକହୁ କହିଦେଲେ ଯେ ପୁରୀ ଓଡିଶାରେ ବୋଲି ସମ୍ବିତ ଭାଇ ପ୍ରାର୍ଥୀ ହେବା ପରେ ଜାଣିଲେ। ଏପରି ଅଜବ କଥାକୁ ନେଇ ସାରା ଓଡିଶାରେ ତୁମ୍ବିତୋଫାନ ସୃଷ୍ଟି ହେଲା। ଫଳରେ ଏବେ ବିଜେପି ତାହାକୁ ପ୍ୟାଚ ପକାଇବା ପାଇଁ ଚେଷ୍ଠା କରିବାରେ ଲାଗିଛି।

ଏଠାରେ ବିଜେଡି ଦମ୍ଭ ଧରି ବସି ରହିଛି। ଯଦି ବିଗତ ୨୦ ବର୍ଷର ଉପନିର୍ବାଚନର ଫଳାଫଳ ଦେଖିବା ତେବେ ଦୁଇଟି ଛାଡିଦେଲେ ଅନ୍ୟ ସବୁଥିରେ ବିଜେଡି ହିଁ ବାଜିମାତ କରିଛି। ଏପରିକି ନିକଟରେ ବାଲେଶ୍ବର ସଦର ଉପନିର୍ବାଚନରେ ବିଜେପି ଆସନକୁ ବିଜେଡି ଛଡାଇ ଆଣିବାରେ ସକ୍ଷମ ହୋଇଛି। ସେହି ଦୃଷ୍ଟିରୁ ଦେଖିଲେ ପିପିଲି ଉପନିର୍ବାଚନ ବିଜେଡି ସପକ୍ଷରେ ଯିବ ବୋଲି ଅନୁମାନ କରି ହେଉଛି।

ଅନ୍ୟପକ୍ଷରେ ପ୍ରଦୀପ ମହାରଥୀ ପିପିଲିରେ ତାଙ୍କ ସଂଗଠନକୁ ଯେପରି ମଜବୁତ କରି ରଖିଛନ୍ତି ସେ ଭିତରେ କେହି ପଶିବା ସହଜ ହେବ ନାହିଁ। ସେଥିପାଇଁ ଦୁଇ ବିରୋଧୀ ଦଳ ଆଗରୁ ବାଡେଇ ଛେଚି ହେବାରେ ଲାଗିଲେଣି। ହେଲେ ବିଜେଡି ଠିକ ସମୟରେ ଠିକଣା ପଦକ୍ଷେପ ନେଇ ନିଜର ଜିତିବାକୁ ସୁନିଶ୍ଚିତ କରିବ ଏଥିରେ ସନ୍ଦେହ ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ବାଲେଶ୍ବର, ତିର୍ତ୍ତୋଲ ପରେ ଏବେ ପିପିଲି ଉପନିର୍ବାଚନକୁ ନେଇ ଚର୍ଚ୍ଚା, ଆଶା ଛାଡି ଦେଲେଣି ବିରୋଧୀ

ଭୁବନେଶ୍ବର, ଦୁଇ ଉପନିର୍ବାଚନର ଫଳାଫଳ ବାହାରିବା ପରେ ବର୍ତ୍ତମାନ ପିପିଲି ଉପରେ ରାଜନୈତିକ ବିଶେଷଜ୍ଞଙ୍କ ନଜର ନିକ୍ଷେପ ହୋଇଛି। କାରଣ କେତେବେଳେ ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ହେଲେ ତିର୍ତ୍ତୋଲ ଏବଂ ବାଲେଶ୍ବର ଉପନିର୍ବାଚନ ଫଳ ପରେ ବିରୋଧୀ ବିଜେପି ଏବଂ କଂଗ୍ରେସ ହତାସ ହୋଇପଡିଛି। ପିପିଲି ପରି ଗୋଟିଏ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳିରେ ଜିତିବା ସମ୍ଭବ ନୁହେଁ ବୋଲି ସେମାନେ ଅନୁମାନ କରିସାରିଲେଣି।

ପିପିଲି ନିର୍ବାଚନ ମଣ୍ଡଳୀରେ ଦୀର୍ଘ 35 ବର୍ଷ ଧରି ଅଣ କଂଗ୍ରେସ ହାତରେ ରହିଛି। ପ୍ରଦୀପ ମହାରଥୀ ସେଠାରୁ ସାତ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ। ମୁଖ୍ୟତଃ ତାଙ୍କର ଦୃଢ ସଂଗଠନ, ଲୋକଙ୍କ ସହିତ ରହିବା ହିଁ ତାଙ୍କ ବିଜୟର ମୁଖ୍ୟ କାରଣ ଥିଲା। ତାଙ୍କର ଏହି ଲୋକ ସଂପର୍କ ଏବଂ ସଂଗଠନ ଯୋଗୁଁ ସେଠାରେ ବିଜେପି ଓ କଂଗ୍ରେସ ପଶିବା ସମ୍ଭବ ହୋଇପାରି ନାହିଁ।

ଗତ ସାଧାରଣ ନିର୍ବାଚନରେ ପିପିଲିରୁ ପ୍ରଦୀପ ମହାରଥୀ  ୮୮,୫୧୮ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ସେତେବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେପିର ଆଶ୍ରିତ ପଟ୍ଟନାୟକ ୭୨,୭୩୧ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ୯୮୩୦ଖଣ୍ଡ ଭୋଟ ପାଇଥିଲେ। ଅନ୍ୟ ଦଳର କୌଣସି ସ୍ଥିତି ସେଠାରେ ନାହିଁ। ଭୋଟ ପ୍ରତିଶତକୁ ଯଦି ବିଚାର କରାଯାଏ ତେବେ ବିଜେଡି ୫୦.୬୬ ପ୍ରତିଶତ ଭୋଟ ପାଇଥିବାବେଳେ ବିଜେପି ୪୧.୬୨ ପ୍ରତିଶତ ଓ କଂଗ୍ରେସ ପ୍ରାର୍ଥୀ ମାତ୍ର ୫.୬୩ ପ୍ରତିଶତ ଭୋଟ ପାଇଥିଲେ।

ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଲୋକଙ୍କର ତାଙ୍କ ପ୍ରତି କେତେ ଭଲ ପାଇବା ତାହା ବେଶ୍ ପରିଦୃଷ୍ଟ ହୋଇଥିଲା। ତାଙ୍କର ଶ୍ରଦ୍ଧାଞ୍ଜଳୀ ସଭାରେ ଯେପରି ସମାଗମ ହୋଇଥିଲା ତାହା ହିଁ ପ୍ରମାଣିତ କରିଥିଲା ମହାରଥୀଙ୍କ ପ୍ରତି ଲୋକଙ୍କର ଭକ୍ତିଭାବ। ଏପରିକି ତାଙ୍କର ଦଶାହ ବେଳେ ଚାରିଶହ ଲୋକ ସ୍ବଇଚ୍ଛାରେ ଲଣ୍ଡା ହୋଇ ନିଜର ଭଲ ପାଇବାକୁ ପ୍ରମାଣିତ କରିଛନ୍ତି। ବିଭିନ୍ନ ଶ୍ରଦ୍ଧାଞ୍ଜଳୀ ସଭାରେ ଖୋଲାଖୋଲି ଭାବେ ପ୍ରଦୀପ ମହାରଥୀଙ୍କ ଧର୍ମପତ୍ନୀ ପ୍ରତିଭା ମହାରଥୀଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଦାବୀ କରିଛନ୍ତି।

ଅନ୍ୟପଟେ ବିଜେଡିର ନିର୍ବାଚନ ରଣନୀତିକୁ ଯଦି ସମୀକ୍ଷା କରାଯାଏ ତେବେ ପରଲୋକ ବିଧାୟକଙ୍କ ପରିବାରର ଜଣଙ୍କୁ ଟିକେଟ ଦେଇଥାଏ। ବିଜେପୁରରେ ସୁବଳ ସାହୁଙ୍କ ପତ୍ନୀ ରିତା ସାହୁ, ପାଟକୁରାରେ ବେଦପ୍ରକାଶ ଅଗ୍ରୱାଲାଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲା, ତିର୍ତ୍ତୋଲରେ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ବିଜେଡି ଟିକେଟ ଦେଇଛି।

ଦଳର ଏହି ରଣନୀତି ଠିକ୍ ଏବଂ ଲୋକଙ୍କର ଆସ୍ଥାଭାଜନ ହୋଇ ଜିତିବା ସହଜ ହୋଇଛି। ସେହି ନୀତିକୁ ଧରିଲେ ବିଜେଡି ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପରିବାରରୁ ନିଶ୍ଚିତ ଜଣଙ୍କୁ ଟିକେଟ ଦେବ। ଆଉ ବିପୁଳ ଭୋଟରେ ସେ ନିଶ୍ଚିତ ଜିତିବେ ବୋଲି ଏବେଠାରୁ ଜଣା ପଡିଗଲାଣି। ଅନ୍ୟ ବିରୋଧୀ ଦଳ କେବଳ ରାଜନୈତିକ ଧର୍ମ ପାଳନ ପାଇଁ ପ୍ରାର୍ଥୀ ଛିଡା କରିବେ। ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର କିମ୍ବା ଜାନୁୟାରୀରେ ତାରିଖ ଘୋଷଣା ହେବ ବୋଲି ଅନୁମାନ କରାଯାଉଛି।