Categories
ଆଜିର ଖବର ରାଜ୍ୟ ଖବର

ବବି ଦାସଙ୍କ ସରକାରୀ ବାସଭବନର ଭଙ୍ଗାରୁଜାକୁ ନେଇ ଉଠିଲା ପ୍ରଶ୍ନ: ପ୍ରତିକ୍ରିୟା ରଖିଲେ ବିଜେଡ଼ି ନେତା

ଭୁବନେଶ୍ଵର: ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନରେ ଭଙ୍ଗାରୁଜା ଚାଲିଥିବା ଖବର ମିଳିଛି। ବବିଙ୍କ ସରକାରୀ ବାସଭବନରେ ୧୦ ରୁ ଉର୍ଦ୍ଧ୍ୱ ଶ୍ରମିକ ନିୟୋଜିତ ଥିବା ଜଣାପଡ଼ୁଛି। ଯେହେତୁ ବବି ଦାସ ବର୍ତ୍ତମାନ କୌଣସି ସରକାରୀ ପଦପଦବୀରେ ନାହାଁନ୍ତି, ତାଙ୍କୁ ସେ ଘର ମଧ୍ୟ ଛାଡ଼ିବାକୁ ପଡ଼ିପାରେ। ଏଣୁ ସେ କ୍ୱାର୍ଟରର ପୂର୍ବ ଅବସ୍ଥା ଫେରାଇ ଆଣିବା ପାଇଁ କ୍ୱାର୍ଟର ଭଙ୍ଗାଯାଉଛି ବୋଲି ସୂଚନା ମିଳୁଛି।

ସୂଚନା ଅନୁଯାୟୀ, ସେଠାରେ ତିନି ମହଲା ବିଶିଷ୍ଟ ଘର ତିଆରି ହେବା ସହ ସୁଇମିଂ ପୁଲ, ରୁଫ ଟପ କଟେଜ ଏବଂ ବିଳାସପୂର୍ଣ୍ଣ ଭୂତଳ ଗୃହ ନିର୍ମାଣ ହୋଇଥିବା ଜଣାପଡିଛି। ତେବେ କେଉଁ ଉଦ୍ଦେଶ୍ୟରେ ସରକାରୀ ଘରେ ଏତେ ବଡ଼ ନିର୍ମାଣ ହୋଇଥିଲା? ଏହି ନିର୍ମାଣ ପାଇଁ କିଏ ଦେଇଥିଲା ଅନୁମତି? ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ସରକାରୀ ବାସଭବନ ଭାଙ୍ଗିବା ଆଇନ ବିରୋଧୀ ବୋଲି କୁହାଯାଉଥିବା ବେଳେ ବବି ଦାସ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି।

ବବି ଦାସ କହିଛନ୍ତି ଯେ, ”ନିୟମ ଅନୁସାରେ ଘର ଯେମିତି ନେଇଥିଲି ଫେରାଇବି। ଯେହେତୁ ମୁଁ ବିଜେଡ଼ି ଦଳର ସଂଗଠନ ସମ୍ପାଦକ ଥିଲି, ତେଣୁ ଦେଖାକରିବା ପାଇଁ ଅନେକ ନେତା ଓ ଲୋକ ଆସୁଥିଲେ। ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଏସବୁ ବ୍ୟବସ୍ଥା ହୋଇଥିଲା।”

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିଜର ମତାଧିକାର ସାବ୍ୟସ୍ତ କଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ

ଯାଜପୁର: ଆଜି ଓଡିଶା ବିଧାନସଭା ତଥା ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ। ଏହି ମତଦାନରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ତଥା ନେତାମାନେ ନିଜର ମତାଧିକାର ସାବ୍ୟସ୍ତ କରି ଗଣତନ୍ତ୍ର ପର୍ବରେ ଯୋଗ ଦେଇଛନ୍ତି। ସେହିମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ। ସେ ଆଜି ଯାଜପୁରର ବାହାବଳପୁର ବୁଥରେ ନିଜର ମତ ସାବ୍ୟସ୍ତ କରିଛନ୍ତି।

ପ୍ରଣବ ପ୍ରକାଶ ବର୍ତ୍ତମାନ ଯାଜପୁର ବିଧାୟକ ଅଛନ୍ତି। ସେ ଏଥର ନିର୍ବାଚନରେ ସମ୍ବଲପୁର ଲୋକସଭା ପାଇଁ ନିର୍ବାଚନ ଲଢୁଛନ୍ତି। ସେଠାରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଲଢେଇ କରୁଛନ୍ତି। ତେବେ ଆକଳନ ଅନୁସାରେ ପ୍ରଣବ ସେଠାରେ କଡା ଟକ୍କର ଦେଉଛନ୍ତି। ଅନ୍ୟପଟେ ତାଙ୍କ ବୋଉ ସନ୍ଧ୍ୟାରାଣୀ ଦାସ କୋରାଇ ବିଧାନସଭାରୁ ପ୍ରାର୍ଥୀ ହୋଇଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ଜୋରଦାର ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: କୁଚିଣ୍ଡାରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜୋରଦାର ନିର୍ବାଚନ ପ୍ରଚାର କରିଛନ୍ତି। ସେ ପ୍ରଥମେ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଶାଣିତ ଆକ୍ରମଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ସବୁ କାମରେ ରାଜନୈତିକ ଫାଇଦା ଦେଖନ୍ତି, ହେଲେ ଆମ ମୁଖ୍ୟମନ୍ତ୍ରୀ ସେବାରେ ବିଶ୍ୱାସ ରଖନ୍ତି ବୋଲି ପାଣ୍ଡିଆନ କହିଥିଲେ।

ସେ ଜନସଭାରେ କୁଚିଣ୍ଡାବାସୀଙ୍କୁ କାମର ହିସାବ ଦେଇ କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ ଦେଲେ ୧୦ ବର୍ଷରେ କଣ କାମ କରିଛ, ଲୋକଙ୍କୁ ହିସାବ ଦିଅ ବୋଲି କହିଥିଲେ। ୨୫ ତାରିଖରେ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ କୁଚିଣ୍ଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କୁ ଜୋରଦାର ଆଶୀର୍ବାଦ କରନ୍ତୁ ବୋଲି ସେ ଜନସମାଗମକୁ ନିବେଦନ କରିଥିଲେ। ପ୍ରଣବ ବାବୁ ଚୁପ୍‌ଚାପ କାମ କରନ୍ତି, ୧୦୦ ଗୁଣ ଅଧିକ କାମ କରନ୍ତି, ତାଙ୍କୁ ଆଶୀର୍ବାଦ କଲେ ଏ ଅଞ୍ଚଳରେ ବିକାଶ ଜୋରଦାର ହେବ ବୋଲି ସେ କହିଥିଲେ।

ସେହିପରି ସେ କହିଥିଲେ ଯେ, ଆଉ କାହାକୁ ଆଶୀର୍ବାଦ କଲେ, ସେମାନେ ନିଜେ କାମ କରିବେନି, କି ଆଉ କାହାକୁ କରାଇ ଦେବେନି। ତେଣୁ ପ୍ରଣବବାବୁଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି କହିଥିଲେ। ସେହିପରି ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ୧୦ ବର୍ଷ ବିଜେପି ସରକାର ରହିଲା, ଦରଦାମ ବଢିଲା, ଏଲପିଜି, ପେଟ୍ରୋଲ, ଡିଜେଲ, ସବୁ ଦର ବଢିଲା, ବେରୋଜଗାରୀ ମଧ୍ୟ ବଢିଲା, ଯାହା କହିଥିଲେ ଗୋଟେ ବି କାମ କଲେନି, ଯଦି ଆପଣମାନେ ତାଙ୍କୁ ଆଉ ଥରେ ଆଣିବେ, ତା ହେଲେ ଦରଦାମ ପୁଣି ବଢିବ। ବିଜେପିକୁ ଆଶୀର୍ବାଦ କଲେ କୁଚିଣ୍ଡା ଆହୁରି ୨୦ ବର୍ଷ ପଛକୁ ପଳେଇବ ବୋଲି ସେ କହିଥିଲେ।

ସେ କହିଥିଲେ ଯେ, କୁଚିଣ୍ଡାରେ ୫୦ ହଜାର ଚାଷୀ ଲଙ୍କା ଚାଷ କରନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ କରିବେ, ଶିତଳଭଣ୍ଡାର ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ସେ କୁଚିଣ୍ଡାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାମର ହିସାବ ପ୍ରଦାନ କରିଥିଲେ। ଆପଣଙ୍କ ଅଞ୍ଚଳରେ କାମ କରିକି ମୁଖ୍ୟମନ୍ତ୍ରୀ ବହୁତ ଖୁସି ବୋଲି କହିଥିଲେ। ସେ କହିଥିଲେ ଯେ, ବାମରାକୁ ଏନ୍‌ଏସି କରାଯାଇଛି,  ବୁରୁବୁଡା ମହାବୀର ଧାମ, କିରଶାସନ ସପ୍ନେଶ୍ୱର ବାବା ଶିବ ମନ୍ଦିର, ପାନପାଲ୍ଲି ଶିବ ମନ୍ଦିରର ରୂପାନ୍ତର କରାଯାଇଛି , କୁଚିଣ୍ଡା କମ୍ୟୁନିଟି ସେଣ୍ଟର କରାଯାଇଛି।

ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ କୁଚିଣ୍ଡା ପାଇଁ ୨୯ କୋଟି ଟଙ୍କାର ସହାୟତା ଦେଇ ପ୍ରକଳ୍ପ କରିଛନ୍ତି, ଏଇଟା ସବୁଠାରୁ ଅଧିକ, ଅନ୍ୟ ଅଞ୍ଚଳ ଠାରୁ ୨ ଗୁଣ ଅଧିକ ବୋଲି ପାଣ୍ଡିଆନ କହିଥିଲେ। ସେହିପରି କୁଚିଣ୍ଡାରେ ୧୪ କୋଟି ଟଙ୍କାରେ ITI କରାଯାଇଛି। କୁଚିଣ୍ଡାରେ ଜଳସେଚନ ପାଇଁ ବିଭିନ୍ନ ଯାଗାରେ ଆଡିବନ୍ଧ କରାଯାଇଛି।  ବୁଡୁଲାପାଲ୍ଲି ଆଡିବନ୍ଧ ପାଇଁ ୧୨୮ କୋଟି ଟଙ୍କା ପ୍ରଦାନ କରାଯାଇଛି।  ବୁଢାରାଜା ଆଡିବନ୍ଧ ପାଇଁ ୫୮ କୋଟି, କିରଶାସନ ଆଡିବନ୍ଧ ପାଇଁ ୪୭ କୋଟି, ସଇଡା ଆଡିବନ୍ଧ ପାଇଁ ୩୮ କୋଟି ଓ ଗୋଚର ଆଡିବନ୍ଧ ପାଇଁ ୩୫ କୋଟି ଟଙ୍କା,  କୁଚିଣ୍ଡା, ବାମରା ଓ ଜମନକିରାର ୫୧ଟି ପଞ୍ଚାୟତରେ ପାଇପ ପାଣି ପାଇଁ ୩୧୦ କୋଟି ଟଙ୍କାର କାମ ଚାଲିଛି ବୋଲି ସେ ଜଣାଇଥିଲେ।

ସେହିପରି ନରେନ୍ଦ୍ରରୁ କୁଚିଣ୍ଡା ରାସ୍ତା ପାଇଁ ୪୨ କୋଟି, ଫସିମଲରୁ ଲଇଡା ରାସ୍ତା ପାଇଁ ୨୨.୫୦ କୋଟି, କେସାଇବାହାଲରୁ ସରଗିଡିହି ରାସ୍ତା ପାଇଁ ୧୬ କୋଟି, ଲାଡଫାସିମାଲରୁ ଷଣ୍ଢ ପଥର ରାସ୍ତା ପାଇଁ ୬ କୋଟି,  ୬୦ ଟି ସିମେଣ୍ଟ କଂକ୍ରିଟ ରାସ୍ତା ପାଇଁ ୫ କୋଟି,  ୪ଟି ବୃହତ ସେତୁ ପାଇଁ ୪୦ କୋଟି ଟଙ୍କା, ହକି ଟ୍ରେନିଙ୍ଗ ସେଣ୍ଟର ଓ ଇନଡୋର ଷ୍ଟାଡିୟମ ପାଇଁ ୨୦ କୋଟି ଟଙ୍କା,  ହାଇଟେକ ସର୍ଭେ କରାଯାଇଛି, ସମସ୍ତଙ୍କୁ ଜମିପଟ୍ଟା ଦିଆଯିବ,  କୁଚିଣ୍ଡାର ୭୨ ହାଇସ୍କୁଲ, ୧୮ଟି ହାୟର ସେକେଣ୍ଡାରି ସ୍କୁଲ ଓ କଲେଜର ରୂପାନ୍ତର କରାଯାଇଛି ବୋଲି ସେ ହିସାବ ଦେଇଥିଲେ।

ଅନ୍ୟପକ୍ଷରେ ୫୦ ହଜାର ଚାଷୀଙ୍କୁ କାଳିଆ ସହାୟତା, ୩୨୫୦ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି, ୨୩ ହଜାର ଚାଷୀଙ୍କ ଫସଲ ବୀମା ପାଇଁ ରାଜ୍ୟ ସରକାର ପ୍ରିମିୟମ ଦେଉଛନ୍ତି, କୁଚିଣ୍ଡାରେ ୨୪୦୦ ମିଶନ ଶକ୍ତି ଗୋଷ୍ଠୀ ଅଛନ୍ତି, ମା ମାନଙ୍କୁ ୧୩୫ କୋଟି ଟଙ୍କାର ବିନା ସୁଧରେ ଋଣ ଦିଆଯାଉଛି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୧,୫୦୦ ଲୋକ ସୁବିଧା ପାଉଛନ୍ତି, ଗତବର୍ଷ ୫ ହଜାର ଲୋକଙ୍କ ପାଇଁ BSKY ରେ ୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ହିସାବ ଦେଇଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସମ୍ୱଲପୁର ଲୋକସଭା ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର, ପ୍ରଣବ ପ୍ରକାଶଙ୍କ ପାଇଁ କଲେ ଭୋଟ ଭିକ୍ଷା

ଭୁବନେଶ୍ବର/ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ୱଲପୁର ଠାରେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ସମ୍ୱଲପୁର ପି.ଏଚ୍‍.ଡି. ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଜୁ ଜନତା ଦଳ ସରକାର ଜୁଲାଇ ମାସରୁ ବିଜୁଳି ମାଗଣା ଦେବ । ଆପଣମାନଙ୍କ ପାଖକୁ ଆଉ ବିଜୁଳି ବିଲ୍‍ ଆସିବ ନାହିଁ।

ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କ ଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବି.ଏସ୍‍.କେ.ୱାଇ., ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‍, 5T ସ୍କୁଲ ରୂପାନ୍ତରଣ, ଛାତ୍ରବୃତ୍ତି, କାଳିଆ, ମଧୁବାବୁ ପେନ୍‍ସନ, ଚାଉଳ କାର୍ଡ ଇତ୍ୟାଦିର ସୁଫଳ ବିଷୟରେ ମତାମତ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପଚାରିଥିଲେ ଯେ, ମା ସମଲେଇଙ୍କ ପ୍ରକଳ୍ପ କାମ କିପରି ହୋଇଛି ? ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ କିପରି ହୋଇଛି ? ସମସ୍ତ ଉପସ୍ଥିତ ଜନତା ଉଚ୍ଛ୍ୱସିତ ସ୍ୱରରେ ବହୁତ ଭଲ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଭଲ କି ପ୍ରଶ୍ନର ଉତ୍ତରରେ ଭାବବିହ୍ୱଳ ହୋଇଯାଇଥିଲେ ଉପସ୍ଥିତ ଜନତା। କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ ପ୍ୟାକେଜ୍‍ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ବିରୋଧି ଦଳର ନେତାମାନେ ମିଛ କଥା କହୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ସେ ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ତଥା ସମ୍ୱଲପୁରର ସାଂସଦ ପ୍ରାର୍ଥୀଙ୍କୁ ଶାଣିତ ପ୍ରଶ୍ନ ମାଧ୍ୟମରେ ପଚାରିଥିଲେ ଯେ ଆପଣ ଏ ଅଞ୍ଚଳ ପାଇଁ, ମହାନଦୀ ପାଇଁ ମା ସମଲେଇଙ୍କ ପାଇଁ କ’ଣ କରିଛନ୍ତି, ଏହାର ଉତ୍ତର ରଖିବେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଏ ଅଞ୍ଚଳର ପରିଚୟ ହେଉଛି ସମ୍ୱଲପୁରୀ କୋଶଳୀ ଭାଷା। ସମ୍ୱିଧାନର ଅଷ୍ଟମ ପରିଚ୍ଛେଦରେ ଏହାକୁ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପାଞ୍ଚ ଥର କେନ୍ଦ୍ରକୁ ପ୍ରସ୍ତାବ ପଠାଇଥିଲେ। କେନ୍ଦ୍ରମନ୍ତ୍ରୀ ଉତ୍ତର ଦେଇପାରିବେ କି ? କାହିଁକି ଅନ୍ତର୍ଭୁକ୍ତ ହେଲା ନାହିଁ ?

ସେ ଆହୁରି ମଧ୍ୟ ପଚାରିଥିଲେ, ସମ୍ୱଲପୁରୀ ଶାଢ଼ୀ ଏ ଅଞ୍ଚଳର ମୁଖ୍ୟ ପରିଚୟ। ସମ୍ୱଲପୁରୀ ଶାଢ଼ୀର ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର କଳାଭୂମିଠାରେ ମ୍ୟୁଜିୟମ୍‍ କରିଛନ୍ତି।ସେ କ’ଣ କରିଛନ୍ତି ? ସମ୍ୱଲପୁରୀ ଶାଢ଼ୀ ଡିଜାଇନରେ ଭୁବନେଶ୍ୱର ଠାରେ କୃଷିଭବନ ମୁଖ୍ୟମନ୍ତ୍ରୀ ତିଆରି କରିଛନ୍ତି। ଏହି ଭବନ ସାରା ବିଶ୍ୱରେ ଏକ ନମ୍ୱର ହୋଇ ଆୱାର୍ଡ ପାଇଛି, ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଅବଦାନ ସମ୍ୱଲପୁରୀ ଶାଢ଼ୀ ପାଇଁ।

ମୁଖ୍ୟମନ୍ତ୍ରୀ ବୁଣାକାରମାନଙ୍କ ଉନ୍ନତି ପାଇଁ ଗୁଡ଼ାଏ ପ୍ୟାକେଜ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କଣ କରିଛନ୍ତି ? ଚାହିଁଥିଲେ ଟେକ୍‍ସଟାଇଲ ପାର୍କ କରିପାରିଥାନ୍ତେ ? ରପ୍ତାନୀ ପାଇଁ ଉଦ୍ୟମ କରିପାରିଥାନ୍ତେ। କିଛି କଲେ ନାହିଁ। ଏ ଅଞ୍ଚଳର ବୀର ସୁରେନ୍ଦ୍ର ସାଏ, ଭୀମ ଭୋଇ, ଗଂଗାଧର ମେହେର, ପାର୍ବତୀ ଗିରିଙ୍କ ପରି ବରପୁତ୍ରମାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ବିଜେପି ସରକାର କ’ଣ କରିଛି ? ଆମ ସରକାର ଏହି ବରପୁତ୍ରମାନଙ୍କ ସ୍ମୃତି ପୀଠର ଉନ୍ନତି କରୁଛନ୍ତି। ସେମାନଙ୍କ ସମ୍ମାନାର୍ଥେ ବହୁ ଯୋଜନା ମଧ୍ୟ ନାମିତ କରିଛନ୍ତି।

ମହାନଦୀ ଆମ ଓଡ଼ିଆଙ୍କ ଅସ୍ମିତା । ଓଡ଼ିଶାର ମହାନଦୀ ଆନ୍ଦୋଳନ ବେଳେ ବିଜେପି ସରକାର ଛତିଶ୍‍ଗଡ଼ ସହିତ ଠିଆ ହେଲା, ଅଥଚ ଓଡ଼ିଶାକୁ ଭୁଲିଗଲା। ମହାନଦୀ ଟ୍ରିବୁନାଲ ଗଠନକୁ ବିରୋଧ କଲା। ଓଡ଼ିଶାବାସୀ ଓ ଓଡ଼ିଶାର ଚାଷିକୁଳଙ୍କୁ ସେ ସମୟରେ ବିଜେପି ସରକାର ଭୁଲିଗଲା।

ସେ ଆହୁରି ମଧ୍ୟ କହିଲେ ଯେ, ମା ସମଲେଇ ପ୍ରକଳ୍ପ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ସ୍ୱପ୍ନର କାର୍ଯ୍ୟକ୍ରମ ଥିଲା। ସେତେବେଳେ ମଧ୍ୟ ଏହାକୁ ବିରୋଧ କଲେ। ବିରୋଧ କରି ସୁପ୍ରିମ୍‍ କୋର୍ଟ ପର୍ଯନ୍ତ ଗଲେ। ମା ସମଲେଇଙ୍କ କୃପାରୁ ସେମାନେ ଏଥିରେ ସଫଳ ହେଲେ ନାହିଁ। ସୁରୁଖୁରୁରେ ସମଲେଇ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ ହେଲା। ଏହି ପ୍ରକଳ୍ପ ପାଇଁ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ବହୁ ପରିଶ୍ରମ କରିଛନ୍ତି ।

ସମ୍ୱଲପୁର ଅଞ୍ଚଳର ବହୁ ଗରିବ ଲୋକ କେନ୍ଦୁପତ୍ର ଉପରେ ନିର୍ଭର କରିଥାନ୍ତି । କେନ୍ଦୁପତ୍ର ତୋଳାଳୀ ଉପରେ କେନ୍ଦ୍ରସରକାର ଜି.ଏସ୍‍.ଟି. ଲାଗୁ କଲେ। ବଡ଼ ବଡ଼ କମ୍ପାନୀ ଓ ପୁଞ୍ଜୀନିବେଶକାରୀଙ୍କ ଠାରୁ ସିନା ଜି.ଏସ୍‍.ଟି. ନେବେ, ଜଙ୍ଗଲ ଉପରେ ନିର୍ଭର କରୁଥିବା ଗରିବ ଲୋକଙ୍କ ଠାରୁ ଜି.ଏସ୍‍.ଟି. ନେବା ଉଚିତ କି ବୋଲି ସେ ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରୁ ରାଜ୍ୟ ଜି.ଏସ୍‍.ଟି. ଫେରାଇ ନେଇଛନ୍ତି । ସେମାନଙ୍କ ପାଇଁ ବହୁତ ବଡ଼ ବଡ଼ ପ୍ୟାକେଜ କରିଛନ୍ତି। ଏ ବାବଦରେ କେବେ ସ୍ୱର ଉତ୍ତୋଳନ କରିଛନ୍ତି କି, କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରାର୍ଥୀ।

କହିଥିଲେ ଏମ୍‍.ଏସ୍‍.ପି. ଦୁଇଗୁଣ ହେବ, ହେଲା କି ? ଏବେ ଇଲେକ୍‍ସନ ୧୦ ଦିନ ଅଛି, ପୁଣି ମନେ ପଡ଼ୁଛି, ୧୦ ବର୍ଷ ହେଲା କ’ଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଥିଲେ ।

ମୁଖ୍ୟମନ୍ତ୍ରୀ ସମ୍ୱଲପୁରର ସବୁ ହାଇସ୍କୁଲକୁ 5T ରୂପାନ୍ତରଣ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଗୋଟିଏ ସ୍କୁଲ କରିଛନ୍ତି କି ? ଅଞ୍ଚଳ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଆଣିଛନ୍ତି କି ? ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ସମ୍ୱଲପୁର କିମ୍ୱା ଦେଗଗଡ଼ରେ ଦକ୍ଷତା ବିକାଶ କେନ୍ଦ୍ର ଗୋଟିଏ ଖୋଲିଲେ କି ? ଏ ଅଞ୍ଚଳକୁ କାହିଁକି ଅବହେଳା କଲେ ? ତୈଳମନ୍ତ୍ରୀ ଥିବା ବେଳେ ୨ ମାସକୁ ଥରେ ତାଙ୍କ ଦସ୍ତଖତରେ ପେଟ୍ରୋଲ, ଡିଜେଲ ଓ ଏଲ୍‍.ପି.ଜି. ଦର ବଢ଼ୁଥିଲା। ସାଧାରଣ ଖାଉଟିର କଷ୍ଟକୁ ସେତେବେଳେ ସେ କ’ଣ ଅନୁଭବ କରିପାରୁନଥିଲେ । କେନ୍ଦ୍ରମନ୍ତ୍ରୀ ଆତ୍ମସମୀକ୍ଷା କରନ୍ତୁ, ଲୋକଙ୍କ ପାଖରେ ଉତ୍ତରଦାୟୀ ହୁଅନ୍ତୁ ।

ମୁଖ୍ୟମନ୍ତ୍ରୀ ୩ ବର୍ଷ ମଧ୍ୟରେ ବିଜୁ ଏକ୍‍ସପ୍ରେସ୍‍ ୱେ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ । ଅଥଚ କଟକ-ସମ୍ୱଲପୁର ରାସ୍ତା ୧୦ ବର୍ଷ ହେଲା ହୋଇପାରୁନାହିଁ। ଲୋକଙ୍କ ଯିବାଆସିବା ଅସୁବିଧା ଠାରୁ ଆରମ୍ଭ କରି ବହୁ ଧନଜୀବନ ଏଥିପାଇଁ କ୍ଷୟକ୍ଷତି ଘଟୁଛି।

କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରି ସେ ପୁଣି କହିଥିଲେ ଯେ, ଏମ୍‍.ସି.ଏଲ୍‍. ପ୍ରତିବର୍ଷ କୋଇଲା ବାବଦକୁ ଓଡ଼ିଶାରୁ ୨୭ ହଜାର କୋଟି ଟଙ୍କା ପାଉଛି। କିନ୍ତୁ ଓଡ଼ିଶାବାସୀ ପାଉଛନ୍ତି ପ୍ରଦୂଷଣ ଏବଂ ଓଡ଼ିଶା ପାଉଛି ମାତ୍ର ୪ ହଜାର କୋଟି ଟଙ୍କା। ଏଇଟା କ’ଣ ଉଚିତ ହେଉଛି କି ?

ସମ୍ୱଲପୁର ଓ ରେଙ୍ଗାଲୀର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କର ବହୁତ ବଡ଼ ମାଷ୍ଟର ପ୍ଲାନ ରହିଛି ବୋଲି ସେ ସୂଚନା ଦେଇ ବିଜୁ ଜନତା ଦଳର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଶ୍ରୀ ପାଣ୍ଡିଆନ ଅନୁରୋଧ କରିଥିଲେ ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଅକ୍ଷି ମୁଠି ଅନୁକୂଳ କଲେ ସମ୍ବଲପୁରର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ

ସମ୍ବଲପୁର: ଅକ୍ଷୟ ତୃତୀୟାରେ ଆରମ୍ଭ ହୋଇଥାଏ ସମସ୍ତ କାର୍ଯ୍ୟ। କାରଣ ବିଶ୍ବାସ ରହିଛି ଯେ, ଏହିଦିନ ଭଲ କାର୍ଯ୍ୟ ଆରମ୍ଭ କଲେ ଶୁଭ ଫଳ ମିଳିଥାଏ। ସେଥିପାଇଁ ଚାଷିପୁଅ ଏହିଦିନଠାରୁ ଧାନବୁଣା କାମ ଆରମ୍ଭ କରିଥାଏ।

ସେହିପରି ଶୁଭ ଅବସରରେ ସମ୍ବଲପୁରର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମଧ୍ୟ ଅକ୍ଷି ମୁଠି ଅନୁକୂଳ କରିଛନ୍ତି। ସେ ଗତକାଲି ରେଙ୍ଗାଳିଠାରେ ବିଲରେ ଧାନ ବୁଣିବା ସହିତ ହଳ ମଧ୍ୟ କରିଛନ୍ତି।

ଏ ନେଇ ପ୍ରଣବ ନିଜ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ ,”ରେଙ୍ଗାଲିରେ ଅକ୍ଷି ମୁଠି ଅନୁକୁଲ୍ କରିକରି ଚଷା ଭାଏମାନକର୍ ସାଙ୍ଗେ ବଡ଼ଖା ତିହାର୍ ଅକ୍ଷି ତୃତୀୟା ମନାଲି। ସମକର୍ ଭଲ୍ ପାଏବାର୍ ପାଇକରି ଉସତ୍ ଲାଗଲା। ସମୃଦ୍ଧ ସମ୍ବଲପୁରେ କଥା ହେବା ଅସଲ, ହଁସବା ଚଷା ଭାଏ ଆର୍ କ୍ଷେତେ ଖେଲବା ସୁନାର୍ ଫସଲ୍।”

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

କୋରେଇ ଆସନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ

ଯାଜପୁର: କୋରେଇ ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସନ୍ଦ୍ୟାରାଣୀ ଦାସ। ତାଙ୍କ ହଜାର ହଜାର ସମର୍ଥକଙ୍କ ସହିତ ଏକ ଶୋଭାଯାତ୍ରାରେ ଆସି ସେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ତା ପୂର୍ବରୁ ସେ ପାଣିକୋଇଲି ତାରିଣୀ ମନ୍ଦିରରେ ପୂଜା ଅର୍ଚ୍ଚନା କରି ନାମାଙ୍କନ ଦାଖଲ ପାଇଁ ଯାଇଥିଲେ।

ସନ୍ଧ୍ୟାରାଣୀ 4 ସେଟ ନାମାଙ୍କନ ଦାଖଲ କରିଛନ୍ତି। କୋରେଇ ହେଉଛି ତାଙ୍କ ସ୍ବାମୀ ସ୍ବର୍ଗତ ଅଶୋକ ଦାସଙ୍କ ଗଡ। ସେଠାରୁ ଅଶୋକ ଦାସ ଲଗାତର ଜିତି ଆସୁଥିଲେ। ତାଙ୍କର ପରଲୋକ ପରେ ସେଠାରୁ ଅନ୍ୟମାନେ ଛିଡା ହୋଇଥିଲେ। ତାଙ୍କ ପୁତ୍ର ପ୍ରଣବ ପ୍ରକାଶ ଦାସ ବର୍ତ୍ତମାନ ବିଜେଡିର ଜଣେ ଟାଣୁଆ ନେତା। ସେ ସମ୍ବଲପୁର ଲୋକସଭା ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସନ୍ଧ୍ୟାରାଣୀ ଦାସଙ୍କୁ କୋରେଇରେ ପ୍ରାର୍ଥୀ କରି ଚମକାଇ ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଗତକାଲି ନବୀନ ପଟ୍ଟନାୟକ ବିଧାନସଭାରେ ଶେଷ ତାଲିକା ଘୋଷଣା କରିଛନ୍ତି। ଏଥିରେ ସେ କୋରେଇରୁ ସନ୍ଧ୍ୟାରାଣୀ ଦାସ, ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନ ଏବଂ ନୀଳଗିରିରୁ ସୁକାନ୍ତ ନାୟକଙ୍କ ନାମ ଘୋଷଣା କରିଛନ୍ତି। ତେବେ ନବୀନ ସବୁଠାରୁ ଚମତ୍କାର ଦେଖାଇଛନ୍ତି କୋରେଇ ଆସନର ପ୍ରାର୍ଥୀ ଘୋଷଣା କରି। ଏହା ଆସନରୁ ପ୍ରାର୍ଥୀ ହୋଇଛନ୍ତି ସନ୍ଧ୍ୟାରାଣୀ ଦାସ।

ସନ୍ଧ୍ୟାରାଣୀଙ୍କ ନାମ ଘୋଷଣା ପରେ ହଠାତ ସେ କିଏ ବୋଲି କେହି କିଛି ଜାଣିପାରିଲେ ନାହିଁ। ତେବେ କିଛି ସମୟ ପରେ ପରେ ଜଣାପଡିଲା ଯେ, କିଏ ଏହି ସନ୍ଧ୍ୟାରାଣୀ ଦାସ। ସେ ହେଉଛନ୍ତି କୋରେଇର ପୂର୍ବତନ ବିଧାୟକ ତଥା ଓଡିଶାର ଜଣେ ଟାଣୁଆ ନେତା ସ୍ବର୍ଗତ ଅଶୋକ ଦାସଙ୍କ ଧର୍ମପତ୍ନୀ। ତେବେ ତାଙ୍କର ଆଉ ଏକ ବଡ ପରିଚୟ ହେଉଛି ସେ ହେଉଛନ୍ତି ବିଜେଡିର ସଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ବୋଉ। ପ୍ରଣବ ବର୍ତ୍ତମାନ ସମ୍ବଲପୁରର ଲୋକସଭା ପ୍ରାର୍ଥୀ ଅଛନ୍ତି।

ସ୍ବର୍ଗତ ଅଶୋକ ଦାସ ଏହି ଆସନରୁ ପାଞ୍ଚଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଶେଷଥର ସେ 2000 ମସିହାରେ ନିର୍ବାଚିତ ହୋଇଥିଲେ। ତାଙ୍କର କୋରେଇ ଅଞ୍ଚଳରେ ବେଶ ଭଲ ସଂଗଠନ ରହିଛି। ଏ ପର୍ଯ୍ୟନ୍ତ କୋରେଇରେ ତାଙ୍କର ସମର୍ଥକ ରହିଛନ୍ତି। ସେଥିପାଇଁ ନବୀନ ତାଙ୍କର ଧର୍ମପତ୍ନୀ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

କୋରେଇର ବର୍ତମାନ ବିଧାୟକ ଅଶୋକ ବଳ ସେହି ଆସନ ପାଇଁ ଏଥର ଆଶାୟୀ ଥିଲେ। ସେହିପରି ଗତଥର ବିଧାୟକ ଥିବା ଆକାଶ ଦାସ ନାୟକ ମଧ୍ୟ ଏହି ଆସନରୁ ଏଥର ଆଶାୟୀ ଥିଲେ। ହେଲେ ବିଜେଡି ତାଙ୍କୁ ଏଥର ଟିକେଟ ଦେବ ନାହିଁ ବୋଲି ଅନୁଭବ କରି ଦଳତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି। ସେ କୋରେଇ ଆସନରୁ ବର୍ତ୍ତମାନ ବିଜେପି ପ୍ରାର୍ଥୀ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଣବ ପ୍ରକାଶ ଦାସ, ମୁଖ୍ୟମନ୍ତ୍ରୀ କହିଲେ ବିଜୟୀ ଭବ

ଭୁବନେଶ୍ବର: ଆଜି ନିଜ ସମର୍ଥକଙ୍କ ସହିତ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡିର ପ୍ରଣବ ପ୍ରକାଶ ଦାସ। ସେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ସମ୍ବଲପୁର ଜିଲ୍ଲାପାଳ ଅଫିସରେ ନାମାଙ୍କନ ଦାଖଲ କରିଥିଲେ। ସେ ଚାରିସେଟ ନାମାଙ୍କନ ଦାଖଲ କରିଥିବାର ଜଣାପଡିଛି। ତାଙ୍କ ସହିତ ସମ୍ବଲପୁର ଲୋକସଭା ଅଧିନରେ ଥିବା ବିଧାନସଭା ପ୍ରାର୍ଥୀମାନେ ମଧ୍ୟ ଉପସ୍ଥିତ ଥିଲେ।

ତେବେ ନାମାଙ୍କନ ଦାଖଲ ପୂର୍ବରୁ ପ୍ରଣବ ମା ସମଲେଶ୍ବରୀ ମନ୍ଦିର ଯାଇ ଦର୍ଶନ କରି ପୂଜାପାଠ କରିଥିଲେ। ଏହାପରେ ସେ ନାମାଙ୍କନ ଦାଖଲ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରୀ କରି ତାଙ୍କର ମଙ୍ଗଳ କାମନା କରିଛନ୍ତି। ସେ କହିଛନ୍ତି ଅଲ ଦ ବେଷ୍ଟ ବବି, ଆଇ ଆମ ସିଓର ୟୁ ଉଇଲ ୟୁଇନ୍।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ସମ୍ବଲପୁରରେ ପ୍ରଣବ ପ୍ରକାଶଙ୍କ ଜୋରଦାର ପ୍ରଚାର, ଖଣିଜ ସଂପଦକୁ ନେଇ କେନ୍ଦ୍ରକୁ କଲେ ଟାର୍ଗେଟ

ଭୁବନେଶ୍ବର: ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ବର୍ତ୍ତମାନ ପ୍ରଚାର ଜୋରଦାର କରିବାରେ ଲାଗିଛନ୍ତି। ସେ ଏହି ଅଧିନରେ ଥିବା ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ସ୍ତରରେ ପ୍ରଚାର କରିବାରେ ଲାଗିଛନ୍ତି। ବିଭିନ୍ନ ସ୍ଥାନରେ ତାଙ୍କୁ ବେଶ ଜନ ସମର୍ଥନ ମିଳିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଥିବା ମତଭେଦକୁ ଦୂର କରି ସେ ସଂଗଠନକୁ ସୁଦୃଢ କରିବାରେ ଲାଗିଛନ୍ତି।

କୁଚିଣ୍ଡାର ଏକ ସଭାରେ ପ୍ରଣବ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କୁଚିଣ୍ଡା ଖଣିଜ ସଂପଦରେ ଭରପୁର। କେନ୍ଦ୍ର ସରକାରଙ୍କ ନାଲକୋ, ଏସିଏଲ ପରି ବଡବଡ ସଂସ୍ଥା ଏଠାରୁ ଖଣିଜ ନେଉଛନ୍ତି। ହେଲେ ତା ପ୍ରତିବଦଳରେ ସେମାନେ ଦେଉଛନ୍ତି କଣ ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି। ସେମାନେ କେବଳ ପାଉଁଶ ଓ ଧୂଆଁ ଦେଉଛନ୍ତି ବୋଲି ସେ ଜନସଭାକୁ କହିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନର ପ୍ରବଳ ଚାପ ସତ୍ବେ ରକ୍ତଦାନ କଲେ ସମ୍ବଲପୁର ଲୋକସଭାର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର: ଚଳିତ ଗ୍ରୀଷ୍ମ ଋତୁ ତଥା ବର୍ତ୍ତମାନର ନିର୍ବାଚନୀ ମାହୋଲରେ ସବୁ ଦଳ ବ୍ୟସ୍ତ ଥିବା ବେଳେ ସମ୍ବଲପୁରରେ ଉତ୍କଟ ରକ୍ତାଭାବକୁ ଲକ୍ଷ୍ୟ କରି ସମ୍ବଲପୁର ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ସୌଜନ୍ୟରୁ ଏକ ଜରୁରୀକାଳୀନ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି ।

ଏହି ଶିବିରରେ ନିଜେ ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ରକ୍ତଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ପ୍ରତିଟି ଜୀବନ ମୁଲ୍ୟବାନ” ଉକ୍ତିକୁ ସାର୍ଥକ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳ ସବୁ ସମୟ ଅସମୟରେ ଲୋକଙ୍କ ସହ ରହେ ଏହା ଶ୍ରେଷ୍ଠ ପ୍ରମାଣ।

ଏହି ଶିବିରରେ ଅତିଥି ଭାବେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ, ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଜିଲ୍ଲା ଛାତ୍ର ସଭାପତି ସୁଭ୍ରାଶୁଂ ପାଢ଼ୀ, ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜିକା କବିତା ପୁରୋହିତ, ରାଜ୍ୟ ଛାତ୍ର କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ବାଇଁ, ସମ୍ବଲପୁର ଜୋନ୍ ସାଧାରଣ ସଂପାଦକ ସୁଧିର ପଣ୍ଡା, ସମ୍ବଲପୁର ନିର୍ବାଚନୀ କୋଅର୍ଡିନେଟର ଦେବୀ ଲେଙ୍କା, ଜିଲ୍ଲା ଯୁବ ଉପସଭାପତି ମଞ୍ଜୁ ଓରାମ, ଜିଲ୍ଲା ଯୁବ ସମ୍ପାଦକ ଉତ୍ତମ ବାଗଙ୍କ ସହ ଅନ୍ୟ ସମସ୍ତ ନେତୃ ବୃନ୍ଦ ସହଯୋଗ କରିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଭେଟିଲେ ପ୍ରଣବ ପ୍ରକାଶ ଦାସ

ସମ୍ବଲପୁର: ଗତକାଲି ଓଡିଶାର ପ୍ରତିଷ୍ଠିତ ନାଟ୍ୟକାର ବିନୋଦ ପଶାୟତଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ଆଜି ତାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି ସମ୍ବଲପୁର ଲୋକସଭାର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ଏ ନେଇ ସେ ନିଜ ସାମାଜିକ ଗଣମାଧ୍ୟମରେ ମଧ୍ୟ ସେ ସୂଚନା ପ୍ରଦାନ କରିଛନ୍ତି।

ସେ ଲେଖିଛନ୍ତି ଯେ, ” ସମ୍ବଲପୁର ମାଟିର ବିଶିଷ୍ଟ ନାଟ୍ୟକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଶ୍ରୀ ବିନୋଦ କୁମାର ପଶାୟତଙ୍କୁ ଭେଟି ସମ୍ବର୍ଦ୍ଧିତ କରିବାର ସୌଭାଗ୍ୟ ମିଳିଲା। ଶ୍ରୀ ପଶାୟତଙ୍କ ଓଜସ୍ବୀ ସାହିତ୍ୟ ସର୍ଜନା ସାରା ଦେଶରେ ଆମ ମାଟିର ଯଶକୁ ବଢ଼ାଇଛି। ସେ ସବୁବେଳେ ସୁସ୍ଥ ରୁହନ୍ତୁ ଏବଂ ତାଙ୍କ ରଚନା ଆମ ସମାଜକୁ ଆହୁରି ପ୍ରେରଣା ଯୋଗାଉ, ମା’ ସମଲେଶ୍ୱରୀଙ୍କ ନିକଟରେ ଏତିକି ପ୍ରାର୍ଥନା।’

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁରରେ ପ୍ରଣବ ପ୍ରକାଶଙ୍କ ମାରାଥନ ପ୍ରଚାର, ଦେବଗଡ଼ରେ ବିରୋଧୀଙ୍କ ଉପରେ ବର୍ଷିଲେ

ଭୁବନେଶ୍ବର: ସାରା ଓଡିଶା ଏକ ପରିବାର। ବିଜୁ ଜନତା ଦଳ ଏକ ପରିବାର। ଏ ପରିବାରର ମୁଖ୍ୟ ନବୀନ ପଟ୍ଟନାୟକ ସବୁବେଳେ ଆମ ସାଥିରେ ଅଛନ୍ତି। ମୁଁ ତ ନିମିତ୍ତ ମାତ୍ର। ଆପଣଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ମତେ ଏଠିକି ପଠାଇଛନ୍ତି। ଆପଣଙ୍କ ଆଶୀର୍ବାଦ ରହିଲେ ଦିଲ୍ଲୀ ଦରବାରରେ ଏ ଅଞ୍ଚଳର ସ୍ୱର ଶାଣିତ କରିବି। ପଶ୍ଚିମ ଓଡିଶାରୁ ଭାରତୀୟ ଜନତା ପାର୍ଟିର ପାଞ୍ଚ ଜଣ ସାଂସଦକୁ ଆପଣମାନେ ନିର୍ବାଚିତ କରି ପଠାଇଲେ।

ହେଲେ ଏ ଅଞ୍ଚଳର ବିକାଶ ପାଇଁ ଆଜି ପର୍ଯ୍ୟନ୍ତ ସେମାନେ ମୁହଁ ଖୋଲି ନାହାନ୍ତି। ବିଜୁ ଜନତା ଦଳ ଉପରେ ଭରସା ରଖନ୍ତୁ। ଏଥର ଯୋଡି ଶଙ୍ଖରୁ ବିକାଶର ସ୍ୱର ଶୁଭିବ ବୋଲି ମାରାଥନ ପ୍ରଚାର ସମୟରେ ଜନସାଧାରଣଙ୍କୁ ଭରସା ଦେଇ କହିଛନ୍ତି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ।

ଆଜି ତାଳଚେରରେ ମା ହିଙ୍ଗୁଳାଙ୍କ ଦର୍ଶନ କରି ଆଶିଷ ଲଭିବା ପରେ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ପ୍ରଣବ ପ୍ରକାଶ। ତାଳଚେରରୁ ଛେଣ୍ଡିପଦା ଓ ପରେ ଦେବଗଡ ଜିଲ୍ଲା ରିଆମାଳରେ ପହଞ୍ଚିଥିଲେ। ପ୍ରଣବ ପ୍ରକାଶଙ୍କୁ ସ୍ୱାଗତ କରିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ସମ୍ବଲପୁର ଲୋକସଭା କ୍ଷେତ୍ରର ଆବାଳବୃଦ୍ଧ ବନିତା ତାଙ୍କୁ ସହୃଦୟେ ଗ୍ରହଣ କରୁଥିବା ଦେଖି ସେ ଭାବବିହ୍ଵଳ ହୋଇଥିଲେ।

ଏହି ଅବସରରେ ଆୟୋଜିତ ସଭାରେ ସେ କହିଥିଲେ। ଏଭଳି ଭଲପାଇବା ଦେଉଥିବାରୁ ମୁଁ ଆପଣଙ୍କ ପାଦ ତଳେ ମୁଣ୍ଡିଆ ମାରୁଛି। ଏତେ ଗରମରେ ମଧ୍ୟ ଆପଣମାନେ ଆସି ମତେ ସମର୍ଥନ କରିବା ହିଁ ସ୍ପଷ୍ଟ କରୁଛି ଏହା ପ୍ରଚାର ନୁହେଁ, ସ୍ନେହର ସଭା। ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣଙ୍କ ସେବା କରିବା ପାଇଁ ମତେ ସୁଯୋଗ ଦେବାର ନିଷ୍ପତ୍ତିକୁ ଆପଣମାନେ ଗ୍ରହଣ କରି ସାରିଛନ୍ତି ବୋଲି ହୃଦବୋଧ ହେଉଛି। ଏଥର ଆପଣମାନେ ଦୃଢ ନିଶ୍ଚିତ ଥାଆନ୍ତୁ। ଯୋଡି ଶଙ୍ଖରୁ ବିକାଶର ସ୍ୱର ଶୁଭିବ ବୋଲି ପ୍ରଣବ ପ୍ରକାଶ ବିଶ୍ୱାସର ବାର୍ତ୍ତା ଦେଇଥିଲେ।

ସେହି ସଭାରୁ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ପ୍ରଣବ ପ୍ରକାଶ। ସେ କହିଥିଲେ ଭାରତୀୟ ଜନତା ପାର୍ଟିର ପାଞ୍ଚ ଜଣ ସାଂସଦ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ନିର୍ବାଚିତ ହୋଇ ଦିଲ୍ଲୀ ଯାଇଛନ୍ତି। କିନ୍ତୁ ଯେଉଁ ଲୋକଙ୍କ ଭୋଟ ପାଇ ସେମାନେ ଦିଲ୍ଲୀ ଗଲେ ସେମାନଙ୍କ ଅଭାବ ଅସୁବିଧା ବୁଝିବା ପାଇଁ ସେମାନଙ୍କ ପାଖରେ ସମୟ ନାହିଁ। କିଏ କଥା କହେ ଏବଂ କିଏ କାମ କରେ ତାହା ଆପଣ ମାନେ ଭଲ ଭାବରେ ବୁଝନ୍ତୁ। ଏଥର ଆପଣଙ୍କ ଦୁଇଟି ଯାକ ଭୋଟ ଶଙ୍ଖ ଚିହ୍ନକୁ ଦେଇ ବିକାଶ ବିରୋଧୀଙ୍କୁ ଉଚିତ ଜବାବ ଦିଅନ୍ତୁ ବୋଲି ଆହ୍ୱାନ କରିଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନେତାଙ୍କୁ ଜନତା ଦରକାର, ଜନତାଙ୍କୁ ନେତା ନୁହେଁ : ପ୍ରଣବ ପ୍ରକାଶ ଦାସ

ସମ୍ବଲପୁର: ସମ୍ବଲପୁର ଲୋକସଭା କ୍ଷେତ୍ର ଅର୍ନ୍ତଗତ କୁଚିଣ୍ଡା ବିଧାନସଭା ମଣ୍ଡଳୀ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ସ୍ଥାନୀୟ ସିନେମା ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମ୍ୱଲପୁର ଲୋକସଭା ପ୍ରାର୍ଥୀ ତଥା ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ କର୍ମକର୍ତ୍ତା ମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ।

ପ୍ରଣବ ପ୍ରକାଶ ଦାସଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା କରିଥିବାରୁ କୁଚିଣ୍ଡାବାସୀଙ୍କୁ କୃତଜ୍ଞତା ଜଣାଇଥିଲେ। ବିଜୁ ଜନତା ଦଳ ଲୋକଙ୍କ ଦଳ। ନେତାଙ୍କୁ ଜନତା ଦରକାର, ଜନତା ଙ୍କୁ ନେତା ନୁହେଁ। ତେଣୁକରି ଆମେ ସମସ୍ତେ ସମାନ ବୋଲି କହି ପ୍ରଣବ ପ୍ରକାଶ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କୁ ପ୍ରାର୍ଥୀ କରିଛନ୍ତି।

ଏଣୁ ସମସ୍ତ ମତଭେଦ ଦୂର କରି ସମସ୍ତେ ଏକ ହୋଇ ଦଳ ପାଇଁ କାମ କରିବା ସହିତ ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ ଭୋଟଦେଇ ବିଜୟୀ କରାଇବା ବୋଲି କହିଥିଲେ। ସମ୍ୱଲପୁର ଜିଲ୍ଲାରେ ଯେପରି ଶଙ୍ଖ ଚିହ୍ନରେ ଅଧିକରୁ ଅଧିକ ଭୋଟ ହୋଇପାରିବ ସେଥିପାଇଁ ସମସ୍ତଙ୍କୁ କାମ କରିବାକୁ ପଡିବ ବୋଲି ଆହ୍ୱାନ କରିଥିଲେ।

ସଭା କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ଏନଏସି ଅଧ୍ୟକ୍ଷ ପ୍ରଦ୍ୟୁତ କୁମାର ମହାନ୍ତି, ସଞ୍ଜିତ ମହାନ୍ତି, ପୂର୍ବତନ ନଗର ସଭାପତି ଗଣେଶ ରାମ ଅଗ୍ରୱାଲ, ଭୀମରାଜ ପ୍ରସାଦ, ଗଗନ ଶର୍ମା, ସଞ୍ଜୟ ବେହେରା, ଲକ୍ଷ୍ମଣ ସା, ଗଣେଶ ଅଗ୍ରୱାଲ, ମିଳନ ଖୁଣ୍ଟିଆ, ତନୟା ଧୁରୁଆ, ଜିଲ୍ଲା ପରିଷଦ ସଭ୍ୟ ଜମନକିରା ସୁଜତା ଖୁଣ୍ଟିଆ, ଅଜିତ ମହାପାତ୍ର, ଭୁବନେଶ୍ୱର କିଷାନ, ମୁନୁ ମିଶ୍ର, ଅଶୋକ ପରିଡାଙ୍କ ସହିତ ବାମରା, କୁଚିଣ୍ଡା ଓ ଜମନକିରା ଅଞ୍ଚଳର ନେତୃବୃନ୍ଦ ଓ ଶତାଧିକ କର୍ମୀ ଉପସ୍ଥିତ ରହି କାର‌୍ୟ୍ୟକ୍ରମକୁ ସଫଳ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ରୋଚକ ମୋଡରେ ସମ୍ବଲପୁର ଲୋକସଭା ନିର୍ବାଚନ, ଏନଏଚ ପ୍ରସଂଗ ନେଇ ଧର୍ମେନ୍ଦ୍ରଙ୍କୁ ବାଣ ମାରିଲେ ପ୍ରଣବ ଦାସ

ଭୁବନେଶ୍ବର: ଧୀରେ ଧୀରେ ଏକ ରୋଚକ ମୋଡକୁ ଯାଉଛି ସମ୍ବଲପୁର ଲୋକସଭା ନିର୍ବାଚନ। ସାରା ଓଡିଶାର ବର୍ତ୍ତମାନ ସମ୍ବଲପୁର ନିର୍ବାଚନ ଉପରେ ଆଖି। କାରଣ ହେଲା ଏହି ଆସନରେ ଦୁଇ ଦଳର ହେଭିୱେଟଙ୍କ ଲଢେଇ ହେଉଛି। ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ ବନାମ ବିଜେଡିରୁ ପ୍ରଣବ ପ୍ରକାଶ ଦାସ।

ସେହି ଲଢେଇ ଭିତରେ ଆଜି ପ୍ରଣବ ପ୍ରକାଶ ଦାସ ସାମାଜିକ ଗଣମାଧ୍ୟମରେ ଏକ ବାଣ ଫୁଟାଇ ଦେଇଛନ୍ତି। ସେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ଦୁଇଟି ଫଟୋ ପୋଷ୍ଟିଂ କରିଛନ୍ତି। ସେଥିରୁ ଗୋଟିଏ NH 55 ର ଅବସ୍ଥା ଥିବା ବେଳେ ଆଉ ଏକ ଫଟୋରେ ଚକଚକିଆ ବିଜୁ ଏକ୍ସପ୍ରେସ ୱେ ଫଟୋ ରହିଛି।

ସେ ଉଲ୍ଲେଖ କରିଛନ୍ତି ଯେ, ଧର୍ମେନ୍ଦ୍ର ଭାଇ, ଏହି ଦୁଇଟି ଫଟୋକୁ ଟିକେ ଭଲ ଭାବେ ଦେଖନ୍ତୁ। ଫଟୋ – ୦୧ : ଏହା ବିଜୁ ଏକ୍ସପ୍ରେସ ୱେ । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ, ଦେଶର ଅନ୍ୟତମ ଶ୍ରେଷ୍ଠ ରାସ୍ତା ଫଟୋ – ୦୨ : ଏହା ଏନଏଚ-୫୫, ୧୦ ବର୍ଷ ହେଲା କାମ ସରୁନି ଧର୍ମେନ୍ଦ୍ର ଭାଇ, ଏନଏଚ-୫୫ ରେ ଗତ ୫ ବର୍ଷରେ ୪୦୦ରୁ ଅଧିକ ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି।

ଏହି ବିପର୍ଯ୍ୟସ୍ତ ଅବସ୍ଥା ପାଇଁ ଅଂଚଳବାସୀ, ନିର୍ଦ୍ଦିଷ୍ଟ ଭାବେ ସମ୍ବଲପୁରବାସୀଙ୍କ ମନରେ ଥିବା କ୍ଷୋଭକୁ ମୁଁ ଅନୁଭବ କରିପାରୁଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଗିଡି ଗଲା ଧର୍ମେନ୍ଦ୍ରଙ୍କ ଗଣିତ, ବିଜେଡିରେ ସାମିଲ ହେଲେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଅରୁନ୍ଧତି ଦେବୀ

ଭୁବନେଶ୍ବର: ବର୍ତ୍ତମାନ ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଣିତ ବିଗିଡି ଗଲା। କାରଣ ହେଲା ଆଜି ନବୀନ ନିବାସରେ ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଶ୍ରୀମତୀ ଅରୁନ୍ଧତୀ ଦେବୀ ବିଜେଡିରେ ସାମିଲ ହୋଇଛନ୍ତି।

ତାଙ୍କ ସହ ତାଙ୍କ ପୁତ୍ର ନମନ ଗଙ୍ଗଦେବ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ସେମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ସମୟରେ ସାଂସଦ ତଥା ସମ୍ବଲପୁର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ।

ତେବେ ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ପରେ ସାଂସଦ ନୀତିଶ ଗଙ୍ଗଦେବ ସେହି ଅଞ୍ଚଳରେ ଆଉ ଦେଖିବାକୁ ମିଳୁ ନାହିଁ। ସେ ଏକ ପ୍ରକାରର ରାଜନୈତିକ ବନବାସ ଜୀବନ ବିତାଉଛନ୍ତି ବୋଲି ଶୁଣିବାକୁ ମିଳୁଛି। ହେଲେ ଏପଟେ ତାଙ୍କ ପତ୍ନୀ ଓ ପୁତ୍ର ବିଜେଡିରେ ସାମିଲ ହେବା ପରେ ଓଡିଶା ରାଜନୀତିରେ ଏକ ବଡ ସମୀକରଣ ହେବାକୁ ଯାଉଛି ବୋଲି ଅନୁମାନ କରାଯାଉଛି।

ପୂର୍ବରୁ ଧର୍ମେନ୍ଦ୍ର ସମ୍ବଲପୁରରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିବା ପରେ ସେ ସାଂସଦ ନୀତିଶ ଗଙ୍ଗଦେବଙ୍କୁ ଏକ ପ୍ରକାରର କଣଠୋସା କରିଦେଇଛନ୍ତି। ଯାହାକୁ ନେଇ ତାଙ୍କ ପତ୍ନୀ ଅରୁନ୍ଧତୀ ସିଧା ଧର୍ମେନ୍ଦ୍ରଙ୍କ ନାଁ ନେଇ ତୀବ୍ର ସମାଲୋଚନା କରିଛନ୍ତି। ନିଜର ସାମାଜିକ ଗଣମାଧ୍ୟମରେ ଅରୁନ୍ଧତି ଧର୍ମେନ୍ଦ୍ରଙ୍କୁ ଗାଳି ମଧ୍ୟ କରିବାକୁ ପଛାଇ ନାହାଁନ୍ତି।

ବର୍ତ୍ତମାନ ଅରୁନ୍ଧତୀ ବିଜେଡିରେ ଯୋଗଦେବା ପରେ ସେ ଧର୍ମେନ୍ଦ୍ର ବିରୋଧରେ ପ୍ରଚାର କରିବେ। ଏହାଦ୍ବାରା ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପଲା ନିଶ୍ଚିତ ଭାରି ହେବ ଏଥିରେ ସନ୍ଦେହ ନାହିଁ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ଗଡରେ ବିଜେଡି ସେନାପତି, କେବଳ ସମ୍ବଲପୁର ନୁହେଁ, ପୁରା ପଶ୍ଚିମ ଓଡିଶାର ମଙ୍ଗ ଧରିଲେ ପ୍ରଣବ

ଭୁବନେଶ୍ବର: ପଶ୍ଚିମ ଓଡିଶା ନିର୍ବାଚନୀ ଯୁଦ୍ଧ କ୍ଷେତ୍ରରେ ବିଜୁ ଜନତା ଦଳ ଏଥର ନିଜର ସେନାପତିଙ୍କୁ ଅବତୀର୍ଣ୍ଣ କରିଛି। ସେଠାରେ ସେ କେବଳ ଗଡ ବିଜୟ କରିବେ ନାହିଁ, ନିଜେ ବିଜୟୀ ହେବା ସହିତ ବିଜେପି ଗଡକୁ ଧୂଳିସାତ କରିବାକୁ ବ୍ୟୁହ ରଚନା କରିବେ।

ବିଜେଡିର ଏହି ସେନାପତି ହେଲେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଗୋଟିଏ ରାଜନୈତିକ ପରିବାରରୁ ଆସିଥିବା ବିଜେଡିର ଏହି ଚାଣକ୍ୟ ଯାଜପୁର ଆସନରୁ ବିଧାୟକଭାବେ ନିର୍ବାଚିତ ହେବା ସହିତ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ। ବର୍ତ୍ତମାନର ଦଳର ରଣନୀତି ନିର୍ଦ୍ଧାରଣ ଓ ପରିଚାଳନାଭାର ତାଙ୍କ କାନ୍ଧରେ।

ତେବେ ଉପକୂଳ ଓଡିଶାର ଏହି ନେତାଙ୍କୁ ଚଳିତ ନିର୍ବାଚନରେ ବିଜେଡି ପଶ୍ଚିମ ଓଡିଶାର ଗଡ ସମ୍ଭାଳିବାକୁ ପଠାଇଛି । ସେ ଏଥର ସମ୍ବଲପୁର ଲୋକସଭା ପାଇଁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ସିଧାସଳଖ ଲଢେଇ ହେବ ବିଜେପିର ଜାତୀୟ ଚେହେରା ତଥା କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସହିତ ।

ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିବା ଧର୍ମେନ୍ଦ୍ର ଏବେ ଜାତୀୟ ସ୍ତରରେ ଆଗଧାଡିର ରାଜନେତା। ତାଙ୍କୁ ଟକ୍କର ଦେବେ ରାଜ୍ୟରେ ୨୫ବର୍ଷ ଧରି କ୍ଷମତାରେ ଥିବା ବିଜେଡିର ସାଂଗଠନିକ ସମ୍ପାଦକ। ତେଣୁ ସମ୍ବଲପୁରର ରୋଚକ ଲଢେଇକୁ ସମସ୍ତେ ଚାହିଁ ବସିଛନ୍ତି।

ପ୍ରଣବ ପଶ୍ଚିମ ଓଡିଶା ଯିବା ପଛରେ ରହିଛି ତାଙ୍କର ଓ ଦଳର ସୁଚିନ୍ତିତ ରଣନୀତି। କାରଣ ୨୦୧୯ ନିର୍ବାଚନରେ ପଶ୍ଚିମଓଡିଶାର ୫ଟି ଲୋକସଭା ଆସନ ଯଥା ସମ୍ବଲପୁର, ବରଗଡ, ସୁନ୍ଦରଗଡ, ବଲାଙ୍ଗିର ଓ କଳାହାଣ୍ଡିକୁ ବିଜେପି ହାତେଇ ନେଇଥିଲା। କେବଳ ବରଗଡକୁ ବାଦ୍‍ଦେଲେ ଅନ୍ୟ ୪ଟି ଲୋକସଭା ନିର୍ବାଚନମଣ୍ଡଳୀ ଅର୍ନ୍ତଗତ କେତେକ ବିଧାନସଭା କ୍ଷେତ୍ରରେ ବିଜେପିର ବିଧାୟକ ଜିଣିଥିଲେ।

ଏହି ୫ଟି ଆସନକୁ ବାଦ୍‍ ଦେଲେ ମୟୁରଭଞ୍ଜ, ବାଲେଶ୍ୱର ଓ ଭୁବନେଶ୍ୱର ଆସନ ମଧ୍ୟ ବିଜେପି ଦଖଲ କରିଥିଲା । ତେବେ ବିଜେଡିର ସଫଳ ଗୋଟିଚାଳନା ଯୋଗଁ ବିଜେପି ଉପକୂଳରେ ପଶ୍ଚିମଓଡିଶା ଭଳି ଫଳାଫଳ କରିପାରିନଥିଲା।

ଖୋଦ ସାଂଗଠନିକ ସମ୍ପାଦକ ଏଥର ସମ୍ବଲପୁରରେ ଲଢିବା ଫଳରେ ସେ ଗୋଟିଏ ତୀରରେ ଏକାଧିକ ଶିକାର କରିବେ ବୋଲି ଆଶା କରାଯାଉଛି। ପ୍ରଥମତଃ ବିଜେଡି ଶିବିର ଅଧିକ ଚଳଚଞ୍ଚଳ ହୋଇ ଲଢିବ। ଦ୍ୱିତୀୟରେ ନିର୍ବାଚନୀ ରଣନୀତିରେ ଓସ୍ତାଦ କୁହାଯାଉଥିବା ଧର୍ମେନ୍ଦ୍ରଙ୍କୁ ସମ୍ବଲପୁରରେ ପ୍ରଣବ ରୋକି ପାରିବେ।

କାରଣ ଧର୍ମେନ୍ଦ୍ର ସମ୍ବଲପୁରରେ ପ୍ରାର୍ଥୀ ହେବା ପରେ ବିଜେପି ପଶ୍ଚିମ ଓଡିଶାର ଅନ୍ୟ ଲୋକସଭା ଓ ଏହା ଅର୍ନ୍ତଗତ ବିଧାନସଭା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ଏଥି ସହିତ ଧର୍ମେନ୍ଦ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚାର କରିବେ। କିନ୍ତୁ ବିଜେଡିର ସେନାପତି ମଇଦାନକୁ ଓହ୍ଲାଇବା ପରେ ଚିତ୍ର ଧିରେ ଧିରେ ବଦଳିବାରେ ଲାଗିଛି ।

ସମ୍ବଲପୁର ଜିଲ୍ଲା ଦାୟିତ୍ୱରେ ଦୀର୍ଘଦିନ ଧରି ପ୍ରଣବ ରହିଥିବାବେଳେ ଜିଲ୍ଲାରେ ଅନେକ ଉନ୍ନୟନ ଓ ରୂପାନ୍ତରଣ କାର୍ଯ୍ୟ ହାତକୁ ନେଇ ପ୍ରତ୍ୟେକ୍ଷ ଭାବେ ଜିଲ୍ଲା ରାଜନୀତି ସହିତ ଜଡିତ ହୋଇଛନ୍ତି। ଫଳରେ ବିଜେଡିର ଏହି ସେନାପତି ଏବେ ସମ୍ବଲପୁରରେ ରହି ସମଗ୍ର ପଶ୍ଚିମଓଡିଶାକୁ ପ୍ରଭାବିତ କରିବେ। ଉପକୂଳ ଓଡିଶାରେ ବିଜେଡିର ପ୍ରଭାବ ଭଲ ରହିଥିବା ଏବଂ ପ୍ରଣବଙ୍କର ଜନସମ୍ପର୍କ ଭଲ ଥିବାରୁ ଉପକୂଳରେ ଅଳ୍ପ ସମୟ ଦେଇ ପୂର୍ବଭଳି ଦଳକୁ ସଫଳ କରାଇ ପାରିବେ ବୋଲି ବିଜେଡି ଆଶା ରଖିଛି।

ତେବେ ପଶ୍ଚିମଓଡିଶାରେ ଲୋକସଭା ମଇଦାନକୁ ବିଜେପି ତାହାର ଜଣେ କେନ୍ଦ୍ରମନ୍ତ୍ରୀ, ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଦୁଇ ଜଣ ରାଣୀ ଓ ପୂର୍ବତନ ବିଧାୟକଙ୍କୁ ମଇଦାନକୁ ଓହ୍ଲାଇ ଥିବାରୁ ବିଜେଡିର ସେନାପତି ସେମାନଙ୍କୁ ମାତ୍‍ ଦେବାପାଇଁ କେଉଁ ରଣନୀତି ଆପଣେଇବେ ତାହା ଉପରେ ଏବେ ସମସ୍ତଙ୍କ ନଜର।

ଉଲ୍ଲେଖନୀୟ ଯେ ସୁନ୍ଦରଗଡ ଲୋକସଭା ଆସନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରାର୍ଥୀ ହୋଇଥିବାବେଳେ ବଲାଙ୍ଗିରରେ ରାଣୀ ସଙ୍ଗୀତା କୁମାରରୀ ସିଂହଦେଓ ଓ କଳାହାଣ୍ଡିରେ ରାଣୀ ମାଳବିକା କେଶରୀ ଦେଓ ଏବଂ ବରଗଡରେ ପୂର୍ବତନ ବିଧାୟିକ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିଛି। ଏମାନଙ୍କୁ ବିଜେଡିର ଏହି ସେନାପତି ପରାସ୍ତ କରିବା ସହିତ କିଭଳି ବିଜେଡିର ବିଜୟବାନା ଉଡାଉଛନ୍ତି ତାହା ଉପରେ ଏବେ ସମଗ୍ର ରାଜ୍ୟବାସୀଙ୍କ ନଜର।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁର ଲୋକସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ଦାସଙ୍କ ଦମଦାର ପ୍ରଚାର

ଭୁବନେଶ୍ବର: ଧୀରେ ଧୀରେ ଓଡିଶାରେ ନିର୍ବାଚନ ପ୍ରଚାର ବେଶ ଜମିବାରେ ଲାଗିଛି। ତେବେ ଏହି ପ୍ରଚାର ବର୍ତ୍ତମାନ ସମ୍ବଲପୁର ଲୋକସଭା କ୍ଷେତ୍ରରେ ବେଶ ଗରମ ହୋଇଛି। କାରଣ ଏହି ନିର୍ବାଚନ ମଣ୍ଡଳୀରେ ଦୁଇ ହେଭିୱେଟ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେଉଛି। ସେମାନେ ହେଲେ ବିଜେଡିର ପ୍ରଣବ ପ୍ରକାଶ ଦାସ ଏବଂ ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଉଭୟ ପ୍ରଚାରକୁ ପ୍ରଭାବଶାଳୀ କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି। ତେବେ ଗତକାଲି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଶାଳ ରାଲି କରି ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛନ୍ତି। ସେ ଆଠମଲ୍ଲିକରେ ଦେବୀ ମାହେଶ୍ବରୀଙ୍କ ଆର୍ଶିବାଦ ନେଇ ପ୍ରଚାର ଆରମ୍ଭ କରିଥିଲେ। ସେ ହଜାର ହଜାର ସମର୍ଥକଙ୍କ ସହିତ ଆଠମଲ୍ଲିକ ଏବଂ ଛେଣ୍ଡିପଦାରେ ବିଶାଳ ରାଲି କରି ଲୋକଙ୍କ ଆର୍ଶିବାଦ ନେଇଛନ୍ତି।

ପ୍ରଣବ ପ୍ରକାଶ ଆଠମଲ୍ଲିକରେ ଏକ ପଦଯାତ୍ରାର ଆୟୋଜନ କରିଥିଲେ। ସେଥିରେ ତାଙ୍କ ସହିତ ଯୋଗଦେଇଥିଲେ ଅଠମଲ୍ଲିକର ବିଜେଡି ବିଧାୟକ ପ୍ରାର୍ଥୀ ନଳୀକାନ୍ତ ପ୍ରଧାନ। ଏହାପରେ ପ୍ରଣବ ପ୍ରକାଶ ଛେଣ୍ଡିପଦାରେ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ସେଠାରେ ସେ ମା ବାୟାଣୀଙ୍କୁ ଦର୍ଶନ କରି ନିଜର ପଦଯାତ୍ରା ଆରମ୍ଭ କରିଥିଲେ। ଛେଣ୍ଡିପଦାରେ ମଧ୍ୟ ପ୍ରଣବଙ୍କୁ ହଜାର ହଜାର ସମର୍ଥକ ଶୋଭାଯାତ୍ରାରେ ନେଇ ଭୋଟ ଭିକ୍ଷା କରିଥିଲେ।

ପ୍ରାର୍ଥୀ ହେବା ପରେ ପ୍ରଣବ ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲା ପ୍ରଚାରରେ ଯାଇଥିଲେ। ଫଳରେ ସେଠାର କର୍ମି ମହଲରେ ବେଶ ଉତ୍ସାହ ଭରି ଯାଇଥିଲା। ସବୁଆଡେ ପ୍ରଣବଙ୍କୁ ଫୁଲମାଳ ଦେଇ ସ୍ବାଗତ କରାଯାଇଥିଲା। ତାଙ୍କ ସହିତ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ, ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ସୁଶାନ୍ତ ବେହେରା, ଆଠମଲ୍ଲିକ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ସମ୍ବଲପୁର ଲୋକସଭା ପାଇଁ ପ୍ରଚାର ଜୋରଦାର କଲେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର: ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରଚାର ଜୋରଦାର କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ସେ ଦେବଗଡ ବିଧାନସଭା କ୍ଷେତ୍ରରେ ପ୍ରଚାରକୁ ଓହ୍ଲାଇଛନ୍ତି। ସେଠାରେ ସେ ବିଜେଡି ନେତାଙ୍କ ଗହଣରେ ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ସାକ୍ଷାତ କରିଛନ୍ତି। ସେମାନଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ଏଥିସହିତ ସେ ବିଭିନ୍ନ ଦଳୀୟ ସଭାରେ ଯୋଗଦେଇ ବିଜେଡିକୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି।

ସେ ଏକ ସଭାରେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେପି ଓଡିଶାକୁ ଏକ ବିନ୍ଦୁ ବୋଲି ଭାବିଛି। ହେଲେ ବିଜେଡି ଓଡିଶାକୁ ଏକ ସିନ୍ଧୁ ବୋଲି ଭାବିଛି। ଏହାପରେ ସେ ବରିଷ୍ଠ ଲୋକଙ୍କୁ ସାକ୍ଷାତ କରି ସେମାନଙ୍କର ଆର୍ଶିବାଦ ଭିକ୍ଷା କରିଛନ୍ତି। ପ୍ରଣବ ପ୍ରକାଶ କିଛିଦିନ ତଳେ ମା ସମଲେଶ୍ବରୀଙ୍କୁ ଦର୍ଶନ କରି ସମ୍ବଲପୁରରେ ପ୍ରଚାର କରିଥିଲେ। ବର୍ତ୍ତମାନ ସେ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳି ପ୍ରଚାର ଆରମ୍ଭ କରିଦେଇଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରବଳ ଜନସମାଗମ ଭିତରେ ମା ସମଲେଇଙ୍କ ଆର୍ଶିବାଦ ନେଇ ପ୍ରଚାର ଆରମ୍ଭ କଲେ ବବି ଦାସ

ସମ୍ବଲପୁର: ଆଜି ସମ୍ବଲପୁର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମା ସମଲେଇଙ୍କୁ ଦର୍ଶନ କରି ତାଙ୍କର ପ୍ରଚାରର ଶୁଭାରମ୍ଭ କରିଛନ୍ତି। ସେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ମାଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ସେଠାରେ ସେ ପୂଜା ଅର୍ଚ୍ଚନା କରିବା ପରେ ଏକ ସାଧାରଣ ସଭାରେ ଜନସମାଗମକୁ ସମ୍ବୋଧିତ କରିଛନ୍ତି।

ଏହି ଜନସମାଗମରେ ପ୍ରଣବ କହିଛନ୍ତି ଯେ, ସମ୍ବଲପୁର ଆସିବା ପରେ ଲାଗୁଛି ଏହା ମୋର ଘର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସମ୍ବଲପୁରର ବିକାଶ ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ଯାହାର ଏକ ବଡ ଉଦାହରଣ ହେଲା ମା ସମଲେଇ ପ୍ରକଳ୍ପ। ମୋତେ ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ଲଢେଇ କରିବା ପାଇଁ ପଠାଇଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ।

ସେ ଆହୁରି କହିଛନ୍ତି ଯେ, ସମ୍ବଲପୁର ହେଉଛି ମୋର ପିୟୁଶି ଏଠାରେ ଥିଲେ। ମୋ ବାପାଙ୍କର ସମ୍ବଲପୁର ସହିତ ପ୍ରାୟ 70 ବର୍ଷର ସଂପର୍କ ରହିଛି। ସେଥିପାଇଁ ଆଜି ସମ୍ବଲପୁର ମୋର ଘରପରି ମନେହେଉଛି।ସମ୍ବଲପୁରରେ ପ୍ରଣବଙ୍କୁ ଯେପରି ସ୍ବାଗତ କରାଯାଇଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ସମ୍ବଲପୁରରେ ବର୍ତ୍ତମାନ ବିଗ ଫାଇଟ ହେବ। ଏଠାରେ ବିଜେଡିରୁ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି। ଦୁଇ ପ୍ରମୁଖ ଦଳର ଦୁଇ ସିଂହ ମୁହାଁମୁହିଁ ଲଢେଇ କରିବେ। ଯାହା ଓଡିଶା ରାଜନୀତିରେ ବେଶ୍ ଚର୍ଚ୍ଚାର ପରିସରକୁ ଆସିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନା ପରିବାର, ନା ନିଜ ସ୍ବାର୍ଥ; କେବଳ ଦଳିୟ ସ୍ବାର୍ଥରେ ନିଜକୁ ସମର୍ପି ଦେଇଛନ୍ତି ବବି ଦାସ

ଭୁବନେଶ୍ବର: ଗତକାଲି ବିଜେପିରେ ସାମିଲ ହୋଇଛନ୍ତି ଅଭିନେତା ଅରିନ୍ଦମ ରାୟ। ତେବେ ଏଥିରେ କେହି କିଛି ଆଶ୍ଚର୍ଯ୍ୟ ହେବା କଥା ନୁହେଁ। ହେଲେ ସେ ଯେହେତୁ ବିଜେଡିର ତୃତୀୟ କ୍ଷମତା କେନ୍ଦ୍ର ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କ ଭିଣୋଇ ସେଥିପାଇଁ ତାହା ଚର୍ଚ୍ଚା ଚାଲିଛି। ବିଜେଡିର ଯିଏ ଟାଣୁଆ ନେତା ସିଏ କଣ ନିଜ ଭିଣୋଇଙ୍କୁ କେଉଁଠାରେ ହେଲେ ଥଇଥାନ କରିପାରିଲେ ନାହିଁ ? ଏହି ପ୍ରଶ୍ନ ବର୍ତ୍ତମାନ ଓଡିଶା ରାଜନୀତିରେ ଘୁରି ବୁଲୁଛି।

ଅରିନ୍ଦମ ଦୀର୍ଘ ବର୍ଷ ଧରି ବିଜେଡିରେ ସାମିଲ ହୋଇ ଦଳର ସାଧାରଣ ସଂପାଦକ ଥିଲେ। ଦଳ ବିଭିନ୍ନ ଉପନିର୍ବାଚନରେ ତାଙ୍କୁ ଷ୍ଟାର ପ୍ରଚାରକ ମଧ୍ୟ କରିଛି। ସେ 2019 ରେ ବିଧାୟକ ଟିକେଟ ପାଇବେ ବୋଲି ଆଶା କରିଥିଲେ। ହେଲେ ଶେଷ ମୂର୍ହୁର୍ତ୍ତରେ ତାହା ହେଲା ନାହିଁ।  ଯେଉଁ ବବି ଦାସ ଦଳରେ କିଏ କେଉଁ ପଦବୀରେ ରହିବ ଏବଂ କିଏ ମନ୍ତ୍ରୀ ହେବ ତାହା ନିର୍ଦ୍ଧାରଣ କରୁଛନ୍ତି ତାଙ୍କ ଭିଣୋଇଙ୍କ ପାଇଁ କାହିଁକି କିଛି କରିପାରିଲେ ନାହିଁ। ଅନ୍ୟପଟେ ଅରିନ୍ଦମ ଯେ ଜଣେ ଅନୁପଯୁକ୍ତ ପ୍ରାର୍ଥୀ ତାହା ମଧ୍ୟ ନୁହେଁ। ସେ ହେଉଛନ୍ତି ଜଣେ ବିଜୟୀ ସମ୍ଭାବନା ପ୍ରାର୍ଥୀ। ସେଥିରେ ତାଙ୍କୁ ଟିକେଟ ଦେଇଥିଲେ ଏମିତି କିଛି କେହି ନିନ୍ଦା କରିବାର ନ ଥିଲା। ହେଲେ ସେ କଲେ ନାହିଁ।

ସେତିକି ନୁହେଁ ଏହା ପୂର୍ବରୁ ବବିଙ୍କ ମାମୁଁ ଭବନୀ ଶଙ୍କର ଜଗଦ୍ଦେବ ମହାପାତ୍ରଙ୍କୁ ମଧ୍ୟ ବବି କୌଣସି ଥଇଥାନ କଲେ ନାହିଁ। ସେ ୧୯୯୦ ଓ ୧୯୯୫ରେ ବେଗୁନିଆରୁ ନିର୍ବାଚନ ଲଢ଼ିଥିଲେ। ସେ ମଧ୍ୟ ଏଥର ବଡ ଆଶା କରିଥିଲେ ବିଜେଡିରେ ନିଜ ଭଣଜା ବବି ଦାସଙ୍କ ଦବଦବା ଅଛି ମାନେ ଟିକେଟ ମିଳିବ। ଶେଷରେ ତାହା ମଧ୍ୟ ହୋଇପାରିଲା ନାହିଁ। ସେ ମଧ୍ୟ ରାଗରେ କହିଲେ ମୋ ଭଣଜା କିଛି କଲେ ନାହିଁ। ଫଳରେ ସେ ମଧ୍ୟ ବିଜେପିରେ ସାମିଲ ହେଲେ।

ତେବେ ପ୍ରଶ୍ନ ହେଲା ଯେ, ବବି ଦାସ ଏତେ କ୍ଷମତାର ଅଧିକାରୀ ଥାଇ ମଧ୍ୟ ସେ କାହିଁକି ନିଜ ପରିବାର ସଦସ୍ୟକୁ ରାଜନୀତିରେ ଥଇଥାନ କଲେ ନାହିଁ। ତେବେ ତାହାର ଉତ୍ତର ଜାଣିବା ଅପେକ୍ଷା ବବି ଦାସଙ୍କ ନିଜ କଥା ମଧ୍ୟ ଚିନ୍ତା କରାଯାଉ। ସେ ତିନି ଥର ବିଧାୟକ ହୋଇ ସାରିଲେଣି। ୨୦୧୪ ମସିହାରୁ ୨୦୧୭ ମସିହା ଯାଏଁ ସେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏହା ପରେ ସେ ୭ ବର୍ଷ ଧରି ମନ୍ତ୍ରୀ ପଦରୁ ଦୂରେଇ ରହି ସଂଗଠନ କାର୍ଯ୍ୟରେ ଲିପ୍ତ ରହିଛନ୍ତି। ଯିଏ ମନ୍ତ୍ରୀ ତିଆରି କରୁଛନ୍ତି ସେ କାହିଁକି ନିଜେ ମନ୍ତ୍ରୀ ହେଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏଥିରୁ ସ୍ପଷ୍ଟ ଯେ, ବବି ଦାସଙ୍କର ନିଜ ପାଇଁ କିଛି ନାହିଁ କି ପରିବାର ପାଇଁ କିଛି ନାହିଁ, କେବଳ ଦଳ ପାଇଁ ସବୁକିଛି ନୀତିରେ ସେ ଚାଲୁଛନ୍ତି। ତାଙ୍କ ପାଖରେ କେବଳ ସଂଗଠନ ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ, ତାକୁ ଛାଡି ଦେଲେ ବୋଧହୁଏ ତାଙ୍କ ପାଇଁ ଆଉ କିଛି ନାହିଁ। ସେଇଥି ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ସେ ପ୍ରିୟପାତ୍ର ହୋଇ ରହି ଆସିଛନ୍ତି। ତାଙ୍କର ଏପରି ନିଃସ୍ବାର୍ଥପର କାର୍ଯ୍ୟକୁ କେବଳ ଦଳ କାହିଁକି ବିଭିନ୍ନ ମହଲରେ ମଧ୍ୟ ବେଶ ପ୍ରଶଂସା କରାଯାଉଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବବି ଦାସ ଏମିତି କାହିଁକି ଲେଖିଲେ, ଯାହାକୁ ନେଇ ଜାତୀୟ ଦଳ ଭିତରେ ସୃଷ୍ଟି ହୋଇଛି ଆଲୋଡନ

ଭୁବନେଶ୍ବର: ଆଜି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂକୁ ନେଇ ଓଡିଶା ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଯେଉଁଥିରେ ସେ କହିଛନ୍ତି ଯେ, ବିଜେଡି ଟିକେଟ ପାଇବା ପାଇଁ ଜାତୀୟ ଦଳର ନେତାମାନେ ଆବେଦନ କରିଛନ୍ତି। ଏଥିସହିତ ୧୦ ହଜାରରୁ ଉର୍ଦ୍ଧ ବ୍ୟକ୍ତି ବିଜେଡି ଟିକେଟ ପାଇଁ ଆବେଦନ କରିଛନ୍ତି। ଯାହାକୁ ନେଇ ଜାତୀୟ ଦଳ ଭିତରେ ଆଲୋଡନ ସୃଷ୍ଟି ହୋଇଛି।

ସେ ତାଙ୍କ ଏକ୍ସରେ ଯାହା ଲେଖିଛନ୍ତି ତାହା ହେଲା

“ବିଗତ କିଛି ବର୍ଷ ଧରି ଜାତୀୟସ୍ତରର ସବୁ ସର୍ଭେ ରିପୋର୍ଟ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଥିବାର ଗୈାରବ ପ୍ରଦାନ କରିଛି। ସେହିଭଳି ୨୦୨୨ ପଂଚାୟତ ନିର୍ବାଚନରେ ୫୨ ପ୍ରତିଶତରୁ ଅଧିକ ଭୋଟ ହାର ସାଙ୍ଗକୁ ୩୦ ରୁ ୩୦ ଜିଲ୍ଲା ପରିଷଦରେ ଜିତାଇ, ବିଜୁ ଜନତା ଦଳ ଯେ ଓଡ଼ିଶାର ୧ ନମ୍ବର ରାଜନୈତିକ ଦଳ, ଓଡ଼ିଶାବାସୀ ତାହା ପ୍ରମାଣିତ କରିଛନ୍ତି।

ଏହି ଦୁଇଟି ନିରାଟ ସତ୍ୟ, ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭଲପାଇବାକୁ ପ୍ରତିପାଦିତ କରୁଛି। ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ ପାଇଁ ୧୦ ହଜାରରୁ ଅଧିକ ଆବେଦନ ଦଳ ପାଖରେ ପ୍ରାପ୍ତ ହୋଇଛି। ଅତ୍ୟନ୍ତ ଖୁସିର କଥା ଯେ, ବହୁ ସଂଖ୍ୟକ ପେଶାଦାର ବ୍ୟକ୍ତି ଏବଂ ଜାତୀୟ ରାଜନୈତିକ ଦଳମାନଙ୍କର ନେତାମାନେ ମଧ୍ୟ ବିଜେଡି ଟିକେଟ ପାଇଁ ଆବେଦନ କରୁଛନ୍ତି।

ଆମର ଦୃଢ଼ ବିଶ୍ୱାସ ଏହି ନିର୍ବାଚନରେ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦ ବଳରେ ବିଜୁ ଜନତା ଦଳ ଏକ ଐତିହାସିକ ବିଜୟ ଆଡକୁ ଗତି କରୁଛି। ଏହି ବିପୁଳ ସଂଖ୍ୟକ ଆବେଦନ ଦର୍ଶାଉଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ି ବଢ଼ି ଚାଲିଛି। ନବୀନ ବାବୁଙ୍କୁ ଲାଗାତାର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଓଡ଼ିଶାବାସୀ ମନ ସ୍ଥିର କରିସାରିଛନ୍ତି। ”

ଏହାକୁ ନେଇ ବିଭିନ୍ନ ମହଲରେ ବେଶ ଆଲୋଚନା ଚାଲିଛି। ବିଶେଷ କରି ରାଜନୈତିକ ଦଳ ଭିତରେ ଏହାକୁ ନେଇ ଗୁଂଜରଣ ସୃଷ୍ଟି ହୋଇଛି। ମୁଖ୍ୟତଃ ଜାତୀୟ ଦଳ ହିସାବରେ ବିଜେପି ଓ କଂଗ୍ରେସରେ ଏହାକୁ ନେଇ ଭୂକମ୍ପ ସୃଷ୍ଟି ହୋଇଛି। କାରଣ କିଏ ବିଜେଡି ଟିକେଟ ପାଇଁ କିଏ ଆବେଦନ କରିଛି ତାହାକୁ ନେଇ ଚାଲିଛି ଖଳତାଡ।