Categories
ଆଜିର ଖବର ଜାତୀୟ ଖବର

ଭାରତରେ 5G ଯୁଗର ଶୁଭାରମ୍ଭ, ପ୍ରଧାନମନ୍ତ୍ରୀ ମୋଦୀ ଆରମ୍ଭ କଲେ ସେବା

ନୂଆଦିଲ୍ଲୀ: ଭାରତକୁ ଏକ ନୂତନ ଉପହାର ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ 5G ସେବା ଆରମ୍ଭ କରିଛନ୍ତି। ଭାରତ ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ। ଟେକ୍ନୋଲୋଜିର ଏକ ନୂତନ ଯୁଗରେ ଭାରତ ପ୍ରବେଶ କରିଛି।

ପ୍ରକାଶ ଯୋଗ୍ୟ ଯେ ଆଜିଠାରୁ ଭାରତୀୟ ମୋବାଇଲ୍ କଂଗ୍ରେସ ମଧ୍ୟ ଆରମ୍ଭ ହୋଇଛି, ଯାହା ଚାରି ଦିନ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ 5G ସେବା ଆରମ୍ଭ କରିଥିଲେ। ଏହି ସମୟରେ ସେ ଟେଲିକମ୍ ଅପରେଟରମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଥିଲେ। ବର୍ତ୍ତମାନ 4G ରୁ ଅପଗ୍ରେଡ୍ କରି ଆମେ 5G ସେବାରେ ପହଞ୍ଚିଛୁ।

Categories
ଖେଳ ବିଶେଷ ଖବର

ଅହମ୍ମଦାବାଦରେ ୩୬ତମ ଜାତୀୟ କ୍ରୀଡ଼ାର ଶୁଭାରମ୍ଭ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୩୬ତମ ଜାତୀୟ କ୍ରୀଡ଼ାର ଶୁଭାରମ୍ଭ ଗୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦ୍ବାରା ଦେସାରରେ ବିଶ୍ବସ୍ତରୀୟ ‘‘ସ୍ବର୍ଣ୍ଣିମ ଗୁଜରାଟ କ୍ରୀଡ଼ା ବିଶ୍ବବିଦ୍ୟାଳୟ’’ ଉଦଘାଟନ କରାଯାଇଥିଲା। ଜାତୀୟ କ୍ରୀଡ଼ାରେ ସାରା ଦେଶର ବିଭିନ୍ନ ସ୍ଥାନରୁ ଭାଗ ନେଇଥିବା କ୍ରୀଡ଼ାବିତମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜାତୀୟ କ୍ରୀଡ଼ାର ଉଦଘାଟନୀ ସମାରୋହରେ ଦେଖିବାକୁ ମିଳିଥିବା ବର୍ଣ୍ଣାଢ୍ୟ ପରିବେଶକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। ସେ କହିଥିଲେ ଯେ ଏପରି ଭବ୍ୟ ସମାରୋହରେ ଅନୁଭୂତି ଏବଂ ଉତ୍ସାହକୁ ସହଜରେ ବର୍ଣ୍ଣନା କରି ହେବ ନାହିଁ। ୭ ହଜାରରୁ ଅଧିକ କ୍ରୀଡ଼ାବିତ, ୧୫ ହଜାରରୁ ଅଧିକ ଅଂଶଗ୍ରହଣକାରୀ, ୩୫ ହଜାରରୁ ଅଧିକ କଲେଜ, ବିଶ୍ବବିଦ୍ୟାଳୟ ଏବଂ ସ୍କୁଲ ସହିତ ୫୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିଧାସଳଖ ଜାତୀୟ କ୍ରୀଡ଼ା ସହ ଯୋଡ଼ି ହେବା ଅଭୂତପୂର୍ବ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ।

ବିଶ୍ବର ସବୁଠୁ ବଡ଼ ଷ୍ଟାଡିୟମରେ ବିଶ୍ବର ସବୁଠୁ ଯୁବ ରାଷ୍ଟ୍ରର ସବୁଠୁ ବଡ଼ କ୍ରୀଡ଼ା ମହୋତ୍ସବ ଆୟୋଜନ କରାଯାଉଛି! ଯେତେବେଳେ କାର୍ଯ୍ୟକ୍ରମ ଏତେ ଚମତ୍କାର ଓ ଅଭିନବ ହୋଇଥାଏ, ଏହାର ଉତ୍ସାହ ମଧ୍ୟ ଅସାଧାରଣ ହେବା ନିଶ୍ଚିତ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସେ ଜାତୀୟ କ୍ରୀଡ଼ା ସଙ୍ଗୀତର ପ୍ରମୁଖ ବାର୍ତ୍ତା ‘ଜୁଡ଼େଗା ଇଣ୍ଡିଆ – ଜିତେଗା ଇଣ୍ଡିଆ’ ଆବୃତ୍ତି କରିଥିଲେ। ଷ୍ଟାଡିୟମରେ ଉପସ୍ଥିତ ସବୁ ଦର୍ଶକ ତାଙ୍କ ସହ ସ୍ବର ମିଳାଇଥିଲେ। ସେ କହିଥିଲେ ଯେ ଭାରତୀୟ କ୍ରୀଡ଼ାବିତମାନଙ୍କର ମୁଖମଣ୍ଡଳରେ ଆଜି ଯେଉଁ ଉଜ୍ଜ୍ବଳତା ଦେଖିବାକୁ ମିଳିଛି ତାହା ଆଗାମୀ ଦିନରେ ଭାରତୀୟ କ୍ରୀଡ଼ାର ସ୍ବର୍ଣ୍ଣିମ ଭବିଷ୍ୟତର ସଙ୍କେତ ଦେଉଛି। ଏତେ କମ ସମୟ ମଧ୍ୟରେ ଏତେ ବିଶାଳ ସମାରୋହ ଆୟୋଜନ କରିବା ଲାଗି ସେ ଗୁଜରାଟ ଜନସାଧାରଣଙ୍କ କ୍ଷମତାକୁ ପ୍ରଶଂସା କରିଥିଲେ।

ଗତକାଲି ଅହମ୍ମଦାବାଦରେ ବିଶାଳ ଡ୍ରୋନ ଶୋ’ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏଭଳି ଏକ ଚମତ୍କାର ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟାନ୍ବିତ ଏବଂ ଗର୍ବିତ। ଡ୍ରୋନ ଭଳି ପ୍ରଯୁକ୍ତିର ଏଭଳି ଯତ୍ନଶୀଳ ବ୍ୟବହାର ଗୁଜରାଟ ତଥା ଭାରତକୁ ନୂଆ ଉଚ୍ଚତାକୁ ନେଇଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜାତୀୟ କ୍ରୀଡ଼ା ୨୦୨୨ର ଅଫିସିଆଲ ମାସ୍କଟ ଏସୀୟ ସିଂହ ‘ସାଭଜ’ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ମାସ୍କଟ କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଯୁବଶକ୍ତିଙ୍କ ସାହସିକ ଅଂଶଗ୍ରହଣକୁ ପ୍ରତିଫଳିତ କରୁଛି । ଏହା ମଧ୍ୟ ବିଶ୍ବ ସ୍ତରରେ ପ୍ରଗତିଶୀଳ ଭାରତର ଏକ ପ୍ରତୀକ ବୋଲି ସେ କହିଥିଲେ ।

ଷ୍ଟାଡିୟମର ଅଭିନବ ବୈଶିଷ୍ଟ୍ୟ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅନ୍ୟ କ୍ରୀଡ଼ା କମ୍ପ୍ଲେକ୍ସଗୁଡ଼ିକରେ ସୀମିତ ସୁବିଧା ରହିଛି । କିନ୍ତୁ ସର୍ଦ୍ଦାର ପଟେଲ କ୍ରୀଡ଼ା କମ୍ପ୍ଲେକ୍ସରେ ଫୁଟବଲ, ହକି, ବାସ୍କେଟ ବଲ, କବାଡ଼ି, ବକ୍ସିଂ ଏବଂ ଲନ ଟେନିସ ଭଳି ବହୁ କ୍ରୀଡ଼ା ଆୟୋଜନ ପାଇଁ ସୁବିଧା ରହିଛି । ଏକପ୍ରକାରରେ ଏହା ସମ୍ପୂର୍ଣ୍ଣ ରାଷ୍ଟ୍ରର ଏକ ମଡେଲ । ‘‘ଭିତ୍ତିଭୂମି ଉନ୍ନତ ମାନର ହୋଇଥିଲେ, ଖେଳାଳୀମାନଙ୍କ ମନୋବଳ ଉଚ୍ଚ ରହିଥାଏ’’, ଶ୍ରୀ ମୋଦୀ କହିଥିଲେ । ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରୁଥିବା ଖେଳାଳୀମାନଙ୍କ ରାଜ୍ୟରେ ନବରାତ୍ରୀ ଉତ୍ସବକୁ ଉପଯୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ । ସେ କହିଥିଲେ ଯେ, ପାର୍ବଣର ଉଲ୍ଲାସ ମା’ ଦୁର୍ଗାଙ୍କ ଉପାସନା ଠାରୁ ଊର୍ଦ୍ଧ୍ବକୁ ଯିବା ସହ ଗରବା ନୃତ୍ୟର ଆନନ୍ଦଦାୟକ ଉତ୍ସବ ପାଳନରେ ସମସ୍ତଙ୍କୁ ସାମିଲ କରିଛି ।

ଜାତୀୟ ଜୀବନରେ କ୍ରୀଡ଼ାର ଗୁରୁତ୍ବ ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ । ‘‘କ୍ରୀଡ଼ା କ୍ଷେତ୍ରରେ ଖେଳାଳୀଙ୍କ ବିଜୟ ଏବଂ ସେମାନଙ୍କର ଦୃଢ଼ ପ୍ରଦର୍ଶନ ମଧ୍ୟ ଅନ୍ୟ କ୍ଷେତ୍ରରେ ଦେଶର ବିଜୟ ପାଇଁ ମାର୍ଗ ପ୍ରଶସ୍ତ କରିଥାଏ,’’ ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ, ‘‘କ୍ରୀଡ଼ା ସହ ଜଡ଼ିତ ମୋର ବନ୍ଧୁମାନଙ୍କୁ ମୁଁ ପ୍ରାୟ ସମୟ କହିଥାଏ – କାର୍ଯ୍ୟ ସହିତ ସଫଳତା ଆରମ୍ଭ ହୋଇଥାଏ! ଅର୍ଥାତ୍‌, ଆପଣ ଯେଉଁ ମୁହୂର୍ତ୍ତ ଠାରୁ ଆରମ୍ଭ କରିଥାନ୍ତି, ସେହି ମୁହୂର୍ତ୍ତ ଠାରୁ ହିଁ ସଫଳତା ଆରମ୍ଭ ହୋଇଥାଏ । ଆପଣମାନେ ଆଗକୁ ବଢ଼ିବାର ଭାବନା ତ୍ୟାଗ ନକରିବା ପର୍ଯ୍ୟନ୍ତ, ବିଜୟ ଆପଣଙ୍କ ପଛରେ ଗୋଡ଼ାଇଥାଏ।’’

କ୍ରୀଡ଼ା କ୍ଷେତ୍ରରେ ପ୍ରଗତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୮ ବର୍ଷ ପୂର୍ବରୁ, ଭାରତୀୟ ଖେଳାଳୀମାନେ ୧୦୦ରୁ କମ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଉଥିଲେ । ଏହାର ବିପରୀତ, ଏବେ ଭାରତୀୟ ଖେଳାଳୀମାନେ ୩୦୦ରୁ ଅଧିକ ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ପାରୁଛନ୍ତି । ‘‘ଆଠ ବର୍ଷ ପୂର୍ବରୁ ଭାରତୀୟ କ୍ରୀଡ଼ାବିତମାନେ ୨୦-୨୫ଟି କ୍ରୀଡ଼ାରେ ଅଂଶଗ୍ରହଣ କରିବାର ସୁଯୋଗ ପାଉଥିଲେ । ମାତ୍ର ଏବେ ୪୦ରୁ ଅଧିକ ଭିନ୍ନ ଭିନ୍ନ କ୍ରୀଡ଼ାରେ ଭାରତୀୟ ଖେଳାଳୀମାନେ ଅଂଶଗ୍ରହଣ କରିପାରୁଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ପଦକ ଏବଂ ଭାରତୀୟ ଖେଳାଳୀଙ୍କ ସମ୍ମାନ ମଧ୍ୟ ଏବେ ବୃଦ୍ଧି ପାଇଛି’’, ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, କରୋନା ମହାମାରୀ ଭଳି କଷ୍ଟକର ସମୟରେ ମଧ୍ୟ ଦେଶର କ୍ରୀଡ଼ାବିତମାନଙ୍କର ମନୋବଳକୁ କ୍ଷତିଗ୍ରସ୍ତ ହେବାକୁ ଦିଆଯାଇନଥିଲା। ଏକ କ୍ରୀଡ଼ାସୁଲଭ ମନୋଭାବ ନେଇ ଆମେ କ୍ରୀଡ଼ା ପାଇଁ କାର୍ଯ୍ୟ କରିଛୁ । ଟିଓପିଏସ ଭଳି ଯୋଜନା ଜରିଆରେ ବହୁ ବର୍ଷ ଧରି ମିଶନ ମୋଡରେ ପ୍ରସ୍ତୁତି କରିଛୁ । ଆଜି ବଡ଼ ଖେଳାଳୀଙ୍କ ସଫଳତା ଠାରୁ ଆରମ୍ଭ କରି ନୂଆ ଖେଳାଳୀଙ୍କ ଭବିଷ୍ୟତ ନିର୍ମାଣ ପର୍ଯ୍ୟନ୍ତ, ଟିଓପିଏସ ଏକ ବଡ଼ ଭୂମିକା ନିର୍ବାହ କରୁଛି । ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ବୋଲି ସେ କହିଥିଲେ । ସେହିପରି, ବ୍ୟାଡମିଣ୍ଟନ ଦଳର ଥୋମାସ କପ୍‌ ବିଜୟ କ୍ରୀଡ଼ା ଜଗତରେ ସତେଜ ଉଲ୍ଲାସ ନେଇ ଆସିଥିଲା। ବିଭିନ୍ନ ଅନ୍ତର୍ଜାତୀୟ କ୍ରୀଡ଼ାରେ ପାରା-କ୍ରୀଡ଼ାବିତମାନଙ୍କର ସଫଳତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । କ୍ରୀଡ଼ାର ଏହି ଅଭ୍ୟୁଦୟରେ ମହିଳା କ୍ରୀଡ଼ାବିତମାନଙ୍କର ସମାନ ଏବଂ ଦୃଢ଼ ଅଂଶଗ୍ରହଣକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ଏପରି ସଫଳତା ପାଇବା ସମ୍ଭବପର ଥିଲା, କିନ୍ତୁ ଭାରତରେ କ୍ରୀଡ଼ା କ୍ଷେତ୍ର ପେସାଦାର ଆବଶ୍ୟକତା ପରିବର୍ତ୍ତେ ଦୁର୍ନୀତି ଓ ପରିବାରବାଦ ମଧ୍ୟରେ ଛନ୍ଦି ହୋଇ ରହିଥିଲା । ଆମେ ଏହି କଳୁଷତା ଦୂର କଲୁ ଏବଂ ନିଜର ସ୍ବପ୍ନ ପୂରଣ କରିବା ପାଇଁ ଯୁବବର୍ଗଙ୍କ ମନୋବଳ ବଢ଼ାଇବା ଦିଗରେ ପଦକ୍ଷେପ ନେଲୁ । ସେ କହିଥିଲେ ଯେ ନୂତନ ଭାରତ କେବଳ ନୀତି ନିର୍ମାଣରେ ବିଶ୍ବାସ କରିନଥାଏ, ବରଂ ଦେଶର ଯୁବକମାନଙ୍କୁ ନେଇ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଆଗେଇ ଯାଇଥାଏ। ଫିଟ୍‌ ଇଣ୍ଡିଆ ଏବଂ ଖେଲୋ ଇଣ୍ଡିଆ ଭଳି ଅଭିଯାନ ଏକ ଗଣଆନ୍ଦୋଳନରେ ପରିଣତ ହୋଇଥିବା ପ୍ରଧାନମନ୍ତ୍ରୀ ମତପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ ଗତ ଆଠ ବର୍ଷ ମଧ୍ୟରେ କ୍ରୀଡ଼ା ବଜେଟ୍‌ ପ୍ରାୟ ୭୦ ପ୍ରତିଶତ ବୃଦ୍ଧି ପାଇଛି । ଏହା ଫଳରେ କ୍ରୀଡ଼ାବିତଙ୍କ ପାଇଁ ଅଧିକରୁ ଅଧିକ ପରିମାଣରେ ସମ୍ବଳ ଉପଲବ୍ଧ ହୋଇପାରିଛି ଏବଂ ଏହା ଖେଳାଳୀଙ୍କ ପାଇଁ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରିଛି।  ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ବିଭିନ୍ନ ସ୍ଥାନରେ କ୍ରୀଡ଼ା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି । ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯାଉଛି । ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ଅବସରପ୍ରାପ୍ତ ଖେଳାଳୀଙ୍କ ଜୀବନକୁ ସହଜ କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯାଉଛି । ଏ କ୍ଷେତ୍ରରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ଯାହାଫଳରେ ନୂଆ ପିଢ଼ି ଅବସରପ୍ରାପ୍ତ ଖେଳାଳୀଙ୍କ ଅଭିଜ୍ଞତାରୁ ଲାଭ ପାଇପାରିବେ ।

ଭାରତର ସଭ୍ୟତା ଓ ସାଂସ୍କୃତିକ ଇତିହାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ହଜାର ହଜାର ବର୍ଷ ଧରି ଭାରତର ପରମ୍ପରା ଏବଂ ଅଭିବୃଦ୍ଧି ଯାତ୍ରାରେ କ୍ରୀଡ଼ା ଏକ ଅଭିନ୍ନ ଅଙ୍ଗ ହୋଇ ରହି ଆସିଛି । ସ୍ବାଧୀନତାର ଅମୃତ କାଳରେ ଦେଶ ଗର୍ବର ସହିତ ନିଜ ଐତିହ୍ୟରୁ ଏହି ପରମ୍ପରାକୁ ଉଜ୍ଜୀବିତ କରୁଛି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଦେଶର ପ୍ରୟାସ ଏବଂ ଉତ୍ସାହ କେବଳ ଗୋଟିଏ କ୍ରୀଡ଼ାରେ ସୀମିତ ରହିନାହିଁ, ବରଂ ‘କଲରିପୟଟ୍ଟୁ’ ଏବଂ ‘ଯୋଗାସନ’ ଭଳି ଭାରତୀୟ କ୍ରୀଡ଼ା ମଧ୍ୟ ଗୁରୁତ୍ବ ହାସଲ କରୁଛି । ଜାତୀୟ କ୍ରୀଡ଼ା ଭଳି ବଡ଼ ପ୍ରତିଯୋଗିତାରେ ଏହିସବୁ କ୍ରୀଡ଼ାକୁ ସାମିଲ କରାଯିବା ଖୁସିର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏଠାରେ ଏହି କ୍ରୀଡ଼ାର ପ୍ରତିନିଧିତ୍ବ କରୁଥିବା ଖେଳାଳୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ମୁଁ ଏକ ନିର୍ଦ୍ଦିଷ୍ଟ କଥା କହିବାକୁ ଚାହୁଁଛି । ଗୋଟିଏ ପଟେ ଆପଣମାନେ ଭାରତର ହଜାର ହଜାର ବର୍ଷର ପରମ୍ପରାକୁ ଆଗେଇ ନେଉଛନ୍ତି, ଅନ୍ୟପଟେ ଭବିଷ୍ୟତ କ୍ରୀଡ଼ା ଦୁନିଆର ନେତୃତ୍ବ ନେଉଛନ୍ତି । ଭବିଷ୍ୟତରେ ଯେତେବେଳେ ଏହି ସବୁ କ୍ରୀଡ଼ାକୁ ବିଶ୍ବସ୍ତରରେ ମାନ୍ୟତା ମିଳିବ, ସେତେବେଳେ ଆପଣମାନେ ଏହିସବୁ କ୍ରୀଡ଼ା କ୍ଷେତ୍ରରେ କିମ୍ବଦନ୍ତୀ ଭାବେ ବିବେଚିତ ହେବେ ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷରେ, କ୍ରୀଡ଼ାବିତମାନଙ୍କ ସହିତ ସିଧାସଳଖ ମତ ବିନିମୟ କରିଥିଲେ ଏବଂ ସେମାନଙ୍କୁ ଏକ ଗୁରୁମନ୍ତ୍ର ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯଦି ଆପଣମାନେ ଏକ ପ୍ରତିଯୋଗିତା ଜିତିବା ଲାଗି ଚାହୁଁଛନ୍ତି, ତା’ହେଲେ ଆପଣମାନେ ପ୍ରତିବଦ୍ଧତା ଓ ନିରନ୍ତରତା ବଜାୟ ରଖିବାକୁ ଶିକ୍ଷା ଲାଭ କରିବା ଉଚିତ୍‌ । କ୍ରୀଡ଼ା ଭାବନା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, କ୍ରୀଡ଼ାରେ ବିଜୟ ଏବଂ ପରାଜୟକୁ ଅନ୍ତିମ ପରିଣାମ ଭାବେ ବିବେଚନା କରାଯିବା ଉଚିତ୍‌ ନୁହେଁ । ଶ୍ରୀ ମୋଦୀ ଆହୁରି କହିଥିଲେ ଯେ, କ୍ରୀଡ଼ା ଭାବନା ଆପଣମାନଙ୍କ ଜୀବନର ଏକ ଅଂଶବିଶେଷ ହୋଇପାରିଲେ, ଭାରତ ଭଳି ଯୁବ ରାଷ୍ଟ୍ରର ସ୍ବପ୍ନ ସାକାର ହୋଇପାରିବ ।  ‘‘ଆପଣମାନଙ୍କୁ ଏହା ମନେ ରଖିବାକୁ ହେବ, ଯେଉଁଠି ଗତିଶୀଳତା ଥାଏ, ସେଇଠି ପ୍ରଗତି ରହିଥାଏ । ପଡ଼ିଆ ବାହାରେ ମଧ୍ୟ ଆପଣମାନଙ୍କୁ ଏହି ଧାରା ବଜାୟ ରଖିବାକୁ ପଡ଼ିବ । ଆପଣମାନଙ୍କ ଜୀବନରେ ମଧ୍ୟ ଏହି ଗତି ରହିବା ଉଚିତ୍‌ । ମୁଁ ନିଶ୍ଚିତ ଯେ, ଜାତୀୟ କ୍ରୀଡ଼ାରେ ଆପଣମାନଙ୍କର ବିଜୟ, ଦେଶକୁ ଖୁସି ମନାଇବାର ଏକ ସୁଯୋଗ ଆଣିଦେବ । ଭବିଷ୍ୟତରେ ଏହା ଏକ ନୂଆ ଆତ୍ମବିଶ୍ବାସ ଜାଗ୍ରତ କରିବ,’’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି ସମାରୋହରେ ଗୁଜରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର, ସାଂସଦ ସି ଆର ପାଟିଲ, ଗୁଜରାଟ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ହରିଶ ସାଙ୍ଘଭି ଏବଂ ଅହମ୍ମଦାବାଦ ମେୟର ଶ୍ରୀ କିରିଟ ପରମାର ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଥମ ଥର ପାଇଁ ଗୁଜରାଟରେ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଉଛି । ଏହା ୨୯ ସେପ୍ଟେମ୍ବର ଠାରୁ ୧୨ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଚାଲିବ । ଏଥିରେ ୩୬ରୁ ଅଧିକ କ୍ରୀଡ଼ା ବର୍ଗରେ ସାରା ଦେଶରୁ ୧୫ ହଜାରରୁ ଅଧିକ କ୍ରୀଡ଼ାବିତ, ପ୍ରଶିକ୍ଷକ ଏବଂ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି । ଫଳରେ ଏହା ହେବ ସବୁଠୁ  ଜାତୀୟ କ୍ରୀଡ଼ା ପ୍ରତିଯୋଗିତା । ଏହି ରାଷ୍ଟ୍ରୀୟ କ୍ରୀଡ଼ା ମହାକୁମ୍ଭ ଅହମ୍ମଦାବାଦ, ଗାନ୍ଧୀନଗର, ସୁରଟ, ଭଦୋଦରା, ରାଜକୋଟ ଏବଂ ଭାବନଗରକୁ ମିଶାଇ ୬ଟି ସହରରେ ଆୟୋଜିତ ହେଉଛି । ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗୁଜରାଟ ଅନ୍ତର୍ଜାତୀୟ ମାନର ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରିବା ଦିଗରେ ଯାତ୍ରା ଆରମ୍ଭ କରିଥିଲା । ଫଳରେ ଆଜି ଏତେ କମ ସମୟ ମଧ୍ୟରେ ଜାତୀୟ ସ୍ତରର ଏକ କ୍ରୀଡ଼ା ପ୍ରତିଯୋଗିତା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇପାରିଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ଜାତୀୟ ଲଜିଷ୍ଟିକ୍ସ ନୀତିର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣ ୫:୩୦ ମିନିଟ ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଜାତୀୟ ଲଜିଷ୍ଟିକ୍ସ ନୀତି (ଏନଏଲପି)ର ଶୁଭାରମ୍ଭ କରିବେ।

ଅନ୍ୟ ବିକଶିତ ଅର୍ଥବ୍ୟବସ୍ଥା ତୁଳନାରେ ଭାରତରେ ଲଜିଷ୍ଟିକ୍ସ ଖର୍ଚ୍ଚ ଅଧିକ ହୋଇଥିବା କାରଣରୁ ଦେଶରେ ଏକ ଜାତୀୟ ଲଜିଷ୍ଟିକ୍ସ ନୀତି ଆଣିବାର ଆବଶ୍ୟକତା ରହିଛି। ଭାରତରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ସହିତ ଉଭୟ ଘରୋଇ ଏବଂ ରପ୍ତାନି ବଜାରରେ ଭାରତୀୟ ଉତ୍ପାଦର ପ୍ରତିଦ୍ବନ୍ଦ୍ବିତାରେ ସୁଧାର ଆଣିବା ଲାଗି ଏଭଳି ଏକ ନୀତି ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି । ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ଲଜିଷ୍ଟିକ୍ସ ଖର୍ଚ୍ଚରେ ସୁଧାର ଆସିବା ଫଳରେ ମୂଲ୍ୟ ସମ୍ବର୍ଦ୍ଧନ ଏବଂ ଉଦ୍ୟମିତାକୁ ପ୍ରୋତ୍ସାହନ ମିଳିବ।

୨୦୧୪ ପରଠାରୁ, ସରକାର ବ୍ୟବସାୟିକ ସୁଗମତା ଏବଂ ସହଜ ଜୀବନ ଧାରଣରେ ସୁଧାର ଆଣିବା ଉପରେ ବିଶେଷ ଗୁରୁତ୍ବାରୋପ କରି ଆସୁଛନ୍ତି। ଆନ୍ତଃବିଷୟକ, ଆନ୍ତଃକ୍ଷେତ୍ରୀୟ ଏବଂ ବହୁ-କ୍ଷେତ୍ରାଧିକାର ବିଶିଷ୍ଟ ଏକ ଢାଞ୍ଚା ପ୍ରସ୍ତୁତ କରିବା ଜରିଆରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ଜାତୀୟ ଲଜିଷ୍ଟିକ୍ସ ନୀତି ସହାୟକ ହୋଇପାରିବ। ଲଜିଷ୍ଟିକ୍ସ କ୍ଷେତ୍ରରେ ରହିଥିବା ଅକ୍ଷମତା ଦୂର କରିବା ସହିତ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ସ ଇକୋସିଷ୍ଟମରେ ପରିବର୍ତ୍ତନ ଆଣିବା ଦିଗରେ ଏନଏଲପି ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ଭାରତୀୟ ଉତ୍ପାଦର ପ୍ରତିଦ୍ବନ୍ଦ୍ବିତାରେ ସୁଧାର ଆଣିବା, ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ବଢ଼ାଇବା ଦିଗରେ ଏହି ନୀତି ଏକ ପ୍ରମୁଖ ପଦକ୍ଷେପ।

ଦେଶରେ ବିଶ୍ବସ୍ତରୀୟ ଆଧୁନିକ ଭିତ୍ତିଭୂମି ବିକଶିତ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲକ୍ଷ୍ୟ ରଖିଛନ୍ତି । ସାମଗ୍ରିକ ଯୋଜନା ପ୍ରସ୍ତୁତି ଏବଂ କାର୍ଯ୍ୟକାରିତାରେ ସବୁ ଅଂଶୀଦାରମାନଙ୍କୁ ଏକତ୍ରିତ କରିବା ଏହି ଜାତୀୟ ଲଜିଷ୍ଟିକ୍ସ ନୀତିର ଉଦ୍ଦେଶ୍ୟ, ଯାହାଫଳରେ ପ୍ରକଳ୍ପ କାର୍ଯ୍ୟକାରିତା କ୍ଷେତ୍ରରେ ଦକ୍ଷତା ଓ ସମନ୍ବୟ ଆସିପାରିବ। ଗତ ବର୍ଷ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦ୍ବାରା ପିଏମ ଗତିଶକ୍ତି – ବହୁମୁଖି ଯୋଗାଯୋଗ ପାଇଁ ଜାତୀୟ ମାଷ୍ଟର ପ୍ଲାନ୍‌- ଯୋଜନାର ଶୁଭାରମ୍ଭ କରାଯାଇଥିଲା, ଯାହାକି ଏ ଦିଗରେ ଏକ ପ୍ରାରମ୍ଭିକ ପ୍ରୟାସ ଥିଲା। ଏବେ ଜାତୀୟ ଲଜିଷ୍ଟିକ୍ସ ପଲିସିର ଶୁଭାରମ୍ଭ ହେବା ସହିତ ପିଏମ ଗତିଶକ୍ତିକୁ ଅଧିକ ପ୍ରୋତ୍ସାହନ ମିଳିବା ସହିତ ଏହି ନୀତି ଏକ ସହାୟକ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ।

Categories
ବିଶେଷ ଖବର

ଭାରତୀୟ ସାମୁଦ୍ରିକ ଇତିହାସରେ ତିଆରି ହୋଇଥିବା ସର୍ବବୃହତ ଜାହାଜରେ ରହିଛି ଅତ୍ୟାଧୁନିକ ସ୍ୱୟଂକ୍ରିୟ ବ୍ୟବସ୍ଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ରାଷ୍ଟ୍ର ସେବାରେ ସମର୍ପିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପନିବେଶବାଦ କାଳର ନୌସେନା ପତାକା ବଦଳରେ ଭାରତୀୟ ସାମୁଦ୍ରିକ ଐତିହ୍ୟ ଦ୍ୱାରା ସମୃଦ୍ଧ ନୂତନ ପତାକାକୁ ମଧ୍ୟ ଉନ୍ମୋଚନ କରିଛନ୍ତି। ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି ଯେ କେରଳର ଉପକୂଳ, ଭାରତ ଓ ପ୍ରତ୍ୟେକ ଭାରତୀୟ ଆଜି ଏକ ନୂତନ ଭବିଷ୍ୟତର ସୂର୍ୟୋଦୟ ଅବଲୋକନ କରୁଛନ୍ତି। ଆଇଏନଏସ ବିକ୍ରାନ୍ତରେ ଏହି ସମାରୋହ ପାଳିତ ହେଉଥିବା ବେଳେ ବିଶ୍ୱର ଦିଗବଳୟରେ ଏହା ଭାରତର ଉତ୍ସାହ ଓ ଉଦ୍ଦୀପନାର ଏକ କୃତାଞ୍ଜଳି। ଆମ ସ୍ୱାଧୀନତା ସଂଗ୍ରାମୀମାନେ ଯେଉଁ ଏକ ସମର୍ଥ ଓ ମଜଭୁତ ଭାରତର ସ୍ୱପ୍ନ ଦେଖିଥିଲେ ଆଜି ତାହା ପ୍ରଦର୍ଶିତ ହୋଇଛି। ପ୍ରଧାନମନ୍ତ୍ରୀ ଆନନ୍ଦରେ ଆତ୍ମହରା ହୋଇ କହିଥିଲେ ଯେ “ବିକ୍ରାନ୍ତ ବିଶାଳ, ବୃହତକାୟ ଓ କଳେବରରେ ମହାନ। ବିକ୍ରାନ୍ତ ମହାନ ଓ ସ୍ୱତନ୍ତ୍ର। ବିକ୍ରାନ୍ତ କେବଳ ଏକ ଯୁଦ୍ଧ ପୋତ ନୁହଁ, ଏହା କଠିନ ପରିଶ୍ରମ, ମେଧା, ପ୍ରଭାବ ଓ ଏକବିଂଶ ଶତାବ୍ଦୀରେ ଭାରତୀୟ ଅଙ୍ଗୀକାରବଦ୍ଧତାର ଏକ ପ୍ରତୀକ। ଯଦି ଲକ୍ଷ୍ୟ ସ୍ଥଳ ଦୂରରେ ଓ ଯାତ୍ରା ଲମ୍ବା; ମହାସାଗର ଓ ଆହ୍ୱାନଗୁଡିକ ଅସୀମ ତେବେ ଭାରତର ଉତ୍ତର ହେଉଛି ବିକ୍ରାନ୍ତ। ଆଜାଦୀ କା ଅମୃତ ମହୋତ୍ସବର ଅତୁଳନୀୟ ଅମୃତ ହେଉଛି ବିକ୍ରାନ୍ତ। ଭାରତ ଆତ୍ମନିର୍ଭରଶୀଳ ହେବାର ବିକ୍ରାନ୍ତ ଏକ ଅନନ୍ୟ ପ୍ରତିଫଳନ।”

ଦେଶର ବର୍ତ୍ତମାନର ମତିଗତି ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଭାରତ ନିମନ୍ତେ କୌଣସି ଆହ୍ୱାନ କଷ୍ଟସାଧ୍ୟ ନୁହଁ। ସେ କହିଥିଲେ ଯେ “ଆଜି ଭାରତ ବିଶ୍ୱର ସେହି ଦେଶମାନଙ୍କ ସହ ସମକକ୍ଷ ଯାହା ସ୍ୱଦେଶୀ ବୈଷୟିକ କୌଶଳ ବଳରେ ବିଶାଳ ଏୟାରକ୍ରାଫ୍ଟ କ୍ୟାରିଅରର ନିର୍ମାଣ କରିଛି। ଆଜି ଆଇଏନଏସ ବିକ୍ରାନ୍ତ ଦେଶରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି।” ପ୍ରଧାନମନ୍ତ୍ରୀ ନୌସେନା, କୋଚିନ ବନ୍ଦରର ଯନ୍ତ୍ରୀ, ବୈଜ୍ଞାନିକ ଓ ବିଶେଷ କରି ପ୍ରକଳ୍ପ ପାଇଁ କାର୍ଯ୍ୟ କରିଥିବା କର୍ମଜୀବୀମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ସେ ମଧ୍ୟ ଓନମର ପବିତ୍ର କ୍ଷଣ ବର୍ତ୍ତମାନକୁ ଅଧିକ ଖୁସୀରେ ଭରି ଦେଉଛି ବୋଲି କହିଥିଲେ।

ଆଇଏନଏସ ବିକ୍ରାନ୍ତର ପ୍ରତ୍ୟେକ ଭାଗର ନିଜସ୍ୱ ଶକ୍ତି, ସୁବିଧା ଓ ସ୍ୱତନ୍ତ୍ରତା ରହିଛି। ଏହା ସ୍ୱଦେଶୀ ସାମର୍ଥ୍ୟ, ସମ୍ପଦ ଓ କୌଶଳର ପ୍ରତୀକ। ଏହାର ବିମାନଘାଟୀରେ ବ୍ୟବହୃତ ଇସ୍ପାତ ମଧ୍ୟ ସ୍ୱଦେଶୀ, ଏହା ଡିଆରଡିଓ ବିଜ୍ଞାନୀମାନଙ୍କ ଦ୍ୱାରା ବିକଶିତ ହେବା ସହ ଭାରତୀୟ କମ୍ପାନୀମାନେ ଏହା ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଥିଲେ। ବିଶାଳ କ୍ୟାରିଅରର ବ୍ୟାପକତାକୁ ବିଶ୍ଳେଷଣ କରି ପ୍ରଧାନମନ୍ତ୍ରୀ ଏହାକୁ ଏକ ଭାସମାନ ନଗରୀ ସହ ତୁଳନା କରିଥିଲେ। ଏଥିରୁ ଉତ୍ପାଦିତ ବିଦ୍ୟୁତ ଶକ୍ତି ପାଞ୍ଚ ହଜାର ପରିବାରକୁ ଆଲୋକିତ କରିବା ପାଇଁ ଯଥେଷ୍ଟ ଓ ଏଥିରେ ବ୍ୟବହୃତ ତାର ସମସ୍ତଙ୍କୁ ଯୋଡିଲେ ତାହା କୋଚିରୁ କାଶୀ ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି ସେ କହିଥିଲେ। ଆଇଏନଏସ ବିକ୍ରାନ୍ତ ହେଉଛି ପାଞ୍ଚପ୍ରାଣର ଜୀବନ୍ତ ବିଗ୍ରହ ଯାହା ସେ ଲାଲକିଲ୍ଲାର ପ୍ରାଚୀର ଉପରୁ ଘୋଷଣା କରିଥିଲେ।

ପ୍ରଧାନମନ୍ତ୍ରୀ ସାମୁଦ୍ରିକ ଐତିହ୍ୟ ଓ ନୌସେନା ସାମର୍ଥ୍ୟ ଉପରେ ମଧ୍ୟ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଛତ୍ରପତି ବୀର ଶିବାଜୀ ମହାରାଜ ସାମୁଦ୍ରିକ ଶକ୍ତି ବଳରେ ଏପରି ନୌସେନା ଗଠନ କରିଥିଲେ ଯାହା ଶତ୍ରୁକୁ ଦୂରେଇ ରଖିଥିଲା। ଯେତେବେଳେ ଇଂରେଜମାନେ ଭାରତକୁ ଆସିଲେ ସେମାନେ ଭାରତୀୟ ଜାହାଜଗୁଡିକ ଦ୍ୱାରା ଭୟଭୀତ ହୋଇ ସେମାନଙ୍କ ସହ ବାଣିଜ୍ୟିକ ସମ୍ବନ୍ଧ ରଖିଥିଲେ। ତେଣୁ ସେମାନେ ଭାରତୀୟ ସାମୁଦ୍ରିକ ଶକ୍ତି ଦୁର୍ବଳ କରିବାକୁ ସ୍ଥିର କଲେ। ସେତେବେଳେ ବ୍ରିଟିଶ ସଂସଦରେ ଆଇନ ପ୍ରଣୟନ କରି କିପରି ଭାରତୀୟ ଜାହାଜଗୁଡିକ ଉପରେ କଠୋର କଟକଣା ଲଗାଯାଇଥିଲା ଇତିହାସ ତାର ମୂକ ସାକ୍ଷୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଐତିହାସିକ ଦିବସ, ସେପ୍ଟେମ୍ବର ୨, ୨୦୨୨ରେ ଭାରତ ଦାସତ୍ୱର ଚିହ୍ନକୁ ହଟାଇ ଦେଇଛି। ଆଜିଠାରୁ ଭାରତୀୟ ନୌସେନା ଏକ ନୂତନ ପତାକା ଆପଣାଇଛି। ଏ ପର୍ଯ୍ୟନ୍ତ ଦାସତ୍ୱର ପରିଚୟ ଭାରତୀୟ ନୌସେନାର ପତାକାର ରହିଥିଲା। ମାତ୍ର ଆଜିଠାରୁ ଛତ୍ରପତି ଶିବାଜୀଙ୍କ ଦ୍ୱାରା ଅନୁପ୍ରାଣୀତ ଭାରତୀୟ ନୌସେନାର ନୂତନ ପତାକା ସାଗର ଓ ଆକାଶ ବକ୍ଷରେ ଉଡିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ବିକ୍ରାନ୍ତ ଆମର ସାମୁଦ୍ରିକ ଅଞ୍ଚଳର ନିରାପତ୍ତା ପାଇଁ ପାଣିକୁ ଓହ୍ଲାଇବ ଅନେକ ନୌସେନାର ମହିଳା ସୈନିକ ସେଥିରେ କାର୍ଯ୍ୟ କରିବେ। ସାଗରର ଅମାପ ଶକ୍ତି ସହ ଅସୀମ ନାରୀ ଶକ୍ତି ନୂତନ ଭାରତର ଉତ୍ତୁଙ୍ଗ ପରିଚୟ ସୃଷ୍ଟି କରିବ। ବର୍ତ୍ତମାନ ଭାରତୀୟ ନୌସେନା ଏହାର ସମସ୍ତ ଶାଖା ମହିଳାଙ୍କ ନିଯୁକ୍ତି ପାଇଁ ମୁକ୍ତ ରଖିଛି। ଆଗରୁ ଥିବା କଟକଣା କ୍ରମଶଃ ହଟାଇ ଦିଆଯାଇଛି ଯେପରି ସାଗର ତରଙ୍ଗର କୌଣସି କଟକଣା ନାହିଁ ସେହିପରି ଭାରତର କନ୍ୟାମାନଙ୍କ ନିମନ୍ତେ ମଧ୍ୟ କୌଣସି କଟକଣା ରହିବ ନାହିଁ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୁନ୍ଦେ ବୁନ୍ଦେ ଜଳ ମିଶି ବିଶାଳ ମହାସାଗର ସୃଷ୍ଟି ହୁଏ। ସେ ମଧ୍ୟ ସ୍ୱଦେଶୀ ତୋପର ଗର୍ଜନ ଏଥର ସ୍ୱାଧୀନତା ଦିବସରେ ଶୁଣିଥିଲେ। ସେହିପରି ଯଦି ପ୍ରତ୍ୟେକ ଭାରତୀୟ ନାଗରିକ ଭୋକାଲ ଫର ଲୋକାଲ ମନ୍ତ୍ରରେ ଅଭିମଣ୍ଡିତ ହୁଅନ୍ତି ଦେଶକୁ ଆତ୍ମନିର୍ଭରଶୀଳ ହେବାକୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ।
ଭୂରଣନୀତିକ ପରିବର୍ତ୍ତିତ ପରିସ୍ଥିତି ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ ଅତୀତରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଓ ଭାରତ ମହାସାଗର ଅଞ୍ଚଳରେ ସୁରକ୍ଷା ବିଷୟରେ ଅଣଦେଖା କରାଯାଇଛି।

ମାତ୍ର ଆଜି ଏହି ଅଞ୍ଚଳକୁ ପ୍ରତିରକ୍ଷା ଦୃଷ୍ଟିରୁ ଆମକୁ ପ୍ରଧାନ୍ୟ ଦେବାକୁ ପଡିବ। ସେଥିପାଇଁ ଆଜି ଆମକୁ ପ୍ରତ୍ୟେକ ଦିଗକୁ ଦେଖିବାକୁ ପଡୁଛି। ତାହା ନୌସେନାର ବଜେଟ ବୃଦ୍ଧିଠାରୁ ଆରମ୍ଭ କରି ତାର ସାମର୍ଥ୍ୟ ବୃଦ୍ଧି ପର୍ଯ୍ୟନ୍ତ ବୋଲି ସେ କହିଥିଲେ। ଏକ ଶାନ୍ତ ଓ ନିରାପଦ ବିଶ୍ୱ ପାଇଁ ଏକ ମଜଭୁତ ଭାରତ ପଥ ପରିସ୍କାର କରିବ ବୋଲି ସେ କହିଥିଲେ।

କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାଁ, ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ସର୍ବାନନ୍ଦ ସୋନୱାଲ, ଭି ମୁରଲୀଧରନ, ଅଜୟ ଭଟ୍ଟ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ନୌସେନା ମୁଖ୍ୟ ଆର ହରିକୁମାର ଅନ୍ୟମାନଙ୍କ ମଧ୍ୟରେ ସେଠାରେ ଉପସ୍ଥିତ ଥିଲେ।

ଆଇଏନଏସ ବିକ୍ରାନ୍ତ – ଆଇଏନଏସ ବିକ୍ରାନ୍ତ ଭାରତୀୟ ନୌସେନାର ନିଜସ୍ୱ ଯୁଦ୍ଧପୋତ ପରିପାଟୀ ବ୍ୟୁରୋ ଦ୍ୱାରା ଏହାର ପରିପାଟୀ ପ୍ରସ୍ତୁତ ହୋଇଥିବା ବେଳେ ଭାରତ ସରକାରଙ୍କ ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ଅଧୀନ କୋଚିନ ସିପୟାର୍ଡ, ଲିମିଟେଡ ଦ୍ୱାରା ନିର୍ମାଣ କରାଯାଇଛି। ଭାରତୀୟ ସାମୁଦ୍ରିକ ଇତିହାସରେ ସର୍ବବୃହତ ଏହି ଜାହାଜ ବିକ୍ରାନ୍ତରେ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ ବ୍ୟବସ୍ଥା ରହିଛି।

୧୯୭୧ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଶର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିଅର ନାମରେ ଏହାକୁ ନାମିତ କରାଯାଇଛି। ଏଥିରେ ଦେଶର ପ୍ରମୁଖ ଶିଳ୍ପାନୁଷ୍ଠାନ ଓ ଶହେରୁ ଅଧିକ ଏମଏସଏମଇ ପକ୍ଷରୁ ଯୋଗାଯାଇଥିବା ଯନ୍ତ୍ରାଂଶ ସାହାଯ୍ୟରେ ଏହାର ନିର୍ମାଣ କରାଯାଇଛି। ବିକ୍ରାନ୍ତ ନୌସେନାରେ କମିଶନଭୁକ୍ତ ହେବାଦ୍ୱାରା ଭାରତର ଦୁଇଟି ଏୟାରକ୍ରାଫ୍ଟ କ୍ୟାରିଅର ସକ୍ରିୟ ହୋଇ ଦେଶର ସାମୁଦ୍ରିକ ନିରାପତ୍ତାକୁ ଅଧିକ ମଜଭୁତ କରିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପନିବେଶୀୟ ଅତୀତରୁ ଦୂରେଇ ଯାଇ ଭାରତୀୟ ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ନୂତନ ନୌସେନା ପତାକା (ନିଶାଣ)ର ମଧ୍ୟ ଉନ୍ମୋଚନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଦେଶର ବୃଦ୍ଧି ପାଇଲା ଶକ୍ତି, ନୌସେନାକୁ ମିଳିଲା ସ୍ୱଦେଶୀ ବିମାନ INS ବିକ୍ରାନ୍ତ

ନୂଆଦିଲ୍ଲୀ: ଦେଶକୁ ଏହାର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ INS ବିକ୍ରାନ୍ତ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ବର୍ତ୍ତମାନ INS ବିକ୍ରାନ୍ତ ଭାରତୀୟ ନୌସେନାର ଜାହାଜରେ ଯୋଗ ଦେଇଛି।

INS ବିକ୍ରାନ୍ତ ଏୟାରକ୍ରାଫ୍ଟ କ୍ୟାରିଅର୍ ହେଉଛି ଏକ ବାୟୁସେନା ଷ୍ଟେସନ ଯାହା ସମୁଦ୍ର ଉପରେ ଭାସିବ, ଯେଉଁଠାରୁ ଯୁଦ୍ଧ ବିମାନ, କ୍ଷେପଣାସ୍ତ୍ର, ଡ୍ରୋନ୍ ମାଧ୍ୟମରେ ଶତ୍ରୁମାନଙ୍କର ଯୋଜନାକୁ ନଷ୍ଟ କରିବ। INS ବିକ୍ରାନ୍ତରୁ ୩୨ ବାରାକ -୮ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇପାରିବ। ୪୪ ହଜାର ୫୭ ଟନରୁ ଅଧିକ ଓଜନ, ଏହି ଯୁଦ୍ଧ ଜାହାଜ ୩୦ ଟି ଯୁଦ୍ଧ ବିମାନକୁ ରଖିବାରେ ସକ୍ଷମ।

ପ୍ରଧାନମନ୍ତ୍ରୀ ମୋଦୀ INS ବିକ୍ରାନ୍ତଙ୍କ ବିଷୟରେ କହିଛନ୍ତି ଯେ, “ଆଜି ଭାରତ ବିଶ୍ୱର ସେହି ଦେଶମାନଙ୍କରେ ଯୋଗ ଦେଇଛି, ଯେଉଁମାନେ ସ୍ୱଦେଶୀ ଟେକ୍ନୋଲୋଜି ସହିତ ଏତେ ବଡ଼ ବିମାନ ପରିବହନକାରୀ ନିର୍ମାଣ କରନ୍ତି। ଆଜି INS ବିକ୍ରାନ୍ତ ଦେଶକୁ ଏକ ନୂତନ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ କରିଛି, ଦେଶରେ ଏକ ନୂତନ ବିଶ୍ୱାସ ସୃଷ୍ଟି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଆଜିଠାରୁ ୨୫ରୁ ଅଧିକ ସହରରେ ‘ଚାମ୍ପିୟନ୍ ମାନଙ୍କୁ ଭେଟନ୍ତୁ’ କାର୍ଯ୍ୟକ୍ରମ

ଦିଲ୍ଲୀ: ଆସନ୍ତା କାଲି, ୨୯ ଅଗଷ୍ଟରେ ଜାତୀୟ କ୍ରୀଡା ଦିବସ ଅବସରରେ, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ (ଏମ୍‌ୱାଇଏଏସ୍‌) ସାରା ଦେଶରେ ୨୬ଟି ସ୍କୁଲ୍ ଗୁଡିକରେ ‘ମିଟ୍ ଦ ଚାମ୍ପିଅନ୍‌’ (‘ଚାମ୍ପିଅନ୍ ମାନଙ୍କୁ ଭେଟନ୍ତୁ’) ପଦକ୍ଷେପର ଆୟୋଜନ କରିବ ।

ରାଜ୍ୟ ଗୋଷ୍ଠୀ କ୍ରୀଡା (ସିଡବ୍ଲ୍ୟୁଜି) ଏବଂ ବିଶ୍ୱ ଚାମ୍ପିୟନ୍‌ଶିପ୍‌ରେ ସ୍ୱର୍ଣ୍ଣ ପଦକ ବିଜେତା ନିଖତ୍ ଜରୀନ୍‌, ପାରାଅଲମ୍ପିକ୍ସ ଏବଂ ରାଜ୍ୟ ଗୋଷ୍ଠୀ କ୍ରୀଡା (ସିଡବ୍ଲ୍ୟୁଜି)ର ପଦକ ବିଜେତା ଭାବନା ପଟେଲ୍‌, ଟୋକିଓ ଅଲମ୍ପିକ୍ସ ଏବଂ ସିଡବ୍ଲ୍ୟୁଜି ପଦକ ବିଜେତା ମନପ୍ରୀତ୍ ସିଂହଙ୍କ ଭଳି କିଛି ପ୍ରମୁଖ କ୍ରୀଡାବିତ୍ ଏହି ପଦକ୍ଷେପର ଅଂଶ ବିଶେଷ ହେବେ ।

‘ମିଟ୍ ଦି ଚାମ୍ପିଅନ୍‌’ ଏକ ବିଶେଷ ସ୍କୁଲ୍ ପରିଦର୍ଶନ ଅଭିଯାନ ଅଟେ, ଯାହାକୁ ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଗତ ବର୍ଷ ଡିସେମ୍ବର ମାସରେ ଆରମ୍ଭ କରିଥିଲେ ଏବଂ ଗତ କିଛି ମାସ ମଧ୍ୟରେ ଦେଶର ବିଭିନ୍ନ ଅଂଚଳ ଗୁଡିକରେ ଏହା ପହଂଚି ସାରିଛି । ସ୍କୁଲ୍ ପରିଦର୍ଶନ ସମୟରେ, ଚାମ୍ପିଅନ୍ କ୍ରୀଡାବିତ୍ ନିଜର ଅନୁଭବ, ଜୀବନର ଶିକ୍ଷା ଏବଂ କିପରି ସଠିକ୍ ଭାବରେ ଉଚିତ୍ ଖାଦ୍ୟ ଖାଇବେ ସେ ସମ୍ପର୍କରେ କହିଥାନ୍ତି ଏବଂ ସ୍କୁଲ୍ ପିଲା ମାନଙ୍କୁ ସାମଗ୍ରିକ ରୂପରେ ପ୍ରେରଣାଦାୟୀ ପ୍ରୋତ୍ସାହାନ ଦେଇଥାନ୍ତି ।

ଜାତୀୟ କ୍ରୀଡା ଦିବସ ଅବସର ସହିତ ଏବଂ ହକିର ପ୍ରମୁଖ ହସ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ରୂପରେ, ଭାରତୀୟ ଖେଳ ପ୍ରାଧିକରଣ (ଏସ୍‌ଏଆଇ) ଏବେ ସେହି କ୍ରୀଡାବିତ୍ ମାନଙ୍କୁ ଏଥିରେ ସାମିଲ୍ କରିବାର ପଦକ୍ଷେପକୁ ବ୍ୟାପକ କରିଛନ୍ତି, ଯେଉଁମାନେ ନିକଟରେ ଶେଷ ହୋଇଥିବା ରାଜ୍ୟ ଗୋଷ୍ଠୀ କ୍ରୀଡା (ସିଡବ୍ଲ୍ୟୁଜି) ଏବଂ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ଅଂଶ ଗ୍ରହଣ କରିଥିଲେ ।

ଭାରତୀୟ କ୍ରୀଡା ପ୍ରାଧିକରଣ ମଧ୍ୟ ଏହି ବର୍ଷର ଜାତୀୟ କ୍ରୀଡା ଦିବସକୁ ଫିଟ୍ ଇଣ୍ଡିଆ ଅଭିଯାନର ଅଂଶ ବିଶେଷ ଭାବରେ, ଏକ ସମାବେଶୀ ଏବଂ ସୁସ୍ଥ ସମାଜ ନିମନ୍ତେ ଖେଳର ଥିମ୍ (ବିଷୟ ବସ୍ତୁ) ସହିତ ଅଖିଳ ଭାରତୀୟ ସ୍ତରରେ କ୍ରୀଡା ଆୟୋଜନ ମାଧ୍ୟମରେ ପାଳନ କରିବ । ଖେଳ ଇଭେଂଟ ଗୁଡିକ ବିଭିନ୍ନ ସ୍ତର ଗୁଡିକ ନିମନ୍ତେ ଆୟୋଜିତ କରା ଯାଇଥାଏ, ଯେଉଁଥିରେ ବିଭିନ୍ନ ବୟସର ଲୋକ ମାନଙ୍କ ପାଇଁ ଏବଂ ଜୀବନର ସମସ୍ତ କ୍ଷେତ୍ର ନିମନ୍ତେ ପେଶାଦାର ଏବଂ ମନୋରଞ୍ଜନ ଉଭୟ ପ୍ରକାରର କାର୍ଯ୍ୟକ୍ରମ ସାମିଲ୍ ଅଟେ ।

ସନ୍ଧ୍ୟା ସମୟରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ  କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରମାଣିକ ଦେଶର କିଛି କ୍ରୀଡା ସମ୍ପର୍କିତ ଏବଂ ଫିଟ୍ ଇଣ୍ଡିଆ ଫିଟ୍‌ନେସ୍ ଆଇକନ୍ ମାନଙ୍କ ସହିତ ଭାରତରେ ଫିଟ୍‌ନେସ୍ ଏବଂ କ୍ରୀଡାର ମହତ୍ୱ ସମ୍ପର୍କରେ ଆଭାସୀ ରୂପରେ ବିଶେଷ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭୁଜରେ ୪୪ଠଠ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮-୦୮-୨୦୨୨) ୪୪ଠଠ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଭୁଜରେ କରିଛନ୍ତି। ପୂର୍ବରୁ ସେ ମଧ୍ୟ ସ୍ମୃତି ବନ ସ୍ମାରକୀ ଭୁଜ୍ ଜିଲ୍ଲାରେ ଉଦଘାଟନ କରିଥିଲେ। ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ମୃତି ବନ ସ୍ମାରକୀ, ଭୁଜ ଓ ଅଞ୍ଜାରର ବନର ବାଲ ସ୍ମାରକୀ କଚ୍ଛ ଗୁଜରାଟ ଓ ସମଗ୍ର ଦେଶର ଯନ୍ତ୍ରଣାକୁ ବହନ କରିଥାଏ। ଯେତେବେଳେ ଅଞ୍ଜାର ସ୍ମାରକୀ କଥା ଉଠିଲା ଓ ସେବା ଦ୍ୱାରା ଏହାକୁ ସମ୍ପୂର୍ଣ୍ଣ କରାଇବାକୁ ସଂକଳ୍ପ ନିଆଗଲା ସେ ତା’ର ସ୍ମୃତି ଚାରଣ କରିଥିଲେ। ପ୍ରଳୟଙ୍କରୀ ଭୂମିକମ୍ପରେ ଜୀବନ ହରାଇଥିବା ବ୍ୟକ୍ତିମାନଙ୍କ ସ୍ମୃତିରେ ଏକ ଦୁଃଖଦ ହୃଦୟର ସହ ଏହି ସ୍ମାରକୀ ନିର୍ମିତ ହୋଇଥିଲା। ସେ ମଧ୍ୟ ଜନସାଧାରଣଙ୍କୁ ଆଜିର ହାର୍ଦ୍ଦିକ ସ୍ୱାଗତ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ। ତାଙ୍କ ହୃଦୟରେ ଅନେକ ଆବେଗକୁ ଆଜି ମନେ ପକାଇ ସେ କହିଥିଲେ ଯେ ଆମମାନଙ୍କ ଠାରୁ ବିଦାୟ ନେଇ ଯାଇଥିବା ମହାନ ଆତ୍ମାଙ୍କ ଉଦେଶ୍ୟରେ ସମର୍ପିତ ସ୍ମୃତି ବନ ସ୍ମାରକୀ ମଧ୍ୟ ୯/୧୧ ହିରୋସୀମା ସ୍ମାରକୀର ସମତୁଲ। ସେ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କ ଏହି ସ୍ମାରକୀ ପରିଦର୍ଶନ କରିବାକୁ କହିଥିଲେ।

ପ୍ରଧାନମନ୍ତ୍ରୀ ପ୍ରଳୟଙ୍କରୀ ଭୂମିକମ୍ପ ସମୟକୁ ମଧ୍ୟ ମନେ ପକାଇଥିଲେ। ସେ କହିଥିଲେ ଯେତେବେଳେ ଭୂମିକମ୍ପ ହେଲା, ମୁଁ ଦ୍ୱିତୀୟ ଦିନରେ ହିଁ ଏଠାରେ ପହଂଚିଥିଲି। ସେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ନ ଥିଲି, ଥିଲେ ଜଣେ ସାମାନ୍ୟ ଦଳୀୟ କାର୍ଯ୍ୟକର୍ତ୍ତା। ମୁଁ ଜାଣି ନ ଥିଲି କିପରି ଓ କେତେଜଣଙ୍କୁ ମୁଁ ସାହାଯ୍ୟ କରିପାରିବି। ମାତ୍ର ମୁଁ ଆପଣଙ୍କ ସହ ଦୁଃଖ ବେଳେ ଆପଣଙ୍କ ଗହଣରେ ରହିବି ବୋଲି ସ୍ଥିର କରି ନେଇଥିଲେ। ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହୋଲି ସେବାର ସେ ଅଭିଜ୍ଞତା ମତେ ବେଶ ସାହାଯ୍ୟ କରିଥିଲା। ସେ ଅଞ୍ଚଳ ସହ ତାଙ୍କ ଦୀର୍ଘ ଓ ଗଭୀର ଅନ୍ତରଙ୍ଗତାର ଅବତାରଣା କରିବା ସହ ଜଟିଳ ପରିସ୍ଥିତିରେ ଯେଉଁମାନଙ୍କ ସହ ସେ କାମ କରିଥିଲେ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, “କଛର ସବୁବେଳେ ଗୋଟିଏ ସ୍ୱତନ୍ତ୍ରତା ଅଛି, ଯାହା ମୁଁ ସବୁବେଳେ ଆଲୋଚନା କରେ। ଯଦି ଏଠି ଚାଲିଲାବେଳେ ମଧ୍ୟ ସ୍ୱପ୍ନର ବୀଜ ବୁଣେ, ସମଗ୍ର କଛ ଲାଗିପଡ଼ି ଏହାକୁ ଏକ ମହାଦ୍ରୁମରେ ପରିଣତ କରି ଦିଅନ୍ତି। କଚ୍ଛର ଏହି ସଂସ୍କାର ସମସ୍ତ ଭୟ ଆଶଙ୍କା ଓ ହିସାବ କିତାବ ଭୁଲ ପ୍ରମାଣିତ କରିଦିଏ। ଅନେକ କହିଥିଲେ ଯେ କଚ୍ଛ କେବେ ବି ନିଜ ଗୋଡ଼ରେ ଠିଆ ହୋଇପାରିବ ନାହିଁ। ମାତ୍ର ଆଜି କଚ୍ଛର ଜନସାଧାରଣ ଏଠାରେ ସବୁକିଛି ପରିବର୍ତ୍ତନ କରିପାରିଛନ୍ତି।” ଭୂମିକମ୍ପ ପରେ ପ୍ରଥମ ଦୀପାବଳି ପାଳନ ବିଷୟ ସ୍ମରଣ କରି ଜନସାଧାରଣଙ୍କ ସହ ମିଶିକରି ଏହା ପାଳିବାକୁ ମନସ୍ଥ କରିଥିଲେ ବୋଲି ସେ କହିଥିଲେ। ସେତେବେଳେ ଥିବା ଆହ୍ୱାନକୁ ଗ୍ରହଣ କରି ବିପର୍ଯ୍ୟୟକୁ ସୁଯୋଗ ଭାବେ ଆପଣାଇବାକୁ ନିଷ୍ପତ୍ତି ନେଇଥିଲେ। “ଯେତେବେଳେ ମୁଁ ଲାଲକିଲ୍ଲାର ପ୍ରାଚୀର ଉପରୁ କହେ ଯେ ୨ଠ୪୭ ସୁଦ୍ଧା ଭାରତ ଏକ ଉନ୍ନତ ରାଷ୍ଟ୍ର ହେବ, ଆପଣମାନେ ଦେଖନ୍ତୁ କିପରି ଏକ ସଂକଳ୍ପ ନେଇଥିଲି ଓ ତାହାର ଫଳାଫଳ ଆଜି ଦେଖୁଛୁ। ସେହିପରି ଆମେ ଆଜି ଯେଉଁ ସଂକଳ୍ପକୁ ନେଇଛୁ, ତାହା ୨ଠ୪୭ରେ ସଫଳ ହେବ” ବୋଲି ସେ କହିଥିଲେ।

୨ଠଠ୧ରୁ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ଅଞ୍ଚଳର ହୋଇଥିବା ଅଦ୍ଭୁତପୂର୍ବ କାର୍ଯ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨ଠଠ୩ରେ କଚ୍ଛରେ କ୍ରାନ୍ତିଗୁରୁ ଶ୍ୟାମଜୀ କ୍ରିଷ୍ଣବର୍ମା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ସହ ୩୫ଟିରୁ ଅଧିକ ମହାବିଦ୍ୟାଳୟ ସ୍ଥାପିତ ହୋଇଛି। ଭୂକମ୍ପ ବିରୋଧୀ ଜିଲ୍ଲା ହସ୍ପିଟାଲ ସହ ୨ଠଠରୁ ଅଧିକ କ୍ଲିନିକ କାର୍ଯ୍ୟ କରିଥିବା ବେଳେ ପ୍ରତ୍ୟେକ ପରିବାର ପବିତ୍ର ନର୍ମଦା ନଦୀର ସ୍ୱଚ୍ଛ ଜଳ ପାଉଛନ୍ତି ଯାହାକି ଦିନେ ସୁଦୂର ସ୍ୱପ୍ନ ଭଳି ଥିଲା।

ସେ ଅଞ୍ଚଳର ଜନ ସୁରକ୍ଷା ନିମନ୍ତେ ନିଆ ହୋଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ବର୍ଣ୍ଣନା କରିଥିଲେ। କଛର ଜନତାଙ୍କ ଆଶୀର୍ବାଦ ଯୋଗୁଁ ସମସ୍ତ ପ୍ରମୁଖ ଅଞ୍ଚଳକୁ ନର୍ମଦା ନଦୀ ପାଣି ଯୋଗାଉଛି। “କଚ୍ଛ-ଭୁଜ କେନାଲ ସେ ଅଞ୍ଚଳର ଜନସାଧାରଣ ଓ କୃଷକଙ୍କ ନିମନ୍ତେ ଲାଭଦାୟକ ହେବ” ବୋଲି ସେ କହିଥିଲେ। ସମଗ୍ର ଗୁଜରାଟରେ କଚ୍ଛ ସର୍ବାଧିକ ଫଳ ଉତ୍ପାଦନକାରୀ ଜିଲ୍ଲା ହୋଇଥିବାରୁ ସେ ଅଭିନନ୍ଦନ ଜଣାଇଥିଲେ। ପଶୁପାଳନ ଓ ଦୁଗ୍ଧ ଉତ୍ପାଦନରେ ଉକ୍ରର୍ଷ ସାଧନ ପାଇଁ ଜନସାଧାରଣଙ୍କ ଅଦ୍ଭୁତପୂର୍ବ ଉଦ୍ୟମର ସେ ପ୍ରଂସଶା କରିଥିଲେ। “କଚ୍ଛ କେବଳ ନିଜକୁ ଉଠାଇ ନାହିଁ ବରଂ ସମଗ୍ର ଗୁଜରାଟକୁ ନୂତନ ଶିଖରରେ ପହଂଚାଇଛି” ବୋଲି ସେ କହିଥିଲେ।

ଗୁଜରାଟ କିପରି ଗୋଟିଏ ଜଟିଳତାରୁ ଆଉ ଗୋଟିଏ ଜଟିଳତାର ସାମ୍ନା କରୁଥିଲା ସେ ତାହାର ସ୍ମରଣ କରିଥିଲେ। “ଗୁଜରାଟ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିଲା, ସେତେବେଳେ ଷଡ଼ଯନ୍ତ୍ର ମଧ୍ୟ ଆରମ୍ଭ ହୋଇ ଯାଇଥିଲା। ଗୁଜରାଟକୁ ଦେଶ ଓ ବିଶ୍ୱରେ ବଦନାମ କରିବା ପାଇଁ ଏଠାରେ ପୁଞ୍ଜିନିବେଶ ରୋକିବା ପାଇଁ ଗୋଟେ ପରେ ଗୋଟେ ଷଡ଼ଯନ୍ତ୍ର ରଚା ହେଲା। ଏପରି ପରିସ୍ଥିତିରେ ମଧ୍ୟ ଗୁଜରାଟ ବିପର୍ଯ୍ୟୟ ପରିଚାଳନା ଆଇନ ପ୍ରଣୟନ କରିବାରେ ଦେଶରେ ପ୍ରଥମ ରାଜ୍ୟ ହୋଇ ପାରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। “ଏଠାରୁ ଉତ୍ସାହିତ ହୋଇ ସମଗ୍ର ଦେଶରେ ଏକାଭଳି ଆଇନ ପ୍ରଣୟନ ହେଲା, ଏହା ବୈଶ୍ୱିକ ମହାମାରୀ କାଳରେ ଦେଶର ପ୍ରତ୍ୟେକ ସରକାରଙ୍କୁ ସହାୟକ ହେଲା”ବୋଲି ସେ କହିଥିଲେ। ସମସ୍ତ କୁତ୍ସାରଟନାକୁ ପଛରେ ପକାଇ ଓ ଷଡ଼ଯନ୍ତ୍ରକୁ ଭ୍ରୂକ୍ଷେପ ନ କରି ଗୁଜରାଟ ଏକ ନୂତନ ଶିଳ୍ପ ରାସ୍ତାରେ ଚାଲିଲା। କଚ୍ଛ ଏଥିରୁ ସବୁଠାରୁ ଅଧିକ ଲାଭବାନ ହୋଇଥିଲା।

ସେ କହିଥିଲେ ଯେ କଚ୍ଛରେ ବିଶ୍ୱର ସବୁଠାରୁ ବଡ଼ ସିମେଣ୍ଟ କାରଖାନା ରହିଛି। କିଛି ୱେଲଡିଂ ପାଇପ ତିଆରିରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ବିଶ୍ୱର ଦ୍ୱିତୀୟ ବୃହତ ଲୁଗା କାରଖାନା କଛରେ ଅଛି। ଏସିଆର ପ୍ରଥମ ଏସଇଜେଡ କଚ୍ଛରେ ହୋଇଛି। କାଣ୍ଡଲା ଓ ମୁନ୍ଦ୍ରା ବନ୍ଦର ଦେଇ ଦେଶର ଶତକଡ଼ା ୩ଠ ଗୁଣ ପଣ୍ୟ କାରବାର ହେଉଥିବା ବେଳେ, ଏହା ଦେଶର ଶତକଡ଼ା ୩ଠ ଗୁଣ ଲୁଣ ଉତ୍ପାଦନ କରୁଛି। କଛ ଦେଶରେ ୨୫ଠଠ ମେଗାୱାଟ ସୌର ଓ ପବନ ଶକ୍ତି ଉତ୍ପାଦନ କରୁଛି ଓ ବୃହତ୍ତମ ସୌର ହାଇବ୍ରିଡ ଉଦ୍ୟାନ ମଧ୍ୟ କଚ୍ଛରେ ସ୍ଥାପିତ ହେବାକୁ ଯାଉଛି। ଆଜି ଦେଶରେ ଚାଲିଥିବା ଗ୍ରୀନ ହାଉସ ଅଭିଯାନରେ ଗୁଜରାଟର ଏକ ପ୍ରମୁଖ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଯେତେବେଳେ ଗୁଜରାଟ ବିଶ୍ୱର ଗ୍ରୀନ ହାଉସ ରାଜଧାନୀ ପାଲଟିବ, ସେତେବେଳେ କଚ୍ଛର ଅବଦାନ ଏଥିପାଇଁ ବହୁତ ଅଧିକ ହେବ।

ପଞ୍ଚପ୍ରାଣ ମଧ୍ୟରୁ ଗୋଟିକ ଆମ ଐତିହ୍ୟର ସ୍ୱାଭିମାନ ବିଷୟ ସ୍ମରଣ କରି ସେ ଲାଲକିଲ୍ଲାର ପ୍ରାଚୀର ଉପରୁ କହିଥିବା ବିଷୟରୁ ଗୋଟିଏ କଚ୍ଛର ସମୃଦ୍ଧି ଉପରେ ପ୍ରକାଶ କରିଥିଲେ । ଜୋଲବାଗ ନଗରୀ ନିର୍ମାଣର ବିଶେଷଜ୍ଞତା ଉପରେ ସେ କହିଥିଲେ । ସେ କହିଥିଲେ ଯେ “ମାତ୍ର ଗତ ବର୍ଷ ଜୋଲବାଗକୁ ବିଶ୍ୱ ଐତିହ୍ୟ କିର୍ତ୍ତୀରାଜି ମାନ୍ୟତା ମିଳିଛି । ଜୋଲ ନଗରର ପ୍ରତ୍ୟେକ ଇଟା ଆମର ପୂର୍ବଜ ଓ ବିଜ୍ଞାନୀମାନଙ୍କ ଜ୍ଞାନ କୌଶଳର ଦର୍ଶାଇଥାଏ।” ସେହିପରି ଯେଉଁ ସ୍ୱାଧୀନତା ସଂଗ୍ରାମୀମାନେ ଉପେକ୍ଷିତ ହୋଇ ବହୁଦିନ ଧରି ରହିଛନ୍ତି ସେମାନଙ୍କୁ ନେଇ ଗର୍ବ କରିବା ଆମ ଐତିହ୍ୟର ଅଧୀନ । ସେ ଶ୍ୟାମଜୀ କ୍ରିଷ୍ଣବର୍ମାଙ୍କୁ ଲୋକଲୋଚନକୁ ଆଣଇବା ଏକ ଗୌରବ ବିଷୟ ବୋଲି କହିଥିଲେ। ମାଣ୍ଡଭୀର ସ୍ମାରକୀ ଓ ଏକତାର ପ୍ରତିମୂର୍ତ୍ତି ଏ ଦିଗରେ ବିରାଟ ପଦକ୍ଷେପ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ କଚ୍ଛର ବିକାଶ ସବକା ପ୍ରୟାସର ଏକ ଜ୍ୱଳନ୍ତ ଉଦାହରଣ । “କଚ୍ଛ କେବଳ ଗୋଟେ ସ୍ଥାନ ନୁହେଁ, ଏହା ଏକ ଉତ୍ସାହ, ଏକ ଜୀବନ୍ତ ଅନୁଭବ । ଏହି ଉତ୍ସାହ ଆମକୁ “ଆଜାଦୀ କା ଅମ୍ରିତ ମହୋତ୍ସବ”ର ବିଶାଳ ସଂକଳ୍ପକୁ ସାକାର କରାଇବାରେ ବାଟ ଦେଖାଇବେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, ଲୋକସଭା ସଦସ୍ୟ ଶ୍ରୀ ସି.ଆର ପାଟିଲ ଏବଂ ବିନୋଦ ଏଲ୍ ଚାୱଡ଼ା, ଗୁଜରାଟ ବିଧାନସଭା ବାଚସ୍ପତି ଡକ୍ଟର ନିସାବେନ ଆଚାର୍ଯ୍ୟ, ରାଜ୍ୟ ମନ୍ତ୍ରୀ ଶ୍ରୀ କୀର୍ତ୍ତି ସିଂ ଭାଗେଲା ଓ ଜିତୁଭାଇ ଚୌଧୁରୀ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଉପସ୍ଥିତ ରହିଥିଲେ ।

ପ୍ରକଳ୍ପ ସମ୍ପର୍କରେ ସବିଶେଷ

ପ୍ରଧାନମନ୍ତ୍ରୀ ଭୁଜ ଠାରେ ସ୍ମୃତି ବନ ସ୍ମାରକୀ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ବାହାକ ସ୍ମୃତି ବନ ଏକ ପଦକ୍ଷେପ । ୨ଠଠ୧ ଭୂମିକମ୍ପର କେନ୍ଦ୍ରବିନ୍ଦୁ ଥିବା ଭୁଜର ପ୍ରାୟ ୧୩ ହଜାର ଜନସାଧାରଣଙ୍କ ଜୀବନହାନୀର ସ୍ମାରକ ବହନକାରୀ ଏହି ସ୍ଥଳୀ ୪୭ଠ ଏକର ପରିମିତି ସ୍ଥାନରେ ନିର୍ମିତ ହୋଇଛି । ଭୂମିକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ନାମ ଏହି ସ୍ମାରକୀରେ ସ୍ଥାନ ପାଇଛି ।

ସ୍ମୃତି ବନ ଭୂମିକମ୍ପ ସଂଗ୍ରହାଳୟ ସାତଟି ମଣ୍ଡଳରେ ପୃଥକ ପୃଥକ ବାର୍ତ୍ତା ସହ ତିଆରି ହୋଇଛି । ସେଗୁଡ଼ିକ ହେଲା ପୁର୍ନଜନ୍ମ, ପୁନଃ ଆବିଷ୍କାର, ପୁନଃ ସଂସ୍ଥାପନ, ପୁର୍ନନିର୍ମାଣ, ପୁନଃଚିନ୍ତା, ପୁନଃମୁକ୍ତି ଓ ପୁନ ନବୀକରଣ । ପ୍ରଥମ ବ୍ଲକ୍ ହେଉଛି ପୁର୍ନଜନ୍ମ ଯେଉଁଥିରେ ପୃଥିବୀର ଉତ୍ପତ୍ତି ଓ ସବୁଠାରୁ ମୁକ୍ତି ହେବା ବିଷୟ ବର୍ଣ୍ଣିତ । ଦ୍ୱିତୀୟ ବ୍ଲକ ବା ମଣ୍ଡଳରେ ଗୁଜରାଟର ଜଳବାୟୁ ଓ ସାମ୍ନା କରୁଥିବା ବିଭିନ୍ନ ବିପର୍ଯ୍ୟୟ ସମ୍ପର୍କରେ ଦର୍ଶାଯାଇଛି । ତୃତୀୟରେ ୨ଠଠ୧ ଭୂମିକମ୍ପର ପରବର୍ତ୍ତୀ ସମୟ, ରିଲିଫ ଓ ଥଇଥାନ ବିଷୟ ବର୍ଣ୍ଣିତ ରହିଛି । ଚତୁର୍ଥ ମଣ୍ଡଳରେ ୨ଠଠ୧ ଭୂମିକମ୍ପ ପରବର୍ତ୍ତୀ ପୁନର୍ଗଠନ କାର୍ଯ୍ୟ ନେଇ ବର୍ଣ୍ଣନା ରହିଛି । ପଞ୍ଚମ ମଣ୍ଡଳରେ ଜଣେ ଦର୍ଶକ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଓ ଭବିଷ୍ୟତରେ ଏଥିପାଇଁ ପ୍ରାକ ପ୍ରସ୍ତୁତି ନେଇ ସୂଚନା ପାଇଥାଏ । ଷଷ୍ଠ ମଣ୍ଡଳ ଭୂମିକମ୍ପରୁ ବର୍ତ୍ତିବା ପାଇଁ ଏକ ଯାନ୍ତ୍ରିକ ପଦ୍ଧତି ସମ୍ପର୍କରେ ସୂଚନା ଦେଇଥାଏ । ଏହା ଏକ ୫ଡି ସିମୁଲେଟର ଜରିଆରେ ଦିଆଯାଇଥାଏ । ସପ୍ତମ ମଣ୍ଡଳ ଜନସାଧାରଣଙ୍କୁ ଏକ ଜାଗା ସମ୍ପର୍କରେ ସୂଚନା ଦେଇଥାଏ ଯେଉଁଠି ସେମାନେ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିପାରିବେ ।

ପ୍ରଧାନମନ୍ତ୍ରୀ ୪୪ଠଠ କୋଟି ଟଙ୍କା ବ୍ୟୟରେ ଭୁଜ ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ସର୍ଦ୍ଦାର ସରୋବର ପ୍ରକଳ୍ପର କଛ ଶାଖା କେନାଲର ଉଦଘାଟନ କରିଛନ୍ତି । ଏହି କେନାଲର ଦୈର୍ଘ୍ୟ ହେଉଛି ୩୫୭ କିଲୋମିଟର । ଏହି କେନାଲାର ଏକ ଅଂଶ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨ଠ୧୭ରେ ଉଦଘାଟିତ ହୋଇଥିବା ବେଳେ ଅନ୍ୟ ଅଂଶ ଏବେ ଉଦଘାଟିତ ହୋଇଛି । କେନାଲ କଚ୍ଛରେ ଜଳସେଚନ ସୁବିଧା ଯୋଗାଇବା ସହ ଜିଲ୍ଲାର ୧ଠଟି ସହର ଓ ୯୪୮ଟି ଗ୍ରାମକୁ ପାନୀୟ ଜଳ ଯୋଗାଇବ । ପ୍ରଧାନମନ୍ତ୍ରୀ ଆଉ ଯେଉଁ ପ୍ରକଳ୍ପମାନ ଉଦଘାଟନ କରିବେ ସେଗୁଡ଼ିକ ମଧ୍ୟରେ ରହିଛି ସରହଦର ଡାଏରୀର ଦୁଗ୍ଧ ପ୍ରକ୍ରିୟାକରଣ ଓ ସ୍ୱୟଂ ପ୍ୟାକେଜିଂ ପ୍ଲାଣ୍ଟ, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଗାନ୍ଧୀଧାମରେ ବାବା ସାହେବ ଆମ୍ବେଦକର ଅଧିବେଶନ କେନ୍ଦ୍ର, ଆଞ୍ଜରରେ ବୀରବାଲ ସ୍ମାରକ, ନାକାତାରନାରେ ଭୁଜର ଦ୍ୱିତୀୟ ସବସେଷ୍ଟନ ଇତ୍ୟାଦି । ଭୁଜ-ଭୀମାସର ସଡ଼କ ସମେତ ପ୍ରଧାନମନ୍ତ୍ରୀ ମଧ୍ୟ ୧୫ଠଠ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

Categories
ଆଜିର ଖବର ଜାତୀୟ ଖବର

ଭାଷଣରେ ପରିବାରବାଦ ଉଲ୍ଲେଖ କରି ନିଜ ମନ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ: କଂଗ୍ରେସ

ନୂଆଦିଲ୍ଲୀ: ଆଜି ଲାଲ କିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ନୀତି ଏବଂ ପରିବାରବାଦ ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ ଆହ୍ଵାନ କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ଆକ୍ରମଣ କରିଛି। ମନ୍ତ୍ରୀ ଏବଂ ସେମାନଙ୍କ ପୁଅମାନଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଆକ୍ରମଣ କରିଛନ୍ତି ବୋଲି କଂଗ୍ରେସ ଦାବି କରିଛି। ଦଳର ଗଣମାଧ୍ୟମ ତଥା ପ୍ରଚାର ପ୍ରସାର ମୁଖ୍ୟ ପୱନ ଖେଡା ଏହା ମଧ୍ୟ କହିଛନ୍ତି ଯେ, ଆଜି ପ୍ରଧାନମନ୍ତ୍ରୀ ଆଠ ବର୍ଷର ରିପୋର୍ଟ କାର୍ଡ ଦେବେ ବୋଲି ଲୋକମାନେ ଆଶା କରୁଥିଲେ, କିନ୍ତୁ ତାଙ୍କ ଅଭିଭାଷଣ ନିରାଶର ହାତ ଲାଗଛି। ଖେଡା ଗଣମାଧ୍ୟମକୁ କହିଛନ୍ତି ଯେ, “ଆଜିର ଦିନରେ ରାଜନୈତିକ ହେବା ଉଚିତ୍ ନୁହେଁ। କିନ୍ତୁ କିଛି ପରମ୍ପରା ବଦଳାଯାଉଛି ଏବଂ ଏହା ହିଁ ପ୍ରଧାନମନ୍ତ୍ରୀ କରିଛନ୍ତି। ଗତ ଆଠ ବର୍ଷ ଧରି ପ୍ରଧାନମନ୍ତ୍ରୀ ନିଜ ଶବ୍ଦର ଶିକାର ହେଉଛନ୍ତି ଏବଂ ସେ ବହୁତ କ୍ଳାନ୍ତ ଦେଖାଯାଉଛନ୍ତି। କୌଣସି ଭାବନା ନାହିଁ, ହୃଦୟରେ କୌଣସି ଉତ୍ସାହ ଏବଂ ଉଦ୍ଦୀପନା ନାହିଁ। କାରଣ ସେ ଦେଇଥିବା ପ୍ରତିଶ୍ରୁତି ହିଁ ତାଙ୍କୁ ନିଶ୍ଚିତ ଭାବରେ ଅସ୍ତବ୍ୟସ୍ତ କରୁଥିବ।

ଖେଡା ପଚାରିଥିଲେ, କୃଷକଙ୍କ ଆୟ ଦ୍ୱିଗୁଣିତ କରିବାର ପ୍ରତିଶୃତି କୁଆଡେ ଗଲା? ସମସ୍ତଙ୍କୁ ଘର ଦେବାର ପ୍ରତିଶୃତି କୁଆଡେ ଗଲା? କଳା ଟଙ୍କା ଫେରାଇବାର ପ୍ରତିଶୃତି କୁଆଡେ ଗଲା? ରୋଜଗାର ଏବଂ ୧୫ ଲକ୍ଷ ଟଙ୍କା ଯୋଗାଇଦେବା ପ୍ରତିଶ୍ରୁତି ସହିତ କ’ଣ ହେଲା?

ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନିଜ ମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ସେ ହୁଏତ ଗୃହମନ୍ତ୍ରୀଙ୍କ ପୁଅ ଉପରେ ଆକ୍ରମଣ କରିଛନ୍ତି, ପ୍ରତିରକ୍ଷା ମନ୍ତ୍ରୀଙ୍କ ପୁଅ ଉପରେ ଆକ୍ରମଣ କରିଛନ୍ତି କିମ୍ବା ଅନ୍ୟ କାହା ଉପରେ ଆକ୍ରମଣ କରିଛନ୍ତି। ସ୍ୱାଧୀନତା ଦିବସରେ ଏହା ଉପଯୁକ୍ତ ନୁହେଁ।

Categories
ଆଜିର ଖବର ଜାତୀୟ ଖବର

ମୋଦୀଙ୍କ ପାଖରେ କେତେ ଟଙ୍କା ଅଛି?, ସୂଚନା ଦେଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ୨୦୨୧-୨୨ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚଳନ ସମ୍ପତ୍ତି ୨୬.୧୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଗୁଜୁରାଟର ଆବାସିକ ପ୍ଲଟରେ ସେ ଏହି ସମ୍ପତ୍ତି ଦାନ କରିଛନ୍ତି, ଯାହା ପରେ ତାଙ୍କର କୌଣସି ଅସ୍ଥାବର ସମ୍ପତ୍ତି ନାହିଁ। PMO ପକ୍ଷରୁ କୁହାଯାଇଛି ଯେ, ମାର୍ଚ୍ଚ ୨୦୨୧ ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଚଳନ ସମ୍ପତ୍ତି ୧,୯୭,୬୮,୮୮୫ ରୁ ୨,୨୩,୮୨,୫୦୪ ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ସ୍ଥିର ଜମା, ବ୍ୟାଙ୍କ ବାଲାନ୍ସ, ଜାତୀୟ ସଞ୍ଚୟ ପ୍ରମାଣପତ୍ର, ଜୀବନ ବୀମା ପଲିସି, ଅଳଙ୍କାର ଏବଂ ନଗଦ ଅନ୍ତର୍ଭୁକ୍ତ।

ରିପୋର୍ଟରେ କୁହାଯାଇଛି ଯେ ଅସ୍ଥାବର ସମ୍ପତ୍ତି ସ୍ତମ୍ଭରେ ପିଏମ ମୋଦୀଙ୍କୁ NIL ଭାବରେ ଦର୍ଶାଯାଇଛି। ଏହାର ତଳେ ଏକ ନୋଟ୍ ଅଛି, ଯେଉଁଥିରେ ଲେଖା ଅଛି, ରିଅଲ୍ ଇଷ୍ଟେଟ୍ ସର୍ଭେ ନମ୍ବର ୪୦୧/ଏ ଅନ୍ୟ ତିନିଜଣ ମିଳିତ ମାଲିକଙ୍କ ସହ ମିଳିତ ଭାବରେ କରାଯାଇଥିଲା, ପ୍ରତ୍ୟେକଙ୍କର ସମାନ ଅଂଶ ୨୫ ପ୍ରତିଶତ ରହିଥିଲା, ଯାହା ବର୍ତ୍ତମାନ ଦାନ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ପିଏମ ମୋଦୀ ୪୫ ଗ୍ରାମ ଓଜନ ବିଶିଷ୍ଟ ପ୍ରାୟ ଚାରିଟି ସୁନା ମୁଦି ଘୋଷଣା କରିଛନ୍ତି, ଯାହାର ମୂଲ୍ୟ ୧,୭୩,୦୬୩ ଟଙ୍କା, ଯାହା ଏକ ବର୍ଷ ପୂର୍ବେ ୧, ୪୮,୩୩୧ ଟଙ୍କା ଥିଲା।

Categories
ଆଜିର ଖବର ଜାତୀୟ ଖବର

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଜାରି, ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ଭୋଟ୍

ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ନିର୍ବାଚନ ପାଇଁ ଭୋଟ୍ ଦେଇଛନ୍ତି। ଆଜି ଭୋଟ୍ ଗଣନା କରାଯିବ ଏବଂ ନୂତନ ଉପରାଷ୍ଟ୍ରପତି ଅଗଷ୍ଟ ୧୧ ତାରିଖରେ ଶପଥ ଗ୍ରହଣ କରିବେ। ବର୍ତ୍ତମାନର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ରେ ଶେଷ ହେବ।

Categories
ଖେଳ ବିଶେଷ ଖବର

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଭାରତୀୟ ଦଳର ସଦସ୍ୟମାନଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ୨ଠ୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ଭାରତୀୟ କ୍ରୀଡ଼ାବିତ୍ ଦଳର ସଦସ୍ୟମାନଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ଉଭୟ କ୍ରୀଡ଼ାବିତ ଏବଂ ସେମାନଙ୍କର ପ୍ରଶିକ୍ଷକମାନଙ୍କ ସହିତ କେନ୍ଦ୍ର କ୍ରୀଡ଼ା, ଯୁବସେବା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଏବଂ କ୍ରୀଡ଼ାବିତ ସଚିବ ଉପସ୍ଥିତ ଥିଲେ।

ଆଜି ପ୍ରସଙ୍ଗକ୍ରମେ ଆନ୍ତର୍ଜାତିକ ଚେସ୍ ଦିବସ ମଧ୍ୟ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଚଳିତ ଜୁଲାଇ ମାସ ୨୮ ତାରିଖରେ ୨୮ତମ ଚେସ ଅଲିମ୍ପିଆଡ ତାମିଲନାଡୁରେ ଆୟୋଜିତ ହେଉଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ପୂର୍ବତନ କ୍ରୀଡ଼ାବିତମାନଙ୍କ ଭଳି ସେମାନେ ମଧ୍ୟ ଭାରତକୁ ଗୌରବାନ୍ୱିତ କରିବେ ବୋଲି ସେ ଆଶାବାଦୀ। ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ୬୫ରୁ ଅଧିକ କ୍ରୀଡ଼ାବିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଥିବା ଜାଣି ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ସେମାନଙ୍କ ଉତ୍ତମ ପ୍ରଦର୍ଶନ କାମନା କରିଥିଲେ। କୌଣସି ଚାପର ସମ୍ମୁଖୀନ ନ ହୋଇ, ସମସ୍ତ ଶକ୍ତି ଓ ସାମର୍ଥ୍ୟ ଲଗାଇ ମନଯୋଗ ସହିତ ଖେଳିବାକୁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ଜଣେ କ୍ରୀଡ଼ାବିତ ଅବିନାଶ ସାବଲେଙ୍କ ସହିତ କଥା ହୋଇଥିଲେ। ଭାରତୀୟ ସେନାରେ କାମ କରୁଥିବା ଏହି ଖେଳାଳି ଜଣକ ସିଆଚେନରେ ନିଯୁକ୍ତ। ତାଙ୍କ ଜୀବନର ଅଭିଜ୍ଞତା ବିଷୟରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ। ଅବିନାଶ କହିଥିଲେ ଯେ ସେ ଭାରତୀୟ ସେନାରେ ଚାରିବର୍ଷ କାମ କରିବା ଭିତରେ ଅନେକ କଥା ଶିଖିଛନ୍ତି। ଏହି ଅଭିଜ୍ଞତା ତାଙ୍କୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଭଲ କରିବାକୁ ସାହାଯ୍ୟ କରିବ। ସିଆଚେନରେ କାମ କରୁଥିବା ବେଳେ ସେ ଷ୍ଟିପଲଚେଜ କ୍ରୀଡ଼ାକୁ କାହିଁକି ବାଛିଲେ ବୋଲି ପ୍ରଧାନମନ୍ତ୍ରୀ ସାବଲେଙ୍କୁ ପଚାରିଥିଲେ। ଏହାର ଉତ୍ତରରେ ସେ କହିଥିଲେ ଯେ ଷ୍ଟିପଲଚେଜ ପ୍ରତିବନ୍ଧକ ଏଡ଼ାଇ ଆଗକୁ ବଢ଼ିବାର ଏକ ଖେଳ। ସେନାରେ ଏଥିପାଇଁ ତାଲିମ ପ୍ରଦାନ କରାଯାଇଥାଏ। ଖୁବଶୀଘ୍ର ଓଜନ କମାଇବାର ରହସ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ଠାରୁ ଜାଣିବାକୁ ଚାହିଁବାରୁ ସେ କହିଥିଲେ ଯେ ଖେଳକୁଦରେ ସାମିଲ ହେବାକୁ ସେନା ତାଙ୍କୁ ପ୍ରୋତ୍ସାହିତ କରିଥିଲା। ନିଜର ତାଲିମ ପାଇଁ ସେ ଅଧିକ ସମୟ ପାଇଥିଲେ। ଏହି ପ୍ରକ୍ରିୟାରେ ସେ ଅଧିକ ବ୍ୟାୟାମ ଓ ପରିଶ୍ରମ କରି ନିଜର ଓଜନ ଶୀଘ୍ର କମାଇବାରେ ସଫଳ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ଆଉ ଜଣେ କ୍ରୀଡ଼ାବିତ ଅଚିନ୍ତ ଶେଉଲିଙ୍କ ସହ କଥା ହୋଇଥିଲେ। ଅଚିନ୍ତ ୭୩ କିଲୋଗ୍ରାମ ବର୍ଗର ଭାରୋତ୍ତଳନ ପ୍ରତିଯୋଗୀ। ସେ ପଶ୍ଚିମବଙ୍ଗ ନିବାସୀ। ଶାନ୍ତ ସ୍ୱଭାବର ଅଚିନ୍ତ ଭାରୋତ୍ତଳନ କ୍ରୀଡ଼ା ସହିତ କିପରି ନିଜକୁ ଖାପ ଖୁଆଇ ପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଠାରୁ ଜାଣିବାକୁ ଚାହିଁଥିଲେ। ସେ କହିଥିଲେ ଯେ ନିୟମିତ ଯୋଗାଭ୍ୟାସ ଦ୍ୱାରା ସେ ଶାନ୍ତ ଓ ଅବିଚଳିତ ରହିବା ଶିଖିଛନ୍ତି। ମାନସିକ ଶାନ୍ତି ରକ୍ଷାରେ ଯୋଗ ତାଙ୍କୁ ସାହାଯ୍ୟ କରିଛି। ତାଙ୍କ ପରିବାର ବିଷୟରେ ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁଥିଲେ ଏବଂ ତାଙ୍କର ମା’ ଓ ବଡ଼ ଭାଇ ଅଛନ୍ତି ବୋଲି ସେ କହିବା ସହିତ ଉଭୟ ତାଙ୍କୁ ଜୀବନର ଉତଥାନ ପତନରେ ସବୁମତେ ସାହାଯ୍ୟ କରିଆସିଛନ୍ତି ବୋଲି ଜଣାଇଥିଲେ। ଖେଳରେ ଆଘାତ ସମସ୍ୟାର ମୁକାବିଲା ସେ କିପରି କରନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଅଚିନ୍ତ କହିଥିଲେ ଯେ ଆହତ ହେବା ଖେଳର ଏକ ଅଂଶବିଶେଷ  ତେବେ ଆଘାତରୁ ମୁକୁଳିବା ପାଇଁ ସେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିଥାନ୍ତି। ଆହୁରି ମଧ୍ୟ ଯେଉଁ ଭୁଲ ପାଇଁ ସେ ଆହତ ହୁଅନ୍ତି ତାହାକୁ ଭଲଭାବେ ବିଶ୍ଳେଷଣ କରି ଏହାର ପୁନରାବୃତ୍ତିର ସୁଯୋଗ ଦିଅନ୍ତି ନାହିଁ। ପ୍ରଧାନମନ୍ତ୍ରୀ ଅଚିନ୍ତଙ୍କୁ ଶୁଭକାମନା ଜଣାଇବା ସହିତ ତାଙ୍କୁ ଜଣେ ଭଲ ଖେଳାଳି ଭାବେ ଗଢ଼ି ତୋଳିଥିବାରୁ ତାଙ୍କର ମା’ ଓ ବଡ଼ଭାଇ ତଥା ପରିବାରକୁ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ କେରଳର ବ୍ୟାଡମିଣ୍ଟନ ଖେଳାଳି ତ୍ରିସା ଜୋଲିଙ୍କ ସହ କଥା ହୋଇଥିଲେ। କନ୍ନୁରରେ ଫୁଟବଲ ଓ ଫାର୍ମିଂ ବେଶ ଲୋକପ୍ରିୟ। ସେଠାରୁ ଆସିଥିବା ତ୍ରିସା ବ୍ୟାଡମିଣ୍ଟନ ପ୍ରତି କିପରି ଆକୃଷ୍ଟ ହେଲେ ତାହା ଜାଣିବାକୁ ପ୍ରଧାନମନ୍ତ୍ରୀ ଚାହିଁଥିଲେ। ତ୍ରିସା କହିଥିଲେ ଯେ ସେ ତାଙ୍କ ବାପାଙ୍କ ପ୍ରେରଣାରେ ବ୍ୟାଡମିଣ୍ଟନ ଖେଳ ଆରମ୍ଭ କରିଥିଲେ। ଗାୟତ୍ରୀ ଗୋପୀଚାନ୍ଦଙ୍କ ସହ ତାଙ୍କର ବନ୍ଧୁତା ଓ ଏକାଠି ଖେଳିବା ନେଇ ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁବାରୁ ସେ କହିଥିଲେ ଯେ ଏହି ବନ୍ଧୁତା ଓ ଏକାଠି ଖେଳିବା ଦ୍ୱାରା ତାଙ୍କର କ୍ରୀଡ଼ା ଜୀବନରେ ଉନ୍ନତି ଆସିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଫେରିବା ପରେ ସେ କିପରି ଉତ୍ସବ ପାଳନ କରିବେ ସେ ନେଇ ତାଙ୍କର ଯୋଜନା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ପଚାରିଥିଲେ।

ଝାଡ଼ଖଣ୍ଡର ହକି ଖେଳାଳି ସଲିମା ଟେଟେଙ୍କ ସହିତ ପ୍ରଧାନମନ୍ତ୍ରୀ ମଧ୍ୟ କଥା ହୋଇଥିଲେ। ନିଜର ଓ ନିଜର ପିତାଙ୍କ ହକି କ୍ରୀଡ଼ା ଯାତ୍ରା ସମ୍ପର୍କରେ ସଲିମାଙ୍କୁ ପ୍ରଧାନମନ୍ତ୍ରୀ ପଚାରିଥିଲେ। ଏହାର ଉତ୍ତରରେ ସେ କହିଥିଲେ ଯେ ତାଙ୍କ ବାପାଙ୍କ ହକି ଖେଳ ଦେଖି ସେ ଅନୁପ୍ରାଣିତ ହୋଇଥିଲେ। ସଲିମାଙ୍କୁ ପ୍ରଧାନମନ୍ତ୍ରୀ ଗୋଟିଏ ଅନୁଭୂତି ପଚାରିବାରୁ ସେ କହିଥିଲେ ଯେ ସେତେବେଳେ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହିତ ହୋଇଥିବା ଆଲୋଚନା ତାଙ୍କୁ ବିଶେଷ ଉତ୍ସାହିତ ଓ ଅନୁପ୍ରେରିତ କରିଥିଲା।

ପ୍ରଧାନମନ୍ତ୍ରୀ ହରିଆଣାର ଜଣେ ପାରା ଆଥଲେଟ ତଥା ସଟପୁଟ୍ ଖେଳାଳି ଶର୍ମିଳାଙ୍କ ସହିତ କିଛି ସମୟ କଥା ହୋଇଥିଲେ। ସେ ୩୪ ବର୍ଷ ବୟସରେ ଖେଳ ଆରମ୍ଭ କରି ମାତ୍ର ଦୁଇ ବର୍ଷ ଭିତରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାର ରହସ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ଠାରୁ ଜାଣିବାକୁ ଚାହିଁଥିଲେ। ଶର୍ମିଳା କହିଥିଲେ ଯେ ତାଙ୍କର ଖେଳ ପ୍ରତି ବିଶେଷ ଆଗ୍ରହ ଥିଲା; କିନ୍ତୁ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ତାଙ୍କୁ ଅଳ୍ପ ବୟସରରେ ବିବାହ କରିବାକୁ ପଡ଼ିଥିଲା। ବିବାହ ପରେ ସ୍ୱାମୀଙ୍କ ଦ୍ୱାରା ସେ ନିର୍ଯାତିତ ହୋଇଥିଲେ। ଶେଷରେ ସେ ତାଙ୍କର ଦୁଇ ଝିଅଙ୍କୁ ଧରି ନିଜ ବାପଘରକୁ ଫେରି ଆସି ବାପା-ମାଆଙ୍କ ଉପରେ ନିର୍ଭରଶୀଳ ହେଲେ। ଏଭଳି ଛ’ ବର୍ଷ କଟାଇବା ପରେ ତାଙ୍କର ଜଣେ ସମ୍ପର୍କୀୟ ଟେକଚାନ୍ଦ ଭାଇ ତାଙ୍କୁ ତାଲିମ ପ୍ରଦାନ କଲେ। ଦୈନିକ ତାଙ୍କୁ ଆଠ ଘଣ୍ଟା କଠିନ ତାଲିମ ନେବାକୁ ପଡୁଥିଲା। ଟେକଚାନ୍ଦ ଜଣେ ଫ୍ଲାଗ ବିୟରର ଥିଲେ ଏବଂ ତାଙ୍କୁ ତାଲିମ ଦେବା ସହିତ ତାଙ୍କ ପରିବାରକୁ ମଧ୍ୟ ସହାୟତା କରୁଥିଲେ। ତାଙ୍କର ଦୁଇ ଝିଅଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ପଚାରି ବୁଝିବା ସହିତ ଶର୍ମିଳାଙ୍କୁ ନିଜର ଦୁଇ ସନ୍ତାନଙ୍କ ସହିତ ସମଗ୍ର ଦେଶର ଆଦର୍ଶ ବୋଲି କହିଥିଲେ। ନିଜର ଦୁଇ ଝିଅଙ୍କୁ ଖେଳକୁଦରେ ସାମିଲ କରିବାକୁ ସେ ମନସ୍ଥ କରିଥିବା ଶର୍ମିଳା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ଟେକଚାନ୍ଦଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁଥିଲେ। ଶର୍ମିଳା କହିଥିଲେ ଯେ ଟେକଚାନ୍ଦ ଜୀ ଜଣେ ପୂର୍ବତନ ପାରା ଅଲିମ୍ପିଆନ ଏବଂ ତାଙ୍କ ସାହାଯ୍ୟ ସହଯୋଗ ଭୁଲିବାର ନୁହେଁ। ତାଙ୍କ ପ୍ରେରଣା ଓ ତାଲିମ ହିଁ ଆଜି ଶର୍ମିଳାଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ ଦେଇଛି। ଏକ ପ୍ରତିକୂଳ ପରିସ୍ଥିତିରୁ ଉଠି ନିଜକୁ ପ୍ରତିଷ୍ଠା କରିପାରିଥିବାରୁ ଶର୍ମିଳାଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କୁ ସଫଳତା କାମନା କରିଥିଲେ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ସାଇକଲ ଚାଳକ ଡେଭିଡ ବେକହାମଙ୍କ ସହିତ କଥା ହୋଇଥିଲେ। ସେ କହିଥିଲେ ଯେ ଡେଭିଡ ବେକହାମ ଫୁଟବଲ ଜଗତର ଜଣେ ମହାନ ଖେଳାଳି। ତାଙ୍କ ନାମ ସହ ସମାନ ଥିବା ଏହି କିମ୍ବଦନ୍ତୀ ଫୁଟବଲ ଖେଳାଳିଙ୍କ ପ୍ରତି ତାଙ୍କର ଆକର୍ଷଣ ଅଛି କି ବୋଲି ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁଥିଲେ। ଏହାର ଉତ୍ତରରେ ବେକହାମ କହିଥିଲେ ଯେ ଫୁଟବଲ ଖେଳ ପ୍ରତି ତାଙ୍କର ଅନୁରାଗ ଥିଲା; କିନ୍ତୁ ଏଥିପାଇଁ ଆଣ୍ଡାମାନ ଓ ନିକୋବରରେ ବିଶେଷ ସୁବିଧା ସୁଯୋଗ ନ ଥିବାରୁ ସେ ସାଇକଲ ଚାଳନା ପ୍ରତି ଆକୃଷ୍ଟ ହୋଇଥିଲେ। ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମ ତାଙ୍କୁ କିପରି ସାହାଯ୍ୟ କରିଛି ତାହା ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁବାରୁ ବେକହାମ କହିଥିଲେ ଯେ ‘ଖେଲୋ ଇଣ୍ଡିଆ’ରୁ ତାଙ୍କର ଯାତ୍ରା ଆରମ୍ଭ ହୋଇଛି। ‘ମନ କି ବାତ’ରେ ପ୍ରଧାନମନ୍ତ୍ରୀ ତାଙ୍କ ବିଷୟରେ କହିବା ପରେ ସେ ବିଶେଷ ଅନୁପ୍ରାଣିତ ହୋଇଛନ୍ତି। ସୁନାମିରେ ସେ ତାଙ୍କ ବାପାଙ୍କୁ ଓ ଏହାର ଅଳ୍ପଦିନ ପରେ ମା’ଙ୍କୁ ହରାଇଥିଲେ। ଏହି ବ୍ୟକ୍ତିଗତ ବିପର୍ଯ୍ୟୟ ସତ୍ତ୍ୱେ ସେ ନିଜର କ୍ରୀଡ଼ାରେ ମନୋନିବେଶ ଜାରି ରଖିଥିଲେ ବୋଲି ବେକହାମ କହିଥିଲେ।

କ୍ରୀଡ଼ାବିତମାନଙ୍କ ସହିତ ଭାବ ବିନିମୟ ପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟଗୋଷ୍ଠୀ କ୍ରୀଡ଼ାବିତ ଦଳର ସଦସ୍ୟମାନଙ୍କୁ ସଂସଦର କାର୍ଯ୍ୟକ୍ରମ ଦୃଷ୍ଟିରୁ ବ୍ୟସ୍ତ ଥିବାରୁ ସେ ବ୍ୟକ୍ତିଗତ ଭାବେ ଭେଟିପାରୁ ନାହାନ୍ତି। ତେବେ ବିଜୟମଣ୍ଡିତ ହୋଇ ଫେରିଆସିବା ପରେ ସେମାନଙ୍କ ସହିତ ମିଶି ଉତ୍ସବ ପାଳନ କରିବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ ସାମ୍ପ୍ରତିକ ସମୟ ଭାରତୀୟ କ୍ରୀଡ଼ା ଇତିହାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏବେ କ୍ରୀଡ଼ାବିତମାନଙ୍କର ଉତ୍ସାହ ଓ ମନୋବଳ ଅତି ଉଚ୍ଚ ରହିଛି। ସେମାନଙ୍କ ତାଲିମ ବ୍ୟବସ୍ଥା ମଧ୍ୟ ପୂର୍ବ ଠାରୁ ଅଧିକ ଭଲ ହୋଇଛି। ଦେଶର କ୍ରୀଡ଼ା ପରିବେଶ ଅସାଧାରଣ ରହିଛି। ଆପଣମାନେ ସମସ୍ତେ ନୂଆ ଶିଖର ଆରୋହଣ କରୁଛନ୍ତି, ନୂଆ କୀର୍ତ୍ତିମାନ ସୃଷ୍ଟି କରୁଛନ୍ତି।

ସେ ଆହୁରି କହିଛନ୍ତି ଯେ ଯେଉଁମାନେ ପ୍ରଥମ ଥର ବୃହତ୍ତ ଆନ୍ତର୍ଜାତିକ କ୍ରୀଡ଼ା କ୍ଷେତ୍ରକୁ ପ୍ରବେଶ କରୁଛନ୍ତି ସେମାନଙ୍କ ପାଇଁ କ୍ରୀଡ଼ାଙ୍ଗନ କେବଳ ବଦଳିଛି, ସେମାନଙ୍କ ଉତ୍ସାହ ଓ ସଫଳତା ପାଇଁ ଥିବା ଦୃଢ଼ ଆଶା ବଦଳି ନାହିଁ। ଆମର ଲକ୍ଷ୍ୟ ହେଲା ଭାରତର ତ୍ରିରଙ୍ଗା ପତାକାକୁ ଉଡୁଥିବାର ଦେଖିବା ଏବଂ ଜାତୀୟ ସଂଗୀତ ପରିବେଷଣ ହେଉଥିବା ଶୁଣିବା। ତେଣୁ ଚାପଗ୍ରସ୍ତ ନ ହୋଇ ଭଲ ଖେଳ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତୁ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଭାରତ ତାହାର ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଆମ କ୍ରୀଡ଼ାବିତମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବାକୁ ଯାଉଛନ୍ତି, ସେମାନେ ସେଠାରେ ତାଙ୍କର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବେ। ସେମାନେ ସଫଳ ହେଲେ ଏହା ଦେଶ ପାଇଁ ଏକ ଉପହାର ହେବ। ଆମର ପ୍ରତିପକ୍ଷ କିଏ ତାହା ବଡ଼କଥା ନୁହେଁ ।  ଆମେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାକୁ ଚେଷ୍ଟିତ ହେଲେ ବିଜୟ ମିଳିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବୁ କ୍ରୀଡ଼ାବିତ ଉତ୍ତମ ତାଲିମ ପାଇଛନ୍ତି ଏବଂ ସେମାନଙ୍କ ପାଇଁ ବିଶ୍ୱର ଶ୍ରେଷ୍ଠତମ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ଅତଏବ ଆମ କ୍ରୀଡ଼ାବିତମାନେ ତାଲିମକୁ ସ୍ମରଣ କରି ନିଜର ଦୃଢ଼ ଇଚ୍ଛାଶକ୍ତି ଉପରେ ଅଧିକ ନିର୍ଭର କରିବା ଆବଶ୍ୟକ। ଆମ କ୍ରୀଡ଼ାବିତମାନେ ଏଯାବତ୍ ଯାହା କିଛି ହାସଲ କରିଛନ୍ତି ତାହା ନିଶ୍ଚୟ ପ୍ରେରଣାଦାୟକ। ଏହା ସତ୍ତ୍ୱେ ସେମାନେ ଏବେ ନୂଆ କୀର୍ତ୍ତିମାନ ସୃଷ୍ଟି ଉପରେ ଧ୍ୟାନ ଦେଇ ଦେଶ ଓ ଦେଶବାସୀଙ୍କ ପାଇଁ ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ କରିବା ଉଚିତ।

କ୍ରୀଡ଼ାବିତମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ ସେମାନଙ୍କୁ ଅନୁପ୍ରାଣିତ ଓ ଉତ୍ସାହିତ କରିବାର ଏକ ନିରନ୍ତର ପ୍ରୟାସର ଅଂଶବିଶେଷ। ବଡ଼ବଡ଼ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା କ୍ରୀଡ଼ାବିତମାନଙ୍କୁ ସେ ଏଭଳି ପ୍ରୋତ୍ସାହିତ କରି ଆସୁଛନ୍ତି। ୨ଠ୨ଠ ଟୋକିଓ ଅଲିମ୍ପିକ୍ସରେ ଭାଗନେବାକୁ ଯାଇଥିବା କ୍ରୀଡ଼ାବିତ ଓ ସେହି ବର୍ଷ ସେଠାରେ ଆୟୋଜିତ ପାରା ଅଲିମ୍ପିକ୍ସର ଜାତୀୟ ଦଳର ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ଗସ୍ତ ପୂର୍ବରୁ ଏଭଳି ଉତ୍ସାହିତ କରିଥିଲେ।

ଏପରିକି ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ସମୟରେ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଭଲମନ୍ଦ ପ୍ରତି ବିଶେଷ ନଜର ରଖନ୍ତି। ଅନେକଥର ସେ ମଧ୍ୟ ଖେଳାଳିମାନଙ୍କୁ ଟେଲିଫୋନ କରି ସେମାନଙ୍କ ସଫଳତା ଓ ଉଲ୍ଲେଖନୀୟ ଉଦ୍ୟମ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇ ଆହୁରି ଭଲ କରିବାକୁ ଉତ୍ସାହିତ କରିଥାନ୍ତି। ବିଦେଶରେ ଅନୁଷ୍ଠିତ ଖେଳକୁଦ ପ୍ରତିଯୋଗିତାରୁ ଫେରିବା ପରେ ମଧ୍ୟ ଭାରତୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ଭେଟି ସେମାନଙ୍କ ସହିତ କଥା ହୁଅନ୍ତି।

୨ଠ୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା (ସିଡବ୍ଲୁଜି ବା କମନୱେଲଥ ଗେମ୍ସ) ଚଳିତ ମାସ (ଜୁଲାଇ) ୨୮ ତାରିଖରୁ ଇଂଲଣ୍ଡର ବର୍ମିଂହାମ ଠାରେ ଆରମ୍ଭ ହେଉଛି। ଏହା ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଭାରତର ମୋଟ ୨୧୫ ଜଣ କ୍ରୀଡ଼ାବିତ ଏହି ପ୍ରତିଯୋଗିତାର ୧୯ଟି ବିଭାଗର ୧୪୧ ଇଭେଣ୍ଟରେ ଭାଗ ନେବେ।

Categories
ବିଶେଷ ଖବର

ଆଜି ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିପାରେ ବିଜେପି: ଜାଣନ୍ତୁ ଚର୍ଚ୍ଚାରେ କେଉଁ ନାମ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଦେଶରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଆଜି ସଂସଦୀୟ ବୋର୍ଡ ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ସମ୍ପର୍କରେ ବିଜେପି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ। ପ୍ରଧାନମନ୍ତ୍ରୀ ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବରିଷ୍ଠ ନେତା ବିଜେପି ସଂସଦୀୟ ବୋର୍ଡ ବୈଠକରେ ଯୋଗଦେବେ। ଆଜି ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଉପରେ ମୋହର ଲାଗିବ ବୋଲି ଆଶା କରାଯାଉଛି।

ଏନଡିଏ ପକ୍ଷରୁ କିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ସେନେଇ ଅନେକ ନାମ ଆଲୋଚନା ହେଉଛି। କୁହାଯାଉଛି ଯେ, ଦେଶରେ ରାଷ୍ଟ୍ରପତିଙ୍କ ପାଇଁ ଜଣେ ଆଦିବାସୀ ମହିଳାଙ୍କ ଉପରେ ବାଜି ମାରିବା ପରେ ଉପରାଷ୍ଟ୍ରପତି ପଦ ପାଇଁ ଏକ ସଂଖ୍ୟାଲଘୁ ଚେହେରା ନିର୍ବାଚନ ମୈଦାନ ଓହ୍ଲାଇପାରେ।

କେଉଁ ନାମଗୁଡିକ ଉପରେ ଆଲୋଚନା ହେଉଛି?:

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ମନୋନୀତ କରିଛି। ଏଭଳି ପରିସ୍ଥିତିରେ ଉପରାଷ୍ଟ୍ରପତିଙ୍କ ପାଇଁ ଦଳ ସଂଖ୍ୟାଲଘୁ ଚେହେରା ସାମ୍ନାକୁ ଆଣିବ ବୋଲି ବିଜେପିର ଉଦ୍ୟମ ହୋଇପାରେ। ଉପ-ରାଷ୍ଟ୍ରପତି ପାଇଁ ବିଜେପି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭିଙ୍କୁ ମନୋନୀତ କରିପାରେ। ଏମାନଙ୍କ ବ୍ୟତୀତ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ବିଷୟରେ ମଧ୍ୟ ବହୁ ଆଲୋଚନା ହେଉଛି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିଖ ଚେହେରାରେ କ୍ୟାପଟେନ ଅମରିନ୍ଦରଙ୍କୁ ମଧ୍ୟ ବିଜେପି ବାଜି ଲଗାଇପାରେ। ଏଥିସହ ନଜମା ହେପତୁଲ୍ଲାଙ୍କୁ ମଧ୍ୟ ଆଲୋଚନା କରାଯାଉଛି। ଏହା ବ୍ୟତୀତ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ନାମ ଉପରେ ମଧ୍ୟ ଆଲୋଚନା କରାଯାଇଛି।

ଉପରାଷ୍ଟ୍ରପତି ନିର୍ବାଚନ କେବେ?:

ଦେଶର ବର୍ତ୍ତମାନର ଉପରାଷ୍ଟ୍ରପତି ହେଉଛନ୍ତି ଏମ ଭେଙ୍କୟା ନାଇଡୁ, ତାଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେବ। ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପାଇଁ ଶେଷ ତାରିଖ ହେଉଛି ଜୁଲାଇ ୧୯ ତାରିଖ। ଆବଶ୍ୟକ ହେଲେ ଅଗଷ୍ଟ ୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଅର୍ଥାତ୍ ଯଦି ନିର୍ବାଚନରେ ଏକରୁ ଅଧିକ ପ୍ରାର୍ଥୀ ଉପସ୍ଥିତ ହୁଅନ୍ତି, ତେବେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ ହେବ। ଭୋଟ୍ ଗଣନା ମଧ୍ୟ ସେହି ଦିନ ହେବ।

Categories
ବିଶେଷ ଖବର

ମାତ୍ର ୨୮ ମାସରେ ନିର୍ମିତ ହେଲା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ: ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାଲୋନ୍ ଜିଲ୍ଲାର ଓରଇ ତହସିଲର କଥେରୀ ଗ୍ରାମରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିଛନ୍ତି। ସେ ଫେବୃଆରୀ ୨୯ ତାରିଖ ୨୦୨୦ ରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ମୂଳଦୁଆ ପକାଇଥିଲେ। ଏହି ଏକ୍ସପ୍ରେସୱେ ର କାର୍ଯ୍ୟ ୨୮ ମାସ ମଧ୍ୟରେ ସମାପ୍ତ ହୋଇଛି ଏବଂ ବର୍ତ୍ତମାନ ଏହାକୁ ଉଦଘାଟନ କରାଯାଇଛି।

ଏହି ଏକ୍ସପ୍ରେସୱେ ଚିତ୍ରାକୋଟ ଜିଲ୍ଲାର ଭରତକୁପ ନିକଟ ଗୋଣ୍ଡା ଗ୍ରାମରେ ଏନଏଚ-୩୫ ରୁ ଇଟାୱା ଜିଲ୍ଲାର କୁଦରେଲ ଗ୍ରାମ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି, ଯେଉଁଠାରେ ଏହା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେ ସହିତ ମିଶିଥାଏ। ଏହି ଏକ୍ସପ୍ରେସୱେ ସାତଟି ଜିଲ୍ଲା ଯଥା ଚିତ୍ରକୋଟ୍, ବାନ୍ଦା, ମହୋବା, ହମିରପୁର, ଜାଳଉନ୍, ଓରେୟା ଏବଂ ଇଟାୱା ଦେଇ ଯାଇଥାଏ।

ବିଶ୍ୱାସ କରାଯାଏ ଯେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଏହି ଅଞ୍ଚଳର ସଂଯୋଗକୁ ଉନ୍ନତ କରିବା ସହିତ ଅର୍ଥନୈତିକ ବିକାଶକୁ ମଧ୍ୟ ସୁଦୃଢ କରିବ, କାରଣ ଏହା ସ୍ଥାନୀୟ ଲୋକଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ବାନ୍ଦା ଏବଂ ଜାଲୌନ୍ ଜିଲ୍ଲାର ଏହି ଏକ୍ସପ୍ରେସୱେ ନିକଟରେ ଶିଳ୍ପ କରିଡର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି।

ଜାଲୌନ୍‌ର ପୋଲିସ ଅଧୀକ୍ଷକ ରବି କୁମାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟାଳୟ ଓରଇର ସମସ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ସୁରକ୍ଷା କର୍ମୀମାନେ କଡାକଡି ଯାଞ୍ଚ କରୁଛନ୍ତି।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଫଡନାଭିସ୍

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ମହାରାଷ୍ଟ୍ରରେ ନୂତନ ସରକାର କ୍ଷମତାକୁ ଆସିବା ପରେ ଏହା ସେମାନଙ୍କର ପ୍ରଥମ ସାକ୍ଷାତ ଥିଲା। ସିନ୍ଦେ ଏବଂ ଫଡନାଭିସ୍ ତାଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ମହାରାଷ୍ଟ୍ରର ବିକାଶ ପାଇଁ ତାଙ୍କର “ଆଶୀର୍ବାଦ ଏବଂ ମାର୍ଗଦର୍ଶନ” ମାଗିଥିଲେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟରରେ କହିଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।

ଏହାପୂର୍ବରୁ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିନ୍ଦେ କହିଛନ୍ତି ଯେ, ସେ ରାଜ୍ୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ବୁଝିବାକୁ ଚେଷ୍ଟା କରିବେ ଏବଂ ମହାରାଷ୍ଟ୍ରକୁ ନୂତନ ଉଚ୍ଚତାକୁ ନେବାକୁ ଚେଷ୍ଟା କରିବେ।

ସିନ୍ଦେ କହିଛନ୍ତି ଯେ, ମୁମ୍ବାଇ ଏବଂ ନାଗପୁରକୁ ସଂଯୋଗ କରୁଥିବା ସମୃଦ୍ଧି ଏକ୍ସପ୍ରେସୱେ, ସହରରେ ମେଟ୍ରୋ ରେଳ ଏବଂ ଜଳସେଚନ ବୃଦ୍ଧି ପାଇଁ ଫାର୍ମ ପୋଖରୀ ଖୋଳିବା ଭଳି ଅନେକ ପ୍ରକଳ୍ପ ଫଡନାଭିସ୍ ଦ୍ଵାରା ଆରମ୍ଭ କରାଯାଇଥିଲା, କିନ୍ତୁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାରରେ ବିଳମ୍ବ ହୋଇଛି। ସେହି ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ ହେବ।

ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଜୁନ୍ ୩୦ ତାରିଖରେ ସିନ୍ଦେ ଏବଂ ଫଡନାଭିସ୍ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଶିବସେନାରେ ଉଦ୍ଧବ ଠାକରେଙ୍କୁ ଏକ ବିରାଟ ବିଦ୍ରୋହର ସାମ୍ନା କରିବାକୁ ପଡିଥିଲା।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସଭାକୁ ମନୋନୀତ ହେଲେ ପିଟି ଉଷା ଏବଂ ଇଲୟାରାଜା, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଖ୍ୟାତ ଆଥଲେଟ୍ ପି.ଟି ଉଷା ଏବଂ ରଚନା, ଗୀତିକାର ତଥା ଗାୟକ ଇଲୟାରାଜାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି। ସାମାଜିକ କର୍ମୀ ବିରେନ୍ଦ୍ର ହେଗଡେ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭି ବିଜୟେନ୍ଦ୍ର ପ୍ରସାଦ ମଧ୍ୟ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କୁ ଧମକ: ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧମକ ଦିଆଯାଇଛି। ତେବେ ଧମକ ଦେଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ବାସ୍ତବରେ ଏଠାରେ ଓଲ୍ଡ ସିଟିର ଏକ ଛୋଟ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୁଣ୍ଡ କାଟିଦେବାକୁ ଧମକ ଦେଇ ଗିରଫ ହୋଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହମ୍ମଦଙ୍କ ଉପରେ ବିଜେପି ମୁଖପାତ୍ରଙ୍କ ମନ୍ତବ୍ୟକୁ ନେଇ ନିଜକୁ ‘ଅଲ ଇଣ୍ଡିଆ ମଜଲିସ-ଏ-ଇନକିଲାବ-ଏ-ମିଲା’ର ରାଷ୍ଟ୍ରୀୟ ସଂଯୋଜକ କହୁଥିବା ଅବଦୁଲ ମଜିଦ ଅତ୍ତାର ନାରାଜ ଥିଲେ। ଏକ ଫେସବୁକ ପୋଷ୍ଟରେ ସେ ଶୀର୍ଷ ଆରଏସଏସ ଏବଂ ବିଜେପି ନେତାଙ୍କୁ କ୍ଷମା ମାଗିବାକୁ କିମ୍ବା ମନ୍ତବ୍ୟ ପାଇଁ ମୁଣ୍ଡ କାଟିବାକୁ ପ୍ରସ୍ତୁତ ହେବାକୁ ଧମକ ଦେଇଥିଲେ। ତାଙ୍କ ପୋଷ୍ଟରେ ମୋଦୀ ଏବଂ ଯୋଗୀଙ୍କ ପୋଷ୍ଟର ମଧ୍ୟ ରହିଥିଲା। ଏହା ପରେ ଉତ୍ତେଜନାମୂଳକ ପୋଷ୍ଟର ଅଭିଯୋଗରେ ମୋଗଲପୁରା ପୋଲିସ ଅତ୍ତାରଙ୍କୁ ଗିରଫ କରିଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଜୁଲାଇ ୨ ଏବଂ ୩ ତାରିଖରେ ହାଇଦ୍ରାବାଦରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକର କିଛି ଦିନ ପୂର୍ବରୁ ଅତ୍ତାରଙ୍କ ଗିରଫଦାରୀ ହୋଇଛି, ଯେଉଁଥିରେ ମୋଦୀ ଏବଂ ଶାହାଙ୍କ ସମେତ ସମସ୍ତ ବରିଷ୍ଠ ନେତା ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର

BREAKING NEWS: ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସଂସଦ ଗୃହରେ ରାଜ୍ୟସଭା ସଚିବଙ୍କ କାର୍ଯ୍ୟାଳୟରେ ମୁର୍ମୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ସାମିଲ ଅଛନ୍ତି। ନାମାଙ୍କନ ପତ୍ରରେ ଜେଡିୟୁ ରାଷ୍ଟ୍ରୀୟ ସଭାପତି ଲଲନ ସିଂ, ଜଗନ୍ ରେଡ୍ଡୀଙ୍କ YSR କଂଗ୍ରେସ ଏବଂ ବିଜେପିର ସମସ୍ତ ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି।

ଜୁନ ୨୧ ତାରିଖ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ସଂସଦୀୟ ଦଳର ବୈଠକ ପରେ ମୁର୍ମୁଙ୍କ ନାମ ଘୋଷଣା କରାଯାଇଥିଲା। ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଯେ, ଏହି ବୈଠକରେ ୨୦ ଜଣଙ୍କ ନାମ ଉପରେ ବିଚାର କରିବା ପରେ ସର୍ବସମ୍ମତି କ୍ରମେ ପୂର୍ବ ଭାରତର ଆଦିବାସୀ ମହିଳା ନେତା ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହାପୂର୍ବରୁ ଯଶୱନ୍ତ ସିହ୍ନାଙ୍କୁ ବିରୋଧୀ ଦଳ ମିଳିତ ପ୍ରାର୍ଥୀ ଘୋଷଣା କରିଛନ୍ତି। ଯଶୱନ୍ତ ସିହ୍ନା ଜୁନ୍ ୨୭ ତାରିଖରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ନାମାଙ୍କନ ପତ୍ରର ଶେଷ ତାରିଖ ହେଉଛି ଜୁନ୍ ୨୯ ତାରିଖ। ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଫଳାଫଳ ୨୧ ତାରିଖରେ ଘୋଷଣା କରାଯିବ।

Categories
ଖେଳ ଜାତୀୟ ଖବର ବିଶେଷ ଖବର

ମହୀସୁରରେ ୧୫ ହଜାର ଲୋକଙ୍କ ସହିତ ଯୋଗ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଏହି କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହୀସୁରର ଆଇକନିକ୍ ପ୍ୟାଲେସ୍ ସମ୍ମୁଖରେ ଆନ୍ତର୍ଜାତୀୟ ଯୋଗ ଦିବସର ଅଷ୍ଟମ ସଂସ୍କରଣର ନେତୃତ୍ୱ ନେଇଛନ୍ତି। ଏଥିରେ କର୍ଣ୍ଣାଟକର ରାଜ୍ୟପାଳ ଥାୱାର ଚାନ୍ଦ ଗେହଲୋଟ୍, ମହୀସୁର ରୟାଲ ପରିବାରର ଯାଦୁଭେରା କୃଷ୍ଣ ଦତ୍ତା, ଚାମରାଜା ୱାଡିୟର୍ ଏବଂ ତାଙ୍କ ମାତା ପ୍ରମୋଦା ଦେବୀ ୱାଡିଆର ମଧ୍ୟ ଏହି ଉତ୍ସବରେ ଯୋଗଦେଇଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗ କେବଳ ଭାରତ ପାଇଁ ନୁହେଁ, ବରଂ ସମଗ୍ର ମାନବିକତା ପାଇଁ। ଯୋଗ କେବଳ ବ୍ୟକ୍ତି ବିଶେଷଙ୍କ ପାଇଁ ନୁହେଁ, ଏହା ଆମ ବ୍ରହ୍ମାଣ୍ଡରେ ଶାନ୍ତି ଆଣିଥାଏ ବୋଲି ସେ କହିଥିଲେ। ଯୋଗର ଅସୀମିତ ସମ୍ଭାବନାକୁ ହୃଦୟଙ୍ଗମ କରିବାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେ ଦର୍ଶାଇଛନ୍ତି ଯେ ଯୋଗ ହେଉଛି ଏକ ପ୍ରକ୍ରିୟା ଯାହା ଅନ୍ତଃ ଶାନ୍ତିରୁ ସର୍ବଭାରତୀୟ ଶାନ୍ତି ହାସଲ କରିବାକୁ ବାଟ ଦେଖାଏ।

ସେ କହିଛନ୍ତି, ଯୋଗ ଆତ୍ମରୁ ଜଗତର ଆତ୍ମ ଚେତନାକୁ ନେଇଥାଏ। ଯୋଗ ଏକ ବଡ଼ ସମସ୍ୟା ସମାଧାନକାରୀ, ଏହା ଆମର ଜୀବନଶୈଳୀକୁ ବଦଳାଇପାରେ। ଯୋଗ ଆମ ମନକୁ ସମସ୍ୟା ସମାଧାନ ଦିଗରେ ଦିଗଦର୍ଶନ କରିବାରେ ସାହାଯ୍ୟ କରେ। ଜଳବାୟୁ ପରିବର୍ତ୍ତନ ହେଉ କିମ୍ବା ଆନ୍ତର୍ଜାତୀୟ ବିବାଦ, ଯୋଗ ଦ୍ବାରା ସବୁକିଛି ସମାଧାନ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯୋଗକୁ ଜୀବନଶୈଳୀରେ ପରିଣତ କରିବାକୁ ସେ ସମସ୍ତଙ୍କୁ ଆହ୍ବାନ କରିଥିଲେ।

ଏହି ଅବସରରେ ଆୟୁଷ ମନ୍ତ୍ରୀ ସର୍ରବାନନ୍ଦ ସୋନୋୱାଲ କହିଛନ୍ତି ଯେ ଯୋଗ ହେଉଛି ଆମର କଳା ସଂସ୍କୃତି ଏବଂ ପରମ୍ପରା। ଅନ୍ତର୍ଜାତୀୟ ସ୍ତରରେ ଯୋଗର ବାର୍ତ୍ତା ବିସ୍ତାର କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସଭାରାଜ ବମ୍ମାଇ ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ମହୀସୁରକ ଚୟନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରାୟ ୧୫୦୦୦ ବ୍ୟକ୍ତି ଯୋଗ ଅଭ୍ୟାସ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଦୁଇଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାଣନ୍ତୁ ଏହାର କାରଣ କଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତରୀ ଜୁନ ୨୦ ଓ ୨୧ରେ କର୍ଣ୍ଣାଟକ ଗସ୍ତ କରିବେ। ଜୁନ ୨୦ ଅପରାହ୍ନ ପ୍ରାୟ ୧୨.୩୦ରେ, ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ (ଆଇଆଇଏସସି) ବେଙ୍ଗାଲୁରୁ ପରିଦର୍ଶନ କରିବେ, ଯେଉଁଠାରେ ସେ ସେଣ୍ଟର ଫର ବ୍ରେନ ରିସର୍ଚ୍ଚ (ସିବିଆର)କୁ ଉଦଘାଟନ କରିବେ ଏବଂ ବାଗଚି-ପାର୍ଥସାରଥି ମଲ୍ଟିସ୍ପେସାଲିଟି ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଅପରାହ୍ନ ପ୍ରାୟ ୧.୪୫ରେ ସେ ଡକ୍ଟର ବି.ଆର. ଆମ୍ବେଦକର ସ୍କୁଲ ଅଫ ଇକୋନୋମିକ୍ସ (ବିଏଏସଇ), ବେଙ୍ଗାଲୁରୁ ପରିଦର୍ଶନ କରିବେ, ଯେଉଁଠାରେ ସେ ବିଏଏସଇ ୟୁନିଭର୍ସିଟିର ନୂଆ କ୍ୟାମ୍ପସକୁ ଉଦଘାଟନ କରିବେ ଏବଂ ଡକ୍ଟର ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିବେ । ସେ ୧୫୦ ‘ଟେକ୍ନୋଲୋଜି ହବ’କୁ ମଧ୍ୟ ରାଷ୍ଟ୍ର ଉଦେ୍ଦଶ୍ୟରେ ଉତ୍ସର୍ଗ କରିବେ, ଯାହା କି କର୍ଣ୍ଣାଟକରେ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)କୁ ପରିବର୍ତ୍ତନ କରାଯାଇ ବିକଶିତ କରାଯାଇଛି ।

ଏହାପରେ ଅପରାହ୍ନ ପ୍ରାୟ ୨.୪୫ରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁସ୍ଥିତ କୋମାଘାଟ୍ଟରେ ପହଞ୍ଚିବେ, ଯେଉଁଠି ସେ ୨୭୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାପରେ ଅପରାହ୍ନ ପ୍ରାୟ ୫.୩୦ରେ, ପ୍ରଧାନମନ୍ତ୍ରୀ ମହିସୁରସ୍ଥିତ ମହାରାଜା କଲେଜ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏକ ଜନସଭାରେ ଯୋଗଦେବେ, ଯେଉଁଠାରେ ସେ ନାଗନାହାଲ୍ଲି ରେଳଷ୍ଟେସନରେ କୋଚିଙ୍ଗ ଟର୍ମିନାଲ ନିମନ୍ତେ ଶିଳାନ୍ୟାସ କରିବେ ଏବଂ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ସ୍ପିଚ ଆଣ୍ଡ ହିୟରିଙ୍ଗ (ଏଆଇଆଇଏସଏଚ)ଠାରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ ଫର ପର୍ସନସ ୱିଥ କମ୍ୟୁନିକେସନ ଡିସଅର୍ଡର୍ସ’କୁ ରାଷ୍ଟ୍ରକୁ ଉତ୍ସର୍ଗ କରିବେ ।

ଏହାପରେ, ସନ୍ଧ୍ୟା ପ୍ରୟା ୭ଟାରେ, ପ୍ରଧାନମନ୍ତ୍ରୀ ମହିସୁରସ୍ଥିତ ଶ୍ରୀ ସୁତ୍ତୁର ମଠ ପରିଦର୍ଶନ କରିବେ ଏବଂ ସନ୍ଧ୍ୟା ପ୍ରାୟ ୭.୪୫ରେ ସେ ମହିସୁରସ୍ଥିତ ଶ୍ରୀ ଚାମୁଣ୍ଡେଶ୍ୱରୀ ମନ୍ଦିର ପରିଦର୍ଶନ କରିବେ । ଜୁନ ୨୧ ସକାଳ ପ୍ରାୟ ୬.୩୦ରେ, ପ୍ରଧାନମନ୍ତ୍ରୀ ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପରିପ୍ରେକ୍ଷୀରେ, ମହିସୁର ପ୍ୟାଲେସ ପଡ଼ିଆରେ ଏକ ସାମୂହିକ ଯୋଗ କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ।

Categories
ବିଶେଷ ଖବର ସଂସ୍କୃତି

ମା’ଙ୍କ ଉଦ୍ଦେଶ୍ୟରେ ଭାବପ୍ରବଣତାପୂର୍ଣ୍ଣ ବ୍ଲଗ୍‌ ଲେଖିଲେ ପ୍ରଧାନମନ୍ତ୍ରୀ: ପଢନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ଜୀବନର ୧୦୦ତମ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ତାଙ୍କ ମା’ଙ୍କ ପାଇଁ ଏକ ଭାବପ୍ରବଣତାପୂର୍ଣ୍ଣ ବ୍ଲଗ୍‌ ଲେଖିଛନ୍ତି। ମା’ଙ୍କ ସହ ବିତାଇଥିବା ପିଲାଦିନର କିଛି ସ୍ବତନ୍ତ୍ର ମୁହୂର୍ତ୍ତର ସେ ସ୍ମୃତିଚାରଣ କରିଛନ୍ତି। ତାଙ୍କ ମା’ ଅନେକ ବଳିଦାନ ଦେଇଥିବା ପିଲା ଦିନରୁ ସେ ଦେଖି ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତାଙ୍କ ମନ, ବ୍ୟକ୍ତିତ୍ବ ଏବଂ ଆତ୍ମବିଶ୍ବାସକୁ ରୂପ ଦେବାରେ ତାଙ୍କ ମା’ଙ୍କର ବିଭିନ୍ନ ଗୁଣାବଳୀ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

‘‘ଆଜି ମୁଁ ନିଜର ଖୁସି, ନିଜର ସୌଭାଗ୍ୟ, ଆପଣମାନଙ୍କ ସହିତ ବାଣ୍ଟିବା ଲାଗି ଚାହୁଁଛି ମୋ ମା’, ହୀରାବା ଆଜି ନିଜ ଜୀବନର ୧୦୦ତମ ବର୍ଷରେ ପ୍ରବେଶ କରୁଛନ୍ତି, ତାଙ୍କର ଜନ୍ମ ଶତବାର୍ଷିକୀ ବର୍ଷ ଆରମ୍ଭ ହେଉଛି’’, ପ୍ରଧାନମନ୍ତ୍ରୀ ଲେଖିଛନ୍ତି।

ସହନଶୀଳତାର ପ୍ରତୀକ

ପିଲା ଦିନେ ତାଙ୍କ ମା’ ସହିଥିବା କଷ୍ଟଯନ୍ତ୍ରଣା ବିଷୟରେ ସ୍ମୃତିଚାରଣ କରି, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘‘ମୋ ମା’ ଯେତିକି ସାଧାରଣ, ସେତିକି ଅସାଧାରଣ ମଧ୍ୟ। ଠିକ୍‌ ସେମିତି, ଯେମିତି ସବୁ ପରିବାରରେ ମା’ ମାନେ ହୋଇଥାନ୍ତି।’’ ଖୁବ ଅଳ୍ପ ବୟସରେ ପ୍ରଧାନମନ୍ତ୍ରୀଙ୍କ ମା’ ତାଙ୍କ ମାତାଙ୍କୁ ହରାଇଥିଲେ। ସେ କହିଛନ୍ତି, ଆଈଙ୍କ ମୁହଁ, ତାଙ୍କର କୋଳ, ଏସବୁ କିଛି କଥା ମା’ଙ୍କର ମନେ ନାହିଁ। ଆପଣମାନେ ଚିନ୍ତା କରନ୍ତୁ, ମୋ ମା’ଙ୍କ ପିଲାଦିନ ମା’ର କୋଳ ବିନା ବିତିଥିଲା।’’

ପ୍ରଧାନମନ୍ତ୍ରୀ ତାଙ୍କ ପିଲାଦିନ କଥା ମନେ ପକାଇ କହିଛନ୍ତି ଯେ, ବଡ଼ନଗରରେ ସେମାନେ ଏକ ଛୋଟିଆ ଘରେ ରହୁଥିଲେ ଯାହାକି ମାଟି କାନ୍ଥ ଏବଂ ଟାଇଲ ଛପର ଘର ଥିଲା। ସେଠାରେ ମାତାପିତା ଓ ଭାଇଭଉଣୀଙ୍କ ସହ ସେ ରହୁଥିଲେ। ଦୈନନ୍ଦିନ ଜୀବନରେ ତାଙ୍କ ମା’ ଅନେକଗୁଡ଼ିଏ ପ୍ରତିକୂଳ ପରିସ୍ଥିତିର ସମ୍ମୁଖିନ ହୋଇଥିଲେ, କିନ୍ତୁ ସଫଳତାର ସହ ସବୁ ବାଧା ସେ ଦୂର କରିପାରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି ଯେ, ତାଙ୍କ ମା’ ନିଜେ ସବୁ ଘରକରଣା କାମ କରିବା ସହିତ ପରିବାରର ଆୟରେ ସହାୟତା ପାଇଁ ରୋଜଗାର ମଧ୍ୟ କରୁଥିଲେ। ସେ କିଛି ଲୋକଙ୍କ ଘରେ ବାସନ ମାଜୁଥିଲେ ଏବଂ ଘର ଖର୍ଚ୍ଚ ତୁଲାଇବା ପାଇଁ ସମୟ ବାହାର କରି ଚରଖା ମଧ୍ୟ ଚଲାଉଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବ କଥା ମନେ ପକାଇ କହିଛନ୍ତି ଯେ, ‘‘ବର୍ଷା ଦିନେ ଆମ ଘର ଭିତରେ ଚାରି ଆଡ଼ୁ ପାଣି ଗଳୁଥିଲା। ଘର ସାରା ପାଣି ଖେଳିଯିବା, କାନ୍ଥ ନଷ୍ଟ ହୋଇଯିବାର ଡରରେ, ମା’ ମାଟି ଉପରେ ବାସନକୁସନ ରଖି ଦେଉଥିଲେ। ଛାତରୁ ଗଳୁଥିବା ପାଣି ସେଥିରେ ଏକତ୍ରିତ ହେଉଥିଲା। ସେଭଳି ପରିସ୍ଥିତିରେ ସୁଦ୍ଧା ମୋ ମା’ ସହନଶୀଳତାର ପ୍ରତୀକ ଥିଲେ।’’

ସଫେଇ କର୍ମଚାରୀଙ୍କ ପ୍ରତି ଗଭୀର ସମ୍ମାନ

ସ୍ବଚ୍ଛତା ପ୍ରତି ମୋ ମା’ ସବୁବେଳେ ଯତ୍ନଶୀଳ ରହିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସ୍ବଚ୍ଛତା ବଜାୟ ରଖିବା ପ୍ରତି ତାଙ୍କ ମା’ କିଭଳି ଗୁରୁତ୍ବ ଦେଇଥାନ୍ତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ କେତେକ ଉଦାହରଣ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସଫେଇ କାମ କରୁଥିବା ଲୋକମାନଙ୍କୁ ମଧ୍ୟ ମା’ ବହୁତ ସମ୍ମାନ ଦେଇଥାନ୍ତି। ବଡ଼ନଗରରେ ଆମ ଘର ପାଖରେ ଥିବା ନଳା ସଫା କରିବା ଲାଗି ଆସୁଥିବା ଲୋକମାନଙ୍କୁ ମା’ ନିଶ୍ଚିତ ଭାବେ ଚା’ ପିଆଇଥାନ୍ତି। ଚା’ ନପିଇ ସେମାନଙ୍କୁ ଯିବାକୁ ଦିଅନ୍ତି ନାହିଁ।

ଅନ୍ୟର ଖୁସିରେ ଆନନ୍ଦିତ ହୁଅନ୍ତି ମା

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ମା’ ଅନ୍ୟ ଲୋକମାନଙ୍କ ଖୁସି ଦେଖି ଖୁସି ହୋଇଥାନ୍ତି ଏବଂ ତାଙ୍କର ହୃଦୟ ଖୁବ୍‌ ବଡ଼। ପିଲାଦିନ କଥା ମନେ ପକାଇ ସେ କହିଛନ୍ତି ଯେ, ‘‘ଆମ ଘର ଠାରୁ କିଛି ଦୂରରେ ଏକ ଗ୍ରାମ ଥିଲା, ସେଠାରେ ମୋ ବାପାଙ୍କର ଜଣେ ପ୍ରିୟ ବନ୍ଧୁ ରହୁଥିଲେ। ତାଙ୍କ ପୁଅ ଥିଲା ଅବ୍ବାସ। ଦିନେ ବନ୍ଧୁଙ୍କର ଅକାଳ ବିୟୋଗ ପରେ ବାପା ଅବ୍ବାସକୁ ଆମ ଘରକୁ ନେଇ ନେଇ ଆସିଥିଲେ। ଅବ୍ବାସ ଏକ ପ୍ରକାରରେ ଆମ ଘରେ ରହି ପାଠ ପଢ଼ିଥିଲା। ଆମ ସମସ୍ତଙ୍କ ଭଳି, ମା’ ଅବ୍ବାସଙ୍କୁ ମଧ୍ୟ ସ୍ନେହ କରୁଥିଲେ। ଇଦରେ ମା’, ଅବ୍ବାସଙ୍କ ପାଇଁ ତାଙ୍କ ମନ ପସନ୍ଦର ଖାଦ୍ୟ ତିଆରି କରୁଥିଲେ। ପର୍ବପର୍ବାଣୀ ସମୟରେ ଆଖପାଖର ପିଲାମାନେ ଆମ ଘରକୁ ଆସି ଖାଉଥିଲେ। ସେମାନେ ବି ମୋ ମା’ଙ୍କ ହାତର ଖାଦ୍ୟ ପସନ୍ଦ କରୁଥିଲେ।’’

କେବଳ ଦୁଇ ଥର ସର୍ବସାଧାରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ତାଙ୍କ ମାରହିଥିଲେ

ବ୍ଲଗ୍‌ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ କେବଳ ଦୁଇ ଥର ତାଙ୍କ ମା’ ତାଙ୍କ ସହିତ ସର୍ବସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଥମ ଥର ଯେତେବେଳେ ସେ ଏକତା ଯାତ୍ରା ସମ୍ପୂର୍ଣ୍ଣ କରିବା ସହିତ ଶ୍ରୀନଗରର ଲାଲଚୌକରେ ତ୍ରିରଙ୍ଗା ଉଡ଼ାଇ ଫେରିଥିଲେ ସେହି ସମୟରେ ଅହମ୍ମଦାବାଦରେ ଏକ ସର୍ବସାଧାରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ତାଙ୍କ ମା’ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ କପାଳରେ ତିଳକ ଲଗାଇ ଦେଇଥିଲେ। ଦ୍ବିତୀୟ ଥର ପାଇଁ ୨୦୦୧ରେ ସେ ଯେତେବେଳେ ପ୍ରଥମ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିଲେ ସେତେବେଳେ ମା’ ତାଙ୍କ ସହିତ ଥିଲେ।

ମାଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୋଦୀ ପାଇଥିବା ଜୀବନର ଏକ ଶିକ୍ଷା

ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ, ଔପଚାରିକ ଶିକ୍ଷା ଲାଭ ନକରି ମଧ୍ୟ ଜଣେ ବାସ୍ତବରେ କିଭଳି ଜ୍ଞାନୀ ହୋଇପାରିବ, ଏ କଥା ମା’ଙ୍କ ଠାରୁ ଶିଖି ପାରିଛନ୍ତି। ଗୋଟିଏ ଘଟଣାର ଉଦାହରଣ ଦେଇ ସେ କହିଛନ୍ତି ଯେ, ଥରେ ସେ ତାଙ୍କ ଶିକ୍ଷକମାନଙ୍କୁ ସର୍ବସାଧାରଣ କାର୍ଯ୍ୟକ୍ରମରେ ସମ୍ମାନିତ କରିବାକୁ ଚାହୁଁଥିଲେ। ଜୀବନର ସବୁଠୁ ବଡ଼ ଶିକ୍ଷକ ମା’ଙ୍କୁ ମଧ୍ୟ ସେ ସମ୍ମାନିତ କରିଥାନ୍ତେ। କିନ୍ତୁ ତାଙ୍କର ଏହି ପ୍ରସ୍ତାବକୁ ତାଙ୍କ ମା’ ଗ୍ରହଣ କରିନଥିଲେ। ବରଂ ସେ କହିଥିଲେ, ‘‘ଦେଖ ପୁଅ, ମୁଁ ତ’ ନିମିତ୍ତ ମାତ୍ର। ତୁମେ ମୋ କୋଳରୁ ଜନ୍ମ ନେବା, ବିଧିର ବିଧାନ ଥିଲା। ମୁଁ ନୁହେଁ ବରଂ ଭଗବାନ ତୁମକୁ ବଡ଼ କରିଛନ୍ତି, ଶିକ୍ଷା ଦେଇଛନ୍ତି।’’

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ତାଙ୍କ ମା’ ନିଜେ କାର୍ଯ୍ୟକ୍ରମକୁ ଆସିନଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଅକ୍ଷର ଜ୍ଞାନ ଶିକ୍ଷା ଦେଇଥିବା ଜେଠାଭାଇ ଯୋଶୀଙ୍କ ପରିବାର ଲୋକଙ୍କୁ ନିଶ୍ଚିତ ଭାବେ ଡାକିବା ପାଇଁ କହିଥିଲେ। ‘‘ତାଙ୍କର ଚିନ୍ତାଧାରା ଏବଂ ଦୂରଦୃଷ୍ଟି ମୋତେ ସବୁବେଳେ ଆଚମ୍ବିତ କରିଥିଲା’’, ସେ କହିଥିଲେ।

କର୍ତ୍ତବ୍ୟ ପରାୟଣ ନାଗରିକ

ତାଙ୍କ ମା’ ଜଣେ କର୍ତ୍ତବ୍ୟ ପରାୟଣ ନାଗରିକ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେବେଠାରୁ ନିର୍ବାଚନ ଆରମ୍ଭ ହୋଇଛି, ପଞ୍ଚାୟତ ଠାରୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ସବୁ ନିର୍ବାଚନରେ ସେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।

ଅତ୍ୟନ୍ତ ସରଳ ଜୀବନଶୈଳୀ

ମା’ଙ୍କର ଅତି ସରଳ ଜୀବନଶୈଳୀ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଆଜି ମଧ୍ୟ ତାଙ୍କ ମା’ଙ୍କ ନାଁରେ କିଛି ସମ୍ପତ୍ତି ନାହିଁ। ‘‘ମୁଁ ତାଙ୍କୁ କେବେ ବି ସୁନା ଅଳଙ୍କାର ପିନ୍ଧିଥିବା ଦେଖିନାହିଁ ଏବଂ ତାଙ୍କର ଏଥିପ୍ରତି କୌଣସି ଆଗ୍ରହ ନଥିଲା। ପୂର୍ବ ଭଳି, ଏକ ଛୋଟିଆ କୋଠରୀରେ ସେ ଅତି ସରଳ ଜୀବନଶୈଳୀ ନିର୍ବାହ କରୁଛନ୍ତି’’, ପ୍ରଧାନମନ୍ତ୍ରୀ କହିଥିଲେ।

ସାମ୍ପ୍ରତିକ ଘଟଣାବଳୀ ଉପରେ ନଜର ରଖିବା

ଦୁନିଆରେ ଘଟୁଥିବା ଘଟଣା ଉପରେ ତାଙ୍କ ମା’ଙ୍କର ନଜର ରହିଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେ ତାଙ୍କ ବ୍ଲଗ୍‌ରେ ଲେଖିଛନ୍ତି, ‘‘ନିକଟରେ ମୁଁ ମା’ଙ୍କୁ ପଚାରିଲି ଯେ, ଦିନକୁ କେତେ ସମୟ ଟିଭି ଦେଖୁଛ? ମା’ କହିଲେ, ଟିଭିରେ ଯେତେବେଳେ  ଦେଖିବ ସବୁବେଳେ ସମସ୍ତେ ନିଜ ନିଜ ମଧ୍ୟରେ କେବଳ ଝଗଡା କରୁଛନ୍ତି। ହଁ କିଛି ଲୋକ ଅଛନ୍ତି ଯେଉଁମାନେ ଶାନ୍ତ ଭାବେ ଖବର ପଢ଼ିଥାନ୍ତି ଏବଂ ସବୁକିଛି ବୁଝାଇ ଥାଆନ୍ତି। ମୁଁ ଖୁସିରେ ସେମାନଙ୍କୁ ଦେଖିଥାଏ। ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲି ଯେ, ମା’ ଘଟଣା ଉପରେ ଏତେ ଧ୍ୟାନ ଦେଉଛନ୍ତି।’’

ବୟସାଧିକ୍ୟ ସତ୍ତ୍ବେ ପ୍ରଖର ସ୍ମୃତିଶକ୍ତି

ପ୍ରଧାନମନ୍ତ୍ରୀ ୨୦୧୭ର ଆଉ ଏକ ଘଟଣା ବିଷୟରେ ମନେ ପକାଇ ଲେଖିଛନ୍ତି ଯେ, ବୟସାଧିକ୍ୟ ସତ୍ତ୍ବେ ତାଙ୍କର ମା’ଙ୍କର ପ୍ରଖର ସ୍ମୃତିଶକ୍ତି ରହିଛି। ୨୦୧୭ରେ, ପ୍ରଧାନମନ୍ତ୍ରୀ ମୋଦୀ କାଶୀରୁ ସିଧାସଳଖ ମା’ଙ୍କୁ ଭେଟିବା ଲାଗି ଯାଇଥିଲେ ଏବଂ ତାଙ୍କ ପାଇଁ ପ୍ରସାଦ ନେଇଥିଲେ। ‘‘ମୁଁ ଯେତେବେଳେ ମା’ଙ୍କୁ ଭେଟିଲି, ସେ ମୋତେ ପଚାରିଲେ ଯେ, କାଶୀ ବିଶ୍ୱନାଥ ମହାଦେବଙ୍କୁ ଦର୍ଶନ କଲ? ମା’ ପୂରା ନାଁ ନେଇଥାଆନ୍ତି – କାଶୀ ବିଶ୍ୱନାଥ ମହାଦେବ। ତା’ପରେ କଥାବର୍ତ୍ତାରେ ମା’ ପଚାରିଥିଲେ ଯେ କାଶୀ ବିଶ୍ୱନାଥ ମହାଦେବଙ୍କ ମନ୍ଦିର ପର୍ଯ୍ୟନ୍ତ ଯିବାର ବାଟ ବର୍ତ୍ତମାନ ମଧ୍ୟ କ’ଣ ସେମିତି ଅଛି, ଏମିତି ଲାଗୁଛି ଯେ କାହା ଘରେ ମନ୍ଦିର ନିର୍ମାଣ ହୋଇଛି। ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ପଚାରିଲି ତୁମେ କେବେ ଯାଇଥିଲ କି ? ମା’ କହିଲେ ଯେ ବହୁବର୍ଷ ପୂର୍ବେ ସେ କାଶୀକୁ ତୀର୍ଥ ଯାତ୍ରାରେ ଯାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏତେ ପୁରୁଣା ଦିନର କଥାକୁ ସେ ବହୁତ ଭଲ ଭାବରେ ମନେ ରଖିଛନ୍ତି’’, ପ୍ରଧାନମନ୍ତ୍ରୀ କହିଛନ୍ତି।

ଅନ୍ୟମାନଙ୍କ ଇଚ୍ଛାକୁ ସମ୍ମାନ ଦେବା

ମା’ଙ୍କ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ତାଙ୍କ ମା’ କେବଳ ଅନ୍ୟମାନଙ୍କ ଇଚ୍ଛାକୁ ସମ୍ମାନ ଦେଇନଥାନ୍ତି, ବରଂ ନିଜ ଇଚ୍ଛାକୁ କାହା ଉପରେ ଲଦି ଦେବା ଠାରୁ ସେ ଦୂରେଇ ରହିଥାନ୍ତି। ‘‘ବିଶେଷ କରି ମୋ କ୍ଷେତ୍ରରେ, ସେ ସବୁବେଳେ ମୋ ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲେ, କେବେ ବି ମୋ ପାଇଁ ବାଧା ସୃଷ୍ଟି କରିନାହାନ୍ତି ଏବଂ ସବୁବେଳେ ମୋତେ ଉତ୍ସାହିତ କରିଛନ୍ତି। ପିଲାଦିନରୁ, ସେହି ଭିନ୍ନ ମାନସିକତା ମୋ ଭିତରେ ବଢ଼ୁଥିବା ସେ ଅନୁଭବ କରିପାରିଥିଲେ’’, ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ଘର ଛାଡ଼ିବା ଲାଗି ଯେତେବେଳେ ସେ ନିଷ୍ପତ୍ତି ନେଲେ ମା’ ହିଁ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ତାଙ୍କ ଇଚ୍ଛାକୁ ବୁଝିବା ସହିତ ଆଶୀର୍ବାଦ ଦେଇ ମା’ କହିଥିଲେ, ‘‘ତୁମ ମନ ଯାହା କହୁଛି କର।’’

ଗରିବ କଲ୍ୟାଣ ପ୍ରତି ଗୁରୁତ୍ବ

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ତାଙ୍କ ମା’ ସବୁବେଳେ ଦୃଢ଼ ସଂକଳ୍ପ ନେବା ଏବଂ ଗରିବ କଲ୍ୟାଣ ପ୍ରତି ସମର୍ପିତ ରହିବା ଲାଗି ତାଙ୍କୁ ଅନୁପ୍ରାଣିତ କରିଛନ୍ତି। ୨୦୦୧ର ଘଟଣା ମନେ ପକାଇ ସେ କହିଛନ୍ତି ଯେ ପ୍ରଥମ ଥର ପାଇଁ ତାଙ୍କୁ ଯେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଗଲା, ସେ ଗୁଜରାଟରେ ପହଞ୍ଚିବା ପରେ ସିଧା ସେ ମା’ଙ୍କୁ ଭେଟିବା ଲାଗି ଯାଇଥିଲେ। ସେଠାରେ ତାଙ୍କୁ ଦେଖି ମା’ ଅତି ଖୁସି ହୋଇ ତାଙ୍କୁ କହିଥିଲେ,  ‘‘ସରକାରରେ ତୁମ କାମ ବିଷୟରେ ମୁଁ କିଛି ବୁଝେ ନାହିଁ, କିନ୍ତୁ ତୁମେ କେବେ ଲାଞ୍ଚ ନେବ ନାହିଁ ବୋଲି ମୁଁ ଚାହୁଁଛି।’’

ତାଙ୍କ ବିଷୟରେ କେବେ ଚିନ୍ତା ନକରି ବଡ଼ ଉତ୍ତରଦାୟିତ୍ବ ନିର୍ବାହ କରିବା ଲାଗି ସବୁବେଳେ ମା’ ତାଙ୍କୁ ଆଶ୍ବାସନା ଦେଉଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଫୋନରେ ଯେତେବେଳେ ମା’ଙ୍କ ସହିତ ପ୍ରଧାନମନ୍ତ୍ରୀ କଥା ହେଉଥିଲେ, ସେ ତାଙ୍କୁ କହୁଥିଲେ, ‘‘କେବେବି କିଛି ଭୁଲ କାମ କିମ୍ବା କାହାର ଅନିଷ୍ଟ କରିବ ନାହିଁ ଏବଂ ସବୁବେଳେ ଗରିବଙ୍କ ପାଇଁ କାମ କରୁଥିବ।’’

ଜୀବନର ମନ୍ତ୍ରକଠିନ ପରିଶ୍ରମ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସଚ୍ଚୋଟତା ଏବଂ ସ୍ବାଭିମାନ ତାଙ୍କ ମାତାପିତାଙ୍କର ସବୁଠୁ ବଡ଼ ଗୁଣ ଥିଲା। ଦାରିଦ୍ର୍ୟ ଏବଂ ଏହା ସହ ଜଡ଼ିତ ସମସ୍ୟାରେ ସଂଘର୍ଷ କରୁଥିଲେ ମଧ୍ୟ ତାଙ୍କ ମାତାପିତା କେବେ ବି ସଚ୍ଚୋଟତାର ମାର୍ଗ ଛାଡ଼ିନଥିଲେ କିମ୍ବା ସ୍ବାଭିମାନ ସହ ସାଲିସ କରିନଥିଲେ। ଯେକୌଣସି ଆହ୍ବାନର ମୁକାବିଲା କରିବା ଲାଗି ସେମାନଙ୍କର ପ୍ରମୁଖ ମନ୍ତ୍ର ଥିଲା ନିରନ୍ତର କଠିନ ପରିଶ୍ରମ।

ମାତୃଶକ୍ତିର ସ୍ବରୂପ

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ‘‘ମୋ ମା’ଙ୍କର ଜୀବନ କାହାଣୀରେ, ମୁଁ ଭାରତର ମାତୃଶକ୍ତିଙ୍କ ତପସ୍ୟା, ବଳିଦାନ ଏବଂ ଯୋଗଦାନକୁ ଦେଖିଥାଏ। ମୁଁ ଯେତେବେଳେ ମା’ଙ୍କୁ ଦେଖିଥାଏ ଏବଂ ତାଙ୍କ ଭଳି କୋଟି କୋଟି ମହିଳାମାନଙ୍କୁ ଦେଖିଥାଏ, ଭାରତୀୟ ମହିଳାଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ ବୋଲି ମୁଁ ଅନୁଭବ କରିଥାଏ।’’

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମା’ଙ୍କ ପ୍ରେରଣାଦାୟୀ ଜୀବନ କାହାଣୀକୁ କିଛି ଶବ୍ଦରେ ବର୍ଣ୍ଣନା କରି କହିଛନ୍ତି, ‘‘ଅଭାବର ସବୁ କାହାଣୀ ଠାରୁ ଊର୍ଦ୍ଧ୍ବରେ, ଜଣେ ମା ଗୌରବ ଗାଥା,

ପ୍ରତ୍ୟେକ ସଂଘର୍ଷ ଠାରୁ ଊର୍ଦ୍ଧ୍ବରେ, ଜଣେ ମା ଦୃଢ଼ ସଂକଳ୍ପ’’

Categories
ବିଶେଷ ଖବର

ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିଛନ୍ତି। ‘ଆଜାଦୀ କା ଅମୃତ ମହୋତ୍ସବ (ଏକେଏଏମ) ଅନ୍ତର୍ଗତ ଜୁନ ୬ରୁ ୧୧ ତାରିଖ, ୨୦୨୨ ପର୍ଯ୍ୟନ୍ତ ଆଇକନିକ ସପ୍ତାହ ସମାରୋହ ଆୟୋଜନ କରାଯାଉଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଋଣଭିତ୍ତିକ ସରକାରୀ ଯୋଜନା ଗୁଡ଼ିକ ପାଇଁ ଜାତୀୟ ପୋର୍ଟାଲ – ଜନ ସମର୍ଥ ପୋର୍ଟାଲର ଶୁଭାରମ୍ଭ କରିଥିଲେ। ବିଗତ ଆଠ ବର୍ଷ ମଧ୍ୟରେ ଦୁଇ ମନ୍ତ୍ରଣାଳୟର ଜୟଯାତ୍ରାକୁ ପ୍ରଦର୍ଶିତ କରୁଥିବା ଏକ ଡିଜିଟାଲ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ। ସେ ମଧ୍ୟ ଟଙ୍କିକିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ମୁଦ୍ରା (କଏନ)ର ସ୍ୱତନ୍ତ୍ର ସିରିଜ୍‌ ଉନ୍ମୋଚନ କରିଥିଲେ। ଏହି ସ୍ୱତନ୍ତ୍ର ସିରିଜ୍‌ର କଏନରେ ଆଜାଦୀ କା ଅମୃତ ମହୋତ୍ସବର ଲୋଗୋ ରହିଛି ଏବଂ ଏହାକୁ ଦୃଷ୍ଟିହୀନ ଲୋକମାନେ ସହଜରେ ଚିହ୍ନଟ କରିପାରିବେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର ଲମ୍ବା ସଂଘର୍ଷରେ ଅଂଶଗ୍ରହଣ କରିଥିବା ଲୋକମାନେ ଏହି ଆନ୍ଦୋଳନକୁ ଏକ ନୂଆ ରୂପ ଦେଇଥିଲେ, ଆନ୍ଦୋଳନର ଊର୍ଜା ବଢ଼ାଇଥିଲେ। କିଛି ଲୋକ ସତ୍ୟାଗ୍ରହର ମାର୍ଗ ଆପଣାଇଥିଲେ, ଆଉ କିଛି ଲୋକ ଅସ୍ତ୍ରଶସ୍ତ୍ରର ମାର୍ଗ ଚୟନ କରିଥିଲେ, ପୁଣି କେଉଁମାନେ ଆଧ୍ୟାତ୍ମିକତା ଓ ଆସ୍ଥାକୁ ଆପଣାଇଥିଲେ ଏବଂ ଅନ୍ୟ କେତେ ଜଣ ବୌଦ୍ଧିକ ମାର୍ଗରେ ସ୍ୱାଧୀନତାର ବହ୍ନିକୁ ପ୍ରଜ୍ଜ୍ବଳିତ ରଖିବାରେ ସହାୟତା କରିଥିଲେ। ସେମାନଙ୍କର ବଳିଦାନକୁ ସମ୍ମାନିତ କରିବା ଲାଗି ଆଜି ଆମ ସମସ୍ତଙ୍କ ପାଇଁ ସମୟ ଆସିଛି।

ପ୍ରଧାନମନ୍ତ୍ରୀ ବିଶେଷ ଭାବେ କହିଥିଲେ ଯେ, ଆଜି ଆମେ ସମସ୍ତେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛୁ। ତେଣୁ ପ୍ରତ୍ୟେକ ଦେଶବାସୀ ନିଜ ନିଜ ସ୍ତରରେ ଦେଶ ପାଇଁ କୌଣସି ବିଶେଷ ଯୋଗଦାନ ଦେବାର ଆବଶ୍ୟକତା ରହିଛି। ନୂଆ ଉତ୍ସାହ ସହିତ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନ ସାକାର ପାଇଁ ପ୍ରୟାସ କରିବା ଏବଂ ନୂତନ ସଂକଳ୍ପ ପ୍ରତି ନିଜକୁ ସମର୍ପିତ କରିବା ଲାଗି ଏବେ ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ବିଗତ ଆଠ ବର୍ଷ ମଧ୍ୟରେ ଭାରତ ଭିନ୍ନ ଭିନ୍ନ ଦିଗରେ କାର୍ଯ୍ୟ କରିବା ସହିତ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ଅଧିକ ଜନ ଭାଗିଦାରୀ କାରଣରୁ ଦେଶର ବିକାଶଧାରା ତ୍ୱରାନ୍ୱିତ ହୋଇଛି ଏବଂ ଦରିଦ୍ରତମ ବ୍ୟକ୍ତିଙ୍କ ସଶକ୍ତିକରଣ ହୋଇପାରିଛି। ସ୍ୱଚ୍ଛ ଭାରତ ଅଭିଯାନ ଫଳରେ ଗରିବମାନଙ୍କୁ ସମ୍ମାନପୂର୍ବକ ଜୀବନ ବଞ୍ଚିବା ଲାଗି ଅବସର ମିଳିଛି। ପକ୍କା ଘର, ବିଦ୍ୟୁତ, ଗ୍ୟାସ, ପାଣି, ମାଗଣା ଚିକିତ୍ସା ଭଳି ସୁବିଧା ଗରିବଙ୍କ ଗରିମା ବଢ଼ାଇଛି, ସେମାନଙ୍କୁ ଅଧିକ ସୁବିଧା ଦେଇଛି। କରୋନା କାଳରେ ମାଗଣା ରାସନ ଯୋଜନା ୮୦ କୋଟିରୁ ଅଧିକ ଦେଶବାସୀଙ୍କୁ କ୍ଷୁଧା ଆଶଙ୍କାରୁ ମୁକ୍ତି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ‘‘ବଞ୍ଚିତ ମାନସିକତାରୁ ଊର୍ଦ୍ଧ୍ବକୁ ଉଠି ବଡ଼ ସ୍ୱପ୍ନ ଦେଖିବା ଲାଗି ନାଗରିକଙ୍କ ମଧ୍ୟରେ ଏକ ନୂଆ ଆତ୍ମବିଶ୍ୱାସ ଦେଖା ଦେଇଛି, ଆମେ ସମସ୍ତେ ଏହାର ସାକ୍ଷୀ ରହିଛୁ,’’ ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ସରକାର କୈନ୍ଦ୍ରିକ ପ୍ରଶାସନ କାରଣରୁ ଦେଶକୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। କିନ୍ତୁ ଆଜି ଜନକୈନ୍ଦ୍ରିକ ପ୍ରଶାସନ ଆଭିମୁଖ୍ୟ ନେଇ ଏକବିଂଶ ଶତାବ୍ଦୀର ଭାରତ ଆଗକୁ ବଢ଼ୁଛି। ସେ କହିଥିଲେ ଯେ, ପୂର୍ବରୁ ବିଭିନ୍ନ ଯୋଜନାର ଲାଭ ପାଇବା ପାଇଁ ସରକାରଙ୍କ ପାଖକୁ ଯିବାର ଦାୟିତ୍ୱ ଲୋକମାନଙ୍କ ଉପରେ ରହିଥିଲା। ଏବେ ପ୍ରଶାସନକୁ ଲୋକମାନଙ୍କ ପାଖକୁ ନେଇଯିବା ଉପରେ ଜୋର ଦିଆଯାଉଛି, ଫଳରେ ଦେଶର ଜନସାଧାରଣ ବିଳମ୍ବିତ ଓ ଜଟିଳ ପ୍ରକ୍ରିୟାରୁ ମୁକ୍ତି ପାଇପାରିଛନ୍ତି। ଋଣଭିତ୍ତିକ ସରକାରୀ ଯୋଜନା ଗୁଡ଼ିକ ପାଇଁ ଜାତୀୟ ପୋର୍ଟାଲ – ଜନ ସମର୍ଥ ପୋର୍ଟାଲର ଶୁଭାରମ୍ଭ କରାଯିବା ଏ ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପୋର୍ଟାଲ ଛାତ୍ରଛାତ୍ରୀ, କୃଷକ, ବ୍ୟବସାୟୀ, ଏମଏସଏମଇ ଉଦ୍ୟୋଗୀଙ୍କ ଜୀବନରେ ସୁଧାର ଆଣିବ ଏବଂ ସେମାନଙ୍କର ସ୍ୱପ୍ନ ପୂରଣ ଦିଗରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ପଷ୍ଟ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ନେଇ, ଗମ୍ଭୀରତାର କାର୍ଯ୍ୟକାରୀ କରାଯାଉଥିବା ଯେକୌଣସି ସଂସ୍କାର ନିଶ୍ଚିତ ଭାବେ ଭଲ ପରିଣାମ ଦେଇଥାଏ। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଗତ ଆଠ ବର୍ଷ ମଧ୍ୟରେ ଦେଶରେ ଯେତେସବୁ ସଂସ୍କାର କାର୍ଯ୍ୟକାରୀ କରାଯାଇଛି ତାହାର କେନ୍ଦ୍ରରେ ଆମ ଦେଶର ଯୁବକମାନଙ୍କୁ ରଖାଯାଇଛି। ଏହା ସେମାନଙ୍କୁ ସେମାନଙ୍କର ସମ୍ଭାବନା ଉଜାଗର କରିବାରେ ସହାୟକ ହେବ। ଆମର ଯୁବକମାନେ ନିଜ ପରିଶ୍ରମ ବଳରେ ନିଜର ଏକ କମ୍ପାନୀ ଖୋଲି ପାରିବେ, ସହଜରେ ନିଜ ଉଦ୍ୟୋଗ ପ୍ରତିଷ୍ଠା କରିପାରିବେ, ସହଜରେ ଉଦ୍ୟୋଗ ଚଳାଇପାରିବେ ସେଥିପାଇଁ ଦେଶରେ ଅନୁକୂଳ ପରିବେଶ ସୃଷ୍ଟି କରାଯାଇ ପାରିଛି। ଏହି କାରଣରୁ ୩୦ ହଜାରରୁ ଅଧିକ ଅନୁପାଳନ ହ୍ରାସ, ୧୫୦୦ରୁ ଅଧିକ ଆଇନ ଉଚ୍ଛେଦ ଏବଂ କମ୍ପାନୀ ଆଇନର ବିଭିନ୍ନ ବ୍ୟବସ୍ଥାକୁ ନିରପରାଧୀକରଣ କରିବା ଫଳରେ ଆମେ କେବଳ ଭାରତୀୟ କମ୍ପାନୀଙ୍କ ପ୍ରଗତି ପାଇଁ ରାସ୍ତା ପ୍ରଶସ୍ତ କରିନାହୁଁ ବରଂ ସେମାନଙ୍କୁ ନୂଆ ଉଚ୍ଚତା ହାସଲ କରିବା ନିମନ୍ତେ ଆବଶ୍ୟକ ସୁଯୋଗ ଦେଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାର ସରଳୀକରଣ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି। ଜିଏସଟି ଆସିବା ଫଳରେ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଥିବା ସଂଖ୍ୟାଧିକ ଟିକସ ଜାଲ ଆଉ ନାହିଁ। ସାରା ଦେଶ ଆଜି ଏହି ସରଳୀକରଣର ପରିଣାମ ଦେଖିପାରୁଛି। ଏବେ ପ୍ରତି ମାସରେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ଟଙ୍କା ଟପିବା ସାଧାରଣ କଥା ହୋଇଗଲାଣି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବ୍ୟବସାୟିକ ସୁଗମତା ଆଣୁଥିବା ପୋର୍ଟାଲଗୁଡ଼ିକ ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଇନଭେଷ୍ଟ ଇଣ୍ଡିଆ ପୋର୍ଟାଲ, ନିବେଶ ସୁଯୋଗ ସମ୍ପର୍କରେ ସୂଚନା ଦେଉଛି। ଏଥିସହିତ ବ୍ୟବସାୟିକ ଔପଚାରିକତା ପୂରଣ ପାଇଁ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ବିଶେଷ ସହାୟକ ହୋଇଛି। ଏହି କ୍ରମରେ ଜନ ସମର୍ଥ ପୋର୍ଟାଲ ଦେଶର ଯୁବକ ଏବଂ ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ବିଶେଷ ଭାବେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

‘‘ଆଜି ଆମେ ସଂସ୍କାର, ସରଳୀକରଣ ଏବଂ ସହଜତା ଶକ୍ତି ସହିତ ଆଗକୁ ବଢ଼ିଲେ, ସୁବିଧାର ଏକ ନୂତନ ସ୍ତର ଆମକୁ ପ୍ରାପ୍ତ ହେଉଛି। ବିଗତ ୮ ବର୍ଷ ମଧ୍ୟରେ ଆମେ ଏହା ପ୍ରମାଣିତ କରିଛୁ ଯେ ଭାରତ ମିଳିତ ଭାବେ କୌଣସି ନିଷ୍ପତ୍ତି ନେଲେ ସାରା ବିଶ୍ଵ ପାଇଁ ଭାରତ ଏକ ନୂଆ ଆଶା ପାଲଟି ଯାଇଥାଏ। ଆଜି ବିଶ୍ଵର ଆମକୁ ଏକ ବଡ଼ ଉପଭୋକ୍ତା ବଜାର ନୁହେଁ ବରଂ ଏକ ସମର୍ଥ, ମୋଡ଼ ପରିବର୍ତ୍ତନକାରୀ, ସୃଜନଶୀଳ, ଅଭିନବ ଇକୋସିଷ୍ଟମ ଭାବେ ନୂଆ ଆଶା ଏବଂ ଆତ୍ମବିଶ୍ୱାସର ସହିତ ଚାହିଁ ରହିଛି’’, ପ୍ରଧାନମନ୍ତ୍ରୀ କହିଥିଲେ।

ସମଗ୍ର ବିଶ୍ଵର ଏକ ବଡ଼ ଭାଗ ଆଜି ସମସ୍ୟା ସମାଧାନ ପାଇଁ ଭାରତ ଠାରୁ ଅନେକ ଆଶା କରୁଛି। ସାଧାରଣ ଭାରତୀୟଙ୍କ ବୁଦ୍ଧିମତା ପ୍ରତି ଆମେ ବିଶ୍ୱାସ ରଖିବା କାରଣରୁ ଏହା ସମ୍ଭବ ହୋଇପାରିଛି। ୟୁପିଆଇର ଉପଲବ୍ଧି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଆମେ ଜନସାଧାରଣଙ୍କୁ ଅଭିବୃଦ୍ଧିର ଏକ ବୁଦ୍ଧିମାନ ଅଂଶଗ୍ରହଣକାରୀ ଭାବେ ପ୍ରୋତ୍ସାହିତ କରିଛୁ। ଆମେ ସବୁବେଳେ ଦେଖିଛୁ ଯେ ଉତ୍ତମ ପ୍ରଶାସନ ପାଇଁ ଯେଉଁ ପ୍ରଯୁକ୍ତିର ପ୍ରୟୋଗ କରାଯାଇଛି, ତାହା କେବଳ ଜନସାଧାରଣଙ୍କ ପାଇଁ ଗ୍ରହଣୀୟ ହୋଇନାହିଁ, ବରଂ ସେମାନେ ତାହାକୁ ପ୍ରଶଂସା ମଧ୍ୟ କରିଛନ୍ତି।’’