Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୪ରେ ଅଧ୍ୟକ୍ଷତା କରି ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଓ ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଦେଇଥିଲେ।

କମିଟିର ସଦସ୍ୟ ମାନଙ୍କ ମତାମତ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଥିବା ଦୁର୍ବଳ ଥିବା ନଦୀବନ୍ଧ ଏବଂ ଅତୀତରେ ସୃଷ୍ଟି ହୋଇଥିବା ଘାଇକୁ ତୁରନ୍ତ ମରାମତି ପାଇଁ ଜଳସେଚନ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳରେ ବନ୍ୟା ସୃଷ୍ଟି ହୋଇଥିବାରୁ ନଗର ଉନ୍ନୟନ ବିଭାଗ ପୌରାଞ୍ଚଳରେ ଥିବା ଡ୍ରେନ୍ ଗୁଡିକର ପଙ୍କ ଉଦ୍ଧାର କାର୍ଯ୍ୟ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଭୁବନେଶ୍ୱର ମହାନଗର ନିଗମ ସହରାଞ୍ଚଳ ବନ୍ୟା ପରିଚାଳନା ନିମନ୍ତେ ୨୦୦ କୋଟି ଟଙ୍କାର ଏକ ପ୍ରସ୍ତାବ ପ୍ରସ୍ତୁତ କରି ଯଥାଶୀଘ୍ର ପ୍ରଦାନ କରିବେ। ଏହାସହିତ କଟକ, ଭୁବନେଶ୍ୱର ଓ ଅନ୍ୟ ସହରାଞ୍ଚଳରେ ବନ୍ୟା ପରିଚାଳନା ନିମନ୍ତେ IIT ଦିଲ୍ଲୀର ବୈଷୟିକ ସହାୟତାରେ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

ରାଜ୍ୟ, ଜିଲ୍ଲା ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । ସାଧାରଣତଃ ବର୍ଷା ଦିନେ ସାପକାମୁଡାର ଅଧିକ ସମ୍ଭାବନା ରହିଥିବା ହେତୁ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡା ଇଞ୍ଜେକ୍ସନ (ଆଣ୍ଟି ସ୍ନେକ୍ ଭେନମ୍) ଗଚ୍ଛିତ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସତର୍କ ମୋବାଇଲ୍ ଆପ୍ ମାଧ୍ୟମରେ ଯେପରି ଭାବରେ ଜନସାଧାରଣଙ୍କୁ ବିଭିନ୍ନ ବିପର୍ଯ୍ୟୟ ବିଷୟରେ ଆଗୁଆ ସୂଚନା ଦିଆଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯିବ ଏବଂ ଜନସାଧାରଣଙ୍କ ମଧ୍ୟରେ ଏହି ଆପ୍ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶରେ ଓଡ୍ରାଫ୍ ହେଉଛି ପ୍ରଥମ ରାଜ୍ୟସ୍ତରୀୟ Disaster Response Force ଏବଂ ଏହା ସର୍ବ ଭାରତୀୟ ସ୍ତରରେ ମଧ୍ୟ ଶ୍ରେଷ୍ଠ। ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ବିଭିନ୍ନ ବିପର୍ଯ୍ୟୟ ସମୟରେ search and rescue  କାର୍ଯ୍ୟ ପାଇଁ ଓଡ୍ରାଫ୍ ଓଡିଶାକୁ ସୁନାମ ଆଣିଛି। ବର୍ତ୍ତମାନ ଏହା ୨୦ ଟି ୟୁନିଟ୍ ଥିବାବେଳେ ଏହାକୁ ୩୦ ଟି ୟୁନିଟ୍ କରିବା ସହ ଏକ Dedicated force କରିବା ନିମନ୍ତେ ଗୃହ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

ସେହିପରି ଅଗ୍ନିଶମ ବିଭାଗ  ଜିଲ୍ଲା ସ୍ତରରେ ଯେକୌଣସି ବିପର୍ଯ୍ୟୟ ହେଲେ ପ୍ରଥମେ ଅଂଶଗ୍ରହଣ କରନ୍ତି।

ବିପର୍ଯ୍ୟୟ ସହାୟତା ପାଣ୍ଠି (SDRF) ରୁ  ୩୯୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ   ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି କରାଯାଉଛି । ଏଥିପାଇଁ ଆଉ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯିବ।

ବାହାନଗାର ଟ୍ରେନ୍ ଦୁର୍ଘଟଣା ଭଳି ବିଭିନ୍ନ ଆକସ୍ମିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ୫ ଟି Regional Fire Service Hub ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।

ଏହାସହିତ ଏ ବର୍ଷ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରିବେ ଏବଂ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି କିପରି ହ୍ରାସ କରାଯିବ ସେଥିପ୍ରତି ସମସ୍ତ ବିଭାଗ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।

ବୈଠକର ପ୍ରାରମ୍ଭରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଆମ ରାଜ୍ୟ ଓଡିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଅଟେ।  ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ରାଜ୍ୟରେ ବନ୍ୟା ଓ ବାତ୍ୟାର ଆଶଙ୍କା ଅଧିକ ରହିଥିଲେ ମଧ୍ୟ ବଜ୍ରପାତ, ଅଂଶୁଘାତ, ଘୁର୍ଣ୍ଣିଝଡ, ପାଣିରେ ବୁଡି ମୃତ୍ୟୁ, ଅଗ୍ନିକାଣ୍ଡ ଆଦି ଅନ୍ୟାନ୍ୟ ବିପର୍ଯ୍ୟୟମାନ ବର୍ଷ ତମାମ ଲାଗିରହିଥାଏ ।

ବାହାନଗାରେ ରେଳ ଦୁର୍ଘଟଣାରେ ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ଏବଂ ଉପଯୁକ୍ତ ଚିକିତ୍ସା  ଆଦିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ  ଏବଂ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣଙ୍କର ଅବଦାନ ମଧ୍ୟ ଅତୁଳନୀୟ ବୋଲି ସେ ପ୍ରଶଂସା କରିଥିଲେ।

ଏହା ସହିତ ନିକଟ ଅତୀତରେ ଝାରସୁଗୁଡା ଜିଲ୍ଲାରେ ଘଟିଯାଇଥିବା ମହାନଦୀ ଡଙ୍ଗାବୁଡି, ପୁରୀର ଅଗ୍ନିକାଣ୍ଡ ଏବଂ ପଶ୍ଚିମ ଓଡିଶାର ଅଂଶୁଘାତ ଜନିତ ମୃତ୍ୟୁ ନିମନ୍ତେ ସେ ଉଦବେଗ ପ୍ରକାଶ କରିଥିଲେ।

ସେ କହିଥିଲେ ଯେ  ଆମ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କ ସମସ୍ୟା ପ୍ରତି ଆମେ ସବୁବେଳେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ଆସିଛୁ। ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ ଯେପରି କୌଣସି ଜୀବନ ହାନୀ ନ ହୁଏ ସେଥି ପ୍ରତି ଗୁରୁତ୍ୱ ଦେଇ ପ୍ରଚଳିତ ବ୍ୟବସ୍ଥାକୁ ଆମକୁ ସୁଦୃଢ କରିବାକୁ ହେବ। ସେଥି ପାଇଁ ଏ ସବୁର ସଫଳ ମୁକାବିଲା ନିମନ୍ତେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ନିଆଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

ସାରା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନ ହୋଇଗଲାଣି ଏବେଠାରୁ ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ଆମ ରାଜ୍ୟ ପାଇଁ ପ୍ରଚୁର ବୃଷ୍ଟିପାତ, ବନ୍ୟା, ବାତ୍ୟା ଆଦି ବିପର୍ଯ୍ୟୟର ସମ୍ଭାବନା ରହିଛି। ତେଣୁ ଏହି ସମୟ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।
ଆମକୁ ବନ୍ୟା-ବାତ୍ୟା ମୁକାବିଲା ନିମନ୍ତେ ବିପର୍ଯ୍ୟୟ ପ୍ରସ୍ତୁତିର ଉପଯୁକ୍ତ ସମୀକ୍ଷା  କରିବାକୁ ହେବ ବୋଲି ସେ କହିଥିଲେ। ଏପରିକି କ୍ଷେତ୍ରୀୟ ସ୍ତର ପର୍ଯ୍ୟନ୍ତ ପ୍ରଶାସନକୁ ପରିସ୍ଥିତର ସାମନା କରିବା ପାଇଁ ସଜାଗ ରହିବାକୁ ପଡିବ। ଆଗୁଆ ସତର୍କ ସୂଚନା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ, ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟ ବ୍ୟବସ୍ଥା, ପ୍ରାଣୀ ଚିକିତ୍ସା ଆଦି କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପମାନ ନିଆଯିବାର ଆବଶ୍ୟକତା ରହିଛି। ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ମାନଙ୍କୁ ତ୍ୱରିତ ପଦକ୍ଷେପ ନିମନ୍ତେ ସର୍ବଦା ସଜାଗ ରହିବାକୁ ହେବ।

ଅପହଞ୍ଚ ଇଲାକାରେ ପର୍ଯ୍ୟାପ୍ତ ଖାଦ୍ୟ ଏବଂ ଗୋଖାଦ୍ୟ ମହଜୁଦ ରହିବା ଆବଶ୍ୟକ। ସମସ୍ତ ଆଶ୍ରୟସ୍ଥଳୀ ମାନଙ୍କରେ ମଧ୍ୟ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ଏବଂ ଯୋଗାଣ ସାମଗ୍ରୀ ଗଚ୍ଛିତ ରହିବା ଆବଶ୍ୟକ। ଏପରିକି ଗର୍ଭବତୀ ମାଆ, ଶିଶୁ ଏବଂ ରୋଗୀ/ ବୃଦ୍ଧ ମାନଙ୍କର ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ବିଭିନ୍ନ ବିଭାଗ, ଜିଲ୍ଲା ଏବଂ ବ୍ଲକ ମାନଙ୍କରେ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା ସକ୍ରିୟ ଭାବେ କାର୍ଯ୍ୟ କରିବ ବୋଲି ସେ କହିଥିଲେ।

ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ତ୍ୱରିତ ପଦକ୍ଷେପ ନିଆଯିବ । ଆହତ ମାନଙ୍କୁ ଆଶୁଚିକିତ୍ସା ସହିତ ଉପଯୁକ୍ତ ଡାକ୍ତରୀ ଚିକିତ୍ସାର ମଧ୍ୟ ବ୍ୟବସ୍ଥା କରାଯିବ। ବିପର୍ଯ୍ୟୟ ପରେ କ୍ଷତିଗ୍ରସ୍ତ ଲୋକମାଙ୍କ କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଥିଲେ।

ଆମ ରାଜ୍ୟର ସମସ୍ତ ଜନତା ସେମାନଙ୍କ ଅଞ୍ଚଳର ସମ୍ଭାବ୍ୟ ବିପର୍ଯ୍ୟୟ ସମ୍ବନ୍ଧରେ ସଚେତନ ହେବା ସହ ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସଜାଗ ରହିବାକୁ ସେ ପରାମର୍ଶ ଦେଇଥିଲେ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାଂସଦ, ବିଧାୟକ ଓ ଅନ୍ୟ ସଦସ୍ୟମାନେ ବୈଠକରେ ସୁଚିନ୍ତିତ ମତାମତ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ରଥ ଯାତ୍ରା ପାଇଁ କଲେ ନିମନ୍ତ୍ରଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଆଜି ନୂଆ ଦିଲ୍ଲୀ ଠାରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି।

ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଉଭୟ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତିଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥ ଯାତ୍ରା ଦେଖିବା ପାଇଁ ଓଡ଼ିଶା ଆସିବାକୁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ସାକ୍ଷାତ କରି ଆଲୋଚନା କରିଛନ୍ତି। ଶପଥ ଗ୍ରହଣ ଉତ୍ସବ କୁ ପ୍ରଧାନମନ୍ତ୍ରୀ ନିଜେ ଆସି ଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ପ୍ରକାଶ କରିଥିଲେ। ଆଗାମୀ ଦିନରେ ଓଡ଼ିଶା ଗସ୍ତ କରିବାକୁ ସେ ପ୍ରଧାନ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ।

ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ ଅର୍ଥ ମନ୍ତ୍ରୀ ନିର୍ମଳା ସିଥାରମଣ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସାକ୍ଷାତ କରି ଆଲୋଚନା କରିଛନ୍ତି।

ଆଲୋଚନାରେ ଏକ ବିକଶିତ ଓଡିଶା ଗଠନ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ଦିଆ ଯାଇଥିଲା। ୨୦୩୬ ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରୁଥିବାରୁ ତାକୁ ଦୃଷ୍ଟିରେ ରଖି ରୋଡ ମ୍ୟାପ ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା।

ମୁଖ୍ୟମନ୍ତ୍ରୀ ଏହି ସବୁ କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ମଧ୍ୟ ରଥ ଯାତ୍ରା ପାଇଁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଏକ ପେଡ୍‌ ମା କେ ନାମ’ ଅଭିଯାନ ଅଧୀନରେ ଚାରା ରୋପଣ

ଭୁବନେଶ୍ୱର: ଆଜି ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡା ମିଶନ ଶକ୍ତି ଭବନ ପରିସରରେ ‘ଏକ ପେଡ୍‌ ମା କେ ନାମ (ମା’ଙ୍କ ପାଇଁ ଗଛଟିଏ)’ ଅଭିଯାନ ଅଧୀନରେ ‘ବଉଳ’ ଚାରା ରୋପଣ କରିଛନ୍ତି। ଏହି ଅଭିଯାନର ଲକ୍ଷ୍ୟ ପ୍ରକୃତିର ସୁରକ୍ଷା ସହିତ ଏହାକୁ ନିଜ ମାତା ପରି ସମ୍ମାନ ଦେବା।

ଚାରା ରୋପଣ ପରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ ଯେଉଁଥିରେ ମିଶନ ଶକ୍ତି ଜିଲ୍ଲା ତଥା ବ୍ଲକ ସ୍ତରୀୟ ମହାସଂଘର ଲିଡର୍‌ ଏବଂ କମୁ୍ୟନିଟି ସପୋର୍ଟ ଷ୍ଟାଫମାନେ ଉତ୍ସାହର ସହ ଅଂଶଗ୍ରହଣ କରିବା ସହ ଏହି ପରିବେଶ ଅଭିମୁଖୀ ପଦକ୍ଷେପକୁ ସମର୍ଥନ କରିଥିଲେ। ବୈଠକରେ ଶ୍ରୀମତୀ ପରିଡା ମା’ମାନଙ୍କୁ ସମ୍ମାନ ଦେବା ସହ ଏକ ସବୁଜ ଓଡ଼ିଶା ଗଠନ ଲକ୍ଷ୍ୟରେ ପ୍ରତ୍ୟେକ ନାଗରିକଙ୍କୁ ନିଜ ମାଆଙ୍କ ନାମରେ ଗଛ ଲଗାଇବାକୁ ଉତ୍ସାହିତ କରିଥିଲେ।

ଉପମୁଖ୍ୟମନ୍ତ୍ରୀ ପରିବେଶ ସୁରକ୍ଷା ପାଇଁ ସମଗ୍ର ସମ୍ପ୍ରଦାୟ ଏକଜୁଟ ହେବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଏବଂ ମିଶନ ଶକ୍ତି ଲିଡର୍‌ ତଥା ବିଭାଗୀୟ ଅଧିକାରୀମାନଙ୍କୁ ଏହି ଅଭିଯାନକୁ ସାରା ରାଜ୍ୟରେ ବ୍ୟାପକ କରିବାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଏହା ଛଡା ବୈଠକରେ ଶ୍ରୀମତୀ ପରିଡା ବିକଶିତ ଓଡିଶା ସ୍ୱପ୍ନ ପୂରଣ ହେବାରେ ମିଶନ ଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହିତ ମିଶନ ଶକ୍ତି ରାଜ୍ୟରେ ସାମାଜିକ ଏବଂ ଅର୍ଥନୈତିକ ବିପ୍ଳବ ଆଣିଥିବା ବିଷୟରେ ମଧ୍ୟ କହିଥିଲେ।

ଏହି ଅବସରରେ ଅଭିଯାନର ଦୃଢ ସମର୍ଥନରେ ମିଶନ ଶକ୍ତି ଲିଡର୍‌ମାନେ ସାରା ରାଜ୍ୟରେ ୨.୫ କୋଟି ବୃକ୍ଷରୋପଣ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏହି ଉଚ୍ଚାଭିଳାଷୀ ଅଭିଯାନ ମା’ମାନଙ୍କୁ ସମ୍ମାନ ଦେବା ସହ ପରିବେଶ ସୁରକ୍ଷା ତଥା ଓଡିଶାରେ ମହିଳା ସଶକ୍ତିକରଣ ପ୍ରତି ପ୍ରତିଶ୍ରୁତିବଦ୍ଧତାକୁ ସୂଚିତ କରେ।

ଏହି ବୈଠକରେ ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା ସିଇଓ, ଓଡିଶା ଜୀବିକା ମିଶନ (ଓଏଲଏମ୍‌) ଭିନୀତ ଭରଦ୍ୱାଜ (ଭା.ପ୍ର.ସେ), ବିଭାଗର ବରିଷ୍ଠ ସରକାରୀ ଅଧିକାରୀ ତଥା ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର

ଅଙ୍ଗନବାଡ଼ିର ବିକାଶ ହେଲେ ଉଭୟ ମା’ ଓ ଶିଶୁଙ୍କର ବିକାଶ ହେବ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା 

ଭୁବନେଶ୍ୱର: ଗତକାଲି ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳା ଶିଶୁ ବିଭାଗର ପରିଦର୍ଶନ କରି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ବିଳମ୍ବ ରାତି ପର୍ଯ୍ୟନ୍ତ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ବିଭାଗୀୟ କାର୍ଯ୍ୟର ସଫଳତା, ଯୋଜନା ଓ ଆହ୍ୱାନ ସମ୍ପର୍କରେ ଉପସ୍ଥାପନ କରିଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ତୃଣମୂଳ ସ୍ତରର ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝିବା ସହିତ ବିଭିନ୍ନ ବିଭାଗର ସହଭାଗିତାରେ ସମସ୍ୟାର ସମାଧାନ କରି କିପରି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରିବ, ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେଇ ଅଙ୍ଗନବାଡି ସଦସ୍ୟଙ୍କୁ ରେଗୁଲାର ତାଲିମ ଓ ବୀମା ସୁବିଧା ଯୋଗେଇଦେବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଙ୍ଗନବାଡିରେ ଦିଆଯାଉଥିବା ଛତୁଆ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତିକୁ ନିୟମିତ ଯାଞ୍ଚ କରିବା ସହ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଏଥି ସହ ଅଙ୍ଗନବାଡି କେନ୍ଦ୍ର ଦ୍ୱାରା ‘ଯୋଗ’କୁ ମା’ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆହୁରି ପୁଣି ମହିଳା ହେଲ¬ଲାଇନର କାର୍ଯ୍ୟକାରିତାକୁ ଯାଞ୍ଚ କରିବା ପାଇଁ ବୈଠକରେ ବସି ମହିଳା ହେଲ¬ଲାଇନ ନମ୍ବରକୁ ଟେଷ୍ଟ କଲ ମଧ୍ୟ କରିଥିଲେ। କର୍ମଜୀବୀ ମହିଳା ହସେଫଲର ସଂଖ୍ୟାକୁ ତ୍ୱରାନ୍ୱିତ କରି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କ୍ରେଚର ସୁବିଧା ଯୋଗେଇଦବାକୁ ସେ ପରାମର୍ଶ ଦେଇଛନ୍ତି।

ସୁଭଦ୍ରା ଯୋଜନାରେ ମାର୍ଗଦର୍ଶିକ ପ୍ରସ୍ତୁତ କରି ୧୦୦ ଦିନରେ ଏହାକୁ କାର୍ଯ୍ୟକାରୀ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳାଙ୍କ ପ୍ରତି ଅପରାଧ (crime  ଚ୍ଚଜ୍ଜଚ୍ଚinଟଟ୍ଟ wଞ୍ଚmen)କୁ ଅଗ୍ରାଧିକାର ଦେଇ ଶ୍ରୀମତୀ ପରିଡା ମହିଳା ଓ ଶିଶୁ ବିଭାଗ ଅନ୍ତର୍ଗତ ଓଡ଼ିଶା ରାଜ୍ୟ ମହିଳା ଆୟୋଗକୁ ଅପୋଷ ସମାଧାନ ଓ କ୍ୟାମ୍ପ କୋର୍ଟ ଦ୍ୱାରା ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପେଣ୍ଡିଂ କେସ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବିଶାଖା ଗାଇଡଲାଇନ କାର୍ଯ୍ୟକାରୀ କରିବା ବିଷୟରେ ତର୍ଜମା କରିବାକୁ ମନ୍ତ୍ରୀ ଶ୍ରୀମତୀ ପରିଡ଼ା ବିଭାଗକୁ ପ୍ରସ୍ତାବ ଦେଇଛନ୍ତି।

ଏହି ସମୀକ୍ଷା ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଓ ବିଭାଗୀୟ ନିର୍ଦ୍ଦେଶକ ମୋନିଶା ବାନାର୍ଜୀଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।