Categories
ଆଜିର ଖବର ଜାତୀୟ ଖବର

ଗ୍ରୀଷ୍ମ ପ୍ରବାହର ସ୍ଥିତି ଏବଂ ମୌସୁମୀ ଆଗମନକୁ ନେଇ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଦେଶରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହର ସ୍ଥିତି ଏବଂ ମୌସୁମୀର ଆଗମନକୁ ନେଇ ପ୍ରସ୍ତୁତିର ସମୀକ୍ଷା କରିବା ନିମନ୍ତେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ରାଜସ୍ଥାନ, ଗୁଜରାଟ ଏବଂ ମଧ୍ୟପ୍ରଦେଶର କିଛି ଅଂଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। ଚଳିତ ବର୍ଷ ଦେଶର ଅଧିକାଂଶ ସ୍ଥାନରେ ମୌସୁମୀ ସ୍ୱାଭାବିକ ଓ ସ୍ୱାଭାବିକ ଠାରୁ ଅଧିକ ରହିବ ଏବଂ କିଛି ଅଂଶରେ ସ୍ୱାଭାବିକ ଠାରୁ କମ୍ ରହିବ।

ଅଗ୍ନିକାଣ୍ଡ ଘଟଣାକୁ ରୋକିବା ଏବଂ ପରିଚାଳନା କରିବା ପାଇଁ ନିୟମିତ ଭାବେ ଉପଯୁକ୍ତ ଅଭ୍ୟାସ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରଖ।ନା ଓ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନର ଫାୟାର ଅଡିଟ୍ ଓ ବିଦ୍ୟୁତ ସୁରକ୍ଷା ଅଡିଟ୍ ନିୟମିତ ଭାବେ କରାଯିବା ଦରକାର। ଜଙ୍ଗଲରେ ଫାୟାର ଲାଇନର ରକ୍ଷଣାବେକ୍ଷଣ ଏବଂ ବାୟୋମାସର ଉତ୍ପାଦନଶୀଳ ଉପଯୋଗ ପାଇଁ ନିୟମିତ ଅଭ୍ୟାସର ଯୋଜନା କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଜଙ୍ଗଲ ନିଆଁକୁ ଠିକ୍ ସମୟରେ ଚିହ୍ନଟ କରିବା ଏବଂ ଏହାର ପରିଚାଳନାରେ “ବନ ଅଗ୍ନି” ପୋର୍ଟାଲର ଉପଯୋଗିତା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ୍ ସଚିବ, ଗୃହ ସଚିବ, ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ, ଏନଡିଆରଏଫ ଡିଜି ଏବଂ ଏନଡିଏମଏର ସଦସ୍ୟ ସଚିବଙ୍କ ସମେତ ପିଏମଓ ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ସମ୍ଭାବ୍ୟ ବାତ୍ୟା ମୁକାବିଲା: ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ନିମନ୍ତେ ଆଜି କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି (ଏନସିଏମସି) ବୈଠକ ଅନୁଷ୍ଠିତ ହୋଇଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଖେପୁପଡ଼ା (ବାଂଲାଦେଶ) ଠାରୁ ପ୍ରାୟ ୮୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଏବଂ କାନିଂ (ପଶ୍ଚିମବଙ୍ଗ)ଠାରୁ ୮୧୦ କିଲୋମିଟର ଦକ୍ଷିଣରେ ଥିବା କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ କମିଟିକୁ ଅବଗତ କରାଇଥିଲେ। ୨୫ ତାରିଖ ରାତି ବେଳକୁ ଏହା ଉତ୍ତର-ପୂର୍ବ ଦିଗକୁ ଗତି କରି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଏହା ପ୍ରାୟ ଉତ୍ତର ଦିଗକୁ ଗତି କରିବ ଏବଂ ୨୬ ତାରିଖ ମଧ୍ୟରାତ୍ରିରେ ସାଗର ଦ୍ୱୀପ ଏବଂ ଖେପୁପଡ଼ା ମଧ୍ୟରେ ବାଂଲାଦେଶ ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ଏବଂ ୨୬ ତାରିଖ ସନ୍ଧ୍ୟାରୁ ପବନର ବେଗ ଘଣ୍ଟା ପ୍ରତି ୧୧୦-୧୨୦ କିଲୋମିଟର ରହିବ।

ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ବାତ୍ୟାର ସମ୍ଭାବ୍ୟ ମାର୍ଗରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପ୍ରସ୍ତୁତି ପଦକ୍ଷେପ ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ କମିଟିକୁ ଅବଗତ କରାଇଥିଲେ। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି ଏବଂ ସମୁଦ୍ରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଡକାଯାଇଛି। ଜିଲ୍ଲା କଣ୍ଟ୍ରୋଲ ରୁମ୍ କୁ ମଧ୍ୟ ସକ୍ରିୟ କରାଯାଇଛି ଏବଂ ପରିସ୍ଥିତି ଉପରେ ନଜର ରଖାଯାଇଛି। ପର୍ଯ୍ୟାପ୍ତ ଆଶ୍ରୟସ୍ଥଳ, ବିଜୁଳି ଯୋଗାଣ, ଔଷଧ ଓ ଜରୁରୀକାଳୀନ ସେବାକୁ ପ୍ରସ୍ତୁତ ରଖାଯାଇଛି।

ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ପକ୍ଷରୁ ୧୨ଟି ଟିମ୍ ମୁତୟନ କରାଯାଇଥିବା ବେଳେ ୫ଟି ଅତିରିକ୍ତ ଟିମକୁ ପ୍ରସ୍ତୁତ ରଖାଯାଇଛି। ସେନା, ନୌସେନା ଓ ତଟରକ୍ଷୀ ବାହିନୀର ଉଦ୍ଧାର ଓ ରିଲିଫ ଟିମ୍ ସହ ଜାହାଜ ଓ ବିମାନକୁ ପ୍ରସ୍ତୁତ ରଖାଯାଇଛି। କୋଲକାତା ଓ ପାରାଦୀପ ବନ୍ଦରକୁ ଜାହାଜ ଚଳାଚଳ ଡିଜିଙ୍କ ପକ୍ଷରୁ ନିୟମିତ ସତର୍କ ସୂଚନା ଓ ପରାମର୍ଶ ପଠାଯାଉଛି। ତୁରନ୍ତ ବିଦ୍ୟୁତ୍ ପୁନରୁଦ୍ଧାର ପାଇଁ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜରୁରୀକାଳୀନ ଟିମ୍ ମୁତୟନ କରାଯାଇଛି।

କେନ୍ଦ୍ରୀୟ ଏଜେନ୍ସି ଏବଂ ପଶ୍ଚିମବଙ୍ଗ ସରକାରଙ୍କ ପ୍ରସ୍ତୁତି ପଦକ୍ଷେପର ସମୀକ୍ଷା କରି କ୍ୟାବିନେଟ୍ ସଚିବ ଗୁରୁତ୍ୱାରୋପ କରିଛନ୍ତି ଯେ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ସମସ୍ତ ଆବଶ୍ୟକ ପ୍ରତିଷେଧକ ଏବଂ ସତର୍କତାମୂଳକ ପଦକ୍ଷେପ ନିଆଯାଇପାରେ। ଜୀବନହାନୀ ଶୂନ୍ୟ ରଖିବା ଏବଂ ବିଦ୍ୟୁତ୍ ଓ ଟେଲିକମ୍ ଭଳି ସମ୍ପତ୍ତି ଓ ଭିତ୍ତିଭୂମିର କ୍ଷୟକ୍ଷତିକୁ କମ୍ କରିବା ଏବଂ କ୍ଷତି ଘଟିଲେ ଅତି କମ୍ ସମୟ ମଧ୍ୟରେ ଅତ୍ୟାବଶ୍ୟକ ସେବା ପୁନରୁଦ୍ଧାର କରିବା ଏହାର ଉଦ୍ଦେଶ୍ୟ ହେବା ଉଚିତ।

ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଯେପରି ଫେରାଇ ଅଣାଯିବ ଏବଂ ସମ୍ବେଦନଶୀଳ ଅଞ୍ଚଳର ଲୋକଙ୍କୁ ଠିକ୍ ସମୟରେ ସ୍ଥାନାନ୍ତର କରାଯିବ ତାହା ସୁନିଶ୍ଚିତ କରିବାକୁ କ୍ୟାବିନେଟ୍ ସଚିବ କହିଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବଡ଼ ବଡ଼ ହୋର୍ଡିଂ ଲଗାଯିବାର ସମୀକ୍ଷା କରିବାକୁ ସେ ପଶ୍ଚିମବଙ୍ଗ ସରକାରଙ୍କୁ କହିଛନ୍ତି। କ୍ୟାବିନେଟ୍ ସଚିବ ପଶ୍ଚିମବଙ୍ଗ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସମସ୍ତ କେନ୍ଦ୍ରୀୟ ଏଜେନ୍ସି ସମ୍ପୂର୍ଣ୍ଣ ସତର୍କ ଅଛନ୍ତି ଏବଂ ସହାୟତା ପାଇଁ ଉପଲବ୍ଧ ରହିବେ।

ଏହି ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଗୃହ ସଚିବ, ଶକ୍ତି, ଟେଲିକମ୍, ବନ୍ଦର ଜାହାଜ ଚଳାଚଳ ଓ ଜଳପଥ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ମତ୍ସ୍ୟ ବିଭାଗର ସଚିବଙ୍କ ବ୍ୟତୀତ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ସଚିବ, ସମନ୍ବିତ ପ୍ରତିରକ୍ଷା ମୁଖ୍ୟଙ୍କଠାରୁ ଆରମ୍ଭ କରି ଚିଫ୍ ଅଫ୍ ଷ୍ଟାଫ୍ କମିଟିର ଚେୟାରମ୍ୟାନ (ସିଆଇଏସସି), ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ, ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳର ମହାନିର୍ଦ୍ଦେଶକ, ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ଏବଂ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବୃଦ୍ଧି ପାଉଥିବା କୋଭିଡ୍- ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥିତି ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ପ୍ରସ୍ତୁତି ସମୀକ୍ଷା

ନୂଆଦିଲ୍ଲୀ: ନିକଟରେ କେତେକ ରାଜ୍ୟରେ କୋଭିଡ୍ – ୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତରେ କୋଭିଡ୍ – ୧୯ ସ୍ଥିତି ଏବଂ କୋଭିଡ୍ – ୧୯ ର ତଦାରଖ, ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଅଧ୍ୟକ୍ଷତା କରିଛନ୍ତି। ତାଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସ୍‌. ପି. ସିଂହ ବାଘେଲ ଏବଂ ଡାକ୍ତର ଭାରତୀ ପ୍ରବୀଣ ପାୱାର, ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡାକ୍ତର ଭି. କେ. ପଲ୍ ମଧ୍ୟ ଉପସ୍ଥିତ ଥିଲେ।

ଏହି ବୈଠକରେ ଯୋଗ ଦେଇଥିବା ରାଜ୍ୟର ମନ୍ତ୍ରୀ ମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ (ଆରୁଣାଚଳ ପ୍ରଦେଶ) ଶ୍ରୀ ଆଲୋ ଲିବାଙ୍ଗ; ଶ୍ରୀ ବ୍ରଜେଶ ପାଠକ, ଉପମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ (ଉତ୍ତର ପ୍ରଦେଶ); ସ୍ୱାସ୍ଥ୍ୟ ମନ୍ତ୍ରୀ (ଉତ୍ତରାଖଣ୍ଡ) ଶ୍ରୀ ଧନ ସିଂହ ରାୱତ ଶାରୀରିକ ଭାବେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଦିନେଶ ଗୁଣ୍ଡୁ ରାଓ, ସ୍ୱାସ୍ଥ୍ୟ ମନ୍ତ୍ରୀ (କର୍ଣ୍ଣାଟକ); ଶ୍ରୀ ଅନୀଲ ଭିଜ୍‌, ସ୍ୱାସ୍ଥ୍ୟ ମନ୍ତ୍ରୀ (ହରିୟାଣା); ଶ୍ରୀମତୀ ବୀଣା ଜର୍ଜ, ସ୍ୱାସ୍ଥ୍ୟ ମନ୍ତ୍ରୀ (କେରଳ), ଶ୍ରୀ ବିଶ୍ୱଜିତ ପ୍ରତାପ ସିଂହ ରାଣେ, ସ୍ୱାସ୍ଥ୍ୟ ମନ୍ତ୍ରୀ (ଗୋଆ); କେଶବ ମହାନ୍ତ ସ୍ୱାସ୍ଥ୍ୟ ମନ୍ତ୍ରୀ (ଆସାମ), ଶ୍ରୀ ବନ୍ନା ଗୁପ୍ତା, ସ୍ୱାସ୍ଥ୍ୟ ମନ୍ତ୍ରୀ (ଝାଡ଼ଖଣ୍ଡ); ବଲବୀର ସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ (ପଞ୍ଜାବ); ଶ୍ରୀ ସୌରଭ ଭରଦ୍ୱାଜ, ସ୍ୱାସ୍ଥ୍ୟ ମନ୍ତ୍ରୀ (ଦିଲ୍ଲୀ);  ଡଃ (କର୍ଣ୍ଣେଲ) ଧନୀ ରାମ ଶାଣ୍ଡିଲ, ସ୍ୱାସ୍ଥ୍ୟ ମନ୍ତ୍ରୀ (ହିମାଚଳ ପ୍ରଦେଶ); ତାନାଜୀରାଓ ସାୱନ୍ତ, ସ୍ୱାସ୍ଥ୍ୟ ମନ୍ତ୍ରୀ (ମହାରାଷ୍ଟ୍ର); ଶ୍ରୀ ଦାମୋଦର ରାଜ ନରସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ (ତେଲଙ୍ଗାନା); ଡାକ୍ତର ସପମ ରଞ୍ଜନ, ସ୍ୱାସ୍ଥ୍ୟ ମନ୍ତ୍ରୀ (ମଣିପୁର); ନିରଞ୍ଜନ ପୁଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ (ଓଡ଼ିଶା); ଶ୍ରୀ ରଙ୍ଗାସ୍ୱାମୀ, ପ୍ରଶାସକ (ପୁଡୁଚେରୀ); ଉପସ୍ଥିତ ଥିଲେ ।

ଚୀନ୍‌, ବ୍ରାଜିଲ, ଜର୍ମାନୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିଶ୍ୱର କେତେକ ଦେଶରେ କୋଭିଡ୍ – ୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସୃଷ୍ଟି ହୋଇଥିବା ଆହ୍ୱାନ ଉପରେ ଆଲୋକପାତ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କୋଭିଡ୍ – ୧୯ର ନୂତନ ଏବଂ ସୃଷ୍ଟି ହେଉଥିବା ଷ୍ଟ୍ରେନ୍‌ର ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତ ରହିବା ଏବଂ ସତର୍କ ରହିବାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । କୋଭିଡ୍ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ ବୋଲି ଦର୍ଶାଇ ସେ ରାଜ୍ୟ ଗୁଡ଼ିକୁ ଉପଯୁକ୍ତ ଜନସ୍ୱାସ୍ଥ୍ୟ ପ୍ରତିକ୍ରିୟା ଯୋଜନା କରିବା ପାଇଁ ନୂଆ କରି ସାମନାକୁ ଆସୁଥିବା କୋଭିଡ୍ – ୧୯ ମାମଲା, ଏ ସମ୍ପର୍କିତ ଲକ୍ଷଣ ଏବଂ ଗମ୍ଭୀରତା ଉପରେ ନଜର ରଖିବାକୁ ଅନୁରୋଧ କରିଥିଲେ ।

ଡ. ମାଣ୍ଡଭିୟ ଉପୁଜିଥିବା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସାମୂହିକ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଦେଶରେ ପ୍ରସାରିତ ହେଉଥିବା ନୂଆ ଭାରିଏଣ୍ଟକୁ ଠିକ୍ ସମୟରେ ଚିହ୍ନଟ କରିବା ପାଇଁ ଭାରତୀୟ ସାର୍ସ – କୋଭ୍ – ୨ ଜିନୋମିକ୍ସ କନସୋର୍ଟିୟମ୍ (ଆଇଏନ୍‌ଏସ୍‌ଏସିଓଜି) ନେଟୱାର୍କ ଜରିଆରେ ପଜିଟିଭ୍ କେସ୍ ନମୁନାର ସମ୍ପୂର୍ଣ୍ଣ ଜିନୋମ୍ ସିକ୍ୱେନ୍ସିଂ ପାଇଁ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ଉପଯୁକ୍ତ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକ୍ ସମୟରେ କାର୍ଯ୍ୟକାରୀ ହୋଇ ପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି । କୋଭିଡ୍ – ୧୯ ପଜିଟିଭ୍ ଓ ନିମୋନିଆ ଭଳି ରୋଗର ବହୁ ସଂଖ୍ୟକ ନମୁନା ପରୀକ୍ଷାକୁ ତ୍ୱରାନ୍ୱିତ କରିବା ଏବଂ ଦୈନିକ ଅଧିକ ସଂଖ୍ୟକ କୋଭିଡ୍ – ୧୯ ପଜିଟିଭ୍ ମାମଲା ଏବଂ ନିମୋନିଆ ଭଳି ରୋଗର ନମୁନାକୁ ଆଇଏନ୍‌ଏସ୍‌ଏସିଓଜି ଜିନୋମ୍ ସିକ୍ୱେନ୍ସିଂ ଲାବୋରେଟୋରି (ଆଇଜିଏସ୍‌ଏଲ୍‌) କୁ ପଠାଇବା ପାଇଁ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଅନୁରୋଧ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟକୁ ସତର୍କ ରହିବା, ତଦାରଖ ବ୍ୟବସ୍ଥାକୁ ବୃଦ୍ଧି କରିବା ଏବଂ ପର୍ଯ୍ୟାପ୍ତ ପରିମାଣର ଔଷଧ, ଅକ୍ସିଜେନ ସିଲିଣ୍ଡର ଏବଂ କନ୍‌ସେଣ୍ଟ୍ରେଟର, ଭେଣ୍ଟିଲେଟର ଏବଂ ଟିକା ମହଜୁଦ ରଖିବାକୁ ଅନୁରୋଧ କରିଥିଲେ । ଏହା ସହ ପିଏସ୍‌ଏ ପ୍ଲାଣ୍ଟ, ଅକ୍ସିଜେନ କନସେଣ୍ଟ୍ରେଟର ଏବଂ ସିଲିଣ୍ଡର, ଭେଣ୍ଟିଲେଟର ଇତ୍ୟାଦିର କାର୍ଯ୍ୟକାରିତା ଆକଳନ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ପ୍ରତି ତିନି ମାସରେ ମକ୍ ଡ୍ରିଲ୍ କରିବାକୁ ଅଧିକାରୀ ମାନଙ୍କୁ କହିଥିଲେ ଏବଂ ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବାକୁ ପ୍ରୋତ୍ସାହିତ କରିଥିଲେ । ଶ୍ୱାସକ୍ରିୟା ପରିଚ୍ଛନ୍ନତା ଉପରେ ସଚେତନତା ସୃଷ୍ଟି କରିବା ଏବଂ ତଥ୍ୟଗତ ସଠିକ୍ ସୂଚନା ପ୍ରସାରଣ ସୁନିଶ୍ଚିତ କରିବା ଏବଂ ମିଥ୍ୟା ଖବରର ମୁକାବିଲା କରିବା ପାଇଁ ସେ ରାଜ୍ୟ ମାନଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ କୋଭିଡ୍ ପୋର୍ଟାଲରେ ବାସ୍ତବ ସମୟରେ ମାମଲା, ପରୀକ୍ଷା, ପଜିଟିଭିଟି ଇତ୍ୟାଦି ବିଷୟରେ ସୂଚନା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ରାଜ୍ୟ ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏକ ଉପସ୍ଥାପନା ମାଧ୍ୟମରେ , କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଶ୍ରୀ ସୁଧାଂଶ ପନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ବିଶ୍ୱ କୋଭିଡ୍ ୧୯ର ସ୍ଥିତି ଏବଂ ଘରୋଇ ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ । ବିଶ୍ୱ ସ୍ଥିତି ତୁଳନାରେ ଭାରତରେ ସକ୍ରିୟ କୋଭିଡ୍ ମାମଲା ଯଥେଷ୍ଟ କମ୍ ଥିବା ବେଳେ ଗତ ଦୁଇ ସପ୍ତାହ ମଧ୍ୟରେ ସକ୍ରିୟ ମାମଲା ୬ ଡିସେମ୍ବର ୨୦୨୩ ରେ ୧୧୫ ଥିବା ବେଳେ ଆଜି ସୁଦ୍ଧା ୬୧୪କୁ ବୃଦ୍ଧି ପାଇଛି । ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ୯୨.୮% ମାମଲା ହୋମ୍ ଆଇସୋଲେସନରେ ରହିଛି, ଯାହା ସାମାନ୍ୟ ଅସୁସ୍ଥତାକୁ ସୂଚାଉଛି । କୋଭିଡ୍ – ୧୯ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେବା ହାରରେ କୌଣସି ବୃଦ୍ଧି ପରିଲକ୍ଷିତ ହୋଇ ନାହିଁ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମାମଲା ଗୁଡିକ ଅନ୍ୟାନ୍ୟ କାରଣରୁ ହୋଇଥାଏ – କୋଭିଡ୍ -୧୯ ଏକ ଆନୁଷଙ୍ଗିକ ଅନୁସନ୍ଧାନ । କେରଳ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ କର୍ଣ୍ଣାଟକ ଭଳି କିଛି ରାଜ୍ୟରେ ଦୈନିକ କୋଭିଡ୍ – ୧୯ ପଜିଟିଭିଟି ହାର ବୃଦ୍ଧି ପାଇଛି ।

ସାର୍ସ – କୋଭ୍ – ୨ର ନୂଆ ଜେଏନ୍‌. ୧ ଭାରିଆଣ୍ଟ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା ଯେ ଏହି ଭାରିଏଣ୍ଟ ବର୍ତ୍ତମାନ ତୀବ୍ର ବୈଜ୍ଞାନିକ ଯାଞ୍ଚ ରେ ଅଛି, କିନ୍ତୁ ଏହା ତ୍ୱରିତ ଚିନ୍ତାର କାରଣ ନୁହେଁ । ଜେଏନ୍‌. ୧ କାରଣରୁ ଭାରତରେ କୌଣସି କ୍ଲଷ୍ଟରିଂ ମାମଲା ଦେଖିବାକୁ ମିଳିନାହିଁ ଏବଂ ସମସ୍ତ ମାମଲା ସାମାନ୍ୟ ବୋଲି ଜଣାପଡିଛି ଏବଂ ସେମାନେ ସମସ୍ତେ ବିନା କୌଣସି ଜଟିଳତାରେ ସୁସ୍ଥ ହୋଇଛନ୍ତି ।

ଡାକ୍ତର ଭି. କେ. ପଲ୍ କୋଭିଡ୍ ସଂକ୍ରମଣ ବୃଦ୍ଧି ଏବଂ ଏକ ନୂତନ ଭାରିଆଣ୍ଟର ଆବିର୍ଭାବ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ପାଇଁ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟର ଆବଶ୍ୟକତାକୁ ଦୋହରାଇ ଥିଲେ । ସେ ସୂଚନା ଦେଇଛନ୍ତି ଯେ ଭାରତରେ ବୈଜ୍ଞାନିକ ସମୁଦାୟ ଏହି ନୂତନ ଭାରିଆଣ୍ଟ ଉପରେ ତୀକ୍ଷ୍ଣ ଅନୁସନ୍ଧାନ କରୁଛନ୍ତି କିନ୍ତୁ ରାଜ୍ୟ ଗୁଡ଼ିକ ପରୀକ୍ଷାକୁ ତ୍ୱରାନ୍ୱିତ କରିବା ଏବଂ ସେମାନଙ୍କର ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସ୍ୱାସ୍ଥ୍ୟ ଗବେଷଣା ବିଭାଗର ସଚିବ ତଥା ଆଇସିଏମ୍‌ଆର୍‌ର ଡିଜି ଡାକ୍ତର ରାଜୀବ ବହଲ ସୂଚନା ଦେଇଛନ୍ତି ଯେ ଆଇସିଏମ୍‌ଆର୍ ବର୍ତ୍ତମାନ ନୂତନ ଜେଏନ୍‌. ୧ ଭାରିଆଣ୍ଟର ଜିନୋମ ସିକ୍ୱେନ୍ସିଂ ଉପରେ କାମ କରୁଛି । କୋଭିଡ୍ – ୧୯ ସ୍ଥିତି ଉପରେ ନଜର ରଖିବା ଏବଂ ଆରଟି – ପିସିଆର ପରୀକ୍ଷା ବଢ଼ାଇବାକୁ ସେ ରାଜ୍ୟ ଗୁଡ଼ିକୁ ଅନୁରୋଧ କରିଥିଲେ ମଧ୍ୟ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନେ କେନ୍ଦ୍ରରୁ ମିଳିଥିବା ସହାୟତା ଏବଂ ମାର୍ଗଦର୍ଶନକୁ ପ୍ରଶଂସା କରିଛନ୍ତି । କେତେକ ରାଜ୍ୟରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷଣ ଓ ନିୟନ୍ତ୍ରଣ  ବ୍ୟବସ୍ଥା ବଢ଼ାଇବାକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ।

ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀମତୀ ଏଲ୍ ଏସ୍ ଚାଙ୍ଗସାନ୍‌; ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମଆର ଏବଂ ଏନସିଡିସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ପୁଣି ଚିନ୍ତା ବଢାଇଲା କରୋନା ଭୂତାଣୁର ନୂଆ ପ୍ରତିରୂପ: ଉଚ୍ଚସ୍ତରୀୟ ବୈଠକ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ବିଶ୍ୱସ୍ତରରେ କରୋନା ଭୂତାଣୁର କେତେକ ନୂଆ ପ୍ରତିରୂପ ଚିହ୍ନଟ ହେବାକୁ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ବିଶ୍ୱସ୍ତରରେ ଏବଂ ଭାରତରେ ବର୍ତ୍ତମାନର କୋଭିଡ ସ୍ଥିତି, ସଂକ୍ରମିତ ହେଉଥିବା ନୂଆ କରୋନା ଭୂତାଣୁ ପ୍ରତିରୂପ ଏବଂ ଜନ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ଆଦି ବିଷୟ ଏହି ବୈଠକରେ ସମୀକ୍ଷା କରାଯାଇଛି।

ଉଚ୍ଚ ସ୍ତରୀୟ ବୈଠକରେ ନୀତି ଆୟୋଗ ସଦସ୍ୟ ଡକ୍ଟର ବିନୋଦ ପଲ, କ୍ୟାବିନେଟ ସଚିବ ରାଜୀବ ଗୌବା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଅମିତ ଖାରେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ସୁଧାଂଶୁ ପନ୍ତ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ତଥା ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ବେହଲ, ବାୟୋଟେକ୍ନୋଲୋଜି ବିଭାଗ ସଚିବ ରାଜେଶ ଏସ. ଗୋଖଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ପୂଣ୍ୟ ସଲିଳା ଶ୍ରୀବାସ୍ତବ ପ୍ରମୁଖ ଯୋଗ ଦେଇଥିଲେ।

ବିଶ୍ୱସ୍ତରରେ ସାର୍ସ-କୋଭ-୨ ଭୂତାଣୁର ନୂଆ ପ୍ରତିରୂପ ବିଏ.୨.୮୬ (ପିରୋଲା) ଏବଂ ଇଜି.୫ (ଏରିସ)ର ସଂକ୍ରମଣ ସମେତ ବିଶ୍ୱରେ କୋଭିଡ-୧୯ ପରିସ୍ଥିତି ସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ ତଥ୍ୟ ପ୍ରଦାନ କରିଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ତଥ୍ୟ ଅନୁଯାୟୀ, ୫୦ରୁ ଅଧିକ ଦେଶରେ ଇଜି.୫ (ଏରିସ) ଚିହ୍ନଟ ହୋଇଛି ଏବଂ ବିଏ.୨.୮୬ (ପିରୋଲା) ଚାରିଟି ଦେଶରେ ଚିହ୍ନଟ କରାଯାଇଛି।

ବୈଠକରେ ସୂଚନା ଦିଆଯାଇଥିଲା ଗତ ୭ ଦିନ ମଧ୍ୟରେ ବିଶ୍ୱସ୍ତରରେ ୨,୯୬,୨୧୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ବିଶ୍ୱ ଜନସଂଖ୍ୟାର ୧୭ ପ୍ରତିଶତ ଲୋକ ରହୁଥିବା ଭାରତରେ ଗତ ଏକ ସପ୍ତାହ ମଧ୍ୟରେ ମାତ୍ର ୨୨୩ ଜଣ ସଂକ୍ରମିତ (ବିଶ୍ୱରେ ନୂଆ ସଂକ୍ରମିତଙ୍କ ୦.୦୭୫%) ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ସଚିବ କହିଥିଲେ, ଦେଶବ୍ୟାପୀ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହେବାର ଦୈନିକ ହାରାହାରୀ ସଂଖ୍ୟାକୁ ୫୦ ତଳେ ରଖିବାରେ ସଫଳତା ମିଳିଛି। ସେହିପରି ସାପ୍ତାହିକ ସଂକ୍ରମଣ ହାରକୁ ୦.୨% ସ୍ତରରେ ରଖିବାରେ ଭାରତ ସଫଳ ହୋଇଛି। ଭାରତରେ ପ୍ରସାରିତ ହେଉଥିବା ବିଭିନ୍ନ କରୋନା ଭୂତାଣୁ ପ୍ରତିରୂପ ଜିନ୍‌ ଅନୁଶୀଳନ ବା ଜିନୋମ୍‌ ସିକୁଏନ୍ସିଂ ସମ୍ପର୍କରେ ବୈଠକରେ ସୂଚନା ଦିଆଯାଇଥିଲା।

ସବିଶେଷ ଆଲୋଚନା ଓ ସମୀକ୍ଷା ପରେ ଡକ୍ଟର ପି.କେ. ମିଶ୍ର କହିଥିଲେ ଯେ, ଦେଶରେ କୋଭିଡ-୧୯ ସ୍ଥିତି ସ୍ଥିର ରହିଛି ଏବଂ ଜନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି। ତେବେ ରାଜ୍ୟମାନେ ଆଇଏଲଆଇ/ଏସଏଆରଆଇ (ଥଣ୍ଡା, ସର୍ଦ୍ଦି, ଶ୍ୱାସରୋଗ ଜନିତ ଅସୁସ୍ଥତା) ପୀଡ଼ିତ ଲୋକଙ୍କ ଉପରେ ଧ୍ୟାନ ଦେବା, କୋଭିଡ-୧୯ ପରୀକ୍ଷା ପାଇଁ ଯଥେଷ୍ଟ ନମୁନା ପଠାଇବା ସହିତ ସମ୍ପୂର୍ଣ୍ଣ ଜିନ ଅନୁଶୀଳନ ଏବଂ ବିଶ୍ୱସ୍ତରରେ ନୂଆ କରୋନା ଭୂତାଣୁ ପ୍ରତିରୂପ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

Categories
ଜାତୀୟ ଖବର ବିଶେଷ ଖବର

ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିର ସମୀକ୍ଷା ପାଇଁ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନ ୭ଏଲ୍‍କେଏମ୍‍ରେ ଆସନ୍ତା ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିର ସମୀକ୍ଷା ଲାଗି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି।

ଆସନ୍ତା କିଛି ମାସ ପାଇଁ ଭାରତୀୟ ପାଣିପାଗ ବିଭାଗର (ଆଇଏମଡି)ର ପାଣିପାଗ ପୂର୍ବାନୁମାନ ଏବଂ ସାଧାରଣ ମୌସୁମୀର ସମ୍ଭାବନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। ରବି ଫସଲ ଉପରେ ପାଣିପାଗର ପ୍ରଭାବ ଏବଂ ପ୍ରମୁଖ ଫସଲର ଆଶା କରାଯାଉଥିବା ଅମଳ ବିଷୟରେ ତାଙ୍କୁ ଅବଗତ କରାଯାଇଥିଲା। ଜଳସେଚନ ପାଇଁ ଜଳ ଯୋଗାଣ, ପଶୁଖାଦ୍ୟ ଏବଂ ପାନୀୟ ଜଳ ଉପରେ ନଜର ରଖିବା ପାଇଁ ଚାଲିଥିବା ପ୍ରୟାସର ସମୀକ୍ଷା କରାଯାଇଥିଲା। ଏହାଛଡା ଆବଶ୍ୟକ ସାମଗ୍ରୀର ଉପଲବ୍ଧତା ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତି ସମ୍ବନ୍ଧରେ ରାଜ୍ୟ ତଥା ଡାକ୍ତରଖାନା ଭିତ୍ତିଭୂମି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। ଗ୍ରୀଷ୍ମ ପ୍ରଦାହ ଜନିତ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ହେବା ଲାଗି ସାରା ଦେଶରେ ଚାଲିଥିବା ବିଭିନ୍ନ ପ୍ରୟାସ ସଂକ୍ରାନ୍ତରେ ତାଙ୍କୁ ଅବଗତ କରାଯାଇଥିଲା।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନାଗରିକଙ୍କ ସମେତ ବିଭିନ୍ନ ହିତାଧିକାରୀଙ୍କ ପାଇଁ ପୃଥକ ସଚେତନତା ସାମଗ୍ରୀ ପ୍ରସ୍ତୁତ କରାଯିବା ଉଚିତ; ଡାକ୍ତର; ପୌରପାଳିକା ଏବଂ ପଞ୍ଚାୟତ କର୍ତ୍ତୃପକ୍ଷ; ବିପର୍ଯ୍ୟୟ ମୁକାବିଲା ଦଳ ଯେପରିକି ଅଗ୍ନିଶମ କର୍ମଚାରୀ ଇତ୍ୟାଦି। ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ପିଲାମାନେ କିଭଳି ମୁକାବିଲା କରିପାରିବେ ସେଥିପାଇଁ ସେମାନଙ୍କୁ ସଚେତନ ଲାଗି ବିଦ୍ୟାଳୟରେ ମଲ୍ଟିମିଡ଼ିଆ ବକ୍ତୃତା ଆୟୋଜନ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତପ୍ତ ପାଣିପାଗ ପାଇଁ ପ୍ରୋଟୋକଲ୍ ଅନୁଯାୟୀ କଣ କରାଯିବା ଉଚିତ୍‍ ଓ କରାନଯିବା ଉଚିତ୍‍ ତାହା ଉପଲବ୍ଧ ଫର୍ମାଟରେ ପ୍ରସ୍ତୁତ କରାଯିବା ଆବଶ୍ୟକ ଏବଂ ଜିଙ୍ଗଲ୍‌, ଚଳଚ୍ଚିତ୍ର, ପାମ୍ପଲେଟ୍ ଇତ୍ୟାଦି ପ୍ରଚାରର ବିଭିନ୍ନ ଧାରା ମଧ୍ୟ ପ୍ରସ୍ତୁତ କରାଯିବା ଉଚିତ।

ପ୍ରଧାନମନ୍ତ୍ରୀ ଆଇଏମଡିକୁ ଦୈନିକ ପାଣିପାଗ ପୂର୍ବାନୁମାନ ଜାରି କରିବାକୁ କହିଥିଲେ ଯାହାକୁ ସହଜରେ ବ୍ୟାଖ୍ୟା ଏବଂ ପ୍ରସାର କରାଯାଇପାରିବ। ଏହା ମଧ୍ୟ ଆଲୋଚନା କରାଯାଇଥିଲା ଯେ ଟିଭି ନ୍ୟୁଜ୍ ଚ୍ୟାନେଲ, ଏଫଏମ ରେଡିଓ ଇତ୍ୟାଦି ଦୈନିକ ପାଣିପାଗର ପୂର୍ବାନୁମାନକୁ ଏପରି ଢଙ୍ଗରେ ବୁଝାଇବା ପାଇଁ ପ୍ରତିଦିନ କିଛି ମିନିଟ୍ ସମୟ ଦେବେ ଯାହା ନାଗରିକମାନଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କ୍ଷେତ୍ରରେ ସହାୟକ ହେବ।

ସମସ୍ତ ଡାକ୍ତରଖାନାର ବିସ୍ତୃତ ଅଗ୍ନି ନିରାପତ୍ତା ଅଡିଟ୍‌ର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଏବଂ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସମସ୍ତ ଡାକ୍ତରଖାନାରେ ମକ୍ ଫାୟାର ଡ୍ରିଲ କରିବାକୁ କହିଛନ୍ତି। ଜଙ୍ଗଲ ଅଗ୍ନିକାଣ୍ଡର ମୁକାବିଲା ପାଇଁ ଏକ ସମନ୍ୱିତ ପ୍ରୟାସର ଆବଶ୍ୟକତା ମଧ୍ୟ ଦର୍ଶାଯାଇଛି। ଜଙ୍ଗଲ ଅଗ୍ନିକାଣ୍ଡକୁ ରୋକିବା ଏବଂ ଏହାର ମୁକାବିଲା ପାଇଁ ପ୍ରୟାସକୁ ସମର୍ଥନ କରିବା ଲାଗି ଢାଞ୍ଚାଗତ ପରିବର୍ତ୍ତନ କରାଯିବା ଉପରେ ଆଲୋଚନା ହୋଇଥିଲା।

ପ୍ରଧାନମନ୍ତ୍ରୀ ପଶୁଖାଦ୍ୟ ଏବଂ ଜଳଭଣ୍ଡାରରେ  ଜଳର ଉପଲବ୍ଧତା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିକୂଳ ପାଣିପାଗ ସ୍ଥିତିରେ ଶସ୍ୟର ସର୍ବୋଚ୍ଚ ସଂରକ୍ଷଣ ନିଶ୍ଚିତ କରିବାକୁ ଭାତରୀୟ ଖାଦ୍ୟ ନିଗମକୁ କୁହାଯାଇଛି।

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସଚିବ, କୃଷି ଏବଂ କୃଷକ କଲ୍ୟାଣ ବିଭାଗର ସଚିବ, ଭୂ ବିଜ୍ଞାନ ବିଭାଗ ସଚିବ ଏବଂ ଏନଡିଏମଏର ସଦସ୍ୟ ସଚିବ ଅଂଶଗ୍ରହଣ କରିଥିଲେ।

Categories
ବିଶେଷ ଖବର

କୋଭିଡ ମୁକାବିଲା ପାଇଁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ସ୍ଥିତି ଏବଂ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଦେଶର କୋଭିଡ -୧୯ ପରିସ୍ଥିତି, ସ୍ୱାସ୍ଥ୍ୟ ଭିତ୍ତିଭୂମି ତଥା ପ୍ରସ୍ତୁତି, ଦେଶରେ ଟିକାକରଣ ଅଭିଯାନର ସ୍ଥିତି ଏବଂ ନୂତନ କୋଭିଡ -୧୯ ପ୍ରକାରର ଉତ୍ପତ୍ତି ଏବଂ ଜନସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କେତେକ ଦେଶରେ କୋଭିଡ-୧୯ ମାମଲାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ଅନୁଷ୍ଠିତ ହୋଇଛି।

ସ୍ୱାସ୍ଥ୍ୟ ସଚିବ ଏବଂ ନୀତି ଆୟୋଗର ସଦସ୍ୟଙ୍କ ଦ୍ୱାରା ଦେଶରେ ବୃଦ୍ଧି ପାଉଥିବା ମାମଲା ସମେତ ବିଶ୍ୱରେ କୋଭିଡ -୧୯ ପରିସ୍ଥିତିକୁ ନେଇ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ ଭାରତରେ ୨୨ ଡିସେମ୍ବର, ୨୦୨୨ ରେ ଶେଷ ହୋଇଥିବା ସପ୍ତାହରେ ଦୈନିକ ହାରାହାରି ମାମଲା ସଂଖ୍ୟା ୧୫୩ କୁ ଏବଂ ସାପ୍ତାହିକ ପଜିଟିଭ ହାର ୦.୧୪% ନିୟମିତ ହ୍ରାସ ପାଇବାରେ ଲାଗିଛି। ତେବେ ଗତ ୬ ସପ୍ତାହ ମଧ୍ୟରେ ସମଗ୍ର ବିଶ୍ୱରେ ହାରାହାରି ଦୈନିକ ୫.୯ ଲକ୍ଷ ମାମଲା ରିପୋର୍ଟ ହେଉଛି।

ପ୍ରଧାନମନ୍ତ୍ରୀ ଆତ୍ମସନ୍ତୋଷ ବିରୋଧରେ ଚେତାବନୀ ଦେଇଛନ୍ତି ଏବଂ କଡାକଡି ଭାବେ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। ସେ ଦୋହରାଇଛନ୍ତି ଯେ କୋଭିଡ ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ ଏବଂ ବିଶେଷ କରି ଅନ୍ତର୍ଜାତୀୟ ବିମାନବନ୍ଦରରେ ଚାଲିଥିବା ନୀରିକ୍ଷଣ ପଦକ୍ଷେପକୁ ଦୃଢ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସବୁ ସ୍ତରରେ କୋଭିଡ ଯନ୍ତ୍ରପାତି, ପ୍ରସ୍ତୁତି ପ୍ରକ୍ରିୟା ଏବଂ ମାନବ ସମ୍ବଳ ଦୃଷ୍ଟିରୁ ଭିତ୍ତିଭୂମିକୁ ଏକ ଉଚ୍ଚ ସ୍ତରରେ ପ୍ରସ୍ତୁତି ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଅମ୍ଳଜାନ ସିଲିଣ୍ଡର, ପିଏସ୍‍ଏ ପ୍ଲାଣ୍ଟ, ଭେଣ୍ଟିଲେଟର ଏବଂ ମାନବ ସମ୍ବଳ ସମେତ ହସ୍ପିଟାଲ ଭିତ୍ତିଭୂମିର କାର୍ଯ୍ୟ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ କୋଭିଡ ପାଇଁ ଥିବା ବ୍ୟବସ୍ଥାଗୁଡିକର ଅଡିଟ୍ କରିବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

ପରୀକ୍ଷା ଏବଂ ଜେନୋମିକ୍ ସିକ୍ୱେନ୍ସିଂ ବଢାଇବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟମାନଙ୍କୁ ଜେନୋମ ସିକ୍ୱେନ୍ସିଂ ପାଇଁ ର୍ନିଦ୍ଦିଷ୍ଟ ଆଇଏନଏସଏସିଓଜି ଜେନୋମ ସିକ୍ୱେନ୍ସିଂ ପରୀକ୍ଷାଗାର (ଆଜିଏସଏଲଏସ) ସହିତ ଅଧିକ ସଂଖ୍ୟକ ନମୂନା ପଠାଇବାକୁ କୁହାଯାଇଛି। ଏହା ସଠିକ୍ ସମୟରେ ଏହି ନୂତନ ପ୍ରଜାତିକୁ ଚିହ୍ନଟ କରିପାରିବ, ଯଦି ଏହା ଥାଏ, ତେବେ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ସହଜ ହେବ।

ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ କୋଭିଡ ଉପଯୁକ୍ତ ଆଚରଣ ପାଳନ ବିଶେଷ କରି ଆଗାମୀ ଉତ୍ସବ ଋତୁକୁ ଦୃଷ୍ଟିରେ ରଖି ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ ବିଶେଷ ଭାବରେ ସମ୍ବେଦନଶୀଳ ଏବଂ ବୟସ୍କ ବର୍ଗଙ୍କ ପାଇଁ ସତର୍କତାର ଡୋଜ୍‍ ଫଳପ୍ରଦ ହୋଇପାରେ।

ଔଷଧ, ଟିକା ଏବଂ ଡାକ୍ତରଖାନା ଶଯ୍ୟା ସମ୍ବନ୍ଧରେ ପର୍ଯ୍ୟାପ୍ତ ଉପଲବ୍ଧତା ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। ଅତ୍ୟାବଶ୍ୟକ ଔଷଧର ଉପଲବ୍ଧତା ଏବଂ ମୂଲ୍ୟ ଉପରେ ନିୟମିତ ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

ସମୁଖ ଭାଗରେ ରହି କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସର୍ବଭାରତୀୟ ସ୍ତରରେ ପ୍ରଶଂସିତ କାର୍ଯ୍ୟକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ସମାନ ନିଃସ୍ୱାର୍ଥପର ତଥା ଉତ୍ସର୍ଗୀକୃତ ଢଙ୍ଗରେ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ; ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର; ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀନ ପାୱାର; ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର, ନୀତି ଆୟୋଗ ସିଇଓ ପରମେଶ୍ୱରନ୍ ଆୟର, ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପାଲ; କ୍ୟାବିନେଟ ସଚିବ ରାଜୀବ ଗୌବା; ପିଏମଓ ଉପଦ୍ଦେଷ୍ଟା ଅମିତ ଖେର; ଗୃହ ସଚିବ ଏ କେ ଭଲ୍ଲା;  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ, ସଚିବ (ଡିଏଚଆର) ଡକ୍ଟର ରାଜୀବ ବାହଲ, ସଚିବ ଫାର୍ମାସ୍ୟୁଟିକାଲ୍ସ (ଆଇ / ସି) ଅରୁଣ ବାରୋକାଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଏନସିଏମସି ବୈଠକରେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା

ନୂଆଦିଲ୍ଲୀ: ଜାତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (ଏନସିଏମସି) ବୈଠକରେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କରାଯାଇଛି। କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ଏଜେନ୍ସି ସମେତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ଏହି ବୈଠକରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ସମୁଦ୍ରରେ ବର୍ତ୍ତମାନର ପାଣିପାଗ ସ୍ଥିତି ବିଷୟରେ ସୂଚନା ଦେଇ କହିଥିଲେ ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଉତ୍ତର ଦିଗକୁ ଗତି କରିବ। ୨୪ ଅକ୍ଟୋବରରେ ଏହା ଏକ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ପରେ ଏହା ଉତ୍ତର ପୂର୍ବ ଦିଗକୁ ଗତି କରିବ ଏବଂ ୨୫ ଅକ୍ଟୋବରରେ ଉପକୂଳ ଓଡ଼ିଶା ପାଖ ଦେଇ ପଶ୍ଚିମବଙ୍ଗ-ବାଂଲାଦେଶରେ ଉପକୂଳରେ ପହଞ୍ଚିବ। ୨୫ ଅକ୍ଟୋବର ମଧ୍ୟରାତ୍ରୀ ବେଳକୁ ଏହା ବାଂଲାଦେଶ ଏବଂ ନିକଟବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ନିକୋବାର ଦ୍ବୀପସମୂହର ମୁଖ୍ୟ ଶାସନ ସଚିବ ଏବଂ ଆନ୍ଧ୍ର ପ୍ରଦେଶର ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ବାତ୍ୟାର ଆନୁମାନିକ ପଥରେ ପ୍ରଭାବିତ ହେବାକୁ ଥିବା କ୍ଷେତ୍ରର ଲୋକମାନଙ୍କୁ ସୁରକ୍ଷିତ ରଖିବା ଲାଗି ଗ୍ରହଣ କରାଯାଉଥିବା ପଦକ୍ଷେପ ଏବଂ ସ୍ଥାନୀୟ ପ୍ରଶାସନ ଦ୍ବାରା ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ଓ ପ୍ରସ୍ତୁତି ସମ୍ପର୍କରେ ଏନସିଏମଏସିକୁ ସୂଚନା ଦେଇଥିଲେ। ସେମାନେ କହିଥିଲେ ଯେ ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଯଥାଶୀଘ୍ର ଉପକୂଳକୁ ଫେରି ଆସିବା ଲାଗି ଚେତାଇ ଦିଆଯିବା ସହିତ ଅନ୍ୟମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ଲାଗି ସତର୍କ କରାଇ ଦିଆଯାଇଛି।
ବୈଠକରେ ସୂଚନା ଦିଆଯାଇଥିଲା ଯେ ରାଜ୍ୟମାନଙ୍କରେ ଏନଡିଆରଏଫ ଦଳକୁ ପ୍ରସ୍ତୁତ ରଖାଯାଇଛି ଏବଂ ଅତିରିକ୍ତ ଦଳକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସ୍ଥଳସେନା ଓ ନୌସେନାର ଉଦ୍ଧାର ଏବଂ ସହାୟତା ଦଳକୁ ଜାହାଜ ଓ ବିମାନ ସହିତ ପ୍ରସ୍ତୁତ ରଖାଯାଇଛି।

ରାଜ୍ୟ ଏବଂ କେନ୍ଦ୍ରୀୟ ଏଜେନ୍ସିମାନଙ୍କର ପ୍ରସ୍ତୁତି ସମୀକ୍ଷା କରି ରାଜୀବ ଗୌବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାର ଏବଂ ସମ୍ପୃକ୍ତ କେନ୍ଦ୍ର ସରକାରଙ୍କ ଏଜେନ୍ସିଗୁଡ଼ିକ ଦ୍ବାରା ସତର୍କତାମୂଳକ ଏବଂ ନିରାକରଣଯୋଗ୍ୟ ପଦକ୍ଷେପ ସୁନିଶ୍ଚିତ କରିବା ଉପରେ ଜୋର ଦେଇଥିଲେ। ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ରକ୍ଷା ପ୍ରତି ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି କ୍ୟାବିନେଟ ସଚିବ କହିଥିଲେ। ଶକ୍ତି ଓ ଦୂରସଞ୍ଚାର ଭଳି ଭିତ୍ତିଭୂମି ଓ ସମ୍ପତ୍ତି ହାନିକୁ ସର୍ବନିମ୍ନ ସ୍ତରରେ ରଖିବା ଏବଂ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବା କ୍ଷେତ୍ରରେ ଯଥାସମ୍ଭବ କମ ସମୟ ମଧ୍ୟରେ ମରାମତି କରିବା ଲାଗି ସେ ପରାମର୍ଶ ଦେଇଥିଲେ।
କ୍ୟାବିନେଟ ସଚିବ କହିଥିଲେ ଯେ ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ କୂଳକୁ ଫେରାଇ ଆଣିବା ଉଚିତ୍ ଏବଂ ବାତ୍ୟାପ୍ରବଣ କ୍ଷେତ୍ରରେ ଥିବା ଲୋକମାନଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଆବଶ୍ୟକ। କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା ପକ୍ଷରୁ ଯଥାସମ୍ଭବ ସହାୟତା ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନଙ୍କୁ କ୍ୟାବିନେଟ ସଚିବ ଆଶ୍ବାସନା ଦେଇଥିଲେ।

ଏହି ବୈଠକରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବାର ଦ୍ବୀପସମୂହର ମୁଖ୍ୟ ଶାସନ ସଚିବମାନେ ଯୋଗ ଦେଇଥିଲେ। ଏମାନଙ୍କ ସହିତ ଆନ୍ଧ୍ରପ୍ରଦେଶର ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବ, ଶକ୍ତି ସଚିବ, ଦୂରସଞ୍ଚାର ବିଭାଗର ପ୍ରତିନିଧି, ଏନଡିଏମଏ, ସିଆଇଏସସି ଆଇଡିଏସର ସଦସ୍ୟ ସଚିବ, ଏନଡିଆରଏଫ ଡିଜି, ଆଇଏମଡି ଡିଜି, ତଟରକ୍ଷା ବାହିନୀ ଡିଜି ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ପାଇଁ ଭାରତର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଗୁରୁବାର ଦିନ ମିଶନ ଅଲିମ୍ପିକ୍ସ ସେଲ (ଏମଓସି)ର ବୈଠକରେ ସେ ଏହି ସମୀକ୍ଷା କରିଥିଲେ। ଆସନ୍ତା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୧୫ ଜଣ ଭାରତୀୟ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ।

ଏମଓସି ବୈଠକରେ ପୂର୍ବତନ ଲଙ୍ଗ ଜମ୍ପର ଅଞ୍ଜୁ ବବି ଜର୍ଜ, ପୂର୍ବତନ ହକି ଖେଳାଳୀ ବୀରେନ ରସକିନା, ପୂର୍ବତନ ଟେବୁଲ ଟେନିସ ଖେଳାଳୀ ମୋନାଲିସା ବରୁଆ, ପୂର୍ବତନ କୁସ୍ତିଯୋଦ୍ଧା ଯୋଗେଶ୍ବର ଦତ୍ତ, ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳୀ ତୃପ୍ତି ମୁରଗୁଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରସ୍ତୁତି ସମୀକ୍ଷା କରିବା ସମୟରେ ଶ୍ରୀ ଠାକୁର କହିଥିଲେ ଯେ, ‘‘କ୍ରୀଡ଼ାବିତମାନଙ୍କର ପ୍ରସ୍ତୁତି ଖୁବ୍‌ ଭଲ ଭାବେ ଜାରି ରହିଛି। ଅଲିମ୍ପିକ୍ସ ପରେ ପ୍ରଶିକ୍ଷଣ ଏବଂ ପ୍ରତିଯୋଗିତାର ସ୍ତର ବୃଦ୍ଧି ପାଇବା ଖୁସିର ବିଷୟ ଏବଂ ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସର ସଫଳତାକୁ ଆମେ ବଜାୟ ରଖିପାରିବା ବୋଲି ଆଶା କରାଯାଉଛି।

ସମୀକ୍ଷା ସମୟରେ, ଭାରତର ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଟୋକିଓ ଅଲିମ୍ପିକ୍ସ ୨୦୨୦ ପରେ କ୍ରୀଡ଼ାବିତମାନଙ୍କୁ ଜାତୀୟ ଶିବିରରେ ପ୍ରଶିକ୍ଷଣ ସମେତ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ଦିଆଯାଉଛି ଏବଂ ସେମାନଙ୍କୁ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ପ୍ରଶିକ୍ଷଣର ସୁଯୋଗ ମିଳୁଛି। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଯେଉଁ ବିଭାଗରେ ପ୍ରତିଯୋଗିତା କରିବ ସେସବୁ କ୍ରୀଡ଼ା ବିଭାଗରେ ଅଭିଜ୍ଞତା ହାସଲ କରିବା ପାଇଁ ସରକାର ୧୧୧ଟି କ୍ରୀଡ଼ା ଗସ୍ତର ବ୍ୟବସ୍ଥା କରିସାରିଛନ୍ତି।

ଜାତୀୟ କ୍ରୀଡ଼ା ସଂଗଠନଗୁଡ଼ିକ ମଧ୍ୟ ଜାତୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି।

ଅଲିମ୍ପିକ୍ସ ପରେ ବହୁ ଶୀର୍ଷ କ୍ରୀଡ଼ାବିତମାନେ ସେମାନଙ୍କର ପ୍ରଶିକ୍ଷଣ ଯୋଜନା ଅନୁଯାୟୀ, ସରକାରୀ ଖର୍ଚ୍ଚରେ ବିଦେଶରେ ପ୍ରଶିକ୍ଷଣ ନେଇଛନ୍ତି। ଅଲିମ୍ପିକ୍ସ କ୍ରୀଡ଼ା ପରେ ପ୍ରଶିକ୍ଷଣ ନେବା ଲାଗି ଜାଭେଲିନ ଫିଙ୍ଗାଳୀ ନୀରଜ ଚୋପ୍ରା ଆମେରିକାର ଚୁଲା ଭିସ୍ତା, ତୁର୍କୀର ଆଣ୍ଟାଲ୍ୟା ଏବଂ ଫିନଲାଣ୍ଡ ଗସ୍ତ କରିସାରିଛନ୍ତି। ସେହିପରି ଭାରୋତ୍ତୋଳକାରୀ ମୀରା ବାଇ ଚାନୁ ଆମେରିକାର ସେଣ୍ଟ ଲୁଇସ ଗସ୍ତ କରି ବିଶେଷଜ୍ଞ ପ୍ରଶିକ୍ଷକ ଡକ୍ଟର ଆରୋନ ହୋର୍ସିଗଙ୍କ ଠାରୁ ପ୍ରଶିକ୍ଷଣ ନେଇଛନ୍ତି। ଷ୍ଟିପଲଚେଜର ଅବିନାଶ ସାବଲେ ଏପ୍ରିଲ ୨୦୨୨ରେ ଆମେରିକାର କଲରାଡୋ ସ୍ପ୍ରିଙ୍ଗ ଗସ୍ତ କରି ପ୍ରଶିକ୍ଷକ ସ୍କଟ୍ ସିମୋନ୍ସଙ୍କ ଠାରୁ ପ୍ରଶିକ୍ଷଣ ନେଇଛନ୍ତି। ସାଇକେଲ ଚାଳନା ଦଳ ତିନି ମାସ ପାଇଁ ସ୍ଲୋଭେନିଆ ଓ ପର୍ତ୍ତୁଗାଲରେ ପ୍ରଶିକ୍ଷଣ ନେଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ପୂର୍ବରୁ ଟେବୁଲ ଟେନିସ ଏବଂ ବକ୍ସିଂ ଖେଳାଳୀଙ୍କ ଅଭିଜ୍ଞତା ଅର୍ଜନ ପାଇଁ ପର୍ତ୍ତୁଗାଲ ଏବଂ ଆୟାର୍ଲାଣ୍ଡ ଗସ୍ତର ବ୍ୟବସ୍ଥା କରାଯାଇଛି।

Categories
ବିଶେଷ ଖବର

ଅମରନାଥ ଯାତ୍ରାର ପ୍ରସ୍ତୁତି ସମୀକ୍ଷା: ସୁରକ୍ଷା ଏବଂ ଯାତ୍ରୀମାନଙ୍କର ଆବଶ୍ୟକ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା

ଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଜାମ୍ମୁ – କାଶ୍ମୀରର ଲ୍ୟୁଟନାଂଟ ଗଭର୍ଣ୍ଣର ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ଇଂଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ, ଜମ୍ମୁ – କାଶ୍ମୀର ମୁଖ୍ୟ ସଚିବ ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ଗୁଡିକର ବରିଷ୍ଠ ଅଧିକାରୀ ସମୂହ ଉପସ୍ଥିତ ଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମରନାଥ ଯାତ୍ରା ସମୟରେ ସୁରକ୍ଷା ଏବଂ ତୀର୍ଥଯାତ୍ରୀ ମାନଙ୍କ ନିମନ୍ତେ ଆବଶ୍ୟକ ସୁବିଧାଗୁଡିକ ଉପରେ ମଧ୍ୟ ଦୀର୍ଘ ସମୟ ପାଇଁ ବୈଠକ କରିଥିଲେ। ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍‌, ଜାମ୍ମୁ – କାଶ୍ମୀରର ଲ୍ୟୁଟନାଂଟ ଗଭର୍ଣ୍ଣର ମନୋଜ ସିହ୍ନା, ସେନାଧ୍ୟକ୍ଷ, କେନ୍ଦ୍ର ଗୃହ ସଚିବ, ଇଂଟେଲିଜେନ୍ସ  ବ୍ୟୁରୋର ନିର୍ଦ୍ଦେଶକ, ଜାମ୍ମୁ – କାଶ୍ମୀରର ମୁଖ୍ୟ ସଚିବ ଏବଂ ସୁରକ୍ଷା ଏଜେନ୍ସି ଗୁଡିକର ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ୍ ହୋଇଥିଲେ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ଅମରନାଥ ଯାତ୍ରାରେ ସାମିଲ୍ ହେବାକୁ ଯାଉଥିବା ତୀର୍ଥଯାତ୍ରୀମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ ଏବଂ ସେମାନଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନ ପଡେ ଏହା ମୋଦୀ ସରକାରଙ୍କର ପ୍ରାଥମିକତା ଅଟେ। ଅମିତ ଶାହ ଅମରନାଥ ଯାତ୍ରୀମାନଙ୍କ ପାଇଁ ଯାତାୟତର ସୁବିଧା, ରହିବାର ସୁବିଧା, ବିଦ୍ୟୁତ୍‌, ଜଳ, ଯୋଗାଯୋଗ ଏବଂ ସ୍ୱାସ୍ଥ୍ୟ ସମେତ ସମସ୍ତ ଆବଶ୍ୟକ ସୁବିଧା ଗୁଡିକର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, କୋଭିଡ୍  – ୧୯ ମହାମାରୀ ପରେ ଏହା ପ୍ରଥମ ଯାତ୍ରା ଅଟେ ଏବଂ ଅତ୍ୟଧିକ ଉଚ୍ଚତା କାରଣରୁ ଯଦି ଲୋକମାନଙ୍କୁ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖାଦିଏ, ତେବେ ସେଥିପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ପଡିବ। ଗୃହ ମନ୍ତ୍ରୀ ଯାତ୍ରା ପଥରେ ଊତମ ଯୋଗାଯୋଗ ଏବଂ ସୂଚନା ପ୍ରଦାନ କରିବା ନିମନ୍ତେ ମୋବାଇଲ୍ ଟାୱାର ସଂଖ୍ୟ ବୃଦ୍ଧି କରାଯିବା ପାଇଁ, ଏହା ସହିତ ଭୂସ୍ଖଳନ ହେବା ସ୍ଥିତିରେ ମାର୍ଗକୁ ତୁରନ୍ତ ଖୋଲିବା ନିମନ୍ତେ ମେସିନ୍‌କୁ ନିୟୋଜନ କରିବା ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ସିଲିଣ୍ଡର ଉପଲବ୍ଧ କରିବା ସହିତ ୬୦୦୦ ଫୁଟରୁ ଅଧିକ ଉଚ୍ଚତା ଉପରେ ପର୍ଯ୍ୟାପ୍ତ ଚିକିତ୍ସା ଶଯ୍ୟା ଏବଂ କୌଣସି ପ୍ରକାରର ଆପାତକାଳୀନ ଚିକିତ୍ସାର ସ୍ଥିତି ଉପୁଜିଲେ ସେଥରୁ ଉଦ୍ଧାର ପାଇବା ପାଇଁ ଆମ୍ବୁଲାନ୍ସ ତଥା ହେଲିକପ୍ଟର ନିୟୋଜନ କରିବା ପାଇଁ ମଧ୍ୟ ଶ୍ରୀ ଅମିତ ଶାହ କହିଥିଲେ। ସେ କହିଥିଲେ ଯେ, ଯାତ୍ରୀ ମାନଙ୍କର ସୁବିଧା ନିମନ୍ତେ ଅମରନାଥ ଯାତ୍ରା ସମୟରେ ସବୁ ପ୍ରକାରର ପରିବହନ ସେବାକୁ ବୃଦ୍ଧି କରାଯିବା ଉଚିତ୍।

ବୈଠକରେ ଜାମ୍ମୁ – କାଶ୍ମୀରର ମୁଖ୍ୟ ସଚିବ କହିଥିଲେ ଯେ, ପ୍ରଥମ ଥର ପାଇଁ ପ୍ରତ୍ୟେକ ଅମରନାଥ ଯାତ୍ରୀ ମାନଙ୍କୁ ଏକ ଆର୍‌ଏଫ୍‌ଆଇଡି କାର୍ଡ ପ୍ରଦାନ କରାଯିବ ଏବଂ ପାଂଚ ଲକ୍ଷ ଟଙ୍କାର ବୀମା କରାଯିବ। ଯାତ୍ରା ନିମନ୍ତେ ଟେଂଟ ସିଟି, ଯାତ୍ରା ପଥରେ ୱାଇ – ଫାଇ ହଟ୍‌ସ୍ପଟ୍ ଏବଂ ସମ୍ପୂର୍ଣ୍ଣ ଆଲୋକର ବ୍ୟବସ୍ଥା କରାଯିବ। ଏହା ସହିତ ବାବା ବର୍ଫାନୀଙ୍କର ଅନ୍‌ଲାଇନ୍ ଲାଇଭ୍ ଦର୍ଶନ, ପବିତ୍ର ଅମରନାଥ ଗୁମ୍ଫାରେ ସକାଳ ଏବଂ ସନ୍ଧ୍ୟା ସମୟର ଆରତୀର ସିଧା ପ୍ରସାରଣ ଏବଂ ବେସ୍ କ୍ୟାମ୍ପରେ ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକର ଆୟୋଜନ କରାଯିବ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ବୁଷ୍ଟର ଡୋଜ ଏବଂ କିଶୋରମାନଙ୍କ ଟୀକାକରଣ: ରାଜ୍ୟଗୁଡିକ ସହ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରସ୍ତୁତି ସମୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଏକ କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ଟିକାକରଣ କାର୍ଯ୍ୟକାରୀ କରିବା ନେଇ ଆଲୋଚନା କରାଯାଇଥିଲା। ସେହିପରି ଦୁର୍ବଳ ବର୍ଗର ଲୋକମାନଙ୍କ ପାଇଁ ପ୍ରତିଷେଧକ ଡୋଜ ଦିଆଯିବା ନିମନ୍ତେ ହୋଇଥିବା ପ୍ରସ୍ତୁତି ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ଦୁର୍ବଳ ବର୍ଗଙ୍କ ମଧ୍ୟରେ ସ୍ୱାସ୍ଥ୍ୟସେବା କର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ ସାମିଲ ରହିଛନ୍ତି ଯେଉଁମାନେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ ଡିସେମ୍ବର ୨୦୨୧ରେ କରିଥିବା ଘୋଷଣା ଅନୁଯାୟୀ ୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ସୋମବାର ୩ ଜାନୁଆରୀ, ୨୦୨୨ ତାରିଖ ଠାରୁ ଟିକାକରଣ ଆରମ୍ଭ କରାଯିବ। ଅନ୍ୟପକ୍ଷରେ ଦୁର୍ବଳ ବର୍ଗଙ୍କୁ ତୃତୀୟ ଡୋଜ୍‌ ପ୍ରତିଷେଧକ ଟିକା ସୋମବାର ୧୦ ଜାନୁଆରୀ, ୨୦୨୨ ଠାରୁ ଦିଆଯିବ। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଡିସେମ୍ବର ୨୭, ୨୦୨୧ରେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଥିଲା।

୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ଟିକାକରଣ ସନ୍ଦର୍ଭରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ଏହି ବୟସବର୍ଗର ଜନସଂଖ୍ୟାକୁ କେବଳ ’କୋଭାକ୍ସିନ’ ହିଁ ଦିଆଯିବ। ଏଥିନିମନ୍ତେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ‘କୋଭାକ୍ସିନ’ର ଅତିରିକ୍ତ ଡୋଜ୍‌ ଯୋଗାଇ ଦିଆଯିବ। କେନ୍ଦ୍ର ସରକାର ଆସନ୍ତା କିଛିଦିନ ମଧ୍ୟରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ‘କୋଭାକ୍ସିନ’ ଯୋଗାଣ ସାରଣୀ ଯୋଗାଇଦେବେ। ଏହାର ସମ୍ଭାବ୍ୟ ହିତାଧିକାରୀ ଜାନୁଆରୀ ୧ ତାରିଖ ଠାରୁ କୋୱିନ ପ୍ଲାଟଫର୍ମରେ ଅନଲାଇନ ପଞ୍ଜୀକରଣ କରାଇପାରିବେ କିମ୍ବା ଜାନୁଆରୀ ୩ ତାରିଖ ଠାରୁ ଟିକାକରଣ ଆରମ୍ଭ ହେବା ପରେ ନିଜେ ଟିକା କେନ୍ଦ୍ରକୁ ଯାଇ ୱାକ୍‌ଇନ ଅଫଲାଇନ ପଞ୍ଜୀକରଣର ଲାଭ ନେଇପାରିବେ। ଯେଉଁମାନଙ୍କର ଜନ୍ମ ୨୦୦୭ କିମ୍ବା ତା’ପୂର୍ବରୁ ହୋଇଛି କେବେଳ ସେହିମାନେ ହିଁ ଏହି ଶ୍ରେଣୀ ଅଧୀନରେ ଟିକା ନେବା ପାଇଁ ଯୋଗ୍ୟ ଅଟନ୍ତି।

୧୫-୧୮ ବର୍ଷ ବୟସ ବର୍ଗଙ୍କ ଟିକାକରଣ ସଂକ୍ରାନ୍ତରେ ସମସ୍ତ ନିର୍ଦ୍ଧାରିତ ପ୍ରୋଟୋକଲ ପାଳନ କରାଯିବ। ହିତାଧିକାରୀମାନଙ୍କୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ଏହି ସମୟରେ ଏଇଏଫଆଇ ପାଇଁ ସେମାନଙ୍କର ଅନୁଧ୍ୟାନ କରାଯିବ। ୨୮ ଦିନ ପରେ ହିଁ ସେମାନେ ଦ୍ୱିତୀୟ ଡୋଜ୍‌ ନେବା ପାଇଁ ଯୋଗ୍ୟ ହେବେ। ରାଜ୍ୟମାନେ ୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରିପାରିବେ। ଏ ସମ୍ପର୍କରେ ରାଜ୍ୟମାନଙ୍କୁ ସୂଚନା ଦିଆଯାଇଛି ଯାହାକି କୋୱିନ ପ୍ଲାଟଫର୍ମରେ ପ୍ରଦର୍ଶିତ କରାଯାଇଛି। ସ୍ୱତନ୍ତ୍ର ସମର୍ପିତ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା ହେବା ଫଳରେ ଟିକାକରଣରେ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ। ୧୫-୧୮ ବର୍ଷ ପିଲା ଏବଂ ଅନ୍ୟ ବୟସ ବର୍ଗର ପିଲାମାନଙ୍କୁ ଟିକା ଦେବା କ୍ଷେତ୍ରରେ ଯେପରି କୌଣସି ଭ୍ରମ ସୃଷ୍ଟି ନହେବ ତାହା ସୁନିଶ୍ଚିତ କରିବା ଲାଗି ରାଜ୍ୟମାନଙ୍କୁ ଭିନ୍ନ ଟିକାକରଣ ଦଳ ଓ ଭିନ୍ନ ଧାଡ଼ି ବ୍ୟବସ୍ଥା କରିବା ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା। ପିଲାଙ୍କ ପାଇଁ ଅଲଗା ଓ ବୟସ୍କଙ୍କ ପାଇଁ ଅଲଗା ଧାଡ଼ି ରହିବ। ଯାହାଫଳରେ ଟିକାକରଣ କ୍ଷେତ୍ରରେ ଦ୍ୱନ୍ଦ୍ୱାତ୍ମକ ସ୍ଥିତିକୁ ଦୂର କରାଯାଇ ଏହାକୁ ସୁବ୍ୟବସ୍ଥିତ କରାଯାଇପାରିବ।

ଟିକାର ପ୍ରତିଷେଧକ ଡୋଜ୍‌ ପ୍ରଦାନ କରାଯିବାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ। ହିତାଧିକାରୀ ଦ୍ୱିତୀୟ ଡୋଜ କୋଭିଡ ପ୍ରତିଷେଧକ ଟିକା ନେବାର ୯ ମାସ (୩୯ ସପ୍ତାହ) ପରେ ପ୍ରତିଷେଧକ ଡୋଜ୍‌ ନେବାକୁ ଯୋଗ୍ୟ ହୋଇପାରିବେ। ପୂର୍ବରୁ କୌଣସି ରୋଗରେ ପୀଡ଼ିତ ହିତାଧିକାରୀମାନଙ୍କୁ ଟିକା ନେବା ଲାଗି ଡାକ୍ତରୀ ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ମିଥ୍ୟା ସୂଚନାକୁ ଖଣ୍ଡନ କରି ସ୍ୱାସ୍ଥ୍ୟ ସଚିବ ସ୍ପଷ୍ଟ ଭାବେ କହିଥିଲେ ଯେ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ କୌଣସି ନିର୍ଦ୍ଦେଶ ଜାରି କରିନାହାନ୍ତି। ପ୍ରତିଷେଧକ ଟିକା ନେବାକୁ ଆସିବା ସମୟରେ ଡାକ୍ତରଙ୍କ ସୁପାରିସପତ୍ର/ପ୍ରମାଣପତ୍ର ସାଙ୍ଗରେ ଆଣିବା ବାଧ୍ୟତାମୂଳକ ନୁହେଁ। ସେ ଏହା ମଧ୍ୟ କହିଥିଲେ ଯେ ପ୍ରତିଷେଧକ ଡୋଜ ନେବା ଲାଗି ଯୋଗ୍ୟ ହୋଇଥିବା ସବୁ ଲୋକମାନଙ୍କୁ କୋୱିନ ଏକ ରିମାଇଣ୍ଡର ବାର୍ତ୍ତା ପଠାଇବ ଏବଂ ପ୍ରତିଷେଧକ ଟିକା ସେମାନଙ୍କ ଡିଜିଟାଲ ଟିକାକରଣ ପ୍ରମାଣପତ୍ରରେ ମଧ୍ୟ ପ୍ରତିଫଳିତ ହେବ।

୧୫ରୁ ୧୮ ବର୍ଷ ବୟସ୍କ ହିତାଧିକାରୀଙ୍କ ଟିକାକରଣ ପାଇଁ ସ୍ୱାସ୍ଥ୍ୟ କର୍ମୀ ଏବଂ ଟିକାକରଣ ଦଳର ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପରାମର୍ଶ ଦିଆଯାଇଛି। ଏହି ବୟସ ବର୍ଗଙ୍କ ଟିକାକରଣ ପାଇଁ ନିର୍ଦ୍ଧାରିତ ସମର୍ପିତ ଅଧିବେଶନ ସ୍ଥଳୀ ଚିହ୍ନଟ କରିବା ଲାଗି ମଧ୍ୟ କୁହାଯାଇଛି। ଚିହ୍ନଟ କରାଯାଇଥିବା ଅଧିବେଶନ ସ୍ଥଳୀରେ କୋଭାକ୍ସିନ ବିତରଣ ଲାଗି ଅଗ୍ରୀମ ଆକାରରେ ଉଚିତ୍‌ ଯୋଜନା ପ୍ରସ୍ତୁତ କରିବା ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଟିକା ଦିଆଯିବା ସମୟରେ ଟିକାର ମିଶ୍ରଣକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର, ଭିନ୍ନ ଅଧିବେଶନ ସ୍ଥଳ, ଭିନ୍ନ ଧାଡ଼ି (ସେହି କେନ୍ଦ୍ରରେ ବୟସ୍କଙ୍କ ଟିକାକରଣ କରାଯାଉଥିଲେ) ଏବଂ ଭିନ୍ନ ଟିକାକରଣ ଦଳ ପ୍ରସ୍ତୁତ ରଖିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କୁହାଯାଇଥିଲା। କୋୱିନ ଟିକା ଉପଯୋଗ କରୁଥିବା ହିତାଧିକାରୀଙ୍କ ଜିଲ୍ଲାୱାରୀ ଆକଳନ କରି ଟିକା ଡୋଜର ଆବଶ୍ୟକତା ସମ୍ପର୍କରେ ସୂଚନା ଦେବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଯେଉଁସବୁ ସ୍ଥାନରେ ୧୫ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଟିକା ଦିଆଯିବ ସେ ସମ୍ପର୍କରେ ପ୍ରଚାର ପ୍ରସାର କରିବା ଲାଗି କୁହାଯାଇଥିଲା। ଏସବୁ ହିତାଧିକାରୀମାନଙ୍କୁ ଟିକା ଦିଆଯିବାକୁ ରାଜ୍ୟମାନଙ୍କୁ ଯଥେଷ୍ଟ ସଂଖ୍ୟାରେ ଟିକା ଯୋଗାଇ ଦିଆଯିବ।

ଏହି ବୈଠକରେ ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ଡ. ମନୋହର ଅଗ୍ନାନୀ, ଯୁଗ୍ମ ସଚିବ (ସ୍ୱାସ୍ଥ୍ୟ) ବିଶାଳ ଚୌହାନଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ଏବଂ ରାଜ୍ୟ ନିରୀକ୍ଷଣ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଓମିକ୍ରନ ପ୍ରଜାତି ସଂକ୍ରମଣ ପରିପ୍ରେକ୍ଷୀରେ କେନ୍ଦ୍ରର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହ ପ୍ରସ୍ତୁତି ସମୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ କୌଣସି କୋହଳତା ଅବଲମ୍ବନ ନ କରି କୋଭିଡ-୧୯ ଓ ଏହାର ଅନ୍ୟାନ୍ୟ ପ୍ରଜାତି (ଓମିକ୍ରନ ସମେତ)ର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛି। ଏଠାରେ ସୂଚନାଯୋଗ୍ୟ ଯେ ନଭେମ୍ବର ୨୬, ୨୦୨୧ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓମିକ୍ରନକୁ ଉଦ୍ବେଗଜନକ ପ୍ରଜାତିର ଆଖ୍ୟା ଦେଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି (୨୩.୧୨.୨୧) ବିଭିନ୍ନ ରାଜ୍ୟର କୋଭିଡ-୧୯ ସହ ଓମିକ୍ରନ ପ୍ରଜାତିର ମୁକାବିଲା, ଟିକାକରଣ ଅଗ୍ରଗତି ନେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଓ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର NHM ପରିଚାଳନା ନିର୍ଦ୍ଦେଶକମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମୀକ୍ଷା କରିଥିଲେ। ସେ କୋଭିଡର ବ୍ୟାପକତା ସହ କୋଭିଡ-୧୯ ଓମିକ୍ରନ ପ୍ରଜାତିର ବିଶ୍ୱ ବ୍ୟାପୀ କ୍ରମବର୍ଦ୍ଧିଷ୍ଣୁ ମାମଲାଗୁଡିକ ଉପରେ ମଧ୍ୟ ଆଲୋପାତ କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଥିଲେ ଯେ, ସ୍ଥାନୀୟ ସଙ୍ଗରୋଧ ପଦକ୍ଷେପ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନିକ କ୍ଷେତ୍ରରେ ଯେଉଁଠି ପଜିଟିଭି ସଂଖ୍ୟା ଶତକଡା ୧୦ଭାଗ ଓ ଅମ୍ଳଜାନଯୁକ୍ତ ଶଯ୍ୟାର ଚାହିଦା ଶତକଡା ୪୦ରୁ ଅଧିକ ହେବ ନିଆଯିବ। ତେବେ ସ୍ଥାନୀୟ ପରିସ୍ଥିତି ଓ ଜନସଂଖ୍ୟ। ଘନତ୍ୱ ଇତ୍ୟାଦି ବିଚାରକୁ ନେଇ ବା ଓମିକ୍ରନ ସଂକ୍ରମଣର ଅଧିକ ସମ୍ଭାବନାକୁ ନେଇ ରାଜ୍ୟର କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସେମାନଙ୍କ ସଂଗରୋଧ ଓ ଆବଦ୍ଧାଞ୍ଚଳ ସଂଖ୍ୟା ବୃଦ୍ଧି କରିପାରିବେ। ଯେକୌଣସି କଟକଣା ଅନୂନ୍ୟ ୧୪ଦିନ ପାଇଁ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି। ଓମିକ୍ରନ ସଂକ୍ରମଣ ଲକ୍ଷଣ ମାମୁଲି ଥଣ୍ଡା କାଶ ସତ୍ତ୍ୱେ ଦୁଇ ବା ତିନିଗୁଣ ଅଧିକ ସଂକ୍ରମଣ କ୍ଷମତା ଯୋଗୁଁ କୋଭିଡ ଆବଦ୍ଧାଞ୍ଚଳ ନିୟମ ମଧ୍ୟ ଏ କ୍ଷେତ୍ରରେ ଲାଗୁ ହେବ।
ନିକଟରେ ଦେଖାଯାଇଥିବା ଓମିକ୍ରନର ମୁକାବିଲା ନିମନ୍ତେ ନିମ୍ନୋକ୍ତ
ସୂତ୍ରୀ ରଣନୀତ ଉପରେ ଗୁରୁତ୍ୱ ଆରୋପ କରାଯାଇଛି।

ଆବଦ୍ଧାଞ୍ଚଳ ନିମନ୍ତେ ରାଜ୍ୟଗୁଡିକୁ ପରାମର୍ଶ ହେଲା

ରାତ୍ରୀ କର୍ଫ୍ୟୁ ଲାଗୁ ଓ ବିରାଟ ସମାବେଶ ଉପରେ କଡା କଟକଣା ବିଶେଷ କରି ଆସୁଥିବା ପର୍ବପର୍ବାଣୀ ଦୃଷ୍ଟିରୁ।

ନୂତନ ଗୋଷ୍ଠୀ ସଂକ୍ରମଣ ବ୍ୟାପିଲେ ଆଶୁ ଆବଦ୍ଧାଞ୍ଚଳ ଓ ବଫର ଜୋନର ବିଜ୍ଞପ୍ତି

ମାର୍ଗଦର୍ଶିକା ଅନୁସାରେ ଆବଦ୍ଧାଞ୍ଚଳକୁ ସୁନିଶ୍ଚିତ ଭାବେ ନିୟନ୍ତ୍ରଣ କରିବା।

ସମସ୍ତ ଗୋଷ୍ଠୀ ସଂକ୍ରମଣ ନମୁନା ଆଇଏନଏସ୍ଏଆଇଓଜି ପରୀକ୍ଷାଗାରକୁ ଅବିଳମ୍ବେ ଜିନୋମ ସିକ୍ୟୁଏନ୍ସିଂ ପାଇଁ ପଠାଇବା।

୨. ପରୀକ୍ଷା ଓ ସତର୍କ ନଜର: ରାଜ୍ୟଗୁଡିକୁ ପ୍ରତ୍ୟେକ ଜିଲ୍ଲାର ଡେଲଟା ଓ ଓମିକ୍ରନ ମାମଲାଗୁଡିକ ପ୍ରତି ତୀକ୍ଷ୍ମ ନଜର ରଖିବାକୁ କୁହାଯାଇଛି। ପଜିଟିଭ ମାମଲାଗୁଡିକୁ ଦିନିକିଆ ଓ ସପ୍ତାହିକୀ ଭିତ୍ତିରେ ଦେଖିବା ସହ ଓ ନୂତନ ଗୋଷ୍ଠୀ ସଂକ୍ରମଣର ଅଞ୍ଚଳରେ ସଂଗରୋଧ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି।

ଏଥିସହ ନିମ୍ନ ଲିଖିତ ବିଷୟ ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି:-

ଆଇସିଏମଆର ଓ MoHFW ମାର୍ଗଦର୍ଶିକା ଅନୁସାରେ ନମୁନା ପରୀକ୍ଷଣ

ଆବଦ୍ଧାଞ୍ଚଳରେ ଘରକୁ ଘର ବୁଲି ମାମଲା ଖୋଜା।

ସମସ୍ତ SARI/ILI ଓ ସାଂଘାତିକ ଲକ୍ଷଣ ଯୁକ୍ତ ରୋଗୀଙ୍କ ପରୀକ୍ଷା।

RT-PCR: RAT ୬୦:୪୦ ଅନୁପାତ ପରିବର୍ତ୍ତେ ପ୍ରତିଦିନ ନମୁନା ପରୀକ୍ଷଣକୁ ୭୦:୩୦ରେ କରିବାକୁ ପରାମର୍ଶ।

ସମସ୍ତ କୋଭିଡ ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଚିହ୍ନଟ ଓ ସେମାନଙ୍କ ସମୟାନୁଯାୟୀ ପରୀକ୍ଷଣ। ଏଗୁଡିକକୁ ବିଶେଷକରି ଗୋଷ୍ଠୀ ସଂକ୍ରମଣ ସ୍ଥାନରେ ଅଧିକ ସତର୍କତା ସହ କରାଯିବା ଦରକାର।

ଆନ୍ତର୍ଜାତିକ ଯାତ୍ରୀମାନଙ୍କ ଗତିବିଧି ଲକ୍ଷ୍ୟ ପାଇଁ ଏୟାର ସୁବିଧା ପୋର୍ଟାଲ ଅନୁସରଣ।

୩. କ୍ଲିନିକାଲ ପରିଚାଳନା- ଓମିକ୍ରନ ପାଇଁ ବର୍ତ୍ତମାନର ଜାତୀୟ କ୍ଲିନିକାଲ ପରିଚାଳନା ମାର୍ଗଦର୍ଶିକା ଅପରିବର୍ତ୍ତିତ ରହିଛି ବୋଲି ରାଜ୍ୟମାନଙ୍କୁ ଜଣାଇ ଦିଆଯାଇଛି।

ସେମାନଙ୍କୁ ନିମ୍ନଲିଖିତ ପରାମର୍ଶମାନ ଦିଆଯାଇଛି।

ଶଯ୍ୟା ସଂଖ୍ୟା ବୃଦ୍ଧି, ଆମ୍ବୁଲାନ୍ସ ଓ ରୋଗୀଙ୍କୁ ସ୍ଥାନାନ୍ତର ପାଇର୍ଁ ବ୍ୟବସ୍ଥା।

ଅମ୍ଳଜାନ ଉପକରଣଗୁଡିକୁ ଚଳନ୍ତି ଅବସ୍ଥାରେ ରଖିବା।

ଅନୂନ୍ୟ ୩୦ଦିନ ପାଇଁ ଅଧିକ ଅତ୍ୟାବଶ୍ୟକ ଔଷଧପତ୍ର ମହଜୁଦ୍ ରଖିବା।

ଯେକୌଣସି ଆପତ୍କାଳୀନ ସ୍ଥିତିର ସମ୍ମୁଖୀନ ହେବା ନିମନ୍ତେ (ECRP-II)ପ୍ୟାକେଜ ଅଧୀନରେ ରୋଗପ୍ରବଣ ଅଞ୍ଚଳରେ ସମସ୍ତ ସୁବିଧା ରଖିବା। ରାଜ୍ୟ ସ୍ୱାସ୍ଥ୍ୟ ସଚିବମାନେ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ନଜର ରଖିବେ।

ଘରୋଇ ଏକାନ୍ତବାସ /ଆବଦ୍ଧାଞ୍ଚଳ ଉପରେ ମାର୍ଗଦର୍ଶିକା ଅନୁସାରେ ନିୟମ କଡାକଡି ଲାଗୁ କରିବା।

ଅନେକ ରାଜ୍ୟ କୋଭିଡ ସୁବିଧା ବନ୍ଦ କରିଦେଇଥିବାବେଳେ ସେମାନେ ସେସବୁ ସୁବିଧାକୁ ପୁନଃ ଠିକ୍ କରିବା ପାଇଁ ଆବଶ୍ୟକ ଡାକ୍ତର ଓ ଆମ୍ବୁଲାନ୍ସ ଇତ୍ୟାଦି କୋଭିଡ ମାମଲା ବଢିବା ମାତ୍ରେ କରିବାକୁ କୁହାଯାଇଛି।

୪. କୋଭିଡ ନିରାପଦ ବ୍ୟବହାର ନିମନ୍ତେ ରାଜ୍ୟଗୁଡିକୁ ନିମ୍ନୋକ୍ତ ପରାମର୍ଶ

ଆଗୁଆ ମୁତୟନ ଓ ସୂଚନା ରଖିଲେ କୌଣସି ଆତଙ୍କ ବା ଗୁଜବ ପ୍ରଚାରିତ ହେବନାହିଁ।

ହସ୍ପିଟାଲ ଓ ପରୀକ୍ଷା ଭିତ୍ତିଭୂମି ଉପରେ ସଠିକ ତଥ୍ୟ ପ୍ରଦାନ।

ନିୟମିତ ସାମ୍ବାଦିକ ସମ୍ମିଳନୀ।

ଗୋଷ୍ଠୀଗତ ଯୋଗାଯୋଗ ଓ କୋଭିଡ ମାର୍ଗଦର୍ଶିକା ପାଳନ।

୫. ଟିକାକରଣ ସମ୍ପର୍କରେ ରାଜ୍ୟଗୁଡିକୁ ପରାମର୍ଶ-

ପ୍ରଥମ ଓ ଦ୍ୱିତୀୟ ମାତ୍ରା ନେଇ ନ ଥିବା ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ।

ଜାତୀୟ ହାରାହାରୀ ଟିକାକରଣଠାରୁ କମ୍ ଜିଲ୍ଲାଗୁଡିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ।

ଜାତୀୟ ଟିକାକରଣ ହାରଠାରୁ କମ୍ ଥିବା ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରେ ଘରକୁ ଘର ବୁଲି ଟିକାକରଣ।

ନିକଟ ଭବିଷ୍ୟତରେ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟରେ ଟିକାକରଣକୁ ବ୍ୟାପକ କରି ଜିଲ୍ଲାଗୁଡିକୁ ପର୍ଯ୍ୟାୟଭୁକ୍ତ କରିବା।

ଟିକାକରଣ କମ୍ ବା କୋଭିଡ କମ୍ ଥିବା ଅଞ୍ଚଳରେ ନୂତନ ଓମିକ୍ରନ ପ୍ରଜାତି ବ୍ୟାପିବା ସମ୍ଭାବନା ଅଧିକ ଦୃଷ୍ଟିରୁ ରାଜ୍ୟଗୁଡିକୁ ସେ ଅଞ୍ଚଳକୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରିବାକୁ ପରାମର୍ଶ ।

ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ ଶ୍ରୀମତୀ ଆରତୀ ଆହୁଜା, ଅତିରିକ୍ତ ସଚିବ ଓ ଅଭିଯାନ ନିର୍ଦ୍ଦେଶକ (ଏନଏଚଏମ୍) ବିକାଶ ଶୀଲ,ସ୍ୱାସ୍ଥ୍ୟ ଯୁଗ୍ମସଚିବ ଡକ୍ଟର ମନଦୀପ ଭଣ୍ଡାରୀ, ଏମ୍ସ ନୂଆଦିଲ୍ଳୀ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ,ଏନସିଡିସି ନିର୍ଦ୍ଦେଶକ ଡକ୍ଟର ସୁଜିତ ସିଂ, ଆଇସିଏମଆର ଏଡିଜି ଡକ୍ଟର ସମୀରଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: ମହାପ୍ରଭୁଙ୍କ ନୀତିକାନ୍ତି ତଥା କୋଭିଡ ନିୟମ ପାଳନ ଉପରେ ଦେଲେ ଗୁରୁତ୍ଵ

ଭୁବନେଶ୍ବର: ଚଳିତ ବର୍ଷ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରୁ ଏହା ଜଣା ଯାଇଛି। ଗତବର୍ଷ ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ଏବର୍ଷ ମଧ୍ୟ ଯେପରି ରଥଯାତ୍ରା ସୁଚାରୁ ରୂପେ ପାଳିତ ହେବ ଏବଂ ଭକ୍ତ ମାନେ ଘରେ ରହି ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ପୁରୀ ସହରବାସୀ, ସେବାୟତ ମାନଙ୍କର ସହଯୋଗ କାମନା କରିଥିଲେ।

ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗତବର୍ଷ ପରି ଏ ବର୍ଷ ମଧ୍ୟ ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଏକ ଅସାଧାରଣ ପରିସ୍ଥିତିରେ ହେବାକୁ ଯାଉଛି। ସାରା ବିଶ୍ଵ ଟେଲିଭିଜନ ଓ ସୋସିଆଲ ମିଡିଆ ମାଧ୍ୟମରେ ହିଁ କାଳିଆ ଠାକୁରଙ୍କୁ ଦର୍ଶନ କରିବେ। ତେଣୁ ମହାପ୍ରଭୁଙ୍କ ନୀତି ଠିକ ସମୟରେ ଶେଷ ହେବା ଦରକାର। ତା ସହିତ କୋଭିଡ ନିୟମକୁ ମଧ୍ୟ ଯାତ୍ରା ସମୟରେ ଠିକ ଭାବରେ ପାଳନ କରାଯିବା ଜରୁରୀ।

କୋଭିଡ଼ ମହାମାରୀ ସମ୍ପର୍କରେ ସଚେତନ କରାଇ ମୁଖ୍ୟମନ୍ତ୍ରୀ କହିଲେ ଯେ କୋଭିଡର ଦ୍ଵିତୀୟ ଲହର କମି ଆସୁଥିଲେ ମଧ୍ୟ ବିପଦ ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ। ଚଳିତ ବର୍ଷ ରଥଯାତ୍ରା ଯେପରି ସୁରୁଖୁରୁ ରେ ଶେଷ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ।

ବୈଠକରେ ଯୋଗ ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ମନ୍ତ୍ରୀ ନବ ଦାସ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ଵ ଦିଆଯାଇ ସ୍ଵତନ୍ତ୍ର ବ୍ୟବସ୍ତା କରାଯାଇଛି ବୋଲି କହିଥିଲେ। ସେବାୟତ ଓ ସମସ୍ତ ସମ୍ପୃକ୍ତ ଅଧିକାରୀ ମାନଙ୍କ ପାଇଁ କୋଭିଡ଼ ଟେଷ୍ଟ, ଟୀକାକରଣ ବ୍ୟବସ୍ତା ସହିତ ଫାଷ୍ଟ ଏଡ କେନ୍ଦ୍ର, ଆମ୍ବୁଲାନ୍ସ , ମେଡ଼ିକାଲ ଏଡ ପୋଷ୍ଟ ଏବଂ ପୁରୀ ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ଜରୁରୀକାଳୀନ ଆବଶ୍ୟକତା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ।

ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ଗତବର୍ଷ ପରି ଏ ବର୍ଷ ମଧ୍ୟ ରଥଯାତ୍ରା ସୁରୁଖୁରୁ ରେ ଶେଷ ହେବ ବୋଲି ଆଶା ପ୍ରକାଶ କରିଥିଲେ। ଏ ବର୍ଷ ମଧ୍ୟ ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ପାଳିତ ହେବ ବୋଲି ଆଶା ପ୍ରକାଶ କରିଥିଲେ।

ବୈଠକରେ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ବୋଲି ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଜଣାଇ ଥିଲେ। କାର୍ଯ୍ୟକ୍ରମରେ ସ୍ଵାଗତ ଭାଷଣ ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥଯାତ୍ରା ପାଇଁ କରାଯାଇଥିବା ସମସ୍ତ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ପୁରୀ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ଡିଆନ ଆଲୋଚନା ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।