Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଓଡିଶା ବଜେଟ, କେମିତି କରିବ ଲୋକଙ୍କ ମନମୋହନ !!

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଛନ୍ତି। ଜୟ ଜଗନ୍ନାଥ କହି ସେ ତାଙ୍କର ବଜେଟ ଭାଷଣ ଆରମ୍ଭ କରିଥିଲେ। ସେ ଆର୍ଥିକ ବର୍ଷ 2025-26 ପାଇଁ ମୋଟ 2 ଲକ୍ଷ 90 ହଜାର କୋଟି ଟଙ୍କା ବଜେଟ୍ ଅଟକଳ କରାଯାଇଛି। ଏହା ଗତ ବର୍ଷର ବଜେଟ୍ ଅଟକଳ ଠାରୁ ପ୍ରାୟ 10 ପ୍ରତିଶତ ଅଧିକ। ଏହି ବଜେଟ୍ ଅଟକଳ ମଧ୍ୟରୁ 1 ଲକ୍ଷ 70 ହଜାର କୋଟି ଟଙ୍କାର ପ୍ରସ୍ତାବିତ “କାର୍ଯ୍ୟକ୍ରମ ବ୍ୟୟ” (Programme Expenditure) ପାଇଁ ରହିଛି। ଯାହା ମୋଟ ବଜେଟ୍ ଅଟକଳର 59 ପ୍ରତିଶତ ।

ଚଳିତ ବଜେଟରେ ଆକଳନ କରାଯାଇଥିବା 65 ହଜାର 12 କୋଟି ଟଙ୍କାର ପୁଞ୍ଜି ବ୍ୟୟ ଅଟକଳ, ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (GSDP)ର 6 ଦଶମିକ 1 ପ୍ରତିଶତ, ଯାହାକି ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବାଧିକ ।

ପୁଞ୍ଜି ନିବେଶ ଅନ୍ତର୍ଗତ ପ୍ରମୁଖ ପ୍ରକଳ୍ପଗୁଡିକ ହେଲା ବନ୍ଦର ଭିତ୍ତିକ ବିକାଶ, ଅଟଳ ଏକ୍ସପ୍ରେସୱେ, ବିସ୍ତୃତ ସିଟି ରୋଡ୍ ଡି-କଞ୍ଜେସନ୍ ଯୋଜନା, ଭୁବନେଶ୍ୱରର ଆଉଟର ରିଙ୍ଗରୋଡ୍, ରାଜ୍ୟବ୍ୟାପୀ ସଡ଼କ ନେଟୱାର୍କ ଉନ୍ନତି ଯୋଜନା, ଓ ବ୍ରହ୍ମପୁର-ଜୟପୁର 6 ଲେନ୍ ବିଶିଷ୍ଟ ଗ୍ରୀନ୍ ଫିଲ୍ଡ ଏକ୍ସପ୍ରେସୱେ। ତେବେ, ରାଜପଥ ଏବଂ ଏକ୍ସପ୍ରେସୱେ ଗୁଡିକର ତ୍ଵରିତ ନିର୍ମାଣ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଢାଞ୍ଚାରେ ଏକ ସ୍ୱୟଂଶାସିତ ସଂସ୍ଥା “ଓଡ଼ିଶା ରାଜପଥ ପ୍ରାଧିକରଣ” ଗଠନ କରାଯିବ । 2029-30 ସୁଦ୍ଧା 75 ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡ଼କ ନିର୍ମାଣ କରିବା ପାଇଁ ବଜେଟରେ ଯୋଜନା ପ୍ରସ୍ତୁତ କରାଯାଇଛି।

ଏହି ବଜେଟରେ ଗ୍ରାମୀଣ ଅର୍ଥନୀତିକୁ ଚଳଚଞ୍ଚଳ କରିବା ପାଇଁ ଅନେକ ଗୁଡିଏ ପଦକ୍ଷେପ ନିଆଯାଇଛି । ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକ ମାନଙ୍କର ଆୟ ବୃଦ୍ଧି ପାଇଁ ଏହି ବଜେଟରେ PM-KISAN, CM-KISAN, ସୁଭଦ୍ରା, ସମୃଦ୍ଧ କୃଷକ ଯୋଜନା, ସାମାଜିକ ସୁରକ୍ଷା ପେନସନ ଆଦି ଯୋଜନା ଜରିଆରେ ପ୍ରାୟ 30 ହଜାର କୋଟି ଟଙ୍କାରୁ ଅଧିକ ନଗଦ ଅର୍ଥ ହସ୍ତାନ୍ତର ହେବ ।

NFSA, ଜଳ ଜୀବନ ମିଶନ (JJM), ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ତଥା PM-AWAS ଓ ଅନ୍ତୋଦୟ ଗୃହ ଯୋଜନା ଜରିଆରେ ରାଜ୍ୟ ବଜେଟ୍ ରୁ 22 ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗ କରାଯିବ । ଏହା ଦ୍ୱାରା ଗ୍ରାମାଞ୍ଚଳରେ ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ବାସଗୃହ ନିରାପତ୍ତାକୁ ଅଧିକ ସୁନିଶ୍ଚିତ କରାଯାଇଛି ।

କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ 2025-26 ବଜେଟରେ 37 ହଜାର 8 ଶହ 38 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେଥିମଧ୍ୟରୁ

  • କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ 14 ହଜାର 7 ଶହ 1 କୋଟି ଟଙ୍କା
  • ଜଳ ସମ୍ପଦ ବିଭାଗ ପାଇଁ 14 ହଜାର 8 ଶହ 95 କୋଟି ଟଙ୍କା
  • ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପାଇଁ 1 ହଜାର 9 ଶହ 9 କୋଟି ଟଙ୍କା
  • ସମବାୟ ବିଭାଗ ପାଇଁ 2 ହଜାର 2 ଶହ 77 କୋଟି ଟଙ୍କା
  • ସମୃଦ୍ଧ କୃଷକ ଯୋଜନାରେ କ୍ୱିଣ୍ଟାଲ ପିଛା 31 ଶହ ଟଙ୍କାରେ ଧାନ କିଣିବା ପାଇଁ 6 ହଜାର କୋଟି ଟଙ୍କାର ପ୍ରସ୍ତାବ ରହିଛି ।
  • କୃଷକମାନଙ୍କୁ ସଠିକ ସମୟରେ ଆର୍ଥିକ ସହାୟତା ଏବଂ ଇନପୁଟ ସହାୟତା ପାଇଁ CM-KISAN ଅଧୀନରେ 2 ହଜାର 20 କୋଟି ଟଙ୍କାର ପ୍ରସ୍ତାବ ରହିଛି ।
  • 30ଟି ଜିଲ୍ଲାର 177ଟି ବ୍ଲକରେ ମାଣ୍ଡିଆ ଜାତୀୟ ଶସ୍ୟ ଉତ୍ପାଦନ ସଂପ୍ରସାରଣ ପାଇଁ ଶ୍ରୀ ଅନ୍ନ ଅଭିଯାନ ଅଧୀନରେ 6 ଶହ କୋଟି ଟଙ୍କା ବ୍ୟୟବରଦାର ପ୍ରସ୍ତାବ ରହିଛି ।
  • ଶୀତଳ ଭଣ୍ଡାର ନୀତି ଅଧୀନରେ ରାଜ୍ୟର ସମସ୍ତ 58ଟି ସବ-ଡିଭିଜନରେ ନୂତନ ଶୀତଳ ଭଣ୍ଡାର ନିର୍ମାଣ ସହ ଅଚଳ ଶୀତଳ ଭଣ୍ଡାର ପୁନରୁଦ୍ଧାର ପାଇଁ ଆଗାମୀ 5 ବର୍ଷରେ  2 ଶହ 52 କୋଟି ଟଙ୍କା ଖର୍ଚ୍ଚ ହେବ ।
  • କୃଷି ଉଦ୍ୟୋଗର ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ 2 ଶହ 62 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ସହର ଭିତ୍ତିକ ଅଭିବୃଦ୍ଧି ପାଇଁ 4 ଶହ 8 କୋଟି ଟଙ୍କା ବ୍ୟୟଅଟକଳରେ “ସମୃଦ୍ଧ ସହର” ଯୋଜନା ଆରମ୍ଭ କରାଯାଇଛି। ଭୁବନେଶ୍ୱର-କଟକ-ପୁରୀ, ସମ୍ବଲପୁର-ଝାରସୁଗୁଡ଼ା-ବରଗଡ଼, ଜୟପୁର-ସୁନାବେଡ଼ା-କୋରାପୁଟ, ଛତ୍ରପୁର-ବ୍ରହ୍ମପୁର-ଗୋପାଳପୁର, କେନ୍ଦୁଝର-ବଡ଼ବିଲ-ଯୋଡ଼ା ଆଦି ବିଭିନ୍ନ ଅର୍ଥନୈତିକ ଅଞ୍ଚଳର ବିକାଶ ଏହି ଯୋଜନାରେ କରାଯିବ । ସମସ୍ତ ସହରରେ ନାଗରିକ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ଏକ ନୂତନ ଯୋଜନା “ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା” (MSBY) ଅଧୀନରେ ଏକ ହଜାର ଏକ ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ (PM-Awaas) ଯୋଜନା ମାଧ୍ୟମରେ 27 ହଜାର ସୁଲଭ ଗୃହ ନିର୍ମାଣ ନିମନ୍ତେ 7 ଶହ 95 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ସେହିପରି “ଜମି ବ୍ୟାଙ୍କ” ଯୋଜନାରେ ଆଗାମୀ ବର୍ଷ ମଧ୍ୟରେ ଏକ ହଜାର ଏକର ଜମି ଅଧିଗ୍ରହଣ କରିବା ପାଇଁ ଏକ ଶହ 6 କୋଟି ଟଙ୍କା ବିନିଯୋଗ ପାଇଁ  ବଜେଟ୍ ରେ ପ୍ରସ୍ତାବ ଦିଆଯାଇଛି ।

ବୟନ ଶିଳ୍ପର ପ୍ରୋତ୍ସାହନ” ଯୋଜନା ପାଇଁ ଏକ ଶହ 22 କୋଟି ଟଙ୍କା, ହସ୍ତତନ୍ତ ଶିଳ୍ପ ପ୍ରୋତ୍ସାହନ “POHI” ଅଧୀନରେ ଏକ ଶହ 22 କୋଟି ଟଙ୍କା ଏବଂ ହସ୍ତଶିଳ୍ପର ପ୍ରୋତ୍ସାହନ ପାଇଁ 52 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ପର୍ଯ୍ୟଟନ ଏବଂ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା

ପର୍ଯ୍ୟଟନକୁ ଓଡ଼ିଶାର ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟିର ଏକ ପ୍ରମୁଖ ଇଞ୍ଜିନ କରିବା ପାଇଁ 8 ଶହ 20 କୋଟି ଟଙ୍କାର ଆବଣ୍ଟନ ପ୍ରସ୍ତାବ ରହିଛି । ବୌଦ୍ଧ ଐତିହ୍ୟକୁ ପ୍ରୋତ୍ସାହିତ କରିବା ସହିତ ଉଦୟଗିରି, ରତ୍ନଗିରି ଓ ଲଳିତଗିରିକୁ ପୁନରୁଦ୍ଧାର କରି ଓଡ଼ିଶାରେ ବୌଦ୍ଧ ସର୍କିଟକୁ ବିଶେଷ ଭାବରେ ବିକଶିତ କରିବାକୁ ଆମେ ଲକ୍ଷ୍ୟ ରଖାଯାଇଛି ।

ଗୋପାଳପୁର, ପାରାଦୀପ ଇତ୍ୟାଦି ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ ମାନ୍ୟତା ଦେବା ପାଇଁ ଏଗୁଡିକର ବିକାଶ କରାଯିବ । ଓଡ଼ିଶାର ଐତିହ୍ୟକୁ ସମୃଦ୍ଧ କରିବା ପାଇଁ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପ୍ରୋତ୍ସାହିତ କରିବାପାଇଁ 10ଟି ଜିଲ୍ଲାରେ ଜିଲ୍ଲା ଐତିହ୍ୟ ଓ ପର୍ଯ୍ୟଟନ କମ୍ପ୍ଲେକ୍ସ ନିର୍ମାଣ କରାଯିବ ।

ରାଜ୍ୟ ସରକାର ଏକ ନୂଆ ଯୋଜନା “ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା” ଆରମ୍ଭ କରିବାକୁ ପ୍ରସ୍ତାବ ରଖିଛନ୍ତି । ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରୁ ଶ୍ରୀଜଗନ୍ନାଥ ଦର୍ଶନ ସ୍ୱତନ୍ତ୍ର ବସରେ ଗରିବ ଭକ୍ତମାନେ ମାଗଣାରେ ପୁରୀ ଆସି, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ  କରିବା ସହ ମହାପ୍ରସାଦ ସେବନ କରିପାରିବେ ।

ଓଡିଶା ଶିକ୍ଷା ବିକାଶ ପାଇଁ ନୂଆ ଯୋଜନା

ଶିକ୍ଷାକୁ ଏହି ବଜେଟରେ ବିଶେଷ ଗୁରୁତ୍ଵ ଦିଆଯାଇଛି । ସ୍କୁଲ ଶିକ୍ଷା କ୍ଷେତ୍ରରେ 31 ହଜାର କୋଟି ଟଙ୍କାରୁ ଅଧିକ ବ୍ୟବସ୍ଥା ପ୍ରସ୍ତାବ ରହିଛି, ଯାହା ପୂର୍ବ ବର୍ଷ ତୁଳନାରେ 18 ପ୍ରତିଶତ ଅଧିକ ଏବଂ ସମସ୍ତ ବିଭାଗ ମଧ୍ୟରେ ସର୍ବାଧିକ ଆବଣ୍ଟନ ।

ପଞ୍ଚାୟତ ସ୍ତରରେ ସାମଗ୍ରିକ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅଧୀନରେ ପ୍ରାୟ 7 ହଜାର ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ କରାଯିବ । ଏଥିପାଇଁ 2 ହଜାର 9 ଶହ 60 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ଯୋଜନା ନାମକ ନୂତନ ଯୋଜନାରେ ଆବାସିକ ବିଦ୍ୟାଳୟଗୁଡ଼ିକୁ ଅତ୍ୟାଧୁନିକ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ 1 ଶହ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ମଧ୍ୟ ଅନ୍ତର୍ଭୁକ୍ତ ।

ପଞ୍ଚସଖାଙ୍କ ଦ୍ଵାରା ସ୍ଥାପିତ ସତ୍ୟବାଦୀ ବକୁଳବନ ଗୁରୁ-ଶିଷ୍ୟ ପରମ୍ପରାର ପ୍ରମୁଖ ପ୍ରତୀକ ଓ ଏକ ଅନନ୍ୟ ଐତିହ୍ୟ ସମୃଦ୍ଧ ଅନୁଷ୍ଠାନ । ଏହି ବକୁଳବନକୁ ଏକ ଐତିହ୍ୟ ସ୍ଥଳୀ ସହ ଶିକ୍ଷାର ଧାମ ରୂପେ ବିକଶିତ କରିବା ପାଇଁ 50 କୋଟି ଟଙ୍କା ବ୍ୟୟବରାଦ ସହ ନୂତନ ଯୋଜନା “ବକୁଳବନ ଉନ୍ନୟନକାର୍ଯ୍ୟକାରୀ କରାଯିବ।

ସ୍ବାସ୍ଥ୍ୟ ବିକାଶ ପାଇଁ ଭିନ୍ନ ଯୋଜନା

ଜନସ୍ୱାସ୍ଥ୍ୟ ସେବା ପାଇଁ ମୋଟ 23 ହଜାର 6 ଶହ 35 କୋଟି ଟଙ୍କା ଆବଣ୍ଟନର ପ୍ରସ୍ତାବ ରହିଛି, ଯାହାକି ରାଜ୍ୟ ବଜେଟର ପ୍ରାୟ 8 ପ୍ରତିଶତ ଏବଂ ଗତ ବର୍ଷର ଆବଣ୍ଟନ ଠାରୁ ପ୍ରାୟ 11 ଦଶମିକ 5 ପ୍ରତିଶତ ଅଧିକ ।

ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ 6 ହଜାର 2 ଶହ 49 କୋଟି ଟଙ୍କା ପ୍ରଦାନ କରାଯାଇଛି ଏବଂ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ 3 ହଜାର 8 ଶହ 81 କୋଟି ଟଙ୍କା, ପ୍ରଦାନ କରାଯାଇଛି । ପ୍ରତିଗ୍ରାମ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ 5 ଶହ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି ।

ଗରିବ ଝିଅଙ୍କ ବାହାଘର କରିବେ ରାଜ୍ୟ ସରକାର

ବିଭିନ୍ନ ମହିଳା ଓ ଶିଶୁ କେନ୍ଦ୍ରୀତ ନୀତି ଓ କଲ୍ୟାଣମୂଳକ ପଦକ୍ଷେପ ପାଇଁ ମୋଟ 17 ହଜାର 9 ଶହ 98 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମହିଳାଙ୍କ ବିକାଶ ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ 10 ହଜାର 1 ଶହ 45 କୋଟି ଟଙ୍କା ଓ ସୁଭଦ୍ରା ସୁରକ୍ଷା ଅଧୀନରେ 1 ଶହ 53 କୋଟି ଟଙ୍କାର ପ୍ରସ୍ତାବ ପ୍ରମୁଖ ଅଟେ । ମହିଳାମାନଙ୍କୁ ମାତୃତ୍ୱ ସୁବିଧା ଯୋଗାଇ ଦେବା ପାଇଁ ମମତା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY) ଅଧୀନରେ ମୋଟ 4 ଶହ 92 କୋଟି ଟଙ୍କା ପ୍ରସ୍ତାବ ରହିଛି ।

ଏକ ନୂଆ ଯୋଜନା “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” ଅଧୀନରେ ସାମୂହିକ ବିବାହ ଆୟୋଜନ କରାଯିବ ଏବଂ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ଏଥିପାଇଁ 12 କୋଟି ଟଙ୍କାର ବ୍ୟୟବରାଦର ଅନନ୍ୟ ପ୍ରସ୍ତାବ ରହିଛି । ଏହା ଦ୍ଵାରା ଓଡିଶାର ବହୁ ଗରିବ ପରିବାର ଉପକୃତ ହେବେ ।

ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିକାଶ ପାଇଁ ବ୍ୟୟବରାଦ

ବିଶ୍ଵସ୍ତରୀୟ ଦକ୍ଷତା କେନ୍ଦ୍ର (GCC), ITeS, FinTech, InsureTech, Semiconductor ଆଦିର ବିକାଶ ପାଇଁ ଏହି ବଜେଟରେ ମୂଳଦୁଆ ପକାଯାଇଛି । ଏହିପରି ନବସୃଜନ ଓ ନୂତନ ଜ୍ଞାନକୌଶଳର ପ୍ରୟୋଗ ନିମନ୍ତେ 1 ହଜାର 42 କୋଟି ଟଙ୍କା ଇଲେକ୍ଟ୍ରୋନିକ୍ସ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗ ଅଧୀନରେ ବ୍ୟବସ୍ଥିତ ।

ବଢିଲା MLA-LAD

ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ MLA-LAD ଅଧୀନରେ ବାର୍ଷିକ ଆବଣ୍ଟନ 3 କୋଟି ଟଙ୍କାରୁ 5 କୋଟି ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି । ଏଥିପାଇଁ 7 ଶହ 35 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାବ୍ୟତୀତ 2025-26 ରେ ନିର୍ବାଚନ ମଣ୍ଡଳୀ ଭିତ୍ତିକ ଆବଣ୍ଟନ (Constituency Wise Allocation – CWA) ପାଇଁ ଆଉ 142 କୋଟି ଟଙ୍କା ଆବଣ୍ଟନ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି I

ଏହି ଅର୍ଥ ରାଶି ସମସ୍ତ ବିଧାୟକ/ ବିଧାୟିକାମାନଙ୍କୁ ତାଙ୍କ ଅଞ୍ଚଳର ସାମଗ୍ରିକ ବିକାଶ ନିମନ୍ତେ ସହାୟକ ହେବ  ।

ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ ବ୍ୟୟ ବରାଦ

ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ (WODC) ପାଇଁ 5 ଶହ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ଏବଂ ମୁଁ ଖୁସିର ସହ ସୂଚନା ଦେଉଛି ଯେ, ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ (SODC) ଓ ଉତ୍ତର ଓଡ଼ିଶା ଉନ୍ନୟନ ପରିଷଦ (NODC) ପ୍ରତିଷ୍ଠା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି । ଆଞ୍ଚଳିକ ସମାନତାକୁ ନଜରରେ ରଖି, ଉଭୟ ପରିଷଦ ପାଇଁ 2 ଶହ କୋଟି ଟଙ୍କା ଲେଖାଏଁ ଆବଣ୍ଟନ କରିବାକୁ ପ୍ରସ୍ତାବ ରହିଛି ।

ଉତ୍ତମ ଆର୍ଥିକ ପରିଚାଳନା ଦ୍ୱାରା ହିଁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟ ଗଠନ ସମ୍ଭବପର । ଏହାକୁ ଦୃଷ୍ଟିରେ ରଖି, ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧିନିୟମ, 2005 ରେ ଧାର୍ଯ୍ୟ ସମସ୍ତ ବିତ୍ତୀୟ ସୁଚକାଙ୍କ ସୀମା ମଧ୍ୟରେ 2025-26 ଆର୍ଥିକ ବର୍ଷର ବଜେଟ ପ୍ରସ୍ତୁତ କରାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

PM Budget Reaction: ନିର୍ମଳା ସୀତାରମଣଙ୍କ ବଜେଟକୁ ନେଇ କଣ କହିଲେ ପ୍ରଧାନମନ୍ତ୍ରୀ ମୋଦି

PM Budget Reaction: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। ଆଜି ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ବଜେଟରେ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପ୍ରତିଫଳିତ ହୋଇଛି ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣ ହୋଇଛି।

ସେ ଦର୍ଶାଇଛନ୍ତି ଯେ ଯୁବକମାନଙ୍କ ପାଇଁ ବଜେଟରେ ଅନେକ କ୍ଷେତ୍ର ଓ ସୁଯୋଗ ଖୋଲାଯାଇଛି ଏବଂ ସାଧାରଣ ନାଗରିକଙ୍କୁ ଏହା ବିକଶିତ ଭାରତ ଯାତ୍ରାରେ ସାମିଲ କରିବ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ବଜେଟ୍ ହେଉଛି ଏକ ବୃହତ ଶକ୍ତି, ଯାହା ସଞ୍ଚୟ, ବିନିଯୋଗ, ବ୍ୟବହାର ଏବଂ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ସେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମ୍‍କୁ ଏହି ‘ଲୋକଙ୍କ ବଜେଟ୍’ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ସାଧାରଣତଃ ସରକାରଙ୍କ ଟ୍ରେଜେରୀକୁ କିପରି ପୂରଣ କରାଯିବ ତାହା ଉପରେ ବଜେଟରେ ଧ୍ୟାନ ଦିଆଯାଇଥାଏ । କିନ୍ତୁ ଏହି ବଜେଟରେ ନାଗରିକଙ୍କ ପକେଟ କିପରି ପୂରଣ କରାଯିବ, ସଞ୍ଚୟ ବୃଦ୍ଧି ପାଇବ ଏବଂ ଦେଶର ବିକାଶରେ ସେମାନଙ୍କୁ ଅଂଶୀଦାର କରାଯିବ ସେଥି ନିମନ୍ତେ ଧ୍ୟାନ ଦିଆଯାଇଛି ।

ଏହି ବଜେଟରେ ସଂସ୍କାର ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ଏବଂ ଆଣବିକ ଶକ୍ତିରେ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଇଥିବା ଐତିହାସିକ ନିଷ୍ପତ୍ତି ଉପରେ ଆଲୋକପାତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବେସାମରିକ ପରମାଣୁ ଶକ୍ତି ଭବିଷ୍ୟତରେ ଦେଶର ବିକାଶରେ ଏକ ମହତ୍ବପୂର୍ଣ୍ଣ ଅବଦାନକୁ ନିଶ୍ଚିତ କରିବ। ବଜେଟରେ ସମସ୍ତ ନିଯୁକ୍ତି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

ଦୁଇଟି ପ୍ରମୁଖ ସଂସ୍କାର ଯାହା ଆଗାମୀ ସମୟରେ ଗୁରୁତ୍ବପୂର୍ଣ ପରିବର୍ତ୍ତନ ଆଣିବ ବୋଲି ସୂଚାଇ ଶ୍ରୀ ମୋଦୀ କହିଛନ୍ତି ଯେ ଜାହାଜ ନିର୍ମାଣକୁ ଭିତ୍ତିଭୂମି ମାନ୍ୟତା ପ୍ରଦାନ କରିବା ଦ୍ବାରା ଭାରତରେ ବୃହତ ଜାହାଜ ନିର୍ମାଣ ବୃଦ୍ଧି ପାଇବ, ଆତ୍ମନିର୍ଭର ଭାରତ ଅଭିଯାନ ତ୍ୱରାନ୍ୱିତ ହେବ ଏବଂ ଭିତ୍ତିଭୂମି ବର୍ଗ ଅନ୍ତର୍ଗତ ୫୦ ଟି ପର୍ଯ୍ୟଟନ ସ୍ଥଳରେ ହୋଟେଲ ସ୍ଥାପନା ଦ୍ୱାରା ପର୍ଯ୍ୟଟନ କ୍ଷେତ୍ର ସମୃଦ୍ଧ ହେବ ।

ଏହାଦ୍ବାରା ପର୍ଯ୍ୟଟନ କ୍ଷେତ୍ର ଯଥେଷ୍ଟ ବୃଦ୍ଧି ପାଇବ, ଆତିଥ୍ୟ କ୍ଷେତ୍ରକୁ ନୂତନ ଶକ୍ତି ମିଳିବ, ଯାହାକି ସବୁଠାରୁ ବଡ଼ ରୋଜଗାର କ୍ଷେତ୍ର । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ବିକାଶ ଭୀ, ବୀରାସତ ଭୀ” (ବିକାଶ ଏବଂ ଐତିହ୍ୟ) ମନ୍ତ୍ର ସହିତ ଦେଶ ଅଗ୍ରଗତି କରୁଛି। ଜ୍ଞାନ ଭାରତମ୍ ମିଶନର ଶୁଭାରମ୍ଭ ମାଧ୍ୟମରେ ଏକ କୋଟି ପାଣ୍ଡୁଲିପି ସଂରକ୍ଷଣ ପାଇଁ ଏହି ବଜେଟରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି। ଏହା ସହିତ, ଭାରତୀୟ ଜ୍ଞାନ ପରମ୍ପରା ଦ୍ୱାରା ଅନୁପ୍ରାଣିତ ଏକ ଜାତୀୟ ଡିଜିଟାଲ୍ ସଂଗ୍ରହାଳୟ ସୃଷ୍ଟି ହେବ ।

କୃଷକମାନଙ୍କ ପାଇଁ ବଜେଟରେ ଦିଆଯାଇଥିବା ଘୋଷଣା କୃଷି କ୍ଷେତ୍ର ତଥା ସମଗ୍ର ଗ୍ରାମୀଣ ଅର୍ଥନୀତିରେ ଏକ ନୂତନ ବିପ୍ଳବର ମୂଳଦୁଆ ପକାଇବ ବୋଲି ସ୍ମରଣ କରି ଶ୍ରୀ ମୋଦୀ ଦର୍ଶାଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଅଧୀନରେ ୧୦୦ଟି ଜିଲ୍ଲାରେ ଜଳସେଚନ ଏବଂ ଭିତ୍ତିଭୂମି ବିକାଶ ହେବ। ସେ ଗୁରୁତ୍ୱାରୋପ କରିଛନ୍ତି ଯେ କିଷାନ କ୍ରେଡିଟ କାର୍ଡର ସୀମା ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବା ଦ୍ୱାରା କୃଷକମାନଙ୍କୁ ଅଧିକ ସହାୟତା ମିଳିବ।

ବଜେଟରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସରୁ ମୁକ୍ତ କରାଯାଇଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ତ ଆୟ ଗୋଷ୍ଠୀ ପାଇଁ ଟିକସ ହ୍ରାସ କରାଯାଇଛି, ଯାହା ମଧ୍ୟବିତ୍ତ ତଥା ନୂତନ ଭାବରେ ନିଯୁକ୍ତି ପାଇଥିବା ଲୋକଙ୍କୁ ବହୁତ ଲାଭଦାୟକ ହେବ।

ଉଦ୍ୟୋଗୀ, ଏମଏସଏମଇ ଏବଂ କ୍ଷୁଦ୍ର ବ୍ୟବସାୟକୁ ମଜବୁତ କରିବା, ନୂତନ ନିଯୁକ୍ତି ସୃଷ୍ଟି କରିବା ପାଇଁ ବଜେଟରେ ୩୬୦ ଡିଗ୍ରୀ ଧ୍ୟାନ ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ସ୍ୱଚ୍ଛ ବୈଷୟିକ ଜ୍ଞାନ, ଚମଡା, ଜୋତା ଏବଂ ଖେଳନା ଶିଳ୍ପ ପରି କ୍ଷେତ୍ରଗୁଡିକ ଜାତୀୟ ଉତ୍ପାଦନ ମିଶନ ଅଧୀନରେ ବିଶେଷ ସହାୟତା ପାଇଛି। ସେ କହିଛନ୍ତି ଯେ ବିଶ୍ବ ବଜାରରେ ଭାରତୀୟ ଉତ୍ପାଦଗୁଡିକର ଚାହିଦା ବୃଦ୍ଧି ନିଶ୍ଚିତ କରିବା ଲକ୍ଷ୍ୟ ସ୍ପଷ୍ଟ ହୋଇଛି।

ରାଜ୍ୟଗୁଡ଼ିକରେ ଏକ ଉତ୍ସାହଜନକ ଏବଂ ପ୍ରତିଯୋଗିତାମୂଳକ ପୁଞ୍ଜି ବିନିଯୋଗ ପରିବେଶ ସୃଷ୍ଟି କରିବା ଉପରେ ବଜେଟରେ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି ଦର୍ଶାଇ ଶ୍ରୀ ମୋଦୀ ଏମଏସଏମଇ ଏବଂ ଷ୍ଟାର୍ଟଅପ୍ ପାଇଁ ଋଣ ଗ୍ୟାରେଣ୍ଟି ଦ୍ୱିଗୁଣିତ କରିବାକୁ ଘୋଷଣା ଉପରେ ଆଲୋକପାତ କରିଥିଲେ। ଏସସି, ଏସଟି ଏବଂ ନୂଆ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଗ୍ୟାରେଣ୍ଟି ବିନା ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇବା ପାଇଁ ସେ ଏକ ଯୋଜନା ପ୍ରଣୟନ ବିଷୟରେ ଉଲ୍ଲେଖ କରିଛନ୍ତି।

ପ୍ରଥମ ଥର ପାଇଁ ଇ-ଶ୍ରମ ପୋର୍ଟାଲରେ ସେମାନଙ୍କର ପଞ୍ଜୀକରଣ ସହିତ ସେମାନଙ୍କୁ ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ପ୍ରବେଶ କରିବା ପାଇଁ ଗିଗ୍ ଶ୍ରମିକମାନଙ୍କ ପାଇଁ ଉଲ୍ଲେଖନୀୟ ଘୋଷଣା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଶ୍ରମର ସମ୍ମାନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ। ଜନ ବିଶ୍ବାସ ୨.୦ ପରି ନିୟାମକ ଏବଂ ଆର୍ଥିକ ସଂସ୍କାର ସର୍ବନିମ୍ନ ସରକାର ତଥା ବିଶ୍ୱାସ ଭିତ୍ତିକ ଶାସନ ପ୍ରତି ପ୍ରତିବଦ୍ଧତାକୁ ମଜବୁତ କରିବ ବୋଲି ସେ ଦର୍ଶାଇଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନକୁ ସମାପ୍ତ କରି କହିଛନ୍ତି ଯେ ଏହି ବଜେଟ୍ କେବଳ ଦେଶର ସାମ୍ପ୍ରତିକ ଆବଶ୍ୟକତାକୁ ନୁହେଁ ବରଂ ଦେଶକୁ ଭବିଷ୍ୟତ ପାଇଁ ପ୍ରସ୍ତୁତି କରିବାରେ ମଧ୍ୟ ସହାୟକ ହେବ । ସେ ଡିପ୍ ଟେକ୍ ପାଣ୍ଠି, ଜିଓସ୍ପ୍ୟାଟିଆଲ୍ ମିଶନ୍ ଏବଂ ଆଣବିକ ଶକ୍ତି ମିଶନ୍ ସହିତ ଷ୍ଟାର୍ଟଅପ୍ ପାଇଁ ପଦକ୍ଷେପଗୁଡିକ ଉପରେ ଆଲୋକପାତ କରିଥିଲେ। ଏହି ଐତିହାସିକ ବଜେଟ୍ ପାଇଁ ସେ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୨୦୨୮ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେଲା ଜଳ ଜୀବନ ମିଶନ୍, ବ୍ୟୟବରାଦ ୬୭,୦୦୦ କୋଟି ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ଆଜି ସଂସଦରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପସ୍ଥାପନ କରୁଥିବାବେଳେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜଳ ଜୀବନ ମିଶନ ପାଇଁ ମୋଟ ବଜେଟ ବ୍ୟୟବରାଦ ୬୭,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେ କହିଛନ୍ତି ଯେ ମିଶନ ଅବଧିକୁ ୨୦୨୮ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି।

ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୧୯ ମସିହାରୁ ଭାରତର ଗ୍ରାମାଞ୍ଚଳର ୮୦ ପ୍ରତିଶତ ପ୍ରତିନିଧିତ୍ୱ କରୁଥିବା ୧୫ କୋଟି ପରିବାର ଜଳ ଜୀବନ ମିଶନ ଦ୍ୱାରା ଉପକୃତ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମିଶନ ଅଧିନରେ ଟ୍ୟାପ୍‍ ଜଳ ସଂଯୋଗ ଯୋଗାଇ ଦିଆଯାଉଛି ଏବଂ ଆଗାମୀ ତିନି ବର୍ଷ ମଧ୍ୟରେ  ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇ ପାରିବ।

ଜଳ ଜୀବନ ମିଶନର ଫୋକସ “ଜନ ଭାଗିଦାରୀ” ମାଧ୍ୟମରେ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ଯୋଜନାର ଗୁଣାତ୍ମକ ଭିତ୍ତିଭୂମି ଏବଂ ଓ ଆାଣ୍ଡ୍‍ ଏମ୍‍ ଉପରେ ରହିଛି। ସ୍ଥାୟୀ ଏବଂ ନାଗରିକ-କୈନ୍ଦ୍ରିକ ଜଳ ସେବା ବିତରଣକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ /କେନ୍ଦ୍ରଶାସିତ ଅଞ୍ଚଳ ସହିତ ପୃଥକ ବୁଝାମଣା ସ୍ୱାକ୍ଷରିତ ହେବ ବୋଲି ଶ୍ରୀମତୀ ସୀତାରମଣ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ବିଭିନ୍ନ ଭାଷାର ପୁସ୍ତକଗୁଡିକୁ ଡିଜିଟାଲ-ଫର୍ମକୁ ଆଣିବାପାଇଁ ଭରତୀୟ ଭାଷା ପୁସ୍ତକ ସ୍କିମ୍ ଘୋଷଣା

Budget 2025: ଆଜି ସଂସଦରେ ୨୦୨୫-୨୬ କେନ୍ଦ୍ର ବଜେଟ୍  ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ନବସୃଜନ କ୍ଷେତ୍ରରେ ବିଭିନ୍ନ ବିକାଶମୂଳକ ପଦକ୍ଷେପ ପାଇଁ ପ୍ରସ୍ତାବ ଦେଇଥିଲେ।

ଉତ୍ସାହ ଏବଂ ନବସୃଜନର ଆବେଗକୁ ବୃଦ୍ଧି କରିବା ଏବଂ ଯୁବକମାନଙ୍କ ମଧ୍ୟରେ ବୈଜ୍ଞାନିକ ସ୍ୱଭାବ ବଢାଇବା ପାଇଁ ଆସନ୍ତା ୫ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟରେ ପଚାଶ ହଜାର ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଭାରତ ନେଟ ପ୍ରକଳ୍ପ ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇବାକୁ କେନ୍ଦ୍ର ବଜେଟରେ ପ୍ରସ୍ତାବ ଦିଆଯାଇଛି।

ଉଚ୍ଚଶିକ୍ଷା ଉପରେ, କେନ୍ଦ୍ର ବଜେଟ୍ ୨୦୨୫-୨୬ରେ କୁହାଯାଇଛି ଯେ ଗତ ୧୦ ବର୍ଷ ମଧ୍ୟରେ ୨୩ଟି ଆଇଆଇଟିରେ ମୋଟ ଛାତ୍ର ସଂଖ୍ୟା ୬୫,୦୦୦ ରୁ ୧.୩୫ ଲକ୍ଷକୁ ବୃଦ୍ଧି ପାଇଛି।  ୬୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ସୁଗମ କରିବା ପାଇଁ ୨୦୧୪ ପରେ ଆରମ୍ଭ ହୋଇଥିବା ୫ ଆଇଆଇଟିରେ ଅତିରିକ୍ତ ଭିତ୍ତିଭୂମି ସୃଷ୍ଟି ହେବ । ଆଇଆଇଟି, ପାଟନାରେ ହଷ୍ଟେଲ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷମତା ମଧ୍ୟ ବୃଦ୍ଧି କରାଯିବ ।

ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ବିଷୟଗୁଡ଼ିକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିବା ଲକ୍ଷ୍ୟରେ, ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପାଇଁ ଡିଜିଟାଲ୍ ଫର୍ମରେ ଭାରତୀୟ ଭାଷା ପୁସ୍ତକ ଯୋଗାଇବା ସକାଶେ ଶ୍ରୀମତୀ ନିର୍ମଳା ସୀତାରମଣ ଭାରତୀୟ ଭାଷା ପୁସ୍ତକ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ମେକ୍‍ ଫର୍‍ ଇଣ୍ଡିଆ, ମେକ ଫର୍‍ ଓ୍ବାର୍ଲ୍ଡ ସାମଗ୍ରୀ ଉତ୍ପାଦନ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ଆର୍ନ୍ତଜାତିକ ବିଶେଷଜ୍ଞ ଏବଂ ସହଭାଗୀତାରେ ପାଞ୍ଚଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି।  ଏହି ସହଭାଗୀତା ପାଠ୍ୟକ୍ରମ ଡିଜାଇନ୍, ପ୍ରଶିକ୍ଷକଙ୍କ ତାଲିମ, ଏକ ଦକ୍ଷତା ପ୍ରମାଣୀକରଣ ଢାଞ୍ଚା ଏବଂ ନିୟମିତ ସମୀକ୍ଷାକୁ ଅନ୍ତର୍ଭୁକ୍ତ କରିବ ।

ମୋଟ ୫୦୦ କୋଟି ଟଙ୍କା ବ୍ୟୟ ବରାଦରେ ଶିକ୍ଷା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାକୁ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଛି ।

ବଜେଟ୍ ଉପସ୍ଥାପନ କରିବାବେଳେ, ଶ୍ରୀମତୀ ନିର୍ମଳା ସୀତାରମଣ ଘରୋଇ କ୍ଷେତ୍ର ଦ୍ୱାରା ପରିଚାଳିତ ଗବେଷଣା, ବିକାଶ ଏବଂ ଅଭିନବ ପ୍ରୟୋଗ ପାଇଁ ୨୦,୦୦୦ କୋଟି ଟଙ୍କା ଆବଣ୍ଟନ କରିବାକୁ ଘୋଷଣା କରିଛନ୍ତି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ, ପିଏମ୍ ରିସର୍ଚ୍ଚ ଫେଲୋସିପ୍ ଯୋଜନା ଅଧୀନରେ, ଆଇଆଇଟି ଏବଂ ଆଇଆଇଏସସିରେ ବୈଷୟିକ ଅନୁସନ୍ଧାନ ପାଇଁ ଦଶ ହଜାର ଫେଲୋସିପ୍ ପ୍ରଦାନ କରିବାକୁ ମଧ୍ୟ ବଜେଟରେ ପ୍ରସ୍ତାବ ଅଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କେନ୍ଦ୍ର ବଜେଟ୍ ୨୦୨୫ ରେ ପର୍ଯ୍ୟଟନକୁ ନିଯୁକ୍ତି ଭିତ୍ତିକ ଅଭିବୃଦ୍ଧି ପାଇଁ କରାଗଲା ନୂଆ ନୂଆ ଘୋଷଣା

Budget 2025: କେନ୍ଦ୍ର ବଜେଟ ୨୦୨୫-୨୬ରେ ପର୍ଯ୍ୟଟନକୁ ରୋଜଗାର ଭିତ୍ତିକ ଅଭିବୃଦ୍ଧି ପାଇଁ ଏକ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି। ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ନିଯୁକ୍ତି ଭିତ୍ତିକ ଅଭିବୃଦ୍ଧିକୁ ସୁଗମ କରିବା ମଧ୍ୟରେ ଆତିଥ୍ୟ ପରିଚାଳନା, ହୋମଷ୍ଟେ ପାଇଁ ମୁଦ୍ରା ଋଣ, ପର୍ଯ୍ୟଟନ ସ୍ଥଳକୁ ଯାତ୍ରା ଏବଂ ଯୋଗାଯୋଗରେ ସହଜତାରେ ଉନ୍ନତି ଆଣିବା, ସୁବ୍ୟବସ୍ଥିତ ଇ-ଭିସା ସୁବିଧା ଆରମ୍ଭ କରିବା ଏବଂ ରାଜ୍ୟଗୁଡ଼ିକୁ ପ୍ରଦର୍ଶନ-ଭିତ୍ତିକ ପ୍ରୋତ୍ସାହନ ପ୍ରଦାନ କରିବା ସମେତ ଯୁବବର୍ଗଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିବା ଅନ୍ତର୍ଭୁକ୍ତ।

ଦେଶର ଶ୍ରେଷ୍ଠ ୫୦ଟି ପର୍ଯ୍ୟଟନ ସ୍ଥଳୀକୁ ଚ୍ୟାଲେଞ୍ଜ ମାଧ୍ୟମରେ ରାଜ୍ୟମାନଙ୍କ ସହ ଭାଗିଦାରୀରେ ବିକଶିତ କରାଯିବ ବୋଲି ସେ କହିଛନ୍ତି। ବଜେଟରେ ଆହୁରି ମଧ୍ୟ କୁହାଯାଇଛି ଯେ ହୋଟେଲ ସମେତ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ ପାଇଁ ରାଜ୍ୟମାନଙ୍କୁ ଜମି ଯୋଗାଇ ଦେବାକୁ ପଡିବ ଏବଂ ସେହି ଗନ୍ତବ୍ୟସ୍ଥଳରେ ଥିବା ହୋଟେଲଗୁଡ଼ିକୁ ଭିତ୍ତିଭୂମି ଏଚଏମଏଲରେ ଅନ୍ତର୍ଭୁକ୍ତ କରାଯିବ ।

ଆଧ୍ୟାତ୍ମିକ ଏବଂ ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ଗୁରୁତ୍ୱ ଦିଆଯିବ ଏବଂ ଭଗବାନ ବୁଦ୍ଧଙ୍କ ଜୀବନ ଏବଂ ସମୟ ସହିତ ଜଡିତ ଗନ୍ତବ୍ୟସ୍ଥଳ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଶ୍ରୀମତୀ ନିର୍ମଳା ସୀତାରମଣ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଦକ୍ଷତା ବୃଦ୍ଧି ଏବଂ ସହଜ ଭିସା ନିୟମ ସହିତ ଘରୋଇ କ୍ଷେତ୍ର ସହ ଭାଗିଦାରୀରେ ମେଡିକାଲ ଟୁରିଜିମ୍ ଏବଂ ହିଲ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରାଯିବ।

ଜ୍ଞାନ ଭାରତ ମିଶନ

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଶିକ୍ଷାନୁଷ୍ଠାନ, ସଂଗ୍ରହାଳୟ, ପାଠାଗାର ଏବଂ ବେସରକାରୀ ସଂଗ୍ରହକାରୀଙ୍କ ସହିତ ଆମର ପାଣ୍ଡୁଲିପି ଐତିହ୍ୟର ଦସ୍ତାବିଜ ଏବଂ ସଂରକ୍ଷଣ ମାଧ୍ୟମରେ ୧ କୋଟିରୁ ଅଧିକ ପାଣ୍ଡୁଲିପିକୁ ଅନ୍ତର୍ଭୁକ୍ତ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜ୍ଞାନ ଆଦାନପ୍ରଦାନ ପାଇଁ ସରକାର ଭାରତୀୟ ଜ୍ଞାନ ପ୍ରଣାଳୀର ଏକ ଜାତୀୟ ଡିଜିଟାଲ ଭଣ୍ଡାର ସ୍ଥାପନ କରିବେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

‘ସହର ବିକାଶ କେନ୍ଦ୍ର’ ପାଇଁ ଏକ ଲକ୍ଷ କୋଟି ଟଙ୍କାର ‘ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ’, ସୀତାରମଣଙ୍କ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବା ଅବସରରେ କହିଛନ୍ତି ଯେ ଗତ ଜୁଲାଇ ବଜେଟରେ ‘ସହର ବିକାଶ କେନ୍ଦ୍ର’ ଭାବେ ଘୋଷଣା କରାଯାଇଥିବା ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଏକ ଲକ୍ଷ କୋଟି ଟଙ୍କାର ‘ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍’ ଗଠନ କରିବେ।

ଏହି ପାଣ୍ଠି ବଣ୍ଡ, ବ୍ୟାଙ୍କ ଋଣ ଏବଂ ପିପିପି ମାଧ୍ୟମରେ ଅତି କମରେ ୫୦ ପ୍ରତିଶତ ଅର୍ଥ ପ୍ରଦାନ କରିବା ସର୍ତ୍ତରେ ବିଶ୍ୱସନୀୟ ପ୍ରକଳ୍ପଗୁଡ଼ିକର ମୂଲ୍ୟର ୨୫ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ପ୍ରଦାନ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏବାବଦରେ ୨୦୨୫-୨୬ ବର୍ଷ ପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି।

ବଜେଟରେ ମୌଳିକ ଭୂସ୍ଥାନୀୟ ଭିତ୍ତିଭୂମି ଏବଂ ଡାଟା ବିକାଶ ପାଇଁ ‘ନ୍ୟାସନାଲ ଜିଓସ୍ପେସାଲ ମିଶନ’ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗତି ଶକ୍ତିର ଉପଯୋଗ କରି ଏହି ମିଶନ ଜମି ରେକର୍ଡର ଆଧୁନିକୀକରଣ, ସହରୀ ଯୋଜନା ଏବଂ ଭିତ୍ତିଭୂମି ପ୍ରକଳ୍ପର ଡିଜାଇନକୁ ସକ୍ଷମ କରିବ ।

ଶ୍ରୀମତୀ ସୀତାରମଣ କହିଥିଲେ ଯେ ସରକାର ସହରାଞ୍ଚଳଗରିବ ଏବଂ ଦୁର୍ବଳ ଗୋଷ୍ଠୀଙ୍କୁ ସହାୟତାକୁ ପ୍ରାଥମିକତା ଦେଉଛନ୍ତି। ସହରାଞ୍ଚଳର ଶ୍ରମିକମାନଙ୍କର ଆୟ ବୃଦ୍ଧି, ସ୍ଥାୟୀ ଜୀବିକା ହାସଲ ଏବଂ ସେମାନଙ୍କ ଜୀବନଧାରଣମାନରେ ଉନ୍ନତି ଆଣିବା ପାଇଁ ଏକ ଯୋଜନା କାର୍ଯ୍ୟକାରୀ କରାଯିବ ।

ଅନଲାଇନ୍ ପ୍ଲାଟଫର୍ମରେ ଗିଗ୍ କର୍ମଚାରୀମାନେ ନୂତନ ଯୁଗର ସେବା ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଗତିଶୀଳତା ପ୍ରଦାନ କରନ୍ତି । ସେମାନଙ୍କ ଅବଦାନକୁ ସ୍ୱୀକୃତି ଦେଇ ଆମ ସରକାର ସେମାନଙ୍କ ପରିଚୟ ପତ୍ର ଏବଂ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣର ବ୍ୟବସ୍ଥା କରିବେ। ସେମାନଙ୍କୁ ପିଏମ୍ ଜନ ଆରୋଗ୍ୟ ଯୋଜନା ଅଧୀନରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ଏହି ପଦକ୍ଷେପ ଦ୍ୱାରା ପାଖାପାଖି ୧ କୋଟି ଗିଗ୍ ଶ୍ରମିକଙ୍କୁ ସହାୟତା ମିଳିବ ବୋଲି ଆଶା କରାଯାଉଛି।

ଅର୍ଥମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ପିଏମ ସ୍ୱନିଧି ଯୋଜନା ଉଚ୍ଚ ସୁଧରେ ଅନୌପଚାରିକ କ୍ଷେତ୍ର ଋଣରୁ ମୁକ୍ତି ପ୍ରଦାନ କରି ୬.୮ ନିୟୁତ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ଉପକୃତ କରିଛି । ଏହି ସଫଳତାକୁ ଦୃଷ୍ଟିରେ ରଖି ବ୍ୟାଙ୍କରୁ ବର୍ଦ୍ଧିତ ଋଣ, ୩୦,୦୦୦ ଟଙ୍କା ସୀମା ସହିତ ୟୁପିଆଇ ଲିଙ୍କ୍ କ୍ରେଡିଟ୍ କାର୍ଡ ଏବଂ ଦକ୍ଷତା ବିକାଶ ସହାୟତା ସହିତ ଏହି ଯୋଜନାର ନବୀକରଣ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ନିର୍ମଳା ସୀତାରମଣଙ୍କ ବଜେଟରେ କଣ ରହିଛି ସାରାଂଶ, ସଂକ୍ଷେପରେ ଦେଖି ନିଅନ୍ତୁ ବଜେଟ 2025

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ. ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ 2025-26 ଉପସ୍ଥାପନ କରିଛନ୍ତି। ତେଲୁଗୁ କବି ତଥା ନାଟ୍ୟକାର ଶ୍ରୀ ଗୁରଜାଦା ଅପ୍ପା ରାଓଙ୍କ ପ୍ରସିଦ୍ଧ ଉକ୍ତିକୁ ଉଦ୍ଧୃତ କରି ଅର୍ଥମନ୍ତ୍ରୀ କହିଥିଲେ, ‘ଗୋଟିଏ ଦେଶ କେବଳ ଏହାର ମାଟି ନୁହେଁ; ଗୋଟିଏ ଦେଶ ଏହାର ନାଗରିକଙ୍କୁ ନେଇ ଆଧାରିତ।’ ଅର୍ଥମନ୍ତ୍ରୀ ସମସ୍ତ ଅଞ୍ଚଳର ସନ୍ତୁଳିତ ବିକାଶକୁ ଉତ୍ସାହିତ କରୁଥିବା ‘ସବକା ବିକାଶ’ ଲକ୍ଷ୍ୟ ସହିତ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଥିଲେ।

ସାଧାରଣ ବଜେଟ 2025-26 ର ସାରାଂଶ

  • 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାରାହାରି ମାସିକ ଆୟ ଉପରେ କୌଣସି ଆୟକର ନାହିଁ; ମଧ୍ୟମ ବର୍ଗର ଘରୋଇ ସଞ୍ଚୟ ଏବଂ ଉପଭୋଗକୁ ପ୍ରୋତ୍ସାହନ ମିଳିବ
  • ନୂତନ ଟିକସ ବ୍ୟବସ୍ଥାରେ ବେତନଭୋଗୀ ବର୍ଗ ବାର୍ଷିକ 75 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶୂନ ଆୟକର ପ୍ରଦାନ କରିବେ
  • କେନ୍ଦ୍ର ବଜେଟରେ ବିକାଶର 4ଟି ଇଞ୍ଜିନ-କୃଷି, ଏମ୍.ଏସ୍.ଏମ୍.ଇ., ନିବେଶ ଏବଂ ରପ୍ତାନୀକୁ ସ୍ୱୀକୃତି ଦିଆଯାଇଛି
  • 7 କୋଟି କୃଷକଙ୍କୁ ଲାଭାନ୍ୱିତ କରିବା ପାଇଁ ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ରେ 100ଟି ନିମ୍ନ କୃଷି ଉତ୍ପାଦକତା ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯିବ
  • ବିରି, ହରଡ଼ ଏବଂ ମସୁର ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ ‘ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ଅଭିଯାନ’ର ଶୁଭାରମ୍ଭ କରାଯିବ
  • ସଂଶୋଧିତ ସୁଧ ରିହାତି ଯୋଜନା ଅଧୀନରେ କେ.ସି.ସି. ଜରିଆରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
  • ଆର୍ଥିକ ବର୍ଷ 25ରେ ବିତ୍ତୀୟ ନିଅଣ୍ଟ 8 ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିବା ବେଳେ ଆର୍ଥିକ ବର୍ଷ 26ରେ ଏହାକୁ 4.4 ପ୍ରତିଶତକୁ ହ୍ରାସ କରିବାର ଲକ୍ଷ୍ୟ
  • ଏମ୍.ଏସ୍.ଏମ୍. ଇ. ଗୁଡ଼ିକୁ ଗ୍ୟାରେଣ୍ଟି କଭର୍ ସହିତ ଋଣ ପରିମାଣ 5 କୋଟି ଟଙ୍କାରୁ 10 କୋଟି ଟଙ୍କାକୁ ବୃଦ୍ଧି
  • “ମେକ୍ ଇନ୍ ଇଣ୍ଡିଆ”କୁ ଆଗକୁ ବଢ଼ାଇବା ପାଇଁ କ୍ଷୁଦ୍ର, ମଧ୍ୟମ ଏବଂ ବୃହତ ଶିଳ୍ପକୁ ଅନ୍ତର୍ଭୁକ୍ତ କରୁଥିବା ଏକ ଜାତୀୟ ଉତ୍ପାଦନ ମିଶନ ଆରମ୍ଭ କରାଯିବ
  • ଆସନ୍ତା 5 ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟରେ 50,000 ଅଟଳ ଟିଙ୍କରିଂ ଲ୍ୟାବ୍
  • ଶିକ୍ଷା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ର ପାଇଁ ମୋଟ 500 କୋଟି ଟଙ୍କାର ବ୍ୟୟ ଅଟକଳ
  • ବ୍ୟାଙ୍କଗୁଡ଼ିକରୁ ବର୍ଦ୍ଧିତ ଋଣ ଏବଂ 30,000 ଟଙ୍କା ସୀମା ସହିତ ୟୁପିଆଇ- ସଂଯୁକ୍ତ କ୍ରେଡିଟ୍ କାର୍ଡ ସହିତ ପି.ଏମ୍. ସ୍ୱନିଧି
  • ପି.ଏମ୍. ଜନ ଆରୋଗ୍ୟ ଯୋଜନା ଅଧୀନରେ ଅସଂଗଠିତ ଶ୍ରମିକମାନେ ପରିଚୟ ପତ୍ର, ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ ଏବଂ ସ୍ୱାସ୍ଥ୍ୟସେବା ପାଇବେ
  • ଅଭିବୃଦ୍ଧି କେନ୍ଦ୍ର ଭାବେ ସହରଗୁଡ଼ିକର ବିକାଶ ପାଇଁ 1 ଲକ୍ଷ କୋଟି ଟଙ୍କାର ସହରୀ ଚ୍ୟାଲେଞ୍ଜ ପାଣ୍ଠି
  • 20,000 କୋଟି ଟଙ୍କା ବ୍ୟୟରେ କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟରଗୁଡ଼ିକର ଗବେଷଣା ଓ ବିକାଶ ପାଇଁ ଆଣବିକ ଶକ୍ତି ମିଶନ
  • 120 ଟି ନୂତନ ଗନ୍ତବ୍ୟସ୍ଥଳକୁ ଆଞ୍ଚଳିକ ସଂଯୋଗ ବୃଦ୍ଧି ପାଇଁ ସଂଶୋଧିତ ଉଡାନ ଯୋଜନା
  • ଆଉ 1 ଲକ୍ଷ ଚାପଗ୍ରସ୍ତ ଆବାସ ୟୁନିଟଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ 15,000 କୋଟି ଟଙ୍କାର ସ୍ୱାମୀ ପାଣ୍ଠି ପ୍ରତିଷ୍ଠା କରାଯିବ
  • ଘରୋଇ କ୍ଷେତ୍ର ପରିଚାଳିତ ଗବେଷଣା ବିକାଶ ଏବଂ ନବସୃଜନ ପଦକ୍ଷେପ ପାଇଁ 20,000 କୋଟି ଟଙ୍କା ଆବଣ୍ଟନ
  • ପାଣ୍ଡୁଲିପିର ସର୍ବେକ୍ଷଣ ଏବଂ ସଂରକ୍ଷଣ ପାଇଁ ଜ୍ଞାନ ଭାରତମ୍ ମିଶନରେ ଏକ କୋଟିରୁ ଅଧିକ ପାଣ୍ଡୁଲିପିକୁ ସଂରକ୍ଷିତ କରାଯିବ
  • ବୀମା କ୍ଷେତ୍ରରେ ଏଫ.ଡି.ଆଇ. ସୀମା 74 ପ୍ରତିଶତରୁ 100 ପ୍ରତିଶତକୁ ବୃଦ୍ଧି
  • ବିଭିନ୍ନ ଆଇନର 100 ରୁ ଅଧିକ ବ୍ୟବସ୍ଥାକୁ ଅପରାଧମୁକ୍ତ କରିବା ପାଇଁ ଜନ ବିଶ୍ୱାସ ବିଲ୍ 2 ଉପସ୍ଥାପନ କରାଯିବ
  • ସଂଶୋଧିତ ଆୟକର ରିଟର୍ଣ୍ଣର ସମୟସୀମା ଦୁଇ ବର୍ଷରୁ ବୃଦ୍ଧି କରି ଚାରି ବର୍ଷ କରାଯାଇଛି
  • ଟି.ସି.ଏସ୍. ଦେୟରେ ବିଳମ୍ବକୁ ଅପରାଧମୁକ୍ତ କରାଯାଇଛି
  • ଭଡ଼ା ଉପରେ ଟିଡିଏସ୍ 40 ଲକ୍ଷ ଟଙ୍କାରୁ 6 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି
  • କର୍କଟ, ବିରଳ ଏବଂ ଦୀର୍ଘସ୍ଥାୟୀ ରୋଗର ଚିକିତ୍ସା ପାଇଁ 36ଟି ଜୀବନ ରକ୍ଷାକାରୀ ଔଷଧ ଏବଂ ଔଷଧ ଉପରେ ବି.ସି.ଡି. ଛାଡ଼ ପାଇଛି
  • ଆଇ. ଏଫ୍.ପି.ଡି. ଉପରେ ବି.ସି.ଡି. 20 ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ଖୋଲା ସେଲରେ 5 ପ୍ରତିଶତକୁ ହ୍ରାସ ପାଇଛି
  • ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ଖୋଲା ସେଲର ଯନ୍ତ୍ରାଂଶ ଉପରେ ବି. ସି. ଡି. ଛାଡ଼ କରାଯାଇଛି
  • ବ୍ୟାଟେରୀ ଉତ୍ପାଦନ ବୃଦ୍ଧି ପାଇଁ, ଇ.ଭି. ଏବଂ ମୋବାଇଲ ବ୍ୟାଟେରୀ ଉତ୍ପାଦନ ପାଇଁ ଅତିରିକ୍ତ ପୁଞ୍ଜି ସାମଗ୍ରୀକୁ ଛାଡ଼ କରାଯାଇଛି
  • ଜାହାଜ ନିର୍ମାଣ ପାଇଁ ବ୍ୟବହୃତ କଞ୍ଚାମାଲ ଏବଂ ଉପାଦାନ ଉପରେ ବିସିଡି 10 ବର୍ଷ ପାଇଁ ଛାଡ଼ ପାଇଛି
  • ଶୀତଳୀକରଣ ମାଛ ପେଷ୍ଟ ଉପରେ ବିସିଡି 30 ପ୍ରତିଶତରୁ 5 ପ୍ରତିଶତକୁ ଏବଂ ମାଛ ହାଇଡ୍ରୋଲାଇସେଟ୍ ଉପରେ 15 ପ୍ରତିଶତରୁ 5 ପ୍ରତିଶତକୁ ହ୍ରାସ କରାଯାଇଛି

 

 

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏଣିକି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ନାହିଁ, ତେବେ ଏହାପରେ କେତେ ପ୍ରତିଶତ ରହିଛି

ନୂଆଦିଲ୍ଲୀ: ୨୦୨୫-୨୬ ବଜେଟରେ ‘ପ୍ରଥମେ ବିଶ୍ୱାସ, ପରେ ଯାଞ୍ଚ’ ଦର୍ଶନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ମଧ୍ୟବିତ୍ତବର୍ଗଙ୍କ ଉପରେ ଆସ୍ଥା ପ୍ରକଟ କରାଯାଇଛି ଏବଂ ସାଧାରଣ ଟିକସଦାତାଙ୍କୁ ଟିକସ ବୋଝରୁ ମୁକ୍ତି ଦେବାର ଧାରା ଜାରି ରହିଛି। କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ସମସ୍ତ ଟିକସଦାତାଙ୍କୁ ଫାଇଦା ଦେବା ପାଇଁ ଟିକସ ସ୍ଲାବ୍ ଏବଂ ଦରରେ ଉଲ୍ଲେଖନୀୟ ପରିବର୍ତ୍ତନ ପ୍ରସ୍ତାବ ଦେଇଛନ୍ତି।

ଟିକସଦାତାଙ୍କୁ ଖୁସି ଖବର ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ନୂଆ ଟିକସ ବ୍ୟବସ୍ଥା ଅନୁଯାୟୀ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ (ଅର୍ଥାତ୍ କ୍ୟାପିଟାଲ ଗେନ୍ ଭଳି ସ୍ୱତନ୍ତ୍ର ହାର ଆୟକୁ ବାଦ୍ ଦେଇ ହାରାହାରି ଏକ ଲକ୍ଷ ଟଙ୍କା ମାସିକ ଆୟ ଉପରେ) ଉପରେ କୌଣସି ଆୟକର ଆଦାୟ କରାଯିବ ନାହିଁ। ୭୫,୦୦୦ ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ଯୋଗୁଁ ବେତନଭୋଗୀ ଟିକସଦାତାଙ୍କ ପାଇଁ ଛାଡ଼ସୀମା ୧୨.୭୫ ଲକ୍ଷ ଟଙ୍କା ରହିବ। ସ୍ଲାବ୍ ହାର ହ୍ରାସର ଲାଭ ବ୍ୟତୀତ ଟିକସ ରିହାତି ଏପରି ଭାବେ ଯୋଗାଇ ଦିଆଯାଉଛି ଯେ ସେମାନଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ନୂତନ ଟିକସ ଢାଞ୍ଚା ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝକୁ ଯଥେଷ୍ଟ ହ୍ରାସ କରିବ ଏବଂ ସେମାନଙ୍କ ହାତରେ ଅଧିକ ଟଙ୍କା ଉପଲବ୍ଧ କରାଇବ, ଯାହା ଦ୍ୱାରା ଘରୋଇ ବ୍ୟବହାର, ସଞ୍ଚୟ ଏବଂ ନିବେଶକୁ ପ୍ରୋତ୍ସାହନ ମିଳିବ । ନୂଆ ଟିକସ ବ୍ୟବସ୍ଥା ଅନୁଯାୟୀ, ଅର୍ଥମନ୍ତ୍ରୀ ଟିକସ ହାର ଢାଞ୍ଚାରେ ନିମ୍ନଲିଖିତ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି:

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Income Tax: ଆୟକର ନେଇ ନିର୍ମଳା ସୀତାରମଣଙ୍କ ବଡ ଘୋଷଣା, ଏଣିକି 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟାକ୍ସ ଛାଡ

Income Tax: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ 2025 ଉପସ୍ଥାପିତ କରିଛନ୍ତି। ଏହି ବଜେଟରୁ ଲୋକମାନେ ଯାହା ବଡ ଆଶା କରିଥିଲେ ତାହା ବର୍ତ୍ତମାନ ପୂରଣ ହୋଇଛି। ସାଧାରଣତଃ ବଜେଟରୁ ଲୋକମାନେ ଆୟକର ସ୍ଥିତି କଣ ରହିବ ତାହା ଜାଣିବା ପାଇଁ ଅପେକ୍ଷା କରିଥାନ୍ତି। ଯାହା ଅର୍ଥମନ୍ତ୍ରୀ ଏଥର ଭଲ ଘୋଷଣା କରିଛନ୍ତି।

ଘୋଷଣା ଅନୁସାରେ ଏଣିକି ଆୟକର ସୀମାକୁ ଅର୍ଥମନ୍ତ୍ରୀ ବୃଦ୍ଧି କରିଛନ୍ତି। ତାହା ହେଲେ ବର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ କୌଣସି କର ପଡିବ ନାହିଁ। ପୂର୍ବରୁ ଏହି ସୀମା 7 ଲକ୍ଷ ରହିଥିଲା। ଏହା ମୋଦି ସରକାରଙ୍କ ଏକ ବଡ ଘୋଷଣା। ଏତେ ବଡ ପରିମାଣର ଆୟକର ଛାଡ ହେବ ତାହା କାହାର ଧାରଣା ନ ଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

Budget 2025: ସଂସଦରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, ଘୋଷଣା କଲେ ‘ଧନ ଧାନ୍ୟ କୃଷି ଯୋଜନା’

Budget 2025: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନା କରୁଛନ୍ତି। ଏହି ଅବସରରେ ସେ କୃଷି ଉପରେ ନିଜର ପ୍ରଥମ ଅଭିଭାଷଣ ରଖିଛନ୍ତି। ଏଥିରେ ସେ ଏକ ନୂଆ ଯୋଜନା ‘ଧନ ଧାନ୍ୟ କୃଷି’ ଯୋଜନା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ଯୋଜନା ଦେଶର ୧ କୋଟିରୁ ଅଧିକ କୃଷକଙ୍କୁ ଉପକୃତ କରିବ।

ଏହି ଯୋଜନା ୧୦୦ଟି ଅଳ୍ପ ଉତ୍ପାଦନ ଥିବା ଜିଲ୍ଲା, ମଧ୍ୟମ ଫସଲ ଗଠନ ଏବଂ ସାଧାରଣରୁ କମ୍ ଋଣ ପ୍ରଚାଳନକୁ ପ୍ରତ୍ସାହିତ କରିବ।

“ଆମ ସରକାର ରାଜ୍ୟଗୁଡ଼ିକ ସହ ମିଶି ‘ପିଏମ ଧନ ଧାନ୍ୟ କୃଷି ଯୋଜନା’ ଲାଗୁ କରିବ। ଏହି କାର୍ଯ୍ୟକ୍ରମ ଉପଲବ୍ଧ ଯୋଜନାଗୁଡ଼ିକର ସଂଯୋଗ ଏବଂ ବିଶେଷ ବ୍ୟବସ୍ଥା ମାଧ୍ୟମରେ ୧୦୦ଟି ଅଳ୍ପ ଉତ୍ପାଦନ ଥିବା ଜିଲ୍ଲାଗୁଡ଼ିକୁ ବିକଶିତ କରିବ। ଏଥିସହିତ କୃଷି ଉତ୍ପାଦନଶୀଳତା ବୃଦ୍ଧି କରିବ ବୋଲି ନିର୍ମାଳା ସୀତାରମଣ କହିଛନ୍ତି।

ସେ କହିଛନ୍ତି ଯେ ୨୦୨୫-୨୬ ଅର୍ଥନୈତିକ ବଜେଟ୍ ବୃଦ୍ଧି ତ୍ବରାନ୍ବିତ କରିବା ଏବଂ ସମାନ୍ତରାଳମୂଳକ ବିକାଶ ପ୍ରଦାନ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ

Budget2025: ଏଥର ମଧ୍ୟ ବଜେଟ ଉପସ୍ଥାପନା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଦହି ଖୁଆଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Budget2025: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ 2025 ଉପସ୍ଥାପନ କରିବାକୁ ଯାଉଛନ୍ତି। ଉପସ୍ଥାପନା ପୂର୍ବରୁ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହୃଦୟରୁ ଶୁଭେଚ୍ଛା ଜଣାଇ ଦହି ଏବଂ ଚିନି ଖୁଆଇ ଥିଲେ।

ସାଧାରଣତଃ କୌଣସି ଶୁଭ କାମ କରିବାକୁ ଯିବା ବେଳେ ଘରର ମୁରବୀ ମହିଳା ତାଙ୍କୁ ଦହି ଚିନି ଖାଇବାକୁ ଦିଅନ୍ତି। ବିଶ୍ବାସ ରହିଛି ଦହିଚିନି ଖାଇବାକୁ ଦେଲେ ସମସ୍ତ କାର୍ଯ୍ୟ ସଫଳ ବା ଶୁଭ ହୋଇଥାଏ। ଦହି ସ୍ବଚ୍ଛତା ଏବଂ ଚିନି ମଧୁରତାର ପ୍ରତୀକ ଭାବେ ବିବେଚନା କରାଯାଏ। ପିଲାମାନେ ପରୀକ୍ଷା ଦେବାକୁ ଯିବା ବେଳେ ଘରର ବୟସ୍କ ମହିଳା ଏହିପରି ଦହିଚିନି ଖାଇବାକୁ ଦେଇ ଆର୍ଶିବାଦ କରିଥାନ୍ତି।

ଠିକ ସେହିପରି ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବା ପୂର୍ବରୁ ରାଷ୍ଟ୍ରପତି ତାଙ୍କୁ ଦହି ଚିନି ଖାଇବାକୁ ଦେଇ ଶୁଭେଚ୍ଛା ଜଣାଇଛନ୍ତି। ସୀତାରମଣଙ୍କୁ ଦହି ଖୁଆଥିବା ଫଟୋ ରାଷ୍ଟ୍ରପତି ତାଙ୍କ ସାମାଜିକ ଗଣମାଧ୍ୟମରେ ମଧ୍ୟ ପୋଷ୍ଟ କରିଛନ୍ତି। ଗତଥର ମଧ୍ୟ ରାଷ୍ଟ୍ରପତି ନିର୍ମଳାଙ୍କୁ ଦହି ଖୁଆଇଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କିଛି ସମୟ ପରେ ସଂସଦରେ ସାଧାରଣ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ୨୦୨୫-୨୬ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପିତ କରିବେ। ଏଏହି ବଜେଟ୍ ମୁଖ୍ୟତଃ ଆର୍ଥିକ ବୃଦ୍ଧି ବଢ଼ାଇବା ଏବଂ ଜୀବନ ଯାପନ ବ୍ୟୟ ହ୍ରାସ କରିବା ଉଦ୍ଦେଶ୍ୟ ନେଇ ଆସିବ ବୋଲି ସମସ୍ତଙ୍କର ଆଶା ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହା ସୀତାରମଣଙ୍କ ଅଷ୍ଟମ ବଜେଟ୍ ଉପସ୍ଥାପନା, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଉଲ୍ଲେଖଯୋଗ୍ୟ, ସରକାରଙ୍କ ଡିଜିଟାଲ୍ ପଦକ୍ଷେପ ସହିତ ସମନ୍ୱୟ ରଖି ବଜେଟ୍ କାଗଜବିହୀନ ଫର୍ମାଟରେ ପ୍ରଦାନ କରାଯିବ।

ଦେଶ ଏହି ଗୁରୁତ୍ୱପୂର୍ଣ୍ଣ କାର‌୍ୟ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ଭାରତର ଅର୍ଥନୈତିକ ଭବିଷ୍ୟତ ପାଇଁ ସରକାରଙ୍କ ଦୃଷ୍ଟିକୁ ଉନ୍ମୋଚନ କରିବା ପାଇଁ ସମସ୍ତଙ୍କ ନଜର ଅର୍ଥମନ୍ତ୍ରୀ ସୀତାରମଣଙ୍କ ଉପରେ ରହିଛି।

ଶୁକ୍ରବାର ପୂର୍ବରୁ, ଅର୍ଥମନ୍ତ୍ରୀ ସଂସଦର ନିମ୍ନ ସଦନରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିଥିଲେ। ଏହା ଉପସ୍ଥାପନ କରାଯିବା ପରେ, ଲୋକସଭାକୁ ଫେବୃଆରୀ ୧ ତାରିଖ ସକାଳ ୧୧ ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର

Union Budget 2025: ରେକର୍ଡ ସୃଷ୍ଟି କରିବେ ଅର୍ଥମନ୍ତ୍ରୀ, ଡେଲିହଣ୍ଟ ଆପ୍ ରେ ମିଳିବ ତାଜା ସୂଚନା

Union Budget 2025: ପୁଣିଥରେ ଅର୍ଥମନ୍ତ୍ର ଶ୍ରୀମତୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ଉପସ୍ଥାପନା କରିବାକୁ ଯାଉଛନ୍ତି। ଫଳରେ ସେ ବର୍ତ୍ତମାନ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି। ସେ ସବୁଠୁ ଅଧିକ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ କରିଥିବା ପ୍ରଥମ ମହିଳା ହେବାକୁ ଯାଉଛନ୍ତି।

ଆସନ୍ତା ୧ ଫେବୃଆରୀ ୨୦୨୫ ରେ, ସେ ମୋଦୀ ୩.୦ ଅଧୀନରେ ତାଙ୍କ ଦ୍ବିତୀୟ ବ୍ୟାପକ ବଜେଟ୍ ପ୍ରସ୍ତୁତ କରିବେ। ବିତ୍ତୀୟ ବର୍ଷ ୨୦୨୫-୨୬ ପାଇଁ ଉପସ୍ଥାପିତ ହେବାକୁ ଥିବା ବଜେଟ ବେଶ ଆକର୍ଷଣୀୟ ହେବ ବୋଲି ସମସ୍ତେ ଆଶା କରି ରହିଛନ୍ତି।

ବଜେଟ୍ ୨୦୨୫ ରେ ଅନେକ ବଡ଼ ଘୋଷଣା ହେବାର ଆଶା

୨୦୧୭ ଠାରୁ, ପ୍ରତିବର୍ଷ ଫେବୃଆରୀ ୧ ତାରିଖରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ କରାଯାଏ। ଭାରତୀୟ ସଂବିଧାନର ଅନୁଛେଦ ୧୧୨ ରହିଛି ଯେ ସରକାର ନୂତନ ବିତ୍ତୀୟ ବର୍ଷ ଆରମ୍ଭ ହେବା ପୂର୍ବରୁ ପାର୍ଲାମେଣ୍ଟରେ ଏକ ସଂପୂର୍ଣ୍ଣ ବଜେଟ୍ ଉପସ୍ଥାପିତ କରିବ। ଏହା ୧ ଅପ୍ରେଲରେ ଆରମ୍ଭ ହୋଇ ୩୧ ମାର୍ଚ୍ଚରେ ସମାପ୍ତ ହେବ।

ଆଗାମୀ ବଜେଟ୍ ରେ ନୂଆ ଚାକିରୀ ସୃଷ୍ଟି, ଶିଳ୍ପ ଓ ବିଶେଷକରି ଏମ୍‌ଏସ୍‌ଏମ୍‌ଇ ମାନଙ୍କୁ ପ୍ରୋଡକ୍ସନ୍ ଲିଙ୍କ୍ଡ୍ ଇନ୍ସେନ୍ଟିଭ୍ ଯୋଜନା ମାଧ୍ୟମରେ ସହାୟତା ପ୍ରଦାନ କରିବା ପ୍ରାଥମିକତା ମଧ୍ୟରେ ରହିବ। ଏଥିସହ ନାଗରିକମାନଙ୍କର ବିତ୍ତୀୟ ସ୍ୱାଧୀନତା ବୃଦ୍ଧି କରିବା ପାଇଁ ବଡ଼ ସରକାରୀ ପ୍ରୟାସଗୁଡ଼ିକ ପାଇଁ ଅର୍ଥ ବୃଦ୍ଧି କରିବାର ଆଶା ଅଛି। ସେହିପରି କରଦାତାମାନଙ୍କୁ ମହଙ୍ଗା ଏବଂ ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତାରୁ ରକ୍ଷା କରିବା ପାଇଁ ଆୟକର ବୃଦ୍ଧି କରିବା ସମ୍ଭାବନା ରହିଛି।

ସାଧାରଣତଃ ବଜେଟ୍ ଏକ ସମାଜିକ ନ୍ୟାୟ, ସମତା ଏବଂ ସମତୁଳିତ ଅର୍ଥନୈତିକ ବିକାଶ ନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହା ଦୁଇଟି ଭାଗ ରଖିଥାଏ – ରାଜସ୍ୱ ବଜେଟ୍ ଏବଂ ପୁଂଜିଗତ ବଜେଟ୍। ବଜେଟ୍ ର ଲକ୍ଷ୍ୟ ହେଉଛି ସମ୍ପଦଗୁଡ଼ିକର କୁଶଳ ଆବଣ୍ଟନ, ଚାକିରୀ ସୃଷ୍ଟି ଏବଂ ଦାରିଦ୍ର‌୍ୟ ହ୍ରାସ କରିବା। ଏହା ମୂଲ୍ୟସ୍ତରକୁ ନିୟନ୍ତ୍ରଣ କରିବା ସହିତ ଧନ ଏବଂ ଆୟର ଅସମାନତା ଦୂର କରିବାକୁ ଚେଷ୍ଟା କରିଥାଏ।

ଡେଲିହଣ୍ଟ୍ ରେ ମିଳିବ ବଜେଟ୍ ୨୦୨୫ ର ନୂତନ ଅପଡେଟ୍

ସରକାର ଦ୍ୱାରା ବଜେଟ୍ ମାଧ୍ୟମରେ କରାଯାଉଥିବା ଉଦ୍ୟମଗୁଡ଼ିକ ରୂପରେ ଭାରତର ଅର୍ଥନୈତିକ ବିକାଶ ବୃଦ୍ଧି ପାଇବାର ଆଶା ଅଛି। କାରଣ ଭାରତର ଲକ୍ଷ୍ୟ ୨୦୨୭-୨୮ ବର୍ଷରେ ୫ ଟ୍ରିଲିଅନ୍ ଡଲାର୍ ଅର୍ଥନୀତି ହେବ। ଏହି ପ୍ରୟାସଗୁଡ଼ିକ ମୂଖ୍ୟ ଅର୍ଥନୈତିକ  ଉପରେ ଗୁରୁତ୍ୱ ଦେଇ ସମସ୍ତ ନାଗରିକଙ୍କ ପାଇଁ ଟିକସ ଉନ୍ନତି ଏବଂ ସମୃଦ୍ଧି ସୁନିଶ୍ଚିତ କରିବାକୁ ଡିଜାଇନ୍ କରାଯାଇଛି।

ଡେଲିହଣ୍ଟ୍ ରେ ଆପଣ ଆସନ୍ତା ବଜେଟ୍ ୨୦୨୫ ର ସମ୍ପୂର୍ଣ୍ଣ କଭରେଜ୍ ପାଇପାରିବେ। ଯେଉଁଥିରେ ବାସ୍ତବ ସମୟର ଅପଡେଟ୍, ସମାଚାର, ଭିତ୍ତିଶୀଳ ଅନୁସନ୍ଧାନ ଏବଂ ବିଶ୍ଲେଷଣ ଅନ୍ତର୍ଭୂକ୍ତ ରହିବ। ଏହି ପ୍ଲାଟଫର୍ମ ବଜେଟ୍ ପ୍ରକ୍ରିୟା ଉପରେ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଦୃଷ୍ଟି ଏବଂ ସମ୍ପୂର୍ଣ୍ଣ ଅପଡେଟ୍ ଦେବାରେ ତାହାର ପ୍ରୟାସ ଜାରି ରଖିବ। ବଜେଟ୍ ସମ୍ବନ୍ଧୀୟ ସମସ୍ତ ମହତ୍ତ୍ୱପୂର୍ଣ୍ଣ ସୂଚନା ର ଲାଇଭ୍ କଭରେଜ୍ ପାଇଁ ଡେଲିହଣ୍ଟ୍ ସହିତ ଯୋଡ଼ି ହୋଇ ରୁହନ୍ତୁ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ବଜେଟ 2025 ପାଇଁ ବିଭିନ୍ନ ବର୍ଗର ବିଶେଷଜ୍ଞଙ୍କ ପରାମର୍ଶ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଗତ ବର୍ଷ ପରି ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାକୁ ଲୋକାଭିମୁଖୀ କରିବା ପାଇଁ ଆମ ସରକାର ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜନସାଧାରଣଙ୍କଠାରୁ ବହୁମୂଲ୍ୟ ମତାମତ ଆହ୍ୱାନ କରିଛନ୍ତି । ବିଭିନ୍ନ ମାଧ୍ୟମରେ ଆସୁଥିବା ଏହି ପରାମର୍ଶ ଗୁଡିକୁ ଅନୁଧ୍ୟାନ ଓ ତର୍ଜମା କରି ଚଳିତ ବଜେଟ୍ ରେ ସ୍ଥାନୀତ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଆଜି ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଆୟୋଜିତ ପ୍ରାକ୍ ବଜେଟ୍ ଆଲୋଚନା ବୈଠକରେ ମୁଖ୍ୟମନ୍ତ୍ରୀ ବିଶେଷଜ୍ଞ, ନାଗରିକ ସମାଜ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କ ସହିତ ପ୍ରାକ୍ ବଜେଟ୍ ପରାମର୍ଶ ଆଲୋଚନା କରିଛନ୍ତି।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଏହି ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ, ଶ୍ରୀ ପଞ୍ଚାନନ କାନୁନଗୋ, ଶ୍ରୀ ଶଶୀଭୂଷଣ ବେହେରା, ଶ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ ଅର୍ଥ ସଚିବ ଶ୍ରୀ ରବି ନାରାୟଣ ସେନାପତି, ଶ୍ରୀ ଉପେନ୍ଦ୍ର ନାଥ ବେହେରା, ବରିଷ୍ଠ ରାଜନେତା ଶ୍ରୀ ସମୀର ମହାନ୍ତି, ଶ୍ରୀ ସଜ୍ଜନ ଶର୍ମା ପ୍ରମୁଖ ବିଭିନ୍ନ କ୍ଷେତ୍ରର ପ୍ରାୟ 24 ଜଣ ବିଶିଷ୍ଠ ବ୍ୟକ୍ତି ବଜେଟ୍ ସଂକ୍ରାନ୍ତୀୟ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ ।

ବୈଠକ ପରେ ଗଣମାଧ୍ୟମକୁ ନିଜର ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷର ବଜେଟ୍ କିପରି ଲୋକାଭିମୁଖୀ ହୋଇପାରିବ ସେ ନେଇ ବୈଠକରେ ସମସ୍ତେ ନିଜର ବହୁମୂଲ୍ୟ ମତାମତ ଦେଇଛନ୍ତି। ଏ ବାବଦରେ ସାଧାରଣ ଲୋକ ଜାନୁଆରୀ 31 ତାରିଖ ସୁଦ୍ଧା ଇ-ମେଲ ଓ ହ୍ୱାଟସ ଅପ୍, ୱେବ୍ ପୋର୍ଟାଲ ମାଧ୍ୟମରେ ସେମାନଙ୍କ ମତାମତ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।

ଲୋକଙ୍କ ସରକାରରେ ଲୋକଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ ଏବଂ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଯୋଜନା ପ୍ରସ୍ତୁତ କରାଯିବ । ବିଶେଷ କରି ବଜେଟ୍ ରେ ଗ୍ରାମାଞ୍ଚଳବାସୀ ଓ ଅର୍ଥନୈତିକ ଅନଗ୍ରସର ଲୋକମାନଙ୍କୁ ଫୋକସ କରାଯାଉଛି । ଏଥି ସହିତ ରାଜସ୍ୱ ବୃଦ୍ଧି, ଆଇ.ଟି, ସେମିକଣ୍ଡକ୍ଟର, ପେଟ୍ରୋକେମିକାଲ, ଷ୍ଟିଲ, ଅକ୍ଷୟ ଶକ୍ତି, ଟେକ୍ସଟାଇଲ, ଆଗ୍ରୋ ଇଣ୍ଡଷ୍ଟ୍ରି ଭଳି ଶିଳ୍ପ ସହିତ ପର୍ଯ୍ୟଟନକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

କୃଷକ ମାନଙ୍କ ଆୟ ବୃଦ୍ଧି ସହିତ ଶୀତଳ ଭଣ୍ଡାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ସହିତ ଭିତ୍ତିଭୂମି ସୁଦୃଢ ପାଇଁ ବିକଶିତ ଗାଁ, ବିକଶିତ ଓଡିଶା କାର୍ଯ୍ୟକାରୀ କରାଯିବ । ନିଯୁକ୍ତି କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି, ବର୍ତ୍ତମାନ ସୁଦ୍ଧା 20 ହଜାର ନିଯୁକ୍ତି ଦିଆସରିଛି, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା 40 ହଜାର ନିଯୁକ୍ତି ଦିଆଯିବ ।

2025-26 ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆମ ସରକାର 65 ହଜାର ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛନ୍ତି । ଶିଳ୍ପ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ଅଢେଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଅନୁମୋଦନ କରାଯାଇଛି, ଯାହା ଦ୍ୱାରା 1 ଲକ୍ଷ 10 ହଜାର ନିଯୁକ୍ତି ସୃଷ୍ଟି ହେବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବଜେଟ୍ ପାଇଁ ଯେଉଁ ମତାମତ ଆସିଛି ତନ୍ମଧ୍ୟରୁ ଲୋକ ହିତକାରୀ ମତାମତ ଗୁଡିକୁ ଫିସକାଲ ରେସ୍ପନ୍ସ ଟିମ୍ ଗୁରୁତ୍ୱ ଦେବ ଏବଂ ଏହି ବଜେଟ୍ ସମୃଦ୍ଧ ଓଡିଶା ଗଠନ ପାଇଁ ନିଶ୍ଚିତ ଭାବେ ଏକ ପୂର୍ଣ୍ଣାଙ୍ଗ ରୂପରେ ଆସିବ ବୋଲି ସେ କହିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା ୧୩ ତାରିଖରୁ ବିଧାନସଭା, ୧୭ ତାରିଖରେ ରାଜ୍ୟ ବଜେଟ

ଭୁବନେଶ୍ବର: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ ।  ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ୨୮ ଦିନ ଧରି ଚାଲିବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୩ ରୁ ୨୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ।

ପ୍ରଥମ ଦିନରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତିଙ୍କ ଅଭିଭାଷଣ ଦେବେ। ଫେବୃୟାରୀ ୧୪ ଓ ୧୫ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ୧୬ ତାରିଖ ରବିବାର ଛୁଟି ଥିବା ବେଳେ ୧୭ରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ ।

୧୮ରେ ସରକାରୀ କାର୍ଯ୍ୟଦିବସ ଥିବାବେଳେ ୧୯ରେ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ଏବଂ ୨୦ ଓ ୨୧ରେ ବଜେଟ୍ ଉପରେ ସାଧାରଣ ଆଲୋଚନା ଆରମ୍ଭ ହେବ । ୨୨ରୁ ମାର୍ଚ୍ଚ ୬ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ବନ୍ଦ ରହିବ।