Categories
ଆଞ୍ଚଳିକ

ବାଲୁଗାଁ ପରିଷଦ ପରିଚାଳନା ସାଧାରଣ ଅଧିବେଶନରେ ଯୋଗ ଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ୬ଷ୍ଠ ପରିଷଦ ପରିଚାଳନା ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଧିବେଶନରେ ରାଜ୍ୟ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚ଼ନା କରିଥିଲେ।

ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ଵିଶେଷ ସହାୟତା ପ୍ରଗତି, କଠିନ ବର୍ଜ୍ୟବସ୍ତୁ ପରିଚ଼ାଳନାରେ ପ୍ରଗତି, ମିଶନ ଶକ୍ତି ଗୃହ ଓ ଆହାର କେନ୍ଦ୍ର ପ୍ରଗତି, ସ୍ମାର୍ଟ ପାର୍କ ଏବଂ ଶବଦାହ ସ୍ଥାନ ଉନ୍ନତି, କଚ୍ଚା ଏବଂ ଡବ୍ଲୁବିଏମ୍ ରୋଡକୁ ପେଭର ବ୍ଲକ ରୋଡ୍ କରିବା, ମୁକ୍ତା ଯୋଜନାର ପ୍ରଗତି, ବିଭିନ୍ନ କେନ୍ଦ୍ରୀୟ/ରାଜ୍ୟ ପେନସନ୍ ସ୍କିମ ସ୍ଥିତି, ପିଏମ୍ ସମ୍ମାନ ନିଧି,ପିଏମ୍ କିଷାନ ଯୋଜନା, ପିଏମ୍ ବିଶ୍ଵକର୍ମା ଯୋଜନା, ଷ୍ଟ୍ରିଟ୍ ଲାଇଟ ଏବଂ ଅନ୍ୟ ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଏଥିସହିତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ସରସ ସୁନ୍ଦର ଭାବେ ଗଢିତୋଳିବା ପାଇଁ ସମସ୍ତଙ୍କର ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତପ୍ରକାଶ କରିଥିଲେ।ଏହିଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବାଲୁଗାଁ ଏନଏସି ଅନ୍ତର୍ଗତ ୮୦ ବର୍ଷରୁ ଉର୍ଦ୍ଧ୍ବ ୩୦ ଜଣ ବୃଦ୍ଧ,ବୃଦ୍ଧା ଓ ୮୦ ଶତକଡ଼ାରୁ ଉର୍ଦ୍ଧ୍ବ ୨୦ ଜଣ ଭିନ୍ନକ୍ଷମଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିଲେ।ଏହି ବୈଠକରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ,ଉପାଧ୍ୟକ୍ଷ ଭଗବାନ ପ୍ରଧାନ,କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ,କନିଷ୍ଠ ଯନ୍ତ୍ରୀ ବିମଳ ମିଶ୍ର,ସମସ୍ତ କାଉନସିଲର ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅକ୍ଟୋବର ୨ ତାରିଖ ତଥା ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ହେବାକୁ ଥିବାବେଳେ ରବିବାର ଅର୍ଥାତ ପ୍ରଥମ ଦିବସରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଜନସମ୍ପର୍କ ପଦଯାତ୍ରାରେ ଚିଲିକା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ଏନଏସି ଅଧ୍ୟକ୍ଷା, କାଉନସିଲର, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ୱାର୍ଡ ମେମ୍ବର ଏବଂ ସମସ୍ତ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଉକ୍ତ ପଦଯାତ୍ରା ବାଲୁଗାଁ ଉତ୍ତରାୟଣୀ ମନ୍ଦିର ଠାରୁ ବାହାରି ଗାନ୍ଧୀ ଛକ ଠାରେ ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ପରେ ବଜାର ପରିକ୍ରମା କରିଥିଲେ। ପଦଯାତ୍ରା ମାଧ୍ୟମରେ ଜନସାଧାରଣଙ୍କ ସେବା ମୁଳ ଲକ୍ଷ୍ୟ ହୋଇଥିବା ବେଳେ ରାଜନୀତି ଏକମାତ୍ର ମାଧ୍ୟମ ଯାହାଫଳରେ ଏହି ପଦଯାତ୍ରାକୁ ସଫଳାୟନ କରିବାପାଇଁ ସାଧାରଣ ଜନତାଙ୍କ ଅତି ନିକଟତର ହୋଇ ସେମାନଙ୍କ ସୁଖଦୁଃଖରେ ଭାଗିଦାରୀ ହେବା ଏବଂ ଲୋକଙ୍କ ସାଥିରେ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟର ଉପକାରିତା ଓ ସଫଳତା ଲକ୍ଷ୍ୟରେ ସମସ୍ତ ଜନପ୍ରତିନିଧି ମାନେ ତତ୍ପର ହୋଇ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇଥିଲେ।

ଏଥିସହିତ ଦେଶ ପାଇଁ ବଳିଦାନ ଦେଇଥିବା ସ୍ବାଧିନତା ସଂଗ୍ରାମୀଙ୍କ ଅବଦାନକୁ ଲୋକଲୋଚନକୁ ଆଣିବା ପାଇଁ ସ୍ଲୋଗାନ ଦେଇଥିଲେ। ଏହି ପଦଯାତ୍ରା ଆଜି ଠାରୁ ଦୀର୍ଘ ଏକ ମାସ ଧରି ବିଭିନ୍ନ ଗ୍ରାମାଞ୍ଚଳ, ସହରାଞ୍ଚଳରେ ଜାରି ରହିବ ବୋଲି ଦଳୀୟ କର୍ମୀମାନେ କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ବହୁ ଆଡ଼ମ୍ବରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ କାଳରେ ରାମଧୁନ ଗାନ କରିବାସହ ପରିଷଦ କାର୍ଯ୍ୟାଳୟରେ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଅଧ୍ୟକ୍ଷାଙ୍କ ସମେତ ସମସ୍ତ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନା ରାଣୀ ପାଢ଼ୀ ଏବଂ କର୍ମଚାରୀମାନେ ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହ ଜରାଶ୍ରମରେ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିବା ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

ବିଭିନ୍ନ ୱାର୍ଡରେ ୭ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ୧୨ ଗୋଟି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ମଧ୍ୟାହ୍ନରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠିତ ସଭାରେ ଏନଏସିକୁ ସରସ ସୁନ୍ଦର କରି ଗଢିତୋଳିବା ପାଇଁ ବିଭିନ୍ନ ଉନ୍ନତମୂଳକ କାର୍ଯ୍ୟ ଉପରେ ଧ୍ୟାନ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସଭା ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯିବାସହ ଚତୁର୍ଥ ଶ୍ରେଣୀ ଓ ପରିମଳ କର୍ମଚାରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା। ପରିଶେଷରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ଗିରଫ ଦାବି: ଖୋର୍ଦ୍ଧା ଏସ୍.ପି ଅଫିସ ଆଗରେ ବିକ୍ଷୋଭ କଲା ବିଜେପି ଜନଜାତି ମୋର୍ଚ୍ଚା

ଖୋର୍ଦ୍ଧା: ବିଜେପି କର୍ମୀଙ୍କୁ ମାଡ଼ମାରିବା ଏବଂ ଜାତିଆଣ ଆକ୍ଷେପ ଘଟଣାକୁ ନେଇ ବିଜେପି ଜନଜାତି ମୋର୍ଚ୍ଚା ପକ୍ଷରୁ ଖୋର୍ଦ୍ଧା ଏସ୍.ପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ପକ୍ଷରୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ଦାବି କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ବିଗତ ୮ ତାରିଖ ଅପରାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଏହା ସହ ସେହି ସମୟରେ ଭିଡ଼ିଓ ଉତ୍ତୋଳନ କରୁଥିବା ସାମ୍ବାଦିକ ଦିବ୍ୟକାନ୍ତ ବେହେରାଙ୍କୁ ବିଧାୟକ ଗାଳିଗୁଲଜ କରିବା ସହ ତାଙ୍କ ମୋବାଇଲ ଛଡେଇନେଇଥିବା ଅଭିଯୋଗ ହୋଇଥିଲା। ତେବେ ଏହାକୁ ନେଇ ବାଲୁଗାଁ ଥାନାରେ ବିଜେପି କର୍ମୀ ଏବଂ ସାମ୍ବାଦିକଙ୍କ ପକ୍ଷରୁ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଥିଲା।

ଏହାପରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନସ୍ୱରୂପ ବିଧାୟକଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରିଥିଲେ। କିନ୍ତୁ ବିଧାୟକଙ୍କୁ ଗିରଫ କରାଯାଇନଥିବାରୁ ବିଜେପି ଜନଜାତି ମୋର୍ଚ୍ଚା ପକ୍ଷରୁ ଆଜି ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଭାରତୀୟ ଜନତା ଦଳ ଜନଜାତି ମୋର୍ଚ୍ଚାର ଶହ ଶହ ବିଜେପି କର୍ମୀଙ୍କ ସହିତ ବରିଷ୍ଠ ନେତୃମଣ୍ଡଳି ମାନେ ଖୋର୍ଦ୍ଧା ଏସ୍.ପି ଅଫିସ ଆଗରେ ଧାରଣା ଦେଇଥିଲେ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ରାଜ୍ୟ ଜନଜାତି ମୋର୍ଚ୍ଚାର ସଭାପତି ବିଭୁ ପ୍ରସାଦ ତରାଇ, ଜିଲ୍ଲା ଜନଜାତି ମୋର୍ଚ୍ଚାର ସଭାପତି ଶିବ ପ୍ରସାଦ ମଲ୍ଲିକ ପ୍ରମୁଖ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅମାନୁଷିକ କାର୍ଯ୍ୟକୁ କଡ଼ା ନିନ୍ଦା କରିଥିଲେ। ଏହା ସହ ତୁରନ୍ତ ବିଧାୟକ ଜଗଦ୍ଦେଵଙ୍କୁ ଗିରଫ କରିବା ନେଇ ବିଜେପି ପକ୍ଷରୁ ୧୬ ଜଣିଆ ପ୍ରତିନିଧି ମଣ୍ଡଳୀ ଏସ୍.ପି ରାଜ କିଶୋର ଦୋରାଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ।

ତେବେ ଯଥାଶୀଘ୍ର ବିଧାୟକ ଜଗଦ୍ଦେବଙ୍କୁ ଗିରଫ କରାନଗଲେ ଏହି ଆନ୍ଦୋଳନକୁ ରାଜ୍ୟବ୍ୟାପି ସମସ୍ତ ଏସ୍.ପି ଅଫିସ ଆଗରେ ବିକ୍ଷୋଭ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।

ଅନୁରୂପ ଭାବେ ଆମେ ବିଜେପି ଜନଜାତି ମୋର୍ଚ୍ଚାର ଗିରଫଦାରୀ ଦାବିପତ୍ର ଗ୍ରହଣ କରିଛୁ।  ଏବଂ ଆଇନ ଅନୁଯାୟୀ ପଦକ୍ଷେପ ନେବୁ ବୋଲି ଏସପି ଶ୍ରୀ ଦୋରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଦୁଇ କର୍ମଚାରୀଙ୍କ ଉପରେ ମହିଳା ସଙ୍ଗଠନର ସଙ୍ଗୀନ୍‌ ଅଭିଯୋଗ

ସମୀକ୍ଷା ବ୍ୟୁରୋ

ବାଲୁଗାଁ: ବାଲୁଗାଁ ଅଞ୍ଚଳରେ ଏକ ଅପ୍ରୀତିକର ଘଟଣା ଘଟିଯାଇଛି। ଶିବଶକ୍ତି ମହାସଂଘ ନାମକ ଏକ ମହିଳା ସଙ୍ଗଠନର ମହିଳାମାନେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳର ଦୁଇ କର୍ମଚାରୀଙ୍କ ଉପରେ ମାନସିକ ଶାରିରୀକ ନିର୍ଯାତନା ଦେବାର ଅଭିଯୋଗ ଆଣିଛନ୍ତି। ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ନିର୍ଦ୍ଦେଶକ୍ରମେ ଉକ୍ତ ମହିଳା ସଙ୍ଗଠନର ଦୁଇ ମହିଳାଙ୍କୁ ଗତ ତିନି ମାସ ହେବ ସ୍ବଚ୍ଛ ସାଥୀ ଭାବରେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ବିଜ୍ଞାପିତ ଅଞ୍ଚଳର ଦୁଇ କର୍ମଚାରୀ  ମହିଳାଙ୍କ ଦରମା ନ ଦେଇ ମିଛ ବାହନା ଦେଖାଇ ଚାକିରିରୁ କାଢି ଦେବାର ଧମକ ଦେଇଥିବାର ଅଭିଯୋଗ ହୋଇଛି। ତେବେ ଏ ବାବଦରେ ସମ୍ପୃକ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀଙ୍କୁ ପଚାରିବାରୁ ସେ ତାଙ୍କ ଉପରିସ୍ଥ ଅଫିସର ଆସିଲେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଉତ୍ତର ଦେଇଛନ୍ତି।

ଏହାକୁ ନେଇ ସମ୍ପୃ୍କ୍ତ ଦୁଇ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଇ ତାଙ୍କୁ ତାଙ୍କର ଉଚିତ୍‌ ପ୍ରାପ୍ୟ ଓ ଅଧିକାର ମିଳୁ ବୋଲି ଉକ୍ତ ମହିଳା ସଙ୍ଗଠନ ଦାବି କରିଛନ୍ତି। ପୂର୍ବରୁ ମଧ୍ୟ ଏହି ମହିଳା ସଙ୍ଗଠନ ବିଭିନ୍ନ ଦାବି ନେଇ ବିଜ୍ଞାପିତ ଅଞ୍ଚଳର ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତେବେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଉପୁଜିଥିବା ଏହି ସମସ୍ୟାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କଲାପରେ ସମ୍ପୃକ୍ତ ଘଟଣାର ସତ୍ୟତା ଜଣାପଡିବା ସହିତ ମହିଳାଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ