ବାଲୁଗାଁରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

Published: Oct 2, 2022, 5:30 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅକ୍ଟୋବର ୨ ତାରିଖ ତଥା ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ହେବାକୁ ଥିବାବେଳେ ରବିବାର ଅର୍ଥାତ ପ୍ରଥମ ଦିବସରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଜନସମ୍ପର୍କ ପଦଯାତ୍ରାରେ ଚିଲିକା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ଏନଏସି ଅଧ୍ୟକ୍ଷା, କାଉନସିଲର, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ୱାର୍ଡ ମେମ୍ବର ଏବଂ ସମସ୍ତ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଉକ୍ତ ପଦଯାତ୍ରା ବାଲୁଗାଁ ଉତ୍ତରାୟଣୀ ମନ୍ଦିର ଠାରୁ ବାହାରି ଗାନ୍ଧୀ ଛକ ଠାରେ ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ପରେ ବଜାର ପରିକ୍ରମା କରିଥିଲେ। ପଦଯାତ୍ରା ମାଧ୍ୟମରେ ଜନସାଧାରଣଙ୍କ ସେବା ମୁଳ ଲକ୍ଷ୍ୟ ହୋଇଥିବା ବେଳେ ରାଜନୀତି ଏକମାତ୍ର ମାଧ୍ୟମ ଯାହାଫଳରେ ଏହି ପଦଯାତ୍ରାକୁ ସଫଳାୟନ କରିବାପାଇଁ ସାଧାରଣ ଜନତାଙ୍କ ଅତି ନିକଟତର ହୋଇ ସେମାନଙ୍କ ସୁଖଦୁଃଖରେ ଭାଗିଦାରୀ ହେବା ଏବଂ ଲୋକଙ୍କ ସାଥିରେ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟର ଉପକାରିତା ଓ ସଫଳତା ଲକ୍ଷ୍ୟରେ ସମସ୍ତ ଜନପ୍ରତିନିଧି ମାନେ ତତ୍ପର ହୋଇ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇଥିଲେ।

ଏଥିସହିତ ଦେଶ ପାଇଁ ବଳିଦାନ ଦେଇଥିବା ସ୍ବାଧିନତା ସଂଗ୍ରାମୀଙ୍କ ଅବଦାନକୁ ଲୋକଲୋଚନକୁ ଆଣିବା ପାଇଁ ସ୍ଲୋଗାନ ଦେଇଥିଲେ। ଏହି ପଦଯାତ୍ରା ଆଜି ଠାରୁ ଦୀର୍ଘ ଏକ ମାସ ଧରି ବିଭିନ୍ନ ଗ୍ରାମାଞ୍ଚଳ, ସହରାଞ୍ଚଳରେ ଜାରି ରହିବ ବୋଲି ଦଳୀୟ କର୍ମୀମାନେ କହିଛନ୍ତି।

Related posts