ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଦୁଇ କର୍ମଚାରୀଙ୍କ ଉପରେ ମହିଳା ସଙ୍ଗଠନର ସଙ୍ଗୀନ୍‌ ଅଭିଯୋଗ

Published: Dec 31, 2019, 4:55 pm IST

ସମୀକ୍ଷା ବ୍ୟୁରୋ

ବାଲୁଗାଁ: ବାଲୁଗାଁ ଅଞ୍ଚଳରେ ଏକ ଅପ୍ରୀତିକର ଘଟଣା ଘଟିଯାଇଛି। ଶିବଶକ୍ତି ମହାସଂଘ ନାମକ ଏକ ମହିଳା ସଙ୍ଗଠନର ମହିଳାମାନେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳର ଦୁଇ କର୍ମଚାରୀଙ୍କ ଉପରେ ମାନସିକ ଶାରିରୀକ ନିର୍ଯାତନା ଦେବାର ଅଭିଯୋଗ ଆଣିଛନ୍ତି। ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ନିର୍ଦ୍ଦେଶକ୍ରମେ ଉକ୍ତ ମହିଳା ସଙ୍ଗଠନର ଦୁଇ ମହିଳାଙ୍କୁ ଗତ ତିନି ମାସ ହେବ ସ୍ବଚ୍ଛ ସାଥୀ ଭାବରେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ବିଜ୍ଞାପିତ ଅଞ୍ଚଳର ଦୁଇ କର୍ମଚାରୀ  ମହିଳାଙ୍କ ଦରମା ନ ଦେଇ ମିଛ ବାହନା ଦେଖାଇ ଚାକିରିରୁ କାଢି ଦେବାର ଧମକ ଦେଇଥିବାର ଅଭିଯୋଗ ହୋଇଛି। ତେବେ ଏ ବାବଦରେ ସମ୍ପୃକ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀଙ୍କୁ ପଚାରିବାରୁ ସେ ତାଙ୍କ ଉପରିସ୍ଥ ଅଫିସର ଆସିଲେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଉତ୍ତର ଦେଇଛନ୍ତି।

ଏହାକୁ ନେଇ ସମ୍ପୃ୍କ୍ତ ଦୁଇ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଇ ତାଙ୍କୁ ତାଙ୍କର ଉଚିତ୍‌ ପ୍ରାପ୍ୟ ଓ ଅଧିକାର ମିଳୁ ବୋଲି ଉକ୍ତ ମହିଳା ସଙ୍ଗଠନ ଦାବି କରିଛନ୍ତି। ପୂର୍ବରୁ ମଧ୍ୟ ଏହି ମହିଳା ସଙ୍ଗଠନ ବିଭିନ୍ନ ଦାବି ନେଇ ବିଜ୍ଞାପିତ ଅଞ୍ଚଳର ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତେବେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଉପୁଜିଥିବା ଏହି ସମସ୍ୟାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କଲାପରେ ସମ୍ପୃକ୍ତ ଘଟଣାର ସତ୍ୟତା ଜଣାପଡିବା ସହିତ ମହିଳାଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Related posts