Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ୱାନ ପଞ୍ଚାୟତ, ୱାନ ପ୍ରଡକ୍ଟ’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ; ଏସଏଚଜି ମିଳିଲା ୨୨୦ କୋଟି ଟଙ୍କା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଗସ୍ତ କରି ସେ ସେଠାରେ ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୭୪ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ, ୧୪୩୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ବାଲେଶ୍ବରର ସୋମନାଥପୁର ଠାରେ ଏକ ନବନିର୍ମିତ ରେଳ ଓଭରବ୍ରିଜକୁ ମଧ୍ୟ ଉଦ୍‌ଘାଟିତ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୫୬୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରି ମିଶନ ଶକ୍ତି ମା ମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ଆହ୍ବାନ ଦେଇଥିଲେ ଏବଂ ଏହି ଆନ୍ଦୋଳନକୁ ଏକ ନୂଆ ସୋପାନକୁ ନେବା ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାର ୬୦ ହଜାର ମା ମାନଙ୍କୁ ଏହି ସହାୟତା ମିଳିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ୱାନ ପଞ୍ଚାୟତ, ୱାନ ପ୍ରଡକ୍ଟ ଉପରେ ଗୁରୁତ୍ବ ଆରୋପ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ପଞ୍ଚାୟତ ଯଦି ଗୋଟିଏ ଗୋଟିଏ ସ୍ବତନ୍ତ୍ର ଦ୍ରବ୍ୟ ଉତ୍ପାଦନ କରିପାରିବେ, ତେବେ ଏଥିପାଇଁ ବଜାର ସୃଷ୍ଟି ହେବାରେ ସୁବିଧା ହେବା ସହିତ ପ୍ରତ୍ୟେକ ପଞ୍ଚାୟତର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି ହୋଇପାରିବ। ମା ମାନେ ଓଡିଶାର ଶିଳ୍ପ ବିକାଶରେ ନୂଆ ଇତିହାସ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ୫ ବର୍ଷରେ ମା ମାନଙ୍କୁ ବିନା ସୁଧରେ ୫୦ ହଜାର କୋଟି ଟଙ୍କାର ଋଣ ଦିଆଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାଲେଶ୍ବର ହେଉଛି ଏକ ଆଗୁଆ ଜିଲ୍ଲା। ଶିକ୍ଷା, ସାହିତ୍ୟ, ଶିଳ୍ପ, କୃଷି, ଭିତ୍ତିଭୂମି – ସବୁ କ୍ଷେତ୍ରରେ ବାଲେଶ୍ବର ଆଗୁଆ। ଆଜିର କାର୍ଯ୍ୟକ୍ରମ ବିକାଶର ଏହି ଧାରାକୁ ଆହୁରି ଆଗକୁ ନେବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ପାତ୍ର ଓ ବାଲେଶ୍ବର ବିଧାୟକ ଶ୍ରୀ ସ୍ବରୂପ ଦାସ ପ୍ରମୁଖ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବାଲେଶ୍ବର ଜିଲ୍ଲାରେ ହୋଇଥିବା ଅନେକ ବିକାଶ ମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ।

ମେଡିକାଲ କଲେଜ ଠାରୁ ଆରମ୍ଭ କରି ରାସ୍ତାଘାଟ, ପାନୀୟ ଜଳ, ସ୍ବାସ୍ଥ୍ୟ କଲ୍ୟାଣ କାର୍ଯ୍ୟକ୍ରମ ସବୁ କ୍ଷେତ୍ରରେ ବାଲେଶ୍ବର ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ ହେଉଛି ବୋଲି ସେମାନେ କହିଥିଲେ। ମିଶନ ଶକ୍ତି କାର୍ଯ୍ୟକ୍ରମ ଦ୍ବାରା ମା ମାନଙ୍କୁ ନୂଆ ପରିଚୟ ମିଳିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଧାୟକଗଣ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ବାଲେଶ୍ବର, ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ମିଶନ ଶକ୍ତି ମା’ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ ବାଲେଶ୍ବର, ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ଫେଡେରେଶନର ମିଶନ ଶକ୍ତି ମା’ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ଭୁବନେଶ୍ବରକୁ ସେମାନେ ପ୍ରଶିକ୍ଷଣ ପାଇଁ ଆସିଥିବା ଅବସରରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।

ଏହି ଅବସରରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ମିଶନ ଶକ୍ତି କାର୍ଯ୍ୟକ୍ରମରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ଏହାଦ୍ବାରା ସେମାନଙ୍କର ଦକ୍ଷତା ବୃଦ୍ଧି ହେବା ସହିତ ବିଭିନ୍ନ ବ୍ୟବସାୟ ଜରିଆରେ ଆର୍ଥିକ ଉନ୍ନତି ଆସିପାରିଛି। ନିଜେ ରୋଜଗାର କରିପାରୁଥିବା ଯୋଗୁ ଆଜି ସମାଜରେ ସେମାନଙ୍କର ପ୍ରତିଷ୍ଠା ବୃଦ୍ଧି ପାଇଛି ବୋଲି ସେମାନେ ଖୁସି ପ୍ରକାଶ କରିଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ସେମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିପାରିଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ କାମର ପ୍ରଶଂସା କରିବା ସହିତ ଓଡିଶାର ବିକାଶରେ, ବିଶେଷକରି ଗ୍ରାମାଞ୍ଚଳର ମା ମାନେ ବହୁତ ଭଲ କାମ କରୁଛନ୍ତି ଓ ଆଗକୁ ଏହିପରି କାମ ଜାରି ରଖିବେ ବୋଲି ସେ ଆଶାପ୍ରକାଶ କରିଥିଲେ।

ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର

କୁଖ୍ୟାତ ଅନ୍ତରାଜ୍ୟ ନିଶା ବେପାରୀ ଶେଖ ଆଜ ବାହାର ଗିରଫ

କଟକ: ଦୀର୍ଘ ଦିନରୁ ଫେରାର ଥିବା କୁଖ୍ୟାତ ନିଶା ବେପାରୀ ଶେଖ ଆଜବାହାର କୁ ଓଡିଶା ଏସ ଟି ଏଫ ରାଜସ୍ଥାନ ପୋଲିସ ର ସହାୟତାରେ ସ୍ଥାନୀୟ ଯୋଦ୍ଧପୁର ରୁ ଗିରଫ କରିଛି। ଆଜବାହରଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ଜଣାପଡିଛି। ସେ ବିଭିନ୍ନ ସମୟରେ ସ୍ଥାନ ବଦଳାଇ ପୋଲିସ ଆଖିରେ ଧୂଳିଦେଇ ଲୁଚି ରହୁଥିଲା।

ଆଜବାହାରର ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ବରର ରାଜପୁରରେ ବୋଲି ସୂଚନା ମିଳିଛି।  ଗତ ଅଗଷ୍ଟ ମାସରେ ତା ଠାରୁ ପୋଲିସ ଆନୁମାନିକ ୨କିଲୋ ୪୦୨ଗ୍ରାମ ବ୍ରାଉନ ସୁଗର ଜବତ କରିଥିଲା। ସେ ବାଲେଶ୍ୱର, ଜଳେଶ୍ବର ଓ ପଶ୍ଚିମ ବଙ୍ଗ ରେ ତାର ବେଆଇନ ନିଶା କାରବାର ଚଳାଇ ଆସୁଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ଏଣିକି ବାଲେଶ୍ବର, ଭଦ୍ରକ ଜିଲ୍ଲାବାସୀ ମଧ୍ୟ ପାଇବେ ସ୍ମାର୍ଟ କାର୍ଡର ସୁବିଧା, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ବର ଓ ଭର୍ଚୁଆଲ ମାଧ୍ୟମରେ ଭଦ୍ରକ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ବାଲେଶ୍ବରର ୨୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଭଦ୍ରକର ୧୧ ଲକ୍ଷରୁ ଅଧିକ ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହାସହିତ ରାଜ୍ୟର ୨୧ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ।

ପ୍ରଥମେ ମୁଖ୍ୟମନ୍ତ୍ରୀ ବ୍ୟାସକବି ଫକୀରମୋହନ ଓ କବିବର ରାଧାନାଥ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଓଡିଶାର ଭାଷା ଓ ସାହିତ୍ୟର ଗୌରବ ବୃଦ୍ଧି କ୍ଷେତ୍ରରେ ଏହି ଦୁଇ ମହାରଥୀଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ସେହିପରି ସ୍ବାଧୀନତା ସଂଗ୍ରାମରେ ବାଲେଶ୍ବରର ସ୍ବତନ୍ତ୍ର ଅବଦାନ ବିଷୟରେ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାଲେଶ୍ବର ଜିଲ୍ଲା କୃଷି, ଶିଳ୍ପ, ପର୍ଯ୍ୟଟନ ସବୁ କ୍ଷେତ୍ରରେ ଆଗୁଆ ।

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲା ପାଇଁ ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ଯୋଜନା ଆରମ୍ଭ କରି ପ୍ରଥମେ ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ସ୍ମରଣ କରିଥିଲେ ଏବଂ ଇରମ ମାଟିକୁ ପ୍ରଣାମ ଜଣାଇଥିଲେ ।

ଭଦ୍ରକରେ ମିଶନ ଶକ୍ତିର ମା ମାନେ ଭଲ କାମ କରୁଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରଙ୍କ ବିଭିନ୍ନ ଯୋଜନାରେ ସହଭାଗୀ ହୋଇଛନ୍ତି। ଚଳିତ ବର୍ଷ ସେମାନେ ୨୪୫ କୋଟି ଟଙ୍କା ଋଣ ସୁବିଧା ପାଇପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମିଶନ ଶକ୍ତି କାର୍ଯ୍ୟକ୍ରମ କେବଳ ମା ମାନଙ୍କର ନୁହେଁ, ସାରା ସମାଜରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ଏବଂ ରାଜ୍ୟର ୭୭ ପ୍ରତିଶତ ଲୋକ ଚିକିତ୍ସାର ବୋଝରୁ ମୁକ୍ତି ପାଇବେ ବୋଲି ସେ କହିଥିଲେ। ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ। ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ବାଲେଶ୍ବରରେ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବାଲେଶ୍ବର ବିଧାୟକ ଶ୍ରୀ ସ୍ବରୂପ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ଭଦ୍ରକରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ଶ୍ରୀ ବ୍ୟୋମକେଶ ରାୟ ଓ ଭଦ୍ରକ ବିଧାୟକ ଶ୍ରୀ ସଂଜୀବ ମଲ୍ଲିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ, ଦୂରଦୃଷ୍ଟି ଓ ଗରିବ ଲୋକଙ୍କ ପାଇଁ ତାଙ୍କର ପ୍ରତିବଦ୍ଧତା ଓଡିଶାରେ ଗରିବ ଲୋକମାନଙ୍କୁ ସୁରକ୍ଷିତ କରିବା ସହିତ ସାରା ଦେଶର କଲ୍ୟାଣ କ୍ଷେତ୍ରରେ ଆଦର୍ଶ ସୃଷ୍ଟି କରିପାରିଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଯୋଜନା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଗରିବ ଲୋକଙ୍କ ଦୁଃଖ ଦୂର କରିବା କ୍ଷେତ୍ରରେ ଏକ ମୁଖ୍ୟ ସାହାରା ହେବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ଭୁବନେଶ୍ବରରେ କେନ୍ଦ୍ର ସରକାର ପାଳନ କଲେ ବିଶ୍ବ ମତ୍ସ୍ୟ ଦିବସ, ଯୋଗଦେଲେ ମନ୍ତ୍ରୀ ରୂପାଲା

ଭୁବନେଶ୍ବର: ଦେଶରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି ଏବଂ ଭାରତ ସରକାର ୨୦୨୪-୨୫ ସୁଦ୍ଧା ଏହି କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ରପ୍ତାନି ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା।

ଆଜି ଭୁବନେଶ୍ବର ଠାରେ ଆୟୋଜିତ ବିଶ୍ବ ମତ୍ସ୍ୟ ଦିବସ ଉପଲକ୍ଷେ ରୂପାଲା ଏହା କହିଥିଲେ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରୂପାଲା କହିଥିଲେ ଯେ ସାମୁଦ୍ରିକ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ରାଜ୍ୟଗୁଡ଼ିକ ନୂତନ ବିକଳ୍ପ ସନ୍ଧାନ କରିବା ଏବଂ ପରସ୍ପରର କାର୍ଯ୍ୟରେ ଅନୁପ୍ରାଣିତ ହେବାର ଆବଶ୍ୟକତା ରହିଛି। କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ, ବର୍ତ୍ତମାନ ପରିବେଶ ଅନୁକୂଳ ମାଛ ଧରା ଉପରେ ଗୁରୁତ୍ବାରୋପ କରାଯିବାର ଆବଶ୍ୟକତା ରହିଛି। ଆବଶ୍ୟକତା ପୂରଣ କରିବା ସହିତ ଏହି କ୍ଷେତ୍ରର ଦୀର୍ଘସ୍ଥାୟିତ୍ବକୁ ବଜାୟ ରଖିବା ମଧ୍ୟ ଜରୁରି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ୨୦୨୪-୨୫ ସୁଦ୍ଧା ଏହି କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ରପ୍ତାନି ଲକ୍ଷ୍ୟ ପାଇଁ ଭାରତ ସରକାର କାର‌୍ୟ୍ୟ କରୁଛନ୍ତି।

କିସାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ଲାଗି ରୂପାଲା ଆହ୍ବାନ କରିଥିଲେ। ସେ କହିଥିଲେ ଯେ ସାମୁଦ୍ରିକ ମାଛ ଧରା କ୍ଷେତ୍ରକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବା ଲାଗି ଆମର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ସରକାର କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ଲାଗି ଖୁବଶୀଘ୍ର ଏକ ବଡ଼ ଅଭିଯାନ ଆରମ୍ଭ କରିବେ ବୋଲି ସେ ସୂଚନା ଦେଇଥିଲେ।

ଏହି ଜାତୀୟ ସ୍ତରର କାର‌୍ୟ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ମତ୍ସ୍ୟ, ପଶୁପାଳନ, ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଡ. ଏଲ ମୁରୁଗାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତ୍ସ୍ୟ କ୍ଷେତ୍ର ପାଇଁ ଏକ ସ୍ବତନ୍ତ୍ର ମନ୍ତ୍ରଣାଳୟ ଗଠନ ପାଇଁ ପରିକଳ୍ପନା କରିଥିଲେ। ଖୁବ କମ୍ ସମୟ ମଧ୍ୟରେ ଏ କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ସାକାର ରୂପ ଦିଆଯାଇଛି। ଦେଶ ଏବେ ଏହି କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ଆୟ ସୃଷ୍ଟି କରିବା ଲାଗି ମହତ୍ବାକାଂକ୍ଷୀ ଲକ୍ଷ୍ୟ ନିର୍ଦ୍ଧାରଣ କରିଛି।

ଭାରତ ସରକାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଏବଂ ଏହି ଯୋଜନା ଜରିଆରେ ୨୦ ହଜାର କୋଟି ଟଙ୍କାର ପାଣ୍ଠି ବିନିଯୋଗ କରାଯାଇଛି। ସରକାର ମଧ୍ୟ ସାମୁଦ୍ରିକ ଶୈବାଳ ଚାଷ ଉପରେ ମଧ୍ୟ ଗୁରୁତ୍ବାରୋପ କରୁଛନ୍ତି। ଆମେ ମଧ୍ୟ ଏହି କ୍ଷେତ୍ରରେ ମତ୍ସ୍ୟଜୀବୀ ମହିଳାମାନଙ୍କ ସଶକ୍ତିକରଣ ଏବଂ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବା ଉପରେ ଜୋର ଦେଉଛୁ ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ ଯେ ଦେଶର ପାଞ୍ଚଟି ପ୍ରମୁଖ ବନ୍ଦର ମଧ୍ୟରୁ ଅନ୍ୟତମ ପାରାଦୀପକୁ ଏକ ବୃହତ ମାଛ ଧରା ବନ୍ଦର ଭାବେ ବିକଶିତ କରାଯାଉଛି।

ଏହି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ବାଲେଶ୍ବର ଜିଲ୍ଲାକୁ ଦେଶର ଶ୍ରେଷ୍ଠ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଜିଲ୍ଲା ଭାବେ ପୁରସ୍କୃତ କରାଯାଇଥିଲା। ଆନ୍ଧ୍ରପ୍ରଦେଶ ଶ୍ରେଷ୍ଠ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ରାଜ୍ୟ ପୁରସ୍କାର ପାଇଥିବା ବେଳେ ତେଲଙ୍ଗାନାକୁ ଶ୍ରେଷ୍ଠ ଅନ୍ତରୀଣ ମଧୁର ଜଳ ମତ୍ସ୍ୟ ଉତ୍ପାଦନ ଜିଲ୍ଲା ପୁରସ୍କାର ଦିଆଯାଇଥିଲା। ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ବାଲାଘାଟକୁ ଆଭ୍ୟନ୍ତରୀର ମଧୁର ଜଳ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ଦିଆଯାଇଥିଲା। ତ୍ରିପୁରାକୁ ଶ୍ରେଷ୍ଠ ପାର୍ବତ୍ୟ ମତ୍ସ୍ୟ ଉତ୍ପାଦନ ରାଜ୍ୟ ପୁରସ୍କାର ମିଳିଥିବା ବେଳେ ଆସାମର ବଙ୍ଗାଇଗାଓଁଙ୍କୁ ଏହି ବର୍ଗରେ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ଦିଆଯାଇଥିଲା।

ଏଥିପୂର୍ବରୁ ସମାରୋହ ପରିସରରେ ଚାଷୀ ଏବଂ ଉଦ୍ୟମୀମାନଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ପ୍ରଦର୍ଶନୀ ଷ୍ଟଲଗୁଡ଼ିକୁ କେନ୍ଦ୍ର ମନ୍ତ୍ରୀ ଏବଂ ଅତିଥିମାନେ ବୁଲି ଦେଖିଥିଲେ। ମତ୍ସ୍ୟଚାଷ କ୍ଷେତ୍ରରେ ବିଭିନ୍ନ ପୋଷ୍ଟର, ଜିଙ୍ଗଲ ମଧ୍ୟ କାର‌୍ୟ୍ୟକ୍ରମ ଅବସରରେ ଉନ୍ମୋଚନ କରାଯାଇଥିଲା। ଏହି କାର‌୍ୟ୍ୟକ୍ରମରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସ୍କୁଲର ରୂପାନ୍ତର ପର୍ବର ହେଲା ଶୁଭାରମ୍ଭ, ଆଜି ୧୪୨ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ । ୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାଯ୍ୟ ଶେଷ ହୋଇଛି। ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ବର ଆଦି ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏଥିରେ ସୁନ୍ଦରଗଡର ୬୭ଟି, କଟକର ୩୦ଟି, ବାଲେଶ୍ବରର ୨୩ଟି, ନବରଙ୍ଗପୁରର ୨୨ଟି ଓ କନ୍ଧମାଳର ୧୦ଟି ସ୍କୁଲ ରହିଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ (There is a saying that Children constitute one-third of our population, but all of our future.)। ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ବୋଲି ମତଦେଇ ସେ କହିଥିଲେ ଯେ ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ବ।

ମୁଖ୍ୟମନ୍ତ୍ରୀ କହିଲେ, “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ technology ବିଷୟରେ ଜାଣନ୍ତୁ । ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ challengeକୁ ସାମନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ।”

ଓଡିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସବୁବେଳେ ସ୍ବତନ୍ତ୍ର ହୋଇରହିବ। ମୁଁ ବହୁତ ଖୁସି ଯେ 5-T transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତର ହୋଇଥିବା ୧୦୨୫ ହାଇସ୍କୁଲର ଲୋକାର୍ପଣ ଉତ୍ସବ ଆଜିଠାରୁ ଆରମ୍ଭ କରାଗଲା । ୨୪ ନଭେମ୍ବର ପର‌୍ୟ୍ୟନ୍ତ ଏହି କାର‌୍ୟ୍ୟକ୍ରମ ଜାରି ରହିବ।

୫-ଟି ନୀତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍କୁଲ ରୂପାନ୍ତର ହେଉଛି ଆମର ୫-ଟି କାଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ୫-ଟି ହେଲା ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍। ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି । ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି । ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍ ୱାର୍କ ।

ତୃତୀୟ ନୀତି ହେଉଛି ଟାଇମ୍ ବା ସମୟ ।. ନଭେମ୍ବର ୧୪ ସୁଦ୍ଧା ୧୦୭୨ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ଏହା ଆଜି ଠିକ୍ ସମୟରେ ଶେଷ ହୋଇପାରିଛି ।

ଚତୁର୍ଥ ନୀତି ହେଉଛି ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତା । ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ ।

ଗାଁ ଓ ସହରର ସ୍କୁଲ ମଧ୍ୟରେ ଥିବା ପାର୍ଥକ୍ୟ ଦୂର ଉପରେ ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଏ ସ୍କୁଲ ରୂପାନ୍ତର କାର‌୍ୟ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି ।

ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି ।

ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ ପରିଚୟ । ମୋର ପୁରା ବିଶ୍ବାସ, ତୁମେ ମାନେ ଭଲ ପାଠ ପଢି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ।

ଏହି କାଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ। ସୁନ୍ଦରଗଡର ଛ୍ରାତ୍ରୀ ସିରିନ୍ କୌସର୍‌, ନବରଙ୍ଗପୁରର ନାଗେଶ୍ବରୀ ପାଣିଗ୍ରାହୀ, ବାଲେଶ୍ବରର ଅଭିଲିପ୍‌ସା ଲେଙ୍କା, କନ୍ଧମାଳର ଇତିଶ୍ରୀ କହଁର ଓ କଟକର ଗାୟତ୍ରୀ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ସ୍କଲର ପରିବେଶ ଓ ଶିକ୍ଷା ସୁବିଧାର ପରିବର୍ତ୍ତନରେ ସେମାନେ ଖୁସି ।

ଆଗ ଅପେକ୍ଷା ସ୍କୁଲ ବହୁତ ଭଲ ଲାଗୁଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀ ସେମାନେ ଭବିଷ୍ୟତରେ କଣ ହେବାକୁ ଚାହାନ୍ତି ବୋଲି ପଚାରିବାରୁ ସେମାନେ ଉତ୍ସାହିତ ହୋଇ ଆଇ.ଏ.ଏସ୍ ଅଫିସର,ଅଇ ପି ଏସ ବୈଜ୍ଞାନିକ, ଡାକ୍ତର ଇଞ୍ଜିନିୟର ହେବେ ବୋଲି କହିଥିଲେ ।

କାଯ୍ୟକ୍ରମରେ ସୁନ୍ଦରଗଡରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ସାରଦା ପ୍ରସାଦ ନାୟକ, ନବରଂଗପୁରରେ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ବାଲେଶ୍ବରରେ ପର‌୍ୟ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କନ୍ଧମାଳରେ ସାଂସଦ ଶ୍ରୀ ଅଚ୍ୟୁତାନନ୍ଦ ସାମନ୍ତ ଏବଂ କଟକରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଜିଲ୍ଲାର ବିଧାୟକ ମାନେ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତର କାର‌୍ୟ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ଶିକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ପ୍ରକାଶ କରି ସେମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତାର ପ୍ରଶଂସା କରିଥିଲେ ।

କାଯ୍ୟକ୍ରମରେ ସ୍କୁଲ ରୂପାନ୍ତର କାର‌୍ୟ୍ୟକ୍ରମ ସଂପର୍କରେ ଭିଡିଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା ।

ଏହି କାଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ ।

ମୋ ସ୍କୁଲ କାର‌୍ୟ୍ୟକ୍ରମର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସ୍ବାଗତ ଭାଷଣ ଦେଇ ଥିଲେ

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଯୋଗାଣ ମନ୍ତ୍ରୀ, ରିଲିଫ୍‌ ଓ ଥଇଥାନ କାର୍ଯ୍ୟ ସମୀକ୍ଷା କଲେ

ଭୁବନେଶ୍ୱର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବାତ୍ୟା ‘ୟସ୍‌’ ଦ୍ୱାରା ପ୍ରଭାବିତ ବାଲେଶ୍ୱର ଜିଲ୍ଲାର ପ୍ରପୀଡ଼ିତଙ୍କୁ ରିଲିଫ୍‌ ପ୍ରଦାନ ଓ ବାତ୍ୟା ପରବର୍ତ୍ତୀ ଥଇଥାନ କାର୍ଯ୍ୟର ତଦାରଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ବାଲେଶ୍ୱର ଯାଇ ଜିଲ୍ଲାର ବିଭିନ୍ନ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ବାଲେଶ୍ୱର ସଦର ବିଧାୟକଙ୍କ ସହ ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୱାର୍ଡ ୩୧ର ମସଜିଦ୍‌ ଗଳି ଓ ଅରୋଡ଼ ବଜାର ଏବଂ ୫ ନଂ ୱାର୍ଡକୁ ଯାଇ ବାତ୍ୟା ପରବର୍ତ୍ତୀ ରିଲିଫ୍‌ ବିଷୟରେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ରିଲିଫ୍‌ ସାମଗ୍ରୀ ବଣ୍ଟନ ଦିଗରେ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ ।

ଏଥି ସହିତ ମନ୍ତ୍ରୀ ବାଲେଶ୍ୱର ସଦର ବ୍ଲକ୍‌ର ସାରଥା ଗ୍ରାମପଞ୍ଚାୟତର ସାରଥା, ଚକ୍ରସାରଥା, ଗଁନ୍ଦିଆ, ମୁହାଣ, ବାଙ୍ଗସିରି, ମେଘା, ହଳଦୀଗଡ଼ି, ଖୁଦକାଣ୍ଡିଆ, ମିରିଚି, ବୁଧିଆମାରିି, ଖଡ଼ଖଡ଼ି ଏବଂ ଆଲବେନ୍ଦା ଗ୍ରାମପଞ୍ଚାୟତରେ ବାତ୍ୟା ପରବର୍ତ୍ତୀ ଥଇଥାନ କାର୍ଯ୍ୟର ତଦାରଖ କରିଥିଲେ । ବାଲେଶ୍ୱର ସଦରର ବିଭିନ୍ନ ଗ୍ରାମ ବୁଲି ବାତ୍ୟା ପରବର୍ତ୍ତୀ ସ୍ଥିତି ଦେଖିବା ପରେ ଥଇଥାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କିପରି ହୋଇପାରିବ ସେ ବିଷୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବାଲେଶ୍ବର ଗସ୍ତରେ ମୁଖ୍ୟ ଶାସନ ସଚିବ ସହିତ 5ଟି ସଚିବ, ଜିଲ୍ଲାର ବିକାଶ ପାଇଁ ପ୍ରସ୍ତୁତ କଲେ ବ୍ଲୁ ପ୍ରିଣ୍ଟ

ଭୁବନେଶ୍ବର, ଆଜି ରାଜ୍ୟ ସରକାରଙ୍କ ଏକ ବରିଷ୍ଠ ପ୍ରତିନିଧି ଦଳ ବାଲେଶ୍ବର ଜିଲ୍ଲା ଗସ୍ତ କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନେତୃତ୍ବରେ 5ଟି ସଚିବ ଭି.କେ ପାଣ୍ଡିୟାନ, ପୁର୍ତ୍ତ ସଚିବ କିଶନ କୁମାର ପ୍ରମୁଖ ଥିଲେ। ଏହି ଦଳ ବାଲେଶ୍ବରର ବିଭିନ୍ନ ସ୍ଥାନ ଗସ୍ତ କରି ତାହାର ବିକାଶ ଦିଗରେ ଅନୁଧ୍ୟାନ କରିଥିଲେ।

ଏହି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଉପରେ ଅନୁଧ୍ୟାନ କରିବା ସହିତ ନୂଆ ପ୍ରକଳ୍ପ ଉପରେ ଆଲୋଚନା ମଧ୍ୟ କରିଛନ୍ତି। ଏହି ଦଳ ବାଲେଶ୍ବରର କୁରୁଡା ଛକ, ବାଲେଶ୍ବର ବସଷ୍ଟାଣ୍ଡ, ରେମୁଣା ରାସ୍ତାର ଷ୍ଟ୍ରିଟ ଲାଇଟ, ମେଡିକାଲ କଲେଜ, ଜିଲ୍ଲା ଡାକ୍ତରଖାନା ସହିତ ଜିଲ୍ଲା ସ୍କୁଲ ତଦାରଖ କରିଥିଲେ।

ଏହି ସ୍ଥାନଗୁଡିକରେ କିପରି ବିକାଶ ହୋଇପାରିବ ସେ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ। ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାର ବିକାଶ କରାଯିବ ବୋଲି ସେ ଗଣମାଧ୍ୟମକୁ ଅବଗତ କରାଇଥିଲେ।

ଉନ୍ନୟନ କାର୍ଯ୍ୟ ସହିତ ଏହି ପ୍ରତିନିଧୀ ଦଳ ଜିଲ୍ଲାର କୋଭିଡ ପରିସ୍ଥିତିର ମଧ୍ୟ ସମୀକ୍ଷା କରିଥିଲେ। ଜିଲ୍ଲା ପ୍ରଶାସନ ସହିତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲେଶ୍ଵର ଇମାମୀ ପେପର ମିଲରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

ବାଲେଶ୍ଵର: ଆଜି ବାଲେଶ୍ବରରୁ ୧୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ କେବଳ ଇମାମୀ ପେପର ମିଲରୁ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଏହି ପେପର ମିଲରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୧ ଜଣ ଚିହ୍ନଟ ହୋଇଛନ୍ତି।

ତେବେ ଇମାମୀର ଏକ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏହି ମିଲର ୩ ଟି ୟୁନିଟ ମଧ୍ୟରୁ ଗୋଟିଏ ୟୁନିଟକୁ ପ୍ରଶାସନ ବନ୍ଦ କରିଛି। ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧକାରୀ ଦୁଲାଲସେନ ଜଗଦ୍ଦେବ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ନକଲି ସାମଗ୍ରୀ ଜବତ: ବାଲେଶ୍ବରରୁ ମିଳିଲା ୧୦ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା

ଭୁବନେଶ୍ବର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅଞ୍ଚଳରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି। ଜଳେଶ୍ଵର ଥାନା ଅନ୍ତର୍ଗତ ରାଜପୁର ଓ ଷ୍ଟେସନ ବଜାରରୁ ଏହି ସବୁ ନକଲି ଜର୍ଦ୍ଦା ଜବତ ହୋଇଛି। ଏସଟିଏଫ ଦ୍ଵାରା ଦୁଇ କ୍ଵିଣ୍ଟାଲ ଓଜନର ନକଲି ଜର୍ଦ୍ଦା ଜବତ କରିବାସହ ଦୁଇ ଜଣଙ୍କୁ ଅଟକ ରଖିଛି। ଜବତ ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

Categories
ବିଶେଷ ଖବର

ଉପନିର୍ବାଚନ ୨୦୨୦: ବାଜି ମାରିଲା ବିଜେଡି

ଭୁବନେଶ୍ବର: ରାଜ୍ୟର ଦୁଇ ଉପନିର୍ବାଚନରେ ବିଜେଡି ବାଜି ମାରିଛି। ଉଭୟ ତିର୍ତ୍ତୋଲ ଓ ବାଲେଶ୍ବର ସଦରରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ନେଇ ଅନୌପଚାରିକ ଭାବେ ସିଏଇଓ ସୂଚନା ଦେଇଛନ୍ତି। ହେଲେ ଏନେଇ ରିଟର୍ନିଙ୍ଗ ଅଫିସର ବିଦ୍ଧିବଦ୍ଧ ଭାବେ ଫଳ ଘୋଷଣା କରିବେ ବୋଲି ସିଏଇଓ କହିଛନ୍ତି।

ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୪୧ ହଜାର ୭୦୩ ଭୋଟ୍‌ ଅଧିକ ପାଇଥିବା ବେଳେ ବାଲେଶ୍ବରରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାଶ ୧୩ ହଜାର ୩୯୫ ଭୋଟ୍ ଅଧିକ ପାଇଛନ୍ତି।

ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ତିର୍ତ୍ତୋଲ ଆସନ ପାଇଁ ବିଜେଡି ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିଲା। ୨୦୧୯ ନିର୍ବାଚନରେ ବିଜେଡି ବିଷ୍ଣୁ ଚରଣ ଦାସଙ୍କୁ ପ୍ରାର୍ଥୀ କରିଥିଲା। ବିଷ୍ଣୁ ଚରଣ ଦାସ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇଙ୍କ ଠାରୁ ୩୫ ହଜାର ୪୪୮ ଖଣ୍ଡ ଭୋଟ୍‌ ପାଇଁ ନିର୍ବାଚିତ ହୋଇଥିଲେ। ତେବେ ତାଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ତାଙ୍କ ପୁତ୍ର ବିଜୟ ଶଙ୍କର ଦାସ।

ଅପରପକ୍ଷରେ ଜିତିଥିବା ଆସନରେ ବିଜେପିକୁ ନିରାଶ ହେବାକୁ ପଡିଛି। ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ମୃତ୍ୟୁ ପରେ ବାଲେଶ୍ବର ସଦର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ନିରାଶ ହେବାକୁ ପଡିଛି। ଏଠାରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାଶ ୧୩ ହଜାର ୩୯୫ ଭୋଟ୍‌ରେ ବିଜୟୀ ହୋଇଛନ୍ତି।

୨୦୧୯ ନିର୍ବାଚନରେ ମଦନ ମୋହନ ଦତ୍ତ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ଭାବରେ ବାଲେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିଥିଲେ। ସେ ଏହି ନିର୍ବାଚନରେ ମୋଟ୍‌ ୭୪ ହଜାର ୮୧୫ ଖଣ୍ଡ ଭୋଟ୍‌ ପାଇଁ ବିଜୟୀ ହୋଇଥିଲ। ତେବେ ତାଙ୍କର ମୃତ୍ୟୁ ପରେ ବିଜେଡି ଏଠାରେ ସ୍ବରୂପ ଦାଶଙ୍କୁ ପ୍ରାର୍ଥୀ କରିଥିଲା। ଅପରପକ୍ଷରେ ମଦନ ମୋହନ ଦତ୍ତଙ୍କ ପୁତ୍ର ମାନସ ଦତ୍ତଙ୍କୁ ବିଜେପି ଏଠାରେ ପ୍ରାର୍ଥୀ କରିଥିବାବେଳେ ବିଜେପିକୁ ନିରାଶ ହେବାକୁ ପଡିଛି।

ବିଜେଡିରେ ସାଙ୍ଗଠାନିକ ସ୍ଥିତି ଓ ଦଳୀୟ ନୀତି ଯୋଗୁଁ ବିଜେଡି ନିଜର ଜୟଯାତ୍ରା ଜାରିରଖିଛି। ତିର୍ତ୍ତୋଲ ଆସନଟି ପୂର୍ବରୁ ବିଜେଡିର ଥିବାବେଳେ ସେଠାରେ ସେ ସ୍ଥିତି ଦୃଢ କରିଛି। ତେବେ ବାଲେଶ୍ବର ସଦରରେ ବିଜେପିଠାରୁ ଆସନ ଛଡାଇ ନେଇଛି ବିଜେଡି। ବାଲେଶ୍ବର ସଦରରେ ଦଳୀୟ କନ୍ଦଳ ଥିବା ସତ୍ତ୍ବେ ବିଜେଡି ସେହି ଆସନରେ ବାଜିମାତ୍‌ କରିପାରିଛି।

Categories
ଆଜିର ଖବର ରାଜ୍ୟ ଖବର

ଉପନିର୍ବାଚନ ଫଳାଫଳ : ତିର୍ତ୍ତୋଲ ଓ ବାଲେଶ୍ବରରେ ବିଜେଡି ଆଗୁଆ

ଭୁବନେଶ୍ବର : ଆଜି ଉପନିର୍ବାଚନ ପାଇଁ ଭୋଟ୍‌ ଗଣତି ଅନୁଷ୍ଠିତ ହେଉଛି । ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବାଲେଶ୍ବର ଓ ତିର୍ତ୍ତୋଲରେ ବିଜେଡି ଆଗୁଆ ରହିଛି । ପୋଷ୍ଟାଲ୍‌ ବାଲାଟ ଗଣତିରେ ବିଜେଡି ଆଗୁଆ ରହିଛି ।  ବାଲେଶ୍ବର ବିଧାନସଭାରେ ବିଜେଡି ଆଗୁଆ ରହିଛି । ପୋଷ୍ଟାଲ ବାଲାଟ ସହ ପ୍ରଥମ ରାଉଣ୍ଡ ଭୋଟ୍‌ 7184 ଭୋଟ୍‌ ରହିଛି । ବିଜେଡିକୁ 3427 ଓ ବିଜେପିକୁ 2812ଟି ଭୋଟ୍‌ ମିଳିଛି । ସେହିପରି ତିର୍ତ୍ତୋଲରେ ମଧ୍ୟ ବିଜେଡି ଆଗୁଆ ରହିଛି । 2ୟ ରାଉଣ୍ଡ ସୁଦ୍ଧା ତିର୍ତ୍ତୋଲ୍‌ରେ ବିଜେଡି 3310 ଭୋଟ୍‌ରେ ଆଗୁଆ ରହିଛି । ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ 7867 ଭୋଟ୍‌ ମିଳିଥିବାବେଳେ  ବିଜେପିକୁ 4557 ଓ କଂଗ୍ରେସକୁ 1057 ଭୋଟ୍‌ ମିଳିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନରେ ଭୋଟ ଗ୍ରହଣ ଜାରୀ, ଥର୍ମାଲ ସ୍କାନିଂ ପରେ ଭୋଟ ଦେଉଛନ୍ତି ଭୋଟର

ଭୁବନେଶ୍ବର, ଓଡିଶାର ଦୁଇ ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ଏବଂ ବାଲେଶ୍ବରରେ ଚାଲିଛି ମତଦାନ। ଆଜି ସକାଳ ସାତଟାରୁ ଏହି ମତଦାନ ପକ୍ରିୟା ଆରମ୍ଭ ହୋଇଛି। ସକାଳୁ ସକାଳୁ ଭିଡ ପରିଲକ୍ଷିତ ନ ହେଉଥିଲେ ମଧ୍ୟ ଧିରେ ଧିରେ ଗହଳି ବୃଦ୍ଧି ପାଉଛି। ତେବେ କରୋନା ସଂକ୍ରାମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଭୋଟରମାନେ ବୁଥ ଭିତରକୁ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କାନିଂ କରାଯାଉଛି। ଏହାପରେ ସାନିଟାଇଜର କରି ଭୋଟ ଦେଉଛନ୍ତି। ଏଥିପାଇଁ ଆଶା କର୍ମି ଏବଂ ଏସଏଚଜି ମହିଳାମାନଙ୍କୁ ନିୟୋଜିତ କରାଯାଇଛି। ଆଜି ଏହି ମତଦାନ ପକ୍ରିୟା ଅପରାହ୍ନ 6 ଟା ପର୍ଯ୍ୟନ୍ତ ଚାଲିବ। କରୋନା ସୁରକ୍ଷା ସହିତ ଆଇନ ଶୃଙ୍ଖଳା ପାଇଁ ମଧ୍ୟ କଡା ବ୍ୟବସ୍ଥା କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଉପନିର୍ବାଚନ, କରୋନା ଯୋଗୁଁ ନେତାଙ୍କୁ ଘର ଦେବା ପାଇଁ ଗାଁ ଲୋକେ ରାଜି ହେଉ ନାହାଁନ୍ତି

ଭୁବନେଶ୍ବର, ବର୍ତ୍ତମାନ ତିର୍ତ୍ତୋଲ ଏବଂ ବାଲେଶ୍ବରରେ ସବୁ ଦଳର ନେତାମାନେ ଡେରା ପକାଇଲେଣି। ଆହୁରି ଅନେକ ଭୁବନେଶ୍ବରିଆ ନେତା ସେଠାକୁ ଯିବେ। ହେଲେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ନେତାଙ୍କ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି ଘର। କାରଣ ଗାଁ ଗହଳିର ଲୋକେ ଭୁବନେଶ୍ବର ପରି କୋରନା ଅଞ୍ଚଳରୁ ଯାଉଥିବା ନେତାମାନଙ୍କୁ ଘର ଦେବାକୁ ଚାହୁଁ ନାହାଁନ୍ତି।

ପ୍ରଥମ କଥା ହେଲେ ଏହି ଦୁଇ ନିର୍ବାଚନ ମଣ୍ଡଳୀର ସ୍ଥିତି ଯାହା ଏତେ ନେତାଙ୍କ ରହିବା ପାଇଁ ସେମିତି ହୋଟେଲ ନାହିଁ। ସେଥିପାଇଁ ନିଜ ନିଜ ଅଞ୍ଚଳର କର୍ମିମାନଙ୍କୁ ନେତାଙ୍କ ରହିବା ପାଇଁ ଘର ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଅଥବା ନିଜ ଘରେ ରହିବା ପାଇଁ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ହେଲେ ଏଥର ଭୁବନେଶ୍ବରରେ କରୋନା ଯୋଗୁଁ କର୍ମିମାନେ ନେତାଙ୍କୁ ନିଜ ଘରେ ସ୍ଥାନ ଦେବାକୁ ଆଗ୍ରହ ପ୍ରକାଶ କରୁ ନାହିଁନ୍ତି। ଫଳରେ ପ୍ରଚାର ପାଇଁ ଯିବାକୁ ଥିବା ନେତାମାନେ ବର୍ତ୍ତମାନ କେଉଁଠି ରହିବେ ସେ ନେଇ ସମସ୍ୟା ଦେଖାଦେଇଛି।

ମୁଖ୍ୟନେତାମାନେ ସହରରେ ରହିବାର ଯେନତେଣ ପ୍ରକାରରେ ବନ୍ଦୋବସ୍ତ ହୋଇପାରୁଛି। ହେଲେ ପଞ୍ଚାୟତ ସ୍ତରର ନେତାଙ୍କ ପାଇଁ ଏହି ସମସ୍ୟା ଆହୁରି ଅଧିକ ହୋଇଛି। ଯେତେ ଯାହା ବୁଝାଇଲେ ବି ଗାଁ ଗହଳିର ଲୋକେ ଭୁବନେଶ୍ବରରୁ ଯାଉଥିବା ନେତାଙ୍କୁ ଘର ଦେବାକୁ ଆଦୌ ରାଜି ହେଉ ନାହାଁନ୍ତି। ହେଲେ ଲୋକଙ୍କୁ ଉଚ୍ଚା ଦରରେ ଭଡା ଦେବାର ପ୍ରତିଶୃତି ଦେଇ ନେତାମାନେ ସେମାନଙ୍କ ଘର ନେବାକୁ ଚେଷ୍ଠା କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି 18 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1040କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 18 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକ ଜିଲ୍ଲାରୁ ସର୍ବାଧିକ 4 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଯାଜପୁର ଓ ସୁନ୍ଦରଗଡରୁ 2 ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁର, ମୟୂରଭଞ୍ଜ, ନବରଙ୍ଗପୁର  ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 1040କୁ ବୃଦ୍ଧି ହୋଇଛି ।  ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

କଟକଜିଲ୍ଲାର ଚାରି ମୃତକ ପୁରୁଷହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 55, 68, 53 ଓ 66 ବର୍ଷ । ବାଲେଶ୍ବରର ତିନି ମୃତକଙ୍କ ମଧ୍ୟରେ ଜଣେ  55 ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଦୁଇ ପୁରୁଷଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 60 ଓ 64 ବର୍ଷ। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ଜଣେ 40 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ମୃତକ ଭୁବନେଶ୍ବରର । ଜଣେ 72 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 65 ବର୍ଷୀୟ ପୁରୁଷ ।

ସୁନ୍ଦରଗଡର ଦୁଇ ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 39 ବର୍ଷୀୟ ପୁରୁଷ । ଯାଜପୁରୁର ଦୁଇ ମୃତକଙ୍କ ମଧ୍ୟରେ ଜଣେ 85 ବର୍ଷୀୟ ପୁରୁଷ ଅନ୍ୟ ଜଣେ 28 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । ଜଗତସିଂହପୁରରୁ 85 ବର୍ଷୀୟା ପୁରୁଷଙ୍କ ମୃତ୍ୟୁ ହୋଇଥିବାବେଳେ ପୁରୀରୁ 53 ବର୍ଷୀୟା ମହିଳା, ନବରଙ୍ଗପୁରରୁ 55 ବର୍ଷୀୟା ପୁରୁଷ ଓ ମୟୂରଭଞ୍ଜରୁ 80 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 974କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 4 ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜ ଓ ନୟାଗଡ ଓ କଳାହାଣ୍ଡି ଜିଲ୍ଲାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡା ଓ ସୁନ୍ଦରଗଡରୁ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 974କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ବାଲେଶ୍ବରରୁ ଆଜି ସର୍ବାଧିକ ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ 68 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ତିନିଜଣ ପୁରୁଷ ସେମାନଙ୍କ ବୟସ ଯଥାକ୍ରମେ, 50, 72, 39 । ସେହିପରି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମୃତକ ଭୁବନେଶ୍ବରର ବୋଲି ସୂଚନା ରହିଛି । ଭୁବନେଶ୍ବରରୁ ଚାରି ମୃତକଙ୍କ ବୟସ ଯଥାକ୍ରମେ, 39, 61, 88, 71, ସେହିପରି କଳହାଣ୍ଡିର ଦୁଇ ମୃତକଙ୍କ ମଧ୍ୟରେ ଜଣେ 52 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 30 ବର୍ଷୀୟା ମହିଳା । ମୟୂରଭଞ୍ଜର ଦୁଇ ମୃତକଙ୍କ ମଧ୍ୟରେ92 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 57 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ନୟାଗଡରୁ ଜଣେ 55 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ 70 ବର୍ଷୀୟ ପୁରୁଷ ରହିଛନ୍ତି। ଝାରସୁଗୁଡାରୁ 60 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡରୁ 54 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 940କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବରରୁ ସର୍ବାଧିକ 4 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ  ଖୋର୍ଦ୍ଧା ଜିଲ୍ଲାରୁ 3  ଓ କଟକ ଜିଲ୍ଲାରୁ 2 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜ,. ନବରଙ୍ଗପୁର, ନୟାଗଡ, ପୁରୀ, ସୁବର୍ଣ୍ଣପୁର, ଅନୁଗୁଳ ଓ ବୌଦ୍ଧରୁ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 940କୁ ବୃଦ୍ଧି ହୋଇଛି ।

ବାଲେଶ୍ବରର 4 ମୃତକଙ୍କ ବୟସ ଯଥାକ୍ରମେ 32, 65, 56 ଓ 60 ବର୍ଷୀୟ ପୁରୁଷ । ସେହିପରି ଖୋର୍ଦ୍ଧାର ତିନି ମୃତକଙ୍କ ମଧ୍ୟରେ ଜଣେ 70ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 55, 81 ବର୍ଷ ।  କଟକରୁ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 62 ଓ 65 ବର୍ଷ । ଅନୁଗୁଳରୁ 57 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧରୁ 38 ବର୍ଷୀୟ ପୁରୁଷ ଆକ୍ରାନ୍ତ, ମୟୂରଭଞ୍ଜରୁ 62 ବର୍ଷୀୟ ପୁରୁଷ, ନବରଙ୍ଗପୁରରୁ 65 ବର୍ଷୀୟ ପୁରୁଷ, ନୟାଗଡରୁ 75 ବର୍ଷୀୟ ପୁରୁଷ, ପୁରୀରୁ 77 ବର୍ଷୀୟ ପୁରୁଷ ଓ ସୁବର୍ଣ୍ଣପୁରରୁ 60 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 875କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 6ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ନୟାଗଡରୁ 3 ଲେଖାଏଁ  ଆକ୍ରାନ୍ତଙ୍କର ମୃତ୍ୟୁହୋଇଛି । କଟକ ଓ ବାଲେଶ୍ବରରୁ 2 ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଥିବାବେଳେ  ଜଗତସିଂହପୁର, ବରଗଡ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା 875ରେ ପହଞ୍ଚିଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 6ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ 5ଜଣ ପୁରୁଷ ଓ ଜଣେ ମହିଳା ଆକ୍ରାନ୍ତ ରହିଛନ୍ତି । ମହିଳା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 84 ବର୍ଷ ହୋଇଥିବାବେଳେ ଅନ୍ୟ ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ  75, 41, 46, 82, 67 ବର୍ଷ ।

ବାଲେଶ୍ବର ଜିଲ୍ଲାରୁ ଦୁଇ ମହିଳାଙ୍କର ମୃତ୍ୟୁହୋଇଥିବାବେଳେ ବୟସ ଯଥାକ୍ରମେ 60 ଓ 80ବର୍ଷ ବୋଲି ସୂଚନା ରହିଛି । ସେହିପରି ବରଗଡରୁ 47 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କଳାହାଣ୍ଡିରୁ 32 ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁରରୁ 67 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଛି ।

କଟକରୁ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଦୁହିଁଙ୍କ ବୟସ ଯଥାକ୍ରମେ 64 ଓ 57 ବର୍ଷ ବୋଲି ସୂଚନା ରହିଛି ।  ନୟାଗଡରୁ 62 ବର୍ଷୀୟ ପୁରୁଷ, 76 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 52 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ବରରେ ଓଲଟିଲା ପ୍ରବାସୀ ବସ୍‌: ସାତ ଆହତ

ବାଲେଶ୍ବର : ପୁଣି ପ୍ରବାସୀଙ୍କ ବସ୍‌ ଓଲଟିଛି। ପ୍ରବାସୀଙ୍କୁ ଧରି ଯାଉଥିବା ବସ୍‌ ରାସ୍ତାରେ ଓଲଟିଯିବା ଫଳରେ ସାତ ଜଣ ଆହତ ହୋଇଛନ୍ତି। ଏନ୍‌ଏଚ୍‌-16 ମଙ୍ଗଳପୁର ନିକଟରେ ପ୍ରବାସୀଙ୍କ ବସ୍‌ ଦୁର୍ଘଟଣା ହୋଇଛି। ବସ୍‌ଟି କେରଳରୁ ପ୍ରବାସୀଙ୍କୁ ଧରି ପଶ୍ଚିମବଙ୍ଗ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ପ୍ରାୟ 30ରୁ ଅଧିକ ରହିଥିବାର ସୂଚନା ରହିଛି। ଏହି ଯାତ୍ରୀମାନେ ଆଉ କିଛି ଘଣ୍ଟା ପରେ ପଶ୍ଚିମବଙ୍ଗରେ ପହଞ୍ଚି ଥାଆନ୍ତେ । କିନ୍ତୁ ନିଜ ଅଂଚଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ପ୍ରବାସୀମାନଙ୍କର ବସ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି। 16 ନମ୍ବର ଜାତୀୟ ରାଜପଥରେ ମଧ୍ୟ ପୂର୍ବରୁ ପ୍ରବାସୀମାନଙ୍କର ବସ ଦୁ୍‌ର୍ଘଟଣାଗ୍ରସ୍ତ ହୋଇଛି। ସେହିଭଳି କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ବସ ଦୁଇଥର ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଗଂଜାମ ଜିଲ୍ଲାର ସୋରଡ଼ାରେ ମଧ୍ୟ ପ୍ରବାସୀମାନଙ୍କର ବସ ଦୁର୍ଘଟଣାଗ୍ରସ୍ତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ଭାଇରସରେ ଆକ୍ରାନ୍ତ ହେଲେ ବାଲେଶ୍ବରର ଦୁଇ ନର୍ସ

ବାଲେଶ୍ବର : କରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ଆମର ଡାକ୍ତର, ନର୍ସମାନେ ମଧ୍ୟ ଏହା କବଳରୁ ବର୍ତ୍ତି ପାରୁଛନ୍ତି । ଆଜି ରାଜ୍ୟରେ ଦୁଇଜଣ ନର୍ସ କରୋନାରେ ପଜିଟିଭ୍‌ ହୋଇଥିବାର ସୂଚନା ମିଳିଛି ।  ବାଲେଶ୍ବର କୋଭିଡ୍‌ ହସ୍ପିଟାଲର 2 ଜଣ ନର୍ସ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ । କରୋନା ଆକ୍ରାନ୍ତ ଦୁଇ ନର୍ସ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ବୋଲି ସୂଚନା ରହିଛି । ଦୁଇ ନର୍ସଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ହସ୍ପିଟାଲର ଅନ୍ୟ କର୍ମଚାରୀ ପର୍ଯ୍ୟାୟକ୍ରମେ କ୍ବାରେଣ୍ଟିନ୍‌ରେ ରହୁଛନ୍ତି । ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍‌ 14 ଦିନ ଲେଖାଏଁ କ୍ବାରେଣ୍ଟିନ୍‌ରେ ରହୁଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ : ଦିନ 2.50ରେ ଭୁବନେଶ୍ବରରେ ପହଞ୍ଚିବେ

ଭୁବନେଶ୍ବର : ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ବାତ୍ୟା ଆମ୍ଫାନ୍‌ ଦ୍ବାରା ଓଡ଼ିଶା ଓ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତିକୁ ଅନୁଧ୍ୟାନ କରିବେ ମୋଦି । ପ୍ରଥମେ କୋଲକାତାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ଏହା ପରେ ଓଡ଼ିଶା ଆସିବେ ମୋଦି । କୋଲକାତା ଏୟାରପୋର୍ଟରୁ ଅପରାହ୍ନ 1ଟା 45ରେ ବାହାରିବେ।  ଦିନ 2ଟା 50ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2ଟା 55ରୁ ଏମ୍‌ଆଇ 17 ହେଲିକପ୍ଟରରେ ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶାର ଚାରୋଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶମାର୍ଗରୁ ପରିଦର୍ଶନ ସାରି 4.55ରେ ଭୁବନେଶ୍ବର ଫେରିବେ । ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପରେ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ କରିବେ ମୋଦି। ଅପରାହ୍ନ 5ଟାରୁ 6ଟା ମଧ୍ୟରେ ଏହି ସମୀକ୍ଷା ବୈଠକରେ ଯୋଗ ଦେବେ । ସମୀକ୍ଷା ବୈଠକ ସାରି ସନ୍ଧ୍ୟା 6ଟା 15ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଦୁଇ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି ।