Categories
ଆଜିର ଖବର ରାଜ୍ୟ ଖବର

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର, ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ବରିଷ୍ଠ ବିଧାୟକ ଶ୍ରୀ ଅନନ୍ତ ଦାସ, ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ଦେବୀ ମିଶ୍ର, ଶାସକଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର) ଶ୍ରୀ ସୁଶାନ୍ତ କୁମାର ରାଉତ,‌ ବିଧାନସଭା ସଚିବ ଶ୍ରୀ ଦାଶରଥି ଶତପଥୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ବିଧାନସଭା ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର ପ୍ରମୁଖ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସେ ଜଣେ ମହାନ୍ ଜନନାୟକ ଥିଲେ ବୋଲି ପ୍ରକାଶ କରିଥିଲେ ।

ଓଡ଼ିଆ ଜାତି ତାଙ୍କ ବର୍ତ୍ତମାନରେ ତାଙ୍କୁ ଯେତିକି ଭଲ ପାଉଥିଲେ, ଅବର୍ତ୍ତମାନରେ ମଧ୍ୟ ସେତିକି ଭଲ ପାଉଛନ୍ତି ଓ ସ୍ମରଣ କରୁଛନ୍ତି ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଶାଶ୍ଵତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କଣ୍ଠଶିଳ୍ପୀ ମାନେ ବିଜୁ ବାବୁଙ୍କ ସ୍ମୃତିରେ ସୁମଧୁର ସଂଗୀତ ପରିବେଷଣ କରିଥିଲେ । ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ନିରାପତ୍ତା ଅଧିକାରୀ ଶ୍ରୀ ଗୋପାଳ ବେହେରା ନିରାପତ୍ତା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଗୋପାଳପୁରରେ ଉଦଘାଟିତ ହେଲା ବିଜୁ ଆଡଭେଞ୍ଚର ପାର୍କ, ନଦୀ କ୍ରସିଂ ଜିପ୍ ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ବିଜୁ ଆଡଭେଞ୍ଚର ପାର୍କର ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପାର୍କ ଗୋପାଳପୁରରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ଏଥିସହ ଯୁବକମାନଙ୍କୁ ଦୁଃସାହସିକ ଖେଳ ପ୍ରତି ଆକର୍ଷିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଏହି ପାର୍କର ନାମକରଣ କରାଯାଇଛି। ସେ ଜଣେ ଦୁଃସାହାସିକ ବ୍ୟକ୍ତିତ୍ବ ଥିଲେ।  ବିମାନ ଚାଳନା ଦକ୍ଷତା ତଥା ସାହସିକତା ସାରା ବିଶ୍ବରେ ସେ ପରିଚିତ ଅଛନ୍ତି। ସେଥିପାଇଁ ଏହି ପାର୍କଟି ସେହି ପ୍ରବାଦ ପୁରୁଷଙ୍କ ନାମରେ କରାଯାଇଛି। ଏହି ପାର୍କ ବିକଶିତ କରିବା ପାଇଁ ଅଢେଇ କୋଟି ଖର୍ଚ୍ଚ କରାଯାଇଛି।

ଏହି ପାର୍କରେ ଏକ ବିଶେଷତ୍ବ ହେଉଛି ନଦୀ କ୍ରସିଂ ଜିପ୍ ଲାଇନ୍। ଓଡିଶାରେ ପ୍ରଥମ ଥର ପାଇଁ 250 ମିଟର ଦୈର୍ଘ୍ୟର ଏକ ନଦୀ କ୍ରସିଂ ଜିପ୍ ଲାଇନ୍ ପ୍ରସ୍ତୁତ ହୋଇଛି। ଏହି ନଦୀ କ୍ରସିଂ ପର୍ଯ୍ୟଟକଙ୍କୁ ଶାନ୍ତ ଅନୁଭବ ସହ ଗୋପାଳପୁର ବେଳଭୂମିର ସୌନ୍ଦର୍ଯ୍ୟ ବିମୋହିତ କରିବ।

ଅନ୍ୟାନ୍ୟ ସୁବିଧା ମଧ୍ୟରେ ରହିଛି 40 ଫୁଟ ଜଏଣ୍ଟ ସ୍ୱିଙ୍ଗ୍, ଏୟାର ବନ୍ଧୁକ ଗୁଳି ଚାଳନା, ବ୍ରୁଜି ଟ୍ରମ୍ପୋଲିନ୍, ମେକାନିକାଲ୍, ଷଣ୍ଢ ରାଇଡ୍, ନେଟଟେଡ୍ କ୍ରିକେଟ୍ , ନେଟଟେଡ୍ କ୍ରିକେଟ୍ ଏବଂ ଅଲ୍-ଟେରେନ୍-ଯାନ ଚାଳନା, ରକ୍ କ୍ଲାଇମ୍ବିଂ, ରାପେଲିଂ, ଡ୍ୟାସିଂ କାର୍, ଜୋର୍ବିଙ୍ଗ୍ ଇତ୍ୟାଦି ଅନେକ ଦୁଃସାହସିକ କ୍ରୀଡା ସୁବିଧା ଯୋଗାଇ ଦିଆଯାଇଛି।

ଭିଡିଓ କନଫ୍ରେସିଂରେ ଆୟୋଜିତ ଏହି ଉଦଘାଟନ ଉତ୍ସବରେ ସିଏମ୍ (5 ଟି) ର ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ। ସେହିପରି ଗୋପାଳପୁରରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ଗୋପାଳପୁର ଏନଏସି ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

‘ମୁଁ ବିଜୁ ପଟ୍ଟନାୟକ କହୁଛି’

ପ୍ରଦୀପ ସେନାପତି

ମୁଁ ବିଜୁ ପଟ୍ଟନାୟକ କହୁଛି। ଓଡ଼ିଶା କହିଲେ ବିଜୁ ପଟ୍ଟନାୟକ। ବିଜୁ ପଟ୍ଟନାୟକ କହିଲେ ଓଡ଼ିଶା। ଏହି ଗର୍ବ, ଏହି ବାର୍ତ୍ତା, ଏଭଳି ମନ୍ତବ୍ୟ ପାଇଁ ବିଜୁ ପଟ୍ଟନାୟକ ଆଜି ଆଉଜଣେ ରାଜନୈତିକ ବ୍ୟକ୍ତି ହୋଇ ରହିନାହାଁନ୍ତି। ସେ ‘ବିଜୁ ତତ୍ତ୍ୱ’ରେ ପରିଣତ ହୋଇଯାଇଛନ୍ତି। ବିଜୁ ପଟ୍ଟନାୟକଙ୍କର ବ୍ୟକ୍ତିତ୍ୱକୁ ‘ବିଜୁ ତତ୍ତ୍ୱ’ କହିବାର କାରଣ ହେଲା, ସେ ରାଷ୍ଟ୍ରବାଦୀ ଓ ଜାତୀୟବାଦୀ ‘ବିଜୁ’ ଥିଲେ। ବିଜୁ ପଟ୍ଟନାୟକ ବ୍ୟକ୍ତିକୁ ଗୁରୁତ୍ୱ ନଦେଇ, ରାଷ୍ଟ୍ର ବା ଜାତିକୁ ଗୁରୁତ୍ୱ ଦେଉଥିଲେ।

ଖାରବେଳଙ୍କ ଶାସନ କାଳରେ ଆଜିର ଓଡ଼ିଶା ଯେତେବେଳେ କଳିଙ୍ଗ ନାମରେ ଖ୍ୟାତି ଅର୍ଜନ କରି ସମଗ୍ର ବିଶ୍ୱରେ ପ୍ରତିଷ୍ଠା ଲାଭ କରିଥିଲା-ସେଦିନର ବିକାଶକୁ ଓଡ଼ିଶାକୁ ଫେରାଇ ଆଣିବାକୁ ସେ ସ୍ୱପ୍ନ ଦେଖିଥିଲେ। ସେଦିନର ବିକାଶକୁ ମନେ ପକାଇବା ପାଇଁ ଯୁବାବସ୍ଥାରେ ସେ ପ୍ରତିଷ୍ଠା କରିଥିଲେ ଆନ୍ତର୍ଜାତୀୟ ‘କଳିଙ୍ଗ ପୁରସ୍କାର’। ନିଜ ଆକାଶମାର୍ଗ ପରିବହନ ସଂସ୍ଥାର ନାମ ଦେଇଥିଲେ ‘କଳିଙ୍ଗ ଏୟାର ୱେଜ’। ନିଜ ଲୁହା ପାଇପ୍ କାରଖାନାର ନାମ ଦେଇଥିଲେ ‘କଳିଙ୍ଗ ଟ୍ୟୁବ୍‌ସ’। ନିଜ ପ୍ରକାଶିତ ସମ୍ବାଦପତ୍ରର ନାମ ରଖିଥିଲେ ‘କଳିଙ୍ଗ’ ଇତ୍ୟାଦି ଇତ୍ୟାଦି।

କଳିଙ୍ଗ ନାମକରଣ ମୂଳରେ ତାଙ୍କର ରାଷ୍ଟ୍ରବାଦୀ ଓ ଜାତୀୟତାବାଦୀ ଚେତନା ଲୁକ୍କାୟିତ ଥିଲା। କୌଣସି କାମ ଓଡ଼ିଶାର ବିକାଶ ପାଇଁ ଉପଯୁକ୍ତ ମନେ କଲେ ତାକୁ କାର୍ଯ୍ୟକାରୀ କରିବାକୁ ଆପ୍ରାଣ ଉଦ୍ୟମ କରୁଥିଲେ। ଯେତେ ବିରୋଧ, ବାଧାବିଘ୍ନ ଆସୁପଛେ, କୌଣସି ପରିସ୍ଥିତିରେ ତାଙ୍କର ଖାତିର ନଥିଲା। ଗୋଟିଏ ଉଦାହରଣସ୍ୱରୂପ ପାରାଦ୍ୱୀପ ବନ୍ଦର କଥା। ସେ ହୃଦୟଙ୍ଗମ କଲେ ଯେ, ପାରାଦ୍ୱୀପ ବନ୍ଦର ଓଡ଼ିଶାର ବିକାଶ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ। ପଣ୍ଡିତ ନେହେରୁଙ୍କୁ ପ୍ରବର୍ତ୍ତାଇ, ବନ୍ଦରର ଶୁଭ ଦେଲେ। ତତ୍କାଳୀନ ତୁଙ୍ଗନେତା ମାନଙ୍କର ପ୍ରବଳ ବିରୋଧ ସତ୍ତ୍ୱେ ସେତେବେଳେ ଏଥିପାଇଁ ତାଙ୍କୁ ଅନେକ ମୂଲ୍ୟ ଦେବାକୁ ପଡ଼ିଥିଲା। କିନ୍ତୁ ଆଜି ଦେଖନ୍ତୁ ଓଡ଼ିଶାର ଅର୍ଥନୈତିକ ବିକାଶରେ ପାରାଦ୍ୱୀପ ବନ୍ଦର କିପରି ମୁଖ୍ୟ ଭୂମିକା ଗ୍ରହଣ କରିଛି।

୧୯୬୧ ମସିହାରେ ରାଜ୍ୟରେ କଂଗ୍ରେସ ଦଳର ନେତୃତ୍ୱ ନେଲେ। ପ୍ରଥମଥର ପାଇଁ ଶାସନ କ୍ଷମତାକୁ ଆସିଲେ ବିଜୁ ପଟ୍ଟନାୟକ। ମାତ୍ର ୨ବର୍ଷ ୩ ମାସ ୮ ଦିନ ମୁଖ୍ୟମନ୍ତ୍ରୀ ଗାଦିରେ ରହିପାରିଥିଲେ। କାମରାଜ ଯୋଜନା ଅନୁଯାୟୀ ୧୯୬୩ ମସିହା ସେପ୍ଟେମ୍ବର ମାସରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା। କିନ୍ତୁ ୧୯୯୦ ମସିହାରେ ଜନତା ଦଳର ସରକାରରେ ନେତୃତ୍ୱ ନେଇ ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ପୁଣି କ୍ଷମତାସୀନ ହୋଇଥିବା ‘ବିଜୁ ପଟ୍ଟନାୟକ’ ପୁରା ପାଞ୍ଚବର୍ଷ ନିରଙ୍କୁଶ କ୍ଷମତା ଉପଭୋଗ କରିବାରେ ସୁଯୋଗ ଲାଭ କରିଥିଲେ।

ଏହା ପୂର୍ବରୁ ଆମ୍ଭେ ରାଜ୍ୟ ଛାତ୍ର ଜନତା ଦଳର ନେତୃତ୍ୱ ନେଇ ବୁର୍ଲା ଇଞ୍ଜିନିୟରିଂ ଛାତ୍ର ହତ୍ୟା ଆନ୍ଦୋଳନକୁ ବ୍ୟାପକ ତଥା ତୀବ୍ର ଆକାରରେ ସାରା ରାଜ୍ୟରେ ବ୍ୟାପକ କରିଥିଲୁ। ସଭାପତି ଉମାବଲ୍ଲଭ ରଥ ଏହାର ନେତୃତ୍ୱ ନେଉଥିବା ବେଳେ, ମୁଁ ରାଜ୍ୟର ସାଧାରଣ ସମ୍ପାଦକ ଭାବରେ ରାଜ୍ୟର ହୃଦ୍‌ଗୌରବକୁ ଫେରାଇ ଆଣିବା ପାଇଁ ଯତ୍‌ପରନାସ୍ତି ଚେଷ୍ଟା କରିଥିଲୁ। ସେହି ସମୟରେ ଉମା ରଥ ଓ ଅଶୋକ ଦାସଙ୍କ ଜରିଆରେ ‘ବିଜୁ ବାବୁ’ ମୋତେ ଜାଣିବା ପରେ ମୋତେ ରାଜ୍ୟ ଛାତ୍ର ଜନତା ଦଳରେ ସାମିଲ୍ କରିଥିଲେ।

ତେବେ ଏହି ସମୟରେ ତାଙ୍କ ନତେୃତ୍ୱକୁ ଚ୍ୟାଲେଞ୍ଜ କଲାଭଳି ବ୍ୟକ୍ତିତ୍ୱ ନିଜର ଦଳ ଭିତରେ କିମ୍ବା ବିଧାନସଭାରେ ନଥିବାରୁ ବିଜୁବାବୁ ରାଜ୍ୟର ଅପ୍ରତିଦ୍ୱନ୍ଦୀ ନେତା ଭାବରେ ଜନସାଧାରଣଙ୍କ ଦ୍ୱାରା ଗ୍ରହଣୀୟ ଓ ଆଦରଣୀୟ ହୋଇପାରିଥିଲେ। ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀତ୍ୱ କାଳରେ ନିଜର ଦୃଢ ରାଜନୈତିକ ଇଚ୍ଛାଶକ୍ତି ଏବଂ ମନର ଉଦ୍ଦୀପନା ବଳରେ ଆଗକୁ ମାଡ଼ି ଚାଲିବାର ମନୋବଳ ତାଙ୍କ ବକ୍ତିତ୍ୱ ଓ କାର୍ଯ୍ୟକଳାପରେ ପ୍ରତିଫଳିତ ହୋଇଥିଲା। ୧୯୯୦ ମାର୍ଚ୍ଚରୁ ୧୯୯୫ ମାର୍ଚ୍ଚ ମଧ୍ୟରେ ସୀମିତ ଥିବା ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଜୁ ପଟ୍ଟନାୟକ ଏଭଳି କେତେକ ପଦକ୍ଷେପ ଗ୍ରହଣ କରିଥିଲେ କିମ୍ବା ମନ୍ତବ୍ୟ ଦେଇଥିଲେ, ଯାହା କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶରେ ଚର୍ଚ୍ଚିତ, ବିତର୍କିତ ଏବଂ ବିବାଦୀୟ ହୋଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ଗାଦିକୁ ଆସିବା ମାତ୍ରେ ଓଡ଼ିଶା ଗଠନ ହେବା ପରଠାରୁ କେହି ୧୩ରୁ ୧୪ଟି ଜିଲ୍ଲା କରିପାରି ନଥିଲେ। ସେ ଗୋଟିଏ କଲମ ଗାରରେ ୧୩ରୁ ୩୦ଟି ଜିଲ୍ଲା କରିଦେଲେ। ସେଥିପାଇଁ କେତେକ ସମାଲୋଚନା ମଧ୍ୟ କଲେ। କିନ୍ତୁ ଆଜି ସମଗ୍ର ଦେଶରେ ଆଇନ୍ ଶୃଙ୍ଖଳାର ଯେପରି ଅବନତି ହୋଇଚାଲିଛି, ୧୩ଟି ଜିଲ୍ଲା କ’ଣ ଏହାକୁ ସମ୍ଭାଳି ପାରିଥାନ୍ତେ? ରାଜ୍ୟର ସର୍ବନିମ୍ନ ଦୈନିକ ମଜୁରୀ ୧୧ ଟଙ୍କାରୁ ୨୫ ଟଙ୍କାକୁ ବୃଦ୍ଧି କରି ବିଜୁ ପଟ୍ଟନାୟକ ଯେତିକି ପ୍ରଶଂସିତ ହୋଇଥିଲେ, କଟକ ସହରର ଭୟାବହ ମଦମୃତ୍ୟୁ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଦେଖିବାକୁ ନଯିବା ଓ ସେମାନଙ୍କ ପରିବାରକୁ ସମବେଦନା ନ ଜଣାଇବା ଯୋଗୁ ସେତିକି ସମାଲୋଚିତ ହୋଇଥିଲେ।

ମଦ୍ୟପମାନଙ୍କ ପ୍ରତି ମୋର ଦରଦ ନାହିଁ, ମୁଁ କ’ଣ ଖାଲି ଶବ ଦେଖିବାକୁ ଯାଇଥାନ୍ତି ବୋଲି ‘ବିଜୁ’ଙ୍କ ମନ୍ତବ୍ୟ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ସେ ଶାସନରେ ଥିଲାବେଳେ ଅନୁଭବ କଲେ ଯେ, ଅମଲାତନ୍ତ୍ର ସାଧାରଣ ଲୋକଙ୍କ ସମସ୍ୟା ବୁଝୁ ନାହିଁ ଏବଂ ଅନେକ କ୍ଷେତ୍ରରେ ଶୋଷଣ କରୁଛି। ସେ ଏହା ଲକ୍ଷ୍ୟ କରି ବିରକ୍ତ ହୋଇ ସର୍ବସାଧାରଣରେ କହିଦେଲେ, ଦୁର୍ନୀତି କଲେ ଏବଂ କାମ ନକଲେ ଅମଲାତନ୍ତ୍ରର କାର୍ଯ୍ୟକର୍ତ୍ତାଙ୍କୁ ମାରିଦିଅ। ମୁଁ ଏହି ଆହ୍ୱାନକୁ ସହୃଦୟତାର ସହ ଗ୍ରହଣ କରି ପ୍ରଥମ ପଦକ୍ଷେପ ଭାବେ ପୁରୁଣା ଭୁବନେଶ୍ୱର, ଲିଙ୍ଗରାଜ ଥାନାରେ ଥିବା ସେତେବେଳର ଆଇ.ଆଇ.ସି. ସୁବାଷ ମହାପାତ୍ରଙ୍କୁ ୧୯୯୪ ମସିହା ଜୁଲାଇ ୧୩ ତାରିଖ, ରାତ୍ର ୧୨ଟା ସମୟରେ ଜଣେ ଗରୀବ ଲୋକଙ୍କ ଉପରେ ଶୋଷଣ, ଭକ୍ଷଣ, ଦୁର୍ନୀତି ଓ ଅତ୍ୟାଚାର ଅଭିଯୋଗରେ ଏହି କ୍ରମେ ତାଙ୍କୁ ମାଡ଼ ମାରି ଗିରଫ ହୋଇଥିଲି।

ଏକଥା ମୁଁ ବିଜୁ ବାବୁଙ୍କୁ ନଜଣାଇ ଦୀର୍ଘ ୯ ବର୍ଷ ପର୍ଯ୍ୟନ୍ତ କେସ୍ ଲଢି ନିର୍ଦ୍ଦୋଷରେ ୨୦୦୪ ସାଧାରଣ ନର୍ବାଚନ ସରିବା ପରେ ଖଲାସ ହୋଇଥିଲି। ଯାହା ସେତେବେଳେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସେଥିପାଇଁ ମୁଁ, ମୋ ସରକାର ଓ ସେ ସମାଲୋଚିତ ହେଲୁ। ଯାହା ହେଲେ ବି ସାଧାରଣ ଲୋକଙ୍କ ମନୋଭାବ ସର୍ବସାଧାରଣ ପ୍ରକାଶ କରି ଅମଲାତନ୍ତ୍ରକୁ ସତର୍କ କରାଇ ଦେଇପାରିଲେ। ସେଥିରୁ ଯେ ସୁଫଳ ନ ମିଳିଲା ତାହା ନୁହେଁ, ସେହିପରି ଦେଶର ବିଶୃଙ୍ଖଳିତ ସ୍ଥିତିକୁ ଲକ୍ଷ୍ୟ କରି ସେ କହିଲେ, କିଛିଦିନ ମିଲିଟାରୀ ଶାସନ ଦେଶରେ ହେଲେ, ଦେଶ ସୁଧୁରି ଯାଆନ୍ତା। ସମସ୍ତେ ଏକଥା ଡ୍ରଇଁରୁମ୍‌ରେ ବିଲୁଆ ବିଚାର ପରି କହନ୍ତି। କିନ୍ତୁ ସେ ସର୍ବସାଧାରଣରେ ଏହା କହିଦେଲେ। ଯେଉଁ କଥାକୁ ତାଙ୍କର ଏକତା ଅବୁଝା ପୁଅ କହୁଥିବା ଜଣେ ନେତା ନିଜେ ମନ୍ତ୍ରୀ ହେବା ପାଇଁ କେନ୍ଦ୍ର ନେତୃତ୍ୱ ପାଖରେ ଏକଥା ପ୍ରକାଶ କରିଦେଇ ‘ବିଜୁ ପଟ୍ଟନାୟକ’ଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବଞ୍ଚିତ କରିବା ପାଇଁ ଉଦ୍ୟମ କରିଥିବା ଦେଶରେ ଆଲୋଚିତ ହୋଇଥିଲା।

ସେ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରଖୁଥିଲେ। ନିର୍ଭୀକ ଓ ସ୍ପଷ୍ଟବାଦୀ ଭାବରେ ମୁଁ ଜାଣେ, ବିଜୁ ପଟ୍ଟନାୟକ ଟେଲିଫୋନ ନିଜେ ଧରନ୍ତି। କାହା ଦ୍ୱାରା ଧରାଇ ବାବୁ ଘରେ ନାହାଁନ୍ତି ଅବା ବାଥରୁମ୍‌ରେ ଅଛନ୍ତି ବୋଲି କହି ଏଡ଼ାଇ ଯାଆନ୍ତି ନାହିଁ। ଲୋକମାନଙ୍କ ସମସ୍ୟା ଜାଣିବା ପାଇଁ ସେମାନଙ୍କ ସହ ମିଶନ୍ତି। ସେମାନଙ୍କର ଦେବା ପ୍ରସ୍ତାବ ମନକୁ ପାଇଲେ, ତାହା କାର୍ଯ୍ୟକାରୀ କରନ୍ତି। ଦୈନିକ ମଜୁରୀକୁ ହଠାତ୍ ୧୧ଟଙ୍କାରୁ ୨୫ ଟଙ୍କା କରିବା ମୂଳରେ ଜନୈକ ଆଦିବାସୀ ବୃଦ୍ଧାଙ୍କର ପ୍ରସ୍ତାବ ଥିଲା। ଓଡ଼ିଶାରେ ଯେତେବେଳେ ଦୈନିକ ମଜୁରୀ ୨୫ ଟଙ୍କା ବୃଦ୍ଧି କରିଦେଲେ। ଭାରତରେ ଅନ୍ୟ କୌଣସି ରାଜ୍ୟରେ ୨୫ଟଙ୍କା ନଥିଲା। ପରେ ଅନ୍ୟମାନେ ‘ବିଜୁ’ଙ୍କକ ପଦାଙ୍କ ଅନୁସରଣ କରି ମଜୁରୀକୁ ୨୫ ଟଙ୍କା ବୃଦ୍ଧି କଲେ। ସଫଳତାର ସହ କାର୍ଯ୍ୟ କରିବା ପ୍ରଣାଳୀ ସ୍ଥଳ ଭାବରେ ବିଜୁ ପଟ୍ଟନାୟକଙ୍କର ବ୍ୟକ୍ତିତ୍ୱର ମୂଳତତ୍ତ୍ୱ ଥିଲା। ବିଜୁଙ୍କ ମୃତ୍ୟୁ ପରେ ତାଙ୍କର ଶୋଭାଯାତ୍ରା ଯେତେବେଳେ ଭୁବନେଶ୍ୱରରୁ ପୁରୀ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ହେଲା, ଲକ୍ଷ ଲକ୍ଷ ଲୋକଙ୍କ ସନ୍ଧ୍ୟାରେ ଶୋକାକୁଳ ହୋଇ ଶୋଭାଯାତ୍ରାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ। ଅନୁଭୂତ ହେଲା ଯେ ଯେ ସତେ ଯେପରି ଅଦିନିଆ ରଥାଯାତ୍ରା ଅନୁଷ୍ଠିତ ହେଉଛି।

ବିଜୁ ପଟ୍ଟନାୟକ ଯେତେବେଳେ ରାଜ୍ୟସ୍ତରୀୟ ଦଳ ଗଢିଥିଲେ ତାହାର ନାମ ରଖିଥିଲେ ‘ଉତ୍କଳ କଂଗ୍ରେସ’। ଯଦି ‘ବିଜୁତତ୍ତ୍ୱ’ ବା ବିଚାରଧାରାକୁ ଲୋକମାନଙ୍କ ନିକଟରେ ଓ ନୂତନ ପୀଢି ପାଖରେ ପହଞ୍ଚାଇବାକୁ ହେବ, ତାହେଲେ ଏକ ଅଣରାଜନୈତିକ ଅନୁଷ୍ଠାନ ଗଢି ଗବେଷଣା ଆରମ୍ଭ ହେବା ଉଚିତ୍ ଏବଂ ତା’ର ସାରମର୍ମ ଲୋକଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ। ଏହାକୁ ଏକ ଅଣରାଜନୈତିକ ଆନ୍ଦୋଳନରେ ପରିଣତ କରାଯାଉ। ବିଜୁ ପଟ୍ଟନାୟକଙ୍କ ନାମରେ ଭୋଟ ଭିକ୍ଷା କରୁଥିବା ଦୁର୍ନୀତିଗ୍ରସ୍ତ ନେତାଙ୍କର ମୁଖା ଖୋଲାଯାଉ। ଯେଉଁମାନଙ୍କର ବିଜୁବାବୁଙ୍କର ଜୀବଦଶାରେ ସମର୍ଥନ କରି ସୁଦିନ, ଦୁର୍ଦ୍ଦିନରେ ପାଖେପାଖେ ଥିଲେ ଆଉ ବିଜୁ ଜନତା ଦଳ ଗଠନରେ ମୁଖ୍ୟଭୂମିକା ନେଇଥିଲେ, ସେମାନେ ଆଜି ପ୍ରାୟ ଦଳରେ ନାହାଁନ୍ତି। ସେମାନେ ତଡା ଖାଇଛନ୍ତି ଅବା ଛାଏଁ ଛାଏଁ ଅପ୍‌ସରି ଯାଇଛନ୍ତି। ସେମାନେ କହନ୍ତି, ‘ବିଜୁତତ୍ତ୍ୱ’ର ଦାୟାଦ ସେମାନେ। ସେମାନଙ୍କ ମଧ୍ୟରୁ କେତେକ ଉପରେ ତ ଅନ୍ୟ କେତେକ ତଳେ ରହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

ସର୍ବଶେଷରେ ମୁଁ ସେମାନଙ୍କୁ ଏବେ ବି ଆହ୍ୱାନ କରୁଛି, ବିଜୁବାବୁଙ୍କର ସେମାନଙ୍କ ପ୍ରତି ଆଶୀର୍ବାଦ ଅଛି ଏବଂ ବର୍ତ୍ତମାନ ରାଜ୍ୟରେ ଯେଉଁଭଳି ଭାବରେ ରାଜନୈତିକ କ୍ଷେତ୍ରରେ, ସାମ୍ପ୍ରତିକ ସ୍ଥିତିରେ ଶୂନ୍ୟସ୍ଥାନ ହୋଇଗଲାଣି, ତାକୁ ପ୍ରତିହତ କରିବା ପାଇଁ ବିକଳ୍ପ ଭାବରେ ବିଜୁ ପଟ୍ଟନାୟକଙ୍କର ଗଭୀର ଆଶୀର୍ବାଦ ଥିବା ତାଙ୍କର ଅବୁଝା ପୁଅ ଶ୍ରୀକାନ୍ତ ଭାଇ, ଦିଲ୍ଲୀପ ଭାଇ, ବିଜୟ ଭାଇ, ବ୍ରଜ ତ୍ରିପାଠୀ, ଦାମ ଭାଇ, ବାବା ପ୍ରସନ୍ନ ଭାଇ, ପଞ୍ଚୁଭାଇ, ଲୁଲୁଭାଇ (ଉମାରଥ), କମଳା ଦାସ ପ୍ରମୁଖ ‘ନବଗ୍ରହ’ ଭାବରେ ଏକତ୍ରିତ ହୋଇ ରାଜ୍ୟବାସୀଙ୍କର ଅକୁଣ୍ଠ ସମର୍ଥନ ପାଇବା ପାଇଁ ଏକ ଦ୍ୱିତୀୟ ସାମ୍ମୁଖ୍ୟ ବା ଦ୍ୱିତୀୟ ବିଜୁ ଜନତା ପାର୍ଟି (ବିଜେପି) ଦଳ ନାମରେ ଗଠନ କରି ଏହାର ନେତୃତ୍ୱ ନେବାକୁ ଯେତେଶୀଘ୍ର ଆଗେଇ ଆସିବା ଉଚିତ୍। ସେମାନେ ଆଜି ଦିଗହରା ଓ ହତାଶଭାବ ନହୋଇ ‘ବିଜୁବାବୁ’ ଆଜି ସ୍ୱର୍ଗରେ ଥାଇ ତାଙ୍କର ଅମର ଆତ୍ମା, ତାଙ୍କର ଉପଯୁକ୍ତ ଦାୟଦମାନଙ୍କୁ ଆଶୀର୍ବାଦ ଢାଳିଦିଅନ୍ତୁ, ଏତିକି ବାବା ଶ୍ରୀ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଠାରେ ପ୍ରାର୍ଥନା କରିବା ସହିତ ମୋର ହୃଦୟରେ ଭରି ରହିଥିବା ତାଙ୍କ ପ୍ରତି ଗଭୀର ଭକ୍ତି ଶ୍ରଦ୍ଧା ସୁମନ ଅର୍ପଣ କରୁଛି। ଜୟ ବିଜୁ, ଜୟ ଓଡ଼ିଶା

ପୂର୍ବତନ ରାଜ୍ୟ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ,
ରାଜ୍ୟ ଯୁବ ଜନତା ଦଳ (ଏସ୍‌)ର ସଭାପତି
ପୁରୁଣା ଭୁବନେଶ୍ୱର-୨, ମୋ: ୯୪୩୮୪୪୬୫୭୫

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ବିଜୁ ଜୟନ୍ତୀକୁ ‘କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ’  ଭାବେ ପାଳନ କରିବାକୁ ନିଷ୍ପତି

ନୂଆଦିଲ୍ଲୀ, ବିଜୁ ବାବୁଙ୍କର ବ୍ୟକ୍ତିତ୍ବର ସବୁଠାରୁ ବଳିଷ୍ଠ ଦିଗ ହେଉଛି ତାଙ୍କ ସାହସିକତା । ସେ ରାଜନୀତି ହେଉ, ବା ବିମାନ ଚାଳନା – ସବୁ କ୍ଷେତ୍ରରେ ତାଙ୍କର ଅସୀମ ସାହସ ସବୁବେଳେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଥାଏ। ଜଣେ ଦୁର୍ଦ୍ଦଶ ପାଇଲଟ ଭାବରେ ବିଜୁ ବାବୁ ଦେଶ ବିଦେଶରେ ସୁପରିଚିତ। ଇଣ୍ଡୋନେସିଆର ସ୍ବାଧିନତା ସଂଗ୍ରାମ ହେଉ, ବା ଜାମ୍ମୁ କାଶ୍ମୀରରେ ପାକିସ୍ତାନୀ ସୈନ୍ୟଙ୍କ ଆକ୍ରମଣ – ସବୁ କ୍ଷେତ୍ରରେ ସେ ତାଙ୍କର ଅସାମାନ୍ୟ ଦକ୍ଷତା ଓ ଅସୀମ ସାହସର ପରିଚୟ ଦେଇଯାଇଛନ୍ତି।

ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳନ କରାଯାଇଛି । ଦେଶର ବିମାନ ଚାଳନା କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପ୍ରତି ବର୍ଷ ତାଙ୍କ ଜନ୍ମ ଦିନକୁ କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ (Legendary Indian Pilots Day) ଭାବରେ ପାଳନ କରିବ ଏବଂ ଦେଶର ଜଣେ ଦକ୍ଷ ପାଇଲଟଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଛି । କ୍ଲବର ସଭାପତି ଡଃ ବି.ବି.ଏଲ୍ ମଧୁକର ବିଜୁ ଜୟନ୍ତୀ ସମାରୋହ ଅବସରରେ ଏହା କରିଛନ୍ତି।

ଏହି ଅବସରରେ ଆୟୋଜିତ ଏକ ସମାରୋହ ପାଇଁ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଦିଲ୍ଲୀ ଫ୍ଲାଇଙ୍କ କ୍ଲବରେ ବିଜୁ ବାବୁଙ୍କ ପ୍ରଶିକ୍ଷଣ ଦେଶର ବିମାନ ଚାଳନା କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା । ତାଙ୍କର ବିମାନ ଉଡାଣର କାହାଣୀ ଆଜି କିମ୍ବଦନ୍ତୀ ହୋଇ ଘରେ ଘରେ ତାଙ୍କ ସାହାସିକତା ଓ ଦେଶଭକ୍ତିର କଥା ବର୍ଣ୍ଣନା କରୁଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିମାନ ଚାଳନା ପାଇଁ ପ୍ରବଳ ଆଗ୍ରହ ଯୋଗୁ ବିଜୁ ବାବୁ ୧୯୩୦ ଦଶକର ପ୍ରାରମ୍ଭରେ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବରେ ବିମାନ ଚାଳନା ପାଇଁ ପ୍ରଶିକ୍ଷଣ ଆରମ୍ଭ କରିଥିଲେ ଏବଂ ଏହି ଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ଗୌରବମୟ ଯାତ୍ରା। ଇଗଲ୍ ପରି ଉଚ୍ଚ ଆକାଶରେ ଉଡିବା ଏବଂ ଝଡ ସହ ଲଢିବା ତାଙ୍କର ନିଶା। ଆଉ ତାଙ୍କର ସେହି ସ୍ବପ୍ନକୁ ପୂରଣ କରିଥିଲା ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ। ସେ ବୋଧହୁଏ ଏକମାତ୍ର ସଂଗ୍ରାମୀ ଯିଏ କି ତିନୋଟି ଦେଶର ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିଲେ।

କେବଳ ଭାରତ ନୁହେଁ, ଇଣ୍ଡୋନେସିଆ ଓ ରୁଷିଆର ସ୍ବାଧୀନତା ସଂଗ୍ରାମରେ ମଧ୍ୟ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଭାରତରେ ଜୟପ୍ରକାଶ ନାରାୟଣ ଓ ଅରୁଣା ଆସଫ ଅଲ୍ଲୀଙ୍କ ପରି ନେତୃବୃନ୍ଦଙ୍କୁ ବିମାନ ଯୋଗେ ବିଭିନ୍ନ ସ୍ଥାନକୁ ନେଇ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ନଜରରୁ ବଞ୍ଚାଇଥିଲେ । ଏଥିପାଇଁ ସେ ବ୍ରିଟିଶ ସରକାରଙ୍କ ଆକ୍ରୋଶର ଶିକାର ହୋଇ ଜେଲ୍ ମଧ୍ୟ ଯାଇଥିଲେ। ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ବିଶ୍ବବିଦିତ। ଏହାସହିତ ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ସେ ରୁଷିଆର ରେଡ୍ ଆର୍ମିକୁ ମଧ୍ୟ ସହାୟତା ଦେଇଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ ପାଇଲଟ ଭାବରେ ବିଜୁ ବାବୁଙ୍କ ଗୌରବମୟ ଯାତ୍ରା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ସାରା ଓଡିଶା ଓ ଭାରତବାସୀ ଏହି କ୍ଲବର ଭୂମିକାକୁ ସବୁ ସମୟରେ ମନେ ରଖିବେ। ଜଣେ ଦକ୍ଷ ପାଇଲଟ ଭାବରେ ବିଜୁ ବାବୁଙ୍କ ସ୍ମୃତିକୁ ପୁନର୍ଜୀବିତ କରିଥିବାରୁ ମୁଖ୍ୟମନ୍ତ୍ରୀ କ୍ଲବର ସଭାପତି ଡଃ. ବି.ବି.ଏଲ ମଧୁକରଙ୍କୁ ଧନ୍ୟବାଦ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁ ଆମ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି ଓ ରହିବେ। ସେ ଆମକୁ ଯେ କୌଣସି ପରିସ୍ଥିତି ହେଉ ପଛେ, ଗରିବ ଓ ଦୁର୍ବଳ ଲୋକକୁ ସହାୟତା କରିବା ପାଇଁ ଆଗେଇ ଆସିବାକୁ ପ୍ରେରଣା ଦେଉଥିଲେ। ତାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ଏବଂ କଳିଙ୍ଗର ଗୌରବକୁ ପୁନର୍ଜୀବିତ କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସଦସ୍ୟ ଡଃ ସସ୍ମିତ ପାତ୍ର ମଧ୍ୟ ଯୋଗ ଦେଇ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ। ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବର ସଭାପତି ଡଃ ବି.ବି.ଏଲ ମଧୁକର ଏବଂ ସଂପାଦକ ଶ୍ରୀ ଅମିତ ଶର୍ମା ବିମାନ ଚାଳନା କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ବିଜୁବାବୁଙ୍କ ଜୟନ୍ତୀରେ କଣ କହୁଛନ୍ତି ତାଙ୍କ ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଜାଣନ୍ତୁ

ଭୁବନେଶ୍ବର,ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 105 ତମ ଜନ୍ମ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଉପଲକ୍ଷେ ସେ କହିଛନ୍ତି ଯେ, ଓଡିଶାର ଅତୀତ ଗୌରବକୁ ଫେରାଇ ଆଣିବା ଏବଂ ଓଡିଶାକୁ ବିକାଶର ଶିଖରରେ ପହଞ୍ଚାଇବା ଥିଲା ବିଜୁବାବୁଙ୍କ ଜୀବନର ଲକ୍ଷ୍ୟ। ସେବା ଓ ସ୍ଵାଭିମାନ ଥିଲା ତାଙ୍କ ଆଦର୍ଶ। ଏହି ଆଦର୍ଶରେ ଆମ ଦଳର ଲକ୍ଷ ଲକ୍ଷ କର୍ମୀ , ଭାଇ ଭଉଣୀ କାମ କରି ଚାଲିଛନ୍ତି। ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି।

ଆଜି ଯେତେବେଳେ ଗାଁର କଚା ଘରେ ରହୁଥିବା ପରିବାରର ଘର ପକ୍କା ଘରରେ ପରିଣତ ହଉଛି, ତା ଘରକୁ ପାଇପ ପାଣି ଆସୁଛି, ବିଜୁଳି ଆଲୁଅ ରେ ତା ଘର ଉଜ୍ଜ୍ଵଳ ଦିସୁଛି, ସେତେବେଳେ ତା ମୁହଁ ରେ ହସ ଆସୁଛି। ଆଉ ତାହା ହଉଛି ଆମ ପାଇଁ ସବୁଠାରୁ ବଡ ପୁରସ୍କାର।

ଆଜି ଯେତେବେଳେ ମା ଟିଏ ପଞ୍ଚାୟତ ଅଫିସରେ ବସି ଗାଁ ର ବିକାଶ କଥା ଚିନ୍ତା କରୁଛି, ମିଶନ ଶକ୍ତି ର ମା ଟିଏ ଆଜି ଯେତେବେଳେ ଋଣ ଆଣି ପରିଶ୍ରମ କରି ବେପାର ବୃଦ୍ଧି କରୁଛି ଓ ତାର ପରିବାର ପାଇଁ ସମୃଦ୍ଧି ଆଣୁଛି; ସେତେବେଳେ ବିକାଶର ଚିତ୍ର ଉଜ୍ଜ୍ଵଳ ଦିଶୁଛି। ସରକାରୀ ସ୍କୁଲରେ ପଢୁଥିବା ପିଲା ପାଇଁ ଯେତେବେଳେ ସୁଯୋଗ ସୃଷ୍ଟି ହେଉଛି ସେତେବେଳେ ଯୁବ ସମାଜର ସ୍ଵପ୍ନ ଦିଗନ୍ତ ପ୍ରସାରୀ ହଉଛି ।

କ୍ରୀଡା କ୍ଷେତ୍ରରେ ନୂଆ ସୁଯୋଗ ଯୁବ ସମାଜ ପାଇଁ, ତା ପ୍ରତିଭା ର ବିକାଶ ପାଇଁ ରାସ୍ତା ଦେଖାଉଛି। ବିଜୁବାବୁଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରା ଆଜି ଆମର ପ୍ରତିଟି ପଦକ୍ଷେପରେ ପ୍ରତିଫଳିତ ହେଉଛି । ତଥାପି ଆମକୁ ଆହୁରି ଅନେକ ପଥ ଅତିକ୍ରମ କରିବାକୁ ଅଛି ।
ଆସନ୍ତୁ ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଆମେ ସମସ୍ତେ ମିଳିମିଶି ତାଙ୍କ ଆଦର୍ଶରେ ଚାରି କୋଟି ଓଡିଶା ବାସୀଙ୍କ ସେବା ପାଇଁ ପୁଣିଥରେ ଶପଥ ନେବା। ଓଡ଼ିଶାର ସ୍ବାଭିମାନ ପାଇଁ ଲଢ଼େଇ ଜାରି ରଖିବା।

ବନ୍ଦେ ଉତ୍କଳ ଜନନୀ

Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର ସଂସ୍କୃତି

ବିଜୁବାବୁଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନର କିଛି ସ୍ମରଣୀୟ ଦୃଷ୍ଟାନ୍ତ

ଦିଲ୍ଲୀପ ହାଲି

ସିକେକ୍ରିଟିକ୍ ପୁରସ୍କାର ପ୍ରଦାନ ସହ ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ଚଳଚ୍ଚିତ୍ର ଜୀବନର ରୌପ୍ୟ ଜୟନ୍ତୀ ପାଳନ କରିବା ଲାଗି ସ୍ଥିର ହେଲା । ସବୁଥର ଭଳି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସଚିବାଳୟ ପ୍ରକୋଷ୍ଠରେ ଭେଟି ନିମନ୍ତ୍ରଣ କରିବାକୁ ସିନେକ୍ରିଟିକ୍ ଆସୋସିଏସନ୍‌ର ସଭାପତି ପ୍ରଦୋଷ ପଟ୍ଟନାୟକ ଓ ମୁଁ ଯାଇଥିଲୁ । ବିଜୁବାବୁ ଚିଠିଟି ପଢ଼ି ତା’ ଉପରେ ଲେଖି ବ୍ୟକ୍ତିଗତ ସଚିବ ଗୌରମୋହନ ଷଡ଼ଙ୍ଗୀଙ୍କ ହାତରେ ଧରାଇ ଦେଲେ । ଆମେ ଖୁସିରେ ତାଙ୍କ ପ୍ରକୋଷ୍ଠରୁ ବାହାରି ଆସୁଛୁ, ହଠାତ୍ ପଛରୁ ଡାକି ପଚାରିଲେ – What is the Prasanta Nanda Silver Night ? Who is Prasanta Nanda ? Why this Silver Night ତା’ପରେ ଆମେ ବିଜୁବାବୁଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ଜଣେ ଆଗଧାଡ଼ିର ବ୍ୟକ୍ତିତ୍ୱ ପ୍ରଶାନ୍ତ ନନ୍ଦ ସମ୍ପର୍କରେ ସବୁ ବିଷୟ ଜଣାଇଲୁ।

ତାଙ୍କ ଚଳଚ୍ଚିତ୍ର ଜୀବନରେ ୨୫ ବର୍ଷ ପୂରି ଯାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବାକୁ ଏହି ଉତ୍ସବ ଆୟୋଜିତ ହେଉଛି ବୋଲି ଜଣାଇଲୁ । ଏଥିସହିତ ପ୍ରଦୋଷ ବାବୁ, ଓଡ଼ିଆ ପ୍ରାଣ ମୁଖ୍ୟମନ୍ତ୍ରୀଙ୍କୁ ମହାନ୍ ଓଡ଼ିଆ ବୀର ଖାରବେଳଙ୍କ ଉପରେ ପ୍ରଶାନ୍ତ ନନ୍ଦ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ । ଏହି କଥା ପଦକ ବିଜୁବାବୁଙ୍କୁ ଖୁବ୍ ଆନନ୍ଦ ଦେଇଥିଲା ଏବଂ ଆହୁରି ଖୁସି ହୋଇ ଉତ୍ସବକୁ ଆସିବେ ବୋଲି କହିଥିଲେ । ଆଗକୁ ଆସୁଥିବା ରାଜ୍ୟସଭା ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ ଚୟନ ନେଇ ବରିଷ୍ଠ ମନ୍ତ୍ରୀ ଓ ଦଳୀୟ ନେତାମାନଙ୍କ ସହ ବିଜୁବାବୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିମଗ୍ନ ଥିଲେ ଏବଂ ଉତ୍ସବ ବିଷୟ ସେ ପୁରାପୁରି ଭୁଲି ଯାଇଥିଲେ ।

ରବୀନ୍ଦ୍ର ମଣ୍ଡପରେ ତାଙ୍କର ପହଞ୍ଚିବାରେ ବିଳମ୍ବ ଦେଖି ତିନିଜଣ କଳାକାରଙ୍କୁ ସଚିବାଳୟ ପଠାଇ ବିଜୁ ବାବୁଙ୍କୁ ଉତ୍ସବ ସ୍ଥଳକୁ ପାଛୋଟି ଆଣିଥିଲୁ । ତା’ପରେ ବିଜୁବାବୁ ହସି ହସି ଦଳୀୟ ସଭାପତି ଅଶୋକ ଦାସଙ୍କୁ ବୈଠକର ଦାୟିତ୍ୱ ନ୍ୟସ୍ତ କରି ଚଳଚ୍ଚିତ୍ର ଉତ୍ସବକୁ ଚାଲିଆସିଲେ । ସେଦିନର ଉତ୍ସବରେ ଜଣେ କଳାକାର ଅନ୍ୟ ଜଣେ କଳାକାରଙ୍କୁ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିବେ ବୋଲି ଆମେ ପୂର୍ବରୁ ସ୍ଥିର କରିଥିବା ଶୁଣି ବିଜୁବାବୁ ବିରକ୍ତ ହୋଇ ନିଜେ ସବୁ ପୁରସ୍କାର ବାଣ୍ଟିବେ ବୋଲି କହିଥିଲେ ଏବଂ ଉତ୍ସବରେ ଦୁଇଘଣ୍ଟା ଧରି ଉପସ୍ଥିତ ଥିଲେ ।

ସେଦିନ ଉତ୍ସବରେ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପ୍ରଶାନ୍ତ ନନ୍ଦ ଖାରବେଳଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରୁଥିବା ଜାଣି ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସାରେ ପୋତି ପକାଇ ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ । କଳିଙ୍ଗ ସମ୍ରାଟ୍ ଖାରବେଳଙ୍କ ବୀରତ୍ୱ ଓ ସାହସ ବିଜୁ ପଟ୍ଟନାୟକଙ୍କୁ କିପରି ଉଦ୍‌ବୁଦ୍ଧ ଓ ଅନୁପ୍ରାଣିତ କରିଥିଲା, ସେଦିନ ସେହି ଉତ୍ସବରେ ତାହା ପ୍ରତିଫଳିତ ହୋଇଥିଲା ।

ଏକଦା ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ପ୍ରଥମେ ସିନେକ୍ରିଟିକ୍ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ଯେ, ଭାରତର ସଂସଦ ଭବନରେ ବିଜୁବାବୁଙ୍କ ମୃତ୍ୟୁ ପରେ ତାଙ୍କର ଏକ ତୈଳଚିତ୍ର ସ୍ଥାନ ପାଉ । ଏହି ପ୍ରସ୍ତାବଟି ସଂସ୍କୃତି ମନ୍ତ୍ରୀ ତତ୍‌କ୍ଷଣାତ୍ ଗ୍ରହଣ କରି ଏହା କେଉଁ ଶିଳ୍ପୀଙ୍କ ଦ୍ୱାରା କରାଯିବ, ତା’ର ବ୍ୟବସ୍ଥା କରିବାକୁ କହିଲେ । କଟକସ୍ଥିତ ଆନନ୍ଦ ଭକବନରେ ବିଜୁ ପଟ୍ଟନାୟକଙ୍କର ଏକ ଫଟୋଚିତ୍ର ଥିଲା । ତାକୁ ଓଡ଼ିଶାର ତତ୍କାଳୀନ ଓଡ଼ିଶା ଲଳିତକଳା ଏକାଡେମୀର ସଚିବ ଚନ୍ଦ୍ରମଣି ବିଶ୍ୱାଳ ପ୍ରସ୍ତୁତ କରିଥିଲେ । ଏହା ପ୍ରସ୍ତୁତ ହେଲାପରେ ସଂସଦ ଭବନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡ଼ଭାନୀ ଏବଂ ସୁଷମା ସ୍ୱରାଜ ପ୍ରମୁଖଙ୍କ ଉପସ୍ଥିତିରେ ଏହା ଉନ୍ମୋଚିତ ହୋଇଥିଲା ଏବଂ ସେଠାରେ ଏହି ତୈଳ ଚିତ୍ରଟିକୁ ପ୍ରସ୍ତୁତ କରିଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ଚନ୍ଦ୍ରମଣି ବିଶ୍ୱାଳଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

୧୯୯୦ ଡିସେମ୍ବର ମାସର ଶୀତ ସନ୍ଧ୍ୟାରେ ଆୟୋଜିତ ଆଉ ଏକ ସିନେକ୍ରିଟିକ୍ ଉତ୍ସବରେ ଗୋଟିଏ କୌତୁହଳଜନକ ଘଟଣା ଘଟିଥିଲା । ଏଥିରେ ମୁଖ୍ୟ ଅତିଥି ବିଜୁବାବୁଙ୍କ ସହ ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତା ଏବଂ ହିନ୍ଦୀ ଧାରାବାହିକର ଲୋକପ୍ରିୟ ଅଭିନେତା ମୋହନ ଗୋଖଲେ (ମିଃ. ଯୋଗୀ ଅଭିନୟ ପାଇଁ ପ୍ରସିଦ୍ଧ) ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଉତ୍ସବର ଅବ୍ୟବହିତ ପୂର୍ବରୁ ଏକ ପ୍ରଳୟଙ୍କରୀ ବାତ୍ୟା ଓ ବନ୍ୟା ବିତ୍ପାତରେ ଗଞ୍ଜାମ ଜିଲ୍ଲା ବହୁତ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଏହି ଉତ୍ସବରେ ବିପୁଳ ଜନସମାଗମକୁ ଲକ୍ଷ୍ୟ କରି ବିଜୁବାବୁ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବିଷୟରେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ।

ବିଜୁଙ୍କ ଆବେଗଭରା ଆହ୍ୱାନ ଶୁଣି ଅଭିନେତା ମୋହନ ଗୋଖଲେ ନିଜେ ମଞ୍ଚ ଉପରୁ ଓହ୍ଲାଇ ଏକ ଟିଣ ଡବା ଧରି ଉପସ୍ଥିତ ଦର୍ଶକମଣ୍ଡଳୀଠାରୁ ଦାନ ସଂଗ୍ରହ କରିଥିଲେ । ତାଙ୍କ ଦେଖାଦେଖି ଅନ୍ୟ କଳାକାରମାନେ ମଧ୍ୟ ରବୀନ୍ଦ୍ର ମଣ୍ଡପର ଭରପୁର ପ୍ରେକ୍ଷାଳୟରୁ ଦାନ ସଂଗ୍ରହ ଆରମ୍ଭ କରିଦେଲେ । ମୋଟାମୋଟି ଭାବରେ ଏହି ଉତ୍ସବରେ ସଂଗୃହୀତ ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା । ସେଦିନର ସେହି ଉତ୍ସବରେ କଟକରୁ ଦୁଇ ଚକିଆ ଗାଡ଼ିରେ ଚଢ଼ି ଆସି ଯୋଗ ଦେଇଥିବା ଓଡ଼ିଆ ଚଳଚ୍ଚିତ୍ରର ବିଗତ ଦିନର ଅଗ୍ରଣୀ ବ୍ୟକ୍ତିତ୍ୱ ଗୌରପ୍ରସାଦ, ଘୋଷ, ପୀର ମିଶ୍ର ଓ ନିତାଇ ପାଲିତ୍‌, ସାମୁଏଲ୍ ସାହୁ ବାବି ପ୍ରମୁଖଙ୍କୁ ଦେଖି ଓ ପୁରସ୍କାର ପ୍ରଦାନ କରି ବିଜୁବାବୁ ଅତ୍ୟନ୍ତ ଉତ୍‌ଫୁଲିତ ହୋଇଉଠିଥିଳେ ।

ତାଙ୍କଠାରୁ ବୟସରେ ବଡ଼ ଓ ତାଙ୍କ ଜ୍ୟେଷ୍ଠା ଭଗିନୀଙ୍କ ବାନ୍ଧବୀ ଉମା ଗୋଏଙ୍କା (ବାନାର୍ଜୀ) ଯେତେବେଳେ ପୁରସ୍କାର ଗ୍ରହଣ କରିବାକୁ ଆସିଲେ, ସେତେବେଳେ ବିଜୁବାବୁ ଭାବପ୍ରବଣ ହୋଇଉଠିଥିଲେ । ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ‘ଲଳିତା’ର ନାୟିକା ଉମା ମଧ୍ୟ ଖୁବ୍ ଆବେଗରେ ନିଜର କନିଷ୍ଠ ଭ୍ରାତା ସଦୃଶ ବିଜୁଙ୍କ ଗାଲକୁ ଧରି ତାଙ୍କୁ ଆଶୀର୍ବଦା ପ୍ରଦାନ କରିବାର ଦୃଶ୍ୟ ସେତେବେଳେ ସମସ୍ତ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା । ଅଭିନେତା ଉତ୍ତମ ମହାନ୍ତି ଉମା ଗୋଏଙ୍କାଙ୍କୁ ନେଇ ମଞ୍ଚକୁ ଯାଇଥିଲେ ।

ସାମଗ୍ରିକ ଭାବରେ ବିଚାର କଲେ ଜଣେ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ଓ ମାନବବାଦୀ ଜନନେତା ରୂପେ ସୁପରିଚିତ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱର ଅନ୍ୟ ଦିଗଟି କିପରି କଳା ଓ ସଂସ୍କୃତିପ୍ରାଣତାରେ ଭରପୂର ଥିଲା, ତାହା ଏହି ସମସ୍ତ ଘଟଣା ଓ ଅନୁଭୂତି ସ୍ପଷ୍ଟ ଜଣାପଡ଼େ । ବିଜୁ ପଟ୍ଟନାୟକ ସଦାସର୍ବଦା ସକ୍ରିୟ ରାଜନୀତି ଭିତରେ ବୁଡ଼ି ରହିଥିଲେ ମଧ୍ୟ ତାଙ୍କର ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ବିଶେଷକରି ଗଜଲ ପ୍ରତି ସେ ଗଭୀର ଆକର୍ଷଣ ରହିଥିଲେ । ସେ ସମ୍ପର୍କରେ କାହାରି ଧାରଣା ନଥିଲା । ମାତ୍ର ଗୋଟିଏ ଥର ସିନେକ୍ରିଟିକ୍ ଉତ୍ସବରେ ସେ ସମସ୍ତଙ୍କୁ ଚକିତ କରି ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ଦିଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ସେଥିସହିତ ଆମମାନଙ୍କୁ ପରାମର୍ଶ ଦେଇଥିଲେ ଯେ, ମୁମ୍ବାଇରୁ ପଣ୍ଡିତ ହରିପ୍ରସାଦ ଚୌରାସିଆ କିମ୍ବା ସେହିଭଳି ଅନ୍ୟ ଯଶସ୍ୱୀ କଳାକାରଙ୍କୁ ଆଣି ଭୁବନେଶ୍ୱରରେ ଏକ ଗଜଲ ସନ୍ଧ୍ୟା ଆୟୋଜନ କରିବାକୁ । ସେ କେବଳ ସଙ୍ଗୀତକୁ ଭଲ ପାଉନଥିଲେ, ସେ ସମ୍ପର୍କରେ ତାଙ୍କର ଯଥେଷ୍ଟ ଜ୍ଞାନ ଓ ସ୍ପଷ୍ଟ ଧାରଣା ମଧ୍ୟ ରହିଥିଲା । ତାଙ୍କର ମୂଲ୍ୟବାନ ପରାମର୍ଶ ଗ୍ରହଣ କରି ଆମେ ଅଳ୍ପଦିନ ମଧ୍ୟରେ ସୂଚନା ଭବନ (ବର୍ତ୍ତମାନର ଜୟଦେବ ଭବନ) ଠାରେ ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଏବଂ ଆମେରିକାରେ ରହୁଥିବା ଓଡ଼ିଆ କଣ୍ଠଶିଳ୍ପୀ ସୁଶ୍ରୀ ସଙ୍ଗୀତା ମହାପାତ୍ରଙ୍କୁ ନେଇ ଏକ ଚିତ୍ତାକର୍ଷକ ଗଜଲ ସନ୍ଧ୍ୟା ଆୟୋଜନ କରିଥିଲୁ ।

ସେଦିନ ସମଗ୍ର ସୂଚନା ଭବନ ଶ୍ରୋତାଙ୍କ ଉପସ୍ଥିତିରେ ଭରପୂର ହୋଇଯାଇଥିଲା । ବିଜୁବାବୁଙ୍କ ସହ ସିନେକ୍ରିଟିକ୍ ଆସୋସିଏସନ୍‌ର ନିବିଡ଼ ସମ୍ପର୍କ ରହିଥିଲେ ମଧ୍ୟ ଏହି ସଂସ୍ଥା କୌଣସି ସମୟରେ ତାଙ୍କଠାରୁ କିଛି ଫାଇଦା ହାସଲ କରିବାକୁ ଉଦ୍ୟମ କରିନଥିଲା । ଏହା ହିଁ ତାଙ୍କୁ ଆମ ଅନୁଷ୍ଠାନ ଆଡ଼କୁ ଅଧିକ ଆକର୍ଷିତ କରିଥିଲା ।

ଓଡ଼ିଆ ତଥା ହିନ୍ଦୀ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ବିଜୟା ଜେନା ଓରଫ୍ ଡଳି ଜେନା ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ବିଜୁ ପଟ୍ଟନାୟକଙ୍କ ତାଙ୍କ ବାସଭବନରେ ଭେଟି ଅନୁରୋଧ କରିଥିଲେ । ଏଥିପାଇଁ ଚଳଚ୍ଚିତ୍ର ଉନ୍ନୟନ ନିଗମରୁ ଋଣ ନେଇ ଚଳଚ୍ଚିତ୍ର ନିର୍ମାଣ ପାଇଁ ବିଜୁବାବୁ ତାଙ୍କୁ ସମସ୍ତ ସହାୟତା ଯୋଗାଇ ଦେଇଥିଲେ । ସେତେବେଳର ଶିଳ୍ପମନ୍ତ୍ରୀ ଦିଲ୍ଲୀପ ରାୟ ମଧ୍ୟ ଏଥିପାଇଁ ସାହାଯ୍ୟ କରିଥିଲେ । ତା’ପରେ ଓଡ଼ିଆ ଚଳଚ୍ଚିତ୍ର ‘ତାରା’ ନିର୍ମାଣ ହେଲା, ଯାହାକି ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ‘ତାରା’ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବେ ପୁରସ୍କାର ଲାଭ କରିଥିଲା ।

ଓଡ଼ିଆ ସଂସ୍କୃତି ଓ କଳାପ୍ରତି ଏହି ମହାନ୍ ବରପୁତ୍ରଙ୍କର ଯେଉଁ ବିପୁଳ ଅବଦାନ ରହିଥିଲା, ତାକୁ ଏ ଜାତି ଆଦୌ ଭୁଲିପାରିବ ନାହିଁ । ହେଲେ ଆଜି ତାଙ୍କର ଜନ୍ମ ଶତବାର୍ଷିକୀ ବର୍ଷରେ ଏ ସମ୍ପର୍କରେ ବିେଶେଷ ଆଲୋଚନା କରାଯିବାର ପ୍ରାସଙ୍ଗିକତା ରହିଛି ।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଝଡର ଇଗଲ ବିଜୁବାବୁଙ୍କ ସଂସ୍କୃତି ଓ ସିନେମା ପ୍ରେମ, ଥିଲା ଏକ ବିରଳ ଉଦାହରଣ

ଦିଲ୍ଲୀପ ହାଲି
ଜଣେ ଦୃଢମନା ରାଜନୀତିଜ୍ଞ ଓ ଦକ୍ଷ ପ୍ରଶାସକ ତଥା ଜଣେ ହୃଦୟବାନ୍ ବ୍ୟକ୍ତି ଭାବରେ ଆଜି ପର୍ଯ୍ୟନ୍ତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଯଥେଷ୍ଟ ସୁଖ୍ୟାତି ରହିଛି । ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ଗ୍ରହଣ କରିବା କ୍ଷେତ୍ରରେ ସେ କାହାରି ନିନ୍ଦା ପ୍ରଶଂସାକୁ ଭ୍ରୁକ୍ଷେପ ନ କରି ଯାହା ସମାଜର ଗରିବ ଓ ଅବହେଳିତ ଲୋକମାନଙ୍କର ସ୍ୱାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ, ତାହା ହିଁ କରୁଥିଲେ। ତେବେ ଜୀବନର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ସକ୍ରିୟ ରାଜନୀତିରେ ଜଡ଼ିତ ଥିଲେ ମଧ୍ୟ ତାଙ୍କ ଅନ୍ତର ଭିତରେ ସଂସ୍କୃତି ପ୍ରାଣତା ଯେ ଲୁଚି ରହିଥିଲା, ସେ ସମ୍ପର୍କରେ ହୁଏତ ଅନେକଙ୍କର ଧାରଣ ନଥିବ।

ଓଡ଼ିଶାର କଳା ଓ ସଂସ୍କୃତକୁ ସେ ଖୁବ୍ ଆଦର କରୁଥିଲେ ଏବଂ ରାଜନୀତିରୁ ସାମାନ୍ୟ ସମୟ ପାଇବା କ୍ଷଣି ଏଥିରେ ନିଜକୁ ନିୟୋଜିତ କରୁଥିଲେ । ୧୯୯୦ ରୁ ୧୯୯୫ ମସିହା ପର୍ଯ୍ୟନ୍ତ ଦ୍ୱିତୀୟ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସଂସ୍କୃତି ପ୍ରତି ବିଜୁ ବାବୁଙ୍କର ରହିଥିବା ମମତା ଓ ଆଗ୍ରହ ସମ୍ପର୍କରେ ଏକାଧିକ ଦୃଷ୍ଟାନ୍ତ ରହିଛି । ସେତେବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ନିମନ୍ତେ ପ୍ରତି ବର୍ଷ ନିୟମିତ ଭାବରେ ପୁରସ୍କାର ପ୍ରଦାନ କରାଯାଉନଥିଲା । ଏହା ତିନି ଚାରିବର୍ଷରେ ଥରେ ଅନୁଷ୍ଠିତ ହେଉଥିଲା, ଯାହାକି ସେହି ସମୟରେ ବିଶେଷ ଗୁରୁତ୍ୱ ବହନ କରୁନଥିଲେ । କେବଳ ବେସରକାରୀ ସ୍ତରରେ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍ ପ୍ରତିବର୍ଷ ନିୟମିତ ଭାବରେ ସିନେକ୍ରିଟିକ୍ ପୁରସ୍କାର ପ୍ରଦାନ କରୁଥିଲା ଏବଂ ଏଥିପାଇଁ ବିଶାଳ ସାଂସ୍କୃତିକ ଉତ୍ସବ ମଧ୍ୟ ଆୟୋଜିତ ହେଉଥିଲା ।

ପ୍ରତିବବର୍ଷ ଉତ୍ସବରେ ପୁରୁଣା ଯୁଗର ଲୋକପ୍ରିୟ ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ନବାଗତ କଳାକାରଙ୍କ ସହିତ ବିପୁଳ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ପୁରାତନ ଓ ନୂତନ କଳାକାରମାନଙ୍କୁ ବେଶ୍ ଉତ୍ସାହିତ କରୁଥିଲେ । ବିଜୁବାବୁ ତାଙ୍କର ପାଞ୍ଚ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ ମଧ୍ୟରେ ୪ଥର ଏଭଳି ଉତ୍ସବରେ ଯୋଗଦେଇ ଏହାର ମର୍ଯ୍ୟାଦା ଆହୁରି ବଢ଼ାଇ ଦେଇଥିଲେ । ସବୁଠାରୁ ବଡ଼ ବିଶେଷତ୍ୱ ଥିଲା ଯେ, ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ଦେବାର ଆବଶ୍ୟକତା ପଡ଼ୁନଥିଲା । କେବଳ ଟେଲିଫୋନ୍‌ରେ ସିନେକ୍ରିଟିକ୍ ଚଳଚ୍ଚିତ୍ର ଉତ୍ସବ ଆୟୋଜିତ ହେଉଥିବା ଖବର ଶୁଣିବା ମାତ୍ରେ ସେ ତାଙ୍କ ଦପ୍ତରର ପ୍ରମୁଖ ସଚିବ ଓ ବ୍ୟକ୍ତିଗତ ସଚିବଙ୍କୁ ଗସ୍ତ କାର୍ଯ୍ୟକ୍ରମରେ ତାହାକୁ ସ୍ଥାନ ଦେବା ଲାଗି ନିର୍ଦ୍ଦେଶ ଦେଉଥିଲେ ।

ବିଜୁ ବାବୁ ପ୍ରତିଥର ଉତ୍ସବରେ ଯୋଗଦେବା ବେଳେ ରବୀନ୍ଦ୍ର ମଣ୍ଡପରେ ବିପୁଳ ଜନସମାଗମକୁ ଲକ୍ଷ୍ୟ କରି ଆମେ ଲୋକମାନଙ୍କଠାରୁ ଟିକେଟ୍ କରି ଏଭଳି ଉତ୍ସବ କରିଛୁ କି ବୋଲି ପଚାରି ବୁଝୁଥିଲେ । ଆମେ କିନ୍ତୁ କାହାରିଠାରୁ ପଇସାଟିଏ ନ ନେଇ ନିଜ ହାତରୁ ଖର୍ଚ୍ଚ କରି ଏସବୁ ଆୟୋଜନ କରିଛୁ ବୋଲି ଜାଣିବା ପରେ ସେ ଖୁବ୍ ଖୁସି ହେଉଥିଲେ ଏବଂ କର୍ମକର୍ତ୍ତାଙ୍କୁ ବାହବା ଦେଉଥିଲେ । ସେ ଚାହୁଁଥିଲେ କାହାରିଠାରୁ ପଇସା ଆଦାୟ କରି ଏଭଳି ଜାକଜମକପୂର୍ଣ୍ଣ ଆୟୋଜନ କରାନଯାଉ । ସେଥିପାଇଁ ରବୀନ୍ଦ୍ର ମଣ୍ଡପର ପ୍ରେକ୍ଷାଳୟ ଦ୍ୱାର ପାଖରେ ପହଞ୍ଚିବା ମାତ୍ରେ କବାଟ ସବୁକୁ ଖୋଲିଦେବାକୁ କହୁଥିଲେ ଏବଂ ବାହାରେ ରୁଣ୍ଡ ହୋଇଥିବା ବହୁ ଲୋକଙ୍କୁ ସାଙ୍ଗରେ ଧରି ବିଜୁ ବାବୁ ଭିତରେ ପ୍ରବେଶ କରୁଥିଲେ ।

୧୯୯୧ ମସିହା ମଇ ମାସରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଥାଏ । ମୁଖ୍ୟମନ୍ତ୍ରୀ ବିଜୁ ବାବୁ କଳାହାଣ୍ଡି ଜିଲ୍ଲାରେ ଜନତା ଦଳର ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥାଆନ୍ତି । ସେହି ସମୟରେ ଆମେ ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ୍ ଅଭିନେତ୍ରୀ ମିନାକ୍ଷି ଶେଷାଦ୍ରୀ ଆମନ୍ତ୍ରଣ କରି ସିନେକ୍ରିଟିକ୍ ଉତ୍ସବର ଆୟୋଜନ କରିଥିଲୁ । ବିଜୁବାବୁଙ୍କୁ ଟେଲିଫୋନ୍‌ରେ ଏ ସମ୍ପର୍କରେ ଜଣାଇବା କ୍ଷଣି ସେ ସୁଦୂର କଳାହାଣ୍ଡିରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ସମ୍ମତି ଜଣାଇଥିଲେ । ତାଙ୍କର ସଚିବାଳୟ ଦପ୍ତରକୁ ଏ ସମ୍ପର୍କରେ ଜଣାଇ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ କରିଥିଲେ ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମଇ ୩୧ ତାରିଖ ସନ୍ଧ୍ୟାରେ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ ଦର୍ଶକ, ଶ୍ରୋତା, କଳାକାର ଓ ଟେକ୍ନିସିଆନ୍‌ମାନଙ୍କ ଉପସ୍ଥିତିରେ ଭରପୂର ହୋଇଥିବାବେଳେ ବିଜୁବାବୁ ନିର୍ଦ୍ଧାରିତ ସମୟର ପାଞ୍ଚ ମିନିଟ୍ ପୂର୍ବରୁ ଅର୍ଥାତ୍ ସନ୍ଦ୍ୟା ଘ.୫.୫୫ ମିନିଟ୍‌ରେ ଉତ୍ସବସ୍ଥଳରେ ପହଞ୍ଚି ସିଧା ମଞ୍ଚ ଉପରକୁ ଚାଲିଗଳେ । ସ୍ୱାଭିମାନୀ ବିଜୁବାବୁ କୌଣସି ସମୟରେ ଭି.ଆଇ.ପି. ପ୍ରକୋଷ୍ଠରେ ଅନ୍ୟ କୌଣସି ଅତିଥିଙ୍କ ଭଳି ବସିବାର ବ୍ୟକ୍ତି ନଥିଲେ । ସେ ପହଞ୍ଚବା ମାତ୍ରେ ଉତ୍ସବ ଆରମ୍ଭ ହୋଇଯାଉଥିଲା ।

ସେଦିନ ସନ୍ଧ୍ୟାରେ ଅଭିନେତ୍ରୀ ମୀନାକ୍ଷି ଶେଷାଦ୍ରି ରହୁଥିବା ମାଷ୍ଟରକ୍ୟାଣ୍ଟିନ୍ ଛକସ୍ଥିତ ଏକ ତାରକା ହୋଟେଲ୍ ଆଗରେ ତାଙ୍କୁ ଦେଖିବା ପାଇଁ ଏଭଳି ଜନଗହଳି ହୋଇଥିଲା ଯେ, ସେ ସହଜରେ ସେଠାରୁ ବାହାରି ପାରି ନଥିଲେ । ତେଣୁ ବାଧ୍ୟ ହୋଇ ପୋଲିସ୍ ସହାୟତାରେ ସେ ଓ ତାଙ୍କର ମା’ କିଛି ସମୟ ବିଳମ୍ବରେ ଉତ୍ସବରେ ଆସି ପହଞ୍ଚଥିଲେ । ମଞ୍ଚ ଉପରେ ପହଞ୍ଚବା କ୍ଷଣି ବିଜୁବାବୁ ମୀନାକ୍ଷିଙ୍କୁ ହସ ହସ ମୁହଁରେ ପ୍ରଶ୍ନ କରିଥିଲେ – Why you are so late ? ଏହା ଶୁଣି ଅଭିନେତ୍ରୀ ମୀନାକ୍ଷି ହୋଟେଲ୍ ଆଗରେ ଭିଡ଼ କଥା ତାଙ୍କୁ ଜଣାଇ ଦୁଃଖ ପ୍ରକାଶ କରିଥିଲେ ।

ସିନେକ୍ରିଟିକ୍ ଆସୋସିଏସନ୍ ପକ୍ଷରୁ ମୀନାକ୍ଷି ଓ ତାଙ୍କ ମା’ଙ୍କ ପାଇଁ ଦୁଇଟି ସମ୍ବଲପୁରୀ ଶାଢୀ ବନ୍ଧା ହୋଇଥିବା ଏକ ପ୍ୟାକେଟ୍‌କୁ ବିଜୁବାବୁ ନିଜେ ଖୋଳି ଦୁହିଁଙ୍କୁ ପ୍ରଦାନ କରିଥିଲେ। ତା’ ପରଦିନ ସେହି ଶାଢି ପିନ୍ଧି ପୁରୀକୁ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ମୀନାକ୍ଷିଙ୍କୁ ବିଜୁବାବୁ କହିଥିଲେ । ଏଥିପାଇଁ ପୁରୀରେ ତାଙ୍କୁ ସବୁ ପ୍ରକାର ସୁରକ୍ଷା ଯୋଗାଇ ଦେବାକୁ ଏହି ଉତ୍ସବରେ ଉପସ୍ଥିତ ଥିବା ପୁରୀର ତତ୍କାଳୀନ ଜିଲ୍ଲାପାଳ ପ୍ରଫୁଲ୍ଲ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ନିର୍ଦ୍ଦେଶ ମୁତାବକ ତହିଁ ପରଦିନ ମୀନାକ୍ଷି ଓ ତାଙ୍କ ମା’ ପୁରୀକୁ ପରିଦର୍ଶନରେ ଯାଇଥିଲେ । ଯିବାବେଳେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଏବଂ ସମୁଦ୍ରକୂଳ ହୋଟେଲ୍‌ଠାରେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନିଜେ ଜିଲ୍ଲାପାଳ ତଦାରଖ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରଛନ୍ତି। ସେ କହିଛନ୍ତି ଯେ ବିଜୁବାବୁ କେବଳ ଜଣେ ରାଜନେତା ନଥିଲେ, ସେ ଜଣେ ଷ୍ଟେଟ୍‌ସମ୍ୟାନ। ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅତୁଳନୀୟ ଅବଦାନ ଅଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁବାବୁଙ୍କ କାମ କୌଣସି ପିଢ଼ି ଭୁଲି ପାରିବେ ନାହିଁ। ଭାରତରତ୍ନ ପାଇବା ପାଇଁ ସେ ଯୋଗ୍ୟ। ତେଣୁ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ପକ୍ଷରୁ ଦାବି କରୁଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଦଳୀୟ ମୁଖ୍ୟାଳୟରେ ମାଲ୍ୟାର୍ପଣ

ଭୁବନେଶ୍ବର: ପ୍ରବାଦ ପୁରୁଷ, ଭାରତ ବର୍ଷର ମୁକ୍ତି ଆନ୍ଦୋଳନର ଅନନ୍ୟ ଜନ ନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଜି ନିରଡାମ୍ବର ଭାବେ ପାଳିତ ହୋଇ ଯାଇଛି। ବିଜୁ ବାବୁଙ୍କ ତୈଳ ଚିତ୍ରରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡ଼ି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା, ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ଯୁବ କଲ୍ୟାଣ ବୋର୍ଡ଼ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ ଓ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଏହି ଅବସରରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଥିଲେ ଯେ, ବିଜୁ ବାବୁ ଜଣେ ସାହସୀ, ସ୍ୱାଭିମାନି ତଥା ଯୁଗ ସ୍ରଷ୍ଟା ଓ ପ୍ରଚଣ୍ଡ ଦୂରଦୃଷ୍ଟି ସଂପନ ନେତା ଥିଲେ। ଆଧୁନିକ ଓଡ଼ିଶାର ନିର୍ମାଣରେ ତାଙ୍କର ଅବଦାନ ଅତୁଳନୀୟ। ଓଡିଶାକୁ ଦେଶର ଏକ ସମୃଦ୍ଧ ରାଜ୍ୟ କରିବା ପାଇଁ ତାଙ୍କର ଜୀବନବ୍ୟାପୀ ଅବଦାନ ରହିଥିଲା। ମୃତ୍ୟୁପରେ ବି ପ୍ରତି ଓଡ଼ିଆଙ୍କ ମାନସ ପଟରେ ସେ ଅମର ଏବଂ ଚିର ପୂଜନୀୟ ବୋଲି ଦାସବର୍ମା କହିଥିଲେ।

ଏଥି ସହିତ ସଞ୍ଜୟ ଦାସବର୍ମା ନିଜର ସଂକ୍ଷିପ୍ତ ବକ୍ତବ୍ୟରେ କହିଥିଲେ ଯେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ମହାମାରି କରୋନା ମୁକାବିଲା ପାଇଁ ଦଳୀୟ କର୍ମୀ, ନେତୃ ମଣ୍ଡଳୀ ଓ ନିର୍ବାଚିତ ପ୍ରତିନିଧିମାନକୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପ୍ରେରଣାରେ ସଫଳତାର ସହ ଚାଲି ଆସିଥିବା ଜୀବନ ବିନ୍ଦୁ(ରକ୍ତଦାନ) କାର୍ଯ୍ୟକ୍ରମକୁ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଆଗେଇନେବା ହିଁ ପ୍ରବାଦ ପୁରୁଷଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଦାସବର୍ମା କହିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ମାଲ୍ୟର୍ପଣ ଠାରୁ ଆରମ୍ଭ କରି ବକ୍ତବ୍ୟ ପ୍ରଦାନ ସମୟରେ ସମସ୍ତ ନେତା ସାମାଜିକ ଦୂରତା ରକ୍ଷା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିରାଡାମ୍ବର ଭାବରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧୋତ୍ସବ ପାଳନ ପାଇଁ ନବୀନଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଶିଷ୍ଟ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ ଏପ୍ରିଲ ୧୭ରେ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି, ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସକୁ ନିରାଡମ୍ବର ଭାବେ ପାଳନ କରିବା ପାଇଁ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଦଳର ନେତୃବୃନ୍ଦ ନିଜ ନିଜ ଘରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଏଥି ସହ ପ୍ରବାଦ ପୁରୁଷଙ୍କ ଦେଶ ତଥା ଓଡ଼ିଆ ଜାତି ପ୍ରତି ଥିବା ତ୍ୟାଗପୁତ ଜୀବନୀ ସମ୍ପର୍କରେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ। ଦୀର୍ଘଦିନ ଧରି ଦଳ ପକ୍ଷରୁ କରାଯାଉଥିବା ସାମାଜିକ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ (ରକ୍ତ ସଂଗ୍ରହ) କାର୍ଯ୍ୟ ଜାରି ରଖିବେ। ଜଣେ ବି ବ୍ୟକ୍ତି ଯେପରି ରକ୍ତ ଅଭାବରୁ ସ୍ଵାସ୍ଥ୍ୟଗତ ସମସ୍ୟାରେ ନ ପଡନ୍ତି, ସେଥି ପ୍ରତି ଦୃଷ୍ଟି ଦେବାକୁ ବିଜେଡ଼ି ସଭାପତି ଦଳର ପ୍ରତିଟି କର୍ମୀ,ନେତା ଏବଂ ଶୁଭେଚ୍ଛୁଙ୍କୁ ନିବେଦନ କରିଛନ୍ତି। ମାନ୍ୟବର ସଭାପତିଙ୍କର ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ସଫଳତାର ସହ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜାରି ରହିଥିବାରୁ,ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ଏଭଳି ଏକ କଠିନ ସମୟରେ ରକ୍ତଦାନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ ଦେଶସେବା ଓ ଉସର୍ଗ୍ରୀକୃତ ମନୋଭାବକୁ ସବୁଦିନ ମନେ ରଖିବି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି। ବିଜୁ ଜନତା ଦଳର ଅଗଣିତ କର୍ମୀ, ଶୁଭେଚ୍ଛୁ, ନେତୃ ମଣ୍ଡଳୀ, ଛାମୁଆ ସଙ୍ଗଠନର କର୍ମକର୍ତ୍ତାମାନଙ୍କୁ ନିବେଦନ କରାଯାଉଛି । କୌଣସି ପରିସ୍ଥିତିରେ ପଦାକୁ ନ ବାହାରି ଘର ଭିତରେ ପ୍ରବାଦ ପୁରୁଷଙ୍କ ପ୍ରତି ନିଜର ଶ୍ରଦ୍ଧା ନିବେଦନ କରିବାକୁ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା, ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡ଼ି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି।