Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର ସଂସ୍କୃତି

ବିଜୁବାବୁଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନର କିଛି ସ୍ମରଣୀୟ ଦୃଷ୍ଟାନ୍ତ

ଦିଲ୍ଲୀପ ହାଲି

ସିକେକ୍ରିଟିକ୍ ପୁରସ୍କାର ପ୍ରଦାନ ସହ ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ଚଳଚ୍ଚିତ୍ର ଜୀବନର ରୌପ୍ୟ ଜୟନ୍ତୀ ପାଳନ କରିବା ଲାଗି ସ୍ଥିର ହେଲା । ସବୁଥର ଭଳି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସଚିବାଳୟ ପ୍ରକୋଷ୍ଠରେ ଭେଟି ନିମନ୍ତ୍ରଣ କରିବାକୁ ସିନେକ୍ରିଟିକ୍ ଆସୋସିଏସନ୍‌ର ସଭାପତି ପ୍ରଦୋଷ ପଟ୍ଟନାୟକ ଓ ମୁଁ ଯାଇଥିଲୁ । ବିଜୁବାବୁ ଚିଠିଟି ପଢ଼ି ତା’ ଉପରେ ଲେଖି ବ୍ୟକ୍ତିଗତ ସଚିବ ଗୌରମୋହନ ଷଡ଼ଙ୍ଗୀଙ୍କ ହାତରେ ଧରାଇ ଦେଲେ । ଆମେ ଖୁସିରେ ତାଙ୍କ ପ୍ରକୋଷ୍ଠରୁ ବାହାରି ଆସୁଛୁ, ହଠାତ୍ ପଛରୁ ଡାକି ପଚାରିଲେ – What is the Prasanta Nanda Silver Night ? Who is Prasanta Nanda ? Why this Silver Night ତା’ପରେ ଆମେ ବିଜୁବାବୁଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ଜଣେ ଆଗଧାଡ଼ିର ବ୍ୟକ୍ତିତ୍ୱ ପ୍ରଶାନ୍ତ ନନ୍ଦ ସମ୍ପର୍କରେ ସବୁ ବିଷୟ ଜଣାଇଲୁ।

ତାଙ୍କ ଚଳଚ୍ଚିତ୍ର ଜୀବନରେ ୨୫ ବର୍ଷ ପୂରି ଯାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବାକୁ ଏହି ଉତ୍ସବ ଆୟୋଜିତ ହେଉଛି ବୋଲି ଜଣାଇଲୁ । ଏଥିସହିତ ପ୍ରଦୋଷ ବାବୁ, ଓଡ଼ିଆ ପ୍ରାଣ ମୁଖ୍ୟମନ୍ତ୍ରୀଙ୍କୁ ମହାନ୍ ଓଡ଼ିଆ ବୀର ଖାରବେଳଙ୍କ ଉପରେ ପ୍ରଶାନ୍ତ ନନ୍ଦ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ । ଏହି କଥା ପଦକ ବିଜୁବାବୁଙ୍କୁ ଖୁବ୍ ଆନନ୍ଦ ଦେଇଥିଲା ଏବଂ ଆହୁରି ଖୁସି ହୋଇ ଉତ୍ସବକୁ ଆସିବେ ବୋଲି କହିଥିଲେ । ଆଗକୁ ଆସୁଥିବା ରାଜ୍ୟସଭା ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ ଚୟନ ନେଇ ବରିଷ୍ଠ ମନ୍ତ୍ରୀ ଓ ଦଳୀୟ ନେତାମାନଙ୍କ ସହ ବିଜୁବାବୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିମଗ୍ନ ଥିଲେ ଏବଂ ଉତ୍ସବ ବିଷୟ ସେ ପୁରାପୁରି ଭୁଲି ଯାଇଥିଲେ ।

ରବୀନ୍ଦ୍ର ମଣ୍ଡପରେ ତାଙ୍କର ପହଞ୍ଚିବାରେ ବିଳମ୍ବ ଦେଖି ତିନିଜଣ କଳାକାରଙ୍କୁ ସଚିବାଳୟ ପଠାଇ ବିଜୁ ବାବୁଙ୍କୁ ଉତ୍ସବ ସ୍ଥଳକୁ ପାଛୋଟି ଆଣିଥିଲୁ । ତା’ପରେ ବିଜୁବାବୁ ହସି ହସି ଦଳୀୟ ସଭାପତି ଅଶୋକ ଦାସଙ୍କୁ ବୈଠକର ଦାୟିତ୍ୱ ନ୍ୟସ୍ତ କରି ଚଳଚ୍ଚିତ୍ର ଉତ୍ସବକୁ ଚାଲିଆସିଲେ । ସେଦିନର ଉତ୍ସବରେ ଜଣେ କଳାକାର ଅନ୍ୟ ଜଣେ କଳାକାରଙ୍କୁ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିବେ ବୋଲି ଆମେ ପୂର୍ବରୁ ସ୍ଥିର କରିଥିବା ଶୁଣି ବିଜୁବାବୁ ବିରକ୍ତ ହୋଇ ନିଜେ ସବୁ ପୁରସ୍କାର ବାଣ୍ଟିବେ ବୋଲି କହିଥିଲେ ଏବଂ ଉତ୍ସବରେ ଦୁଇଘଣ୍ଟା ଧରି ଉପସ୍ଥିତ ଥିଲେ ।

ସେଦିନ ଉତ୍ସବରେ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପ୍ରଶାନ୍ତ ନନ୍ଦ ଖାରବେଳଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରୁଥିବା ଜାଣି ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସାରେ ପୋତି ପକାଇ ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ । କଳିଙ୍ଗ ସମ୍ରାଟ୍ ଖାରବେଳଙ୍କ ବୀରତ୍ୱ ଓ ସାହସ ବିଜୁ ପଟ୍ଟନାୟକଙ୍କୁ କିପରି ଉଦ୍‌ବୁଦ୍ଧ ଓ ଅନୁପ୍ରାଣିତ କରିଥିଲା, ସେଦିନ ସେହି ଉତ୍ସବରେ ତାହା ପ୍ରତିଫଳିତ ହୋଇଥିଲା ।

ଏକଦା ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ପ୍ରଥମେ ସିନେକ୍ରିଟିକ୍ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ଯେ, ଭାରତର ସଂସଦ ଭବନରେ ବିଜୁବାବୁଙ୍କ ମୃତ୍ୟୁ ପରେ ତାଙ୍କର ଏକ ତୈଳଚିତ୍ର ସ୍ଥାନ ପାଉ । ଏହି ପ୍ରସ୍ତାବଟି ସଂସ୍କୃତି ମନ୍ତ୍ରୀ ତତ୍‌କ୍ଷଣାତ୍ ଗ୍ରହଣ କରି ଏହା କେଉଁ ଶିଳ୍ପୀଙ୍କ ଦ୍ୱାରା କରାଯିବ, ତା’ର ବ୍ୟବସ୍ଥା କରିବାକୁ କହିଲେ । କଟକସ୍ଥିତ ଆନନ୍ଦ ଭକବନରେ ବିଜୁ ପଟ୍ଟନାୟକଙ୍କର ଏକ ଫଟୋଚିତ୍ର ଥିଲା । ତାକୁ ଓଡ଼ିଶାର ତତ୍କାଳୀନ ଓଡ଼ିଶା ଲଳିତକଳା ଏକାଡେମୀର ସଚିବ ଚନ୍ଦ୍ରମଣି ବିଶ୍ୱାଳ ପ୍ରସ୍ତୁତ କରିଥିଲେ । ଏହା ପ୍ରସ୍ତୁତ ହେଲାପରେ ସଂସଦ ଭବନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡ଼ଭାନୀ ଏବଂ ସୁଷମା ସ୍ୱରାଜ ପ୍ରମୁଖଙ୍କ ଉପସ୍ଥିତିରେ ଏହା ଉନ୍ମୋଚିତ ହୋଇଥିଲା ଏବଂ ସେଠାରେ ଏହି ତୈଳ ଚିତ୍ରଟିକୁ ପ୍ରସ୍ତୁତ କରିଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ଚନ୍ଦ୍ରମଣି ବିଶ୍ୱାଳଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

୧୯୯୦ ଡିସେମ୍ବର ମାସର ଶୀତ ସନ୍ଧ୍ୟାରେ ଆୟୋଜିତ ଆଉ ଏକ ସିନେକ୍ରିଟିକ୍ ଉତ୍ସବରେ ଗୋଟିଏ କୌତୁହଳଜନକ ଘଟଣା ଘଟିଥିଲା । ଏଥିରେ ମୁଖ୍ୟ ଅତିଥି ବିଜୁବାବୁଙ୍କ ସହ ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତା ଏବଂ ହିନ୍ଦୀ ଧାରାବାହିକର ଲୋକପ୍ରିୟ ଅଭିନେତା ମୋହନ ଗୋଖଲେ (ମିଃ. ଯୋଗୀ ଅଭିନୟ ପାଇଁ ପ୍ରସିଦ୍ଧ) ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଉତ୍ସବର ଅବ୍ୟବହିତ ପୂର୍ବରୁ ଏକ ପ୍ରଳୟଙ୍କରୀ ବାତ୍ୟା ଓ ବନ୍ୟା ବିତ୍ପାତରେ ଗଞ୍ଜାମ ଜିଲ୍ଲା ବହୁତ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଏହି ଉତ୍ସବରେ ବିପୁଳ ଜନସମାଗମକୁ ଲକ୍ଷ୍ୟ କରି ବିଜୁବାବୁ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବିଷୟରେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ।

ବିଜୁଙ୍କ ଆବେଗଭରା ଆହ୍ୱାନ ଶୁଣି ଅଭିନେତା ମୋହନ ଗୋଖଲେ ନିଜେ ମଞ୍ଚ ଉପରୁ ଓହ୍ଲାଇ ଏକ ଟିଣ ଡବା ଧରି ଉପସ୍ଥିତ ଦର୍ଶକମଣ୍ଡଳୀଠାରୁ ଦାନ ସଂଗ୍ରହ କରିଥିଲେ । ତାଙ୍କ ଦେଖାଦେଖି ଅନ୍ୟ କଳାକାରମାନେ ମଧ୍ୟ ରବୀନ୍ଦ୍ର ମଣ୍ଡପର ଭରପୁର ପ୍ରେକ୍ଷାଳୟରୁ ଦାନ ସଂଗ୍ରହ ଆରମ୍ଭ କରିଦେଲେ । ମୋଟାମୋଟି ଭାବରେ ଏହି ଉତ୍ସବରେ ସଂଗୃହୀତ ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା । ସେଦିନର ସେହି ଉତ୍ସବରେ କଟକରୁ ଦୁଇ ଚକିଆ ଗାଡ଼ିରେ ଚଢ଼ି ଆସି ଯୋଗ ଦେଇଥିବା ଓଡ଼ିଆ ଚଳଚ୍ଚିତ୍ରର ବିଗତ ଦିନର ଅଗ୍ରଣୀ ବ୍ୟକ୍ତିତ୍ୱ ଗୌରପ୍ରସାଦ, ଘୋଷ, ପୀର ମିଶ୍ର ଓ ନିତାଇ ପାଲିତ୍‌, ସାମୁଏଲ୍ ସାହୁ ବାବି ପ୍ରମୁଖଙ୍କୁ ଦେଖି ଓ ପୁରସ୍କାର ପ୍ରଦାନ କରି ବିଜୁବାବୁ ଅତ୍ୟନ୍ତ ଉତ୍‌ଫୁଲିତ ହୋଇଉଠିଥିଳେ ।

ତାଙ୍କଠାରୁ ବୟସରେ ବଡ଼ ଓ ତାଙ୍କ ଜ୍ୟେଷ୍ଠା ଭଗିନୀଙ୍କ ବାନ୍ଧବୀ ଉମା ଗୋଏଙ୍କା (ବାନାର୍ଜୀ) ଯେତେବେଳେ ପୁରସ୍କାର ଗ୍ରହଣ କରିବାକୁ ଆସିଲେ, ସେତେବେଳେ ବିଜୁବାବୁ ଭାବପ୍ରବଣ ହୋଇଉଠିଥିଲେ । ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ‘ଲଳିତା’ର ନାୟିକା ଉମା ମଧ୍ୟ ଖୁବ୍ ଆବେଗରେ ନିଜର କନିଷ୍ଠ ଭ୍ରାତା ସଦୃଶ ବିଜୁଙ୍କ ଗାଲକୁ ଧରି ତାଙ୍କୁ ଆଶୀର୍ବଦା ପ୍ରଦାନ କରିବାର ଦୃଶ୍ୟ ସେତେବେଳେ ସମସ୍ତ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା । ଅଭିନେତା ଉତ୍ତମ ମହାନ୍ତି ଉମା ଗୋଏଙ୍କାଙ୍କୁ ନେଇ ମଞ୍ଚକୁ ଯାଇଥିଲେ ।

ସାମଗ୍ରିକ ଭାବରେ ବିଚାର କଲେ ଜଣେ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ଓ ମାନବବାଦୀ ଜନନେତା ରୂପେ ସୁପରିଚିତ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱର ଅନ୍ୟ ଦିଗଟି କିପରି କଳା ଓ ସଂସ୍କୃତିପ୍ରାଣତାରେ ଭରପୂର ଥିଲା, ତାହା ଏହି ସମସ୍ତ ଘଟଣା ଓ ଅନୁଭୂତି ସ୍ପଷ୍ଟ ଜଣାପଡ଼େ । ବିଜୁ ପଟ୍ଟନାୟକ ସଦାସର୍ବଦା ସକ୍ରିୟ ରାଜନୀତି ଭିତରେ ବୁଡ଼ି ରହିଥିଲେ ମଧ୍ୟ ତାଙ୍କର ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ବିଶେଷକରି ଗଜଲ ପ୍ରତି ସେ ଗଭୀର ଆକର୍ଷଣ ରହିଥିଲେ । ସେ ସମ୍ପର୍କରେ କାହାରି ଧାରଣା ନଥିଲା । ମାତ୍ର ଗୋଟିଏ ଥର ସିନେକ୍ରିଟିକ୍ ଉତ୍ସବରେ ସେ ସମସ୍ତଙ୍କୁ ଚକିତ କରି ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ଦିଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ସେଥିସହିତ ଆମମାନଙ୍କୁ ପରାମର୍ଶ ଦେଇଥିଲେ ଯେ, ମୁମ୍ବାଇରୁ ପଣ୍ଡିତ ହରିପ୍ରସାଦ ଚୌରାସିଆ କିମ୍ବା ସେହିଭଳି ଅନ୍ୟ ଯଶସ୍ୱୀ କଳାକାରଙ୍କୁ ଆଣି ଭୁବନେଶ୍ୱରରେ ଏକ ଗଜଲ ସନ୍ଧ୍ୟା ଆୟୋଜନ କରିବାକୁ । ସେ କେବଳ ସଙ୍ଗୀତକୁ ଭଲ ପାଉନଥିଲେ, ସେ ସମ୍ପର୍କରେ ତାଙ୍କର ଯଥେଷ୍ଟ ଜ୍ଞାନ ଓ ସ୍ପଷ୍ଟ ଧାରଣା ମଧ୍ୟ ରହିଥିଲା । ତାଙ୍କର ମୂଲ୍ୟବାନ ପରାମର୍ଶ ଗ୍ରହଣ କରି ଆମେ ଅଳ୍ପଦିନ ମଧ୍ୟରେ ସୂଚନା ଭବନ (ବର୍ତ୍ତମାନର ଜୟଦେବ ଭବନ) ଠାରେ ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଏବଂ ଆମେରିକାରେ ରହୁଥିବା ଓଡ଼ିଆ କଣ୍ଠଶିଳ୍ପୀ ସୁଶ୍ରୀ ସଙ୍ଗୀତା ମହାପାତ୍ରଙ୍କୁ ନେଇ ଏକ ଚିତ୍ତାକର୍ଷକ ଗଜଲ ସନ୍ଧ୍ୟା ଆୟୋଜନ କରିଥିଲୁ ।

ସେଦିନ ସମଗ୍ର ସୂଚନା ଭବନ ଶ୍ରୋତାଙ୍କ ଉପସ୍ଥିତିରେ ଭରପୂର ହୋଇଯାଇଥିଲା । ବିଜୁବାବୁଙ୍କ ସହ ସିନେକ୍ରିଟିକ୍ ଆସୋସିଏସନ୍‌ର ନିବିଡ଼ ସମ୍ପର୍କ ରହିଥିଲେ ମଧ୍ୟ ଏହି ସଂସ୍ଥା କୌଣସି ସମୟରେ ତାଙ୍କଠାରୁ କିଛି ଫାଇଦା ହାସଲ କରିବାକୁ ଉଦ୍ୟମ କରିନଥିଲା । ଏହା ହିଁ ତାଙ୍କୁ ଆମ ଅନୁଷ୍ଠାନ ଆଡ଼କୁ ଅଧିକ ଆକର୍ଷିତ କରିଥିଲା ।

ଓଡ଼ିଆ ତଥା ହିନ୍ଦୀ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ବିଜୟା ଜେନା ଓରଫ୍ ଡଳି ଜେନା ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ବିଜୁ ପଟ୍ଟନାୟକଙ୍କ ତାଙ୍କ ବାସଭବନରେ ଭେଟି ଅନୁରୋଧ କରିଥିଲେ । ଏଥିପାଇଁ ଚଳଚ୍ଚିତ୍ର ଉନ୍ନୟନ ନିଗମରୁ ଋଣ ନେଇ ଚଳଚ୍ଚିତ୍ର ନିର୍ମାଣ ପାଇଁ ବିଜୁବାବୁ ତାଙ୍କୁ ସମସ୍ତ ସହାୟତା ଯୋଗାଇ ଦେଇଥିଲେ । ସେତେବେଳର ଶିଳ୍ପମନ୍ତ୍ରୀ ଦିଲ୍ଲୀପ ରାୟ ମଧ୍ୟ ଏଥିପାଇଁ ସାହାଯ୍ୟ କରିଥିଲେ । ତା’ପରେ ଓଡ଼ିଆ ଚଳଚ୍ଚିତ୍ର ‘ତାରା’ ନିର୍ମାଣ ହେଲା, ଯାହାକି ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ‘ତାରା’ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବେ ପୁରସ୍କାର ଲାଭ କରିଥିଲା ।

ଓଡ଼ିଆ ସଂସ୍କୃତି ଓ କଳାପ୍ରତି ଏହି ମହାନ୍ ବରପୁତ୍ରଙ୍କର ଯେଉଁ ବିପୁଳ ଅବଦାନ ରହିଥିଲା, ତାକୁ ଏ ଜାତି ଆଦୌ ଭୁଲିପାରିବ ନାହିଁ । ହେଲେ ଆଜି ତାଙ୍କର ଜନ୍ମ ଶତବାର୍ଷିକୀ ବର୍ଷରେ ଏ ସମ୍ପର୍କରେ ବିେଶେଷ ଆଲୋଚନା କରାଯିବାର ପ୍ରାସଙ୍ଗିକତା ରହିଛି ।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଝଡର ଇଗଲ ବିଜୁବାବୁଙ୍କ ସଂସ୍କୃତି ଓ ସିନେମା ପ୍ରେମ, ଥିଲା ଏକ ବିରଳ ଉଦାହରଣ

ଦିଲ୍ଲୀପ ହାଲି
ଜଣେ ଦୃଢମନା ରାଜନୀତିଜ୍ଞ ଓ ଦକ୍ଷ ପ୍ରଶାସକ ତଥା ଜଣେ ହୃଦୟବାନ୍ ବ୍ୟକ୍ତି ଭାବରେ ଆଜି ପର୍ଯ୍ୟନ୍ତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଯଥେଷ୍ଟ ସୁଖ୍ୟାତି ରହିଛି । ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ଗ୍ରହଣ କରିବା କ୍ଷେତ୍ରରେ ସେ କାହାରି ନିନ୍ଦା ପ୍ରଶଂସାକୁ ଭ୍ରୁକ୍ଷେପ ନ କରି ଯାହା ସମାଜର ଗରିବ ଓ ଅବହେଳିତ ଲୋକମାନଙ୍କର ସ୍ୱାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ, ତାହା ହିଁ କରୁଥିଲେ। ତେବେ ଜୀବନର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ସକ୍ରିୟ ରାଜନୀତିରେ ଜଡ଼ିତ ଥିଲେ ମଧ୍ୟ ତାଙ୍କ ଅନ୍ତର ଭିତରେ ସଂସ୍କୃତି ପ୍ରାଣତା ଯେ ଲୁଚି ରହିଥିଲା, ସେ ସମ୍ପର୍କରେ ହୁଏତ ଅନେକଙ୍କର ଧାରଣ ନଥିବ।

ଓଡ଼ିଶାର କଳା ଓ ସଂସ୍କୃତକୁ ସେ ଖୁବ୍ ଆଦର କରୁଥିଲେ ଏବଂ ରାଜନୀତିରୁ ସାମାନ୍ୟ ସମୟ ପାଇବା କ୍ଷଣି ଏଥିରେ ନିଜକୁ ନିୟୋଜିତ କରୁଥିଲେ । ୧୯୯୦ ରୁ ୧୯୯୫ ମସିହା ପର୍ଯ୍ୟନ୍ତ ଦ୍ୱିତୀୟ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସଂସ୍କୃତି ପ୍ରତି ବିଜୁ ବାବୁଙ୍କର ରହିଥିବା ମମତା ଓ ଆଗ୍ରହ ସମ୍ପର୍କରେ ଏକାଧିକ ଦୃଷ୍ଟାନ୍ତ ରହିଛି । ସେତେବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ନିମନ୍ତେ ପ୍ରତି ବର୍ଷ ନିୟମିତ ଭାବରେ ପୁରସ୍କାର ପ୍ରଦାନ କରାଯାଉନଥିଲା । ଏହା ତିନି ଚାରିବର୍ଷରେ ଥରେ ଅନୁଷ୍ଠିତ ହେଉଥିଲା, ଯାହାକି ସେହି ସମୟରେ ବିଶେଷ ଗୁରୁତ୍ୱ ବହନ କରୁନଥିଲେ । କେବଳ ବେସରକାରୀ ସ୍ତରରେ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍ ପ୍ରତିବର୍ଷ ନିୟମିତ ଭାବରେ ସିନେକ୍ରିଟିକ୍ ପୁରସ୍କାର ପ୍ରଦାନ କରୁଥିଲା ଏବଂ ଏଥିପାଇଁ ବିଶାଳ ସାଂସ୍କୃତିକ ଉତ୍ସବ ମଧ୍ୟ ଆୟୋଜିତ ହେଉଥିଲା ।

ପ୍ରତିବବର୍ଷ ଉତ୍ସବରେ ପୁରୁଣା ଯୁଗର ଲୋକପ୍ରିୟ ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ନବାଗତ କଳାକାରଙ୍କ ସହିତ ବିପୁଳ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ପୁରାତନ ଓ ନୂତନ କଳାକାରମାନଙ୍କୁ ବେଶ୍ ଉତ୍ସାହିତ କରୁଥିଲେ । ବିଜୁବାବୁ ତାଙ୍କର ପାଞ୍ଚ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ ମଧ୍ୟରେ ୪ଥର ଏଭଳି ଉତ୍ସବରେ ଯୋଗଦେଇ ଏହାର ମର୍ଯ୍ୟାଦା ଆହୁରି ବଢ଼ାଇ ଦେଇଥିଲେ । ସବୁଠାରୁ ବଡ଼ ବିଶେଷତ୍ୱ ଥିଲା ଯେ, ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ଦେବାର ଆବଶ୍ୟକତା ପଡ଼ୁନଥିଲା । କେବଳ ଟେଲିଫୋନ୍‌ରେ ସିନେକ୍ରିଟିକ୍ ଚଳଚ୍ଚିତ୍ର ଉତ୍ସବ ଆୟୋଜିତ ହେଉଥିବା ଖବର ଶୁଣିବା ମାତ୍ରେ ସେ ତାଙ୍କ ଦପ୍ତରର ପ୍ରମୁଖ ସଚିବ ଓ ବ୍ୟକ୍ତିଗତ ସଚିବଙ୍କୁ ଗସ୍ତ କାର୍ଯ୍ୟକ୍ରମରେ ତାହାକୁ ସ୍ଥାନ ଦେବା ଲାଗି ନିର୍ଦ୍ଦେଶ ଦେଉଥିଲେ ।

ବିଜୁ ବାବୁ ପ୍ରତିଥର ଉତ୍ସବରେ ଯୋଗଦେବା ବେଳେ ରବୀନ୍ଦ୍ର ମଣ୍ଡପରେ ବିପୁଳ ଜନସମାଗମକୁ ଲକ୍ଷ୍ୟ କରି ଆମେ ଲୋକମାନଙ୍କଠାରୁ ଟିକେଟ୍ କରି ଏଭଳି ଉତ୍ସବ କରିଛୁ କି ବୋଲି ପଚାରି ବୁଝୁଥିଲେ । ଆମେ କିନ୍ତୁ କାହାରିଠାରୁ ପଇସାଟିଏ ନ ନେଇ ନିଜ ହାତରୁ ଖର୍ଚ୍ଚ କରି ଏସବୁ ଆୟୋଜନ କରିଛୁ ବୋଲି ଜାଣିବା ପରେ ସେ ଖୁବ୍ ଖୁସି ହେଉଥିଲେ ଏବଂ କର୍ମକର୍ତ୍ତାଙ୍କୁ ବାହବା ଦେଉଥିଲେ । ସେ ଚାହୁଁଥିଲେ କାହାରିଠାରୁ ପଇସା ଆଦାୟ କରି ଏଭଳି ଜାକଜମକପୂର୍ଣ୍ଣ ଆୟୋଜନ କରାନଯାଉ । ସେଥିପାଇଁ ରବୀନ୍ଦ୍ର ମଣ୍ଡପର ପ୍ରେକ୍ଷାଳୟ ଦ୍ୱାର ପାଖରେ ପହଞ୍ଚିବା ମାତ୍ରେ କବାଟ ସବୁକୁ ଖୋଲିଦେବାକୁ କହୁଥିଲେ ଏବଂ ବାହାରେ ରୁଣ୍ଡ ହୋଇଥିବା ବହୁ ଲୋକଙ୍କୁ ସାଙ୍ଗରେ ଧରି ବିଜୁ ବାବୁ ଭିତରେ ପ୍ରବେଶ କରୁଥିଲେ ।

୧୯୯୧ ମସିହା ମଇ ମାସରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଥାଏ । ମୁଖ୍ୟମନ୍ତ୍ରୀ ବିଜୁ ବାବୁ କଳାହାଣ୍ଡି ଜିଲ୍ଲାରେ ଜନତା ଦଳର ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥାଆନ୍ତି । ସେହି ସମୟରେ ଆମେ ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ୍ ଅଭିନେତ୍ରୀ ମିନାକ୍ଷି ଶେଷାଦ୍ରୀ ଆମନ୍ତ୍ରଣ କରି ସିନେକ୍ରିଟିକ୍ ଉତ୍ସବର ଆୟୋଜନ କରିଥିଲୁ । ବିଜୁବାବୁଙ୍କୁ ଟେଲିଫୋନ୍‌ରେ ଏ ସମ୍ପର୍କରେ ଜଣାଇବା କ୍ଷଣି ସେ ସୁଦୂର କଳାହାଣ୍ଡିରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ସମ୍ମତି ଜଣାଇଥିଲେ । ତାଙ୍କର ସଚିବାଳୟ ଦପ୍ତରକୁ ଏ ସମ୍ପର୍କରେ ଜଣାଇ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ କରିଥିଲେ ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମଇ ୩୧ ତାରିଖ ସନ୍ଧ୍ୟାରେ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ ଦର୍ଶକ, ଶ୍ରୋତା, କଳାକାର ଓ ଟେକ୍ନିସିଆନ୍‌ମାନଙ୍କ ଉପସ୍ଥିତିରେ ଭରପୂର ହୋଇଥିବାବେଳେ ବିଜୁବାବୁ ନିର୍ଦ୍ଧାରିତ ସମୟର ପାଞ୍ଚ ମିନିଟ୍ ପୂର୍ବରୁ ଅର୍ଥାତ୍ ସନ୍ଦ୍ୟା ଘ.୫.୫୫ ମିନିଟ୍‌ରେ ଉତ୍ସବସ୍ଥଳରେ ପହଞ୍ଚି ସିଧା ମଞ୍ଚ ଉପରକୁ ଚାଲିଗଳେ । ସ୍ୱାଭିମାନୀ ବିଜୁବାବୁ କୌଣସି ସମୟରେ ଭି.ଆଇ.ପି. ପ୍ରକୋଷ୍ଠରେ ଅନ୍ୟ କୌଣସି ଅତିଥିଙ୍କ ଭଳି ବସିବାର ବ୍ୟକ୍ତି ନଥିଲେ । ସେ ପହଞ୍ଚବା ମାତ୍ରେ ଉତ୍ସବ ଆରମ୍ଭ ହୋଇଯାଉଥିଲା ।

ସେଦିନ ସନ୍ଧ୍ୟାରେ ଅଭିନେତ୍ରୀ ମୀନାକ୍ଷି ଶେଷାଦ୍ରି ରହୁଥିବା ମାଷ୍ଟରକ୍ୟାଣ୍ଟିନ୍ ଛକସ୍ଥିତ ଏକ ତାରକା ହୋଟେଲ୍ ଆଗରେ ତାଙ୍କୁ ଦେଖିବା ପାଇଁ ଏଭଳି ଜନଗହଳି ହୋଇଥିଲା ଯେ, ସେ ସହଜରେ ସେଠାରୁ ବାହାରି ପାରି ନଥିଲେ । ତେଣୁ ବାଧ୍ୟ ହୋଇ ପୋଲିସ୍ ସହାୟତାରେ ସେ ଓ ତାଙ୍କର ମା’ କିଛି ସମୟ ବିଳମ୍ବରେ ଉତ୍ସବରେ ଆସି ପହଞ୍ଚଥିଲେ । ମଞ୍ଚ ଉପରେ ପହଞ୍ଚବା କ୍ଷଣି ବିଜୁବାବୁ ମୀନାକ୍ଷିଙ୍କୁ ହସ ହସ ମୁହଁରେ ପ୍ରଶ୍ନ କରିଥିଲେ – Why you are so late ? ଏହା ଶୁଣି ଅଭିନେତ୍ରୀ ମୀନାକ୍ଷି ହୋଟେଲ୍ ଆଗରେ ଭିଡ଼ କଥା ତାଙ୍କୁ ଜଣାଇ ଦୁଃଖ ପ୍ରକାଶ କରିଥିଲେ ।

ସିନେକ୍ରିଟିକ୍ ଆସୋସିଏସନ୍ ପକ୍ଷରୁ ମୀନାକ୍ଷି ଓ ତାଙ୍କ ମା’ଙ୍କ ପାଇଁ ଦୁଇଟି ସମ୍ବଲପୁରୀ ଶାଢୀ ବନ୍ଧା ହୋଇଥିବା ଏକ ପ୍ୟାକେଟ୍‌କୁ ବିଜୁବାବୁ ନିଜେ ଖୋଳି ଦୁହିଁଙ୍କୁ ପ୍ରଦାନ କରିଥିଲେ। ତା’ ପରଦିନ ସେହି ଶାଢି ପିନ୍ଧି ପୁରୀକୁ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ମୀନାକ୍ଷିଙ୍କୁ ବିଜୁବାବୁ କହିଥିଲେ । ଏଥିପାଇଁ ପୁରୀରେ ତାଙ୍କୁ ସବୁ ପ୍ରକାର ସୁରକ୍ଷା ଯୋଗାଇ ଦେବାକୁ ଏହି ଉତ୍ସବରେ ଉପସ୍ଥିତ ଥିବା ପୁରୀର ତତ୍କାଳୀନ ଜିଲ୍ଲାପାଳ ପ୍ରଫୁଲ୍ଲ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ନିର୍ଦ୍ଦେଶ ମୁତାବକ ତହିଁ ପରଦିନ ମୀନାକ୍ଷି ଓ ତାଙ୍କ ମା’ ପୁରୀକୁ ପରିଦର୍ଶନରେ ଯାଇଥିଲେ । ଯିବାବେଳେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଏବଂ ସମୁଦ୍ରକୂଳ ହୋଟେଲ୍‌ଠାରେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନିଜେ ଜିଲ୍ଲାପାଳ ତଦାରଖ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରଛନ୍ତି। ସେ କହିଛନ୍ତି ଯେ ବିଜୁବାବୁ କେବଳ ଜଣେ ରାଜନେତା ନଥିଲେ, ସେ ଜଣେ ଷ୍ଟେଟ୍‌ସମ୍ୟାନ। ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅତୁଳନୀୟ ଅବଦାନ ଅଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁବାବୁଙ୍କ କାମ କୌଣସି ପିଢ଼ି ଭୁଲି ପାରିବେ ନାହିଁ। ଭାରତରତ୍ନ ପାଇବା ପାଇଁ ସେ ଯୋଗ୍ୟ। ତେଣୁ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ପକ୍ଷରୁ ଦାବି କରୁଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଦଳୀୟ ମୁଖ୍ୟାଳୟରେ ମାଲ୍ୟାର୍ପଣ

ଭୁବନେଶ୍ବର: ପ୍ରବାଦ ପୁରୁଷ, ଭାରତ ବର୍ଷର ମୁକ୍ତି ଆନ୍ଦୋଳନର ଅନନ୍ୟ ଜନ ନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଜି ନିରଡାମ୍ବର ଭାବେ ପାଳିତ ହୋଇ ଯାଇଛି। ବିଜୁ ବାବୁଙ୍କ ତୈଳ ଚିତ୍ରରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡ଼ି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା, ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ଯୁବ କଲ୍ୟାଣ ବୋର୍ଡ଼ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ ଓ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଏହି ଅବସରରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଥିଲେ ଯେ, ବିଜୁ ବାବୁ ଜଣେ ସାହସୀ, ସ୍ୱାଭିମାନି ତଥା ଯୁଗ ସ୍ରଷ୍ଟା ଓ ପ୍ରଚଣ୍ଡ ଦୂରଦୃଷ୍ଟି ସଂପନ ନେତା ଥିଲେ। ଆଧୁନିକ ଓଡ଼ିଶାର ନିର୍ମାଣରେ ତାଙ୍କର ଅବଦାନ ଅତୁଳନୀୟ। ଓଡିଶାକୁ ଦେଶର ଏକ ସମୃଦ୍ଧ ରାଜ୍ୟ କରିବା ପାଇଁ ତାଙ୍କର ଜୀବନବ୍ୟାପୀ ଅବଦାନ ରହିଥିଲା। ମୃତ୍ୟୁପରେ ବି ପ୍ରତି ଓଡ଼ିଆଙ୍କ ମାନସ ପଟରେ ସେ ଅମର ଏବଂ ଚିର ପୂଜନୀୟ ବୋଲି ଦାସବର୍ମା କହିଥିଲେ।

ଏଥି ସହିତ ସଞ୍ଜୟ ଦାସବର୍ମା ନିଜର ସଂକ୍ଷିପ୍ତ ବକ୍ତବ୍ୟରେ କହିଥିଲେ ଯେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ମହାମାରି କରୋନା ମୁକାବିଲା ପାଇଁ ଦଳୀୟ କର୍ମୀ, ନେତୃ ମଣ୍ଡଳୀ ଓ ନିର୍ବାଚିତ ପ୍ରତିନିଧିମାନକୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପ୍ରେରଣାରେ ସଫଳତାର ସହ ଚାଲି ଆସିଥିବା ଜୀବନ ବିନ୍ଦୁ(ରକ୍ତଦାନ) କାର୍ଯ୍ୟକ୍ରମକୁ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଆଗେଇନେବା ହିଁ ପ୍ରବାଦ ପୁରୁଷଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଦାସବର୍ମା କହିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ମାଲ୍ୟର୍ପଣ ଠାରୁ ଆରମ୍ଭ କରି ବକ୍ତବ୍ୟ ପ୍ରଦାନ ସମୟରେ ସମସ୍ତ ନେତା ସାମାଜିକ ଦୂରତା ରକ୍ଷା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିରାଡାମ୍ବର ଭାବରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧୋତ୍ସବ ପାଳନ ପାଇଁ ନବୀନଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଶିଷ୍ଟ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ ଏପ୍ରିଲ ୧୭ରେ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି, ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସକୁ ନିରାଡମ୍ବର ଭାବେ ପାଳନ କରିବା ପାଇଁ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଦଳର ନେତୃବୃନ୍ଦ ନିଜ ନିଜ ଘରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଏଥି ସହ ପ୍ରବାଦ ପୁରୁଷଙ୍କ ଦେଶ ତଥା ଓଡ଼ିଆ ଜାତି ପ୍ରତି ଥିବା ତ୍ୟାଗପୁତ ଜୀବନୀ ସମ୍ପର୍କରେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ। ଦୀର୍ଘଦିନ ଧରି ଦଳ ପକ୍ଷରୁ କରାଯାଉଥିବା ସାମାଜିକ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ (ରକ୍ତ ସଂଗ୍ରହ) କାର୍ଯ୍ୟ ଜାରି ରଖିବେ। ଜଣେ ବି ବ୍ୟକ୍ତି ଯେପରି ରକ୍ତ ଅଭାବରୁ ସ୍ଵାସ୍ଥ୍ୟଗତ ସମସ୍ୟାରେ ନ ପଡନ୍ତି, ସେଥି ପ୍ରତି ଦୃଷ୍ଟି ଦେବାକୁ ବିଜେଡ଼ି ସଭାପତି ଦଳର ପ୍ରତିଟି କର୍ମୀ,ନେତା ଏବଂ ଶୁଭେଚ୍ଛୁଙ୍କୁ ନିବେଦନ କରିଛନ୍ତି। ମାନ୍ୟବର ସଭାପତିଙ୍କର ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ସଫଳତାର ସହ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜାରି ରହିଥିବାରୁ,ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ଏଭଳି ଏକ କଠିନ ସମୟରେ ରକ୍ତଦାନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ ଦେଶସେବା ଓ ଉସର୍ଗ୍ରୀକୃତ ମନୋଭାବକୁ ସବୁଦିନ ମନେ ରଖିବି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି। ବିଜୁ ଜନତା ଦଳର ଅଗଣିତ କର୍ମୀ, ଶୁଭେଚ୍ଛୁ, ନେତୃ ମଣ୍ଡଳୀ, ଛାମୁଆ ସଙ୍ଗଠନର କର୍ମକର୍ତ୍ତାମାନଙ୍କୁ ନିବେଦନ କରାଯାଉଛି । କୌଣସି ପରିସ୍ଥିତିରେ ପଦାକୁ ନ ବାହାରି ଘର ଭିତରେ ପ୍ରବାଦ ପୁରୁଷଙ୍କ ପ୍ରତି ନିଜର ଶ୍ରଦ୍ଧା ନିବେଦନ କରିବାକୁ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା, ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡ଼ି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି।