Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ନିର୍ବାଚନ: ତୃଣମୂଳ ଏବଂ ବିଜେପିର ଲଢାଇ ମଧ୍ୟରେ ମହାପଞ୍ଚାୟତ କରିବେ କୃଷକ ନେତା ରାକେଶ

କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶାସକ ଦଳ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଲଢାଇ ଜାରି ରହିଛି। ହେଲେ ସେହି ଦୁଇ ଦଳର ରାଜନୈତିକ ଲଢାଇ ମଧ୍ୟରେ କୃଷକ ନେତା ରାକେଶ ଟିକେତ ମଧ୍ୟ ନନ୍ଦୀଗ୍ରାମରେ ମହାପଞ୍ଚାୟତ କରିବାକୁ ଯାଉଛନ୍ତି। ବର୍ତ୍ତମାନ ସେ ନନ୍ଦୀଗ୍ରାମରେ ଭ୍ରମଣ କରୁଛନ୍ତି। ଏହି ନନ୍ଦୀଗ୍ରାମ ଆସନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେପଟେ ସେହି ବିଧାନସଭା ଆସନ ପାଇଁ ତୃଣମୂଳ କଂଗ୍ରେସର ବିଧାୟକ ରହିଥିବା ଶୁଭେନ୍ଦୁ ଅଧିକାରୀ ମମତାଙ୍କ ବିରୋଧରେ ନାମାଙ୍କାନ ପତ୍ର ଦାଖଲ କରିଛନ୍ତି।

ତେବେ ରାକେଶ ଟିକେତ କଲିକତାରୁ ନନ୍ଦୀଗ୍ରାମ ଯିବା ପୂର୍ବରୁ ତୃଣମୂଳ କଂଗ୍ରେସର ନେତାମାନଙ୍କ ସହ ସାକ୍ଷାତ କରିଥିବା ସୂଚନା ମିଳିଛି। ତିନି କୃଷକ ଆଇନ ଯୋଗୁଁ ବିଜେପିକୁ ବିରୋଧ କରୁଥିବା ଏହି କୃଷକ ନେତାଙ୍କ ମହାପଞ୍ଚାୟତ ଦ୍ଵାରା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କି ପ୍ରଭାବ ପକାଉଛି, ଦେଖିବା ବାକି ରହିଲା।

Categories
ଆଜିର ଖବର ଜାତୀୟ ଖବର

ଅନେକ ବିଧାୟକ ଏବଂ ମନ୍ତ୍ରୀଙ୍କ ଟିକେଟ କାଟିଲେ ମମତା ବାନାର୍ଜୀ

କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମମତା ବାନାର୍ଜୀ ୨୯୪ ମଧ୍ୟରୁ ୨୯୧ ଜଣ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏଥର ସେ ବହୁ ବରିଷ୍ଠ ମନ୍ତ୍ରୀଙ୍କ ଟିକେଟ୍ କାଟିଛନ୍ତି । ଏଥର ସେ ଜିଏସଟି ପରିଷଦର ସଭାପତି ତଥା ରାଜ୍ୟ ଅର୍ଥ ଓ ଶିଳ୍ପ ମନ୍ତ୍ରୀ ଅମିତ ମିତ୍ରଙ୍କୁ ପ୍ରାର୍ଥୀ ତାଲିକାରୁ ବାଦ ଦେଇଛନ୍ତି।

ଏଥିପାଇଁ ମମତା ସ୍ପଷ୍ଟ କରିଛନ୍ତି ଯେ, ୮୦ ବର୍ଷରୁ ଅଧିକ ପ୍ରାର୍ଥୀଙ୍କୁ ଏଥର ଟିକେଟ ଦିଆଯାଇନାହିଁ। ପ୍ରାର୍ଥୀ ତାଲିକାରେ ମନ୍ତ୍ରୀ ପୂର୍ଣ୍ଣେନ୍ଦୁ ବସୁଙ୍କ ନାମ ମଧ୍ୟ ନାହିଁ। ଜୋଡ଼ାସାଙ୍କୁର ବିଧାୟକ ସ୍ମିତା ବକ୍ସିଙ୍କୁ ମଧ୍ୟ ଟିକେଟରୁ ବାଦ୍ ଦିଆଯାଇଛି ଏବଂ ଏକ ପ୍ରସିଦ୍ଧ ହିନ୍ଦୀ ଦୈନିକ ଖବର କାଗଜର ମାଲିକ ବିବେକ ଗୁପ୍ତାଙ୍କୁ ପ୍ରାର୍ଥୀ କରାଯାଇଛି।

ପ୍ରାର୍ଥୀ ତାଲିକା ଘୋଷଣା ସମୟରେ ମମତା ବାନାର୍ଜୀ କହିଛନ୍ତି ଯେ, ପଶ୍ଚିମବଙ୍ଗର ଅନ୍ୟ ରାଜ୍ୟମାନଙ୍କ ପରି ବିଧାନ ପରିଷଦ ବର୍ତ୍ତମାନ ସାମ୍ବିଧାନିକ ନିୟମ ଅନୁଯାୟୀ ଗଠିତ ହେବ। ଯେଉଁଥିରେ ଟିକେଟ କଟାଯାଇଥିବା ରାଜ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହେବେ। ତୃଣମୂଳର ବରିଷ୍ଠ ବିଧାୟକ ଜଟୁ ଲାହିରଙ୍କ ମଧ୍ୟ ଟିକେଟ ମିଳିନାହିଁ। ୫୦ରୁ ଅଧିକ ତୃଣମୂଳ କଂଗ୍ରେସ ବିଧାୟକଙ୍କୁ ଏଥର ଟିକେଟ ଦିଆଯାଇନାହିଁ। ବିଜେପି ନେତା ଶୋଭନ ଚାଟାର୍ଜୀଙ୍କ ପତ୍ନୀ ରତ୍ନା ଚାଟାର୍ଜୀଙ୍କୁ ମଧ୍ୟ ତୃଣମୂଳ ଟିକେଟ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବିଜେପିର ଘୋଷଣା: ମେଟ୍ରୋ ମ୍ୟାନ ଶ୍ରୀଧରନ ହେବେ କେରଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ଆଗାମୀ କେରଳ ବିଧାନସଭା ନିର୍ବାଚନ ଲାଗି ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଜେପି ପକ୍ଷରୁ କେରଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମେଟ୍ରୋ ମ୍ୟାନ ଇଂ. ଶ୍ରୀଧରନଙ୍କ ନାମ ଘୋଷଣା କରାଯାଇଛି। ଦଳ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ବି ମୁରଲୀଧରନ ଏନେଇ ଘୋଷଣା କରିଛନ୍ତି। ଏହା ପୂର୍ବରୁ ମେଟ୍ରୋ ମ୍ୟାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ଲାଗି କେରଳର ବିଜେପି ସଭାପତି କେ. ସୁରେନ୍ଦ୍ରନ କେନ୍ଦ୍ରୀୟ ନେତୃତ୍ଵଙ୍କୁ ପ୍ରସ୍ତାବ ଦେଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ମେଟ୍ରୋ ମ୍ୟାନ ନାମରେ ପରିଚିତ ଇଂ. ଶ୍ରୀଧରନ କିଛି ଦିନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ଦିଲ୍ଲୀ ମେଟ୍ରୋର ନିର୍ମାଣକୁ ସଫଳ କରିଥିବା ଶ୍ରୀଧରନ ଦେଶର ଅନେକ ମେଟ୍ରୋ ପ୍ରକଳ୍ପ ପାଇଁ ମଧ୍ୟ ସାହାଯ୍ୟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ବିଧାନସଭା ନିର୍ବାଚନ ଲାଗି ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ୫ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ କଂଗ୍ରେସ ତାହାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ତେବେ କଂଗ୍ରେସ ଏହି ୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ନିର୍ବାଚନ ପର୍ଯ୍ଯବେକ୍ଷକ ତାଲିକା ଘୋଷଣା କରିଛି।

ନିର୍ବାଚନ ଅଭିଯାନ ପରିଚାଳନା ଓ ସମନ୍ୱୟ ଲାଗି ଅନେକ ବରିଷ୍ଠ ରାଜନୀତିଜ୍ଞଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଥିବା ଓ ସେମାନେ ରାଜ୍ୟ ପ୍ରଭାରୀଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବେ ବୋଲି ଏହି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ନିର୍ବାଚନ ପର୍ଯ୍ୟବେକ୍ଷକ ହେଲେ:

୧-ଆସାମ: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବରିଷ୍ଠ ନେତା ମୁକୁଲ ୱାସିନିକ ଓ ସକିଲ ଅହମ୍ମଦ ଖାନ

୨-କେରଳ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ, ବରିଷ୍ଠ ନେତା ଲୁଇଜିନୋ ଫ୍ଲେରିଓ ଏବଂ ଜି.ପରମେଶ୍ୱର

୩-ପଶ୍ଚିମବଙ୍ଗ: ବରିଷ୍ଠ ନେତା ବି.କେ. ହରିପ୍ରସାଦ, ପଞ୍ଜାବ ରାଜ୍ୟ ସରକାରଙ୍କ ମନ୍ତ୍ରୀ ବିଜୟ ଇନ୍ଦର ସିଂଘଲା ଓ ଝାଡ଼ଖଣ୍ଡ ସରକାରଙ୍କ ମନ୍ତ୍ରୀ ଆଲମଗୀର ଆଲମ

୪-ତାମିଲନାଡୁ ଓ ପୁଡୁଚେରୀ: ବରିଷ୍ଠ କଂଗ୍ରେସ ନେତା ବୀରପ୍ପା ମୋଇଲୀ, ଏମ.ଏମ. ପଲ୍ଲମ ରାଜୁ ଓ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନିତୀନ ରାଉତ।