Categories
ଆଜିର ଖବର ରାଜ୍ୟ ଖବର

‘ମନ୍‌ କି ବାତ୍’ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଜି ଭୁବନେଶ୍ବର ଠାରେ ନିଜ ୱାର୍ଡ ବନର୍ଦୁଗା ମଣ୍ଡଳ ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୬ ତମ “ମନ୍ କି ବାତ୍” କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଶ୍ରୀମତି ଅପରାଜିତା ଷଡଙ୍ଗୀ ସହ ଯୋଗ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ସମାଜ ପାଇଁ ବଳିଷ୍ଠ ଅବଦାନ ଥିବା ବ୍ୟକ୍ତିବେଶଷ ପୂର୍ବତନ ଯବାନ ହରପ୍ରସାଦ ଡୋରା, ବରିଷ୍ଠ ସମାଜସେବୀ ପ୍ରକାଶ ଚନ୍ଦ୍ର କାନୁନଗୋ, ସ୍ବଚ୍ଛ ଭାରତ ପ୍ରମୁଖ ସରସ୍ବତି ମୁଖି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୁ ଚରଣ ସ୍ବାଇଁ ଏବଂ ସଂଘ ପରିବାରର ବରିଷ୍ଠ ସଦସ୍ୟ ଗୁରୁ ଚରଣ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଜିଲ୍ଲା ଉପସଭାପତି ରାଜେନ୍ଦ୍ର ଦାସ, ମଣ୍ଡଳ ସଭାପତି ସ୍ବୟମ୍ଭୁ ପଟ୍ଟନାୟକ, ୧୯ ନମ୍ବର ୱାର୍ଡର ପ୍ରମୁଖ ପ୍ରଶାନ୍ତ ମହାନ୍ତି, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଚିସ୍ମିତା ପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ଉନ୍ନତି ପରିଡା ଏବଂ ୧୯ ନମ୍ବର ୱାର୍ଡର କର୍ପୋରେଟର ପ୍ରାଥୀନୀ ସ୍ମିତା ମହନ୍ତି ଓ ଅନ୍ୟ ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ୍” ଶୁଣିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନଜାତି ପାଇଁ ଅକ୍ଳାନ୍ତ ପରିଶ୍ରମ କରିଆସିଛନ୍ତି ବୋଲି ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଥିଲେ ଏବଂ ଲୋକାଲ କୁ ଭୋକାଲ କରିବାକୁ ଆହ୍ବାନ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ବାଙ୍ଗାଲୁରୁରୁ ଗିରଫ

ଭୁବନେଶ୍ବର: ପୂର୍ବତମ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ ହୋଇଛି। ଦିଲ୍ଲୀ ପୋଲିସ ସେହି ବ୍ୟକ୍ତିର ଫୋନ ନମ୍ବର ଟ୍ରାକ କରିବା ପରେ ସେ ବାଙ୍ଗାଲୁରୁରେ ଥିବା ଜଣାପଡିଥିଲା। ଫଳରେ ଦିଲ୍ଲୀ ପୋଲିସ ସେଠାକୁ ଯାଇ ସେହି ବ୍ୟକ୍ତିଙ୍କୁ ଗିରଫ କରି ଦିଲ୍ଲୀ ଆଣିଛନ୍ତି।

ତେବେ ଦିଲ୍ଲୀରେ ତାହାକୁ ପଚରାଉଚୁରା କରିବା ପରେ ସେ ହତାସ ହୋଇ ଏପରି କରିଥିବା ସ୍ବୀକାର କରିଥିଲା। ଏହି ଫୋନ କଲରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ବୈଜୟନ୍ତ ପଣ୍ଡା ଅଫିସ ତାହାକୁ ଛାଡି ଦେବା ପାଇଁ ଦିଲ୍ଲୀ ପୋଲିସକୁ  ଅନୁରୋଧ କରିଥିଲେ। ଏହାପରେ ପୋଲିସ ସେହି ବ୍ୟକ୍ତିଙ୍କଠାରୁ ଏକ ଅଣ୍ଡରଟେକିଂ ରଖି ଛାଡି ଦେଇଥିବାର ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ, ଦିଲ୍ଲୀ ପୋଲିସରେ ଅଭିଯୋଗ

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ମିଳିଛି। ଏ ନେଇ ବୈଜୟନ୍ତଙ୍କ ଅପିସ ତରଫରୁ ଦିଲ୍ଲୀ ପୋଲିସକୁ ଅବଗତ କରାଇଛି। ଏହାପରେ ଦିଲ୍ଲୀ ପୋଲିସ ଏହି ଫେକ କଲ ଉପରେ ଅନୁଧ୍ୟାନ ଆରମ୍ଭ କରିଛି। ଏହି କଲ କେଉଁଠାରୁ ହୋଇଥିଲା, କିଏ କରିଥିଲା ସେ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି।

ଜଣେ ଅଜଣା ବ୍ୟକ୍ତି ବୈଜୟନ୍ତ ପଣ୍ଡାଙ୍କୁ ଫୋନ କରିଥିଲେ। ହେଲେ ଏହି କଲ ବୈଜୟନ୍ତଙ୍କ କର୍ମଚାରୀ ଉଠାଇଥିଲେ। ସେଥିରେ କଲର ଜଣଙ୍କ ମନ୍ତ୍ରୀ ନବ ଦାସଙ୍କ ଅବସ୍ଥା ପରି ହେବ ବୋଲି ସେ ଧମକ ଦେଇଥିଲା। ଏହାପରେ ଦିଲ୍ଲୀ ପୋଲିସକୁ ଏ ନେଇ ଅଭିଯୋଗ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଉ ଓଡିଶାରୁ ନୁହଁ, ଆସାମ କିମ୍ବା ଦିଲ୍ଲୀରୁ ଲଢିବେ ବୈଜୟନ୍ତ ପଣ୍ଡା, ଚାଲିଛି ଚିନ୍ତନ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ରାଜନୈତିକ ପାଣିପାଗ କେତେବେଳେ କଣ ହେଉଛି ତାହା କହିବା ସମ୍ଭବପର ନୁହେଁ। ହେଲେ ଏହା ନିଶ୍ଚିତ ଯେ, ବର୍ତ୍ତମାନ ଯେଉଁମାନେ ଆସନ୍ତା ନିର୍ବାଚନ ଲଢେଇ କରିବେ ସେମାନେ ଏବେଠାରୁ ଆସନ ଠିକ କରିସାରିଲେଣି। ସେହିପରି ଭାବେ ଯଦି ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ କଥା କୁହାଯାଏ ତେବେ ସେ ଆଉ ଓଡିଶାରୁ ଲଢେଇ କରିବେ ନାହିଁ ବୋଲି ଚିନ୍ତା କରୁଛନ୍ତି।

ସୁତ୍ର ଅନୁସାରେ ବୈଜୟନ୍ତ ଏଥର ଆସାମ କିମ୍ବା ଦିଲ୍ଲୀର କୌଣସି ଲୋକସଭା ଆସନରୁ ଛିଡା ହେବା ପାଇଁ ମନସ୍ଥ କରୁଛନ୍ତି। କାରଣ ସେ ଏହି ଉଭୟ ରାଜ୍ୟର ପ୍ରଭାରୀ ଅଛନ୍ତି। ଏଥିସହିତ ସେ ଏହି ଦୁଇ ରାଜ୍ୟରେ ନିଜର ପତିୟାରା ମଧ୍ୟ ସୃଷ୍ଟି କରିସାରିଛନ୍ତି। ରାଜନୈତିକ କାମରେ ଏହି ଦୁଇ ରାଜ୍ୟରେ ବାରମ୍ବାର ସଂଗଠନ ଓ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି।

ଚର୍ଚ୍ଚା ଅନୁସାରେ ଆସାମରେ କେତେକ ବିଜେପି ନେତା କୁଆଡେ ବୈଜୟନ୍ତଙ୍କୁ ସେଠାରୁ ଲୋକସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେଇଥିବାରୁ ଜଣାପଡିଛି। ହେଲେ ବୈଜୟନ୍ତ ଆସାମ ଅପେକ୍ଷା ଦିଲ୍ଲୀରୁ ଛିଡା ହେବା ପାଇଁ ଏକ ପ୍ରକାର ମନ ବଳାଇଥିବାର ଜଣାପ଼ଡିଛି। କାରଣ ତାଙ୍କର ଦିଲ୍ଲୀରେ ରହିଛି ନିଜ ଘର, ଏଥିସହିତ ସେ ଦିଲ୍ଲୀରେ ହିଁ ବେଶୀ ସମୟ କାଟିଥାନ୍ତି।

ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ସେ ଓଡିଶାରୁ କାହିଁକି ଲଢେଇ କରିବେ ନାହିଁ। ତାହାର ଉତ୍ତରରେ ଏତିକି କୁହାଯାଇପାରେ ଯେ, ବୈଜୟନ୍ତ ଓଡିଶାରୁ ଯେଉଁଠି ଛିଡା ହେଲେ ମଧ୍ୟ ବିଜେଡି ତାଙ୍କ ପଛରେ ପୁରା ଦମରେ ଲାଗିପଡୁଛି। ନିର୍ବାଚନରେ ତାଙ୍କୁ ଲହୁ ଲୁହାଣ କରିଦେଉଛି। ସେଥିପାଇଁ ଗତ ଲୋକସଭା ନିର୍ବାଚନରେ ସେ କେନ୍ଦ୍ରାପଡାରୁ ଲକ୍ଷେ ଅଶି ହଜାର ଉପରେ ଭୋଟରେ ହାରିବାକୁ ପଡିଥିଲା।

ବର୍ତ୍ତମାନ ମଧ୍ୟ ସେହି ପରିସ୍ଥିତି ଜାରୀ ରହିଛି। ସେ ଓଡିଶାରୁ କେଉଁଠାରୁ ଛିଡା ହେଲେ ମଧ୍ୟ ବିଜେଡି କେବେ ତାଙ୍କ ପିଛା ଛାଡିବ ନାହିଁ। ବୈଜୟନ୍ତ ନିଶ୍ଚିତ ଅଛନ୍ତି ଯେ, ଯଦି ସେ ଏଥର ଲୋକସଭାରେ ଜିତି ଯାଆନ୍ତି ତେବେ କେନ୍ଦ୍ରମନ୍ତ୍ରୀ ହେବା ନିଶ୍ଚିତ। ସେଥିପାଇଁ ସେ ଏଥର କଣ କରିବେ ସେହି ଚିନ୍ତାରେ ଅଛନ୍ତି। ଯେନତେନ ପ୍ରକାରେଣ ଏଥର ନିର୍ବାଚନ ନ ଜିତିଲେ ତାଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାର ହୋଇଯିବ ବୋଲି ସେ ଭାବି ସାରିଲେଣି।

ସେଥିପାଇଁ ସୁବିଧା ଉପାୟରେ ଜିତିବାକୁ ହେଲେ ଓଡିଶା ରାଜନୀତି ଛାଡିବାକୁ ପଡିବ। ଏ ନେଇ ତାଙ୍କ ଉପଦେଷ୍ଠାମାନେ ତଥା ପ୍ରଶଂସକମାନେ ମଧ୍ୟ ପ୍ରସ୍ତାବ ଦେଇ ସାରିଲେଣି। ଓଡିଶା ମୋହ ଛାଡିଲେ ସେ ମନ୍ତ୍ରୀ ହୋଇପାରିବେ ବୋଲି ସେମାନେ ଭବିଷ୍ୟବାଣୀ ଦେଇ ସାରିଲେଣି। ସେଥିପାଇଁ ଜୟ ପଣ୍ଡା ଦିଲ୍ଲୀ କିମ୍ବା ଆସାମରୁ ଲଢେଇ କରିବେ ବୋଲି ଚିନ୍ତା କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେପିର ମହା ଜନସମ୍ପର୍କ ଅଭିଯାନ ପାଇଁ ୧୦ ଦିନିଆ ଆସାମ ଗସ୍ତରେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରର ୯ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା ନିର୍ଦ୍ଦେଶ କ୍ରମେ ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବ କଲ୍ୟାଣର ଗତ ୯ ବର୍ଷର ସଫଳତାକୁ ସାଧାରଣ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଗତ ମେ ୩୧ରୁ ଆସନ୍ତା ୩୦ ଜୁନ ପର୍ଯ୍ୟନ୍ତ ଏକ ମାସ ଧରି ଦେଶବ୍ୟାପୀ ମହା ଜନସଂପର୍କ ଅଭିଯାନ ଆରମ୍ଭ ହୋଇଛି ।

ଏହି ‘ସଂପର୍କରୁ ସମର୍ଥନ’ ଅଭିଯାନରେ ସାମିଲ ହୋଇ ସଫଳ କରିବାକୁ ରାଷ୍ଟ୍ରୀୟ ସ୍ତରରେ ୨୮୮ ଜଣ ବରିଷ୍ଠ ନେତୃତ୍ୱଙ୍କୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକାରେ ସାମିଲ ଥିବା ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଏବଂ ଆସାମ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଜୁନ ୯ ରୁ ୧୮ ତାରିଖ ପର୍ଯ୍ୟନ୍ତ ୧୦ ଦିନିଆ ଆସାମ ପ୍ରଦେଶ ଗସ୍ତ ରେ ରହି ୪ଟି ଲୋକସଭା ଅନ୍ତର୍ଗତ ଗୌହାଟୀ, କରିମଗଞ୍ଜ, ସିଲଚର୍ ଓ ଡ଼ିଫୁ ଠାରେ ପ୍ରବାସ କରିବା ସହ ୪ଟି ବିରାଟ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ସମେତ ‘ସଂପର୍କରୁ ସମର୍ଥନ’ ଅଭିଯାନରେ ବିଭିନ୍ନ ପରିବାରକୁ ଭେଟିବା ସହ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଦଳୀୟ କାର୍ଯ୍ୟକ୍ରମ ରୁ ସୂଚନା ମିଳିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ର ଏମିତି କାହିଁକି କଲେ? ମନୋଜ ମିଶ୍ରଣ ବେଳକୁ ଆସିଲେ, ତେଜେଶ୍ବର ବେଳକୁ ନାହିଁ

ଭୁବନେଶ୍ବର: ଓଡିଶା ବିଧାନାସଭା ନିର୍ବାଚନ ଆହୁରି ପ୍ରାୟ ବର୍ଷେ ପାଖାପାଖି ରହିଛି। ହେଲେ ଓଡିଶା ରାଜନୀତି ଏବେ ବେଶ୍ ସକ୍ରିୟ ହୋଇଯାଇଛି। ସାଧାରଣତଃ ନିର୍ବାଚନର କିଛି ମାସ ପୂର୍ବରୁ ଦଳ ଡିଆଁ ପର୍ବ ହୋଇଥାଏ। ହେଲେ ଏବେଠାରୁ ଏହି ଦଳବଦଳ ଉତ୍ସବ ଆରମ୍ଭ ହୋଇଯାଇଛି। ବିଶେଷ ଭାବେ ବିଜେଡି ଓ ବିଜେପି ଦଳରୁ ନେତାମାନେ ଡିଆଁଡିଇଁ ଆରମ୍ଭ କରିସାରିଲେଣି।

ସେହିପରି ଉତ୍ସବ ଗତ କିଛିଦିନ ଧରି ବିଜେପି ରାଜ୍ୟ କାର୍ଯ୍ୟଳୟରେ ଆୟୋଜିତ ହେବାରେ ଲାଗିଛି। ଏହି ଉତ୍ସବ ବିଜେପି ପାଇଁ କେତେ ଲାଭ ବା କ୍ଷତି ହେବ ତାହା ଭିନ୍ନ କଥା। କିନ୍ତୁ ଏହି ଉତ୍ସବରୁ ବାରି ହୋଇପଡୁଛି ଦଳ ଭିତରେ ଥିବା ଅନ୍ତଃଦ୍ବନ୍ଦ। କାରଣ କେଉଁ ନେତା କାହାକୁ ଦଳକୁ ଆଣିଲେ ଆଉ ସେହି ମିଶ୍ରଣ ଉତ୍ସବରେ କିଏ ଟୋପି ପିନ୍ଧାଇବ ତାହା ହିଁ ଏହି ଅନ୍ତଃଦ୍ବନ୍ଦକୁ ପଦାରେ ପକାଇଛି। ଏହାର ପ୍ରମାଣ ଗତି କିଛିଦିନ ତଳେ ଦୁଇଟି ମିଶ୍ରଣ ପର୍ବରୁ ସ୍ପଷ୍ଟ ହୋଇଛି।

ଗତ ସେପ୍ଟେମ୍ବର ୩୦ ତାରିଖରେ ବିଜେଡିର ମୁଖପାତ୍ର ତଥା କେନ୍ଦ୍ରାପଡାର ଯୁବ ନେତା ତେଜେଶ୍ବର ପରିଡା ବିଜେପିରେ ମିଶିଲେ।  ତାଙ୍କ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ପ୍ରମୁଖ ରହିଲେ। ସେଦିନ ସେହି ଅଫିସ ଭିତରେ ଖୋଦ ରାଜ୍ୟ ବିଜେପିର ହର୍ତ୍ତାକର୍ତ୍ତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ହେଲେ ମିଶ୍ରଣ ପର୍ବକୁ ଆସିଲେ ନାହିଁ। ଦୁଇ ମିନଟ ପାଇ ମଧ୍ୟ ମିଶ୍ରଣ ପର୍ବରେ ନିଜକୁ ସାମିଲ ନ କରି ଅଫିସରେ ଅନ୍ୟକାମ ପାଇଁ ବସି ରହିଲେ।

ସେହିପରି ଆଉ ଏକ ଘଟଣାକୁ ଦେଖିବା। ଏଇ ଅକ୍ଟୋବର ୪ ତାରିଖରେ ବିଜେପିରେ ମିଶିଲେ କଂଗ୍ରେସର ମୁଖପାତ୍ର ମନୋଜ ମହାପାତ୍ର ଏବଂ ତାଙ୍କ ସମର୍ଥକ। ସେହି ମିଶ୍ରଣ ପର୍ବରେ କିନ୍ତୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମନୋଜ ଏବଂ ତାଙ୍କ ସମର୍ଥକଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଥିଲେ। ତେବେ ପ୍ରଶ୍ନ ଉଠୁଛି ଯେ, ଧର୍ମେନ୍ଦ୍ର ଏପରି କାହିଁକି କଲେ। ତେଜେଶ୍ବର କଣ ଭୁଲ କଲେ ଯେ, ସେ ଅଫିସରେ ଥାଇ ମଧ୍ୟ ତାଙ୍କୁ ସ୍ବାଗତ କଲେ ନାହିଁ। ଆଉ ମନୋଜ ମହାପାତ୍ର କଣ ହେଲେ ଯେ ତାଙ୍କୁ ସ୍ବାଗତ କଲେ।

ଏହାର କାରଣରେ ଏତିକି କୁହାଯାଇପାରେ ଯେ, ତେଜେଶ୍ବରଙ୍କୁ ବୈଜୟନ୍ତ ପଣ୍ଡା ଆଣିଛନ୍ତି। ତେଣୁ ସେ ସେହି କାର୍ଯ୍ୟକ୍ରମରେ ରହିବା ଉଚିତ ମଣିଲେ ନାହିଁ। ଏହା ନୁହେଁ ଯେ, ତେଜେଶ୍ବର ବିଜେପିରେ ସାମିଲ ହେବା ପୂର୍ବରୁ ଧର୍ମେନ୍ଦ୍ରଙ୍କ ସହିତ କଥା ହୋଇ ନ ଥିବେ।  ଏହା ନୁହେଁ ଯେ ଧର୍ମେନ୍ଦ୍ର ଏହି ମିଶ୍ରଣକୁ ଅନୁମତି ଦେଇ ନ ଥିବେ। ତାଙ୍କ ଜାଣତରେ ଏହା ନିଶ୍ଚିତ ହୋଇଥିବା। ହେଲେ ସେ ଏହି ମିଶ୍ରଣ ପର୍ବରେ ଯୋଗଦେବାକୁ ଉଚିତ ମନେ କଲେ ନାହିଁ। ଏହା ହିଁ ସ୍ପଷ୍ଟ ଯେ, ବୈଜୟନ୍ତ ଆଉ ଧର୍ମେନ୍ଦ୍ର ମଧ୍ୟରେ ରାଜନୈତିକ ସଂପର୍କ କିପରି ରହିଛି।

ବିଗତ ଦିନକୁ ଦେଖିଲେ ଏହା ସ୍ପଷ୍ଟ ଯେ, ଦଳର ଏମିତି କୌଣସି ମିଶ୍ରଣ ପର୍ବ ନାହିଁ ଯାହା କି ଧର୍ମେନ୍ଦ୍ର ଓଡିଶାରେ ଥିବେ ଆଉ ଏଥିରେ ଯୋଗ ଦେବେ ନାହିଁ। କୌଣସି ନେତା ବିଜେପିର ସାମିଲ ହେବାକୁ ଥିଲେ ଧର୍ମେନ୍ଦ୍ର ଦିଲ୍ଲୀରୁ ଦୈଡି ଆସନ୍ତି। ନିଜେ ମିଶ୍ରଣ ପୂର୍ବର ସମସ୍ତ କଥାବାର୍ତ୍ତା କରି ଦିନ ଧର୍ଯ୍ୟ କରନ୍ତି। ହେଲେ ସେଦିନ ଖୋଦ ଧର୍ମେନ୍ଦ୍ର ମିଶ୍ରଣ ପର୍ବ ବେଳେ ଦଳୀୟ କାର୍ଯ୍ୟାଳୟରେ ରହି ଏଥିରେ ଯୋଗ ନ ଦେବା ଏବଂ ମନୋଜ ମହାପାତ୍ରଙ୍କ ମିଶ୍ରଣରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ଚାଲିଛି।

ତେବେ ଏ ସବୁ ବାଦବିବାଦ ଭିତରେ ତେଜେଶ୍ବର ପରିଡାଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାହା ସନ୍ଦେହ ଜନକ। କାରଣ ‘ପ୍ରଧାନ’ ଆଉ ‘ପଣ୍ଡା’ ଙ୍କ ବଳ କଷାକଷି ମଝିରେ ‘ପରିଡା’ ଲହୁଲୁହାଣ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦଳର ମାରାଥନ ବୈଠକରେ ରାଜ୍ୟ ପ୍ରଭାରୀ ବୈଜୟନ୍ତଙ୍କ ଯୋଗଦାନ

ନୂଆଦିଲ୍ଲୀ: ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଓ ଅନ୍ୟ ବିଭିନ୍ନ କାର୍ଯ୍ୟକ୍ରମ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ମଙ୍ଗଳବାର ୩ ଦିନିଆ ଆସାମ ଗସ୍ତ କରିଛନ୍ତି। ବୁଧବାର ଗୌହାଟୀଠାରେ ଆସାମ ବିଜେପିର ଦୁଇଦିନିଆ ବିଶାଳ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀଯୁକ୍ତ ପଣ୍ଡା ଯୋଗଦେଇ କାର୍ଯ୍ୟକାରିଣୀଙ୍କୁ ଉଦବୋଧନ ଦେଇଥିଲେ ଯେ, ଏହି ବୈଠକ ରାଜ୍ୟ ପାଇଁ ଏକ ନୂତନ ପ୍ରାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷଙ୍କ ମାର୍ଗଦର୍ଶନ ଓ ଆଶୀର୍ବାଦ ନେଇ ଏହି କାର୍ଯ୍ୟକାରିଣୀ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ତଥା ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇଆସୁଛି। ସେବା ଓ ସମର୍ପଣ ଦିଗରେ ମଧ୍ୟ ଏହାର କାର୍ଯ୍ୟ ଉଲ୍ଲେଖନୀୟ ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି।

ଦୁଇଦିନବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା, ରାଷ୍ଟ୍ରମନ୍ତ୍ରୀ ରାମେଶ୍ଵର ତେଲୀ, ଆସାମ ବିଜେପି ସଭାପତି ଭାବେଶ କାଲିଟା, ସହପ୍ରଭାରୀ ପବନ ଶର୍ମା, ସଂଗଠନ ମହାମନ୍ତ୍ରୀ ଫଣୀନ୍ଦ୍ରନାଥ ଶର୍ମା, ଉତ୍ତର-ପୂର୍ବାଞ୍ଚଳ ସଂଗଠନ ମହାମନ୍ତ୍ରୀ ଅଜୟ ଜମୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ମଙ୍ଗଳବାର ଶ୍ରୀଯୁକ୍ତ ପଣ୍ଡା ଗୌହାଟୀରେ ପହଞ୍ଚିବା ପରେ ଦେଶବ୍ୟାପୀ ଚାଲିଥିବା ସେବା ଓ ସମର୍ପଣ ଅଭିଯାନ ଅନ୍ତର୍ଗତ ସ୍ଥାନୀୟ ଅମ୍ବିକାଗିରି ମେମୋରିଆଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ “ଆମର ଘର” ବୃଦ୍ଧାଶ୍ରମ ଯାଇ ଫଳ ବଣ୍ଟନ ଭଳି ସେବା କାର୍ଯ୍ୟ କରିଥିଲେ। ବରିଷ୍ଠ ନାଗରିକଙ୍କ ଭଳି ଜୀବନ୍ତ ଦେବତାଙ୍କ ଆଶୀର୍ବାଦଠାରୁ ମୂଲ୍ୟବାନ ଆଉ କିଛି ନୁହେଁ ବୋଲି ଶ୍ରୀଯୁକ୍ତ ପଣ୍ଡା ଏହି ଅବସରରେ କହିଥିଲେ। ସେହିପରି ଏହି ଅଭିଯାନ ଅଧୀନରେ ସେ ଚାରା ରୋପଣ ମଧ୍ୟ କରିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଜୀବନରୁ ପ୍ରେରଣା ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ଅନୁରୋଧ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ର ବନାମ ବୈଜୟନ୍ତ: ଆସାମ ବେଳେ ତମେ ସ୍ବାଗତ କରି ନ ଥିଲ, ଏବେ ମୁଁ କାହିକି ଶୁଭେଚ୍ଛା କରିବି !

ଭୁବନେଶ୍ବର, ନିକଟରେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣକୁ ନେଇ ଓଡିଶାର ବିଭିନ୍ନ ମହଲରେ ଖୁସି ପ୍ରକଟ କରାଯାଉଛି। କାରଣ ଏଥର ଓଡିଶାର ତିନିଜଣ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା, ଅଶ୍ବିନୀଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିବା ଅନ୍ୟତମ କାରଣ। ସେଥିପାଇଁ ଦଳମତ ନିର୍ବିଶେଷରେ ଏହି ତିନିଜଣଙ୍କୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଉଛି। ହେଲେ ଆଶ୍ଚର୍ଯ୍ୟର କଥା ଟୁଇଟରେ ସବୁବେଳେ ସକ୍ରିୟ ଥିବା ବୈଜୟନ୍ତ ପଣ୍ଡା କାହାକୁ ବି ସ୍ବାଗତ କରି ନାହାଁନ୍ତି। ନା ଧର୍ମେନ୍ଦ୍ର, ନା ଅଶ୍ବିନୀ କିମ୍ବା ନା ବିଶେଶ୍ବର।

ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଓଡିଶାର ଏହି ତିନି ଜଣ ମନ୍ତ୍ରୀଙ୍କୁ ଖୋଦ ମୁଖ୍ୟମନ୍ତ୍ରୀ ସହିତ ବିଜେଡିର କେତେକ ନେତା ମଧ୍ୟ ସ୍ବାଗତ କରିଛନ୍ତି। ବିଜେପି ଦଳର ପ୍ରାୟ ସମସ୍ତ ନେତା ମଧ୍ୟ ଏହି ତିନିଜଣଙ୍କୁ ସ୍ବାଗତ କରିଛନ୍ତି। ହେଲେ ବୈଜୟନ୍ତ ପଣ୍ଡା ପୁରା ନିରବକୁ ନେଇ ଦଳ ଭିତରେ ଚାଲିଛି ଆଲୋଚନା।

ରାଜ୍ୟ ବିଜେପିର ଜଣେ ଟାଣୁଆ ନେତାଙ୍କ କହିବା କଥା ଯେ, ବୈଜୟନ୍ତ ଏଥର କୁଆାଡେ ମନ୍ତ୍ରୀ ହେବେ ବୋଲି ବେଶ୍ ଚେଷ୍ଠା କରିଥିଲେ। ଏପରିକି ବହୁ ଜାତୀୟ ଟିଭି ଚ୍ୟାନେଲରେ ସେ ମନ୍ତ୍ରୀ ହେଉଛନ୍ତି ବୋଲି ପ୍ରଚାର ମଧ୍ୟ କରାଇଥିଲେ। ସେତେବେଳେ କେତେକ ଚ୍ୟାନେଲ ଏପରି ପ୍ରଚାର କଲେ ଯେ, ଲାଗିଲା ବୈଜୟନ୍ତ ମନ୍ତ୍ରୀ ହୋଇସାରିଛନ୍ତି।  ହେଲେ ମୋଦି ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କଲେ ନାହିଁ। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ଅଶ୍ବିନୀ ବୈଷ୍ଣବ ଏବଂ ବିଶେଶ୍ବର ଟୁଡୁଙ୍କୁ ମନ୍ତ୍ରୀ ମଣ୍ଡଳରେ ନିଆଗଲା।

ଏହାକୁ ନେଇ ବୈଜୟନ୍ତ କୁଆଡେ ଭାରି ଖପ୍ପା। ତାଙ୍କୁ ନ ନେଲେ ନାହିଁ, ଧର୍ମେନ୍ଦ୍ରଙ୍କୁ ପୁଣି ମନ୍ତ୍ରୀ ମଣ୍ଡଳରେ ସାମିଲ କରିବାକୁ ନେଇ ତାଙ୍କୁ ଆହୁରି ବାଧିଛି। ସେଥିପାଇଁ ଧର୍ମେନ୍ଦ୍ରଙ୍କ ପାଇଁ ବୈଜୟନ୍ତ କାହାକୁ ହେଲେ ଶୁଭେଚ୍ଛା ଜଣାଇଲେ ନାହିଁ। ନୂଆ ମନ୍ତ୍ରୀମଣ୍ଡଳ ଦିନ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକରେ ବୈଜୟନ୍ତ ଟୁଇଟରରେ ଶୋକ ପ୍ରକାଶ କରିଛନ୍ତି। ହେଲେ ସଂଧ୍ୟାରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ନେଇ ସେ ଚୁପ ରହିଛନ୍ତି।

ତେବେ ଧର୍ମେନ୍ଦ୍ରଙ୍କୁ ବୈଜୟନ୍ତ ସ୍ବାଗତ ନ କରିବାର ପଛରେ ଆଉ ଏକ କାରଣ ମଧ୍ୟ ରହିଛି ବୋଲି କୁହାଯାଉଛି। ତାହା ହେଲା ଆସାମ ନିର୍ବାଚନରେ ବିଜେପିର ସଫଳତା ନେଇ  ଧର୍ମେନ୍ଦ୍ର ପ୍ରଧାନ ସେତେବେଳେ ମୋଦିସାହାଙ୍କଠାରୁ ଆରମ୍ଭ କରି ଆସାମର ତଳ ସ୍ତର ନେତାଙ୍କୁ ଧନ୍ୟବାଦ ଦେଲେ। ହେଲେ ଆସାମ ପ୍ରଭାରୀ ବୈଜୟନ୍ତ ନାମ ସେଥିରେ ନ ଥିଲା। ସେଥିପାଇଁ ବିଜେପି ଭିତରେ କୁହାକୁହି ହେଉଛନ୍ତି ଯେ, ‘ଆସାମ ନିର୍ବାଚନରେ ମୋତେ ଧନ୍ୟବାଦ ଦେଇ ନ ଥିଲ, ତମେ ମନ୍ତ୍ରୀ ହେଲେ ମୁଁ କାହିଁକି ଶୁଭେଚ୍ଛା ଜଣାଇବି।’

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହୋଇଗଲା ଖେଳ, ମନ୍ତ୍ରୀ ଆଶାୟୀ ତିନି ନେତାଙ୍କ ଆଶା ମଉଳିଲା

ନୂଆଦିଲ୍ଲୀ, କେନ୍ଦ୍ରର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ ବୋଲି ଜଣାପଡିବା ପରେ ବର୍ତ୍ତମାନ ଦେଶର ରାଜନୀତିରେ ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ମନ୍ତ୍ରୀ ତଥା ସାଂସଦଙ୍କ ସହିତ ବାରମ୍ବାର ବୈଠକ ଏହି ସଂପ୍ରସାରଣକୁ ନିଶ୍ଚିତ କରୁଛି। ସେଥିପାଇଁ କିଏ ମନ୍ତ୍ରୀ ହେବ କାହାର ମନ୍ତ୍ରୀ ପଦ ଯିବ ସେ ନେଇ ଚାଲିଛି ମନ୍ଥନ।

ତେବେ ଏହି ସଂପ୍ରସାରଣ ଏବଂ ଅଦଳବଦଳ ଭିତରେ ଓଡିଶାର ଭାଗ୍ୟରେ କଣ ଅଛି ତାହାକୁ ନେଇ ମଧ୍ୟ ଚାଲିଛି ଯୁକ୍ତିତର୍କ। ସଦ୍ୟତମ ତଥ୍ୟ ଅନୁସାରେ ଓଡିଶାର କୁଆଡେ ତିନି ଜଣ ନେତା ମନ୍ତ୍ରୀ ହେବେ ବୋଲି ପାୱାର କରିଡର ସହିତ ଯୋଗାଯୋଗରେ ଅଛନ୍ତି। ହେଲେ ଶେଷ ମୂର୍ହୁତରେ ସେମାନଙ୍କ ଆଶା ଆଶାରେ ରହିଯାଇଛି। କାରଣ ଏହି କଥା ବିରୋଧୀ ପାୱାର କରିଡର ଜାଣିବା ପରେ କୁଆଡେ ଖେଳ କରିଦେଇଛନ୍ତି।

ନୂଆଦିଲ୍ଲୀର ସୂଚନା ଅନୁସାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ପାଇଁ ତିନିଜଣଙ୍କ ନାମ ଦିଲ୍ଲୀରେ ଚର୍ଚ୍ଚା ଚାଲିଥିଲା। ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ଅପରାଜିତା ଷଡାଙ୍ଗୀ ସହ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଏହି ତିନିଜଣଙ୍କର ଦିଲ୍ଲୀ ଦରବାରରେ ବେଶ୍ ଦବଦବା ମଧ୍ୟ ରହିଛି।

ତେବେ ଏହି ତିନି ଜଣଙ୍କ ମଧ୍ୟରୁ ବୈଜୟନ୍ତ ଏବଂ ସମ୍ବିତ କୌଣସି ଗୃହର ସଦସ୍ୟ ନାହାଁନ୍ତି। ହେଲେ ସେମାନଙ୍କୁ ଏହି ସଂପ୍ରସାରଣରେ ସାମିଲ କରି ପରବର୍ତ୍ତି ସମୟରେ ରାଜ୍ୟସଭା ସଦସ୍ୟ କରିବା ନେଇ ଯୋଜନା ଚାଲିଥିଲା। ହେଲେ ସେସବୁ ଜଣାପଡିବାର ପରେ ଏହି ବିରୋଧୀ ପାୱାର କେନ୍ଦ୍ର ସେସବୁକୁ ଛାରଖାର କରି ଦେଇଛି। ତେବେ ଓଡିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ବନୀ ବୈଷ୍ଣବଙ୍କ ନାମ ଏ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଉତ୍ତର-ପୂର୍ବ ଭାରତର ବିକାଶ ନେଇ ବୈଦେଶିକ ମନ୍ତ୍ରୀ ଓ ଜାପାନ ରାଷ୍ଟ୍ରଦୂତଙ୍କ ସହ ବୈଜୟନ୍ତ ପଣ୍ଡାଙ୍କ ଆଲୋଚନା

ଭୁବନେଶ୍ବର: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡ଼ଃ ଏସ. ଜୟଶଙ୍କର ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସତୋଷୀ ସୁଜୁକି ଗତକାଲି ଆସାମ ଗସ୍ତରେ ଯାଇଥିବା ବେଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ସେମାନଙ୍କ ସହ ଉତ୍ତର-ପୂର୍ବ ଭାରତର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଆସାମ ଏବଂ ସମଗ୍ର ଉତ୍ତର-ପୂର୍ବ ଭାରତରେ ହୋଇଥିବା ବିଭନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ତଥା ଆଗକୁ ଅନ୍ୟ ବିକାଶ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ଏବଂ ତାଙ୍କ ଦୃଷ୍ଟିକୋଣ ବିଷୟରେ ଶ୍ରୀଯୁକ୍ତ ପଣ୍ଡା ଉଭୟଙ୍କୁ ଅବଗତ କରାଇଥିବା ବେଳେ ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ଆଜି ସକାଳେ ଶ୍ରୀଯୁକ୍ତ ପଣ୍ଡା କେନ୍ଦ୍ରମନ୍ତ୍ରୀ, ଜାପାନ ରାଷ୍ଟ୍ରଦୂତ ତଥା ଆସାମ ନେତା ତଥା ବିଭାଗୀୟ ଅଧିକାରୀଙ୍କ ସହ ଗୌହାଟୀଠାରେ ଜାପାନ ଅନ୍ତର୍ଜାତୀୟ କର୍ପୋରେସନ ଏଜେନ୍ସି (ଜେଆଇସିଏ) ଦ୍ୱାରା ବିକଶିତ ହେଉଥିବା ଜଳ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହାପରେ ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ରଠାରେ ଏକ ଜନସଭାରେ ଶ୍ରୀଯୁକ୍ତ ପଣ୍ଡା ଯୋଗଦେଇ ଜନତାଙ୍କୁ ସମ୍ବୋଧିତ କରିଥିଲେ।

ଏବାବଦରେ ଶ୍ରୀଯୁକ୍ତ ପଣ୍ଡା କହିଥିଲେ ଯେ ଆସାମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଡ଼ଃ ଏସ. ଜୟଶଙ୍କର ଓ ଜାପାନ ରାଷ୍ଟ୍ରଦୂତ ସତୋଶୀ ସୁଜୁକିଙ୍କ ସମେତ ଆସାମ ଅର୍ଥ ମନ୍ତ୍ରୀ ହିମନ୍ତବିଶ୍ୱ ଶର୍ମା, ପରିବହନ ମନ୍ତ୍ରୀ ଚନ୍ଦ୍ରମୋହନ ପାଟୋୱାରୀ ଏବଂ ଅନ୍ୟମାନଙ୍କ ସହ ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ତଥା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଉତ୍ତରପୂର୍ବାଞ୍ଚଳର ବିକାଶକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛି। ଦୀର୍ଘ ଦଶନ୍ଧି ଧରି ଯେଉଁ ବିକାଶ ଉତ୍ତର-ପୂର୍ବ ଭାରତରେ ହୋଇପାରୁନଥିଲା, ତାହା ଗତ କିଛି ବର୍ଷ ମଧ୍ୟରେ ବିଜେପି ସରକାର ସମୟରେ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଉତ୍ତର-ପୂର୍ବାଞ୍ଚଳ ତଥା ପୂର୍ବୋଦୟ ବିକାଶ ଅଭିଯାନ ପାଇଁ ନିରନ୍ତର ପ୍ରଚେଷ୍ଟା ଚାଲିଛି ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କଲା ବିଜେପି: ଜାଣନ୍ତୁ ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ୍ରଙ୍କୁ ମିଳିଲା କେଉଁ ରାଜ୍ୟ ଦାୟିତ୍ଵ

ନୂଆଦିଲ୍ଲୀ/ଭୁବନେଶ୍ବର: ବିଜେପି ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ଓଡିଶା ସମେତ ଛତିଶଗଡ, ଦିଲ୍ଲୀ, ଆସାମ, ଆନ୍ଧ୍ରପ୍ରଦେଶ, ମଣିପୁର, ବିହାର, ଅରୁଣାଚଳ ପ୍ରଦେଶ ଓ ଆଣ୍ଡାମନ ନିକୋବର ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ବିଜେପି ଓଡିଶା ପାଇଁ ନୂତନ ପ୍ରଭାରୀ ଭାବେ ଡି ପୁରନ୍ଦେଶ୍ୱରୀଙ୍କୁ ଦାୟିତ୍ଵ ଦେଇଛି।

ଅରୁଣ ସିଂହଙ୍କ ବଦଳରେ ପୁରନ୍ଦେଶ୍ୱରୀ ଓଡିଶା ବିଜେପିର ପ୍ରଭାରୀ ଦାୟିତ୍ଵ ନେବେ। ବିଜୟପାଲ ସିଂହ ତୋମରଙ୍କୁ ମଧ୍ୟ ଓଡ଼ିଶା ବିଜେପିର ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଘୋଷଣା କରିଛନ୍ତି। ଓଡ଼ିଶା ସହ ଛତିଶଗଡ଼ ରାଜ୍ୟର ପ୍ରଭାରୀ ଭାବେ ମଧ୍ୟ ଡି ପୁରନ୍ଦେଶ୍ୱରୀଙ୍କୁ ନିଯୁକ୍ତ କରାଯାଇଛି।

ସୂଚନା ଯୋଗ୍ୟ ଯେ, ଡି. ପୁରନ୍ଦେଶ୍ୱରୀ ୨୦୧୯ ମସିହାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ସେ ୨୦୧୪ ମସିହାରେ ବାପତ୍ଲା ଆସନରୁ ନିର୍ବାଚନ ଲଢ଼ି ଲୋକସଭାକୁ ଯାଇଥିଲେ। ଏହି ସମୟରେ ସେ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ। ବର୍ତ୍ତମାନ ସେ ବିଜେପିର ସାଧାରଣ ସମ୍ପାଦକ ଅଛନ୍ତି।

ସେହିପରି ଦୁଇ ଓଡ଼ିଆ ନେତା ବୈଜୟନ୍ତ ପଣ୍ଡା ଓ ଡାକ୍ତର ସମ୍ବିତ ପାତ୍ରଙ୍କୁ ମଧ୍ୟ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ବୈଜୟନ୍ତଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ କରାଯାଇଥିବାବେଳେ ସମ୍ବିତ ପାତ୍ର ମଣିପୁରର ପ୍ରଭାରୀ ଦାୟିତ୍ୱ ସମ୍ଭାଳିବେ। ଏହାସହ ସତ୍ୟା କୁମାରଙ୍କୁ ଆଣ୍ଡାମାନ ଓ ନିକୋବରର, ବି ମୁରଲୀଧରନଙ୍କୁ ଆନ୍ଧ୍ରପ୍ରଦେଶର, ଦିଲ୍ଲୀପ ସୌକିୟାଙ୍କୁ ଅରୁଣାଚଳ ପ୍ରଦେଶର ଏବଂ ଭୁପେନ୍ଦ୍ର ଯାଦବଙ୍କୁ ବିହାରର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନଡ୍ଡାଙ୍କ ଟିମ୍‌ରେ ଚାରି ଓଡ଼ିଆ : ଉପାଧ୍ୟକ୍ଷ ପଦବୀରେ ରହିଲେ ବୈଜୟନ୍ତ, ଅପରାଜିତା ଓ ସମ୍ବିତ ପାତ୍ର  ରାଷ୍ଟ୍ରୀୟ ପ୍ରବକ୍ତା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ର ପଦାଧିକାରୀଙ୍କ ନୂତନ ଟିମ୍ ଘୋଷଣା କରିଛି। ଦଳର ସଭାପତି ଜଗତ ପ୍ରକାଶ ନଡ୍ଡା କିଛି ସମୟ ପୂର୍ବେ ଏହାର ଘୋଷଣା କରିଛନ୍ତି। ଏଥର ବିଜେପିର ନୂତନ ଟିମ୍‌ରେ ସମସ୍ତ ରାଜ୍ୟର ଯୁବକ ଓ ମହିଳାଙ୍କୁ ସୁଯୋଗ ଦିଆଯାଇଛି।

ନଡ୍ଡାଙ୍କ ଟିମ୍‌ରେ 12 ଉପସଭାପତି, 8 ସାଧାରଣ ସଂପାଦକ, 13ରାଷ୍ଟ୍ରୀୟ ସଂପାଦକ ରହିଛନ୍ତି। ନଡ୍ଡାଙ୍କ ଟିମ୍‌ରେ ଚାରି ଓଡିଆଙ୍କୁ ସ୍ଥାନ ମିଳିଛି। ଘୋଷିତ 23 ଜଣିଆ ରାଷ୍ଟ୍ରୀୟ ପ୍ରବକ୍ତା ଓଡିଶାର ସମ୍ବିତ ପାତ୍ର ପୂର୍ବଭଳି ନିଜ ଦାୟିତ୍ଵରେ ଥିବା ବେଳେ ଭୁବନେଶ୍ଵର ସାଂସଦ ଅପରାଜିତ ଷଡଙ୍ଗୀଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ମଧ୍ୟରେ ସ୍ଥାନ ମିଳିଛି। ଘୋଷିତ 13 ରାଷ୍ଟ୍ରୀୟ ସଂପାଦକ ମଧ୍ୟରେ ଓଡିଶାର ମୟୂରଭଞ୍ଜ ସାଂସଦ ବିଶେଶ୍ଵର ଟୁଡୁ ରହିଛନ୍ତି। ସେହିପରି ବୈଜୟନ୍ତ ପଣ୍ଡା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ।

ରମଣ ସିଂହ, ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସିଂ, ରଘୁବର ଦାସ, ମୁକୁଲ ରାୟ, ରେଖା ବର୍ମା, ଅନ୍ନପୂର୍ଣ୍ଣା ଦେବୀ, ଭାରତୀ ବେନ୍‌ ସିୟାଲ୍‌, ଡିକେ ଅରୁଣା, ଏମ୍‌. ଚୌବା ଏଓ, ଅବଦୁଲ୍ଲା କୁଟ୍ଟିଙ୍କୁ ଉପାଧ୍ୟକ୍ଷ ଦାୟିତ୍ବ ମିଳିଛି । ଭୂପେନ୍ଦ୍ର ଯାଦବ, ଅରୁଣ ସିଂହ, କୈଳାସ ବିଜୟବର୍ଗୀୟ, ଦୁଷ୍ୟନ୍ତ ଗୌତମ, ଡି. ପୁରନ୍ଦେଶ୍ଵରୀ, ସିଟି ରବି, ତରୁଣ ଚୁଗ, ଦିଲ୍ଲୀପ ସାଇକିଆଙ୍କୁ ସାଧାରଣ ସଂପାଦକ ଦାୟିତ୍ଵ ଦିଆଯାଇଛି। ବିଏଲ ସନ୍ତୋଷଙ୍କୁ ଗୁରୁତ୍ଵପୂର୍ଣ୍ନ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ଦାୟିତ୍ଵ ଦିଆଯାଇଛି। ବି ସତିଶ, ସୌଦାନ ସିଂହ, ଶିବ ପ୍ରକାଶଙ୍କୁ ସହ ସଂଗଠନ ମହାମନ୍ତ୍ରୀ ଦାୟିତ୍ଵ ଦିଆଯାଇଛି।

ସେହିପରି ରାଜେଶ ଅଗ୍ରଓ୍ବାଲଙ୍କୁ କୋଷାଧ୍ୟକ୍ଷ ଦାୟିତ୍ବ ମିଳିଥିବାବେଳେ ସୁଧୀର ଗୁପ୍ତାଙ୍କୁ ସହ କୋଷାଧ୍ୟକ୍ଷ ଦାୟିତ୍ବ ମିଳିଛି ।

ସେହିପରି ସମ୍ବିତ ପାତ୍ର ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ପଦ ବଜାୟ ରଖିଥିବାବେଳେ 23 ଜଣ ପ୍ରବକ୍ତାଙ୍କ ଭିତରେ ସ୍ଥାନ ପାଇଛନ୍ତି ଅପରାଜିତା ଷଡଙ୍ଗୀ । ଅନିଲ୍‌ ବଲ୍ଲୁନି, ସାହାନାଓ୍ବାଜ୍‌ ହୁସେନ୍‌, ରାଜୀବ ପ୍ରତାପ ରୁଡ୍ଡୀ ରହିଛନ୍ତି ।

କର୍ଣ୍ଣାଟକର ତେଜସ୍ବୀ ସୂର୍ଯ୍ୟା ହେଲେ ବିଜେପି ଯୁବମୋର୍ଚ୍ଚା ଅଧ୍ୟକ୍ଷ । କେ. ଲକ୍ଷଣ ଓବିସି ମୋର୍ଚ୍ଚ ଅଧ୍ୟକ୍ଷ ହୋଇଥିବାବେଳେ ରାଜକୁମାର ଚାହରଙ୍କୁ କୃଷକ ମୋର୍ଚ୍ଚା ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ଲାଲ୍‌ ସିଂ ଆର୍ଯ୍ୟଙ୍କୁ ଏସ୍‌ସି ମୋର୍ଚ୍ଚା ଅଧ୍ୟକ୍ଷ, ସମୀର ଓରାଓଁଙ୍କୁ ଜନଜାତି ମୋର୍ଚ୍ଚା ଅଧ୍ୟକ୍ଷ ଦାୟିତ୍ବ ମିଳିଥିବାବେଳେ ଜମାଲ ସିଦ୍ଧିକି ହେଲେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଅଧ୍ୟକ୍ଷ ।

Categories
ବିଶେଷ ଖବର

ନିରୀହ ଲୋକଙ୍କୁ ବ୍ୟବହାର କରି ଖସିଯିବା ସାମ୍ବାଦିକତା ନୁହେଁ, ନିକୃଷ୍ଟ ଧରଣର ଭୀରୁତା

କେଦାର ମିଶ୍ର

ଗତ କାଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପ ସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ଟୁଇଟର ରେ ଲେଖିଛନ୍ତି ” ନିଜ ଟେଲିଫୋନ କଲ ଅନଲାଇନ ପୋଷ୍ଟ କରିଥିବାରୁ ଓଡିଶା ପୋଲିସ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି, ସେମାନଙ୍କର ଅପରାଧ କଣ? ସେମାନଙ୍କ ମଧ୍ୟରୁ ଜଣେ କରୋନା ଆକ୍ରାନ୍ତ ଥିଲେ ଓ ପ୍ରବଳ ସରକାରୀ ବ୍ୟୟରେ ସେମାନଙ୍କର ମିଛ ଚିକିତ୍ସା ହୋଇଥିବାର ଅଭିଯୋଗ କରିଥିଲେ। ଏହା ଓଡିଶାରେ ଚାଲିଥିବା ବିରାଟ କରୋନା ଘୋଟାଲାରା ସଦ୍ୟତମ ଉଦାହରଣ। ଏ ସମ୍ପର୍କରେ ଅଭିବ୍ୟକ୍ତିର ସ୍ଵାଧୀନତା କଥା ଉଠାଉଥିବା ଲୋକେ କିଛି କହିବେ କି?” ଏତକ ଲେଖିବା ବେଳେ ଶ୍ରୀ ପଣ୍ଡା ବିଲକୁଲ କହିଲେ ନାହିଁ ଯେ ତାଙ୍କ ପରିବାର ଦ୍ଵାରା ପରିଚାଳିତ “ଓ ଟିଭି” ରେ ଏହି ଦୁଇ ବ୍ୟକ୍ତିଙ୍କର ବ୍ୟକ୍ତିଗତ କଥାବାର୍ତ୍ତା ପ୍ରଚାରିତ ହୋଇଥିଲା। ଦୁଇଜଣ ଲୋକ ନିଜ ଭିତରେ ବ୍ୟକ୍ତିଗତ କଥା ହେଲା ବେଳେ ଯାହା କହୁଥିଲେ, ତାହା ଭିତରେ ଖବରର କିଛି ଉପାଦାନ ଅଛି କି ନାହିଁ, ତାକୁ ପରୀକ୍ଷା ନ କରି “ଓ ଟିଭି” ତାକୁ ନିଜର ଡିଜିଟାଲ ସାଇଟରେ ଏକ ପ୍ରମୁଖ ଖବରର ମାନ୍ୟତା ଦେଇଥିଲା। ଏହି ଖବରର ସତ୍ଯାସତ୍ଯ ପଛରେ ଅନେକ ପ୍ରଶ୍ନବାଚୀ ରହିଥିଲେ ମଧ୍ୟ “ଓ ଟିଭି” ବିରୋଧରେ ଭୁବନେଶ୍ଵର ମହାନଗର ନିଗମ ଓ ରାଜ୍ୟ ପୁଲିସ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଥିଲେ ତାକୁ ରାଜ୍ୟର ବହୁ ସାମ୍ବାଦିକ ଓ ବୁଦ୍ଧିଜୀବୀ ନିନ୍ଦା କରିଥିଲେ। ଆମେ ମଧ୍ୟ ଗଣମାଧ୍ୟମ ଉପରେ ପୁଲିସ ହସ୍ତକ୍ଷେପକୁ ନିନ୍ଦା କରିଛୁ। ଓଡିଶାର ସବୁ ବୁଦ୍ଧିଜୀବୀ ଓ ସାମ୍ବାଦିକ ପୋଲିସ ଆକ୍ରୋଶକୁ ନିନ୍ଦା କରୁଥିବା ବେଳେ ‘’ଏ ସମ୍ପର୍କରେ ଅଭିବ୍ୟକ୍ତିର ସ୍ଵାଧୀନତା କଥା ଉଠାଉଥିବା ଲୋକେ କିଛି କହିବେ କି?’’ ବୋଲି ପଚାରିବାର ମାନେ କଣ?

ଶ୍ରୀ ପଣ୍ଡାଙ୍କ ଭଳି ଆମେ ମଧ୍ୟ ପଚାରିବାକୁ ଚାହୁଁ ଯେ ଅନଲାଇନରେ ନିଜ ଟେଲିଫୋନ କଲ ପୋଷ୍ଟ କରିଥିବା ସେ ଦୁଇ ଲୋକଙ୍କର ଅପରାଧ କଣ? ସେମାନଙ୍କୁ ଅପରାଧୀ କଲା କିଏ? ବ୍ୟକ୍ତିଗତ ବନ୍ଧୁତାର କଥାବାର୍ତ୍ତାକୁ ଏକ ବଡ ଖବର ଭାବେ ସାରା ରାଜ୍ୟରେ ଚାଞ୍ଚଲ୍ୟକର ଉପସ୍ଥାପନା କଲା କିଏ? ଯେଉଁମାନଙ୍କ ଟେଲିଫୋନ କଲ ଆଧାରରେ “ଓ ଟିଭି” ଏହି ଖବର ପରିବେଷଣ କରିଥିଲା ସେମାନେ, ଏଥିଲାଗି “ଓ ଟିଭି” କୁ ଅନୁମତି ଦେଇଥିଲେ କି? ଏବେ “ଓ ଟିଭି” କହୁଛି ଏହା ଏକ ଭାଇରାଲ ଅଡିଓ ଟେପ ଥିଲା ଓ ସେଥିରେ ସେମାନଙ୍କର କିଛି ଭୂମିକା ନାହିଁ। ବିନା ସତ୍ୟାସତ୍ୟ ପରୀକ୍ଷାରେ ଯେ କୌଣସି ତଥାକଥିତ ଭାଇରାଲ ଅଡିଓ କ୍ଲିପ ଖବର ହୋଇ ପାରିବ କି?

ଏଠି ଖବର-ଅଖବର ଅପେକ୍ଷା ବଡ ପ୍ରଶ୍ନ ହେଉଛି, ଯିଏ ଖବର ପରିବେଷଣ କଳା, ସେ ଏଥିପାଇଁ ଦୋଷ ଛଡାଇବାକୁ ଉଦ୍ୟମ କରୁଛି କାହିଁକି? ଏହା ଆମର ଖବର ନଥିଲା, ଏହା ଏକ ଭାଇରାଲ ଭିଡିଓ ମାତ୍ର ବୋଲି କହି “ଓ ଟିଭି” କର୍ତ୍ତୃପକ୍ଷ ଏଥିରୁ ଖସିଯିବାର ଉଦ୍ୟମ କରୁଛନ୍ତି। ସାମ୍ବାଦିକତାର ଧର୍ମ ହେଉଛି, ଯାହା ବି ଖବର ଆମେ ପରିବେଷଣ କରିବୁ, ସେଥିଲାଗି ଆମେ ନିଜେ ଉତ୍ତରଦାୟୀ ରହିବୁ। ଆମେ ଯେଉଁ ସୂତ୍ରରୁ ତଥ୍ୟ ପାଇଥିବୁ ସେ ସୂତ୍ରକୁ ସବୁ ପ୍ରକାର ସୁରକ୍ଷା ଯୋଗାଇଦେବୁ ଓ ସୂତ୍ରକୁ କୌଣସି ପ୍ରକାର ବିପଦରେ ପକାଇବୁ ନାହିଁ। ନିଜ ଖବରର ସୂତ୍ରକୁ (Source)କୁ ସୁରକ୍ଷା ଯୋଗାଇ ଦେବାକୁ ଯାଇ ଅନେକ ସାମ୍ବାଦିକ ପ୍ରାଣବଳି ମଧ୍ୟ ଦେଇଛନ୍ତି। ଏ କ୍ଷେତ୍ରରେ “ଓ ଟିଭି” ନିଜ ଚମଡା ବଞ୍ଚାଇବାକୁ ଯାଇ ଦୁଇ ଜଣ ନିରୀହ ଲୋକଙ୍କୁ ପୋଲିସ ହାତରେ ଛାଡି ଦେଇଛି। ବ୍ୟକ୍ତିଗତ ବନ୍ଧୁତାର କଥାବାର୍ତ୍ତା ଯେ ଦୁଇ ଜଣ ବନ୍ଧୁଙ୍କୁ ଜେଲ କୁ ନେଇଯିବ, ଏକଥା ସେମାନେ ଭାବି ନଥିବେ। ସେମାନଙ୍କ ନିରୀହତାକୁ ବ୍ୟବହାର କରି ଓଡିଶାର ସବୁଠୁ ବଡ ଗଣମାଧ୍ୟମ ସଂସ୍ଥା ଆଜି ସେମାନଙ୍କ ପ୍ରତି ଘୋର ଅନ୍ୟାୟ କରିଛି।

ବିନା ଅନୁମତିରେ କୌଣସି ବ୍ଯକ୍ତିର ଟେଲିଫୋନ ରେକର୍ଡିଙ୍ଗ କରିବା ଏକ ଅପରାଧ। ଏଠି ଯେଉଁ ଦୁଇଜଣ କଥାବାର୍ତ୍ତା କରୁଛନ୍ତି ସେଥିରୁ କୋଭିଡ-୧୯ ପୀଡିତ ବ୍ୟକ୍ତି ଜାଣନ୍ତି ନାହିଁ ଯେ ତାଙ୍କ ଟେଲିଫୋନ ରେକର୍ଡ ହେଉଛି। ସେହିପରି କଥାବାର୍ତ୍ତା ହେଉଥିବା ଉଭୟ ବ୍ୟକ୍ତି ଜାଣନ୍ତି ନାହିଁ ଯେ ତାଙ୍କ କଥାବାର୍ତ୍ତା ଏକ ବଡ ଖବରର ଚାଞ୍ଚଲ୍ୟ ତିଆରି କରିବ। ଏଠି ଖବର ତିଆରି କରୁଥିବା ସଂସ୍ଥା ନିଜକୁ ଯେ କୌଣସି ପରିସ୍ଥିତିର ସାମ୍ନା କରିବା ଲାଗି ପ୍ରସ୍ତୁତ ରଖିବା ଉଚିତ। ଯଦି ଖବର କରିବାର ଦମ୍ଭ ଅଛି, ତା ହେଲେ ଖବରକୁ ସୁରକ୍ଷା ଦେବାର ସାହସ ମଧ୍ୟ ଗଣମାଧ୍ୟମର ରହିବା ଦରକାର। ସରକାର ଯଦି ଆକ୍ରୋଶମୂଳକ ଭାବେ କାମ କରିବେ, ତାକୁ ସାମ୍ନା କରିବାର ପ୍ରବଳ ସାହସ ଅତୀତରେ ଅନେକ ଗଣମାଧ୍ୟମ ସଂସ୍ଥା ପ୍ରଦର୍ଶନ କରିଛନ୍ତି। କରୋନା ରିପୋର୍ଟିଂ କରିବାକୁ ଯାଇ ଦେଶର ବହୁ ସାମ୍ବାଦିକ ଏବେ ପୋଲିସ ଅତ୍ୟାଚାରର ସାମ୍ନା କରୁଛନ୍ତି। ଗୁଜରାଟରେ ଏକ ରାଜନୈତିକ ରିପୋର୍ଟିଂ ଯୋଗୁଁ ସେଠାକାର ଜଣେ ସମ୍ବାଦିକଙ୍କୁ ଦେଶଦ୍ରୋହ ଅପରାଧରେ ଗିରଫ କରା ଯାଇଥିଲା। ଉତ୍ତର ପ୍ରଦେଶ ରେ ଏବେ ବହୁ ସାମ୍ବାଦିକଙ୍କ ନାମରେ ମାଳ ମାଳ ମାମଲା ଚାଲିଛି। ଓଡିଶାରେ ସେମିତି କିଛି ଘଟିଲେ, ତାକୁ ସବୁ ସାମ୍ବାଦିକ ମିଳିତ ଭାବରେ ବିରୋଧ କରୁଛନ୍ତି। “ଓ ଟିଭି” ବିରୋଧରେ ସରକାରୀ ଦମନ କୁ କେହି ସମର୍ଥନ କରିବେ ନାହିଁ। ହେଲେ ଯାହାଙ୍କୁ ବ୍ୟବହାର କରି “ଓ ଟିଭି” ଏ ଖବର ତିଆରି କରିଥିଲା, ସେମାନଙ୍କୁ “ଭାଇରାଲ” ବାହାନାରେ ଅପରାଧୀ ସଜାଇବା ଅତ୍ୟନ୍ତ ନିନ୍ଦନୀୟ କଥା। ଏହି ଘଟଣାକ୍ରମରେ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ଵଜିତ ମହାନ୍ତି “ଓ ଟିଭି” ର ଖବର ସୂତ୍ର। ସେଥିଲାଗି ସେମାନଙ୍କୁ ଅପରାଧୀ ବୋଲି ବିବେଚନା କରିବା ଅନୈତିକ। ଏହି ଖବର କୁ “ଓ ଟିଭି” ନିଜର ବୋଲି ମାନିବାର ଓ ନିଜ ଖବର ସହିତ ଠିଆ ହେବାର ସତସାହସ “ଓ ଟିଭି” ପ୍ରଦର୍ଶନ କରିବା ଉଚିତ।