Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୫ରେ ଏନସିଏସସିଡିଏ ପକ୍ଷରୁ ସ୍ବତନ୍ତ୍ର ନିଯୁକ୍ତି ମେଳା

ଭୁବନେଶ୍ବର: ଉଭୟ ଦିବ୍ୟାଙ୍ଗ ଏବଂ ଅଣ ଦିବ୍ୟାଙ୍ଗ ନିଯୁକ୍ତି ଆଶାୟୀଙ୍କ ଲାଗି ଭୁବନେଶ୍ବରସ୍ଥିତ ଏନସିଏସସିଡିଏ (ଦିବ୍ୟାଙ୍ଗଜନଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର) ପକ୍ଷରୁ ଏକ ସ୍ବତନ୍ତ୍ର ନିଯୁକ୍ତି ମେଳା ଅୟୋଜନ କରାଯିବ। ଆସନ୍ତା ୧୫ ତାରିଖରେ ବିଭିନ୍ନ ବର୍ଗରେ ୨୫୦ଟି ପଦବୀ ପାଇଁ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଭୁବନେଶ୍ବର ପୋଖରୀପୁଟ ଗଣ୍ଡମୁଣ୍ଡାସ୍ଥିତ (ମଧୁସୂଦନ ପାର୍କ ସମ୍ମୁଖ) ଏନସିଏସସିଡିଏ ମୁଖ୍ୟ କାର୍ଯ୍ୟାଳୟରେ ସକାଳ ୯ଟା ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତାଧାରୀ ପ୍ରାର୍ଥୀମାନେ ଭାଗ ନେଇପାରିବେ।

ୱେବ ଡେଭଲପମେଣ୍ଟ, ସେଲ୍ସ, ଟେଲି ସେଲ୍ସ, ସର୍ଭିସ ଇଞ୍ଜିନିୟର, ଗ୍ରାହକ ସେବା, ଲଜିଷ୍ଟିକ୍ସ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯିବ । ମାଟ୍ରିକ ପାସ ଠାରୁ ଆରମ୍ଭ କରି ଯୁକ୍ତ ଦୁଇ, ସ୍ନାତକ, ଏମବିଏ, ଆଇଟିଆଇ ଏବଂ ଡିପ୍ଲୋମା ନିଯୁକ୍ତିଧାରୀମାନେ ଏସବୁ ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଦିବ୍ୟାଙ୍ଗ ବର୍ଗରେ ନିଯୁକ୍ତି ଆଶାୟୀମାନେ ଚଳନ ଅକ୍ଷମତା (ଏଲଡି) ଏବଂ ବାକ୍‌ ଓ ଶ୍ରବଣଶକ୍ତି ହୀନ ଦିବ୍ୟାଙ୍ଗମାନେ ଏଥିରେ ଭାଗ ନେଇପାରିବେ।

ସମସ୍ତ ନିଯୁକ୍ତି ଆଶାୟୀ ପ୍ରାର୍ଥୀମାନେ ସବୁ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଆଧାର କାର୍ଡ, ପାସପୋର୍ଟ ଫଟୋ, ଦିବ୍ୟାଙ୍ଗ ପ୍ରମାଣପତ୍ର ଏବଂ ବାୟୋଡେଟା ସହିତ ଆବେଦନ କରିପାରିବେ। ନିଯୁକ୍ତି ମେଳା ସମ୍ପର୍କରେ ଅଧିକ ସୂଚନା ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନେ ୦୬୭୪-୨୩୫୨୩୧୭ ନମ୍ବରରେ ଯୋଗାଯୋଗ କରିବା ଲାଗି ଏନସିଏସସିଡିଏ ପକ୍ଷରୁ ଅନୁରୋଧ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

BREAKING: ବର୍ଷାରେ ଭାସିବ କଟକ ଭୁବନେଶ୍ବର, ଚେତାବନୀ ଦେଲା ପାଣିପାଗ ବିଭାଗ

ଭୁବନେଶ୍ବର: କଟକ ଭୁବନେଶ୍ବର ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏ ନେଇ ସତର୍କ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ। ଏଥିରେ କୁହାଯାଇଛି ଯେ, ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହି ସତର୍କ କରାଯାଇଛି। ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବ। କେତେକ ସ୍ଥାନରେ ଘଡଘଡି ସହିତ ବର୍ଷା ହେବ। ହେଲେ ପ୍ରାୟ ଦୁଇ ତିନୋଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି।

ଏ ନେଇ ପାଣିପାଗ ବିଭାଗ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ଅବଗତ କରାଇଛନ୍ତି। ଏଥିରେ କୁହାଯାଇଛି ଯେ, ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ କଟକ ଭୁବନେଶ୍ବରର ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏହାଦ୍ବାରା ଟ୍ରାଫିକ ବ୍ୟବସ୍ଥା ପ୍ରଭାବତି ହୋଇପାରେ ଏବଂ ବିଭିନ୍ନ ସ୍ଥାନରେ ପାଣି ଜମିବାର ସମ୍ଭାବନା ରହିଛି ବୋଲି ସତର୍କ କରାଯାଇଛି। ସେହିପରି ରାସ୍ତାରେ ଥିବା ମ୍ୟାନହୋଲ ଏବଂ ବିଦ୍ୟୁତ ତାର ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଉପର ମୁହାଁ କରୋନା ଗ୍ରାଫ: ଭୁବନେଶ୍ବରରେ ଆଜିଠାରୁ କଡାକଡି ହେବ କୋଭିଡ କଟକଣା

ଭୁବନେଶ୍ୱର: ପୁଣିଥରେ ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି। ଆଜି ରାଜ୍ୟରେ ୫୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧାରୁ ୨୧୯ ଜଣ ପଜିଟିଭ ହୋଇଛନ୍ତି। ତେବେ ଖୋର୍ଦ୍ଧାରେ ଦ୍ରୁତ ସଂକ୍ରମଣକୁ ଦେଖି ଭୁବନେଶ୍ଵର ମହାନଗର ନିଗମ ତତ୍ପରତା ଦେଖାଇଛି। ତେଣୁ ବିଏମସି ପକ୍ଷରୁ କରୋନା କଟକଣାକୁ ପୁଣିଥରେ କଡାକଡି କରିବାକୁ ଆଗେଇ ଆସିଛି।

ଏହିପ୍ରରିପ୍ରେକ୍ଷୀରେ ଆଜିଠାରୁ ରାଜଧାନୀରେ କୋଭିଡ ଗାଇଡଲାଇନକୁ କଡ଼ାକଡ଼ି କରିବା ପାଇଁ ନିଷ୍ପତ୍ତି ନେଇଛି। ଭୁବନେଶ୍ୱରରେ ସମସ୍ତ ସପିଂମଲ୍ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଶତ ପ୍ରତିଶତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ପ୍ରତି ବ୍ୟାବସାୟିକ ପ୍ରତିଷ୍ଠାନରେ କୋଭିଡ ମନିଟରିଂ ଅଧିକାରୀ ରହିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଟ, ବଜାର, ସପିଂ ମଲ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଭିଡ ନକରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଏନସିଏସସିଡିଏ ପକ୍ଷରୁ ଆସନ୍ତା ୨୪ରେ ଆୟୋଜିତ ହେବ ନିଃଶୁଳ୍କ ନିଯୁକ୍ତି ମେଳା

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ଦିବ୍ୟାଙ୍ଗଜନଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନସିଏସସିଡିଏ) ପକ୍ଷରୁ ଏକ ନିଃଶୁଳ୍କ ନିଯୁକ୍ତି ମେଳା ଆୟୋଜନ କରାଯିବ। ଆସନ୍ତା ୨୪ ତାରିଖରେ ଭୁବନେଶ୍ବର ପୋଖରୀପୁଟ ଗଣ୍ଡମୁଣ୍ଡା ଠାରେ ଥିବା ମଧୁସୂଦନ ପାର୍କ ନିକଟବର୍ତ୍ତୀ ଏନସିଏସସିଡିଏ କାର୍ଯ୍ୟାଳୟ ପରିସରରେ ଏହି ନିଯୁକ୍ତି ମେଳା ଆୟୋଜନ କରାଯିବ।  ଏଥିରେ ୫ରୁ ଅଧିକ କମ୍ପାନୀ ଏବଂ ଫାର୍ମ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ନିଯୁକ୍ତି ମେଳାରେ ସେଲ୍ସ ଏଗ୍‌ଜିକ୍ୟୁଟିଭ, ଟେଲିକଲର, ରିଲେସନଶିପ ଅଫିସର, ମାର୍କେଟିଂ ଏଗଜିକ୍ୟୁଟିଭ, ଫ୍ରଣ୍ଟ ଅଫିସ ଏଗଜିକ୍ୟୁଟିଭ, ଫିଲ୍ଡ କ୍ରେଡିଟ୍‌ ଅଫିସର, ସିଏନସି ମେସିନ ଅପରେଟର ଆଦି ପଦବୀ ପାଇଁ ପାଖାପାଖି ୨୦୦ ପଦବୀରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ।

ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରର କପି, ଆଧାର କାର୍ଡ, ପାସପୋର୍ଟ ସାଇଜ୍‌ ଫଟୋ ସହିତ ବାୟୋଡାଟା ନେଇ ପ୍ରାର୍ଥୀମାନେ ଏହି ମାଗଣା ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିବା ନିମନ୍ତେ ଏନସିଏସସିଡିଏ ପକ୍ଷରୁ ଆମନ୍ତ୍ରଣ କରାଯାଇଛି । ନିଯୁକ୍ତି ମେଳା ସମ୍ପର୍କରେ ଅଧିକ ଜାଣିବା ଲାଗି ଇଚ୍ଛୁକ ପ୍ରାର୍ଥୀ ୦୬୭୪-୨୩୫୨୩୧୭ ନମ୍ବରରେ ଯୋଗାଯୋଗ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର

ଭୁବନେଶ୍ବର ଠାରେ ଆୟୋଜନ ହେବ ଜାତୀୟ ଖଣିଜ କଂଗ୍ରେସ

ଭୁବନେଶ୍ବର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୨୭ ଓ ୨୮ ତାରିଖରେ ଭୁବନେଶ୍ବର ଓ ଅନୁଗୁଳ ଠାରେ ଜାତୀୟ ଖଣିଜ କଂଗ୍ରେସ ଏବଂ କୋଇଲା ବାଷ୍ପୀକରଣ କାରଖାନା ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଖଣିଜ କଂଗ୍ରେସ କାର୍ଯ୍ୟକ୍ରମକୁ କୋଇଲା ସଚିବ ତଥା ବିଶ୍ବ ଖଣିଜ କଂଗ୍ରେସର ଭାରତୀୟ ଜାତୀୟ କମିଟି (ଆଇଏନସି ଡବ୍ଲୁଏମସି)ର ଅଧ୍ୟକ୍ଷ ଡକ୍ଟର ଅନୀଲ କୁମାର ଜୈନ ଉଦଘାଟନ କରିବେ। ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ, ସିଆଇଏଲ, ଏନଏଲସିଆଇଏଲର ନିର୍ଦ୍ଦେଶକଗଣଙ୍କ ଭଳି ଶିଳ୍ପ ବିଶେଷଜ୍ଞଙ୍କ ସମେତ ବିଏଚଇଏଲ, ଇଆଇଏଲ, ସିଆଇଏମଏଫଆର, ଏୟାର ପ୍ରଡକ୍ଟର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରିବେ।

ଏହି କଂଗ୍ରେସରେ ସିଆଇଏଲ ଏବଂ ଏହାର ସହାୟକ କମ୍ପାନୀ, ବିଏଚଇଏଲ, ଏସସିସିଏଲ, ଏନଏଲସିଆଇଏଲ, ହିଣ୍ଡାଲକୋ, ବେଦାନ୍ତ, ଏଚସିଏଲ, ନାଲକୋ, ଟାଟା ଷ୍ଟିଲ, ଜେଏସପିଏଲ, ଇପିଆଇଆରଓସି, ଗେନ୍‌ୱେଲ୍‌, ଇଆଇଏଲ, ଏସଟିଏମ କନଷ୍ଟ୍ରକ୍ସନ, ସୀନାଟା ବାୟୋ, ଏୟାର ପ୍ରଡକ୍ଟ ଏବଂ ଅନ୍ୟାନ୍ୟ ୨୦ରୁ ଅଧିକ କମ୍ପାନୀର ବିଶେଷଜ୍ଞମାନେ ମଧ୍ୟ ଏହି କଂଗ୍ରେସରେ ଅଂଶଗ୍ରହଣ କରିବେ।

ମେ ୨୮ ତାରିଖ ୨୦୨୨ରେ ପେସାଦାରମାନେ ଅନୁଗୁଳସ୍ଥିତ କୋଇଲା ବାଷ୍ପୀକରଣ କାରଖାନା ପରିଦର୍ଶନ କରିବେ। ଏହା ଭାରତରେ ସେମାନଙ୍କୁ କୋଇଲା ବାଷ୍ପୀକରଣ କାରଖାନା ପ୍ରତିଷ୍ଠା କରିବା ଲାଗି ପ୍ରାରମ୍ଭିକ ଜ୍ଞାନ ଦେବାରେ ସହାୟକ ହେବ। ବାଷ୍ପୀକରଣ କାରଖାନା ପରିଚାଳନା ସମ୍ପର୍କରେ ମଧ୍ୟ ସେମାନେ ଜ୍ଞାନ ଆହରଣ କରିପାରିବେ।

ନିମ୍ନ ପ୍ରମୁଖ ଉପବିଷୟକୁ ଆଧାର କରି କଂଗ୍ରେସ କାର୍ଯ୍ୟକ୍ରମ ଆୟୋଜନ କରାଯିବ:

  1. ଖଣିଜ ଉତ୍ତୋଳନ କ୍ଷେତ୍ରରେ ପ୍ରଯୁକ୍ତିର ଉପଯୋଗ
  2. ଆଲୁମିନିୟମ ଓ ଇସ୍ପାତ କ୍ଷେତ୍ରରେ ରହିଥିବା ସମସ୍ୟା
  3. କୋଇଲା ବାଷ୍ପୀକରଣ ଏବଂ କୋଇଲାରୁ ହାଇଡ୍ରୋଜେନ ପାଇଁ ରୋଡମ୍ୟାପ

କେନ୍ଦ୍ର ସରକାର ପ୍ରଯୁକ୍ତିର ଉପଯୋଗ ଏବଂ କୋଇଲା ବାଷ୍ପୀକରଣ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଏହି ସଂକଳ୍ପକୁ ସାକାର କରିବା ଲାଗି, କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ କୋଇଲା ବାଷ୍ପୀକରଣ ମିଶନ ପାଇଁ ଦସ୍ତାବିଜ ଉନ୍ମୋଚନ କରାଯାଇଛି । ଅନୁରୂପ ଭାବେ ଅଂଶୀଦାରମାନଙ୍କ ସହିତ ବ୍ୟାପକ ବିଚାର ବିମର୍ଶ ପରେ ବିଗତ ୬ ମାସ ମଧ୍ୟରେ କୋଇଲାରୁ ହାଇଡ୍ରୋଜେନ ଓ ପ୍ରଯୁକ୍ତିର ବ୍ୟବହାର ନିମନ୍ତେ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି ।

ଆଇଏନସି ଡବ୍ଲୁଏମସି ଦ୍ବାରା ଜାତୀୟ ଖଣିଜ କଂଗ୍ରେସ ଆୟୋଜନ କରାଯାଉଛି । ଏହାର ମୂଳ ଲକ୍ଷ୍ୟ ହେଉଛି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଚାର ବିମର୍ଶ, ଆଲୋଚନା, ମତ ବିନିମୟ କରିବା । ଫଳରେ ଉପଯୁକ୍ତ ଭାବେ ନିର୍ଦ୍ଧାରିତ ହୋଇଥିବା ଏସବୁ ପ୍ରସଙ୍ଗର ସମାଧାନ ପାଇଁ ମାର୍ଗ ଓ ମାଧ୍ୟମ ମିଳିପାରିବ ।

ବିଶ୍ବ ଖଣିଜ କଂଗ୍ରେସର ଭାରତୀୟ ଜାତୀୟ କମିଟି (ଆଇଏନସି ଡବ୍ଲୁଏମସି) ମିଳିତ ଜାତିସଂଘ ଅନୁବନ୍ଧିତ ଏକ ସଂଗଠନ ବିଶ୍ବ ଖଣିଜ କଂଗ୍ରେସର ମାନ୍ୟତାପ୍ରାପ୍ତ ସଂଗଠନ ଭାବେ ଖ୍ୟାତି ଲାଭ କରିଛି । ଭାରତୀୟ ଖଣିଜ କ୍ଷେତ୍ର ଉପରେ ଗୁରୁତ୍ବାରୋପ କରି ଖଣିଜ ଖନନ ଓ ଖଣିଜ କ୍ଷେତ୍ରର ବିକାଶକୁ ପ୍ରୋତ୍ସାହନ ଓ ଅଭିବୃଦ୍ଧି ଲକ୍ଷ୍ୟ ନେଇ ଏହି ସଂଗଠନ କାର୍ଯ୍ୟ କରିଥାଏ ।

କେନ୍ଦ୍ର କ୍ୟାବିନେଟଙ୍କ ଅନୁମୋଦନ ଲାଭ କରିବା ପରେ ଏହି ସଂଗଠନ ସୋସାଇଟିଜ୍‌ ରେଜିଷ୍ଟ୍ରେସନ ଆଇନ ଅଧୀନରେ ୨୦୧୬ରେ ପଞ୍ଜିକୃତ ହୋଇଛି । କୋଇଲା ମନ୍ତ୍ରଣାଳୟ ଏହାର ପୃଷ୍ଠପୋଷକ ଥିବା ବେଳେ କୋଇଲା ସଚିବ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ଶକ୍ତି, ଇସ୍ପାତ ଓ ଖଣି ସଚିବ ସଂଗଠନର ସହଅଧ୍ୟକ୍ଷ ରହିଛନ୍ତି । ବିଭିନ୍ନ ଶିକ୍ଷାନୁଷ୍ଠାନ ବ୍ୟତୀତ, ଖଣିଜ କ୍ଷେତ୍ରରେ ନିୟୋଜିତ ପେସାଦାରମାନେ ଏହି ସମିତିର ସଚିବ ଅଛନ୍ତି ଏବଂ ସିଆଇଏଲର ଅଧ୍ୟକ୍ଷ ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିଥାନ୍ତି ।

କୋଭିଡ ପରେ, ୨୦୨୧ରେ ଏହାର କାର୍ଯ୍ୟକଳାପରେ ସଂଶୋଧନ ଅଣାଯାଇଛି ଏବଂ ସେବେଠାରୁ ସମିତି ଦ୍ବାରା ପ୍ରଥମ ଥର ପାଇଁ ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଞ୍ଚଳିକ

ରୋଟାରୀ କ୍ଲବ୍ ଅଫ୍ ଫେଲୋସିପ୍ ଭୁବନେଶ୍ବର ପକ୍ଷରୁ ଚାର୍ଟର୍ ପ୍ରେଜେଣ୍ଟେସନ୍ ଓ ପ୍ରଥମ ପ୍ରତିଷ୍ଠା ସମାରୋହ

ଭୁବନେଶ୍ବର: ସ୍ଥାନୀୟ ନୟାପଲ୍ଲୀସ୍ଥିତ ଉତ୍କଳ ଚାମ୍ବର୍ ଅଫ୍ କମର୍ସର ସମ୍ମିଳନୀ କକ୍ଷରେ ରୋଟାରୀ କ୍ଲବ୍ ଅଫ୍ ଫେଲୋସିପ୍ ଭୁବନେଶ୍ବର ପକ୍ଷରୁ ଚାର୍ଟର୍ ପ୍ରେଜେଣ୍ଟେସନ୍ ଓ ପ୍ରଥମ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଗତ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ବନ୍ଦେ ଉତ୍କଳ ଜନନୀ ଗାନ ସହିତ ଆରମ୍ଭ ହୋଇଥିଲା ଓ ପରେ ରୋଟାରୀର ପ୍ରତିଷ୍ଠାତା ପଲ୍ ପି. ହାରିସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ଏହାପରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର୍ ଶାନ୍ତନୁ କୁମାର ପାଣି ଚାର୍ଟର୍ ପ୍ରେସିଡେଣ୍ଟ୍ ବିମ୍ବାଧର ବେହେରାଙ୍କୁ ଚାର୍ଟର୍ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ।

ସମାରୋହରେ ନୂତନ କ୍ଲବ୍ ଉପଦେଷ୍ଟା ସୌମ୍ୟରଂଜନ ମିଶ୍ର, ଚାର୍ଟର୍ ସେକ୍ରେଟାରୀ ଗିରୀଶ ପ୍ରସାଦ ମିଶ୍ର, ରୋଟାରିଆନ୍ ନରେନ୍ଦ୍ର କୁମାର ମିଶ୍ର, ଅଶ୍ବିନୀ କର, ରବିନାରାୟଣ ନନ୍ଦ, ଶିବବ୍ରତ ରଥ, ପ୍ରବୁଦତ୍ତ ସୁବୁଦ୍ଧି, ଜୟଶ୍ରୀ ମହାନ୍ତି, ଡିଷ୍ଟ୍ରିକ୍ଟ ସେକ୍ରେଟାରୀ ଜେନେରାଲ୍ ମନୋଜ କୁମାର ତ୍ରିପାଠୀ, ଶିବ ପ୍ରସାଦ ଦାସ୍ ଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ସାମିଲ୍ ହୋଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଏସଟିଏଫ ଓ ପୋଲିସର ମିଳିତ ଚଢ଼ାଉ: ୧୨୮୦ ବୋତଲ ବେଆଇନ କଫ ସିରପ ଜବତ

ଭୁବନେଶ୍ବର: ଆଜି ବେଆଇନ ଔଷଧ ଚାଲାଣ ବେଳେ ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡ ନିକଟରେ ଏସଟିଏଫ ଓ କମିଶନେରେଟ ପୋଲିସ ମିଳିତ ଚଢ଼ାଉ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଖବର ମୁତାବକ ବରମୁଣ୍ଡାରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନିଷେଧ ହୋଇଥିବା ଔଷଧ ବହୁ ମାତ୍ରାରେ ଚୋରାଚାଲାଣ ହେଉଥିବାର ଖବର ପାଇଥିଲା ଏସଟିଏଫ। ଏହି ପରିପ୍ରେକ୍ଷୀରେ ଆଜି କମିଶନେରେଟ ପୋଲିସ ଓ ଏସଟିଏଫ ଉକ୍ତ ସ୍ଥାନରେ ମିଳିତ ଚଢ଼ାଉ କରିଥିଲେ।

ଚଢ଼ାଉ ସମୟରେ ଉଭୟ ବିଭାଗ ୧୨୮୦ ବୋତଲ କୋଡିନ ଫସଫେଟ ଏବଂ କ୍ଲୋରୋଫେନାରମିନ ମାଲେଟ ମିଶ୍ରିତ ଥିବା ‘ଏସକଫ’ ନାମକ ବେଆଇନ କଫ ସିରପ, ଗୋଟିଏ ବାଇକ ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତ ଜଣକ ହେଲେ ପୁରି ଜିଲ୍ଲା ଗୋପ ଥାନା ଅଞ୍ଚଳର ପଦ୍ମଲାଭ ବେହେରା।  ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଭରତପୁର ଥାନାରେ କେଶ ନମ୍ବର ୧୮୩/୨୨ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

Categories
ବିଶେଷ ଖବର

ୟୁକ୍ରେନ୍‌ରୁ ଫେରିଲେ ୭୭ ଓଡିଆ ଛାତ୍ରଛାତ୍ରୀ: ବିମାନବନ୍ଦରରେ ପିଲାଙ୍କ ଓ ପରିବାରର ଖୁସିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୀର୍ଘ ୧୨ ଦିନର ଉତ୍କଣ୍ଠା ଓ ଆଶଙ୍କାର ଆଜି ଅନ୍ତ ଘଟିଛି। ୟୁକ୍ରେନ୍‌ରେ ପଢୁଥିବା ଓଡିଆ ଛାତ୍ରଛାତ୍ରୀଙ୍କ ପରିବାର ପାଇଁ ଆଣିଛି ଆଶ୍ବସ୍ତି। ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନ୍‌ରେ ପାଠ ପଢୁଥିବା ୭୭ ଓଡିଆ ଛାତ୍ରଛାତ୍ରୀ ଆଜି ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି।

ଓଡିଶା ଫେରିଆସିଥିବା ଛାତ୍ରଛାତ୍ରୀ ମାନଙ୍କ ପରିବାରର ଏହି ଆନନ୍ଦମୟ ମୁହୂର୍ତ୍ତରେ ବିମାନବନ୍ଦରରେ ସେମାନଙ୍କ ସହ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ସ୍ବତନ୍ତ୍ର ବିମାନ ଆଜି ନୂଆଦିଲ୍ଲୀରୁ ୭୭ଜଣ ଓଡିଆ ଛାତ୍ରଛାତ୍ରୀଙ୍କୁ ନେଇ ସଂଧ୍ୟା ୦୫.୩୦ ମିନିଟରେ ଭୁବନେଶ୍ବରରେ ପହଞ୍ଚିଥିଲା। ଯୁଦ୍ଧ ଅଞ୍ଚଳରୁ ଫେରିଆସିଥିବା ପିଲାମାନଙ୍କୁ ପାଖରେ ପାଇ ବାପା ମାଙ୍କ ଆଖିରୁ ଝରିପଡିଥିଲା ଆନନ୍ଦର ଅଶ୍ରୁ। ହୃଦୟରେ ଆସିଥିଲା ଆଶ୍ବସ୍ତି। ପିଲାମାନଙ୍କ ନିରାପଦ ଉଦ୍ଧାର ପାଇଁ ସେମାନେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନିଜେ ବିମାନବନ୍ଦରେ ଉପସ୍ଥିତ ରହି ପିଲାମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ସେମାନେ ଆଗକୁ ଯେପରି ପାଠ ପଢିପାରିବେ, ସେଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ବସନା ଦେଇଥିଲେ।

ସୂଚନାଯୋଗ୍ୟ ଯେ ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନରୁ ପିଲାମାନଙ୍କୁ ଉଦ୍ଧାର କରିବାପାଇଁ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିଥିଲେ। ଦୁଇଟି ବସ୍‌ ଯୋଗେ ସେମାନଙ୍କୁ ଯୁଦ୍ଧ ଅଂଚଳରୁ ନିରାପଦ ଉଦ୍ଧାର କରାଯାଇଥିଲା। ଏତଦ୍‌ ବ୍ୟତୀତ ସେମାନଙ୍କ ପାଠପଢାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ଦେଶର ମେଡିକାଲ କଲେଜରେ ସେମାନଙ୍କ ପାଠପଢା ପାଇଁ ବ୍ୟବସ୍ଥା କରିବାପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଏବଂ ଏ ଦିଗରେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହି ପିଲାମାନଙ୍କ ସହିତ ଆଲୋଚନା କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଭୁବନେଶ୍ବରର ଧର୍ମାନୁଷ୍ଠାନ ଦର୍ଶନ କଟକଣା ହେଲା କୋହଳ

ଭୁବନେଶ୍ବର: ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଦର୍ଶନ ପାଇଁ ବିଏମସ କଟକଣାକୁ କୋହଳ କରିଛି। ଏଣିକି ଆଉ କୋଭିଡ ପ୍ରମାଣପତ୍ରର ଆବଶ୍ୟକତା ନାହିଁ ବୋଲି ଘୋଷଣା କରିଛି ବିଏମସି। ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ପୂର୍ବରୁ ରାଜଧାନୀର ଧର୍ମାନୁଷ୍ଠାନ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ଦୁଇ ଡୋଜ କୋଭିଡ ପ୍ରମାଣ ପତ୍ର ବାଧ୍ୟତାମୂଳକ କରାଯାଇଥିଲା। ହେଲେ ବର୍ତ୍ତମାନର କରୋନା ପରିସ୍ଥିତିକୁ ଦେଖି ଏହି କଟକଣାକୁ ଉଠାଇ ଦିଆଯାଇଛି।

ତେବେ ଧର୍ମାନୁଷ୍ଠାନ କର୍ତ୍ତୁପକ୍ଷ କରୋନା ପାଇଁ ଥିବା ଅନ୍ୟ କଟକଣାକୁ ଲାଗୁ କରିବା ପାଇଁ କହିଛନ୍ତି। ଯେପରି ମାସ୍କ ପିନ୍ଧିବା, ସାଇନଟାଇଜର ବ୍ୟବହାର କରିବା ପ୍ରଭୃତି ରହିଛି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ୨୯ ନଂ ଜୋନରେ କଂଗ୍ରେସର ମାରାଥନ ପ୍ରଚାର

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ୨୯ ନଂ ଜିଲ୍ଲା ପରିଷଦ ଜୋନରେ କଂଗ୍ରେସର ମାରାଥନ ପ୍ରଚାର କରାଯାଇଛି । ଉକ୍ତ ଜୋନର କଂଗ୍ରେସ ପ୍ରାର୍ଥୀ ପ୍ରଶନ୍ନ ଦାସ ସପକ୍ଷରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ କୋରଡ଼କଂଟା ଗ୍ରାମରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ବିଜେପି ଓ ବିଜେଡ଼ିର କଳା ଶାସନ ବିରୋଧରେ ଘରକୁ ଘର ଯାଇ ଜନସାଧାରଣଙ୍କୁ କହିବା ସହ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ଭୋଟ ଦେଇ ସ୍ୱଚ୍ଛ ନିର୍ମଳ ଶାସନ ଆଣିବା ପାଇଁ ଅନୁରୋଧ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟୀକା ପ୍ରାର୍ଥିନୀ ରଶ୍ମି ମହାପାତ୍ର, ପିସିସି ମୁଖପାତ୍ର ରଜନୀ ମହାନ୍ତି, ବ୍ଲକ ସଭାପତି ମିହିର ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ବେଣୁଧର ପାତ୍ର, ଉପସଭାନେତ୍ରୀ ଶୁଭଦ୍ରା ମିଶ୍ର, ବରିଷ୍ଠ କଂଗ୍ରେସ ନେତା ମୋହନ ଗାନ୍ଧୀ, କ୍ଷୀରୋଦ ବେହେରା, ସରୋଜ ମହାନ୍ତି, ଦେବୀପ୍ରସାଦ ସ୍ୱାଇଁ, ସେକ ତାକୁୱିନ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର: ଆସନ୍ତା ୧୨ ରୁ ଖୋଲିବ ରାଜଧାନୀର ସବୁ ଧର୍ମାନୁଷ୍ଠାନ

ଭୁବନେଶ୍ବର: ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର ମିଳିଛି। ରାଜ୍ୟ ରାଜଧାନୀରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି। କୋଭିଡ ଗାଇଡଲାଇନ ଅନୁଯାୟୀ ରାଜଧାନୀ ଭୁବନେଶ୍ଵରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ହୋଇଛି। ଉଭୟ ଡୋଜ ନେଇଥିବା ଲୋକଙ୍କୁ ଧର୍ମାନୁଷ୍ଠାନରେ ପ୍ରବେଶ ପାଇଁ ଅନୁମତି ମିଳିପାରିବ। ସେଥିପାଇଁ ଟୀକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି।

ତେବେ ଲିଙ୍ଗରାଜ ମନ୍ଦିରକୁ ଏକାଥରକେ ୧୦୦ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି। ହେଲେ କୌଣସି ମନ୍ଦିରର ଗର୍ଭଗୃହକୁ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ ନାହିଁ। ଭୁବନେଶ୍ଵରର ସମସ୍ତ ଧର୍ମାନୁଷ୍ଠାନରେ ସମାନ ମାର୍ଗଦର୍ଶିକା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କରୋନା କଟକଣା: ଚଳିତ ବର୍ଷ ହେବନି ଖଣ୍ଡଗିରି ମେଳା

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ଏଯାଏଁ ବିପଦ ଟଳିନି। ଖୋର୍ଦ୍ଧା ଜିଲ୍ଲା ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର କଟକଣାକୁ ସଂପୂର୍ଣ୍ଣ ଭାବେ କୋହଳ କରୁନାହାନ୍ତି। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଚଳିତ ବର୍ଷ ମଧ୍ୟ ଭୁବନେଶ୍ବର ଖଣ୍ଡଗିରି ମେଳା ଉପରେ ରୋକ ଲାଗିଛି। ଖଣ୍ଡଗିରି ମେଲାରେ ଜନ ସମାବେଶ ଉପରେ କଟକଣା ଲାଗିଛି। ବିଭିନ୍ନ ସ୍ଥାନରୁ ଆସୁଥିବା ସାଧୁସନ୍ଥଙ୍କୁ ମଧ୍ୟ ଏହି ମେଳାରେ ଅନୁମତି ମିଳିବ ନାହିଁ। ଏନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସଂପର୍କରେ ବିଶ୍ଵ ପ୍ରସିଦ୍ଧ ଡାକ୍ତର ଜମାଲ ଏ ଖାନ୍‌ଙ୍କ ସୂଚନା

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଏକ ସେମିନାରକୁ ସମ୍ବୋଧିତ କରି ବିଶ୍ଵ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅଚାନକ ମୁଣ୍ଡ ବୁଲାଇବା, ବାନ୍ତି ହେବା, ପେଟ ଯନ୍ତ୍ରଣା ଓ ଦୃଷ୍ଟିଶକ୍ତିରେ ପରିବର୍ତ୍ତନ ଆଦି ସମସ୍ୟା ଆସିଲେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଯେତେ ଶୀଘ୍ର ସମ୍ଭବ ମସ୍ତିଷ୍କର MRI SCAN କରାଇନେବା ଉଚିତ।

MRI SCAN ଦ୍ବାରା ମସ୍ତିଷ୍କରେ ଆରମ୍ଭ ହେଉଥିବା ଅନେକ ରୋଗର କାରଣ ଓ ଏହାର ଉପଶମ ଉପାୟ ବାହାର କରାଯାଇ ପାରିବ। ଏହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ମସ୍ତିଷ୍କ ରୋଗ ଆରୋଗ୍ୟସାଧ୍ୟ।

ଡକ୍ଟର ଜମାଲ ଏ ଖାନ କହିଛନ୍ତି ଯେ ଲଣ୍ଡନରେ ରହୁଥିବା କିଛି ରୋଗୀ ତାଙ୍କ ପାଖକୁ ଆସିଥିଲେ। ସେହି ରୋଗୀଙ୍କର ସେ ଚିକିତ୍ସା କରାଇଥିଲେ ଏବଂ ସେମାନେ ସୁସ୍ଥ ହୋଇ ଚାଲିଯାଇଥିଲେ। ଏବେ ସେମାନେ ସ୍ବାଭାବିକ ଜୀବନଯାପନ କରୁଛନ୍ତି।

ସେ କହିଛନ୍ତି ଯେ ୧୫ରୁ ୧୬ ବର୍ଷ ବୟସରେ ପିଲାମାନେ ଏକ ପ୍ରକାର ହାଡ଼ ରୋଗରେ ଆକ୍ରାନ୍ତ ହୁଅନ୍ତି, ଯାହାକୁ ସାର୍କୋମା କୁହାଯାଏ। ଏହା ସାଧାରଣତଃ ପିଲାମାନଙ୍କ ହାଡ଼ କିମ୍ବା ହାଡ଼ର ଆଖପାଖରେ ଦେଖାଯାଇଥାଏ। ଏହା ଯୋଗୁଁ ପିଲାମାନେ ଖେଳୁ ଖେଳୁ ପଡ଼ିଯାନ୍ତି ବା ମୂର୍ଚ୍ଛା ହୋଇଯାଆନ୍ତି। ଆମେ ଭାବୁ ଖେଳିବା ଯୋଗୁଁ କିମ୍ବା କ୍ରିକେଟ ଖେଳିଲା ବେଳେ ବଲ୍ ବାଜି ସେମାନେ ଏମିତି ପଡ଼ିଯାଇଥାନ୍ତି। କିନ୍ତୁ ତାର ଅସଲ କାରଣ ଅଲଗା। ଆମେ ମଧ୍ୟ ଏହାର ସମ୍ପୂର୍ଣ୍ଣ ଚିକିତ୍ସା କରିବା ଉଚିତ୍।

ଆମେ ଯଦି ଆରମ୍ଭରୁ କ୍ୟାନ୍‌ସର ଭଳି ରୋଗର ଚିକିତ୍ସା କରିପାରିବା, ତାହେଲେ ଏହା ମୂଳରୁ ନିପାତ ହୋଇପାରିବ। ଭାରତରେ ଆମେ ଏହି ରୋଗକୁ ସଠିକ୍ ଭାବେ ଧରିବାରେ ସକ୍ଷମ ହୋଇନାହୁଁ। ତେଣୁ ଏହା ଏକ ବଡ଼ ରୋଗ ହୋଇଯାଉଛି, ଯାହା ପାଇଁ ସବୁଠାରୁ ବଡ଼ ଚିକିତ୍ସା ଦରକାର ହୋଇଥାଏ। ସେଥିପାଇଁ ମୁଁ ସବୁବେଳେ ଚେଷ୍ଟା କରୁଛି ଯେ, ଏହି ରୋଗର କିପରି ଆରମ୍ଭରୁ ଚିକିତ୍ସା କରାଯାଇ ଏହାର ମୂଳୋତ୍ପାଟନ କରିବା। ମୁଁ ବହୁତ ଖୁସି ଯେ, ଗଲା ୧୮ ବର୍ଷ ଧରି ବିଦେଶ ଛାଡ଼ି ଦେଶରେ ସେବା କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ପୁନମା ଓଭର ବ୍ରିଜ ତଳକୁ କାର ଖସି ଚୁରମାର, ଭାଗ୍ୟ ଭଲ ଚାଳକଙ୍କର କିଛି ହୋଇ ନାହିଁ

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରର ପୁନମା ଓଭର ବ୍ରିଜ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏଥିରେ କାରଟି ଓଭର ବ୍ରିଜ ତଳକୁ ଖସି ଚୁରମାର ହୋଇପଡିଛି। ହେଲେ ଆଶ୍ଚର୍ଯ୍ୟର କଥା ଯେ ଚାଳକଙ୍କର କୌଣସି କ୍ଷତି ହୋଇ ନାହିଁ।

ଘଟଣାରୁ ଜଣାପଡିଛି ଯେ, ଗତକାଲି ବିଳମ୍ବିତ ରାତିରେ ଗୋଟିଏ i10 କାରଟି ଦ୍ରୁତଗତିରେ ନବୀନ ନିବାସଆଡୁ ଭୀମଟାଙ୍ଗୀ ଯାଉଥିଲା। ସେ ପୁନମା ଓଭର ବ୍ରିଜ ଉପରେ ଚଢିବା ବେଳେ ଭାରସାମ୍ୟ ହରାଇ ବସିଥିଲା। ଫଳରେ ଗାଡିଟି ଓଭର ବ୍ରିଜର ବ୍ୟାରିକେଡକୁ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ଜୋରରେ ଲାଗିଥିଲା ଯେ ସେହି ବ୍ୟାରିକେଡ ଭାଙ୍ଗି କାରଟି 30 ଫୁଟ ତଳକୁ ଖସିପଡିଥିଲା।

ବିଳମ୍ବିତ ରାତି ହୋଇଥିବାରୁ ଲୋକ ଗହଳି ନ ଥିଲା। ହେଲେ ଜଣେ ଦେଖଣାହାରୀଙ୍କ ଅନୁସାରେ କାରଟି ପୁରା ଓଲଟିପଡିଲା। ସେ ଭିତରେ ଚାଳକ ଗୋଡରେ କବାଟ ଭାଙ୍ଗି ବାହାରିଥିଲା। ତାପରେ ସେ ସେଠାରେ କିଛି ସମୟ ବସିବା ପରେ ଏକ ଓଲାଗାଡିରେ କେଉଁଆଡେ ଚାଲିଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଆରମ୍ଭ ହେଲା କିଶୋରମାନଙ୍କ ଟୀକାକରଣ, ଜାଣନ୍ତୁ କେଉଁଠି ହୋଇଛି କେନ୍ଦ୍ର

ଭୁବନେଶ୍ବର: ଆଜି ସକାଳୁ ଭୁବନେଶ୍ବରରେ ମଧ୍ୟ କିଶୋରମାନଙ୍କ ଟୀକାକରଣ ଆରମ୍ଭ ହୋଇଛି। ସେଥିପାଇଁ ବିଏମସି ତରଫରୁ ପୂର୍ବରୁ ପ୍ରସ୍ତୁତି କରାଯାଇଛି। ରାଜଧାନୀରେ ବିଏମସି ତରଫରୁ 35ଟି କେନ୍ଦ୍ର କରାଯାଇଛି। ଏହି କେନ୍ଦ୍ରରେ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଟିକା କରଣ କରାଯିବ ବୋଲି ନିଷ୍ପତି କରାଯାଇଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ବିଏମସି ଦିନକୁ 70 ହଜାର ଟୀକାକରଣ ସଂପୂର୍ଣ୍ଣ କରିବ ବୋଲି ଟାର୍ଗେଟ ରଖିଛି। ସେଥିପାଇଁ ରାଜଧାନୀରେ ଥିବା ସମସ୍ତ ସରକାରୀ ହସପିଟାଲ ଏବଂ ଡିସପେସନାରୀରେ ଏହି ବ୍ୟବସ୍ଥା କରାଯାଇଛି।

ତେବେ ଏହି ଟୀକାକରଣ ପାଇଁ କୋୱନି ପୋର୍ଟାଲରେ ପଂଜୀକରଣ କରାଯିବା ଆବଶ୍ୟକ। ସେଥିରେ ଭୁବନେଶ୍ବରକୁ କ୍ଲିଲକ କଲେ ଆପଣଙ୍କର କେଉଁ ପାଖ ଅଞ୍ଚଳରେ ଟୀକାକରଣ କରାଯାଉଛି ତାହା ପରିଲକ୍ଷିତ ହେବ।

Categories
ବିଶେଷ ଖବର

ଭୁବନେଶ୍ବର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବରର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ବରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, କେଦାରଗୌରୀ ପାଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ବପର୍ଣ୍ଣ ପ୍ରକଳ୍ପ ଆରମ୍ଭ କରାଯାଇଛି।

ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲିଙ୍ଗରାଜ ଅଞ୍ଚଳକୁ ସୁନ୍ଦର କରି ଗଢିତୋଳିବା ପାଇଁ ଏକାମ୍ର ଯୋଜନା ଜନସାଧାରଣଙ୍କ ସହଯୋଗରେ ଆରମ୍ଭ କରାଯାଇଛି। ଏହା ଶେଷ ହେଲେ ଭୁବନେଶ୍ବରର ଗରିମା ଆହୁରି ବୃଦ୍ଧି ପାଇବ। ପୁରୀରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ପୁରୀର ଜନସାଧାରଣ ସଂପୁର୍ଣ୍ଣ ବିଶୁଦ୍ଧ ଜଳ ପାଇପାରୁଛନ୍ତି। ବର୍ତ୍ତମାନ ପୁରୁଣା ଭୁବନେଶ୍ବରର ଜନସାଧାରଣ ମଧ୍ୟ ଏହି ସୁବିଧା ପାଇବେ।

ବିକାଶ ଓ କଲ୍ୟାଣ ସରକାରଙ୍କର ମୁଖ୍ୟ ପରିଚୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହା ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିପ୍ଳବ ଆଣିଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଜଳସେଚନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇ ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ। ଓଡିଶାର ବିକାଶ ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି ଓ ଯୋଜନା କରାଯାଇଛି, ତାକୁ ଆନ୍ତର୍ଜାତିକ ସ୍ତରର ସ୍ବୀକୃତି ମିଳିଛି ବୋଲି ସେମାନେ କହିଥିଲେ।

ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପ ଗୁଡିକ ହେଉଛି – ଏକାମ୍ର ଅଞ୍ଚଳରେ ୨୪ ଘଣ୍ଟିଆ ବିଶୁଦ୍ଧ ଜଳଯୋଗାଣ (Drink From Tap), ବରମୁଣ୍ଡା ହାଉସିଂବୋର୍ଡ କଲୋନୀ ଓ ଜଗନ୍ନାଥ ବିହାର ଅଞ୍ଚଳରେ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ, କପିଳେଶ୍ବରରେ ଗଙ୍ଗୁଆ ବାମପାର୍ଶ୍ବ କେନାଲ ବନ୍ଧରେ ଦୁଇ ଲେନ୍‌ ବିଶିଷ୍ଟ ରାସ୍ତା, କେଦାରଗୌରୀ ମନ୍ଦିରରୁ ଅପରିସ୍କୃତ ଜଳ ନିଷ୍କାସନ ପାଇଁ ଭୁବନେଶ୍ବର-ପୁରୀ ରୋଡ୍‌ରେ ବକ୍‌ସ କଲ୍‌ଭଟ, ଲିଙ୍ଗିପୁର ଇନ୍ଦିରା କଲୋନୀରେ ପାଇପ ପାଣି ବ୍ୟବସ୍ଥା, ଲିଙ୍ଗରାଜ ଓ ଗୋଖିବାବା ଅଞ୍ଚଳର କୁଷ୍ଠ କଲୋନୀର ବାସିନ୍ଦା ମାନଙ୍କର ଥଇଥାନ, ସମ୍‌ ହସ୍‌ପିଟାଲ ରାସ୍ତାର ଆଲୋକୀକରଣ , ଧଉଳି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ, ଦୟା ପଶ୍ଚିମ କେନାଲ ଉପରେ ସେତୁ ନିର୍ମାଣ, ଦୟା ଦକ୍ଷିଣ ବନ୍ଧ ଉପରେ ରାସ୍ତା ନିର୍ମାଣ, କୂଆଖାଇ ଦକ୍ଷିଣବନ୍ଧର ପୁନରୁଦ୍ଧାର, ଦୟା ନଦୀ ଦକ୍ଷିଣ ବନ୍ଧର ସୁଦୃଢୀକରଣ ଓ ଉନ୍ନତିକରଣ।

ଏହି କାର୍ଯ୍ୟକ୍ରମରେ ବି.ଏମ.ସି କମିଶନର ସଂଜୟ ସିଂହ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ଯାଳୟ ଭୁବନେଶ୍ବରର ଅତିରିକ୍ତ ମହାନିର୍ଦ୍ଦେଶକ ହେଲେ ଅଖିଳ କୁମାର ମିଶ୍ର

ଭୁବନେଶ୍ବର: ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ଅଖିଳ କୁମାର ମିଶ୍ର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ଯାଳୟ (ଆରଓବି), ଭୁବନେଶ୍ବରର ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଆକାଶବାଣୀ, ଦୂରଦର୍ଶନ, ଫିଲ୍ମ ସେନ୍ସର ବୋର୍ଡ ଓ ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ ଆଦି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସିତ ହୋଇଛନ୍ତି।

ସେ ଜଣେ ପ୍ରତିଷ୍ଠିତ କବି ଭାବରେ ସୁପରିଚିତ ଓ ତାଙ୍କର ଅନେକ କାବ୍ୟକୃତି ପାଠକୀୟ ଆଦୃତି ଲାଭ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଭୁବନେଶ୍ବରରେ ଫଟୋଚିତ୍ର କରୁଛନ୍ତି ୨୫୦ ରୁ ଉର୍ଦ୍ଧ୍ବ କଳାକାର

ଭୁବନେଶ୍ବର: ଭାରତର ସ୍ବାଧୀନତାର ୭୫ ବର୍ଷ ପାଳନକୁ ସ୍ମରଣୀୟ କରିବା ପାଇଁ ତଥା ଏହାର ଗୌରବମୟ ଇତିହାସ, ସଂସ୍କୃତି ଓ ସଫଳତାର ସ୍ମୃତି ଚାରଣ କରିବା ପାଇଁ ଭାରତ ସରକାରଙ୍କ ଦ୍ବାରା ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହା ବିକାଶଶୀଳ ଭାରତର ସାମାଜିକ-ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ପରିଚୟର ଏକ ନିଦର୍ଶନ ଅଟେ।

ଅମୃତ ମହୋତ୍ସବର ପାଳନ ସ୍ବରୂପ, ସଂସ୍କୃତି ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ମିଶି ଦେଶର ବିଭିନ୍ନ ଭୌଗୋଳିକ ସ୍ଥାନର କଳାକାରମାନଙ୍କ ଦ୍ବାରା ତିଆରି ଫଟୋ ଚିତ୍ରର ଏକ ସିରିଜକୁ ପ୍ରଦର୍ଶିତ କରାଯିବ। ଏହି କଳାର ପ୍ରମୁଖ ବିଷୟବସ୍ତୁ ହେଉଛି ସ୍ବାଧୀନତା ସଂଗ୍ରାମର ଅପରିଚିତ ନାୟକମାନଙ୍କୁ ସମ୍ମାନିତ କରିବା। ଏହି କଳାତ୍ମକ ଚିତ୍ରଣ ମାଧ୍ୟମରେ ଜନସାଧାରଣ ପ୍ରେରଣା ଗ୍ରହଣ କରିପାରିବେ। ଗଣତନ୍ତ୍ର ଦିବସ ୨୦୨୨ ଅବସରରେ ଦିଲ୍ଲୀର ରାଜପଥରେ ଏହି ଫଟୋ ଚିତ୍ର ଗୁଡ଼ିକୁ ପ୍ରଦର୍ଶିତ କରାଯିବ।

ପଞ୍ଚସ୍ତରି ମିଟର ଲେଖାଏଁ ଦଶଟି ସ୍କ୍ରୋଲ୍ (ଏହା ୧୪-୧୫ ଫୁଟ ଉଚ୍ଚତା ବିଶିଷ୍ଟ ହେବ) କୁ ଉପସ୍ଥାପିତ କରାଯିବ। ଏଥିରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରାଯିବ। ଫଟୋ ଚିତ୍ର ପ୍ରଦର୍ଶନୀ ଆଜାଦି କା ଅମୃତ ମହୋତ୍ସବର ମହାନ ଉତ୍ସବ ସମ୍ବନ୍ଧୀୟ ଅନ୍ତର୍ନିହିତ କଳାତ୍ମକ ଦୃଶ୍ୟକୁ ପ୍ରତିଫଳିତ କରିବ ଏବଂ ଆମର ଜାତୀୟ ଗର୍ବକୁ ମଧ୍ୟ ଉପସ୍ଥାପନ କରିବ।

ରାଜପଥରେ ଏହି ଚିତ୍ର ଗୁଡିକ ପ୍ରମୁଖ ସ୍ଥାନରେ ସମସ୍ତ ନାଗରିକଙ୍କ ପାଇଁ ଏକ ଖୋଲା ଗ୍ୟାଲେରୀ ଭାବରେ ଉପସ୍ଥାପନ କରାଯିବ ଏବଂ ଏହା ଭରତର ସମୃଦ୍ଧ ଜାତୀୟ ଐତିହ୍ୟ ଏବଂ ଭରତର ସଂସ୍କୃତି ବିଷୟରେ ଲୋକଙ୍କୁ ପ୍ରେରଣା ଦେବା ପାଇଁ ଉଦ୍ଦିଷ୍ଟ। ଏହି ଚିତ୍ରିତ କଳାକୃତି ଗୁଡିକ ଖୋଲା ଆକାଶ ତଳେ ଅତ୍ୟନ୍ତ ସୁନ୍ଦର ଦେଖାଯିବା ସହିତ ଜାତୀୟ ଗର୍ବ ଏବଂ ଉତ୍କର୍ଷତାକୁ ପ୍ରକାଶ କରିବାର ଏକ ମାଧ୍ୟମ ଭାବରେ କଳାର ସୌନ୍ଦର୍ଯ୍ୟକୁ ଉପସ୍ଥାପିତ କରିବ।

ପାରମ୍ପରିକ କଳା ଏବଂ ସମସାମୟିକ ଅଭିବ୍ୟକ୍ତିକୁ ପ୍ରତିଫଳିତ କରିବାକୁ ଏହି ଫଟୋଚିତ୍ର ଗୁଡିକ ପ୍ରସ୍ତାବିତ, ଯାହାକି ଭାରତର ସମୃଦ୍ଧ ସାଂସ୍କୃତିକ ତଥା କଳା ଐତିହ୍ୟର ଗୁରୁତ୍ବ ପ୍ରଦର୍ଶନ କରିବା ସହିତ ଆମ ଦେଶ ତଥା ଏହାର ଲୋକମାନଙ୍କର ଗୌରବମୟ ଇତିହାସ ଏବଂ ଆମର ସ୍ବାଧୀନତା ସଂଗ୍ରାମୀମାନଙ୍କର ଅବଦାନକୁ ପ୍ରଦର୍ଶିତ କରିବ।

ନିର୍ଦ୍ଦେଶକ ଜେନେରାଲ୍, ଏନଜିଏମଏ ଙ୍କ ସହିତ ଏନଜିଏମଏ ର ପରାମର୍ଶଦାତା ବୋର୍ଡ (ପ୍ରମୁଖ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ସମେତ ବିଶିଷ୍ଟ କଳାକାରଙ୍କୁ ନେଇ) ଫଟୋଚିତ୍ର ପ୍ରଦର୍ଶନୀ ପାଇଁ ପରାମର୍ଶଦାତା ଭାବରେ କାର୍ଯ୍ୟ କରିବେ।

ଏହାର ସ୍ଥାନ ଗୁଡ଼ିକ ନିମ୍ନ ପ୍ରକାରେ :

(କ) କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକନୋଲୋଜି, ଭୁବନେଶ୍ବର (ଓଡ଼ିଶା)

(ଖ) ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ ଟେକନୋଲୋଜି, ଭୁବନେଶ୍ବର (ଓଡ଼ିଶା)

(ଗ) ଚିତକାରା ୟୁନିଭର୍ସିଟି, ଚଣ୍ଡିଗଡ଼ ୨୬ ଡିସେମ୍ବର ୨୦୨୧ ଠାରୁ

ସ୍କ୍ରୋଲ ପେଣ୍ଟିଂ କାର୍ଯ୍ୟକ୍ରମର ଶୀର୍ଷକ ରହିଛି, ‘‘କଳା କୁମ୍ଭ-ଆଜାଦି କା ଅମୃତ ମହୋତ୍ସବ’’

ଭୁବନେଶ୍ବରରେ ଥିବା ୱାର୍କସପରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର କଳାକାରମାନେ ଭାଗ ନେବେ। ଭାରତର ୭୫ ବର୍ଷର ସ୍ବାଧୀନତା ଅବସରରେ ଭାରତର ସ୍ବାଧୀନତା ଆନ୍ଦୋଳନର ଗୌରବମୟ ଇତିହାସକୁ ପ୍ରାୟ ୨୭୦ ଜଣ କଳାକାର ପ୍ରଦର୍ଶିତ କରିବେ। ଭୁବନେଶ୍ବର ଠାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯେଉଁ ପ୍ରମୁଖ କଳାକାରମାନେ ଅଂଶଗ୍ରହଣ କରିବେ ସେମାନେ ହେଉଛନ୍ତି :

– ହର୍ଷବର୍ଦ୍ଧନ ଶର୍ମା, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବରିଷ୍ଠ ଓ ପ୍ରଖ୍ୟାତ କଳାକାର, ବର୍ତ୍ତମାନ ଡିନ୍, ସେଣ୍ଟ୍ରାଲ୍ ୟୁନିଭର୍ସିଟି, ହିମାଚଳ ପ୍ରଦେଶ ଓ ଏନଜିଏମଏର ଆଡଭାଇଜୋରି କମିଟିର ଚେୟାର ପର୍ସନ

– ରାମହରି ଜେନା, ସିନିୟର ଆର୍ଟିଷ୍ଟ, ପ୍ରିଣ୍ଟ ମେକିଂ ଜାତୀୟ ପୁରସ୍କାରପ୍ରାପ୍ତ

– ବିଜୟ ଦାସ, ପ୍ରଫେସନର ଫାଇନ୍ ଆର୍ଟସ ବିଭା, କିଟ୍, ଭୁବନେଶ୍ବର

– ସୁବ୍ରତ ମଲ୍ଲିକ, ପ୍ରମୁଖ କଳାକାର ଓ ଏଚଓଡି ପେଣ୍ଟିଂ ବିଭାଗ, ବିକେ କଲେଜ୍ ଅଫ୍ ଆର୍ଟସ ଆଣ୍ଡ କ୍ରାଫ୍‌ଟସ, ଭୁବନେଶ୍ବର

– ମାନସ ରଞ୍ଜନ ଜେନା, ବିକେ କଲେଜ୍ ଅଫ୍ ଆର୍ଟସ ଆଣ୍ଡ କ୍ରାଫ୍‌ଟସ, ଭୁବନେଶ୍ବର ର କଳାକାର ଓ ଫାକଲ୍‌ଟି

– ମନୋଜ ପଣ୍ଡିତ, ବିହାରର ମଞ୍ଜୁସା ପେଣ୍ଟିଂର ପ୍ରମୁଖ କଳାକାର

ଉପରୋକ୍ତ ବ୍ୟତୀତ, ଏଥିରେ ଆହୁରି ଅନେକ ପାରମ୍ପରିକ କଳାକାରମାନେ ଅଂଶଗ୍ରହଣ କରୁଛନ୍ତି ଯେଉଁମାନେ ତାଙ୍କର କଳାକୃତି କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଛନ୍ତି।

ଭୁବନେଶ୍ବରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ କେତେକ ପାରମ୍ପରିକ ଆର୍ଟଫର୍ମ ଯାହାକୁ ପ୍ରଦର୍ଶିତ କରାଯିବ ସେଗୁଡ଼ିକ ହେଉଛି ପାରମ୍ପରିକ ପଟ୍ଟଚିତ୍ର, ଓଡ଼ିଶାର ଝୋଟି-ଚିତା କଳାକାର, ପଶ୍ଚିମବଙ୍ଗର ମେଦିନିପୁର ଓ କାଳିଘାଟ ତଥା ହୁଗୁଳି, ବୀରଭୂମ, ବାଙ୍କୁରା ଓ ବୁରଦ୍ୱାନର ପଟ୍ଟଚିତ୍ର କଳାକାର, ବିହାରର ମଞ୍ଜୁସା ଓ ମଧୁବନି କଳାକାର, ଝାଡ଼ଖଣ୍ଡର ଯଦୁପତିୟ କଳାକାର ଏବଂ ସାନ୍ଥାଳା, ମୁଣ୍ଡା, ଓରାମ୍, ଓ ପ୍ରଜାପତି କଳାକାରଙ୍କ ଦ୍ବାରା ପାରମ୍ପରିକ ଅମଳ ସୋହରି କଳାକୃତି। ଏହା ସହିତ ଆନ୍ଧ୍ରପ୍ରଦେଶର ମଚ୍ଛଲିପଟ୍ଟନମ ପରମ୍ପରାର କଳାକାର। ଏହି ପାରମ୍ପରିକ କଳାକୃତି ବ୍ୟତୀତ ଆମର ସ୍ବାଧୀନତା ସଂଗ୍ରାମର ପ୍ରମୁଖ ସଂଗ୍ରାମୀମାନଙ୍କୁ ମଧ୍ୟ ଏଥିରେ ପ୍ରଦର୍ଶିତ କରାଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ଶାନ୍ତି ପ୍ରିୟ ରାଜ୍ୟରେ ନିଆଁଲଗା ରାଜନୀତି, ସ୍ଥିତି ଜାହିର ପାଇଁ ବିରୋଧୀ ଦଳର ହୀନ ପ୍ରୟାସ

ଭୁବନେଶ୍ବର: ବର୍ତ୍ତମାନ ଓଡିଶାରେ ଚାଲିଛି ନିଆଁଲଗା ରାଜନୀତି। ଆଉ ଏହି ରାଜନୀତିର ଅନୁଭବ ଭୁବନେଶ୍ବରରେ ହେଉଛି ସର୍ବାଧିକ। କାରଣ ହେଲା ବିଧାନସଭା ଚାଲିଥିବାରୁ ବିରୋଧୀ ଦଳ ନିଜର ସ୍ଥିତି ଜାହିର କରିବା ପାଇଁ ବର୍ତ୍ତମାନ ଚଲାଇଛନ୍ତି ହୀନ ପ୍ରୟାସ। ଗଣମାଧ୍ୟମରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଉଭୟ ବିଜେପି ଆଉ କଂଗ୍ରେସ ମଧ୍ୟରେ ଚାଲିଛି ଏକ ପ୍ରତିଯୋଗୀତା। କିଏ କେତେ ଗଣ୍ଡଗୋଳ କରି, ରକ୍ତାତ ହୋଇ ଲୋକଙ୍କ ପ୍ରିୟଭାଜନ ହୋଇପାରିବ ସେଥିପାଇଁ ଚାଲିଛି ନାଟକ।

ତେବେ ଏ ସବୁ ନାଟ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଗାମୀ ପଞ୍ଚାୟତ ନିର୍ବାଚନ। ବର୍ତ୍ତମାନ ଓଡିଶାର ରାଜନୈତିକ ସ୍ଥିତି ଯାହା ସେଥିରେ ବିଜେଡିକୁ ଛାଡିଦେଲେ ବିଜେପି ଓ କଂଗ୍ରେସର ସ୍ଥିତି ମଜବୁତ ନାହିଁ। ଭଲରେ ହେଉ କି ଭେଲରେ, ସେମାନେ ଚର୍ଚ୍ଚାରେ ରହିବା ପାଇଁ ଦିନରାତି ଲାଗିପଡିଛନ୍ତି। ରାଜଧାନୀ ଛାତିରେ ହାଙ୍ଗାମା କଲେ ଗାଁ ଗଣ୍ଡାରେ ତାଙ୍କର ମାରପିଟକୁ ନେଇ ଆଲୋଚନା ହେବ। ଫଳରେ ଲୋକେ ବିଜେଡିକୁ ଭୁଲିଯାଇ ତାଙ୍କ ପ୍ରତି ଆକର୍ଷିତ ହେବେ। ଏହି ଧାରଣ ବିରୋଧୀ ଦଳର ନେତାମାନଙ୍କର ରହିଛି।

ଏବେ ନୁହେଁ ଗତ 2019 ନିର୍ବାଚନରେ ମଧ୍ୟ ଏପରି ନିଆଁଲଗା ରାଜନୀତିକୁ ଲୋକମାନେ ପ୍ରତ୍ୟାଖାନ କରିଛନ୍ତି। ପ୍ରାୟତଃ 2014 ପରଠାରୁ ଶାନ୍ତିପ୍ରିୟ ଓଡିଶା ଲୋକେ ବିରୋଧୀଙ୍କୁ ଏଇଥିପାଇଁ ବାରମ୍ବାର ପ୍ରତ୍ୟାଖାନ କରିବାରେ ଲାଗିଛନ୍ତି। ତଥାପି ବିରୋଧୀଙ୍କ ମୁଣ୍ଡରେ ଚିନ୍ତା ପଶୁ ନାହିଁ। ସେମାନଙ୍କ ରଣନୀତିରେ କରିପାରୁ ନାହାଁନ୍ତି ପରିବର୍ତ୍ତନ। ଅନେକ ବିରୋଧୀ ନେତା ଏସବୁକୁ ହୃଦୟର ସହ ପସନ୍ଦ କରୁ ନ ଥିଲେ ମଧ୍ୟ ଦଳର ମୁଖିଆଙ୍କ ନିର୍ଦ୍ଦେଶ। ତାଙ୍କ ନିର୍ଦ୍ଦେଶ ମାନି କାମ କରିବାକୁ ପଡିବ।

ରାଜରାସ୍ତାରେ ଯେତେ ଉତପାତ୍ ହେବେ ମୁଖିଆ ସେତେ ଖୁସି ହେବେ। ମୁଖିଆ ଯେତେ ଖୁସି ହେଲେ ତାଙ୍କୁ ସେତିକି ଭଲ ପଦବୀ ମିଳିବ। ତେଣୁ ମୁଖିଆଙ୍କ ଗୋଟିଏ ଫୋନ କଲରେ ସେମାନେ ରାଜରାସ୍ତାକୁ ଓହ୍ଲାଇ ଜିନ୍ଦାବାଦ ମୁର୍ଦ୍ଦାବାଦ କରିବାକୁ ଆଗ୍ରହ ପ୍ରକାଶ କରିବାରେ ଲାଗିଛନ୍ତି। ପୋଲିସକୁ ବାଡେଇବାକୁ ପଛଘୁଞ୍ଚା ଦେଉ ନାହାଁନ୍ତି। ପୋଲିସ ଗାଡି ପୋଡିବାକୁ ମଧ୍ୟ ସେମାନେ ହୀନ ଉଦ୍ୟମ କରିବାରେ ଲାଗିଛନ୍ତି।

ବିଲେଇ ମୁଣ୍ଡ ଉପରେ ଶିକା ଛିଣ୍ଡିବା ପରି ପଞ୍ଚାୟତ ନିର୍ବାଚନ ପାଖେଇବା ବେଳକୁ ଆସିଯାଇଛି ମମିତା ମେହେର ହତ୍ୟାକାଣ୍ଡ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ରାଜନୀତି। ବିରୋଧୀଙ୍କୁ ରାଜନୀତି କରିବା ପାଇଁ ଏକ ବଡ ଅସ୍ତ୍ର ମିଳିଯାଇଛି। ଏହି ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ତରଫରୁ ଦୀର୍ଘ ଦିନ ଧରି ଆନ୍ଦୋଳନ, ବିକ୍ଷୋଭ, ଘେରାଉ ହେବାରେ ଲାଗିଛି। ବିଧାନାସଭାରେ ହୁଲୁସ୍ତୁଲ ମଧ୍ୟ କରିଛନ୍ତି। ସେଥିରେ ମଧ୍ୟ ସେମାନେ ସନ୍ତୁଷ୍ଠ ହେଲେ ନାହିଁ। ଫଳରେ ଉଭୟ ଦଳ ଯୁବ ଆଉ ଛାତ୍ର ଗୋଷ୍ଠୀଙ୍କୁ ଛିନ୍ନଛତ୍ର କରିବା ପାଇଁ ଲଗାଇ ଦେଲେ। ଟୋକା ନେତା, ରାଜରାସ୍ତାରେ ଦୁମଦୁମ କରିଦେବେ। ତାହା ହିଁ ହେଲା। ଯୁବଛାତ୍ର ନେତାମାନେ ହନୁମାନଙ୍କ ଲଙ୍କାକାଣ୍ଡ ପରି ବିଭିନ୍ନ କାଣ୍ଡ ସୃଷ୍ଟି କଲେ।

ହେଲେ ବିଡମ୍ବନାର ବିଷୟ ଯେ, ଆନ୍ଦୋଳନ ସରିବା ପରେ ଦଳର ଲାଭ ହେଲା ନା କ୍ଷତି, ତାହାର ହିସାବ କେହି ରଖନ୍ତି ନାହିଁ। ଛିନଛତ୍ର କରିବା ପରେ ମୁଖିଆ ଯଦି ଫୋନ କରି ଧନ୍ୟବାଦଟିଏ ଦେଇଦେଲେ ତେବେ ତାହା ହିଁ ହେଉଛି ପଦ୍ମଶ୍ରୀ ପୁରସ୍କାର। କିନ୍ତୁ ସେମାନେ କେହି ବି ଭାବନ୍ତି ନାହିଁ ଯେ ଓଡିଶାର ଲୋକେ କୌଣସି ନିଆଁଲଗା ରାଜନୀତିକୁ ପସନ୍ଦ କରନ୍ତି ନାହିଁ।

ରାଜନୈତିକ ଦଳଗୁଡିକ ଜାଣିରଖିବା ଉଚିତ ଯେ, ଓଡିଶାର ଲୋକେ କେବଳ ଶାନ୍ତିପ୍ରିୟ ରାଜନୀତିକୁ ଅଧିକ ପସନ୍ଦ କରନ୍ତି। ଯାହାକୁ ଭଲଭାବରେ ହୃଦୟଙ୍ଗମ କରିଛି ବିଜେଡି ଆଉ ତାଙ୍କ ନେତା ନବୀନ ପଟ୍ଟନାୟକ। ବିଜେଡିର ରଣନୀତି ଆଗରେ ବିରୋଧୀ ଦଳଗୁଡିକ କେବଳ ଲୋକହସା ହେବାରେ ଲାଗିଛନ୍ତି। ବାରମ୍ବାର ନିର୍ବାଚନ ହାରିବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ବିରୋଧୀଙ୍କ ଏହି ନିଆଁଲଗା ରାଜନୀତି, ବିଜେଡିକୁ ଆହୁରି ସୁଦୃଢ ହେବା ପାଇଁ ରାସ୍ତା ସ୍ବଚ୍ଛ କରିବାରେ ଲାଗିଛି। ଯେ ପର୍ଯ୍ୟନ୍ତ ଓଡିଶାରେ ବିରୋଧୀ ଦଳ ଶାନ୍ତିପ୍ରିୟ ରାଜନୀତି ନ କରିଛନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କ ପାଇଁ ହାରିବା ହିଁ ଶ୍ରେୟ ହେବ।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ସମୟରେ ଭୁବନେଶ୍ବବାସୀଙ୍କ ସମସ୍ୟା ହେଲେ ଏହି ନମ୍ବରକୁ ଫୋନ କରନ୍ତୁ, ମିଳିବ ସାହାଯ୍ୟ

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟା ଜୱାଦ ପ୍ରଭାବରେ ଭୁବନେଶ୍ବର କ୍ଷତିଗସ୍ତ ହେବାର ସମ୍ଭାବନା ରହିଛି। କାରଣ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରାଜଧାନୀରେ ଜଳମଗ୍ନ ହୋଇପାରେ। ସେଥିପାଇଁ ଭୁବନେଶ୍ବର ମହାନଗର ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି। ବିଏମସ ଅଧିକାରୀମାନେ ରାଜଧାନୀର ବିଭିନ୍ନ ସ୍କୁଲରେ ଥଇଥାନ ତଥା ରିଲିଫ ପ୍ରସ୍ତୁତି ପାଇ ତଦାରଖ କରିଛନ୍ତି।

ମୁଖ୍ୟତଃ ବାତ୍ୟା ସମୟରେ ରିଲିଫ ପ୍ରଦାନ, ଜଳ ନିଷ୍କାସନ ଏବଂ ପୁନଃନିର୍ମାଣ କାର୍ଯ୍ୟ କରିବା ପାଇଁ ବିଏମସି ଏକ ଟିମ ଗଠନ କରିଛି। ଏହି ଟିମର ସହାୟତା ପାଇଁ ବିଏମସି ଏକ ଟୋଲ ଫ୍ରି ନମ୍ବର ଜାରୀ କରିଛି। ଯାହାର ନମ୍ବର ହେଲା 1929 & 18003450061। ଏଥିସହିତ ଲ୍ୟାଣ୍ଡ ଲାଇନରେ ମଧ୍ୟ କଲ କରିପାରିବେ, ନମ୍ବର ହେଲା 0674- 2431253।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ବାତ୍ୟା ‘ଜାୱାଦ’ ପ୍ରତି ରହିଛି ସତର୍କ, ଉପଯୁକ୍ତ ନିରାପତ୍ତା ମୂଳକ ସାବଧାନତା ଗ୍ରହଣ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ବାତ୍ୟା ଜାୱାଦର ପ୍ରଭାବକୁ ଏଡ଼ାଇବା ପାଇଁ ଆହ୍ୱାନମୂଳକ ପଦକ୍ଷେପ ଗ୍ରହଣ କରିଛି। ଅତୀତର ଅଭିଜ୍ଞତାରୁ ପାଣିପାଗ ବିଭାଗର ପୂର୍ବାନୁମାନରୁ ଏହା ସହାୟତା ଲାଭ କରିବ। ଯଦି ଜାୱାଦର ପ୍ରଭାବ ପଡ଼େ ତେବେ ପୂର୍ବତଟ ରେଳପଥ ଯଥା ଶୀଘ୍ର ଟ୍ରେନ ଚଳାଚଳ ଓ ରେଲୱେ ଟ୍ରାକର ପୂନଃକାର୍ଯ୍ୟକ୍ଷମ ପାଇଁ ତତ୍‌ପର ରହିବାକୁ ଯୋଜନା କରିଛି। ଦିନରାତି ବିପର୍ଯ୍ୟୟ ପରିଚାଳନା ସେଲକୁ ଏହାର ମୁଖ୍ୟ କାର୍ଯ୍ୟାଳୟ, ରେଳ ସଦନଠାରେ ଖୋଲାଯାଇଛି ଆଉ ମଧ୍ୟ ଡିଭିଜନାଲ ମୁଖ୍ୟାଳୟ ଯଥା ବିଶାଖାପାଟଣା, ଖୋର୍ଦ୍ଦାରୋଡ ଓ ସମ୍ବଲପୁରରେ ସ୍ଥାପନ କରାଯାଇଛି।

ପୂର୍ବ ତଟ ରେଳପଥ ମଧ୍ୟ ଆପଦ ହୀନ ଟ୍ରେନ ଚଳାଚଳ ପାଇଁ ପଦକ୍ଷେପ ଗ୍ରହଣ କରିଛି। ଟ୍ରାକ୍ ସୁରକ୍ଷା, ଓଭରହେଡ଼ ବିଦ୍ୟୁତ୍ ଟ୍ରାକ, ସିଗନାଲିଂ ପଦ୍ଧତି ଓ ବିଦ୍ୟୁତିକରଣ ତୁରନ୍ତ ପୁନଉଦ୍ଧାର ପାଇଁ ସ୍ୱତନ୍ତ୍ର ଟିମକୁ ନୟୋଜିତ କରିଛି। ଯଦି ବିଜୁଳି ନରହେ ତେବେ ଡିଜି ସେଟ, ଜେନେରେଟର ଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି ସେହିପରି ପାଣି ଟାଙ୍କି ରେ ପାଣି ଭର୍ତ୍ତି ଓ ପମ୍ପକୁ ସବୁ ପ୍ରମୁଖ ସ୍ଥାନରେ ରଖାଯାଇଛି।

ପୂର୍ବ ତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଟ୍ରେନ ଚଳାଚଳକୁ ସୁରକ୍ଷିତ କରିବା ଲାଗି କୌଣସି ଜରୁରୀ କାଳୀନ ପରିସ୍ଥିତି ଯଥା ରେଳ ଟ୍ରାକ ନିକଟରେ ବନ୍ୟା ସ୍ଥିତି ପ୍ରତି ସଜାଗ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ କୁମାର ମଧ୍ୟ ଜରୁରୀ କାଳୀନ ବିଜୁଳି ଯୋଗାଣକୁ ପ୍ରସ୍ତୁତ ରଖିବା ସହ କ୍ଷେତ୍ର କର୍ମଚାରୀଙ୍କ କଲ୍ୟାଣ କାର୍ଯ୍ୟରେ ସଜାଗତା ପ୍ରତି ଗୁରୁତ୍ୱ ଦେଇଛନ୍ତି।

ରେଲୱେ ସୁରକ୍ଷା ବଳ ଜରୁରୀ କାଳୀନ ଆବଶ୍ୟକତା ଅନୁସାରେ ସହଯୋଗ କରିବେ ଏବଂ ଏନ୍‌.ଡ଼ି.ଆର.ଏଫ୍ ଦଳ ସହ ସର୍ବଦା ସଂପର୍କ ସ୍ଥାପନ। ସବୁ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ଓ ରେଳ କଲୋନି ଓ ଷ୍ଟେସନ ଅଂଚଳରେ ଆରପିଏଫ ଜବାନମାନଙ୍କୁ ନିୟୋଜିତ କରାଯିବ। ଜରୁରୀ କାଳୀନ ଟ୍ରେନ ଚଳାଚଳ ପାଇଁ ଡିଜେଲ ଇଞ୍ଜିନକୁ କାର୍ଯ୍ୟକାରୀ କରାଯିବ । ଜଳ ପ୍ଲାବିତ ଅଂଚଳ ଗୁଡ଼ିକ ପ୍ରତି ଧ୍ୟାନ ଦିଆଯିବ।

ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ଟ୍ରାକ, ରେଳ ପୋଲ ଗୁଡ଼ିକର ବ୍ରିଜ ମରାମତି ସେବା ବ୍ୟବସ୍ଥା ସାମଗ୍ରୀ ଯଥା ବୋଲଡର, ବାଲି, ସିଣ୍ଡର, କ୍ୱାରି ଡଷ୍ଟ, ବାଲାଷ୍ଟକୁ ଚିହ୍ନିତ ସ୍ଥାନମାନଙ୍କରେ ରଖାଯିବ। ଇଞ୍ଜିନିୟରିଂ ରିଲିଫ୍ ଭ୍ୟାନ୍ ଓ ଉପକରଣକୁ ପ୍ରସ୍ତୁତ କରି ରଖାଯିବ। ବ୍ରିଜ ସାମଗ୍ରୀକୁ ପ୍ରସ୍ତୁତ ରଖାଯିବ ଯେପରି ଆବଶ୍ୟକତା ଅନୁସାରେ କାର୍ଯ୍ୟକାରୀ ହୋଇ ପାରିବ। ପୂର୍ବତଟ ରେଳପଥ ସର୍ବଦା ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରତି ସଜାଗ ରହିଛି।