Categories
ଆଜିର ଖବର ଜାତୀୟ ଖବର

୨୦୧୬ରୁ ପିଏମ୍ଏୱାଇ-ଜି ଅଧୀନରେ ୨.୬୯ କୋଟି ଘର ନିର୍ମାଣ ସରିଛି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ୨୦୨୪-୨୫ ଉପସ୍ଥାପନ କରି କହିଛନ୍ତି ଯେ ସରକାରଙ୍କ ‘ବିକଶିତ ଭାରତ ୨୦୪୭’ ଦୃଷ୍ଟିକୋଣର ମୂଳଦୁଆ ହେଉଛି ‘ସବକା ସାଥ, ସବକା ବିକାଶ’ ଏବଂ ଏହା ସମାନ ଏବଂ ସମାବେଶୀ ବିକାଶ ସୁନିଶ୍ଚିତ କରିବା ପାଇଁ ଗ୍ରାମାଞ୍ଚଳର ଜୀବନଶୈଳୀରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦେଉଛି। ଅର୍ଥନୈତିକ ସର୍ବେକ୍ଷଣ ୨୦୨୪-୨୫ରେ ଉଲ୍ଲେଖ କରାଯାଇଛି ଯେ ଏହା ‘ସମଗ୍ର ସରକାରୀ’ ରଣନୀତି ମାଧ୍ୟମରେ ‘ସମସ୍ତଙ୍କ କଲ୍ୟାଣ’ ପାଇଁ ଏକ ବ୍ୟାପକ ନୀତିକୁ ପ୍ରତିଫଳିତ କରେ। କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୃହରେ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ମୌଳିକ ଗ୍ରାମୀଣ ଭିତ୍ତିଭୂମିରେ ଉନ୍ନତି ଆଣିବା, ଗ୍ରାମୀଣ ଗୃହ ନିର୍ମାଣ, ବିଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ, ସ୍ୱଚ୍ଛ ଇନ୍ଧନ ଯୋଗାଇବା, ଗ୍ରାମାଞ୍ଚଳରେ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମାଞ୍ଚଳରେ ଜୀବିକା ସୁଯୋଗ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଅର୍ଥନୈତିକ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ଗ୍ରାମୀଣ ଅର୍ଥନୀତି ସହିତ ଡିଜିଟାଇଜେସନ୍ ଏବଂ ଟେକ୍ନୋଲୋଜିର ସମନ୍ୱୟ ଗ୍ରାମୀଣ ବିକାଶ ଏଜେଣ୍ଡାର ଏକ ପ୍ରମୁଖ ବିଷୟବସ୍ତୁ, ତାହା କୃଷି କାର୍ଯ୍ୟକଳାପ ହେଉ କିମ୍ବା ସୁଶାସନ କ୍ଷେତ୍ର।

ଗ୍ରାମୀଣ ଭିତ୍ତିଭୂମି:

ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ଏକ ନୂତନ ଉପାଦାନ ପ୍ରଚଳନ କରାଯାଇଛି, ଯେଉଁଥିରେ ବିଶେଷ କରି ଦୁର୍ବଳ ଜନଜାତି ସମୁଦାୟ (ପିଭିଟିଜି) ଅଂଚଳରେ ମୌଳିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି, ଯାହା କି ୧୦୦ ଜନସଂଖ୍ୟା ମାନଦଣ୍ଡକୁ କୋହଳ କରି ଏଭଳି ସଂଯୋଗ ବିହୀନ ପିଭିଟିଜି ଆବାସସ୍ଥଳୀକୁ ସଂଯୋଗ ପ୍ରଦାନ କରିବ। ଏହି ବର୍ଗ ଅଧୀନରେ ସମୁଦାୟ ୮ ହଜାର କିଲୋମିଟର ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଗ୍ରାମୀଣ ଗୃହ ନିର୍ମାଣ:

ଅର୍ଥନୈତିକ ସର୍ବେକ୍ଷଣରେ କୁହାଯାଇଛି ଯେ ଗ୍ରାମାଞ୍ଚଳରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କୁ ଘର ଯୋଗାଇବା ସରକାରଙ୍କ ବିକାଶ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ହୋଇଛି। ‘ସୁରକ୍ଷିତ ଏବଂ ସୁଲଭ ଗୃହ’ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ୧୧.୧ ସହିତ ଯୋଡ଼ି ହୋଇଛି ଏବଂ ‘ସମସ୍ତଙ୍କ ପାଇଁ ଗୃହ’ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ୨୦୧୬ ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି) ଅଧୀନରେ ୨.୬୯ କୋଟି ଘର ସମ୍ପୂର୍ଣ୍ଣ ହୋଇଛି। ପିଏମଏୱାଇ-ଜି ଅଧୀନରେ ଗୋଟିଏ ଘର ନିର୍ମାଣ ଦ୍ୱାରା ପ୍ରାୟ ୩୧୪ ଜଣ ବ୍ୟକ୍ତି-ଦିନ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରନ୍ତି, ଯେଉଁଥିରେ ୮୧ କୁଶଳୀ, ୭୧ ଅର୍ଦ୍ଧକୁଶଳୀ ଏବଂ ୧୬୪ ଅଣକୁଶଳୀ ବ୍ୟକ୍ତି ଦିବସ ଅନ୍ତର୍ଭୁକ୍ତ । ଏହି ଯୋଜନାର ପ୍ରଥମ ଦୁଇ ବର୍ଷ ମଧ୍ୟରେ ନିର୍ମିତ ଘରଗୁଡ଼ିକ କୁଶଳୀ ଶ୍ରମିକଙ୍କ ପାଇଁ ୪୮.୨ ନିୟୁତ ବ୍ୟକ୍ତି ଦିବସ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ୭୬ ନିୟୁତ ବ୍ୟକ୍ତି ଦିବସ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିଛି। (ଏନଆଇପିଏଫପି ୨୦୧୮)

ଗ୍ରାମୀଣ ଆୟ ପ୍ରେତ୍ସାହନ

ଅର୍ଥନୈତିକ ସର୍ବେକ୍ଷଣରେ କୁହାଯାଇଛି ଯେ ଗ୍ରାମୀଣ ଆୟକୁ ପ୍ରୋତ୍ସାହିତ କରିବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ମନରେଗା)ର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ମନରେଗାରେ ଥିବା ତ୍ରୁଟିକୁ ଦୂର କରିବା ପାଇଁ କାର୍ଯ୍ୟ ପୂର୍ବରୁ ଓ ପରେ ଜିଓ ଟ୍ୟାଗିଂ ପ୍ରକ୍ରିୟା ଗ୍ରହଣ କରାଯାଉଛି ଏବଂ ଶ୍ରମିକମାନଙ୍କୁ ଏନଇଏଫଏମ୍ ବ୍ୟବସ୍ଥା ମାଧ୍ୟମରେ ଡିବିଟି ଯୋଜନାରେ ୯୯.୯୮ ପ୍ରତିଶତ ଦରମା ଦିଆଯାଉଛି। ଡିସେମ୍ବର ୨୦୨୪ ସୁଦ୍ଧା ମନରେଗାରେ ମୋଟ ସକ୍ରିୟ ଶ୍ରମିକଙ୍କ ମଧ୍ୟରୁ ୯୬.୩ ପ୍ରତିଶତ ଆଧାର ଆଧାରିତ ଦେୟ ପାଇଁ ସକ୍ଷମ ହୋଇଛନ୍ତି ଏବଂ ୯୯.୨୩ ପ୍ରତିଶତ ହିତାଧିକାରୀଙ୍କୁ ଏପିବିଏସ୍ ଆଧାରରେ ସଫଳତାର ସହ ଦେୟ ପ୍ରଦାନ କରାଯାଇଛି। ଅର୍ଥନୈତିକ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ୨୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସାମାଜିକ ଅଡିଟ୍ ୟୁନିଟ୍ ପ୍ରତିଷ୍ଠା କରାଯାଇଛି।

ଡିଏଇଏନଆରଏଲ୍ (ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନାଜାତୀୟ ଗ୍ରାମୀଣ ଜୀବିକା ମିଶନ):

ଅର୍ଥନୈତିକ ସର୍ବେକ୍ଷଣରେ କୁହାଯାଇଛି ଯେ ଏହା ଏକ ପ୍ରମୁଖ ଗ୍ରାମୀଣ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଯାହା ଗରିବ ପରିବାରମାନଙ୍କୁ ଆତ୍ମନିଯୁକ୍ତି ଏବଂ ଦକ୍ଷ ନିଯୁକ୍ତି ସୁଯୋଗ ପାଇବାରେ ସକ୍ଷମ କରେ। ଏହା ଦ୍ୱାରା ଗ୍ରାମାଞ୍ଚଳରେ ଗରିବ ଙ୍କ ପାଇଁ ସ୍ଥାୟୀ ଏବଂ ବିବିଧ ଜୀବିକା ସୁଯୋଗ ସୃଷ୍ଟି ହୋଇଛି।

ଅର୍ଥନୈତିକ ସର୍ବେକ୍ଷଣର ଫଳାଫଳରେ କୁହାଯାଇଛି ଯେ ଗ୍ରାମୀଣ ଭିତ୍ତିଭୂମି, ଗୃହ ନିର୍ମାଣ ଏବଂ ଜୀବିକା ଉପରେ ସରକାର ଗୁରୁତ୍ୱ ଦେବା ‘ସମସ୍ତଙ୍କ ପାଇଁ କଲ୍ୟାଣ’ର ଏକ ବ୍ୟାପକ ନୀତିର ସଙ୍କେତ। ଗ୍ରାମାଞ୍ଚଳରେ ଯୋଗାଯୋଗ ସେବାରେ ଉନ୍ନତି ଆଣିବା, ପରିମଳ, ଗୃହ ନିର୍ମାଣ, ପାନୀୟ ଜଳ ଉପଲବ୍ଧତା, ସାମାଜିକ ଅନ୍ତର୍ଭୁକ୍ତୀକରଣ, ମାଇକ୍ରୋଫାଇନାନ୍ସ ଓ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହିତ କରିବା ସହିତ ଏସଡିଜିର ସ୍ଥାନୀୟକରଣ ପାଇଁ ସରକାରଙ୍କ ପ୍ରୟାସ, ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିଥାଏ। ଗ୍ରାମୀଣ ସମ୍ପ୍ରଦାୟର ଉନ୍ନତି, ସମାନତାକୁ ପ୍ରୋତ୍ସାହିତ କରିବା ଏବଂ ଜୀବନଧାରଣମାନରେ ଥିବା ବ୍ୟବଧାନକୁ ଦୂର କରିବା ଦିଗରେ ସରକାରଙ୍କ ଏହି ସବୁ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମନରେଗା ଯୋଜନାକୁ ସୁଦୃଢ଼ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବିଚାର ବିମର୍ଶ

ନୂଆଦିଲ୍ଲୀ: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଆଜି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ମନରେଗା)କୁ ଆହୁରି ସୁଦୃଢ଼ କରିବା ପାଇଁ ଏକ “ବିଚାର ବିମର୍ଶ” ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ମନରେଗା କର୍ମୀ, ସାମାଜିକ ସଂଗଠନର ପ୍ରତିନିଧି ଓ ଅଧିକାରୀ, କମିଶନର ଓ ପ୍ରାୟ ୨୦ଟି ରାଜ୍ୟର ଅନ୍ୟ ଅଧିକାରୀ, ଜିଲ୍ଲା, ବ୍ଲକ ଓ ଗ୍ରାମ ପଞ୍ଚାୟତର ଅଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏହି ଅଧିବେଶନରେ ରାଷ୍ଟ୍ରମନ୍ତ୍ରୀ କମଲେଶ ପାଶୱାନ ଓ ଡ ଚନ୍ଦ୍ରଶେଖର ପେମସାନି, ଗ୍ରାମ୍ୟ ଉନ୍ନୟନ ସଚିବ  ଶୈଳେଶ କୁମାର ସିଂହ, ଅତିରିକ୍ତ ସଚିବ ଟି.କେ ଅନିଲ କୁମାର, ଯୁଗ୍ମ ସଚିବ ରୋହିଣୀ ଆର ଭଜିଭାକରେ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ ନାଗରିକ ସମାଜ ସଂଗଠନର ଅନ୍ୟ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ।

ପ୍ରତିନିଧିମାନେ କେନ୍ଦ୍ର ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଯୋଜନା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ଶ୍ରୀ ଶିବରାଜ ସିଂ ଚୌହାନ କହିଥିଲେ ଯେ ମନରେଗା ଆମ ଭାଇ ଭଉଣୀମାନଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯୋଜନା; ଜୀବନଧାରଣର ମାନକୁ ଆହୁରି ଉନ୍ନତ କରିବା ପାଇଁ ସମ୍ପୃକ୍ତ ଲୋକଙ୍କ ସହ ଯୋଗାଯୋଗ କରି ପରାମର୍ଶ ନିଆଯାଉଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଆଲୋଚନା ଅଧିବେଶନରେ କହିଥିଲେ ଯେ ମନରେଗା କେବଳ ଏକ ଯୋଜନା ନୁହେଁ ବରଂ ଗ୍ରାମୀଣ ଭାରତର ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ସ୍ଥିରତା ଏବଂ ସଶକ୍ତୀକରଣର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । କୋଭିଡ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିଆଯାଇଥିବା ପଦକ୍ଷେପ ଦ୍ୱାରା ମନରେଗା ଗରିବଲୋକଙ୍କ ପାଇଁ ବରଦାନ ପାଲଟିଥିଲା । କାରଖାନା ବନ୍ଦ ଥିବାରୁ ମନରେଗା ଜରିଆରେ ଲକ୍ଷ ଲକ୍ଷ ଲୋକ ଜୀବିକା ପାଇଥିଲେ। କେନ୍ଦ୍ର ସରକାର ମନରେଗାକୁ ବିପୁଳ ପରିମାଣର ଅର୍ଥ ଦିଅନ୍ତି, ଯାହାର ସଠିକ ଉପଯୋଗ ହେବା ଦରକାର। ଯେଉଁ ଉଦ୍ଦେଶ୍ୟ ରେ ଏହି ଯୋଜନା ପ୍ରସ୍ତୁତ ହୋଇଛି ତାହା ପୂରଣ ହେବା ଦରକାର । ଶ୍ରୀ ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଆମେ କୌଣସି ଯୋଜନା କରିଥାଉ, ଆମେ କେବଳ ଅଧିକାରୀଙ୍କ ସହ ବସିନଥାଉ ବରଂ ଆମେ ସମ୍ପୃକ୍ତ ସମସ୍ତ ଲୋକଙ୍କ ସହ ଯୋଗାଯୋଗ କରି କାର୍ଯ୍ୟ କରିଥାଉ ଯାହାଦ୍ୱାରା ଏହା ଯଥାସମ୍ଭବ ଫଳପ୍ରଦ ହୋଇପାରିବ । ଏପରିକି ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଥିବା ବେଳେ କୃଷକ, ମହିଳା ଓ ଅନ୍ୟାନ୍ୟ ବର୍ଗଙ୍କ ସହ ଆଲୋଚନା କରି ପରାମର୍ଶ ନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଭୂମିରେ କାର୍ଯ୍ୟ କରୁଥିବା ସଂପୃକ୍ତ ଲୋକଙ୍କ ସହ କଥାହୋଇ ପ୍ରଭାବଶାଳୀ ଯୋଜନା ପ୍ରସ୍ତୁତ କରାଯାଇପାରିବ । ସେମାନଙ୍କ ସହ ଆଲୋଚନା ନକଲେ ଆମେ ସଠିକ୍ ମତାମତ ପାଇପାରିବୁ ନାହିଁ। ଯେଉଁମାନେ କାର୍ଯ୍ୟ କରୁଛନ୍ତି ଏବଂ ତଦାରଖ କରୁଛନ୍ତି ସେମାନେ ଆମକୁ ଭଲ ଭାବରେ କହିପାରିବେ ଯେ ତୃଣମୂଳ ସ୍ତରରେ ସମସ୍ୟା କେଉଁଠାରେ ଅଛି ଏବଂ କ’ଣ ଭଲ ଭାବରେ କରାଯାଇପାରିବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ ମନରେଗା ଏକ ବଡ଼ ଯୋଜନା ଯାହା ହିତାଧିକାରୀଙ୍କୁ ଉପକୃତ କରିଥାଏ। ଟେକ୍ନୋଲୋଜି ମାଧ୍ୟମରେ ମଧ୍ୟ ଏହାର ଉନ୍ନତି ହୋଇଛି, ବହୁତ ଭଲ କାମ ହୋଇଛି, କିନ୍ତୁ ତଥାପି କିଛି ଅଭିଯୋଗ ଆସୁଛି, ଯାହାର ସମାଧାନ ହେବା ଆବଶ୍ୟକ । ଏହି ସୁଯୋଗ ଆମକୁ ଗ୍ରାମୀଣ ଭାରତର ବିକାଶ ପାଇଁ ଆମର ସଂକଳ୍ପକୁ ସୁଦୃଢ଼ କରିବାର ସୁଯୋଗ ଦେଇଛି । ଆମ ଗ୍ରାମୀଣ ଭାରତକୁ ସଶକ୍ତ କରିବା ଏବଂ ଏହି ଯୋଜନାରେ ଉନ୍ନତି ଆଣିବା ଦିଗରେ ଏହି ଆଲୋଚନା ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ । ଆଜିର ଆଲୋଚନା ଏହି ଯୋଜନାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ନୂତନ ପରାମର୍ଶ ଦେବା ଏବଂ ଦିଗ ନିର୍ଦ୍ଧାରଣ କରିବାର ଏକ ସୁଯୋଗ । ଏହି ଅଧିବେଶନରେ ଠିକ୍ ସମୟରେ ମଜୁରି ପ୍ରଦାନ, ବଟମ ଅପ୍ ପ୍ଲାନିଂ, ଯୋଜନା ଅଧୀନରେ ଅଧିକାର, ଟେକ୍ନୋଲୋଜିର ବ୍ୟବହାର, ଜବ୍ କାର୍ଡ ସମ୍ବନ୍ଧୀୟ ସମସ୍ୟା, କାର୍ଯ୍ୟର ଗୁଣବତ୍ତା ଓ ତଦାରଖ ତଥା ଅଭିଯୋଗ ସମାଧାନ ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଅଧିବେଶନ ଶେଷ କରି ସମସ୍ତ ଅଂଶୀଦାରମାନଙ୍କୁ ସେମାନଙ୍କ ମୂଲ୍ୟବାନ ଅବଦାନ ପାଇଁ କୃତଜ୍ଞତା ଜଣାଇଥିଲେ। ଆଲୋଚନା ସମୟରେ ମିଳିଥିବା ପରାମର୍ଶ ମନରେଗାରେ ଆହୁରି ଉନ୍ନତି ଆଣିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗ୍ରାମୀଣ ଉନ୍ନୟନ ଯୋଜନାଗୁଡିକୁ ୨୦୪୭ ସୁଦ୍ଧା ଅର୍ଥାତ୍ ଅମୃତକାଳ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ସହିତ ଯୋଡ଼ିବା ପାଇଁ ମନ୍ତ୍ରଣାଳୟର ବୃହତ ପ୍ରୟାସର ଏକ ଅଂଶ ହେଉଛି ଏହି ବିଚାରବିମର୍ଶ ଅଧିବେଶନ ।

ଏହି ଅଧିବେଶନରେ ଉତ୍ତରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ଓଡ଼ିଶା, ହରିୟାଣା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା, ମେଘାଳୟ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟର ଅଧିକାରୀ ଓ ପ୍ରତିନିଧିଙ୍କ ସମେତ ଶ୍ରମିକ, କୃଷକ ଏବଂ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଗ ଦେଇଥିଲେ।

ମନରେଗା କୋଟି କୋଟି ଶ୍ରମିକଙ୍କୁ ରୋଜଗାର ଯୋଗାଉଛି – ମନରେଗା ଜରିଆରେ ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ଦେଶର ପ୍ରାୟ ୫ କୋଟି ପରିବାରର ୬.୭ କୋଟିରୁ ଅଧିକ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି । ମନରେଗା ନିଯୁକ୍ତିର ଅଧାରୁ ଅଧିକ ହିତାଧିକାରୀ ହେଉଛନ୍ତି ମହିଳା, ଯାହା କି ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ମହିଳାଙ୍କ ସହିତ ମନରେଗା ସମାଜର ଅବହେଳିତ ବର୍ଗ ଯଥା ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ଉପକୃତ କରି ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଛି, ଯାହା ଆମ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସ୍ଥାୟୀ ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ – ମନରେଗା ଅଧୀନରେ କେବଳ ରୋଜଗାର ଯୋଗାଇ ଦିଆଯାଇନାହିଁ, ବରଂ ସ୍ଥାୟୀ ଗ୍ରାମୀଣ ଭିତ୍ତିଭୂମି ମଧ୍ୟ ନିର୍ମାଣ କରାଯାଇଛି । ଏହା ଅଧୀନରେ ଗରିବ ପରିବାର ଏବଂ ସମ୍ପ୍ରଦାୟମାନଙ୍କ ପାଇଁ ଭିତ୍ତିଭୂମି, ସାମାଜିକ ବିକାଶ ଏବଂ କୃଷି ପଦକ୍ଷେପ ସମ୍ବନ୍ଧୀୟ ବିଭିନ୍ନ ସ୍ଥାୟୀ ଏବଂ ଉତ୍ପାଦକ ସମ୍ପତ୍ତି ନିର୍ମାଣ କରାଯାଇଛି, ଯାହା ଦ୍ୱାରା ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ ଗ୍ରାମୀଣ ବିକାଶ ତ୍ୱରାନ୍ୱିତ ହୋଇଛି । ମନରେଗା ଅଧୀନରେ ୯.୩୯ କୋଟି ସମ୍ପତ୍ତି ନିର୍ମାଣ କରାଯାଇଛି ଏବଂ ଚଳିତ ବର୍ଷ ୬୩.୪ ଲକ୍ଷ ବିଭିନ୍ନ ସ୍ଥାୟୀ ଏବଂ ଉତ୍ପାଦନକ୍ଷମ ସମ୍ପତ୍ତି ନିର୍ମାଣ କରାଯାଇଛି।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ମନରେଗା ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସଭାଗୃହରେ ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କ ସଭାପତିତ୍ୱରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଏକ ସାମାଜିକ ସମିକ୍ଷା ବୈଠକ ଓ ସାଧାରଣ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଡ଼ିଓ ଶୀତଲ ଅଗ୍ରୱାଲ, ମନରେଗା ସଂଯୋଜକ ଜ୍ୟୋସ୍ନାମୟୀ ରାଉତ ଉପସ୍ଥିତ ରହି ଜନଶୁଣାଣି କରିଥିଲେ।

ବିଗତ ବର୍ଷର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ ଶ୍ରମିକ ପ୍ରାପ୍ୟ ଉପରେ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଉକ୍ତ ଯୋଜନାରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ନିର୍ମାଣ କରାଯାଇଥିବା ଅମୃତ ସରୋବରକୁ ପ୍ରୋଜେକ୍ଟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ପଞ୍ଚାୟତ ସମିତି ଅଧୀନରେ ସମୁଦାୟ ୨୩୬୦୦୦ କାର୍ଯ୍ୟ ଦିବସ ସୃଷ୍ଟି କରିବାକୁ ଥିବାବେଳେ ୪୮ ଶତକଡାରେ ପହଞ୍ଚି ସାରିଥିବା ଏପିଓ ଶୁଭଲଷ୍ମୀ ବିଶ୍ୱାଳ ମତପ୍ରକାଶ କରିଥିଲେ।

ବୈଠକରେ ଉପସ୍ଥିତ ଥିବା ଅତିରିକ୍ତ ଉଦ୍ୟାନ ଅଧିକାରୀଣି ଅନ୍ନପୂର୍ଣ୍ଣା ମହାରଣା ଚଳିତ ବର୍ଷ ନଡ଼ିଆ, ଆମ୍ବ, କଦଳୀ, ଲେମ୍ବୁ ଭଳି ବିଭିନ୍ନ ଗଛର ଚାରା ନେବାକୁ ଇଚ୍ଛୁକ ଥିବା କୃଷକମାନେ ସବସିଡି ଆକାରରେ ସରକାର ଯୋଗାଇ ଦେଉଥିବାର କହିଥିଲେ। କେବଳ ଆଧାରକାର୍ଡ଼ ଜରିଆରେ ଚାରା ନେବାକୁ ପରାମର୍ଶ ଦେଇଥିଲେ। ଯେଉଁ ଚାଷୀମାନେ ନଡ଼ିଆ ବଗିଚା କରିବାକୁ ଇଛୁକ ଉକ୍ତ ଚାରା ରୋପଣ ପ୍ରକ୍ରିୟାରେ ଇନ୍ସୁରାନ୍ସର ସୁବିଧା ଥିବା ବୈଠକକୁ ଜଣାଇଥିଲେ।

ମୃତ୍ତିକା ସଂରକ୍ଷଣ ବିଭାଗ ଅଧୀନରେ ହୋଇଥିବା କାର୍ଯ୍ୟର ସମୀକ୍ଷା କରାଯାଇଥିଲା lମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟକ୍ଷମ ଥିବା ପ୍ରକଳ୍ପ ଗୁଡିକୁ ଶୀଘ୍ର ଶେଷ କରିବାକୁ ବିଡ଼ିଓ ଶ୍ରୀମତୀ ଅଗ୍ରୱାଲଙ୍କୁ ଉପ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମନରେଗା ଯୋଜନାରେ ଟ୍ରେଂଚ୍ ଖୋଳାରେ ଅନିୟମିତତା

କନ୍ଦର୍ପ ବେହେରା
ରେଢାଖୋଲ: ରାଜ୍ୟ ସରକାର ଗ୍ରାମାଂଚଳର ବିକାଶ ପାଇଁ ତଥା ଗରିବ ପରିବାର ଲୋକମାନଙ୍କୁ ବିଭିନ୍ନ ସମୟରେ କାମ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଟଙ୍କା ସବୁ ସତ୍ ମାର୍ଗରେ ଖର୍ଚ୍ଚ ନ ହୋଇ ବ୍ୟାପକ ବାଟମାରଣା ହେଉଥିବା ଅଭିଯୋଗ ହେଉଛି।

କରୋନା ମହାମାରୀରେ ଲୋକମାନେ ବାହାର ରାଜ୍ୟକୁ ନ ଯାଇ ନିଜ ରାଜ୍ୟରେ ରୋଜଗାର କରିବା ପାଇଁ ବହୁ ଯୋଜନା ମାଧ୍ୟମରେ କାମ ଯୋଗାଇ ଦେଉଛନ୍ତି। ଶ୍ରମିକ ମାନେ ନିଜ ଜବ୍ କାର୍ଡ ଦ୍ଵାରା ମନରେଗା ଯୋଜନା ମାଧ୍ୟମରେ ନିଜର ପାଉଣା ମଧ୍ୟ ପାଇବେ ବୋଲି ସରକାର ଆଇନ୍ ପ୍ରଣୟନ କରିଛନ୍ତି। ସରକାରୀ ଜଙ୍ଗଲ ହେଉ ବା ଗ୍ରାମ୍ୟ ଜଙ୍ଗଲ ହେଉ ସେଠାରେ ଜଳ ସଂରକ୍ଷଣ କିପରି କରାଯାଇ ପାରିବ ସେଥିପାଇଁ ମନରେଗା ଯୋଜନା ମାଧ୍ୟମରେ ନାକଟିଦେଉଳ ବ୍ଲକ୍ ର ୧୪ ଟି ପଂଚାୟତରେ ଟ୍ରେଂଚ୍ ଖୋଳାଯାଇଛି। ହେଲେ ସରକାରୀ ଉଦାସୀନତା ଯୋଗୁଁ ବହୁ ସ୍ଥାନରେ ଏହି କାମରେ ଅନିୟମିତତା ଦେଖାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି।

ଅନୁସନ୍ଧାନରୁ ଜଣାପଡିଛି ଯେ, ନାକଟିଦେଉଳ ବ୍ଲକ୍‌ର ଶିମିଳିିପାଳ ପଂଚାୟତ ଅଧିନସ୍ଥ ବନ୍ଧୁପାଲି ଗ୍ରାମ ଠାରୁ ବଡତଇଲା ରାସ୍ତା କଡରେ ଖୋଲା ସ୍ଥାନ ଗୁଡିକରେ ୩ଶହ ରୁ ଉର୍ଦ୍ଧ୍ୱ ଟ୍ରେଂଚ୍ ଖୋଳା ଯାଇଛି। ଯେଉଁ ସବୁ ଟ୍ରେଂଚ୍ ଖୋଳାଯାଇଛି ତାହା କୌଣସି କାମରେ ଆସିବ ନାହିଁ। କାର୍ଯ୍ୟ ଆରମ୍ଭରୁ ସୂଚନା ଫଳକ ଲଗାଯାଇ ସେହି କାର୍ଯ୍ୟ କେଉଁ ଯୋଜନାରେ ହେଉଛି ଲୋକମାନେ ଜାଣିବା କଥା ହେଲେ କାର୍ଯ୍ୟ ଆରମ୍ଭର ବହୁ ଦିନ ପରେ ସୂଚନା ଫଳକ ତିଆରି କରି ଲେଖା ଯାଇଛି। କାର୍ଯ୍ୟ ଆରମ୍ଭ ତାରିଖ ୨୯/୧୦/୨୦୨୦ ଥିବା ବେଳେ କାର୍ଯ୍ୟ ଶେଷ ତାରିଖ ଲେଖା ଯାଇ ନାହିଁ। ଅଟକଳ ମୂଲ୍ୟ ୫ ଲକ୍ଷ ଟଙ୍କା ରହିଛି। ଯା ଫଳରେ ଏହି କାର୍ଯ୍ୟରେ ସନ୍ଦେହ ସୃଷ୍ଟି ହେଉଛି। ସୂଚନା ଫଳକରେ ସଂପୂର୍ଣ୍ଣ ବିବରଣୀ ଉଲ୍ଲେଖ କରାଯାଇନାହିଁ। ଜିଲ୍ଲା ପ୍ରଶାସନ ଏ ଦିଗରେ ଅନୁସନ୍ଧାନ କରିବାକୁ ଦାବୀ ହେଉଛି।