ବାଣପୁର ବ୍ଲକରେ ମନରେଗା ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ

Published: Aug 1, 2023, 11:27 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସଭାଗୃହରେ ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କ ସଭାପତିତ୍ୱରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଏକ ସାମାଜିକ ସମିକ୍ଷା ବୈଠକ ଓ ସାଧାରଣ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଡ଼ିଓ ଶୀତଲ ଅଗ୍ରୱାଲ, ମନରେଗା ସଂଯୋଜକ ଜ୍ୟୋସ୍ନାମୟୀ ରାଉତ ଉପସ୍ଥିତ ରହି ଜନଶୁଣାଣି କରିଥିଲେ।

ବିଗତ ବର୍ଷର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ ଶ୍ରମିକ ପ୍ରାପ୍ୟ ଉପରେ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଉକ୍ତ ଯୋଜନାରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ନିର୍ମାଣ କରାଯାଇଥିବା ଅମୃତ ସରୋବରକୁ ପ୍ରୋଜେକ୍ଟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ପଞ୍ଚାୟତ ସମିତି ଅଧୀନରେ ସମୁଦାୟ ୨୩୬୦୦୦ କାର୍ଯ୍ୟ ଦିବସ ସୃଷ୍ଟି କରିବାକୁ ଥିବାବେଳେ ୪୮ ଶତକଡାରେ ପହଞ୍ଚି ସାରିଥିବା ଏପିଓ ଶୁଭଲଷ୍ମୀ ବିଶ୍ୱାଳ ମତପ୍ରକାଶ କରିଥିଲେ।

ବୈଠକରେ ଉପସ୍ଥିତ ଥିବା ଅତିରିକ୍ତ ଉଦ୍ୟାନ ଅଧିକାରୀଣି ଅନ୍ନପୂର୍ଣ୍ଣା ମହାରଣା ଚଳିତ ବର୍ଷ ନଡ଼ିଆ, ଆମ୍ବ, କଦଳୀ, ଲେମ୍ବୁ ଭଳି ବିଭିନ୍ନ ଗଛର ଚାରା ନେବାକୁ ଇଚ୍ଛୁକ ଥିବା କୃଷକମାନେ ସବସିଡି ଆକାରରେ ସରକାର ଯୋଗାଇ ଦେଉଥିବାର କହିଥିଲେ। କେବଳ ଆଧାରକାର୍ଡ଼ ଜରିଆରେ ଚାରା ନେବାକୁ ପରାମର୍ଶ ଦେଇଥିଲେ। ଯେଉଁ ଚାଷୀମାନେ ନଡ଼ିଆ ବଗିଚା କରିବାକୁ ଇଛୁକ ଉକ୍ତ ଚାରା ରୋପଣ ପ୍ରକ୍ରିୟାରେ ଇନ୍ସୁରାନ୍ସର ସୁବିଧା ଥିବା ବୈଠକକୁ ଜଣାଇଥିଲେ।

ମୃତ୍ତିକା ସଂରକ୍ଷଣ ବିଭାଗ ଅଧୀନରେ ହୋଇଥିବା କାର୍ଯ୍ୟର ସମୀକ୍ଷା କରାଯାଇଥିଲା lମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟକ୍ଷମ ଥିବା ପ୍ରକଳ୍ପ ଗୁଡିକୁ ଶୀଘ୍ର ଶେଷ କରିବାକୁ ବିଡ଼ିଓ ଶ୍ରୀମତୀ ଅଗ୍ରୱାଲଙ୍କୁ ଉପ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସ ମାନେ ଉପସ୍ଥିତ ଥିଲେ।

Related posts