Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ମହାକୁମ୍ଭ ମେଳାରେ ଝଲସିଲା ଭୁବନେଶ୍ବର ରୁଦ୍ରାକ୍ଷ ଫାଉଣ୍ଡେସନର ଓଡିଶୀ ନୃତ୍ୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ମହାସ୍ନାନ ସମେତ ବିଭିନ୍ନ ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ ମହାକୁମ୍ଭ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଉତ୍ତର କେନ୍ଦ୍ରୀୟ ଜୋନ୍ ସାଂସ୍କୃତିକ କେନ୍ଦ୍ର, ପ୍ରୟାଗରାଜ ପକ୍ଷରୁ ଜାନୁଆରୀ ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏଥିରେ ଓଡ଼ିଶାର ‘ରୁଦ୍ରାକ୍ଷ ଫାଉଣ୍ଡେସନ’କୁ  ପ୍ରଥମ ଦିନରେ ଗଙ୍ଗା ମଞ୍ଚ, ପ୍ୟାରେଡ୍ ଗ୍ରାଉଣ୍ଡ ସେକ୍ଟର-୧ରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାର ଅନନ୍ୟ ସୁଯୋଗ ମିଳିଥିଲା । ‘ରୁଦ୍ରାକ୍ଷ ଫାଉଣ୍ଡେସନ’ର ପ୍ରତିଷ୍ଠାତା ତଥା ଗୁରୁ ଶ୍ରୀ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ତତ୍ୱାବଧାନରେ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ “ଗଙ୍ଗାବତାରମ୍” ନୃତ୍ୟ ପରିବେଷଣ ଉପସ୍ଥିତ ଲକ୍ଷ ଲକ୍ଷ  ଶ୍ରଦ୍ଧାଳୁମାନଙ୍କୁ ମନ୍ତ୍ରମୁଗ୍ଧ  କରିଥିଲା ।

ମହାକୁମ୍ଭ ଭଳି ଏକ ବୃହତ ମେଳାରେ ଓଡ଼ିଶାର ରୁଦ୍ରାକ୍ଷ ଫାଉଣ୍ତେସନକୁ ପରିବେଷଣର ସୁଯୋଗ ମିଳିବା ଆମ ପାଇଁ  ଅତ୍ୟନ୍ତ ଗର୍ବ, ଗୌରବ, ସୌଭାଗ୍ୟ ଏବଂ ଆନନ୍ଦର କଥା  ବୋଲି ଅନୁଷ୍ଠାନର କଳାକାରମାନେ  ପ୍ରକାଶ  କରିଛନ୍ତି ।

ଅନୁଷ୍ଠିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ରୁଦ୍ରାକ୍ଷ ଫାଉଣ୍ଡେସନର ନୃତ୍ୟ ଶିଳ୍ପୀମାନଙ୍କ ମଧ୍ୟରେ ନୃତ୍ୟ ପରିବେଷଣ କରିଥିଲେ ଦୁଃଶାସନ ସାହୁ, ସନ୍ତୋଷ ରାମ, ସମୀର କୁମାର ପାଣିଗ୍ରାହୀ, ସଞ୍ଜୀବ କୁମାର ଜେନା, ପ୍ରଶାନ୍ତ କୁମାର, ବିଶ୍ୱଜିତ ଜେନା, ବଶିଷ୍ଠ ଜେନା, ରୋଜି ସ୍ୱାଇଁ, ଅଭିପ୍ସା ବିଶ୍ୱାଳ ଲୋପାମୁଦ୍ରା ସାହୁ, ଅଞ୍ଜଳି ଦାଶ, ଟି.ତୁଲିକା ରେଡ୍ଡୀ, ଏବଂ ସୁଚିସ୍ମିତା ସାହୁ ।

ମହାକୁମ୍ଭ ଅବସରରେ ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟକୁ  ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ନିକଟରେ ଉପସ୍ଥାପନ କରିବାରେ ରୁଦ୍ରାକ୍ଷ ଫାଉଣ୍ଡେସନର ଆଗ୍ରହ ଓ ପ୍ରୟାସ ତଥା ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟର ସହଯୋଗ ନିମନ୍ତେ ଓଡ଼ିଶାର ସଂସ୍କୃତି ପ୍ରେମୀ ଓ ବୁଦ୍ଧିଜୀବୀ ଜନସାଧାରଣ  ପ୍ରଶଂସା କରିଛନ୍ତି।

ପ୍ରକାଶ ଥାଉକି, ଏହି ମଞ୍ଚରେ ବଲିଉଡର ପ୍ରଖ୍ୟାତ ଗାୟକ ଶଙ୍କର ମହାଦେବନ ତାଙ୍କ ଟିମ୍ ସହିତ ଭଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମହାକୁମ୍ଭରେ ତୀର୍ଥଯାତ୍ରୀମାନଙ୍କ ବିଶ୍ରାମ ପାଇଁ ରିଲାଏନ୍ସ ନିର୍ମାଣ କରିବ ‘କ୍ୟାମ୍ପା-ଆଶ୍ରମ’

ପ୍ରୟାଗରାଜ: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ମହାକୁମ୍ଭରେ ‘କ୍ୟାମ୍ପା ଆଶ୍ରମ’ ନିର୍ମାଣ କରିବାକୁ ଯାଉଛି । ଏହି ସ୍ୱତନ୍ତ୍ର ଭାବରେ ନିର୍ମିତ ହୋଇଥିବା ବିଶ୍ରାମସ୍ଥଳ ଗୁଡିକରେ ତୀର୍ଥଯାତ୍ରୀମାନେ ବିଶ୍ରାମ ନେବା ସହିତ ଜଳପାନ ମଧ୍ୟ ପାଇପାରିବେ ।

ତୀର୍ଥଯାତ୍ରୀମାନଙ୍କୁ ଏକ ନିରାପଦ ଏବଂ ଶାନ୍ତିପୂର୍ଣ୍ଣ ସ୍ଥାନ ଯୋଗାଇବା ପାଇଁ ‘କ୍ୟାମ୍ପା ଆଶ୍ରମ’ ସ୍ୱତନ୍ତ୍ର ଭାବରେ ପରିକଳ୍ପନା କରାଯାଇଛି । ଏହା ବ୍ୟତୀତ ରିଲାଏନ୍ସ ମହାକୁମ୍ଭ ଅଞ୍ଚଳରେ ତୀର୍ଥଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ପଷ୍ଟ ଓ ସହଜରେ ପଢି ହେବା ଭଳି ସୂଚନା ଫଳକ (ସାଇନେଜ୍‌) ଏବଂ ଦିଗସୂଚକ ବୋର୍ଡ ସ୍ଥାପନ କରୁଛି।

ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ର ସିଇଓ କେତନ ମୋଦୀ କହିଛନ୍ତି, “ପ୍ରୟାଗରାଜ ମହାକୁମ୍ଭ ୨୦୨୫ରେ ଆମର ଅଂଶଗ୍ରହଣ ଏହି ଭବ୍ୟ ଆଧ୍ୟାତ୍ମିକ ସମାବେଶର ଭାବନାକୁ ସମ୍ମାନ ଜଣାଇବା ପାଇଁ ଉଦ୍ଦିଷ୍ଟ। ଏକ କମ୍ପାନୀ ଭାବରେ ଆମେ ଭାରତୀୟ ପରମ୍ପରାଗୁଡିକ ସହିତ ଗଭୀର ଭାବରେ ସଂଯୁକ୍ତ। ଏହି ପବିତ୍ର ଆୟୋଜନ ଅବସରରେ ଲୋକମାନଙ୍କ ସେବା ଦ୍ୱାରା ଆମେ ଭାରତୀୟ ଗ୍ରାହକଙ୍କ ପରମ୍ପରାକୁ ନୂଆ ରୂପ ଦେଉଛୁ ।”

ସୂଚନାଯୋଗ୍ୟ ଯେ ମହାକୁମ୍ଭର ପବିତ୍ର ପର୍ବର ଆରମ୍ଭ ହୋଇଯାଇଛି। ପୌଷ ପୂର୍ଣ୍ଣିମାରେ ମହାକୁମ୍ଭର ପ୍ରଥମ ସ୍ନାନ ୧୩ ଜାନୁୟାରୀରେ ଅନୁଷ୍ଠିତ ହୋଇଯାଇଛି। ଦେଶର କୋଣ ଅନୁକୋଣରୁ ଭକ୍ତମାନେ ପ୍ରୟାଗରାଜକୁ ଆସିଛନ୍ତି। କୁମ୍ଭର ପ୍ରଥମ ଦିନ ସ୍ନାନ ପାଇଁ ତ୍ରିବେଣୀରେ ଶ୍ରଦ୍ଧାଳୁମାନଙ୍କ ସମାଗମ ଲାଗି ରହିଥିଲା।

ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ ଦୁନିଆର ସବୁଠୁ ବଡ ଆଧ୍ୟାତ୍ମିକ ସମାବେଶ ମଧ୍ୟରୁ ଅନ୍ୟତମ ମହାକୁମ୍ଭ ପ୍ରୟାଗରାଜ ୨୦୨୫ ରେ ଅଂଶଗ୍ରହଣ କରିବା ଏବଂ ସେବା କାର୍ଯ୍ୟ କରିବାର ସୌଭାଗ୍ୟ ମିଳିଛି । ମହାକୁମ୍ଭର ପ୍ରଥମ ଅମୃତ ସ୍ନାନ (ଶାହୀ ସ୍ନାନ) ଜାନୁୟାରୀ ୧୪ ରେ ଅନୁଷ୍ଠିତ ହେବ ।

Categories
ଆଜିର ଖବର ଜାତୀୟ ଖବର

ଆଜି ଉତ୍ତରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶ ଗସ୍ତରେ ଯିବେ। ସେ ଅପରାହ୍ନ ପ୍ରାୟ ୧୨ଟା ୧୫ରେ ପ୍ରୟାଗରାଜ ଯାଇ ସଙ୍ଗମ ସ୍ଥଳରେ ପୂଜାର୍ଚ୍ଚନା ଓ ଦର୍ଶନ କରିବେ। ଏହାପରେ ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ରେ ପ୍ରଧାନମନ୍ତ୍ରୀ ଅକ୍ଷୟ ବଟବୃକ୍ଷ ସ୍ଥଳରେ ପୂଜାର୍ଚ୍ଚନା କରିବେ ଓ ତା’ ପରେ ହନୁମାନ ମନ୍ଦିର ଓ ସରସ୍ୱତୀ କୂପ ଯାଇ ପୂଜାର୍ଚ୍ଚନା କରିବେ। ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ସେ ମହାକୁମ୍ଭ ପ୍ରଦର୍ଶନୀ ସ୍ଥଳ ପରିଦର୍ଶନ କରିବେ। ଏହାପରେ ଅପରାହ୍ନ ପ୍ରାୟ ୨ଟାରେ ସେ ପ୍ରୟାଗରାଜରେ ୫୫୦୦ କୋଟି ରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ କରିବେ।

ମହାକୁମ୍ଭ ୨୦୨୫ ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ। ପ୍ରୟାଗରାଜରେ ଭିତ୍ତିଭୂମି ସୁବିଧା ଉନ୍ନତୀକରଣ ଏବଂ ନିରବଚ୍ଛିନ୍ନ ଯାତାୟାତକୁ ସୁଗମ କରିବା ପାଇଁ  ଏସବୁ ପ୍ରକଳ୍ପ ଉଦ୍ଦିଷ୍ଟ । ଏସବୁ ପ୍ରକଳ୍ପ ମଧ୍ୟରେ ରହିଛି ୧୦ଟି ନୂତନ ରୋଡ୍ ଓଭରବ୍ରିଜ୍ (ଆରଓବି) କିମ୍ବା ଫ୍ଲାଏଓଭର, ସ୍ଥାୟୀ ଘାଟ ଏବଂ ରିଭରଫ୍ରଣ୍ଟ ରାସ୍ତା ଭଳି ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପ।

ସ୍ୱଚ୍ଛ ଏବଂ ନିର୍ମଳ ଗଙ୍ଗା ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀକୁ ଯାଉଥିବା କ୍ଷୁଦ୍ର ଡ୍ରେନ୍ ଗୁଡ଼ିକର ପ୍ରତିରୋଧକ, ଟ୍ୟାପ୍, ଡାଇଭର୍ଟ ଏବଂ ବିଶୋଧନ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ। ଏହା ଦ୍ବାରା ଗଙ୍ଗା ନଦୀକୁ ବିଶୋଧିତ ହୋଇନଥିବା ଜଳ ପ୍ରବେଶ କରିପାରିବ ନାହିଁ । ସେ ମଧ୍ୟ ପାନୀୟ ଜଳ ଓ ବିଜୁଳି ସମ୍ବନ୍ଧୀୟ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ।

ପ୍ରଧାନମନ୍ତ୍ରୀ କେତେକ ପ୍ରମୁଖ ମନ୍ଦିର କରିଡରକୁ ଉଦଘାଟନ କରିବେ। ସେଗୁଡ଼ିକ ହେଲା ଭରଦ୍ୱାଜ ଆଶ୍ରମ କରିଡର, ଶୃଙ୍ଗବେରପୁର ଧାମ କରିଡର, ଅକ୍ଷୟବଟ କରିଡର, ହନୁମାନ ମନ୍ଦିର କରିଡର ଇତ୍ୟାଦି। ଏହି ପ୍ରକଳ୍ପଗୁଡ଼ିକ ଭକ୍ତଙ୍କ ଯାତାୟାତକୁ ସୁଗମ କରାଇବା ସହ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କୁମ୍ଭ ‘ସହାୟକ’ (Sah’AI’yak) ଚାଟ୍ ବଟ୍ ର ଶୁଭାରମ୍ଭ କରିବେ। ଏହି ଚାଟବଟ୍ ମହାକୁମ୍ଭ ମେଳା ୨୦୨୫ ସମ୍ପର୍କରେ ଭକ୍ତମାନଙ୍କୁ ସହାୟତା କରିବା ସହ ଏବଂ କାର୍ଯ୍ୟସୂଚୀ ସମ୍ପର୍କରେ ସଦ୍ୟତମ ସୂଚନା ପ୍ରଦାନ କରିବ।