Categories
ବିଶେଷ ଖବର

ମିଶନ ଶକ୍ତିକୁ ନେଇ ଧରାପଡିଲା ଧର୍ମେନ୍ଦ୍ରଙ୍କ ମିଛ: ବିଜେଡି

ଭୁବନେଶ୍ୱର:  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଠଗଡରେ ଯେଉଁ ଅଭିଭାଷଣ ରଖିଲେ, ସେଥିରୁ ତାଙ୍କର ନିର୍ବୋଧତା ପଦାରେ ପଡିଛି। ଦୁର୍ଭାଗ୍ୟର କଥା ଶ୍ରୀଯୁକ୍ତ ପ୍ରଧାନ କହୁଛନ୍ତି, ମିଶନ ଶକ୍ତି ତାଙ୍କ ସରକାର ସମୟରେ ଆରମ୍ଭ ହେଲା, ଯାହା ସମ୍ପୂର୍ଣ୍ଣ ମିଛ କଥା ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ଶ୍ରୀମତୀ ସାହୁ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ୨୦୦୧ ମସିହାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଇ ଶ୍ରୀଯୁକ୍ତ ପ୍ରଧାନ ରାଜ୍ୟର ଲକ୍ଷ ଲକ୍ଷ ମିଶନ ଶକ୍ତି ମା’ ମାନଙ୍କୁ ଅପମାନିତ କରିଛନ୍ତି। ଯେଉଁ ମା’ ମାନେ ଗଛ ତଳେ ବସି, ମୁଠି ଚାଉଳ ଦେଇ ଏହାକୁ ଗଢିଛନ୍ତି, ତାଙ୍କ କାର୍ଯ୍ୟ ବିଷୟରେ ନଜାଣି ବକ୍ତବ୍ୟ ଦେବା ସେମାନଙ୍କ ପ୍ରତି ଅପମାନ ଓ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା।

ମାନ୍ୟବର କେନ୍ଦ୍ରମନ୍ତ୍ରୀ ଆଠଗଡ ନିର୍ବାଚନ ମଣ୍ଡଳୀ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ଶୋଚନୀୟ ଅବସ୍ଥାକୁ ସୁଧାରିବାକୁ କଣ କରିଛନ୍ତି ଏବଂ ୯ ବର୍ଷର କେନ୍ଦ୍ରମନ୍ତ୍ରୀତ୍ୱ ସମୟରେ କଣ ପଦକ୍ଷେପ ନେଇଛନ୍ତି ସେ ବିଷୟରେ ଆଠଗଡବାସୀଙ୍କୁ କହିଥିଲେ ଭଲ ହୋଇଥାନ୍ତା। କାରଣ ଖାଲି ଆଠଗଡବାସୀ ନୁହଁନ୍ତି, ସାରା ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି କାହିଁକି ଏନଏଚ-୫୫ ମରଣଯନ୍ତା ହେଲା ପରେ ମଧ୍ୟ ସେ ଚୁପ୍ ହୋଇ ରହିଛନ୍ତି।

ସେହିଭଳି ଓଡିଶାର ବିଜେପି ସାଂସଦମାନେ ଷଡଯନ୍ତ୍ର କରି ଗରିବ ଆଦିବାସୀଙ୍କୁ ମିଳିବାକୁ ଥିବା ଘର ବନ୍ଦ କରିଦେଲେ। ଆଜିର ସଭାରେ ଶ୍ରୀଯୁକ୍ତ ପ୍ରଧାନ ଏ ବାବଦରେ ପଦୁଟିଏ ମଧ୍ୟ ଉଲ୍ଲେଖ କଲେନାହିଁ। ସାଢେ ୪ କୋଟି ଓଡିଶାବାସୀଙ୍କ ସାମ୍ନାରେ ଏଭଳି ଅବିଚାର ନେଇ ବକ୍ତବ୍ୟ ରଖିଥିଲେ ଭଲ ହୋଇଥାନ୍ତା।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଆପଣ ଦାୟିତ୍ୱ ତୁଲାଉଛନ୍ତି। ଆଠଗଡ ଗସ୍ତ ସମୟରେ ଜବାହର ନବୋଦୟ ବିଦ୍ୟାଳୟ ଅଥବା କେନ୍ଦ୍ରୀୟ ବିଦ୍ୟାଳୟ ନେଇ ଶିଳାନ୍ୟାସ କରିଥିଲେ ଆଠଗଡବାସୀ ଉପକୃତ ହୋଇଥାନ୍ତେ। ଶିକ୍ଷାମନ୍ତ୍ରୀ ଭାବେ ଓଡିଶାର ବିଭିନ୍ନ ସ୍ଥାନ ବୁଲୁଛନ୍ତି। କହିଲେ, କେତେ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟ ପାଇଁ ଆପଣ କି ପଦକ୍ଷେପ ନେଇଛନ୍ତି। ସଭାରେ ବିଭ୍ରାନ୍ତିକର ତଥ୍ୟ ଦେବା ବଦଳରେ ଏସବୁର ହିସାବ ଦେଇଥିଲେ ଭଲ ହୋଇଥାନ୍ତା ବୋଲି ଶ୍ରୀମତୀ ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ସ୍ୱାଧୀନତା ଦିବସ ପୂର୍ବରୁ ଜିଲ୍ଲା ପ୍ରଶାସନର ଖସଡ଼ା ପ୍ରସ୍ତୁତ, ପ୍ରତି ଘରେ ଉଡ଼ିବ ତ୍ରିରଙ୍ଗା

ସ୍ୱାଧୀନତା ଦିବସ ପୂର୍ବରୁ ଜିଲ୍ଲା ପ୍ରଶାସନର ଖସଡ଼ା ପ୍ରସ୍ତୁତ କରାଯାଇଛି। ଆଜି ଦଶଟି ବ୍ଲକ ବିଡ଼ିଓଙ୍କ ସହ ଜିଲ୍ଲାପାଳଙ୍କ ଆଭାସୀ ବୈଠକ କରାଯାଇଛି। ଚାଳିଶ ଅମୃତ ସରବୋରରେ ଜାତୀୟ ପତାକା ଉତ୍ତୋଳନ ହେବ। ମେରୀ ମାଟି ମେରୀ ଦେଶ କାର୍ଯ୍ୟକ୍ରମରେ ପ୍ରତି ଅମୃତ ପୋଖରୀରେ ୭୫ ଚାରା ଲାଗିବ। ପ୍ରତି ଘରେ ଉଡ଼ିବ ତିରଙ୍ଗା, ମଧୁ ବାବୁ ପେନସନ ଯୋଜନା ଓ ମୋ ଘର ପାଇଁ ସଚେତନତା କରାଯିବ।

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସମାନ ହଲରେ ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ ର ବିଡ଼ିଓ ମାନଙ୍କ ସହ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି।  ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ପ୍ରତି ଘରେ ଜାତୀୟ ପତାକା ଉଡ଼ିବ। ଏଥିପାଇଁ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଚେତନତା ସୃଷ୍ଟି କରିବେ।

ଜିଲାରେ ଅମୃତ ସରବୋର ଯୋଜନା ରେ ଅନ୍ତର୍ଭୂକ୍ତ ୪୦ ଟି ଅମୃତ ସରବୋର କୂଳରେ ତ୍ରିରଙ୍ଗା ପତାକା ଉତ୍ତୋଳନ ହେବ। ଭାରତ ସ୍ୱାଧୀନତା ପାଇବାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଥିବା ମେରୀ ଦେଶ ମେରୀ ମାଟି କାର୍ଯ୍ୟକ୍ରମ।

ଏହି ଅମୃତ ସରବୋର କୂଳରେ ୭୫ ଟି ଲେଖାଏଁ ଚାରା ରୋପଣ କରାଯିବ। ଏପରିକି ଏହି ୪୦ ଅମୃତ ସରବୋର ବ୍ୟତୀତ ଯଦି କୌଣସି ପଞ୍ଚାୟତ ରେ ବଡ଼ ପୋଖରୀ ଥିବ ସେଠାରେ ମଧ୍ୟ ୭୫ ଲେଖାଏଁ ଚାରା ରୋପଣ କରାଯିବ। ଜଙ୍ଗଲ ବିଭାଗ ପକ୍ଷରୁ ଚାରା ଯୋଗାଇ ଦିଆଯିବ।

ସେହିପରି ବିଡ଼ିଓ ମାନଙ୍କ ସହ ଆଲୋଚନା କରି ପ୍ରତି ବ୍ଲକ ମୁଖ୍ୟାଳୟ ଓ ପଞ୍ଚାୟତ ମାନଙ୍କ ରେ ମଧୁବାବୁ ପେନସନ ଯୋଜନା ପାଇଁ ସ୍ୱତନ୍ତ୍ର ସହାୟତା କେନ୍ଦ୍ର (ହେଲପ ଡେ଼କ୍ସ ) କରାଯିବ। ନିହାତି ବୟସ୍କ ଗରିବ, ବିଧବା, ଭିନ୍ନକ୍ଷମ, ସ୍ୱାମୀ ପରିତକ୍ତା ମହିଳା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଭତ୍ତା ଆବେଦନ କରିବାରେ ସହାୟତା କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପରାମର୍ଶ ଦେଇଥିଲେ।

ମୋ ଘର ଯୋଜନାରେ ଘର ପାଇଁ ଯେତିକି ଦରଖାସ୍ତ ଆସିଛି ତାହାର ଯୋଗ୍ୟ ହିତାଧିକାରୀ ଚୟନ କରି ତୁରନ୍ତ ବ୍ୟାଙ୍କ ମାନଙ୍କୁ ପଠାଇବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।

ଏହି ବୈଠକ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବାଦଲ ମହାନ୍ତି, ଡିପିଏମ ବିବେକ ବେଉରା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ସୂଚନା ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନବୀନଙ୍କ ନିର୍ବାଚନୀ ଥୋପ, ଲାଗୁ ହେଲା ‘ମିଶନ ଶକ୍ତି ସ୍କୁଟର ଯୋଜନା’, ମିଳିବ ବିନା ସୁଧରେ ଲକ୍ଷେ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଜନହିତକର ଯୋଜନା ପ୍ରଣୟନ କରିବାରେ ଲାଗିଛନ୍ତି। ନିକଟରେ ସେ ସେହିପରି ବିଭିନ୍ନ ଯୋଜନା କରି କ୍ୟାବିନେଟରେ ପାଶ କରାଇଛନ୍ତି। ଏବେ ପୁଣି ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ମିଶନ ଶକ୍ତି ମହିଳାମାନଙ୍କ ପାଇଁ ଲାଗୁ କରିଛନ୍ତି ମିଶନ ଶକ୍ତି ସ୍କୁଟର ଯୋଜନା।

ଆଜି ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମଂଜୁରୀ ମିଳିଛି। ଏହି ଯୋଜନାରେ ମିଶନ ଶକ୍ତିର ଯୋଗ୍ୟ ସଦସ୍ୟାଙ୍କୁ ନିଜ ମନ ପସନ୍ଦର ସ୍କୁଟର କିଣିବା ପାଇଁ ଋଣ ପ୍ରଦାନ କରାଯିବ। ଏଥିରେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ତେବେ ଏହାର ସୁଧ ଟଙ୍କା ରାଜ୍ୟ ସରକାର ବହନ କରିବେ। ଅର୍ଥାତ ମିଶନ ଶକ୍ତି ମହିଳାମାନେ ବିନା ସୁଧରେ ଏହି ଋଣ ପାଇପାରିବେ।

ଏହି ଯୋଜନା ଦ୍ବାରା ମିଶନ ଶକ୍ତି ମହିଳା, ଏସଏଚଜି ମହାସଂଘ, କମ୍ୟୁନିଟ ସପୋର୍ଟ ଷ୍ଟାଫମାନେ ଯାତାୟତ କରିବାରେ ସୁବିଧା ହେବ। ଏହି ଯୋଜନା ପାଇଁ ରାଜ୍ୟ ସରକାର ଆସନ୍ତା ୫ ବର୍ଷ ପାଇଁ ୫୨୮.୫୫ କୋଟି ଟଙ୍କାର ବଜେଟ ଆକଳନ କରିଛନ୍ତି। ଏହି ବଜେଟକୁ ଆଜି କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଏହି କ୍ୟାବିନେଟ ବୈଠକରେ ମିଶନ ଶକ୍ତି ସହିତ ୧୭ଟି ବିଭିନ୍ନ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ସେଥିମଧ୍ୟରେ ରହିଛି କୃଷି ବିଭାଗ, ସମବାୟ ବିଭାଗ ଏବଂ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ବିଭିନ୍ନ ପ୍ରସ୍ତାବକୁ କ୍ୟାବିନେଟ ମଂଜୁର କରିଛନ୍ତି। ରାଜ୍ୟରେ କ୍ୟାନସର ଚିକିତ୍ସା ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିରେ ରହିଛି ରାଜ୍ୟରେ ୧୧ ଟି କଂପ୍ରହନସିଭ କ୍ୟାନେସର ୟୁନିଟ ସ୍ଥାପନ କରାଯିବ।

ଏହି ଯୋଜନା ପାଇଁ ୧୦୦୧. ୧୪ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଏହି ଯୋଜନା ଅଟକଳକୁ ଆଜି ରାଜ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ମିଲେଟ୍ ଶକ୍ତି ଆଉଟଲେଟର ଉଦଘାଟନ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ବଦଳୁଛି ମିଲ୍ଲେଟ୍ସ ରୁ ପ୍ରସ୍ତୁତ ଖାଦ୍ୟକୁ ପରସିବାର ଏବଂ ଅପଣେଇବାର ଢାଞ୍ଚା।
୨୦୨୩ ମସିହା କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଛି। କିନ୍ତୁ ୫ ବର୍ଷ ପୂର୍ବରୁ ଓଡିଶା ସରକାର ଓଡିଶା ମିଲେଟ ମିଶନ ଜ଼ରିଆରେ ଖ୍ୟୁଦ୍ରଶସ୍ୟ ବା ମିଲେଟକୁ ପ୍ରୋତ୍ସାହନ ଦେବା ଏବଂ ଏହାର ବ୍ୟବହାର ବୃଦ୍ଧି ନିମନ୍ତେ ଅବିରତ କାର୍ଯ୍ୟ କରି ଆସୁଛନ୍ତି।

ଏହି ପରିପ୍ରେକ୍ଷୀରେ ଓଡିଶା ମିଲ୍ଲେଟ୍ସ ମିଶନ ସହାୟତା ରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିଭିନ୍ନ ସହାୟତା ଜ଼ରିଆରେ ସମୃଦ୍ଧ କରି ଆସୁଅଛି। ଏହି ଅବସରରେ ସଂପ୍ରତ୍ତି ଜିଲ୍ଲା ପରିଷଦ ପରିସରରେ ଏକ ମିଲେଟ ଶକ୍ତି ଆଉଟ ଲେଟର ଶୁଭ ଉଦଘାଟନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ ଙ୍କ କରକମଳରେ ସମ୍ପନ୍ନ କରା ଯାଇ ଅଛି।

ଏହି ମିଲେଟ ଶକ୍ତି ଆଉଟ୍ଟଲେଟର ପରିଚାଳନା କଲ୍ୟାଣି ସ୍ୱୟଂ ସହୟକ ଗୋଷ୍ଠୀ ଦ୍ୱାରା କରାଯିବାର ବ୍ୟବସ୍ଥା କରାଯାଇଅଛି। ଏହି ଅବସର ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ମୂଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସଚିନ୍ ପାୱାର, ଭବାନୀପାଟଣା ପୌରପାଳିକା ଅଧକ୍ଷା ସଂଯୁକ୍ତା ବେହେରା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କଳାହାଣ୍ଡି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ପରିଚାଳକ, ଓଡିଶା ଜୀବିକା ମିଶନ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଡେପୁଟି କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅରମାସ ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରମୁଖ ଯୋଗ ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ମନୋରଂଜନ ରାଜ୍ୟ ଖବର

ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକଙ୍କ ‘ମିଶନ ଶକ୍ତି’ ଡକ୍ୟୁ ଫିଲ୍ମକୁ ଅନ୍ତଃରାଷ୍ଟ୍ରୀୟ ପ୍ରଶଂସା

ଭୁବନେଶ୍ବର: ବିଶିଷ୍ଟ ଆଦିବାସୀ ଗବେଷକ, ସାମ୍ବାଦିକ ତଥା ପ୍ରାମାଣିକ ଚଳଚିତ୍ର ନିର୍ମାତା ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ଡକ୍ୟୁ ଫିଲ୍ମ ‘ମିଶନ ଶକ୍ତି’ କୁ ଅନ୍ତଃରାଷ୍ଟ୍ରୀୟ ପ୍ରଶଂସା ମିଳିଛି।

ଜାତିସଂଘ ଦ୍ୱାରା ଆମେରିକାରେ ସିଆଟେଲ ଠାରେ ଅନୁଷ୍ଠିତ ‘ସି ଫୁଡ ଏଲାଏନ୍ସ’ ଶୀର୍ଷକ ବିଶ୍ୱସ୍ତରୀୟ ସମ୍ମିଳନୀରେ ଭାରତ ସମେତ ବିଭିନ୍ନ ଦେଶରୁ ମହିଳା ସଶକ୍ତିକରଣ ଉପରେ ଶତାଧିକ କ୍ଷୁଦ୍ର ଡକ୍ୟୁ ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ସମ୍ମିଳନୀରେ ଓଡ଼ିଶା ଅଂଶ ଗ୍ରହଣ କରିବା ସହ 3.22 ମିନିଟର ‘ମିଶନ ଶକ୍ତି’ ଶୀର୍ଷକ କ୍ଷୁଦ୍ର ଡକ୍ୟୁ ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ଏହାକୁ ମିଶନ ଶକ୍ତି ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।

ଓଡ଼ିଶାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ(SHG) କେମିତି ପଞ୍ଚାୟତ ପୋଖରୀରେ ମାଛ ଚାଷ କରି ସଫଳତା ପାଇଛନ୍ତି ତାହା ଉକ୍ତ ଡକ୍ୟୁ ଫିଲ୍ମରେ ନିଚ୍ଛକ ଭାବେ ପ୍ରଦର୍ଶିତ ହୋଇଥିବା ଦେଖି ଉପସ୍ଥିତ ବିଚାରକ ମଣ୍ଡଳୀ ଓ  ବିଶ୍ୱସ୍ତରୀୟ ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ହେବା ସହ ଅଭିଭୂତ ହୋଇଥିଲେ। ସେଥିପାଇଁ ଜାତିସଂଘ ପକ୍ଷରୁ ମିଶନ ଶକ୍ତି-ଡକ୍ୟୁ ଫିଲ୍ମ ପାଇଁ ଓଡ଼ିଶାକୁ ସମ୍ମାନିତ କରାଯାଥିଲା। ଏନେଇ ପ୍ରଶଂସା ପତ୍ର ଓ ଉପଢୌକନକୁ ପ୍ରଦାନ କରାଯାଇଛି।

ଆମେରିକା ଗସ୍ତରେ ଥିବା ଓଡ଼ିଶା ସରକାରଙ୍କ ପ୍ରତିନିଧି ତଥା ମତ୍ସ୍ୟ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ତାହାକୁ ଗ୍ରହଣ କରିଛନ୍ତି। ଏହାର ନିର୍ମାଣ ସହ ନିର୍ଦ୍ଦେଶନା ଜିତେନ୍ଦ୍ର ପଟ୍ଟନାୟକ ଦେଇଥିବାରୁ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ପକ୍ଷରୁ ଚିଠି ଦେଇ ସାଧୁବାଦ ଦିଆଯାଇଛି।

ତେବେ ଉକ୍ତ କ୍ଷୁଦ୍ର ପ୍ରମାଣିକ ଚଳଚିତ୍ରରେ ସାବିତ୍ରୀ ଫିଲ୍ମର ପ୍ରଯୋଜକ ଜିତେନ୍ଦ୍ର ପଟ୍ଟନାୟକଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ପ୍ରମୁଖ ଭୂମିକା ଗ୍ରହଣ ସେମାନେ ହେଉଛନ୍ତି ଅନିତ୍ୟ ମହାନ୍ତି, ଶୁଭେନ୍ଦୁ ମହାନ୍ତି, ପିଣ୍ଟୁ ମିଶ୍ର, ମାନସ ରଞ୍ଜନ ପାତ୍ର, ନିଲୁ ଓ ପତିତ।

Categories
ବିଶେଷ ଖବର ବ୍ୟବସାୟ

ଏଥର ମିଶନ ଶକ୍ତି ବିଭାଗ ପାଇଁ ୨,୫୫୪ କୋଟି ଟଙ୍କାର ବଜେଟ, କଣ ହେବ ??

ଭୁବନେଶ୍ୱର: ମିଶନ ଶକ୍ତି ଆଜି ଓଡ଼ିଶାର ୭୦ ଲକ୍ଷରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଏଥି ନିମନ୍ତେ ମହିଳାମାନଙ୍କୁ ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ କରି ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସରକାରୀ ଯୋଜନାରେ ସଂପୃକ୍ତ କରାଇ ସଶକ୍ତ କରାଯାଉଛି। ନିରନ୍ତର ଆର୍ଥିର୍କ ସହାୟତା, ଦକ୍ଷତା ବିକାଶ ତାଲିମ ଏବଂ ନୂତନ ଜୀବିକାର ରାହା ଦେଖାଇ ରାଜ୍ୟ ସରକାର ପ୍ରତ୍ୟେକ ମହିଳାଙ୍କ ମନରେ ଆତ୍ମବିଶ୍ୱାସ ଏବଂ ଗର୍ବର ଭାବନା ସୃଷ୍ଟି କରିଛନ୍ତି ବୋଲି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ କହିଛନ୍ତି।

ଆଜି ପୂର୍ବାହ୍ନରେ ଗୀତ ଗୋବିନ୍ଦ ସଦନଠାରେ ମିଶନ ଶକ୍ତି ବିଭାଗ ଦ୍ୱାରା ଆଗତ ୨୦୨୩-୨୪ ମସିହା ବଜେଟ ମୁଖ୍ୟାଂଶ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି ଯେ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ମିଶନ ଶକ୍ତି ବିଭାଗ ପାଇଁ ୨,୫୫୪ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି, ଯାହା ଗତ ବର୍ଷର ବଜେଟ ତୁଳନାରେ ୨୭ ପ୍ରତିଶତ ଅଧିକ।

ଗତିଶୀଳତା ହେଉଛି ସଶକ୍ତିକରଣ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି ଯେ ମିଶନ ଶକ୍ତି ସ୍କୁଟର ଯୋଜନାରେ କମୁ୍ୟନିଟି ସପୋର୍ଟ ଷ୍ଟାଫ୍‌ ଏବଂ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାଙ୍କ ପାଇଁ ବୈଦୁ୍ୟତିକ ସ୍କୁଟର ନିମନ୍ତେ ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନା ଅଧିନରେ ଇଲେକ୍‌ଟି୍ରକ୍‌ ସ୍କୁଟର କ୍ରୟ ପାଇଁ ଦିଆଯାଉଥିବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସଂପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି। ଏଥି ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ ପୁଣି କହିଛନ୍ତି ଯେ ମିଶନ ଶକ୍ତି ବିଭାଗ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି। ଏଥି ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ପ୍ରତିଷ୍ଠା କରିବା ପାଇଁ ଅନୁମୋଦନ କରିଛନ୍ତି। ଇଣ୍ଡଷ୍ଟି୍ରଆଲ ପାର୍କ ପ୍ରତିଷ୍ଠା ପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉଦ୍ୟୋଗୀରେ ରୂପାନ୍ତରଣ କରିବା ଦିଗରେ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବିନା ସୁଧରେ ମିଶନ ଶକ୍ତି ଋଣକୁ ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଇ ଦେବା ପାଇଁ ୨୨୦ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥା କରାଯାଇଛି। ମା’ମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସୁଧରିହାତି ଫେରସ୍ତ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି।

ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍‌ କହିଛନ୍ତି ଯେ ସ୍ୱୟଂ ସହୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବା ପାଇଁ ତାଲିମ, ଜୀବନଜୀବିକା ଓ ଦକ୍ଷତା ବିକାଶ ଉପରେ ମିଶନ ଶକ୍ତି ବିଭାଗ ଦ୍ୱାରା ଗୁରୁତ୍ୱ ଦିଆଯାଉଛି। ବ୍ଲକ୍‌ ସ୍ତରରେ କୃଷି ପ୍ରକ୍ରିୟାକରଣ, ବିୟୁଟି, ଡିଜିଟାଲ ଓ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟ, ଫ୍ୟାସନ୍‌ ଡିଜାଇନିଂ, କାଫେ ଏବଂ ଖାଦ୍ୟ ପ୍ରସ୍ତୁତି ଇତ୍ୟାଦି ଉପରେ ତାଲିମ ପାଇଁ ୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସାରା ରାଜ୍ୟରେ ୫୦୦ଟି ମିଶନ ଶକ୍ତି ବଜାର ପ୍ରତିଷ୍ଠା କରାଯିବ। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୧୦ ହଜାର କୋଟି ଟଙ୍କା ମୂଲ୍ୟର ସରକାରୀ ବ୍ୟବସାୟ ଯୋଗାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏଥି ପାଇଁ ୩୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀମତୀ କାର୍ତ୍ତିକେୟନ୍‌ କହିଛନ୍ତି।

ଶ୍ରୀମତୀ କାର୍ତ୍ତିକେୟନ୍‌ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ କହିଛନ୍ତି ଯେ ୩୦ ଗୋଟି ଜିଲ୍ଲାସ୍ତରୀୟ ମିଶନ ଶକ୍ତି ମହାସଂଘକୁ ୧ କୋଟି ଟଙ୍କା ଲେଖାଏଁ ଆବର୍ତ୍ତନ ପାଣ୍ଠି ପ୍ରଦାନ ବ୍ୟବସ୍ଥା କରାଯାଇଛି। ୩୩୮ ଗୋଟି ବ୍ଲକ୍‌ସ୍ତରୀୟ ମହାସଂଘକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆବର୍ତ୍ତନ ପାଣ୍ଠି ପ୍ରଦାନ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ମହାସଂଘର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ପାଇଁ ଆର୍ଥିକ ସହାୟତାର ବ୍ୟବସ୍ଥା କରାଯାଇଛି।

ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ନିମନ୍ତେ ଭିତ୍ତିଭୂମିର ବ୍ୟବସ୍ଥା କରାଯାଇଛି। ବ୍ଲକ୍‌ ଓ ପଞ୍ଚାୟତ ସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟାଙ୍କ ପାଇଁ ବୈଠକ ଓ ଗସ୍ତ ଭତ୍ତାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ସବୁ ବ୍ୟବସ୍ଥା ନିମନ୍ତେ ବାର୍ଷିକ ୨୬୬.୫୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀମତୀ କାର୍ତ୍ତିିକେୟନ୍‌ ପ୍ରକାଶ କରିଛନ୍ତି।

ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ନିୟମିତ ବୈଠକ ଓ ତାଲିମ ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ସାମ୍ରଗୀର ବିକି୍ର ବ୍ୟବସ୍ଥା ନିମନ୍ତେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ୱାର୍ଡରେ ମିଶନ ଶକ୍ତି ଗୃହ ଏବଂ ବ୍ଲକ୍‌ ଓ ଜିଲ୍ଲାସ୍ତରରେ ମିଶନ ଶକ୍ତି ଭବନ ନିର୍ମାଣ କରାଯାଉଛି। ସେହିଭଳି ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ପାଇଁ କାର୍ଯ୍ୟାଳୟ ସହିତ ମାର୍କେଟ କମ୍ପ୍ଲେକ୍ସ ବ୍ୟବସ୍ଥା କରାଯାଇଛି। ଏଥି ନିମନ୍ତେ ୩୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀମତୀ କାର୍ତ୍ତିକେୟନ୍‌ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମିଶନ ନିର୍ଦ୍ଦେଶାଳୟର କାର୍ଯ୍ୟନିର୍ବାହୀ ଡ. ଥିରୁମାଲା ନାୟକ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।

Categories
ଆଞ୍ଚଳିକ

ମିଶନ ଶକ୍ତି ଆନୁକୁଲ୍ୟରେ କବିସୂର୍ଯ୍ୟ ନଗରରେ ସାଇକେଲ ବଣ୍ଟନ

କୈଳାଶ ଚନ୍ଦ୍ର ଚୌଧୁରୀ

କବିସୂର୍ଯ୍ୟ ନଗର: ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନ୍ ଏ ସି କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଆନୁକୁଲ୍ୟରେ ୨୫ ଜଣଙ୍କୁ ସାଇକେଲ ବଣ୍ଟନ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ଉଦଘାଟନ କରିଥିଲେ ଓ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମସ୍ତ କାଉନସିଲର ସ୍ବୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଯୋଗ ଦେଇ ହିତାଧିକାରୀ ଜଳମିତ୍ର, ଆହାର କେନ୍ଦ୍ର କର୍ମୀ, ସ୍ବଚ୍ଛ ସୁରକ୍ଷା ଅଭିଯାନ ସାଥୀ ଓ ସୁପରଭାଇଜର ମାନଙ୍କୁ ଉକ୍ତ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମିଶନ ଶକ୍ତିର ମା’ମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି “ଗେଣ୍ଡୁ ଫୁଲ ଚାଷ”

ସୁନ୍ଦରଗଡ଼: “ଆଗରୁ ଆମେ ଖାଲି ପଡ଼ିଥିବା ଜମିରେ କୋଳଥ ଏବଂ ଟମାଟୋ ଚାଷ କରୁଥିଲୁ। ହେଲେ ଏଥିରେ ଭଲ ଲାଭ ମିଳୁ ନଥିଲା। ଏବେ ଏହି ଜମିରେ ଆମେ ଗେଣ୍ଡୁ ଫୁଲ ଚାଷ କରିଛୁ। ସ୍ଥାନୀୟ ବଜାରରେ ଏହା ଭଲ ବିକ୍ରି ହେଉଛି”, କହନ୍ତି ସବଡେଗା ବ୍ଲକ ଗୁରୁମକେଲା ଗ୍ରାମପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟା ବୈଜୟନ୍ତୀ ମାଝି।

“ପ୍ରଥମ ଥର ପାଇଁ ଆମେ ଏହି ଗେଣ୍ଡୁ ଫୁଲ ଚାଷ କରିଛୁ। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ଆମେ ଘର ଚଳାଇବା ସହ ପିଲାମାନଙ୍କ ପାଠପାରେ ଖର୍ଚ୍ଚ କରୁଛୁ। ଆଗକୁ ଆହୁରି ଅଧିକ ଜାଗାରେ ଫୁଲ ଚାଷ କରିବାକୁ ଲକ୍ଷ୍ୟ ରଖିଛୁ”, କହନ୍ତି ବାଲିଶଙ୍କରା ବ୍ଲକ ତୁମୁଲିଆ ଗ୍ରାମପଞ୍ଚାୟତର ଆଉ ଜଣେ ହିତାଧିକାରୀ ଯଶୋବନ୍ତୀ ନାଏକ।

ସବଡେଗାର ବୈଜୟନ୍ତୀ ଏବଂ ବାଲିଶଙ୍କରା ବ୍ଲକର ଯଶୋବନ୍ତୀଙ୍କ ଭଳି ଜିଲ୍ଲାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏହି ଶୀତକାଳୀନ ଗେଣ୍ଡୁ ଫୁଲ ଚାଷ କରୁଛନ୍ତି। ମିଶନ ଶକ୍ତି ବିଭାଗ, ଓଡ଼ିଶା ଜୀବିକା ମିଶନ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ଅଣପାରମ୍ପରିକ କାମ କରି ମିଶନ ଶକ୍ତିର ମା’ମାନେ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହେଉଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ୬ଟି ବ୍ଲକରେ ପାଇଲଟ୍ ପ୍ରକଳ୍ପ ଭାବେ ଏହି ଗେଣ୍ଡୁ ଫୁଲ ଚାଷ କରାଯାଉଛି। ସବଡେଗା, କୁତ୍ରା, ରାଜଗାଙ୍ଗପୁର, ବାଲିଶଙ୍କରା, ନୂଆଗାଁ ଏବଂ କୁଆରମୁଣ୍ଡା ବ୍ଲକରେ ୧ ଏକର କରି ମୋଟ ୬ ଏକର ଜମିରେ ଏହି ଚାଷ କରାଯାଇଛି। ଏଥିରେ ୧୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୮୦ ଜଣ ସଦସ୍ୟା ଯୋଡ଼ି ହୋଇଛନ୍ତି।

“ସୁନ୍ଦରଗଡ଼ ଜିଲ୍ଲାକୁ ବର୍ତ୍ତମାନ ବାହାର ରାଜ୍ୟରୁ ଫୁଲ ଆସୁଛି। ତେଣୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଭାବେ ଏହି ଚାଷ କରାଯାଇ ଏସଏଚଜି ମହିଳାମାନଙ୍କ ଜୀବିକା ସୁନିଶ୍ଚିତ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ଆଗାମୀ ଦିନରେ ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ଗେଣ୍ଡୁ ଫୁଲ ଉତ୍ପାଦନ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଇବା ଲାଗି ଲକ୍ଷ୍ୟ ରହିଛି”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ।

ଫୁଲ ଚାଷ ହେଉଥିବା ପ୍ରତି ବ୍ଲକରେ ୩ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗୋଟିଏ କ୍ଲଷ୍ଟର ଗଠନ କରାଯାଇଛି। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ପ୍ରତି କ୍ଲଷ୍ଟରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଉଛି। ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି।

ଏସଏଚଜି ମା’ମାନେ ଫୁଲ ଚାଷ ପାଇଁ ଜମି ପ୍ରସ୍ତୁତ କରିଥାନ୍ତି। ଚାରା ଲଗାଇବା ସହ ଭଲ ଫୁଲ କିପରି ଅମଳ ହେବ ସେ ଦିଗରେ ବିଶେଷ ଧ୍ୟାନ ଦେଇଥାନ୍ତି। ଏହି ଫୁଲ ଚାଷ ପାଇଁ ଏସଏଚଜି ମହିଳାମାନଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ତାଲିମ ମଧ୍ୟ ଦିଆଯାଉଛି। ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ବ୍ଲକଗୁଡ଼ିକରେ ଏହି ଚାଷକୁ ସଂପ୍ରସାରଣ କରିବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି।

ସୁନ୍ଦରଗଡ଼ ଏବଂ ରାଉରକେଲା ସହିତ ବିଭିନ୍ନ ବ୍ଲକ ସଦରମହକୁମାରେ ଗେଣ୍ଡୁ ଫୁଲର ବେଶ୍ ଚାହିଦା ରହିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି ଫୁଲକୁ ନେଇ କିଲୋ ପିଛା ୪୦ରୁ ୫୦ ଟଙ୍କା ଦରରେ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି। ତା’ଛଡ଼ା ବିଭିନ୍ନ ପର୍ବ ପର୍ବାଣୀ, ବିବାହ ଏବଂ ବ୍ରତ ଘର ଆଦି କାର୍ଯ୍ୟ ଲାଗି ଅର୍ଡର ଆସିଲେ ଏସଏଚଜି ମା’ମାନେ ଫୁଲ ଯୋଗାଇ ଦେଇଥା’ନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଭିନ୍ନ କାମରେ ନିୟୋଜିତ ହେଉଛନ୍ତି। ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମ ସହିତ ଅତ୍ୟାଧୁନିକ ପରିମଳ ପରିଚାଳନା କାର୍ଯ୍ୟକ୍ରମ, ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଆଦି କାର୍ଯ୍ୟକ୍ରମରେ ଏସଏଚଜି ମା’ମାନେ ଯୋଡ଼ି ହୋଇ ସେମାନଙ୍କ ଦକ୍ଷତା ଦେଖାଇ ପାରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବରିଷ୍ଠ ଅଧିକାରୀ ସମ୍ମିଳନୀରେ କଣ ଦିଗଦର୍ଶନ ଦେଲେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ବର: ଆଜି ଲୋକସେବା ଭବନର କନଫ୍ରେନସ ହଲରେ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଗୋଟିଏ ଅଧିବେଶନରେ ଅଫିସରଙ୍କୁ ଦିଗଦର୍ଶନ ଦେଲେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ।

ସେ କହିଛନ୍ତି ଯେ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ରାଜ୍ୟର ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଅଧୀନରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏବେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ (ଏସ୍‌ଏମ୍‌ଇ)ରେ ପରିଣତ କରିବା ନିମନ୍ତେ ଏକ ରୂପାନ୍ତରଣକାରୀ ଯାତ୍ରା ଆରମ୍ଭ କରିବାକୁ ଯାଉଛି।

ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ବୃହତ ବ୍ୟବସାୟ ପ୍ରତିଷ୍ଠା ଏବଂ ଏହାର ବ୍ୟାପକ ପରିଚାଳନାରେ ସାହାଯ୍ୟ କରିବା ପାଇଁ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି।

ଜିରୋ ପ୍ରତିଶତ ସୁଧ ମିଶନ ଶକ୍ତି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ –

୧.ଚଳିତ ବର୍ଷ ପ୍ରାୟ ୩ ଲକ୍ଷରୁ ଅଧିକ ଗୋଷ୍ଠୀକୁ ୧୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯିବ। ୨୦୦ କୋଟି ସୁଧ ଛାଡ଼ ରାଶି ସିଧାସଳଖ ଏସ୍‌ଏଚ୍‌ଜି ଆକାଉଣ୍ଟକୁ ପ୍ରଦାନ କରାଯାଉଛ। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୫୦,୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏସ୍‌ଏଚ୍‌ଜିଗୁଡ଼ିକୁ ସୁଧ ଫେରସ୍ତ ବାବଦକୁ ୧୨୦୦ କୋଟି ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି।

୨. ଓଡ଼ିଶା ସରକାର ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୫ ହଜାର କୋଟି ଟଙ୍କାର ସରକାରୀ ସେବା ଏବଂ ସାମଗ୍ରୀ ଯୋଗାଣ ଆଦି ସେବାର ଏକ ନିଆରା ମଡେଲ୍‌ ସୃଷ୍ଟି କରିଛନ୍ତି। ଡାକ୍ତରଖାନା ଖାଦ୍ୟ ପରିଚାଳନା, ବିଦ୍ୟୁତ୍‌ ମିଟର ରିଡିଂ, ମତ୍ସ୍ୟଚାଷ, ସହରାଞ୍ଚଳ କାର୍ଯ୍ୟ, ଜଙ୍ଗଲରେ ନର୍ସରୀ ବୃଦ୍ଧି ଆଦି କ୍ଷେତ୍ରରେ ୧୫ଟି ସରକାରୀ ବିଭାଗ ମିଶନ ଶକ୍ତି ଏସ୍‌ଏଚ୍‌ଜିମାନଙ୍କ ସହ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ରାଜ୍ୟର ସମସ୍ତ ୫‘ଟି’ ସ୍କୁଲକୁ ଏସ୍‌ଏଚ୍‌ଜି ମହାସଂଘକୁ ହସ୍ତାନ୍ତର କରିବା ଏବଂ ଏସ୍‌ଏଚ୍‌ଜିମାନଙ୍କୁ ତଦାରଖ ଦେୟ ପ୍ରଦାନ ସହିତ ରକ୍ଷଣାବେକ୍ଷଣ ଓ ପରିଚାଳନା କାର୍ଯ୍ୟ ପାଇଁ ନିୟୋଜନ କରିବା ।

୩. ପ୍ରଶିକ୍ଷଣ ହେଉଛି ଏସ୍‌ଏମ୍‌ଇ ର୍ନିମାଣର ଏକ ଗୁରୁିପୂର୍ଣ୍ଣ ଉପାଦାନ। ବିଶ୍ୱସନୀୟ ଅଂଶୀଦାରମାନଙ୍କ ସହିତ ଉଚ୍ଚ ଗୁଣବତ୍ତା ପ୍ରଶିକ୍ଷଣ ସହିତ ସମସ୍ତ ବ୍ଲକକୁ ଅନ୍ତର୍ଭୁକ୍ତ କରାଯିବ । ସୌନ୍ଦର୍ଯ୍ୟ କ୍ଷେତ୍ରର ଉଦ୍ୟୋଗ, ଫ୍ୟାଶନ ଡିଜାଇନ, କୃଷି ଔଦ୍ୟୋଗିକତା, କ୍ୟାଫେ ପରିଚାଳନା ଓ ଆତିଥ୍ୟ କ୍ଷେତ୍ର ସେବାଗୁଡ଼ିକ ଉପରେ ଗୁରୁିତ୍ୱ ପ୍ରଦାନ କରାଯିବ।

ମାର୍କେଟିଂ – ମିଶନ ଶକ୍ତି ବଜାର, ସ୍ୱୟଂ ସହାୟକ ଗୋଷ୍ଠୀ ଉତ୍ପାଦ ପାଇଁ ଖୁଚୁରା ଷ୍ଟୋରର ସ୍ୱତନ୍ତ୍ର ଶୃଙ୍ଖଳ, ରାଜ୍ୟର ୫୦୦ ଟି ସ୍ଥାନରେ ସ୍ଥାପନ କରାଯିବ ଏବଂ ଖୁବଶୀଘ୍ର ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ବୁଟିକ୍‌ ଷ୍ଟୋର ଖୋଲିବ। ଫ୍ଲିପକାର୍ଟରେ ବିକ୍ରୟ ପାଇଁ ୩୦୦ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀଙ୍କୁ ଚିହ୍ନଟ କରାଯାଇଛି।

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୨ରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହିଳାମାନଙ୍କ ମଧ୍ୟରେ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଜିଲ୍ଲାସ୍ତରୀୟ ସଂଘ ପାଇଁ ୧ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି, ସମସ୍ତ ବ୍ଲକସ୍ତରୀୟ ସଂଘ ପାଇଁ ୫୦ ଲକ୍ଷ ଟଙ୍କାର ଆବର୍ତ୍ତନ ପାଣ୍ଠି, ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରର ମହାସଂଘମାନଙ୍କ ପାଇଁ ମାର୍କେଟ୍‌ କମ୍ପ୍ଲେକ୍ସ ସହ ଅଫିସ୍‌ କାର୍ଯ୍ୟାଳୟ ର୍ନିମାଣ ଏବଂ ସମସ୍ତ ୩୦ଟି ଜିଲ୍ଲାରେ ମାଇକ୍ରୋ ଓ ମିନି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି।

ଜିଲ୍ଲା ସ୍ତରରେ ସଫଳ ମହିଳାଙ୍କ ନେତୃତ୍ୱାଧୀନ ବ୍ୟବସାୟର କିଛି ଉଦାହରଣ

କୋରାପୁଟ ଜିଲ୍ଲାର ବୋରିଗୁମ୍ମାର ୧୨ଟି ଗ୍ରାମ ପଞ୍ଚାୟତରେ ୩୧୦ ଏକର ଜମିରେ ମହିଳାଙ୍କ ପାଇଁ କ୍ଷୁଦ୍ର ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ କରାଯାଇଛି। ଗୋଟିଏ ସ୍ଥାନରେ ଥିବା ଏହି ୟୁନିଟ୍‌ଗୁଡ଼ିକ ପାଇଁ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରୁ ପାଣ୍ଠି ଯୋଗାଇ ଦିଆଯାଇଛି।

କେବଳ ଫ୍ଲାଇ ଆସ୍‌ ଇଟା କାରଖାନାରୁ ୫ କୋଟି ଟଙ୍କାରୁ ଅଧିକ ଆୟ ହୋଇପାରିଛି। ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ଦୁU ସଂଗ୍ରହ ଓ ବିକ୍ରୟ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମିଲ୍‌କ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସେମାନେ ମହିଳା ଉଦ୍ୟୋଗୀ ଏବଂ ଇଲେକେଫ୍ରାନିକ୍‌ ଅଟୋ ଚାଳକଙ୍କୁ ନେଇ ଏକ ନିଆରା ଇ-ଅଟୋ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି।

ଆଗାମୀ ୩ ବର୍ଷ ମଧ୍ୟରେ ଅତି କମରେ ୫୦ ହଜାର କ୍ଷୁଦ୍ର ଉଦ୍ୟୋଗୀ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରୟାସ ମହିଳାଙ୍କ ନେତୃତ୍ୱାଧୀନ ଏବଂ ମହିଳାମାନେ ବୃହତ ଉଦ୍ୟୋଗର ମାଲିକାନାକୁ ଅଧିକ ପ୍ରୋତ୍ସାହିତ କରିବ ଏବଂ ମହିଳାମାନଙ୍କୁ ସବୁ ସ୍ତରରେ ନେତୃତ୍ୱ ଗ୍ରହଣ କରିବା ପାଇଁ ଏକ ଦୃଢ଼ ପ୍ଲାଟଫର୍ମ ପ୍ରଦାନ କରିବ।

Categories
ଆଜିର ଖବର ରାଜ୍ୟ ଖବର

ମିଶନ ଶକ୍ତି ପକ୍ଷରୁ ପୁରୁଷୋତ୍ତମପୁରରେ ଋଣ ମେଳା ଅନୁଷ୍ଠିତ

କୈଳାଶ ଚନ୍ଦ୍ର ଚୌଧୁରୀ

ପୁରୁଷୋତ୍ତମପୁର: ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକରେ ମିଶନ ଶକ୍ତି ପକ୍ଷରୁ ଋଣ ମେଳା ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ୮୩୩ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୩ କୋଟି ୧୬ ଲକ୍ଷ ଟଙ୍କା ରୁଣ ପ୍ରଦାନ କରାଯାଇଛି। ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ବ୍ଳକ ଅଧ୍ୟକ୍ଷା ପିଙ୍କି ବେହେରା ଓ ଏନ୍ ଏ ସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ପ୍ରମୁଖ ଯୋଗ ଦେଇ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ସ୍ବାବଲମ୍ବୀ ହେବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଲୋକ ପ୍ରତିନିଧି ଓ ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଉରକେଲାରେ ଆରମ୍ଭ ହେଲା ‘ସରସ ମେଳା’: ୨୫୦ଟି ଷ୍ଟଲ, ୨୭ ଯାଏଁ ଚାଲିବ ମେଳା

ରାଉରକେଲା: ହକି ବିଶ୍ୱକପ୍ ଅବସରରେ ରାଉରକେଲା ସହରରେ ଆରମ୍ଭ ହୋଇଛି ‘ସରସ’ ମେଳା। ରବିବାର ସନ୍ଧ୍ୟାରେ ଏହି ମେଳାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଭଞ୍ଜ ଭବନ ପଡ଼ିଆଠାରେ ଆୟୋଜିତ ଏହି ମେଳା ଜାନୁଆରି ୨୭ ତାରିଖ ଯାଏଁ ଚାଲିବ।

ରାଉରକେଲା ସହରରେ ପ୍ରଥମ ଥର ପାଇଁ ଏହି ମେଳା ଆୟୋଜନ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ସରସ ମେଳା ବୁଲିବାକୁ ଆସି ମିଶନ ଶକ୍ତି ମା’ମାନେ ବିକ୍ରି କରୁଥିବା ଉତ୍ପାଦକୁ କିଣିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି।

ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓରମାସ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ମେଳା ଆୟୋଜନ କରାଯାଉଛି। ସରସ ମେଳାରେ ମୋଟ ୨୫୦ଟି ଷ୍ଟଲ ପଡ଼ିଛି।

ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ଉତ୍ପାଦକ ଗୋଷ୍ଠୀମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ ସହ ବିକ୍ରି କରୁଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗଦେଇ ଏସଏଚଜି ମହିଳାମାନଙ୍କୁ ଉତ୍ସାହିତ କରିଥିଲେ।

ସୁନ୍ଦରଗଡ଼ ସହିତ ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସାମିଲ ହୋଇଛନ୍ତି। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଟେରାକୋଟା ସାମଗ୍ରୀ, ଢୋକ୍ରା କାଷ୍ଟିଙ୍ଗ, ହସ୍ତତନ୍ତ ସାମଗ୍ରୀ ସହିତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏଠାରେ ବିକ୍ରୟ କରାଯାଉଛି।

ସେହିପରି ଉତ୍ତରପ୍ରଦଶ, ଆସାମ, ତ୍ରିପୁରା, ମଣିପୁର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ ଓ କଶ୍ମୀର, ପଶ୍ଚିମବଙ୍ଗ, ମଣିପୁର, ଆନ୍ଧ୍ରପ୍ରଦେଶ ଓ କେରଳର ପ୍ରସିଦ୍ଧ ସାମଗ୍ରୀ ଏହି ସରସ ମେଳାର ମୁଖ୍ୟ ଆକର୍ଷଣ ପାଲଟିଛି।

ଏହି ମେଳାରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ରାଜ୍ୟ ତଥା ରାଜ୍ୟ ବାହାରର ପ୍ରସିଦ୍ଧ କଳାକାରମାନେ ଏଥିରେ ସାମିଲ ହେବେ। ଓଡ଼ିଶା ସହିତ ବିଭିନ୍ନ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟର ଝଲକ୍ ଦେଖିବାକୁ ମିଳିବ।

ବର୍ତ୍ତମାନ ହକି ବିଶ୍ୱକପ୍ ଆରମ୍ଭ ହୋଇଛି। ଭୁବନେଶ୍ୱର ଏବଂ ରାଉରକେଲାରେ ବିଭିନ୍ନ ମ୍ୟାଚ ଖେଳାଯାଉଛି। ମେଳା ବୁଲିବାକୁ ଆସୁଥିବା ଲୋକମାନେ ଯେପରି ହକି ବିଶ୍ୱକପର ସିଧାପ୍ରସାରଣ ଦେଖିପାରିବେ ସେନେଇ ବିଶେଷ ବ୍ୟବସ୍ଥା କରାଯାଇଛି। ସାଧାରଣ ଲୋକଙ୍କ ପାଇଁ ମେଳା ପରିସରରେ ସେଲଫି ପଏଣ୍ଟ ଏବଂ ପିଲାମାନଙ୍କ ପାଇଁ ହକି ପାଭିଲିୟନ କରାଯାଇଛି। ତା’ଛଡ଼ା ସ୍ୱତନ୍ତ୍ର ଫୁଡ୍ କୋର୍ଟ ଏହି ମେଳାର ଅନ୍ୟତମ ଆକର୍ଷଣ ହୋଇଛି।

ଏହି ଅବସରରେ ହକି ବିଶ୍ୱକପ୍ ଟ୍ରଫି ସରସ ମେଳା ପରିସରରେ ପହଞ୍ଚିଥିଲା। ସେଠାରେ ଟ୍ରଫିକୁ ସ୍ୱାଗତ କରାଯାଇଥିଲା। ତା’ଛଡ଼ା ମେଳା ପରିସରରେ ଥିବା ଷ୍ଟଲଗୁଡ଼ିକ ପାଖରେ ବିଭିନ୍ନ ସାମଗ୍ରୀ ପହଞ୍ଚାଇବା ଲାଗି ପ୍ରଶାସନ ପକ୍ଷରୁ ଇ-ଅଟୋ ବ୍ୟବସ୍ଥା କରାଯାଇଛି।

ଉଦଘାଟନୀ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ସୁନ୍ଦରଗଡ଼ର ବିଧାୟିକା କୁସୁମ ଟେଟେ, ଜିଲ୍ଲାପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ସୁଶିଳା ଟପ୍ନୋ, ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ, ଓରମାସ ଡେପୁଟି ସିଇଓ କେଶବ ଝା ପ୍ରମୁଖ ଯୋଗ ଦେଇଥିଲେ।

Categories
ବିଶେଷ ଖବର

ଯାଜପୁର ମିଶନ ଶକ୍ତି ଭବନ ଉଦ୍‌ଘାଟିତ: ୨.୫ ଲକ୍ଷ ବ୍ୟାଙ୍କ ଖାତାକୁ ଗଲା ୧୨୫ କୋଟି ସୁଧ ରିହାତି

ଭୁବନେଶ୍ବର: ବିଭିନ୍ନ ଜିଲ୍ଲାରୁ ଆସିଥିବା ମିଶନ ଶକ୍ତି ଗ୍ରୁପର ମା ମାନଙ୍କ ହୁଳହୁଳି ଓ କରତାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ କନ୍‌ଭେନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଏହି ସୁଧ ରିହାତି ପ୍ରଦାନ କରାଯାଇଛି। ୨୦୨୨ ଅପ୍ରେଲରୁ ଓ ସେପ୍ଟେମ୍ବର ମଧ୍ୟରେ ମହିଳା ମାନେ ଯେଉଁ ଋଣ ନେଇଥିଲେ, ସେହି ଋଣର ସୁଧ ପରିମାଣ ପ୍ରଦାନ କରାଯାଇଛି। ମାତ୍ର ୬ ମାସରେ ରାଜ୍ୟ ସରକାର ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି। ଉପସ୍ଥିତ ୫ଟି ମିଶନ ଶକ୍ତି ଗ୍ରୁପକୁ ଚେକ୍‌ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ କନ୍‌ଭେନସନ ସେଣ୍ଟରରେ ଉପସ୍ଥିତ ମା ଓ ରାଜ୍ୟର ସବୁ ଜିଲ୍ଲା ଓ ବ୍ଲକ୍‌ରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡି ହୋଇଥିବା ମା ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମା ମାନେ ଆଜି ଘରର ଚାରି କାନ୍ଥରୁ ବାହାରି ବ୍ୟବସାୟ ଠାରୁ ଆରମ୍ଭ କରି, ବିକାଶର ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଉଛନ୍ତି। ମା ମାନଙ୍କର ଏହି ନିଷ୍ପତ୍ତି ନେବାର କ୍ଷମତା ହେଉଛି, ପ୍ରକୃତ ରୂପାନ୍ତର। ଆଗାମୀ ଦିନରେ ମା ମାନେ ଆହୁରି ବଡ ବଡ ନିଷ୍ପତ୍ତି ନେବେ ଓ ଓଡିଶାର ରୂପାନ୍ତରରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଆଜି କେବଳ ଏକ ସ୍ଲୋଗାନ ନୁହେଁ, ଆଜି ଏହା ମା ମାନଙ୍କର ଏକ ଜୀବନଧାରା। ୭୦ ଲକ୍ଷ ମା ମାନଙ୍କର ଏହି ବିରାଟ ଅନୁଷ୍ଠାନ ଆଜି ଓଡିଶା ବିକାଶର ନୂଆ ଇତିହାସ ଲେଖୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମିଶନ ଶକ୍ତି ଗ୍ରୁପ ଗୁଡିକୁ ଶକ୍ତିଶାଳି କରିବା ପାଇଁ ବିଭିନ୍ନ ଘୋଷଣା ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଜିଲ୍ଲାସ୍ତରୀୟ ଫେଡେରେସନକୁ ଏକ କୋଟି ଟଙ୍କା ଓ ବ୍ଲକ୍‌ ଫେଡେରେସନକୁ ୫୦ ଲକ୍ଷ ଟଙ୍କାର ରିଭଲଭିଂ ଫଣ୍ଡ ଆଦି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ‘ମା ମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ମୁଁ ଚାହେଁ’। ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ ଓ ୧୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ହୋଇଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁରର ଜିଲ୍ଲାସ୍ତରୀୟ ଫେଡେରେସନ ଭବନକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଥିଲେ।

ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ସାମାଜିକ ଓ ଆର୍ଥିକ ସଶକ୍ତିକରଣ କାର୍ଯ୍ୟକ୍ରମ ଆଜି ଏକ ବୈପ୍ଲବିକ ଆନ୍ଦୋଳନରେ ପରିଣତ ହୋଇଛି। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇବାର ଯେଉଁ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଛନ୍ତି, ତାହା ମା ମାନଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ କହିଲେ ଯେ ଆଗରୁ ସୁଧ ରିହାତି ପାଇବା ପାଇଁ ମା ମାନେ ବ୍ୟାଙ୍କକୁ ବାରମ୍ବାର ଯାଉଥିଲେ। ଏବେ ସେ ଅବସ୍ଥା ଆଉ ନାହିଁ। ୫-ଟିରେ ଟେକ୍ଲୋଲୋଜିରେ ବ୍ୟବସ୍ଥା କରାଯାଇ ଖୁବଶୀଘ୍ର ସୁଧ ରିହାତି ହିସାବ କରି ମା ମାନଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇ ଦିଆଯାଉଛି। ମା ମାନଙ୍କ ପାଇଁ ଯେଉଁ ରିଭଲଭିଂ ଫଣ୍ଡ କରାଯାଇଛି, ତାହା ଏକ ମିନି ବ୍ୟାଙ୍କରେ ପରିଣତ ହେବ ଏବଂ ମା ମାନେ କେବଳ ପାରମ୍ପରିକ ବ୍ୟବସାୟ ନୁହେଁ, ବିଭିନ୍ନ ଆଧୁନିକ ବ୍ୟାବସାୟ ଯଥା – ଫେଶନ ଡିଜାଇନ, କୃଷି ଉଦ୍ୟୋଗ, ବିଉଟି ଓ ୱେଲନେସ୍‌ ଆଦି ବ୍ୟବସାୟ ଯେପରି କରିପାରିବେ, ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ମା ମାନେ ଏବେ ବ୍ୟବସାୟ କରି ନିଜର ପରିଚୟ ନେଇ ଆଗକୁ ବଢିବେ ବୋଲି ସେ କହିଥିଲେ।

ଓଡିଶା ଜୀବିକା ମିଶନର ସିଇଓ ମାନସୀ ନିମ୍ଭାଲ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ଉପଦେଷ୍ଟା ଲୋପାମୁଦ୍ରା ବକ୍‌ସିପାତ୍ର, ଡଃ ଗୀତା ବସ୍ତିଆ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

MIO22: ମିଶନ ଶକ୍ତି ଜିଲ୍ଲା ପାଇଁ ଏକ କୋଟି ଟଙ୍କାର ପାଣ୍ଠି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ଭୁବନେଶ୍ବରରେ ଚାଲିଥିବା ମେକ୍‌ ଇନ୍ ଓଡିଶା କନକ୍ଲେଭରେ ଆଜି ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ କହିଥିଲେ ଯେ 2001 ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି, ଆଜି ଓଡ଼ିଶାର ସତୁରି ଲକ୍ଷ ସଶକ୍ତ ମା ମାନଙ୍କର ଏକ ମହାଶକ୍ତି ହୋଇଛି ।

ମୋ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ପବିତ୍ର ଦାୟିତ୍ଵ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋର ଦୃଢ ବିଶ୍ବାସ, ମା ମାନଙ୍କୁ ସଶକ୍ତ ନ କରି, କୌଣସି ପରିବାର, କୌଣସି ସାମାଜ, କୌଣସି ରାଜ୍ୟ ବା କୌଣସି ଦେଶ ଆଗକୁ ବଢ଼ି ପାରିବ ନାହିଁ।

ଓଡ଼ିଶାରେ ଆମର ଛଅ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠି କାମ କରୁଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ SHG ମାନଙ୍କୁ SME ରେ ରୂପାନ୍ତର କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ମିଶନ ଶକ୍ତି ମା ମାନଙ୍କୁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତୀୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ଵାରା ଓଡିଶାର ଲକ୍ଷ ଲକ୍ଷ ମା ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କାର କାମ, ମା ମାନଙ୍କୁ ଦେବା ପାଇଁ ଓଡିଶା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ଓ ଏହାଦ୍ଵାରା ପ୍ରାୟ ଏକ ଲକ୍ଷ SHG ଉପକାର ପାଉଛନ୍ତି।

ମିଶନ ଶକ୍ତି ଫେଡେରେସନମାନଙ୍କୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲା ଫେଡେରେସନ କୁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି, ପ୍ରତି ବ୍ଲକ ସ୍ତରରେ ଫେଡେରେସନକୁ ପଚାଶ ଲକ୍ଷ ଟଙ୍କାର ରିଭଲ୍ଭିଂ ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ସେହିପରି ପଞ୍ଚାୟତ ସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କଂପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମହିଳାମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟ କୁ ସାକାର କରିବା ପାଇଁ ତିରିଶ ଯାକ ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଓଡିଶାର ରୂପାନ୍ତରଣରେ ମା ମାନଙ୍କର ବଡ ଭୂମିକା ରହିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ମା ମାନଙ୍କର ସାମଗ୍ରିକ ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଏକ କଫି ଟେବୁଲ ବୁକ, Mission Shakti – Scaling Up ଉନ୍ମୋଚନ କରିଥିଲେ ଏବଂ କଟକ ମା ତାରେଣୀ ଏସଏଚଜିର କବିତା ସାହୁ, ସୁନ୍ଦରଗଡ଼ ଦିବ୍ୟଜ୍ୟୋତି ଏସଏଚଜିର ପ୍ରେମା ଦାସ ଓ ନୂଆପଡା ବନଦୁର୍ଗା ଏସଏଚଜିର ଗାୟତ୍ରୀ ସୁନାଇଙ୍କୁ ସମ୍ମାନିତ କରିଥିଲେ।.

ସେହିପରି ଏସଏଚଜି ମାନଙ୍କୁ ରୁଣ ଦେବା ରେ ଭଲ କାମ କରିଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ତାଙ୍କ ଉଦବୋଧନରେ ମା ମାନଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ମିଶନ ଶକ୍ତି ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟ ସ୍ଵାଗତ ଭାଷଣ ଦେଇଥିଲେ। ବିଭାଗୀୟ ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଏସଏଚଜି ମହିଳାମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ

ଭୁବନେଶ୍ବର: ରାଜ୍ୟର ମିଶନ ଶକ୍ତି ମା’ମାନଙ୍କ କାର୍ଯ୍ୟକ୍ରମରେ ଏକ ବିଶାଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସେମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ୨୦୨୨ ଅପ୍ରେଲ ପହିଲାରୁ ଏହି ନୂତନ ଋଣ ବ୍ୟବସ୍ଥା ଲାଗୁ ହେବ। ପୂର୍ବରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଥିଲା।

ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ରୂପେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାଦ୍ବାରା ଆମର ମିଶନ ଶକ୍ତି ମା’ମାନେ ଏସ୍‌ଏଚଜିରୁ ଏସ୍‌ଏମ୍‌ଇ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏବଂ ଆମର ଲକ୍ଷ ଲକ୍ଷ ମା ମାନେ ଅଧିକ ଟଙ୍କାର ଋଣ ନେଇ ବଡ ବଡ ବ୍ୟବସାୟ କରିପାରିବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାର ରୂପାନ୍ତର କ୍ଷେତ୍ରରେ ମା’ମାନେ ହେଉଛନ୍ତି ଏକ ଅଭିନ୍ନ ଅଙ୍ଗ। ଆଜିର ଏହି ନିଷ୍ପତ୍ତି ସେମାନଙ୍କୁ ସଶକ୍ତ କରିବାରେ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।

ମିଶନ ଶକ୍ତି ମା’ମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ପରିଣତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଗାମୀ ୫ ବର୍ଷ ମଧ୍ୟରେ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ପ୍ରାୟ ୫୦ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବାପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହାଦ୍ବାରା ମିଶନ ଶକ୍ତିର ମା’ମାନେ ସଫଳ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ଆମ ପ୍ରତିଶୃତି ଅନୁଯାୟୀ ରାଜ୍ୟ ସରକାର ମିଶନ ଶକ୍ତି ମା’ମାନଙ୍କୁ ଗତ ୩ ବର୍ଷରେ ସରକାରୀ ଭାବରେ ୪୦୦୦ କୋଟି ଟଙ୍କାର ବିଜିନେସ ଯୋଗାଇ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହିତ ଗତ ୫ ବର୍ଷରେ ମିଶନ ଶକ୍ତି ମା ମାନଙ୍କୁ ୧୭ ହଜାର କୋଟିରୁ ଅଧିକ ଟଙ୍କାର ଋଣ ଯୋଗାଇ ଦିଆଯାଇଛି।

ବର୍ତ୍ତମାନ ଆମର ମିଶନ ଶକ୍ତି ମା ମାନଙ୍କୁ ଉତ୍ସାହିତ କରିବାପାଇଁ ଓଡିଶା ସରକାର ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ଯୋଗାଇ ଦେଉଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଚାରି ଲକ୍ଷ ଏସଏଚଜି ବ୍ୟାଙ୍କ ଖାତାକୁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ସୁଧ ଫେରାଇଛନ୍ତି।

ମହିଳା ସଶକ୍ତିକରଣ ଦିଗରେ ମିଶନ ଶକ୍ତି ଏକ ଅଭିନବ ଉଦ୍ୟମ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ୭୦ ଲକ୍ଷ ମା ମାନଙ୍କୁ ୬ ଲକ୍ଷ ଏସଏଚଜି ଜରିଆରେ ଏହା ଏକାଠି କରିପାରିଛି। ଏହି ଆନ୍ଦୋଳନକୁ ଆହୁରି ଆଗକୁ ନେବା ପାଇଁ ତାଙ୍କ ସରକାର ସ୍ବତନ୍ତ୍ର ଭାବରେ ମିଶନ ଶକ୍ତି ବିଭାଗ ଗଠନ କରିଛନ୍ତି ଏବଂ ସବୁ ଏସଏଚଜି କାର୍ଯ୍ୟକ୍ରମ ଏହି ବିଭାଗ ଜରିଆରେ ହିଁ କାର୍ଯ୍ୟକାରୀ କରାଯାଉଛି ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ୨୦୨୦ ଜୁନ୍‌ ୧ ତାରିଖରେ ମିଶନ ଶକ୍ତି ବିଭାଗ ପ୍ରତିଷ୍ଠା କରାଯାଇ ରାଜ୍ୟର ସବୁ ଏସ୍‌.ଏଚ.ଜି କାର୍ଯ୍ୟକ୍ରମକୁ ଗୋଟିଏ ବିଭାଗ ଅଧୀନରେ ରଖାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ମିଶନ ଶକ୍ତି ମେଗା ଋଣ ମେଳା ଅନୁଷ୍ଠିତ

ଖୋରଧା: ମିଶନ ଶକ୍ତି ମେଗା ଋଣ ମେଳା ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ ହଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏଥିରେ ଖୋରଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଯୋଗଦେଇ ମହିଳା ମାନଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ। ସାରା ରାଜ୍ୟରେ ସ୍ବୟ ସହାୟକ ଗୋଷ୍ଠୀର ପ୍ରାୟ ୭୦ ଲକ୍ଷ ସଦସ୍ୟା ମାନଙ୍କୁ ନେଇ ମିଶନ ଶକ୍ତି କାର୍ଯ୍ୟ କରୁଛି। ବିଭିନ୍ନ ସାମାଜିକ କ୍ଷେତ୍ରରେ ମହିଳା ମାନଙ୍କ ସଂପୃକ୍ତି ଦ୍ବାରା ଉନ୍ନତି ସାଧିତ ହୋଇ ପାରିବ ବୋଲି ସେ କହିଥିଲେ।

ସେହିଭଳି ମାନ୍ୟବର ଜୟଦେବ ବିଧାୟକ ଅରବିନ୍ଦ ଢାଲି ଯୋଗଦେଇ ମିଶନ ଶକ୍ତି ଦ୍ବାରା ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପରିପ୍ରକାଶ କରିବାରେ ସଫଳ ହୋଇପାରିଛନ୍ତି। ସେମାନଙ୍କ ଦ୍ବାରା ହିଁ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହୋଇ ପାରିବ ବୋଲି ସେ କହିଥିଲେ। ସେହିଭଳି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ ଲକ୍ଷ ଓ ନିଷ୍ଠା ରଖି କାର୍ଯ୍ୟ କଲେ ସଫଳତା ହାସଲ ଅସମ୍ଭବ ନୁହେଁ ବୋଲି ସେ କହିଥିଲେ। ସୀମିତ ସମ୍ବଳରୁ ସାଧୁତାର ସହ ଜୟଯାତ୍ରା ଆରମ୍ଭ କଲେ ଆଗାମୀ ପିଢି ପାଇଁ ମାର୍ଗଦର୍ଶକ ହୋଇ ପାରିବା ନେଇ ସେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଏଲଡିଏମ୍ ଦିଲ୍ଲିପ କୁମାର ଭୂୟାଁ, ଭାରତୀୟ ଷ୍ଟେଟବ୍ୟାଙ୍କ ଡିଜିଏମ୍ ମନମୋହନ ସ୍ବାଇଁ ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ।

ଏହି ଅବସରରେ ଜିଲ୍ଲାର ମୋଟ ୨୭୪୩ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ୧୦୬ କୋଟି ୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି। ପୂର୍ବରୁ ୧୦୦ କୋଟି ଟଙ୍କା ଋଣ ପ୍ରଦାନ ପାଇଁ ଲକ୍ଷ ରଖାଯାଇଥିଲା। ଏଥିମଧ୍ୟରୁ ୮୯୯ଟି ଗୋଷ୍ଠୀକୁ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଋଣ ପ୍ରଦାନ କରାଯାଇଥିବା ବେଳେ ଗୋଟିଏ ଗୋଷ୍ଠୀକୁ ୧୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି। ଜିଲ୍ଲାରେ ସ୍ବୟଂ ସହାୟକ ଗୋଷ୍ଠୀକୁ ସହଯୋଗ କରିବା କ୍ଷେତ୍ରରେ ସର୍ବୋତ୍ତମ ବ୍ୟାଙ୍କ ଭାବେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ଉତ୍ତମ ବ୍ଲକ ଭାବେ ବାଲିଅନ୍ତା, ବୋଲଗଡ, ଖୋରଧା ଓ ବିଏମସି-୧କୁ ପୁରସ୍କୃତ କରାଯାଇଛି। ସେହିଭଳି ୧୦ ଜଣ ବ୍ୟାଙ୍କ ମିତ୍ର, ୧୩ଟି ବ୍ୟାଙ୍କ ଶାଖାକୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ଅବସରରେ ତିନୋଟି ସ୍ବୟଂ ସହାୟକ ଗୋଷ୍ଠୀ, ଜଣେ ବ୍ୟାଙ୍କ ମିତ୍ର ଓ ଜଣେ ବ୍ୟାଙ୍କ ମ୍ୟାନେଜର ସେମାନଙ୍କ ଅନୁଭୂତି ପ୍ରଦାନ କରିଥିଲେ। ଅତିଥି ମାନଙ୍କ ଦ୍ବାରା ମିଶନ ଶକ୍ତି ପୁସ୍ତିକା ଉନ୍ମୋଚନ କରାଯାଇଥିଲା।

ଏହି ଅବସରରେ ମିଶନ ଶକ୍ତି ଡିପିସି ପୃଥ୍ବୀରାଜ ପଟ୍ଟନାୟକ, ଜୀବିକା ମିଶନ ପ୍ରକଳ୍ପ ପରିଚାଳକ ବିବେକ ରଞ୍ଜନ ନାୟକ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ପରାମର୍ଶଦାତା ବ୍ରଜ କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସୌଭାଗିନୀ ହରିଚନ୍ଦନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀମତୀ ଶିଖା ପୋଦ୍ଦାର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମିଶନ ଶକ୍ତି ଋଣ ମେଳାରେ ବାଲୁଗାଁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ପ୍ରଥମ ସ୍ଥାନ ଅକ୍ତିଆର କରି ପୁରସ୍କୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ସାରା ରାଜ୍ୟରେ ମହିଳାମାନଙ୍କୁ ସ୍ଵତନ୍ତ୍ର ପ୍ରାଧାନ୍ୟ ଦେବା ସହ ସେମାନଙ୍କୁ ସ୍ଵାବଲମ୍ବି କରିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଧାନ୍ୟ ଦେଇଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଏସଏଚଜି ମହିଳା ଗ୍ରୁପ ମାନଙ୍କୁ ସମସ୍ତ ସ୍ଵିକୃତି ପ୍ରାପ୍ତ ବ୍ୟାଙ୍କମାନଙ୍କୁ ସୁଲଭ ଶୁଦ୍ଧ ହାରରେ ଋଣ ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି।

ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଏସଏଚଜି ମହିଳା ଗ୍ରୁପକୁ ଋଣ ଦେବରେ ସର୍ବାଗ୍ରେ ରହିଛି ବାଲୁଗାଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ବାଲୁଗାଁ ଶାଖା ପ୍ରବନ୍ଧକ ଅମିତ ମିଶ୍ରଙ୍କୁ ଆଜି ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଋଣ ମେଳା କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି।

ଉକ୍ତ ଋଣ ମେଳାରେ ଜିଲ୍ଲାର ପ୍ରତି ବ୍ଲକରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବ୍ୟାଙ୍କକୁ ପୁରସ୍କୃତ କରାଯାଇଥିବା ବେଳେ ଚିଲିକା ବ୍ଲକରେ ଏକ ନମ୍ବର ରହିଛି ବାଲୁଗାଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ।  ବାଲୁଗାଁ ଓଡିଶା ଗ୍ରାମ୍ୟବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ଅଦ୍ୟାବଧି ୬୭ଟି ଏସଏଚଜି ଗ୍ରୁପ ଆକାଉଣ୍ଟଧାରିଙ୍କୁ ୨.୮୦କୋଟି ଋଣ ଦେଇ ସର୍ବାଗ୍ରେ ରହିଛି। ଯାହାକୁ ନେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ଅମିତ ମିଶ୍ର ଖୁସି ବ୍ୟକ୍ତ କରିଥିବା ବେଳେ ଆଗାମି ଦିନରେ ସ୍ୱାବଲମ୍ବୀ କ୍ଷେତ୍ରରେ ଅଧିକରୁ ଅଧିକ ପ୍ରୟାସ ଜାରି ରହିବା ନେଇ ଶ୍ରୀ ମିଶ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼ରେ ମିଶନ ଶକ୍ତିର ମା’ଙ୍କ ପାଇଁ ସ୍ୱତନ୍ତ୍ର ନିବେଶକ ସମ୍ମିଳନୀ: ‘ଏସଏଚଜି ଟୁ ଏସଏମଇ’ ଲକ୍ଷ୍ୟ

ସୁନ୍ଦରଗଡ଼: ମିଶନ ଶକ୍ତି ଅଧୀନରେ ପରିଚାଳିତ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ବିକାଶର ଏକ ନୂଆ ଉଚ୍ଚତାକୁ ନେବା ଲାଗି ବିଶେଷ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଆଗାମୀ ଦିନରେ ‘ଏସଏଚଜି’ରୁ ‘ଏସଏମଇ’ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ମିଶନ ଶକ୍ତିର ମା’ମାନଙ୍କୁ ପ୍ରସ୍ତୁତ କରାଯାଉଛି। ଏହି ଲକ୍ଷ୍ୟ ନେଇ ‘ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ-୨୦୨୨’ ପୂର୍ବରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ‘ନିବେଶକ ସମ୍ମିଳନୀ’ କରାଯାଉଛି। ସୋମବାର ଦିନ ସୁନ୍ଦରଗଡ଼ଠାରେ ଏହି ସମ୍ମିଳନୀ ଆୟୋଜିତ ହୋଇଯାଇଛି।

ସୁନ୍ଦରଗଡ଼ସ୍ଥିତ ବିକାଶ ଭବନଠାରେ ମିଶନ ଶକ୍ତି ବିଭାଗ ଏବଂ ଫିକି ଆନୁକୂଲ୍ୟରେ ଏହି ଜିଲ୍ଲାସ୍ତରୀୟ ନିବେଶକ ସମ୍ମିଳନୀ କରାଯାଇଥିଲା। ଏଥିରେ ବିଭାଗୀୟ ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ୍‌ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଜିଲ୍ଲାର ଏସଏଚଜି ମହିଳାମାନଙ୍କ ଭିତରେ ‘ଉଦ୍ୟୋଗୀ’ ମନୋଭାବ ବଢ଼ାଇବା ଲାଗି କ୍ଷେତ୍ର ପ୍ରସ୍ତୁତ କରିବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାର ଏସଏଚଜି ମା’ମାନେ ବିଭିନ୍ନ କ୍ଷେତ୍ରରେ ଭଲ କାମ କରୁଥିବାରୁ ଶ୍ରୀମତୀ କାର୍ତ୍ତିକେୟନ୍‌ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୮୦ଟି ଏସଏଚଜିର ସଦସ୍ୟାମାନେ ଏଥିରେ ଯୋଗ ଦେଇଥିଲେ।

‘‘ଓଡ଼ିଶାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଜି ବିଭିନ୍ନ ଜୀବିକା କ୍ଷେତ୍ରରେ ପାରଦର୍ଶିତା ଦେଖାଇଛନ୍ତି। ବିଶେଷକରି ଅଣପାରମ୍ପରିକ କ୍ଷେତ୍ର ସହିତ ନୂଆ ନୂଆ ଦାୟିତ୍ୱ ନେଇ ସେମାନଙ୍କର ଅଭିନବ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଫଳରେ ଆଜି ମିଶନ ଶକ୍ତିର ସଦସ୍ୟମାନେ ରାଜ୍ୟର ଆର୍ଥିକ ବିକାଶରେ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ତେଣୁ ‘ଏସଏଚଜି ଟୁ ଏସଏମଇ’ ଲକ୍ଷ୍ୟ ମାଧ୍ୟମରେ ଆଗାମୀ ଦିନରେ ସେମାନଙ୍କୁ ସଫଳ ଉଦ୍ୟୋଗୀ ଭାବେ ପ୍ରସ୍ତୁତ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ମହିଳାମାନେ ଆର୍ଥିକ ଭାବେ ଆହୁରି ସଶକ୍ତ ହେଲେ ନୂତନ ଓଡ଼ିଶା ଗଠନ ସମ୍ଭବ ହୋଇପାରିବ’’, ସୁନ୍ଦରଗଡ଼ ଜିଲ୍ଲାର ଏସଏଚଜି ମା’ମାନଙ୍କୁ ସମ୍ବୋଧନ କରି କହିଛନ୍ତି ସୁଜାତା ଆର୍‌ କାର୍ତ୍ତିକେୟନ୍‌।

ଶ୍ରୀମତୀ କାର୍ତ୍ତିକେୟନ୍‌ ଆହୁରି କହିଥିଲେ, ‘‘ରାଜ୍ୟର ଗାଁ ଗହଳିରେ ଥିବା ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏସଏମଇରେ ପରିଣତ କରିବାର ସମ୍ଭାବନା ରହିଛି। ଏଥିପାଇଁ ଉପଯୁକ୍ତ ନିବେଶର ଆବଶ୍ୟକତା ରହିଛି। ସୁନ୍ଦରଗଡ଼ ଜିଲ୍ଲାର ଏସଏଚଜି ମହିଳାମାନଙ୍କ ବ୍ୟବସାୟକୁ ସୁଦୃଢ଼ କରିବା ପାଇଁ ବ୍ୟାଙ୍କ ମାଧ୍ୟମରେ ୩୦୦ କୋଟି ଟଙ୍କାର ୠଣ ବ୍ୟବସ୍ଥା କରାଯାଇଛି। ତା’ଛଡ଼ା ଏହି ମହିଳା ଉଦ୍ୟୋଗୀମାନଙ୍କୁ ଆବଶ୍ୟକ ତାଲିମ ଦେବା ସହିତ ସେମାନଙ୍କର ଉତ୍ପାଦର ବଜାର ସଂଯୋଗୀକରଣ ଲାଗି ପଦକ୍ଷେପ ନିଆଯାଉଛି। ଏହିସବୁ ଦିଗରେ ପ୍ରଶାସନ ସହିତ ସ୍ଥାନୀୟ ଶିଳ୍ପ ସଙ୍ଗଠନ, ବିଭିନ୍ନ ଘରୋଇ ଶିଳ୍ପ ଏବଂ ଫିକିର ସଦସ୍ୟମାନେ ସହଯୋଗର ହାତ ବଢ଼ାଇଲେ ଏସଏଚଜି ମା’ମାନେ ନିଜକୁ ସଫଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିପାରିବେ।’’

ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ଭୁବନେଶ୍ୱରରେ ହେବାକୁ ଥିବା ମେକ ଇନ ଓଡ଼ିଶା କନକ୍ଲେଭରେ ମିଶନ ଶକ୍ତିର ମା’ମାନଙ୍କ ପାଇଁ ସ୍ୱତନ୍ତ୍ର ଅଧିବେଶନ କରାଯାଉଛି। ଏହା ସହିତ ସେଠାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଏସଏଚଜିର ଉତ୍ପାଦ ପ୍ରଦର୍ଶନ କରାଯିବ। ତେଣୁ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମର ଭୂମିକା ସମ୍ପର୍କରେ ଜିଲ୍ଲାର ଏସଏଚଜି ମହିଳାମାନଙ୍କୁ ଧାରଣା ଦେବା ଥିଲା ଏହି ସମ୍ମିଳନୀର ଅନ୍ୟତମ ଉଦ୍ଦେଶ୍ୟ।

‘‘ମେକ ଇନ ଓଡ଼ିଶା କନକ୍ଲେଭ ପୂର୍ବରୁ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ନିବେଶକ କାର୍ଯ୍ୟକ୍ରମରେ ଆଜି ବହୁ ସଂଖ୍ୟାରେ ଏସଏଚଜି ମହିଳା ଯୋଗ ଦେଇଥିଲେ। ସେମାନେ ସ୍ଥାନୀୟ ଉଦ୍ୟୋଗୀ ତଥା ଶିଳ୍ପ ସଙ୍ଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ଉଦ୍ୟୋଗ ବିକାଶ କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲାର ଏସଏଚଜି ମହିଳାମାନଙ୍କ ପାଇଁ କ’ଣ ସବୁ ସୁଯୋଗ ରହିଛି ସେ ବିଷୟରେ ସେଠାରେ ବ୍ୟାପକ ଆଲୋଚନା କରାଯାଇଥିଲା। ଏହା ସହିତ ଏସଏଚଜି ମହିଳାମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ସାମଗ୍ରୀର କିପରି ଉଚିତ ବଜାର ସଂଯୋଗୀକରଣ କରାଯାଇପାରିବ ତା’ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ଜିଲ୍ଲାର ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟ ପରିଚାଳନା କ୍ଷେତ୍ରରେ ନୂଆ ଦିଗ ଦେଖାଇପାରିବ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି।

ଏହି ଜିଲ୍ଲାସ୍ତରୀୟ ସମ୍ମିଳନୀରେ ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାର ପ୍ରମୁଖ ୨୪ଟି କମ୍ପାନିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଇଏଫଜିଏଲ, ଏନଟିପିସି ଦର୍ଲିପାଲି, ଏନଟିପିସି ଡୁଲୁଙ୍ଗା ଏବଂ ଓସିଏଲ୍‌ କମ୍ପାନି ଏସଏଚଜି ମା’ମାନଙ୍କଠାରୁ ୧ କୋଟି ୧୨ ଲକ୍ଷ ଟଙ୍କାର ବିଭିନ୍ନ ସାମଗ୍ରୀ ଓ ଉତ୍ପାଦ କିଣିବା ପାଇଁ ଘୋଷଣା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ବିନୋଦ ଜେନା, ସୁନ୍ଦରଗଡ଼ ଜିଲ୍ଲା‌ ପରିଷଦର ଉପାଧ୍ୟକ୍ଷ କମଲ ଲାକ୍ରା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ‌ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ,  ଉପଜିଲ୍ଲାପାଳ ଦାଶରଥି ସରାବୁ,  ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଲମ୍ବୋଦର ବାସ୍କେ ଏବଂ ରାଉରକେଲା ଚାମ୍ବର ଅଫ କମର୍ସର ସଭାପତି ସୁବ୍ରତ ପଟ୍ଟନାୟକଙ୍କ ସହିତ ଫିକିର ଅଧିକାରୀମାନେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ଅବସରରେ ବିଶ୍ରା ବ୍ଲକର ଦିବ୍ୟଜ୍ୟୋତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଟାଙ୍ଗରପାଲି ବ୍ଲକର ଧନଲକ୍ଷ୍ମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ସଫଳ ଏସଏଚଜି ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସେଠାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ଏସଏଚଜିକୁ ବିଶେଷ ସଫଳତା ପାଇଁ ସମ୍ବର୍ଦ୍ଧିତ କରିଥିଲେ। ଉପସ୍ଥିତ ସଦସ୍ୟମାନଙ୍କୁ ଉତ୍ସାହିତ କରିବାକୁ ଯାଇ ରାଜ୍ୟରେ ମିଶନ ଶକ୍ତି ମହିଳାମାନଙ୍କର ସଫଳ ଯାତ୍ରାକୁ ନେଇ ପ୍ରସ୍ତୁତ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ କାନ୍ଦି ପକାଇଲେ ଏହି ମହିଳା, ଜାଣନ୍ତୁ କାରଣ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜଳସାଥୀ ମାନଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ମିଶନ ଶକ୍ତିର କିଛି ମା ମାନେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ପୁରୀର ଶ୍ରୀମତୀ ମହାପାତ୍ର ଓ ଭୁବନେଶ୍ବରର ସୁଜାତା ପଟ୍ଟନାୟକ ପ୍ରମୁଖଙ୍କ ଆଖିରେ ଥିଲା ଆନନ୍ଦର ଅଶ୍ରୁ। କୋହଭରା କଣ୍ଟରେ ସେମାନେ କହିଲେ ଯେ, ଘର ଭିତରେ ଗୃହିଣୀ ହେବା ଛଡା ଆମର ଆଉ କିଛି କରିବାର ଶକ୍ତି ଅଛି ବୋଲି ଆମେ ଜାଣି ନ ଥିଲୁ। ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ଏକ ସ୍ବତନ୍ତ୍ର ପରିଚୟ ପାଇପାରିଛୁ। ଜୀବନର ସାର୍ଥକତା ପାଇଛୁ।

ସେହିପରି କଟକ ଓ ଭୁବନେଶ୍ବରରେ Water Treatment Plant ଓ Septage Treatment Plant ପରିଚାଳନା କରୁଥିବା ତୃତୀୟ ଲିଙ୍ଗର ସଦସ୍ୟା ତନୁଶ୍ରୀ ବେହେରା ଓ ମେଘନା ପ୍ରମୁଖ କହିଥିଲେ ଯେ, ଆମ ପରିବାରରେ ବି ଆମର ସମ୍ମାନ ନ ଥିଲା। ଥିଲା କେବଳ ତିରସ୍କାର। ସମାଜ ଆମକୁ ଗ୍ରହଣ କରୁନଥିଲା। ଆଜି ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ଆମ ନିଜର ମୂଲ୍ୟ ଅଛି ବୋଲି ଅନୁଭବ କରୁଛୁ। ନିଜର ଏକ ସ୍ବତନ୍ତ୍ର ପରିଚୟ ପାଇପାରିଛୁ। ମୁଖ୍ୟମନ୍ତ୍ରୀଙ୍କୁ କୋଟି କୋଟି ପ୍ରଣାମ।

Categories
ବିଶେଷ ଖବର

୮୫ଟି ସହରରେ ଶତପ୍ରତିଶତ ପାଇପ ଜଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ

ହୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଯାତାୟତର ସୁବିଧା ପାଇଁ ସାଇକେଲ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ଜଳସାଥୀ ମାନେ ସରକାରଙ୍କ ଜଳଯୋଗାଣ ବିଭାଗ ଓ ଉପଭୋକ୍ତାମାନଙ୍କ ମଧ୍ୟରେ ସେତୁ ସାଜି ଉଭୟଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟ ଦକ୍ଷତା ଦ୍ବାରା ଜଳଯୋଗାଣର ଗୁଣବତ୍ତା ଓ ନିର୍ଭରଶୀଳତା ପ୍ରତିପାଦିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ Water Treatment Plant କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା ଏବଂ ତୃତୀୟ ଲିଙ୍ଗର ଭଉଣୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ମିଟର ରିଡିଂ, ଜଳର ମାନ ପରୀକ୍ଷା, ନୂତନ ସଂଯୋଗ ଓ ବେନିୟମ ସଂଯୋଗ ଦୂର କରିବା କ୍ଷେତ୍ରରେ କାମ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି।

ବିକେନ୍ଦ୍ରୀକରଣ ଓ ଜନ ଭାଗିଦାରୀ (Community Partnership) ରାଜ୍ୟ ସରକାରଙ୍କ ସହରାଞ୍ଚଳ ପରିଚାଳନା ମଡେଲର ଦୁଇ ଆଖି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳସାଥୀ ମାନେ ଏହି ଉଭୟ ଆଖିକୁ ପ୍ରତିନିଧିତ୍ବ କରୁଛନ୍ତି। ୩ ବର୍ଷ ତଳେ ୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସାରା ଓଡିଶାର ସହରାଞ୍ଚଳରେ ଜଳସାଥୀ ମାନେ ଜଳଯୋଗାଣ କାର୍ଯ୍ୟକ୍ରମକୁ ସଫଳତାର ପରିଚାଳନା କରୁଛନ୍ତି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ୧୧୪ଟି ସହରରୁ ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣର ବ୍ୟବସ୍ଥା କରାଯାଇପାରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୪୦ ଜଣ ଜଳସାଥୀ ୮.୪୦ ଲକ୍ଷ ଉପଭୋକ୍ତାଙ୍କ ଜଳଯୋଗାଣ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏବଂ ଏ ବାବଦରେ ୬୭ କୋଟି ଟଙ୍କା ଜଳକର ଆଦାୟ କରିପାରିଛନ୍ତି । ସେମାନଙ୍କ ଦ୍ବାରା ମିଟର ରିଡିଂ, ଜଳକର ଆଦାୟ ଓ ବେନିୟମ ପାଇପ ସଂଯୋଗ ଦୂର କରିବା କାର୍ଯ୍ୟରେ ବହୁତ ଉନ୍ନତି ଆସିଛି ବୋଲି ସେ କହିଥିଲେ।

ଜଳସାଥୀ କାର୍ଯ୍ୟକ୍ରମ ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀଙ୍କୁ ସମ୍ପତ୍ତି କର ଆଦାୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ବାରା ସହରାଞ୍ଚଳରେ ରାଜସ୍ବ ବୃଦ୍ଧି ହେବା ସହିତ ମିଶନ ଶକ୍ତି ମା ମାନଙ୍କର ଆର୍ଥିକ ଅଭିବୃଦ୍ଧି ସହିତ ସଶକ୍ତିକରଣ ହୋଇପାରିବ ବୋଲି ସେ କହିଛନ୍ତି।

ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ମାନର ପାନୀୟ ଜଳ ଦିନରାତି ୨୪ ଘଣ୍ଟା ଯୋଗାଇ ଦିଆଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି କାର୍ଯ୍ୟକ୍ରମ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଅନୁକରଣୀୟ ହୋଇପାରିଛି। ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ଓ ଜଳସାଥୀ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରରେ ପ୍ରାଥମିକତା ଦିଆଯାଇ ଅମୃତ ୨.୦ କାର୍ଯ୍ୟକ୍ରମରେ ସବୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଜାଗା ମିଶନ ଓ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ପରି କାର୍ଯ୍ୟକ୍ରମ ଓଡିଶାର ସହରାଞ୍ଚଳ ପାଇଁ ଏକ ସଫଳତାର କାହାଣୀ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳସାଥୀ ପରି ଜନଭାଗିଦାରୀ କାର୍ଯ୍ୟକ୍ରମ ବିନା ଏହା ସଫଳ ହୋଇପାରି ନଥାନ୍ତା।

ମିଶନ ଶକ୍ତିର ବିଭିନ୍ନ ଗୋଷ୍ଠୀ ଓ ଜଳସାଥୀ ମାନଙ୍କ ସହିତ ଭାଗିଦାରୀ ପାଇଁ ରାଜ୍ୟ ସରକାର ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜନଭାଗିଦାରୀ କାର୍ଯ୍ୟକ୍ରମ ଦ୍ବାରା ପ୍ରଶାସନିକ ବ୍ୟବସ୍ଥାରେ ନାଗରିକ ମାନେ ଉତ୍କୃଷ୍ଟ ସେବା ପାଇପାରିଥାନ୍ତି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଏକ ସଶକ୍ତ ଓଡିଶା ଗଠନ ଦିଗରେ ଆମକୁ ଆଗେଇ ନେବ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଉଷା ଦେବୀ କହିଲେ ଯେ ମା ମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆଜି ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଅନନ୍ୟ ଉଦାହରଣ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇ କହିଲେ ଯେ ରାଜ୍ୟର ସହରାଞ୍ଚଳର ୯୭ ଭାଗ ଲୋକ ଏବେ ପାଇପ ଜଳ ପାଇପାରୁଛନ୍ତି। ରାଜ୍ୟର ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣ ହୋଇଥିବା ବେଳେ, ବାକି ୨୦ଟି ସହରରେ ଡିସେମ୍ବର ୨୦୨୩ ସୁଦ୍ଧା ପାଇପ ଜଳର ବ୍ୟବସ୍ଥା ସଂପୂର୍ଣ୍ଣ ହେବ ବୋଲି ସେ କହିଥିଲେ। ବିଭାଗୀୟ ସ୍ବତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ପ୍ରଶଂସା କରି କହିଥିଲେ ଯେ ଆପଣମାନଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ସଂପୂର୍ଣ୍ଣ ଭରସା ରହିଛି। ଆପଣମାନେ ମଧ୍ୟ ଗାଁ ଗାଁରେ ବିକାଶର ନେତୃତ୍ବ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଓ ଭରସାକୁ ସାକାର କରିପାରିଛନ୍ତି।

ଜାତୀୟ ପତାକା ତିଆରି ପରି ଏକ ମର୍ଯ୍ୟଦାପୂର୍ଣ୍ଣ ଦାୟିତ୍ବ ଅର୍ପଣ କରିଥିବାରୁ ମିଶନ ଶକ୍ତିର ମା ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ। ମିଶନ ଶକ୍ତିରେ ସାମିଲ ହୋଇ ଆମେ ଗର୍ବିତ ବୋଲି ସେମାନେ ପ୍ରକାଶ କରିବା ସହିତ ଏଥିପାଇଁ ଆଜି ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭାର ବିକାଶ ହୋଇପାରିଛି ବୋଲି ସେମାନେ କହିଥିଲେ ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।

Categories
ବିଶେଷ ଖବର

୪ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଏହି କାମ ପାଇଁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ ଯାଜପୁର, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ଆସ୍ଥା ରଖି ଜାତୀୟ ପତାକା ପ୍ରସ୍ତୁତ ପରି ଏକ ଗୁରୁଦାୟିତ୍ବ ଅର୍ପଣ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।