Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି ନୂଆ ପଦବୀରେ ନିଯୁକ୍ତି ଦୁଇ ବରିଷ୍ଠ ଆଇଏଏସ। ସେମାନେ ହେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ। ଗତକାଲି ଓଡିଶାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ଶ୍ରୀ ଆହୁଜା। ସେ କେନ୍ଦ୍ରୀୟ ଡେପୁଟେସନରୁ ଆସିବା ପରେ ତାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି।

ସେହିପରି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଅବସ୍ଥାପିତ ନିକୁଞ୍ଜ ବିହାରୀ ଧଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କୁ ଗତକାଲି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଉଭୟ ନୂଆ ପଦବୀରେ ନିଯୁକ୍ତି ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ଆହୁଜା

ଭୁବନେଶ୍ଵର: ଆଜି ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜା ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ଅପରାହ୍ନରେ ଲୋକସେବା ଭବନରେ ମନୋଜ ଦାୟିତ୍ଵ ଗ୍ରହଣ କରିଛନ୍ତି। ଶ୍ରୀ ଆହୁଜା ଅବସର ଗ୍ରହଣ କରିଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଠାରୁ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ଦ୍ଵାରା ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଲେ ମନୋଜ ଆହୁଜା

ଭୁବନେଶ୍ୱର: କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପି କେ ଜେନା ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିବା ପରେ ଶ୍ରୀ ଆହୁଜା ଦାୟିତ୍ଵ ଗ୍ରହଣ କରିବେ।

ଏହା ସହିତ ସେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ଵ ଗ୍ରହଣ କରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନିତ ସ୍ଥିତିରେ ଜନସାଧାରଣ ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ କିଛି ଜିଲ୍ଲାରେ ଅତି ଅଧିକ ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗିରହିଛି। ଏହି ଅସ୍ୱାଭାବିକ ପରିସ୍ଥିତିରେ ଜନସାଧାରଣଙ୍କ ତରଫରୁ ସତର୍କତା ଅବଲମ୍ବନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜନସାଧାରଣ ତଥା ଭାଇଭଉଣୀମାନଙ୍କୁ ଅନୁରୋଧ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର‌୍ୟ୍ୟାଳୟ ତରଫରୁ ଏ ସମ୍ପର୍କରେ ବିଭିନ୍ନ ଉପଦେଶାବଳୀ ଦିଆଯାଇଛି। ସଂପ୍ରତି ଏହି ସମୟରେ ରାଜ୍ୟରେ ଉତ୍ତାପ ଅଧିକ ରହେ, ଏଥିପାଇଁ ସମସ୍ତ ଜନସାଧାରଣ ଅତି ଉତ୍ତପ୍ତ ସମୟ ମଧ୍ୟରେ, ସାଧାରଣତଃ ଦିନ ୧୦ ଟା ବା ୧୧ ଟାରୁ ଦିନ ୩ଟା ମଧ୍ୟରେ ଯେ କୌଣସି କାମ ଯଥା, ବ୍ୟକ୍ତିଗତ କାମ ହେଉ, କୌଣସି ଠିକାଦାରଙ୍କ କାମ ହେଉ ବା କୌଣସି ବାହାର କାମକୁ ଯିବାକୁ ନିବୃତ୍ତ ରହିବାର ଆବଶ୍ୟକତା ରହିଛି।

ଯଦି ଅନିବାର୍ଯ୍ୟ କାରଣ ବଶତଃ ବାହାରକୁ କାମରେ ଯିବାକୁ ପଡୁଛି, ତେବେ ପାଖରେ ଛତା, ଯୋତା ବା ଚପଲ ବ୍ୟବହାର କରିବା, ସାଙ୍ଗରେ ପାଣି ବୋତଲ ଧରିବା, ତଉଲିଆ ବା ଓଦା ଗାମୁଛା ପକାଇ ଯିବାକୁ ସେ ଅନୁରୋଧ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ତରଫରୁ ଏଥିପାଇଁ ସମସ୍ତ ପ୍ରକାର ଜନସଚେତନତା କାର‌୍ୟ୍ୟକ୍ରମ କରାଯାଉଛି। ଆଜି ସେ ସମସ୍ତ ଜିଲ୍ଲାପାଳ ମାନଙ୍କ ସହିତ ଭିଡିଓ କନ୍‌ଫରେସିଂ ଜରିଆରେ ବୈଠକ କରି ମାଇକିଂ(ଡାକବାଜି ଯନ୍ତ୍ର) ଜରିଆରେ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରହିବା ପାଇଁ ପ୍ରଚାରକୁ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସମସ୍ତ ଡାକ୍ତରଖାନା ଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି। ରୌଦ୍ରତାପ ପ୍ରଭାବିତ ସ୍ଥିତିରେ ବା ଯଦି ଏଭଳି ଅସ୍ୱାଭାବିକ ତାପମାତ୍ରାରେ ପ୍ରଭାବିତ ଯଦି କେହି ସନ୍ଦିଗ୍ଧ ବ୍ୟକ୍ତି ଡାକ୍ତରଖାନାକୁ ଆସନ୍ତି, ତେବେ ତାଙ୍କର କିପରି ଚିକିତ୍ସା କରାଯିବ, ସେ ସଂପର୍କରେ ସବିଶେଷ ନିର୍ଦ୍ଦେଶ ଆଗରୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆଯାଇଛି।

ଗତ କିଛି ଦିନରେ ମଧ୍ୟ ଡାକ୍ତରମାନଙ୍କ ସହିତ ଆଲୋଚନା କରାଯାଇଛି। ଡାକ୍ତରଖାନାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରି ରଖାଯାଇଛି। ଯଦି କୌଣସି କ୍ଷେତ୍ରରେ ଏପରି କୌଣସି ଅସୁସ୍ଥତା ଜନିତ ସନ୍ଦିଗ୍ନ ବ୍ୟକ୍ତି ନିକଟସ୍ଥ ଡାକ୍ତରଖାନାରେ ପହଁଚନ୍ତି, ତେବେ ଡାକ୍ତରଖାନାରେ ତୁରନ୍ତ ସୁବିଧା ମିଳିପାରିବ ବୋଲି ସେ କହିଛନ୍ତି।

ଏହି ଗ୍ରୀଷ୍ମ ପ୍ରବାହ ଜନିତ ଉତ୍ତାପ ଆହୁରି କିଛି ଦିନ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଏଣୁ ଆମେ ସମସ୍ତେ ସତର୍କତା ଅବଲମ୍ବନ କରିବା, ଅଯଥାରେ ଖରାରେ ବେଶୀ ସମୟ ବୁଲାବୁଲି କରିବା ନାହିଁ, ଯୁବକମାନେ ମୋଟର ସାଇକେଲ ବା ଗାଡ଼ିରେ ବୁଲାବୁଲି କରୁଥିଲେ ସାଙ୍ଗରେ ହେଲମେଟ୍, ପାଣି ରଖିବେ, ଓଦା ତଉଲିଆ ରଖିବେ ଓ ବ୍ୟବହାର କରିବେ। ଶ୍ରମିକମାନଙ୍କୁ ଅତ୍ୟଧିକ ଖରାରେ କାମ କରିବାକୁ ବାଧ୍ୟ ନକରିବା, ଶ୍ରମିକମାନେ ମଧ୍ୟ ସିଧାସଳଖ ଖରାରେ ଦିନ ୧୧ ଟାରୁ ୩ ଟା ମଧ୍ୟରେ, ଯେତେବେଳେ ସବୁଠୁ ଅଧିକ ତାପମାତ୍ରା ଥାଏ, ସେ ସମୟରେ କାମ ନ କରିବାକୁ ସେ ଅନୁରୋଧ କରିଛନ୍ତି ଏବଂ ପ୍ରତ୍ୟେକ କାର‌୍ୟ୍ୟସ୍ଥଳରେ ଯେଉଁଠି କ୍ୟାମ୍ପ ରହିଛି, ସେଠାରେ ଠିକାଦାରମାନେ ଥଣ୍ଡାପାଣି ଏବଂ ଓଆରଏସ୍ ର ବ୍ୟବସ୍ଥା କରିବେ।

ଶିଳ୍ପାଞ୍ଚଳରେ ଯେଉଁମାନେ ଟ୍ରକ୍‌ରେ ଯିବା ଆସିବା କରୁଛନ୍ତି, ଖଣି ଖାଦାନରେ ଯେଉଁମାନେ କାମ କରୁଛନ୍ତି, ସେମାନେ ୧୧ ରୁ ୩ ଟା ମଧ୍ୟରେ ମଧ୍ୟ ସେମାନଙ୍କର କାର‌୍ୟ୍ୟ କଳାପକୁ କମ୍ କରିବା ବା ବନ୍ଦ ରଖିବା, ଅଧିକ ଖରାରେ ଯେପରି କାମ ନକରିବେ ସେଥିପ୍ରତି ଯଥେଷ୍ଟ ଦୃଷ୍ଟି ଦେବେ। ବସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ସାଙ୍ଗରେ ପାଣି ବୋତଲ ନେବା, ତଉଲିଆ ନେବାକୁ ପରାମର୍ଶ ଦେବା ସହ ବସ୍ ଚାଳକ ବା ବସ୍ ମାଲିକମାନେ ବସରେ ପର‌୍ୟ୍ୟାପ୍ତ ପରିମାଣର ଆଇସ୍ କ୍ୟୁବ୍ ବା ଥଣ୍ଡା ପାନୀୟ ଜଳ ରଖିବା, ଓଆର୍‌ଏସ୍ ପ୍ୟାକେଟ ରଖିବା ଓ ଆବଶ୍ୟକ ସମୟରେ ଓଆର୍‌ଏସ୍ ପାଣି ପିଇବା ପାଇଁ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଯେତେଦିନ ପର‌୍ୟ୍ୟନ୍ତ ପାଣିପାଗ ବିଭାଗ ତରଫରୁ ସତର୍କ କରାଯାଉଛି, ସେ ପର‌୍ୟ୍ୟନ୍ତ ଓଡ଼ିଶାର ସମସ୍ତ ଜନସାଧାରଣ ତଥା ଭାଇଭଉଣୀମାନଙ୍କୁ ଏଥିପ୍ରତି ସମସ୍ତ ସତର୍କତା ଅବଲମ୍ବନ କରିବାକୁ ସେ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ମାତୃ ବିୟୋଗ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ମାତା ଶ୍ରୀମତୀ ଶକୁନ୍ତଳା ଜେନାଙ୍କର ଗତକାଲି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧  ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ପରିବାର ବର୍ଗ, ବନ୍ଧୁ ଓ ଆତ୍ମୀୟ ସ୍ୱଜନମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ତାଙ୍କର ଦେହାନ୍ତ ସଂବାଦ ପାଇ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ପ୍ରମୁଖ  ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ପ୍ରମୁଖ  ଶାସନ ସଚିବ ଶ୍ରୀ ହେମନ୍ତ  ଶର୍ମା, ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ, ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ, ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ଶେଷ ଦର୍ଶନ କରିଥିଲେ।

ସେହିପରି ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ଓଏସପିସିବି ସଦସ୍ୟ ସଚିବ ଡଃ. କେ. ମୁରୁଗେସନ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ଭୁପେନ୍ଦ୍ର ସିଂ ପୁନିଆ, କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲ ଏବଂ ରାଜ୍ୟ ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀବୃନ୍ଦ  ଆଜି ମୁଖ୍ୟ ଶାସନ ସଚିବଙ୍କ ଭୁବନେଶ୍ୱର  ୟୁନିଟ୍ -୬ ସ୍ଥିତ ସରକାରୀ ବାସଭବନକୁ ଯାଇ ସ୍ୱର୍ଗୀୟା ଜେନାଙ୍କର ପାର୍ଥିବ ଶରୀରର ଶେଷ  ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗତକାଲି ସଂଧ୍ୟାରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମର ସୂଚନା, ପ୍ରଶାସନ ସ୍ତରରେ ସମୀକ୍ଷା ବୈଠକ 

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ  ନରେନ୍ଦ୍ର ମୋଦୀଙ୍କର ଆାଗାମୀ ମାର୍ଚ୍ଚ ୫ ତାରିଖରେ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ସେଦିନ ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ରାଜ୍ୟରୁ କାର୍ଯ୍ୟକ୍ରମ ସାରି ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଅପରାହ୍ଣରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବେ।

ସେଠାରୁ ସେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଯାତ୍ରା କରି ଏକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ/ଲୋକାର୍ପଣ କରିବା ସହ ପରେ ପରେ ଏକ ସାଧାରଣ ସଭାରେ ଯୋଗଦେବେ। ସେଠାରୁ କାର୍ଯ୍ୟକ୍ରମ ସରିବା ପରେ ସେ ସଂଧ୍ୟାରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ବିମାନ ଯୋଗେ  କୋଲକାତା ଅଭିମୁଖେ ଯାତ୍ରା କରିବେ।

ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚି ଚଣ୍ଡିଖୋଲ ଯିବା ଓ ସେଠାରୁ କାର୍ଯ୍ୟକ୍ରମ ସାରି କୋଲକାତା ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ଆନୁଷଙ୍ଗିକ ପ୍ରଶାସନିକ ପ୍ରସ୍ତୁତି ଓ ସୁରକ୍ଷା ସଂପର୍କିତ ପ୍ରଶାସନିକ ତଦାରଖ ବ୍ୟବସ୍ଥା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ଲୋକସେବା ଭବନରେ ରାଜ୍ୟ ପ୍ରଶାସନ ତଥା ପୁଲିସ୍ ପ୍ରଶାସନର ବରିଷ୍ଠ ପଦାଧିକାରୀଙ୍କ ସହିତ ସବିଶେଷ ସମୀକ୍ଷା କରିଛନ୍ତି।

ବୈଠକରେ ଭୁବନେଶ୍ୱର ବିମାନ ବନ୍ଦରଠାରେ, ଚଣ୍ଡିଖୋଲ  ହେଲିପ୍ୟାଡ୍ ଏବଂ  କାର୍ଯ୍ୟକ୍ରମ ସ୍ଥଳକୁ  ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେବା ଓ ମେଲାଣି ଦେବା ସମୟରେ ସୁରକ୍ଷା ଓ ଆନୁଷଙ୍ଗିକ  ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କର ଜରୁରୀକାଳୀନ ସାମୟିକ ରହଣି ବ୍ୟବସ୍ଥା,  ପ୍ରସ୍ତୁତ ହେବାକୁ ଥିବା ମଞ୍ଚର ସୁରକ୍ଷା ଯାଂଚ, କାରକେଡ୍ ବ୍ୟବସ୍ଥା, ଭିଭିଆଇପି ଯାତ୍ରା ସମୟରେ ବିଭିନ୍ନ ସେବା ପାଇଁ ଆବଶ୍ୟକ ଯାନ ବ୍ୟବସ୍ଥା, ବ୍ୟବହୃତ ହେବାକୁ ଥିବା ହେଲିକପ୍ଟରର  ନିରାପତ୍ତା, ଚିକିତ୍ସା ବ୍ୟବସ୍ଥା ପାଇଁ ଆମ୍ବୁଲାନ୍ସ ପ୍ରସ୍ତୁତି, କାର୍ଯ୍ୟକ୍ରମ ସ୍ଥଳ ନିକଟସ୍ଥ ଡାକ୍ତରଖାନାକୁ  ସ୍ୱତନ୍ତ୍ର ବ୍ୟବସ୍ଥା ସହ ପୂର୍ଣ୍ଣ ପ୍ରସ୍ତୁତି ରଖାଯିବା, ଭିଭିଆଇପିଙ୍କ ଦ୍ୱାରା ବ୍ୟବହୃତ ହେବାକୁ ଥିବା ସଡ଼କର ଆବଶ୍ୟକ ମରାମତି ଓ  ରକ୍ଷଣାବେକ୍ଷଣ, ପରିମଳ ବ୍ୟବସ୍ଥା, କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ନିଶ୍ଚିତ କରାଯିବା ସଂପର୍କରେ ବୈଠକରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମ ସ୍ଥଳରେ ଆବଶ୍ୟକ ଜେନେରେଟର ସୁବିଧା ସହ ୨ ଟି ଅତିରିକ୍ତ ଜେନେରେଟରର ସୁବିଧା କରିବା ଓ ପ୍ରତ୍ୟେକ ସ୍ଥାନରେ ଏହାକୁ ପରିଚାଳନା କରିବା ପାଇଁ ୨ ଜଣ ଅପରେଟର ମୁତୟନ  ନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ବେରିକେଡିଂ ବ୍ୟବସ୍ଥା,  ଆବଶ୍ୟକ ପାସ୍ ବ୍ୟବସ୍ଥା, ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ସୂଚନା ସରବରାହ ବ୍ୟବସ୍ଥା, ଅଗ୍ନିଶମ ସେବା ବ୍ୟବସ୍ଥା ଓ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ଏବଂ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିୟମାବଳୀ ଅନୁସାରେ କୋଭିଡ୍ ଗାଇଡଲାଇନକୁ ଅନୁପାଳନ କରିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇ ତଦନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ କରାଯିବା ପାଇଁ ରାଜ୍ୟ ଗୃହ ବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକରିବ। ଆୟୋଜନ ତଥା ସୁରକ୍ଷା ଦୃଷ୍ଟିରୁ କାର୍ଯ୍ୟକ୍ରମ ତଥା ହେଲିପ୍ୟାଡ୍ ସ୍ଥଳକୁ ପୁର୍ବରୁ ଭଲଭାବେ ଯାଂଚ ଓ ଅନୁଧ୍ୟାନ କରିବାକୁ ସଂପୃକ୍ତ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନୁଷ୍ଠିତ ଏହି  ଉଚ୍ଚସ୍ତରୀୟ  ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ,  ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ  ବିଶାଳ କୁମାର ଦେବ, ବାଣିଜ୍ୟ ଓ ପରିବହନ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ  ଊଷା ପାଢୀ,  ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀ, ଭୁବନେଶ୍ୱର-କଟକ ପୁଲିସ କମିଶନର ଶ୍ରୀ ସଂଜୀବ କୁମାର ପଣ୍ଡା, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ

ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ସଂପୃକ୍ତ ଅନ୍ୟ ବିଭାଗର ସଚିବ ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସ୍ୱରାଷ୍ଟ୍ର ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡଃ. ସନ୍ତୋଷ ବାଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ସଂପର୍କରେ ବିଶଦ୍ ସୂଚନା ପ୍ରଦାନ କରିଥିଲେ। ଯାଜପୁର ଜିଲ୍ଲାପାଳ ଓ ଯାଜପୁର ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇ ବିଭିନ୍ନ ବ୍ୟବସ୍ଥା ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

 

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କୁ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର: ବୁଧବାରରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ବିବେକ ଶ୍ରୀବାସ୍ତବ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଦେଶର ପ୍ରଥମ କୋଇଲା ଗ୍ୟାସଭିତ୍ତିକ ପ୍ରକଳ୍ପ ହେଉଛି ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍।

ଏହି ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ଏବଂ ପ୍ରକଳ୍ପ ପାଇଁ ଆନୁଷଙ୍ଗିକ ସହଯୋଗ ନିମନ୍ତେ ସେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଥିଲେ। ତାଙ୍କ ସହିତ କମ୍ପାନୀର ନିର୍ଦ୍ଦେଶକ (ଅପରେସନ୍ସ) ଶ୍ୟାମଳ ରୟ ଓ ମୁଖ୍ୟ ପରିଚାଳକ(ସମ୍ପର୍କ) ସୁମନ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସଂପର୍କରେ ରାଜ୍ୟସ୍ତରୀୟ ପ୍ରକଳ୍ପ ତଦାରଖ କମିଟି ବୈଠକ

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସଂପର୍କରେ ରାଜ୍ୟସ୍ତରୀୟ ପ୍ରକଳ୍ପ ତଦାରଖ କମିଟି ବୈଠକ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପ ନିମନ୍ତେ ପାଣ୍ଠି ବ୍ୟବସ୍ଥା, ବୈଷୟିକ ନିର୍ଦ୍ଧିଷ୍ଟତା, ବିଭିନ୍ନ ସ୍ଥାନରେ ଷ୍ଟେସନ ଯୋଜନା, ପ୍ଲାଟପର୍ମ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ୬ ରୁ ୮ ମାସ ମଧ୍ୟରେ ପ୍ରକଳ୍ପ ଅନୁସାରେ ଭୂମି ଯୋଜନା ଓ ଗଠନ ବ୍ୟବସ୍ଥା, ସିଭିଲ କାମ, ବିଭିନ୍ନ ଉପଯୋଗିତା ସ୍ଥାନାନ୍ତର ଆଦି ସଂପର୍କରେ ଟେଣ୍ଡର କାର୍ଯ୍ୟ ସରିବ। ୨୦୨୪ ଜାନୁଆରୀ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଆଗାମୀ ଡିସେମ୍ବର ୨୦୨୭ ସୁଦ୍ଧା ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ରହିଛି।

ପ୍ରକାଶ ଥାଉକି, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ନିର୍ମାଣ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ଟର୍ଣ୍ଣ-କି ପରାମର୍ଶଦାତା ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ସହ ଚୁକ୍ତି ସ୍ୱାକ୍ଷର କରିଛି। ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରକଳ୍ପ ତଦାରଖ କମିଟି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥିଭାଥାନନ୍, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ବାଣିଜ୍ୟ ଓ ପରିବହନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ(ରେଳ ନିଗମ) ମନୋଜ କୁମାର ମିଶ୍ରଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ଏହି ବୈଠକ ପୂର୍ବରୁ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦର ୨ୟ ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟର ସ୍ଥିତି ସଂପର୍କରେ ଉପସ୍ଥାପନ କରାଯିବା ସହିତ ବୋର୍ଡର କାର୍ଯ୍ୟ ପରିଚାଳନା ସମ୍ପର୍କିତ ବିଭିନ୍ନ ଆଲୋଚନା କରାଯାଇଥିଲା। ବୈଠକରେ ପରିଷଦର ସଭ୍ୟ ସଭ୍ୟାମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଦୁଇ ଦିନ ଧରି ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀରେ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି –

ଗତ ଦୁଇ ଦିନ ଧରି ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀରେ ଯୋଗ ଦେଇଛି। ଆମେ ବିଭିନ୍ନ ନୀତି ସମ୍ବନ୍ଧୀୟ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା କରିଥିଲୁ ଏବଂ ଉତ୍ତମ ସେବା ପ୍ରଦାନ ସୁନିଶ୍ଚିତ କରିବା ସହିତ ସମସ୍ତ ନାଗରିକଙ୍କ ପାଇଁ ସୁଶାସନ ସୁନିଶ୍ଚିତ କରିବା ର ଉପାୟ ଉପରେ ମଧ୍ୟ ଆଲୋଚନା କରିଥିଲୁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Breaking News: ବଢିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ

ଭୁବନେଶ୍ବର: ଶେଷରେ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ଆଜି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ସେ ଚଳିତ ମାସ 31 ତାରିଖରେ ଅବସର ଗ୍ରହଣ କରିଥାଆନ୍ତେ। ତା ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ଆଉ ଛଅ ମାସ ପାଇଁ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି। ଫଳରେ ସେ ଆସନ୍ତା ଲୋକସଭା ଏବଂ ବିଧାନସଭା ନିର୍ବାଚନ ବେଳକୁ ମୁଖ୍ୟ ଶାସନ ଭାବେ କାର୍ଯ୍ୟ କରୁଥିବେ।

ପ୍ରଦୀପ ଜେନାଙ୍କ ଅବସର ପରେ ରାଜ୍ୟର କିଏ ହେବ ପରବର୍ତ୍ତି ମୁଖ୍ୟ ଶାସନ ସଚିବ ସେ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିଲା। ଏଥିରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ନାମ ଆଗରେ ଥିଲା। ତେବେ ଆଉ ଚାରି ମାସ ପରେ ରାଜ୍ୟରେ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଥିବାରୁ ଏହି ମୁଖ୍ୟ ପଦବୀରେ କିଏ ରହିବ ସେ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିଲା।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ମୁଖ୍ୟ ଶାସନ ସଚିବଙ୍କ ତୃତୀୟ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୮ ଏବଂ ୨୯, ୨୦୨୩ ରେ ଦିଲ୍ଲୀରେ ମୁଖ୍ୟ ଶାସନ ସଚିବମାନଙ୍କର ତୃତୀୟ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଏହା ହେଉଛି ତୃତୀୟ ସମ୍ମିଳନୀ, ପ୍ରଥମଟି ୨୦୨୨ ଜୁନ୍ ରେ ଧର୍ମଶାଳାରେ ଏବଂ ଦ୍ୱିତୀୟ ସମ୍ମିଳନୀ ଜାନୁଆରୀ ୨୦୨୩ରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା।

ସମବାୟ ସଂଘୀୟତାର ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରୁ ପ୍ରେରିତ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅଂଶୀଦାର ଶାସନ ଏବଂ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଏ। ଚଳିତ ବର୍ଷ ଡିସେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବଙ୍କ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ।

ଏହି ତିନି ଦିନିଆ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି, ମୁଖ୍ୟ ଶାସନ ସଚିବ ଏବଂ ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ମିଶାଇ ୨୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିବେ। ଏହା ସରକାରୀ ହସ୍ତକ୍ଷେପ ଗୁଡିକର ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରି ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳ ଜନସାଧାରଣଙ୍କ ଉନ୍ନତ ମାନର ଜୀବନ ଧାରଣ ପାଇଁ ସହଯୋଗୀ କାର୍ଯ୍ୟ ପାଇଁ ଭିତ୍ତିଭୂମି ସ୍ଥାପନ କରିବ ।

ଚଳିତ ବର୍ଷ ମୁଖ୍ୟ ଶାସନ ସଚିବଙ୍କ ନ୍ୟାସନାଲ କନଫରେନ୍ସର ମୁଖ୍ୟ ଫୋକସ୍ ହେବ ‘ଇଜ୍ ଅଫ୍ ଲିଭିଂ’। ଏହି ସମ୍ମିଳନୀ ଏକ ସାଧାରଣ ବିକାଶ ଏଜେଣ୍ଡାର ବିକାଶ ଏବଂ କାର୍ଯ୍ୟକାରିତା ଏବଂ ରାଜ୍ୟମାନଙ୍କ ସହ ଭାଗିଦାରୀରେ ସମନ୍ୱିତ କାର୍ଯ୍ୟ ପାଇଁ ବ୍ଲୁପ୍ରିଣ୍ଟ ଉପରେ ଗୁରୁତ୍ୱାରୋପ କରିବ ।

କଲ୍ୟାଣମୂଳକ ଯୋଜନାଗୁଡ଼ିକର ସହଜ ଉପଲବ୍ଧତା ଏବଂ ସେବା ଯୋଗାଣରେ ଗୁଣବତ୍ତା ଉପରେ ବିଶେଷ ଗୁରୁତ୍ୱାରୋପ କରି ସମ୍ମିଳନୀରେ ୫ଟି ଉପ-ବିଷୟ ବସ୍ତୁ ଉପରେ ଆଲୋଚନା କରାଯିବ ଯାହା ହେଉଛି ଭୂମି ଓ ସମ୍ପତ୍ତି; ବିଜୁଳି; ପିଇବା ପାଣି; ସ୍ଵାସ୍ଥ୍ୟ ଏବଂ ବିଦ୍ୟାଳୟ ଶିକ୍ଷା। ଏହାବ୍ୟତୀତ ସାଇବର ସିକ୍ୟୁରିଟି: ନୂତନ ଚ୍ୟାଲେଞ୍ଜ ଉପରେ ମଧ୍ୟ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଆଇ,  ଭୂମିରୁ କାହାଣୀ ଉପରେ  ଦୃଷ୍ଟିକୋଣ: ଆକାଂକ୍ଷୀ ବ୍ଲକ ଏବଂ ଜିଲ୍ଲା କାର୍ଯ୍ୟକ୍ରମ; ରାଜ୍ୟଗୁଡ଼ିକର ଭୂମିକା: ଯୋଜନା ଏବଂ ସ୍ୱୟଂଶାସିତ ସଂସ୍ଥାଗୁଡ଼ିକର ପ୍ରଯୁଜ୍ୟତା ଏବଂ ପୁଞ୍ଜି ବ୍ୟୟ ବୃଦ୍ଧି; ଶାସନରେ ଏଆଇ: ଆହ୍ୱାନ ଏବଂ ସୁଯୋଗ।

ଏହାବ୍ୟତୀତ ନିଶା ମୁକ୍ତି ଓ ଥଇଥାନ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ। ଅମୃତ ସରୋବର; ପର୍ଯ୍ୟଟନ ପ୍ରୋତ୍ସାହନ, ବ୍ରାଣ୍ଡିଂ ଏବଂ ରାଜ୍ୟଗୁଡ଼ିକର ଭୂମିକା; ଏବଂ ପିଏମ ବିଶ୍ୱକର୍ମା ଯୋଜନା ଏବଂ ପିଏମ ସ୍ୱନିଧି । ଏହି ସମ୍ମିଳନୀରେ ପ୍ରତ୍ୟେକ ବିଷୟବସ୍ତୁ ଅଧୀନରେ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ଶ୍ରେଷ୍ଠ ଅଭ୍ୟାସ ଉପସ୍ଥାପନ କରାଯିବ ଯାହା ଦ୍ୱାରା ରାଜ୍ୟମାନେ ନିଜ ନିଜ ଆବଶ୍ୟକତା ଅନୁଯାୟୀ ଗୋଟିଏ ରାଜ୍ୟ କିମ୍ବା କୌଶଳରେ ହାସଲ କରିଥିବା ସଫଳତାକୁ ଅନୁସରଣ କରିପାରିବେ ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓମ୍ବାଡ୍‌ସିର ୨୭ତମ “ବୋର୍ଡ ଅଫ୍ ଡାଇରେକ୍ଟର୍ସ” ବୈଠକ

ଭୁବନେଶ୍ୱର: ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ୨୭ତମ ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଦିନ ମୁଖ୍ୟ ଶାସନ ସଚିବ ତଥା ଓମ୍ବାଡ୍‌ସି ଅଧ୍ୟକ୍ଷ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଓମ୍ବାଡସି ସହାୟତାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ବିଷୟରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ, ଓମ୍ବାଡ୍‌ସି ସିଇଓ ଜି ରାଜେଶଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଓମ୍ବାଡ୍‌ସି ସିଇଓ ରାଜ୍ୟର ୮ଟି ଖଣି ପ୍ରଭାବିତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ବିଷୟରେ ସୂଚନା ଦେଇଥିଲେ।

ଓମ୍ବାଡ୍‌ସି ସିଇଓ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଜନକଲ୍ୟାଣ କାର୍ଯ୍ୟକ୍ରମ ଚାଲିଛି । ପଞ୍ଚାୟତିରାଜ ଓ ପାନୀୟଜଳ, ସ୍କୁଲ ଓ ଗଣଶିକ୍ଷା, ଗୃହ ଏବଂ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, କୃଷି ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସହଯୋଗରେ ବିଭିନ୍ନ ପ୍ରକଳ୍ପ କାମ ହାତକୁ ନିଆଯାଇଛି । ଓମ୍ବାଡ୍‌ସି ପାଣ୍ଠିରୁ ଏଥିପାଇଁ ଆର୍ଥିକ ସହାୟତା ଦିଆଯାଉଛି ।

ଏହି ପ୍ରକଳ୍ପ ଭିତରୁ ଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଯେଉଁସବୁ ସଫଳତା ମିଳିଛି ସେ ବିଷୟରେ ସିଇଓ ଜି ରାଜେଶ ବୈଠକରେ କହିଥିଲେ । ଏହାସହ ଗୃହ ନିର୍ମାଣ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ସିଏଏମପିଏ ପାଣ୍ଠିର ବିନିଯୋଗ ଏବଂ ପ୍ରକଳ୍ପର କାର୍ଯ୍ୟକାରିତା ବିଷୟରେ ମଧ୍ୟ ବୋର୍ଡକୁ ଓମ୍ବାଡସି ସିଇଓ ସୂଚନା ଦେଇଥିଲେ ।

ଏହାଛଡ଼ା ବୈଠକରେ ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ରାସ୍ତା ସଂଯୋଗୀକରଣ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଲାଗୁ ହେବାକୁ ଥିବା ୮ଟି ନୂତନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ତୃଣମୂଳ ସ୍ତରରେ ପ୍ରକଳ୍ପଗୁଡ଼ିକର ସଠିକ କାର୍ଯ୍ୟାନ୍ୱୟନ ପାଇଁ ଏକ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଓମ୍ବାଡସି ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ୨୦୨୨-୨୩ ବର୍ଷ ଲାଗି ଓମ୍ବାଡସିର ଆନୁଆଲ ରିପୋର୍ଟ, ସୂଚନା ପୁସ୍ତିକା ଏବଂ ସ୍ୱୱତନ୍ତ୍ର ୱେବସାଇଟ୍ ଉନ୍ମୋଚନ କରାଯାଇଥିଲା ।

ଓମ୍ବାଡ୍‌ସି ସହାୟତାରେ ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଲାଗି ସରକାରୀ ଆଇଟିଆଇ ଓ ବୈଷୟିକ ଶିକ୍ଷା ଅନୁଷ୍ଠାନର ନବୀକରଣ କରାଯାଉଛି । ଏହାସହ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣ ପାଇଁ ସରକାରୀ ସ୍କୁଲଗୁଡ଼ିକର ରୂପାନ୍ତରଣ କରାଯାଉଛି । ତା\’ଛଡ଼ା ରାସ୍ତା ସଂଯୋଗୀକରଣ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସହିତ ଲୋକଙ୍କ ଜୀବିକା ପାଇଁ ମାଛଚାଷ, ଛେଳି ଓ ବ୍ରଏଲର କୁକୁଡ଼ା ପାଳନ ଆଦିକୁ ପ୍ରୋତ୍ସାହନ ଦିଆଯାଉଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଉପକୃତ ହୋଇଥିବା ହିତାଧିକାରୀମାନଙ୍କୁ ନେଇ ପ୍ରସ୍ତୁତ ସ୍ୱତନ୍ତ୍ର ଭିଡିଓକୁ ମୁଖ୍ୟ ଶାସନ ସଚିବ ଉନ୍ମୋଚନ କରିଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀଙ୍କ ସହ ଓମ୍ବାଡ୍‌ସିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଲୋକସେବା ଭବନରେ ବସିଲା ସବୁ ବିଭାଗୀୟ ସଚିବଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସମସ୍ତ ବିଭାଗ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ଶେଷ ସୁଦ୍ଧା ବିଭିନ୍ନ ବିଭାଗ ସହିତ ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଉପରେ ଆଲୋକପାତ କରାଯାଇଥିଲା। ସମସ୍ତ ବିଭାଗ ପୂର୍ବ ବର୍ଷର ଅକ୍ଟୋବର ମାସ ତୁଳନାରେ ଏ ବର୍ଷର କାର୍ଯ୍ୟ ପ୍ରଦର୍ଶନ ଭଲ କରିଛନ୍ତି।

ପ୍ରତିମାସ ପ୍ରଥମ ସପ୍ତାହରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥାଏ ଏହି ସଚିବ ସ୍ତରୀୟ ବୈଠକ। ଏଥିରେ ଗତ ମାସର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସହିତ ଚଳିତ ମାସର ଯୋଜନା ଉପରେ ଆଲୋଚନା ହୋଇଥାଏ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟ ସରକାର ୧୨ ଟି ନୂଆ ପ୍ରକଳ୍ପକୁ ଦେଲେ ଅନୁମୋଦନ, ବ୍ୟୟ ଅଟକଳ ୨୭୯୪ କୋଟି ଟଙ୍କା

ଭୁବନେଶ୍ବର: ଲୋକସେବା ଭବନରେ ଅନୁଷ୍ଠିତ ୧୨୩ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ) ବୈଠକରେ ଓଡ଼ିଶାର ଶିଳ୍ପ ବିକାଶର ଉତ୍କର୍ଷତା ଅଭିମୁଖେ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୪,୭୧୫ ନିଯୁକ୍ତି ସମ୍ଭାବନା ଥିବା ୨,୭୯୪.୪୭ କୋଟି ଟଙ୍କାର ୧୨ଟି ନୂଆ ପ୍ରକଳ୍ପ ଅନୁମୋଦନ କରାଯିବା ସହ ଏହା ଏକ ପସନ୍ଦର ନିବେଶ ସ୍ଥଳ ଭାବେ ରାଜ୍ୟର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ନିରନ୍ତର ବିକାଶ ପାଇଁ ରାଜ୍ୟର ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଏସଏଲଏସଡବ୍ଲୁସିଏ ବୈଠକରେ ଏକାଧିକ କ୍ଷେତ୍ରରେ ଶିଳ୍ପ କ୍ଷେତ୍ରରେ ବିବିଧତା ଆଣିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ଉପସ୍ଥାପନ କରାଯାଇଥିଲା। ଓଡ଼ିଶାର ଉତ୍ପାଦନ କ୍ଷମତାକୁ ଆହୁରି ସୁଦୃଢ଼ କରିବା ପାଇଁ ସେମି କଣ୍ଡକ୍ଟର ଓ ଇଏସଡିଏମ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅନୁମୋଦନ ମିଳିଛି। ଆଧୁନିକ ଉତ୍ପାଦନ ଏବଂ ପୋଷଣୀୟ ସାମଗ୍ରୀ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାରୁ ଆଲୁମିନିୟମ ଶିଳ୍ପକୁ ପ୍ରୋତ୍ସାହନ ମିଳିଛି।

ସମୃଦ୍ଧ ଖଣିଜ ସମ୍ପଦ ଏବଂ ଧାତବ ବିଜ୍ଞାନ ଦକ୍ଷତା ଉପରେ ଆଲୋକପାତ କରାଯାଇ ସଂପୃକ୍ତ ଅଞ୍ଚଳରେ ଉଭୟ ଡାଉନଷ୍ଟ୍ରିମ୍ ଓ ପ୍ରାଥମିକ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ଅନୁମୋଦନକୁ ଗୁରୁତ୍ୱ ଦିଆପାଇଥିଲା। ରତ୍ନପଥର କ୍ଷେତ୍ର ଏକ ଅଗ୍ରାଧିକାର କ୍ଷେତ୍ର  ଭାବରେ ଉଭା ହୋଇଛି, ଯାହା କି ହୀରା ଏବଂ ଅଳଙ୍କାର ଉତ୍ପାଦନ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଖାଦ୍ୟ, ପାନୀୟ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି, ଯାହା ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତାକୁ ଉପଯୋଗ କରୁଛି। ଓଡ଼ିଶାର ସାଂସ୍କୃତିକ ଓ ପ୍ରାକୃତିକ ଆକର୍ଷଣର ଫାଇଦା ଉଠାଇବା ପାଇଁ ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରାଯାଇଛି। ବିଭିନ୍ନ ଜିଲ୍ଲାରେ ଏହିସବୁକ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା  ରାଜ୍ୟରେ ଶିଳ୍ପ ବିକାଶ ରଣନୀତିର ସଙ୍କେତ ଦେଉଛି।

ସେମିକଣ୍ଡକ୍ଟର ଏବଂ ଇଏସଡିଏମ କ୍ଷେତ୍ରରେ ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ ସେମି-କଣ୍ଡକ୍ଟର ଏବଂ ଇଏସଡିଏମ ସେକ୍ଟରରେ ସିଲିକୋ କାର୍ବାଇଡ୍ ଡିଭାଇସ୍ ଏବଂ ଏସଆଇସି ମଡ୍ୟୁଲ୍ ପାଇଁ ଉତ୍ପାଦନ ଫେବ୍ରିକେସନ୍ ଏବଂ ପ୍ୟାକେଜିଂ ସୁବିଧା ପ୍ରତିଷ୍ଠା ନ ୫୧୦.୮୦ କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି। ଫଳରେ ଖୋର୍ଦ୍ଧା, ଇନଫୋଭ୍ୟାଲିରେ ୨୦୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

ଖୋର୍ଦ୍ଧାରେ ଅତ୍ୟାଧୁନିକ ଲ୍ୟାବ ମାଧ୍ୟମରେ ହୀରା ଓ ଅଳଙ୍କାର ଉତ୍ପାଦନ କାରଖାନା ଜରିଆରେ ରତ୍ନପଥର କ୍ଷେତ୍ରରେ ବିପ୍ଳବ ଆଣିବାକୁ ଯାଉଛି ନୁଭୋ ଆୟୋନ ଡାଇମଣ୍ଡ ଆଣ୍ଡ ଜୁଏଲାରୀ ମ୍ୟାନୁଫାକ୍ଚରିଂ ଏଲଏଲପି। ୨୫୬.୫୦ କୋଟି ଟଙ୍କା ବିନିଯୋଗରେ ଏହି ଅଗ୍ରଣୀ ଉଦ୍ୟୋଗ  ୩୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଏ କ୍ଷେତ୍ରରେ ପ୍ରଥମ ଉତ୍ପାଦନ କେନ୍ଦ୍ର ଭାବରେ କାର୍ଯ୍ୟ କରିବାକୁ ଯାଉଛି। ଏହା ବ୍ୟତୀତ ଏହା ରତ୍ନ ଓ ଅଳଙ୍କାର କ୍ଷେତ୍ରରେ ଆନୁଷଙ୍ଗିକ ଓ ଡାଉନଷ୍ଟ୍ରିମ୍ ଶିଳ୍ପର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି।

ଫୋର୍ ଷ୍ଟାର ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍, ଖେଦରିଆ ଇସ୍ପାତ ଲିମିଟେଡ୍, ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍ ଆଣ୍ଡ ପାୱାର ପ୍ରାଇଭେଟ୍ ଲିମିଟେଡ୍ ଏବଂ ଅଭିରବ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ଆଦି ସହିତ  ଅନେକ  ବିଭିନ୍ନ କମ୍ପାନୀଗୁଡିକର ପୁଞ୍ଜିନିବେଶ ଯୋଗୁଁ ଇସ୍ପାତ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି।

ଏହି କଂପାନୀଗୁଡ଼ିକ ଯାଜପୁର ଓ ସୁନ୍ଦରଗଡ଼ ଭଳି ଅଞ୍ଚଳରେ ପ୍ରାୟ ୯୦୦ କୋଟି ଟଙ୍କା ନିବେଶ କରିଛନ୍ତି ଯାହା ଏହି ପୁଞ୍ଜିନିବେଶ ମାଧ୍ୟମରେ ଆନୁଷଙ୍ଗିକ ଏବଂ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ରାଜ୍ୟ ୧୬୯୬ରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ।

ଫର୍ଟିଲାଇଜର କ୍ଷେତ୍ରରେ ଉତ୍କଳ ଫସଫେଟ୍ ପ୍ରାଇଭେଟ୍ ଲିମିଟେଡ୍ ଜଗତସିଂହପୁରରେ ବାର୍ଷିକ ୧ ଲକ୍ଷ ୨୦ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ସିଙ୍ଗଲ୍ ସୁପର ଫସଫେଟ୍ (ଏସ୍ଏସପି) ଓ ଗ୍ରାନୁଲେଟେଡ୍ ସିଙ୍ଗଲ୍ ସୁପର ଫସଫେଟ୍ (ଜିଏସ୍ଏସପି) ସାର ୟୁନିଟ୍ ର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୬୨.୦୭ କୋଟି ଟଙ୍କା ବିନିଯୋଗ କରୁଛି।

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବିଶେଷକରି ଆଲୁମିନିୟମ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ସମ୍ବଲପୁରରେ ଆଲୁମିନିୟମ ବ୍ୟାଟେରୀ ଫଏଲ୍ ଉତ୍ପାଦନ କାରଖାନା ପ୍ରତିଷ୍ଠା ପାଇଁ୮୩୪ କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତୁତ ହେଉଛି।

ଏହି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ୧୦୩୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହା କେବଳ ପୁଞ୍ଜିନିବେଶ କ୍ଷେତ୍ରକୁ ଉତ୍ସାହିତ କରିବ ନାହିଁ ବରଂ ଇଲେକ୍ଟ୍ରିକ୍ ଯାନ (ଇଭି) ବ୍ୟାଟେରୀ ଉତ୍ପାଦନ ସହ ଜଡିତ କମ୍ପାନୀଗୁଡିକୁ ଏହି ଅଞ୍ଚଳରେ ସେମାନଙ୍କର ୟୁନିଟ୍ ସ୍ଥାପନ କରିବାକୁ ଉତ୍ସାହିତ କରିବ।

ସେହିପରି ନାରାୟଣୀ ଗ୍ରୀନ୍ ପ୍ୟାକ୍ ଖୋର୍ଦ୍ଧାରେ ନେସଟଲ୍  ପାଇଁ ୫୦.୮୪ କୋଟି ଟଙ୍କା ବିନିଯୋଗ ଓ ୧୨୦ ନିଯୁକ୍ତି ସମ୍ଭାବନା ସହିତ ଏକ କାଗଜ ଓ କାଗଜ ବୋର୍ଡ କଣ୍ଟେନର ଉତ୍ପାଦନ କାରଖାନା ସ୍ଥାପନ କରୁଛି।

ଖାଦ୍ୟ, ପାନୀୟ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ମେସର୍ସ ମା’ ତାରିଣୀ ରୋଲର ଫ୍ଲୋର ମିଲସ୍ ଏଲଏଲପି ଖୋର୍ଦ୍ଧାରେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଅଟା ମିଲ୍ ପାଇଁ  ୫୮.୩୦ କୋଟି ନିବେଶ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ‘ମିଲ୍କ ମନ୍ତ୍ର ଡାଏରୀ’ ପୁରୀରେ ଡାଏରୀ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୫୧.୧୦ କୋଟି ଟଙ୍କା ବିନିଯୋଗ କରୁଛି। ମିଳିତ ନିଯୁକ୍ତି ସୃଷ୍ଟି କ୍ଷମତା ପ୍ରାୟ ୧୧୩୫ ହେବ ବୋଲି ଜଣାପଡିଛି।

ଝାରସୁଗୁଡ଼ାରେ ୭୩ କୋଟି ଟଙ୍କାର ପୁଞ୍ଜିନିବେଶ ଏବଂ ୧୫୦ ନିଯୁକ୍ତି ସମ୍ଭାବନା ରଖି ମେଫେୟାର ହୋଟେଲ ଆଣ୍ଡ ରିସୋର୍ଟସ ଲିମିଟେଡ ସ୍ଥାପନ ହେବାକୁ ଯାଉଛି ଯାହା ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରକୁ ଉଜ୍ଜ୍ୱଳ କରିବ। ସେମିକଣ୍ଡକ୍ଟରଠାରୁ ଆରମ୍ଭ କରି ପର୍ଯ୍ୟଟନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ବହୁମୁଖୀ ଅଭିବୃଦ୍ଧି ରଣନୀତି ଏବଂ ଶିଳ୍ପ ବିପ୍ଳବ ଦିଗରେ ପଦକ୍ଷେପକୁ ସୂଚାଉଛି।

ପାରମ୍ପରିକ ସମ୍ବଳର ସୁବିଧାକୁ ଆଧୁନିକ ଉଦ୍ଭାବନ ସହ ମିଶାଇ ଓଡ଼ିଶା ଆଜି ଶିଳ୍ପ ପୁନରୁଦ୍ଧାରରେ ଅଗ୍ରଗତି କରୁଛି। ରାଜ୍ୟର ରଣନୈତିକ ଦୃଷ୍ଟିକୋଣ, ସ୍ଥାୟୀ ଏବଂ ସାମଗ୍ରିକ ଅଭିବୃଦ୍ଧି ପ୍ରତି ଏହାର ପ୍ରତିବଦ୍ଧତା ସହିତ ଏହା କେବଳ ଜାତୀୟ ଏବଂ ବୈଶ୍ୱିକ ନିବେଶକମାନଙ୍କୁ ଆକୃଷ୍ଟ କରୁ ନାହିଁ ବରଂ ସାମଗ୍ରିକ ବିକାଶ ପାଇଁ ଏକ ମାନଦଣ୍ଡ ମଧ୍ୟ ସ୍ଥାପିତ କରୁଛି।

ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ନିଶ୍ଚିତ ଭାବେ ଓଡ଼ିଶାର ଶିଳ୍ପ ଦକ୍ଷତା, ଅର୍ଥନୈତିକ ସମୃଦ୍ଧି ଓ ରୋଜଗାର ସୃଷ୍ଟିର କ୍ଷମତା କେନ୍ଦ୍ର ହେବା ଦିଗରେ ଏହାର ଯାତ୍ରାକୁ ତ୍ୱରାନ୍ୱିତ କରିବ। ଭବିଷ୍ୟତର ପ୍ରତିଶ୍ରୁତି ରଖି “ଆସ,ଏହି ମହାକୁମ୍ଭରେ ଯୋଗ ଦିଅ” ଆହ୍ୱାନ ଦେଇ ଓଡିଶା ଶିଳ୍ପ ବିକାଶରେ ପଥ ପ୍ରଦର୍ଶକ ହୋଇଛି।

 

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଚିଲିକାରେ ଚାଲିବ ସୌର ବା ବ୍ୟାଟେରୀ ଚାଳିତ ବୋଟ୍, ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ନିଷ୍ପତି

ଭୁବନେଶ୍ୱର: ଚିଲିକାରେ ଚାଲିବ ସୌର ଚାଳିତ ବା ବ୍ୟାଟେରୀ ଚାଳିତ ବୋଟ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଚିଲିକାରେ ପ୍ରଦୂଷଣ କମାଇବା ଏବଂ କାର୍ବନ ନିର୍ଗମନ ମାତ୍ରାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦୀର୍ଘ ଦିନରୁ ପ୍ରସ୍ତାବିତ ପଦକ୍ଷେପ ଖୁବ୍ ଶିଘ୍ର କାର‌୍ୟ୍ୟକାରୀ ହେବାକୁ ଯାଉଛି। ଏ ସଂପର୍କରେ ଶୁକ୍ରବାର ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥା (ଓରେଡା) ତରଫରୁ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା।

ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପର‌୍ୟ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ,ଜଙ୍ଗଲ ଓ ପରିବେଶ ବିଭାଗ,ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଓରେଡାର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

ଚିଲିକା ହେଉଛି ଏସିଆର ସବୁଠାରୁ ବଡ଼ ଲବଣାକ୍ତ ହ୍ରଦ। ଅନେକ ପ୍ରଜାତିର ସ୍ଥାନୀୟ ଏବଂ ପ୍ରବାସୀ ପକ୍ଷୀଙ୍କର ଏକ ବାସସ୍ଥଳୀ ହେତୁ ଏହା ‘ରାମସାର ସମ୍ମିଳନୀ ଅଧୀନରେ ଅନ୍ତର୍ଜାତୀୟ ଗୁରୁତ୍ୱପୂର୍ଣ୍ଣ ଆର୍ଦ୍ରଭୂମି’ (ରାମସାର ଓ୍ୱେଟ୍ ଲ୍ୟାଣ୍ଡ ଅଫ୍ ଇଣ୍ଟରନ୍ୟାସନାଲ ଇମ୍ପୋର୍ଟାନ୍ସ) ରେ ସ୍ଥାନିତ ହୋଇଛି। ହଜାର ହଜାର ପ୍ରବାସୀ ପକ୍ଷୀଙ୍କ ଦୀର୍ଘ ଯାତ୍ରାରେ ଚିଲିକା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ଥାୟୀ ରହଣି (ଷ୍ଟପ୍ ଓଭର ପଏଣ୍ଟ ) ଭାବରେ କାର୍ଯ୍ୟ କରେ।

ଚିଲିକା ବିଭିନ୍ନ ପ୍ରଜାତିରମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ଜଳଜୀବଙ୍କ ସହ ବିରଳ ଇରଓ୍ୱାଡି ଡଲଫିନ୍ ମାଛଙ୍କ ଘର ଭାବେ ଏହାର ସ୍ୱତନ୍ତ୍ର ପରିଚୟ ରହିଛି। ଏଥି ସହିତ ଚିଲିକାର ଲୁଣାପାଣିଏକ ସମୃଦ୍ଧ ଜୈବ ବିବିଧତାକୁ ସମର୍ଥନ କରେ। ଚିଲିକାରୁ ମାଛ ଧରିବା ହଜାର ହଜାର ପରିବାରଙ୍କ ଜୀବିକାର୍ଜନର ମାଧ୍ୟମ ହୋଇଛି ଓ ସେମାନଙ୍କର ଆଞ୍ଚଳିକ ଅର୍ଥନୀତି ପ୍ରତି ଯୋଗଦାନ ରହିଛି।

ବିଦେଶାଗତ ପକ୍ଷୀ, ଡଲଫିନ୍ ମାଛ, କାଳିଜାଇ ମନ୍ଦିର ଏବଂ ବିଭିନ୍ନ ଜଳ କ୍ରୀଡା କାର୍ଯ୍ୟକଳାପ ଯୋଗୁଁ ଚିଲିକା ପର୍ଯ୍ୟଟକଙ୍କ ଏକ ପ୍ରମୁଖ ଲକ୍ଷ୍ୟ ସ୍ଥଳ ହୋଇପାରିଛି। ସ୍ଥାନୀୟ ବୋଟ୍ ଚିଲିକାକୁ ଯାତାୟତର ପ୍ରମୁଖ ମାଧ୍ୟମ ଅଟନ୍ତି।

କିନ୍ତୁ ଦେଖାଯାଇଛି ଯେ, ଚିଲିକାରେ ଡିଜେଲ ଚାଳିତ ମୋଟର ବୋଟ୍ ବ୍ୟବହାର ଦ୍ୱାରା ଏହା ବିଭିନ୍ନ ପ୍ରକାର ପ୍ରଦୂଷଣର କାରଣ ହେଉଛି। ଏହି ପ୍ରକାର ବୋଟରେ ବ୍ୟବହୃତ ହେଉଥିବା ତେଲ ଅଧିକାଂଶ ସମୟରେ ହ୍ରଦରେ ମିଶୁ ଥିବାରୁ ଜଳ ପ୍ରଦୁଷଣ, ବାୟୁ ପ୍ରଦୁଷଣ ଏବଂ ବୋଟର ଶବ୍ଦରୁ ଶବ୍ଦ ପ୍ରଦୁଷଣହୋଇଥାଏ। ଏଥି ଯୋଗୁଁ ଜଳ ପରିସଂସ୍ଥାରେଅସନ୍ତୁଳନ ଦେଖାଦେଉଛି;ବିଦେଶାଗତ ପକ୍ଷୀମାନଙ୍କ ସଂଖ୍ୟା କମୁଛି ଓ ଡ଼ଲଫିନ୍ ମାଛମାନଙ୍କର ଗତି ପଥ ମଧ୍ୟ ହ୍ରଦରୁ ଦୂରେଇ ଯାଉଥିବା ଆଶଂକା ରହୁଛି।

ସୌର ଚାଳିତ ବା ବ୍ୟାଟେରୀ ଚାଳିତ ବୋଟ୍ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛିକାଂଶରେ ବ୍ୟୟ ସାପେକ୍ଷ ହେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାର ବାର୍ଷିକ ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ୍ ହୋଇଥାଏ। ଓରେଡା ତରଫରୁ ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ସୌରଚାଳିତ ଓ ବ୍ୟାଟେରୀ ଚାଳିତ ବୋଟ୍ ମଡେଲ ଗୁଡିକ ପ୍ରଦର୍ଶିତ କରାଯାଇଥିଲା।

ଏ ଦିଗରେ ‘ଓରେଡା’ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟାରମ୍ଭ କରିବାକୁ ସ୍ଥିର କରିଥିବା ବେଳେ ଏ କ୍ଷେତ୍ରରେ ରହିଥିବା ବୈଷୟିକ-ବାଣିଜ୍ୟିକ ସମ୍ଭାବନାକୁ ସବିଶେଷ ଅନୁଧ୍ୟାନ କରାଯିବ। ବର୍ତ୍ତମାନ ରହିଥିବା ମାଛଧରା, ପର‌୍ୟ୍ୟଟକ ଡଙ୍ଗାଗୁଡିକରେ ନିର୍ମାଣ ଶୈଳୀରେ ଆବଶ୍ୟକ ପରିବର୍ତ୍ତନ କରାଯାଇ ତାହାକୁ ସୌର ଚାଳିତ ବୈଦ୍ୟୁତିକ ବୋଟରେ ପରିଣତ କରାଯିବ। ଏଥି ପାଇଁ ଉପକୃତ ହେବାକୁ ଥିବା ମତ୍ସ୍ୟଜୀବୀ, ପର୍ଯ୍ୟଟକ ବୋଟ ଚାଳକ ଆଦି ଅଂଶୀଦାରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ।

ନୂତନ ବୋଟର ସହଜ ପରିଚାଳନା ଓ ସରଳ ରକ୍ଷଣାବେକ୍ଷଣ ପଦ୍ଧିତ ସଂପର୍କରେ ବୁଝାଯିବ । ଶକ୍ତି ବିଭାଗ, ଓଟିଡିସି, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ,ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହଯୋଗରେ ଓରେଡା ଏହି ପାଇଲଟ ପ୍ରକଳ୍ପକୁ କାର‌୍ୟ୍ୟକାରୀ କରିବ। ପ୍ରାଥମିକ ପର‌୍ୟ୍ୟାୟରେ ଚିଲିକାର ବିଭିନ୍ନ ସ୍ଥାନରେ ସୌର-ବ୍ୟାଟେରୀ ଚାଳିତ ବୋର୍ଟ ଚଳାଇବାକୁ ଆବଶ୍ୟକ ପ୍ରସ୍ତୁତି ପାଇଁ ଓରେଡାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଭେଟିଲେ ବିହାର କ୍ୟାଡର ନୂଆ ଆଇଏଏସ

ଭୁବନେଶ୍ବର: ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ୨୦୨୨ ମସିହା ବ୍ୟାଚ୍ ର ୧୦ ଜଣ ବିହାର କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶିକ୍ଷାନବିଶ (ଆଇଏଏସ୍ ଅଫିସରର୍ସ ଟ୍ରେନି) ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଜିଲ୍ଲା ସଂପର୍କିତ କାର‌୍ୟ୍ୟ ପରିଚାଳନା ସଂକ୍ରାନ୍ତୀୟ ପ୍ରଶିକ୍ଷଣ ନେବାକୁ ଆସିଥିବା ଏହି ଶିକ୍ଷାନବିଶମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ତାଙ୍କର ଦୀର୍ଘଦିନର ପ୍ରଶାସନିକ ଅଭିଜ୍ଞତା ପ୍ରକାଶ କରିଥିଲେ। ଆଇଏଏସ୍ ଶିକ୍ଷାନବିଶମାନଙ୍କ ସହିତ ଦୀର୍ଘ ସମୟ ଧରି ସେ ଆଲୋଚନା କରିଥିଲେ।

ଓଡିଶାରେ ସଂଘଠିତ ୧୯୯୯ ମହାବାତ୍ୟା ଠାରୁ ଆରମ୍ଭ କରି ପରବର୍ତ୍ତୀ ବିଭିନ୍ନ ବର୍ଷରେ ଦେଖାଦେଇଥିବା  ବାତ୍ୟା , ୨୦୧୯ରେ ଫନି ବାତ୍ୟା ଏବଂ  ଗତ ଜୁନ୍ ମାସରେ ଘଟି ଯାଇଥିବା  ବାହାନଗା ରେଳ ଦୁର୍ଘଟଣା ପର‌୍ୟ୍ୟନ୍ତ ବିଭିନ୍ନ ବିପର‌୍ୟ୍ୟୟ ସମୟରେ କିପରି ଆହ୍ୱାନମୂଳକ ପଦକ୍ଷେପ ନିଆଯାଇ ସେସବୁର ପରିଚାଳନାରେ ସମୟୋପଯୋଗୀ ତ୍ୱରିତ ପଦକ୍ଷେପ ଗ୍ରହଣ  କରାଯାଇଥିଲା, ସେ ସଂପର୍କରେ ଅବଗତ କରିଥିଲେ।

ଚାକିରି କ୍ଷେତ୍ରରେ ନୂଆକରି ଯୋଗଦାନ କରୁଥିବା ଅଧିକାରୀମାନଙ୍କୁ ଆଗାମୀ ଦିନରେ ଭିନ୍ନ ଭିନ୍ନ ପ୍ରାକୃତିକ ବିପର‌୍ୟ୍ୟୟର ପରିଚାଳନା ଓ ଆହ୍ୱାନକୁ ସାମନା କରିବାକୁ ପଡ଼ିପାରେ ଏବଂ ଏ ଦିଗରେ ବିସ୍ତୃତ ଯୋଜନା, ଦୃଢ଼ନିଷ୍ଠା ଓ ପ୍ରତିବଦ୍ଧତା  ଅଧିକାରୀମାନଙ୍କୁ ସଫଳତାର ସହିତ କାର‌୍ୟ୍ୟ ସଂପାଦନ କରିବାରେ ସହାୟକ ହେବ ବୋଲି ସେ କହିଥିଲେ।

ଏହି ସାକ୍ଷାତକାର ସମୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତଥା ପର‌୍ୟ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଓ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ ମହାନିର୍ଦ୍ଦେଶକ ମନିଷ୍ ଅଗ୍ରଓ୍ୱାଲ ଉପସ୍ଥିତ ଥିଲେ।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ସାଇବର ଠକାମୀ ରୋକିବାକୁ ନିଆଯିବ ଏହି ପଦକ୍ଷେପ, ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ନିଷ୍ପତି

ଭୁବନେଶ୍ବର: ସାରା ରାଜ୍ୟରେ ସାଇବର ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ସୁନିଲ କୁମାର ବଂସଲ, ଏଡିଜି, କ୍ରାଇମ ଶ୍ରୀ ଅରୁଣ ବୋଥ୍ରାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା ଗୃହ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମସ୍ତ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପୋଲିସ ସହଯୋଗରେ କାର‌୍ୟ୍ୟକ୍ରମର ସଫଳ ରୂପାୟନ ପାଇଁ ମୁଖ୍ୟ ଶାସନ ସଚିବ ଆବଶ୍ୟକନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। କାର‌୍ୟ୍ୟକ୍ରମର ସଫଳତା ନିମନ୍ତେ ଯଥା ଶୀଘ୍ର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସାଇବର ଅପରାଧ ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ ଏଥି ନେଇ ବ୍ୟାପକ ସଚେତନତା ଅପରିହାର‌୍ୟ୍ୟ ବୋଲି ସେ ପ୍ରକାଶ କରିଥିଲେ। ପ୍ରଚାର ଅଭିଯାନ ଦିନ ଗୁଡିକରେ ପ୍ରତ୍ୟେହ ମୋବାଇଲ ଯୋଗେ ସାଇବର ସଚେତନତା ବାର୍ତ୍ତା ପ୍ରେରଣ ଉପରେ ସେ ଗୁରୁତ୍ୱ ଦେଇଥିଲେ।

ସାଇବର ସଚେତନତା ଅଭାବରୁ ବରିଷ୍ଠ ନାଗରିକ, ମହିଳା ,ସାଧାରଣ ଲୋକ ବିଶେଷ କରି ଆର୍ଥିକ ଠକେଇର ଶିକାର ହେଉଛନ୍ତି , ଧନ ଜୀବନ ପ୍ରଭାବିତ ହେଉଛି ବୋଲିଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଡି.କେ. ସିଂ ପ୍ରକାଶ କରିଥିଲେ।

ସେପ୍ଚେମ୍ବର ୩୦ରୁ ଅକ୍ଟୋବର୧୫ପର‌୍ୟ୍ୟନ୍ତ ସାଇବର ସଚେତନତାକୁ ବ୍ୟାପକ କରିବା ସଂପର୍କରେ ଏଡିଜି, କ୍ରାଇମ୍ ଶ୍ରୀ ବୋଥ୍ରା ବ୍ୟାପକ ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଥିଲେ। ଯୋଜନା ଅନୁସାରେ ଅକ୍ଟୋବର ୩୦ ରେ ଭୁବନେଶ୍ୱରୁ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରାଯିବ। ଅକ୍ଟୋବର ୨ ତାରିଖରୁ ପ୍ରତି ଜିଲ୍ଲା ସଦରମହକୁମାରେ ସାଇବର ସଚେତନତା ରଥର ଶୁଭାରମ୍ଭ କରାଯିବ।

୩୪ଟି ରଥ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ ଓ ପଂଚାୟତ ଆଦି ଭ୍ରମଣ କରିବ। ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ, ମିଶନ ଶକ୍ତି ବିଭାଗ ଆଦି ସଂପୃକ୍ତ ବିଭିନ୍ନ ବିଭାଗମାନଙ୍କୁ ସକ୍ରିୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲା, ଉପଖଣ୍ଡ ଏବଂ ପଂଚାୟତ ସ୍ତରରେ ସଂପୃକ୍ତ ନିର୍ବାଚିତ ଜନ ପ୍ରତିନିଧି, ବିଧାୟକ, ସ୍ୱେଚ୍ଛାସେବୀ ସଂଗଠନ,ଆଶାକର୍ମୀ, ଅଙ୍ଗନବାଡି କର୍ମୀମାନଙ୍କୁ ସାମିଲ କରାଯିବ। ଏହି ପରିପ୍ରେକ୍ଷୀରେ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ନିମନ୍ତେ କୁଇଜ୍ ପ୍ରତିଯୋଗିତା, କ୍ଷୁଦ୍ର ନାଟକ, ପଦଯାତ୍ରା, ଗଣଦୈଡ, ସାଇକେଲ ଯାତ୍ରା , ପ୍ରାଚୀର ପେଣ୍ଟିଂ, ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର କରାଯିବ।

ଏହି କାର‌୍ୟ୍ୟକ୍ରମକୁ ଅଧିକ ବ୍ୟାପକ କରିବା, ସାଇବର ଅପରାଧକୁ ରୋକିବା ଏବଂ ତଥ୍ୟର ସୁରକ୍ଷା ସଂପର୍କରେ ବୈଷୟିକ ଜ୍ଞାନ ଥିବା ସଂସ୍ଥା ତଥା ବିଶେଷଜ୍ଞମାନଙ୍କ ସହଯୋଗ ନିଆଯିବ। ଏଟିଏମ୍ ଜନିତ ଠକେଇ, ଇଣ୍ଟରେନେଟ୍ ର ସଠିକ୍ ବ୍ୟବହାର, ସୁରକ୍ଷିତ ଆର୍ଥିକ କାରବାର, ଫେସ୍ ବୁକ୍, ୟୁ ଟୁବ୍ ଆଦି ସାମାଜିକ ଗଣମାଧ୍ୟମର ବ୍ୟବହାରରେ ଅପରାଧିକ କାର‌୍ୟ୍ୟକଳାପକୁ ରୋକିବା ଆଦି ବିବିଧ ସାଇବର ଠକେଇ ଓ ଅପରାଧ ସଂପର୍କରେ ସଚେତନ କରାଯିବ।

ତତ୍ ସହିତ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ବିଭାଗରେ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ବ୍ୟାପକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବାରୁ ନିଯୁକ୍ତି ଆଶାୟୀମାନେ ଯେପରି ବିଭିନ୍ନ ପ୍ରକାର ଗୁଜବ ଏବଂ ଠକାମିର ଶିକାର ନହୁଅନ୍ତି, ସେଥିପ୍ରତି ସଚେତନ ହେବା ନେଇ ବିଭିନ୍ନ ପଦକ୍ଷେପ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ  ଆଗାମୀ ନଭେମ୍ବର ୯ ଓ ୧୦  ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀକୁ ସଫଳତାର ସହ ଆୟୋଜନ ନିମନ୍ତେ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍  ,  କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର  ଚୌଧାରୀ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡ. ସନ୍ତୋଷ ବାଲା ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ମିଲେଟ୍ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୧୦ ନଭେମ୍ବର ୨୦୨୨କୁ ମାଣ୍ଡିଆ ଦିବସ (ମିଲେଟ୍ ଦିବସ) ଭାବେ ଘୋଷଣା କରିବା ସହ ‘ଓଡିଶା ମିଲେଟ୍ ମିଶନ’ର କାର୍ଯ୍ୟପନ୍ଥା ଅନୁସାରେ ଚଳିତ  ବର୍ଷ  ୧୦  ନଭେମ୍ବର ୨୦୨୩ ରେ  ଆନ୍ତର୍ଜାତିକ ମିଲେଟ୍ ବର୍ଷ  ସମ୍ମିଳନୀ ଆୟୋଜନ ନିମନ୍ତେ ଏହାର  କାର୍ଯ୍ୟ ଯୋଜନାକୁ ଅନୁମୋଦନ କରିଥିଲେ। ମିଲେଟ୍ ର ବହୁଳ ବ୍ୟବହାର, ମିଲେଟ୍ ଚାଷର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ  ବିଭିନ୍ନ ସହଭାଗୀ ସଂସ୍ଥାର ସହଯୋଗରେ ଆଗାମୀ ନଭେମ୍ବର ୯  ଓ ୧୦  ତାରିଖ ଦୁଇ ଦିନ ଧରି  ଏହି ସମ୍ମିଳନୀ ଅନୁଷ୍ଠିତ ହେବା ନେଇ ଆୟୋଜନ ସଂପର୍କରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ପାଢୀ ପ୍ରକାଶ  କରିଥିଲେ।  ଆନ୍ତର୍ଜାତିକ ମିଲେଟ୍  ବର୍ଷ ପାଳନ  ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ସରକାରଙ୍କ ତରଫରୁ କରାଯାଉଥିବା ଏବଂ କରାଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ, ସମ୍ମିଳନୀର ଉଦ୍ଦେଶ୍ୟ, ଏହାର ପ୍ରସ୍ତୁତି ନକ୍ସା, ବିଭିନ୍ନ ସହଯୋଗୀ ସଂସ୍ଥାର ସହଯୋଗିତା ସଂପର୍କରେ ବୈଠକରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା।

ମାଣ୍ଡିଆ ବା ମିଲେଟ୍ ଜାତୀୟ ଖାଦ୍ୟ ସଶ୍ୟର ଘରୋଇ ବ୍ୟବହାର ବୃଦ୍ଧି, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମିଲେଟ୍ ଖାଦ୍ୟ ସଂସ୍କୃତିର ପୁନରୁଦ୍ଧାର, ଜମିର ବିହନ ପ୍ରଣାଳୀ ମାଧ୍ୟମରେ ବାଜରା ଜମିର ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦେବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ।  ମାଣ୍ଡିଆ ଉତ୍ପାଦନ କ୍ଷେତ୍ରରେ ସଦ୍ୟତମ ଗବେଷଣା, ଚାଷ ଅଭ୍ୟାସ, ମୂଲ୍ୟଯୁକ୍ତ ଉତ୍ପାଦନ ପ୍ରତି ଧ୍ୟାନ ଦେବା ସହିତ ଆୟୋଜନ ହେବାକୁ ଥିବା  ସମ୍ମିଳନୀ  ଯେପରି ଆନ୍ତର୍ଜାତୀୟ ସ୍ତରର ହୋଇପାରିବ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗୁରୁତ୍ୱ ଦେଇଥିଲେ ।

ଅମଳ ପରବର୍ତ୍ତୀ ଏବଂ ପ୍ରାଥମିକ ପ୍ରକ୍ରିୟାକରଣ ଉଦ୍ୟୋଗକୁ  ପ୍ରୋତ୍ସାହନ , ବାଜରାଭିତ୍ତିକ ଫସଲ ପ୍ରଣାଳୀର ଉତ୍ପାଦକତାରେ ଉନ୍ନତି,ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମୂଲ୍ୟଯୁକ୍ତ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ଏହି ସମ୍ମିଳନୀର ଲକ୍ଷ୍ୟ ରହିଛି ।  ସାଧାରଣ ବଣ୍ଟନ ବ୍ୟବସ୍ଥା, ଆଇସିଡିଏସ୍, ମଧ୍ୟାନ୍ନ ଭୋଜନ ,  ଛାତ୍ରାବାସ  ଇତ୍ୟାଦିରେ ମିଲେଟ୍ ଖାଦ୍ୟର ବ୍ୟବହାରକୁ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ସହ  ବାଜରା ଭିତ୍ତିକ ଉତ୍ପାଦର ବଜାର ଓ ରପ୍ତାନିକୁ ସୁଗମ କରିବାକୁ ଏହା ଉତ୍ସାହିତ କରିବ । ମିଲେଟକୁ କ୍ରୀଡା ସହିତ ଯୋଡିବା ଏବଂ ସମସ୍ତ କ୍ରୀଡା ଛାତ୍ରାବାସରେ  ମିଲେଟକୁ ସାମିଲ କରିବା, ମିଲେଟ୍ ଖାଦ୍ୟ ସଂସ୍କୃତିର ତଥ୍ୟ ରଖିବା ଓ ଏହାର ପ୍ରଚାର ପ୍ରଚାର, ବିଦ୍ୟାଳୟ, ହୋଟେଲ, ଡାକ୍ତରଖାନା, ସେଲିବ୍ରିଟିମାନଙ୍କୁ  ମିଲେଟର ବ୍ୟବହାର ଓ ଏହାର ପ୍ରଚାର ପ୍ରସାରରେ ନିୟୋଜିତ କରିବା,  ମିଲେଟ୍ ଏବଂ ସବୁଜ ପୁଞ୍ଜିନିବେଶକୁ ସଂଯୋଗ କରିବା,  ଓଡିଶା ମିଲେଟ୍ ମିଶନରେ ନିବେଶକୁ ପୁନଃ ଅନୁଶୀଳନ  କରିବାରେ ଏହି ସମ୍ମିଳନୀ ସହାୟକ ହେବ ।

ଅଧୂନା ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମିଲେଟ୍ ଭିତ୍ତିକ ଉତ୍ପାଦର ମୂଲ୍ୟଯୁକ୍ତ ବ୍ୟବହାର ସହ ପ୍ରମୁଖ ସହର ଏବଂ ଜିଲ୍ଲା ସଦର ମହକୁମାରେ ମିଲେଟ୍ ଶକ୍ତି କାଫେ/ଆଉଟଲେଟ୍ ଖୋଲା ଯାଇଛି । ବ୍ଲକ ସହର ଭିତରେ ଥିବା ମିଲେଟ୍ ଟିଫିନ୍ ସେଣ୍ଟରରେ ଜଳଖିଆ ଓ ଜଳଖିଆ ସାମଗ୍ରୀ ଦିଆଯାଉଛି ।  ଜିଲ୍ଲା ଓ ସହରସ୍ତରରେ ଭ୍ରାମ୍ୟମାଣ ବିକ୍ରୟ ୟୁନିଟ୍ ଶୁଖିଲା ଓ ମୂଲ୍ୟଯୁକ୍ତ ଉତ୍ପାଦ ବିକ୍ରି କରାଯାଉଛି ।

ଓଡ଼ିଶା ମିଲେଟ୍ ମିଶନରେ ପୁର୍ବରୁ ସାମିଲ ଥିବା ୧୯ଟି ଜିଲ୍ଲାର ୧୪୩ଟି ବ୍ଲକକୁ ପରିବର୍ଦ୍ଧିତ କରାଯାଇ  ଏବେ ୩୦ଟି ଜିଲ୍ଲାର ୧୭୭ଟି ବ୍ଲକକୁ ଅନ୍ତର୍ଭୁକ୍ତ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟ୍ ବୈଠକରେ ୨୦୨୩-୨୪ରୁ ୨୦୨୬-୨୭ ପର୍ଯ୍ୟନ୍ତ ଓଡିଶା ମିଲେଟ୍ ମିଶନକୁ ଅନୁମୋଦନ ମିଳିଛି । ୨୦୨୨-୨୩ରେ ୭୯୦୦୦ ହେକ୍ଟର ଜମିରେ ମିଲେଟ୍ ଚାଷ କରାଯାଉଥିବା ୧.୭୨ ଲକ୍ଷ କୃଷକଙ୍କୁ ନେଇ ଟେକ୍ନୋଲୋଜି ପ୍ରଦର୍ଶନ କରାଯାଇଥିଲା । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧.୫ ଲକ୍ଷ ହେକ୍ଟର ଜମି ପାଇଁ ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ୨.୨ ଲକ୍ଷରୁ ଅଧିକ କୃଷକ ସାମିଲ ହେବେ । ୨୦୨୨-୨୩ ଆର୍ଥିକ ବର୍ଷରେ ୬.୦୪ ଲକ୍ଷ କ୍ୱିଣ୍ଟାଲ ‘ରାଗି’ କ୍ରୟ କରାଯାଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମାଣ୍ଡିଆ କ୍ରୟ ଲକ୍ଷ୍ୟ ୮ ଲକ୍ଷ କ୍ୱିଣ୍ଟାଲ ଧାର୍ଯ୍ୟ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଟିଡିସିସିଓଏଲ୍ ଜରିଆରେ ୮୪ଟି  କୃଷକ ଉତ୍ପାଦକ ସଂଗଠନଙ୍କୁ ବ୍ଲକସ୍ତରୀୟ ମାଣ୍ଡିଆ କ୍ରୟ ଏଜେନ୍ସି ଭାବେ ତାଲିକାଭୁକ୍ତ କରାଯାଇଛି ।

ଉତ୍ତମ ମାର୍କେଟିଂ ପାଇଁ ଅଳ୍ପ ବାଜରା ଓ ଫକ୍ସଟେଲ ମିଲେଟ୍ ର ବେଞ୍ଚମାର୍କିଂ ପ୍ରକ୍ରିୟା ଆରମ୍ଭ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଛି । ମିଶନ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ  ଦ୍ୱାରା ୧୫୩ଟି ମିଲେଟ୍ ଟିଫିନ୍ ସେଣ୍ଟର, ୮ଟି ମିଲେଟ୍ ଶକ୍ତି କାଫେ, ୬ଟି ମିଲେଟ୍ ଆଉଟଲେଟ୍, ୪ଟି ମିଲେଟ୍ ଅନ୍ ହ୍ଵିଲ୍ସ ପରିଚାଳିତ ହେଉଛି।  ୧୪ ମିଲେଟ୍ ଶକ୍ତି କାଫେ/ଆଉଟଲେଟ୍ ୬ ମାସ ମଧ୍ୟରେ ୧.୫ କୋଟି ଟଙ୍କାରୁ ଅଧିକ କାରବାର ହାସଲ କରିଛି । ଆଗାମୀ ବର୍ଷରେ ବଜାର ସ୍ଥାନରେ ଅଧିକ ସଂଖ୍ୟକ ମିଲେଟ୍ ଶକ୍ତି କାଫେ ଖୋଲାଯିବା ନେଇ ପ୍ରସ୍ତାବ  ରହିଛି ।

କେନ୍ଦୁଝର ଓ ସୁନ୍ଦରଗଡ଼ରେ ଡିଏମ୍ଏଫ୍ ଜରିଆରେ ଦେଢ଼ ଲକ୍ଷ ପିଲାଙ୍କୁ ନେଇ ରାଗି ଲଡୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଛି । ୫୯ଟି ଡବ୍ଲୁଏସଏଚଜି ଫେଡେରେସନ୍ ଏହି ପ୍ରକ୍ରିୟାରେ ସାମିଲ ଅଛନ୍ତି । ୨୦୨୧ରେ ଜାତୀୟ ନ୍ୟୁଟ୍ରି ଶସ୍ୟ ସମ୍ମିଳନୀରେ ଓଡ଼ିଶାଶ୍ରେଷ୍ଠ ପ୍ରଦର୍ଶନକାରୀ ମିଲେଟ୍ ପ୍ରୋତ୍ସାହନ ରାଜ୍ୟ ପୁରସ୍କାର ଏବଂ ୨୦୨୨ରେ କୃଷି ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଆଇସିଏଆର୍ ଦ୍ୱାରା ବାଜରା ଅଭିଯାନକୁ ବ୍ୟାପକ କରିବା ପାଇଁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ କରାଯାଇଥିଲା।  ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ଏବଂ ନୀତି ଆୟୋଗ ଓଏମଏମକୁ ଏକ ଶ୍ରେଷ୍ଠ ମଡେଲ ଭାବରେ ଚିହ୍ନଟ କରିଛନ୍ତି ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କୁ ଓଏମଏମ ଆଭିମୁଖ୍ୟ ଗ୍ରହଣ କରିବାକୁ କହିଛନ୍ତି ।  କୃଷି ବିଭାଗ ପ୍ରମୁଖ ଶାସନ ସଚିବ ମିଲେଟ ମିଶନର ଜାତୀୟ ଓ ଅନ୍ତର୍ଜୀତୀୟ ସ୍ୱୀକୃତି ସମ୍ପର୍କରେ ବିଶଦ୍ ଭାବେ ଉପସ୍ଥାପନ କରିଥିଲେ ।

ଫିକି ଆଦି ବିଭିନ୍ନ ସହଯୋଗୀ ଅନୁଷ୍ଠାନର ସହଯୋଗରେ  ଆୟୋଜିତ ହେବାକୁ ଥିବା ଏହି ଆନ୍ତର୍ଜାତିକ ସମ୍ମିଳନୀରେ ଦୁଇ ଦିନ ଧରି ବିଭିନ୍ନ ଆଲୋଚନା ଚକ୍ର, ଜି୨ବି ଓ ବି୨ବି ବୈଠକରେ ଓଡ଼ିଶା ମିଲେଟ୍ ମିଶନ ଓ ମିଲେଟ୍ ଶକ୍ତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ  ନେତୃତ୍ୱ ଓ ସୁବିଧା ପ୍ରଦାନ ସଂପର୍କରେ ଆଲୋଚନା ହେବ ।   ସୋସିଆଲ ମିଡିଆ ଅଭିଯାନ ଏବଂ ରଣନୈତିକ ପଦକ୍ଷେପ ଲୋକସଂପର୍କ କାର୍ଯ୍ୟକ୍ରମ ଆଦି ମାଧ୍ୟମରେ ଓଡ଼ିଶା ଉତ୍ପାଦିତ ମିଲେଟ୍  ଏବଂ ମୂଲ୍ୟ ଯୁକ୍ତ ଉତ୍ପାଦପାଇଁ ଉପଭୋକ୍ତା ଚାହିଦାକୁ ପ୍ରୋତ୍ସାହନ ଏବଂ ବିକାଶ କରାଯିବ  ।

ଓସେପା, ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗ ସହଯୋଗରେ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ପାଇଁ ମିଲେଟ୍ କୁଇଜ୍ ପ୍ରତିଯୋଗିତା, ପ୍ରବନ୍ଧ ପ୍ରତିଯୋଗିତା, ଏକ୍ସପୋଜର୍ ଭିଜିଟ୍, ଫୁଡ୍ ଫେଷ୍ଟିଭାଲ୍, ଗ୍ରାମୀଣ ଇତିହାସ କାର୍ଯ୍ୟକ୍ରମ ପାଇଁ ଏକ ବିସ୍ତୃତ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟର ସେଫ୍ ମାନଙ୍କୁ ମିଲେଟ୍ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତି ସଂପର୍କରେ  ପ୍ରଶିକ୍ଷଣ ଦିଆଯାଉଛି ।  ଛାତ୍ରଛାତ୍ରୀ ଓ ଉପଭୋକ୍ତାଙ୍କ ମଧ୍ୟରେ ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟ ବୃଦ୍ଧିକାରୀ ଖାଦ୍ୟ ବିକଳ୍ପ ଭାବରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ଅନୁଷ୍ଠାନ, ହୋଟେଲ ସଂଘ, ସେଫ୍ ଆସୋସିଏସନ୍ ଏବଂ ଅନ୍ୟମାନଙ୍କ ସହିତ ଯୋଗାଯୋଗ ଏବଂ ସହଯୋଗ ପାଇଁ  ଏହି ସମ୍ମିଳନୀ ଏକ ସୁଯୋଗ  ସୃଷ୍ଟି କରିବ । ଓଡ଼ିଶା ମିଲେଟ୍ ମିଶନର କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ଅଂଶୀଦାରଙ୍କ ସଫଳତାର କାହାଣୀ ଏଥିରେ ପ୍ରଦର୍ଶିତ ହେବ । ମିଲେଟ୍ ଭିତ୍ତିକ ଉତ୍ପାଦ ପାଇଁ କମ୍ପାନୀ, ଏମଏସଏମଇ, ଏଫପିଓ, ଡବ୍ଲୁଏସଏଚଜି ମଧ୍ୟରେ ବଜାର ସଂଯୋଗକୁ  ଏହା ସୁଗମ କରିବ ।

Categories
ବିଶେଷ ଖବର

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବିଭିନ୍ନ ବିଭାଗର କାର‌୍ୟ୍ୟ ଅଗ୍ରଗତି  ସଂପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଯୋଗ ଦେଇଥିଲେ।  ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ ଗତ ଅଗଷ୍ଟ  ମାସ  ଶେଷ ସୁଦ୍ଧା ବିଭିନ୍ନ ବିଭାଗର ସଚିବମାନେ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ବିଭାଗର ପ୍ରମୁଖ କାର‌୍ୟ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ।

ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ କହିଥିଲେ ଯେ, ଅଗଷ୍ଟ ମାସରେ  ରାଜ୍ୟର ସମସ୍ତ ୪୩୭୩ଟି ଅଣବ୍ୟାଙ୍କିଂ ଗ୍ରାମ ପଞ୍ଚାୟତରେ ସିଏସପି ପ୍ଲସ୍ ବ୍ୟାଙ୍କିଂ ଆଉଟଲେଟ୍ ଜରିଆରେ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ସମନ୍ୱୟ ରକ୍ଷା କରି ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଘରୋଇ କ୍ଷେତ୍ରର ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏବଂ ପ୍ରକଳ୍ପଗୁଡ଼ିକୁ ତ୍ୱରିତ ମଞ୍ଜୁରୀ ଦେବା ପାଇଁ ଓଡ଼ିଶା ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ପଲିସି -୨୦୨୩ ପ୍ରଣୟନ କରାଯାଇଛି। ମିଶନ ଶକ୍ତି ସ୍କୁଟର ଯୋଜନା ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ଲାଭ କରିଛି। କ୍ୟୁଆର୍ କୋଡ୍ ସହ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମିର ନବୀକରଣ ଓ୍ୱେବ୍  ସାଇଟ୍ ଉନ୍ମୋଚନ କରାଯାଇଛି ଆଧାରିତ ଅଡିଓ ଗାଇଡେଡ୍ ଟୁର୍ ସୁବିଧା କରାଯାଇଛି। ଶକ୍ତି ଓ ଶିକ୍ଷା ଆଦି ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯାଇଛି।

ସେହିପରି ଶିଳ୍ପ କ୍ଷେତ୍ରରେ ପ୍ରମୁଖ ଶିଳ୍ପକୁ ସିଙ୍ଗଲ ଓ୍ୱିଣ୍ଟୋ କ୍ଲିୟରାନ୍ସ କମିଟି ତରଫରୁ ଅନୁମୋଦନ ଦିଆଯାଇଛି। ଦକ୍ଷତା ବିକାଶ ଓ ବିଭିନ୍ନ କ୍ଷେତ୍ରରେ ରାଜିନାମା ସ୍ୱାକ୍ଷରିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା -୨.୦ କ୍ୟାବିନେଟ୍ ଅନୁମୋଦନ ଲାଭ କରିଛି। ସେହିପରି  ଅନ୍ୟ ବିଭିନ୍ନ ବିଭାଗ ଦ୍ୱାରା ପ୍ରଦତ୍ତ ସଫଳତା ସଂପର୍କରେ ସେ ଉପସ୍ଥାପନ କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଏହି ସଫଳତାର ଧାରାକୁ ଆହୁରି ଅଧିକ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର କାର‌୍ୟ୍ୟ ସଂପର୍କରେ ସମୀକ୍ଷା ସହ  ଡିଏମ୍ଏଫ ଏବଂ ଓମ୍ବାଡିସି ପାଣ୍ଠି ଉପଯୋଗରେ ସମ୍ପୃକ୍ତ ଅଂଚଳରେ ଭିତ୍ତିଭୂମିର ବିକାଶ, ଉନ୍ନତ ରାସ୍ତା ନିର୍ମାଣ ସାଙ୍ଗକୁ ଅଧିକରୁ ଅଧିକ ଜୀବିକା ନିର୍ବାହ ପ୍ରକଳ୍ପ କାର‌୍ୟ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷରେ ଅଗଷ୍ଟ  ମାସ ଶେଷ ସୁଦ୍ଧା ରାଜସ୍ୱ ଆୟ ଖର୍ଚ୍ଚ ଓ ସଂପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରୁ ଜଣାଯାଇଛି ଯେ, ଗତବର୍ଷ ୨୦୨୨-୨୩ ଆର୍ଥିକ ବର୍ଷରେ  ଅଗଷ୍ଟ ମାସ ଶେଷ ସୁଦ୍ଧା ଖର୍ଚ୍ଚ ତୁଳନାରେ ଚଳିତ ୨୦୨୩ -୨୪  ବର୍ଷ ଏହି ମାସ ସୁଦ୍ଧା ବଜେଟ ଅନୁମୋଦନ ହିସାବରେ କାର‌୍ୟ୍ୟ ଅଗ୍ରଗତି ଅଧିକ ରହିଛି। ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଭଲ ରହିଥିବା ବେଳେ ବିବରଣୀ ପ୍ରାପ୍ତ ଅନୁସାରେ ଭିତ୍ତିଭୂମି ଉନ୍ନୟନ କ୍ଷେତ୍ର, ଶକ୍ତି, ମିଶନ ଶକ୍ତି, ବିଜ୍ଞାନ ଓ ବୈଷୟିକ ବିଦ୍ୟା, ଶିଳ୍ପ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଆଦି ଉନ୍ନତି ପ୍ରଦର୍ଶନ କରିଛନ୍ତି।

ଅବସରଗ୍ରହଣ କରୁଥିବା କର୍ମଚାରୀମାନଙ୍କର  ପେନସନ ପ୍ରଦାନ ପ୍ରକ୍ରିୟା ଅଧିକ ବ୍ୟବସ୍ଥିତ ଓ ତ୍ୱରାନ୍ୱିତ ହେବା ଫଳରେ ମାମଲା ସଂଖ୍ୟା ମାତ୍ରା ପୂର୍ବାପେକ୍ଷା ହ୍ରାସ ପାଉଥିବା ସଂପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଶ୍ରୀ ସୁରେନ୍ଦ୍ର କୁମାର ପ୍ରକାଶ କରିଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ ବିଭାଗ ତରଫରୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରିଥିଲେ। ୫ ବର୍ଷରେ ୧୫  ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରିବା ବିଭାଗର ଲକ୍ଷ୍ୟ ରହିଥିବା ବେଳେ ଅନ୍ୟ  ବିଭିନ୍ନ ବିଭାଗ ତରଫରୁ ଆଗାମୀ ୪ ବର୍ଷରେ ୪୫ ଲକ୍ଷରୁ ଊର୍ଦ୍ଧ୍ୱ  ଯୁବକଯୁବତୀଙ୍କୁ ଦକ୍ଷ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିବା କହିଥିଲେ। ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ, ଆଗାମୀ ଦିନରେ ବିଭିନ୍ନ ବିଭାଗ ତରଫରୁ କାର‌୍ୟ୍ୟକାରୀ ହେବାକୁ ଥିବା ପ୍ରକଳ୍ପର ଉଦ୍ଘାଟନ, ଚଳିତ ଆର୍ଥିକ ବର୍ଷରେ ଆଗାମୀ ୬ ମାସ ପାଇଁ ସମସ୍ତ ବିଭାଗର କାର‌୍ୟ୍ୟ ଯୋଜନା କିପରି ରହିବ, ସେ ସଂପର୍କରେ ଆଲୋଚନା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଓପିଟିସିଏଲ୍ ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ଵର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ଓଡ଼ିଶା ବିଦ୍ୟୁତ ସଂଚରଣ ନିଗମ ଲିମିଟେଡ୍ (ଓପିଟିସିଏଲ୍)ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି।

ବୈଠକରେ ୨୨୦/୩୩ କେଭି ବାଲିଗୁଡା ଗ୍ରିଡ୍ ସବ୍ ଷ୍ଟେସନ ସମେତ ୨୨୦ କେଭି କେସିଙ୍ଗା-ବାଲିଗୁଡ଼ା ଲାଇନ୍, ୧୩୨ କେଭି ବୌଦ୍ଧ-ଫୁଲବାଣୀ ଡିସି ଲାଇନ୍, ୧୩୨ କେଭି ବୌଦ୍ଧ-କିଆକଟା ଡିସି ଲାଇନ୍, ୨୨୦ କେଭି ଲିଲୋ ଲାଇନ୍‌ରୁ ୨୨୦/୩୩ କେଭି ଦଶପଲ୍ଲା ଗ୍ରିଡ୍, ଦିଗପହଣ୍ଡି-ମୋହନା ଲାଇନ୍‌ରୁ ଆର.ଉଦୟଗିରି ଗ୍ରିଡକୁ ଲିଲୋ ଲାଇନ୍, ୨୨୦ କେଭି କେନ୍ଦୁଝର-ତୁରୁମୁଙ୍ଗା ଡିସି ଲାଇନ୍ ଆଦି ବିଭିନ୍ନ ପ୍ରକଳ୍ପର ଜଙ୍ଗଲ ମଞ୍ଜୁରୀ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। ଗୁଣାତ୍ମକ ଏବଂ ବିଶ୍ୱସନୀୟ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବାରେ ଏହି ପ୍ରକଳ୍ପଗୁଡ଼ିକର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଓପିଟିସିଏଲକୁ ଜଙ୍ଗଲ ମଞ୍ଜୁରୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ।

Categories
ବିଶେଷ ଖବର

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସଚିବମାନେ ଯୋଗ ଦେଇଥିଲେ। ଖାରବେଳ ଭବନ ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଥମେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ ଯୋଗଦେଇ ଗତ ଜୁଲାଇ ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗର ସଚିବମାନେ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ବିଭାଗର ପ୍ରମୁଖ କାର‌୍ୟ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ।

ଏହି ପରିପ୍ରେକ୍ଷୀରେ ସୂଚନା ଦେଇ ଉନ୍ନୟନ କମିଶନର କହିଥିଲେ ଯେ, ଜୁଲାଇ ମାସ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପାଇଁ ବହୁ ସଫଳତା ଆଣି ଦେଇଛି। ଚଳିତ ମାସରେ ‘ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ସୂଚକାଙ୍କ’ ସମୀକ୍ଷା ଅନୁସାରେ ଓଡିଶାରେ ଦାରିଦ୍ର‌୍ୟ ଦୂରୀକରଣ ହାର ଦେଶର ଅନ୍ୟ ପ୍ରମୁଖ ରାଜ୍ୟ ଭଳି ଦୃତତମ ରହିଥିବା ରିପୋର୍ଟ ପ୍ରକାଶ ପାଇଛି। ଗ୍ରାମୀଣ ବିକାଶ ଲକ୍ଷ୍ୟରେ ପୂର୍ବରୁ ଥିବା ‘ଆମ ଗାଁ  ଆମ ବିକାଶ’ ନିର୍ଦ୍ଦେଶମାନାରେ ସଂଶୋଧନ କରାଯାଇ ‘ଆମ ଓଡିଶା ନବୀନ ଓଡିଶା’ କାର‌୍ୟ୍ୟକ୍ରମରେ ପରିବର୍ତ୍ତିତ ହୋଇ ତଦନୁସାରେ ଗ୍ରାମୀଣ ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ରାଜ୍ୟର  ବିକାଶ ଓ ଶିଳ୍ପାୟନ  ପାଇଁ ଆବଶ୍ୟକ ଥିବା  ଓଡିଶା ସେମିକଣ୍ଡକ୍ଟର ମାନ୍ୟୁଫ୍ୟାକ୍ଚରିଂ ଏବଂ ଫାବଲେସ୍ ପଲିସି ଅନୁମୋଦନ କରାଯାଇଛି।  ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର‌୍ୟ୍ୟକ୍ରମର ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ  ‘ଭୂମି ସମ୍ମାନ’ ପୁରସ୍କାର , ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ ପୁରସ୍କାର-୨୦୨୩ ପ୍ରାପ୍ତ ହେବା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାର କୃଷକମାନଙ୍କ ପ୍ରିମିୟମ ଅଂଶ ପ୍ରଦାନ ପାଇଁ ନିଷ୍ପତ୍ତି, ଜଳ ସଂପଦ ବିଭାଗ ପକ୍ଷରୁ ନୂତନ ଭାବେ ଲୋୟର ସୁକତେଲ ପ୍ରକଳ୍ପରେ ଜଳ ସଂରକ୍ଷଣ କରାଯିବା ସହିତ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଜୁଲାଇ ମାସରେ ରାଜ୍ୟର ଉଲ୍ଲେଖନୀୟ ସଫଳତା ସଂପର୍କରେ ସେ  ଆଲୋକପାତ କରିଥିଲେ।

ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷରେ ଜୁଲାଇ ମାସ ଶେଷ ସୁଦ୍ଧା ଖର୍ଚ୍ଚ ଓ ରାଜସ୍ୱ ଆୟ ସଂପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରୁ ଜଣାଯାଇଛି ଯେ, ଗତବର୍ଷ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ବଜେଟ୍ ଅନୁମୋଦନ ହିସାବରେ ଜୁଲାଇ ମାସ ଶେଷ ସୁଦ୍ଧା ଖର୍ଚ୍ଚ ୧୬.୪୩ ପ୍ରତିଶତ ଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ମାସ ଶେଷ ସୁଦ୍ଧା ଏହା ୨୦.୯୭  ପ୍ରତିଶତ ରହିଛି। ସେହିପରି ରାଜସ୍ୱ ଆଦାୟ ଗତବର୍ଷ ଜୁଲାଇ ମାସ ସୁଦ୍ଧା ୧୨ .୨୮  ଥିବା  ବେଳେ ଚଳିତ ବର୍ଷ ଏହା ୨୦ .୬୮  ରହିଛି, ଯାହାକି ତୁଳନାତ୍ମକ ଭାବେ ବୃଦ୍ଧି ପାଇଛି। ଭିତ୍ତିଭୂମି କ୍ଷେତ୍ର, ଶକ୍ତି ଓ ମିଶନ ଶକ୍ତି କ୍ଷେତ୍ରରେ ଖର୍ଚ୍ଚରେ ଉନ୍ନତି ପ୍ରଦର୍ଶନ ହୋଇଛି। ଅନ୍ୟ ବିଭାଗମାନେ ମଧ୍ୟ କାର‌୍ୟ୍ୟରେ ଉନ୍ନତି କରିଛନ୍ତି। ଧାର‌୍ୟ୍ୟ ଲକ୍ଷ୍ୟ ଅନୁସାରେ କାର‌୍ୟ୍ୟକରି  ଓ ଖର୍ଚ୍ଚ ବିନିଯୋଗ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ପୁଞ୍ଜି ସହାୟତା ପାଇଁ ରାଜ୍ୟକୁ ମିଳୁଥିବା ସ୍ୱତନ୍ତ୍ର ସହାୟତା ଅର୍ଥ ଖର୍ଚ୍ଚ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ଅବସରଗ୍ରହଣ କରୁଥିବା କର୍ମଚାରୀମାନଙ୍କର ଫାଇନାଲ ପେନସନ ଶୀଘ୍ର ମଂଜୁର ପାଇଁ ଡିଡିଓ ମାନେ ଗୁରୁତ୍ୱ ଦେବା ସହ  ବିଭାଗଓ୍ୱାରୀ ଜନ ଅଭିଯୋଗ ଶୁଣାଣିର ସ୍ଥିତି ସମୀକ୍ଷା କରାଯାଇଥିଲା।

ବୈଠକରେ କର୍ମଚାରୀମାନଙ୍କ ଅପେକ୍ଷା ସାଧାରଣ ଲୋକଙ୍କର ଅଭିଯୋଗଗୁଡିକୁ ଗୁଗୁତ୍ୱ ଦିଆଯାଇ ତ୍ୱରିତ ଫଇସଲା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଅକ୍ଟୋବର ମାସରେ ହେବାକୁ ଥିବା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଜାତୀୟସ୍ତରୀୟ ସମ୍ମିଳନୀ ଆୟୋଜନ  ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଆଲୋଚନାରେ ସଂପୃକ୍ତ  ବିଭାଗର ଅତିରିକ୍ତ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଅଂଶଗ୍ରହଣ କରିଥିଲେ।

ବୈଠକରେ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ, ଲଣ୍ଡନ ତରଫରୁ ଓଡିଶାରେ ଅର୍ଥନୈତିକ ବିକାଶ ପାଇଁ ଯେଉଁସବୁ କାର‌୍ୟ୍ୟକ୍ରମ ରହିଛି, ସେସବୁର ସଫଳ ରୂପାୟନରେ ବୈଷୟିକ  ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ କରିବା ସଂପର୍କରେ ବିଶଦ୍ ଉପସ୍ଥାପନ କରାଯାଇଥିଲା। ଶେଷରେ ଅବସରପ୍ରାପ୍ତ ଆଇଏଏସ୍ ପ୍ରବୀଣ ଦେଶାଇ ଶିମିଳିପାଳ, ଭିତରକନିକା, ସତକୋଶିଆ ପରି ଓଡ଼ିଶାର ବନ୍ୟପ୍ରାଣୀ ଅଭୟାରଣ୍ୟକୁ କିପରି ବିଶ୍ୱସ୍ତରୀୟ କରାଯାଇପାରିବ ସେ ସଂପର୍କରେ  ବିସ୍ତୃତ ଉପସ୍ଥାପନା କରିଥିଲେ।