Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ବ୍ରାଣ୍ଡିଂ କରୁଛନ୍ତି ବୋଲି ଅଭିଯୋଗ କଲେ ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର, କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣମୂଳକ ଯୋଜନାକୁ ନିଜ ନାଁ ରେ ବ୍ରାଣ୍ଡିଂ କରି ନବୀନ ସରକାର ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି । କେନ୍ଦ୍ର ସରକାରଙ୍କ ଏଆଇବିପି ଯୋଜନା ଅନ୍ତର୍ଗତ ୯୦% ଆର୍ଥିକ ସହାୟତାେରେ ଆଜି ଇନ୍ଦ୍ରାବତୀ ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସଲ ଧନ୍ୟବାଦର ପାତ୍ର। ମାତ୍ର ବ୍ରାଣ୍ଡିଂ ରାଜନୀତି କରୁଥିବା ନବୀନ ସରକାର ସୈାଜନମୁଳକ ଭାବେ ଏହି ସମାବେଶରେ ଥରେଟିଏ ହେଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନାମ ଉଲ୍ଲେଖ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଦୀର୍ଘ ୨ ଦଶନ୍ଧି ଧରି ଶାସନ କ୍ଷମତାରେ ରହିବା ସତ୍ୱେ କଳାହାଣ୍ଡି ଏବଂ ଏହାର ଆଖପାଖ ଚିତ୍ର ବାସ୍ତବରେ ନ ବଦଳିବା ଅତ୍ୟନ୍ତ ଲଜ୍ଜାଜନକ । ଗତ ପଂଚାୟତ ନିର୍ବାଚନ ପୂର୍ବରୁ ବରଗଡ ଜିଲ୍ଲାରେ ରାଜ୍ୟର ସର୍ବବୃହତ ଜଳସେଚନ ପ୍ରକଳ୍ପ ଗଙ୍ଗାଧର ଜଳସେଚନ ପ୍ରକଳ୍ପର ଘୋଷଣା କରିଥିଲେ, ଯାହାକି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ସେହିପରି ଆଜି କଳାହାଣ୍ଡି ମାଟିରେ ଛିଡା ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଇନ୍ଦ୍ରାବତୀ ନଦୀ ଉପରେ ପାର୍ବତିଗିରି ଜଳସେଚନ ପ୍ରକଳ୍ପ ଘୋଷଣା କରିବା ମଧ୍ୟ କେବଳ ଧୂଆଁବାଣ ହୋଇ ରହିନଯାଉ ବୋଲି ଜୟନାରାୟଣ କହିଛନ୍ତି । କୋଭିଡ୍ କଟକଣାକୁ ବାହାନା କରି ଦୀର୍ଘ ୯ ମାସରୁ ଉର୍ଦ୍ଧ୍ୱ ଏକାନ୍ତ ବାସରେ ଥିବା ମୁଖ୍ୟମନ୍ତ୍ରୀ ଆଜି କୋଭିଡ୍ କଟକଣା ବଳବତର ଥିବା ସତ୍ୱେ ଏତେ ବଡ ଜନସମାଗମ ଆୟୋଜନ କରିବା କେତେଦୂର ଯଥାର୍ଥ ?କଳାହାଣ୍ଡି ଜିଲ୍ଲା ସବୁଠାରୁ ଅଧିକ ଚାଉଳ ଯୋଗାଉଛି ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି । ମାତ୍ର ବହୁ ଆଡମ୍ବର ଏହି ସମାବେଶରେ ମୁଖ୍ୟମନ୍ତ୍ରୀ କୃଷକ କିମ୍ବା କୃଷକ କଲ୍ୟାଣ ପାଇଁ ପଦୁଟିଏ ନକହିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ।

Categories
ଫଟୋ ଖବର

ପରୀକୁ ନ୍ୟାୟ ଦେବା ଦାବୀରେ ରାଜ୍ୟ ବିଜେପିର ନୟାଗଡ ଅଭିମୁଖେ ଯାଉଥିବା ଶୋଭାଯାତ୍ରା

ପରୀକୁ ନ୍ୟାୟ ଦେବା ଦାବୀରେ ରାଜ୍ୟ ବିଜେପିର ନୟାଗଡ ଜିଲ୍ଲାକୁ ଯାଉଥିବା ଶୋଭାଯାତ୍ରା

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହ୍ରାସ ପାଉଥିବା ପତିୟାରା ପ୍ରତିଷ୍ଠା ପାଇଁ ଧର୍ମେନ୍ଦ୍ରଙ୍କର ନୂଆ ରଣନୀତି, ଏକା ଡାକିଲେ ବିଧାୟକଙ୍କ ବୈଠକ

ଭୁବନେଶ୍ବର, କିଛିଦିନ ତଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବିଧାୟକ ଦଳର ବୈଠକ ଡାକିଥିଲେ। କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ନେତା ଭାବେ ସେ ବିଧାୟକ ଦଳର ବୈଠକ ଡାକିବାରେ କୌଣସି ଅସୁବିଧା ନାହିଁ। ହେଲେ ଅସୁବିଧା ହେଲା ଯେ, ସେ ଯେଉଁ ସମୟରେ ଏହି ବୈଠକ ଆହ୍ବାନ କଲେ। କାରଣ ବିଧାନସଭା ପୂର୍ବରୁ ସବୁ ଦଳ, ଗୃହ ଭିତରେ କଣ ରଣନୀତି ହେବ ସେ ନେଇ ବୈଠକ କରିଥାନ୍ତି। ସାଧାରଣତଃ ଏହି ବୈଠକ ବିଧାନସଭା ପୂର୍ବରୁ କରାଯାଇଥାଏ। ହେଲେ ବିଧାନସଭା ହେବାର ବହୁ ଦିନ ପରେ ଧର୍ମେନ୍ଦ୍ର ଏପରି ବୈଠକ କରିବାର କଣ ଆବଶ୍ୟକତା ଥିଲା। ତାହାକୁ ନେଇ ବର୍ତ୍ତମାନ ସୃଷ୍ଟି ହୋଇଛି ଚର୍ଚ୍ଚା।

ସାଧାରଣରେ ଗୋଟିଏ ଆଲୋଚନା ହେଉଛି ଯେ, ବର୍ତ୍ତମାନ ଦଳ ଭିତରେ ଧର୍ମେନ୍ଦ୍ରଙ୍କ ପତିୟାରା କମିବାରେ ଲାଗିଛି। ସେଥିପାଇଁ ସେ ନିଜର ଶକ୍ତିକୁ ବଜାଇ ରଖିବା ପାଇଁ କୁଆଡେ ଏପରି ଅବେଳାରେ ବିଧାୟକ ଦଳର ବୈଠକ ଡାକିଥିଲେ। ସେହିପରି ଏହି ବୈଠକକୁ ନେଇ ଆଉ ଏକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି। ତାହା ହେଲା ଯେ, ଏହି ବିଧାୟକ ଦଳ ବୈଠକରେ ସବୁ ବିଜେପି ବିଧାୟକଙ୍କ ସହିତ ଧର୍ମେନ୍ଦ୍ର ଏବଂ ରାଜ୍ୟ ସଭାପତି ସମୀର ମହାନ୍ତି ଥିଲେ। ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଡକାଯାଇ ନ ଥିଲା। ପ୍ରକୃତରେ ତାଙ୍କୁ ଡକା ଯାଇ ନ ଥିଲା କି ସେ ଆସିପାରି ନ ଥିଲେ ତାହା ଭିନ୍ନ କଥା। ହେଲେ ସେହି ବୈଠକରେ ଅପରାଜିତା ଅନୁପସ୍ଥିତ ଥିଲେ। ଯାହାକୁ ନେଇ ରାଜନୈତିକ ମହଲ ଭିନ୍ନ ରଂଗ ଦେବାରେ ଲାଗିଛି।

ନିକଟରେ ଦଳରେ ଖୋର୍ଦ୍ଧା ଜିଲ୍ଲା ସଭାପତିଙ୍କୁ ନେଇ ଯେପରି ନାଟକବାଜୀ ହେଲା ତାହା ବର୍ତ୍ତମାନ ଓଡିଶା ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। କାରଣ ଖୋର୍ଦ୍ଧା ଜିଲ୍ଲାର ସଭାପତି ଥିବା ରଶ୍ମୀରଂଜନ ମହାପାତ୍ରଙ୍କୁ ଦଳ ବିରୋଧୀ କାମ ପାଇଁ ସଭାପତି ପଦରୁ ହାଠାତ ହଟାଇ ଦିଆଯାଇ ଯତୀନ ମହାନ୍ତିଙ୍କୁ ନିଯୁକ୍ତ କରାଗଲା। ରାଜନୈତିକ ମହଲରେ ସମସ୍ତେ ଜାଣନ୍ତି ଯତୀନ ମହାନ୍ତି ଧର୍ମେନ୍ଦ୍ରଙ୍କ ଲୋକ ଏବଂ ରଶ୍ମୀରଂଜନ ହେଉଛନ୍ତି ଅପରାଜିତାଙ୍କ ଲୋକ।

ରଶ୍ମୀରଂଜନଙ୍କୁ ଯେତେବଳେ ସଭାପତି କରିବା ପାଇଁ ପ୍ରସ୍ତାବ ଗଲା ସେତେବେଳେ କୁଆଡେ ଧର୍ମେନ୍ଦ୍ର ବିରୋଧ କରିଥିଲେ। ହେଲେ ତାଙ୍କର ବିରୋଧ ସତ୍ବେ ରଶ୍ମୀଙ୍କୁ ସଭାପତି କରିବା ପାଇଁ ଅପରାଜିତା ଅଡି ବସିଥିଲେ ଆଉ ସଫଳ ମଧ୍ୟ ହେଲେ।ସେହି ରାଗରେ କିଛି ମାସ ପରେ ଧର୍ମେନ୍ଦ୍ର ଗୋଟି ଚାଳନା କରି ତାଙ୍କୁ ସଭାପତି ପଦରୁ ବାହାର କରି ଲୋକହସା ମଧ୍ୟ ହେଲେ। କାରଣ ସେ ଯାହାକୁ ସଭାପତି ଭାବେ ନିଯୁକ୍ତ କଲେ ତାଙ୍କୁ ଆଠଦିନ ପରେ ବାହାର କରାଗଲା। ପୁଣି ରଶ୍ମୀରଂଜନ ମହାପାତ୍ରଙ୍କୁ ସଭାପତି ଭାବେ ପୁନଃସ୍ଥାପିତ କରାଗଲା।

ଏହି ଘଟଣା ବାହାରକୁ ଜଣାପଡି ନ ଥିଲେ ମଧ୍ୟ ରାଜ୍ୟ ବିଜେପିରେ ଶକ୍ତିଶାଳୀ ଧର୍ମେନ୍ଦ୍ର ପ୍ରଧାନ ଗୋଷ୍ଠୀଙ୍କ ମୁଣ୍ଡ ଖରାପ କରିଦେଇଛି। ଖୋଦ ଧର୍ମେନ୍ଦ୍ରଙ୍କୁ ମଧ୍ୟ ବଡ ଧକ୍କା ଲାଗିଛି। ମୁଖ୍ୟତଃ ତିନୋଟି କାରଣ ନେଇ ଧର୍ମେନ୍ଦ୍ର ବେଶ୍ ବ୍ୟଥିତ ହୋଇଛନ୍ତି। ପ୍ରଥମରେ ତାଙ୍କ ଦ୍ବାରା ନିଯୁକ୍ତ ସଭାପତିଙ୍କୁ ସେ ସୁରକ୍ଷା ଦେଇପାରିଲେ ନାହିଁ। ଦ୍ବିତୀୟରେ ସେ ଯାହାକୁ ବାହାର କରିଥିଲେ ତାଙ୍କୁ ପୁଣି ନିଯୁକ୍ତି ଦିଆଗଲା।

ଅନ୍ତତଃ ପକ୍ଷେ ଆଉ ନୂଆ ଜଣଙ୍କୁ ସଭାପତି କରାଯାଇ ଥିଲେ ହୁଏତ ଧର୍ମେନ୍ଦ୍ରଙ୍କର ପତିୟାରା ଅକ୍ଷୁର୍ଣ୍ଣ ରହିଥାଆନ୍ତା। ତାହା ମଧ୍ୟ ହୋଇପାରିଲା ନାହିଁ। ତୃତୀୟରେ ଏହି ଘଟଣାଟି ଧର୍ମେନ୍ଦ୍ରଙ୍କର ପତିୟାରା ହ୍ରାସ କଲା ବୋଲି  ହାଟରେ ପଡି ଘାଟରେ ଗଡିଲା। ଯାହା ତାଙ୍କୁ ବହୁ ମାତ୍ରାରେ ବ୍ୟତିଥ କରିଦେଇଛି। ଅପରାଜିତ ଦଳରେ ଯୋଗଦେବା ପୂର୍ବରୁ ଏମିତି କେବେ ହୋଇ ନ ଥିଲା।

ଏ ସବୁ ଘଟଣା ଭିତରେ ଧର୍ମେନ୍ଦ୍ର ବର୍ତ୍ତମାନ ନିଜର ପତିୟାରାକୁ ପ୍ରତିଷ୍ଠା କରି ଅପରାଜିତାକୁ କଣଠୋସା କରିବା ପାଇଁ ଏକ ନୂଆ ରଣ କୌଶଳ ଆରମ୍ଭ କରିଛନ୍ତି। ଭିନ୍ନ ପ୍ରସଂଗରେ ବିଜେପି ବିଧାୟକମାନଙ୍କ ବୈଠକ ଡାକି ନିଜର ଭାବମୂର୍ତ୍ତିକୁ ସଜାଡିବାରେ ଲାଗିପଡିଛନ୍ତି। ଏହାପରେ ସେ ବର୍ତ୍ତମାନ ପୁରା ବିଜେପି ନେତାମାନଙ୍କୁ କିପରି ହାତରେ ରଖିବେ ସେ ନେଇ ମଧ୍ୟ ରଣନୀତି ପ୍ରସ୍ତୁତ କରିସାରିଲେଣି। କାରଣ ଧର୍ମେନ୍ଦ୍ର ଥରେ ଧକ୍କା ଖାଇଛନ୍ତି ମାନେ ସେ ଭିତରେ ଭିତରେ ଘାଇଲା ବାଘ ପରି ହେବାରେ ଲାଗିଛନ୍ତି ।

ଅନ୍ୟପଟେ ଏସବୁ ଘଟଣା ସଂପର୍କରେ ଅବଗତ ହେବାରେ ଲାଗିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ସେ ମଧ୍ୟ ଦଳ ଭିତରେ ନିଜ ପତିୟାରା ଜାହିର ପାଇଁ ଆରମ୍ଭ କରିଛନ୍ତି ନୂଆ ରଣନୀତି। ତେବେ ବିଜେପିର ଏପରି ଡ୍ରାମାବାଜିକୁ ନେଇ ଗୋଟିଏ ଗୋଷ୍ଠୀ ବେଶ୍ ଉତଫୁଲିତ ଅଛନ୍ତି। ସେହି ଗୋଷ୍ଠୀଟି ହେଲା , ଆମେ ନା ଧର୍ମେନ୍ଦ୍ର, ଆମେ ନା ଅପରାଜିତା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟ ବିଜେପିରେ ଅଜବ ସ୍ଥିତି, ପୁଣି ଥରେ ଖୋର୍ଦ୍ଧା ଜିଲ୍ଲା ସଭାପତି ହେଲେ ରଶ୍ମୀ ରଂଜନ ମହାପାତ୍ର

ଭୁବନେଶ୍ବର, ବର୍ତ୍ତମାନ ବିଜେପିର ଅନ୍ତଃଦ୍ବନ୍ଦ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ଯାହାର ପ୍ରମାଣ ମିଳିଛି ଖୋର୍ଦ୍ଧା ଜିଲ୍ଲା ସଭାପତି ପଦବୀକୁ ନେଇ। ଏବେ ପୁଣିଥରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ଭାବେ ରଶ୍ମୀ ରଂଜନ ମହାପାତ୍ରଙ୍କୁ ପୁନଃନିଯୁକ୍ତି ଦିଆଯାଇଛି। ଏ ନେଇ ରାଜ୍ୟ ସଭାପତି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି। ଦୁଇ ଧାଡିଆ ଏହି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ରଶ୍ମୀରଂଜନଙ୍କୁ ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ପୁନଃସ୍ଥାପିତ କରାଯାଇଛି।

ଆଠଦିନ ତଳେ ସେହି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମତି ପରେ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିରେ କୁହାଯାଇଥିଲା ଯେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବାରୁ ତାଙ୍କୁ ସଭାପତି ପଦରୁ ଅବ୍ୟାହତି ଦିଆଗଲା। ନୂଆ ସଭାପତି ଭାବେ ଯତୀନ ମହାନ୍ତିଙ୍କୁ ନିଯୁକ୍ତି ଦିଆଗଲା। ଏବେ ସେ ପୁଣି ବଦଳି ଗଲେ ଆଉ ସେହି ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ବ୍ୟକ୍ତିଙ୍କୁ ସଭାପତି କରାଗଲା ବୋଲି କହିଲେ। ଏଥିରୁ ସ୍ପଷ୍ଟ ସୂଚନା ମିଳିଛି ଯେ, ରାଜ୍ୟ ବିଜେପିରେ ବର୍ତ୍ତମାନ ଅନ୍ତଃକନ୍ଦଳ ବୃଦ୍ଧି ପାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଡେଣା ମେଲାଇଲେ ସାଂସଦ ଅପରାଜିତା ଷଡଙ୍ଗୀ, ଜାତୀୟ ଚ୍ୟାନେଲରୁ ଆରମ୍ଭ ହେଲା ଇନିଂସ୍

ସମକ୍ଷା ବ୍ୟୁରୋ

ଭୁବନେଶ୍ବର, ବର୍ତ୍ତମାନ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ଅପରାଜିତ ରାଷ୍ଟୀୟ ପ୍ରବକ୍ତା ଭାବେ ନିଯୁକ୍ତ ପାଇବା ପରେ ଜାତୀୟ ଗଣମାଧ୍ୟମ ଡିବେଟରେ ଅଂଶଗ୍ରହଣ କରୁଛନ୍ତି। ସେ ପ୍ରଥମ ଥର ପାଇଁ ଏକାଥରେ ତିନୋଟି ନାମକରା ଗଣମାଧ୍ୟମ ‘ଜୀ ନ୍ୟୁଜ’, ‘ଆଜତକ୍’ ଏବଂ ‘ଟାଇମସ ନାଓ’ ରେ ଅଂଶ ଗ୍ରହଣ କରିଥିଲେ। ଏସବୁ ଚ୍ୟାନେଲର ବିଷୟ ଥିଲା ଉତ୍ତର ପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ମାମଲା। ଅପରାଜିତା ଏଥିରେ ଭାଗ ନେଇ ନିଜ ଦଳ ସପକ୍ଷରେ ଉଚିତ ଜବାବ ଦେବାରେ ସମକ୍ଷମ ହୋଇପାରିଛନ୍ତି।

ତେବେ ପ୍ରଥମ ଥର ପାଇଁ ଡିବେଟରେ ଅଂଶ ଗ୍ରହଣ କରୁଥିବାରୁ ଅନ୍ୟ ଦଳର ପ୍ରବକ୍ତାମାନଙ୍କ ପାଇଁ ସେ ନୂଆ ଥିଲେ। ଫଳରେ ଅପରାଜିତାଙ୍କୁ ‘ଆଜତକ’ ଚ୍ୟାନେଲରେ କଂଗ୍ରେସ ପ୍ରବକ୍ତା ପବନ ଖେରା ଅଡୁଆରେ ପକାଇ ଦେଇଥିଲେ। ପବନ ସିଧା ପ୍ରସାରଣରେ କହିଥିଲେ ଯେ ବିଜେପିର ମହିଳା ଜଣଙ୍କ କିଏ ସେ, ତାଙ୍କ ନାମ କଣ ସେ ଜାଣନ୍ତି ନାହିଁ, ସେ କେଉଁ ରାଜ୍ୟରୁ ଆସିଛନ୍ତି ତାହା ମଧ୍ୟ ଜାଣି ନାହିଁ। ଏପରି କଥା ଅପରାଜିତାଙ୍କୁ ଅଡୁଆରେ ପକାଇ ଦେଇଥିଲେ ମଧ୍ୟ ସେ ତାହାର ଉଚିତ ଜବାବ ଦେଇଥିଲେ। ତାଙ୍କର ଉତ୍ତର ଥିଲା ଆପଣଙ୍କର କିଛି ଜାଣିବାର ଆବଶ୍ୟକତା ନାହିଁ।

ବର୍ତ୍ତମାନ ରାଷ୍ଟ୍ରୀୟ ପ୍ରବକ୍ତା ହେବା ପରେ ଅପରାଜିତା ଧିରେ ଧିରେ ଜାତୀୟ ଗଣମାଧ୍ୟମ ମାଧ୍ୟମରେ ନିଜର ସ୍ଥିତି ମଜବୁତ କରିବେ। କାରଣ ଅପରାଜିତାଙ୍କ ଯେଉଁ ଦକ୍ଷତା ସହ ପ୍ରଶାସନିକ ଅଭିଜ୍ଞତା ରହିଛି ତାହା ନିଶ୍ଚିତ ତାଙ୍କୁ ଉପରକୁ ନେବାରେ ସକ୍ଷମ ହେବ। ହେଲେ ଏହାକୁ ନେଇ ବିଜେପିର ଗୋଟିଏ ଶକ୍ତିଶାଳି ଗୋଷ୍ଠୀ କୁଆଡେ ଭାରି ଉତକ୍ଷିପ୍ତ। କାରଣ ସେମାନେ ଚାହୁଁ ନାହାଁନ୍ତି ଯେ ଅପରାଜିତା ଏପରି ଲୋକପ୍ରିୟତା ହାସଲ କରନ୍ତୁ।ଯେଉଁଦିନ ଅପରାଜିତାଙ୍କୁ ଭୁବନେଶ୍ବର ସାଂସଦ ଭାବେ ଟିକେଟ ମିଳିଲା, ସେହି ଦିନଠାରୁ ଦଳ ଭିତରେ ତାଙ୍କୁ ପରୋକ୍ଷରେ ବିରୋଧ କରିବା ଆରମ୍ଭ ହୋଇ ଯାଇଥିଲା। ଅନେକ ତାଙ୍କର ପକ୍ଷ ଛେଦନ ପାଇଁ ଚେଷ୍ଠା କରୁଥିଲେ ମଧ୍ୟ ଦିଲ୍ଲୀ ଲବି ବଳରେ ସେ ଗୋଟିଏ ପରେ ଗୋଟିଏ ପାହାଚ ଚଢିବାରେ ଲାଗିଛନ୍ତି। ଟିକେଟ ନ ପାଇବାଠାରୁ ଆରମ୍ଭ କରି ନିର୍ବାଚନରେ ହାରିବା ପର୍ଯ୍ୟନ୍ତ ଅନେକ ବିରୋଧି କାର୍ଯ୍ୟ ଦଳ ଭିତରେ ହୋଇଛି।

ସେହିପରି ଦଳ ଭିତରେ କିପରି ସେ ଗୁରୁତ୍ବହୀନ ହେବେ ସେ ନେଇ ମଧ୍ୟ କେତେକ ରିତିମତ ଲାଗି ପଡିଛନ୍ତି। ଏପରିକି ଜେ ପି ନଡ୍ଡାଙ୍କ ନୂଆ ଟିମରେ ଅପରାଜିତ କିପରି ଗୁରୁତ୍ବପୂର୍ଣ୍ଣ ସ୍ଥାନ ନ ପାଆନ୍ତୁ ତାହା ମଧ୍ୟ ଅପଚେଷ୍ଠା କରାଯାଇଥିଲା। ହେଲେ ସେସବୁକୁ ପଛରେ ପକାଇ ସେ ଦଳ ଭିତରେ ନିଜର ସ୍ଥିତିକୁ ମଜବୁତ କରିବାରେ ଲାଗିଛନ୍ତି।

ବିଜେପିର କେତେକ ନେତାଙ୍କ ଭିତିରିଆ କଥା ଯଦି ସତ ବୋଲି ଗ୍ରହଣ କରାଯାଏ ତେବେ ତାହା ବଡ ବିସ୍ପୋରକ ହେବ ହେବ ବୋଲି ଆଶଙ୍କା କରାଯିବ। ତାହା ହେଲା ଅପରାଜିତାଙ୍କୁ କୁଆଡେ ରାଜ୍ୟ ବିଜେପିରେ କଣ ସବୁ ଘଟୁଛି ତାହା ଦିଲ୍ଲୀ ଦରବାରରେ ରିର୍ପୋଟ କରିବା ପାଇଁ କୁହାଯାଇଛି। ଏହି କଥା ପଦାକୁ ଆସିବା ପରେ ବିଜେପିର କେତେକ ନେତାଙ୍କ ଭିତରେ ଛାନିଆ ମଧ୍ୟ ପଶିଯାଇଛି। ସେତେକି ନୁହେଁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବେଳେ ମଧ୍ୟ ଓଡିଶାରୁ ଅପରାଜିତା କିମ୍ବା ଅଶ୍ବନୀ ବୈଷ୍ଣବଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଏହି ନେତାମାନେ ଆଶଙ୍କା କରିଛନ୍ତି। ଫଳରେ ସେମାନେ ବର୍ତ୍ତମାନ ଅପରାଜିତାଙ୍କୁ ବିରୋଧ ନ କରି ତାଙ୍କ ଶିବିରକୁ ଡେଇଁବାରେ ଲାଗିଛନ୍ତି।

ଯାହା ହେଲେ ମଧ୍ୟ ବର୍ତ୍ତମାନ ରାଜ୍ୟ ବିଜେପିର ଅପରାଜିତା ଆଉ ଅପରିଚିତା ହୋଇ ନାହାଁନ୍ତି। ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ସେ ଦଳ ଭିତରେ ନିଜର ସ୍ଥିତିକୁ ମଜବୁତ କରିପାରିବେ ଏଥିରେ ସନ୍ଦେହ ନାହିଁ। ଫଳରେ ଓଡିଶା ରାଜନୀତିରେ ଅପରାଜିତା ଷଡଙ୍ଗୀ ଏକ ବଡ ଫ୍ୟାକ୍ଟର ଭାବେ ଉଭା ହେବେ ତାହା ନିଶ୍ଚିତ।