Categories
ଆଞ୍ଚଳିକ

ୱେଲଥ ସେଣ୍ଟରରେ ସ୍ୱଚ୍ଛତା ସଚେତନତା ଶିବିର ଅନୁଷ୍ଠିତ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ରେଢ଼ାଖୋଲ ପୁରୁଣା ପେଟ୍ରୋଲ ପମ୍ପ ନିକଟ ପରିମଳ ଉପଚାର ସୁବିଧା କେନ୍ଦ୍ରରେ ଏକ ସ୍ୱଚ୍ଛତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱଚ୍ଛତା ସଚେତନତା ଶିବିର କାର୍ଯ୍ୟକ୍ରମ ଭାରତୀୟ ସ୍ୱଚ୍ଛତା ସଂଘର ଆହ୍ବାନ କ୍ରମେ ରେଢ଼ାଖୋଲ ଏନଏସି ପକ୍ଷରୁ  ରାଣୀ ଅନ୍ନପୂର୍ଣ୍ଣା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ବିଦ୍ୟାଳୟର ଛାତ୍ରୀ ମାନେ ୱେଲଥ ସେଣ୍ଟର ପରିଦର୍ଶନ କରି କିପରି ଭାବରେ ଅଦା ଓ ଶୁଖିଲା ମଇଳା ରୁ ଜୈବିକ ସାର ପ୍ରସ୍ତୁତି ହୁଏ ଏହି ବିଷୟରେ ଛାତ୍ରୀ ମାନଙ୍କୁ ଜଣାଇ ସଚେତନତା କରାଯାଇଥିଲା।

ଏହି ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ରେ ରେଢ଼ାଖୋଲ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କନିକା ଚକ୍ରବର୍ତ୍ତୀ, ଏନଏସି ଅଧ୍ୟକ୍ଷ ଶିବରାମ ସାହୁ, ଏନଏସି ଉପାଧ୍ୟକ୍ଷା ଅନୁଷୟା ପ୍ରଧାନ, ପରିମଳ ବିଶେଷଜ୍ଞ ଜ୍ୟୋତି ରଞ୍ଜନ ବେହେରା, ସମସ୍ତ ସ୍ୱଚ୍ଛ ସାଥୀ ସହିତ ଏନଏସି କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରି ଅଭିଯୋଗରେ ୨ ଗିରଫ, ୩ ବାଇକ୍ ଉଦ୍ଧାର

କନ୍ଦର୍ପ ବେହେରା

ରେଢ଼ାଖୋଲ: ରେଢ଼ାଖୋଲ ସହରରୁ ବାଇକ୍ ଚୋରି ଅଭିଯୋଗରେ ପୋଲିସ ୩ ଟି ଚୋରି ହୋଇଥିବା ବାଇକ୍ ଉଦ୍ଧାର କରିଥିବାବେଳେ ୨ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ କୁମାର ମେହେର ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।

ପୋଲିସ୍ ସୂତ୍ରରୁ ଜଣା ପଡ଼ିଛି ଯେ, ଗତ ଅଗଷ୍ଟ ୩ ତାରିଖରେ ରେଢ଼ାଖୋଲ ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ଜଣେ ତହସିଲ କର୍ମଚାରୀଙ୍କ ଏକ ହୋଣ୍ଡା ବାଇକ୍ ଚୋରି ହୋଇଥିଲା। ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ପୋଲିସ୍ ଘଟଣାଟିକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲ। ପୁଣି ଗତ ୧୦ ତାରିଖରେ ରେଢ଼ାଖୋଲ ସାପ୍ତାହିକ ବଜାରରୁ ଏକ ପେସନ ପ୍ରୋ ଗାଡ଼ି ଚୋରି ହୋଇଥିଲା। ଏନେଇ ପୋଲିସ ସହରର ସିସିଟିଭି ଫୁଟେଜରୁ ଜାଣିବାକୁ ପାଇଥିଲା ଯେ ଯୁଯୋମୁରା ଅଞ୍ଚଳର ଜଣେ ବ୍ୟକ୍ତି ଲଗାତାର ଭାବେ ରେଢ଼ାଖୋଲ ଅଞ୍ଚଳରୁ ବାଇକ୍ ଚୋରି କରିନେଉଛି।

ପୋଲିସ ଏହାର ତଦନ୍ତ କରି ଯୁଯୁମୁରା ଅଞ୍ଚଳରୁ ଗୋଟିଏ ଓ ରେଢ଼ାଖୋଲ ଅଞ୍ଚଳରୁ ୨ ଟି ଚୋରି ହୋଇଥିବା ବାଇକ୍ ଉଦ୍ଧାର କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଯୁଯୁମୁରା ଥାନା ବସିଆପଡା ଗ୍ରାମର ରାମ କୁମାର ପଣ୍ଡା ଏବଂ ଚୋରି ବାଇକ୍ କିଣିଥିବା ସୋନପୁର ଜିଲ୍ଲା ବିରମହାରାଜପୁର ଥାନା ମସିନା ପାଲି ଗ୍ରାମର ସତ୍ୟ ଘୁଟା।‌ ଅଭିଯୁକ୍ତ ରାମକୁମାର ପଣ୍ଡାଙ୍କ ନାମରେ ପୂର୍ବରୁ ରେଢ଼ାଖୋଲ, ଯୁଯୁମୁରା, ସୋନପୁର, ବୀରମହାରାଜପୁର ଓ ଉଲୁଣ୍ଡା ଥାନାରେ ଏକାଧିକ ବାଇକ୍ ଚୋରି ମାମଲା ଥିବା ଜଣାପଡିଛି। ଅଭିଯୁକ୍ତ ରାମକୁମାର ପଣ୍ଡା ବାଇକ୍ ଚୋରିକରି ୫ରୁ ୧୦ ହଜାର ଟଙ୍କାରେ ଗଞେଇ ମାଫିଆଙ୍କୁ ବିକ୍ରି କରିଥାଏ ବୋଲି ତଦନ୍ତରୁ ଜଣାପଡ଼ିଛି।

ରେଢ଼ାଖୋଲ ପୋଲିସ କେସ ନଂ ୧୬୬/୨୨ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି। ଏହି ପ୍ରେସ ବିବୃତିରେ ରେଢ଼ାଖୋଲ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ, ତଦନ୍ତ କାରୀ ଅଧିକାରୀ ଇଶ୍ଵର ଚନ୍ଦ୍ର ନାଏକ, ସବ ଇନ୍ସପେକ୍ଟର ସଞ୍ଜୟ କୁଲୁ, ଏଏସ‌ଆଇ ମୋହନ ସାହୁ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାବାସ ଓ ୫୦ ହଜାର ଅର୍ଥ ଦଣ୍ଡ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ସ୍ଥାନୀୟ ସିଭିଲ କୋର୍ଟର ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାବାସ ସହିତ ୫୦ ହଜାର ଟଙ୍କା ଅର୍ଥ ଦଣ୍ଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶୁଣାଣୀ କରିଛନ୍ତି। ସୂଚନା ଯୋଗ୍ୟ ଯେ ୨୦୨୦ ମସିହାରେ କିସିଣ୍ଡା ଥାନା କେଶ ନଂ ୨୨/୨୦ ରେ ଖଣ୍ଡିବାହାଳ ଗ୍ରାମର ଗୌତମ ମାଝି (୪୦) ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ। ଗୌତମଙ୍କ ନିଜ ସ୍ତ୍ରୀ ସହିତ ଜଣେ ଯୁବକ ପରକ୍ରୀୟା ପ୍ରୀତି ସନ୍ଦେହରେ ଯୁବକ ଭୀମସେନ ସ୍ୱାଇଁ (୩୦) ଙ୍କୁ ହତ୍ୟା କରିଥିଲେ।

ଏହି ହତ୍ୟା ଅଭିଯୋଗରେ ସମସ୍ତ ସାକ୍ଷୀ ଓ ପୋଲିସ୍ ବୟାନକୁ ଭତ୍ତିକରି ଦୌରା ଜଜ୍ ଆଜୀବନ କାରାବାସ ସହିତ ୫୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅର୍ଥ ପୈଠ ନ କଲେ ଆଉ ୩ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଯାଇଛି। ଏଥିରେ ସରକାରୀ ଓକିଲ ଭାବରେ ନାରାୟଣ ତ୍ରିପାଠୀ ନିଯୁକ୍ତି ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଶାସନ ଶୁଣିଲାନି, ଗାଁ ଲୋକେ ମିଶି ତିଆରି କଲେ ତିନୋଟି କାଠ ପୋଲ

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଗାଁ ମାନଙ୍କର ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଥି ସକାଶେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କୌଣସି କାମରେ ଆସୁନି। ରାଜନୈତିକ ନେତା ମାନେ ଗାଁ କୁ ଗାଁ ଯାଇ ଅଭାବ ଅସୁବିଧା ସଂପର୍କରେ ବୁଝା ସୁଝା କରିବା ଏଠି ସାତ ସପନ। କେବଳ କିଛି ଠିକାଦାର ସେମାନଙ୍କର ହାତବାରିସୀ ସାଜିଛନ୍ତି। ଯେଉଁଠି ବିକାଶ ହେବା କଥା ସେଇଠି କାମ ହେଉନି। ଏଥି ସକାଶେ ଅତୀତରେ ନାକଟିଦେଉଳ ବ୍ଲକ୍ ରେ ମାଓ ମାନଙ୍କର ସଂଗଠନ ଗଢି ଉଠିଥିଲା। ମାଓ କବଳରେ ନାକଟିଦେଉଳ ଅତୀତରେ ଥିଲା। ମାଓ ମାନଙ୍କ ପାଇଁ ବହୁ ରାସ୍ତା, ପୋଲ ହୋଇଥିବା ବେଳେ ମାଓ ସଂଗଠନ ନିରବି ଯିବାରୁ ସବୁ ଫସର ଫାଟିଯାଇଛି।

ସେମିତି ଗାଁ ରହିଛି ନାକଟିଦେଉଳ ବ୍ଲକ୍‌ରେ ଯେଉଁ ଗାଁ କୁ ବର୍ଷା ଦିନେ ଯିବାକୁ ରାସ୍ତା ନାହିଁ କି ପୋଲ ବି ନାହିଁ। ସେଇ ଗାଁ ଗୁଡିକ ହେଲା କେଲୋ ବଳମ୍ ପଂଚାୟତର ବେତଝରଣ, ଧଳତଇଲା, ଡିମିରିିକୁଦା, ରଞା, ଗଞାବାହାଳ ଏବଂ ନୂତନ ଗଞାବାହାଳ। ଏହି ଗ୍ରାମ ଗୁଡିକ ବର୍ଷା ଦିନରେ ବ୍ଲକ୍ ପ୍ରଶାସନ ଠାରୁ ବିଚ୍ଛିନ୍ନ ହୋଇପଡେ ନାଳ ଥିବାରୁ। ଗ୍ରାମବାସୀ ବାଧ୍ୟ ହୋଇ ପାଖା ପାଖି ୨୫ ରୁ ୩୦ କିଲୋମିଟର ଦେଇ ନାକଟିଦେଉଳ ବ୍ଲକ୍ କୁ ଆସିଥାନ୍ତି। ଏହି ଗ୍ରାମ ଗୁଡିକର ମୁଖ୍ୟ ପ୍ରତିବନ୍ଧକ ହେଲା ଝରଝରି ନାଳ। ସେଇ ଗୋଟିଏ ନାଳ ଏହି ଗାଁ ଗୁଡିକୁ ୩ ଟି ସ୍ଥାନରେ ପ୍ରତିବନ୍ଧକ ସୃଷ୍ଟି କରୁଛି।

ଗାଁ ଲୋକମାନେ ବାଧ୍ୟହୋଇ ତିନୋଟି ସ୍ଥାନରେ ପୋଲ ନିର୍ମାଣ କରି ବ୍ଲକ୍ କାର୍ଯ୍ୟାଳୟକୁ ଯିବା ଆସିବା କରୁଛନ୍ତି। ଏହି କାଠ ପୋଲ ପାଇଁ ବ୍ଲକ୍ ପ୍ରଶାସନ ଗୋଟିଏ ବି ଟଙ୍କା ଦେଇ ନ ଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏହି ଗାଁ ଗୁଡିକର ଲୋକଙ୍କ କଥା କୌଣସି ନେତା ଶୁଣୁ ନ ଥିବା ଅଭିଯୋଗ ହେଉଛି। ଭୋଟ ଆସିଲେ ହାତୀ ଦେବୁ ଘୋଡା ଦେବୁ କହି ନେତା ମାନେ ଭୋଟ ଭିକ୍ଷା କରି ପାଂଚ ବର୍ଷ ପର୍ଯ୍ୟନ୍ତ ଆଉ ଦେଖା ଦିଅନ୍ତି ନାହିଁ। ବର୍ଷା ହେଲେ ଏହି ଗାଁ ଗୁଡିକର ପାଖା ପାଖି ୭୦୦ ଲୋକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେଇ ନାଳ ଉପରେ ପୋଲ ନିର୍ମାଣ ହେଲେ ବ୍ଲକ୍ ଏବଂ ଡାକ୍ତରଖାନାକୁକୁ ଆସିବା ପାଇଁ ୯ କିଲୋମିଟର କମିଯିବ।

ଏହି ଗାଁ ଗୁଡିକରେ ପିଇବା ପାଣିର ଘୋର ଅଭାବଦେଖା ଯାଇଛି। ବର୍ଷା ଦିନେ ଗାଁ ଗୁଡିକୁ ଆମ୍ବଲାନସ୍ ଆସିପାରେ ନାହିଁ। ଆମ୍ବୁଲାନସ୍ ଆସୁପାରି ନ ଥିବାରୁ ରୋଗୀ ମୃତ୍ୟୁ ମୁଖରେ ପଡେ। ଗାଁ ରେ ଥିବା ଛାତ୍ରଛାତ୍ରୀମାନେ ପାଠ ପଢାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ଏହି ଗାଁ ଗୁଡିକ କିପରି ବର୍ଷା ଦିନେ ସୁବିଧାରେ ଯାଇ ପାରିବେ ପ୍ରଶାସନ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ପ୍ରଶାସନ ଧ୍ୟାନ ନ ଦେବାରୁ ଗ୍ରାମବାସୀ ବାଧ୍ୟ ହୋଇ ୩ ଟି ସ୍ଥାନରେ କାଠ ପୋଲ ନର୍ମାଣ କରି ବିପଦସଙ୍କୁଳ ଅବସ୍ଥାରେ ଯିବା ଆସିବା କରିୁୁଛନ୍ତି। ସରକାର ଏହି ଗାଁ ସଂଯୋଗ କରୁଥିବା ଝର୍‌ଝରି ନାଳ ଉପରେ ପୋଲ ନିର୍ମାଣ କରିବାକୁ ଗ୍ରାମବାସି ଦାବୀ କରିଛନ୍ତି। ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ପଛାଇବେ ନାହିଁ ବୋଲି ଗ୍ରାମବାସୀମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରେଢାଖୋଲ ଭୀମ ଭୋଇ କଲେଜରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଲୟ ଅଧ୍ୟୟନ କେନ୍ଦ୍ର ଉଦ୍‌ଘାଟିତ

କନ୍ଦର୍ପ ବେହେରା

ରେଢାଖୋଲ: ରେଢାଖୋଲ ଭୀମ ଭୋଇ ମହାବିଦ୍ୟାଳୟରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି।

ରେଢାଖୋଲ ଭୀମଭୋଇ କଲେଜରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଇଂ ରୋହିତ କୁମାର ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଧ୍ୟୟନ କେନ୍ଦ୍ର ପାଇଁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ ର ଉଦ୍‌ଘାଟନ କରିଥିଲେ। ଏହା ସହିତ ଉଦ୍‌ଘାଟନୀ ସମାରୋହରେ ଭୀମଭୋଇ ମହାବିଦ୍ୟାଲୟ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠିତ କରିବା ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲେ।

ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଡଃ ଅର୍କ କୁମାର ଦାସ ମହାପାତ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମୁକ୍ତ ବିଶ୍ୱବିଦ୍ୟାଳୟର ଆଭିମୁଖ୍ୟ ଏବଂ ଭବିଷ୍ୟତର ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ଏଠାରେ ମୁକ୍ତ ବିଶ୍ୱ ବିଦ୍ୟାଳୟ ହେବା ଦ୍ୱାରା ଗ୍ରାମାଂଚଳର ପିଲାମାନେ ପାଠ ପଢିବାର ସୁଯୋଗ ପାଇ ପାରିବେ ବୋଲି ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳ ସଚିବ ପ୍ରଫେସର ଡ. ମାନସ ରଞନ ପୂଜାରୀ, ଆଂଚଳିକ ଶିକ୍ଷା ନିର୍ଦ୍ଦେଶକ ସମ୍ବଲପୁର ପ୍ରଫେସର ଡ.ପ୍ରଭାବତୀ ଗୁରୁ ସ୍ୱତନ୍ତ୍ର ଅତିଥି, ରେଢାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇ ଏହି କେନ୍ଦ୍ର ହେବା ଦ୍ୱାରା ଅଂଚଳରେ ଶିକ୍ଷାର ବିକାଶ ଏବଂ ପ୍ରସାରରେ ସହାୟତା ହେବ ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲିପ କୁମାର ଦାଶ ଅଧ୍ୟକ୍ଷତା  କରିଥିବା ବେଳେ ଅଧ୍ୟାପକ ଅଞ୍ଜନ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟୟନ କେନ୍ଦ୍ରର ସଂଯୋଜକ ଅଧ୍ୟାପକ ରାମଚନ୍ଦ୍ର ଭୋଇ, ଡ. ଦିବ୍ୟଲୋଚନ ରାଉତ, ଡ.ରବି ଚନ୍ଦ୍ର ସିଂ, ଉମାକନ୍ତ ସ୍ୱାଇଁ, ମୋତିଲାଲ୍ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବେଆଇନ କଫ ସିରଫ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ଗିରଫ

କନ୍ଦର୍ପ ବେହେରା

ରେଢ଼ାଖୋଲ:  ବେଆଇନ ନିଶା କାରବାର କଫ ସିରଫ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛି ରେଢ଼ାଖୋଲ ପୋଲିସ। ସୂଚନା ଯୋଗ୍ୟ ଯେ ବୌଦ୍ଧ ଅଞ୍ଚଳ ରୁ କଫ ସିରଫ୍ ଧରି ଦୁଇ ଅଭିଯୁକ୍ତ ରେଢ଼ାଖୋଲ ପଟକୁ ଆସୁଥିବା ବେଳେ ରେଢ଼ାଖୋଲ ପୋଲିସ୍ ସେମାନଙ୍କୁ ଧରିଥିଲା।

ଅଭିଯୁକ୍ତ ମାନେ ହେଲେ  ସମ୍ବଲପୁର ଜିଲ୍ଲା ଅଁଇଠାପାଲି ଥାନା ବୁଢ଼ାରଜା ଅନ୍ତର୍ଗତ ପ୍ରଧାନପଡା ର ଡବୁଲୁ ଦାସ(୩୦) ଏବଂ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବଗିଚା ସାହିର ସିତାଂସୁ ଶେଖର ପୁରୋହିତ(୫୧) କୁ ଗିରଫ କରିଛି। ଅଭିଯୁକ୍ତ ମାନେ  କଫସିରଫ  ତଥା ବିଭିନ୍ନ ନିଶା କାରବାର ରେ ଜଡିତ ଥିବା ଜଣାପଡିଛି।

ଜଣେ ଅଭିଯୁକ୍ତର  ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ କୋଭିଡ ଟେଷ୍ଟ, ତଥା ସ୍ବାସ୍ଥ୍ୟଯାଞ୍ଚ ପାଇଁ ପୋଲିସ ପ୍ରଥମେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲା ହେଲେ ଅଭିଯୁକ୍ତ ଡବୁଲୁ ଦାସ କୈାଣସି ମତେ ସେଠାରୁ ପୋଲିସ କୁ ଚକମା ଦେଇ ଦଉଡ଼ି ଖସି ପଳାଇବାକୁ ଚେଷ୍ଟା କରିଥିଲା ।

କିନ୍ତୁ ପୋଲିସ ତାକୁ ଗୋଡ଼ାଇ ଗୋଡ଼ାଇ ପୁଣି ଧରିବାରେ ସଫଳ ହୋଇଥିଲା। ପୋଲିସ୍ ର ଅବହେଳା ଯୋଗୁଁ ନିଶାବେପାରୀ ଡାକ୍ତରଖାନା ଭିତରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିବାରୁ ପୋଲିସ୍ ପ୍ରତି ସନ୍ଦେହ ସ୍ରୁଷ୍ଟି ହେଉଛି। ଏହି ଭଳି ଏକ ନିଶା ବେପାରି ଓ ପୋଲିସ ଛକାପଞ୍ଝା ଯୋଗୁଁ ରେଢ଼ାଖୋଲ ଅଞ୍ଚଳ ରେ ବେଶ୍ ଚର୍ଚ୍ଚା ବିଷୟ ପାଲଟିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ଓ ଶିକ୍ଷା ନିଗମ ପକ୍ଷରୁ ଉଦଘାଟନୀ ଉତ୍ସବ ପାଳିତ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ହାଟପଦା ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଶନିବାର ଦିନ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଓ ଶିକ୍ଷା ନିଗମ ପକ୍ଷରୁ ଉଦଘାଟନୀ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ଯୋଗ ଦେଇଥିଲେ। ନାରୀ ସଶକ୍ତିକରଣ ମହିଳା ମାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଓ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ମୁଖ୍ୟ ଲକ୍ଷ୍ୟ ବୋଲି ଟ୍ରଷ୍ଟ ପକ୍ଷରୁ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଓ ଶିକ୍ଷା ନିଗମ ର ସମ୍ପାଦକ ଜୟଦେବ ବେହେରା, ମୁଖ୍ୟ ପ୍ରକଳ୍ପ ଅଧିକାରୀ ଦୂର୍ଗା ପ୍ରସାଦ ତ୍ରିପାଠୀ, ସମ୍ବଲପୁର ଜିଲ୍ଲା ସଂଯୋଜିକା ସୁଜାତା ବିଶ୍ଵାଳ,  ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ରୁଦ୍ର ନାରାୟଣ ଶତପଥୀ, ନାକଟିଦେଉଳ ବ୍ଲକ ସଂଯୋଜିକା ମାନିନୀ ବଘାର, ରେଢ଼ାଖୋଲ ବ୍ଲକ ସଂଯୋଜିକା ଗାୟତ୍ରୀ ବେହେରା, ଯୁଯୁମୁରା ବ୍ଲକ ସଂଯୋଜକ ଶ୍ରୀକାନ୍ତ ବିଶ୍ଵାଳ, ମାନେଶ୍ୱର ବ୍ଲକ ସଂଯୋଜକ କିଶୋର ଚନ୍ଦ୍ର ପ୍ରଧାନ, ରେଙ୍ଗାଲି ବ୍ଲକ ସଂଯୋଜକ ଯୋଗେଶ୍ୱର ଘିବିଲା ଏବଂ ୫ ଟି ବ୍ଲକର ମହିଳା ମିତ୍ର ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମ କୁ ଯୋଗେଶ୍ୱର ଘିବିଲା ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ଅନାମ ବଗର୍ତ୍ତୀ ସାଜସଜ୍ଜା ସହ ସମସ୍ତ ପ୍ରକାର ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅନୁଦାନ ଦାଵୀରେ ମହାଵିଦ୍ୟାଳୟ ଆଗରେ ଧାରଣା

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢାଖୋଲ ଉପଖଣ୍ଡ ଅନ୍ତର୍ଗତ ନାକ୍ଟିଦେଉଳ ବ୍ଲକ୍ ର ସର୍ବ ପୂରାତନ ଶିକ୍ଷା ଅନୁଷ୍ଠାନ ନାକ୍ଟିଦେଉଳ ମହାବିଦ୍ୟାଳୟ ସମ୍ମୁଖରେ ତା ୨୨.୭.୨୦୨୨ ରିଖ ଦିନ ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ଓ ସ୍ନାତକ ମହାଵିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ୨୦୦୮ ପରବର୍ତ୍ତୀ ସମୟର ଅନୁଦାନ ପ୍ରଦାନ ଦାଵୀରେ ଧାରଣାରେ ଵସି ଥିଲେ। ଓଡ଼ିଶା ରାଜ୍ୟ ଵେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଡାକରା ରେ ଏହି ସତ୍ୟାଗ୍ରହ ଓ ଧାରଣା ଆୟୋଜିତ ହୋଇଥିଲା।

ଉକ୍ତ ଧାରଣାରେ ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟର ପରୀକ୍ଷାଗାର ସହାୟକ ଜିତେନ୍ଦ୍ର ପଣ୍ଡା, ଅଫିସ୍ ସହାୟକ ଅମିତ୍ ବିଶ୍ଵାଳ ଓ ସ୍ନାତକ ମହାଵିଦ୍ୟାଳୟ ର ଅଧ୍ୟାପିକା ପୁଷ୍ପାଞ୍ଜଳି ରଵନା ଏବଂ ଅଧ୍ୟାପକ ଭଜମୋହନ ପ୍ରଧାନ ଭାଗ ନେଇଥିଲେ। ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଡାକରାରେ ୯୬ ଦିନ ଧରି ଭୁବନେଶ୍ୱର ରେ ଧାରଣା ଦିଆଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସମାଧାନ କରାଯାଇ ନାହିଁ। ୨୦୦୮ ରୁ ପରିଚାଳନା କମିଟି ତରଫ ରୁ ନିଯୁକ୍ତି ପାଇଥିବା ସବୁ ମହାବିଦ୍ୟାଳୟ ର ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ଅନୁଦାନ ଦେଵା ଲାଗି ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ ଉଦ୍ଦେଶ୍ୟରେ ସତ୍ୟାଗ୍ରହ ଚାଲୁ ରହିଛି।

Categories
ଆଞ୍ଚଳିକ

ସମ୍ବଲପୁର ପୋଲିସ ଦ୍ବାରା କିସିଣ୍ଡାରେ ରକ୍ତଦାନ ଶିବିର

କନ୍ଦର୍ପ ବେହେରା
ରେଢ଼ାଖୋଲ: କିସିଣ୍ଡା ଥାନା ରେ ମୋ ସରକାର ୫ଟି ସେଲ ସମ୍ବଲପୁର ଦ୍ଵାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା। ଏହି ଶିବିରକୁ ଏସଡିପିଓ ରେଢ଼ାଖୋଲ ପ୍ରଶାନ୍ତ କୁମାର ମେହେର ଉଦଘାଟନ କରିଥିବାବେଳେ ଆଇଆଇସି ପ୍ରଶାନ୍ତ ସାମଲ ଉପସ୍ଥିତ ଥିଲେ।

ଏହି ଶିବିରରେ ସର୍ବମୋଟ ୮୨ ୟୁନିଟ ରକ୍ତ ସଂଗ୍ରହ କରା ଯାଇଛି। ଏହି ଶିବିରକୁ ବୁର୍ଲା ରକ୍ତ ଭଣ୍ଡାରର ଡାକ୍ତର ପ୍ରତୀକ ପ୍ରିୟବ୍ରତ, ଦେବାଶିଷ ମିଶ୍ର, ମଣ୍ଟୁ ପ୍ରଧାନ, ପାଇନୁ ଭୋଇ, ସ୍ମୃତି ପଟ୍ଟନାୟକ ଏବଂ ଜନକ ବେହେରା ପରିଚାଳନା କରିଥିଲେ। ହାବିଲଦାର ଏବଂ କନେଷ୍ଟବଳ ଶାଖା ସଂଘ ସଭାପତି ରାମଦାସ ପଣ୍ଡାଙ୍କ ସଂଯୋଜନାରେ ଏହି ଶିବିର ଆୟୋଜନ କରାଯାଇଥିଲl।

ଏହି ଶିବିରକୁ ପାଣିମୋରା ସରପଞ୍ଚ ଜଗନ୍ନାଥ ସାହୁ, ଗିରିଶ୍ଚନ୍ଦ୍ରପୂର୍ ସରପଞ୍ଚ ଶୁଭେନ୍ଦୁ ପ୍ରଧାନ, କିସିଣ୍ଡା ଥାନାର ସମସ୍ତ କର୍ମଚାରୀ, ସ୍ଵାଧୀନ ପ୍ରଧାନ ଏବଂ ସ୍ଥାନୀୟ ଲୋକ ସହଯୋଗ କରିଥିଲେ। ଏସଡିପିଓ ପ୍ରଶାନ୍ତ ମେହେର ରକ୍ତଦାତା ମାନଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ବୀରେନ ପ୍ରଧାନ, ଶଙ୍କର ନାୟକ, ଅକ୍ଷୟ ନାୟକ, ଅତୁଲ୍ୟ ରାଉଳ, ପ୍ରମୋଦ ମାଝୀ ଏବଂ ନେତ୍ରାନନ୍ଦ ରାଉଳ ଶିବିରରେ ସହଯୋଗ କରିଥିଲେ। ରକ୍ତ ଅଭାବରେ କାହାରି ଜୀବନ ନ ଯାଉ ଏହା ହିଁ ସମ୍ବଲପୁର ପୋଲିସ ର ଉଦେଶ୍ୟ। ପୋଲିସର ଏହି ଶିବିରକୁ ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

ଶେଷରେ ସମସ୍ତ ରକ୍ତଦାତା ଏବଂ ସହଯୋଗୀ ମାନଙ୍କୁ ଆଇଆଇସି ପ୍ରଶାନ୍ତ ସାମଲ ଧନ୍ୟବାଦ୍ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରେଢାଖୋଲ: ଏସ୍‌ଡିଏମ୍‌ଓ ମାସ ମାସ ଅନୁପସ୍ଥିତ, ସ୍ୱାସ୍ଥ୍ୟ ସେବା ବ୍ୟପର୍ଯ୍ୟସ୍ତ

କନ୍ଦର୍ପ ବେହେରା

ରେଢାଖୋଲ: ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେବା ସହ ଏଥି ସକାଶେ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି। ହେଲେ ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତି ଯୋଗୁଁ  ରୋଗୀମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଏପରି ଏକ ନିଚ୍ଛକ ଘଟଣା ରେଢାଖୋଲ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ଏଠାକାର ଏସ୍‌ଡିଏମ୍‌ଓ ମାସାଧିକ କାଳ ଅନୁପସ୍ଥିତ ରହୁଥିବା ବେଳେ କୈାଣସି ରାଜନୈତିକ ନେତାଙ୍କର ଏ ଯାଏଁ ନଜରକୁ ଆସି ନଥିବା ଘଟଣା ଜଣା ପଡିଛି।

ଅନୁସନ୍ଧାନରୁ ଯାହା ଜଣା ପଡିଛି, ମୁରବି ଥାଇ ନ ଥିଲା ପରି ଚାଲିଛି ସମ୍ବଲପୁର ଜିଲ୍ଲାର ଉପଖଣ୍ଡ ଚିକିତ୍ସାଳୟ ରେଢାଖୋଲ ଡାକ୍ତର ଖାନା। କାରଣ ଏହାର ଏସ.ଡି.ଏମ. ଓ ଡାକ୍ତର ଜଳନ୍ଧର ମେହେର କେବେ ଡାକ୍ତରଖାନା ଆସନ୍ତି ଆଉ କେବେ ଆସନ୍ତିନି ଜାଣିବା ମୁସକିଲ। ନିଜ ଭବାନିପାଟଣା ସ୍ଥିତ କ୍ଲିନିକରେ ମାସର ଅନେକ ଦିନ ଉପସ୍ଥିତ ରୁହନ୍ତି ବୋଲି ଜଣା ପଡିଛି। ଡାକ୍ତର ମେହେର ଯେ, ବର୍ଷେ ହେଲା ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ବଦଳି ହୋଇଛନ୍ତି ଭବାନିପାଟଣା ବାସି ଶୁଣି ଆଶ୍ଚର୍ଯ୍ୟ ହୁଅନ୍ତି।

ଅପର ପକ୍ଷରେ ରେଢାଖୋଲ ହସ୍ପିଟାଲରେ ରୋଗୀ ହେଉକି, ସାମ୍ବାଦିକ ଯିଏ ଏସ ଡି ଏମଙ୍କୁ ଭେଟିବାକୁ ଚାହିଁଲେ ଗୁରୁବାର ଆସିବାକୁ କୁହନ୍ତି। ଗୁରୁବାର ପରେ ସେ ଦିନେ କି ଦୁଇଦିନ ରହି ଶନିବାରକୁ ଆଉ ନ ଥାନ୍ତି, ଫଳ ସ୍ୱରୁପ ରୋଗୀ ଓ ସମ୍ପର୍କିୟ ମାନେ ଅନେକ ସମୟରେ ହଇରାଣ ହରକତ ହୁଅନ୍ତି।

ଏଇ ଗତ ୧୬/୦୫/୨୨ ର କଥା  ରେଢାଖୋଲ ହସ୍ପିଟାଲରେ ଅତାବିରା ଅଂଚଳର ଜଣଙ୍କର ଶବ ଘଂଟା ଘଂଟା ଧରି ଶବବାହକ ଗାଡି ନ ପାଇ ପଡି ରହିଲା। ସେତେବେଳକୁ ଡାକ୍ତର ମେହେର ଭବାନିପାଟଣାରେ ଥିବା ବେଳେ,ଏକମାତ୍ର  ଡ୍ରାଇଭର ୨ଦିନ ଛୁଟିରେ ଯାଇଥିଲେ, ଡ୍ରାଇଭର ଜଣଙ୍କ ଦଶମାସ ହେଲା ଦରମା ପାଇନଥିବା ବେଳେ ତାଙ୍କ ଛୁଟି ସମୟରେ ସ୍ୱାସ୍ଥ୍ୟ ପ୍ରଶାସନ ତରଫରୁ କୌଣସି ବିକଳ୍ପ ବ୍ୟବସ୍ଥା ହୋଇନଥିଲା, ଯାହା ସ୍ୱାସ୍ଥ୍ୟ ପ୍ରଶାସନର ଅପାରଗତାକୁ ପଦାରେ ପକେଇ ଦେଇଥିଲା। ଏଠାକାର ସ୍ଥାନିୟ ବୁଦ୍ଧିଜୀବି ଘୋର ନିନ୍ଦା କରିଥିବା ବେଳେ  ଶେଷରେ ଛୁଟିରେ ଥିବା ଡ୍ରାଇଭରକୁ ଡକାଇ ଶବକୁ ଘରକୁ ପଠାଗଲା। ଶେଷଯାଏ ଡାକ୍ତର ମେହେରଙ୍କ ଦେଖା ମିଳିନଥିଲା।

ଡାକ୍ତରଖାନାରେ ରୋଗୀଙ୍କ ପ୍ରତି ଅବହେଳାକୁ ଖବର କାଗଜରେ ପ୍ରକାଶ କଲେ, ଡାକ୍ତର ମେହେରଙ୍କ ଦୁବ୍ୟବହାରର ଶିକାର ହେବାକୁ ପଡେ ବୋଲି କୁହନ୍ତି ସ୍ଥାନୀୟ ସାମ୍ବାଦିକ। ନିଜ ପତିଙ୍କ ସୁବିଧା ଅସୁବିଧା କେବେ ନ ବୁଝି, ସ୍ଥାନ କାଳ ପାତ୍ର ନ ଦେଖି ଡାକ୍ତର ମେହେର ମୋର ପତିଙ୍କୁ ବର୍ଷଟେ ହେଲା ଦୁର୍ବ୍ୟବହାର କରି ଆସୁଛନ୍ତି ବୋଲି କୁହନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରାମକୃଷ୍ଣ ପତିଙ୍କ ସ୍ତ୍ରୀ ମାନିନୀ ମିଶ୍ର।

ଡାକ୍ତର ମେହେର ଭବାନିପାଟଣାରେ ବେଶୀ ସମୟ ରହୁଥିବାରୁ ଖାଲି ଫୋନରେ ଅଧିକା  ଡ୍ୟୁଟି କର ବୋଲି ଧମକ ଦିଅନ୍ତି ଡାକ୍ତର ମେହେର ବୋଲି ଜଣା ପଡିଛି। ଦୁଇ ଦିନ ତଳେ ରେଢାଖୋଲରେ ସାପ୍ତାହିକ ବଜାରର ଦିନ ଥରବାରୁ ରୋଗୀଙ୍କ ସଂଖ୍ୟା ଅଧିକ ଥିଲା,ଡାକ୍ତର ପତି ସକାଳୁ ରାଉଣ୍ଡ ଦେଇ, ଡେ ଡ୍ୟୁଟି ଦିନ ୧୨ଟାରୁ ରାତି ଆଠଟା କରିବା ପରେ ଆଠଟାରୁ ରାତି ପାଖା ପାଖି ୯ଟା ଯାଏ ରାଉଣ୍ଡ ଦେଇ ଘରକୁ ଫେରିବା ବେଳକୁ ଖୁବ ମୁଣ୍ଡବ୍ୟଥା ହେଉଥିଲା, ଡାକ୍ତର ନିଜେ କଷ୍ଟରେ ଛଟପଟ ହେଉଥିବା ବେଳେ, ଏସଡିଏମଓ ଭବାନିପାଟଣାରୁ ଫୋନ କରି ମେଡିସିନ ରାଉଣ୍ଡ ଦେବାକୁ କହିଲେ, ଡାକ୍ତର ପତି ମୁଁ ଶାରୀରିକ ଭାବରେ ଅସମର୍ଥ ବୋଲି କହିବା ପରେ, ଏସଡିଏଓ ଦୁର୍ବ୍ୟବହାର କରି ଦେଖିନେବି ବୋଲି କହିଥିଲେ ବୋଲି ଡାକ୍ତର ପତିଙ୍କ ପତ୍ନୀ ମାନିନୀ ମିଶ୍ର ଅଭିଯୋଗ କରିଛନ୍ତି।

ଏପରି ପରିସ୍ଥିତିରେ ଜଣେ ଡାକ୍ତର କେମିତି ରେଢାଖୋଲରେ ରହି ରେଢାଖୋଲ ଜନସାଧାରଣଙ୍କୁ ସେବା ଦେବେ ବୋଲି ଦୁଃଖର ସହ ପ୍ରକାଶ କରିଛନ୍ତି ଶିଶୁରୋଗ ବିଶେଷଜ୍ଞଙ୍କ ପତ୍ନୀ ମାନିନୀ ମିଶ୍ର। ଠିକ ସେହିପରି ଅନେକ ସମୟରେ ହସପିଟାଲର ଷ୍ଟାପ ନିଜ ନାଁ କୁ ଗୋପନ ରଖି କୁହନ୍ତି ଯେ ସୁବିଧା ଅସୁବିଧା ବୁଝିବାକୁ କେହିବି ନାହାନ୍ତି, ଛୁଟିଟେ ନେବାକୁ ଏପ୍ଲିକେସନ ଦେବାକୁ କଣ ଭବାନିପାଟଣା ଯିବୁକି ବୋଲି ପ୍ରକାଶ କରିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମୁକ୍ତିଲାଭ କଲା ଆଦ୍ୟାଶା ମ୍ୟୁଜିକର ଦେଶାତ୍ମବୋଧକ ଗୀତ ‘ସୁନ୍ଦର ଓଡିଶା ଭୂଇଁ’

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଉପଖଣ୍ଡ କୁଡ଼ାନାଳୀ ଗ୍ରାମର ଆଦ୍ୟାଶା ମ୍ୟୁଜିକ ପକ୍ଷରୁ ପବିତ୍ର ରଜ ପର୍ବରେ ଏକ ଦେଶାତ୍ମବୋଧକ ଗୀତ ଲୋକାର୍ପିତ ହୋଇଛି। “ସୁନ୍ଦର ଓଡ଼ିଶା ଭୁଇଁ” ଶୀର୍ଷକ ଏହି ଗୀତ ଟିକୁ ସମ୍ବଲପୁର ମାନ୍ୟବର ସାଂସଦ ନିତେଶ ଗଙ୍ଗଦେବ ଆନୁଷ୍ଠାନିକ ଭାବେ ଲୋକାର୍ପିତ କରିବା ସହ ଦେଶାତ୍ମବୋଧକ ଗୀତଟି ସୁନ୍ଦର ହୋଇଛି ବୋଲି ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପ୍ରଯୋଜକ ସରୋଜ କୁମାର ରାଉତ ଓ ରଶ୍ମିତା ରାଉତ ଉପସ୍ଥିତ ରହି ଆଗାମୀ ଦିନରେ ଆଦ୍ୟାଶା ମ୍ୟୁଜିକ ପକ୍ଷରୁ ନବାଗତ କଳାକାର ମାନଙ୍କୁ ସୁଯୋଗ ଦିଆଯିବ ବୋଲି ପ୍ରକାଶ କରିଥିଲେ।

ଏହି ଗୀତ ଟିକୁ ଡକ୍ଟର ତନ୍ନୟ କୁମାର ରଚନା କରିଥିବେଳେ ସ୍ୱର ଦେଇଛନ୍ତି ସୀମାରାଣୀ ସାହୁ ଓ ତନ୍ମୟ କୁମାର, ସଙ୍ଗୀତ ନିର୍ଦ୍ଦେଶନା ଜିତେନ ଦେଇଥିବେଳେ ପ୍ରଯୋଜନା ପରିଚାଳନା କରିଛନ୍ତି ଆୟୁଷ ରଞ୍ଜନ ରାଉତ।

Categories
ଆଜିର ଖବର ରାଜ୍ୟ ଖବର

ସରପାଲ ଗ୍ରାମରେ ଅଘଟଣ, ପୋଖରୀରେ ବୁଡି ବାଳିକା ମୃତ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ସରପାଲ ଗ୍ରାମରେ ରବିବାର ସକାଳୁ ଗ୍ରାମର ପୋଖରୀ ରେ ବୁଡି ଜଣେ ବାଳିକାର ମୃତ୍ୟୁ ହୋଇଛି , ମୃତ ବାଳିକା ଜଣକ ହେଲେ ଅନୁଗୁଳ ଜିଲ୍ଲା କୋଶଲା ଅଞ୍ଚଳର ଝିଣ୍ଟିପାଲ ଗ୍ରାମର ସିନୁ ପ୍ରଧାନ ବୟସ ୫ ବର୍ଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ବାଳିକା ଜଣକ ନିଜ ମାଉସୀ ଘର ସରପାଲ ଗ୍ରାମ କୁ ଗତକାଲି ବୁଲିବାକୁ ଆସିଥିଲେ , ହେଲେ ଆଜି ସକାଳ ୧୦ ଘଟିକା ସମୟରେ ମାଉସୀ ଓ ଘରର ଅନ୍ୟ ଛୁଆମାନଙ୍କ ସାଙ୍ଗରେ ଗ୍ରାମରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଉଥିଲେ। ହେଲେ ଗାଧୋଉଥିବା ସମୟରେ ସିନୁ ପାଣି ଭିତରକୁ ଚାଲିଯାଇ ବୁଡିଯାଇଥିଲେ। ପାଖରେ ଗାଧୋଉଥିବା ମାଉସୀ ସିନୁ କୁ ଉଦ୍ଧାର କରି ରେଢ଼ାଖୋଲ ଡ଼ାକ୍ତରଖାନାକୁ ଆଣି ଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଚାରମାଳ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୭ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନଏସି ଅନ୍ତର୍ଗତ କେନ୍ଦୁକଟା ଗ୍ରାମ ନିକଟରୁ ବୁଧବାର ଦିନ ୭ କେଜି ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ସୂଚନା ଯୋଗ୍ୟ ଯେ, ଅବକାରୀ ବିଭାଗ ପକ୍ଷରୁ କେନ୍ଦୁକଟା ଗ୍ରାମ ନିକଟ ତାରିଣୀ ମନ୍ଦିର ସମ୍ମୁଖରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଅକ୍ଷୟ କୁମାର ବିଶି (୪୨) ଗ୍ରାମ ବଡ଼ିଗାଁ ଜିଲ୍ଲା ବୌଦ୍ଧ ବ୍ୟକ୍ତି ଜଣକ ରେଢ଼ାଖୋଲ ରେଳ ଷ୍ଟେସନ ଅଭିମୁଖେ ଆସୁଥିବା ବେଳେ ଅବକାରୀ ବିଭାଗ ଦେଖି ସନ୍ଦେହ ହେବାରୁ ଅଟକାଇ ଥିଲେ।

ଅଭିଯୁକ୍ତ ଅକ୍ଷୟ ପାଖରୁ ଏକ ବସ୍ତାରେ ୦୭ କେଜି ଗଞ୍ଜେଇ ଜବତ କରିବା ସହିତ ତାଙ୍କୁ ଗିରଫ କରାଯାଇଥିଲା।

ଏହି ପେଟ୍ରୋଲିଙ୍ଗରେ ଅବକାରୀ ବିଭାଗ ରେଢ଼ାଖୋଲ ଉପ ନିରୀକ୍ଷକ ବିଷ୍ଣୁ ଚରଣ ମଲ୍ଲିକ, ସହ ଉପ ନିରୀକ୍ଷକ ବିନୋଦିନୀ ବେହେରା, ଅବକାରୀ ବିଭାଗ ସିପାହୀ ଦେବ ରଞ୍ଜନ ବେହେରା ଓ ଶ୍ୟାମ ଭୋଇ ପ୍ରମୁଖ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱାଧିନତାର ଅମୃତ ମହୋତ୍ସବ ଅବସରରେ ବାଇକ୍ ରାଲି

କନ୍ଦର୍ପ ବେହେରା
ରେଢାଖୋଲ: ସ୍ୱାଧୀନତାରେ ୭୫ ବର୍ଷ ପାଳନ ଉପଲକ୍ଷେ ଦେଶରେ ଅମୃତ ମହୋତ୍ସବର ଜାଗରଣ ସୃଷ୍ଟି କରିବା ନିମନ୍ତେ ରେଢାଖୋଲରେ ଏକ ବାଇକ୍ ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାରା ଦେଶରେ ସର୍ବଭାରତୀୟ କ୍ରୀଡାଭାରତୀ ଆନୁକୁଲ୍ୟରେ କ୍ରିଡା ଶିକ୍ଷକ ନରେନ୍ଦ୍ର କୁମାର ଦେହୁରୀଙ୍କ ତତ୍ୱାବଧାନରେ ରେଢାଖୋଲ ଭୀମଭୋଇ ଛକଠାରୁ ଏକ ବାଇକ୍ ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ବାଇକ୍ ରାଲିରେ କ୍ରିଡା ଶିକ୍ଷକ ପ୍ରକାଶ ଚନ୍ଦ୍ର ପଣ୍ଡା, ସୁକାନ୍ତ ପ୍ରଧାନ, ଜୀବନାନନ୍ଦ ବେହେରା, ରଞ୍ଜନ କୁମାର ସାହୁ, କୁମୁଦ ବନ୍ଧୁ ସାହୁ, ବିରେନ୍ଦ୍ର ବେହେରା, ଆଶିଷ କୁମାର ବିଶ୍ୱାଳ ଓ ବିଜ୍ଞାନ ଶିକ୍ଷକ ଦୁଃଖିଶ୍ୟାମ ପ୍ରଧାନ ପ୍ରମୁଖ ବାଇକ୍ ରାଲିରେ ବଇଣ୍ଡା ପର୍ଯ୍ୟନ୍ତ ଯାଇଥିଲେ। ଏହି ବାଇକ୍ ରାଲିକୁ ରେଢାଖୋଲ ଏନ୍‌ଏସିର ଅଧ୍ୟକ୍ଷ ଶିବରାମ ସାହୁ ଉଦ୍ଘାଟନ କରିଥିଲେ।

ସମ୍ବଲପୁରରୁ ଆସୁଥିବା ଅନ୍ୟଏକ ବାଇକ୍ ରାଲି ଦଳକୁ ରେଢାଖୋଲରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ବାଇକ୍ ରାଲିରେ ଯାଉଥିବା ବେଳେ ନିକଟସ୍ଥ ରାଜପଥ ରେ ଥିବା ସ୍ୱାଧୀନତା ସଂଗ୍ରାମୀ, ଶହୀଦ ମାନଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ସହ ସେମାନଙ୍କ ଦେଶ ପ୍ରତି ଥିବା ବଳିଦାନ ଓ ତ୍ୟାଗ ସଂପର୍କରେ ସ୍ମୃତିଚାରଣ କରାଯାଉଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୧୩୯ ବିଡ଼ା କେନ୍ଦୁପତ୍ର ଜବତ କଲା ବନବିଭାଗ, ଚୋରା ବେପାରୀ ଫେରାର୍

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ କିସିଣ୍ଡା ରେଞ୍ଜର ପଥରଗୁଡ଼ା ଗ୍ରାମରୁ ବନବିଭାଗ ୧୩୯ ବିଡ଼ା କେନ୍ଦୁପତ୍ର ଜବତ କରିଥିବା ଜଣାପଡ଼ିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, କିସିଣ୍ଡା ରେଞ୍ଜର ପଥରଗୁଡ଼ା ଗ୍ରାମରେ ଗତକାଲି ରାତିରେ ଏକ ପିକ୍ଅପ୍ ରେ କେନ୍ଦୁପତ୍ର ଲୋଡ଼୍ ହେଉଥିବାର ବନବିଭାଗ ଖବର ପାଇ ଚଢ଼ଉ କରିଥିଲା। ବନବିଭାଗକୁ ଦେଖି ଚୋରାବେପାରୀମାନେ ଫେରାର୍ ହେବାରେ଼ ସକ୍ଷମ ହୋଇଥିଲେ। ବନବିଭାଗ ପିକ୍ଅପ୍ ଗାଡ଼ି (ଓଡ଼ି୧୫ପି ୧୧୮୫) କୁ ଜବତ କରି କିସିଣ୍ଡା ରେଞ୍ଜ ଅଫିସକୁ ଆଣିଥିଲା। ଚୋରା ବେପାରୀମାନେ ୧୩୯ ବିଡ଼ା କେନ୍ଦୁପତ୍ର ଗାଡ଼ିରେ ଲୋଡ଼୍ କରିଥିଲେ।

ଏହି ଚଢ଼ଉରେ କିସିଣ୍ଡା ରେଞ୍ଜ ଅଧିକାରୀ ସୁଶାନ୍ତ ବନ୍ଧ, କିସିଣ୍ଡା ଫରେଷ୍ଟର ସୁଜିତ୍ କୁମାର ପ୍ରଧାନ ତଥା ବନବିଭାଗର କର୍ମଚାରୀମାନେ ସାମିଲ୍ ହୋଇଥିଲେ। ପଥରଗୁଡ଼ା ଗ୍ରାମର ଲୋକମାନେ ଜଙ୍ଗଲଜମି ପଟ୍ଟା ପାଇ ସେଠାରେ ବସତିସ୍ଥାପନ କରୁଥିବା ବେଳେ ସେମାନେ ଏ ଅଂଚଳରୁ ବହୁ ସମୟରେ ଜଙ୍ଗଲଜାତ ଦ୍ରବ୍ୟ ଚୋରାଚାଲାଣ କରୁଥିବା ଅଭିଯୋଗ ହେଉଛି। ବନବିଭାଗ ଏକ ମାମଲା ରୁଜୁ କରି ଗାଡ଼ିକୁ ଜବତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢାଖୋଲ ରାସ୍ତାର ପଣ୍ଡକିମାଲ ଚ‌ଉରା ଛକରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ମୃତକ ଜଣଙ୍କ ହେଲେ ରେଢାଖୋଲ ଥାନା ପଣ୍ଡକିମାଳଗ୍ରାମ ମୁଣ୍ଡାସାହିର ମହେନ୍ଦ୍ର ମୁଣ୍ଡା। ସେ ରାତିରେ ପଣ୍ଡକିମାଳକୁ କୌଣସି ଏକ କାମରେ ଆସି ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡ଼ି ତାକୁ ଧକ୍କା ଦେଇ ଫେରାର୍ ହୋଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।

ଆଜି ଭୋରରୁ ଗ୍ରାମର କିଛି ଲୋକ ଶବ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ, ଦୁର୍ଘଟଣା ସ୍ଥଳରେ ରେଢ଼ାଖୋଲ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ରେଢ଼ାଖୋଲ ଉପଖଣ୍ଡ ଡ଼ାକ୍ତରଖାନାକୁ ଶବଟିକୁ ଆଣି ବ୍ୟବଚ୍ଛେଦ କରାଯାଇଥିଲା। ରେଢ଼ାଖୋଲ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣା ପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଡାକ୍ତରଖାନାରୁ ମିଳିଲାନି ଶବବାହକ ଗାଡ଼ି: ରାତିସାରା ବର୍ଷା, ପବନରେ ୧୦ ଘଣ୍ଟା ପଡି ରହିଲା ମୃତ ଦେହ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଦୀର୍ଘ ୧୦ ଘଣ୍ଟା ଧରି ଏକ ମୃତ ଦେହ ପଡି ରହିଥିବା ଦେଖିବାକୁ ମିଳିଛି। ରେଢାଖୋଲ ଡାକ୍ତରଖାନାରେ ଶବବାହକ ଗାଡ଼ି ଅଛି। କିନ୍ତୁ ଡ୍ରାଇଭର ଛୁଟିରେ ଥିବାରୁ ମୃତ ଶବଟି ଉଠି ପାରି ନ ଥିଲା।

ଖବର ମୁତାବକ ବରଗଡ ଜିଲ୍ଲା ଅତାବିରା ଥାନା କ୍ଷୀରାପାଲି ଗ୍ରାମର ହେମନ୍ତ ସେଠ ରକ୍ତ କର୍କଟ ରୋଗରେ ପିଡ଼ିତ ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିଲେ। ରବିବାର ରାତି ୯ ଟାରେ ବୁର୍ଲା ମେଡିକାଲରୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ଆମ୍ବୁଲାନ୍ସରେ ସ୍ଥାନାନ୍ତର ହେଉଥିବା ବେଳେ ଅବସ୍ଥା ଅତି ଗୁରୁତର ହେବାରୁ ପରିବାର ଲୋକେ ରେଢାଖୋଲ ଡାକ୍ତରଖାନାକୁ ନେଇ ଯାଇଥିଲେ। ହେଲେ ରୋଗୀ ଜଣଙ୍କୁ ରାତି ୯ଟାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ରୋଗୀର ମୃତ୍ୟୁ ପରେ ପରିବାର ଲୋକ ମୃତଦେହକୁ ଘରକୁ ନେବାକୁ ଚାହିଁଥିଲେ। କିନ୍ତୁ ମେଡିକାଲରେ ଥିବା ଗୋଟିଏ ଶବ ବାହକ ଗାଡି ରହିଥିବା ବେଳେ ଏକମାତ୍ର ଡ୍ରାଇଭର ଦୁଇଦିନ ପାଇଁ ଛୁଟିରେ ଯାଇଥିବାରୁ ରାତିସାରା ବର୍ଷା, ପବନରେ ଏକ ବାରଣ୍ଡାରେ ଶବକୁ ଜଗି ରହିଥିଲେ ପରିବାର ଲୋକେ।

ପରିବାର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଅନ୍ୟ ଗାଡ଼ି ଠିକ୍ କରି ଶବକୁ ଘରକୁ ନେଇ ପାରିଲୁ ନାହିଁ ବୋଲି ମୃତକର ବଡ ଭାଇ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି। ସେପଟେ ଗଣ ମାଧ୍ୟମର ପ୍ରତିନିଧିମାନେ ଫଟୋ ଉଠାଉଥିବାବେଳେ କେହି ଜଣେ ବ୍ୟକ୍ତି ଫଟୋ ଉଠାନ୍ତୁ ନାହିଁ କି ଖବର ପ୍ରସାରଣ କରନ୍ତୁ ନାହିଁ ଏବେ ଶବ ଉଠିବ ବୋଲି ଗଣ ମାଧ୍ୟମର ପ୍ରତିନିଧିମାନଙ୍କୁ କହିଥିଲେ।

ହେଲେ ଦୀର୍ଘ ୧୦ ଘଣ୍ଟା ଧରି ଶବଟି ବାରଣ୍ଡାରେ ପଡି ରହି ଥିଲେ ହେଁ ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରା ଯାଇ ନ ଥିଲା। ପରେ ଡ୍ରାଇଭରକୁ ଡାକ୍ତରଖାନା କତ୍ତୃପକ୍ଷ ଫୋନ କରିବା ପରେ ଛୁଟିରେ ଥିବା ଡ୍ରାଇଭର ଜଣକ ଡାକ୍ତରଖାନା ଆସିବା ପରେ ୧୨ ଘଣ୍ଟା ପରେ ଶବ ଉଠିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପୃଥକ ପୃଥକ ବାଇକ ଦୁର୍ଘଟଣାରେ ୨ ମୃତ, ଜଣେ ଆହତ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଓ ଚାରମାଳ ଥାନା ଅଞ୍ଚଳରେ ପୃଥକ ପୃଥକ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ରେଢାଖୋଲ ଥାନା ଅନ୍ତର୍ଗତ ରେଢାଖୋଲ-ନାକଟିଦେଉଳ ରାସ୍ତାର ଡିମିରିକୁଡ଼ା ଗ୍ରାମ ନିକଟରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।

ମୃତ ବାଇକ ଆରୋହି ଜଣଙ୍କ ହେଲେ ରେଢାଖୋଲ ଥାନା ଅନ୍ତର୍ଗତ ଶିମିଳିପାଳ ଗ୍ରାମର କୌସିକ ପ୍ରଧାନ (୪୦)। ସେ ବାଇକରେ ନିଜ ଘର ଶିମିଳିପାଳ ଗ୍ରାମରୁ ଜାତୀୟ ରାଜପଥ ଦେଇ ରେଢାଖୋଲକୁ କୌଣସି କାମରେ ଆସୁ ଥିବା ବେଳେ ଡିମିରିକୁଡ଼ା ଗ୍ରାମ ନିକଟରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ବାଇକ ଆରୋହି କୌସିକଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳକୁ ଅଗ୍ନିଶମ ବିଭାଗ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲା।

ସେହିପରି ଅନ୍ୟ ଏକ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଚାରମାଳ ଥାନା ଅନ୍ତର୍ଗତ ସାଗଜୁରୀ ଗ୍ରାମରେ ଆଜି ପ୍ରାୟ ୨ଟା ବେଳେ ଏକ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହି ଜଣଙ୍କ ହେଲେ ଚାରମାଳ ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ସୁନାମୁଦି ଗ୍ରାମର ରମେଶ ସାହୁ (୪୭)। ମୃତ ରମେଶ କୌଣସି କାମରେ ସାଗଜୁରୀ ଗ୍ରାମକୁ ଯାଇ ଥିବା ବେଳେ ସେ ନିଜ ଗ୍ରାମ ସୁନାମୁଦି ଗ୍ରାମକୁ ବାଇକରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା ସ୍ଥଳରେ ବାଇକ ଆରୋହି ରମେଶଙ୍କ ମୃତ୍ୟୁ ହୋଇଥିଲା।

ଏ ସଂକ୍ରାନ୍ତରେ ରେଢାଖୋଲ ଓ ଚାରମାଳ ଥାନାରେ ପୃଥକ ପୃଥକ ମାମଲା ରୁଜୁ ହେବା ସହ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି ବୋଲି ପୋଲିସ କହିଛି। ସେହିପରି ରେଢାଖୋଲ- ବୌଦ୍ଧ ରାସ୍ତାର ରେଢାଖୋଲ ଥାନା ଅନ୍ତର୍ଗତ ଶୁଣ୍ଡିମୁଣ୍ଡା ଗ୍ରାମ ନିକଟରେ ହୋଇ ଥିବା ବାଇକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଲେ ସାଲେସିଂ ଗ୍ରାମର ହାଡିବନ୍ଧୁ କର୍ଣ। ସେ ଜାତୀୟ ରାଜପଥ ଦେଇ ଯାଉ ଥିବା ବେଳେ ଏକ କାର ଧକ୍କା ଦେଇ ଫେରାର ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଦିବାସୀ ବିଧବା ତପସ୍ୱିନୀର ଅକୁହା କାହାଣୀ: ପିଲାଙ୍କ ପାଠ ପଢା ପାଇଁ ଅର୍ଥ ସାଜିଛି ବାଧକ

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଆଦିବାସୀ ମାନଙ୍କର କଲ୍ୟାଣ ପାଇଁ କେତେ ଯେ ଯୋଜନା ପ୍ରଣୟନ କରିଛନ୍ତି ତାର ହିସାବ ନାହିଁ। ସରକାରୀ ଯୋଜନା ଥିଲେ ମଧ୍ୟ ଆଦିବାସୀମାନେ ଠିକ୍ ସମୟରେ ଏହାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି। ଧନିକ ଗୋଷ୍ଠି ହାତେଇ ନେଉଛନ୍ତି ସରକାରୀ ଯୋଜନା। ଯା’ ଫଳରେ ଗରୀବ ଆଦିବାସୀ ଅସହାୟ ପରିବାର ଏହି ଯୋଜନାରୁ ବଂଚିତ ହେଉଛନ୍ତି। କାହାରି ପାଖରେ ଗୁହାରି କରିବାକୁ ମଧ୍ୟ ସାହାସ କରିପାରୁ ନାହାନ୍ତି ଆଦିବାସୀମାନେ। ସରକାରଙ୍କ ଏହି ଯୋଜନା କଣ ପାଇଁ ଏବଂ କାହା ପାଇଁ କାର୍ଯ୍ୟକାରୀ କରାଯାଇଛି ତାହା ବଡ ପ୍ରଶ୍ନ ବାଚୀ ସୃଷ୍ଟି କରିଛି।

ସେମିତି ଜଣେ ଆଦିବାସୀ ମହିଳା ଅଛନ୍ତି ଯିଏକି ଗରୀବ ପରିବାରର। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ବଳମ୍ ପଂଚାୟତର ପିତାଳିପଡାରେ ବାସ କରନ୍ତି ତପସ୍ୱିନୀ ଧରୁଆ ନାମକ ବିଧବା ମହିଳା। ତାଙ୍କର ତିନୋଟି ଝିଅ ପ୍ରିୟା , ମୁକ୍ତିମୟୀ ଓ ଟିମ୍ପଲ। ସ୍ୱାମୀ ଦଧିଚି ଧରୁଆ ଗତ ୯ ଜାନୁଆରୀ ୨୦୨୨ ରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କଲେ। ସ୍ୱାମୀର ମୃତ୍ୟୁ ପର ଠାରୁ ତପସ୍ୱିନୀ ଭାଙ୍ଗି ପଡିଥିଲେ। ୩ ଝିଅକୁ ପାଠ ପଢାଇବା ତଥା ବୃଦ୍ଧା ଶାଶୁକୁ ପାଳନ ପୋଷଣ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି ତପସ୍ୱିନୀ ଧରୁଆ। ତିନି ଝିଅକୁ ପାଠ ପଢାଇବା ପାଇଁ ଆଶା କରିଥିଲେ ମଧ୍ୟ ପାଠ ପଢାରେ ବାଧକ ସାଜିଛି ଅର୍ଥ। ଯା’ ଫଳରେ ପିଲାଙ୍କ ଭବିଷ୍ୟତକୁ ନେଇ ତପସ୍ୱିନୀ ସ୍ୱପ୍ନ ଦେଖୁଛନ୍ତି। ରୋଜଗାର ସ୍ୱାମୀର ମୃତ୍ୟୁ ପର ଠାରୁ ସେ ମୂଲ ମଜୁରି କରି ଏପରିକି ଏବେ ମହୁଲ ସଂଗ୍ରହ କରି ଯାହା ପଇସା ପତ୍ର ହେଲା ସେଥିରେ କଷ୍ଟେ ମଷ୍ଟେ ଚଳିଯାଉଛି ପରିବାର। ତଥାପି ଯାହା ରୋଜଗାର ହେଉଛି ପାଂଚ ପ୍ରାଣୀ କୁଟୁମ୍ବକୁ ଅଂଟୁନି।

ସରକାରଙ୍କ ବାସହରା ଯୋଜନାରେ ମଧ୍ୟ ସେ ସାମିଲ ହୋଇ ପାରି ନାହାନ୍ତି। ବଳମ୍ ପଂଚାୟତରେ ଥିବା ସରପଂଚ ଏ ଦିଗରେ ଧ୍ୟାନ ଦେବାକୁ ଦାନବୀ ହେଉଛୀ। ତପସ୍ୱିନୀ ଯୁକ୍ତ ଦୁଇ ଯାଏଁ ପାଠ ପଢିଛନ୍ତି। ଶିକ୍ଷିତ ହୋଇଥିବାରୁ ସେ ପିଲାମାନଙ୍କୁ ପାଠ ପଢାଉଛନ୍ତି ଘରେ। ଜମିବାଡି କି ଘର ଡିହ ନ ଥିବାରୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ତପସ୍ୱିନୀ ଧରୁଆ। ସରକାର ଏଭଳି ଗରୀବ ଆଦିବାସୀ ପରିବାରକୁ ଘର ଖଣ୍ଡିଏ ପ୍ରଦାନ କରିବାକୁ ତପସ୍ୱିନୀ ଦାବୀ କରିଛନ୍ତି। କୌଣସି ଅନୁଷ୍ଠାନ ଝିଅ ତିନୋଟିର ପାଠ ପଢାରେ ଆର୍ଥିକ ସାହାଯ୍ୟ କରିବାକୁ ଜିଲ୍ଲା ଆଦିବାସୀ ସଂଘର ସଦସ୍ୟ ରୋହିତ ଭୋଇ ଦାବୀ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଶାଳୀକୁ ହତ୍ୟା କଲା ଭିଣୋଇ, ଅଭିଯୁକ୍ତ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଶାଳି ଭିଣୋଇର କଳହକୁ କେନ୍ଦ୍ର କରି ଅତି ନୃଶଂସ ହତ୍ୟାକାଣ୍ଡ ଘଟିଯାଇଛି। ଏଥିରେ ଶାଳୀକୁ ଭିଣୋଇ ଅତି ନୃଶଂସ ଭାବରେ ହତ୍ୟା କରିବାଭଳି ଘଟଣା ସାମ୍ନାକୁ ଆସିଛି। ଏଭଳି ଘଟଣା ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ବୁର୍ଡା ପଂଚାୟତର କାଣ୍ଡତଏଲାରେ ଘଟିଥିବା ଜଣାପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା ବୁର୍ଡା ପଂଚାୟତ ଅନ୍ତର୍ଗତ କାଣ୍ଡତଇଲା ଗ୍ରାମର ଚରଣ ବାଘଙ୍କ ପରିବାର ସହ ଗ୍ରାମର ସରସ୍ୱତୀ ଭୋଇଙ୍କ ସହ ପୂର୍ବରୁ ଝଗଡା ହୋଇଥିଲା। କୁଆଡେ ଭିଣୋଇଙ୍କ ପୁଅକୁ ଶାଳୀ ସରସ୍ୱତୀ ମାଡମାରିଥିଲା। ଚରଣ ଏହା ଜାଣି ପାରି ସରସ୍ୱତୀକୁ ପାନେ ଦେବାକୁ ସେ ଯୋଜନା ପ୍ରସ୍ତୁତ କରିଥିଲା।

ଗତକାଲି ସରସ୍ୱତୀ ଗାଁ ପୋଖରୀକୁ ଯାଉଥିବା ବେଲେ ଚରଣ ଜାଣି ପାରି ତାକୁ ପିଛା କରିଥିଲା। ଅତର୍କିତ ସରସ୍ୱତୀର ପଛପଟୁ ଚରଣ ଟାଙ୍ଗିଆରେ ସରସ୍ୱତୀକୁ ହାଣି ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲା। ମଦ୍ୟପ ଭିଣୋଇ ଏଭଳି ନୃଶଂସ କାଣ୍ଡ ଭିଆଇ ଫେରାର୍ ହୋଇଯାଇଥିଲେ ମଧ୍ୟ ପୋଲିସ୍ ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା।

ଘଟଣା ସ୍ଥଳକୁ ସମ୍ବଲପୁର ସାଇନ୍ଟିଫିକ୍ ଟିମ୍ ଆସି ତଦନ୍ତ କରି ଫେରି ଯାଇଥିବା ଜଣା ପଡିଛି। ମୃତ ସରସ୍ୱତୀର ଶବକୁ ରେଢାଖୋଲ ଡାକ୍ତରଖାନାକୁ ଅଣାଯାଇ ବ୍ୟବଚ୍ଛେଦ କରାଯାଇଥିବା ଜଣା ପଡିଛି। ଆଜି ଅଭିଯୁକ୍ତ ଚରଣକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତା ନାମରେ ରେଢାଖୋଲ ଥାନାରେ କେସ୍ ରୁଜୁ କରାଯାଇଛି। ଜାମିନ୍ ନାମଞୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇଥିବା ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ରେଢାଖୋଲରେ ବିଜେଡ଼ିକୁ ଝଟକା: ଏନ୍‌ଏସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ବିଜେପିର ଶିବରାମ

କନ୍ଦର୍ପ ବେହେରା
ରେଢାଖୋଲ: ଚଳିତ ବର୍ଷ ହୋଇଥିବା ଏନ୍‌ଏସି ନର୍ବାଚନରେ ରେଢାଖୋଲ ଏନ୍‌ଏସି ପାଇଁ ବିଜେପିର ଶିବରାମ ସାହୁ ଶତାଧିକ ଭୋଟରେ ବିଜୟୀ ହୋଇଛନ୍ତି।

ରେଢାଖୋଲ ଏନ୍‌ଏସି ୧୩ ୱାର୍ଡ ବିଶିଷ୍ଟ ହୋଇଥିବା ବେଳେ ରେଢାଖୋଲର ଜଣାଶୁଣା ବିଜେପି କର୍ମୀ ତଥା ସମାଜସେବୀ ଶିବରାମା ସହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ସୁନୀଲ କୁମାର ପ୍ରଧାନଙ୍କ ଠାରୁ ୮୬୦ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।

ରେଢାଖୋଲରେ ଆଜି ଶିବରାମ ସାହୁ ବିଜୟୀ ହେବା ପରେ ବିଜୟ ଶୋଭାଯାତ୍ରା ପାଳନ କରାଯାଇଥିଲା। ନବନିର୍ବାଚିତ ଅଧ୍ୟକ୍ଷ ଶିବରାମ ସାହୁଙ୍କ ସହ ନବନିର୍ବାଚିତ କାଉନସିଲର, ବିଜେପିର ବରିଷ୍ଠ ନେତା ଗୋବିନ୍ଦ ଅଗ୍ରୱାଲ, ତଥା ବହୁ ବିଜେପି କର୍ମୀ ଯୋଗଦେଇଥିଲେ।

ରେଢାଖୋଲ ବିଜେଡିର ଗଡ ହୋଇଥିବା ବେଳେ ବିଧାୟକ ଭାବରେ ଇଂ ରୋହିତ ପୂଝାରୀ ରହିଛନ୍ତି। ବିଜେପିର ବିଜୟ ପରେ ପରେ ରୋହିତଙ୍କୁ ଏକ ଶକ୍ତ ଧକ୍କା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ରେଢାଖୋଲ ଏନ୍‌ଏସିରେ ୬ ଟି ବିଜେପି, ୬ ଟି ବିଜେଡି ଏବଂ ୧ ଟି କଂଗ୍ରେସ୍ ଅକ୍ତିଆର କରିଥିବାର ସୂଚନା ମିଳିଛି।