Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସନ୍ତାନ ନ ହେବାରୁ ବୋହୁକୁ ପେଟ୍ରୋଲ ଢାଳି ହତ୍ୟା: ଥାନାରେ ଅଭିଯୋଗ କଲେ ବାପା

କନ୍ଦର୍ପ ବେହେରା
ରେଢାଖୋଲ: ସନ୍ତାନ ସନ୍ତତି ନ ହେବାରୁ ଏବଂ ଯୌତୁକ ନ ଆଣିବାରୁ ବୋହୁକୁ ପେଟ୍ରୋଲ ଢାଳି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ପ୍ରକାଶ ଯେ, ଅନୁଗୋଳ ଜିଲ୍ଲା ମାଧପୁର ଗ୍ରାମର କୃଷ୍ନ ବେହେରାଙ୍କ ଝିଅ ରେଢାଖୋଲ ଥାନା ତ୍ରିବଣପୁର ପଂଚାୟତର ଗୋବିନ୍ଦପୁର ଗ୍ରାମରେ ଶିବ ବେହେରାଙ୍କ ପୁତ୍ର ବସନ୍ତ ବେହେରାଙ୍କ ସହିତ ଗତ ତା ୧୯/୪/୨୦୧୭ ରେ ବିବାହ ହୋଇଥିଲା।

ହେଲେ ବିବାହ ସମୟରେ ଜ୍ୱାଇଁ ଘର ତରଫରୁ ଯୌତୁକ ବାବଦରେ ସମସ୍ତ ପ୍ରକାର ଜିନଷ କନ୍ୟାପକ୍ଷ ଦେଇଥିଲେ। କିନ୍ତୁ ବିବାହ ପରେ ଝିଅର ସ୍ୱାମୀ, ଶାଶୁ ଭୁମି ବେହେରା  ନଣନ୍ଦ ନମିତା ବେହେରା ବୋହୁ ରୁନୁଙ୍କୁ ଯୌତୁକ ବାବଦରେ ତାଙ୍କ ଘରୁ ଏକ ବାଇକ୍ ଆଣିିବାକୁ ଅଡି ବସିଥିଲେ। ଏପରିକି ଗାଡି ନ ଆଣିବାରୁ ବୋହୂ ରୁନୁକୁ ବାରମ୍ବାର ମାଡପିଟ କରୁଥିଲେ। ଝିଅର ବାପା ଦାବୀ ମୂତାବକ ଏକ ମୋଟରସାଇକେଲ୍ ମଧ୍ୟ ଦେଇଥିଲେ।

ଏତିକିରେ ନିର୍ଯ୍ୟାତନା ସରି ନ ଥିଲା। ଶ୍ୱଶୁର ଘର ବୋହୂ ରୁନୁର କୌଣସି ଛୁଆ ପିଲା ନ ହେବାରୁ ମାଡ ମାରିବା ଆରମ୍ଭ କରିଦେଇଥିଲେ। ପୁନଶ୍ଚ ଗତ ଡିସେମ୍ବର ୨୯ ତାରିଖରେ ପୁଣି ମାଡପିଟ୍ କରିଥିଲେ। ଡିସେମ୍ବର ୩୦ ତାରିଖ ସକାଳ ୭ ଟାରେ ଝିଅର ବାପା ପାଖକୁ ବୁର୍ଲା ଡାକ୍ତରଖାନାରୁ ଝିଅ ରୁନୁ କାହାର ଏକ ମୋବାଇଲରେ ଫୋନ୍ କରି ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପ୍ରକାଶ କରିଥିଲା। ତାର ସ୍ୱାମୀ, ଶାଶୁ, ଶ୍ୱଶୁର ମିଶି ତାକୁ ପେଟ୍ରୋଲ ଢାଳି ପୋଡି ଦେଇଥିବା ପ୍ରକାଶ କରିଥିଲା। ଝିଅର ବାପା ବୁର୍ଲା ଯାଇ ଝିଅକୁ ଦେଖା କରି ଜାଣିଲା ଯେ ଝିଅର ଦେହ ପୋଡିଯାଇଛି। ସେ ଗୁରୁତର ହୋଇଥିବା ଦେଖିବାକୁ ପାଇଥିଲେ।

ଝିଅର ବାପାଙ୍କ ଅଭିଯୋଗ ଯେ, ତାଙ୍କ ଝିଅକୁ ଶ୍ୱଶୁର ଘର ଲୋକେ ମିଶି ପେଟ୍ରୋଲ ଢାଳି ଦେଇଥିଲେ। ପ୍ରାଣ ବିକଳରେ ଝିଅ ରୁନୁ ପାଖରେ ଥିବା ଏକ କୂଅ ଭିତରକୁ ଡେଇଁ ପଡିଥିଲେ। କୂଅ ଭିତରୁ କାହାର ଚିତ୍କାର ଶୁଣି ପାଖ ପଡିଶା ଲୋକେ ଧାଇଁ ଯାଇ ତାକୁ ଉଦ୍ଧାର କରି ବୁର୍ଲା ପଠାଇଥିଲେ। ତାର ଅବସ୍ଥା ଗୁରୁତର ହେବାରୁ ବୁର୍ଲାରୁ ଜାନୁଆରୀ ୬ ତାରିଖରେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। କଟକରେ ଚିକିତ୍ସା ହେବା ପରେ ଫେବୃଆରୀ ୨ ତାରିଖରେ ଡାକ୍ତର ତାକୁ ଡିସ୍‌ଚାର୍ଜ କରିଦେଇଥିଲେ।

ଶେଷରେ ବାପଘର ଅନୁଗୋଳ ଜିଲ୍ଲା ମାଧପୁର ଗ୍ରାମକୁ ନେଇ ଯାଇଥିଲେ। ଏହା ପରେ ରୁନୁର ଅବସ୍ଥା ସଂକଟାପନ୍ନ ହେବାରୁ ଆଠମଲ୍ଲୀକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତା ପରେ ପୁଣି ଫେବୃଆରୀ ୬ ତାରିଖରେ ଅନୁଗୋଳ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ସଂଧ୍ୟା ସମୟରେ ରୁନୁର ମୃତ୍ୟୁ ହୋଇଯାଇଥିଲା। ରୁନୁର ମୃତ୍ୟୁ ହେବା ପରେ ତାର ବାପା ରେଢାଖୋଲ ଥାନାକୁ ଆସି ଲିଖିତା କାରରେ ଅଭିଯୋଗ କରିଥିବା ଜଣା ପଡିଛି। ରେଢାଖୋଲ ପୋଲିସ୍ ଏକ କେସ୍ ରୁଜୁ କରି ତଦନ୍ତ କରୁଥିବା ଜଣା ପଡିଛି।

Categories
ଆଜିର ଖବର ଆଞ୍ଚଳିକ

ରେଢାଖୋଲରେ ୩୨ ତମ ସଡକ ସୁରକ୍ଷା ସପ୍ତାହ ପାଳିତ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ସ୍ଥିତ ରାଣୀ ଅନ୍ନପୂର୍ଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୩୨ ତମ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରେଢାଖୋଲ ବ୍ଲକ୍‌ର ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ରାଲି ସହର ପରିକ୍ରମା କରାଯାଇଥିଲା।

ଜନସଚେତନତା ସୃଷ୍ଟି ପାଇଁ ରାଲିରେ ପ୍ଲା କାର୍ଡ ଧରି ଓ ପୋଷ୍ଟର ମାଧ୍ୟମରେ ଜନସଚେତନତା କରାଯାଇଥିଲା। ଏହି ରାଲିକୁ ରେଢାଖୋଲ ଥାନାଧିକାରୀ ଏସ୍ ବି ଛତ୍ରିଆ ପତାକା ଦେଖାଇ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ।

ବିଦ୍ୟଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରବନ୍ଧ, କୁଇଜ୍, ଶ୍ଲୋଗାନ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ପୁରସ୍କାର ପ୍ରଦାନ କରିଥିଲେ।

ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଥାନାଧିକାରୀ ଏସ୍‌. ବି. ଛତ୍ରିଆ, ମୁଖ୍ୟବକ୍ତା ଭାବରେ ଯଶୋବନ୍ତ ଚିନ୍ନାରା, ଟ୍ରାଫିକ୍ ସବ୍ ଇନସ୍ପେକ୍ଟର, ଆର୍ .ଟି.ଓ, ସେଚ୍ଛାସେବୀ ଅନୁଷ୍ଠାନ, ସାର୍କର ସଂଗଠକ ଚକ୍ରଧର ନନ୍ଦ ଓ ଅବସରପ୍ରାପ୍ତ ଶିକ୍ଷକ ଉଦିତ୍ କୁମାର ପାଟ୍ଟଯୋଶୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। ଶେଷରେ ଖେଳ ଶିକ୍ଷକ ନରେନ୍ଦ୍ର କୁମାର ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ସରକାରୀ ଜାଗା ବେଦଖଲ କରିବାରୁ ପ୍ରଶାସନର ନୋଟିସ୍‌: ଧାରଣାରେ ୪ ପରିବାର

କନ୍ଦର୍ପ ବେହେରା
ରେଢାଖୋଲ: ସରକାରୀ ଜାଗାକୁ ବେଦଖଲ କରିବାରୁ ରେଢାଖୋଲ ତହସିଲ୍‌ଦାର ନୋଟିସ୍ ଦେବା ପରେ ୪ ପରିବାର ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ପ୍ରକାଶ ଯେ, ରେଢାଖୋଲ ତହସିଲ ଅନ୍ତର୍ଗତ ବଡବାହାଳ ପଂଚାୟତର ଲଇଣ୍ଡାମାଳ ଗ୍ରାମର ୪ ପରିବାରର ୧୯୭୨ ମସିହାରୁ ଖାତା ନଂ ୯୫ ,ପ୍ଲଟ୍ ନଂ ୧୫୬୩ ରେ ଖଳା ଓ ଗାଈ ଗୁହାଳ କରିଆସୁଥିଲେ। ହେଲେ ସେ ଗ୍ରାମର କିଛି ଖଳ ପ୍ରକୃତିର ଲୋକ ସେମାନଙ୍କୁ ବିରୋଧ କରି ମାନସିକ ନିର୍ଯ୍ୟାତନା, ହଇରାଣ କରୁଥିବା ଅଭିଯୋଗ ହୋଇଛି। ସେହି ଜାଗାରେ ସଂଲଗ୍ନ ଥିବା ଗୋଚର ଜମି ଖାତା ନଂ ୯୫, ପ୍ଲଟ୍ ନଂ ୧୫୬୪, ୧୫୬୮, ୧୫୬୯, ୧୫୭୦, ୧୫୭୪ ଓ ୧୫୭୫ କିସମ ରହଛି।

ସେହି ଜାଗାରେ ଗ୍ରାମର ପ୍ରାୟ ୨୦ ଜଣ ପରିବାର ଦୋକାନ ଓ ଘରବାରୀ କରି ରହିଆସୁଛନ୍ତି। ସେହି ୨୦ ପରିବାରକୁ ପ୍ରଶାସନ ବେଦଖଲ କରିବାକୁ ଗତ ତା ୧୭/୮୨୦୧୯ ରେ ନକ୍ସା ସଂଲଗ୍ନ ସହ ସେମାନଙ୍କୁ ଜାଗା ଛାଡିବା ପାଇଁ ନୋଟିସ୍ ଦେଇଥିଲା। ଏହା ସତ୍ତ୍ୱେ ସେହି ୨୦ ପରିବାର ଜାଗା ଛାଡି ନ ଥିଲେ। କେବଳ ଲଇଣ୍ଡାମାଳ ଗ୍ରାମର ୪ ପରିବାର ରଶ୍ମିତା ପ୍ରଧାନ, ନିରୁତି ପ୍ରଧାନ, କ୍ଷୀର ପ୍ରଧାନ ଓ ତୁଳସା ପ୍ରଧାନଙ୍କ ପରିବାର ବେଦଖଲ କରିବାକୁ ପ୍ରଶାସନ ଆଦେଶ ଦେଇଥିବା ୪ ପରିବାର ଅଭିଯୋଗ କରିଛନ୍ତି।

ସେମାନଙ୍କୁ ନ୍ୟାୟ ଦେବାରେ ପ୍ରଶାସନ ଅସମର୍ଥ ଥିବାରୁ ଏହି ୪ ପରିବାର ନ୍ୟାର୍ଯ୍ୟ ନ୍ୟାୟ ପାଇଁ ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଏପରିକି କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତ ସୃଷ୍ଟି ହେଲେ ପ୍ରଶାସନ ଦାୟୀ ରହିବେ ବୋଲି ଏହି ୪ ପରିବାର ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ରେଢାଖୋଲ ଉପଜିଲ୍ଲାପାଳ ପଦ୍ମନାଭ ବେହେରା ସେମାନଙ୍କୁ ପ୍ରତିଶୃତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ।

Categories
ଆଞ୍ଚଳିକ

ବଡମାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୮ ଆମ୍ବୁଲାନସ୍ ସେବା ଆରମ୍ଭ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ବ୍ଲକ୍ ବଡମାଳରେ ଆଜି ୧୦୮ ରାଷ୍ଟ୍ରୀୟ ଆମ୍ବୁଲାନସ୍ ସେବା ଆରମ୍ଭ ହୋଇଛି। ପ୍ରକାଶ ଯେ, ରେଢାଖୋଲ ବ୍ଲକ୍ ବଡମାଳ ପଂଚାୟତର ସରପଂଚ ସଡାନନ ପ୍ରଧାନ ୧୦୮ ଆମ୍ବୁଲାନସ୍ ସେବାକୁ ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନି ରେ ବଡମାଳ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଭିମନ୍ୟୁ ଦାସ, ସନ୍ତାଷ ମଲ୍ଲୀକ, ରାଧାକାନ୍ତ ନନ୍ଦ, ଗଜେନ୍ଦ୍ର ପ୍ରଧାନ, ରମଣିରଞନ ପ୍ରଧାନ ପ୍ରମୁଖ ଯୋଗଦେବା ସହ ବଡମାଳ ଅଂଚଳର ବହୁମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଟି ପଛରୁ ପିଟିଲା ଟ୍ରକ୍: ଜଣେ ମୃତ, ଜଣେ ଗୁରୁତର

କନ୍ଦର୍ପ ବେହେରା
ରେଢାଖୋଲ: ନୂଆଁ ବରଷ ହେଉଛି ଆନନ୍ଦ ଓ ଉଲ୍ଲାସର ବର୍ଷ। ନୂଆଁ ବରଷ ଆସିଲେ ସଭିଙ୍କ ମନରେ ଖୁସି କାହିଁରେ କଣ। ହେଲେ ନୂଆଁ ବର୍ଷର କିଛି ସମୟ ଆଗରୁ ଯେ, ଯୁବକଟି ଚାଲିଯିବ ଆରପାରିକି କେବେ ବି କଳ୍ପନା କରି ନ ଥିଲା। ଏଭଳି ଏକ ଅଭାବନୀୟ ରାସ୍ତା ଦୁର୍ଘଟଣାରେ ଜଣେ ଯୁବକ ଆଜି ସକାଳୁ ସକାଳୁ ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି। ଘଟଣା ଘଟିଛି ନାକଟିଦେଉଳ ଥାନା ପେଣ୍ଠବାହାଳ ଗ୍ରାମରେ।

ପ୍ରକାଶ ଯେ, ନାକଟିଦେଉଳ ଥାନା ପେଣ୍ଠବାହାଳ ଗ୍ରାମର ଲୁହୁରାପଡା ଠାରେ ସକାଳ ୮.୩୦ ମିନିଟ୍ ସମୟରେ ନାକଟିଦେଉଳ ପଟୁ ରେଢାଖୋଲକୁ କୌଣସି କାମରେ ସ୍କୁଟିରେ(ଓଡି୧୫ପି-୬୨୬୪) କଂଚନପୁର ଗ୍ରାମର ଜୟନ୍ତ ପାତ୍ର ଏବଂ ମହୁକୁଦ ଗ୍ରାମର ସୁରେଶ ବେହେରା (୩୭) ଯାଉଥିବା ବେଳେ ଏକ ଟ୍ରକ ସେମାନଙ୍କୁ ପଛ ପଟୁ ପିଟି ଥିଲା। ସ୍କୁଟି ଚାଳକ ଜୟନ୍ତ ପାତ୍ର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ସୁରେଶ କୁମାର ବେହେରା ଗୁରୁତର ଆହତ ହୋଇ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମୃତ ସ୍କୁଟି ଚାଳକ ଜୟନ୍ତ ପାତ୍ରର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଏବଂ ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ଟ୍ରକଟି ସେମାନଙ୍କୁ ପିଟି ଫେରାର ହେବାରେ ସକ୍ଷମ ହୋଇଛି। ନାକଟିଦେଉଳ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ଆହତ ସୁରେଶକୁ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ନାକଟିଦେଉଳ ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ନାକଟିଦେଉଳ ଥାନାରେ ଏକ ମାମଲା ରୁଜୁ କରିଛି ପୋଲିସ୍।

Categories
ଆଜିର ଖବର ରାଜ୍ୟ ଖବର

ନିଖୋଜ ଦୋକାନୀର ମୃତ ଦେହ ଉଦ୍ଧାର

କନ୍ଦର୍ପ ବେହେରା
ରେଢାଖୋଲ: ତିନିଦିନ ତଳେ ନିଖୋଜ ଥିବା ରେଢାଖୋଲର ଅଣ୍ଡା ଦୋକାନୀର ମୃତଦେହକୁ ଆଜି ସକାଳୁ ରେଢାଖୋଲ ପୋଲିସ୍ ଡଳଖମଣରୁ ଉଦ୍ଧାର କରିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲର ଖଗେଶ୍ୱର ସେଠୀ(୫୦) ରେଢାଖୋଲ କଲେଜ ଛକରେ ଅଣ୍ଡା ଦୋକାନ ଦେଇ ନିଜର ଗୁଜୁରାଣ ମେଂଟାଉଥିଲେ। ତିନିଦିନ ତଳେ ସେ ନିଖୋଜ ଥିବା ପୋଲିସ୍ କହିଛି। ଏପରିକି ସେ ମାରକି ରୋଗରେ ଆକ୍ରାନ୍ତ ଥିଲେ। ଯାହା ଜଣା ପଡୁଛି ସେ ମାରକି ରୋଗରେ ମୃତୁବରଣ କରିଥାଇ ପାରନ୍ତି। ସେ ଅବିବାହିତ ଥିଲେ ବୋଲି ଜଣା ପଡିଛି। ପୋଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରେଢାଖୋଲ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରେଢାଖୋଲ ଓ ନାକଟିଦେଉଳରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍‌

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ରେଢାଖୋଲ ଓ ନାକଟିଦେଉଳ ବ୍ଲକ୍ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଥାନାରେ ଏକ ଏତଲା ଦେଇଥିବା ଜଣା ପଡିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଧାନମନ୍ତ୍ରୀଙ୍କର ଏକ ଯୋଜନା। କେନ୍ଦ୍ରସରକାର ଦେଇଥିବା ଏହି ଯୋଜନାକୁ ରାଜ୍ୟ ସରକାର ବିଜ୍ଜୁ ପକ୍କାଘର ନାମରେ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରି ଦଳୀୟ ପ୍ରଚାର କରୁଥିବା ଓ ବିଜ୍ଜୁ ପକ୍କାଘର ନାମରେ ଓଡିଶା ସରକାରଙ୍କ ଏକ ଷ୍ଟିକର ଘରେ ଲଗାଇବା ଘଟଣାକୁ ବିଜେପି ଦୃଢ ନିନ୍ଦା କରିବା ସହ ଏହାକୁ ବିରୋଧ କରିଛି।

ଆଜି ରେଢାଖୋଲ ଓ ନାକଟିଦେଉଳ ବ୍ଲକ୍ ରେ ବିକ୍ଷୋଭ ସହ ବିଜ୍ଜୁ ପକ୍କାଘର ଷ୍ଟିକରକୁ ଚିରି ଦିଆଯାଇଥିଲା। ନବୀନ ପଟ୍ଟନାୟକଙ୍କ ନାମରେ ଆଇପିସି ର ୪୨୦ ଧାରା ଅନୁଯାୟୀ କେସ୍ ରୁଜୁ କରାଯାଇଥିଲା।

ରେଢାଖୋଲ ବିଜେପି ସଭାପତି ରାମାନୁଜ ମହାପାତ୍ର, ଅମର କୁମାର ସିଂ, ନରେନ୍ଦ୍ର କୁମାର ମଲ୍ଲୀକ, ରାଜେନ୍ଦ୍ର ପ୍ରସାଦ ବୈଠାରୁ ସାଂସଦ ପ୍ରତିନିଧି ଶିବରାମ ସାହୁ ପ୍ରମୁଖ ଯୋଗଦେଇଥିଲେ। ଠିକ୍ ସେହିପରି ନାକଟିଦେଉଳରେ ପ୍ରମୋଦ ସାହୁ, ପୂର୍ଣ୍ଣ ଗଡତିଆ, ଗୋବିନ୍ଦ ଅଗ୍ରଓାଲା, ନେତ୍ରାନନ୍ଦ ରାଉଳ, ଜିତେନ୍ଦ୍ର ସାହୁ, ଜଜେ୍ଞଶ୍ୱର ସାହୁ, ଅବନୀ ରାଉତ ପ୍ରମୁଖ ବିକ୍ଷୋଭରେ ଯୋଗଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରେଢାଖୋଲରେ ବାଇକରୁ ୧୩ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସଂଧ୍ୟା ୭ଟାରେ ରେଢାଖୋଲ ପୋଲିସ୍ ବଡବାହାଳ ଛକଠାରୁ ବୌଦ୍ଧରୁ ଆସୁଥିବା ଏକ ବାଇକରୁ ୧୩ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଆଜି ସଂଧ୍ୟାରେ ରେଢାଖୋଲ ପୋଲିସ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବୌଦ୍ଧ ପଟୁ ଆସୁଥିବା ଏକ ମୋଟର ସାଇକେଲରୁ ୨ ଟି ଏୟାର ବ୍ୟାଗ୍ ରୁ ୧୩ କେଜି ଗଞ୍ଜେଇ ଜବତ କରିଥିଲା। ମୋଟର ସାଇକେଲରେ ଗଞ୍ଜେଇ ଚାଲାଣ କରୁଥିବା ଚୋରାବେପାରୀର ହେଲା ବିହାରର ସୋନୁ କୁମାର ବୋଲି ଜଣା ପଡିଛି।

ରେଢାଖୋଲ ଥାନା କେସ୍ ନଂ ୨୨୯/୨୦୨୦(ବି)(ଆଇଆଇ)(ବି)ଏନ୍‌ଡିପିଏସ୍ ଆକ୍ଟ ରେ ବିହାରର ସୋନୁ କୁମାରକୁ ପୋଲିସ୍ ଗିରଫ କରିଛି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ସହ ଗଣ ମାଧ୍ୟମକୁ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ରେଢାଖୋଲ ଥାନାଧିକାରୀ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଅଜଣା ଗାଡି ଧକ୍କାରେ ବଳଦର ଅନ୍ତଃବୁଜୁଳା ବାହାରି ପଡିଲା ସ୍ୱେଚ୍ଛାସେବୀଙ୍କ ସହାୟତାରେ ଚିକିତ୍ସା

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଅପରାହ୍ନ ୪ ଟାରେ ରେଢାଖୋଲରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ବଳଦର ଅନ୍ତଃବୁଜୁଳା ବାହାରି ପଡିବା ଭଳି ଏକ ଅଭାବନୀୟ ଘଟନା ଘଟିଛି।
ପ୍ରକାଶ ଯେ, ରେଢାଖୋଲ ସହରର ଜାତୀୟ ରାଜପଥ ୫୫ ର ବବି ସାରଭିସ୍ ସେଂଟର ନିକଟରେ ଅପରାହ୍ନ ପାଖାପାଖି ୪ ଟାରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ବଳଦକୁ ଜୋରରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ବଳଦଟି ଗୁରୁତର ହୋଇ ପଡିବା ସହ ଅନ୍ତଃବୁଜୁଳା ବାହାରି ପଡିଥିଲା। ରେଢାଖୋଲରୁ ପ୍ରାଣୀଧନ ଚିକିତ୍ସକ ଆସି ବଳଦକୁ ଚିକିତ୍ସା କରିଥିଲେ। ଘଟଣା ସ୍ଥଳରେ ପୋଲିସ୍ ବିଭାଗ ମଧ୍ୟ ଉପସ୍ଥିତ ଥିଲେ। ଦୁର୍ଘଟଣା ଘଟାଇ ଟ୍ରକ୍‌ଟି ଫେରାର ମାରିଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମନରେଗା ଯୋଜନାରେ ଟ୍ରେଂଚ୍ ଖୋଳାରେ ଅନିୟମିତତା

କନ୍ଦର୍ପ ବେହେରା
ରେଢାଖୋଲ: ରାଜ୍ୟ ସରକାର ଗ୍ରାମାଂଚଳର ବିକାଶ ପାଇଁ ତଥା ଗରିବ ପରିବାର ଲୋକମାନଙ୍କୁ ବିଭିନ୍ନ ସମୟରେ କାମ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଟଙ୍କା ସବୁ ସତ୍ ମାର୍ଗରେ ଖର୍ଚ୍ଚ ନ ହୋଇ ବ୍ୟାପକ ବାଟମାରଣା ହେଉଥିବା ଅଭିଯୋଗ ହେଉଛି।

କରୋନା ମହାମାରୀରେ ଲୋକମାନେ ବାହାର ରାଜ୍ୟକୁ ନ ଯାଇ ନିଜ ରାଜ୍ୟରେ ରୋଜଗାର କରିବା ପାଇଁ ବହୁ ଯୋଜନା ମାଧ୍ୟମରେ କାମ ଯୋଗାଇ ଦେଉଛନ୍ତି। ଶ୍ରମିକ ମାନେ ନିଜ ଜବ୍ କାର୍ଡ ଦ୍ଵାରା ମନରେଗା ଯୋଜନା ମାଧ୍ୟମରେ ନିଜର ପାଉଣା ମଧ୍ୟ ପାଇବେ ବୋଲି ସରକାର ଆଇନ୍ ପ୍ରଣୟନ କରିଛନ୍ତି। ସରକାରୀ ଜଙ୍ଗଲ ହେଉ ବା ଗ୍ରାମ୍ୟ ଜଙ୍ଗଲ ହେଉ ସେଠାରେ ଜଳ ସଂରକ୍ଷଣ କିପରି କରାଯାଇ ପାରିବ ସେଥିପାଇଁ ମନରେଗା ଯୋଜନା ମାଧ୍ୟମରେ ନାକଟିଦେଉଳ ବ୍ଲକ୍ ର ୧୪ ଟି ପଂଚାୟତରେ ଟ୍ରେଂଚ୍ ଖୋଳାଯାଇଛି। ହେଲେ ସରକାରୀ ଉଦାସୀନତା ଯୋଗୁଁ ବହୁ ସ୍ଥାନରେ ଏହି କାମରେ ଅନିୟମିତତା ଦେଖାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି।

ଅନୁସନ୍ଧାନରୁ ଜଣାପଡିଛି ଯେ, ନାକଟିଦେଉଳ ବ୍ଲକ୍‌ର ଶିମିଳିିପାଳ ପଂଚାୟତ ଅଧିନସ୍ଥ ବନ୍ଧୁପାଲି ଗ୍ରାମ ଠାରୁ ବଡତଇଲା ରାସ୍ତା କଡରେ ଖୋଲା ସ୍ଥାନ ଗୁଡିକରେ ୩ଶହ ରୁ ଉର୍ଦ୍ଧ୍ୱ ଟ୍ରେଂଚ୍ ଖୋଳା ଯାଇଛି। ଯେଉଁ ସବୁ ଟ୍ରେଂଚ୍ ଖୋଳାଯାଇଛି ତାହା କୌଣସି କାମରେ ଆସିବ ନାହିଁ। କାର୍ଯ୍ୟ ଆରମ୍ଭରୁ ସୂଚନା ଫଳକ ଲଗାଯାଇ ସେହି କାର୍ଯ୍ୟ କେଉଁ ଯୋଜନାରେ ହେଉଛି ଲୋକମାନେ ଜାଣିବା କଥା ହେଲେ କାର୍ଯ୍ୟ ଆରମ୍ଭର ବହୁ ଦିନ ପରେ ସୂଚନା ଫଳକ ତିଆରି କରି ଲେଖା ଯାଇଛି। କାର୍ଯ୍ୟ ଆରମ୍ଭ ତାରିଖ ୨୯/୧୦/୨୦୨୦ ଥିବା ବେଳେ କାର୍ଯ୍ୟ ଶେଷ ତାରିଖ ଲେଖା ଯାଇ ନାହିଁ। ଅଟକଳ ମୂଲ୍ୟ ୫ ଲକ୍ଷ ଟଙ୍କା ରହିଛି। ଯା ଫଳରେ ଏହି କାର୍ଯ୍ୟରେ ସନ୍ଦେହ ସୃଷ୍ଟି ହେଉଛି। ସୂଚନା ଫଳକରେ ସଂପୂର୍ଣ୍ଣ ବିବରଣୀ ଉଲ୍ଲେଖ କରାଯାଇନାହିଁ। ଜିଲ୍ଲା ପ୍ରଶାସନ ଏ ଦିଗରେ ଅନୁସନ୍ଧାନ କରିବାକୁ ଦାବୀ ହେଉଛି।

Categories
ଆଞ୍ଚଳିକ

ରେଢାଖୋଲ ଓକିଲ ସଂଘ ନିର୍ବାଚନ: ଗଣେଶ୍ୱର ପ୍ରଧାନ ସଭାପତି

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଓକିଲସଂଘର ୨୦୨୦-୨୧ ବର୍ଷ ପାଇଁ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ଓକିଲ ଗଣେଶ୍ୱର ପ୍ରଧାନ ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ଅନ୍ୟ ପଦବୀ ଗୁଡିକରେ ସମସ୍ତେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।

ସଭାପତି ଭାବରେ ଗଣେଶ୍ୱର ପ୍ରଧାନ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭବାନୀ ଶଙ୍କର ପଣ୍ଡା, ସାଧାରଣ ସଂପାଦକ ଉମାକାନ୍ତ ମହାନନ୍ଦ, ଯୁଗ୍ମ ସଂପାଦକ ସୁଜିତ୍ କୁମାର ପ୍ରଧାନ, ସହ ସଂପାଦକ ଅନ୍ତର୍ଯ୍ୟାମି ସାହୁ, କୋଷାଧ୍ୟକ୍ଷ ଜନ୍ମେଜୟ ସାହୁ – ପାଠାଗାର ତୁଷାରକାନ୍ତ କର ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବରେ ଶମ୍ଭୁପ୍ରସାଦ ପ୍ରଧାନ, ବିମଳ ଚନ୍ଦ୍ର ପ୍ରଧାନ, ସରଜକାନ୍ତ ପାଲ, ଜଗନ୍ନାଥ ବିଶ୍ୱାଳ, ଅଭୟ କୁମାର ବୀର, ହାରୁନ୍ ଖାନ୍, ସନ୍ତୋଷ କୁମାର ପୁରୋହିତ ଓ ବିରଂଚି ନାରାୟଣ ପ୍ରଧାନ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ରେଢାଖୋଲ ବନଖଣ୍ଡ: ହରିଣସିଙ୍ଘ, ଦେଶୀ ବନ୍ଧୁକ, ଚମଡା ସହ ୨ ଜଣେ ଅଟକ

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ରାତିରେ ବଡବାହାଳ ରେଞ୍ଜ ଅଂଚଳରୁ ହରିଣ ସିଙ୍ଘ, ଚମଡା, ଦେଶୀବନ୍ଧୁକ, ଫାସ ଜାଲ ଜଙ୍ଗଲ ବିଭାଗ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ, ବଡବାହାଳ ରେଞ୍ଜ ଅଧିନସ୍ଥ ଭରତାପୁର ପଂଚାୟତର ଚୁଡାପୁଡୁଗ ଗ୍ରାମରୁ ବନବିଭାଗ ଦେଶୀବନ୍ଧୁକ, ଚମଡା, ହରିଣସିଙ୍ଘ ସହ ଫାସଜାଲ ଜବତ କରିଥିବା ବେସରକାରୀ ସୂତ୍ରରୁ ସୂଚନା ହସ୍ତଗତ ହୋଇଛି। ଏଥି ସହ ୨ ଜଣଙ୍କୁ ବନବିଭାଗ ଅଟକ ରଖି ଅଧିକ ସୂଚନା ପାଇଁ ପଚରାଉଚୁରା କରୁଥିବା ମଧ୍ୟ ଖବର ମିଳିଛି।

ଅଧିକ ସୂଚନା ପାଇଁ ବଡବାହାଳ ରେଞ୍ଜର ଅଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ କରାଯାଉଥିଲେ ମଧ୍ୟ ସେ ସହଯୋଗ କରୁନଥିବା ଜଣାପଡିଛି। ବନବିଭାଗର ଜଣେ କର୍ମଚାରୀଙ୍କୁ ଏ ସଂପର୍କରେ ପଚାରିବାରୁ ସେ ଏ ସଂପର୍କରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

ରେଞ୍ଜ ଅଧିକାରୀ ସାମ୍ବାଦିକ ମାନଙ୍କୁ ସହଯୋଗ କରୁ ନଥିବାରୁ ରେଢାଖୋଲ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ଠାରୁ ଏ ସବୁ ଜବତ କରିଥିଲେ ମଧ୍ୟ  ବନବିଭାଗ ଏପର୍ଯ୍ଯନ୍ତ ସାମ୍ବାଦିକମାନଙ୍କୁ ତଥ୍ୟ ଦେବାରେ ବିଳମ୍ବ କରିଥିବାରୁ ବନବିଭାଗ ଉପରେ ପ୍ରଶ୍ନ ସୃଷ୍ଟି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ବସ୍ ଛାତ ଉପରୁ ପଡି ଡ୍ରାଇଭର ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଅଂଚଳର ଜନୈକ ଡ୍ରାଇଭର ବସ୍ ଛାତ ଉପରୁ ପଡି ମୃତ୍ୟୁ ବରଣ କରିଥିବା ଖବର ମିଳିଛି।

ପ୍ରକାଶ ଯେ, ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତ ମଉଳାଭଣଜା ଗ୍ରାମର ନବିନ କୁମାର ପ୍ରଧାନ ଶିବମ୍ ବସ୍‌ରେ ଡ୍ରାଇଭର ଭାବରେ କାମ କରୁଥିଲେ। ହେଲପର ନ ଥିବାରୁ ସେ କିଛି ଲଗେଜ୍ ବସ୍ ଉପରେ ବାନ୍ଧୁଥିବା ସମୟରେ ଅଜାଣତରେ ନିଜର ଗୋଡ ଖସି ଯିବାରୁ ତଳେ ପଡି ଗୁରୁତର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସମ୍ବଲପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।

ଆଜି ତାଙ୍କର ମର ଶରୀର ନିଜ ଗାଁ ମଉଳାଭଣଜାକୁ ଆଣି ଶବସତ୍କାର କରିଥିଲେ ପରିବାର ଲୋକେ। ତାଙ୍କର ପତ୍ନୀ ଏବଂ ଛୋଟ ଛୋଟ ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି। ତାଙ୍କର ମୃତ୍ୟୁରେ ରେଢାଖୋଲ ସ୍ଥିତ ପଂଚଖଣ୍ଡା ଘରୋଇ ବସ୍ ମାଲିକ ସଂଘର ସମସ୍ତ ସଦସ୍ୟମାନେ ଶୋକ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ମହିଳାଙ୍କୁ ଫରେଷ୍ଟଗାର୍ଡଙ୍କ ଅସଦାଚରଣ ଅଭିଯୋଗରେ ରେଢାଖୋଲ କେନ୍ଦୁପତ୍ର ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ଧାରଣା

କନ୍ଦର୍ପ ବେହେରା
ରେଢାଖୋଲ: ଜନୈକା ମହିଳାଙ୍କୁ ଜଣେ ଫରେଷ୍ଟଗାର୍ଡ ଅସଦାଚରଣ ଅଭିଯୋଗରେ ରେଢାଖୋଲ କେନ୍ଦୁପତ୍ର ଡିଏଫ୍‌ଓ ଙ୍କ କାର୍ଯ୍ୟାଳୟରେ ପରିବାର ତରଫରୁ ଆଜି ଧାରଣାରେ ବସିଥିଲେ।

ପ୍ରକାଶ ଯେ, ସୋନପୁର ଜିଲ୍ଲା ବୀରମହାରାଜପୁର ଅମରପାଲି ଗ୍ରାମର ଜନୈକା ମହିଳାଙ୍କୁ ସେଇ ଗ୍ରାମର ବରୁଣ ନାଏକ ନାମକ ଫରେଷ୍ଟ ଗାର୍ଡ ଗତ ତା ୧୫ ନଭେମ୍ବର ରାତିରେ ଶାଢିକୁ ଟଣାଓଟରା କରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିବା ବୀରମହାରାଜପୁର ଥାନାରେ ଅଭିଯୋଗ

ହୋଇଛି। ଏନେଇ ରେଢାଖୋଲ କେନ୍ଦୁପତ୍ର ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ଫରେଷ୍ଟ ଗାର୍ଡଙ୍କୁ ଚାକିରିରୁ ବହିଷ୍କାର କରିବା ଦାବୀରେ ପରିବାର ତରଫରୁ ଧାରଣାରେ ବସିଥିଲେ। ମହିଳାଙ୍କ ଅଭିଯୋଗ ଯେ, ଫରେଷ୍ଟଗାର୍ଡ ଆଗରୁ ବହୁବାର ସେଇ ଗାଁ ରେ ଝିଅବୋହୂମାନଙ୍କୁ ଖରାପ କଥା କହିବା ଅଭିଯୋଗରେ ଗାଁରେ ସମାଧାନ ହୋଇଥିଲା। ଏହା ସତ୍ତ୍ୱେ ସେ ପୁନର୍ବାର ଗ୍ରାମର ଜନୈକା ମହିଳାଙ୍କୁ ଅସଦାଚରଣ କରିବାରୁ ସଂପୃକ୍ତ ମହିଳାଙ୍କ ପରିବାର ଅତିଷ୍ଠ ହୋଇ ଥାନାର ଦ୍ୱାରସ୍ଥ ହେବା ସହ ବହିଷ୍କାର ଦାବୀରେ ରେଢାଖୋଲ କେନ୍ଦୁପତ୍ର ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ। ଡିଏଫ୍‌ଓ ସାତ ଦିନ ମଧ୍ୟରେ ଏହାର ସମାଧାନ କରିବାକୁ ପ୍ରତିଶୃତି ଦେବା ପରେ ଧାରଣାରେ ବସିଥିବା ପୀଡିତ ପରିବାର ଧାରଣାକୁ ସ୍ଥଗିତ ରଖିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ବନସଂରକ୍ଷଣ ସମିତି ଜଗୁଥିବା ସଂରକ୍ଷିତ ଜଙ୍ଗଲକୁ ନେଇ ଡଇଁଚା ଓ ହିନ୍ତରାଇ ଗ୍ରାମ ମଧ୍ୟରେ ବିବାଦ

କନ୍ଦର୍ପ ବେହେରା
ରେଢାଖୋଲ: ବନ ସଂରକ୍ଷଣ ସମିତି ରଖିଥବା ଜଙ୍ଗଲକୁ ନେଇ ଡଇଁଚା ଓ ହିନ୍ତରାଇ ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଡଇଁଚା ଗ୍ରାମବାସୀ ଡିଏଫ୍‌ଓଙ୍କ ଠାରେ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ଡଇଁଚା ଗ୍ରାମରେ ଗତ ଅପ୍ରେଲ ମାସ ଠାରୁ ଏକ ବନ ସଂରକ୍ଷଣ ସମିତି ଗଠନ କରାଯାଇ ନିକଟସ୍ଥ ବଡଝରଣ ସଂରକ୍ଷିତ ଜଙ୍ଗଲକୁ ଜଗି ଆସୁଛନ୍ତି। ଅନୁଗୋଳ ଅଂଚଳରୁ ଆସି ଡଇଁଚା ଗ୍ରାମ ନିକଟରେ ବସତି ସ୍ଥାପନ କରି ରହିଥିବା ହିନ୍ତରାଇ ଗ୍ରାମବାସୀ ସେ ଜଙ୍ଗଲକୁ ଡଇଁଚା ଗ୍ରାମବାସୀ ରଖିଥିବାରୁ ଆମ୍ଭ ଗ୍ରାମବାସୀ ଅସୁବିଧା ପାଉଛୁ ବୋଲି ଡିଏଫ୍‌ଓଙ୍କ ଠାରେ ମଧ୍ୟ ଅଭିଯୋଗ କରିଥିଲେ। ହିନ୍ତରାଇ ଗ୍ରାମବାସୀର କେତେଜଣ ବ୍ୟକ୍ତି ପ୍ରତିବର୍ଷ ସେଇ ଜଙ୍ଗଲକୁ କାଟି ବାହାର ଜିଲ୍ଲାକୁ ବେପାର କରିଆସୁଥିଲେ। ଡଇଁଚା ବନ ସଂରକ୍ଷଣ ସମିତି ଜଙ୍ଗଲକୁ ପ୍ରତ୍ୟେକ ଦିନ ଜଗି ଆସୁଥିବାରୁ ସେମାନେ ସେଇ ଜଙ୍ଗଲରୁ କାଠ ଆଣି ନ ପାରିବାରୁ ବର୍ତ୍ତମାନ ଡଇଁଚା ବନ ସଂରକ୍ଷଣ ସମିତି ବିରୁଦ୍ଧରେ ଆଭିଯୋଗ କରୁଛନ୍ତି।

ଡଇଁଚା ଗ୍ରାମ ରାଜାରାଜୁଡା ଅମଳର ଗ୍ରାମ ହୋଇଥିବା ବେଳେ ହିନ୍ତରାଇ ଗ୍ରାମବାସୀ ଅନୁଗୋଳ ଜିଲ୍ଲାରୁ ଆସି ଆମ ଜଙ୍ଗଲ ବୋଲି ଦାବୀ କରୁଛନ୍ତି। ଡଇଁଚା ଗ୍ରାମବାସୀ ଏହା ଆମ ଜଙ୍ଗଲ ବୋଲି ଦାବୀ କରିବା ସହ ବନ ସଂରକ୍ଷଣ ସମିତି ଗଠନ କରିଛନ୍ତି। ଏହାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ବିବାଦ ଦେଖା ଦେଇଥିବା ଡଇଁଚା ବନସଂରକ୍ଷଣ ସମିତି ରେଢାଖୋଲ ଡିଏଫଓ ଙ୍କ ଠାରେ ଅଭିଯୋଗ କରିବା ସହ ହିନ୍ତରାଇ ଗ୍ରାମର ଜନୈକ ବ୍ୟକ୍ତି ଡଇଁଚା ଗ୍ରାମବାସୀ ମାନଙ୍କୁ ମିଡିଆ ସାମ୍ନାରେ ଅପପ୍ରଚାର କରୁଥିବା ଡଇଁଚା ଗ୍ରାମବାସୀ ରେଢାଖୋଲ ଥାନାରେ ଅଭିଯୋଗ କରିବା ସହ ରେଢାଖୋଲ ଡିଏଫ୍‌ଓଙ୍କ ଠାରେ ଅଭିଯୋଗ କରିଛନ୍ତି।

ଜଙ୍ଗଲ ବିଭାଗ କୌଣସି ସହଯୋଗ ନ କଲେ ଡଇଁଚା ଗ୍ରାମବାସୀ ରଖିଥିବା ବନସଂରକ୍ଷଣ ସମିତିର ସମସ୍ତ ସଭ୍ୟ ସ୍ୱେଚ୍ଛାକୃତ ଭାବରେ ସେଇ ଜଙ୍ଗଲକୁ ସୁରକ୍ଷା ଦିଗରେ ଲାଗିବେ ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ଏ ସଂପର୍କରେ ରେଢାଖୋଲ ଡିଏଫ୍‌ଙ୍କ ଠାରେ ଡଇଁଚା ବନସଂରକ୍ଷଣ ସମିତିର ସମସ୍ତ ସଭ୍ୟ ଲିଖିତାକାରରେ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରେଢାଖୋଲରେ ହାତୀ ଆକ୍ରମଣରେ ଜଣେ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ହାତୀ ଆକ୍ରମଣରେ ଜଣେ ଲୋକର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ ରେଢାଖୋଲ ବନଖଣ୍ଡ ବଡମାଳ ରେଞ ଅଧିନସ୍ଥ ଶାଗଜୁରୀ ଗ୍ରାମରେ ଗତକାଲି ରାତି ୨.୩୦ ମିନିଟରେ ଏକ ହାତୀ ଗାଁ ଆଡକୁ ପଶି ଆସିଥିଲା। ତାକୁ ଘଉଡାଇବାକୁ ବନ ବିଭାଗ ଓ ଗ୍ରାମବାସୀ ବହୁ ଚେଷ୍ଟା କରିବା ସତ୍ତ୍ୱେ ଘଉଡାଇ ପାରି ନ ଥିଲେ ଗ୍ରାମରେ କେତେଜଣଙ୍କର ଘରଦ୍ୱାର ମଧ୍ୟ ଭାଙ୍ଗି ଦେଇଥିଲା  ଗ୍ରାମର ପ୍ରହଲ୍ଲାଦ ମାଝୀ ନାମକ ୬୦ ବର୍ଷିୟ ବ୍ୟକ୍ତି ମଧ୍ୟ ହାତୀ ଘଉଡାଉଥିଲା ହେଲେ ହାତୀ ହାବୁଡରେ ପଡିବାରୁ ହାତୀ ତାକୁ ଦଳି ଚକଟି ମାରିଦେଇଥିଲା।

ଘଟଣା ସ୍ଥଳରେ ପ୍ରହଲ୍ଲାଦ ମାଝୀଙ୍କର ମୃତ୍ୟୁ ହୋଇଥିବା ରେଢାଖୋଲ ରେଞ ଅଧିକାରୀ ପ୍ରଦୀପ ସେଠୀ ପ୍ରକାଶ କରିଛନ୍ତି। ମୃତ ବ୍ୟକ୍ତିର ଶବକୁ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ବନ ବିଭାଗ ନେବାରେ ବିଫଳ ହୋଇଥିଲେ। ପରିବାର ଲୋକେ ଶବକୁ ଦାହ କରିଦେଇଥିବା ଜଣା ପଡିଛି। ମୃତ ବ୍ୟକ୍ତିର ୨ ପୁଅ ଅଛନ୍ତି। ରେଢାଖୋଲ ଅଂଚଳରେ ଦିନକୁଦିନ ହାତୀ ଉପଦ୍ରବ ବୃଦ୍ଧିପାଇବାରେ ଲାଗିଛି। କିଛି ମାସ ତଳେ ରେଢାଖୋଲରେ ବହୁ ଜଣଙ୍କୁ ହାତୀ ମାରିଦେଇଥିବା ଜଣା ପଡିଛି। ରେଞ୍ଜ ଅଧିକାରୀ ପ୍ରଦୀପ ସେଠୀ , ଫରେଷ୍ଟର ତ୍ରିନାଥ ଭୋସାଗର ଘଟଣା ସ୍ଥଳରେ ଉପସ୍ଥିତ ଥିଲେ। ମୃତ ବ୍ୟକ୍ତିର ପରିବାରକୁ ସରକାରଙ୍କ ତରଫରୁ ଅବଶ୍ୟକ କ୍ଷତିପୂରଣ ଦେବାକୁ ଦାବୀ ହେଉଛି।

Categories
ଆଜିର ଖବର ଆଞ୍ଚଳିକ

ରେଢାଖୋଲ କୁ୍ଞ୍ଜାମୁରା ଗାଁରେ ବାଇକ ଦୁର୍ଘଟଣାରେ ଉତ୍ତେଜନା, କ୍ଷତିପୂରଣ ଦାବିରେ ରାସ୍ତାରୋକ

କନ୍ଦର୍ପ ବେହେରା
ରେଢାଖୋଲ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା କୁ୍ଞ୍ଜାମୁରା ଗାଁରେ ବାଇକ୍ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ବୃଦ୍ଧ ଜଣଙ୍କର ମୃତ୍ୟୁକୁ କେନ୍ଦ୍ର କରି ଗାଁରେ ଉତ୍ତେଜନା ଦେଖା ଦେବା ସହ ଗ୍ରାମବାସୀ ମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ।

ନାକଟିଦେଉଳ ଥାନା ବାଟଗାଁ ପଂଚାୟତର କୁ୍ଞ୍ଜାମୁରା ବକ୍ସିବଜାର ସାହିର ସଦା ନାଏକ ନାମରେ ଜଣେ ବୃଦ୍ଧ ବାଟଗାଁ ଗ୍ରାମକୁ କୌଣସି କାମରେ ଯାଇ ସେଠାରୁ ଫେରୁଥିଲେ । ବକ୍ସିବଜାର ସାହି ନିକଟରେ ପଛପଟୁ ଦୃତ ଗତିରେ ଦେବଗଡ ଜିଲ୍ଲା ରିଆମାଳ ଅଂଚଳର ଦୁଇଜଣ ବ୍ୟକ୍ତି ବାଟଗାଁ ପଟୁ ଓଡି -୧୫ ପି ୬୫୪୬ ନମ୍ବର ଥିବା ଏକ ମୋଟର ସାଇକେଲରେ ଫେରୁଥିଲେ । ବକ୍ସିବଜାର ଛକ ନିକଟରେ ବୃଦ୍ଧ ଜଣଙ୍କୁ ବାଇକ ଆରୋହୀ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲ । ବାଇକ୍ ଆରୋହୀ ଦୁଇ ଜଣଙ୍କୁ ଗ୍ରାମବାସୀ ଅଟକ ରଖିବା ସହ କ୍ଷତିପୂରଣ ଦାବିରେ  ରାସ୍ତାରେ ଶବ ରଖି ରାଂଚି-ବିଜୟୱାଡା ରାସ୍ତା ଅବରୋଧ କରିଥିଲେ।

ଖବର ପାଇ ରେଢାଖୋଲ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ ଓ ନାକଟିଦେଉଳ ଥାନାଧିକାରୀ ଘଟଣା ସ୍ଥଳରେ ପହଂଚିଥିଲେ। ଲୋକମାନେ ରାସ୍ତା ରୋକରୁ ହଟି ନ ଥିବା ଜଣା ପଡିଛି । ନାକଟିଦେଉଳ ଥାନାଧିକାରୀଙ୍କୁ ଏ ସଂପର୍କରେ ଜାଣିବା ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସଂଭବ ହୋଇପାରି ନ ଥିଲା ।

Categories
ଆଞ୍ଚଳିକ

ଚିତ୍ରଶିଳ୍ପୀ ସୁଧୀର ସ୍ୱାଇଁ ଳଳିତ କଳା ଏକାଡେମୀର ଚିତ୍ରକଳା ପ୍ରତିଯୋଗୀତା ପୁରସ୍କାର ପାଇଁ ମନୋନୀତ

କନ୍ଦର୍ପ ବେହେରା
ରେଢାଖୋଲ: ଭୂବନେଶ୍ୱର ଲଳିତ କଳା ଏକାଡେମୀ ତରଫରୁ କୋଭିଡ୍ -୧୯ କୁ ନେଇ ଏକ ଚିତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପୁରସ୍କାର ପାଇବା ପାଇଁ ରେଢାଖୋଲ ମାଟିର ଯୁବ ଚିତ୍ରଶିଳ୍ପୀ ସୁଧୀର ସ୍ୱାଇଁ ମନୋନୀତ ହୋଇଛନ୍ତି। ବର୍ତ୍ତମାନ ସାରା ବିଶ୍ୱରେ ମହାମାରୀ କରୋନା ନରସଂହାର ଚଳାଇଛି। ଏହାକୁ ନେଇ ଲଳିତ କଳା ଏକାଡେମୀ ଅନ୍‌ଲାଇନ୍ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରିଥିଲା। ଏଥିରେ ସୁଧୀରଙ୍କ କରୋନା ସଚେତନତା ସଂପର୍କିତ ଏକ ପେଂଟିଙ୍ଗ ଲଳିତ କଳା ଏକାଡେମୀ ତରଫରୁ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଜଣା ପଡିଛି। ସୁଧୀର ଜଣେ ଚିତ୍ରଶିଳ୍ପୀ ଭାବରେ ସାରା ଓଡିଶାରେ ବେଶ୍ ପରିଚିତ। ବିଭିନ୍ନ ସ୍ଥାନରେ ତାଙ୍କ ଚିତ୍ରକଳା ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ଖଲ୍ଲୀକୋଟ ସ୍ଥିତ ଚାରୁ ଓ କାରୁ କଳା ମହାବିଦ୍ୟାଳରେ ସେ ଚିତ୍ରକଳାରେ ପାଠପଢିଛନ୍ତି। ସେ ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ଯୋଡାରେ ଥିବା ଟାଟା ଡିଏଭି ପବ୍ଲିକ୍ ବିଦ୍ୟାଳୟରେ କଳା ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମାଛ ମାରୁଥିବା ସମୟରେ ଭାସିଗଲେ ଭୀମସେନ ଏ ଯାଏଁ ମିଳିନି ଶବ

କନ୍ଦର୍ପ ବେହେରା
ରେଢାଖୋଲ: ପହିଲି ଆଷାଢରେ ବର୍ଷା ହେଉଥିଲା ଜୋରଜାର। ପ୍ରଥମ ବର୍ଷାରେ ମାଛ ମାରିବାର ଯେଉଁ ଆନନ୍ଦଥାଏ ତାକୁ ଉପଭୋଗ କରିବା ପାଇଁ କଦଳିଗଡ ପଂଚାୟତର ସମାସିଙ୍ଗା ଗ୍ରାମର ଭୀମସେନ ପ୍ରଧାନ(୬୦) ହାତରେ ଜାଲ ଧରି ବାହାରି ପଡିଲେ ମାଛ ମାରିବା ପାଇଁ କେରାଣ୍ଡି ଜୋରକୁ। ଆନନ୍ଦ ମନରେ ମାଛ ମାରୁଥିବା ସମୟରେ ନିଜର ଅଜାଣତରେ କେରାଣ୍ଡି ଜୋରର ପ୍ରଖର ସ୍ରୋତରେ ଭାସିଗଲେ ଯେ, ଆଜିଯାଏ ତାଙ୍କର ମୃତ ଦେହ ମିଳିପାରିଲା ନାହିଁ। ଏ ଘଟଣା ଟି ଘଟିଛି ଗତ ଜୁନ୍ ମାସ ୨୧ ତାରିଖରେ। ଘଟଣାର ପାଂଚ ଦିନ ପରେ ଧରିଥିବା ମାଛ ଜାଲ କୁ କେବଳ ଜୋରର କୈାଣସି ଏକ ଗଛର ଚେରରେ ଲାଗିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏହାକୁ ଆଧାର କରି ଗ୍ରାମବାସୀ ସେ ମରିଯାଇଥିବା ସନ୍ଦେହରେ ତାଙ୍କ ପରିବାରକୁ ଶୁଦ୍ଧିକ୍ରିୟା କରିବାକୁ ପଡିଛି। ସ୍ୱାମୀର ମୃତ ଦେହ ମିଳି ନ ଥିଲେ ମଧ୍ୟ ସ୍ତ୍ରୀର ମଥାରୁ ସିନ୍ଦୁର ପୋଛିବାକୁ ପଡିଛି। ସମାଜ କଟକଣା ଯୋଗୁଁ ପରିବାର କ୍ରିୟାକର୍ମ କରିବାକୁ ବାଧ୍ୟ ହୋଇଛନ୍ତି।

ମୃତ ଭୀମସେନ ଯେଉଁ ଦିନ ଠାରୁ ନିଖୋଜ ଥିଲେ ରେଢାଖୋଲ ଦମକଳ ବାହିନୀ, ଗାଁ ଲୋକେ, ପୁଲିସ୍ ବାହିନୀ ଆପ୍ରାଣ ଚେଷ୍ଟା ସତ୍ତ୍ୱେ ଶବ ମିଳିପାରି ନ ଥିଲା। ବର୍ତ୍ତମାନ ସେଇ ଜୋରରେ ବହୁତ ପାଣି ଆସୁଥିବାରୁ ଭୀମସେନର ଏ ପର୍ଯ୍ୟନ୍ତ କୈାଣସି ଖୋଜଖବର ମିଳିପାରି ନାହିଁ। ଶବ ନ ମିଳିଲେ ମଧ୍ୟ ବାଧ୍ୟ ହୋଇ ପରିବାର ଲୋକେ ଶୁଦ୍ଧିକର୍ମ କରିଥିବା ଭଳି ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଶବ ନ ପାଇ ମଧ୍ୟ ସ୍ତ୍ରୀ ମଥାର ସିନ୍ଦୁର ପୋଛିବାକୁ ବାଧ୍ୟ ହୋଇଛି। ଏପରିକି ନିଜ ପୁଅ ମାନେ ମଧ୍ୟ ଲଣ୍ଡା ହେବାକୁ ବାଧ୍ୟ ହୋଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲ୍ୟବିବାହ ରୋକିବାରେ ସଫଳ ହେଲା ଚାଇଲଡ୍ ଲାଇନ୍‌

କନ୍ଦର୍ପ ବେହେରା
ରେଢାଖୋଲ: ସରକାର କମ୍ ବୟସରୁ ବାହାଘର ନ ହେବା ପାଇଁ ଗଣ ମାଧ୍ୟମରେ ବାରମ୍ବାର ସଚେତନ କଲେ ମଧ୍ୟ ଗ୍ରାମାଂଚଳର ଲୋକମାନେ ମାନୁ ନାହାନ୍ତି। ବରପାତ୍ର ମିଳିଗଲା ପରେ ଅତି କମ୍ ବୟସରୁ ବାହାଘର କରି ନିଜ ମୁଣ୍ଡରୁ ବୋଝ ଗଲା ବୋଲି ଭାବୁଛନ୍ତି। ଏମିତି ଏକ ଘଟଣା ଘଟିଛି ଯାହାକି କମ୍ ବୟସର ବାଳିକାକୁ ବାପଘର ବାହାଘର କରିଦେବା ସମୟରେ ଚାଇଲଡ୍ ଲାଇନ୍ ଦ୍ୱାରା ଧରା ପଡି ଶେଷରେ ବାହାଘର ବନ୍ଦ ହେବା ଭଳି ଘଟଣା ଘଟିଛି ଚାରମାଳ ଥାନା ଅଂଚଳରେ।

ପ୍ରକାଶ ଯେ, ରେଢାଖୋଲ ସବ୍‌ଡିଭିଜନ୍ ଚାରମାଳ ଥାନା ବଂଶାଜାଲ ପଂଚାୟତର କୋଇଲିପଦର ଗ୍ରାମର ଜନୈକ ନାବାଳିକାର ବାହାଘର ବୀରମହାରାଜପୁର ଥାନା ଚୁମକାଦାଦର ଗ୍ରାମର ସୁମନ୍ତ ପ୍ରଧାନଙ୍କ ସହ ହେବାର ଥିଲା। ବରପକ୍ଷ ମଧ୍ୟ ପହଂଚି ସାରିଥିଲେ। ଏ ସଂପର୍କରେ ଚାରମାଳ ଚାଇଲଡ୍ ଲାଇନ୍ ଖବର ପାଇ ରେଢାଖୋଲ ସିଡିପିଓ(ବାଲ୍ୟବିବାହ ନିରୋଧ ଅଧିକାରୀ), ଚାରମାଳ ପୋଲିସ୍ ସହାୟତାରେ ଶିଶୁ କନ୍ୟାର ଘରକୁ ଯାଇ ନାବାଳିକାର ବାପା ଓ ମାଆଙ୍କୁ ଝିଅଟିର ବୟସ ପ୍ରମାଣ ପତ୍ର ମାଗିଥିଲେ ହେଲେ ଝିଅର ବାପା ଓ ମାଆ କୌଣସି ପ୍ରମାଣ ପତ୍ର ଦେଇ ପାରି ନ ଥିଲେ। ଝିଅର ଆଧାର କାର୍ଡ ଅନୁଯାୟୀ ୧୬ ବର୍ଷ ୧୦ ମାସ ହେଉଥିବା ସୂଚନାମ ମିଳିଥିଲା। ଝିଅର ବାପା ଓ ମାଆଙ୍କୁ ବୁଝା ସୁଝା ପରେ ବାଲ୍ୟ ବିବାହ କୁ ରୋକାଯାଇ ପାରିଥିଲା।

ବାଲ୍ୟବିବାହ ଏକ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ଗ୍ରାମାଂଚଳର ଲୋକମାନେ ସଚେତନତାର ଅଭାବ ଯୋଗୁଁ ଝିଅକୁ ବାହାଘର କରିଦେଉଥିବା ନିତିଦିନିଆ ଘଟଣା ହୋଇଗଲାଣି। ଆଜି ଝିଅର ବାପା ଓ ମାଆ ତଥା ବର ପକ୍ଷ ଏକ ଚୁକ୍ତିନାମା ଲେଖିଦେବା ପରେ ଝିଅର ବାହାଘରକୁ ବନ୍ଦ କରିଦିଆଯାଇଥିଲା। ଏଥିରେ ଚାରମାଳ ଚାଇଲଡ୍ ଲାଇନ୍ ର କର୍ମକର୍ତ୍ତା ତଥା ଚାରମାଳ ଥାନା ସହଯାଗ କରିଥିଲା। କନ୍ୟାପକ୍ଷ ମଧ୍ୟ ପ୍ରଶାସନ ଠାରୁ ଏହି ବାହାଘର ସଂପର୍କରେ କୌଣସି ଅନୁମତି ପତ୍ର ଆଣି ନଥିଲେ ବୋଲି ଜଣା ପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚୀନ୍ ଆକ୍ରମଣ ବିରୁଦ୍ଧରେ ରେଢାଖୋଲରେ ଆମ୍ ଆଦମୀ ପାର୍ଟିର ବିରୋଧ ପ୍ରଦର୍ଶନ

କନ୍ଦର୍ପ ବେହେରା
ରେଢାଖୋଲ: ଭାରତ-ଚୀନ୍ ସୀମା ବିବାଦ ସଂପର୍କରେ କେନ୍ଦ୍ର ସରକାରଙ୍କର ଭୂମିକା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଏ ସଂପର୍କରେ ସମସ୍ତ ତଥ୍ୟକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନା କରିବା ଆବଶ୍ୟକ। ଦିଲ୍ଲୀର ସର୍ବଦଳୀୟ ବୈଠକକୁ ପ୍ରଧାନମନ୍ତ୍ରୀ ଆମ୍ ଅଦମୀ ପାର୍ଟିକୁ ନିମନ୍ତ୍ରଣ ନ କରିବା ଆଦିକୁ ନେଇ ଆମ୍ ଆଦମୀ ପାର୍ଟି ବିରୋଦ୍ଧ ପ୍ରଦର୍ଶନ କରିଛି। ଲଦାଖର ଏଲ୍‌ଏସିରେ ୨୦ ଭାରତୀୟ ଯବାନ ଶହୀଦ ହେବା ତଥା ଅନେକ ଆହତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏ ସଂକ୍ରାନ୍ତରେ ଦେଶବାସୀ ତଥା ଆମ୍ ଆଦମୀ ପାର୍ଟି ପ୍ରଧାନମନ୍ତ୍ରୀଙ୍କ ଠାରୁ ଉତ୍ତର ଚାହିଁବା ସହିତ ଚୀନର ବର୍ବର କାଣ୍ଡର ଉପଯୁକ୍ତ ଜବାବ ପାଇଁ ଦାବୀ କରୁଛି।

ସହିଦ୍ ପରିବାରଙ୍କୁ ୧ କୋଟି ପ୍ରଦାନ, ପରିବାରର ଜଣଙ୍କୁ ନିଯୁକ୍ତି ଦେବା ଓ ୧ ଅପ୍ରେଲ୍ ୨୦୨୦ ପୂର୍ବବତ ସ୍ଥିତି ସୀମାରେ ବାହାର କରିବା ପାଇଁ ଆପ୍ ଦାବୀ କରୁଛି। ଆଜି ରେଢାଖୋଲ ଭୀମଭୋଇ ଛକ ଠାରେ ଆମ୍ ଆଦମୀ ପାର୍ଟି ତରଫରୁ ଏ ପ୍ରସଙ୍ଗକୁ ନେଇ ଏକ ବିରୋଦ୍ଧ ପ୍ରଦର୍ଶନ କରିବା ସହ ଶହୀଦ ବୀର ସୈନିକମାନଙ୍କ ପ୍ରତି ୨ ମିନିଟ୍ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞଳୀ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆମ୍ ଆଦମୀ ପାର୍ଟିର ବ୍ଲକ୍ ପ୍ରଭାରୀ ଅଜୟ କୁମାର ସାହୁ, ନାକଟିଦେଉଳ ପ୍ରଭାରୀ ଅନ୍ତର୍ଯ୍ୟାମୀ ପ୍ରଧାନ, ସଂସାର ନାଏକ, ନିର୍ମଳା ସାହୁ, ସୁଦର୍ଶନ ସାହୁ, ଭ୍ରମରବର କିସାନ୍, ସାମୁଏଲ୍ ପୁର୍ତି, ଅଶୋକ ଦେହୁରୀ ପ୍ରମୁଖ ସାମିଲ୍ ହୋଇଥିଲେ। ଜିଲ୍ଲା ଆବାହକ ଆନନ୍ଦ ସାମଲ୍ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।