Categories
ଆଜିର ଖବର ରାଜ୍ୟ ଖବର

ବଳଦ କିଣି ଫେରୁଥିବା ସମୟରେ ଦିନ ଦିପହରରେ ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

କନ୍ଦର୍ପ ବେହେରା

ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ଦିନକୁ ଦିନ ହାତୀ ଆକ୍ରମଣରେ ବହୁ ବ୍ୟକ୍ତି ମୃତ୍ୟୁ ବରଣ କରୁଥିବା ବେଳେ ହାତୀକୁ ନିୟନ୍ତ୍ରଣ କରିବାରେ ବନବିଭାଗ ଯେତେଚେଷ୍ଟା କଲେ ମଧ୍ୟ ବିଫଳ ହେଉଛି। ଆଜି ଦିନ ଦି ପହରରେ ହିତସରା ଜଙ୍ଗଲ ନିକଟରେ ଜଣେ ବ୍ୟକ୍ତିକୁ ହାତୀ ଦଳିଚକଟି ଦେଇଥିବା ଖବର ହସ୍ତଗତ ହୋଇଛି।

ବେସରକାରୀ ସୁତ୍ରରୁ ଜଣାପଡିଛି ଯେ, ହିତସରା ଗ୍ରାମର ଦୟାନିଧି ସାହୁ (୬୫) ଏବଂ ତାଙ୍କ ପୁତୁରା ସୁଦାମ ସାହୁ ରାଇଲ ଗ୍ରାମର ନିଜ ସଂପର୍କିୟଙ୍କ ଘରକୁ ବାହାଘର କାମରେ ଯାଇଥିଲେ। ଆଜି ରାଇଲରୁ ଗୋରୁ ଧରି ଫେରୁଥିବା ବେଳେ ଦୟାନିଧି ହାତୀ ହାବୁଡରେ ପଡିଯାଇଥିଲେ। ଦୟାନିଧିଙ୍କୁ ହାତୀ ଆକ୍ରମଣ କରିବାରୁ ସେ ଗୁରତର ହୋଇପଡିଥିଲେ। ତାଙ୍କ ସାଥିରେ ଥିବା ପୁତୁରା ସୁଦାମ ସାହୁ ହାତୀ ଠାରୁ ଅଳ୍ପକେ ବଂଚିଯାଇଥିଲେ। ସେ ହାତୀ କବଳରୁ ଘରକୁ ବହୁ କଷ୍ଟରେ ଆସି ସବୁ କଥା କହିବାରୁ ପରିବାର ଲୋକେ ବନ ବିଭାଗକୁ ଜଣାଇଥିଲେ। ବନବିଭାଗର ଫରେଷ୍ଟର ତଥା ଅନ୍ୟକର୍ମଚାରୀମାନେ ସେ ଜଙ୍ଗଲକୁ ଯାଇ ଦୟାନିଧିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହ ପ୍ରତିଶୃତି ଦେଇ ୨ ନାବାଳିକା ଅପହରଣ ଘଟଣାରେ ଜଣେ ଗିରଫ

କନ୍ଦର୍ପ ବେହେରା

ରେଢାଖୋଲ: ନାକଟିଦେଉଳ ଥାନା ଅନ୍ତର୍ଗତ ସାହେବୀ ପଂଚାୟତର ଝାରବେଡା ଗ୍ରାମରେ ୨ ନାବାଳିକାକୁ ମିଥ୍ୟା ବିବାହର ପ୍ରତିଶୃତି ଦେଇ ଜଣେ ଯୁବକ ଅପହରଣ କରିଥିଲା। ସୂଚନା ଅନୁସାରେ ଝାରବେଡା ଗ୍ରାମର ସୁଶାନ୍ତ ନାଏକ (ଝାରୁ) ୨୮ ବର୍ଷ ମିଥ୍ୟା ବିବାହର ପ୍ରତିଶୃତି ଦେଇ ୨ ନାବାଳିକାକୁ ଗତ ୬ ତାରିଖରେ ଅପହରଣ କରି ନେଇଯାଇଥିଲା। ଏ ନେଇ ଗତ ୮ ତାରିଖ ସକାଳେ ସଂପୃକ୍ତା ନାବାଳିକାର ବାପା ଶଙ୍କର ମୁଣ୍ଡା ନାକଟିଦେଉଳ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତି କରି ନାକଟିଦେଉଳ ପୋଲିସ ଅନୁସନ୍ଧାନ କରି ଦେବଗଡ ଜିଲ୍ଲାରୁ ଅଭିଯୁକ୍ତ ସୁଶାନ୍ତକୁ ଗିରଫ କରିବା ସହ ୨ ନାବାଳିକା ଝିଅକୁ ଉଦ୍ଧାର କରିଥିବା ଜଣା ପଡିଛି। ତେବେ ନାବାଳିକା ଦୁଇ ଜଣଙ୍କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ବେଳେ ନାକଟିଦେଉଳ ଥାନାରେ କେସ ନଂ ୫୧/୨୨ ରେ ୩୬୩ ,୩୬୬,୩୭୬ (୨) ଆଇପିସି ଧାରାରେ ମାମଲା ରୁଜୁ କରିଥିବା ବେଳେ ଆସନ୍ତା କାଲି ଅଭିଯୁକ୍ତର ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ବିଧୁଭୁଷଣ ଦଳେଇ ପ୍ରକାଶ କରିଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ, କ୍ଷତିପୂରଣ ଦାବି

କନ୍ଦର୍ପ ବେହେରା

ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ଗୋଗୁଆ ପଂଚାୟତ ଲାଇଜା ଗ୍ରାମରେ ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି।

ପ୍ରକାଶ ଯେ ,ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଗୋଗୁଆ ପଞ୍ଚାୟତ ଅନ୍ତର୍ଗତ ଲାଇଜା ଗ୍ରାମରେ ହାତୀ ଉପଦ୍ରବ ଯୋଗୁଁ ଏକର୍ ଏକର ଜମିରେ ଥିବା ଧାନ ଫସଲ ନଷ୍ଟ ହେଇଥିବା ଜଣାପଡିଛି।

ଗତକାଲି ବିଳମ୍ବିତ ରାତିରେ ୧୪ ଟି ହାତୀ ପଲ ଆସି ଗ୍ରାମର ଉମାକାନ୍ତ ପ୍ରଧାନ, ପ୍ରଫୁଲ୍ଲ ସାହୁ, ପଦ୍ମଚରଣ ପ୍ରଧାନ, କ୍ଷୀରୋଦ ଇନି ସାହୁଙ୍କ ୩ ଏକରରୁ ଊର୍ଦ୍ଧ୍ୱ ଓ ପଦ୍ମଚରଣ ପ୍ରଧାନଙ୍କ ୧ ଏକର ଧାନ, କଳୋଥ ୫୦ଡିସିମିଲ, ଉମା କାନ୍ତଙ୍କ ୮୦ ଡିସିମିଲ ପାଚିଲା ଧାନ ଫସଲ ସବୁ ହାତୀ ପଲ ମାନେ ଖାଇ, ଦଳି, ଚକଟି ଦେଇଥିବା ସୂଚନା ମିଳିଛି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ବନ ବିଭାଗ ନିକଟରେ ଦାବି ହେଉଛି।

Categories
ଆଞ୍ଚଳିକ

ରେଢାଖୋଲରେ ମନିଷ୍ ଅନୁରାଗ ସ୍ମୃତିରେ ଶିଶୁମେଳା

କନ୍ଦର୍ପ ବେହେରା
ରେଢାଖୋଲ: ମନିଷ୍ ଅନୁରାଗ ସ୍ମୃତିରେ ସାରା ଫାଉଣ୍ଡେସନ୍ ତରଫରୁ ତିନିଦିନିଆ ଶିଶୁମେଳା ଅନୁଷ୍ଠିିତ ହୋଇଯାଇଛି। ଏହି ଶିଶୁମେଳାରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମନିଷ ସ୍ୱଳ୍ପ ସମୟ ମଧ୍ୟରେ ସମ୍ବଲପୁର , କୋରାପୁଟ ଆଦି ଅଂଚଳର ଅରଣ୍ୟ ମଣିଷ ମାନଙ୍କ ସହ ବସବାସ କରିବା ସହ ସେମାନଙ୍କୁ ନେଇ, ସେମାନଙ୍କ ସହ ଦେଖିଥିବା କିଛି ସ୍ୱପ୍ନ, ମଣିଷ ଦ୍ୱାରା ହାତ ତିଆରି ଦ୍ରବ୍ୟ ଓ ସେମାନଙ୍କ ଦ୍ୱାରା ସଂଗୃହିତ ବନ ଜାତ ଦ୍ରବ୍ୟ ସବୁର ଉଚିତ୍ ବିଜ୍ଞାପନ ଓ ଅନ୍‌ଲାଇନ୍ ମାର୍କେଟିଙ୍ଗର ଆବଶ୍ୟକତା ସଂପର୍କରେ ସଚେତନତା କରୁଥିଲେ।

ସାରା ଫାଉ୍‌ଣ୍ଡେସନର ପ୍ରତିଷ୍ଠାତା ମାନିନୀ ମିଶ୍ର ଯୋଗଦେଇ ମନିଷ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଶିଶୁ ମେଳାରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶୈଳବାଳା ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାାରେ ଯୋଗଦେବାକୁ ବକ୍ତବ୍ୟ ରଖିଥିଲେ। ଖେଳ ଶିକ୍ଷକ ସୁକାନ୍ତ କୁମାର ପ୍ରଧାନ ରଙ୍ଗ ତୂଳି ଦେବା ସହ , ଶିଶୁଙ୍କ ବିଷୟ ବସ୍ତୁର ଦୀଗ ଉପରେ ସମ୍ୟକ୍ ଧାରଣା ଦେଇଥିଲେ।

ବିଦ୍ୟାଳୟର ସୁବ୍ରତ ବେହେରା ଚିତ୍ରାଙ୍କନ ପ୍ରତିଯୋଗିତାର ସଫଳ ରୂପାୟନ ପାଇଁ ସହଯୋଗ କରିଥିଲେ। ଡାକ୍ତର ରାମକ୍ରିଷ୍ନ ପତି ଯୋଗଦେଇ ସାରା ଫାଉଣ୍ଡେସନ ତଥା ପିଲାଙ୍କ ପାଇଁ ଚିତ୍ରାଙ୍କନର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ। ଆଗାମୀ ସାରା ଫାଉଣ୍ଡେସନ୍ ରେଢାଖୋଲର ବିଭିନ୍ନ ସ୍ଥାନରେ ଏଇଭଳି କାର୍ଯ୍ୟକ୍ରମ କରିବ ବୋଲି ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ରେଢାଖୋଲ: ହାତୀ ଆକ୍ରମଣରେ କକା, ପୁତୁରା ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ହାତୀ ମଣିଷ ମଧ୍ୟରେ ଲଢେଇ ଦିନକୁ ଦିନ ବଢିବାରେ ଲାଗିଛି। କେଉଁଠି ହାତୀ ମଣିଷକୁ ମାରୁଛି ତ ଆଉ କେଉଁଠି ମଣିଷ ହାତୀକୁ ମାରୁଥିବା ନିତ୍ୟନୈମିତିକ ଘଟଣା ହୋଇଗଲାଣି। ବନ ବିଭାଗ ସେତେଟା ଆଖିଦୃଷ୍ଟିଆ ହାତୀ ପ୍ରତି ପଦେକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି। ଗତକାଲି ରେଢାଖୋଲ ଡିମିରିକୁଦା ଗ୍ରାମରେ ହାତୀ ଆକ୍ରମଣରେ କକା ଓ ପୁତୁରାର ଅକାଳ ବିୟୋଗ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ଖୋଲଗଡ ସଂରକ୍ଷିତ ଜଙ୍ଗଲର ଡିମିରିକୁଦା ଗ୍ରାମ ନିକଟରେ ଅପରାହ୍ନ ୪ ଟାରେ କକା ,ପୁତୁରାକୁ ରାସ୍ତାରେ ବୁଲାଉଥିବା ବେଳେ ଏକ ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ। ପଳାଇବାକୁ ଚେଷ୍ଟା କରି ମଧ୍ୟ ହାତୀଟି ସେମାନଙ୍କୁ ରାସ୍ତା ଉପରୁ ଟାଣି ନେଇ ଅତି ବିଭତ୍ସ ଭାବେ ମାରି ଦେଇଥିଲା। କକା ଦୁଃଶାସନ ଭୋଇ(୨୭) ଓ ପୁତୁରା ରତିକ ଭୋଇ (୫ବର୍ଷ) ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ଗତକାଲି ସଂଧ୍ୟାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲେ ମଧ୍ୟ ସେମାନେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପରିବାର ଲୋକେ କେହି ବି ଜାଣି ପାରି ନ ଥିଲେ। ସେମାନଙ୍କ ସାଇକେଲକୁ ହାତୀଟି ଭାଙ୍ଗି ଦେଇଛି। ସଂଧ୍ୟା ପର୍ଯ୍ୟନ୍ତ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ହାତୀ ଭୟରେ ମଧ୍ୟ ଜଙ୍ଗଲକୁ ଯାଇ ଖୋଜି ପାରି ନ ଥିଲେ ପରିବାର ଲୋକେ। କାହିଁକି ନା କିଛି ଦିନ ହେଲା ଏକ ଦନ୍ତା ହାତୀ ଅଂଚଳରେ ଆତଙ୍କ ଚଳାଇ ଆସୁଥିଲା।

ଆଜି ସକାଳୁ ସକାଳୁ ସେମାନଙ୍କ ସାଇକେଲ ପଡିଥିବା ଗାଁ ଲୋକେ ଦେଖିବାକୁ ପାଇ ସେମାନଙ୍କୁ ଖୋଜି ପାଇ ଥିଲେ। ରାସ୍ତାରୁ ମାତ୍ର ୧୦୦ ମିଟର ଦୁରରେ ହିଁ ସେମାନଙ୍କ ଶବ ପଡିଥିଲା। ହାତୀ ଟି ସେମାନଙ୍କୁ ମାରି ପକାଇ ଟାଣି ନେଇଥିବା ଅନୁମାନ କରାଯାଉଛି। ସଙ୍ଗେ ସଙ୍ଗେ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗର ରେଞଅଧିକାରୀ, ଫରେଷ୍ଟର ଘଟଣା ସ୍ଥଳକୁ ଯାଇଥିଲେ। ବନବିଭାଗ ଦତନ୍ତ ଚଳାଇଥିବା ଜଣା ପଡିଛି। ପରିବାର ଲୋକଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ସହାୟତା ଦିଆଯିବ ବୋଲି ବନବିଭାଗ ପ୍ରକାଶ କରିଛି।

ଦିନକୁ ଦିନ ଅଂଚଳରେ ହାତୀ ଜନିତ ମୃତ୍ୟୁ ସଂଖ୍ୟା ବଢୁଥିଲେ ମଧ୍ୟ ସେଇ ମଣିଷ ମରା ହାତୀଟିକୁ ଟ୍ରାଙ୍କୁଲାଇଜର୍ ଦେଇ ତାକୁ ଅନ୍ୟତ୍ର ନେବାରେ ବନବିଭାଗ ବିଫଳ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଦୁଇ ଦିନ ହେଲା ସେଇ ହାତୀଟି ଜାତୀୟ ରାଜ ପଥ ଉପରେ ଆତଙ୍କ ଚଳାଇଥଲେ ମଧ୍ୟ ବନବିଭାଗ ଟ୍ରାଙ୍କୁଲାଇଜର୍ ଦେଇ ପାରି ନ ଥିଲା। ବହୁ ସମୟ ଧରି ରାସ୍ତା ଉପରେ ରହିଯାଉଥିଲା ହାତୀଟି। ଯା ଫଳରେ ଗାଡି ଚଳାଚଳ ବାଧା ପ୍ରାପ୍ତ ହେଉଥଲା। ରାସ୍ତାରେ ଯିବାକୁ ମଧ୍ୟ ଲୋକମାନେ ନିରାପଦ ମଣୁ ନାହାନ୍ତି। ବନବିଭାଗ ତୁରନ୍ତ ସେଇ ହାତୀଟିକୁ ଅଂଚଳରୁ ଘଉଡାଇବାକୁ ଦାବୀ କରିଛନ୍ତି ଗ୍ରାମବାସୀ।

Categories
ଆଜିର ଖବର ରାଜ୍ୟ ଖବର

କୂଅରେ ପଡିଥିବା ଝିଅକୁ ବଂଚାଇବା ଉଦ୍ୟମ ବିଫଳ: କାନ୍ଧରେ ଧରି ୨ କିମି ରାସ୍ତା ଓ ନାଳ ପାର ହେଲେ ବାପା

କନ୍ଦର୍ପ ବେହେରା
ରେଢାଖୋଲ: କୂଅରେ ପଡି ଜଣେ ୫ ବର୍ଷର ଶିଶୁ ଗୁରୁତର ହୋଇପଡିଥିଲା। ଆମ୍ବୁଲାନସ୍ ଯୋଗେ ଡାକ୍ତରଖାନାକୁ ନେବାକୁ ଉଦ୍ୟମ କରିଥିଲେ ମଧ୍ୟ ଆମ୍ବୁଲାନସ୍‌ଟି ନାଳ ପଡିବାରୁ ପହଞ୍ଚିପାରି ନଥିଲା। ଫଳରେ ଶିଶୁଟିକୁ ବଞ୍ଚାଇବା ଉଦ୍ୟମ ବିଫଳ ହୋଇଥିଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କମଳାନାଳି ଗ୍ରାମରେ।

ଖବରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଘୋଷରାମାଳ ଗ୍ରାମପଂଚାୟତ କମଳାନାଳି ଗ୍ରାମର ଅର୍ଜୁନ ଦେହୁରୀ ଓ ବାସନ୍ତୀ ଦେହୁରୀଙ୍କ ୫ ବର୍ଷର ଝିଅ ମିତା ଦେହୁରି ଗାଁ ଦାଣ୍ଡରେ ଗାଁର ସାଥିମାନଙ୍କ ସହ ଖେଳୁଥିଲେ। ହେଲେ ପାଖରେ ଥିବା ଏକ କୂଅରେ ଝିଅଟି ପଡିଯାଇଥିଲା। ବାପା, ମାଆ ଝିଅଟିକୁ ନ ପାଇ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାକୁ ପାଇ ପାରି ନଥିଲେ। ପାଖରେ ଥିବା କୂଅ ପାଖକୁ ଯାଇ ଦେଖିଲେ ଯେ ଝିଅଟି ପଡିଛି। ସଙ୍ଗେ ସଙ୍ଗେ ଝିଅଟିକୁ ଉଦ୍ଧାର କରି ଥିଲେ ଗ୍ରାମବାସୀଙ୍କ ସହାୟତାରେ।

ରେଢାଖୋଲରୁ ଆମ୍ବୁଲାନସ୍ ଡକାଇ ଥିଲେ ହେଲେ ଗାଁ ଠାରୁ ୨ କିମି ଦୂରରେ ଥିବା ନାଳରେ ଆମ୍ବୁଲାନସ୍ ଯାଇ ନ ପାରିବାରୁ ଝିଅଟିକୁ ବାପା ରାତିରେ ବାଧ୍ୟ ହୋଇ କାନ୍ଧରେ ଧରି ୨ କିମି ଚାଲି ଚାଲି ଯାଇ ନାଳ ପାର ହୋଇ ଶେଷରେ ଆମ୍ବୁଲାନସ୍ ରେ ବସି ରେଢାଖୋଲ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ଝିଅଟି ମୃତ ବୋଲି ଘୋଷଣା କରିଥିଲେ।

ରେଢାଖୋଲ ପୋଲିସ୍ ଡାକ୍ତରଖାନାକୁ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣା ପଡିଛି। ଝିଅଟିକୁ ବଂଚାଇବା ପାଇଁ ବାପା କାନ୍ଧରେ ଧରି୨ କିମିଦୂର ନାଳ ପାର ହୋଇ ଯିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ଗାଁ ର ସେଇ ନାଳ ରେ ପୋଲ କାମ ସରି ନ ଥିବାରୁ ଆମ୍ବୁଲାନସ୍ ଟି ପହଂଚିପାରି ନ ଥିବାରୁ ଜଣେ କୁନି ଝିଅର ଜୀବନ ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଯଦି ପୋଲଟିର କାମ ସରିଥାନ୍ତା ହୁଏତ ଝିଅଟିକୁ ବଂଚାଇପାରି ଥାନ୍ତେ ବାପା, ମା’। ରାଜ୍ୟସରକାର ଝିଅକୁ ହରାଇଥିବା ପିତା ମାତାଙ୍କୁ ସହଯୋଗ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସୂଚନା ଥାଉକି ଅତୀତରେ ରେଢାଖୋଲ ଥାନା ଘୋଷରାମାଳ ଗ୍ରାମରେ ୨ଜଣ ଶିଶୁ ମଧ୍ୟ ଏକ ପରିତ୍ୟକ୍ତ କୂଅରେ ପଡି ମୃତ୍ୟୁ ବରଣ କରିଥିବା ଘଟଣା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା। ସେ ସମୟରେ ରାଜନୈତିକ ନେତା ମାନଙ୍କର ସୂଅ ଛୁଟିଥିଲା ସେଇ ଘୋଷରାମାଳ ଗ୍ରାମକୁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜବତ ହେଲା ବାରହା ମାଂସ, ଜଣେ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିନସ୍ଥ ପିଠଉଗୁଡା ଗ୍ରାମ ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ୨ କେଜି ବାରହା ମାଂସ ଜବତ କରିଛି ବନବିଭାଗ।

ପ୍ରକାଶ ଯେ, ପିଠଉଗୁଡା ଗ୍ରାମର କୁମର ରଣା ବାରହା ମାଂସ ଧରି ଆସୁଥିବା ବେଳେ ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢଉ କରିଥିଲା। ବାରହା ମାଂସ ଧରି ଫେରୁଥିବା ବ୍ୟକ୍ତିଙ୍କ ପାଖରୁ ୨ କେଜି ବାରହା ମାଂସ ସହ ତାକୁ ଗିରଫ କରିଥିଲା ବନବିଭାଗ। ଅଭିଯୁକ୍ତ କୁମାର ରଣାକୁ ଆଜି କୋର୍ଟ ଚାଲାଣ କରିଥିବା ଫରେଷ୍ଟର ସୁଜିତ ପ୍ରଧାନ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୩ ଟି ରେଳ ଷ୍ଟେସନରେ ଅତିରିକ୍ତ ରହଣି କରିବ ତପସ୍ୱିନୀ ବିଶେଷ ଟ୍ରେନ

ଭୁବନେଶ୍ବର: ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ପରୀକ୍ଷା ମୂଳକ ଭାବେ ତିନି ମାସ ପାଇଁ ରେଢ଼ାଖୋଲ, ବଇଣ୍ଡା ଓ ଗଡ଼ପୋଷ ଠାରେ ତପସ୍ୱିନୀ ସ୍ପେଶାଲ ରହଣି କରିବାକୁ ନିଷ୍ପତ୍ତି ନିଆଯାଇଛି।

୦୮୪୫୨/୦୮୪୫୧ ପୁରୀ-ହାତିଆ-ପୁରୀ ତପସ୍ୱିନୀ ସ୍ପେଶାଲ ଉଭୟ ପାର୍ଶ୍ୱରୁ ସେପ୍ଟେମ୍ବର ୩୦ ତାରିଖ ଠାରୁ ତିନିମାସ ପାଇଁ ପରୀକ୍ଷାମୂଳକ ଭିତ୍ତିରେ ଗଡ଼ପୋଷ ଠାରେ ରହଣି କରିବ।

୦୮୪୫୨ ପୁରୀ-ହାଟିଆ ତପସ୍ୱିନୀ ସ୍ପେଶାଲ ଗଡ଼ପୋଷ ଠାରେ ଭୋର ୦୬ଘ.୧୬ମି.ରେ ପହଞ୍ଚିବ ଏବଂ ଭୋର ୦୬ଘ.୧୭ମି.ରେ ହଟିଆ ଅଭିମୁଖେ ଯାତ୍ରା କରିବ।

ସେହିଭଳି, ୦୮୪୫୧ ହାତିଆ-ପୁରୀ ସ୍ପେଶାଲ୍ ଗଡ଼ପୋଷ ଠାରେ ରାତ୍ରି ୮ଘ.୧୦ମି.ରେ ପହଞ୍ଚିବ ଏବଂ ରାତ୍ରି ୮ଘ.୧୧ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

୦୮୪୫୨/୦୮୪୫୧ ପୁରୀ-ହାତିଆ-ପୁରୀ ତପସ୍ୱିନୀ ସ୍ପେଶାଲ ଉଭୟ ପାର୍ଶ୍ୱରୁ ଅକ୍ଟୋବର ୧ ତାରିଖ ଠାରୁ ତିନିମାସ ପାଇଁ ପରୀକ୍ଷାମୂଳକ ଭିତ୍ତିରେ ବଇଣ୍ଡା ଏବଂ ରେଢ଼ାଖୋଲରେ ଷ୍ଟପେଜ୍ ପ୍ରଦାନ କରିବ।

୦୮୪୫୨ ପୁରୀ-ହାତିଆ ତପସ୍ୱିନୀ ସ୍ପେଶାଲ ବଇଣ୍ଡା ଠାରେ ରାତ୍ରି ୦୧ଘ.୫୦ମି.ରେ ପହଞ୍ଚି ରାତ୍ରି ୦୧ଘ.୫୨ମି.ରେ ଛାଡିବ। ସେହିଭଳି ଏହା ରେଢ଼ାଖୋଲ ଠାରେ ରାତ୍ରି ୦୨ଘ.୨୮ମି.ରେ ପହଞ୍ଚିବ ଏବଂ ରାତ୍ରି ୦୨ଘ.୩୦ମି.ରେ ହଟିଆ ଅଭିମୁଖେ ଯାତ୍ରା କରିବ।

ଫେରିବା ମାର୍ଗରେ ୦୮୪୫୧ ହାତିଆ-ପୁରୀ ସ୍ପେଶାଲ୍ ରେଢ଼ାଖୋଲ ଠାରେ ରାତ୍ରି ୧୧ଘ.୩୦ମି.ରେ ପହଞ୍ଚିବ ଏବଂ ରାତ୍ରି ୧୧ଘ.୩୨ମି.ରେ ଛାଡିବ। ସେହିଭଳି, ଏହା ବଇଣ୍ଡା ଠାରେ ରାତ୍ରି ୧୨ଘ.୧୨ମି.ରେ ପହଞ୍ଚିବ ଏବଂ ରାତ୍ରି ୧୨ଘ.୧୪ମି.ରେ ପୁରୀ ଅଭିମିଖେ ଯାତ୍ରା କରିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଶ୍ୱଶୁର ଘରେ ଜ୍ୱାଇଁକୁ ଭୂଜାଲିରେ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ବିଳମ୍ବିତ ରାତ୍ରିରେ ଶ୍ୱଶୁର ଘରେ ଜ୍ୱାଇଁକୁ ଭୂଜାଲିରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି।

ପ୍ରକାଶ ଯେ, ରେଢାଖୋଲ ଥାନା ଝାଙ୍କରପଡା ଗ୍ରାମର ପୁଷ୍ପାଞ୍ଜଳି ସାହୁ କିଆକଟା ଥାନା ଧୁଡିଆପଡା ଗାଁରେ ବିବାହ କରିଥିଲେ। ଶୁଶୁର ଘରେ ପାରିବାରିକ ସମସ୍ୟା ଦେଖା ଦେବାରୁ ସେ ନିଜ ବାପ ଘରକୁ ୮ ମାସ ହେଲା ଫେରି ଆସିଥିଲେ। ଗତକାଲି ପୁଷ୍ପାଞଳିର ସମସ୍ୟାର ସମାଧାନ ପାଇଁ ରତ୍ନାବଡମାଳ ଗ୍ରାମର ଜ୍ୱାଇଁ ପ୍ରେମାନନ୍ଦ ବେହେରା ଶ୍ୱଶୁର ଘର ଝାଙ୍କରପଡା ଗାଁକୁ ଯାଇଥିଲେ। ରାତିରେ ଶୋଇଥିବା ସମୟରେ ୩ ଜଣ ଲୋକ ଏକ ମୋଟର ସାଇକେଲରେ ଆସି ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ।

ଗାଁ ଲୋକମାନେ ଆସିଯିବାରୁ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ। ଦୁର୍ବୃତ୍ତ ୩ ଜଣ ଆଣିଥିବା ମୋଟର ସାଇକେଲ୍, ଭୁଜାଲି ଛାଡି ଚମ୍ପଟ ମାରିଥିଲେ। ଆହତକୁ ରେଢାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡିଛି। ରେଢାଖୋଲ ପୋଲିସ୍ ଘଟଣା ସ୍ଥଳରେ ପହଂଚି ବାଇକ୍ ସହ ଭୁଜାଲି ଜବତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ରେଢାଖୋଲ: ହାତୀ ଆକ୍ରମଣରେ ବ୍ରାହ୍ମଣୀ ଗ୍ରାମରେ ମହିଳା ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ରାତିରେ ରେଢାଖୋଲ ବନଖଣ୍ଡ ବ୍ରାହ୍ମଣୀ ଗ୍ରାମରେ ଜନୈକା ମହିଳାକୁ ହାତୀ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ମୃତକ ମହିଳା ଜଣଙ୍କ ହେଲେ ସୁମିତ୍ରା ଦେହୁରୀ (୫୫)।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ବ୍ରାହ୍ମଣୀ ଗ୍ରାମର ସୁମିତ୍ରା ଦେହୁରୀ ନିଜ ସ୍ୱାମୀ ଇ-ଶ୍ରମକାର୍ଡ କରିବାକୁ ନିକଟସ୍ଥ ପଥୁରିଆ ଗ୍ରାମକୁ ଯାଇଥିଲେ।  ରାତି ପର୍ଯ୍ୟନ୍ତ ତାଙ୍କ ସ୍ଵାମୀ ଫେରିନଥିବାରୁ ହାତରେ ଏକ ଟର୍ଚ୍ଚ ଧରିି ସୁମିତ୍ରା ଖୋଜିବା ବାହାରିଥିଲେ। ହେଲେ ସୁମିତ୍ରା ରାସ୍ତାରେ ଯାଉଥିବା ବେଳେ ଗ୍ରାମ ଠାରୁ କିଛି ଦୂରରେ ହାତୀ ପଲ ହାବୁଡରେ ପଡିଯାଇଥିଲେ। ହାତୀ ପଲ ତାଙ୍କୁ ଆକ୍ରମଣ କରିଥିଲେ।

ଘଟଣା ସ୍ଥଳରେ ହିଁ ସୁମିତ୍ରାର ମୃତ୍ୟୁ ହୋଇଥିବା ଜଣା ପଡିଥିଲା। ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ବନବିଭାଗର ରେଞ୍ଜ ଅଧୀକାରୀ ମୈତ୍ରୀ ମଂଜିତ ବିଶ୍ୱାଳ, ଫରେଷ୍ଟ ଗାର୍ଡ, ଫରେଷ୍ଟର ତଥା ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଶବକୁ ଉଦ୍ଧାର କରିବା ସହ ରେଢାଖୋଲ ଡାକ୍ତର ଖାନାକୁ ପଠାଇଥିଲେ। ରେଢାଖୋଲ ଡାକ୍ତରଖାନାରେ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ମୃତକ ପରିବାରର ଅନ୍ତୈଷ୍ଟିକ୍ରିୟା ପାଇଁ ସରକାରଙ୍କ ତରଫରୁ ୪୦ ହଜାର ଟଙ୍କା ତୁରନ୍ତ ପ୍ରଦାନ କରାଯାଇଥିବା ବେଳେ ପରେ ୪ ଲକ୍ଷ ଟଙ୍କା ମୃତକର ପରିବାରକୁ ପ୍ରଦାନ କରାଯିବ ବୋଲି ରେଢାଖୋଲ ବନଖଣ୍ଡ ଅଧିକାରୀ ରମାକାନ୍ତ ନାଏକ ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରେଢାଖୋଲରେ ନୂଆଁଖାଇରେ ଅଘଟଣ ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ

କନ୍ଦର୍ପ ବେହେରା
ରେଢାଖୋଲ: ଛୋଟରୁ ବଡ କରି ଲାଳନ ପାଳନ କରିଥିବା ବାପ ଦିନେ ଯେ ପୁଅ ହାତରେ ଜୀବନ ଯିବ କେବେ ବି କଳ୍ପନା କରି ନ ଥିବ। କିନ୍ତୁ ସେହି ପୁଅର ଟାଙ୍ଗିଆ ଚୋଟରେ ବାପ ମୃତ୍ୟୁ ବରଣ କରିଥିବା ଏକ ଖବର ସାମ୍ନାକୁ ଆସିଛି। ରେଢାଖୋଲ ଥାନାର ବୁର୍ଡା ପଂଚାୟତ ଅଂଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଖବର ହସ୍ତଗତ ହୋଇଛି।

ସୁଚନା ଅନୁଯାୟୀ, ରେଢାଖୋଲ ଥାନା ବୁର୍ଡା ପଂଚାୟତର ଆମ୍ବଝରୀ ଗ୍ରାମର ମିର୍ଦ୍ଧା ସାହିର ଶୁକୁରୁ ମିର୍ଦ୍ଧା (୫୫)କୁ ତାଙ୍କର ସାନ ପୁଅ ନିଶାସକ୍ତ ଅବସ୍ଥାରେ କୈାଣସି କାରଣରୁ ଝଗଡା କରିଥିଲା। ନିଶାରେ ମସ୍ ଗୁଲ ସାନ ପୁଅ ଟଙ୍କଧର ମିର୍ଦ୍ଧା(୨୦) ନିଜ ଜନ୍ମ କଲା ବାପକୁ ଏକ ଟାଙ୍ଗିଆ ଧରି ହାଣିବାକୁ ଗୋଡାଇ ଥିଲା। ଗାଁ ଦାଣ୍ଡରେ ବାପର ବେକକୁ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଶୁକୁରୁଙ୍କ ମୃତ୍ୟୁ ହୋଇଥିଲା।

ପୋଲିସ୍ ଘଟଣା ସ୍ଥଳରେ ପହଂଚି ପୁଅକୁ ଅଟକ ରଖିବା ସହ ତା ଠାରୁ ଟାଙ୍ଗିଆ ଜବତ କରିଛି। ମୃତ ଶବକୁ ପୋଲିସ୍ ଜବତ କରିବା ସହ ଆଜି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣା ପଡିଛି। ଶୁକୁରୁର ପୁତୁରାର ଅଭିଯୋଗ ଅନୁଯାୟୀ ପୋଲିସ୍ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରୁଥିବା ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ବାଇକ୍ ମୁହାଁ ମୁହିଁ: ୩ ଯୁବକ ଆହତ, ଜଣେ ଗୁରୁତର

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳ ୯.୩୦ ମିନିଟରେ ରେଢାଖୋଲ ଥାନା ଶୁଣ୍ଢିମୁଣ୍ଡା ରେଲେଓ ଓଭର ବ୍ରିଜ୍ ନିକଟରେ ଦୁଇଟି ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ୩ ଜଣ ଗୁରୁତର ହୋଇ ଥିବା ଖବର ହସ୍ତଗତ ହୋଇଛି। ୨ ଜଣ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି।

ପ୍ରକାଶ ଯେ, ରେଢାଖୋଲ ଶୁଣ୍ଢିମୁଣ୍ଡା ଗ୍ରାମର ମାନସ ମହାନନ୍ଦ , ବଂଟି ନାୟକ , ଶୁସେନ୍ ଦୀପ ଗୋଟିଏ ବାଇକରେ ଶୁଣ୍ଢିମୁଣ୍ଡାରୁ ବଉଦ୍ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ବଉଦ ର ଟିଙ୍କୁ ନାୟକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ୩ ଜଣ ଆହତ ହୋଇଥିଲେ। ସେମାନଙ୍କୁ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ଘଟଣା ସ୍ଥଳରେ ପୋଲିସ୍ ପହଂଚି ତଦନ୍ତ କରିଥିବା ଜଣା ପଡିଛିା

Categories
ଆଜିର ଖବର ରାଜ୍ୟ ଖବର

ଚାଷୀ ମୁଣ୍ଡରେ ଚଡକ: ଜମି ଫାଟି ଆଁ, ଆଗାମୀ ୫ ଦିନ ମଧ୍ୟରେ ବର୍ଷା ନହଲେ ସ୍ଥିତି ହେବ ସାଂଘାତିକ

କନ୍ଦର୍ପ ବେହେରା
ରେଢାଖୋଲ: ଚଳିତ ବର୍ଷ ବର୍ଷାର ଅନିୟମିତତା ଯୋଗୁଁ ନାକଟିଦେଉଳ ବ୍ଲକର ୧୪ ଟି ପଂଚାୟତରେ ମରୁଡି ଦେଖା ଯିବାର ସଂଭାବନ ରହିଛି। ଜୁନ୍ ମାସ ଯାଇ ଅଗଷ୍ଟ ସରିବାକୁ ବସିଲାଣି ହେଲେ ଯେତିକି ପରିମାଣର ବର୍ଷା ହେବା କଥା ହୋଇ ନାହିଁ। ବ୍ଲକର କିସିଣ୍ଡା, ପାଣିମୋରା, ଗିରଶ୍ଚନ୍ଦ୍ରପୁର, ସରାପାଲି, ଡଇଁଚା, ଶିମିଳିପାଳ, ଘୋଷରାମାଳ, ବଳମ୍, ବାଟଗାଁ ଆଦି ପଂଚାୟତରେ ଚାଷୀମାନେ ଚାଷ ବେଉଷଣ କରିପାରି ନାହାନ୍ତି କି ଧାନ ରୋପଣ କରିପାରି ନାହାନ୍ତି। ଜମି ଫାଟି ଆଁ କରିଛି।

ଜମିରେ ପାଣି ମୁନ୍ଦାଏ ମଧ୍ୟ ନାହିଁ। ଚାଷୀ ମୁଣ୍ଡରେ ଚଡକ ପଶିଛି। ଆଗାମୀ ୫ ଦିନ ମଧ୍ୟରେ ବର୍ଷା ନ ହେଲେ ମରୁଡି ହେବାର ସଂଭାବନାକୁ ଏଡାଇ ଦିଆ ଯାଇ ନ ପାରେ। ଧାନ ଗଛ ଗୁଡିକ ପାଣି ଅଭାବରୁ ମରିଯିବା ସହ ଧାନ ଗଛ ସବୁ ହଳଦିଆ ଦିଶିଲାଣି। ବହୁ ସ୍ଥାନରେ ତଳି ପଡିଛି ବର୍ଷା ଅଭାବରୁ। କୃଷି ବିଭାଗ ଏ ଦିଗରେ ବିହୀତ ପଦକ୍ଷେପ ନେବା ପାଇଁ ଦାବୀ କରିଛନ୍ତି ନାକଟିଦେଉଳ ବ୍ଲକ ର ଚାଷୀମାନେ। ୩୧/୭/୨୦୨୧ ପର୍ଯ୍ୟନ୍ତ କୃଷିବୀମାର ଅବଧି ଥିବା ବେଳେ ସଚେତନତାର ଅଭାବରୁ କୃଷି ବୀମାରୁ ବଂଚିତ ହୋଇଛନ୍ତି ବହୁ ଚାଷୀ। ସରକାର କୃଷିବୀମା ତାରିଖକୁ ବୃଦ୍ଧି କରିବାକୁ ଚାଷୀ ମାନେ ଦାବୀ ମଧ୍ୟ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରେଲଓ୍ବେ ଷ୍ଟେସନ୍ ବ୍ରିଜ୍ ନିକଟରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ରେଲୱେ ଷ୍ଟେସନ ବ୍ରିଜ ପାଖରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଟ୍ରକ୍ ଟି କେଉଁଠୁ ଆସୁଥିଲା ଜଣାପଡ଼ି ନାହିଁ। ଟ୍ରକ୍ ର ଡ୍ରାଇଭର ଓ ହେଲପର ଫେରାର ଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସାମ୍ବାଦିକଙ୍କ ମହାନତା: ଅଚେତ ଅବସ୍ଥାରେ ପଡିଥିବା ବ୍ୟକ୍ତିଙ୍କୁ ନେଲେ ମେଡିକାଲ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ରେଢାଖୋଲ ସହରରେ ଜଣେ ବ୍ୟକ୍ତି ଅଚେତ ଅବସ୍ଥାରେ ପଡିଥିବା ବେଳେ ତାଙ୍କୁ ରେଢାଖୋଲର ଯୁବ ସାମ୍ବାଦିକ ଅନୀଲ କୁମାର ପୃଷ୍ଟି ଉଦ୍ଧାର କରି ରେଢାଖୋଲ ଡାକ୍ତରଖାନାକୁ ପହଂଚାଇ ଚିକିତ୍ସା କରାଇଛନ୍ତି।

ପ୍ରକାଶ ଯେ, ଜଣେ ଅଜଣା ବ୍ୟକ୍ତି ରାସ୍ତା ପାଶ୍ୱର୍ରେ ଅଚେତ ଅବସ୍ଥାରେ ବହୁ ସମୟ ଧରି ପଡିରହିଥିଲେ। ବଟୋଇ ମାନେ ଯା ଆସ କରୁଥିଲେ ମଧ୍ୟ କେହି ବି ଉଦ୍ଧାର କରୁନ ଥିଲେ। ହେଲେ ରେଢାଖୋଲର ଯୁବ ସାମ୍ବାଦିକ ଅନୀଲ କୁମାର ପୃଷ୍ଟି ଅଚେତ ବ୍ୟକ୍ତିକୁ ଉଦ୍ଧାର କରି ରେଢାଖୋଲ ଡାକ୍ତରଖାନା ପହଂଚାଇଥିଲେ ଏବଂ ଅଚେତ ବ୍ୟକ୍ତିକୁ ଚିକିତ୍ସା କରାଇବାର ବନ୍ଦୋବସ୍ତ କରାଇଥିଲେ। ସାମ୍ବାଦିକଙ୍କ ଏ ମହାନତା ପାଇଁ ତାଙ୍କୁ ଚାରି ଆଡୁ ପ୍ରଶଂସାର ସୁଅ ଛୁଟୁଛି।

Categories
ଆଜିର ଖବର ରାଜ୍ୟ ଖବର

ରେଢାଖୋଲରେ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡି ଦୁଇ ନାବାଳକ ଭାଇଙ୍କ ପ୍ରାଣହାନୀ

କନ୍ଦର୍ପ ବେହେରା
ରେଢାଖୋଲ: ମା’ ସହ ଗାଧୋଇବାକୁ ଯାଇ ଦୁଇ ନାବାଳକ ପୁତ୍ର ପାଣିରେ ବୁଡି  ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି।

ସୂଚନା ଅନୁଯାୟୀ- ଚାରମାଳ ଥାନା ଚୁଡାପୁଡୁଗ ଗ୍ରାମର ଜଗବନ୍ଧୁ ଖାଡିଆଙ୍କ ଦୁଇ ପୁଅ ଅଜିତ୍ ଖାଡିଆ (୪) ଓ ଅମିତ୍ ଖାଡିଆ(୬) ମା ସୁମିତା ଖାଡିଆ ଙ୍କ ସହ ଆଜି ପୂର୍ବାହ୍ନ ୧୧ ଟା ରେ ଗାଧୋଇବାକୁ ଗ୍ରାମ ନିକଟସ୍ଥ ସୁରୁବାଲି ନାଳକୁୁ ଯାଇଥିଲେ। ମା’ ତାଙ୍କର ଗାଧୋଉଥିବା ସମୟରେ ପୁଅ ୨ ଜଣ ମଧ୍ୟ ଗାଧୋଉଥିଲେ। ହେଲେ ମା’ ଅଜାଣତରେ ୨ ନାବାଳକ ପୁଅ ପାଣିରେ ଏକ ସଂଗରେ ବୁଡି ମରିଯାଇଥିଲେ। ହେଲେ ମା ଜାଣି ପାରି ନ ଥିଲେ। ସେ ଭାବି ନେଇଥିଲେ ଯେ ପିଲାମାନେ ଘରକୁ ଯାଇଥିବେ।

ଘରକୁ ଯାଇ ଦେଖନ୍ତି ତ ପିଲାମାନେ ଘରେ ନାହାନ୍ତି ବହୁତ ଖୋଜାଖୋଜି କରିଥିଲେ ଗାଁ ସାରା। ଘଂଟାଏ ପରେ ଗ୍ରାମର କେତେଜଣ ବ୍ୟକ୍ତି ସେଇ ସୁରୁବାଲି ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ପିଲାର ମୃତ ଦେହ ପାଣିରେ ଭାସୁଥିବାର ଦେଖି ଗାଁକୁ ଖବର ଦେଇଥିଲେ। ପାଣିରେ ଖୋଜାଖୋଜି କଲାପରେ ସେ ସ୍ଥାନରେ ଅନ୍ୟ ପିଲାର ମୃତଦେହକୁ ଉଦ୍ଧାର କରିଥିଲେ ଗ୍ରାମବାସୀ। ସଙ୍ଗେ ସଙ୍ଗେ ଆମ୍ବଲାନସ୍ ରେ ରେଢାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଚାରମାଳ ପୋଲିସ୍ ରେଢାଖୋଲ ଡକ୍ତରଖାନାକୁ ପହଂଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିବା ଜଣା ପଡିଛି। ମୃତକ ପିଲା ୨ ଟିର ବାପା ଜଗବନ୍ଧୁ ଖଡିଆ ଚେନ୍ନାଇରେ ଦାଦନ ଖଟିବାକୁ ଯାଇଥିବା ବେଳେ ମା’ ଦିନ ମଜୁରିଆ ଭାବରେ କାମ କରନ୍ତି। ସରକାରଙ୍କ ତରଫରୁ ପରିବାରକୁ ଆବଶ୍ୟକ ସାହାଯ୍ୟ କରିବାକୁ ସାଧାରଣରେ ଦାବୀ ହେଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରେଳ ମନ୍ତ୍ରଣାଳୟର ନୂଆ ଘୋଷଣା, ଏଣିକି ପୁରୀ ଓ ବିକାନେର ମଧ୍ୟରେ ଚାଲିବ ଏକ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର, ପୁରୀ ଏବଂ ବିକାନେର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି। ସେହି ଅନୁସାରେ ନିମ୍ନଲିଖିତ ଅନୁଯାୟୀ ଏହି ଟ୍ରେନଟି ଚଲାଚଳ କରିବ।

୦୪୭୦୯/୦୪୭୧୦ ବିକାନେର-ପୁରୀ-ବିକାନେର ସ୍ପେଶାଲ୍ ଟ୍ରେନ ବିକାନେର ଠାରୁ ଜୁନ ମାସ ୧୩ ତାରିଖରୁ ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା ୭ଘ ୩୫ମି ରେ ଛାଡିବାକୁ ଥିବାବେଳେ ଏହି ଟ୍ରେନ ପୁରୀ ଠାରୁ ଜୁନ ମାସ ୧୬ ତାରିଖ ଠାରୁ ପ୍ରତ୍ୟେକ ବୁଧବାର ଦିନ ସକାଳ ୦୬ଘ.୩୫ମି.ରେ ଛାଡି ପରବର୍ତ୍ତୀ ଆଦେଶ ପର‌୍ୟ୍ୟନ୍ତ ଚଳାଚଳ କରିବ।

ଏହି ଟ୍ରେନ ପୂର୍ବତଟ ରେଳପଥ ପରିସୀମାରେ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ଓ ଝାରସୁଗୁଡା ରୋଡ଼ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ପୁରୀ ଓ ବିକାନେର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଯଥା ରାଇଗଡ଼, ବିଳାସପୁର, କାଟନୀ ମୁରୱାରା, କୋଟା ଏବଂ ଜୟପୁର ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ରେଢାଖୋଲ ସାମ୍ବାଦିକ ସଂଘ ତରଫରୁ ଅକ୍ସିଜେନ୍ ବ୍ୟାଙ୍କ ଲୋକାର୍ପିତ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ସାମ୍ବାଦିକ ସଂଘ ତରଫରୁ ରେଢାଖୋଲ ଠାରେ ଏକ ଅକ୍ସିଜେନ୍ ବ୍ୟାଙ୍କ ଲୋକାର୍ପିତ ହୋଇଯାଇଛି। ସମ୍ବଲପୁରର ସମ୍ବଳ ଅନୁଷ୍ଠାନ ଓ ବ୍ରଜରାଜନଗରର ବାସୁ ଅନୁଷ୍ଠାନ ମିଳିତ ସହଯୋଗରେ ରେଢାଖୋଲ ସାମ୍ବାଦିକ ସଂଘକୁ ଲୋକମାନଙ୍କ ସେବାରେ ୫ଟି ସିଲିଣ୍ଡର, ୨ ଟି ଅକ୍ସିଜେନ୍ କନସେଂଟେର ଏବଂ ୧୦୦୦ ମାସ୍କ ଦିଆଯାଇଛି।

ସାମ୍ବାଦିକ ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମକୁ ରେଢାଖୋଲ ବିଧାୟକ ରୋହିତ ପୂଝାରୀ ମୁଖ୍ୟ ଅତିଥୀ ଭାବେ ଭିଡିଓ କନ୍‌ଫରେସନ୍ ମାଧ୍ୟମରେ ଶୁଭାରାମ୍ଭ କରିଥିଲେ। ରେଢାଖୋଲ ସାମ୍ବାଦିକ ସଂଘର ଏହି ମହତ୍ କାର୍ଯ୍ୟପାଇଁ ବିଧାୟକ ଭୁୟସୀ ପ୍ରଶଂସା କରିଥିଲେ।

ରେଢାଖୋଲ ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଏସ୍‌ଡିପିଓ ହାଡିବନ୍ଧି ସ୍ୱାଇଁ, ଏସ୍‌ଡିଏମ୍‌ଓ ଡ. ରାମକୃଷ୍ନ ପତି, ଏସ୍ ବିଆଇ ବ୍ୟାଙ୍କ ମ୍ୟାନେଜର ଗୋବିନ୍ଦ ଜେନା ଯୋଗଦେଇଥିବା ବେଳେ, ସମ୍ବଳ ଅନୁଷ୍ଠାନର ସଭ୍ୟ ରାମଦାସ ପଣ୍ଡା, ବାସୁ ଟ୍ରଷ୍ଟର ପ୍ରତ୍ୟୁଷ ପଣ୍ଡା, ଏନ୍‌ଏସି ପୂର୍ବ ଉପାଧ୍ୟକ୍ଷ ସୁନୀଲ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ରେଢାଖୋଲ ସାମ୍ବାଦିକ ସଂଘକୁ ଭୂୟସି ପ୍ରଶଂସା କରିଥିଲେ।

ସାମ୍ବାଦିକ ରବିନ୍ଦ୍ର ପ୍ରଧାନ, ଜିତେନ୍ଦ୍ର କୁମାର ସାହୁ, ଶରତ ପ୍ରଧାନ, ଶଙ୍କର ପୃଷ୍ଟି, ସୁଶାନ୍ତ ନାଗ, ମମତା ପାତ୍ର, ଅନିଲ ପୃଷ୍ଟି, ସରୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ରେଢାଖୋଲ ସାମ୍ବାଦିକ ସଂଘ ତରଫରୁ ଏହି ସେବା ରୋଗୀମାନଙ୍କୁ ସଂପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ ବୋଲି ସଂଘର ସଭାପତି ରମାକାନ୍ତ ମହାନନ୍ଦ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରେଢାଖୋଲରେ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟ ଉଦ୍‌ଘାଟିତ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଠାରେ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟ ଉଦ୍ଘାଟିତ ହୋଇଯାଇଛି। ଓଡିଶା ଉଚ୍ଚନ୍ୟାୟାଳୟର ମୂଖ୍ୟ ବିଚାରପତି ଡ.ଜଷ୍ଟିସ୍ ଏସ୍‌.ମୁରଲୀଧର ଭର୍ଚୁଆଲ୍ ମୋଡ୍ ରେ ଏହି ବହୁ ପ୍ରତିକ୍ଷିତ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟକୁ ଉଦ୍ଘାଟନ କରିଥିଲେ। ଜନସାଧାରଣଙ୍କ ଦ୍ୱାରା ଦେଶରେ ନ୍ୟାୟ ପ୍ରଦାନ ପରିପ୍ରେକ୍ଷୀରେ ଏହି କୋର୍ଟ ଉଦ୍ଘାଟନ କରାଯାଇଥିବା ମୂଖ୍ୟ ବିଚାରପତି ଏହି ଅବସରରେ ପ୍ରକାଶ କରିଥିଲେ।

ସମ୍ବଲପୁର ଜିଲ୍ଲା ଦାୟିତ୍ୱରେ ଥିବା ଜଷ୍ଟିସ୍ ବି.ଆର୍‌.ଷଡଙ୍ଗି କୋର୍ଟ ଉଦ୍‌ଘାଟନ ଅବସରରେ ମୁଖ୍ୟ ବିଚାରପତିଙ୍କ ସହ ଯୋଗ ଦେଇ ରେଢାଖୋଲରେ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟ ଖୋଲିବାର ଆବଶ୍ୟକତା ସଂପର୍କରେ ସୂଚନା ଦେଇଥିଲେ। ସମ୍ବଲପୁର ଜିଲ୍ଲା ଜଜ୍ ବିରଂଚି ନାରାୟଣ ମହାନ୍ତି ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ରେଢାଖୋଲ ଓକିଲ ସଂଘର ସଭାପତି ଗଣେଶ୍ୱର ପ୍ରଧାନ ଓ ସଂପାଦକ ଉମାକାନ୍ତ ମହାନନ୍ଦ ଏ ଅବସରରେ ମାନ୍ୟବର ମୁଖ୍ୟ ବିଚାରପତିଙ୍କୁ ରେଢାଖୋଲ ଓକିଲ ସଂଘ ଓ ଜନସାଧାରଣଙ୍କ ପକ୍ଷରୁ ଅଶେଷ ଧନ୍ୟବାଦ ପ୍ରଦାନ ସହ ବକ୍ତବ୍ୟ ପ୍ରଦାନ କରିଥିଲେ।

ଉଦ୍ଘାଟନୀ ଅବସରରେ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ ଦିପ୍ତି ପ୍ରକାଶ ବ୍ରହ୍ମା, ସବ୍ ଜଜ୍ ଅପୂର୍ବା ଚୈାଧୁରୀ, ଏସ୍‌ଡିଜେଏମ୍ ଅଞଳୀ ମାଛଖଣ୍ଡ, ସମ୍ବଲପୁର କୋର୍ଟ ମ୍ୟାନେଜର ଗୁରୁଜିତ୍ ମିଶ୍ର, ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ପ୍ରମୋଦ ରଥ, ବରିଷ୍ଠ ଆଇନଜୀବୀ ବିଜିତେନ୍ଦ୍ର ପ୍ରଧାନ, ଶିବ ପ୍ରସାଦ ପ୍ରଧାନ, ସରକାରୀ ଓକିଲ ଅଶୋକ ସେନାପତି, ନାରାୟଣ ତ୍ରିପାଠୀ, ଜନକ ବାଘ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ତହସିଲ୍‌ଦାର ରୁବି ବେହେରା, ଓକିଲ ସଂଘ ସଦସ୍ୟ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ରେଢାଖୋଲ ଓକିଲ ସଂଘ ସଂପାଦକ ଉମାକାନ୍ତ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅଜଣା ବାଇକ୍ ଧକ୍କାରେ ବୃଦ୍ଧ ଆହତ: ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳ ପାଖାପାଖି ୧୧.୩୦ ଘଟିକା ସମୟରେ ରେଢାଖୋଲ ଥାନା ତଣ୍ଡାବିରା ଗ୍ରାମର ଜଣେ ବୃଦ୍ଧ ଡଇଁଚା ବଜାରକୁ ଆସୁଥିବା ବେଳେ ଅଜଣା ବାଇକ୍ ଧକ୍କାରେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ରେଢାଖୋଲ ଥାନା ଡଇଁଚା ପଂଚାୟତର ତଣ୍ଡାବିରା ଗ୍ରାମର ବ୍ରଜ ବିହାରୀ ସାହୁ(୭୦) ନାମକ ବୃଦ୍ଧ ବ୍ୟକ୍ତି ନିକଟସ୍ଥ ଡଇଁଚା ଗ୍ରାମର ସାପ୍ତାହିକ ବଜାରକୁ କୌଣସି ଜିନିଷ କିଣିବାକୁ ନିଜର ସାଇକେଲ୍ ରେ ଯାଉଥିଲେ। ତଣ୍ଡାବିରା ରୁ ଡଇଁଚା ଆସୁଥିବା ବାଟରେ ପଛପଟୁ ଅଜଣା ବାଇକ୍ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସେ ପଡିଯାଇଥିଲେ। ତୁରନ୍ତ ତାଙ୍କୁ ଡଇଁଚାରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ ଆମ୍ବୁଲାନସ୍ ଯୋଗେ ରେଢାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା। ବର୍ତ୍ତମାନ ତାଙ୍କ ଦେହ ସୁସ୍ଥ ଥିବା ଜଣାପଡିଛି। ବାଇକ୍ ଚାଳକ ଫେରାର୍ ହେବାରେ ସକ୍ଷମ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟଙ୍କା ଧାରକରଜକୁ ନେଇ ଯୁବକକୁ ସଂଘବଦ୍ଧ ଆକ୍ରମଣ

ରେଢାଖୋଲ, ଆଜି ଅପରାହ୍ନ ୪ ଟାରେ ରେଢାଖୋଲ ଥାନା ଶୁଣ୍ଢିମୁଣ୍ଡା ଗ୍ରାମରେ ଥିବା କନ୍ୟାଶ୍ରମ ନିକଟରେ କୈଳାସ ନାମକ ଯୁବକକୁ କେତେଜଣ ବ୍ୟକ୍ତି ସଂଘବଦ୍ଧ ଭାବରେ ଆକ୍ରମଣ କରିଥିବା ଜଣା ପଡିଛି । ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ , ରେଢାଖୋଲ ଡମ ସାହିର କୈଳାସ ବେହେରାଙ୍କ ପାଖରୁ କେନ୍ଦୁକଟା ଗ୍ରାମର କାଳିଆ ୧୫୦୦ ଟଙ୍କା ଧାର ସୂତ୍ରରେ ନେଇଥିଲା । କାଳିଆକୁ ଆଜି କୈଳାସ ସେଇ ଟଙ୍କା ମାଗିଥିଲା । ହେଲେ କାଳିଆ ଟଙ୍କା ଦେବାକୁ ରାଜି ହୋଇ ନ ଥିଲା ।

ଟଙ୍କା ମଗାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ପରେ ପରେ ନିଜ ନିଜ ଘରକୁ ପଳାଇ ଯାଇଥିଲେ । ହେଲେ କାଳିଆର ରାଗ ସରି ନ ଥିଲା ଘରକୁ ଯାଇ ତାର ୫ ଜଣ ସାଙ୍ଗକୁ ଡାକି ଆଣି ଶୁଣ୍ଢିମୁଣ୍ଡା ଠାରେ ଠିଆ ହୋଇ ଥିବା କୈଳାସକୁ ବିଭୀନ୍ନ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ । ଗୁରୁତର କୈଳାସଙ୍କର ହାତ ,ଗୋଡ ଏବଂ ଶରୀରର ବିଭିନ୍ନ ସ୍ଥାନକୁ ହାଣି ପକାଇଥିବା ଜଣା ପଡିଛି ।

ଗୁରୁତର କୈଳାସକୁ ଗାଁ ଲୋକେ ଉଦ୍ଧାର କରି ରେଢାଖୋଲ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ । ଗୁରୁତର ହେବାରୁ ତାକୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ଜଣା ପଡିଛି । ପୋଲିସ୍ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ରେଢାଖୋଲ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି ।