Categories
ବିଶେଷ ଖବର

ରାଜ୍ୟ ପଣ୍ୟାଗାର ନିଗମର କର୍ପୋରେଟ ବିଲଡିଂର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ -୩ ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ କରିଛନ୍ତି।

ଏହାଦ୍ଵାରା ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଦୃଷ୍ଟିବାଧିତ ଓ ଶ୍ରୁତିବାଧିତ ପିଲାମାନେ ଆସି ଛାତ୍ରାବାସରେ ରହି +୨ ପଢ଼ିବାର ସୁଯୋଗ ପାଇ ପାରିବେ। ପୂର୍ବରୁ ଏହିପିଲାମାନେ ସାଧାରଣ ବର୍ଗର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ଲାଭ କରୁଥିଲେ ଓ ସେଠାରେ ସେମାନଙ୍କ ପାଇଁ ବିଶେଷ ସୁବିଧା ଉପଲବ୍ଧ ନଥିଲା।

ଏହି ଛାତ୍ରଛାତ୍ରୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଧନ୍ଦାମୂଳକ ଶିକ୍ଷାରେ ଆଇ .ଟି ଓ ଆଇ .ଟି ସମ୍ବଳିତ ସେବା ବଷୟରେ ଶିକ୍ଷାଦାନର ସୁବିଧା କରାଯାଇଛି। ଭୀମ ଭୋଇ ଦୃଷ୍ଟିବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ବିଷୟ ସହିତ ଆଇ .ଟି . ଖୋଲାଯାଇଥିବା ବେଳେ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳରେ ବିଜ୍ଞାନ ବିଷୟ ସହିତ ଆଇ.ଟି . ଶିକ୍ଷାର ସୁଯୋଗ ସୃଷ୍ଟି କରାଯାଇଛି।

ଏହି ଅବସରରେ ଦୃଷ୍ଟିବାଧିତ ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ଅଡ଼ିଓ ଷ୍ଟୁଡିଓ ଓ ଶ୍ରୁତିବାଧିତ ପିଲାଙ୍କ ନିମନ୍ତେ ଭରଚୁଆଲ ଷ୍ଟୁଡିଓ କୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ।

ଏଥିସହିତ ଦୁଇ ବିଦ୍ୟାଳୟର ସମସ୍ତ ପିଲାଙ୍କୁ ନୂଆ ସ୍କୁଲ ବ୍ୟାଗ, ଦୃଷ୍ଟିହୀନ ପିଲାଙ୍କ ପାଇଁ ବ୍ରେଲିସ୍ଲେଟ , ବିଭିନ୍ନ ପ୍ରକାର ଖେଳ ସାମଗ୍ରୀ ମୁଖ୍ୟମନ୍ତ୍ରୀ ବଣ୍ଟନ କରିଥିଲେ।

ଉଭୟ ଛାତ୍ରାବାସର ଅନ୍ତେବାସୀଙ୍କ ବ୍ୟବହାର ନିମିତ୍ତ ନୂଆ ବିଛଣା, ଖାଇବା ବାସନ ଆଦି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରଯାଇଛି ଓ ଏଥି ସହିତ ଥଣ୍ଡା ପାନୀୟ ଜଳ ସୁବିଧା ପାଇଁ ଫ୍ରିଜ ଓ ଶିକ୍ଷଣ କାର୍ଯ୍ୟକ୍ରମ ଓ ମନୋରଞ୍ଜନ ପାଇଁ ଉଭୟ ଛାତ୍ରାବାସକୁ ଟିଭି ପ୍ରଦାନ କରାଯାଇଛି।

ଏହି ଦୁଇ ବିଦ୍ୟାଳୟର ଶିକ୍ଷକ -ଛାତ୍ର ଅନୁପାତ ପ୍ରତି ଦଶ ଜଣ ଛାତ୍ର ପାଇଁ ଜଣେ ଶିକ୍ଷକ ଥିବାବେଳେ ଭୀମ ଭୋଇ ଦୃଷ୍ଟିବାଧିତ ବିଦ୍ୟାଳୟରୁ ଚଳିତ ବର୍ଷ ୧୦ ଜଣ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତି ବାଧିତ ବିଦ୍ୟାଳୟରୁ ୧୪ ଜଣ ଛାତ୍ର ଛାତ୍ରୀ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀନ୍ନ ହୋଇଛନ୍ତି। ଏଠାରେ ପିଲାମାନଙ୍କର ନିଃଶୁଳ୍କ ନାମ ଲେଖାର ବ୍ୟବସ୍ଥା କରାଯାଇଛି l
୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଦୁଇ ବିଦ୍ୟାଳୟରେ ଉପଯୋଗୀ ସ୍ମାର୍ଟ ଶ୍ରେଣୀ ଗୃହ, ଇ -ପାଠାଗାର, ବିଜ୍ଞାନାଗାର, ବିଭିନ୍ନ ଖେଳ ସୁବିଧା ଆଦି କରାଯାଇଛି। ଆଜି ଦୁଇ ବିଦ୍ୟାଳୟରେ ସରକାର ଉଚ୍ଚ ମାଧ୍ୟମିକ ଖୋଲିବାର ଆଦେଶନାମା ଛାତ୍ର, ଶିକ୍ଷକ ଓ ଅଭିଭାବକ ମହଲରେ ଆନନ୍ଦର ଲହରୀ ସ୍ରୁଷ୍ଟି କରିଛି।

ପ୍ରାରମ୍ଭରେ ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ପିଲାମାନେ ବାଦ୍ୟ ଓ ସଂଗୀତ ପରିବେଷଣ କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।

ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ରହି ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୫-ଟି ସଚିବ ଭି କେ ପାଣ୍ଡିଆନ୍ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥି ଏସ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର ଆୟାର, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ଜିଲ୍ଲାପାଳ ଖୋର୍ଦ୍ଧା କେ .ସୁଦର୍ଶନ ଚକ୍ରବର୍ତ୍ତୀ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ପରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପଣ୍ୟାଗାର ନିଗମର କର୍ପୋରେଟ ବିଲଡ଼ିଂ ର ଶିଳାନ୍ୟାସ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅନନ୍ତ ଜେନା, ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ପ୍ରମୂଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ: ୫୫୦୦ କୋଟିରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ନାଥଦ୍ୱାରର ଶ୍ରୀନଥଜୀ ମନ୍ଦିର ପରିଦର୍ଶନ କରିବେ। ପ୍ରାୟ ୧୧:୪୫ ରେ ସେ ନାଥଦ୍ୱାରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ପ୍ରଦାନ କରିବେ। ଏହା ପରେ, ଅପରାହ୍ନ ୩.୧୫ ସମୟରେ ପ୍ରଧାନମନ୍ତ୍ରୀ ଆବୁ ରୋଡରେ ଥିବା ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିବେ।

ନାଥଦ୍ୱାରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ୫୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଯନ, ଉତ୍ସର୍ଗ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପର ଧ୍ୟାନ ଭିତ୍ତିଭୂମି ଏବଂ ସଂଯୋଗକୁ ସୁଦୃଢ଼ କରିବା ଉପରେ ରହିବ। ସଡକ ଏବଂ ରେଳ କ୍ଷେତ୍ରର ପ୍ରକଳ୍ପଗୁଡିକ ସାମଗ୍ରୀ ଏବଂ ସେବାଗୁଡିକର ଗତିବିଧିକୁ ମଧ୍ୟ ସହଜ କରିବ, ଯାହାଦ୍ୱାରା ବାଣିଜ୍ୟ ଏବଂ କାରବାର ବୃଦ୍ଧି ହେବ ଏବଂ ଏହି ଅଞ୍ଚଳର ଲୋକଙ୍କ ସାମାଜିକ-ଅର୍ଥନୈତିକ ଅବସ୍ଥା ରେ ଉନ୍ନତି ଆସିବ।

ପ୍ରଧାନମନ୍ତ୍ରୀ ରାଜସମନ୍ଦ ଏବଂ ଉଦୟପୁରରେ ଦୁଇ-ଲେନର ବିକାଶ ପାଇଁ ସଡକ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିବେ।

ଜନସାଧାରଣଙ୍କ ପାଇଁ ଉନ୍ନତ ସୁବିଧା ଯୋଗାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ଉଦୟପୁର ରେଳ ଷ୍ଟେସନର ପୁନଃବିକାଶ ପାଇଁ ମୂଳଦୁଆ ପକାଇବେ। ଗେଜ୍ ରୂପାନ୍ତର ପ୍ରକଳ୍ପ ତଥା ନାଥୱାରା ଠାରୁ ରାଜସମନ୍ଦର ନାଥଦ୍ବାର ଟାଉନ୍ ପର୍ଯ୍ୟନ୍ତ ଏକ ନୂତନ ଲାଇନ ସ୍ଥାପନ ପାଇଁ ସେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।

ଏହା ସହିତ, ପ୍ରଧାନମନ୍ତ୍ରୀ  ଦେଶକୁ ତିନିଟି ଜାତୀୟ ରାଜପଥକୁ ଉତ୍ସର୍ଗ କରିବେ। ଏଥିରେ ରହିଛି ଏନଏଚ-୪୮ ରେ ୧୧୪ କିମିର ଛଅ ଲେନ୍ ଉଦୟପୁରରୁ ସାମଲାଜି ସେକ୍‌ସନ, ଏନଏଚ- 25 ରେ ବାର-ବିଲାରା-ଜୋଧପୁର ସେକ୍ସନରେ ୧୧୦ କିମି ଦୀର୍ଘ ପ୍ରଶସ୍ତିକରଣ ଓ ଦୃଢ଼ୀକରଣ ସହିତ ୪ ଲେନ୍ ପେଭଡ୍‌ ସୋଲ୍‌ଡର ଓ  ଏନଏଚ ୫୮ ଇ ରେ ପେଭ୍‌ଡ ସୋଲ୍‌ଡର ସେକ୍‌ସନ ସହିତ ୪୭ କିମି ଲମ୍ବର ଦୁଇ ଲେନ୍ ସଡ଼କ।

ବ୍ରହ୍ମ କୁମାରି ଶାନ୍ତିବନ କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଏକ ବିଶେଷ ଧ୍ୟାନ ସମଗ୍ର ଦେଶରେ ଆଧ୍ୟାତ୍ମିକ ନବୀକରଣକୁ ଉତ୍ସାହିତ କରିବା ଉପରେ ରହିଛି। ଏହି ପ୍ରୟାସକୁ ଜାରି ରଖି ପ୍ରଧାନମନ୍ତ୍ରୀ ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିବେ। ସେ ଏକ ସୁପର ସ୍ପେସିଆଲିଟି ଚାରିଟେବୁଲ୍ ଗ୍ଲୋବାଲ୍  ହସ୍ପିଟାଲ, ଶିବମଣି ଓଲ୍‌ଡ ଏଜ ହୋମର ଦ୍ବିତୀୟ ପର୍ଯ୍ୟାୟ ଓ ନର୍ସିଂ କଲେଜର ସଂପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ କରିବେ। ୫୦ ଏକର ପରିସରରେ ବ୍ୟାପିଥିବା ଆବୁ ରୋଡରେ ସୁପର ସ୍ପେସିଆଲିଟି ଚାରିଟେବୁଲ୍ ଗ୍ଲୋବାଲ୍ ହସ୍ପିଟାଲ୍ ପ୍ରତିଷ୍ଠା ହେବ। ଏହା ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ପ୍ରଦାନ କରିବ ଏବଂ ଏହି ଅଞ୍ଚଳର ଗରିବ ଏବଂ ଆଦିବାସୀମାନଙ୍କ ପାଇଁ ବିଶେଷ ଲାଭଦାୟକ ହେବ।

Categories
ଆଜିର ଖବର ଜାତୀୟ ଖବର

ଗୁଜରାଟରେ ସି-୨୯୫ ବିମାନ ନିର୍ମାଣ କାରଖାନା ପାଇଁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଭଦୋଦରା ଠାରେ ସି-୨୯୫ ସାମରିକ ପରିବହନ ବିମାନ ନିର୍ମାଣ କାରଖାନା ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ବିମାନ ବା ଏରୋସ୍ପେସ ଉଦ୍ୟୋଗ କ୍ଷେତ୍ରରେ ପ୍ରଯୁକ୍ତି ଓ ବିନିର୍ମାଣର ପ୍ରଗତିକୁ ପ୍ରଦର୍ଶିତ କରୁଥିବା ଏକ ପ୍ରଦର୍ଶନୀକୁ ମଧ୍ୟ ସେ ବୁଲି ଦେଖିଥିଲେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତକୁ ବିଶ୍ୱର ଏକ ପ୍ରମୁଖ ନିର୍ମାଣ କେନ୍ଦ୍ରରେ ପରିଣତ କରିବା ଦିଗରେ ଆଜି ଆମେ ଏକ ବୃହତ ପଦକ୍ଷେପ ଗ୍ରହଣ କରିଛୁ। ସେ କହିଥିଲେ ଯେ ଭାରତ ଯୁଦ୍ଧ ବିମାନ, ଟ୍ୟାଙ୍କ, ବୁଡ଼ାଜାହାଜ, ଔଷଧ, ଟିକା, ଇଲେକ୍ଟ୍ରୋନିକ୍ସ ଉପକରଣ, ମୋବାଇଲ ଫୋନ ଏବଂ କାର ଆଦି ନିର୍ମାଣ କରୁଛି ଯାହାକି ଅନେକ ଦେଶରେ ଲୋକପ୍ରିୟ ହୋଇପାରିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ‘ମେକ୍‌ ଇନ୍‌ ଇଣ୍ଡିଆ ମେକ୍‌ ଫର୍‌ ଗ୍ଲୋବ’ (ବିଶ୍ୱ ପାଇଁ ଭାରତରେ ନିର୍ମାଣ) ମନ୍ତ୍ର ସହିତ ଭାରତ ଆଗକୁ ବଢ଼ୁଛି। ବର୍ତ୍ତମାନ ଭାରତ ବିଶ୍ୱର ସବୁଠୁ ବଡ଼ ପରିବହନ ବିମାନ ନିର୍ମାଣକାରୀ ହେବାକୁ ଯାଉଛି। ସେ କହିଥିଲେ ଯେ, ଭାରତ ଖୁବଶୀଘ୍ର ବଡ଼ ଯାତ୍ରୀବାହୀ ବିମାନ ନିର୍ମାତା ହେବାକୁ ଯାଉଛି। ଏଥିରେ ଏବେ ଗର୍ବର ସହିତ ‘ମେଡ଼ ଇନ୍‌ ଇଣ୍ଡିଆ’ ଶବ୍ଦଗୁଡ଼ିକ ଶୋଭା ପାଇବ।

ସେ କହିଥିଲେ ଯେ, ଆଜି ଯେଉଁ କାରଖାନା ପାଇଁ ଶିଳାନ୍ୟାସ କରାଯାଇଛି ସେଥିରେ ଭାରତର ପ୍ରତିରକ୍ଷା ଓ ପରିବହନ କ୍ଷେତ୍ରକୁ ବଦଳାଇବାର ସାମର୍ଥ୍ୟ ରହିଛି। ସେ ବିଶେଷ ଭାବେ ଆଲୋକପାତ କରି କହିଥିଲେ ଯେ ପ୍ରଥମ ଥର ପାଇଁ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏତେ ବଡ଼ ନିବେଶ ହେଉଛି। ଏଠାରେ ନିର୍ମାଣ ହେବାକୁ ଥିବା ପରିବହନ ବିମାନ କେବଳ ସେନାବାହିନୀକୁ ସଶକ୍ତ କରିବ ନାହିଁ ବରଂ ଭାରତରେ ବିମାନ ନିର୍ମାଣ ପାଇଁ ଏକ ନୂଆ ଇକୋସିଷ୍ଟମ ବିକଶିତ କରିବାରେ ସହାୟକ ହେବ। ଭଦୋଦରା ପୂର୍ବରୁ ଏକ ସାଂସ୍କୃତିକ ଏବଂ ଶିକ୍ଷା କେନ୍ଦ୍ର ଭାବେ ପରିଚିତ ଥିଲା, ଏବେ ଏକ ବିମାନ ନିର୍ମାଣ କେନ୍ଦ୍ର ଭାବେ ନୂଆ ପରିଚୟ ନେଇ ବିକଶିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ପ୍ରକଳ୍ପ ସହିତ ୧୦୦ରୁ ଅଧିକ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଜଡ଼ିତ ହୋଇ ରହିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ଭବିଷ୍ୟତରେ ଅନ୍ୟ ଦେଶକୁ ରପ୍ତାନି କରିବା ଲାଗି ଏହି କାରଖାନା ଅର୍ଡର ଗ୍ରହଣ କରିବ। ଫଳରେ ଭଦୋଦରା ମାଟି ଓ ଏହି ପ୍ରକଳ୍ପ ‘ମେକ୍‌ ଇନ୍‌ ଇଣ୍ଡିଆ ମେକ୍‌ ଫର୍‌ ଗ୍ଲୋବ’ ଲକ୍ଷ୍ୟକୁ ଏକ ନୂତନ ପ୍ରୋତ୍ସାହନ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତରେ ବିମାନ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଉପରେ ମତବ୍ୟକ୍ତ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିମାନ ଚଳାଚଳ ଟ୍ରାଫିକ୍‌ କ୍ଷେତ୍ରରେ ଆମେ ବିଶ୍ୱର ଶୀର୍ଷ ତିନୋଟି ରାଷ୍ଟ୍ର ମଧ୍ୟରେ ସାମିଲ ହେବାକୁ ଯାଉଛୁ। ଉଡ଼ାନ ଯୋଜନା ଅନେକ ଯାତ୍ରୀଙ୍କୁ ବିମାନ ଯାତ୍ରା କରିବାର ଶସ୍ତା ଓ ସୁଲଭ ସୁବିଧା ଯୋଗାଇ ଦେଉଛି। ଯାତ୍ରୀବାହୀ ଏବଂ କାର୍ଗୋ ବିମାନର ଚାହିଦା ବୃଦ୍ଧି ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସନ୍ତା ୧୫ ବର୍ଷ ମଧ୍ୟରେ ଭାରତରେ ୨୦୦୦ରୁ ଅଧିକ ବିମାନର ଆବଶ୍ୟକତା ଦେଖା ଦେବ। ଶ୍ରୀ ମୋଦୀ କହିଥିଲେ, କରୋନା ମହାମାରୀ, ଯୁଦ୍ଧ ଏବଂ ଯୋଗାଣ ଶୃଙ୍ଖଳରେ ବାଧା କାରଣରୁ ସମସ୍ୟାରେ ପଡ଼ିଥିବା ବିଶ୍ୱ ପାଇଁ ଭାରତ ଏବେ ସମ୍ଭାବନାର ଏକ ଦୁନିଆ ନେଇ ଆସିଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ଅଭିବୃଦ୍ଧି ଧାରା ସ୍ଥିର ରହିଛି। ସେ କହିଥିଲେ ଯେ ପରିଚାଳନା ପରିସ୍ଥିତି ନିରନ୍ତର ଭାବେ ସୁଧୁରିବାରେ ଲାଗିଛି ଏବଂ ଭାରତ ଉଚ୍ଚ ଗୁଣବତ୍ତା ସହିତ ଖର୍ଚ୍ଚ ପ୍ରତିଯୋଗିତା ଉପରେ ଜୋର ଦେଉଛି। କମ ଖର୍ଚ୍ଚରେ ଉତ୍ପାଦନ ଏବଂ ଉଚ୍ଚ ଉତ୍ପାଦକତା ସହିତ ଭାରତ ଅପାର ସମ୍ଭାବନା ପ୍ରସ୍ତୁତ କରିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ସେ ଆହୁରି କହିଥିଲେ ଯେ ଭାରତରେ କୁଶଳୀ ମାନବଶକ୍ତିର ବିଶାଳ ପ୍ରତିଭା ଭଣ୍ଡାର ରହିଛି। ଗତ ଆଠ ବର୍ଷ ମଧ୍ୟରେ ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ ବିନିର୍ମାଣ ପାଇଁ ଭାରତ ଏକ ଅଭୂତପୂର୍ବ ପରିବେଶ ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ ଉଦାହଣ ଦେଇ କହିଥିଲେ ଯେ, ଦେଶରେ ଏକ ସରଳ କର୍ପୋରେଟ ଟିକସ ବ୍ୟବସ୍ଥା ସହିତ ଏହାକୁ ବିଶ୍ୱ ସ୍ତର ପାଇଁ ପ୍ରତିଯୋଗିତାମୂଳକ ତଥା ଦକ୍ଷ କରାଯାଇଛି। ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପାଇଁ ଶତପ୍ରତିଶତ ମାର୍ଗ ଉନ୍ମୋଚନ କରାଯାଇଛି। ଘରେ କମ୍ପାନୀଙ୍କ ନିବେଶ ପାଇଁ ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରାଯାଇଛି। ୨୯ଟି କେନ୍ଦ୍ରୀୟ ଶ୍ରମ ଆଇନରେ ସଂସ୍କାର ଅଣାଯାଇ ଏହାକୁ ୪ଟି ଶ୍ରମ ସଂହିତାରେ ପରିଣତ କରାଯାଇଛି। ୩୩ରୁ ଅଧିକ ଅନୁପାଳନ ବୋଝ ଉଚ୍ଛେଦ କରାଯିବା ସହିତ ସଂଖ୍ୟାଧିକ ନିକସର ଜାଲକୁ ଉଚ୍ଛେଦ କରାଯାଇ ଗୋଟିଏ ସରଳ ଟିକସ ବ୍ୟବସ୍ଥା- ବସ୍ତୁ ଓ ସେବା କର (ଜିଏସଟି) ଦେଶବ୍ୟାପୀ ଲାଗୁ କରାଯାଇଛି। ସେ କହିଥିଲେ, ‘‘ଆଜି ଭାରତରେ ଆର୍ଥିକ ସଂସ୍କାରର ଏକ ନୂଆ ଇତିହାସ ରଚନା ହେଉଛି ଏବଂ ନିର୍ମାଣ କ୍ଷେତ୍ର ରାଜ୍ୟମାନଙ୍କ ଠାରୁ ମିଳୁଥିବା ଲାଭ ବ୍ୟତୀତ ଏଥିରୁ ସବୁଠୁ ଅଧିକ ଲାଭ ପାଇପାରୁଛି।’’

ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମାନସିକତାରେ ପରିବର୍ତ୍ତନକୁ ଶ୍ରେୟ ଦେଇଥିଲେ। ସେ କହିଥିଲେ ଯେ, ଭାରତ ଆଜି ଏକ ନୂଆ ମାନସିକତା, ଏକ ନୂଆ କାର୍ଯ୍ୟ ସଂସ୍କୃତି ନେଇ ଆଗକୁ ବଢ଼ୁଛି। ସେ ପୂର୍ବ ସମୟ କଥା ମନେ ପକାଇଥିଲେ ଯେତେବେଳେ ଶାସନର ଧାରଣା ଥିଲା ଯେ ସରକାର ସବୁକିଛି ଜାଣନ୍ତି। ସେତେବେଳେ ଏଭଳି ଏକ ମାନସିକତା ଥିଲା ଯାହାକି ଦେଶର ପ୍ରତିଭା ଏବଂ ଘରୋଇ କ୍ଷେତ୍ରର ଶକ୍ତିକୁ ଚାପି ରହିଥିଲା। ସେ କହିଥିଲେ ଯେ, ‘‘ଏବେ ‘ସବକା ପ୍ରୟାସ’ ପରେ, ସରକାର ରାଷ୍ଟ୍ରାୟତ୍ତ ଏବଂ ଘରୋଇ କ୍ଷେତ୍ରକୁ ସମାନ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ପୂର୍ବ ସରକାରଙ୍କ ଅସ୍ଥାୟୀ ଦୃଷ୍ଟିକୋଣକୁ ନେଇ ମଧ୍ୟ ନିରାଶା ବ୍ୟକ୍ତ କରିଥିଲେ, ଯେଉଁଥିରେ ନିର୍ମାଣ କ୍ଷେତ୍ରକୁ ମାତ୍ର ସାଧାରଣ ଭାବେ ସବସିଡି ଜରିଆରେ କାର୍ଯ୍ୟକ୍ଷମ ରଖାଯାଇଥିଲା। ଲଜିଷ୍ଟିକ୍ସ ବା ପରିବହନ, ବିଦ୍ୟୁତ ଯୋଗାଣ କିମ୍ବା ଜଳ ଯୋଗାଣ ଭଳି ମୌଳିକ ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ କାମ ଚଳା ନିଷ୍ପତ୍ତି ନେବାର ପଦ୍ଧତି ତ୍ୟାଗ କରିଛୁ ଏବଂ ନିବେଶକମାନଙ୍କ ପାଇଁ ଅନେକ ପ୍ରକାରର ପ୍ରୋତ୍ସାହନ ନେଇ ଆସିଛୁ । ଆମେ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ନେଇ ଆସିଛୁ, ଯାହାଦ୍ବାରା ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ଆମର ନୀତି ସ୍ଥିର, ଆକଳନଯୋଗ୍ୟ ଏବଂ ଭବିଷ୍ୟଉନ୍ମୁଖି ହୋଇପାରିଛି ।

ପ୍ରଧାନମନ୍ତ୍ରୀ ସେ ସମୟର ମଧ୍ୟ ସ୍ମରଣ କରିଥିଲେ ଯେତେବେଳେ ସେବା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରିବା ସବୁଠୁ ପ୍ରଭାବୀ ବୋଲି ବିଚାର କରାଯାଉଥିଲା, କାରଣ ନିର୍ମାଣ କ୍ଷେତ୍ର ସହ ସମ୍ପର୍କ ସ୍ଥାପନ କରିବା କ୍ଷମତା ଠାରୁ ବାହାରେ ବୋଲି ବିବେଚନା କରାଯାଉଥିଲା। ସେ କହିଥିଲେ ଯେ ଆଜି ଆମେ ସେବା ଏବଂ ନିର୍ମାଣ, ଉଭୟ କ୍ଷେତ୍ରରେ ସୁଧାର କରିଛୁ । ସେ ଏକ ସାମଗ୍ରିକ ଦୃଷ୍ଟିକୋଣର ମହତ୍ବ ଉପରେ ଜୋର ଦେଇଥିଲେ ଯାହାକି ଉଭୟ ସେବା ଏବଂ ବିନିର୍ମାଣ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ। ସେ କହିଥିଲେ ଯେ, ଆଜି ଭାରତ ମେନ୍ୟୁଫେକ୍ଚରିଂ ବା ନିର୍ମାଣ କ୍ଷେତ୍ରରେ ସବୁଠୁ ଆଗରେ ରହିବା ଲାଗି ଗୁରୁତ୍ବ ଦେଉଛି । ଏଥିପାଇଁ ଅନୁକୂଳ ପରିବେଶ ପ୍ରସ୍ତୁତ କରାଯାଇଛି । ଏସବୁ ପରିବର୍ତ୍ତନକୁ ଗ୍ରହଣ କରି, ଆଜି ନିର୍ମାଣ କ୍ଷେତ୍ରରେ ଭାରତର ବିକାଶ ଯାତ୍ରା ଏହି ସ୍ତରରେ ପହଞ୍ଚିବାର ଉପଲବ୍ଧି ହାସଲ କରିପାରିଛି ।

ସରକାରଙ୍କ ନିବେଶ ଅନୁକୂଳ ନୀତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାର ଲାଭ ଏଫଡିଆରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ସେ କହିଥିଲେ, ‘‘ଗତ ଆଠ ବର୍ଷ ମଧ୍ୟରେ, ୧୬୦ରୁ ଅଧିକ ଦେଶର କମ୍ପାନୀମାନେ ଭାରତରେ ନିବେଶ କରିଛନ୍ତି । ଆଗକୁ ସେ ବିସ୍ତୃତ ଭାବେ କହିଥିଲେ ଯେ ଏପରି ବିଦେଶୀ ନିବେଶ କେବଳ କିଛି ଉଦ୍ୟୋଗ ମଧ୍ୟରେ ସୀମିତ ନାହିଁ, ବରଂ ଅର୍ଥବ୍ୟବସ୍ଥାର ୬୧ଟି କ୍ଷେତ୍ରରେ ପ୍ରସାରିତ ହୋଇଛି ଏବଂ ଭାରତର ୩୧ଟି ରାଜ୍ୟକୁ କଭର କରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ କେବଳ ଏରୋସ୍ପେସ କ୍ଷେତ୍ରରେ ୩ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ନିବେଶ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ପରେ, ଏହି କ୍ଷେତ୍ରରେ ନିବେଶ ପରିମାଣ ୨୦୦୦ ମସିହାରୁ ୨୦୧୪ ମସିହା ମଧ୍ୟରେ ହୋଇଥିବା ନିବେଶ ତୁଳନାରେ ୫ ଗୁଣା ବୃଦ୍ଧି ପାଇଛି । ଶ୍ରୀ ମୋଦୀ ବିଶେଷ ଭାବେ କହିଥିଲେ ଯେ ଆଗାମୀ ଦିନରେ ପ୍ରତିରକ୍ଷା ଏବଂ ବିମାନ ବା ଏରୋସ୍ପେସ କ୍ଷେତ୍ରରେ ବିପୁଳ ପୁଞ୍ଜି ନିବେଶ ହେବ । ଏହି ଦୁଇଟି କ୍ଷେତ୍ର ଆତ୍ମନିର୍ଭର ଭାରତ ଅଭିଯାନରେ ମହତ୍ବପୂର୍ଣ୍ଣ ଆଧାରରେ ପରିଣତ ହେବ । ୨୦୨୫ ସୁଦ୍ଧା ଆମେ ପ୍ରତିରକ୍ଷା ଉତ୍ପାଦନକୁ ୨୫ ବିଲିୟନ ଡଲାରରୁ ଅଧିକରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖିଛୁ । ଆମର ପ୍ରତିରକ୍ଷା ରପ୍ତାନି ମଧ୍ୟ ୫ ବିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ ଉତ୍ତର ପ୍ରଦେଶ ଏବଂ ତାମିଲନାଡ଼ୁରେ ବିକଶିତ ହେଉଥିବା ପ୍ରତିରକ୍ଷା କରିଡର ଏହି କ୍ଷେତ୍ରର ବିକାଶରେ ସହାୟକ ହେବ । ଶ୍ରୀ ମୋଦୀ ଗାନ୍ଧୀନଗରରେ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ପ୍ରତିରକ୍ଷା ପ୍ରଦର୍ଶନୀ ବା ଡିଫେନ୍ସ ଏକ୍ସପୋ ଆୟୋଜନ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଗୁଜରାଟ ସରକାରଙ୍କୁ ପ୍ରଶଂସା କରିଥିଲେ । ସେ ଜୋର ଦେଇ କହିଥିଲେ ଯେ ଡିଫେନ୍ସ ଏକ୍ସପୋରେ ପ୍ରଦର୍ଶିତ ସବୁ ଉପକରଣ ଏବଂ ପ୍ରଯୁକ୍ତି ଭାରତରେ ନିର୍ମିତ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରୋଜେକ୍ଟ ସି-୨୯୫ର ଝଲକ ଆମକୁ ଆଗାମୀ ବର୍ଷର ଡିଫେନ୍ସ ଏକ୍ସପୋରେ ଦେଖିବାକୁ ମିଳିବ ।

ନିଜ ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଉଦ୍ୟୋଗ କ୍ଷେତ୍ର ସହ ଜଡ଼ିତ ସବୁ ଲୋକମାନଙ୍କୁ ଦେଶରେ ବର୍ତ୍ତମାନ ଅଭୂତପୂର୍ବ ନିବେଶ ପାଇଁ ସୃଷ୍ଟି ହୋଇଥିବା ବିଶ୍ବାସର ସର୍ବାଧିକ ଲାଭ ଉଠାଇବା ପାଇଁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଦେଶର ଷ୍ଟାର୍ଟଅପକୁ ଆଗକୁ ବଢ଼ାଇବା ଲାଗି ସହାୟତା କରିବା ନିମନ୍ତେ ଆହୁରି ଅଧିକ ବିଚାରବିମର୍ଶ କରାଯିବା ଉଚିତ୍‌ । ପ୍ରଧାନମନ୍ତ୍ରୀ ଗବେଷଣା କ୍ଷେତ୍ରରେ ଘରୋଇ କ୍ଷେତ୍ରର ଭାଗିଦାରୀକୁ ବଢ଼ାଇବା ଉପରେ ମଧ୍ୟ ଜୋର ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ଆମେ ଏ ଦିଗରେ ଆଗକୁ ବଢ଼ିପାରିବା, ତା’ହେଲେ ଆମେ ନବୋନ୍ମେଷ ଓ ମେନ୍ୟୁଫେକ୍ଚରିଂର ଏକ ସୁଦୃଢ଼ ଇକୋସିଷ୍ଟମ ବିକଶିତ କରିବାରେ ସକ୍ଷମ ହେବା । ଆପଣମାନଙ୍କୁ ସବୁବେଳେ ‘ସବକା ପ୍ରୟାସ’ ମନ୍ତ୍ର ମନେ ରଖିବାକୁ ପଡ଼ିବ ବୋଲି ସେ କହିଥିଲେ ।

ଗୁଜରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋରିରାଦିତ୍ୟ ସିନ୍ଧିଆ, ଟାଟା ସନ୍ସର ଅଧ୍ୟକ୍ଷ ଶ୍ରୀ ଏନ. ଚନ୍ଦ୍ରଶେଖରନ ଏବଂ ଏୟାରବସର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଶ୍ରୀ କ୍ରିଶ୍ଚିୟନ ଶେରର ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସି-୨୯୫ ବିମାନ ନିର୍ମାଣ କାରଖାନା ଦେଶରେ ଘରୋଇ କ୍ଷେତ୍ରର ସର୍ବପ୍ରଥମ ବିମାନ ନିର୍ମାଣ ପ୍ଲାଣ୍ଟ ହେବ । ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ ଏବଂ ଏୟାରବସ ଡିଫେନ୍ସ ଏଣ୍ଡ ସ୍ପେସ, ସ୍ପେନ ମଧ୍ୟରେ ସହଯୋଗ ମାଧ୍ୟମରେ ଭାରତୀୟ ବାୟୁସନା ପାଇଁ ୪୦ ସି-୨୯୫ ବିମାନର ନିର୍ମାଣ ପାଇଁ ଏହି କାରଖାନାର ଉପଯୋଗ କରାଯିବ । ଏହି କାରଖାନା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ଦିଗରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ହେବ ଏବଂ ଏହି କ୍ଷେତ୍ରରେ ଘରୋଇ ଉଦ୍ୟୋଗର କ୍ଷମତାକୁ ସମ୍ପ୍ରସାରଣ କରିବାରେ ସହାୟତା କରିବ।

Categories
ଆଜିର ଖବର ଜାତୀୟ ଖବର

ଆଇଆଇଟି କାନପୁର ଠାରେ ମେଡିକାଲ କଲେଜ ଓ ହସ୍ପିଟାଲର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

କାନପୁର/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆଇଆଇଟି କାନପୁର ଠାରେ ‘ଦ ଗଙ୍ଗୱାଲ ସ୍କୁଲ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି’ ଏବଂ ‘ୟେଦୁପତି ସିଂଘାନିଆ ସୁପର ସ୍ପେଶାଲିଟି’ ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି।

ଏହି ଦୁଇଟି ଅନୁଷ୍ଠାନର ଭିତିପ୍ରସ୍ତର ପାଇଁ ଆଇଆଇଟି କାନପୁରକୁ କେନ୍ଦ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହି ଦୁଇଟି ଅନୁଷ୍ଠାନ ପ୍ରତିଷ୍ଠା ହେଲେ ଦେଶର ସ୍ୱାସ୍ଥ୍ୟ ସେବା ପରିସଂସ୍ଥାନ ମଜବୁତ୍ ହେବା ସହ ଉଭା ହେଉଥିବା ଅର୍ଥନୀତିରେ କାନପୁର ସୁଲଭ ତଥା ଭବିଷ୍ୟତ ସମାଧାନର ପେଣ୍ଠସ୍ଥଳି ଭାବରେ ପ୍ରତିଷ୍ଠିତ ହୋଇପାରିବ। ଆଇଆଇଟି କାନପୁର ଭଳି ମହତ ଉଦ୍ୟମ ଗୁଡିକ ସ୍ୱାସ୍ଥ୍ୟସେବା ଏବଂ ଇଞ୍ଜିନିୟରିଂ ମଧ୍ୟରେ ବ୍ୟବଧାନକୁ ଦୂର କରିବ। ସ୍ୱଳ୍ପ ବ୍ୟୟସାପେକ୍ଷ ବୈଷୟିକ ସମାଧାନ ପ୍ରଦାନ କରିବ ଏବଂ ସମାଜର କଲ୍ୟାଣ ପାଇଁ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ପ୍ରେରଣା ଦେବ।

ବିଗତ ଛଅ ଦଶନ୍ଧି ଧରି ଆଇଆଇଟି କାନପୁର ଇଞ୍ଜିନିୟରିଂ ଶିକ୍ଷାରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ କାମ କରୁଛି। ଏହି ଅନୁଷ୍ଠାନ ସମୟନୁସାରେ ପରିବର୍ତନ ହେଉଥିବା ସମାଜର ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ଏବଂ ଜାତୀୟ ମିଶନକୁ ସମର୍ଥନ କରିବା ସହ ଆତ୍ମନିର୍ଭର ଭାରତ ନିର୍ମାଣରେ ସକ୍ରିୟ ସହଯୋଗ କରିଆସୁଛି। ସେହିପରି ଜଳବାୟୁ ପରିବର୍ତନ, ୱେଷ୍ଟ ଟୁ ୱେଲଥ, ବିକଳ୍ପ ସବୁଜ ଇନ୍ଧନ ଏବଂ ଅର୍ଥନୀତି ପାଇଁ ନୂଆ ବିଜନେସ ମଡ଼େଲ ବିକଶିତ କରିବା ପାଇଁ କୁଶଳ ଏବଂ ସ୍ୱଳ୍ପ ବ୍ୟୟସାପେକ୍ଷ ସମାଧାନ ଅନ୍ୱେଷଣ କରିବାକୁ ଆଇଆଇଟି କାନପୁରକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଶିଳ୍ପ ବିପ୍ଳବ ୪.୦ ଭାରତକୁ ଅନେକ ସୁଯୋଗ ପ୍ରଦାନ କରିବ। ଡ୍ରୋନ ସହ ଜଡ଼ିତ ଅର୍ଥନୀତି ଏବଂ ଚିପ୍ ଇକୋସିଷ୍ଟମରେ ଦକ୍ଷତା ବୃଦ୍ଧି ବିକାଶ କରିବା ଦିଗରେ ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲକ୍ଷ୍ୟ ରଖିବା ଦରକାର। ଅମୃତ କାଳରେ ଆମକୁ ଏମିତି ଏକ ପିଢି ଗଢ଼ିବାକୁ ହେବ, ଯେଉଁମାନେ ସମାଜ ଓ ରାଷ୍ଟ୍ର କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବେ। ଏହି ମର୍ମରେ ଗବେଷଣା, ନବସୃଜନ ଏବଂ ଉଦ୍ୟମିତାକୁ ମୁଳଦୁଆ କରି ଆଇଆଇଟି କାନପୁର ଲୋକଙ୍କ ଜୀବନକୁ ସୁଗମ କରିବା ସହ ମାନବ କଲ୍ୟାଣ ପାଇଁ ବିଭିନ୍ନ ସମସ୍ୟାର ସମାଧାନର ରାସ୍ତା ବାହାର କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ଆଇଆଇଟି କାନପୁର ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନ୍ୟାସନାଲ ସେଂଟର ଫର୍ ଫ୍ଲେକ୍ସିବଲ୍ ଇଲେକ୍ଟ୍ରୋନିକ୍ସ ପରିଦର୍ଶନ କରିବା ସହ ଆଇଆଇଟି କାନପୁର ସହଯୋଗରେ ଆରମ୍ଭ ହୋଇଥିବା ଷ୍ଟ୍ରାଟଅପ ବୁଲି ଦେଖିଥିଲେ।

Categories
ଆଜିର ଖବର ଜାତୀୟ ଖବର

ବାରାଣସୀରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତରପ୍ରଦେଶର ବାରାଣସୀସ୍ଥିତ ରାଜ୍ୟ ଉଦ୍ୟୋଗ ବିକାଶ ପ୍ରାଧିକରଣ ଫୁଡ୍ ପାର୍କ, କାରଖିୟାଁଠାରେ ‘ବନସ ଡେରୀ ସଙ୍କୁଳ’ର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ୩୦ ଏକର ଜମିରେ ବ୍ୟାପ୍ତ ଏହି ଡେରୀର ନିର୍ମାଣରେ ପ୍ରାୟ ୪୭୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏଥିରେ ପ୍ରତିଦିନ ୫ ଲକ୍ଷ ଲିଟର ଦୁଗ୍ଧର ପ୍ରକ୍ରିୟାକରଣ କରାଯିବାର ସୁବିଧା ରହିବ।

ପ୍ରଧାନମନ୍ତ୍ରୀ ବନସ ଡେରୀ ସହିତ ଯୋଡି ହୋଇଥିବା ୧.୭ ଲକ୍ଷରୁ ଅଧିକ ଦୁଗ୍ଧ ଉତ୍ପାଦକମାନଙ୍କ ବ୍ୟାଙ୍କଖାତାଗୁଡିକୁ ପ୍ରାୟ ୩୫ କୋଟି ଟଙ୍କାର ବୋନସ୍ ଡିଜିଟାଲ୍ ମାଧ୍ୟମରେ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ବାରାଣସୀର ରାମନଗରସ୍ଥିତ ଦୁଗ୍ଧ ଉତ୍ପାଦକ ସମବାୟ ସଂଘ ପ୍ଲାଂଟ୍ ନିମନ୍ତେ ବାୟୋଗ୍ୟାସ୍ ଆଧାରିତ ବିଦ୍ୟୁତ୍ ଉତ୍ପାଦନ ପ୍ଲାଂଟ୍ର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ ଜାତୀୟ ଡେରୀ ବିକାଶ ବୋର୍ଡ (ଏନ୍ଡିଡିବି)ର ସହାୟତରେ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ଦ୍ୱାରା ବିକଶିତ ଦୁଗ୍ଧ ଉତ୍ପାଦଗୁଡିକ ଅନୁରୂପ ଆକଳନ ଯୋଜନା ନିମନ୍ତେ ସମର୍ପିତ ଏକ ପୋର୍ଟାଲ୍ ଏବଂ ଏକ ଲୋଗୋର ଉନ୍ମୋଚନ କରିଥିଲେ।

ତୃଣମୂଳ ସ୍ତରରେ ଜମିର ମାଲିକାନା ସମସ୍ୟାକୁ ହ୍ରାସ କରିବାର ଅନ୍ୟ ଏକ ପ୍ରୟାସରେ ପ୍ରଧାନମନ୍ତ୍ରୀ ଉତରପ୍ରଦେଶର ୨୦ ଲକ୍ଷରୁ ଅଧିକ ଅଧିବାସୀଙ୍କୁ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରଣାଳୟର ସ୍ୱାମିତ୍ୱ ଯୋଜନା ଅନୁସାରେ ଭର୍ଚୁଆଲି (ପ୍ରତୀୟମାନ ଭାବରେ କମ୍ପୁଟର ସାହାଯ୍ୟରେ) ଗ୍ରାମୀଣ ଆବାସିକ ଅଧିକାର ରେକର୍ଡ ‘ଘରୌନି’ର ବିତରଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବାରାଣସୀରେ ୧୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଥିଲେ। ଏହା ବାରାଣସୀରେ ଚାଲୁ ରହିଥିବା ୩୬୦ ଡିଗ୍ରୀ/ ସମ୍ପୂର୍ଣ୍ଣ ପରିବର୍ତନକୁ ଆହୁରି ଅଧିକ ସୁଦୃଢ଼ କରିବ।

ଏହି ଅବସରରେ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ଯାହାଙ୍କର ଜନ୍ମଦିବସକୁ କୃଷକ ଦିବସ ଭାବେ ପାଳନ କରାଯାଉଛି, ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପ୍ରଧାନମନ୍ତ୍ରୀ ପ୍ରାଣୀଧନର ମହତ୍ୱ ଉପରେ ରେଖାଙ୍କିତ କରିଥିଲେ। ସେ କହିଥିଲେ ଯେ “ଗାଈମାନଙ୍କ ବିଷୟରେ କଥା ହେବା କିଛି ଲୋକଙ୍କ ନିମନ୍ତେ ଅପରାଧ ହୋଇପାରେ, ଗାଈକୁ ଆମେମାନେ ମାତା ରୂପେ ସମ୍ମାନ ଜଣାଇ ଥାଉ। ଯେଉଁ ଲୋକମାନେ ଗାଈ- ମଇଁଷିମାନଙ୍କୁ ନେଇ ପରିହାସ କରୁଛନ୍ତି, ସେମାନେ ଭୁଲି ଯାଉଛନ୍ତି ଯେ ଏହିଭଳି ପ୍ରାଣୀମାନଙ୍କ ଯୋଗୁଁ ଦେଶର ୮ କୋଟି ପରିବାରଙ୍କ ଜୀବନ- ଜୀବିକା ନିର୍ବାହ ହୋଇଥାଏ।” ସେ ଆହୁରି ମଧ୍ୟ କହିଥିଲେ ଯେ “ଭାରତର ଡେରୀ କ୍ଷେତ୍ରକୁ ସୁଦୃଢ଼ କରିବା ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତାଗୁଡିକ ମଧ୍ୟରୁ ଗୋଟିଏ।

ଏହି ଧାରାରେ ଆଜି ଏଠାରେ ବନସକାଶୀସଙ୍କୁଳର ଶିଳାନ୍ୟାସ କରାଯାଇ ଅଛି। ସେ ଗାଈଗୋରୁଙ୍କର ପାଦ ଏବଂ ପାଟିରେ ହେଉଥିବା ରୋଗ ନିମନ୍ତେ ଦେଶବ୍ୟାପି ଟୀକାକରଣ ସମ୍ପର୍କରେ ମଧ୍ୟ କହିଥିଲେ। ଦେଶରେ ଦୁଗ୍ଧ ଉତ୍ପାଦନ ୬-୭ ବର୍ଷ ପୂର୍ବେ ଯାହା ଥିଲା, ବର୍ତମାନ ତାହା ତୁଳନାରେ ପ୍ରାୟ ୪୫ ପ୍ରତିଶତ ବୃଦ୍ଧି ପାଇଛି। ଆଜି ଭାରତ ସମଗ୍ର ବିଶ୍ୱରେ ଉତ୍ପାଦିତ ହେଉଥିବା ଦୁଗ୍ଧର ପ୍ରାୟ ୨୨ ପ୍ରତିଶତ ଦୁଗ୍ଧ ଉତ୍ପାଦନ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଜି ମୁଁ ବହୁତ ଖୁସି ଯେ ଉତରପ୍ରଦେଶ କେବଳ ଦେଶର ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନକାରୀ ରାଜ୍ୟ ନୁହେଁ, ଏହା ମଧ୍ୟ ଉଲ୍ଲେଖନୀୟ ଭାବରେ ଡେରୀ କ୍ଷେତ୍ରରେ ବିସ୍ତାର କରିବାରେ ବହୁତ ଆଗରେ ଅଛି।”

ପ୍ରଧାନମନ୍ତ୍ରୀ ଡେରୀ କ୍ଷେତ୍ର, ପଶୁପାଳନର ଭୂମିକା ଏବଂ କୃଷକମାନଙ୍କର ଜୀବନରେ ପରିବର୍ତନ ଆଣିବା କ୍ଷେତ୍ରରେ ଶ୍ୱେତ ବିପ୍ଳବର ନୂତନ ପ୍ରୟାସ ଉପରେ ନିଜର ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ପ୍ରଥମତଃ ପଶୁପାଳନ ଦେଶରେ କ୍ଷୁଦ୍ର କୃଷକମାନଙ୍କ ନିମନ୍ତେ ଅତିରିକ୍ତ ଆୟର ଏକ ବଡ ଉତ୍ସ ହୋଇ ପାରିବ, ଯାହାର ସଂଖ୍ୟା ୧୦ କୋଟିରୁ ମଧ୍ୟ ଅଧିକ ଅଟେ। ଦ୍ୱିତୀୟତଃ, ଭାରତର ଡେରୀ ଉତ୍ପାଦଗୁଡିକର ବିଦେଶରେ ବହୁତ ବଡ ବଜାର ରହିଛି, ଯେଉଁ କ୍ଷେତ୍ରରେ ବୃଦ୍ଧି ହେବାର ଅନେକ ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ପୁନଶ୍ଚ କହିଥିଲେ ଯେ ତୃତୀୟତଃ, ପଶୁପାଳନ ମହିଳାମାନଙ୍କର ଆର୍ôଥକ ଉତ୍ଥାନ ନିମନ୍ତେ, ସେମାନଙ୍କର ଉଦ୍ୟୋଗୀ ମନୋବୃତିକୁ ଆଗେଇ ନେବା ପାଇଁ ଏକ ଭଲ ମାଧ୍ୟମ ଅଟେ।

ଚତୁର୍ଥରେ, ପ୍ରାଣୀଧନ ମଧ୍ୟ ବାୟୋ ଗ୍ୟାସ୍, ଜୈବିକ କୃଷିଏବଂ ପ୍ରାକୃତିକ କୃଷିର ଏକ ବଡ଼ ଆଧାର ଅଟେ। ଭାରତୀୟ ମାନକ ବ୍ୟୁରୋ ଦେଶ ନିମନ୍ତେ ଏକ ଏକୀକୃତ ବ୍ୟବସ୍ଥା ଜାରି କରି ଅଛନ୍ତି । ଏହାର ପ୍ରମାଣ ନିମନ୍ତେ କାମଧେନୁ ଗାଈର ବିଶେଷତା ରହିଥିବା ଏକ ସମନ୍ୱିତ ଲୋଗୋ (ଚିହ୍ନ)ର ମଧ୍ୟ ଶୁଭାରମ୍ଭ କରାଯାଇଛି। ପ୍ରମାଣ ନିମନ୍ତେ, ଯଦି ଉତ୍ପାଦ ଉପରେ ଏହି ଲୋଗୋ ରହିଛି, ତେବେ ଶୁଦ୍ଧତାର ଚିହ୍ନଟ ସହଜରେ ହୋଇ ପାରିବ ଏବଂ ଭାରତର ଦୁଗ୍ଧ ଉତ୍ପାଦଗୁଡିକର ବିଶ୍ୱସନୀୟତା ମଧ୍ୟ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଥିଲେ।

ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୟ ଅତିକ୍ରମ କରିବା ସହିତ ପ୍ରାକୃତିକ କୃଷିର ପରିସର କମ୍ ହୋଇ ଯାଇଛି ଏବଂ ରାସାୟନିକ କୃଷି ପ୍ରଭାବଶାଳୀ ହେବାରେ ଲାଗିଛି। “ଧରିତ୍ରୀ ମାତାଙ୍କର ନବୀକରଣ ନିମନ୍ତେ, ଆମ ମାଟିର ସୁରକ୍ଷା ନିମନ୍ତେ, ଆଗାମୀ ପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ନିମନ୍ତେ ଆମକୁ ପୁଣି ଥରେ ପ୍ରାକୃତିକ କୃଷି ଆଡ଼କୁ ମୁହାଁଇବାକୁ ପଡ଼ିବ। ଏହା ଆଜିର ସମୟର ଆବଶ୍ୟକତା ଅଟେ” ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ପ୍ରାକୃତିକ କୃଷି ଏବଂ ଜୈବିକ ଫସଲକୁ ଆପଣେଇବା ପାଇଁ ନିବେଦନ କରିଥିଲେ। ସେ କହିଥିଲେ ଯେ ଏହା ଫଳରେ ଆମ କୃଷିକୁ ଦୀର୍ଘକାଳୀନ ଭିତିରେ ଆତ୍ମନିର୍ଭର କରିବା ନିମନ୍ତେ ପର୍ଯ୍ୟାପ୍ତ ସହାୟତା ପ୍ରାପ୍ତ ହେବ।

ପ୍ରଧାନମନ୍ତ୍ରୀ ଉତରପ୍ରଦେଶର ୨୦ ଲକ୍ଷରୁ ଅଧିକ ବାସିନ୍ଦାଙ୍କୁ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରଣାଳୟର ସ୍ୱାମିତ୍ୱ ଯୋଜନା ଅଧୀନରେ ଭର୍ଚୁଆଲି (ପ୍ରତୀୟମାନ ଭାବରେ କମ୍ପ୍ୟୁଟର ସାହାଯ୍ୟରେ) ଗ୍ରାମୀଣ ଆବାସିକ ଅଧିକାର ରେକର୍ଡ ‘ଘରୌନୀ’ର ବିତରଣ କରିଥିଲେ। ସେ କହିଥିଲେ ଯେ ଏହା ଗ୍ରାମୀଣ ଗରିବମାନଙ୍କ ନିମନ୍ତେ ବିକାଶ ଏବଂ ସମ୍ମାନ ନିମନ୍ତେ ନୂତନ ରାସ୍ତା ଖୋଲିବ ଏବଂ ସେମାନଙ୍କୁ ବିକାଶର କାହାଣୀର ଅଂଶୀଦାର କରିବ।

ସେ କହିଥିଲେ ଯେ ବାରାଣସୀ ଦ୍ରୁତ ଗତିରେ ବିକାଶର ମଡେଲ୍ରେ ପରିବର୍ତିତ ହେଉଛି। ନୂତନ ପ୍ରକଳ୍ପଗୁଡିକ ବାରାଣସୀର ଲୋକମାନଙ୍କ ପାଇଁ ଅଭୂତପୂର୍ବ ସୁଗମତା ଏବଂ ସୁବିଧା ଆଣୁଛି। ସେ କହିଥିଲେ ଯେ ଆଜି ଉଦ୍ଘାଟିତ ହୋଇଥିବା ଏବଂ ଆରମ୍ଭ କରାଯାଇଥିବା ପ୍ରକଳ୍ପଗୁଡିକରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଭିତିଭୂମି ସହିତ ଯୋଡିହୋଇ ରହିଥିବା ଚିତ୍ର ଆହୁରି ମଜଭୁତ ହେବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତରପ୍ରଦେଶର ରାଜନୀତିକୁ ଜାତି, ମତ, ଧର୍ମର ଚଷମା ପିନ୍ଧି ଦେଖୁଥିବା ଲୋକମାନେ ଡବଲ୍ ଇଞ୍ଜିନ୍ (ଦୁଇ ଇଞ୍ଜିନ୍ବିଶିଷ୍ଟ)ର ଦୁଇଗୁଣା ଶକ୍ତିକୁ ନେଇ ଚିନ୍ତିତ ହୋଇ ପଡ଼ୁଛନ୍ତି । ସେ କହିଥିଲେ ଯେ ଏଭଳି ଲୋକମାନେ ସ୍କୁଲ୍, କଲେଜ୍, ସଡକ, ପାଣି, ଗରିବମାନଙ୍କ ନିମନ୍ତେ ଘର, ଗ୍ୟାସ୍ ସଂଯୋଗ ଏବଂ ଶୌଚାଳୟକୁ ବିକାଶର ଅଂଶ ବୋଲି ମାନନ୍ତି ନାହିଁ।” ଉତ୍ତରପ୍ରଦେଶର ଲୋକମାନଙ୍କୁ ପ୍ରଥମେ ଯାହା ମିଳିଥିଲା ଏବଂ ଉତରପ୍ରଦେଶର ଲୋକଙ୍କୁ ଆଜି ଆମ ସରକାରଙ୍କ ତରଫରୁ ଯାହା ମିଳୁଛି, ତାହା ମଧ୍ୟରେ ରହିଥିବା ପାର୍ଥକ୍ୟ ସ୍ପଷ୍ଟ ରୂପରେ ଦିଶୁଛି। ଆମେ ଉତରପ୍ରଦେଶର ଐତିହ୍ୟକୁ ବୃଦ୍ଧି କରୁଛୁ ଏବଂ ଆମେ ଉତରପ୍ରଦେଶର ବିକାଶ ମଧ୍ୟ କରୁଛୁ” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣକୁ ଶେଷ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଶିକ୍ଷା କ୍ଷେତ୍ରର ପ୍ରକଳ୍ପ ଗୁଡିକରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର ଇଂଟର ୟୁନିଭର୍ସିଟି ସେଂଟର ଫର୍ ଟିଚର୍ସ ଏଜୁକେସନ୍, ପ୍ରାୟ ୧୦୭ କୋଟି ଟଙ୍କା ଖର୍ଚ୍ଚରେରେ ନିର୍ମିତ ହୋଇଛି ଏବଂ କେନ୍ଦ୍ରୀୟ ଉଚ୍ଚ ତିବ୍ବତ ଅଧ୍ୟୟନ ସଂସ୍ଥାନରେ ଏକ ଶିକ୍ଷକ ଶିକ୍ଷା କେନ୍ଦ୍ର ୭ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରି ନିର୍ମାଣ କରାଯାଇଛି। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ବିଏଚ୍ୟୁ ଏବଂ ଆଇଟିଆଇ କରଉଣ୍ଡିରେ ଆବାସିକ ଫ୍ଲାଟ୍ ଏବଂ ଷ୍ଟାଫ୍ କ୍ୱାର୍ଟରଗୁଡିକର ମଧ୍ୟ ଉଦ୍ଘାଟନ କରିଥିଲେ।

ସ୍ୱାସ୍ଥ୍ୟ କ୍ଷେତ୍ରରେ, ମହାମାନ୍ୟ ପଣ୍ଡିତ ମଦନ ମୋହନ ମାଲବ୍ୟ କ୍ୟାନସର କେନ୍ଦ୍ରରେ ଡାକ୍ତରମାନଙ୍କର ଛାତ୍ରାବାସ, ଏକ ନର୍ସ ଛାତ୍ରାବାସ, ଏବଂ ଆଶ୍ରମ ଗୃହର ୧୩୦ କୋଟି ଟଙ୍କାର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିଲେ। ସେ ଭଦ୍ରାସୀଠାରେ ୫୦ ଶଯ୍ୟାବିଶିଷ୍ଟ ସମନ୍ୱିତ ଡାକ୍ତରଖାନାର ଉଦ୍ଘାଟନ କରିଥିଲେ। ସେ ମଧ୍ୟ ଆୟୁଷ ମିଶନ ଅନୁସାରେ ପିଣ୍ଡ୍ରା ତହସିଲ୍ରେ ୪୯ କୋଟି ଟଙ୍କାର ସରକାରୀ ହୋମିଓପ୍ୟାଥିକ୍ ମେଡିକାଲ୍ କଲେଜ୍ର ଭିତିପ୍ରସ୍ତର ସ୍ଥାପନ କରିଥିଲେ

ସଡକ କ୍ଷେତ୍ରରେ ପ୍ରୟାଗରାଜ ଏବଂ ଭଦୋହୀ ସଡକଗୁଡିକ ନିମନ୍ତେ ଦୁଇଟି ‘୪ରୁ ୬ ଲେନ୍\’ ସଡ଼କ ପ୍ରଶସ୍ତିକରଣ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିରେ ବାରଣାସୀକୁ ସଂଯୋଗ ଉନ୍ନତ ମାନର ହେବ ଏବଂ ଏହା ସହରରେ ଟ୍ରାଫିକ୍ ଜାମ୍ ସମସ୍ୟାର ସମାଧାନ ଦିଗରେ ଏକ ପଦକ୍ଷେପ ହେବ।

ଏହି ପବିତ୍ର ସହରର ପର୍ଯ୍ୟଟନ କ୍ଷମତାକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ବାରାଣସୀସ୍ଥିତ ଶ୍ରୀ ଗୁରୁ ରବିଦାସଜୀ ମନ୍ଦିର, ସିର ଗୋବର୍ଦ୍ଧନ ସହିତ ସମ୍ବନ୍ଧିତ ପର୍ଯ୍ୟଟନ ବିକାଶ ପ୍ରକଳ୍ପର ପର୍ଯ୍ୟାୟ -୧ର ମଧ୍ୟ ଉଦ୍ଘାଟନ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିବା ଅନ୍ୟ ପ୍ରକଳ୍ପଗୁଡିକରେ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ, ଦକ୍ଷିଣ ଏସିଆ ଆଂଚଳିକ କେନ୍ଦ୍ରରେ ଏକ ଗତି ପ୍ରଜନନ ସୁବିଧା, ପାୟକପୁର ଗ୍ରାମରେ ଏକ ଆଂଚଳିକ ସନ୍ଦର୍ଭ ମାନକ ପ୍ରୟୋଗଶାଳା ଏବଂ ପିଣ୍ଡ୍ରା ତହସିଲ୍ରେ ଏକ ଆଡ୍ଭୋକେଟ୍ (ଅଧିବକ୍ତା) ଭବନ ଅନ୍ତର୍ଭୁକ୍ତ। (ପିଆଇବି)

 

Categories
ଆଜିର ଖବର ଜାତୀୟ ଖବର

ଭିତ୍ତିଭୂମି ଆମ ପାଇଁ ରାଜନୀତି ନୁହେଁ ବରଂ ରାଷ୍ଟ୍ରନୀତିର ଅଂଶବିଶେଷ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶରେ ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜେନେରାଲ ଭିକେ ସିଂ, ସଞ୍ଜିବ ବାଲିୟାଁ, ଏସପି ସିଂ ବାଘେଲ ଏବଂ ବିଏଲ ବର୍ମା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସମବେତ ଲୋକମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକବିଂଶ ଶତାବ୍ଦୀର ନୂତନ ଭାରତ ଆଜି ଶ୍ରେଷ୍ଠତମ ଆଧୁନିକ ଭିତ୍ତିଭୂମି ନିର୍ମାଣ କରୁଛି। “ଉନ୍ନତ ସଡ଼କ, ଉନ୍ନତ ରେଳ ନେଟୱର୍କ, ଉନ୍ନତ ବିମାନ ବନ୍ଦର କେବଳ କେତେଗୁଡ଼ିଏ ଭିତ୍ତିଭୂମି ପ୍ରକଳ୍ପ ନୁହନ୍ତି, ବରଂ ଏଗୁଡ଼ିକ ସମ୍ପୂର୍ଣ୍ଣ ଅଞ୍ଚଳର ବିକାଶ କରିଥାନ୍ତି, ଲୋକମାନଙ୍କ ଜୀବନକୁ ବଦଳାଇ ଦେଇଥାନ୍ତି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ଉତ୍ତର ପ୍ରଦେଶର ଲଜିଷ୍ଟିକ୍ସ ପ୍ରବେଶ ଦ୍ୱାରରେ ପରିଣତ ହେବ। ଏହି ବିମାନ ବନ୍ଦର ସମ୍ପୂର୍ଣ୍ଣ ଅଞ୍ଚଳକୁ ଜାତୀୟ ଗତିଶକ୍ତି ମାଷ୍ଟର ପ୍ଲାନର ଏକ ଶକ୍ତିଶାଳୀ ପ୍ରତୀକରେ ପରିଣତ କରିବ ବୋଲି ସେ କହିଥିଲେ।

ଏହି ଭିତ୍ତିଭୂମି ବିକାଶର ଆର୍ଥିକ ପ୍ରଭାବ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିମାନ ବନ୍ଦର ନିର୍ମାଣ ସମୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବିମାନ ବନ୍ଦର ସୁପରିଚାଳନା ପାଇଁ ହଜାର ହଜାର ଲୋକମାନଙ୍କର ଆବଶ୍ୟକତା ଦେଖାଦେବ । ତେଣୁ “ଏହି ବିମାନ ବନ୍ଦର ପଶ୍ଚିମ ଉତ୍ତର ପ୍ରଦେଶର ହଜାର ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ”, ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର ସାତ ଦଶନ୍ଧି ପରେ, ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶକୁ ନିଜର ହକ୍ ମିଳିପାରୁଛି। ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ କାରଣରୁ, ଉତ୍ତର ପ୍ରଦେଶ ଆଜି ଦେଶରେ ସବୁଠୁ ଭଲ ଯୋଗାଯୋଗ ସୁବିଧା ଥିବା ରାଜ୍ୟରେ ପରିଣତ ହୋଇପାରିଛି। ସେ କହିଥିଲେ ଯେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ଭାରତୀୟ ବିମାନ ଚଳାଚଳ କ୍ଷେତ୍ରର ବିକାଶ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ବିମାନ ରକ୍ଷଣାବେକ୍ଷଣ, ମରାମତି ଏବଂ ପରିଚାଳନାର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହେବ। ସେ ସୂଚନା ଦେଇଥିଲେ ଯେ ଏହି ବିମାନ ବନ୍ଦର ଠାରେ ନିର୍ମାଣ ହେବାକୁ ଥିବା ବିମାନ ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହଲ (ଏମଆରଓ) ସୁବିଧା ୪୦ ଏକର ସ୍ଥାନରେ ନିର୍ମାଣ କରାଯିବ। ଏହା ଶହ ଶହ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ବର୍ତ୍ତମାନ ଏସବୁ ସୁବିଧା ପାଇବା ଲାଗି ଭାରତକୁ ବିଦେଶରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।

ଏଠାରେ ନିର୍ମାଣ ହେବାକୁ ଥିବା ସମନ୍ୱିତ ମଲ୍ଟି-ମୋଡାଲ କାର୍ଗୋ ହବ୍ ବିଷୟରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉତ୍ତର ପ୍ରଦେଶ ଭଳି ଚତୁର୍ଦ୍ଦିଗରୁ ଭୂଖଣ୍ଡ ଘେରି ରହିଥିବା ରାଜ୍ୟ ପାଇଁ ଏହି ବିମାନ ବନ୍ଦର ବିଶେଷ ଲାଭଜନକ ସାବ୍ୟସ୍ତ ହେବ। ଅଲିଗଡ଼, ମଥୁରା, ମେରଟ, ଆଗ୍ରା, ବିଜନୋର, ମୋରାଦାବାଦ ଏବଂ ବରେଲି ଭଳି ଶିଳ୍ପ କେନ୍ଦ୍ର ପାଇଁ ଏହି ହବ୍ ସୁବିଧା ଯୋଗାଇ ଦେବ। ସେ କହିଥିଲେ ଯେ, “ପ୍ରସ୍ତାବିତ ଭିତ୍ତିଭୂମି ନିର୍ମାଣ ଫଳରେ ଖୁର୍ଜା କଳାକାର, ମେରଟ୍ କ୍ରୀଡ଼ା ଉଦ୍ୟୋଗ, ସାହାରନପୁର ଫର୍ଣ୍ଣିଚର, ମୋରାଦାବାଦର ବ୍ରାସ ଶିଳ୍ପ, ଆଗ୍ରାର ଜୋତା ଶିଳ୍ପ ଏବଂ ପେଠା ଶିଳ୍ପକୁ ବ୍ୟାପକ ସହାୟତା ମିଳିପାରିବ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉତ୍ତରପ୍ରଦେଶକୁ ପୂର୍ବ ସରକାରମାନେ ଅବହେଳା ଓ ଅନ୍ଧକାର ମଧ୍ୟରେ ରଖିଥିଲେ। ପୂର୍ବ ସରକାରମାନେ ଉତ୍ତର ପ୍ରଦେଶକୁ କେବଳ ମିଥ୍ୟା ସ୍ୱପ୍ନ ଦେଖାଉଥିଲ। କିନ୍ତୁ ଏବେ ଉତ୍ତର ପ୍ରଦେଶ କେବଳ ଜାତୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପୂର୍ବର ଉତ୍ତର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାର ପଶ୍ଚିମ ଉତ୍ତର ପ୍ରଦେଶକୁ କିଭଳି ଭାବେ ଅଣଦେଖା କରି ଆସୁଥିଲେ ଜେୱର ବିମାନ ବନ୍ଦର ତାହାର ଏକ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଦୁଇ ଦଶନ୍ଧି ପୂର୍ବରୁ ଉତ୍ତର ପ୍ରଦେଶରେ ଥିବା ବିଜେପି ସରକାର ଏହି ପ୍ରକଳ୍ପ ସମ୍ପର୍କରେ ପରିକଳ୍ପନା କରିଥିଲେ। କିନ୍ତୁ ପରେ ପୂର୍ବତନ ଉତ୍ତର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ଯୋଗୁ ଏହି ବିମାନ ବନ୍ଦର ପ୍ରକଳ୍ପ ଝୁଲି ରହିଥିଲା। ଏପରିକି ପୂର୍ବରୁ ଉତ୍ତର ପ୍ରଦେଶରେ କ୍ଷମତାସୀନ ସରକାର ଏହି ବିମାନ ବନ୍ଦର ପ୍ରକଳ୍ପକୁ ବନ୍ଦ କରି ଦେବା ଲାଗି ତତ୍କାଳୀନ କେନ୍ଦ୍ର ସରକାରଙ୍କୁ ବିଧିବଦ୍ଧ ଭାବେ ଚିଠି ମଧ୍ୟ ଲେଖିଥିଲେ। ଏବେ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ କାରଣରୁ, ଆଜି ଆମେ ସେହି ସମାନ ବିମାନ ବନ୍ଦର ପାଇଁ ଭୂମି ପୂଜନ କରୁଛୁ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଆମ ପାଇଁ ଭିତ୍ତିଭୂମି ରାଜନୀତିର ଅଂଶବିଶେଷ ନୁହେଁ ବରଂ ରାଷ୍ଟ୍ରନୀତିର ଅଂଶବିଶେଷ। ପ୍ରକଳ୍ପଗୁଡ଼ିକ ଯେପରି ଅଟକି ରହିବ ନାହିଁ, ଝୁଲନ୍ତା ଅବସ୍ଥାରେ ରହିବ ନାହିଁ କିମ୍ବା ଦିଗହରା ହେବ ନାହିଁ ତାହା ଆମେ ସୁନିଶ୍ଚିତ କରୁଛୁ। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କିଭଳି ଭାବେ ସମ୍ପୂର୍ଣ୍ଣ ହେବ ତାହା ସୁନିଶ୍ଚିତ କରିବା ଲାଗି ଆମେ ପ୍ରୟାସ କରୁଛୁ।”

ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ ଆମ ଦେଶରେ କେତେକ ରାଜନୈତିକ ଦଳ କେବଳ ସେମାନଙ୍କ ନିଜ ସ୍ୱାର୍ଥକୁ ପ୍ରାଥମିକତା ଦେଇଥାନ୍ତି। “ଏପରି ଲୋକମାନଙ୍କର ଚିନ୍ତାଧାରା ହେଉଛି-ନିଜର ସ୍ୱାର୍ଥ, ନିଜର ଏବଂ ନିଜ ପରିବାରର ବିକାଶ। ଅନ୍ୟପକ୍ଷରେ ଆମେ କେବଳ ରାଷ୍ଟ୍ର ପ୍ରଥମ ଭାବନା ନେଇ କାମ କରିଥାଉ। ସବକା ସାଥ-ସବକା ବିକାଶ, ସବକା ବିଶ୍ୱାସ-ସବକା ପ୍ରୟାସ, ଆମର ମନ୍ତ୍ର”, ପ୍ରଧାନମନ୍ତ୍ରୀ କହିଥିଲେ।

ସରକାର ନିକଟରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଲିକା ଦେଇଥିଲେ। ସେ କହିଥିଲେ ଯେ ଆମେ ୧୦୦ କୋଟିରୁ ଅଧିକ କୋଭିଡ ଟିକା ଦେବାର ମାଇଲଖୁଣ୍ଟ ହାସଲ କରିଛୁ। ୨୦୭୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନ ଶୂନ୍ୟସ୍ତରକୁ ହ୍ରାସ ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଉତ୍ତର ପ୍ରଦେଶରେ କୁଶୀନଗର ବିମାନ ବନ୍ଦର, ୯ଟି ମେଡ଼ିକାଲ କଲେଜ ନିର୍ମାଣ ଓ ଉଦଘାଟନ, ମହୋବାରେ ନୂତନ ନଦୀ ବନ୍ଧ ଓ ଜଳସେଚନ ପ୍ରକଳ୍ପ, ଝାନସିଠାରେ ପ୍ରତିରକ୍ଷା କରିଡର ଏବଂ ତତସଂକ୍ରାନ୍ତ ପ୍ରକଳ୍ପ, ପୂର୍ବାଞ୍ଚଳ ଏକ୍ସପ୍ରେସୱେ, ଜନଜାତୀୟ ଗୌରବ ଦିବସ ସମାରୋହ, ଭୋପାଳରେ ଆଧୁନିକ ରେଳ ଷ୍ଟେସନ, ମହାରାଷ୍ଟ୍ରର ପଣ୍ଢରପୁରରେ ଜାତୀୟ ରାଜପଥ ଏବଂ ଆଜି ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଶିଳାନ୍ୟାସ ଆଦି ବିକାଶମୂଳକ ପ୍ରକଳ୍ପ ବିଷୟରେ ପ୍ରଧାନମନ୍ତୀ ଉଲ୍ଲେଖ କରିଥିଲେ। “ଆମର ଦେଶଭକ୍ତି ଓ ରାଷ୍ଟ୍ର ସେବା ସମ୍ମୁଖରେ କେତେକ ରାଜନୈତିକ ଦଳଗୁଡ଼ିକର ସ୍ୱାର୍ଥପର ନୀତି ତିଷ୍ଠି ରହିପାରିବ ନାହିଁ”, ବୋଲି ଶେଷରେ ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ

ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଶିଳାନ୍ୟାସରେ ଗଜପତି ମହାରାଜା, ବାଚସ୍ପତି ଡା ସୂର୍ଯ୍ୟନାରାୟଣ ପାତ୍ର ସାମିଲ ଥିଲେ। ପରିକଳ୍ପନା ପ୍ରକଳ୍ପରେ ଶ୍ରୀମନ୍ଦିର ସୁରକ୍ଷା କରିଡ଼ର ସୌନ୍ଦର୍ଯ୍ଯକରଣ ଉପରେ ଗୁରୁତ୍ଵ ଦିଆଯିବ। ସୁରକ୍ଷା କରିଡ଼ର ଚତୁର୍ପାଶ୍ଵରେ ସବୁଜ ବଳୟ ସୃଷ୍ଟି କରାଯିବ। ଭକ୍ତଙ୍କ ପାଇଁ ପରିକ୍ରମା ପଥ ନିର୍ମାଣ କରାଯିବ। ମନ୍ଦିର ଚାରିପଟେ ଥିବା ମଠ ମନ୍ଦିର ଗୁଡ଼ିକର ପୁନଃ ବିକାଶ କରାଯିବ। ଏହି ପ୍ରକଳ୍ପର ନିର୍ମାଣ ପାଇଁ ଟାଟା କମ୍ପାନୀକୁ ଦାୟିତ୍ଵ ଦିଆଯାଇଛି ବୋଲି ଜଣାପଡିଛି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ୩ ଅତିରିକ୍ତ ଏସପି, ୧୦ ଡିଏସପି, ୪୦ ଇନ୍ସପେକ୍ଟରଙ୍କ ସହ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାଟେରୀ ଚାଳିତ ଗାଡିରେ ବସି ପ୍ରକଳ୍ପର ପରିଦର୍ଶନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନେତାଜୀ ବସ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ

କଟକ: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ଖାନନଗର ଠାରେ ଏକ ବସ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି। ନେତାଜୀଙ୍କ ନାମରେ ଏହି ନୂତନ ବସ ଟର୍ମିନାଲର ନାମାକାରଣ କରାଯାଇଛି। ୧୨ ଏକର ଜମିରେ ଏହି ନୂଆ ବସ ଟର୍ମିନାଲକୁ ପ୍ରସ୍ତୁତ କରାଯିବ। ଯାହାର ବ୍ୟୟ ଅଟକଳ ୬୫ କୋଟି ଟଙ୍କା ରହିଛି। ଶିଳାନ୍ୟାସ ସହ ନେତାଜୀଙ୍କ ବଳିଦାନର ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନେତାଜୀଙ୍କ ସଂଗ୍ରାହଳୟକୁ ଯାଇଥିଲେ ଏବଂ ସେଠାରେ ନେତାଜୀଙ୍କ ପ୍ରତ୍ତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ  କରି ନୂଆ ବସ ଟର୍ମିନାଲ ଉଦ୍ଦେଶ୍ୟରେ ଖାନନଗରରେ ପହଞ୍ଚିଥିଲେ।