Categories
ଆଜିର ଖବର ଜାତୀୟ ଖବର

ସଂସଦର ଶୀତକାଳୀନ ଅଧିବେଶନ: ରାଜ୍ୟସଭାରୁ ନିଲମ୍ବିତ ହେଲେ ୧୨ ସାଂସଦ, କାରଣ ଦର୍ଶାଇଲା ସରକାର

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ କୃଷି ଆଇନ ପ୍ରତ୍ୟାହାର ସହ ଜଡିତ ଏକ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଛି। କିନ୍ତୁ ଏଥିରେ ୧୨ ଜଣ ବିରୋଧୀ ଦଳର ସାଂସଦ ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ପରେ ରାଜନୈତିକ ମାହୋଲ ଗରମ ହୋଇଛି।

ଆସନ୍ତାକାଲି ଏହି ପ୍ରସଙ୍ଗରେ ବିରୋଧୀ ଦଳ ଏକ ବୈଠକ ଡାକିଛନ୍ତି। ସେପଟେ ଶୀର୍ଷ ସରକାରୀ ସୂତ୍ର ମଧ୍ୟ ଏହି ନିଷ୍ପତ୍ତି ପଛରେ କାରଣ ଦର୍ଶାଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ମନ୍ତ୍ରୀମାନଙ୍କୁ ପରିଚିତ କରାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁମତି ଦିଆଯାଇନଥିଲା। ନିୟମ ହେଉଛି ଯଦି ମନ୍ତ୍ରୀମାନେ ପରିଚିତ ନ ହୁଅନ୍ତି, ତେବେ ସେମାନେ ପ୍ରଶ୍ନର ଉତ୍ତର ମଧ୍ୟ ଦେଇ ପାରିବେ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର

ଆରମ୍ଭ ହେଲା ସଂସଦର ଶୀତକାଳୀନ ଅଧିବେଶନ: ଜାଣନ୍ତୁ ଏହାପୂର୍ବରୁ କଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଯାଇଛି। ଚଳିତ ଅଧିବେଶନରେ ବିରୋଧୀମାନେ ଦେଶର ଅନେକ ସମସ୍ୟାକୁ ନେଇ ସରକାରକୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ତେଣୁ ସଂସଦରେ ଅନେକ ଉତ୍ତେଜନା ଦେଖାଯିବା ନେଇ ଆଶଙ୍କା କରାଯାଉଛି। ତେବେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ପ୍ରେସ ବାର୍ତ୍ତା ଦେଇଛନ୍ତି। ଚଳିତ ଅଧିବେଶନକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ପ୍ରେସ ବିବୃତ୍ତିରେ କଣ ମତ ରଖିଲେ, ଆସନ୍ତୁ ଜାଣିବା…..

ସଂସଦର ଏହି ଅଧିବେଶନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ହିନ୍ଦୁସ୍ତାନର ଚାରିଆଡ଼େ ଏହି ଆଜାଦୀ କା ଅମୃତ ମହୋତ୍ସବ ନିମନ୍ତେ ସୃଜନଶୀଳ, ସକାରାତ୍ମକ, ଜନହିତ ଲାଗି, ରାଷ୍ଟ୍ରହିତ ଲାଗି ଉଦ୍ଦିଷ୍ଟ, ସାଧାରଣ ନାଗରିକମାନଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ୱାଧୀନତା ସଂଗ୍ରାମୀମାନେ ଯେଉଁ ସ୍ୱପ୍ନ ଦେଖିଥିଲେ ସେହି ସ୍ୱପ୍ନକୁ ପୂରଣ କରିବା ଲାଗି ସାଧାରଣ ନାଗରିକମାନେ ମଧ୍ୟ ନିଜର କୌଣସି ନା କୌଣସି ଦାୟିତ୍ୱ ନିର୍ବାହ କରିବା ଲାଗି ପ୍ରୟାସ କରୁଛନ୍ତି। ଏସବୁ ଖବର ଭାରତର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭ ସଙ୍କେତ।

ପୂର୍ବରୁ ମଧ୍ୟ ଆମେ ଦେଖିଛୁ, ଗତ କିଛି ଦିନ ତଳେ ସମ୍ବିଧାନ ଦିବସ ଆୟୋଜନ କରାଯାଇଥିଲା। ନୂତନ ସଂକଳ୍ପ ନେଇ ସମ୍ବିଧାନର ଭାବନାକୁ ସାକାର କରିବା ଲାଗି ପ୍ରତ୍ୟେକ ନାଗରିକ ନିଜର ଦାୟିତ୍ୱ ନିର୍ବାହ କରିବା ଲାଗି ଶପଥ କରିଥିଲେ। ସାରା ଦେଶ ମଧ୍ୟ ଏକ ସଂକଳ୍ପ ନେଲା। ଏହି ପରିପ୍ରେକ୍ଷୀରେ ଆମେ ଚାହୁଁଛୁ ଓ ସାରା ଦେଶ ମଧ୍ୟ ଚାହୁଁଛି ଯେ ସଂସଦରେ ଫଳପ୍ରଦ ଆଲୋଚନା ହେଉ। ଭାରତୀୟ ସଂସଦର ଚଳିତ ଅଧିବେଶନ ଏବଂ ଆଗାମୀ ଅଧିବେଶନରେ ମଧ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଭାବନା, ସେମାନଙ୍କର ଲକ୍ଷ୍ୟ, ସ୍ୱାଧୀନତାର ଅମୃତ ମହୋତ୍ସବର ଭାବନା ଅନୁକୂଳ ଏବଂ ଦେଶ ହିତ ପାଇଁ ଆଲୋଚନା କରାଯାଉ। ଦେଶର ପ୍ରଗତି ଓ ବିକାଶ ପାଇଁ ନୂଆ ଉପାୟ ଓ ମାର୍ଗର ସନ୍ଧାନ କରାଯାଉ। ଏହି ଆଲୋଚନାରୁ ଦୂରଗାମୀ ପ୍ରଭାବ ବିସ୍ତାର କରୁଥିବା ସକାରାତ୍ମକ ନିଷ୍ପତ୍ତି ଗ୍ରହଣ କରାଯାଉ। ମୁଁ ଆଶା କରୁଛି ଯେ ଭବିଷ୍ୟତରେ ସଂସଦର ସୁପରିଚାଳନାରେ କେତେ ଯୋଗଦାନ ଦିଆଗଲା ତାହାର ମୂଲ୍ୟାଙ୍କନ କରାଯିବ। କିଏ କେତେ ଜୋର ଲଗାଇ ସଂସଦ ଅଧିବେଶନରେ ବାଧା ଉତ୍ପନ୍ନ କଲା ସେହି ମାନଦଣ୍ଡକୁ ନେଇ ମୂଲ୍ୟାଙ୍କନ କରାଯିବ ନାହିଁ। ସଂସଦରେ କେତେ ଘଣ୍ଟା କାମ ହେଲା, କେତେ ସକାରାତ୍ମକ କାର୍ଯ୍ୟ ହେଲା ସେହି ମାନଦଣ୍ଡକୁ ଗ୍ରହଣ କରାଯିବା ଉଚିତ୍। ସରକାର ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା, ବିସ୍ତୃତ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ସରକାର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ରହିଛନ୍ତି ଏବଂ ସ୍ୱାଧୀନତାର ଏହି ଅମୃତ ମହୋତ୍ସବ କାଳରେ ଆମେ ଚାହୁଁଛୁ ଯେ ସଂସଦରେ ପ୍ରଶ୍ନ ଉତ୍ଥାପନ କରାଯାଉ, କିନ୍ତୁ ସଂସଦରେ ଶାନ୍ତି ମଧ୍ୟ ବଜାୟ ରହୁ।

ଆମେ ଚାହୁଁଛୁ, ସଂସଦରେ ସରକାରଙ୍କ ବିରୋଧରେ, ସରକାରୀ ନୀତି ବିରୋଧରେ ସ୍ୱର ଅଧିକ ପ୍ରଖର ହେବା ଉଚିତ୍, କିନ୍ତୁ ସଂସଦର ଗରିମା, ବାଚସ୍ପତିଙ୍କ ଗରିବା, ପଦବୀର ଗରିମା ବଜାୟ ରଖି ଆମେ ଏପରି ଆଚରଣ କରିବା ଯାହା ଆଗାମୀ ଦିନରେ ଦେଶର ଯୁବପିଢ଼ିଙ୍କ ପାଇଁ ଉଦାହରଣ ପାଲଟିବ। ବିଗତ ଅଧିବେଶନ ପରେ କରୋନାର ଏକ ବିକଟ ପରିସ୍ଥିତିରେ ମଧ୍ୟ ଦେଶ ୧୦୦ କୋଟିରୁ ଅଧିକ ଡୋଜ୍ କୋଭିଡ ଟିକାକରଣର ଉପଲବ୍ଧି ହାସଲ କରିପାରିଛି। ଏବେ ଆମେ ୧୫୦ କୋଟି ଡୋଜ୍ ଟିକାକରଣ ଦିଗରେ ଅଗ୍ରସର ହେଉଛୁ। ନୂଆ ଭାରିଆଣ୍ଟର ଖବର ମଧ୍ୟ ଆମକୁ ଆହୁରି ଅଧିକ ସତର୍କ ଓ ସଜାଗ କରି ଦେଇଛି। ମୁଁ ସଂସଦର ସମସ୍ତ ସାଥୀମାନଙ୍କୁ ମଧ୍ୟ ସତର୍କ ରହିବା ଲାଗି ନିବେଦନ କରୁଛି। ଆପଣମାନଙ୍କୁ ମଧ୍ୟ ସତର୍କ ରହିବା ଲାଗି ଅନୁରୋଧ କରୁଛି। କାରଣ ପ୍ରତି ଏ ସଙ୍କଟପୂର୍ଣ୍ଣ ସମୟରେ ଆପଣମାନଙ୍କର, ଦେଶବାସୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଆମେ ପ୍ରାଥମିକତା ଦେଉଛୁ।

ଦେଶର ୮୦ କୋଟିରୁ ଅଧିକ ନାଗରିକମାନଙ୍କୁ ଏହି କରୋନା କାଳର ସଙ୍କଟରେ ଯେମିତି ଅଧିକ କଷ୍ଟ ହେବ ନାହିଁ ସେଥିପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦେବା ଲାଗି ଯୋଜନା କାର୍ଯ୍ୟକାରୀ କରାଯାଉଛି। ବର୍ତ୍ତମାନ ଏହାକୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ପାଖାପାଖି ୨ ଲକ୍ଷ ୬୦ ହଜାର କୋଟି ଟଙ୍କା ବ୍ୟୟରେ, ୮୦ କୋଟିରୁ ଅଧିକ ଗରିବ ଦେଶବାସୀଙ୍କ ଘରେ ଖାଦ୍ୟର ବ୍ୟବସ୍ଥା କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ମୁଁ ଆଶା କରୁଛି ଯେ ଆମେ ସମସ୍ତେ ଏହି ଅଧିବେଶନରେ, ମିଳିମିଶି ରାଷ୍ଟ୍ର ହିତରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା। ସାଧାରଣ ଜନତାଙ୍କ ଆଶା-ଆକାଂକ୍ଷାକୁ ପୂରଣ କରିବା ଲାଗି ବିଭିନ୍ନ ନିଷ୍ପତ୍ତି ନେବା। ମୁଁ ଏହି ଆଶା କରୁଛି।

Categories
ଆଜିର ଖବର ଜାତୀୟ ଖବର

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ସତ୍ତ୍ୱେ ସଂସଦରେ ପାରିତ ହେଲା କୃଷି ଆଇନ ପ୍ରତ୍ୟାହାର ବିଲ୍

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। କିନ୍ତୁ ଆଜି ଲୋକସଭାରେ ବିରୋଧୀ ସାଂସଦଙ୍କ ହଟ୍ଟଗୋଳ ଜାରି ରହିଛି। ତଥାପି ପ୍ରବଳ ହଟ୍ଟଗୋଳ ସତ୍ତ୍ୱେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷି ଆଇନ ପ୍ରତ୍ୟାହାର ବିଲ୍ ୨୦୨୧ କୁ ଉପସ୍ଥାପନ କରିଛନ୍ତି। ଅଳ୍ପ ସମୟ ମଧ୍ୟରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକସଭା ଦ୍ୱାରା ପାରିତ ହୋଇଛି। ଏହା ପରେ ଲୋକସଭାର ପ୍ରକ୍ରିୟାକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ ଏହି ବିଲ୍ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ।

ବର୍ତ୍ତମାନ ଅପରାହ୍ନ ୨ ଟାରେ ରାଜ୍ୟସଭାରେ କୃଷି ଆଇନ ବିଲ୍ ଆଗତ ହୋଇପାରେ। ସରକାର ଆଜି ରାଜ୍ୟସଭାରେ ଏହି ବିଲ୍ ଉପସ୍ଥାପନ କରିବେ।

Categories
ବିଶେଷ ଖବର

ସଂସଦର ଶୀତକାଳୀନ ଅଧିବେଶନ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାର ଗୋଟିଏ ଦିନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହିତ ସରକାରଙ୍କର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉଦଘାଟନୀ ଅଭିଭାଷଣ ରଖି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସଂସଦର ଆଗାମୀ ଅଧିବେଶନ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ସଂସଦର ଶୀତକାଳୀନ ଅଧିବେଶନ ୨୯ ନଭେମ୍ବର ସୋମବାର ଠାରୁ ଆରମ୍ଭ ହେବ। ସରକାରୀ କାର୍ଯ୍ୟଦିବସ ସହିତ ଏହି ଅଧିବେଶନ ୨୩ ଡିସେମ୍ବର, ଗୁରୁବାର ଦିନ ଶେଷ ହେବ। 25 ଦିନର ଅବଧି ମଧ୍ୟରେ ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟ ଦିବସ ରହିଛି।

ସେ କହିଥିଲେ ଯେ ସଂସଦର ଶୀତକାଳୀନ ଅଧିବେଶନର ସୁପରିଚାଳନା ପାଇଁ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗର ସଚିବ/ବରିଷ୍ଠ ଅଧିକାରୀମାନଙ୍କ ସହିତ ଦୁଇଟି ବୈଠକ ଗତ ୫ ଏବଂ ୨୭ ଅକ୍ଟୋବରରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଶୀତକାଳୀନ ଅଧିବେଶନରେ ଆପାତତଃ ୩୭ଟି ପ୍ରସଙ୍ଗ ଉପସ୍ଥାପନ କରିବା ପାଇଁ ଚୟନ କରାଯାଇଛି। ଏଥିମଧ୍ୟରେ ୩୬ଟି ବିଲ ଏବଂ ଗୋଟିଏ ଆର୍ଥିକ ପ୍ରସଙ୍ଗ ସାମିଲ ରହିଛି।

ଅଧ୍ୟାଦେଶ ସ୍ଥାନରେ ତିନୋଟି ବିଲ (i) ନାର୍କୋଟିକ ଡ୍ରଗ୍ସ ଏବଂ ସାଇକୋଟ୍ରପିକ ପଦାର୍ଥ (ସଂଶୋଧନ) ଅଧ୍ୟାଦେଶ, ୨୦୨୧; (ii) କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସଂଶୋଧନ) ଅଧ୍ୟାଦେଶ, ୨୦୨୧ ଏବଂ (iii) ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ପ୍ରତିଷ୍ଠାନ (ସଂଶୋଧନ) ଅଧ୍ୟାଦେଶ ସଂସଦରେ ଉପସ୍ଥାପନ କରାଯାଇ ଆଇନ ଭାବେ ପ୍ରଣିତ ହେବ। ମନ୍ତ୍ରୀ କହିଥିଲେ ଯେ, ସଂସଦର ନିୟମ ଏବଂ ପ୍ରକ୍ରିୟା ଅନୁଯାୟୀ, ସଦନରେ ଯେକୌଣସି ବିଷୟ ଉପରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ସଦନର ସୁପରିଚାଳନା ନିମନ୍ତେ ସହଯୋଗ ପାଇଁ ସମସ୍ତ ରାଜନୈତିକ ଦଳଗୁଡ଼ିକୁ ଶ୍ରୀ ଯୋଶୀ ଅନୁରୋଧ କରିଥିଲେ।

ସର୍ବଦଳୀୟ ବୈଠକରେ ସମସ୍ତ ରାଜନୈତିକ ଦଳଗୁଡ଼ିକ ଭିନ୍ନ ଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଏହାକୁ ଶୁଣିବା ପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ସମସ୍ତ ପ୍ରସଙ୍ଗକୁ ଗ୍ରହଣ କରିବା ସହିତ ଆଲୋଚନା ଫଳପ୍ରଦ ହେବା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ।  ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସେ କହିଥିଲେ। ସେ କହିଥିଲେ ଯେ, ଏ ସଂକ୍ରାନ୍ତରେ ସଂସଦରେ ଅଧିକ ଆଲୋଚନା ହେବାର ଆବଶ୍ୟକତା ରହିଥିବା ଦଳଗୁଡ଼ିକ ଇଚ୍ଛାପ୍ରକଟ କରିଛନ୍ତି ଏବଂ ସରକାର ମଧ୍ୟ ସଂସଦରେ ସୁସ୍ଥ ଆଲୋଚନା ଚାହୁଁଛନ୍ତି।

ଏହି ବୈଠକରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ, ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ, କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏବଂ ଶ୍ରୀ ଭି. ମୂରଲୀଧରନ ମଧ୍ୟ ବୈଠକରେ ଯୋଗ ଦେଇଥିଲେ।

ଏହି ବୈଠକରେ ବିଜେପି ସମେତ କଂଗ୍ରେସ, ଡିଏମକେ, ତୃଣମୂଳ କଂଗ୍ରେସ, ଓ୍ବାଇଏସଆର କଂଗ୍ରେସ ପାର୍ଟି, ଜେଡିୟୁ, ବିଜେଡି, ବିଏସପି, ଟିଆରଏସ, ଶିବସେନା, ଲୋକ ଜନଶକ୍ତି ପାର୍ଟି, ଏନସିପି, ସମାଜବାଦୀ ପାର୍ଟି, ସିପିଆଇ(ଏମ), ଆଇୟୁଏମଏଲ, ଟିଡିପି, ଆପନା ଦଳ, ସିପିଆଇ, ଏନପିଏଫ, ଶିରୋମଣି ଅକାଳୀ ଦଳ, ଆମ ଆଦମୀ ପାର୍ଟି, ଏଆଇଏଡିଏମକେ, କେସିଏମ, ଏମଏନଏଫ, ଆରଏସପି, ଆରପିଆଇ(ଏ), ଆରଜେଡି, ଏନପିପି, ଏମଡିଏମକେ, ଜେକେଏନସି, ତାମିଲ ମାନିଲା କଂଗ୍ରେସ (ଏମ) ଆଦି ୩୦ରୁ ଅଧିକ ରାଜନୈତିକ ଦଳ ନେତାମାନେ ଯୋଗ ଦେଇଥିଲେ।

ଶୀତକାଳୀନ ଅଧିବେଶନରେ ଉପସ୍ଥାପନ କରାଯିବାକୁ ଥିବା ବିଲର ତାଲିକା,୨୦୨୧

 ଆଇନଗତ କାର୍ଯ୍ୟସୂଚୀ:

  1. ନାର୍କୋଟିକ ଡ୍ରଗ୍ସ ଏବଂ ସାଇକୋଟ୍ରପି ଉପାଦାନ (ସଂଶୋଧନ) ବିଲ, ୨୦୨୧ (ଅଧ୍ୟାଦେଶ ସ୍ଥାନ ନେବ)
  2. ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ପ୍ରତିଷ୍ଠାନ (ସଂଶୋଧନ) ବିଲ, ୨୦୨୧(ଅଧ୍ୟାଦେଶ ସ୍ଥାନ ନେବ)
  3. କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସଂଶୋଧନ) ବିଲ, ୨୦୨୧ (ଅଧ୍ୟାଦେଶ ସ୍ଥାନ ନେବ)
  4. ଲୋକସଭାରେ ଗୃହିତ ନଦୀବନ୍ଧ ସୁରକ୍ଷା ବିଲ, ୨୦୧୯
  5. ଲୋକସଭାରେ ଗୃହିତ ସରୋଗେସୀ (ନିୟାମକ) ବିଲ, ୨୦୧୯
  6. ଅଭିଭାବକ ଏବଂ ବରିଷ୍ଠ ନାଗରିକ (ସଂଶୋଧନ) ବିଲ, ୨୦୧୯ ପରିଚାଳନା ଏବଂ କଲ୍ୟାଣ ବିଲ, ୨୦୧୯
  7. ସହାୟକ ପ୍ରଜନନ ପ୍ରଯୁକ୍ତି (ନିୟାମକ) ବିଲ, ୨୦୨୦
  8. ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ବିଚାରପତିଙ୍କ (ଦରମା ଏବଂ ଚାକିରି ସର୍ତ୍ତାବଳୀ) ସଂଶୋଧନ ବିଲ, ୨୦୨୧
  9. ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଫାର୍ମାସ୍ୟୁଟିକାଲ ଏଜୁକେସନ ଏବଂ ରିସର୍ଚ୍ଚ (ସଂଶୋଧନ) ବିଲ, ୨୦୨୧
  10. କୃଷି ଆଇନ ଉଚ୍ଛେଦ ବିଲ, ୨୦୨୧
  11. ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ସ, ଦ କଷ୍ଟ ଆଣ୍ଡ ଓ୍ବର୍କ୍ସ ଆକାଉଣ୍ଟାଣ୍ଟ୍ସ ଏବଂ କମ୍ପାନୀ ସେକ୍ରେଟାରୀଜ (ସଂଶୋଧନ) ବିଲ, ୨୦୨୧
  12. ଦେବାଳିଆ ଏବଂ ଦେବାଳିଆପଣ (ଦ୍ବିତୀୟ ସଂଶୋଧନ) ବିଲ, ୨୦୨୧
  13. କ୍ୟାଣ୍ଟନମେଣ୍ଟ ବିଲ, ୨୦୨୧
  14. ଇଣ୍ଟର ସର୍ଭିସେସ ସଂଗଠନ (ଆଦେଶ, ନିୟନ୍ତ୍ରଣ ଓ ଶୃଙ୍ଖଳା) ବିଲ, ୨୦୨୧
  15. ପ୍ରବାସ ବିଲ, ୨୦୨୧
  16. କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ ଡିଜିଟାଲ କରେନ୍ସି ବିଲର ନିୟନ୍ତ୍ରଣ, ୨୦୨୧
  17. ପେନସନ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧିକରଣ (ସଂଶୋଧନ) ବିଲ, ୨୦୨୧
  18. ବ୍ୟାଙ୍କିଙ୍ଗ ଆଇନ (ସଂଶୋଧନ) ବିଲ, ୨୦୨୧
  19. ଭାରତୀୟ ସାମୁଦ୍ରିକ ମତ୍ସ୍ୟପାଳନ ବିଲ, ୨୦୨୧
  20. ଜାତୀୟ ଦନ୍ତଚିକିତ୍ସା କମିଶନ ବିଲ, ୨୦୨୧
  21. ଜାତୀୟ ନର୍ସିଂ ମିଡଓ୍ବାଇଫରୀ କମିଶନ ବିଲ, ୨୦୨୧
  22. ମେଟ୍ରୋ ରେଳ (ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ ବିଲ, ୨୦୨୧)
  23. ଶକ୍ତି ସଂରକ୍ଷଣ (ସଂଶୋଧନ) ବିଲ, ୨୦୨୧
  24. ବିଦ୍ୟୁତ (ସଂଶୋଧନ) ବିଲ, ୨୦୨୧
  25. ସମ୍ବିଧାନ (ଅନୁସୂଚିତ ଜାତି ଏବଂ ଜନଜାତି) ଆଦେଶ (ସଂଶୋଧନ) ବିଲ, ୨୦୨୧ (ଉତ୍ତରପ୍ରଦେଶ ସଂକ୍ରାନ୍ତ)
  26. ସମ୍ବିଧାନ (ଅନୁସୂଚିତ ଜାତି ଏବଂ ଜନଜାତି) ଆଦେଶ (ସଂଶୋଧନ) ବିଲ, ୨୦୨୧ (ତ୍ରିପୁରା ସଂକ୍ରାନ୍ତ)
  27. ମାନବ ଚାଲାଣ (ନିରାକରଣ, ସୁରକ୍ଷା ଏବଂ ଥଇଥାନ) ବିଲ, ୨୦୨୧
  28. ମେଡିଏସନ ବିଲ, ୨୦୧୧
  29. ଖଣିଜ (ସଂଶୋଧନ) ବିଲ, ୨୦୧୧(ପ୍ରତ୍ୟାହାର ପାଇଁ)
  30. ଆନ୍ତଃ-ରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ଏବଂ ଚାକିରି ସର୍ତ୍ତାବଳୀ ନିୟନ୍ତ୍ରଣ) ସଂଶୋଧନ ବିଲ ୨୦୧୧(ପ୍ରତ୍ୟାହାର ପାଇଁ)
  31. କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ସଂକ୍ରାନ୍ତ ଆଇନ (ସଂଶୋଧନ) ବିଲ, ୨୦୧୩ (ପ୍ରତ୍ୟାହାର ପାଇଁ)
  32. ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜ (ଖାଲି ପଦବୀର ବାଧ୍ୟତାମୂଳକ ବିଜ୍ଞପ୍ତି) ସଂଶୋଧନ ବିଲ, ୨୦୧୩ (ପ୍ରତ୍ୟାହାର ପାଇଁ)
  33. ଓ୍ବାକଫ ସମ୍ପତ୍ତି (ଅନଧିକୃତ ଦଖଲ ଉଚ୍ଛେଦ) ବିଲ, ୨୦୧୪ (ପ୍ରତ୍ୟାହାର ପାଇଁ)

ଆର୍ଥିକ କାର୍ଯ୍ୟସୂଚୀ

୨୦୨୧-୨୨ ଆର୍ଥିକ ବର୍ଷର ଅନୁଦାନ ପାଇଁ ଅତିରିକ୍ତ ବଜେଟର ଦ୍ବିତୀୟ ପର୍ଯ୍ୟାୟ ଉପରେ ଉପସ୍ଥାପନା, ଆଲୋଚନା ଏବଂ ମତଦାନ ଏବଂ ବିନିଯୋଗ ସଂକ୍ରାନ୍ତ ପ୍ରସ୍ତାବ ଉପସ୍ଥାପନା, ଆଲୋଚନା ଏବଂ ଅନୁମୋଦନ ଲାଭ କରିବା ସଂକ୍ରାନ୍ତ ବିଲ।

 

Categories
ଆଜିର ଖବର ଜାତୀୟ ଖବର

ଶୀତକାଳୀନ ଅଧିବେଶନ: ସର୍ବଦଳୀୟ ବୈଠକକୁ ବହିଷ୍କାର କଲା ଆପ, ୧୦ ଟି ପ୍ରସଙ୍ଗ ଉଠାଇଲା ଟିଏମସି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ, ଆଧୀର ରଂଜନ ଚୌଧୁରୀ, ଆନନ୍ଦ ଶର୍ମା, ତୃଣମୁଲ କଂଗ୍ରେସର ସୁଦୀପ ବାନାର୍ଜୀ, ଡେରେକ ଓ’ବ୍ରାଇନ୍, ଡିଏମକେର ଟିଆର ବାଲୁ, ଟି ଶିବ ଏବଂ ଏନସିପିର ଶରଦ ପାୱାର ସଂସଦ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ସରକାର ଡ଼ାକିଥିବା ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ସରକାର ସମ୍ମୁଖରେ ତୃଣମୂଳ କଂଗ୍ରେସ ଦ୍ୱାରା ୧୦ଟି ପ୍ରସଙ୍ଗ ଉଠିଥିଲା।

ଟିଏମସି ଦ୍ଵାରା ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ହେଉଛି ବେକାରୀ, ଇନ୍ଧନ ମୂଲ୍ୟ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି, ଆଇନରେ ଏମଏସପି ଅନ୍ତର୍ଭୂକ୍ତ କରିବା, ଲାଭଜନକ PSU ଗୁଡ଼ିକରେ ବିନିଯୋଗକୁ ବନ୍ଦ କରିବା, ବିଏସଏଫର ଅଧିକାର, ପେଗାସସ୍ ପ୍ରସଙ୍ଗ, କରୋନା ପରିସ୍ଥିତି, ମହିଳା ସଂରକ୍ଷଣ ବିଲ୍ ଏବଂ ଡୁ ନଟ ବୁଲଡୋଜ ବିଲ୍।

ଏଠାରେ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ସର୍ବଦଳୀୟ ବୈଠକକୁ ବହିସ୍କାର କରିଥିଲେ। ସଞ୍ଜୟ ସିଂ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ନା ସଂସଦରେ କହିବାକୁ ଦିଆଯାଉଛି ନା ସର୍ବାଦଳୀୟ ବୈଠକରେ ସୁଯୋଗ ଦିଆଯାଉଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ସଞ୍ଜୟ ବୈଠକ ଛାଡି ଚାଲି ଯାଇଥିଲେ।

ସଂସଦର ଶୀତକାଳୀନ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ହେବ। ସରକାର ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପାଇଁ ଏକ ବିଲ୍ ଆଗତ କରିବେ ବୋଲି ଆଶା କରାଯାଉଛି। ଏହି ବିଲ୍ ଉପରେ ସପକ୍ଷରେ ତଥା ବିରୋଧର ତୀବ୍ର ସଂଘର୍ଷ ହୋଇପାରେ। ଏହି ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଥିବାବେଳେ ବିରୋଧୀଦଳ ଉଠାଇଥିବା ପ୍ରସଙ୍ଗଗୁଡ଼ିକର ସନ୍ତୁଳିତ ଉତ୍ତର ଦେବା ସରକାରଙ୍କ ପକ୍ଷରୁ ଏକ ପ୍ରୟାସ ହେବ।

ସଂସଦର ଏହି ଅଧିବେଶନରେ ବିରୋଧୀମାନେ ପେଗାସସ୍ ସ୍ପାଏୱେୟାର ସହିତ ଫୋନ୍ ଟ୍ୟାପ୍ ପ୍ରସଙ୍ଗ ମଧ୍ୟ ଉଠାଇ ପାରିବେ। ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଆଜି ସନ୍ଧ୍ୟାରେ ସଂସଦର ଉପର ଗୃହରେ ରାଜନୈତିକ ଦଳଗୁଡ଼ିକର ନେତାଙ୍କ ଏକ ବୈଠକ ଡାକିଛନ୍ତି। ବିଶ୍ୱାସ କରାଯାଏ ଯେ, ଏହି ଅଧିବେଶନ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇପାରେ।

Categories
ଆଜିର ଖବର ରାଜ୍ୟ ଖବର

ଡିସେମ୍ବର ପହିଲାରୁ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ: ହଟ୍ଟଗୋଳ କରିପାରିବେନି ବିଧାୟକ

ଭୁବନେଶ୍ଵର: ଡିସେମ୍ବର ୧ ତାରିଖ ଠାରୁ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। କରୋନା କଟକଣା ଭିତରେ ଶୀତକାଳୀନ ଅଧିବେଶନ ଚାଲିବ। କିନ୍ତୁ ତା’ପୂର୍ବରୁ ନଭେମ୍ବର ୨୯ ତାରିଖ ଦିନ ୧୧ ଟାରେ ସର୍ବାଦଳୀୟ ବୈଠକ ବସିବ।

କିନ୍ତୁ ଏଥର ବିଧାୟକମାନେ ଗୃହରେ ହୋହଲ୍ଲା କରିବାକୁ ବାରଣ କରଯାଇଛି। ରାଜ୍ୟପାଳଙ୍କ ଅଭିଭାଷଣରେ ହେଉ କିମ୍ବା ପ୍ରଶ୍ନ-ଉତ୍ତର ସମୟରେ ବିଧାନସଭାର ସଦସ୍ୟମାନେ ଶାନ୍ତି ଶ୍ରୁଙ୍ଖଳା ରଖିବାକୁ କୁହାଯାଇଛି। ଏନେଇ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ ବୋଲି ବାଚସ୍ପତି ଡା. ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। କିନ୍ତୁ ସଦସ୍ୟମାନେ ଏହି ନିୟମକୁ କେତେ ପାଳନ କରୁଛନ୍ତି, ତାହା ଦେଖିବା ବାକି ରହିଲା।

Categories
ଆଜିର ଖବର ରାଜ୍ୟ ଖବର

ଗଣତନ୍ତ୍ରର ବିଜୟ, ଅହଂକାରର ପରାଜୟ: କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରି କହିଛନ୍ତି ଯେ, ତାଙ୍କ ସରକାର ଯେଉଁ ତିନୋଟି କୃଷି ଆଇନକୁ ପାରିତ କରିଥିଲା ସେ ସମସ୍ତ କୃଷି ଆଇନକୁ ଆସନ୍ତା ଶୀତକାଳୀନ ଅଧିବେଶନରେ ସଂସଦରେ ରୁଦ୍ଧ କରାଯିବ। ଆଜକୁ ଦୀର୍ଘ ୧୩ ମାସ କାଳ ଧରି କୃଷକମାନେ ଏହି କଳା କୃଷି ଆଇନ ବିରୋଧରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଜାରି ରଖିଛନ୍ତି। ସାରା ଭାରତବର୍ଷର ଅନ୍ନଦାତା ଏ ଆଇନକୁ ରୁଦ୍ଧ ବା ଆଇନର ପରିବର୍ତ୍ତନ କରିବା ପାଇଁ ବାରମ୍ବାର ମୋଦି ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ଆଜି ପ୍ରଦେଶ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ଡଃ ଏ ଚେଲ୍ଲା କୁମାର ସାମ୍ବାଦିକମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଭାରତ ବର୍ଷର ନରେନ୍ଦ୍ର ମୋଦି ସରକାର ଯେଉଁ କଳା କୃଷି ଆଇନ ପ୍ରଣୟନ କରିଥିଲେ ତାହା ଆଜି ସେ ନିଜେ ଏବଂ ତାଙ୍କ ସରକାର ଏ ଆଇନକୁ ରୁଦ୍ଧ କରିବାର ଘୋଷଣା କରିଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ଭାରତବର୍ଷର କୋଟି କୋଟି କୃଷକ ଯେଉଁ ଆନ୍ଦୋଳନ ଜାରି ରଖିଥିଲେ ତାହା ନ୍ୟାୟ ସଂଗତ ଓ କୃଷକ ବିରୋଧି ଥିଲା ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣି । ଏହି ବିଜୟ ଭାରତ ବର୍ଷର କୃଷକଙ୍କର ବିଜୟ, ଗଣତନ୍ତ୍ରର ବିଜୟ, ସତ୍ୟର ବିଜୟ ଓ ଅହଂକାରର ପରାଜୟ ବୋଲି ସେ କହିଥିଲେ।

ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଆଜି ଯେଉଁ ୭୦୦ ରୁ ଅଧିକ କୃଷକ ମୃତ୍ୟୁବରଣ କଲେ। ସେମାନଙ୍କ ପଛପଟୁରୁ ଗାଡ଼ି ଚଢ଼ାଇ ଓ ଟ୍ରାକ୍ଟର ଚଢ଼ାଇ ମାରିଦିଆଗଲା ଏବଂ ତାଙ୍କ ନାଁରେ ବିଭିନ୍ନ ଆତଙ୍କବାଦ ଆଇନ ବଳରେ ଯେଉଁ କେସ ଦାୟର ହୋଇଛି, ସେଥିପାଇଁ ନରେନ୍ଦ୍ର ମୋଦି ଦାୟୀ ରହିବେ କି ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି। ଆଜି ଯଦି ସରକାର ନିଷ୍ପତ୍ତି ନେଇପାରିଲେ ତାହାହେଲେ କାହଁକି କୃଷକମାନଙ୍କୁ ଆତଙ୍କବାଦୀ ବୋଲି ଚିତ୍ରଣ କରାଯାଇଥିଲା। ଅହଂକାର ଓ ସଂଖ୍ୟାର କେବେ ଜୟ ହୋଇ ନାହିଁ, ଗଣତନ୍ତ୍ରର ଜୟହିଁ ହୋଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଜି ରୁଦ୍ର ରାଜୁ, ପିସିସି ମିଡିଆ ସେଲର ଅଧ୍ୟକ୍ଷ ଗଣେଶ୍ୱର ବେହେରା, ଯଜ୍ଞେଶ୍ୱର ବାବୁ ଏବଂ ବରିଷ୍ଠ ମୁଖପାତ୍ର ତଥା ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ଘୋଷଣା ହେଲା ତାରିଖ, ମାସେ ଚାଲିବ

ଭୁବନେଶ୍ୱର:  ଡିସେମ୍ବର ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଚଳିତ ଅଧିବେସନରେ ମୋଟ ୩୧ଟି ଦିବସ ଥିବାବେଳେ ମୋଟ ୨୬ଟି କାର୍ଯ୍ୟଦିବସ ରହିଛି । ସେଥି ମଧ୍ୟରୁ ୫ଟି ଛୁଟି ଦିବସ ରହିଛି । ଏନେଇ ଆଜି ବିଧାନସଭା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସମୁଦାୟ ୫ଟି ଛୁଟି ଦିନ ମଧ୍ୟରେ ରହିଛି ୪ଟି ରବିବାର ଏବଂ ଅନ୍ୟଟି ଏକ୍ସ ମାସ ଛୁଟି ଦିନ। ପ୍ରଥମ ଦିନରେ ରାଜ୍ୟର ଅତିରିକ୍ତ ବଜେଟ ଉପସ୍ଥାପନା କରାଯିବ। ସେହପରି ଦଶ ତାରିଖରେ ବ୍ୟୟମଂଜୁରୀ ବିଲ ପାଶ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା 20ରୁ ଶୀତକାଳୀନ ବିଧାନସଭା ଅଧିବେଶନ : ଅଧିବେଶନ ପୂର୍ବରୁ ହେବ କୋଭିଡ ଟେଷ୍ଟ

ଭୁବନେଶ୍ବର : ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିବେଶନ ପୂର୍ବରୁ ବିଧାନସଭାର ସମସ୍ତ ସଦସ୍ୟ, ବ୍ୟକ୍ତିଗତ ସଚିବ ଓ କର୍ମଚାରୀମାନଙ୍କ କୋଭିଡ୍ ଟେଷ୍ଟ କରାଯିବ। ସମ୍ପୂର୍ଣ୍ଣ କରୋନା କଟକଣା ସହିତ ଅଧିବେଶନ ହେବ। ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ବାଚସ୍ପତିଙ୍କ ସୂଚନା ଅନୁଯାୟୀ, ମୌସୁମୀ ଅଧିବେଶନ ଭଳି ଏଥର ମଧ୍ୟ କରୋନାକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା 17, 18 ଓ 19 ତାରିଖରେ ବିଧାନସଭା ସଦସ୍ୟ ଓ ବ୍ୟକ୍ତିଗତ ସଚିବମାନଙ୍କର କରୋନା ଟେଷ୍ଟ ହେବ। ଏହାପରେ ବିଧାୟକମାନଙ୍କ ସହାୟକ ଓ ବିଧାନସଭା କର୍ମଚାରୀମାନଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ ବୋଲି ବାଚସ୍ପତି କହିଛନ୍ତି। ଶୀତ ଅଧିବେଶନ ରିପୋର୍ଟିଂ ପାଇଁ ବିଧାନସଭା ଯିବାକୁ ଥିବା ସାମ୍ବାଦିକମାନଙ୍କର ମଧ୍ୟ କୋଭିଡ୍ ଟେଷ୍ଟ ହେବ। ସାମ୍ବାଦିକମାନଙ୍କୁ ମାସ୍କ ଓ ସାନିଟାଇଜର ମଧ୍ୟ ପ୍ରଦାନ କରାଯିବ। ଅଧିବେଶନ ଚାଲିଥିବା ସମୟରେ ଦ୍ଵିତୀୟ ପର୍ଯ୍ୟାୟ ଟେଷ୍ଟ କରାଯିବ। ପ୍ରତିଦିନ ବିଧାନସଭା ପରିସରକୁ ସାନିଟାଇଜ୍ କରାଯିବ ବୋଲି ବାଚସ୍ପତି କହିଛନ୍ତି। ଗତ ଅଧିବେଶନ ପରି ଏଥର ମଧ୍ୟ ସଦସ୍ୟମାନେ ଭିଡିଓ କନଫରେନ୍ସିଂ ଜରିଆରେ ଭାଗ ନେଇପାରିବେ। ତେବେ ପ୍ରଶ୍ନକାଳ ବାତିଲ ହେବ କି ନାହିଁ ସେନେଇ କିଛି ଆଲୋଚନା ହୋଇନଥିବା ବାଚସ୍ପତି ସୂଚନା ଦେଇଛନ୍ତି।