ଶୀତକାଳୀନ ଅଧିବେଶନ: ସର୍ବଦଳୀୟ ବୈଠକକୁ ବହିଷ୍କାର କଲା ଆପ, ୧୦ ଟି ପ୍ରସଙ୍ଗ ଉଠାଇଲା ଟିଏମସି

Published: Nov 28, 2021, 2:04 pm IST

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ, ଆଧୀର ରଂଜନ ଚୌଧୁରୀ, ଆନନ୍ଦ ଶର୍ମା, ତୃଣମୁଲ କଂଗ୍ରେସର ସୁଦୀପ ବାନାର୍ଜୀ, ଡେରେକ ଓ’ବ୍ରାଇନ୍, ଡିଏମକେର ଟିଆର ବାଲୁ, ଟି ଶିବ ଏବଂ ଏନସିପିର ଶରଦ ପାୱାର ସଂସଦ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ସରକାର ଡ଼ାକିଥିବା ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ସରକାର ସମ୍ମୁଖରେ ତୃଣମୂଳ କଂଗ୍ରେସ ଦ୍ୱାରା ୧୦ଟି ପ୍ରସଙ୍ଗ ଉଠିଥିଲା।

ଟିଏମସି ଦ୍ଵାରା ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ହେଉଛି ବେକାରୀ, ଇନ୍ଧନ ମୂଲ୍ୟ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି, ଆଇନରେ ଏମଏସପି ଅନ୍ତର୍ଭୂକ୍ତ କରିବା, ଲାଭଜନକ PSU ଗୁଡ଼ିକରେ ବିନିଯୋଗକୁ ବନ୍ଦ କରିବା, ବିଏସଏଫର ଅଧିକାର, ପେଗାସସ୍ ପ୍ରସଙ୍ଗ, କରୋନା ପରିସ୍ଥିତି, ମହିଳା ସଂରକ୍ଷଣ ବିଲ୍ ଏବଂ ଡୁ ନଟ ବୁଲଡୋଜ ବିଲ୍।

ଏଠାରେ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ସର୍ବଦଳୀୟ ବୈଠକକୁ ବହିସ୍କାର କରିଥିଲେ। ସଞ୍ଜୟ ସିଂ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ନା ସଂସଦରେ କହିବାକୁ ଦିଆଯାଉଛି ନା ସର୍ବାଦଳୀୟ ବୈଠକରେ ସୁଯୋଗ ଦିଆଯାଉଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ସଞ୍ଜୟ ବୈଠକ ଛାଡି ଚାଲି ଯାଇଥିଲେ।

ସଂସଦର ଶୀତକାଳୀନ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ହେବ। ସରକାର ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପାଇଁ ଏକ ବିଲ୍ ଆଗତ କରିବେ ବୋଲି ଆଶା କରାଯାଉଛି। ଏହି ବିଲ୍ ଉପରେ ସପକ୍ଷରେ ତଥା ବିରୋଧର ତୀବ୍ର ସଂଘର୍ଷ ହୋଇପାରେ। ଏହି ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଥିବାବେଳେ ବିରୋଧୀଦଳ ଉଠାଇଥିବା ପ୍ରସଙ୍ଗଗୁଡ଼ିକର ସନ୍ତୁଳିତ ଉତ୍ତର ଦେବା ସରକାରଙ୍କ ପକ୍ଷରୁ ଏକ ପ୍ରୟାସ ହେବ।

ସଂସଦର ଏହି ଅଧିବେଶନରେ ବିରୋଧୀମାନେ ପେଗାସସ୍ ସ୍ପାଏୱେୟାର ସହିତ ଫୋନ୍ ଟ୍ୟାପ୍ ପ୍ରସଙ୍ଗ ମଧ୍ୟ ଉଠାଇ ପାରିବେ। ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଆଜି ସନ୍ଧ୍ୟାରେ ସଂସଦର ଉପର ଗୃହରେ ରାଜନୈତିକ ଦଳଗୁଡ଼ିକର ନେତାଙ୍କ ଏକ ବୈଠକ ଡାକିଛନ୍ତି। ବିଶ୍ୱାସ କରାଯାଏ ଯେ, ଏହି ଅଧିବେଶନ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇପାରେ।

Related posts