Categories
ଆଜିର ଖବର

ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୫୩ ପ୍ରତିଶତ ମତଦାନ, ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ

ରାଜ୍ୟ ନିର୍ବାଚନ ଅଧିକାରଙ୍କ ସୂଚନା ଅନୁସାରେ ରାଜ୍ୟରେ ଅପରାହ୍ନ ୩ ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି। ଏ ପର୍ଯ୍ୟନ୍ତ କୌଣସି ବୁଥରେ ବଡ କିଛି ଘଟଣା ଘଟିଥିବାର ସୂଚନା ନାହିଁ। ଆଜି ରାଜ୍ୟର ୬ଟି ଲୋକସଭା ଆସନ ଏବଂ ୪୧ ଟି ବିଧାନସଭା ଆସନରେ ମତଦାନ ହେଉଛି। ଏହି ସମୟ ମଧ୍ୟରେ ବିଭିନ୍ନ ଲୋକସଭା ଆସନରେ ହୋଇଥିବା ମତଦାନ ପ୍ରତିଶତ ହେଲା

ମୟୁରଭଂଜ- ୫୪.୩୮ ପ୍ରତିଶତ

ବାଲେଶ୍ବର- ୫୧.୨୬ ପ୍ରତିଶତ

ଭଦ୍ରଖ- ୫୦.୮୦ ପ୍ରତିଶତ

ଯାଜପୁର- ୫୧.୭୨ ପ୍ରତିଶତ

କେନ୍ଦ୍ରାପଡା- ୫୫.୩୮ ପ୍ରତିଶତ

ଜଗତସିଂହପୁର- ୪୫.୮୨ ପ୍ରତିଶତ ମତଦାନ ହୋଇଛି

Categories
ବିଶେଷ ଖବର

କେନ୍ଦ୍ରାପଡା, ନିର୍ବାଚନର ଅନ୍ତିମ ସମୟରେ ଭୟ ଓ ଆଶଙ୍କାର ଅବାସ୍ତବ ରାଜନୀତି

ସମୀକ୍ଷା ବ୍ୟୁରୋ

ଶେଷ ଖବର ମୁତାବକ କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରତି ଭୋଟରଙ୍କ ଆସ୍ଥା ବଢୁଛି ଓ ସେ ଜିତି ଯାଇପାରନ୍ତି ବୋଲି ଏକ ଧାରଣା ସବୁଠି ଘୂରି ବୁଲୁଛି। ତା ସତ୍ତ୍ୱେ ବିଜେପିର ଏକ ସାତ ଜଣିଆ ପ୍ରତିନିଧି ଦଳ ଆଜି ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରି କହିଛନ୍ତି ଯେ କୁଆଡେ କେନ୍ଦ୍ରାପଡାର ୧୯୯୨ ଟି ଯାକ ବୁଥରେ ରିଗିଂ କରାଯିବ। ନବୀନ ସରକାରର ପୋଲିସ ଓ ସରକାରୀ କର୍ମଚାରୀ କୁଆଡେ ସବୁ ଭୋଟ ନିଜ ଆଡକୁ ନେଇଯିବେ। ଏହା ସହିତ ବିଜେପିର କୁହାଳିଆ ଉପ ସଭାପତି ପୀତାମ୍ବର ଆଚାର୍ୟ ଏୟା ବି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ରୁ ୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟି ଫେରିଛନ୍ତି। ବିଜେପିର ଏ ପ୍ରକାର ଅଭିଯୋଗ ଶୁଣି ଯେ କେହି ବି ଚିନ୍ତାରେ ପଡିବ ଯେ, ସତରେ କଣ ବୈଜୟନ୍ତ ଜିତୁଛନ୍ତି! ନା ବୈଜୟନ୍ତ ହାରନ୍ତୁ ବୋଲି ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଚକ୍ରାନ୍ତ କରି ଏ ପ୍ରକାର ମିଛ କାହାଣୀ ବୁଣୁଛନ୍ତି? କେନ୍ଦ୍ରାପଡା ନକ୍ସଲ ପୀଡିତ ଅଞ୍ଚଳ ନୁହେଁ କିମ୍ବା ସେଠି ନିର୍ବାଚନୀ ହିଂସା ଏତେ ବ୍ୟାପକ ହୋଇନାହିଁ ଯେ ନିର୍ବାଚନ କମିଶନ ପୂରା ନିର୍ବାଚନ ମଣ୍ଡଳୀରେ ପାରା ମିଲିଟାରୀ ବାହିନୀ ମୁତୟନ କରିବେ। ଜଣେ ତଥାକଥିତ ଜିତୁଥିବା ପ୍ରାର୍ଥୀ ଏତେ ଡରିବାର କାରଣ କଣ? ଲୋକେ ଯଦି ଆପଣଙ୍କୁ ସମର୍ଥନ କରୁଛନ୍ତି, ସେମାନେ କଣ ଏତେ ଭୟାଳୁ ଯେ ଡରରେ ବା ପ୍ରଲୋଭନରେ ବିଜେଡ଼ିକୁ ଭୋଟ ଦେଇଦେବେ ?

ସତ କହିବାକୁ ଗଲେ ବିଜେପିର ଏ ପ୍ରକାର ଉଦ୍ଦେଶ୍ୟ ପଛରେ କିଛି ଗୋଟେ ଭିତିରି ରହସ୍ୟ ରହିଛି। ଯଦି ମୁଖ୍ୟମନ୍ତ୍ରୀ ୪୫-୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟିକି ଚାଲି ଆସିଲେ, କେନ୍ଦ୍ରାପଡାରେ ବାବୁ ବୈଜୟନ୍ତ ଓ ତାଙ୍କ ଚୌକିଦାରମାନେ କରୁଥିଲେ କଣ? ତେବେ ମୁଖ୍ୟମନ୍ତ୍ରୀଙ୍କ ଆଗରୁ କେନ୍ଦ୍ରାପଡାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଯାଇଥିଲେ। ଆମେ କଣ କହିବା ଯେ ପ୍ରଧାନମନ୍ତ୍ରୀ ସେଠି ବୈଜୟନ୍ତଙ୍କୁ ଜିତାଇବାକୁ ୫୦-୬୦ କୋଟି ବାଣ୍ଟି ଦେଇ ଚାଲି ଆସିଛନ୍ତି! ଯଦି ସାରା ଦେଶର ନଜର ଥିବା ଓ ଏ ପର୍ୟନ୍ତ ନିର୍ବାଚନୀ ହିଂସାରୁ ବିରତ ରହିଥିବା ଏକ ନିର୍ବାଚନ ମଣ୍ଡଳୀ ବିଷୟରେ ଏତେ ଭୟ ଓ ଆଶଙ୍କା ବିଜେପି ତରଫରୁ ସୃଷ୍ଟି କରାଯାଉଛି କାହିଁକି? ହୁଏତ ବିଜେଡି କୁ ଚାପରେ ରଖିବାକୁ ଏହା ବିଜେପିର ଏକ କୌଶଳ ହୋଇଥାଇପାରେ। ହେଲେ ଏ ପ୍ରକାର ବାର୍ତ୍ତାକୁ ଭୋଟର ଭିନ୍ନ ବାଗରେ ଗ୍ରହଣ କରନ୍ତି ଯଦି, ତାହେଲେ ସବୁ କିଛି ଓଲଟ ପାଲଟ ହୋଇଯାଇପାରେ।

ଭୋଟ ଗ୍ରହଣର ପୂର୍ବ ୨୪ ଘଣ୍ଟା ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବୁଥ ପରିଚାଳନା ଓ ପ୍ରତ୍ୟେକ ବୁଥରେ ନିଜର ବିଶ୍ଵସ୍ତ ଏଜେଣ୍ଟ ରଖିପାରିବା ପ୍ରାର୍ଥୀଙ୍କ ପାଇଁ ବଡ ଆହ୍ଵାନ। ବିଜେପି ଓ ବୈଜୟନ୍ତଙ୍କ ପାଖରେ ଏତେ ସଂଖ୍ୟକ ବିଶ୍ଵସ୍ତ ଏଜେଣ୍ଟ ନାହାନ୍ତି କି? ନଚେତ ୧୯୯୨ ଟି ଯାକ ବୁଥ ରିଗିଂ ହୋଇପାରେ ବୋଲି ଅଭିଯୋଗର କୌଣସି ଭିତ୍ତି ନାହିଁ। କାଳ୍ପନିକ ଅଭିଯୋଗ କରି ଗୁଡାଏ ଆଜେ ବାଜେ କଥା କହିଲେ ଲୋକ ଏବେ ଆଉ ଶୁଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ଟଙ୍କା ବାଣ୍ଟୁଛନ୍ତି ବୋଲି କହିଲେ ସେକଥାର ମୂଲ୍ୟ ବା କଣ? ଏ ପ୍ରକାର ଅଭିଯୋଗ କରି ବିଜେପି ପରୋକ୍ଷରେ ବୈଜୟନ୍ତଙ୍କ ଦୁର୍ବଳତାକୁ ପଦାରେ ପକାଉଛି କି ?

ନିର୍ବାଚନରେ ଜିତିବା ହାରିବା ତ ଅନ୍ତିମ କଥା, ହେଲେ ନିର୍ବାଚନ ସମୟରେ ଦଳ ଓ ପ୍ରାର୍ଥୀଙ୍କ ପଦେ ପଦେ କଥାରେ ପାନରୁ ଚୂନ ଖସି ଯାଇପାରେ, ଏ କଥା ବିଜେପି ନିହାତି ବୁଝିବା ଉଚିତ !

(ମୋବାଇଲରେ ଫଟାଫଟ ଖବର ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ଠେଲିଠେଲି ପଢି ଚାଲନ୍ତୁ ଖବର)

Categories
ଆଜିର ଖବର

ବୈଜୟନ୍ତଙ୍କ ବିରୋଧରେ ବିଜେଡିର ଅଭିଯୋଗ, ପ୍ରଚାର ବନ୍ଦ ଥିବାବେଳେ ସେ ଡିଜିଟାଲ ମାଧ୍ୟମରେ ପ୍ରଚାର କରୁଛନ୍ତି କିପରି ?

ରାତିପାହିଲେ କେନ୍ଦ୍ରପଡା ନିର୍ବାଚନ ହେଲେ ଏ ପର୍ଯ୍ୟନ୍ତ ବିଜେଡି ବିଜେପି ମଧ୍ୟରେ ଛକାପଞ୍ଚା ଶେଷ ହେଉ ନାହିଁ। ବିଳମ୍ବିତ ସମୟରେ ବିଜେଡି, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। ଦଳ ତରଫରୁ ସସ୍ମିତ ପାତ୍ର, ଲେନିନ ମହାନ୍ତି ଏବଂ ସୁଲତା ଦେଓ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ପ୍ରଚାର ବନ୍ଦ ଥିବା ବେଳେ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଡିଜିଟାଲ ମିଡିଆରେ ପ୍ରଚାର କରୁଛନ୍ତି। ଅଭିଯୋଗ ଅନୁଯାୟୀ ବୈଜୟନ୍ତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଭୋଟ ଦେବା ପାଇଁ ଅପିଲ କରୁଛନ୍ତି। ଏପରିକି ଏକ ନିର୍ଦ୍ଦିଷ୍ଠ ମୋବାଇଲ ନମ୍ବରରୁ ଲୋକଙ୍କ ପାଖକୁ ଫୋନ କଲ ଆସୁଛି ଯେ, ବୈଜୟନ୍ତ ପଣ୍ଡାଙ୍କୁ ପଦ୍ମଫୁଲରେ ଭୋଟ ଦିଅନ୍ତୁ। ନିର୍ବାଚନ ଆଚରଣ ବିଧି ଅନୁସାରେ କୌଣସି ପ୍ରାର୍ଥୀ ଭୋଟ ଗ୍ରହଣର 48 ଘଣ୍ଟା ପୂର୍ବରୁ କିଛି ବି ପ୍ରଚାର କରିପାରିବେ ନାହିଁ। ହେଲେ ବୈଜୟନ୍ତ କିପରି ପ୍ରଚାର କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏହା ଉପରେ ପଦକ୍ଷେପ ନିଅନ୍ତୁ ବୋଲି ଦଳ ଦାବୀ କରିଛି।

Categories
ବିଶେଷ ଖବର

ଆସନ୍ତାକାଲି ଓଡିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ, ୫୨ ଜଣ ଲୋକସଭା ଏବଂ ୩୩୬ ଜଣ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ସମୀକ୍ଷା ବ୍ୟୁରୋ

ଓଡିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ସୋମବାର ସକାଳ ୭ଟାରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଏବଂ ୪୧ ଟି ବିଧାନସଭାରେ ନିର୍ବାଚନ ଅନୁଷ୍ଠିତ ହେବ। ପାଟକୁରାର ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ପାଇଁ ଏହି ବିଧାନସଭା ଆସନ ପାଇଁ ନିର୍ବାଚନ ସୋମବାର ଦିନ ନ ହୋଇ ଆସନ୍ତା ୧୯ ତାରିଖରେ ହେବ। ଏଥର ୬ଟି ଲୋକସଭା ପାଇଁ ୫୨ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୪୦ଜଣ ପୁରୁଷ ଥିବା ବେଳେ ୧୨ ଜଣ ମହିଳା ଅଛନ୍ତି। ସେହିପରି ୪୧ ଟି ବିଧାନସଭାରେ ଏଥର ୩୩୬ ଜଣ ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ୩୦୧ ଜଣ ପୁରଷ, ୩୪ ଜଣ ମହିଳା ଏବଂ ଜଣେ କିନ୍ନର ଅଛନ୍ତି।

ଏହି ପର୍ଯ୍ୟାୟରେ ୯୫ଲକ୍ଷ ୬ଶହ ୫୩ ଜଣ ଭୋଟର ଭୋଟ ଦେବେ। ସେମାନଙ୍କ ମଧ୍ୟରେ ୪୯ ଲକ୍ଷ ଏକ ହଜାର ୭୯ ଜଣ ପୁରୁଷ ଭୋଟର ଅଛନ୍ତି। ସେହିପରି ୪୫ ଲକ୍ଷ ୯୮ ହଜାର ୯ଶହ ୭୯ ଜଣ ମହିଳା ଭୋଟର ଏବଂ ୫ଶହ ୯୫ ଜଣ କିନ୍ନର ଭୋଟର ଅଛନ୍ତି। ଏହି ନିର୍ବାଚନ ପରିଚାଳନା ପାଇଁ ୭୨ ହଜାର ୩ଶହ ୬୩ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ତେବେ ନିର୍ବାଚନ ଅଧିକାରୀଙ୍କ ଅଫିସରୁ ମିଳିଥିବା ସୂଚନା ଅନୁସାରେ ଏଥର ୭ ଲକ୍ଷ ୯୯ ହଜାର ୮ଶହ ୬୨ଜଣ ପ୍ରଥମ ଥର ପାଇଁ ଭୋଟ ଦେବେ। ଏଥର ନିର୍ବାଚନରେ ୧୦ ହଜାର ୭ଶହ ୯୨ଟି ପୁଲିଂ ବୁଥ କରାଯାଇଛି ବୋଲି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଥର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।

ନିର୍ବାଚନକୁ ସ୍ବଚ୍ଛ ଏବଂ ନିରପକ୍ଷ ଭାବେ ପରିଚାଳନା କରିବା ପାଇଁ ବିଭିନ୍ନ ସ୍ଥାନରେ ନିର୍ବାଚନ ଅଧିକାରୀମାନେ ତଦାରଖ କରୁଛନ୍ତି। ଭୋଟରମାନଙ୍କୁ ଯେପରି ପ୍ରଭାବିତ ନ କରାଯିବ ସେଥିପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଏଥର ପୋଲିସ ପ୍ରାୟ ୪ କୋଟି ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଛି। ସେହିପରି ପ୍ରାୟ ୧ ଲକ୍ଷରୁ ଉର୍ଦ୍ଦ୍ୱ ଲିଟରର ମଦ ମଧ୍ୟ ଜବତ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ପ୍ରାୟ ୨୫୦ଟି ବେଆଇନି ଭାବେ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି।

ହେଭିୱେଟ ଲୋକସଭା ପ୍ରାର୍ଥୀ ଭାବେ ଜୟ ପଣ୍ଡା,ରବି ଜେନା,ପ୍ରତାପ ଷଡଙ୍ଗୀ,ଅନୁଭବ ମହାନ୍ତି,ରାଜଶ୍ରୀ ମଲ୍ଲିକ ଏବଂ ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କ ପରି କେତେକ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ସେହିପରି ବିଧାନସଭା ପାଇଁ ଡାକ୍ତର ଦାମୋଦର ରାଉତ, ପୁତ୍ର ସଂବିଦ ରାଉତରାୟ,ମନମୋହନ ସାମଲ, ବସ୍ତାରୁ ରଘୁନାଥ ମହାନ୍ତି, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ,ଶଶିଭୂଷଣ ବେହେରା, ପ୍ରତାପ ଜେନା, ଅନନ୍ତ ଦାସ, ପ୍ରଫୁଲ ସାମଲ, ନିରଂଜନ ପଟ୍ଟନାୟକ, ପ୍ରଣବ ଦାସ, ପ୍ରଣବ ବଳବନ୍ତରାୟ, ଚିରଞ୍ଜୀବୀ ବିଶ୍ବାଳ, ଗଣେଶ୍ବର ବେହେରା, ପ୍ରମିଳା ମଲ୍ଲିକ ପ୍ରମୁଖ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବ।

Categories
ବିଶେଷ ଖବର

ବିଜେଡି ଓଡିଶାରେ ନିର୍ବାଚନ ଜିଣି ସାରିଛି , ଚତୁର୍ଥ ପର୍ଯ୍ୟାୟ ଏବେ କେବଳ ଅତିରିକ୍ତ ବୋନସ ମାତ୍ର !

ସମୀକ୍ଷା ବ୍ୟୁରୋ

ଗତ ୨୩ ଏପ୍ରିଲରେ ଓଡିଶାର ୬ ଟି ଲୋକସଭା ଓ ୪୨ ଟି ବିଧାନସଭା ପାଇଁ ନିର୍ବାଚନ ଚାଲିଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡାରେ ଏକ ନିର୍ବାଚନ ସଭାରେ ସମ୍ବୋଧିତ କରି କହିଥିଲେ ଯେ, ନବୀନ ବାବୁକା ଓଡିଶା ସେ ଜାନା ତୟ ହୈ- ଅର୍ଥାତ ଓଡିଶା ଶାସନରୁ ନବୀନ ପଟ୍ଟନାୟକଙ୍କ ବିଦାୟ ଏଥର ନିଧାର୍ଯ୍ୟ। ଯେତେବେଳେ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ବଡ ଇଜ୍ଜତଦାର ଢଙ୍ଗରେ ଏ କଥା କହୁଥିଲେ, ସେତେବେଳେ ଓଡିଶାର ଜନ ସାଧାରଣ ଓଡିଶା ଶାସନର ଭବିଷ୍ୟତ ବିଷୟରେ ନିର୍ଣ୍ଣାୟକ ନିଷ୍ପତ୍ତି ନେଇସାରିଥିଲେ। ୧୦୫ଟି ବିଧାନସଭା ପାଇଁ ଅନୁଷ୍ଠିତ ହୋଇସାରିଥିବା ନିର୍ବାଚନରେ ୧୯ ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳ କୁ ପୁଣି ଥରେ ବହୁମତ ମିଳିସାରିଛି ବୋଲି ବିଭିନ୍ନ ସୂତ୍ରରୁ ଜଣା ପଡୁଛି। ଗତ ମାସେ ଧରି ଆମର କ୍ଷେତ୍ର ଅଧ୍ୟୟନ, ବିଭିନ୍ନ ସାମ୍ବାଦିକ ଓ ସମାଜସେବୀଙ୍କ ସୂଚନା ତଥା କେତୋଟି ଗୋପନୀୟ ସୂତ୍ରରୁ ଯାହା ଜଣା ପଡୁଛି, ପ୍ରଥମ ତିନୋଟି ପର୍ୟାୟରେ ବିଜେଡି ସରକାର ଗଢିବା ଲାଗି ଆବଶ୍ୟକ ହେଉଥିବା ୭୪ ସଂଖ୍ୟା ଟପି ସାରିଛି। ଚତୁର୍ଥ ପର୍ଯ୍ୟାୟରେ ଆଉ ଯେତିକି ଆସନ ମିଳିବ ତାହା ବିଜେଡି ପାଇଁ କେବଳ ଅତିରିକ୍ତ ବୋନସ ବୋଲି କୁହା ଯାଇପାରେ।

ଏକଥା କହିଲା ବେଳେ ଅନ୍ୟ ଦଳର ସମର୍ଥକ ଓ ଭକ୍ତଙ୍କର ସ୍ଵାଭାବିକ ପ୍ରତିକ୍ରିୟା କଣ ହେବ ଆମେ ଜାଣୁ। କିନ୍ତୁ ସତ୍ୟ କୁ ଅଣଦେଖା  କରି ସାମ୍ବାଦିକତା କରିବା  ଆମର ଧର୍ମ ନୁହେଁ। ଏହି ନିର୍ବାଚନ ସ୍ଥିତାବସ୍ଥା ସପକ୍ଷରେ ଏକ ନିର୍ବାଚନ, ଏହି ସତ୍ୟ କୁ ଆମକୁ ସ୍ଵୀକାର କରିବାକୁ ପଡିବ। ଏକଥା ସର୍ବ ସାଧାରଣରେ ଲେଖିଲା ବେଳେ ଆମେ ଏଥି ପ୍ରତି ମଧ୍ୟ ସତର୍କ ଯେ, ନିର୍ବାଚନ ସମ୍ପର୍କିତ କୌଣସି ବି ଭବିଷ୍ୟତବାଣୀ ୧୦୦% ସତ୍ୟ ହୋଇ ନପାରେ। ତଥାପି ଆମେ ଆମ ସୂତ୍ରକୁ ନେଇ ବେଶ ବିଶ୍ଵସ୍ତ ତଥା ଆଶ୍ଵସ୍ତ । ପ୍ରଥମ ଦୁଇଟି ପର୍ଯ୍ୟାୟରେ ବିଜେଡି କୁ ୪୫ ରୁ ୫୦ ଆସନ ମିଳିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଏହା ୨୫-୨୮ ଆସନ ହାସଲ କରିବାରେ ସମର୍ଥ ହୋଇଛି। ବିଜେପି ଓ କଂଗ୍ରେସ ଭିତରେ ଦ୍ଵିତୀୟ ସ୍ଥାନ ଲାଗି କଡା ମୁକାବିଲା ଅଛି। ତେବେ କଂଗ୍ରେସ ଓ ବିଜେପି ବିଜେଡ଼ିର ପାଖାପାଖି ହୋଇ ପାରିବେ ବୋଲି ଆଶା କରା ଯାଉନାହିଁ।

ଆଉ ଗୋଟେ କଥା ଏଥି ସ୍ପଷ୍ଟ କରିଦେବା ଠିକ ହେବ। ଏଥର ଓଡିଶାରେ ବିଜେପିର ଭୋଟ ହାର ଅତି କମରେ ୭ ରୁ ୧୦ % ବଢିପାରେ। ତେବେ ଏହି ଅଭିବୃଦ୍ଧି ଆସନ ଜିଣିବାରେ ସହାୟକ ହେବନାହିଁ। କଂଗ୍ରେସ ଆଜି ମଧ୍ୟ ନିଜର ୧୫% ଭୋଟ ଆଧାରକୁ ଅକ୍ଷୁଣ୍ଣ ରଖିଛି। ତାହା ହିଁ ବିଜପି ଲାଗି ଚିନ୍ତାର କାରଣ। ଏ ପର୍ୟନ୍ତ ବିଜେଡ଼ିର ଭୋଟ ଆଧାର ଉପରେ ବିଜେପି ହାତ ମାରି ପାରିନାହିଁ। ଯାହାର ପରିଣତି ସ୍ଵରୂପ ପ୍ରଥମ ଦୁଇଟି ପର୍ୟାୟରେ ବିଜେଡି ଅନେକ ବିଧାନସଭା ଆସନ ପୋଛି ନେଇଛି। ଏପରିକି କଳାହାଣ୍ଡି ଓ ନବରଂଗପୁର ଲୋକସଭା କ୍ଷେତ୍ର, ଯେଉଁଠି ବିଜେପି ଓ କଂଗ୍ରେସର ସ୍ଥିତି ନିର୍ବାଚନ ପୂର୍ବରୁ ବେଶ ସୁଦୃଢ ଲାଗୁଥିଲା, ସେଠାରେ ମଧ୍ୟ ବିଜେଡ଼ିର ପ୍ରଦର୍ଶନ ଯଥେଷ୍ଟ ଭଲ ହୋଇଛି ବୋଲି ରିପୋର୍ଟ ମିଳୁଛି। କଳାହାଣ୍ଡିରେ ୫ ଟି ଆସନ ବିଜେଡ଼ିକୁ ଓ ଗୋଟିଏ ଲେଖାଏଁ ଆସନ କଂଗ୍ରେସ ଓ ବିଜେପି ହାତକୁ ଯାଇଛି ବୋଲି ଅନୁମାନ କରାଯାଉଛି। ନବରଙ୍ଗପୁରରେ ମଧ୍ୟ ସ୍ଥିତି ଆପାତତଃ ସମାନ ରହିଛି। ମାଲକାନଗିରିରେ ବିଜେପି ଓ ବିଜେଡି ମଧ୍ୟରେ ତୀବ୍ର ମୁକାବିଲା ଥିବା ବେଳେ ନବରଙ୍ଗପୁର ବିଧାନସଭା ଆସନ କଂଗ୍ରେସ ପାଇଛି ବୋଲି କୁହା ଯାଉଛି। ବାକି ସବୁ ଆସନରେ ବିଜେଡ଼ିର ପ୍ରଦର୍ଶନ ଭଲ ରହିଛି।

ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ବିଜେପିର ପ୍ରଦର୍ଶନ ଭଲ ହୋଇଥିବାର ରିପୋର୍ଟ ଆସୁଛି। ବଲାଙ୍ଗିରର ଲୋଇସିଂହା ଓ ପାଟଣାଗଡ ଆସନ ବିଜେପି ପାଉଛି ବୋଲି ସୂଚନା ମିଳୁଥିବା ବେଳେ କଣ୍ଟାବାଞ୍ଜିରେ ପୁରୁଖା କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଅଗ୍ରଣୀ ରହିଛନ୍ତି।

ଆମେ କେବଳ କେତୋଟି ନିର୍ଦ୍ଦିଷ୍ଟ କ୍ଷେତ୍ର ବିଷୟରେ ଏଠାରେ ସୂଚନା ଦେଇ ମଇ ୨୩ ର ଫଳାଫଳ ବିଷୟରେ ଏକ ସଙ୍କେତ ପ୍ରଦାନ କରୁଛୁ। ଆମର ପାଠକ ଆସନ୍ତା ୨୩ ତାରିଖରେ ଆମର ଅନୁମାନ ଓ ସତ୍ୟତାର ଏକ ତୁଳନା କରିବାର ସୁଯୋଗ ନିଶ୍ଚୟ ପାଇବେ। ଆମର ଅନୁମାନ କୁ ନେଇ ଆପଣଙ୍କର ତାଳି ଓ ଗାଳି, ଉଭୟକୁ ଆମର ସ୍ବାଗତ।

( ମୋବାଇଲରେ ଫଟାଫଟ ଖବର ପଢିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

କେନ୍ଦ୍ରର ଡବଲ ଇଂଜିନ ଫେଲ ମାରିବ, କେନ୍ଦ୍ରକୁ ତୀବ୍ର ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ଦ୍ରର ଡବଲ ଇଂଜିନ ଫେଲ ମାରିବ, ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡରେ ଡବଲ ଇଂଜିନ ଲାଇନଚ୍ୟୁତ ହୋଇଯାଇଛି। ସେହିପରି ବର୍ତ୍ତମାନ ସାଧାରଣ ନିର୍ବାଚନରେ ମଧ୍ୟ ଏହି ଡବଲ ଇଂଜିନ ଫେଲ ମାରିବ। ଆଜି ମାରଥନ ପ୍ରଚାରରେ ଏହି କଥା କହିଛନ୍ତି ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ। ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ଆଜି ନବୀନ ବାଲେଶ୍ବର, ଭଦ୍ରଖ, ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମାରଥନ ପ୍ରଚାର କରି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ନବୀନ କହିଛନ୍ତି ଯେ, ମୋଦି ଗତ 5 ବର୍ଷରେ ଲୋକଙ୍କ ଆସ୍ଥା ହରାଇଛନ୍ତି। ତାଙ୍କୁ ଲୋକମାନେ ଆଉ ଭୋଟ ଦେବେ ନାହିଁ ବୋଲି ନବୀନ କହିଛନ୍ତି। ଓଡିଶାର ବିଭିନ୍ନ ସମୟରେ ପ୍ରାକୃତିକ ଦୁର୍ବିପାକ ହେଲା, ସେତେବେଳେ କେନ୍ଦ୍ରର କାହାରି ଦେଖା ମିଲିଲା ନାହିଁ। ହେଲେ ଏବେ ଭୋଟ ମାଗିବାକୁ ସେମାନେ ବାରମ୍ବାର ଓଡିଶା ଗସ୍ତ କରିବାରେ ଲାଗିଛନ୍ତି। ଓଡିଶା ଲୋକେ ଜାଣିସାରିଲେଣି, ଆଉ ସେ ମୋଦୀଙ୍କୁ ଭୋଟ ଦେବେ ନାହିଁ ବୋଲି ନବୀନ ଜନସମାବେଶକୁ ଉଦବୋଧନ ଦେଇଛନ୍ତି।