Categories
ଆଜିର ଖବର ରାଜ୍ୟ ଖବର

ଦେଶରେ ଓଡ଼ିଶାକୁ ମିଳିବ ସର୍ବାଧିକ ଏକଲବ୍ୟ ମଡେଲ ସ୍କୁଲ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଜି ରାଜ୍ୟ ଅତିଥିଭବନରେ ଓଡ଼ିଶାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି। ଉକ୍ତ ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି, ଜନଜାତି ବିଭାଗ, ଜଙ୍ଗଲ ବିଭାଗ, କାର୍ଯ୍ୟନିର୍ବାହୀ ଏଜେନ୍ସି, ଏଚସିଏଲ, ଇପିଆଇଏଲର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଦାସର୍ବଦା ଓଡ଼ିଆ ଓ ଜନଜାତିଙ୍କ ହିତଲାଗି ବିଭିନ୍ନ ଯୋଜନା କରିଥାନ୍ତି। ୨୦୨୪ସୁଦ୍ଧା ମୋଦୀ ସରକାର ବନବାସୀ ପିଲାଙ୍କ ଲାଗି ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଖୁବଶୀଘ୍ର ସଫଳ ହେବ ବୋଲି ଶ୍ରୀ ଟୁଡୁ କହିଛନ୍ତି।

କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାକୁ ଦେଶରେ ସର୍ବାଧିକ ୮୭ ଏକଲବ୍ୟ ସ୍କୁଲ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ଏଥି ସହିତ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୯ଟି ଏକଲବ୍ୟ ସ୍କୁଲର ଭୂମି ପୂଜନ ସରିଛି ଯାହା ଦେଶରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହିସାବରେ ୧ନଂ ସ୍ଥାନରେ ଅଛି। ଏପର୍ଯ୍ୟନ୍ତ ଓଡ଼ିଶାରେ ୪୫ଟି ଏକଲବ୍ୟ ସ୍କୁଲର ଭୂମିପୂଜନ କାର୍ଯ୍ୟକ୍ରମ ସରିଛି ବୋଲି ଶ୍ରୀ ଟୁଡୁ ସୂଚନା ଦେଇଛନ୍ତି।

କୋରାପୁଟ, ସୁନ୍ଦରଗଡ଼, ସମ୍ବଲପୁର ପାହାଡିଆ ହୋଇଥିବାରୁ ମନ୍ତ୍ରୀ ଜଙ୍ଗଲ ଅଧିକାରୀ ଓ ରାଜ୍ୟ ସରକାରଙ୍କ ସହ କଥା ହୋଇଛନ୍ତି। ରାଜ୍ୟ ସରକାର ଯଥାଶୀଘ୍ର ଏକଲବ୍ୟ ସ୍କୁଲ ପାଇଁ ଜମି ଯୋଗାଇ ଦେବା ସହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଟୁଡୁ କହିଛନ୍ତି।

Categories
ବିଶେଷ ଖବର

ମୌସୁମୀ ଜନିତ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସମୀକ୍ଷା କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ସ୍ବରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ଦିଲ୍ଲୀରେ ଆୟୋଜିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଆସନ୍ତା ମୌସୁମୀ ଜନିତ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସାମଗ୍ରିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଏନଡିଏମଏ) ଦ୍ବାରା ବନ୍ୟାପ୍ରବଣ କ୍ଷେତ୍ରରେ ହୋଇଥିବା ପ୍ରସ୍ତୁତି ମଧ୍ୟ ସମୀକ୍ଷା କରାଯାଇଥିଲା। ସେ ମଧ୍ୟ ଦେଶରେ ବନ୍ୟା ସମ୍ବନ୍ଧୀୟ ସମସ୍ୟା ହ୍ରାସ କରିବା ଲାଗି ଏକ ବିସ୍ତୃତ ଓ ବ୍ୟାପକ ନୀତି ପ୍ରସ୍ତୁତ କରିବା ଲାଗି ଦୀର୍ଘକାଳୀନ ଉପାୟର ସମୀକ୍ଷା କରିଥିଲେ। ବୈଠକରେ ବନ୍ୟା ସମୟରେ ଧନଜୀବନ ହାନିକୁ ସର୍ବନିମ୍ନ ସ୍ତରରେ ରଖିବା ପାଇଁ ଅନେକଗୁଡ଼ିଏ ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।

ପ୍ରମୁଖ କ୍ୟାଚମେଣ୍ଟ କ୍ଷେତ୍ରରେ ବନ୍ୟା ଜଳସ୍ତର ବୃଦ୍ଧି ସମ୍ପର୍କରେ ସବୁଠୁ ତଳ ସ୍ତର ପର୍ଯ୍ୟନ୍ତ ଆଗୁଆ ସତର୍କ ସୂଚନା ଦେବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ପ୍ରତିଷ୍ଠା କରିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟସ୍ତରୀ ଏଜେନ୍ସିଗୁଡ଼ିକ ମଧ୍ୟରେ ଲଗାତାର ସମନ୍ବୟ ସ୍ଥାପନ ଲାଗି ସେ ଅଧିକାରୀମାନଙ୍କୁ କହିଥିଲେ। ସେ ତାଙ୍କ ନିର୍ଦ୍ଦେଶରେ କହିଥିଲେ ଯେ, ଚଳିତ ବନ୍ୟା ଋତୁରେ ନଦୀ ଜଳସ୍ତରର ବର୍ତ୍ତମାନର ସ୍ଥିତି ଏବଂ ସମ୍ଭାବ୍ୟ ସ୍ଥିତିକୁ ପ୍ରତି ଘଣ୍ଟାରେ ଅନୁଧ୍ୟାନ କରାଯିବା ଉଚିତ୍‌। ବନ୍ୟା ମୁକାବିଲା ପାଇଁ ସମସ୍ତ ସମ୍ପୃକ୍ତ ଅଂଶୀଦାରମାନେ ବନ୍ଧ ବାନ୍ଧିବା, ଉଦ୍ଧାର କାର୍ଯ୍ୟ କରିବା ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀ ବ୍ୟବସ୍ଥା କରିବା ଭଳି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।  ଅଧିକ ବର୍ଷା ପ୍ରବଣ କ୍ଷେତ୍ରରେ ସ୍ଥାନୀୟ, ନଗରପାଳିକା ଏବଂ ରାଜ୍ୟ ସ୍ତରରେ ବର୍ଷା ପୂର୍ବରୁ ଆଗୁଆ ଚେତାବନୀ ଜାରି କରିବା ଲାଗି ରାଜ୍ୟମାନଙ୍କ ସହ ମିଶି ଏସଓପି ପ୍ରସ୍ତୁତ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ଏନଡିଆରଏଫକୁ ନିର୍ଦ୍ଦେଶ ଦେଇଥିଲେ।

ସଠିକ୍‌ ପାଣିପାଗ ଓ ବନ୍ୟା ପୂର୍ବାନୁମାନ ଲାଗି ପ୍ରଯୁକ୍ତି ବିକାଶ କରିବା ନିମନ୍ତେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ କେନ୍ଦ୍ର ଜଳ ଆୟୋଗ (ସିଡବ୍ଲୁସି)  ଭଳି ବିଶେଷ ସଂସ୍ଥାମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏସଏମଏସ, ଟିଭି, ଏଫଏମ ରେଡିଓ ଏବଂ ଅନ୍ୟ ମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ବଜ୍ରପାତ ସମ୍ପର୍କରେ ଠିକ୍‌ ସମୟରେ ଚେତାବନୀ ଜାରି କରିବା ଲାଗି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଶାହା କହିଥିଲେ ଯେ, ବଜ୍ରପାତ ସମ୍ପର୍କରେ ଜିଲ୍ଲାପାଳ ଏବଂ ପଞ୍ଚାୟତକୁ ଆଗୁଆ ସତର୍କ ସୂଚନା ଦେବା ଲାଗି  ବ୍ୟବସ୍ଥା କରିବା ନିମନ୍ତେ ଏନଡିଆରଏଫ ଏବଂ ଏସଡିଆରଏଫକୁ କୁହାଯାଇଛି, ଯାହାଫଳରେ ଧନଜୀବନ ହାନିକୁ ହ୍ରାସ କରାଯାଇପାରିବ। ‘ଉମଙ୍ଗ’, ‘ରେନ୍‌ ଆଲାର୍ମ’ ଓ ‘ଦାମିନୀ’ ଭଳି ପାଣିପାଗ ପୂର୍ବାନୁମାନ କରୁଥିବା ବିଭିନ୍ନ ମୋବାଇଲ ଆପ୍‌ ସମ୍ପର୍କରେ ସର୍ବାଧିକ ପ୍ରଚାରପ୍ରସାର ନିମନ୍ତେ ସେ ନିର୍ଦ୍ଦେଶ ଦେଇଥିଲେ ଯାହାଦ୍ବାରା ନିର୍ଦ୍ଦିଷ୍ଟ ଲୋକଙ୍କ ନିକଟରେ ଏହାର ଲାଭ ପହଞ୍ଚି ପାରିବ। ‘ଦାମିନୀ ଆପ୍‌କୁ ଦେଶର ସବୁ ସ୍ଥାନୀୟ ଭାଷାରେ ଉପଲବ୍ଧ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।  ‘ଦାମିନୀ’ ଆପ୍‌ ତିନି ଘଣ୍ଟା ପୂର୍ବରୁ ବଜ୍ରପାତର ସତର୍କ ସୂଚନା ଦେଇଥାଏ ଯାହାକି ଧନଜୀବନ ହାନିକୁ ହ୍ରାସ କରିବାରେ ସହାୟକ ହୋଇଥାଏ।

ଅମିତ ଶାହା ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ ସିଡବ୍ଲୁସିକୁ କେତେକ ନିର୍ଦ୍ଦେଶ ଦେଇଥିଲେ। ନଦୀବନ୍ଧ ସୁରକ୍ଷା ଆଇନ, ୨୦୨୧ ଅନୁଯାୟୀ ରାଜ୍ୟ ସ୍ତରରେ ଏବଂ ନଦୀବନ୍ଧ ସ୍ତରରେ ସଂସ୍ଥାଗତ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି ଆଗୁଆ ସମୟୋଚିତ ପଦକ୍ଷେପ ନେବାକୁ ଶ୍ରୀ ଶାହା କହିଥିଲେ। ଯାହା ଫଳରେ ଜଳସ୍ତର ଓ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ ଏବଂ ଧନଜୀବନ ହାନି ହ୍ରାସ କରିବା ସମ୍ଭବ ହୋଇପାରିବ। ପୂର୍ବରୁ ଗତବର୍ଷ ଜୁନ ୧୫, ୨୦୨୧ରେ ଅମିତ ଶାହା ଦେଇଥିବା ନିର୍ଦ୍ଦେଶକୁ ଅନୁସରଣ କରି ସିଡବ୍ଲୁସି, ଆଇଏମଡି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ପକ୍ଷରୁ ନଦୀର ଜଳସ୍ତର ଓ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରାଯାଉଛି ଏବଂ ଏ ସମ୍ପର୍କରେ ନିୟମିତ ରିପୋର୍ଟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯାଉଛି।

ଗତ ବର୍ଷ ଅନୁଷ୍ଠିତ ବନ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଆଜିର ବୈଠକରେ ଆଇଏମଡି ମହାନିର୍ଦ୍ଦେଶକ ଏବଂ ସିଡବ୍ଲୁସି ଅଧ୍ୟକ୍ଷ ସୂଚନା ଦେଇଥିଲେ।  ପାଣିପାଗ ଓ ବନ୍ୟା ପୂର୍ବାନୁମାନ ପଦ୍ଧତି ଏବଂ ବନ୍ୟା ନିୟନ୍ତ୍ରଣ ପଦକ୍ଷେପରେ ସୁଧାର ଆଣିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଏନଡିଆରଏଫ ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ ଯେ, ଆସନ୍ତା ମୌସୁମୀ ଋତୁରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସେ କହିଥିଲେ ଯେ ୬୭ଟି ଏନଡିଆରଏଫ ଦଳ ମୁତୟନ ପାଇଁ ରାଜ୍ୟମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ଏବେ ସୁଦ୍ଧା ୧୪ଟି ଦଳ ମୁତୟନ କରାଯାଇଛି।

ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀ ଶଯ୍ୟା କାରଣରୁ ଭାରତର ଅଧିକାଂଶ କ୍ଷେତ୍ର ବନ୍ୟା ପ୍ରବଣ ହୋଇ ରହିଛି। ଆସାମ, ବିହାର, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଦେଶର ସବୁଠୁ ଅଧିକ ବନ୍ୟାପ୍ରବଣ ରାଜ୍ୟ ଭାବେ ପରିଚିତ। ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଦେଶର ସେହି ଲକ୍ଷାଧିକ ଲୋକଙ୍କ କଷ୍ଟ ଦୂର କରିବାରେ ବେଶ ସହାୟକ ହେବ, ଯେଉଁମାନଙ୍କର ଫସଲ, ସମ୍ପତ୍ତି, ଜୀବିକା ଏବଂ ଅମୂଲ୍ୟ ଜୀବନ ବନ୍ୟା ପ୍ରକୋପରେ ପ୍ରଭାବିତ ହୋଇଥାଏ।

ବୈଠକରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ସ୍ବରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ସମେତ ସ୍ବରାଷ୍ଟ୍ର, ଜଳ ସମ୍ପଦ, ନଦୀ ବିକାଶ ଓ ନଦୀ କାୟାକଳ୍ପ, ଭୂବିଜ୍ଞାନ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ସଚିବ, ସଦସ୍ୟ ସଚିବ, ଏନଡିଏମଏ, ଆଇଏମଡି ଏବଂ ଏନଡିଆରଏଫର ମହାନିର୍ଦ୍ଦେଶକ, ଇସ୍ରୋ, ରେଳ ବୋର୍ଡ, ଏନଏଚଏଆଇ, ସିଡବ୍ଲୁସି ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟର ଅଧ୍ୟକ୍ଷ ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

ଏଣିକି ଚୋରା ମଦ ବେପାରୀଙ୍କୁ ନିସ୍ତାର ନାହିଁ: ବାଣପୁରରେ ନିୟମିତ ଜାରି ରହିବ ଚଢାଉ

ସୀତାରାମ ଅଗ୍ରୱାଲ

ଚିଲିକା: ବାଣପୁର ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମରେ ବେଆଇନ ମଦ କାରବାର ବଢ଼ୁଥୁବା ନେଇ ନିକଟରେ ‘ସମୀକ୍ଷା’ ରେ ଖବର ପ୍ରକାଶ ପାଇଥିଲା। ତେବେ ଏହାକୁ ଗୁରୁତର ସହ ନେଇଛି ଅବକାରୀ ବିଭାଗ। ଜିଲ୍ଲା ଅବକାରୀ ଅଧିକ୍ଷକ ଯଶକେତନ ବରିହାଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ଅବକାରୀ ଉପଅଧିକ୍ଷିକା ସୁମିତ୍ରା ଓରାମଙ୍କ ତତ୍ୱାବଧାନରେ ଆଜି ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ ପୃଥକ ଭାବେ ଚଢାଉ କରିଥିଲେ। ବାଣପୁର ଥାନା ଅନ୍ତର୍ଗତ ସରନଇ ଏବଂ ଗମ୍ଭାରୀମୁଣ୍ଡା ବଜାରରେ ଚଢ଼ାଉ କରିଥିଲେ।

ସରନଇ ଗ୍ରାମରୁ ୨୭ ଲିଟର ଦେଶୀ ମଦ ସମେତ ଜଣେ ଅଭିଯୁକ୍ତଙ୍କୁ ଇନ୍ସପେକ୍ଟର ଆଲୋକ ପ୍ରଧାନ ଗିରଫ କରିଥିବା ବେଳେ ଗମ୍ଭାରୀମୁଣ୍ଡା ବଜାରରୁ ୧୬ ଲିଟର ବିଦେଶୀ ମଦ ଏବଂ ୧୭ ଲିଟର ବିଅର ସମେତ ଅଭିଯୁକ୍ତଙ୍କୁ ଏଏସଆଇ ରଞ୍ଜନ ଦାସ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

ତେବେ ଏହିପରି ଚଢ଼ାଉ ଅବକାରୀ ବିଭାଗ ଦ୍ୱାରା ଆଗକୁ ମଧ୍ୟ ବାଣପୁର ବାଲୁଗାଁ ଅଞ୍ଚଳରେ ନିୟମିତ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

Categories
ବିଶେଷ ଖବର

ଉଚ୍ଚସ୍ତରୀୟ ବୈଠକରେ ଦେଶର ସୁରକ୍ଷା ପରିସ୍ଥିତି ସମୀକ୍ଷା କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତି ସମୀକ୍ଷା କରିଛନ୍ତି। ସେ ମଧ୍ୟ ଦେଶ ପ୍ରତି ରହିଥିବା ସମ୍ଭାବ୍ୟ ସୁରକ୍ଷା ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ବିଚାରବିମର୍ଶ କରିଛନ୍ତି।

ଦେଶର ପ୍ରମୁଖ ସୁରକ୍ଷା ଏଜେନ୍ସିଗୁଡ଼ିକର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ବିଶେଷ କରି ବିଭିନ୍ନ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ, ସେନାବାହିନୀର ଗୁଇନ୍ଦା ବିଭାଗ, ରାଜସ୍ୱ ଓ ଆର୍ଥିକ ଗୁଇନ୍ଦା ସଂସ୍ଥାର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ଏତଦବ୍ୟତୀତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପୁଲିସ ମହାନିର୍ଦ୍ଦେଶକମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ।

ଆତଙ୍କବାଦ ଓ ବିଶ୍ୱ ଆତଙ୍କବାଦୀ ଗୋଷ୍ଠୀ, ଆତଙ୍କବାଦକୁ ପାଣ୍ଠି ଯୋଗାଣ, ନିଶାଦ୍ରବ୍ୟ କାରବାର, ସଂଗଠିତ ଅପରାଧ-ଆତଙ୍କବାଦ ମଧ୍ୟରେ ରହିଥିବା ସମ୍ପର୍କ, ସାଇବର କ୍ଷେତ୍ରର ବେଆଇନ ଉପଯୋଗ, ବିଦେଶୀ ଆତଙ୍କବାଦୀଙ୍କ ଗତିବିଧି ଆଦି ବିପଦ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଆତଙ୍କବାଦ ମୁକାବିଲା ଏବଂ ସୁରକ୍ଷା ଆହ୍ୱାନର ପରିଦୃଶ୍ୟ କ୍ରମାଗତ ଭାବେ ବଦଳି ଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ଉନ୍ନତ ସମନ୍ୱୟ ଏବଂ ସହଭାଗିତା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ଗୁରୁତ୍ୱାରୋପ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଏନଏସିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ ଭିକେ ପାଣ୍ଡିଆନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଏକ ଭରଚୁଆଲ ବୈଠକ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଉକ୍ତ ବୈଠକରେ ୫-ଟି ଅନ୍ତର୍ଗତ ‘ମୁକ୍ତା’ ଯୋଜନା ମାଧ୍ୟମରେ ବାଣପୁର ଏନଏସି ର ରୂପାନ୍ତରିକରଣ ପାଇଁ ନିବେଦନ କରାଯାଇଥିଲା। ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକର ରୂପାନ୍ତରିକରଣ ଲାଗି ମୋଟ ୩ କୋଟି ୧୩ ଲକ୍ଷ ଟଙ୍କାର ଅନୁମୋଦନ ପାଇଁ ୫-ଟି ସଚିବଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା।

ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ନୂତନ ରାସ୍ତା, ଜଳାଶୟ, ମୁକ୍ତାକାଶ ବ୍ୟାୟାମଶାଳା, ଡ୍ରେନ, ଭେଣ୍ଡିଂ ଜୋନ ଓ ପାର୍କ ଆଦି ସାମିଲ ଥିବାର ଜଣାପଡିଛି। ଉକ୍ତ ଭରଚୁଆଲ ବୈଠକରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷିକା ପ୍ରମିଳା ମଲ୍ଲିକ, ଏନଏସି ପ୍ରଶାସକ ତଥା ଉପଜିଲ୍ଲାପାଳ ଆଇଏଏସ ଗୌରବ ଶିବାଜୀ ଇଶାଲୱର, ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ ଏବଂ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ଆଦି ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଗରିବ ଲୋକଙ୍କ ପାଖରେ ପହଞ୍ଚିଲା ୨୦୦୪ କୋଟି ଟଙ୍କାର କୋଭିଡ ସହାୟତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଆଜି ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ, କେତେକ ଜିଲ୍ଲାରେ ସଂକ୍ରମଣ ସ୍ଥିତିରେ ଆହୁରି ଉନ୍ନତି ଆସିବାକୁ ବାକି ଅଛି । ଯଦିଓ ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଲୋକମାନେ ଯେପରି ଅଯଥାରେ ଗହଳି ନ କରିବେ, ତାକୁ ଦୃଷ୍ଡିରେ ରଖି କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷଜ୍ଞମାନଙ୍କର ମତକୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦି ଅଗଷ୍ଟ ଶେଷ ବେଳକୁ ତୃତୀୟ ଲହରୀ ଆସେ, ସେଥିପାଇଁ ଆମକୁ ଏହାର ପୂର୍ଣ୍ଣ ପ୍ରସ୍ତୁତିର ସହ ମୁକାବିଲା କରିବାକୁ ହେବ । ସ୍ବାସ୍ଥ୍ୟସେବା ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ସୁଦୃଢୀକରଣ ସହିତ ମାନବସମ୍ବଳ ବିନିଯୋଗ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଲୋକମାନେ ଯେପରି ବିନା କୌଣସି ଅସୁବିଧାରେ ସ୍ବାସ୍ଥ୍ୟ ସେବା ପାଇପାରିବେ, ସେ ଦିଗରେ ଜିଲ୍ଲା ପ୍ରଶାସନର ଗୁରୁ ଦାୟିତ୍ବ ରହିଛି । ପ୍ରତି ଜୀବନ ମୂଲ୍ୟବାନ। ଏହା ହେଉଛି ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ନୀତିର ଆଧାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେଣୁ ଜିଲ୍ଲା ହସ୍‌ପିଟାଲ ଠାରୁ ଆରମ୍ଭ କରି ସିଏଚସି ସ୍ତର ପର୍ଯ୍ୟନ୍ତ ଯେଭଳି ସ୍ବାସ୍ଥ୍ୟସେବାରେ କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଥାନା ଆଇଆଇସିଙ୍କ ଠାରୁ ଆରମ୍ଭ କରି ବିଡିଓ, ଏସ୍‌.ଡି.ପି.ଓ, ସବ୍‌କଲେକ୍ଟର, ଏସ୍‌.ପି ଓ ଜିଲ୍ଲାପାଳ ସମସ୍ତେ ଏହାକୁ ସେମାନଙ୍କର ମୂଳ ଦାୟିତ୍ବର ଅଂଶଭାବରେ ଜ୍ଞାନ କରି ଯତ୍ନବାନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

କୋଭିଡର ଦ୍ବିତୀୟ ଲହର ସମୟରେ ମୁଖ୍ୟମନ୍ତ୍ରୀ ଗରିବ ଲୋକଙ୍କ ପାଇଁ ବିଶେଷତଃ ଛୋଟ ଚାଷୀ, ନିର୍ମାଣ ଶ୍ରମିକ, ମନେରେଗା ଶ୍ରମିକ, ଆଦିମ ଜନଜାତି ପରିବାର, ଅନୁସୁଚିତ ଜାତି, ଜନଜାତି ଛାତ୍ରଛାତ୍ରୀ ଓ ମିଶନ ଶକ୍ତିର ମା ମାନଙ୍କ ଠାରୁ ଆରମ୍ଭ କରି ଷ୍ଟ୍ରୀଟ ଭେଣ୍ଡର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କୋଭିଡ ସହାୟତା ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କର ୧୦ଟି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ଏହି ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଛି। ଏପର୍ଯ୍ୟନ୍ତ ଉପରୋକ୍ତ ବର୍ଗର ଲୋକମାନଙ୍କୁ ୨୦୦୪ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଇଛି ବୋଲି ବୈଠକରୁ ଜଣାଯାଇଛି।

ବୈଠକରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶିକ୍ଷକ ତଥା ସ୍କୁଲର କର୍ମଚାରୀମାନଙ୍କ ଟିକାକରଣ ଉପରେ ଗୁରୁତ୍ବାରୋପ କରିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ବୈଠକରେ ଅବଗତ କରିଥିଲେ। ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା କାର୍ଯ୍ୟକାରୀତା ସଂପର୍କରେ ଉପସ୍ଥାପନା ରଖିଥିଲେ। ବୈଠକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରୀତା ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ।

ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ଜିଲ୍ଲାପାଳ, ଏସ୍‌.ପି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଇନ୍ଦ୍ରାବତୀ କେନାଲ ପାଣି ଯୋଗାଣ ସଂପର୍କରେ ମନ୍ତୀଙ୍କ ସମୀକ୍ଷା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଇନ୍ଦ୍ରାବତୀ ଜଳସେଚନ ଯୋଜନାରେ ଆଗାମୀଦିନରେ ସଠିକ ଭାବରେ ଜଳସେଚନ ବ୍ୟବସ୍ଥା କରାଯିବା ପାଇଁ ଜୁନାଗଡ ବିଧାୟକ ତଥା ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଭାଗୀୟ ପଦାଧିକଲାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଭବାନୀପାଟଣାସ୍ଥିତ ସର୍କିଟ ହାଉସରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠଖରେ ଇନ୍ଦ୍ରାବତୀ ମୂଖ୍ୟ ନିର୍ମାଣ ଯନ୍ତ୍ରୀ, ବାମ ମୂଖ୍ୟ କେନାଲର ନିର୍ବାହୀ ଯନ୍ତ୍ରୀ, ଡାହାଣ ମୂଖ୍ୟ କେନାଲର ନିର୍ବାହୀ ଯନ୍ତ୍ରୀ, ଓଏଚପିସିର ମୂଖ୍ୟ ସାଧାରଣ ପରିଚାଲକ, ସାଧାରଣ ପରିଚାଲକ ପ୍ରମୂଖ ଉପସ୍ଥିତ ଥିଲେ।

ଆଗାମୀ ଦିନରେ କେନାଲ ଗୁଡିକର ତୁରନ୍ତ ମରାମତି, କେନାଲ ତଳମୁଣ୍ଡକୁ ଜଳସେଚନ ପାଣି ପହଂଚାଇବା ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ବାମକେନାଲ ଅନ୍ତଗ୍ରତ ଅମ୍ବାଦୁଲା ଡିଷ୍ଟ୍ରିବ୍ୟୂଟାରୀ, ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରୀ, ଡାହାଣ କେନାଲର ମୁଣ୍ଡରାଗୁଡା ଡିଷ୍ଟ୍ରିବ୍ୟୁଟାରୀ, ଭତ୍ରାଯୋର ଡିଷ୍ଟ୍ରିବ୍ୟୁଟାରୀ ଆଦି ଅନେକ କେନାଲର ଲାଇନିଂ କାର୍ଯ୍ୟ କରାଯିବା ପାଇଁ ମାନ୍ୟବର ମନ୍ତ୍ରୀ ବିଭାଗୀୟ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ସେହିପରି ବାମ କେନାଲରୁ ତଳମଲା, ଆଟିଗାଂ ଅଂଚଳକୁ ଜଳସେଚନ ବ୍ୟବସ୍ଥା ସୂଚାରୂ ରୂପେ କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଇନ୍ଦ୍ରାବତୀ ବହୁମୂଖି ଜଳସେଚନ ଯୋଜନାକୁ କଳାହାଣ୍ଡି ଜିଲ୍ଲାର ଜୀବନରେଖା ବୋଲି କୁହାଯାଉଥିବା ବେଳେ ଜଳସେଚନ ଯୋଜନାରେ ପ୍ରତିବର୍ଷ ଅବ୍ୟବସ୍ଥା ଦେଖାଯାଇଥାଏ। ଏହି ଯୋଜନାରେ ୬୦୦ ମେଗାୱାଟ ଜଳବିଦ୍ୟୁତ ଉତ୍ପାଦନ କ୍ଷମତା ଥିବା ବେଳେ ସେଥିରୁ ଉଦବୃତ ଜଳ ମଙ୍ଗଳପୁର ଠାରେ ହାତୀନଦୀ ଶଯ୍ୟା ଉପରେ ବେରେଜ ନିର୍ମାଣ କରାଯାଇ ବାମ ଓ ଡାହାଣ କେନାଲ ମାଧ୍ୟମରେ ଖରିଫ ଓ ରବି ଋତୁରେ ଚାଷ ପାଇଁ ଜଳସେଚନ ବ୍ୟବସ୍ଥା କରାଯାଇଥାଏ। ଏହି ଜଳସେଚନ ବିଭାଗୀୟ ପଦାଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅବ୍ୟବସ୍ଥା ମଧ୍ୟରେ ହେଉଥିବା ବେଳେ ପ୍ରାୟତଃ ସମସ୍ତ କେନାଲର ଶେଷମୁଣ୍ଡକୁ କେନାଲ ପାଣି ପହଂଚି ପାରିନଥାଏ।

ଅନ୍ୟପକ୍ଷରେ ଜଳବିଦ୍ୟୁତ ବିଭାଗ ଓଏଚପିସି ଓ ଜଳସେଚନ ବିଭାଗର ତାଳମେଳ ରହୁନଥିବା ହେତୁ ଚାଷି ମାନଙ୍କ ଆବଶ୍ୟକତା ସମୟରେ ଜଳସେଚନ ପାଇଁ ପାଣି ଅଭାବ ଦେଖାଦେଉଥିବା ବେଳେ ଅନାବଶ୍ୟକ ସମୟରେ ମାତ୍ରାଧିକ ପାଣି କେନାଲରେ ଛାଡି ଦେଉଥିବା ଯୋଗୁଁ ଚାଷ ନଷ୍ଟ ହେଉଥିବାର ଅନେକ ଉଦାହରଣ ମଧ୍ୟ ରହିଛି। ଅତୀତରେ ଏନେଇ ଚାଷୀ ମହଲରେ ଅନେକବାର ଦାବୀ ହେବା ସହ ଜିଲ୍ଲା କୃଷକ ଫେେରେସନ ତରଫରୁ ଅନେକ ବାର ଉଦ୍ୟମ କରାଯାଇଥିଲେହେଁ ଓଏଚପିସି ପଦାଧରକାରୀ ଓ ଜଳସେଚନ ବିଭାଗୀୟ ପଦାଧିକାରୀ ଙ୍କ ଅସହଯୋଗ ହେତୁ କୌଣସି ଫଳପ୍ରଦ ହୋଇପାରିନାହିଁ। ବର୍ତ୍ତମାନ ଶକ୍ତି ବିଭାଗ ଦାୟୀତ୍ୱରେ ଜିଲ୍ଲାର ମନ୍ତ୍ରୀ ଥିବା ହେତୁ ଆଗାମୀ ଦିନରେ ଏସଂପର୍କରେ ଅଗ୍ରଗତି ହୋଇପାରିବ ବୋଲି ଚାଷୀ ମହଲରେ ଆଶା ସଂଚାର ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର

ପଶ୍ଚିମବଂଗରେ ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକର ଶେଷକୁ ଦିଦି ଆସିଲେ କାଗଜ ଦେଇ ପଳାଇଲେ

ନୂଆଦିଲ୍ଲୀ, ନିର୍ବାଚନ ସରିଯାଇଥିଲେ ମଧ୍ୟ ପଶ୍ଚିମବଂଗ ରାଜନୀତି ଏ ପର୍ଯ୍ୟନ୍ତ ସରଗରମ ହୋଇ ରହିଛି। ସେଥିରୁ ବାତ୍ୟା ମଧ୍ୟ ବାଦ ପଡିନାହିଁ। ଉଭୟ ବିଜେପି ଏବଂ ଟିଏମସି ଛକାପଞ୍ଚାରେ ଚାଲିଛନ୍ତି। ଆଜି ଏହିପରି ଏକ ପରିସ୍ଥିତି ପଶ୍ଚିମ ବଂଗରେ ଦେଖିବାକୁ ମିଲିଥିଲା।

ବାତ୍ୟା ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ପରେ ପଶ୍ଚିମବଂଗ ଯାଇଥିଲେ। ସେଠାରେ ମଧ୍ୟ ଓଡିଶା ପରି ଏକ ସମୀକ୍ଷା ବୈଠକ କରିବାକୁ  ନିଷ୍ପତି ହୋଇଥିଲା। ସେଥିପାଇଁ ରାଜ୍ୟର ରାଜ୍ୟପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ହେଲେ ସେହି ବୈଠକକୁ ବିରୋଧୀ ଦଳ ନେତା ତଥା ମମତାଙ୍କୁ ହରାଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ ଡକାଯାଇଥିଲା।

ଶୁଭେନ୍ଦୁ ଅଧିକାରୀ ଏହି ବୈଠକରେ କୈଣସି ଆବଶ୍ୟକତା ନ ଥିବା ବେଳେ କେନ୍ଦ୍ରର ବିଜେପି ସରକାର ତାଙ୍କୁ ଯୋଗ ଦେବା ପାଇଁ ଡାକିଥିଲେ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରା ଖପ୍ପା। ଶୁଭେନ୍ଦୁ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ସେ ଯିବେ ନାହିଁ ବୋଲି ମମତା ଘୋଷଣା କଲେ।

ହେଲେ ଏହାକୁ ନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ପ୍ରଧାନମନ୍ତ୍ରୀ ପଶ୍ଚିମବଂଗରେ ପହଁଚି ସମୀକ୍ଷା ବୈଠକ କଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହିତ ରାଜ୍ୟପାଳ ଏବଂ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଯୋଗ ଦେଲେ। ହେଲେ ମମତା ଆସିଲେ ନାହିଁ କି କୌଣସି ଅଧିକାରୀ ମଧ୍ୟ ଆସିଲେ ନାହିଁ।

ପ୍ରାୟ 30 ମିନଟ ପରେ ମମତା ଖଣ୍ଡେ କାଗଜ ନେଇ ବୈଠକକୁ ପ୍ରବେଶ କରିଥିଲେ। ଅଳ୍ପ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ କାଗଜ ଖଣ୍ଡିକ ବଢାଇ ଦେଇ ସମସ୍ତେ ବସିଥିବା ବେଳେ ବୈଠକରୁ ଚାଲିଯାଇଥିଲେ। ତାଙ୍କର ଅନ୍ୟ ବୈଠକ ଅଛି କହି ସେ ଚାଲିଯାଇଥିଲେ।

ନିର୍ବାଚନ ସରିଯାଇଥିଲେ ମଧ୍ୟ ଉଭୟ ଦଳ ମଧ୍ୟରେ ଛକାପଞ୍ଚା ଲାଗି ରହିଛି। ଓଡିଶାରେ ସମୀକ୍ଷା ବୈଠକ ବେଳେ କୌଣସି ବିଧାୟକ ବା ବିରୋଧୀଦଳର ନେତା ବା ସଦସ୍ୟଙ୍କୁ ଡକାଯାଇ ନ ଥିଲା। ହେଲେ ପଶ୍ଚିମବଂଗରେ ମମତାଙ୍କୁ ଅପମାନିତ କରିବା ପାଇଁ ଜାଣିଶୁଣି ଶୁଭେନ୍ଦୁଙ୍କୁ ବୈଠକରେ ଯୋଗଦେବା ପାଇଁ କୁହାଯାଇଥିଲା। ଯାହାକୁ ନେଇ ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚା ଚାଲିଛି।

( ଫଟୋରେ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ରାଜ୍ୟପାଳ ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ କେହି ନାହାଁନ୍ତି।)

Categories
ଆଞ୍ଚଳିକ

ସମୀକ୍ଷାର ମହାପ୍ରଭାବ:  ଜିଲ୍ଲାନାସି ଗ୍ରାମ ପଞ୍ଚାୟତରେ ଉନ୍ନତ ରାସ୍ତା ମରାମତି କାର୍ଯ୍ୟକୁ ଦିଆଗଲା ଗୁରୁତ୍ବ

ସମୀକ୍ଷା ବ୍ୟୁରୋ

କୁଜଙ୍ଗ, ୨୩/୧୨: ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ଜିଲ୍ଲାନାସି ଗ୍ରାମ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାର ଅଭିଯୋଗ ହୋଇ ଏହି ସମ୍ପର୍କିତ ଖବର ପ୍ରସାରିତ ହେବା ପରେ ଏନେଇ ପ୍ରଶାସନ ତ୍ବରିତ୍ବ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି। ସମ୍ପୃକ୍ତ ରାସ୍ତାରେ ଉତ୍ତମ କାର୍ଯ୍ୟ କରାଯାଉଥିବା ନେଇ ସୂଚନା ରହିଛି। ଉକ୍ତ ରାସ୍ତା ନିର୍ମାଣରେ ହେଉଥିବା ଅନିୟମିତତା ନେଇ ଗତ ୧୯ ତାରିଖରେ ଆମ ସମୀକ୍ଷା ନ୍ୟୁଜ୍‌ରେ ପ୍ରକାଶିତ ହୋଇଥିଲା। ଖବର ପ୍ରକାଶିତ ହେବା ପରେ ଏସଡିଓ ବାବାଜୀ ଚରଣ ବେହେରା ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏସଡିଓଙ୍କ ହସ୍ତକ୍ଷେପ ଫଳରେ ବିଭାଗୀୟ ଯନ୍ତ୍ରୀ କେଳୁଚରଣ ଦଳାଇ ଓ ଠିକାଦାର ଏବେ ଉକ୍ତ ରାସ୍ତାରେ ଉନ୍ନତମାନର ପିଚୁ ପକାଇ କାର୍ଯ୍ୟ ଆରମ୍ଭ କରିଥିବାର ସୂଚନା ରହିଛି।

ସୂଚନାଯୋଗ୍ୟ, କଟକ–ପାରାଦ୍ଵୀପ ରାସ୍ତା ତାଳଦଣ୍ଡା କେନାଲ ପାଖରୁ ଜିଲ୍ଲାନାସି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମରାମତି କାର୍ଯ୍ୟ କରିବା ନାମରେ ଭଲ ରାସ୍ତା ଉପରେ ପତଳା ପିଚୁ ପକାଇ ସରକାରୀ ଅର୍ଥ ଆତ୍ମସାତ କରିବା ପାଇଁ ମସୁଧା ଚାଲିଥିବାର ଅଭିଯୋଗ ହୋଇଥିଲା।

Categories
ଆଜିର ଖବର

ଓଡିଶା ଚାଷିମାନଙ୍କ ପାଇଁ ଲାଗୁ ହେବ “କାଳିଶାନ”, ମିଶିଯିବ ରାଜ୍ୟର ‘କାଳିଆ’ ଏବଂ କେନ୍ଦ୍ରର ‘କିଶାନ’ ଯୋଜନା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର,05/12: ଶେଷରେ ରାଜ୍ୟ ସରକାର ଓଡିଶାରେ ପ୍ରଧାନମନ୍ତ୍ରୀ କିଶାନ ଯୋଜନାକୁ ଲାଗୁ କରିବାକୁ ନିଷ୍ପତି କରିଛନ୍ତି। ତେବେ ପୂର୍ବରୁ ରାଜ୍ୟର ନିଜସ୍ବ ଯୋଜନା କାଳିଆ ଏହି ଯୋଜନାରେ ମିଶିଯିବ ବୋଲି ନିଷ୍ପତି କରାଯାଇଛି। ଆଜି ଲୋକସେବା ଭବନରେ ବସିଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ରାଜ୍ୟର କାଳିଆ ଯୋଜନାରେ ସରକାର ଚାଷିଙ୍କୁ 10 ହଜାର ଟଙ୍କା ଦେଇଆସୁଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ କେନ୍ଦ୍ର ତରଫରୁ 6 ହଜାର ଟଙ୍କା ଦିଆଯାଉଛି। ଯାହାକୁ ଓଡିଶାରେ ଲାଗୁ କରାଯାଇ ନାହିଁ। ତେବେ ଏହି ଦୁଇ ଯୋଜନା ମିଶିଲେ 16 ହଜାର ଟଙ୍କା ଚାଷି ପାଇବା କଥା। ହେଲେ ବର୍ତ୍ତମାନ ଚାଷୀ ମାତ୍ର 10 ହଜାର ଟଙ୍କା ପାଇବେ ବୋଲି ଜଣାପଡିଛି। କାରଣ କେନ୍ଦ୍ର ଦେଉଥିବା 6 ହଜାର ଟଙ୍କାରେ ରାଜ୍ୟର ଭାଗ ମଧ୍ୟ ରହିଛି। ଫଳରେ ଦୁଇ ଯୋଜନାରେ ବର୍ତ୍ତମାନ ଚାଷୀ ରାଜ୍ୟରୁ 4 ହଜାର ଏବଂ କେନ୍ଦ୍ରର 6 ହଜାର ମୋଟ 10 ହଜାର ପାଇବେ।ଏହି ଦୁଇ ଯୋଜନା ମିଶିବ ବୋଲି ରାଜ୍ୟ କ୍ୟାବିନେଟର ପୂର୍ବରୁ ନିଷ୍ପତି ନିଆଯାଇଛି। ତେବେ ଏହି ଯୋଜନାର ନାମ କଣ ହେବ ତାହା ଏ ପର୍ଯ୍ୟନ୍ତ ନିଷ୍ପତି କରାଯାଇ ନାହିଁ।

Categories
ବିଶେଷ ଖବର

ଓଡିଶା ରାଜନୀତି ଓ ଶାସନରେ ନବୀନ ପଟ୍ଟନାୟକଙ୍କ “ଶକ୍ ଥେରାପି” , ଏକ ସଫଳ ତଥା ସାର୍ଥକ ପ୍ରୟୋଗ

କେଦାର ମିଶ୍ର

କେତେବେଳେ ବଜ୍ରପାତ ହେବ, ସେକଥା ହୁଏତ ଆକଳନ କରିହେବ, କିନ୍ତୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେବେଳେ କି ନିଷ୍ପତ୍ତି ନେବେ, ସେକଥା କହି ହେବନାହିଁ। ନବୀନଙ୍କ କାମ କରିବାର ତରିକା ସବୁ ପାରମ୍ପରିକ ଚିନ୍ତା ଓ ଆକଳନର ବାହାରେ। ଓଡିଶା ରାଜନୀତି ବିଷୟରେ ଯେଉଁମାନେ ଖବର ରଖନ୍ତି, ସେମାନଙ୍କ ପାଖରେ ଏଇ ମୁହୂର୍ତ୍ତ ପରେ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ କଣ ହେବ, ସେକଥା ଭାବିବା ମଧ୍ୟ ଅସମ୍ଭବ । ଦୁଇ ଦିନ ତଳେ ହଠାତ ବିଳମ୍ବିତ ସନ୍ଧ୍ୟାରେ ରାଜ୍ୟ ପୋଲିସ ବିଭାଗର ମୁଖ୍ୟ ବିଜୟ କୁମାର ଶର୍ମାଙ୍କୁ ତାଙ୍କ ପଦରୁ ଅପସାରଣ କରାଗଲା। କେବଳ ତାଙ୍କୁ ଅପସାରଣ କରାଗଲା ନାହିଁ, ତାଙ୍କ ବିରୋଧରେ ତଦନ୍ତ କରିବା ଲାଗି ଏକ ଉଚ୍ଚ ସ୍ତରୀୟ କମିଟି ମଧ୍ୟ ଗଠନ କରାଗଲା। ଏତେ ବଡ ନିଷ୍ପତ୍ତି ନେବା ପୂର୍ବରୁ, ଏକଥାର ଟେର କେହି ପାଇନଥିଲେ। ନା ଗଣମାଧ୍ୟମ ନା ରାଜନୀତିର ଅର୍ଗଳି, କେଉଁଠି ହେଲେ ଏ ବିଷୟରେ ଟୁପଟାପ କଥା ବି ଶୁଣା ଯାଉନଥିଲା।

ଗତ ପାଞ୍ଚ ବର୍ଷରେ ଚାରି ଜଣ ପୋଲିସ ମୁଖିଆଙ୍କୁ ଏମିତି ଢଙ୍ଗରେ ବିଦା କରା ହୋଇଛି। ସଂଜୀବ ମାରିକ, ପ୍ରକାଶ ମିଶ୍ର, କେ.ବି.ସିଂ ଓ ବିଜୟ କୁମାର ଶର୍ମା। ମଝିରେ କେବଳ ରାଜେନ୍ଦ୍ର ପ୍ରସାଦ ଶର୍ମା ସ୍ଵେଚ୍ଛାରେ ଅବସର ନେଇ ଲୋକାଯୁକ୍ତ ଭାବରେ ନିଯୁକ୍ତି ପାଇଥିଲେ। ଉଚ୍ଚ ପଦ ପଦବୀରେ ଥିବା ଅଧିକାରୀ ଓ ରାଜନେତାଙ୍କୁ ଚକିତ କରିଦେଲା ଭଳି କାର୍ୟାନୁଷ୍ଠାନ ନେବାରେ ନବୀନ ପଟ୍ଟନାୟକଙ୍କର ଅନୁଭୂତି ବହୁ ପୁରୁଣା। ନିଜ ଶାସନକାଳର ପ୍ରଥମ ସୋପାନରେ ବିଜୟ ମହାପାତ୍ରଙ୍କୁ ବିଜେଡ଼ିରୁ ବିଦା କରିବାର ପ୍ରକ୍ରିୟା ହେଉ ବା ବିଭିନ୍ନ ସମୟରେ ମନ୍ତ୍ରୀମାନଙ୍କର ଅପସାରଣ, ସବୁବେଳେ ନବୀନ ନିଜର “ଶକ ଥେରାପି” କୁ ପ୍ରଭାବଶାଳୀ ଢଙ୍ଗରେ ବ୍ୟବହାର କରିଛନ୍ତି। ଯେ କୌଣସି ରାଜନୈତିକ ବା ପ୍ରଶାସନିକ ନିଷ୍ପତ୍ତି ନେବାବେଳେ, ଅଚାନକ ଓ ଆଶ୍ଚର୍ୟ କରିଦେଲା ଭଳି ପ୍ରୟୋଗ ନବୀନଙ୍କୁ ରାଜନୀତିରେ ବଡ ସଫଳତା ଆଣି ଦେଇଛି। ସେ ପାରମ୍ପରିକ ରାଜନେତାଙ୍କ ଭଳି ନିଷ୍ପତ୍ତି ନିଅନ୍ତି ନାହିଁ କିମ୍ବା ମୁହଁ ଦେଖି ପ୍ରଶାସନିକ ନିଷ୍ପତ୍ତି ବଦଳାଇ ପକାନ୍ତି ନାହିଁ। କାର୍ୟାନୁଷ୍ଠାନ ନେବା ବେଳେ ସେ ଅତ୍ୟନ୍ତ କଠୋର ଓ ସେତେବେଳେ କୌଣସି ମାନବୀୟ ଦୁର୍ବଳତା ତାଙ୍କର ନଥାଏ ବୋଲି ଅନେକ ପ୍ରଶାସକ କହିଛନ୍ତି।

ଚାରି ବର୍ଷ ତଳେ ଏମିତି ଏକ ସନ୍ଧ୍ୟାରେ ସେ ତତ୍କାଳୀନ ପୋଲିସ ମହା ନିର୍ଦ୍ଦେଶକଙ୍କୁ ଡାକି କହିଥିଲେ- “ୟୁ ଆର ରିଲିଭ୍ଡ , ଥ୍ୟାଙ୍କ ୟୁ ଭେରି ମଚ”। କାର୍ୟାନୁଷ୍ଠାନ ନେବାବେଳେ ଆଉ କିଛି ଶୁଣିବା ନବୀନଙ୍କ ଜାତକରେ ନାହିଁ। ତେବେ ଏ ପ୍ରକାର ନିଷ୍ପତ୍ତି ଗଣତାନ୍ତ୍ରିକ ନୁହେଁ ବୋଲି ଯୁକ୍ତି କରାଯାଇପାରେ। ପ୍ରଶାସନ ଓ ରାଜନୀତିରେ ଗଣତାନ୍ତ୍ରିକ ହେବାର ଅର୍ଥ ହେଉଛି କ୍ଷମତାର ହୁଗୁଳା ଅବସ୍ଥା ବୋଲି ଏବେ ଧରି ନିଆଯାଉଛି। ତେଣୁ  ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଯାଏ ସମସ୍ତେ ନିଷ୍ପତ୍ତି ନେବାବେଳେ ନିଜର ଇଚ୍ଛାକୁ ହିଁ ଜାହିର କରୁଛନ୍ତି। ରାଜନୀତିରେ ଏହାକୁ ଏକ ଗୁଣ ବୋଲି ସାଧାରଣ ଲୋକେ ଗ୍ରହଣ ମଧ୍ୟ କରୁଛନ୍ତି।

ନବୀନଙ୍କ ନିଷ୍ପତ୍ତି ନେବାର ତରିକା, ତାଙ୍କ ଲୋକପ୍ରିୟତାର ଏକ ବିଶେଷ କାରଣ। ତାଙ୍କ ନିଷ୍ପତ୍ତିକୁ ନେଇ ଏବେ ବିରୋଧୀ ନେତାଏ ଓ ଗଣମାଧ୍ୟମ ଘାଣ୍ଟି ହେବେ। ବିଜୟ କୁମାର ଶର୍ମାଙ୍କୁ କାହିଁକି ବିଦା କରାହେଲା, ତାର ଗୁଡାଏ ଉଦ୍ଭଟ ଓ କାଳ୍ପନିକ କାରଣ ବିଷୟରେ ଏବେ ଗପ ଲେଖାହେବା। ବିରୋଧୀ ଦଳ ବାକି ପ୍ରସଙ୍ଗ ଛାଡି ୟା ପଛରେ ମାତିବେ। ଆଉ ତାରି ଭିତରେ ନବୀନଙ୍କ ଭାବମୂର୍ତ୍ତି ଆହୁରି ଉଜ୍ଜଳ ହୋଇଉଠିବ। ନବୀନଙ୍କ ଏହି ରାଜନୈତିକ ଓ ପ୍ରଶାସନିକ ପ୍ରୟୋଗ ସବୁବେଳେ ଏମିତି ସଫଳ ହୋଇ ଆସିଛି।

କୌଣସି ମନ୍ତ୍ରୀ ବା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଲେ କିମ୍ବା ସେମାନଙ୍କ କାମ ଉପରେ ସାମାନ୍ୟ ସନ୍ଦେହ ହେଲେ, ତୁରନ୍ତ ତାଙ୍କୁ କ୍ଷମତାହୀନ କରିଦେବାର ନିଷ୍ଠୁର ନିଷ୍ପତ୍ତି ନବୀନ ନେଇପାରନ୍ତି। ସେ ଅଧିକାରୀ ତାଙ୍କର ଯେତେ ବିଶ୍ଵସ୍ତ ହୋଇଥାନ୍ତୁ ବା ତାଙ୍କର ଟ୍ରାକ ରେକର୍ଡ ଯେତେ ଭଲ ହୋଇଥାଉ, ଚୂଡାନ୍ତ ନିଷ୍ପତ୍ତି ନେଲାବେଳେ ଶେଷତମ ଅଭିଯୋଗ ହିଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ସେଥିଲାଗି ରାଜନୀତିର ଅନ୍ଦର ମହଲରେ ଗୋଟେ କଥା ପ୍ରଚଳିତ ଅଛି- ନବୀନ ପଟ୍ଟନାୟକ କାହାର ନୁହନ୍ତି।

କାହାର ନହେବା ପ୍ରଶାସନିକ କ୍ଷେତ୍ରରେ ଏକ ବଡ ଶକ୍ତି ଓ ଏହାହିଁ ନବୀନ ପଟ୍ଟନାୟକ ଓ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବର ସବୁଠୁ ବଡ ପାର୍ଥକ୍ୟ। ବିଜୁ ବାବୁ ସବୁବେଳେ ସମସ୍ତଙ୍କୁ ବିଶ୍ବାସକୁ ନେଇ ସାରା ଜୀବନ ପରାଜୟର ସାମ୍ନା କରିଥିଲେ। ନବୀନଙ୍କ ଲାଗି ତାହା ହିଁ ବଡ ଶିକ୍ଷା। କ୍ଷମତା ଓ ଶାସନରେ କେହି ବି ଅପରିହାର୍ୟ ନୁହନ୍ତି ଓ “ଲୋକଙ୍କ” ପାଇଁ ଯେତେବେଳେ ଆବଶ୍ୟକ, ଯେତେ ବଡ ଅଧିକାରୀ ବା ରାଜନେତା ହେଲେ ମଧ୍ୟ ତାଙ୍କୁ ବିଦା କରା ଯାଇପାରେ- ଏହାହିଁ ନବୀନଙ୍କ ସଫଳ ଓ ସାର୍ଥକ ”ଶକ ଥେରାପି”।

 

Categories
ବିଶେଷ ଖବର

ପଣ୍ଡିତ ଜୱାହରଲାଲ ନେହେରୁଙ୍କୁ ଭାରତ ଇତିହାସ ଏହି ସବୁ କାରଣରୁ ଶହ ଶହ ବର୍ଷ ଧରି ମନେ ରଖିବ

କେଦାର ମିଶ୍ର

ଆଧୁନିକ ଭାରତୀୟ ରାଜନୀତିରେ ନିୟାମକ ଓ ନିର୍ଣ୍ଣାୟକ ଭାବରେ ନିର୍ବିାବାଦରେ ତିନୋଟି ନାଁ ନିଆ ଯାଇପାରେ – ଗାନ୍ଧି, ଆମ୍ବେଦକର ଓ ନେହେରୁ। ଗାନ୍ଧିଜୀ ଆଧୁନିକ ଭାରତୀୟ ରାଜନୀତିକୁ ଏକ ବୃହତ୍ତର ମାନବୀୟ ମୂଲ୍ୟବୋଧ ସହ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆମ୍ବେଦକର
ସାମାଜିକ ଆନ୍ଦୋଳନ ଓ ସାମାଜିକ ନ୍ୟାୟକୁ ରାଜନୀତିର କେନ୍ଦ୍ରଭୂମିରେ ଏକ ପ୍ରମୁଖ ପ୍ରସଙ୍ଗ ଭାବରେ ଉପସ୍ଥାପନ କରିଛନ୍ତି। ସେହିପରି ପଣ୍ଡିତ ନେହେରୁ ରାଷ୍ଟ୍ର ନିର୍ମାଣରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ପ୍ରୟୋଗ ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଭାରତୀୟ ଜୀବନରେ ଚିରସ୍ଥାୟୀ ପ୍ରତିଷ୍ଠା ଦେଇଛନ୍ତି। ଗାନ୍ଧି ଏବଂ
ଆମ୍ବେଦକରଙ୍କ ପ୍ରସଙ୍ଗକୁ ବାଦ୍ ଦେଇ ଆଜି କେବଳ ନେହେରୁଙ୍କ ପ୍ରସଙ୍ଗରେ ଆଲୋଚନା କରାଯାଉ। ଆଜିର ତାରିଖରେ ନେହେରୁଙ୍କର ରାଜନୀତି, ଅର୍ଥନୀତି, ବିଦେଶ ନୀତି ଓ ତାଙ୍କର ଦୃଷ୍ଟିଭଙ୍ଗୀକୁ ନେଇ ସମାଲୋଚନା ଖୁବ୍ ତୀବ୍ର। ନେହେରୁଙ୍କ ଜୀବନକାଳ ଭିତରେ ଯେଉଁମାନେ ତାଙ୍କର ପ୍ରଚଣ୍ଡ ବିରୋଧୀ ଥିଲେ ଆଜି ସେମାନଙ୍କର ଶିଷ୍ୟ ପ୍ରଶିଷ୍ୟମାନେ ଭାରତର ସର୍ବୋଚ୍ଚ କ୍ଷମତା ଦଖଲ କରିଛନ୍ତି। ସ୍ୱାଭାବିକ ଭାବରେ ସେମାନେ ନେହେରୁଙ୍କ ନିନ୍ଦିତ କରୁଛନ୍ତି ଓ କରିବେ। ନେହେରୁଙ୍କୁ ସମାଲୋଚନା କରିବା ପାଇଁ ତାଙ୍କ ସମୟରେ ତାଙ୍କର ବିରୋଧୀମାନେ ରହିଥିଲେ, ଆଜି ମଧ୍ୟ ଅଛନ୍ତି। ନେହେରୁଙ୍କ ବ୍ୟକ୍ତିତ୍ୱର ଆକଳନ ପାଇଁ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକାକୁ କେବଳ ଏକ ପୃଷ୍ଠଭୂମି ଭାବରେ ନିଆଯାଇପାରେ। ସ୍ୱାଧୀନତା ଆନ୍ଦୋଳନରେ ସେ ଥିଲେ ଗାନ୍ଧିଙ୍କର ଶ୍ରେଷ୍ଠତମ ରାଜନୈତିକ ସହଯୋଗୀ। ଆଦର୍ଶଗତ ଓ ଦାର୍ଶନିକ ଦୃଷ୍ଟିରେ ଯଦିଓ ସେ ଥିଲେ ଗାନ୍ଧିଙ୍କର ବିପରୀତ, ତେବେ ଗାନ୍ଧିଙ୍କର ରାଜନୈତିକ ମାନସ ସନ୍ତାନ ବୋଲି ତାଙ୍କୁ କୁହାଯାଇ ପାରେ। ଭାରତୀୟ ରାଜନୀତି ପାଇଁ ନେହେରୁଙ୍କ ଅବଦାନକୁ କ୍ରମାନ୍ୱୟରେ ଆମେ ନିମ୍ନମତେ ଉଲ୍ଲେଖ କରିପାରିବା। ଏହି ସବୁ କାରଣ ଲାଗି ପଣ୍ଡିତ ନେହେରୁ ଶହ ଶହ ବର୍ଷ ଧରି ଆମର ମନେ ରହିବେ-

୧- ଏକ ବିଶାଳ ଗରିବ ଦେଶର ନେତୃତ୍ୱ ନେଇ ଗଣତନ୍ତ୍ରକୁ ରାଜନୀତିର ଶକ୍ତି ଭାବରେ ପ୍ରତିଷ୍ଠା ଦେବା। ଆଜି ଆମର ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥା ନିରନ୍ତର ଓ ନିରବଚ୍ଛିନ୍ନ ଭାବରେ ଯଦି ବଞ୍ଚି ରହିପାରିଛି ତା’ର ସବୁ ଶ୍ରେୟ ପଣ୍ଡିତ ନେହେରୁଙ୍କର। ଏହି ସମୟରେ ସ୍ୱାଧୀନତା ପାଇଥିବା ଓ ନୂଆ ରାଷ୍ଟ୍ର ଭାବରେ ଗଠିତ ହୋଇଥିବା ଅନେକ ଦେଶ ସାମରିକ ଶାସନର ବଶବର୍ତ୍ତୀ ହୋଇଥିବାବେଳେ ପଣ୍ଡିତ ନେହେରୁଙ୍କ ନେତୃତ୍ୱ ଯୋଗୁଁ ଆମେ ଏକ ଶକ୍ତିଶାଳୀ ଗଣତାନ୍ତ୍ରିକ ଆଧାର ପାଇଛୁ।

୨- ପ୍ରବଳ ଜନମତର ସମର୍ଥନ ସତ୍ତ୍ୱେ ବିରୋଧୀ ରାଜନୀତିକୁ ସମ୍ମାନ ଦେବା। ପଣ୍ଡିତ ନେହେରୁ ତାଙ୍କ ସମୟର ଅପ୍ରତିଦ୍ୱନ୍ଦ୍ୱୀ ଜନନେତା। ପଣ୍ଡିତଜୀଙ୍କ ନେତୃତ୍ୱରେ ୧୯୫୨ ନିର୍ବାଚନରେ କଂଗ୍ରେସ ଦଳ ୩୬୪, ୧୯୫୭ ନିର୍ବାଚନରେ ୩୭୧ ଓ ୧୯୬୨ ନିର୍ବାଚନରେ ୩୬୧ଟି ଲୋକସଭା ଆସନ ଜିତିଥିଲା। ତିନୋଟି ଯାକ ନିର୍ବାଚନରେ କଂଗ୍ରେସ ଦଳର ଭୋଟହାର ଥିଲା ଯଥାକ୍ରମେ ୪୫%, ୪୭.୮% ଓ ୪୪.୭% । ଯାହାକି ଭାରତୀୟ ରାଜନୀତିରେ ଏକ ଅନତିକ୍ରମ୍ୟ ରେକର୍ଡ। ମୋଟାମୋଟି ନେହେରୁଙ୍କ ସମୟରେ ବିରୋଧୀ ଦଳର କୌଣସି ସଂସଦୀୟ ଅସ୍ତିତ୍ୱ ନଥିଲା। ତଥାପି ପଣ୍ଡିତ ନେହେରୁ ସଂସଦରେ ଓ ସଂସଦ ବାହାରେ ବିରୋଧୀ ସ୍ୱରକୁ ଶୁଣିବା ପାଇଁ ପ୍ରସ୍ତୁତ ଥିଲେ। ତାଙ୍କର ସବୁଠାରୁ ବଡ଼ ସମାଲୋଚକ ସାମ୍ୟବାଦୀ ଓ ସମାଜବାଦୀମାନେ ବ୍ୟକ୍ତିଗତ ଭାବରେ ତାଙ୍କୁ କମ୍ ପ୍ରଶଂସା କରି ନାହାନ୍ତି। ପଣ୍ଡିତ ନେହେରୁ ହେଉଛନ୍ତି ଭାରତର ଏକମାତ୍ର ରାଜନେତା ଯିଏ ତାଙ୍କର ତୀବ୍ରତମ ବିରୋଧୀ ଦକ୍ଷିଣପନ୍ଥୀ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ।

୩- ଆଧୁନିକ ଭାରତର ନବନିର୍ମାଣ। ପଣ୍ଡିତଜୀଙ୍କ ନେତୃତ୍ୱରେ କମ୍ ହାରରେ ଅଭିବୃଦ୍ଧି ହାସଲ କରୁଥିବା ଗୋଟିଏ ଦେଶର ଅଭିବୃଦ୍ଧିକୁ ୬୦ ଦଶକରେ ତିନି ପ୍ରତିଶତରୁ ଅଧିକ ବଢାଯାଇଥିଲା। କୃଷି, ଶିଳ୍ପ, ଶିକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ ପଣ୍ଡିତ ନେହେରୁଙ୍କର ନୀତି ଆଜି ମଧ୍ୟ ଆମ ବିକାଶର ଆଧାର ହୋଇ ରହିଛି। ଯୋଜନା ଓ ତା’ର ରୂପାୟନ ପାଇଁ ପଣ୍ଡିତଜୀଙ୍କର ଦୃଷ୍ଟିଭଙ୍ଗୀ ପ୍ରାୟ ୬୦ ବର୍ଷ ଧଣି ଆମର ମାର୍ଗଦର୍ଶନ କରିଛି। ପଞ୍ଜାବ ଏବଂ ହରିୟାଣାର କୃଷି ବିପ୍ଳବ, ବୃହତ୍ତର ଜଳସେଚନ ଓ ବିଦ୍ୟୁତ ପ୍ରକଳ୍ପ, ରାଜପଥର ବିକାଶ, ନୂତନ ଶିଳ୍ପାଞ୍ଚଳ ଓ ଶିଳ୍ପ ନଗରୀର ନିର୍ମାଣ, ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ପ୍ରଚେଷ୍ଟା, ସ୍ୱାୟତ୍ତ ଶାସନ ଓ ପଞ୍ଚାୟତିରାଜ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ତାଙ୍କୁ ଭାରତ ସବୁଦିନ ମନେ ରଖିବ।

୪- ବୈଜ୍ଞାନିକ ଗବେଷଣା ଓ ଭିତ୍ତିଭୂମି ନିର୍ମାଣରେ ସର୍ବଶ୍ରେଷ୍ଠ ନେତୃତ୍ୱ। ନୂଆ କରି ଜନ୍ମ ନେଇଥିବା ଗୋଟିଏ ଦେଶର ନେତୃତ୍ୱ ନେଲାବେଳେ ପଣ୍ଡିତ ନେହେରୁ ଜାଣିଥିଲେ ଯେ ଜ୍ଞାନ ଓ ବିଜ୍ଞାନର ଶକ୍ତି ବିନା ବିକାଶ ଅସମ୍ଭବ। ତେଣୁ ଆଜି ଦେଶରେ ଯେତେସବୁ ବୈଜ୍ଞାନିକ ଅନୁଷ୍ଠାନ, ଗବେଷଣାଗାର ଓ
ପ୍ରୟୋଗଶାଳା ଆମେ ଦେଖୁଛୁ ସେ ସବୁ ପଣ୍ଡିତ ନେହେରୁଙ୍କ ଅମଳରେ ହିଁ ପ୍ରତିଷ୍ଠା କରାଯାଇଥିଲା। ଆଣବିକ ଗବେଷଣା, ମହାକାଶ ଗବେଷଣା, ପଦାର୍ଥ ବିଜ୍ଞାନ ଓ ଭୂତତ୍ତ୍ୱ ବିଜ୍ଞାନରେ ଉଚ୍ଚତର ଗବେଷଣା ପାଇଁ ସାରା ଦେଶରେ ବହୁ ଅନୁଷ୍ଠାନ ସେତେବେଳେ ପ୍ରତିଷ୍ଠା କରାଯାଇଥିଲା । ଯାହାର ସୁଫଳ ଆମେ
ଆଜି ପାଉଛୁ । ପ୍ରଗତିର ନୂଆ ମନ୍ତ୍ର ପଢୁଥିବା ନୂଆ ଭାରତର ରାଜନେତାମାନେ ଆଜି ମଧ୍ୟ ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ଭଳି ଏକ ସଂସ୍ଥା ଗଠନ ପାଇଁ ଚିନ୍ତା ମଧ୍ୟ କରିପାରିବେ ନାହିଁ। ବୈଜ୍ଞାନିକ ଗବେଷଣା ଓ ବୈଜ୍ଞାନିକ ଚିନ୍ତନ କ୍ଷେତ୍ରରେ ପଣ୍ଡିତଜୀଙ୍କ ନେତୃତ୍ୱ ସର୍ବଶ୍ରେଷ୍ଠ।

୫- ଉଚ୍ଚତର ଶିକ୍ଷା ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ବିପ୍ଳବ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଆଇ ଆଇଟି ଓ ଏମ୍ସ ଭଳି ଅନୁଷ୍ଠାନର ପରିକଳ୍ପନା ପଣ୍ଡିତ ନେହେରୁଙ୍କ ସ୍ରଷ୍ଟାପଣକୁ ଦେଖାଇଥାଏ। ସାରା ଦେଶରେ ଆଜି ଗବେଷଣାର ଉତ୍କର୍ଷ ପାଇଁ ପରିଚିତ ପ୍ରାୟ ସବୁ ଅନୁଷ୍ଠାନ ନେହେରୁଙ୍କ ସମୟରେ ହିଁ ପ୍ରତିଷ୍ଠିତ ହୋଇଥିଲା।

୬- ପ୍ରତିରକ୍ଷା ଓ ବିଦେଶ ନୀତିର ଶ୍ରେଷ୍ଠତମ ମାର୍ଗଦର୍ଶକ। ନେହେରୁଙ୍କ ସମୟରେ ଭାରତ ତିନୋଟି ବଡ଼ ଯୁଦ୍ଧର ସମ୍ମୁଖୀନ ହୋଇଛି। ଚୀନ୍ ଓ ପାକିସ୍ତାନ ସହ ସାମରିକ ସଂଘର୍ଷରେ ଆମର ଅର୍ଥନୀତି କିଛିଟା ପ୍ରଭାବିତ ମଧ୍ୟ ହେଇଛି। ଚୀନ୍ ସହ ଯୁଦ୍ଧରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି । ତେବେ ଜୟ ପରାଜୟର ଏହି ଧାରା ମଧ୍ୟରୁ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାର ପ୍ରେରଣା ମିଳିଥିଲା। ପ୍ରତିରକ୍ଷା ଗବେଷଣା ପାଇଁ ଏକ ସୁଦକ୍ଷ ଭିତ୍ତିଭୂମି ନେହେରୁଙ୍କ ନେତୃତ୍ୱରେ ପ୍ରତିଷ୍ଠା ହୋଇଥିଲା। ସେହିପରି ବିଦେଶ ନୀତି କ୍ଷେତ୍ରରେ ଆଜି ମଧ୍ୟ ନେହେରୁଙ୍କର ମାର୍ଗଦର୍ଶନ ହେଉଛି ପ୍ରତ୍ୟେକ କୂଟନୀତିଜ୍ଞ ପାଇଁ ବାଇବେଲ୍। ଭାରତକୁ ଏକ ଗୋଷ୍ଠୀ ନିରପେକ୍ଷ ଶକ୍ତି ଭାବରେ ଆମେରିକା ତଥା ଋଷର ପ୍ରଭାବରୁ ଅଲଗା ରଖିବାରେ ପଣ୍ଡିତଜୀଙ୍କ ନେତୃତ୍ୱର ପଟ୍ଟାନ୍ତର ନାହିଁ।

୭- ସମାଜବାଦ, ଧର୍ମ ନିରପେକ୍ଷତା ଓ ଗଣତନ୍ତ୍ରର ପ୍ରତିଷ୍ଠା। ପଣ୍ଡିତ ନେହେରୁଙ୍କ ନେତୃତ୍ୱରେ ଭାରତ ସମ୍ବିଧାନର ମୌଳିକ ନୀତି ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେବା ଆରମ୍ଭ କରିଥିଲା। ରାଷ୍ଟ୍ରୀୟ ସମ୍ବଳର ସମବଣ୍ଟନ, ସମାଜର ଉପେକ୍ଷିତ ବର୍ଗଙ୍କୁ ଆର୍ଥିକ ପ୍ରଗତିର ସ୍ରୋତରେ ସାମିଲ୍ କରିବା ଓ ରାଜୀନତିରେ ସବୁମତକୁ ସମ୍ମାନ ଦେବାର ପ୍ରକ୍ରିୟା ତାଙ୍କରି ନେତୃତ୍ୱରେ ଆରମ୍ଭ ହୋଇଥିଲା। ସଂଖ୍ୟାଲଘୁ, ମହିଳା, ଆଦିବାସୀ ଓ ଦଳିତଙ୍କ ସମସ୍ୟାକୁ ନେଇ ଅତ୍ୟନ୍ତ ସମ୍ବେଦନଶୀଳ ଭାବରେ ଦେଶର ନୀତି ଓ ଅର୍ଥନୀତିକୁ ସଙ୍ଗଠିତ କରାଯାଇଥିଲା।

୮ – ସମ୍ବିଧାନ ଓ ଆଇନର ଶାସନ। ପ୍ରବଳ ଜନମତ ଓ ଜନ ସମର୍ଥନ ସତ୍ତ୍ୱେ ପଣ୍ଡିତ ନେହେରୁ ଗଣତନ୍ତ୍ରରେ ନିଜର ଅହଙ୍କାର ବା ଏକଛତ୍ରବାଦକୁ ପ୍ରତିଷ୍ଠା କରିନଥିଲେ। ଦୁର୍ଭାଗ୍ୟ ହେଉଛି ତାଙ୍କରି ନେତୃତ୍ୱରେ ଦେଶର ଜୀବନ ରେଖା ପାଲଟିଥିବା କଂଗ୍ରେସ ପରବର୍ତ୍ତୀ ସମୟରେ ତାଙ୍କରି ଆଦର୍ଶକୁ ଜଳାଞ୍ଜଳି ଦେଇଥିଲା।

Categories
ବିଶେଷ ଖବର

ବଡ କାର, ମୋଟା ସୁନାଚେନ ଓ ଦାମୀ ଘଣ୍ଟା ନ ପିନ୍ଧିଲେ ବିଜେଡି ବିଧାୟକଙ୍କ ଗାନ୍ଧୀଗିରି ସଫଳ ହୋଇଯିବ କି?

କେଦାର ମିଶ୍ର 

କିଛି ବର୍ଷ ତଳେ ଭୁବନେଶ୍ୱର ଚାରି ନମ୍ବର ସ୍ଥିତ ବିଧାୟକ କଲୋନୀରେ ବୁଲୁ ବୁଲୁ ଗୋଟେ ଲମ୍ବା କାର ଉପରେ ନଜର ପଡିଥିଲା। ଆଖି ଝଲସେଇ ଦେଲା ଭଳି ସେ କାରଟିକୁ ଦେଖି ତାର ଦାମ କେତେ ହୋଇଥିବ ବୋଲି ଆମେ ଗୁଗୁଲ ରେ ଖୋଜିଲୁ। ଗୁଗୁଲର ଉତ୍ତର ଆସିଲା ଏହି ମୋଡ଼େଲର ସର୍ବନିମ୍ନ ମୂଲ୍ୟ କୋଟିଏ ପଚିଶ ଲକ୍ଷ ଟଙ୍କା। ଓଡିଶାର କିଏ ସେ ବିଧାୟକ ଯେ କୋଟିଏ ପଚିଶ ଲକ୍ଷ ଟଙ୍କାର ଗାଡି ଚଢୁଛନ୍ତି, ଏ କୌତୁହଳ ମନକୁ ଆସିବା ସ୍ଵାଭାବିକ। ତେବେ ଖବର ମିଳିଲା ଯେ ଗାଡିର ମାଲିକ ଜଣେ ପ୍ରାକ୍ତନ ରାଜା। ଦକ୍ଷିଣ ଓଡିଶାର ଏକ ରାଜା ପରିବାରରୁ ଆସି ବିଧାୟକ ହୋଇଥିବା ଏହି ବ୍ୟକ୍ତିଙ୍କର ରାଜକୀୟ ସଉକି ମରି ନଥିଲା। ଏମିତି ଆମର ବହୁ ବିଧାୟକ ଅଛନ୍ତି, ଯେଉଁମାନେ କି ଗୋଟେ ଗୋଟେ ଛୋଟମୋଟ ରାଜା ବା ରାଣୀ। ଅନେକ ତ ପୁରୁଣା ରାଜା ପରିବାରରୁ ଆସିଛନ୍ତି, ତେଣୁ ସେମାନଙ୍କ ଭିତରେ ସାମନ୍ତବାଦୀ ବିଳାସର ମୋହ ସ୍ଵାଭାବିକ ଭାବରେ ରହିଛି। ଆଉ କିଛି ବାରମ୍ବାର କ୍ଷମତା ପାଇବା ଫଳରେ ନିଜକୁ ରାଜା ବୋଲି ଭାବି ନେଇଛନ୍ତି। ଏହି ନେତାମାନେ ଅସଲରେ ଗଣତାନ୍ତ୍ରିକ ଶାସନରେ ଯେ ସାଧାରଣ ଲୋକଙ୍କର ପ୍ରତିନିଧି ଏକଥା ତାଙ୍କର ମନେ ନଥାଏ। ତେବେ ଏମିତି ରାଜକୀୟ ବିଧାୟକ କେବଳ ଶାସକ ଦଳରେ ଅଛନ୍ତି, ତା ନୁହେଁ। ଏମାନେ ସବୁ ଦଳରେ, ସବୁ ରାଜ୍ୟରେ ଓ ସବୁ କ୍ଷେତ୍ରରେ ଅଛନ୍ତି।

ଦୁଇ ଦିନ ତଳେ ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକ ତାଙ୍କର ବିଧାୟକମାନଙ୍କୁ ଡାକି ଏକ ବୈଠକରେ ରୋକଠୋକ ଶୁଣାଇଦେଲେ ଯେ ଲୋକ ପ୍ରତିନିଧିମାନେ ବଡ କାର, ମୋଟା ସୁନାଚେନ ଓ ଦାମୀ ଘଣ୍ଟାର ମୋହ ଛାଡନ୍ତୁ। ଲୋକଙ୍କ ପାଖକୁ ଯାଆନ୍ତୁ ଓ ସରଳ ଜୀବନ ବଞ୍ଚନ୍ତୁ। କଥାଟି ନିହାତି ପ୍ରାସଙ୍ଗିକ। ଯେହେତୁ ନିଜେ ନବୀନ ପଟ୍ଟନାୟକ ଦାମୀ କାର ଓ ବ୍ରାଣ୍ଡେଡ ଲୁଗା ବ୍ୟବହାର କରନ୍ତି ନାହିଁ କିମ୍ବା ତାଙ୍କର ଆଚରଣରେ କେବେହେଲେ ସାମନ୍ତବାଦୀ ପ୍ରଭାବ ନଥାଏ, ତେଣୁ ତାଙ୍କ ଦଳର ନେତାମାନେ ସ୍ଵାଭାବିକ ଭାବରେ ସେହି ଆଦର୍ଶକୁ ଅନୁକରଣ କରିବା କଥା। ଏ କଥା ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ପଡିଲା କାହିଁକି? ୨୦ ବର୍ଷର ଶାସନ ପରେ ବିଜେଡି ନେତାଙ୍କ ଭିତରେ କ୍ଷମତାର ଅହଂକାର ଯେ ଆସିନାହିଁ, ସେକଥା କହିହେବା ନାହିଁ। ବିଜେଡି ର ଅନେକ ମନ୍ତ୍ରୀ ଓ ବିଧାୟକ ଅଛନ୍ତି ଯେଉଁମାନେ ନବୀନ ବାବୁଙ୍କ ଠିକ ଓଲଟା ଜୀବନ ପସନ୍ଦ କରନ୍ତି। କିଛି ପୂର୍ବତନ ନେତାଙ୍କ ପୁଅ ଓ ଝିଅ, ଯେଉଁମାନେ ନୂଆ ବିଧାୟକ ହୋଇଛନ୍ତି ସେମାନଙ୍କ ବେକ ଓ ହାତ ଗୋଟେ ଗୋଟେ ଟ୍ରେଜେରି ଭଳି ଲାଗେ। ଏମାନେ ଦାମୀ ବ୍ରାଣ୍ଡରୁ ତଳକୁ ଖସି ପାରିବେ ନାହିଁ। ନବୀନ ଏମାନଙ୍କୁ ପରୋକ୍ଷରେ ତାଗିଦ କରିନାହାନ୍ତି ତ!

କିଛି ବର୍ଷ ତଳେ ଦିଲ୍ଲୀର ଜଣେ ବିଶିଷ୍ଟ ସାମ୍ବାଦିକା ବିଜେଡ଼ିର ଜଣେ ଲୋକସଭା ସାଂସଦଙ୍କ ସାକ୍ଷାତ୍କାର ନେବାକୁ ଆସିଥିଲେ। ସାଂସଦ ଜଣେ ପୁରୁଣା ରାଜା ପରିବାରର ଲୋକ। ତାଙ୍କୁ ଦେଖି ସମ୍ବାଦିକଙ୍କର ପ୍ରଥମ ପ୍ରଶ୍ନ ଥିଲା- ଆରେ ବାଃ, ଆପକା ସବକୁଛ ବ୍ରାଣ୍ଡେଡ ହୈ। ପୋଷାକ, ଘଣ୍ଟା, ଜୋତା, ଚଷମା ଓ ମୋବାଇଲକୁ ମିଶେଇଦେଲେ ଜଣେ ଜଣେ ଲୋକ ୫୦ ଲକ୍ଷ ଟଙ୍କାର ଆଭୂଷଣ ପିନ୍ଧୁଛନ୍ତି। ଏହାକୁ ଆମେ ସାଧାରଣ ଜୀବନରେ ଗ୍ରହଣ ମଧ୍ୟ କରୁଛେ। ହେଲେ ଏଠି ମୂଳ ପ୍ରସଙ୍ଗ ଭିନ୍ନ। ମୁଖ୍ୟମନ୍ତ୍ରୀ ତାଗିଦ କଲାପରେ ହୁଏତ ବିଧାୟକମାନେ ଭୟରେ ସେସବୁ ପିନ୍ଧି ନ ପାରନ୍ତି। ଭୟରେ ବିଳାସ ଛାଡିବା ଓ ସ୍ଵାଭାବିକ ଭାବରେ ସରଳ ଜୀବନ ବଞ୍ଚିବା, ଦୁଇଟି ଭିନେ କଥା। ନବୀନ ବାବୁ ତାଙ୍କର ପାଞ୍ଚ ତାରକା ଜୀବନକୁ ଛାଡି ଦିଲ୍ଲୀରୁ ଆସିବା ପରେ କେବେହେଲେ ଆଉ ପଛକୁ ଲେଉଟି ଚାହିଁ ନାହାନ୍ତି। ଧଳା-ଢିଲା ପୋଷାକ ଓ ଶସ୍ତା ଚପଲ ତାଙ୍କ ଜୀବନର ଅଂଶ ହୋଇ ରହି ଯାଇଛି।

ନବୀନ ବାବୁ ଓ ତାଙ୍କ ଦଳର ନେତାଙ୍କ ଭିତରେ ଜୀବନ ଦର୍ଶନର ସାମ୍ୟ ଅବଶ୍ୟ ନାହିଁ। ସେଥିଲାଗି ବିଜେଡ଼ିର ବହୁ ନେତା ସୁଯୋଗ ପାଇଲେ ନବୀନଙ୍କୁ ବିରକ୍ତିମିଶା ଗାଳି କରିଥାନ୍ତି। (ହେଲେ ଖୋଲାଖୋଲି କିଛି କହିବାର ହାଡ କାହା ଜିଭରେ ନାହିଁ) ରାଜନୀତି  ବିଳାସ ନୁହେଁ ବରଂ ଲୋକସେବା, ଏକଥା ନବୀନ ବାବୁଙ୍କୁ ବୁଝାଇବାକୁ ପଡିଲା କାହିଁକି? ଦଳର ବିଧାୟକମାନେ ଲୋକସେବାର ଆଦର୍ଶରେ ନାହାନ୍ତି ବୋଲି ନବୀନଙ୍କ ପାଖରେ ଖବର ରହିଛି ନିଶ୍ଚୟ। ଏହାକୁ ଏକ ପ୍ରକାର ସତର୍କ ଘଣ୍ଟି ବୋଲି କୁହାଯାଇପାରେ। ୨୦୧୯ ନିର୍ବାଚନ ପୂର୍ବରୁ ଯେତେବେଳେ ବିଜେଡିର ଏକ ଆଭ୍ୟନ୍ତରୀଣ ରିପୋର୍ଟରୁ ଜଣାପଡିଥିଲା ଯେ, ନବୀନଙ୍କ ଲୋକପ୍ରିୟତା ବଜାୟ ରହିଥିଲେ ମଧ୍ୟ ଅନେକ ସାଂସଦ ଓ ବିଧାୟକଙ୍କ ବିରୋଧରେ ପ୍ରବଳ ଜନମତ ରହିଛି। ସେତେବେଳେ ହିଁ ଏ କଥା ନିଷ୍ପତ୍ତି ହୋଇଥିଲା ଯେ, ନୂଆ ବିଧାୟକ ଓ ସାଂସଦଙ୍କ ଉପରେ ଦଳର ମୁଖିଆ ତୀକ୍ଷ୍ନ ନଜର ରଖିବେ। ତାରି ଭିତରେ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ଆସିଲା। ସରୋଜଙ୍କୁ ଦଳ ତରଫରୁ କୌଣସି ସମର୍ଥନ ମିଳିଲା ନାହିଁ। ସରୋଜଙ୍କ ମାଧ୍ୟମରେ ବାକି ବିଧାୟକମାନଙ୍କୁ ମଧ୍ୟ ବାର୍ତ୍ତା ଦିଆଗଲା ଯେ ବାହୁବଳି ଆଚରଣ ଦେଖାଇଲେ ନବୀନ ବାବୁ କାହାକୁ ଛାଡିବେ ନାହିଁ।

ପରିଶେଷରେ ନିଜେ ନବୀନ ବାବୁ ବିଧାୟକମାନଙ୍କୁ ଡାକି ନିଜର ମତ ସ୍ପଷ୍ଟ ଭାବରେ ଜଣାଇ ଦେଇଛନ୍ତି। ଏବେ ବିଧାୟକମାନଙ୍କ ଜୀବନ ଧାରଣ ଓ ଆଚରଣ ପ୍ରସଙ୍ଗରେ ଲୋକେ ଅନ୍ତିମ ବିଚାରକ ହେବେ। ଦଳ ମୁଖିଆଙ୍କ ଉପଦେଶ/ତାଗିଦକୁ ଲୋକ ପ୍ରତିନିଧିମାନେ କେତେଦୂର ଅନୁପାଳନ କରୁଛନ୍ତି, ତାକୁ ଲୋକେ ଦେଖିବେ ଓ ଦେଖେଇଦେବେ!!

 

Categories
ଆଜିର ଖବର

ବାଣପୁର ରଥଯାତ୍ରା ଦୁର୍ଘଟଣାରେ ଜଣେ ବାଳକ ମୃତ, କ୍ଷତିପୂରଣ ଦାବିରେ ସାଧାରଣ ଲୋକଙ୍କ ରାସ୍ତାରୋକ

ଆଜି ରଥଯାତ୍ରା ବେଳେ ବାଣପୁରରେ ଏକ ଦୁର୍ଘଟଣା ଘଟି ଜଣେ ବାଳକର ମୃତ୍ୟୁ ଘଟିଛି। ବାଳକଟିର ନାମ ହେଉଛି ସୁନୀଲ ପାତ୍ର। ବାଣପୁରର ଐତିହାସିକ ପଲଟନ ପଡିଆରେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଧୂମଧାମରେ ରଥଯାତ୍ରାର ଆୟୋଜନ କରାଯାଇଥିଲା। ହେଲେ ରଥଟଣା ବେଳେ ଦୁର୍ଘଟଣା ଘଟି ଏହି ବାଳକର ମୃତ୍ୟୁ ଘଟିଛି। ଏହାପରେ ସାଧାରଣରେ ବେଶ୍ ଉତ୍ତେଜନା ଦେଖା ଦେଇଥିଲା। ଲୋକମାନେ ସ୍ଥାନୀୟ ପ୍ରଶାସନକୁ ଦାୟୀ କରି ରାସ୍ତା ରୋକ କରିଥିଲେ। ଏପରିକି ଥାନା ଆଗରେ ମଧ୍ୟ ଧାରଣା ଦେଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବ ଘଟଣା ସ୍ଥଳରେ ପହଁଚି ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଠା କରିଛନ୍ତି। ହେଲେ ଲୋକମାନେ କ୍ଷତିପୂରଣ ଦାବି କରି ଧାରଣାରେ ବସିରହିଛନ୍ତି। ସାଧାରଣତଃ ଏହି ରଥଯାତ୍ରା ସ୍ଥାନୀୟ ପ୍ରଶାସନ ଦ୍ବାରା ନିୟନ୍ତ୍ରଣ କରାଯାଇଥାଏ। ସେଥିପାଇଁ ପୋଲିସ ତରଫରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ଏସବୁ ସତ୍ବେ ଏହି ବାଳକର ମୃତ୍ୟୁ ହେବା ସ୍ଥାନୀୟ ପ୍ରଶାସନର ସଂପୂର୍ଣ୍ଣ ବିଫଳତାକୁ ପ୍ରମାଣିତ କରିଛି।

Categories
ବିଶେଷ ଖବର

ବିଜେଡ଼ି ଓ ବିଜେପି- ବାପ ପୁଅ ରାଜନୀତିର ମହାନ ରାଜନୈତିକ ଟେଲି ଧାରାବାହିକ

କେଦାର ମିଶ୍ର

 ପୁଅ କହୁଛନ୍ତି- ବାପା ବିଜେପି ରେ ଖୁସି ନାହାନ୍ତି।

ମିଡ଼ିଆ ଅନୁମାନ କରୁଛି- ବାପା ବୋଧହୁଏ ବିଜେପି ଛାଡ଼ି ନିଜର ପୁରୁଣା ଦଳ ବିଜେଡ଼ି କୁ ଫେରିବେ।

ଏପଟେ ବାପା କହିଛନ୍ତି- ମୋତେ ତ ବିଜେଡ଼ି ତଡିଦେବାରୁ ବିଜେପି ସମ୍ମାନ ର ସହ କୋଳେଇ ନେଇଛନ୍ତି। ମୁଁ ବିଜେଡ଼ି କୁ କାଇଁ ଫେରିବି।

ଏକଥା ଯେ କହୁଛି, ସେ ମୋ ପୁଅ ନୁହଁ, ସେ ବିଜେଡି ର ଜଣେ ବିଧାୟକ।

ଏ ସବୁ କୌଣସି ପାରିବାରିକ ଟିଭି ସିରିଆଲ ର ଡାଇଲଗ ଭଳି ଶୁଭୁନାଇ କି? ଦାମ ବାବୁ ଯେତେବେଳେ ବିଜେପି ରେ ଯୋଗ ଦେଲେ ସେତେବେଳେ ସମବେତ ବିଜେପି କର୍ମୀଙ୍କୁ ପଚାରିଥିଲେ- ଆପଣମାନେ ଖୁସି ତ! ତେବେ ସେ ନିଜେ ଆଜି ଖୁସି ନାହାନ୍ତି ବୋଲି ତାଙ୍କ ପୁଅ କହୁଛନ୍ତି କାହିଁକି? ନିର୍ବାଚନ ପୂର୍ବରୁ ଦାମ ବାବୁ ନିଜକୁ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବରେ ଉପସ୍ଥାପନ କରିବାକୁ ଯାଇ ଲୋକହସା ହୋଇ ସାରିଛନ୍ତି। ଲୁଣିପାଣି ରେ ପଦ୍ମ ଫୁଟିବ ବୋଲି ସେ ଯେଉଁ ଦମ୍ଭ ଦେଖାଉଥିଲେ, ତାହା ବି ଆଜି ଭାଙ୍ଗି ସାରିଛି। ନିଜେ ଦାମ ବାବୁ ଶୋଚନୀୟ ଭାବରେ, ତୃତୀୟ ସ୍ଥାନ ରେ ରହି ପରାସ୍ତ ହୋଇଛନ୍ତି। ତେବେ ପରାଜୟ ପରେ ମଧ୍ୟ ଦାମଙ୍କ ତୁଣ୍ଡରେ ଲଗାମ ଲାଗିନାଇଁ। ଅବଶ୍ୟ ଦାମଙ୍କର ଏକମାତ୍ର ସମ୍ପତ୍ତି ହେଉଛି ତାଙ୍କ ତୁଣ୍ଡ ଖଣ୍ଡକ। କଥା କହିବାରେ ତାଙ୍କ ପରି ଦ୍ଵିତୀୟ ନେତା ଓଡିଶାରେ ନାହାନ୍ତି।

ତେବେ କଥା କହି ଗଣମାଧ୍ୟମର କ୍ୟାମେରା ଆଗରେ ନିଜର ଛବି ଜମେଇ ଦେବାର କଳା ଦାମ ବାବୁ ଜାଣନ୍ତି। ସେଇ କଳାରେ ତାଙ୍କର ସଫଳତା ଓ ସିଦ୍ଧି। ହେଲେ ତାଙ୍କ ନିଜ ଗାଁ ଓ ନିର୍ବାଚନ ମଣ୍ଡଳୀ ଲୋକେ ତାଙ୍କ କଥା ଉପରେ ଆସ୍ଥା ରଖିଲେ ନାଇଁ। ଏତେ ବଡ ନେତା, ଯିଏ ନିଜକୁ ବିଜୁ ବାବୁଙ୍କ ଯୋଗ୍ୟ ଉତ୍ତରାଧିକାରୀ ବୋଲି ଭାବୁଥିଲେ, ସେ ଏମିତି ଶୋଚନୀୟ ଭାବେ ହାରିଲେ କାହିଁକି? ଅବଶ୍ୟ କେହି କେହି କହିଲେ, ପୁଅ ସମ୍ବିତ ରାଉତରାୟ ବିଜେଡି ଟିକଟ ପାଇଲା ପରେ ଦାମ ବାବୁ ଆଉ ନିଜର ଟାଣପଣ ଦେଖେଇଲେ ନାହିଁ। ଶୁଣାଗଲା ଯେ ଦାମ ବାବୁ କୁଆଡେ ପାରାଦୀପର ପୁରୁଣା ବିଜେଡି କର୍ମୀଙ୍କୁ ଡାକି କହିଲେ- ମୋ ପୁଅ ତମକୁ ଲାଗିଲା। ଏ କଥା କେତେ ସତ କେତେ ମିଛ ଆମକୁ ଜଣାନାଇଁ। ହେଲେ ପାରାଦୀପରେ ବିଜେଡି ପ୍ରାର୍ଥୀ ଭାବରେ ସମ୍ବିତ ବିଜୟ ଓ ଏରସମାରେ ଦାମୋଦରଙ୍କ ଶୋଚନୀୟ ପରାଜୟ ଅନେକଟା କାହାଣୀ କହୁଛି।

ନିର୍ବାଚନ ପରେ ଏବେ ହଠାତ ବାପା ଖୁସି ନାହାନ୍ତି ଓ ବିଜେଡି ସୁପ୍ରିମୋ ଚାହିଁଲେ ସେ ଦଳକୁ ଫେରି ପାରିବେ ବୋଲି ସମ୍ବିତ ରାଉତରାୟ କହିବା ପଛରେ ଇଙ୍ଗିତ ଅତ୍ୟନ୍ତ ସ୍ପଷ୍ଟ। ଦାମ ବାବୁ ବିଜେପିର ଉପାଦାନ ନୁହନ୍ତି। ବିଜେପିର ନିୟମ ଓ ଶୃଙ୍ଖଳା ଭିତରେ ବନ୍ଧା ହୋଇ ସେ ରହିପାରିବେ ନାଇଁ। ନିର୍ବାଚନ ପରେ ବିଜେପି ପାଇଁ ତାଙ୍କର ଆଉ ବିଶେଷ ଆବଶ୍ୟକତା ମଧ୍ୟ ନାଇଁ। ବିଜେପିରେ ନିଶିବା ଆଗରୁ ସେ ଓଡିଶାର ଆନ୍ନା ହଜାରେ ହୋଇ ଦୁର୍ନୀତି ବିରୋଧୀ ଆନ୍ଦୋଳନ କରିବେ ବୋଲି ଯାହା କହିଥିଲେ, ତାହା ମଧ୍ୟ ପାଣିର ଗାର ବୋଲି ଲୋକ ଜାଣି ଗଲେଣି। ଅଗତ୍ୟା ରାଜନୀତିରେ ବଞ୍ଚିବାକୁ ହେଲେ ଘରବାହୁଡା ହିଁ ଏକମାତ୍ର ବାଟ! ସେଥିଲାଗି ବାପ ଓ ପୁଅ ହଠାତ ଗଣମାଧ୍ୟମ ଆଗରେ ନିଜର ଭାବପ୍ରବଣ ଡାଇଲଗ ମାରିବା ଆରମ୍ଭ କରିଛନ୍ତି।

ତେବେ ଦାମଙ୍କ ଘରବାହୁଡା ନାଟକରେ, ଘରର ସେଟିଂ ଠିକ ଅଛି ତ! ବିଜେପିରେ ଯେମିତି ତାଙ୍କର କାମ ସରିଯାଇଛି, ବିଜେଡିରେ ମଧ୍ୟ ସେ କେବଳ ବୋଝ ହୋଇ ରହିଥିଲେ। ସରକାରରେ ଥିବାବେଳେ ଓ ସରକାରରୁ ଗଲାପରେ ସେ ବିଜେଡ଼ିର ସବୁଠୁ ବଡ ବିପଦ ହୋଇ କାମ କରିଛନ୍ତି। ବିଜେଡି ଛାଡିଥିବା କୌଣସି ନେତା ଦାମଙ୍କ ପରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବ୍ୟକ୍ତିଗତ ସ୍ତରର ଆକ୍ଷେପ କରିନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅତ୍ୟନ୍ତ କଟୁ ସମାଲୋଚନା କଲାପରେ ମଧ୍ୟ ଦାମଙ୍କ ପୁଅକୁ ଟିକଟ ଦେଇ ଓ ଦାମଙ୍କ ପତ୍ନୀଙ୍କ ମୃତ୍ୟୁପରେ ତାଙ୍କ ଘରେ ପହଞ୍ଚି ନବୀନ ବାବୁ ବହୁତ ବଡ ହୋଇଗଲେ। ଦାମ ବାବୁ ନବୀନଙ୍କ ବିରୋଧରେ କହିବା ଲାଗି ଆଉ ବିଶେଷ କିଛି ରହିଲା ନାଇଁ। ତେବେ ସେଇ କଥାରୁ ଦାମଙ୍କ ବିଜେଡି ଘର ବାହୁଡା ସହଜ ହେବ ବୋଲି ଭାବିବା ନିର୍ବୋଧତା ହେବ। ବିଜେଡ଼ିରୁ ବିଦା ହେବା ପରେ ଆଉ ଥରେ କେହି ଫେରି ନାହାନ୍ତି। ଏକମାତ୍ର ବ୍ୟତିକ୍ରମ ହେଉଛନ୍ତି ପ୍ରଫୁଲ୍ଲ ଘଡେଇ। ପ୍ରଫୁଲ୍ଲ ବାବୁ ବିଜେଡ଼ିରୁ ନିଲମ୍ବିତ ହେବାର ବହୁ ବର୍ଷ ପରେ ମଧ୍ୟ ବିଜେଡି ବିରୋଧରେ ବା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଶବ୍ଦଟିଏ ମଧ୍ୟ ଉଚ୍ଚାରଣ କରିନାହାନ୍ତି। ସେଥିଲାଗି ଘଡାଇଙ୍କୁ ଗତ ନିର୍ବାଚନ ପୂର୍ବରୁ ପୁଣି ଥରେ ଦଳକୁ ଫେରାଇ ଅଣା ଯାଇଥିଲା। ଦାମଙ୍କ କ୍ଷେତ୍ରରେ ତାହା ଘଟିବାର ସମ୍ଭାବନା କ୍ଷୀଣ। ପିତା ଓ ପୁତ୍ରଙ୍କ ଏ ଧାରାବାହିକ ଭାବପ୍ରବଣ ନାଟକ, ବିଜେଡି ଶିବିରରେ ବିଶେଷ କିଛି ଆଗ୍ରହ ସୃଷ୍ଟି କରୁଥିବାର ଦେଖିବାକୁ ମିଳୁନାଇଁ।

Categories
ବିଶେଷ ଖବର

ପାଟକୁରାରୁ ବିଜେଡି ପ୍ରାର୍ଥୀ ହେବେ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲା, ଦଳ ସୁପ୍ରିମୋ କଲେ ଘୋଷଣା

ପାଟକୁରା ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ହେବେ ସାବିତ୍ରୀ ଅଗ୍ରୱାଲା। ସାବିତ୍ରୀ ହେଉଛନ୍ତି ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଘେଷଣା କରିଛନ୍ତି। ଗତ ୨୦ ତାରିଖରେ ବେଦ ପ୍ରକାଶ ଅଗ୍ରୱାଲାଙ୍କ ପରଲୋକ ହୋଇଥିଲା। ଚଳିତ ନିର୍ବାଚନରେ ତାଙ୍କୁ ବିଜେଡି ତରଫରୁ ପାଟକୁରାରୁ ପ୍ରାର୍ଥୀ କରିଥିଲେ। ତାଙ୍କର ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ବହୁଦିନ ଧରି ଭୁବନେଶ୍ବରର ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିବାରୁ ସେ ନାମାଙ୍କନ ପତ୍ର ଦଖଲ କରିଥିଲେ। ହେଲେ ନିର୍ବାଚନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ନିର୍ବାଚନ କମିଶନର ଏହି ନିର୍ବାଚନ ମଣ୍ଡଳୀର ନିର୍ବାଚନକୁ ଆସନ୍ତା ୧୯ ତାରିଖରେ ହେବ ବୋଲି ଘୋଷଣା କରିଥିଲେ। ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ପୂର୍ବରୁ ଯେଉଁମାନଙ୍କ ନାମାଙ୍କନ କାୟମ ରହିଛି ସେମାନଙ୍କର କୌଣସି ପରିବର୍ତ୍ତନ ହେବ ନାହିଁ। କେବଳ ବିଜେଡି ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ବର୍ତ୍ତମାନ ବିଜେଡି ସ୍ବାର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲାଙ୍କୁ ପ୍ରାର୍ଥୀ କରିଛି। ଆସନ୍ତା ୧ ତାରିଖରେ ପ୍ରାର୍ଥୀ ପତ୍ରଦାଖଲ କରିବାର ଶେଷ ତାରିଖ ରହିଛି। ସେଥିପାଇଁ ବିଜେଡି ଆଜି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ଘୋଷଣା ପରେ ବର୍ତ୍ତମାନ ପାଟକୁରା ନିର୍ବାଚନ ମଣ୍ଡଳୀ ଚଳଞ୍ଚଳ ହୋଇ ଉଠିଛି। ଟିକେଟ ଘୋଷଣା ପରେ ସାବିତ୍ରୀ କହିଛନ୍ତି ଯେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋ ଉପରେ ଆସ୍ଥା ରଖି ଟିକେଟ ଦେଇଛନ୍ତି। ମୋର ସ୍ବର୍ଗତ ପତି ବେଦପ୍ରକାଶ ଅଗ୍ରୱାଲଙ୍କ ଅଧୁରା ସ୍ବପ୍ନକୁ ପୁରଣ କରିବାରେ ଚେଷ୍ଠା କରିବି।

Categories
ଆଜିର ଖବର

ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୫୩ ପ୍ରତିଶତ ମତଦାନ, ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ

ରାଜ୍ୟ ନିର୍ବାଚନ ଅଧିକାରଙ୍କ ସୂଚନା ଅନୁସାରେ ରାଜ୍ୟରେ ଅପରାହ୍ନ ୩ ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି। ଏ ପର୍ଯ୍ୟନ୍ତ କୌଣସି ବୁଥରେ ବଡ କିଛି ଘଟଣା ଘଟିଥିବାର ସୂଚନା ନାହିଁ। ଆଜି ରାଜ୍ୟର ୬ଟି ଲୋକସଭା ଆସନ ଏବଂ ୪୧ ଟି ବିଧାନସଭା ଆସନରେ ମତଦାନ ହେଉଛି। ଏହି ସମୟ ମଧ୍ୟରେ ବିଭିନ୍ନ ଲୋକସଭା ଆସନରେ ହୋଇଥିବା ମତଦାନ ପ୍ରତିଶତ ହେଲା

ମୟୁରଭଂଜ- ୫୪.୩୮ ପ୍ରତିଶତ

ବାଲେଶ୍ବର- ୫୧.୨୬ ପ୍ରତିଶତ

ଭଦ୍ରଖ- ୫୦.୮୦ ପ୍ରତିଶତ

ଯାଜପୁର- ୫୧.୭୨ ପ୍ରତିଶତ

କେନ୍ଦ୍ରାପଡା- ୫୫.୩୮ ପ୍ରତିଶତ

ଜଗତସିଂହପୁର- ୪୫.୮୨ ପ୍ରତିଶତ ମତଦାନ ହୋଇଛି

Categories
ବିଶେଷ ଖବର

କେନ୍ଦ୍ରାପଡା, ନିର୍ବାଚନର ଅନ୍ତିମ ସମୟରେ ଭୟ ଓ ଆଶଙ୍କାର ଅବାସ୍ତବ ରାଜନୀତି

ସମୀକ୍ଷା ବ୍ୟୁରୋ

ଶେଷ ଖବର ମୁତାବକ କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରତି ଭୋଟରଙ୍କ ଆସ୍ଥା ବଢୁଛି ଓ ସେ ଜିତି ଯାଇପାରନ୍ତି ବୋଲି ଏକ ଧାରଣା ସବୁଠି ଘୂରି ବୁଲୁଛି। ତା ସତ୍ତ୍ୱେ ବିଜେପିର ଏକ ସାତ ଜଣିଆ ପ୍ରତିନିଧି ଦଳ ଆଜି ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରି କହିଛନ୍ତି ଯେ କୁଆଡେ କେନ୍ଦ୍ରାପଡାର ୧୯୯୨ ଟି ଯାକ ବୁଥରେ ରିଗିଂ କରାଯିବ। ନବୀନ ସରକାରର ପୋଲିସ ଓ ସରକାରୀ କର୍ମଚାରୀ କୁଆଡେ ସବୁ ଭୋଟ ନିଜ ଆଡକୁ ନେଇଯିବେ। ଏହା ସହିତ ବିଜେପିର କୁହାଳିଆ ଉପ ସଭାପତି ପୀତାମ୍ବର ଆଚାର୍ୟ ଏୟା ବି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ରୁ ୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟି ଫେରିଛନ୍ତି। ବିଜେପିର ଏ ପ୍ରକାର ଅଭିଯୋଗ ଶୁଣି ଯେ କେହି ବି ଚିନ୍ତାରେ ପଡିବ ଯେ, ସତରେ କଣ ବୈଜୟନ୍ତ ଜିତୁଛନ୍ତି! ନା ବୈଜୟନ୍ତ ହାରନ୍ତୁ ବୋଲି ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଚକ୍ରାନ୍ତ କରି ଏ ପ୍ରକାର ମିଛ କାହାଣୀ ବୁଣୁଛନ୍ତି? କେନ୍ଦ୍ରାପଡା ନକ୍ସଲ ପୀଡିତ ଅଞ୍ଚଳ ନୁହେଁ କିମ୍ବା ସେଠି ନିର୍ବାଚନୀ ହିଂସା ଏତେ ବ୍ୟାପକ ହୋଇନାହିଁ ଯେ ନିର୍ବାଚନ କମିଶନ ପୂରା ନିର୍ବାଚନ ମଣ୍ଡଳୀରେ ପାରା ମିଲିଟାରୀ ବାହିନୀ ମୁତୟନ କରିବେ। ଜଣେ ତଥାକଥିତ ଜିତୁଥିବା ପ୍ରାର୍ଥୀ ଏତେ ଡରିବାର କାରଣ କଣ? ଲୋକେ ଯଦି ଆପଣଙ୍କୁ ସମର୍ଥନ କରୁଛନ୍ତି, ସେମାନେ କଣ ଏତେ ଭୟାଳୁ ଯେ ଡରରେ ବା ପ୍ରଲୋଭନରେ ବିଜେଡ଼ିକୁ ଭୋଟ ଦେଇଦେବେ ?

ସତ କହିବାକୁ ଗଲେ ବିଜେପିର ଏ ପ୍ରକାର ଉଦ୍ଦେଶ୍ୟ ପଛରେ କିଛି ଗୋଟେ ଭିତିରି ରହସ୍ୟ ରହିଛି। ଯଦି ମୁଖ୍ୟମନ୍ତ୍ରୀ ୪୫-୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟିକି ଚାଲି ଆସିଲେ, କେନ୍ଦ୍ରାପଡାରେ ବାବୁ ବୈଜୟନ୍ତ ଓ ତାଙ୍କ ଚୌକିଦାରମାନେ କରୁଥିଲେ କଣ? ତେବେ ମୁଖ୍ୟମନ୍ତ୍ରୀଙ୍କ ଆଗରୁ କେନ୍ଦ୍ରାପଡାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଯାଇଥିଲେ। ଆମେ କଣ କହିବା ଯେ ପ୍ରଧାନମନ୍ତ୍ରୀ ସେଠି ବୈଜୟନ୍ତଙ୍କୁ ଜିତାଇବାକୁ ୫୦-୬୦ କୋଟି ବାଣ୍ଟି ଦେଇ ଚାଲି ଆସିଛନ୍ତି! ଯଦି ସାରା ଦେଶର ନଜର ଥିବା ଓ ଏ ପର୍ୟନ୍ତ ନିର୍ବାଚନୀ ହିଂସାରୁ ବିରତ ରହିଥିବା ଏକ ନିର୍ବାଚନ ମଣ୍ଡଳୀ ବିଷୟରେ ଏତେ ଭୟ ଓ ଆଶଙ୍କା ବିଜେପି ତରଫରୁ ସୃଷ୍ଟି କରାଯାଉଛି କାହିଁକି? ହୁଏତ ବିଜେଡି କୁ ଚାପରେ ରଖିବାକୁ ଏହା ବିଜେପିର ଏକ କୌଶଳ ହୋଇଥାଇପାରେ। ହେଲେ ଏ ପ୍ରକାର ବାର୍ତ୍ତାକୁ ଭୋଟର ଭିନ୍ନ ବାଗରେ ଗ୍ରହଣ କରନ୍ତି ଯଦି, ତାହେଲେ ସବୁ କିଛି ଓଲଟ ପାଲଟ ହୋଇଯାଇପାରେ।

ଭୋଟ ଗ୍ରହଣର ପୂର୍ବ ୨୪ ଘଣ୍ଟା ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବୁଥ ପରିଚାଳନା ଓ ପ୍ରତ୍ୟେକ ବୁଥରେ ନିଜର ବିଶ୍ଵସ୍ତ ଏଜେଣ୍ଟ ରଖିପାରିବା ପ୍ରାର୍ଥୀଙ୍କ ପାଇଁ ବଡ ଆହ୍ଵାନ। ବିଜେପି ଓ ବୈଜୟନ୍ତଙ୍କ ପାଖରେ ଏତେ ସଂଖ୍ୟକ ବିଶ୍ଵସ୍ତ ଏଜେଣ୍ଟ ନାହାନ୍ତି କି? ନଚେତ ୧୯୯୨ ଟି ଯାକ ବୁଥ ରିଗିଂ ହୋଇପାରେ ବୋଲି ଅଭିଯୋଗର କୌଣସି ଭିତ୍ତି ନାହିଁ। କାଳ୍ପନିକ ଅଭିଯୋଗ କରି ଗୁଡାଏ ଆଜେ ବାଜେ କଥା କହିଲେ ଲୋକ ଏବେ ଆଉ ଶୁଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ଟଙ୍କା ବାଣ୍ଟୁଛନ୍ତି ବୋଲି କହିଲେ ସେକଥାର ମୂଲ୍ୟ ବା କଣ? ଏ ପ୍ରକାର ଅଭିଯୋଗ କରି ବିଜେପି ପରୋକ୍ଷରେ ବୈଜୟନ୍ତଙ୍କ ଦୁର୍ବଳତାକୁ ପଦାରେ ପକାଉଛି କି ?

ନିର୍ବାଚନରେ ଜିତିବା ହାରିବା ତ ଅନ୍ତିମ କଥା, ହେଲେ ନିର୍ବାଚନ ସମୟରେ ଦଳ ଓ ପ୍ରାର୍ଥୀଙ୍କ ପଦେ ପଦେ କଥାରେ ପାନରୁ ଚୂନ ଖସି ଯାଇପାରେ, ଏ କଥା ବିଜେପି ନିହାତି ବୁଝିବା ଉଚିତ !

(ମୋବାଇଲରେ ଫଟାଫଟ ଖବର ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ଠେଲିଠେଲି ପଢି ଚାଲନ୍ତୁ ଖବର)

Categories
ଆଜିର ଖବର

ବୈଜୟନ୍ତଙ୍କ ବିରୋଧରେ ବିଜେଡିର ଅଭିଯୋଗ, ପ୍ରଚାର ବନ୍ଦ ଥିବାବେଳେ ସେ ଡିଜିଟାଲ ମାଧ୍ୟମରେ ପ୍ରଚାର କରୁଛନ୍ତି କିପରି ?

ରାତିପାହିଲେ କେନ୍ଦ୍ରପଡା ନିର୍ବାଚନ ହେଲେ ଏ ପର୍ଯ୍ୟନ୍ତ ବିଜେଡି ବିଜେପି ମଧ୍ୟରେ ଛକାପଞ୍ଚା ଶେଷ ହେଉ ନାହିଁ। ବିଳମ୍ବିତ ସମୟରେ ବିଜେଡି, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। ଦଳ ତରଫରୁ ସସ୍ମିତ ପାତ୍ର, ଲେନିନ ମହାନ୍ତି ଏବଂ ସୁଲତା ଦେଓ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ପ୍ରଚାର ବନ୍ଦ ଥିବା ବେଳେ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଡିଜିଟାଲ ମିଡିଆରେ ପ୍ରଚାର କରୁଛନ୍ତି। ଅଭିଯୋଗ ଅନୁଯାୟୀ ବୈଜୟନ୍ତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଭୋଟ ଦେବା ପାଇଁ ଅପିଲ କରୁଛନ୍ତି। ଏପରିକି ଏକ ନିର୍ଦ୍ଦିଷ୍ଠ ମୋବାଇଲ ନମ୍ବରରୁ ଲୋକଙ୍କ ପାଖକୁ ଫୋନ କଲ ଆସୁଛି ଯେ, ବୈଜୟନ୍ତ ପଣ୍ଡାଙ୍କୁ ପଦ୍ମଫୁଲରେ ଭୋଟ ଦିଅନ୍ତୁ। ନିର୍ବାଚନ ଆଚରଣ ବିଧି ଅନୁସାରେ କୌଣସି ପ୍ରାର୍ଥୀ ଭୋଟ ଗ୍ରହଣର 48 ଘଣ୍ଟା ପୂର୍ବରୁ କିଛି ବି ପ୍ରଚାର କରିପାରିବେ ନାହିଁ। ହେଲେ ବୈଜୟନ୍ତ କିପରି ପ୍ରଚାର କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏହା ଉପରେ ପଦକ୍ଷେପ ନିଅନ୍ତୁ ବୋଲି ଦଳ ଦାବୀ କରିଛି।

Categories
ବିଶେଷ ଖବର

ଆସନ୍ତାକାଲି ଓଡିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ, ୫୨ ଜଣ ଲୋକସଭା ଏବଂ ୩୩୬ ଜଣ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ସମୀକ୍ଷା ବ୍ୟୁରୋ

ଓଡିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ସୋମବାର ସକାଳ ୭ଟାରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଏବଂ ୪୧ ଟି ବିଧାନସଭାରେ ନିର୍ବାଚନ ଅନୁଷ୍ଠିତ ହେବ। ପାଟକୁରାର ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ପାଇଁ ଏହି ବିଧାନସଭା ଆସନ ପାଇଁ ନିର୍ବାଚନ ସୋମବାର ଦିନ ନ ହୋଇ ଆସନ୍ତା ୧୯ ତାରିଖରେ ହେବ। ଏଥର ୬ଟି ଲୋକସଭା ପାଇଁ ୫୨ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୪୦ଜଣ ପୁରୁଷ ଥିବା ବେଳେ ୧୨ ଜଣ ମହିଳା ଅଛନ୍ତି। ସେହିପରି ୪୧ ଟି ବିଧାନସଭାରେ ଏଥର ୩୩୬ ଜଣ ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ୩୦୧ ଜଣ ପୁରଷ, ୩୪ ଜଣ ମହିଳା ଏବଂ ଜଣେ କିନ୍ନର ଅଛନ୍ତି।

ଏହି ପର୍ଯ୍ୟାୟରେ ୯୫ଲକ୍ଷ ୬ଶହ ୫୩ ଜଣ ଭୋଟର ଭୋଟ ଦେବେ। ସେମାନଙ୍କ ମଧ୍ୟରେ ୪୯ ଲକ୍ଷ ଏକ ହଜାର ୭୯ ଜଣ ପୁରୁଷ ଭୋଟର ଅଛନ୍ତି। ସେହିପରି ୪୫ ଲକ୍ଷ ୯୮ ହଜାର ୯ଶହ ୭୯ ଜଣ ମହିଳା ଭୋଟର ଏବଂ ୫ଶହ ୯୫ ଜଣ କିନ୍ନର ଭୋଟର ଅଛନ୍ତି। ଏହି ନିର୍ବାଚନ ପରିଚାଳନା ପାଇଁ ୭୨ ହଜାର ୩ଶହ ୬୩ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ତେବେ ନିର୍ବାଚନ ଅଧିକାରୀଙ୍କ ଅଫିସରୁ ମିଳିଥିବା ସୂଚନା ଅନୁସାରେ ଏଥର ୭ ଲକ୍ଷ ୯୯ ହଜାର ୮ଶହ ୬୨ଜଣ ପ୍ରଥମ ଥର ପାଇଁ ଭୋଟ ଦେବେ। ଏଥର ନିର୍ବାଚନରେ ୧୦ ହଜାର ୭ଶହ ୯୨ଟି ପୁଲିଂ ବୁଥ କରାଯାଇଛି ବୋଲି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଥର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।

ନିର୍ବାଚନକୁ ସ୍ବଚ୍ଛ ଏବଂ ନିରପକ୍ଷ ଭାବେ ପରିଚାଳନା କରିବା ପାଇଁ ବିଭିନ୍ନ ସ୍ଥାନରେ ନିର୍ବାଚନ ଅଧିକାରୀମାନେ ତଦାରଖ କରୁଛନ୍ତି। ଭୋଟରମାନଙ୍କୁ ଯେପରି ପ୍ରଭାବିତ ନ କରାଯିବ ସେଥିପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଏଥର ପୋଲିସ ପ୍ରାୟ ୪ କୋଟି ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଛି। ସେହିପରି ପ୍ରାୟ ୧ ଲକ୍ଷରୁ ଉର୍ଦ୍ଦ୍ୱ ଲିଟରର ମଦ ମଧ୍ୟ ଜବତ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ପ୍ରାୟ ୨୫୦ଟି ବେଆଇନି ଭାବେ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି।

ହେଭିୱେଟ ଲୋକସଭା ପ୍ରାର୍ଥୀ ଭାବେ ଜୟ ପଣ୍ଡା,ରବି ଜେନା,ପ୍ରତାପ ଷଡଙ୍ଗୀ,ଅନୁଭବ ମହାନ୍ତି,ରାଜଶ୍ରୀ ମଲ୍ଲିକ ଏବଂ ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କ ପରି କେତେକ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ସେହିପରି ବିଧାନସଭା ପାଇଁ ଡାକ୍ତର ଦାମୋଦର ରାଉତ, ପୁତ୍ର ସଂବିଦ ରାଉତରାୟ,ମନମୋହନ ସାମଲ, ବସ୍ତାରୁ ରଘୁନାଥ ମହାନ୍ତି, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ,ଶଶିଭୂଷଣ ବେହେରା, ପ୍ରତାପ ଜେନା, ଅନନ୍ତ ଦାସ, ପ୍ରଫୁଲ ସାମଲ, ନିରଂଜନ ପଟ୍ଟନାୟକ, ପ୍ରଣବ ଦାସ, ପ୍ରଣବ ବଳବନ୍ତରାୟ, ଚିରଞ୍ଜୀବୀ ବିଶ୍ବାଳ, ଗଣେଶ୍ବର ବେହେରା, ପ୍ରମିଳା ମଲ୍ଲିକ ପ୍ରମୁଖ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବ।

Categories
ବିଶେଷ ଖବର

ବିଜେଡି ଓଡିଶାରେ ନିର୍ବାଚନ ଜିଣି ସାରିଛି , ଚତୁର୍ଥ ପର୍ଯ୍ୟାୟ ଏବେ କେବଳ ଅତିରିକ୍ତ ବୋନସ ମାତ୍ର !

ସମୀକ୍ଷା ବ୍ୟୁରୋ

ଗତ ୨୩ ଏପ୍ରିଲରେ ଓଡିଶାର ୬ ଟି ଲୋକସଭା ଓ ୪୨ ଟି ବିଧାନସଭା ପାଇଁ ନିର୍ବାଚନ ଚାଲିଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡାରେ ଏକ ନିର୍ବାଚନ ସଭାରେ ସମ୍ବୋଧିତ କରି କହିଥିଲେ ଯେ, ନବୀନ ବାବୁକା ଓଡିଶା ସେ ଜାନା ତୟ ହୈ- ଅର୍ଥାତ ଓଡିଶା ଶାସନରୁ ନବୀନ ପଟ୍ଟନାୟକଙ୍କ ବିଦାୟ ଏଥର ନିଧାର୍ଯ୍ୟ। ଯେତେବେଳେ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ବଡ ଇଜ୍ଜତଦାର ଢଙ୍ଗରେ ଏ କଥା କହୁଥିଲେ, ସେତେବେଳେ ଓଡିଶାର ଜନ ସାଧାରଣ ଓଡିଶା ଶାସନର ଭବିଷ୍ୟତ ବିଷୟରେ ନିର୍ଣ୍ଣାୟକ ନିଷ୍ପତ୍ତି ନେଇସାରିଥିଲେ। ୧୦୫ଟି ବିଧାନସଭା ପାଇଁ ଅନୁଷ୍ଠିତ ହୋଇସାରିଥିବା ନିର୍ବାଚନରେ ୧୯ ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳ କୁ ପୁଣି ଥରେ ବହୁମତ ମିଳିସାରିଛି ବୋଲି ବିଭିନ୍ନ ସୂତ୍ରରୁ ଜଣା ପଡୁଛି। ଗତ ମାସେ ଧରି ଆମର କ୍ଷେତ୍ର ଅଧ୍ୟୟନ, ବିଭିନ୍ନ ସାମ୍ବାଦିକ ଓ ସମାଜସେବୀଙ୍କ ସୂଚନା ତଥା କେତୋଟି ଗୋପନୀୟ ସୂତ୍ରରୁ ଯାହା ଜଣା ପଡୁଛି, ପ୍ରଥମ ତିନୋଟି ପର୍ୟାୟରେ ବିଜେଡି ସରକାର ଗଢିବା ଲାଗି ଆବଶ୍ୟକ ହେଉଥିବା ୭୪ ସଂଖ୍ୟା ଟପି ସାରିଛି। ଚତୁର୍ଥ ପର୍ଯ୍ୟାୟରେ ଆଉ ଯେତିକି ଆସନ ମିଳିବ ତାହା ବିଜେଡି ପାଇଁ କେବଳ ଅତିରିକ୍ତ ବୋନସ ବୋଲି କୁହା ଯାଇପାରେ।

ଏକଥା କହିଲା ବେଳେ ଅନ୍ୟ ଦଳର ସମର୍ଥକ ଓ ଭକ୍ତଙ୍କର ସ୍ଵାଭାବିକ ପ୍ରତିକ୍ରିୟା କଣ ହେବ ଆମେ ଜାଣୁ। କିନ୍ତୁ ସତ୍ୟ କୁ ଅଣଦେଖା  କରି ସାମ୍ବାଦିକତା କରିବା  ଆମର ଧର୍ମ ନୁହେଁ। ଏହି ନିର୍ବାଚନ ସ୍ଥିତାବସ୍ଥା ସପକ୍ଷରେ ଏକ ନିର୍ବାଚନ, ଏହି ସତ୍ୟ କୁ ଆମକୁ ସ୍ଵୀକାର କରିବାକୁ ପଡିବ। ଏକଥା ସର୍ବ ସାଧାରଣରେ ଲେଖିଲା ବେଳେ ଆମେ ଏଥି ପ୍ରତି ମଧ୍ୟ ସତର୍କ ଯେ, ନିର୍ବାଚନ ସମ୍ପର୍କିତ କୌଣସି ବି ଭବିଷ୍ୟତବାଣୀ ୧୦୦% ସତ୍ୟ ହୋଇ ନପାରେ। ତଥାପି ଆମେ ଆମ ସୂତ୍ରକୁ ନେଇ ବେଶ ବିଶ୍ଵସ୍ତ ତଥା ଆଶ୍ଵସ୍ତ । ପ୍ରଥମ ଦୁଇଟି ପର୍ଯ୍ୟାୟରେ ବିଜେଡି କୁ ୪୫ ରୁ ୫୦ ଆସନ ମିଳିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଏହା ୨୫-୨୮ ଆସନ ହାସଲ କରିବାରେ ସମର୍ଥ ହୋଇଛି। ବିଜେପି ଓ କଂଗ୍ରେସ ଭିତରେ ଦ୍ଵିତୀୟ ସ୍ଥାନ ଲାଗି କଡା ମୁକାବିଲା ଅଛି। ତେବେ କଂଗ୍ରେସ ଓ ବିଜେପି ବିଜେଡ଼ିର ପାଖାପାଖି ହୋଇ ପାରିବେ ବୋଲି ଆଶା କରା ଯାଉନାହିଁ।

ଆଉ ଗୋଟେ କଥା ଏଥି ସ୍ପଷ୍ଟ କରିଦେବା ଠିକ ହେବ। ଏଥର ଓଡିଶାରେ ବିଜେପିର ଭୋଟ ହାର ଅତି କମରେ ୭ ରୁ ୧୦ % ବଢିପାରେ। ତେବେ ଏହି ଅଭିବୃଦ୍ଧି ଆସନ ଜିଣିବାରେ ସହାୟକ ହେବନାହିଁ। କଂଗ୍ରେସ ଆଜି ମଧ୍ୟ ନିଜର ୧୫% ଭୋଟ ଆଧାରକୁ ଅକ୍ଷୁଣ୍ଣ ରଖିଛି। ତାହା ହିଁ ବିଜପି ଲାଗି ଚିନ୍ତାର କାରଣ। ଏ ପର୍ୟନ୍ତ ବିଜେଡ଼ିର ଭୋଟ ଆଧାର ଉପରେ ବିଜେପି ହାତ ମାରି ପାରିନାହିଁ। ଯାହାର ପରିଣତି ସ୍ଵରୂପ ପ୍ରଥମ ଦୁଇଟି ପର୍ୟାୟରେ ବିଜେଡି ଅନେକ ବିଧାନସଭା ଆସନ ପୋଛି ନେଇଛି। ଏପରିକି କଳାହାଣ୍ଡି ଓ ନବରଂଗପୁର ଲୋକସଭା କ୍ଷେତ୍ର, ଯେଉଁଠି ବିଜେପି ଓ କଂଗ୍ରେସର ସ୍ଥିତି ନିର୍ବାଚନ ପୂର୍ବରୁ ବେଶ ସୁଦୃଢ ଲାଗୁଥିଲା, ସେଠାରେ ମଧ୍ୟ ବିଜେଡ଼ିର ପ୍ରଦର୍ଶନ ଯଥେଷ୍ଟ ଭଲ ହୋଇଛି ବୋଲି ରିପୋର୍ଟ ମିଳୁଛି। କଳାହାଣ୍ଡିରେ ୫ ଟି ଆସନ ବିଜେଡ଼ିକୁ ଓ ଗୋଟିଏ ଲେଖାଏଁ ଆସନ କଂଗ୍ରେସ ଓ ବିଜେପି ହାତକୁ ଯାଇଛି ବୋଲି ଅନୁମାନ କରାଯାଉଛି। ନବରଙ୍ଗପୁରରେ ମଧ୍ୟ ସ୍ଥିତି ଆପାତତଃ ସମାନ ରହିଛି। ମାଲକାନଗିରିରେ ବିଜେପି ଓ ବିଜେଡି ମଧ୍ୟରେ ତୀବ୍ର ମୁକାବିଲା ଥିବା ବେଳେ ନବରଙ୍ଗପୁର ବିଧାନସଭା ଆସନ କଂଗ୍ରେସ ପାଇଛି ବୋଲି କୁହା ଯାଉଛି। ବାକି ସବୁ ଆସନରେ ବିଜେଡ଼ିର ପ୍ରଦର୍ଶନ ଭଲ ରହିଛି।

ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ବିଜେପିର ପ୍ରଦର୍ଶନ ଭଲ ହୋଇଥିବାର ରିପୋର୍ଟ ଆସୁଛି। ବଲାଙ୍ଗିରର ଲୋଇସିଂହା ଓ ପାଟଣାଗଡ ଆସନ ବିଜେପି ପାଉଛି ବୋଲି ସୂଚନା ମିଳୁଥିବା ବେଳେ କଣ୍ଟାବାଞ୍ଜିରେ ପୁରୁଖା କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଅଗ୍ରଣୀ ରହିଛନ୍ତି।

ଆମେ କେବଳ କେତୋଟି ନିର୍ଦ୍ଦିଷ୍ଟ କ୍ଷେତ୍ର ବିଷୟରେ ଏଠାରେ ସୂଚନା ଦେଇ ମଇ ୨୩ ର ଫଳାଫଳ ବିଷୟରେ ଏକ ସଙ୍କେତ ପ୍ରଦାନ କରୁଛୁ। ଆମର ପାଠକ ଆସନ୍ତା ୨୩ ତାରିଖରେ ଆମର ଅନୁମାନ ଓ ସତ୍ୟତାର ଏକ ତୁଳନା କରିବାର ସୁଯୋଗ ନିଶ୍ଚୟ ପାଇବେ। ଆମର ଅନୁମାନ କୁ ନେଇ ଆପଣଙ୍କର ତାଳି ଓ ଗାଳି, ଉଭୟକୁ ଆମର ସ୍ବାଗତ।

( ମୋବାଇଲରେ ଫଟାଫଟ ଖବର ପଢିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର )