Categories
ଆଜିର ଖବର ରାଜ୍ୟ ଖବର

ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳିତ

ରଣପୁର: ରାଜ୍ୟ ସରକାରଙ୍କ ସାମ୍ବାଦିକମାନଙ୍କ ପ୍ରତି ଅବହେଳା ମନୋଭାବ ସାମ୍ବାଦିକମାନଙ୍କୁ ମର୍ମାହତ କରିଛି। ଅନ୍ୟ ରାଜ୍ୟର ସାମ୍ବାଦିକମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ମିଳୁଥିବା ବେଳେ ଓଡିଶାର ସାମ୍ବାଦିକମାନେ ସେସବୁ ସୁବିଧାରୁ ବଂଚିତ ହେଉଛନ୍ତି। ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସାମ୍ବାଦିକମାନଙ୍କ ପ୍ରତି ହେଉଥିବା ଅବହେଳା ପ୍ରତିବାଦରେ ନୟାଗଡ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କରିଛନ୍ତି।

ଏହା ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ନୟାଗଡ ଜିଲ୍ଲାପାଳଙ୍କୁ ଏକ ଚାରି ଦଫା ବିଶିଷ୍ଟ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଚାରି ଦଫା ଦାବିଗୁଡିକ ହେଉଛି ପ୍ରଚଳିତ ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ମାସିକ ୧୫ ହଜାର ଟଙ୍କା ପେନାସନ ପ୍ରଦାନ କରିବା, ଦୀର୍ଘ ଦିନ ଧରି ଅଚଳ ଥିବା ସାମ୍ବାଦିକ ଅଧିସ୍ୱୀକୃତି କମିଟିର ପୁନଃ ଗଠନ କରିବା ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା।

ଏହି ପ୍ରତିବାଦ ଦିବସ ପାଳନରେ ନୟାଗଡ ଜିଲ୍ଲା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସଭାପତି ଆଚାର୍ଯ୍ୟ ବିଶ୍ୱରଂଜନଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ଗୋପାଳଚନ୍ଦ୍ର ବିଶ୍ୱାଳ, ଉପଦେଷ୍ଟା ସଞ୍ଜୟ କୁମାର ସ୍ୱାଇଁ, ଉପସଭାପତି ବିରଞ୍ଚି ନାୟକ, ସମ୍ପାଦକ ବ୍ରଜ ରଣସିଂହ, ଉମେଶ ଚନ୍ଦ୍ର ସାହୁ, ଶିବାନନ୍ଦ ଘଡେଇଙ୍କ ସହ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।

Categories
ବିଶେଷ ଖବର

ଅତିକ୍-ଅଶ୍ରଫ୍ ଙ୍କ ହତ୍ୟା ପରେ ବଡ ନିଷ୍ପତ୍ତି, ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ SOP ପ୍ରସ୍ତୁତ କରିବ କେନ୍ଦ୍ର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫଙ୍କ ହତ୍ୟା ପରେ କେନ୍ଦ୍ର ସରକାର ସତର୍କ ଅବସ୍ଥାରେ ଅଛନ୍ତି। ପୋଲିସ୍ ହେପାଜତରେ ଅତିକ୍ ଅହମ୍ମଦଙ୍କୁ ଆକ୍ରମଣ କରିଥିବା ତିନିଜଣ ଯୁବକ ଗଣମାଧ୍ୟମର ବ୍ୟକ୍ତି ଭାବରେ ଯୋଗ ଦେଇଥିଲେ। ଏଭଳି ପରିସ୍ଥିତିରେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ବର୍ତ୍ତମାନ ଗୃହ ମନ୍ତ୍ରଣାଳୟ SOP ପ୍ରସ୍ତୁତ କରିବ। ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଏହି ପଦକ୍ଷେପ ନିଆଯାଉଛି।

ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିସର୍ (SOP) ପ୍ରସ୍ତୁତ କରିବାକୁ ଯାଉଛି। ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ତିନିଜଣ ବ୍ୟକ୍ତି ଦୁଇ ଭାଇଙ୍କୁ ଗୁଳି କରି ହତ୍ୟା କରିଥିଲେ, ଯେତେବେଳେ ପୋଲିସ୍ ସେମାନଙ୍କୁ ପରୀକ୍ଷା ପାଇଁ ଏକ ମେଡିକାଲ କଲେଜକୁ ନେଉଥିଲେ।

ଏଫ୍ଆଇଆର୍ ଅନୁଯାୟୀ ଅଭିଯୁକ୍ତ କହିଛନ୍ତି ଯେ, ସେମାନେ ଅତିକ୍-ଅଶ୍ରଫ୍ ଗ୍ୟାଙ୍ଗକୁ ପୋଛି ଦେବାକୁ ଚାହୁଁଛନ୍ତି, ଯାହାଫଳରେ ସେମାନେ ରାଜ୍ୟରେ ନାମ ପାଇବେ। ସେହି ଲୋକମାନେ ପୋଲିସର କର୍ଡନ ଅନୁମାନ କରିପାରିନଥିଲେ ଏବଂ ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଧରାପଡିଥିଲେ। ସେ ଅନେକ ଦିନ ଧରି ଅତିକ୍ ଏବଂ ଅଶ୍ରଫ୍ ଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଉପଯୁକ୍ତ ସମୟ କିମ୍ବା ସୁଯୋଗ ପାଇନଥିଲେ।

ଏହି ସମୟରେ ପ୍ରୟାଗରାଜ ରାସ୍ତାରେ ନୀରବତା ରହିଛି। ସବୁଆଡେ ପୋଲିସ ମୁତୟନ କରାଯାଇଛି ଏବଂ ଦୋକାନଗୁଡ଼ିକର ସଟର ବନ୍ଦ କରାଯାଇଛି। ପ୍ରତ୍ୟେକ କାର୍ଯ୍ୟ ଉପରେ ପୋଲିସ ନଜର ରଖିଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କଠାରୁ ପୋଲିସ କଡା ନିରୀକ୍ଷଣ ନିର୍ଦ୍ଦେଶ ପାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ସାମ୍ବାଦିକମାନେ ରାଜନୀତି କରିବା ପାଇଁ ଓଡିଶାର କେଉଁ ଦଳ ସୁରକ୍ଷିତ ??

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକରୁ ରାଜନେତା ପାଲଟିଥିବା ସତ୍ୟ ପ୍ରକାଶ ନାୟକ ନିକଟରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦୀର୍ଘ ବର୍ଷ ଧରି କଂଗ୍ରେସରେ ରହି ନିଜର ରାଜନୈତିକ ଭବିଷ୍ୟତ ସୁଦୃଢ କରିବା ପାଇଁ ଆଶା କରିଥିଲେ। ହେଲେ ସତ୍ୟ ପ୍ରକାଶ ସେହି ଦଳରେ ବେଶୀ ଦିନ ତିଷ୍ଠି ରହି ପାରିଲେ ନାହିଁ। କଂଗ୍ରେସ ଦଳ ପ୍ରତି ଅସନ୍ତୁଷ୍ଠ ହୋଇ ଇସ୍ତଫା ଦେଲେ।

କେବଳ ସତ୍ୟ ପ୍ରକାଶ ନୁହଁନ୍ତି ତାଙ୍କ ପୂର୍ବରୁ ସେହିପରି ଆଉ ଦୁଇ ଜଣ ପ୍ରମୁଖ ସାମ୍ବାଦିକ କଂଗ୍ରେସ ଦଳରେ ନିଜର ଭାଗ୍ୟ ଭବିଷ୍ୟତ ଗଢି ପାରିଲେ ନାହିଁ। ସେହି ଦୁଇ ଜଣ ହେଲେ ବର୍ତ୍ତମାନର ଭୁବନେଶ୍ବର ମେୟର ସୁଲୋଚନା ଦାସ ଏବଂ ବର୍ତ୍ତମାନ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ସତ୍ୟ ପ୍ରକାଶଙ୍କ ପୂର୍ବରୁ ଏହି ଦୁଇ ଜଣ ସାମ୍ବାଦିକତା ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ହେଲେ ପରବର୍ତ୍ତି ସମୟରେ ସେମାନେ ମଧ୍ୟ ଦଳ ଛାଡିବାକୁ ବାଧ୍ୟ ହୋଇଥିଲେ।

ମାନସ ଏବଂ ସୁଲୋଚନାଙ୍କୁ କଂଗ୍ରେସ ବିଭିନ୍ନ ପଦପଦବୀରେ ରଖି ବ୍ୟବହାର କରିଥିଲା। ହେଲେ ସେମାନେ ସେହି ଦଳ ଭିତର ନିଜର ରାଜନୀତିକ ଭବିଷ୍ୟତ ଦେଖିପାରିଲେ ନାହିଁ। ଏପରିକି ମାନସ ମଙ୍ଗରାଜ ଦୀର୍ଘ ବର୍ଷ ଧରି କଂଗ୍ରେସରୁ କଣଠୋସା ହୋଇ ରହିଥିଲେ। ହେଲେ ପରବର୍ତ୍ତି ସମୟରେ ଉଭୟ ବିଜେଡିରେ ଯୋଗ ଦେଇ ନିଜର ସ୍ଥିତି ସୁଦୃଢ କରିବାରେ ସକ୍ଷମ ହୋଇପାରିଲେ।

ଏଥିରୁ ସ୍ପଷ୍ଟ ଯେ, ସାମ୍ବାଦିକଙ୍କ ପାଇଁ କଂଗ୍ରେସ ଏକ ସୁରକ୍ଷିତ ଦଳ ନୁହେଁ। ପୂର୍ବରୁ ମଧ୍ୟ କେତେକ ସାମ୍ବାଦିକ ଏହି ଦଳରେ ଯୋଗ ଦେଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ସେମାନେ ମଧ୍ୟ ଦୃଶ୍ୟପଟରୁ କୁଆଡେ ଉଭେଇ ଗଲେ। ଅବଶ୍ୟ ସେତେବେଳେ ରାଜ୍ୟରେ ବିଜେଡି ଗଠନ ହୋଇ ନ ଥିଲା। ହେଲେ ବିଜେଡି ଗଠନ ହେବା ପରେ ସାମ୍ବାଦିକଙ୍କ ପାଇଁ ରାଜନୀତି କରିବାରେ ଏକ ସୁବର୍ଣ୍ଣ ସୁଯୋଗ ତିଆରି ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

କାରଣ ଏକଦା ସାମ୍ବାଦିକ ବୃତ୍ତି ଛାଡି ବିଜେଡିରେ ଯୋଗ ଦେଇ ବିଧାୟକ ଏବଂ ପରେ ମନ୍ତ୍ରୀ ଭାବେ ନିଜର ରାଜନୈତିକ କ୍ୟାରିୟର ସୁଦୃଢ କରିପାରିଛନ୍ତି ଅଶୋକ ପଣ୍ଡା। ସେହିପରି ସାମ୍ବାଦିକ ଥିବା ଅତନୁ ସବ୍ୟସାଚୀ ନାୟକ ମଧ୍ୟ ସାମ୍ବାଦିକତା ବୃତ୍ତି ଛାଡି ବିଜେଡିରେ ଯୋଗ ଦେଇ ବର୍ତ୍ତମାନ ସେ ମନ୍ତ୍ରୀ ସହିତ ସାରା ଓଡିଶା ରାଜନୀତିରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି।

ସେହପରି ସୌମ୍ୟ ରଂଜନ ପଟ୍ଟନାୟକ, ଭର୍ତ୍ତୁହରି ମହତାବ, ଅଚ୍ୟୁତ ସାମନ୍ତଙ୍କ ପରି ସମ୍ବାଦପତ୍ର ଶିଳ୍ପର ମାଲିକମାନେ ମଧ୍ୟ ବିଜେଡିରେ ନିଜର ସ୍ଥିତିକୁ ସୁଦୃଢ କରିପାରିଛନ୍ତି। ସେମାନେ ଦଳରେ ଯୋଗଦେବା ଦିନଠାରୁ ତାଙ୍କର ରାଜନୈତିକ ଜୀବନ ବେଶ ଉଜ୍ଜଳମୟ ହୋଇ ଉଠିଛି। ଏଥିସହିତ ସତ୍ୟଜିତ୍ ମିଶ୍ର, ସ୍ବଂୟପ୍ରକାଶ ମହାପାତ୍ର, ଗୌତମବୁଦ୍ଧ ଦାସ ପ୍ରମୁଖ ମଧ୍ୟ ବିଜେଡିରେ ନିଜର ସ୍ଥିତିକୁ ସଜାଡି ପାରିଛନ୍ତି।

ଏହା ନିଶ୍ଚିତ ଯେ, କଂଗ୍ରେସ ଦଳ ଓଡିଶାର ସାମ୍ବାଦିକଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ। ଅନ୍ୟପକ୍ଷରେ ବିଜେଡି ହେଉଛି ଏକମାତ୍ର ଦଳ ଯେଉଁଠାରେ ସାମ୍ବାଦିକମାନେ ନିଜର ରାଜନୈତିକ ଭବିଷ୍ୟତ ତିଆରି କରିବାରେ ସକ୍ଷମ ହୋଇ ପାରୁଛନ୍ତି। ଭିନ୍ନ ଭାବେ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଗୁରୁତ୍ବ ଦେଉଛନ୍ତି। ଉଚ୍ଚ ପଦପଦବୀରେ ବସାଇ ପାରୁଛନ୍ତି।

ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଓଡିଶାର ଅନ୍ୟତମ ପ୍ରମୁଖ ଦଳ ବିଜେପି, ସାମ୍ବାଦିକଙ୍କ ରାଜନୀତି କରିବା ପାଇଁ ନା ସୁରକ୍ଷିତ କ୍ଷେତ୍ର ହୋଇପାରିଛି ନା ଅସୁରକ୍ଷିତ। କାହିଁକି କେଜାଣି ରାଜ୍ୟର ପ୍ରମୁଖ ସାମ୍ବାଦିକମାନେ ଏହି ଦଳରେ ନିଜର ରାଜନୈତିକ ଭବିଷ୍ୟତ ଗଢିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ଫଳରେ ବିଜେପିରେ ସାମ୍ବାଦିକମାନଙ୍କ ଯୋଗଦାନ ସଂପୂର୍ଣ୍ଣ ନୈରାଶ ଜନକ ହୋଇପଡିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ବରିଷ୍ଠ ସାମ୍ବାଦିକ ତଥା ସିନେ ପ୍ରଯୋଜକ ଆଳୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ସିନେ ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସେ ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଚିକିତ୍ସା ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।

ତାଙ୍କ ପାର୍ଥିବ ଶରୀରକୁ ହସ୍ପିଟାଲରୁ ୟୁନିଟ -୬ ସ୍ଥିତ ସରକାରୀ ବାସଭବନକୁ ଅଣାଯିବା ପରେ ସେଠାରେ ବହୁ ସାମ୍ବାଦିକ ଓ ବୁଦ୍ଧିଜୀବୀ ଯୋଗଦେଇ ଶେଷ ଦର୍ଶନ କରିଥିଲେ । ଏହା ପରେ ପାର୍ଥିବ ଶରୀରକୁ ନିଜ ଗାଁ ଜଟଣୀକୁ ନିଆଯିବ। ପୁରୀ ସ୍ୱର୍ଗଦ୍ୱାର ତାଙ୍କର ଅନ୍ତେଷ୍ଟି କ୍ରିୟା ହେବ ବୋଲି ପରିବାର ସୁତ୍ରରୁ ଜଣାପଡିଛି।

ଆଳୟ ଶୂନ୍ୟ ସ୍ୱରୂପ, ଆଶା ଭଳି କଳାତ୍ମକ ଫିଲ୍ମ ନିର୍ମାଣ କରିଥିଲେ। ଶୂନ୍ୟସ୍ୱରୂପ ପିଲ୍ମକୁ ଜାତୀୟ ପୁରସ୍କାର ମିଳିଥିଲା। ଭୁଲ ବୁଝିବନି ମତେ ଫିଲ୍ମରେ ବି ସେ ପ୍ରଯୋଜକ ଥିଲେ।ବାଲିଘର ଓ ମରୀଚିକା ସିରିଏଲ୍ ରେ ମଧ୍ୟ ପ୍ରଯୋଜନା କରିଛନ୍ତି।

ତାଙ୍କ ବିୟୋଗରେ ଉଭୟ ଚଳଚିତ୍ର ଏବଂ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳି ଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ସଡକ ଦୁର୍ଘଟଣାରେ ଆଖି ବୁଜିଲେ ସାମ୍ବାଦିକ ତଥା ଆଇନଜୀବୀ ବିକାଶ ନାୟକ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଆଙ୍କୁଲା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ସାମ୍ବାଦିକ ତଥା ଆଇନଜୀବୀଙ୍କ ପ୍ରାଣହାନୀ ଘଟିଛି।

ସୂଚନା ଅନୁଯାୟୀ, ବାଲୁଗାଁ ଅଂଚଳର ଆଇନଜୀବୀ ତଥା ସାମ୍ବାଦିକ ବିକାଶ ନାୟକ ଆଜି କୋଣସି ଏକ କାମ ପାଇଁ ନିଜ ବାଇକ ଯୋଗେ ବାଲୁଗାଁରୁ ଟାଙ୍ଗୀ ଅଭିମୁଖେ ଯାଉଥିଲେ। ସେତେବେଳେ ପୁରୁଣା ଜାତୀୟ ରାଜପଥର ଆଙ୍କୁଲା ଛକ ନିକଟରେ ଏକ ଚିଙ୍ଗୁଡ଼ି ବୋଝେଇ କଣ୍ଟେନରଟି ଆସି ବିକାଶଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଁଚି ଶବକୁ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା କଣ୍ଟେନର କୁ ଜବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଉକ୍ତ ଖବର ଦ୍ୱାରା ବାଲୁଗାଁ, ବାଣପୁର, ନାଚୁଣି ଓ ଟାଙ୍ଗି ଅଞ୍ଚଳର ସାମ୍ବାଦିକ ଓ ଆଇନଜୀବୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।

Categories
ଆଞ୍ଚଳିକ

ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୁଷ୍ଟର ଡ଼ୋଜ ଟିକା ନେଲେ ସାମ୍ବାଦିକ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସାମ୍ବାଦିକ ମାନଙ୍କୁ ବୁଷ୍ଟର ଡୋଜ ଟିକକାରଣ ଆରମ୍ଭ ହୋଇଛି। ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରିଥିବା ବେଳେ କୋଭିଡର ପ୍ରଥମ ଏବଂ ଦ୍ଵିତୀୟ ଡୋଜ ଟିକା ଗତବର୍ଷ ବାଣପୁର-ବାଲୁଗାଁର ସମସ୍ତ ସାମ୍ବାଦିକ ମାନେ ସୁରୁଖୁରୁରେ ନେଇଥିଲେ।

ତେବେ ତୃତୀୟ ତଥା ବୁଷ୍ଟର ଡୋଜ ସାମ୍ବାଦିକଙ୍କୁ ଦେବା ନିମନ୍ତେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ନିର୍ଦ୍ଦେଶ ପୁର୍ବରୁ ଆସିନଥିଲା। ଯାହା ଫଳରେ ସାମ୍ବାଦିକଙ୍କ ଗହଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିଲା। ଏହାକୁ ଗୁରୁତର ସହ ନେଇ ଗତକାଲି ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ‘ଶାଳିଆ ପ୍ରେସ କ୍ଲବ’ ର ସଦସ୍ୟଙ୍କ ପକ୍ଷରୁ ଏ ନେଇ ଖୋର୍ଦ୍ଧା ସିଡ଼ିଏମଓଙ୍କ ଦୃଷ୍ଟି ଆକର୍ଷଣ କରାଯିବାପରେ ସିଡ଼ିଏମଓ ତୁରନ୍ତ ସାମ୍ବାଦିକ ମାନଙ୍କ ବୁଷ୍ଟର ଡୋଜ ଟିକାକରଣ ପାଇଁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ତତ୍ୱାବଧାନ ଏବଂ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀଙ୍କ ଉପସ୍ଥିତିରେ ବାଣପୁର ମେଡିକାଲ ପରିସରରେ ଆରମ୍ଭ ହୋଇଯାଇଛି ସାମ୍ବାଦିକ ମାନଙ୍କୁ ବୁଷ୍ଟର ଡୋଜ ଟିକାକରଣ। ଉକ୍ତ ଟିକାକରଣ ଅଭିଯାନ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡିଛି। ଏଥି ନିମନ୍ତେ ସାମ୍ବାଦିକ ମାନେ ଖୋର୍ଦ୍ଧା ସିଡ଼ିଏମଓ ଏବଂ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Categories
ଆଞ୍ଚଳିକ

ସାମ୍ବାଦିକଙ୍କ ପାଇଁ ସାମାଜିକ ସୁରକ୍ଷା ଜରୁରୀ, ଶ୍ରମମନ୍ତ୍ରୀ

ଭୁବନେଶ୍ବର: ଓୟୁଜେର ଶ୍ରମିକ ଦିବସ ସମାରୋହରେ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର
ଭୁବନେଶ୍ୱର, ୨.୫ : ବୀମାରାଶି ବୃଦ୍ଧି ଓ ସାମାଜିକ ସୁରକ୍ଷା ବ୍ୟବସ୍ଥା ସମେତ ସାମ୍ବାଦିକମାନେ ଉଠାଇଥିବା ସମସ୍ତ ନ୍ୟାୟୋଚିତ ଦାବିର ଯଥାର୍ଥତା ରହିଛି । ଏସବୁକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଖୁବ୍ ଶୀଘ୍ର ଆଲୋଚନା କରିବେ ବୋଲି ଶ୍ରମ ଓ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରତିଶ୍ରୁତି ଦେଇଛନ୍ତି ।

ଶ୍ରମିକ ଦିବସ ଅବସରରେ ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ରବିବାର ସନ୍ଧ୍ୟାରେ ଓୟୁଜେ ଭବନ ପରିସରରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସିଂ କହିଥିଲେ ଯେ, ସାମ୍ବାଦିକ ଓ ସମ୍ବାଦପତ୍ର କର୍ମଚାରୀମାନଙ୍କ ଲାଗି ଇ.ଏସ୍‌.ଆଇ ଚିକିତ୍ସା ବ୍ୟବସ୍ଥାକୁ ସମ୍ପ୍ରସାରିତ କରିବା ସଂକ୍ରାନ୍ତରେ ଖୁବ୍ ଶୀଘ୍ର ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ଆଲୋଚନା କରିବେ।

ସମ୍ପ୍ରତି ସମ୍ବାଦିକତା କ୍ଷେତ୍ରରେ ଘଟୁଥିବା ଅବମୂଲ୍ୟାୟନ ନେଇ ସେ ଉଦ୍‌ବେଗ ପ୍ରକାଶ କରିବା ସହ ଏ ଦିଗରେ ସାମ୍ବାଦିକ ସଂଘଗୁଡ଼ିକୁ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଓୟୁଜେ ସଭାପତି, ପ୍ରେସ୍ କାଉନସିଲ ସଦସ୍ୟ ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶଷର ସାଂସଦ ମୁଜିଉଲ୍ଲା ଖାନ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଓ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପରିବର୍ତ୍ତିତ ପରିସ୍ଥିତିରେ ସାମ୍ବାଦିକତାର ଗୁରୁଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

ସାମ୍ବାଦିକମାନଙ୍କ ବିଭିନ୍ନ ଦାବି ହାସଲ ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଓୟୁଜେର ଅଗ୍ରଣୀ ଭୂମିକାକୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଖବରକାଗଜ ବିତରଣକୁ ବୃତ୍ତି କରି ଜୀବନ ସଂଗ୍ରାମରେ ଏକ ନୂଆ ନଜିର ସୃଷ୍ଟି କରିଥିବା ଶ୍ରୀମତୀ ଶୋଭାରାଣି ଦାସଙ୍କୁ ଓୟୁଜେ ପକ୍ଷରୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସମାବେଶରେ ୟୁନିୟନ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ମନ୍ତ୍ରୀ ଶ୍ରୀ ସିଂଙ୍କୁ ପ୍ରଦାନ କରାଯାଇଥିଲା। ବୀମାରାଶିକୁ ୨ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବା ଓ ଅବସରପ୍ରାପ୍ତ ସାମ୍ବାଦିକଙ୍କ ଲାଗି ମାସିକ ୨୦ ହଜାର ଟଙ୍କା ପେନ୍‌ସନ ବ୍ୟବସ୍ଥା କରିବା ପାଇଁ ସ୍ମାରକପତ୍ରରେ ଦାବି କରାଯାଇଛି।

ଓୟୁଜେ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ, ଉପସଭାପତି ରାକେଶ ପଟ୍ଟନାୟକ, କିଶାନ ରାଉତ, ବରିଷ୍ଠ ସଦସ୍ୟ ଅକ୍ଷୟ କୁମାର ସାହୁ, ସମ୍ପାଦକ ପ୍ରସନ୍ନ ପାଇକରାୟ, କୋଷାଧ୍ୟକ୍ଷ ଅମୂଲ୍ୟ ରଞ୍ଜନ ସ୍ୱାଇଁ, ଅବିନାଶ ମହାପାତ୍ର, ରାଜୀବ ମହାନ୍ତି, ଅଭୟ ପତି ପ୍ରମୁଖ ବକ୍ତବ୍ୟ ରଖି ସାମ୍ବାଦିକମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ।

Categories
ଆଜିର ଖବର

ଆମେରିକୀୟ ଲୋକଙ୍କ ଅପିଲ, ଭାରତ ସହିତ ସମ୍ପର୍କକୁ ସୁଦୃଢ ​​କରୁ ପାକିସ୍ତାନ ସରକାର

ନୂଆଦିଲ୍ଲୀ: ଗଣତନ୍ତ୍ର ସମର୍ଥକ ବୁଦ୍ଧିଜୀବୀ, ରାଜନେତା, ସାମ୍ବାଦିକ ତଥା ମାନବିକ ଅଧିକାର କର୍ମୀଙ୍କର ଏକ ଗୋଷ୍ଠୀ ଜାତିସଂଘ ଏବଂ ଧାର୍ମିକ ବିବାଦର ଅନ୍ତ ଘଟାଇ ପାକିସ୍ତାନର ନବନିଯୁକ୍ତ ସରକାରଙ୍କୁ ଏକ ଗଠନମୂଳକ ଭୂମିକା ଗ୍ରହଣ କରି ଭାରତ ଏବଂ ଅନ୍ୟ ପଡୋଶୀ ଦେଶ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିବାକୁ ଅନୁରୋଧ କରିଛନ୍ତି। ‘ଆତଙ୍କବାଦ ବିରୋଧରେ ଦକ୍ଷିଣ ଏସିଆ ଏବଂ ମାନବିକ ଅଧିକାର ପାଇଁ’ ଆୟୋଜିତ ଏକ ଅନଲାଇନ୍ କାର୍ଯ୍ୟକ୍ରମରେ ବକ୍ତାମାନେ ଏହା କହିଛନ୍ତି।

ସେମାନେ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କ୍ଷମତାରୁ ବହିଷ୍କୃତ ହେବା ପରେ ଗଠିତ ସରକାର ହିଂସାକୁ ଦୂର କରିବା ପାଇଁ ବଲୁଚିସ୍ତାନ ପ୍ରଦେଶର ଲୋକଙ୍କ ସହ ତୁରନ୍ତ କଥାବାର୍ତ୍ତା କରିବା ଉଚିତ। ଗଣମାଧ୍ୟମରେ ପ୍ରକାଶିତ ବିବୃତ୍ତି ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ଜଡିତ ଲୋକମାନେ କହିଛନ୍ତି ଯେ, ପଡୋଶୀ ଦେଶ ବିଶେଷ କରି ଭାରତ ଏବଂ ଆଫଗାନିସ୍ତାନ ସହ ସମ୍ପର୍କକୁ ସୁଦୃଢ କରାଯିବା ଉଚିତ।

SAATH ର ସହ-ପ୍ରତିଷ୍ଠାତା ତଥା ଆମେରିକାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ହୁସେନ୍ ହକ୍କାନି କହିଛନ୍ତି ଯେ, ରାଜନୀତିକୁ ସାମରିକକରଣ ନକରି ଏବଂ ରାଜନୈତିକ କାରଣରୁ ଧର୍ମର ବ୍ୟବହାରକୁ ସମାପ୍ତ ନକରି ପାକିସ୍ତାନ ବର୍ତ୍ତମାନର ସଙ୍କଟରୁ ବାହାରିପାରିବ ନାହିଁ। ହକ୍କାନି କହିଛନ୍ତି ଯେ, ପାକିସ୍ତାନର ସମ୍ପୂର୍ଣ୍ଣ ଧ୍ୟାନ କକୌଣସି ଅଦରକାରୀ ଆଦର୍ଶ ଉପରେ ନୁହେଁ ବରଂ ଏହାର ଲୋକଙ୍କ ସମୃଦ୍ଧତା ଉପରେ ହେବା ଉଚିତ।

ସେ କହିଛନ୍ତି ଯେ, ପାକିସ୍ତାନର ପଡୋଶୀ ଦେଶ ସହ କେବଳ ଭଲ ସମ୍ପର୍କ ପାକିସ୍ତାନର ଅର୍ଥନୀତିର ପୁନର୍ଜୀବନକୁ ନିଶ୍ଚିତ କରିପାରିବ। ପୂର୍ବତନ ସାଂସଦ ଫରହାତୁଲ୍ଲା ବାବର, ଯିଏକି ପାକିସ୍ତାନ ପିପୁଲ୍ସ ପାର୍ଟିର ସାଧାରଣ ସମ୍ପାଦକ ମଧ୍ୟ ସୁରକ୍ଷା ପ୍ରତିଷ୍ଠାନ ମଧ୍ୟରେ ବିଭାଜନ ହେବାର ଖବର ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ବାବର କହିଛନ୍ତି ଯେ, “ଯେତେବେଳେ ଏକ ଗୋଷ୍ଠୀ ଅତ୍ୟଧିକ ଶକ୍ତି ହାସଲ କରେ, ସେତେବେଳେ ସଂଗ୍ରାମ ନିଜ ଭିତରେ ଆରମ୍ଭ ହୁଏ।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି: ଇଣ୍ଡିଆନ ସିଟିଜେନ୍‌ସ ପାର୍ଟିର ନିନ୍ଦା

କଟକ: ନୀଳଗିରିର ଜଣେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବାକୁ ନେଇ ଇଣ୍ଡିଆନ୍ ସିଟିଜେନ୍‌ସ ପାର୍ଟି ପକ୍ଷରୁ ନିନ୍ଦା କରାଯାଇଛି। ରାଜ୍ୟ କମିଟିର ଏକ ଜରୁରୀ ବୈଠକ ସଭାପତି ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ବିଜୁ ଜନତା ଦଳ ସରକାରଙ୍କୁ ଭର୍ତ୍ସନା କରାଯାଇଛି।

ସାମ୍ବାଦିକ, ଓକିଲ ଏବଂ ଓଡ଼ିଶାବାସୀ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାକୁ ଆହ୍ୱାନ ଦିଆଯାଇଛି। ନବୀନ ପଟ୍ଟନାୟକ ସରକାର ଆସିବା ଦିନଠାରୁ ସମସ୍ତ ମାନବାଧିକାର ଉଲଙ୍ଘନର ବିଚାର ବିଭାଗୀୟ ତଦନ୍ତ ହେବା ପାଇଁ ଦାବି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସମାଜର ବକାଶ ପାଇଁ ନାରୀମାନଙ୍କର ଭୂମିକା ଅତୁଳନୀୟ: ବାଚସ୍ପତି

ଭୁବନେଶ୍ୱର: ବିଶ୍ୱ ମହିଳା ଦିବସ ଉପଲକ୍ଷେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପ୍ରେରଣା, ଆଚିଭର ଫାଉଣ୍ଡେସନ ପକ୍ଷରୁ ସମାଜର ବିଭିନ୍ନ ବର୍ଗର ନାରୀ ପ୍ରତିଭାମାନଙ୍କୁ ଗୀତଗୋବିନ୍ଦ ସଦନ ପରିସରରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଆଚିଭର ନ୍ୟୁଜର ସ୍ୱନକ୍ଷତ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ କହିଲେ ଯେ, ସମାଜର ବିକାଶ ପାଇଁ ନାରୀମାନଙ୍କର ଭୂମିକା ଅତୁଳନୀୟ।

ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ସମାଜର ବିକାଶ ପ୍ରତି ବିନିଯୋଗ କରିପାରିଲେ ଏକ ଉନ୍ନତ ରାଜ୍ୟ, ଦେଶ ଗଠନ ହୋଇପାରିବ। ପୁରାଣ, ଇତିହାସରେ ଏହାର ବହୁ ଜ୍ୱଳନ୍ତ ଉଦାହରଣ ରହିଛି। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମାନବାଧିକାର କମିଶନର ସଦସ୍ୟ ଅସୀମ ଅମିତାଭ ଦାସ, ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ଆଡ଼ଭୋକେଟ ଗୋପାଳକୃଷ୍ଣ ମହାନ୍ତି, ପ୍ରଫେସର ମେଜର କଳ୍ପନା ଦାସ, ଦୂରଦର୍ଶନର ନିର୍ଦ୍ଦେଶିକା ଦିପ୍ତୀ ମିଶ୍ର, ଆଡ଼ଭୋକେଟ ବିଷ୍ଣୁପ୍ରସାଦ ପାତ୍ର, ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ଆଚିଭର ଫାଉଣ୍ଡେସନର ନିର୍ଦ୍ଦେଶିକା ଅରୁନ୍ଧତୀ ସୁନ୍ଦରାୟ, ଭାରତୀୟ ଫିଜିଆଟାରୀ ସୋସାଇଟିର ଅତିରିକ୍ତ ସାଧାରଣ ସମ୍ପାଦକ ଡ. ଶୁଭେନ୍ଦୁ ମିଶ୍ର ପ୍ରମୁଖ ଅତିଥି ରୂପେ ଯୋଗଦେଇ ଏକ ବିକାଶଶୀଳ ସମାଜରେ ନାରୀମାନେ ଯୁଗେ ଯୁଗେ ପ୍ରମୁଖ ଭୂମିକା ତୁଲାଇ ଆସିଛନ୍ତି ବୋଲି କହିଥିଲେ।

ଉତ୍ସବର ପ୍ରାରମ୍ଭରେ ପ୍ରେରଣା ଗ୍ରୀନ୍ ଆର୍ମିର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରି କହିଲେ ଯେ, ଓଡ଼ିଶାରେ ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ନାରୀ ପ୍ରତିଭାମାନେ ସେମାନଙ୍କର ଦକ୍ଷତା ଦେଶ ବିଦେଶରେ ପ୍ରଦର୍ଶନ କରି ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି । ସେହି ମହିୟସୀ ପ୍ରତିଭାମାନଙ୍କୁ ସମ୍ମାନିତ କରିବା ସହିତ ଆଗାମୀ ଦିନରେ ସମାଜର ସାମଗ୍ରୀକ ବିକାଶରେ ସାମିଲ୍ କରିବା ଆମ୍ଭର ଏହି ଉତ୍ସବର ମୁଖ୍ୟ ଆଭିମୁଖ୍ୟ। ଏଥିରେ ଆଚିଭର ଫାଉଣ୍ଡେସନ ଓ ଆଚିଭର ନ୍ୟୁଜର ପ୍ରତିଷ୍ଠାତା ଅଶୋକ କୁମାର ସୁନ୍ଦରାୟ ବକ୍ତବ୍ୟ ପ୍ରଦାନ କରି ନାରୀମାନଙ୍କୁ ଉନ୍ନତିପଥରେ ଆଗେଇ ନେବା ପାଇଁ ଆମ ଅନୁଷ୍ଠାନ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ।

ଏହି ଅବସରରେ ଡଃ ସୁଷମା ମିଶ୍ରଙ୍କୁ କୁନ୍ତଳାକୁମାରୀ ସାହିତ୍ୟ ସମ୍ମାନ, ସରିତା ପଟେଲଙ୍କୁ ରମାଦେବୀ ସମାଜସେବୀ ସମ୍ମାନ, ପ୍ରଫେସର ସରୋଜଲକ୍ଷ୍ମୀ ପଟ୍ଟନାୟକଙ୍କୁ ମାଳତୀ ଚୌଧୁରୀ ସେବା ସମ୍ମାନ, ବିନି ସାମଲଙ୍କୁ ପାର୍ବତୀ ଘୋଷ ସ୍ମାରକୀ ସିନେ ସମ୍ମାନ, ପ୍ରଫେସର ସୁରେଖା ସୁନ୍ଦରୀ ସ୍ୱାଇଁଙ୍କୁ ନନ୍ଦିନୀ ଶତପଥୀ ସେବା ସମ୍ମାନ, ଡ. ସ୍ୱାଧୀନାଙ୍କୁ ଓଡ଼ିଶାର ଶ୍ରେଷ୍ଠ ନାରୀ ପ୍ରତିଭା ସମ୍ମାନ, ସୁସ୍ମିତା ଦାସଙ୍କୁ କଣ୍ଠଶିଳ୍ପୀ ସମ୍ମାନ, ନମ୍ରତା ସିଂଦେଓଙ୍କୁ ଚଳିତବର୍ଷର ଶ୍ରେଷ୍ଠ ସିନେ ଅଭିନେତ୍ରୀ ସମ୍ମାନ, ମାନସୀ ପାଲଙ୍କୁ ଶ୍ରେଷ୍ଠ ଧାରାବାହିକ ସମ୍ମାନ, ନିଲ୍ ପଣ୍ଡାଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ, ମନତୀ ସିଂ ଓ ମୌସୁମୀ ମହାନ୍ତିଙ୍କୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ, ରୋଜାଲିନ, ଗୁନ୍‌ଗୁନ୍‌, ଶିବାନୀ ମୁନ୍ଦ୍ରା, ଗାୟତ୍ରୀ ମହାନ୍ତିଙ୍କୁ ଶ୍ରେଷ୍ଠ ଉପସ୍ଥାପିକା ସମ୍ମାନ, ମିସ୍ ଟିମ୍ ଇଣ୍ଡିଆ ମିଲନ କୁମାରୀ ପଣ୍ଡାଙ୍କୁ ଶ୍ରେଷ୍ଠ ନାରୀ ପ୍ରତିଭା, ଆତ୍ମିକା ପଟ୍ଟନାୟକଙ୍କୁ ଶ୍ରେଷ୍ଠ ଯୁବ ପ୍ରତିଭା, ରୋଛନା ମହାପାତ୍ରଙ୍କୁ ଶ୍ରେଷ୍ଠ ମେଧାବୀ ଛାତ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହିତ ବହୁ ସମାଜସେବୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି କର୍ମୀଙ୍କୁ ଆକ୍ରମଣ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା: ଦଳରୁ ନିଲମ୍ବିତ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଚିଲିକା ନିର୍ବାଚନ ମଣ୍ଡଳୀରେ ଏକ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜେପି କର୍ମୀଙ୍କୁ ଆକ୍ରମଣ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିଲମ୍ବିତ କରିଛନ୍ତି।

ସୂଚନା ଅନୁଯାୟୀ, ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦ୍ୱାରା ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ ଖବର ପାଇ ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀମାନେ ଏହାକୁ ବିରୋଧ କରିବା ସହ ଏନଏସି ଅଂଚଳର ବିଭିର୍ଣ୍ଣ ସମସ୍ୟାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟିବାକୁ ଉଦ୍ୟତ ହେଉଥିବା ସମୟରେ ହଠାତ ଚିଲିକା ବିଧାୟକ ସେଠାରେ ପହଞ୍ଚିଥିଲେ।

ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ, ଶେଷରେ ଉଭୟ ଗୋଷ୍ଠୀ ମଧ୍ୟରେ ହତାହତି ହୋଇଥିଲା। ହେଲେ ବିଜେପି କର୍ମୀଙ୍କ ପକ୍ଷରୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଗାଡ଼ିରୁ ଓଲ୍ଲାଇ ବିଜେପି କର୍ମୀମାନଙ୍କୁ ଅତର୍କିତ ଆକ୍ରମଣ କରିବା ସହ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିଥିବାର ବିଜେପି ଅଭିଯୋଗ କରିଥିଲା।

ଅନୁରୂପ ଭାବେ ଉକ୍ତ ଘଟଣାର ଭିଡ଼ିଓକୁ ସାମ୍ବାଦିକ ଦିବ୍ୟକାନ୍ତ ବେହେରା ନିଜ ମୋବାଇଲରେ କଏଦ କରୁଥିବା ସମୟରେ ଚିଲିକା ବିଧାୟକ ଜନୈକ ସାମ୍ବାଦିକଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ ମୋବାଇଲଟିକୁ ଛଡାଇ ନେଇଯାଇଥିବାର ମଧ୍ୟ ଅଭିଯୋଗ ହୋଇଥିଲା।

ଉକ୍ତ ଘଟଣାକୁ ନେଇ ବିଜେପି ନଗର ମଣ୍ଡଳ ସଭାପତି ଏବଂ ସମ୍ପୃକ୍ତ ସାମ୍ବାଦିକଙ୍କ ତରଫରୁ ବାଲୁଗାଁ ଥାନାରେ ପୃଥକ ପୃଥକ ଭାବେ ଦୁଇ ଗୋଟି ଏତଲା ଦିଆଯାଇଛି। ତେବେ ବାଲୁଗାଁ ଥାନା ପରିସରରେ ଶହ ଶହ ବିଜେପି କର୍ମୀ ଏବଂ ସାମ୍ବାଦିକ ମାନେ ଜମା ହୋଇଥିବାର ଦେଖିବାକୁ ମିଳିଛି। ତତସହିତ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିବା ସହ ବିଧାୟକଙ୍କୁ ତୁରନ୍ତ ଗିରଫ ଦାବିରେ ବାଲୁଗାଁ ଥାନା ପରିସରରେ ଧାରଣାରେ ବସିଛନ୍ତି। ବିଧାନସଭାରେ ଏହି ଘଟଣା ଉଠାଇବୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ସେହିପରି ଭାବେ ଉକ୍ତ ଦୁଇ ମାମଲା ପଞ୍ଜିକୃତ ନହେବା ଯାଏଁ ବିଜେପି କର୍ମୀମାନେ ବାଲୁଗାଁ ଥାନାରେ ବସିରହିବେ ବୋଲି ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅପରପକ୍ଷରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ର ତୀବ୍ର ବିରୋଧ କରିବା ସହ ଅଭିଯୁକ୍ତଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖୋର୍ଦ୍ଧା ଏସପିଙ୍କ ନିକଟରେ ଦାବି କରିଥିବାର ସୂଚନା ଦେଇଛନ୍ତି।

ତେବେ ଏହି ଘଟଣାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାମରେ ବାଲୁଗାଁ ପୋଲିସ ଦୁଇଟି ମାମଲା ରୁଜ୍ଜୁ କରିଥିବା ସୂଚନା ମିଳିଛି।

ସେହିପରି ଭାବେ ଏ ନେଇ ଚିଲିକା ବିଧାୟକଙ୍କ ପ୍ରତିକ୍ରିୟା ନେବାରୁ ଉକ୍ତ ଅଭିଯୋଗ ଭିତ୍ତିହୀନ ବୋଲି ବିଧାୟକ କହିଛନ୍ତି। ବିଧାୟକ ପାଲଟା ଅଭିଯୋଗ କରିଛନ୍ତି ଯେ, ବିଜେପି କର୍ମୀମାନେ ଏନଏସି ପରିସରରେ ବିଶୃଙ୍ଖଳା ସୃଷ୍ଟିକରୁଥିବାରୁ ସେ ସେମାନଙ୍କୁ ବୁଝାସୁଝା କରୁଥିବାବେଳେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ସେହିପରି ଭାବେ ସାମ୍ବାଦିକଙ୍କ ମୋବାଇଲ ଛଡାଇବା କଥାକୁ ମଧ୍ୟ ବିଧାୟକ ଖଣ୍ଡନ କରିଛନ୍ତି। ସେ ଏ ବିଷୟରେ କିଛି ଜାଣିନଥିବାର ସୂଚନା ଦେଇଛନ୍ତି।

ବାଲୁଗାଁ ଥାନାରେ ଉତ୍ତେଜନା ପ୍ରକାଶ ପାଇବାରୁ ଘଟଣା ଉପରେ ଖୋଦ ଏସଡ଼ିପିଓ ମାନସ ରଞ୍ଜନ ବାରିକ ତୀକ୍ଷ୍ଣ ନଜର ରଖିବା ସହ ଥାନା ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ପରଲୋକ, ଏକଦା ଓଡିଶା ରାଜନୀତିରେ ମଧ୍ୟ ଚର୍ଚ୍ଚାରେ ଥିଲେ

ନୂଆଦିଲ୍ଲୀ, ଜାତୀୟ ସ୍ତରର ଜଣେ ପରିଚିତ ସାମ୍ବାଦିକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଚନ୍ଦନ ମିତ୍ରଙ୍କ ପରଲୋକ ଘଟିଛି। ତାଙ୍କୁ 65 ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବୋଲି ତାଙ୍କର ପୁତ୍ର କୁଶନ ମିତ୍ର ସୂଚନା ଦେଇଛନ୍ତି।

ସେ ଦୈନିକ ଇଂରାଜୀ ଖବରକାଗଜ ପାୟୋନିୟର ସଂପାଦକ ଭାବେ କାର୍ଯ୍ୟ କରୁଥିଲେ। ସେ ବିଜେପି ରାଜ୍ୟସଭା ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ଚନ୍ଦନ ମିତ୍ର ଲାଲକୃଷ୍ଣ ଆଡଭାନୀଙ୍କ ଅତି ଘନିଷ୍ଠ ଭାବେ ପରିଚିତ ଥିଲେ। ସେତେବେଳେ ବିଜେପିରେ ଚନ୍ଦନ ମିତ୍ରଙ୍କ ବେଶ୍ ଦବଦବା ମଧ୍ୟ ଥିଲା।

ତେବେ ସେ ଓଡିଶା ରାଜନୀତିରେ ମଧ୍ୟ କିଛି ସମୟ ପାଇଁ ବେଶ୍ ଚର୍ଚ୍ଚାକୁ ଆସିଥିଲେ। ଯେତେବେଳେ ବିଜେଡି ବିଜେପି ମେଣ୍ଟ ସରକାରରେ ଫାଟ ଦେଖାଦେଲା ସେତେବେଳେ ତାହାର ମଧ୍ୟସ୍ଥତା କରିବାକୁ ଚନ୍ଦନ ଦିଲ୍ଲୀରୁ ଆସି ଭୁବନେଶ୍ବରରେ ଡେରା ପକାଇଥିଲେ।

ଏହି ମେଣ୍ଟ ସରକାରକୁ ବଜାଇ ରଖିବା ପାଇଁ ଚନ୍ଦନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହିତ ବାରମ୍ବାର ଆଲୋଚନା ମଧ୍ୟ କରିଥିଲେ। ହେଲେ ତାହା ଫସର ଫାଟିଯାଇଥିଲା। ବିଜେଡି ବିଜେପି ଅଲଗା ଲଢେଇ କରିଥିଲେ। ସେତେବେଳେ ତାଙ୍କର ଏହି ଉଦ୍ୟମକୁ ଅନେକ ପ୍ରଶଂସା ସହିତ ସମାଲୋଚନା ମଧ୍ୟ କରିଥିଲେ।

ତାଙ୍କର ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ ଶୋକ ପ୍ରକାଶ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚନ୍ଦନ ମିତ୍ରଙ୍କ ବୁଦ୍ଧିମତା ଏବଂ ଦୂରଦୃଷ୍ଟି ପାଇଁ ସେ ବେଶ ପରିଚିତ ରହିବେ। ତାଙ୍କ ପରିବାର ପ୍ରତି ସମ୍ବେଦନା ବୋଲି ଉଲ୍ଲେଖ କରିଛନ୍ତି।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଶୋକ ପ୍ରକାଶ କରି କହିଛନ୍ତି ଯେ, ଚନ୍ଦନ ମିତ୍ର ଜାତୀୟ ସାମ୍ବାଦିକ ଏବଂ ରାଜନୈତିକ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକମାନଙ୍କ ପାଇଁ ମାସିକ ୧୦ ହଜାର ଟଙ୍କାର ପେନ୍‌ସନ ବ୍ୟବସ୍ଥା ହେଉ: ପୂର୍ବତନ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ପ୍ରେସ୍ ଏକାଡ଼େମୀର ୨୬ତମ ବାର୍ଷିକ ଉତ୍ସବ ଏକାଡ଼େମୀର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ କହିଲେ ଯେ, ବହୁ ବାଧାବିଘ୍ନ ଓ ପ୍ରତିକୂଳ ବ୍ୟବସ୍ଥାରେ ଦେଶର ଚତୁର୍ଥ ସ୍ତମ୍ଭ ଭାବରେ କାର୍ଯ୍ୟ କରୁଥିବା ଅନ୍ୟ ରାଜ୍ୟମାନଙ୍କ ଭଳି କର୍ମଜୀବୀ ସାମ୍ବାଦିକମାନଙ୍କୁ ମାସିକ ଦଶ ହଜାର ଟଙ୍କାର ପେନ୍‌ସନ ବ୍ୟବସ୍ଥା କରାଯିବା ଆବଶ୍ୟବ ବୋଲି ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଥିବା ଜଣାଯାଇଛି ଏବଂ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବରେ କଂଗ୍ରେସ ବାର୍ତ୍ତାର ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଯୋଗଦେଇ କହିଲେ ଯେ, ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରି ମୃତ୍ୟୁବରଣ କରୁଥିବା ସମ୍ବାଦିକଙ୍କ ପରିବାରକୁ ପନ୍ଦର ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇବା ସଙ୍ଗେ ସଙ୍ଗେ ଓଡ଼ିଶା ପ୍ରେସ୍ ଏକାଡ଼େମୀକୁ ଖୁବ୍ ଶୀଘ୍ର ସ୍ୱୀକୃତି ଦେବା ପାଇଁ ଦାବି କରିଥିଲେ।

ବରିଷ୍ଠ ସାମ୍ବାଦିକ ବିଶ୍ୱନାଥ ସାମଲ କହିଲେ ଯେ, ରାଜ୍ୟର କାର୍ଯ୍ୟରତ ଓକିଲମାନଙ୍କ ଭଳି ପେନ୍‌ସନ ବ୍ୟବସ୍ଥା ସହ ଏକକୋଟି ଟଙ୍କାର ମୂଳଧନ ସୃଷ୍ଟି ହୋଇ ସେଥିରୁ ସୁଧ ଆକାରରେ ମିଳୁଥିବା ଧନ ପେନ୍‌ସନ ଆକାରରେ ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ଦିଆଯାଉ ବୋଲି ସରକାରଙ୍କ ନିକଟରେ ନିବେଦନ କରିଥିଲେ।

ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ପତ୍ରକାର ସଂଘର ସଭାପତି ଅବିନାଶ ମିଶ୍ର ଉତ୍ସବରେ ଯୋଗଦେଇ କହିଲେ ଯେ, ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶାର ସମ୍ବାଦପତ୍ର ରାଜ୍ୟ ସରକାରଙ୍କ ବିନା ସହଯୋଗରେ ତିଷ୍ଠିବା ସମ୍ଭବ ନୁହେଁ। ବଡ଼, ମଧ୍ୟମ, କ୍ଷୁଦ୍ର ସମ୍ବାଦପତ୍ର ମାନଙ୍କ ମଧ୍ୟରେ ବିଜ୍ଞାପନ ଗୁଡ଼ିକ ସମାନଭାବେ ବଣ୍ଟନ କରିବା ଜରୁରୀ ହୋଇପଡ଼ିଛି।

ବରିଷ୍ଠ ସମ୍ବାଦିକ ବିବେକାନନ୍ଦ ଜେନା କହିଲେ ଯେ, କର୍ମଜୀବୀ ସାମ୍ବାଦିକମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ତରଫରୁ କିଛି ଆର୍ଥିକ ଅନୁଦାନ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।

ବରିଷ୍ଠ ସାମ୍ବାଦିକ ବଳରାମ ପ୍ରସାଦ ନନ୍ଦ ଯୋଗଦେଇ କହିଲେ ଯେ, ବର୍ତ୍ତମାନ ଚତୁର୍ଥ ସ୍ତମ୍ଭ ବିପଦର ସମ୍ମୁଖୀନ ହୋଇଛି। ଗଣତନ୍ତ୍ର ରାଷ୍ଟ୍ରରେ ସମ୍ବାଦପତ୍ର ଶିଳ୍ପର ଗୁରୁତ୍ୱ ରକ୍ଷା ହେବା ସହ ରାଜ୍ୟର ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ଦୟିତ୍ୱ ସୁଚାରୁ ରୂପେ ପାଳନ କରାଯିବା ଆବଶ୍ୟକ।

ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ସ୍ୱାଇଁ କହିଲେ ଯେ, ଗଣତନ୍ତ୍ରରେ ସମ୍ବାଦପତ୍ରର ଭୂମିକା ବହୁ ଗୁରୁତ୍ୱ ବହନ କରେ। ଏହାର ସଦୁପଯୋଗ ହେବା ଆବଶ୍ୟକ। ଶୁଣାକଥାର ସମ୍ପାଦକ  ତୁଷାରକାନ୍ତ ପଟ୍ଟନାୟକ କହିଲେ ଯେ, ସାମ୍ବାଦିକମାନେ ଏକଜୁଟ ହୋଇ କାମ କଲେ ସବୁ ସମସ୍ୟାର ସମାଧାନ ହୋଇପାରିବ।

ଡ଼େଭଲପମେଣ୍ଟ ନ୍ୟୁଜ ନେଟୱର୍କ ପୋର୍ଟାଲର ମୁଖ୍ୟ ସାମ୍ବାଦିକା ଆଲ୍‌ଫା ରାୟ କହିଲେ ଯେ ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ବହୁ ଗୁୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ଓଡ଼ିଶା ପ୍ରେସ୍ ଏକାଡ଼େମୀର ଅଧ୍ୟକ୍ଷ ସଞ୍ଜୟ କୁମାର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ଓଡ଼ିଶା ପ୍ରେସ୍ ଏକାଡ଼େମୀର ସମ୍ପାଦିକା ରିତାଞ୍ଜଳି ଆଚାର୍ଯ୍ୟ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ସାମ୍ବାଦିକଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ଵାରା ୬ ହଜାର ୯୪୪ ଜଣ ସାମ୍ବାଦିକ ଉପକୃତ ହେବେ। ଏହି ଅବସରରେ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହି ମହାମାରୀ ସମୟରେ ସାମ୍ବାଦିକମାନଙ୍କ ଅନବରତ ସେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

Categories
ବିଶେଷ ଖବର

କରୋନା ମହାମାରୀ ସମୟରେ ସବୁଠୁ ବେଶୀ ଅସହାୟ ଭାରତର ସାମ୍ବାଦିକ ଓ ସାମ୍ବାଦିକତା

କେଦାର ମିଶ୍ର

ଗତ ସୋମବାର ଦିନ ହଠାତ ଦିନ ଦୁଇଟା ବେଳେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସ ର ଚତୁର୍ଥ ମହଲାରୁ ତଳକୁ ଡେଇଁ ପଡି ଜଣେ ୩୭ ବର୍ଷର ଯୁବକ ଆତ୍ମହତ୍ୟା କଲେ। ତାଙ୍କ ନାମ ତରୁଣ ଶିଶୋଦିଆ ଓ ସେ ହିନ୍ଦୀ ଖବର କାଗଜ “ଦୈନିକ ଭାସ୍କର” ର ସାମ୍ବାଦିକ ଥିଲେ।କିଛି ଦିନ ଆଗରୁ ତରୁଣ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ବୋଲି ଜଣା ପଡିଥିଲା ଓ ତାଙ୍କର ଚିକିତ୍ସା ଚାଲିଥିଲା। କରୋନା ଆକ୍ରାନ୍ତ ହେବାପରେ ତାଙ୍କର ମାନସିକ ବିଚଳନ ଆରମ୍ଭ ହୋଇଥିଲା ଓ ତାଙ୍କର ଚାକିରି ଚାଲିଯାଇଥିବାର ଭୟ ତାଙ୍କୁ ବିବ୍ରତ କରୁଥିଲା ବୋଲି ଏବେ ସୂଚନ୍ନ ମିଳିଛି। ଏହା କେବଳ ତରୁଣ ଶିଶୋଦିଆଙ୍କର ବ୍ୟକ୍ତିଗତ କାହାଣୀ ନୁହେଁ, ଆପାତତଃ ଏହାକୁ କୋଭିଡ଼-୧୯ ପରବର୍ତ୍ତୀ ଭାରତୀୟ ସାମ୍ବାଦିକତାର କାହାଣୀ ବୋଲି କୁହାଯାଇପାରିବା। ପ୍ରତିଦିନ ଦେଶରେ ଶହ ଶହ ଗରିବ, ସଂକ୍ରମିତ ଏବଂ ଅସହାୟ ଲୋକଙ୍କର କାହାଣୀ କହୁଥିବା ଆମର ସାମ୍ବାଦିକମାନେ ଆଜି ସବୁଠୁ ବେଶୀ ଅସହାୟ। ଶହ ଶହ ସାମ୍ବାଦିକଙ୍କର ଚାକିରି ଚାଲିଯାଇଥିବାର ଖବର ଆଜିର ମୁଖ୍ୟ ଖବର ଅବଶ୍ୟ ନୁହେଁ। ଯେଉଁ ସାମ୍ବାଦିକ ଜଣକ ଟେଲିଭିଜନ ଆଗରେ କରୋନା ସମୟର କରୁଣ କାହାଣୀ କହୁଛି, ସେ ନିଜେ ଯେ କେତେ ଅସହାୟ ସେକଥା କହିବାକୁ କେହି ନାହାନ୍ତି।

କରୋନା ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ ଦେଶରେ ଯେତେବେଳେ ଆର୍ଥିକ ମାନ୍ଦାବସ୍ଥା ଆରମ୍ଭ ହୋଇଥିଲା, ତାର ଶିକାର ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥାର କର୍ମଚାରୀମାନେ ହୋଇଥିଲେ। ଗତ ବର୍ଷେ ଭିତରେ ଅତିକମରେ ୫୦୦୦ରୁ ଅଧିକ ସାମ୍ବାଦିକଙ୍କର ଚାକିରି ଯାଇ ସାରିଥିଲା। ଦେଶର ପ୍ରମୁଖ ଜାତୀୟ ଖବର କାଗଜ ଓ ଟେଲିଭିଜନ ସଂସ୍ଥା ଆଖିବୁଜା ଛଟେଇ କରିବାର ପ୍ରକ୍ରିୟା ଆରମ୍ଭ କରିଥିଲେ। କୋଭିଡ-୧୯ ଛଟେଇ ସୁଯୋଗକୁ ଟିକେ ଅଧିକ ପ୍ରଶସ୍ତ କରିଦେଲା। କୋଭିଡ-୧୯ ସଂକ୍ରମଣ ଆରମ୍ଭ ହେଲାପରେ ଦେଶର ସବୁ ଗଣମାଧ୍ୟମ ସଂସ୍ଥାରେ ଏବେ ଛଟେଇ ପର୍ବ ଆରମ୍ଭ ହୋଇଛି। ସାମ୍ବାଦିକ ନୈତିକତା ଓ ସାମ୍ବାଦିକ ଅଧିକାର ଉପରେ ସର୍ବାଧିକ ଗୁରୁତ୍ଵ ଦେଉଥିବା ଦେଶର ଅନ୍ୟତମ   ଶକ୍ତିଶାଳୀ ଗଣମାଧ୍ୟମ ସଂସ୍ଥା “ଦି ହିନ୍ଦୁ” ଗତ ମାସରେ ହଠାତ ନିଜର ଶତାଧିକ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ବ୍ୟବସ୍ଥା ଲାଗୁ କରିଛି। “ଟାଇମ୍ସ ଅଫ ଇଣ୍ଡିଆ” ନିଜର ମାଗାଜିନ ଓ ରବିବାର ସଂସ୍କରଣରେ କାମ କରୁଥିବା ସବୁ ସାମ୍ବାଦିକଙ୍କୁ ହଠାତ ବରଖାସ୍ତ କରି ଦେଇଛି। “ଦି ଇଣ୍ଡିଆନ ଏକ୍ସପ୍ରେସ” କର୍ମଚାରୀଙ୍କ ଦରମାରୁ ୧୦ ରୁ ୩୦% ହ୍ରାସ କରିଛି।

ସାମ୍ବାଦିକମାନେ ବର୍ତ୍ତମାନ ସମୟରେ ଆର୍ଥିକ, ସାମାଜିକ ଏବଂ ରାଜନୈତିକ ଆକ୍ରମଣର ଶିକାର ହେଉଛନ୍ତି। କରୋନା ସଂକ୍ରମଣ ସହିତ ଲଢେଇରେ ସାମ୍ବାଦିକମାନେ ଆଗୁଆ ସୂଚନାଦାତାର ଭୂମିକା ତୁଲାଇ ନିଜେ ସଂକ୍ରମଣର ଶିକାର ହେଉଛନ୍ତି। ଶହ ଶହ ସାମ୍ବାଦିକ ଏବେ କରୋନା ଆକ୍ରାନ୍ତ ହୋଇ ଭୂତାଣୁ ସହିତ ଲଢେଇ କରୁଛନ୍ତି। ଏ ପ୍ରକାର ସଂଘର୍ଷ ସମୟରେ ସେମାନେ କାମ କରୁଥିବା ଗଣମାଧ୍ୟମର ମାଲିକମାନେ ସାମ୍ବାଦିକଙ୍କ ସହିତ ଦୃଢତାର ସହିତ ଠିଆ ହେବା ପରିବର୍ତ୍ତେ ସେମାନଙ୍କୁ ତୁରନ୍ତ ଚାକିରିରୁ ଛଟେଇ କରୁଛନ୍ତି। ବିଭିନ୍ନ ଆଳ ଦେଖାଇ ଏବେ ସାମ୍ବାଦିକଙ୍କୁ ଛଟେଇ କରିବାର ଏକ ଧାରା ସାରା ଭାରତରେ ଅବ୍ଯାହତ ରହିଛି।

ଓଡିଶାରେ ମଧ୍ୟ ସମାନ ଧାରାର ପ୍ରତିଫଳନ ଆମେ ଦେଖୁଛୁ। ଓଡିଶାରେ ଲକ ଡାଉନ ଆରମ୍ଭ ହେଲା କ୍ଷଣି ଓଡିଶାର ପ୍ରମୁଖ ସଂବାଦପତ୍ର ଗୁଡିକ ନିଜର କର୍ମଚାରୀମାନଙ୍କୁ ବିନା ଦରମାରେ ଛୁଟିରେ ଯିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ସମୟକ୍ରମେ ଏହି ଛୁଟି ସ୍ଵାଭାବିକ ଛଟେଇର ରୂପ ନେଇଛି। ଓଡିଶାର ଅନେକ ଟେଲିଭିଜନ ଚାନେଲ ଓ ଖବର କାଗଜ ଇତିମଧ୍ୟରେ ନିଜର କର୍ମଚାରୀମାନଙ୍କୁ ବିଦା କରିବାର ପ୍ରକ୍ରିୟା ଅବ୍ଯାହତ ରଖିଛନ୍ତି। ବିନା କାରଣରେ କିମ୍ୱା ବିଭିନ୍ନ ଆଳରେ କର୍ମଚାରୀମାନଙ୍କୁ ବିଦା କରାଯାଉଛି। ଏହି ଛଟେଇ ପ୍ରକ୍ରିୟାରେ ସମ୍ପାଦକଙ୍କଠୁ ଆରମ୍ଭ କରି ସହ ସମ୍ପାଦକ ଓ ବିଜ୍ଞାପନ କର୍ମଚାରୀ ପର୍ୟନ୍ତ ସମସ୍ତେ ପ୍ରଭାବିତ ହେଉଛନ୍ତି। ଲକ ଡାଉନ ସମୟରେ ଗଣମାଧ୍ୟମକୁ ବିଜ୍ଞାପନ ରାଜସ୍ୱ କମିଯାଇଛି। ଏହାକୁ ଏକ ଆଧାର ଭାବେ ଗ୍ରହଣ କରି ଏବେ ସାମ୍ବାଦିକମାନଙ୍କ ପେଟରେ ନିତିଦିନ ଗୋଇଠାମାଡ ଚାଲିଛି।

ଅନ୍ୟ ଏକ ଘଟଣାକ୍ରମରେ ଓଡିଶାରେ କାମ କରୁଥିବା ଅନେକ ଜାତୀୟ ସମ୍ବାଦପତ୍ର ଓ ଟେଲିଭିଜନ ଚାନେଲର ସ୍ଥାନୀୟ ବ୍ଯୁରୋ କୁ ବନ୍ଦ କରିଦିଆଯାଇଛି। ଏହି ମାସ ଆରମ୍ଭରୁ “ଦି ବିଜିନେସ  ଷ୍ଟାଣ୍ଡାର୍ଡ” ର ଭୁବନେଶ୍ୱର ସଂସ୍କରଣକୁ ରାତାରାତି ବନ୍ଦ କରି ଦିଆ ଯାଇଛି। ସେହିପରି “ଦି ହିନ୍ଦୁ” ର ଓଡିଶା ଅଫିସକୁ ଏକପ୍ରକାର ବନ୍ଦ କରି ଦିଆଯାଇଛି। ଜୀ ନ୍ଯୁଜ ଏବଂ ନୁଜ-୧୮ ଟେଲିଭିଜନ ଚାନେଲରେ ମଧ୍ୟ କର୍ମଚାରୀ ସଂଖ୍ୟା କମାଯାଉଛି।

ଆର୍ଥିକ ଓ ସାମାଜିକ ଭାବରେ ସାମ୍ବାଦିକଙ୍କ ଜୀବନ ଏବେ ଦୁର୍ବିସହ ହୋଇ ପଡୁଥିବା ବେଳେ ରାଜନୈତିକ ଆକ୍ରୋଶ ରଖି ଅନେକ ସାମ୍ବାଦିକଙ୍କ ନାମରେ ବର୍ତ୍ତମାନ ସମୟରେ ଉଦ୍ଦେଶ୍ୟମୂଳକ ଭାବେ ପୁଲିସ ଅତ୍ୟାଚାର ବଢୁଛି। ଲକଡାଉନ ସମୟରେ ୧୫ ରୁ ଅଧିକ ସାମ୍ବାଦିକଙ୍କ ନାମରେ ବିଭିନ୍ନ ରାଜ୍ୟ ସରକାର ପୋଲିସ ମାମଲା ରୁଜୁ କରିଛନ୍ତି। କରୋନାର ପ୍ରକୋପରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ କ୍ଷେତ୍ର ଭାବରେ ଏବେ ଗଣମାଧ୍ୟମ ମୂମୁର୍ଷୁ ଅବସ୍ଥାକୁ ଚାଲିଆସିଛି। ମନେ ରଖନ୍ତୁ, ଗଣମାଧ୍ୟମ ଉପରେ ଏ ବିପଦ ଭବିଷ୍ୟତରେ ଗଣତନ୍ତ୍ର ପାଇଁ ବିପଦର ସଙ୍କେତ!!

Categories
ଆଞ୍ଚଳିକ

ରେଢାଖୋଲ ଡାକ୍ତରଖାନାରେ ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀଙ୍କ ଦୁର୍ବ୍ୟବହାର

ସମୀକ୍ଷା ବ୍ୟୁରୋ

ରେଢାଖୋଲ: ରେଢାଖୋଲ ଡାକ୍ତରଖାନାର ଏକ ଫଟୋ ଉତ୍ତୋଳନ କରୁଥିବା ସମୟରେ ସାମ୍ବାଦିକ କନ୍ଦର୍ପ ବେହେରାଙ୍କୁ ସିକ୍ୟୁରିଟି ଗାର୍ଡ ବା ସୁରକ୍ଷାକର୍ମୀ ଦୁର୍ବ୍ୟବହାର କରିଥିବା ଜଣାପଡିଛି।

ଆଜି ସକାଳେ ସାମ୍ବାଦିକ ଜଣକ ରେଢାଖୋଲ ଡାକ୍ତରଖାନାର ସାମ୍ନାପଟୁ ଏକ ଫଟୋ ଉଠାଉଥିବା ସମୟରେ ଜନୈକ ସୁରକ୍ଷାକର୍ମୀ ଏହାକୁ ନେଇ ବିରୋଧ କରିବା ସହ କ’ଣ ପାଇଁ ଫଟୋ ଉଠାଉଛୁ ବୋଲି କହିଥିଲେ। ତା’ପରେ ସାମ୍ବାଦିକଙ୍କ ନିକଟକୁ ଯାଇ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏ ସମ୍ପର୍କରେ ଏସଡିଏମ୍‌ଓଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି।

ସମ୍ପୃକ୍ତ ସୁରକ୍ଷାକର୍ମୀ ଜଣକ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କୁ ମଧ୍ୟ ଦୁବ୍ୟବହାର ଦେଖାଉଥିବାର ଜଣାପଡିଛି। ସାମ୍ବାଦିକ ଜଣକ ନିଜ ପରିଚୟ ପତ୍ର ଦେଖାଇଥିଲେ ବି ସୁରକ୍ଷାକର୍ମୀ ଏହାକୁ ମାନି ନଥିଲେ। ଡାକ୍ତରଖାନା ପରି ଜାଗାରେ ସୁରକ୍ଷାକର୍ମୀଙ୍କ ଏପରି କାର୍ଯ୍ୟ ନିନ୍ଦନୀୟ। ସୁରକ୍ଷାକର୍ମୀଙ୍କ ଏପରି ବ୍ୟବହାର ପାଇଁ ତାଙ୍କୁ କାର୍ଯ୍ୟରୁ ବାହାର କରିବାକୁ ଦାବି କରିଛନ୍ତି ସମ୍ପୃକ୍ତ ସାମ୍ବାଦିକ ଜଣକ।