Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇ ଓ ଇନ୍ଦୋର ମଧ୍ୟରେ ୩୦୯ କିଲୋମିଟର ଲମ୍ବର ନୂଆ ରେଳ ଲାଇନ୍ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ରେଳ ମନ୍ତ୍ରଣାଳୟ ଅଧୀନରେ ମୋଟ ୧୮,୦୩୬ କୋଟି ଟଙ୍କା (ପାଖାପାଖି) ବ୍ୟୟରେ ନୂତନ ରେଳ ଲାଇନ୍ ପ୍ରକଳ୍ପକୁ ଅନୁମୋଦନ କରିଛି।

ଇନ୍ଦୋର ଏବଂ ମନମାଡ଼ ମଧ୍ୟରେ ପ୍ରସ୍ତାବିତ ନୂତନ ରେଳପଥ ସିଧାସଳଖ ଯୋଗାଯୋଗ ପ୍ରଦାନ କରିବ ଏବଂ ଗତିଶୀଳତାରେ ଉନ୍ନତି ଆଣିବ, ଯାହା ଭାରତୀୟ ରେଳବାଇ ପାଇଁ ଉନ୍ନତ ଦକ୍ଷତା ଏବଂ ସେବା ବିଶ୍ୱସନୀୟତା ପ୍ରଦାନ କରିବ।

ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଏକ ନୂତନ ଭାରତର ଦୃଷ୍ଟିକୋଣ ଅନୁଯାୟୀ ହୋଇଛି, ଯାହା ଏହି ଅଞ୍ଚଳର ଲୋକମାନଙ୍କୁ ଏହି କ୍ଷେତ୍ରରେ ବ୍ୟାପକ ବିକାଶ ମାଧ୍ୟମରେ “ଆତ୍ମନିର୍ଭର” କରିବ ତଥା ସେମାନଙ୍କ ନିଯୁକ୍ତି / ସ୍ୱରୋଜଗାର ସୁଯୋଗ ବୃଦ୍ଧି କରିବ।

ଏହି ପ୍ରକଳ୍ପ ହେଉଛି ମଲ୍ଟି- ମୋଡାଲ୍ ସଂଯୋଗ ପାଇଁ ପିଏମ୍ -ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ପରିଣାମ , ଯାହା ସମନ୍ୱିତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି ଏବଂ ଲୋକମାନଙ୍କ ଯାତାୟତ ନିମନ୍ତେ, ସାମଗ୍ରୀ ଏବଂ ସେବାର ପରିବହନ ପାଇଁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବ।

ଏହି ପ୍ରକଳ୍ପ ୨ଟି ରାଜ୍ୟ ଯଥା: ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ୬ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ, ଯାହା ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପ୍ରାୟ ୩୦୯ କିଲୋମିଟର ବୃଦ୍ଧି କରିବ।

ଏହି ପ୍ରକଳ୍ପ ମାଧ୍ୟମରେ ୩୦ଟି ନୂଆ ଷ୍ଟେସନ ନିର୍ମାଣ କରାଯିବ, ଯାହା ଆକାଂକ୍ଷୀ ଜିଲ୍ଲା ବରୱାନୀକୁ ଯୋଗାଯୋଗ ବୃଦ୍ଧି କରିବ। ନୂଆ ଲାଇନ୍ ପ୍ରକଳ୍ପ ଦ୍ୱାରା ପ୍ରାୟ ୧୦ ଗାଁ ଓ ପ୍ରାୟ ୩୦ ଲକ୍ଷ ଜନସଂଖ୍ୟାକୁ ସଂଯୋଗ ଯୋଗାଇ ଦିଆଯିବ।

ଏହି ପ୍ରକଳ୍ପ ଦେଶର ପଶ୍ଚିମ / ଦକ୍ଷିଣ – ପଶ୍ଚିମ ଭାଗକୁ କେନ୍ଦ୍ରୀୟ ଭାରତ ସହିତ ଛୋଟ ମାର୍ଗ ପ୍ରଦାନ କରି ଏହି ଅଞ୍ଚଳରେ ପର‌୍ୟ୍ୟଟନକୁ ପ୍ରୋତ୍ସାହିତ କରିବ। ଏହା ଦ୍ୱାରା ଶ୍ରୀ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିର ସମେତ ଉଜ୍ଜୟନୀ – ଇନ୍ଦୋର ଅଞ୍ଚଳର ବିଭିନ୍ନ ପର‌୍ୟ୍ୟଟନ ଓ ଧାର୍ମିକ ସ୍ଥଳକୁ ପର‌୍ୟ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ।

ଏହି ପ୍ରକଳ୍ପ ଜେଏନପିଏର ଗେଟ୍ ୱେ ବନ୍ଦର ଏବଂ ଅନ୍ୟାନ୍ୟ ରାଜ୍ୟ ବନ୍ଦରରୁ ପିଥମପୁର ଅଟୋ କ୍ଲଷ୍ଟର (୯୦ଟି ବୃହତ୍ ୟୁନିଟ୍ ଏବଂ ୭୦୦ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଅବସ୍ଥିତ) କୁ ସିଧାସଳଖ ସଂଯୋଗ ପ୍ରଦାନ କରିବ। ଏହି ପ୍ରକଳ୍ପ ମଧ୍ୟପ୍ରଦେଶର ମୋଟା ଶସ୍ୟ ଉତ୍ପାଦନକାରୀ ଜିଲ୍ଲା ଏବଂ ମହାରାଷ୍ଟ୍ରର ପିଆଜ ଉତ୍ପାଦନକାରୀ ଜିଲ୍ଲାଗୁଡିକୁ ସିଧାସଳଖ ସଂଯୋଗ ପ୍ରଦାନ କରିବ ଯାହା ଦେଶର ଉତ୍ତର ଏବଂ ଦକ୍ଷିଣ ଭାଗକୁ ଏହାକୁ ବଣ୍ଟନ କରିବାରେ ଅଧିକ ସହାୟକ ହେବ।

କୃଷିଜାତ ଦ୍ରବ୍ୟ, ସାର, କଣ୍ଟେନର, ଲୁହାପଥର, ଇସ୍ପାତ, ସିମେଣ୍ଟ, ପିଓଏଲ୍ ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏହା ଏକ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି ହେବା ଫଳରେ ବାର୍ଷିକ ପ୍ରାୟ ୨୬ ଏମଟିପିଏ (ନିୟୁତ ଟନ୍‌) ପରିମାଣର ଅତିରିକ୍ତ ମାଲ ପରିବହନ ହେବ।

ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ଅନୁକୂଳ ପରିବହନ ମାଧ୍ୟମ ହୋଇଥିବାରୁ ଉଭୟ ଜଳବାୟୁ ଲକ୍ଷ୍ୟ ହାସଲ ଏବଂ ଦେଶର ଲଜିଷ୍ଟିକ୍ ଖର୍ଚ୍ଚକୁ ହ୍ରାସ କରିବା, ତୈଳ ଆମଦାନୀ (୧୮ କୋଟି ଲିଟର) ହ୍ରାସ କରିବା ଏବଂ କମ୍ ଅଙ୍ଗାରକାମ୍ଳ ନିର୍ଗମନ (୧୩୮ କୋଟି କିଲୋଗ୍ରାମ) କରିବାରେ ସାହାଯ୍ୟ କରିବ , ଯାହାର ୫.୫ ପରିମାଣ କୋଟି ବୃକ୍ଷରୋପଣ ସହିତ ସମାନ।

Categories
ବିଶେଷ ଖବର

ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ କୁ ମଞ୍ଜୁର କଲା ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି (ସିସିଇଏ) ବୁଧବାର ଦିନ ୩,୭୦,୧୨୮.୭ କୋଟି ଟଙ୍କାର ମୋଟ୍‌ ବ୍ୟୟବରାଦ ସହିତ ଚାଷୀଙ୍କ ପାଇଁ ନୂଆ ଯୋଜନାର ଏକ ସ୍ୱତନ୍ତ୍ର ପ୍ୟାକେଜକୁ ମଞ୍ଜୁର କରିଛନ୍ତି। ଯୋଜନାରେ ସମୂହ ଦୀର୍ଘସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବା ସହିତ ଚାଷୀଙ୍କ ସାମଗ୍ରିକ କଲ୍ୟାଣ ଏବଂ ଆର୍ଥିକ ଉନ୍ନତି ପ୍ରତି ଗୁରୁତ୍ୱାରୋପ କରାଯାଇଛି। ଏହି ପଦକ୍ଷେପ ଚାଷୀଙ୍କ ଆୟ ବୃଦ୍ଧି କରିବା ସହିତ ପ୍ରାକୃତିକ ଓ ଜୈବିକ କୃଷିକୁ ମଜବୁତ କରିବ ଏବଂ ମାଟିର ଉତ୍ପାଦକତାକୁ ପୁନର୍ଜୀବିତ କରିବ; ଏଥିସହିତ ଖାଦ୍ୟ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରିବ।

ଟିକସ ଏବଂ ନିମ୍ବ କୋଟିଂ ଶୁଳ୍କ ଛାଡ଼ି ଚାଷୀମାନଙ୍କ ପାଇଁ ୪୫ କିଲୋଗ୍ରାମ ବସ୍ତା ପିଛା ୨୪୨ ଟଙ୍କା ସମାନ ମୂଲ୍ୟରେ ୟୁରିଆର ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ୟୁରିଆ ସବସିଡି ଯୋଜନାକୁ ଜାରି ରଖିବା ପାଇଁ ସିସିଇଏ ମଞ୍ଜୁରି ଦେଇଛି। ପ୍ୟାକେଜରେ ତିନି ବର୍ଷ ପାଇଁ (୨୦୨୨-୨୩ ଠାରୁ ୨୦୨୪-୨୫ ପର୍ଯ୍ୟନ୍ତ) ୟୁରିଆ ସବସିଡିକୁ ନେଇ ୩,୬୮,୬୭୬.୭ କୋଟି ଟଙ୍କା ଆବଣ୍ଟନ କରିବା ଲାଗି ପ୍ରତିବଦ୍ଧତା ବ୍ୟକ୍ତ କରାଯାଇଛି। ଏହି ପ୍ୟାକେଜ୍‌ ନିକଟରେ ଅନୁମୋଦିତ ୨୦୨୩-୨୪ର ଖରିଫ ଋତୁ ପାଇଁ ୩୮,୦୦୦ କୋଟି ଟଙ୍କାର ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ)ର ଅତିରିକ୍ତ ଅଟେ। ଚାଷୀମାନଙ୍କୁ ୟୁରିଆ କ୍ରୟ ଲାଗି ଅତିରିକ୍ତ ଖର୍ଚ୍ଚ କରିବାର ଆବଶ୍ୟକତା ପଡ଼ିବ ନାହିଁ ଏବଂ ଏହାଦ୍ୱାରା ସେମାନଙ୍କର ଇନପୁଟ ଖର୍ଚ୍ଚକୁ କମ କରିବାରେ ସହାୟତା ମିଳିବ। ବର୍ତ୍ତମାନ ୪୫ କିଲୋଗ୍ରାମ ୟୁରିଆ ବସ୍ତା ପିଛା ଏମଆରପି (ନିମ୍ବ କୋଟିଂ ଶୁଳ୍କ ଏବଂ ଲାଗୁ ଟିକସକୁ ଛାଡ଼ି) ୨୪୨ ଟଙ୍କା ରହିଥିବା ବେଳେ ବସ୍ତାର ବାସ୍ତବ ଦର ପ୍ରାୟ ୨୨୦୦ ଟଙ୍କ । ଏହି ଯୋଜନା ପାଇଁ ସମ୍ପୂର୍ଣ୍ଣ ଭାବେ ଭାରତ ସରକାରଙ୍କ ଦ୍ୱାରା ବଜେଟ୍‌ ସହାୟତା ମାଧ୍ୟମରେ  ପାଣ୍ଠି ଯୋଗାଇ ଦିଆଯାଉଛି। ୟୁରିଆ ସବସିଡି ଯୋଜନାକୁ ଜାରି ରଖିବା ଦ୍ୱାରା ୟୁରିଆର ସ୍ୱଦେଶୀ ଉତ୍ପାଦନ ମଧ୍ୟ ସର୍ବାଧିକ ହୋଇପାରିବ।

କ୍ରମାଗତ ଭାବେ ବଦଳୁଥିବା ଭୂ-ରାଜନୈତିକ ସ୍ଥିତି ଏବଂ କଞ୍ଚାମାଲ ଦରରେ ବୃଦ୍ଧି କାରଣରୁ, ବିଗତ କିଛି ବର୍ଷ ମଧ୍ୟରେ ବିଶ୍ୱସ୍ତରରେ ସାର ମୂଲ୍ୟ ଅନେକ ଗୁଣା ବୃଦ୍ଧି ପାଇଛି । କିନ୍ତୁ ଭାରତ ସରକାର ସାର ସବସିଡି ବଢ଼ାଇ ଦେଶର ଚାଷୀମାନଙ୍କୁ ଦରବୃଦ୍ଧି ଠାରୁ ସୁରକ୍ଷା ଦେଇଛନ୍ତି । ଚାଷୀଙ୍କୁ ସୁରକ୍ଷା ଦେବା ଲାଗି ନିଜର ପ୍ରୟାସରେ ଭାରତ ସରକାର ସାର ସବସିଡିକୁ ୨୦୧୪-୧୫ରେ ୭୩,୦୬୭ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୨-୨୩ରେ ୨,୫୪,୭୯୯ କୋଟି ଟଙ୍କା କରି ଦିଆଯାଇଛି ।

ନାନୋ ୟୁରିଆ ଇକୋସିଷ୍ଟମର ସୁଦୃଢ଼ୀକରଣ

୨୦୨୫-୨୬ ସୁଦ୍ଧା, ୧୯୫ ଲକ୍ଷ ମେଟ୍ରିକ ଟନ୍‌ ପାରମ୍ପରିକ ୟୁରିଆ ସମାନ ୪୪ କୋଟି ବୋତଲର ଉତ୍ପାଦନ କ୍ଷମତା ଥିବା ଆଠଟି ନାନୋ ୟୁରିଆ ପ୍ଲାଣ୍ଟ କାର୍ଯ୍ୟକ୍ରମ ହେବ । ନାନୋ ସାର ପୋଷକତତ୍ତ୍ୱକୁ ନିୟନ୍ତ୍ରିତ ଢଙ୍ଗରେ ଜାରି କରିଥାଏ, ଯାହା ପୋଷକ ତତ୍ତ୍ୱର ଉପଯୋଗ ଦକ୍ଷତାକୁ ବଢ଼ାଇଥାଏ ଏବଂ ଚାଷୀଙ୍କ ଖର୍ଚ୍ଚକୁ ହ୍ରାସ କରିଥାଏ। ନାନୋ ୟୁରିଆ ଉପଯୋଗ ଫଳରେ ଫସଲ ଉତ୍ପାଦନ ବୃଦ୍ଧି ପାଇଛି ।

ଦେଶ ୨୦୨୫-୨୬ ସୁଦ୍ଧା ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ମାର୍ଗରେ ଅଗ୍ରସର ହେଉଛି

୨୦୧୮ ଠାରୁ ୬ଟି ୟୁରିଆ ଉତ୍ପାଦନ ୟୁନିଟ୍‌, ଚମ୍ବଲ ଫର୍ଟିଲାଇଜର ଲିମିଟେଡ୍‌, କୋଟା ରାଜସ୍ଥାନ, ମ୍ୟାଟିକ୍ସ ଲିମିଟେଡ୍‌ ପାନାଗଢ଼, ପଶ୍ଚିମବଙ୍ଗ, ରାମାଗୁଣ୍ଡମ-ତେଲଙ୍ଗାନା, ଗୋରଖପୁର-ଉତ୍ତର ପ୍ରଦେଶ, ସିନ୍ଦରୀ-ଝାଡ଼ଖଣ୍ଡ ଏବଂ ବରୌନୀ-ବିହାରରେ ପ୍ରତିଷ୍ଠା ଓ ପୁନରୁଦ୍ଧାର ସହିତ ଦେଶକୁ ୟୁରିଆ ଉତ୍ପାଦନ ଏବଂ ଉପଲବ୍ଧତା କ୍ଷେତ୍ରରେ ଆତ୍ମନିର୍ଭର ହେବା କ୍ଷେତ୍ରରେ ସହାୟତା ମିଳିଛି । ୟୁରିଆର ସ୍ୱଦେଶୀ ଉତ୍ପାଦନ ୨୦୧୪-୧୫ରେ ୨୨୫ ଏଲଏମଟି ସ୍ତରରୁ ବୃଦ୍ଧି ପାଇ ୨୦୧-୨୨ରେ ୨୫୦ ଏଲଏମଟିରେ ପହଞ୍ଚିଛି । ୨୦୨୨-୨୩ରେ ଉତ୍ପାଦନ କ୍ଷମତା ବୃଦ୍ଧି ପାଇ ୨୮୪ ଏଲଏମଟି ହୋଇଯାଇଛି । ନାନୋ ୟୁରିଆ ପ୍ଲାଣ୍ଟ ସହିତ ମିଶି ଏସବୁ ୟୁନିଟ୍‌ ୟୁରିଆରେ ଆମର ବର୍ତ୍ତମାନର ଆମଦାନୀ ଉପରେ ନିର୍ଭରତା ହ୍ରାସ କରିବ ଏବଂ ୨୦୨୫-୨୬ ସୁଦ୍ଧା ଆମେ ଆତ୍ମନିର୍ଭରଶୀଳ ହୋଇପାରିବା ।

ଧରିତ୍ରୀ ମାତାର ଉର୍ବରତାର ପୁନରୁଦ୍ଧାର, ସଚେତନତା, ପୋଷଣ ଓ ସୁଧାର ନିମନ୍ତେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ (ପିଏମପ୍ରଣାମ)

ଧରିତ୍ରୀ ମାତା ସବୁବେଳେ ମାନବ ଜାତିକୁ ପ୍ରଚୁର ମାତ୍ରରେ ଜୀବିକା ଉତ୍ସ ପ୍ରଦାନ କରିଛି । ଅଧିକ ପ୍ରାକୃତିକ କୃଷି ପଦ୍ଧତି ଏବଂ ରାସାୟନିକ ସାରର ସନ୍ତୁଳିତ/ଦୀର୍ଘସ୍ଥାୟୀ ଉପଯୋଗକୁ ପ୍ରୋତ୍ସାହନ ଦେବା ବର୍ତ୍ତମାନ ସମୟର ଆବଶ୍ୟକତା। ପ୍ରାକୃତିକ/ଜୈବିକ କୃଷି, ବିକଳ୍ପ ସାର, ନାନୋ ସାର ଏବଂ ଜୈବିକ ସାରକୁ ପ୍ରୋତ୍ସାହନ ଦେବା ଦ୍ୱାରା ଆମ ଧରିତ୍ରୀ ମାତାର ଉର୍ବରତା ପୁନରୁଦ୍ଧାର କରିବାରେ ସହାୟତା ମିଳିପାରିବ । ଏହି କ୍ରମରେ, ବିକଳ୍ପ ସାର ଏବଂ ରାସାୟନିକ ସାରର ସନ୍ତୁଳିତ ଉପଯୋଗକୁ ପ୍ରୋତ୍ସାହନ ଦେବା ଲାଗି ରାଜ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ଧରିତ୍ରୀ ମାତାର ଉର୍ବରତାର ପୁନରୁଦ୍ଧାର, ସଚେତନତା, ପୋଷଣ ଓ ସୁଧାର ନିମନ୍ତେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ (ପିଏମ-ପ୍ରଣାମ) ଆରମ୍ଭ କରାଯିବାକୁ କେନ୍ଦ୍ର ବଜେଟ୍‌ରେ ଘୋଷଣା କରାଯାଇଥିଲା ।

ଗୋବରଧନ ପ୍ଲାଣ୍ଟରୁ ଜୈବିକ ସାରକୁ ପ୍ରୋତ୍ସାହନ ଦେବା ଲାଗି ବଜାର ବିକାଶ ସହାୟତା (ଏମଡିଏ) ପାଇଁ ୧୪୫୧.୮୪ କୋଟି ଟଙ୍କାର ମଞ୍ଜୁର କରାଯାଇଛି । ଆଜି ଅନୁମୋଦନ ଲାଭ କରିଥିବା ପ୍ୟାକେଜରେ ଧରିତ୍ରୀ ମାତାର ଉର୍ବରତା ପୁନରୁଦ୍ଧାର, ପୋଷଣ ଏବଂ ଉନ୍ନତିକରଣର ନୂତନ ପ୍ରୋତ୍ସାହନ ବ୍ୟବସ୍ଥା ମଧ୍ୟ ସାମିଲ ରହିଛି । ଗୋବରଧନ ପ୍ରୟାସ ଅଧୀନରେ ପ୍ରତିଷ୍ଠା କରାଯାଇଥିବା ବାୟୋଗ୍ୟାସ ପ୍ଲାଣ୍ଟ/କମ୍ପ୍ରେସଡ୍‌ ବାୟୋଗ୍ୟାସ (ସିବିଜି) ପ୍ଲାଣ୍ଟରୁ ଉପ ଉତ୍ପାଦ ରୂପରେ ଉତ୍ପାଦିତ ଜୈବିକ ଉର୍ବରକ ଅର୍ଥାତ୍‌ ଫର୍ମେଣ୍ଟେଡ୍‌ ଜୈବିକ ଖତ (ଏଫଓଏମ)/ତରଳ ଏଫଓଏମ/ଫସଫେଟ୍‌ ଯୁକ୍ତ ଜୈବିକ ଖତ (ପିଆରଓଏମ) ବିପଣନର ସମର୍ଥନ କରିବା ଲାଗି ପ୍ରତି ମେଟ୍ରିକ ଟନ୍‌ ୧୫୦୦ ଟଙ୍କା ଆକାରରେ ଏମଡିଏ ଯୋଜନା ସାମିଲ ରହିଛି ।

ଏପରି ଜୈବିକ ସାରକୁ ଭାରତୀୟ ବ୍ରାଣ୍ଡ ଏଫଓଏମ, ଏଲଏଫଓଏମ ଏବଂ ପିଆରଓଏମ ନାମରେ ବ୍ରାଣ୍ଡ କରାଯିବ । ଏହା ଗୋଟିଏ ପଟେ ଫସଲ ପରବର୍ତ୍ତୀ ବଳକା ଅବଶେଷ ପରିଚାଳନା କରିବା ଏବଂ ନଡ଼ା ଜାଳିବା ସମସ୍ୟାର ସମାଧାନ କରିବାରେ ସୁବିଧା ପ୍ରଦାନ କରିବ। ପରିବେଶକୁ ସ୍ୱଚ୍ଛ ଏବଂ ସୁରକ୍ଷିତ ରଖିବାରେ ସହାୟକ ହେବ । ଏଥିସହିତ ଚାଷୀମାନଙ୍କୁ ଏକ ଅତିରିକ୍ତ ଆୟ ଉତ୍ସ ପ୍ରଦାନ କରିବ । ଏହି ଜୈବିକ ସାର ଚାଷୀମାନଙ୍କୁ ଶସ୍ତା ଦରରେ ମିଳିବ ।

ସରକାରଙ୍କର ଏହି ପଦକ୍ଷେପ ଏସବୁ ବାୟୋଗ୍ୟାସ/ସିବିଜି ପ୍ଲାଣ୍ଟର ସାଧନଯୋଗ୍ୟତା ବଢ଼ାଇ ଚକ୍ରାକାର ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବାକୁ ଗୋବରଧନ ଯୋଜନା ଅଧୀନରେ ୫୦୦ ନୂଆ ବର୍ଜ୍ୟବସ୍ତୁରୁ ସମ୍ପଦ ପ୍ଲାଣ୍ଟ ପ୍ରତିଷ୍ଠା କରିବା ନିମନ୍ତେ ବଜେଟ୍‌ ଘୋଷଣାକୁ କାର୍ଯ୍ୟକାରୀ କରିବାରେ ସୁବିଧା ପ୍ରଦାନ କରିବ ।

ଦୀର୍ଘସ୍ଥାୟୀ କୃଷି ପଦ୍ଧତି ରୂପରେ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ଫଳରେ ମୃତ୍ତିକାର ଉର୍ବରତାର ପୁନରୁଦ୍ଧାର ହେଉଛି ଏବଂ ଚାଷୀଙ୍କ ପାଇଁ ଇନପୁଟ୍‌ ଖର୍ଚ୍ଚ କମ୍‌ ହେଉଛି । ୪୨୫ କୃଷି ବିଜ୍ଞାନ କେନ୍ଦ୍ର (କେବିକେ) ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରଦର୍ଶନ କରିଛନ୍ତି ଏବଂ ୬.୮୦ ଲକ୍ଷ ଚାଷୀଙ୍କୁ ସାମିଲ କରି ୬,୭୭୭ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛି । ଜୁଲାଇ-ଅଗଷ୍ଟ ୨୦୨୩ର ଶିକ୍ଷାବର୍ଷ ଠାରୁ ବିଏସସି ଓ ଏମଏସସିରେ ପ୍ରାକୃତିକ କୃଷି ପାଠ୍ୟକ୍ରମ ଆରମ୍ଭ କରାଯାଇଛି ।

ମୃତ୍ତିକାରେ ସଲଫର୍‌ ଅଭାବକୁ ଦୂର କରିବା ଏବଂ ଚାଷୀଙ୍କ ଇନପୁଟ ଖର୍ଚ୍ଚକୁ କମ୍‌ କରିବା ଲାଗି ସଲଫର କୋଟେଡ୍‌ ୟୁରିଆ (ୟୁରିଆ ଗୋଲ୍ଡ)ର ଶୁଭାରମ୍ଭ କରାଯାଇଛି ।

ପ୍ୟାକେଜ୍‌ର ଆଉ ଏକ ଯୋଜନା ହେଉଛି ଯେ ଦେଶରେ ପ୍ରଥମ ଥର ପାଇଁ ସଲଫର କୋଟେଡ୍‌ ୟୁରିଆ (ୟୁରିଆ ଗୋଲ୍ଡ)ର ଆରମ୍ଭ କରାଯାଇଛି । ଏହା ବର୍ତ୍ତମାନ ଉପଯୋଗ ହେଉଥିବା ନିମ୍ବ କୋଟେଡ୍‌ ୟୁରିଆ ଠାରୁ ଶସ୍ତା ଏବଂ ଭଲ । ଏହା ଦେଶରେ ମାଟିରେ ସଲଫର ଅଭାବକୁ ଦୂର କରିବ । ଏହା ଚାଷୀଙ୍କ ଇନପୁଟ୍‌ ଖର୍ଚ୍ଚ ମଧ୍ୟ ବଞ୍ଚାଇବ ଏବଂ ଉତ୍ପାଦନ ଓ ଉତ୍ପାଦକରେ ବୃଦ୍ଧି ସହିତ ଚାଷୀଙ୍କ ଆୟ ମଧ୍ୟ ବଢ଼ାଇବ ।

ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେ) ସଂଖ୍ୟା ମଧ୍ୟ ଏକ ଲକ୍ଷ ହେଲା

ଦେଶରେ ପାଖାପାଖି ଏକ ଲକ୍ଷ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେ) ପୂର୍ବରୁ କାର୍ଯ୍ୟକ୍ଷମ ରହିଛନ୍ତି । ଚାଷୀଙ୍କ ସବୁ ଆବଶ୍ୟକତା ପାଇଁ ଗୋଟିଏ ସ୍ଥାନରେ ସେମାନଙ୍କର ପ୍ରତ୍ୟେକ ସମସ୍ୟାର ସମାଧାନ ଆକାରରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଉଛି ।

ଲାଭ

ଆଜିର ଅନୁମୋଦିତ ଯୋଜନା ରାସାୟନିକ ସାରର ସଠିକ ଉପଯୋଗ କରିବାରେ ସହାୟତା କରିବ, ଯାହାଫଳରେ ଚାଷୀଙ୍କ ପାଇଁ କୃଷି ଖର୍ଚ୍ଚ ହ୍ରାସ ପାଇବ । ପ୍ରାକୃତିକ/ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ଲାଗି ନାନୋ ସାର ଏବଂ ଜୈବିକ ସାର ଦ୍ୱାରା ଆମ ପୃଥିବୀ ମାତାର ଉର୍ବରତାର ପୁନରୁଦ୍ଧାର କରିବାରେ ସହାୟତା ମିଳିବ ।

୧) ଉନ୍ନତ ମୃତ୍ତିକା ସ୍ୱାସ୍ଥ୍ୟ ଦ୍ୱାରା ପୋଷକତତ୍ତ୍ୱର ଦକ୍ଷତା ବଢ଼ିଥାଏ ଏବଂ ମୃତ୍ତିକା ଓ ଜଳ ପ୍ରଦୂଷଣରେ ଅଭାବ କାରଣରୁ ପରିବେଶ ମଧ୍ୟ ସୁରକ୍ଷିତ ହୋଇଥାଏ। ସୁରକ୍ଷିତ ଏବଂ ସ୍ୱଚ୍ଛ ପରିବେଶ ଦ୍ୱାରା ମାନବ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ମଧ୍ୟ ସହାୟତା ମିଳିଥାଏ।

୨) ନଡ଼ା ଭଳି ଫସଲ ଅବଶେଷ ଜଳାଇବା ଯୋଗୁ ହେଉଥିବା ବାୟୁ ପ୍ରଦୂଷଣ ସମସ୍ୟାର ସମାଧାନ ହେବ ଏବଂ ସ୍ୱଚ୍ଛତାରେ ସୁଧାର ଆସିବ । ପରିବେଶ ସୁରକ୍ଷା ହୋଇପାରିବ ଏବଂ ବର୍ଜ୍ୟରୁ ସମ୍ପଦ ସୃଷ୍ଟିରେ ମଧ୍ୟ ସହାୟତା ମିଳିବ ।

୩) ଚାଷୀଙ୍କୁ ଅଧିକ ଲାଭ ମିଳିବ – ୟୁରିଆ ପାଇଁ ସେମାନଙ୍କୁ କୌଣସି ଅତିରିକ୍ତ ଅର୍ଥ ପରିଶୋଧ କରିବାକୁ ପଡ଼ିବ ନାହିଁ କାରଣ ଶସ୍ତା ଦରରେ ଏହା ଉପଲବ୍ଧ ହେବ । ଜୈବିକ ସାର (ଏଫଓଏମ/ପିଆରଓଏମ) ମଧ୍ୟ ଶସ୍ତା ଦରରେ ଉପଲବ୍ଧ ହେବ । କମ ମୂଲ୍ୟରେ ନାନୋ ୟୁରିଆ ଏବଂ ରାସାୟନିକ ସାରର କମ୍‌ ପ୍ରୟୋଗ ତଥା ଜୈବିକ ସାରର ଅଧିକ ଉପଯୋଗ ଦ୍ୱାରା ଚାଷୀଙ୍କ ପାଇଁ ଇନପୁଟ୍‌ ଖର୍ଚ୍ଚ କମିବ । କମ୍‌ ଇନପୁଟ୍‌ ଖର୍ଚ୍ଚ ସହିତ ସୁସ୍ଥ ମୃତ୍ତିକା ତଥା ପାଣିରୁ ଫସଲ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇବ । ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଉନ୍ନତ ଲାଭ ମିଳିବ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୦୨୩-୨୪ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୩-୨୪ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ମଞ୍ଜୁରି ମିଳିଛି। ଏହି ମଞ୍ଜୁରି କୃଷି ଖର୍ଚ୍ଚ ଓ ମୂଲ୍ୟ ଆୟୋଗ (ସିଏସିପି)ର ସୁପାରିସ ଉପରେ ଆଧାରିତ।

୨୦୨୩-୨୪ ଋତୁ ପାଇଁ କଞ୍ଚା ଝୋଟ (ଟିଡି-୩ ଯାହାକି ପୂର୍ବର ଟିଡି-୫ ଗ୍ରେଡ ସହ ସମାନ)ର ଏମଏସପିକୁ କ୍ୱିଣ୍ଟାଲ ପ୍ରତି ୫୦୫୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଏହା ସର୍ବଭାରତୀୟ ସ୍ତରରେ ଲାଗୁ ହେଉଥିବା ହାରାହାରୀ ଉତ୍ପାଦନ  ଖର୍ଚ୍ଚ ଉପରେ ୬୩.୨୦ ପ୍ରତିଶତର ଅତିରିକ୍ତ ଆୟ ସୁନିଶ୍ଚିତ କରିବ। ସର୍ବଭାରତୀୟ ସ୍ତରରେ ଲାଗୁ ହେଉଥିବା ହାରାହାରୀ ଉତ୍ପାଦନ ଖର୍ଚ୍ଚର ଅତିକମରେ ଦେଢ଼ ଗୁଣା ଅତିରିକ୍ତ ଆୟ ଚାଷୀମାନଙ୍କୁ ଯୋଗାଇ ଦେବାକୁ ସରକାର ୨୦୧୮-୧୯ ବଜେଟ୍‌ରେ ଘୋଷଣା କରିଥିଲେ। ସେହି ଅନୁରୂପ କଞ୍ଚା ଝୋଟର ଏମଏସପି ନିର୍ଦ୍ଧାରଣ କରାଯାଇଛି।

ଏହା ସର୍ବନିମ୍ନ ୫୦ ପ୍ରତିଶତ ଲାଭ ସୁନିଶ୍ଚିତ କରିବ। ଝୋଟ ଚାଷୀମାନଙ୍କୁ ଭଲ ପାରିଶ୍ରମିକ ଦେବା ସହିତ  ଉନ୍ନତମାନର ଝୋଟ ଫାଇବରକୁ ପ୍ରୋତ୍ସାହିତ କରିବା ଦିଗରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି।

ଭାରତୀୟ ଝୋଟ ନିଗମ (ଜେସିଆଇ) ମୂଲ୍ୟ ସହାୟତା କାର୍ଯ୍ୟ ପରିଚାଳନା କରିବା ଲାଗି କେନ୍ଦ୍ର ସରକାରଙ୍କ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଏହି କାର୍ଯ୍ୟ ପରିଚାଳନା ସମୟରେ କୌଣସି କ୍ଷତି ହେଲେ କେନ୍ଦ୍ର ସରକାର ଏଥିପାଇଁ ସମ୍ପୂର୍ଣ୍ଣ କ୍ଷତିପୂରଣ ପ୍ରଦାନ କରିବେ।

Categories
ଜାତୀୟ ଖବର ବିଶେଷ ଖବର

୨୦୨୨ ଋତୁ ପାଇଁ ଶୁଖିଲା ନଡ଼ିଆ ଶସର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨ ଋତୁ ପାଇଁ ଶୁଖିଲା ନଡ଼ିଆ ଶସ (କୋପ୍ରା)ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରାଯାଇଛି।

ଉଚ୍ଚ ହାରାହାରୀ ଗୁଣବତ୍ତା (ଏଫଏକ୍ୟୁ) ଯୁକ୍ତ ମିଲିଂ ପାଇଁ ଉଦ୍ଦିଷ୍ଟ ଶୁଖିଲା ନଡ଼ିଆ ଶସ (କୋପ୍ରା)ର ଏମଏସପି କୁଇଣ୍ଟାଲ ପ୍ରତି ୧୦,୩୩୫ ଟଙ୍କାରୁ ବଢ଼ାଇ କୁଇଣ୍ଟାଲ ପ୍ରତି ୧୦ ହଜାର ୫୯୦ ଟଙ୍କା କରି ଦିଆଯାଇଛି। ସେହିପରି ଗୋଟା ଶୁଖିଲା ନଡ଼ିଆ ବା ବଲ କୋପ୍ରାର ଏମଏସପି ୨୦୨୨ ଋତୁ ପାଇଁ କୁଇଣ୍ଟାଲ ପ୍ରତି ୧୧,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୨୧ ଋତୁରେ ଏହାର ମୂଲ୍ୟ କୁଇଣ୍ଟାଲ ପ୍ରତି ୧୦,୬୦୦ ଟଙ୍କା ଥିଲା। ଫଳରେ ନଡ଼ିଆ ଚାଷୀମାନେ ଉତ୍ପାଦନ ଖର୍ଚ୍ଚ ଉପରେ ମିଲିଂ କୋପ୍ରା ପାଇଁ ୫୧.୮୫ ପ୍ରତିଶତ ଏବଂ ବଲ କୋପ୍ରା ପାଇଁ ୫୭.୭୩ ପ୍ରତିଶତ ଲାଭ ପାଇପାରିବେ। ଚାଷୀମାନଙ୍କୁ ଉତ୍ପାଦନ ଖର୍ଚ୍ଚର ଅତିକମରେ ଦେଢ଼ଗୁଣା ଲାଭ ପ୍ରଦାନ କରିବା ଲାଗି ସରକାର ୨୦୧୮-୧୯ ସାଧାରଣ ବଜେଟରେ ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ୨୦୨୨ ଋତୁ ପାଇଁ କୋପ୍ରା ଉପରେ ଏମଏସପି ବୃଦ୍ଧି କରାଯାଇଛି।

କୃଷିଭିତ୍ତିକ ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗଙ୍କ ସୁପାରିସ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ସର୍ବନିମ୍ନ ୫୦ ପ୍ରତିଶତ ଲାଭ ସୀମା ସୁନିଶ୍ଚିତ କରିବା ଏ ଦିଗରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।

ନଡ଼ିଆ ଉତ୍ପାଦନ ହେଉଥିବା ରାଜ୍ୟରେ ଭାରତୀୟ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଏବଂ ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ମୂଲ୍ୟ ସହାୟତା ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବ।

Categories
ଜାତୀୟ ଖବର ବିଶେଷ ଖବର

କ୍ୟାବିନେଟ ମଞ୍ଜୁରି ସହିତ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର କାର୍ଯ୍ୟକାରିତା ପାଇଁ ହେଲା ମାର୍ଗପ୍ରଶସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଯୋଜନାକୁ ମଞ୍ଜୁର କରାଯାଇଛି। ଏହା ସହିତ ବହୁମୁଖି ଯୋଗଯୋଗ ବା ମଲ୍ଟିମୋଡାଲ କନେକ୍ଟିଭିଟି ଯୋଗାଇ ଦେବା ପାଇଁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର କାର୍ଯ୍ୟକାରିତା, ରୂପାୟନ, ଅନୁଧ୍ୟାନ ଏବଂ ସହାୟକ ବ୍ୟବସ୍ଥା ନିମନ୍ତେ ଏକ ସଂସ୍ଥାଗତ ଢାଞ୍ଚାକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି।

ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ଅକ୍ଟୋବର ୨୦୨୧ରେ ମଲ୍ଟିମୋଡାଲ କନେକ୍ଟିଭିଟି ପାଇଁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନକୁ  ଅନୁମୋଦନ କରିଥିଲେ। ଏହାର କାର୍ଯ୍ୟକାରିତା ଢାଞ୍ଚାରେ ସାମିଲ ରହିଛି ସଚିବମାନଙ୍କର ଏକ କ୍ଷମତାସମ୍ପନ୍ନ ଗୋଷ୍ଠୀ (ଇଜିଓଏସ), ନେଟୱର୍କ ଯୋଜନା ପ୍ରସ୍ତୁତି ଗୋଷ୍ଠୀ (ଏନପିଜି), ଆବଶ୍ୟକ ବୈଷୟିକ ଦକ୍ଷତା ସହିତ ଏକ ବୈଷୟିକ ସହାୟତା ୟୁନିଟ (ଟିଏସୟୁ)।

ଇଜିଓଏସରେ କ୍ୟାବିନେଟ ସଚିବ ଅଧ୍ୟକ୍ଷତା କରିବେ ଏବଂ ଏଥିରେ ୧୮ ଟି ମନ୍ତ୍ରଣାଳୟର ସଚିବମାନେ ସଦସ୍ୟ ରହିବେ। ଗୋଷ୍ଠୀର ଆବାହକ ଭାବେ ଲଜିଷ୍ଟିକ୍ସ ଡିଭିଜନର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିବେ। ସମନ୍ୱୟ ଦକ୍ଷତା ସୁନିଶ୍ଚିତ କରିବା ଲାଗି ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର କାର୍ଯ୍ୟକାରିତା ସମୀକ୍ଷା ଏବଂ ଅନୁଧ୍ୟାନ କରିବା ଇଜିଓଏସ ପାଇଁ ବାଧ୍ୟତାମୂଳକ କରାଯାଇଛି। ଜାତୀୟ ମାଷ୍ଟର ପ୍ଲାନରେ କୌଣସି ପ୍ରକାରର ପରବର୍ତ୍ତୀ ସଂଶୋଧନ ଲାଗୁ କରିବା ଲାଗି ଢାଞ୍ଚା ଓ ମାନଦଣ୍ଡ ସମ୍ପର୍କରେ ସୁପାରିସ କରିବା ନିମନ୍ତେ ଇଜିଓଏସକୁ କ୍ଷମତା ପ୍ରଦାନ କରାଯାଇଛି। ବିଭିନ୍ନ ପ୍ରକାର କାର୍ଯ୍ୟକଳାପକୁ ସମକାଳୀନ କରିବା ଲାଗି ଏହି ଗୋଷ୍ଠୀ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଏବଂ ନିର୍ଦ୍ଧାରିତ ଢାଞ୍ଚା ପ୍ରସ୍ତୁତ କରିବ। ଏହାଛଡ଼ା ବିଭିନ୍ନ ଭିତ୍ତିଭୂମି ବିକାଶ ଯୋଜନାଗୁଡ଼ିକ ଯେପରି ଗୋଟିଏ ଏକୀକୃତ ଡିଜିଟାଲ୍ ପ୍ଲାଟଫର୍ମର ଅଂଶବିଶେଷ ହୋଇପାରିବେ ଇଜିଓଏସ ତାହା ସୁନିଶ୍ଚିତ କରିବ। ଇସ୍ପାତ, କୋଇଲା, ସାର ଆଦି ବିଭିନ୍ନ ମନ୍ତ୍ରଣାଳୟର ଆବଶ୍ୟକତା ମୁତାବକ ଦକ୍ଷତାପୂର୍ଣ୍ଣ ଭାବେ ମୋଟ୍ ଆକାରର ସାମଗ୍ରୀ ପରିବହନ କ୍ଷେତ୍ରରେ, ଦେଖାଦେଉଥିବା ଚାହିଦା ପୂରଣ ଲାଗି ମଧ୍ୟ ଇଜିଓଏସ ହସ୍ତକ୍ଷେପ କରିପାରିବ।

ବିଭିନ୍ନ ଭିତ୍ତିଭୂମି ମନ୍ତ୍ରଣାଳୟର ନେଟୱର୍କ ଯୋଜନା ପ୍ରସ୍ତୁତି ବିଭାଗର ମୁଖ୍ୟମାନଙ୍କୁ ନେଇ ଏକ ନେଟୱର୍କ ଯୋଜନା ପ୍ରସ୍ତୁତି ଗୋଷ୍ଠୀ (ଏନପିଜି)ର ଗଠନ, ଢାଞ୍ଚା ଓ ସନ୍ଦର୍ଭ ସର୍ତ୍ତାବଳୀକୁ ମଧ୍ୟ ସିସିଇଏ ଅନୁମୋଦନ କରିଛି। ଏହି ଗୋଷ୍ଠୀ ଇଜିଓଏସକୁ ସହାୟତା ଯୋଗାଇ ଦେବ।

ଆହୁରି, ନେଟୱର୍କଗୁଡ଼ିକର ସାମଗ୍ରିକ ଏକୀକରଣ ସହ ଜଡିତ ଜଟିଳତା, କୌଣସି କ୍ଷେତ୍ରର ସାମଗ୍ରିକ ବିକାଶ ଲାଗି ସମାନ ପ୍ରକାରର କାର୍ଯ୍ୟଗୁଡ଼ିକର ଦୋହରୀକରଣ ଏଡ଼ାଇବା ଏବଂ ସୂକ୍ଷ୍ମ ଯୋଜନା ବିବରଣୀ ମାଧ୍ୟମରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାକୁ ଦୃଷ୍ଟିରେ ରଖି ବୈଷୟିକ ସହାୟତା ୟୁନିଟ (ଟିଏସୟୁ)କୁ ମଧ୍ୟ ଅନୁମୋଦନ କରାଯାଇଛି। ଏହି ଟିଏସୟୁ ଆବଶ୍ୟକ ଦକ୍ଷତା ଯୋଗାଇ ଦେବ। ଟିଏସୟୁର ଢାଞ୍ଚାକୁ ମଧ୍ୟ ଅନୁମୋଦନ କରାଯାଇଛି। ଟିଏସୟୁରେ ବିମାନ ଚଳାଚଳ, ସାମୁଦ୍ରିକ କ୍ଷେତ୍ର, ଗଣ ପରିବହନ, ରେଳ, ସଡ଼କ ଓ ରାଜପଥ, ବନ୍ଦର ଆଦି ବିଭିନ୍ନ ଭିତ୍ତିଭୂମି କ୍ଷେତ୍ରର ବିଶେଷଜ୍ଞମାନେ ରହିବେ। ଏହାବ୍ୟତୀତ ସହରାଞ୍ଚଳ ଓ ପରିବହନ ଯୋଜନା ପ୍ରସ୍ତୁତି, ଢାଞ୍ଚା (ସଡ଼କ, ସେତୁ ଓ ଅଟ୍ଟାଳିକା), ଶକ୍ତି, ପାଇପଲାଇନ, ଜିଆଇଏସ, ଆଇସିଟି, ଅର୍ଥ/ବଜାର, ପିପିପି, ଲଜିଷ୍ଟିକ୍ସ, ଡାଟା ଆନାଲିଟିକ୍ସ ଆଦି ବିଷୟ ବିଶେଷଜ୍ଞମାନେ ମଧ୍ୟ ଟିଏସୟୁରେ ସାମିଲ ରହିବେ।

ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଉଦ୍ଦେଶ୍ୟ ହେଉଛି ବିଭାଗୀୟ ବାଧାଗୁଡ଼ିକୁ ଦୂର କରିବା। ଏହାଛଡ଼ା ବହୁମୁଖି ଯୋଗାଯୋଗ (ମଲ୍ଟିମୋଡାଲ କନେକ୍ଟିଭିଟି) ଏବଂ ଅନ୍ତିମ ଦୂରତାରେ ଯୋଗାଯୋଗ (ଲାଷ୍ଟ ମାଇଲ୍ କନେକ୍ଟିଭିଟି) ପ୍ରଦାନ କରିବା ଲାଗି ସାମଗ୍ରିକ ଓ ସମନ୍ୱିତ ଦୃଷ୍ଟିକୋଣ ନେଇ ପ୍ରକଳ୍ପଗୁଡ଼ିକର ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ କରିବା। ଏହା ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବ। ଏହା ଉପଭୋକ୍ତା, ଚାଷୀ, ଯୁବକଙ୍କ ସହିତ ବ୍ୟବସାୟ କ୍ଷେତ୍ରକୁ ବ୍ୟାପକ ଆର୍ଥିକ ଲାଭ ପ୍ରଦାନ କରିବ।

କ୍ୟାବିନେଟ ଅନୁମୋଦନ ସହିତ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର କାର୍ଯ୍ୟକାରିତା ଆହୁରି ତ୍ୱରାନ୍ୱିତ ହୋଇପାରିବ। ଯାହାଫଳରେ ଦେଶରେ ଭିତ୍ତିଭୂମି ବିକାଶ ପାଇଁ ଏକ ସାମଗ୍ରିକ ଏବଂ ସମନ୍ୱିତ ଯୋଜନା ପ୍ରସ୍ତୁତି ଢାଞ୍ଚା କାର୍ଯ୍ୟକାରୀ ହେବ।

ପିଏମ ଗତିଶକ୍ତି ଯୋଜନାକୁ ମଞ୍ଜୁରି ମିଳିବା ପରେ, ଏହା ବିଭିନ୍ନ ଅଂଶୀଦାରମାନଙ୍କୁ ଏକତ୍ରିତ କରିପାରିବ ଏବଂ ପରିବହନର ବିଭିନ୍ନ ମାଧ୍ୟମକୁ ସମନ୍ୱିତ କରିବାରେ ସହାୟକ ହେବ। ମଲ୍ଟିମୋଡାଲ କନେକ୍ଟିଭିଟି ପାଇଁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଏକ ସାମଗ୍ରିକ ପ୍ରଶାସନ ସୁନିଶ୍ଚିତ କରିବ ଯାହାର କେନ୍ଦ୍ରରେ ଭାରତର ଜନସାଧାରଣ, ଭାରତର ଉଦ୍ୟୋଗ ଜଗତ, ଭାରତର ଉତ୍ପାଦନକାରୀ ଏବଂ ଭାରତର ଚାଷୀମାନେ ରହିବେ।