Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ବଜ୍ରାଘାତ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ, ଶୋକାକୁଳ ପରିବେଶ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ପୃଥକ ପୃଥକ ସ୍ଥାନରେ ବଜ୍ରାଘାତ ରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଦ୍ବୟ ହେଲେ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଅରାଙ୍ଗ ଗ୍ରାମ ଭୋଇ ସାହିର ଗୋଲଖ ରଣସିଂହ ଙ୍କ ପୁଅ ରଞ୍ଜତ ରଣସିଂହ(22) ଏବଂ ଦାମିଆ ବରବରା ପଞ୍ଚାୟତ କଦମଝୋଲା ଗ୍ରାମର ଭିକାରି ଶବର ଙ୍କ ପୁତ୍ର ଅମର ଶବର(12)।

ଖବର ମୁତାବକ ଆଜି ଅପରାହ୍ନରେ ବାଣପୁର ଅଞ୍ଚଳରେ ବଜ୍ରାଘାତ ହୋଇଥିଲା। ଉକ୍ତ ସମୟରେ ଅରାଙ୍ଗ ଗ୍ରାମ ବିଲରେ ରଞ୍ଜତ ତାଙ୍କ ୩ ସାଙ୍ଗଙ୍କ ସହ ଥିବା ବେଳେ ସମସ୍ତେ ବଜ୍ରାଘାତ ର ଶିକାର ହୋଇଥିଲେ। ଫଳରେ ରଞ୍ଜତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନୁରୂପ ଭାବେ କଦମଝୋଲା ଗ୍ରାମର ଅମର ମଧ୍ୟ ସେହି ସମୟରେ ବର୍ଷା ନିମନ୍ତେ ସଡ଼କ କଡରେ ଛିଡା ହୋଇଥିବା ବେଳେ ସେ ମଧ୍ୟ ବଜ୍ରାଘାତ ର ଶିକାର ହୋଇଥିଲେ।

ପରିବାରବର୍ଗ ତାଙ୍କୁ ଗୁରୁତର ଭାବେ ବାଣପୁର ମେଡିକାଲ କୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବଜ୍ରାଘାତ ଯୋଗୁଁ ଦୁଇ ଦୁଇ ଟି ଅମୁଲ୍ୟ ଜୀବନ ଚାଲିଯାଇଥିବା ବେଳେ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ବାଣପୁର ପୋଲିସ ମେଡିକାଲ ପରିସରରେ ଉପସ୍ଥିତ ଅଛନ୍ତି। ତେବେ ରଞ୍ଜତଙ୍କ ଦୁଇ ସାଙ୍ଗ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ସଞ୍ଜୟ ନାୟକ(32) ଏବଂ ପ୍ରଶାନ୍ତ ନାୟକ(29)।

Categories
ଆଞ୍ଚଳିକ

ବାଲୁଗାଁ ବାଇପାସରେ ସଡକ ଦୁର୍ଘଟଣା, ଜଣେ ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ରାତିରେ ଖୋର୍ଦ୍ଧା ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବାଣପୁର – ବାଲୁଗାଁ ବାଇପାସ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ଜଣକ ହେଲେ ବାଲୁଗାଁ ଥାନା କୁଲାକୁଣ୍ଡେଇ ନୂଆଗାଁ ଗ୍ରାମର ପ୍ରସନ୍ନ ରାଉତଙ୍କ ପୁତ୍ର ତାରା ପ୍ରସାଦ ରାଉତ(26)।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ତାରା ତାଙ୍କ ସହଯୋଗୀ ବାଇକ ଚାଳକଙ୍କ ସହ ବାଲୁଗାଁ ରୁ ବାଣପୁର ବାଇପାସ ଉପରକୁ ଉଠୁଥିବା ବେଳେ ଭୁବନେଶ୍ୱର ଆଡୁ ବ୍ରହ୍ମପୁର ଅଭିମୁଖେ ଦୃତ ଗତିରେ ଯାଉଥିବା ଏକ ସ୍ପୋର୍ଟ ବାଇକ ତାରାଙ୍କ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ତାରା ଗାଡ଼ିରୁ ପଡିଯାଇଥିଲେ।

ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ତାରାଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲ ନେଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି l ତେବେ ଏ ନେଇ ଅଦ୍ୟାବଧି ବାଣପୁର ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଆଇଆଇସି ରମେଶ କୁମାର ଦେବତ୍ତା କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର ଏନଏସିରେ ଜଳବନ୍ଦୀରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ଚାଲିଛି ଜବରଦଖଲ ଉଛେଦ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କୁ ୫୦ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଜଳବନ୍ଦୀ ସମସ୍ୟା ପାଇଁ ସଦାବେଳେ ଏହା ସମାଲୋଚିତ ହୋଇଆସୁଛି। ଏନଏସି ଦେଇ ଯାଇଥିବା ମୁଖ୍ୟ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ଥିବା ବେଳେ ଏଠାରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସ୍ୱଳ୍ପ ବର୍ଷାରେ ଆଣ୍ଠୁଏ ପାଣି ଜମି ରହୁଛି।

ତେବେ ଏ ସମସ୍ୟା ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଗତବର୍ଷ ଦୋଳ ବେଦି ଛକରୁ ପଲଟନ ପଡିଆ ପର୍ଯ୍ୟନ୍ତ ଏକ ସ୍ଥାୟୀ ଡ୍ରେନ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ। କିନ୍ତୁ ଅଦ୍ୟାବଧି ତାହା ମଧ୍ୟ ହୋଇପାରି ନାହିଁ। ଉକ୍ତ ଡ୍ରେନେଜ ନିର୍ମାଣ ପାଇଁ ବ୍ୟୟ ଅଟକଳ ସରକାରଙ୍କ ପକ୍ଷରେ ଅନୁମୋଦନ ପାଇଁ ପଡ଼ି ରହିଥିବା ଜଣାପଡିଛି।

ଏହି ପରିପ୍ରେକ୍ଷୀରେ କେବଳ ବିଧାରପୁର ଛକରେ ଜମୁଥିବା ବର୍ଷା ଜଳ ନିଷ୍କାସନ ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ବିଧାରପୁର ଛକଠାରୁ ସାନ କେନାଲ(୨୨୦ମିଟର) ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଚାରି ଫୁଟର ଅସ୍ଥାୟୀ ଡ୍ରେନ ନିର୍ମାଣ ପାଇଁ ଆଜି ଜବରଦଖଲ ଉଛେଦ ଅଭିଯାନ ଜାରି ରହିଥିଲା। ପୂର୍ତ୍ତବିଭାଗର ଅନୁରୋଧ କ୍ରମେ ତହସିଲଦାର ଓ ସ୍ଥାନୀୟ ଆଇଆଇସିଙ୍କ ଉପସ୍ଥିତିରେ ବ୍ୟାପକ ଫୋର୍ସ ମୁତୟନ କରାଯାଇ ଉକ୍ତ ଜବରଦଖଲ ଉଛେଦ କରାଯାଇ ଥିଲା।

ତେବେ ଏହାକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଗତ ଦୁଇ ବର୍ଷ ତଳେ ସମାନ ସମସ୍ୟାକୁ ଏଡାଇବା ପାଇଁ ପୂର୍ତ୍ତବିଭାଗ ପକ୍ଷରୁ ପାଖପାଖି ୫ ଲକ୍ଷ ଟଙ୍କା ବ୍ୟୟରେ ବିଧାରପୁର ଛକରେ ଏକ ଅସ୍ଥାୟୀ ଡ୍ରେନ ନିର୍ମାଣ କରାଯାଇଥିଲା ଯାହାକି ମାତ୍ର ଏକ ମାସ ପରେ ପୁନଶ୍ଚ ଜବରଦଖଲ ହୋଇଯାଇଥିଲା।

ତେଣୁ ବାରମ୍ବାର ପକ୍କା ଡ୍ରେନ ନିର୍ମାଣ ନକରି କେବଳ ତାଳିପକା ଡ୍ରେନ ନିର୍ମାଣ ଫଳରେ ସରକାରଙ୍କ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟର୍ଥ ବ୍ୟୟ ହେଉଛି। ବିଧାରପୁର ଛକକୁ ବାଦ ଦେଲେ ମଧ୍ୟ ସହରର ଥାନା, ପୁରୁଣା ଏନଏସି କାର୍ଯ୍ୟାଳୟ ସମ୍ମୁଖ , ମେଡିକାଲ ଛକ, ନୂତନ ଏନଏସି କାର୍ଯ୍ୟାଳୟ ସମ୍ମୁଖ , ଗାଲୁଆ ଛକ, ଚିଆଙ୍କ ସାହି ଛକ ଆଦି ସ୍ଥାନରେ ବରାବର ବର୍ଷା ଜଳ ଜମି ରହୁଛି।

ତେବେ ଉକ୍ତ ସ୍ଥାନରେ ମଧ୍ୟ ଡ୍ରେନେଜ ସୁବିଧା କରାନଗଲେ ବାଣପୁର ସହର ପୁନଶ୍ଚ ଜଳମଗ୍ନ ହେବ l ଏହି ପରିପ୍ରେକ୍ଷୀରେ ବାଣପୁର ଏନଏସି ମୁଖ୍ୟ ରାସ୍ତା ସମେତ ୱାର୍ଡ ୱାରୀ ପକ୍କା ଡ୍ରେନେଜ ନିର୍ମାଣ ପାଇଁ ସାଧାରଣରେ ଦୃଢ଼ ଦାବି ହେଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ବିଧାୟକଙ୍କ ଏଣ୍ଟ୍ରି ପରେ ବଦଳିବ କି ରାଜନୀତି ପାଣିପାଗ!! ଅପେକ୍ଷାରେ ସବୁ ଦଳ

ସୀତାରାମ ଅଗ୍ରୱାଲ

ଚିଲିକା: ସାଧାରଣ ନିର୍ବାଚନ ଆଉ ମାତ୍ର ମାସ କେଇଟା ଥିବା ବେଳେ ଚିଲିକା ନିର୍ବାଚନ ମଣ୍ଡଳି ରାଜନୀତି ସମ୍ପୂର୍ଣ୍ଣ ଗୋଳିଆ ହୋଇଛି। ବିରୋଧି ବିଜେପିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ପ୍ରାୟତଃ ନିଶ୍ଚିତ ହୋଇସାରିଥିବା ବେଳେ ଶାସକ ବିଜେଡିର ଏ ପର୍ଯ୍ୟନ୍ତ ଅଙ୍କ ଛିଣ୍ଡିପାରି ନାହିଁ।

ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ନିଜ ନିର୍ବାଚନ ମଣ୍ଡଳିରୁ ବର୍ଷକ ପାଇଁ ଦୁରେଇ ରହିଛନ୍ତି। ଫଳରେ ଚିଲିକାରେ ଶାସକ ବିଜେଡି ଏକ ପ୍ରକାର ନେତୃତ୍ବ ହୀନ ହୋଇପଡିଛି। ବିଜେପିକୁ କାଉଣ୍ଟର କରିବା ପାଇଁ ବିଜେଡିର କୌଣସି ସ୍ଥାନୀୟ ନେତା ଫ୍ରଣ୍ଟଲାଇନକୁ ଆସିପାରୁ ନାହାଁନ୍ତି।

ଅନ୍ୟପକ୍ଷରେ ଏବେବି ଟିକେଟ ଆଶାୟୀ ଥିବା ପୂର୍ବତନ ରଘୁନାଥ ସାହୁ ଏକଲା ଚଲୋ ନିତିରେ ସଂଗଠନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ନିର୍ବାଚନ ମଣ୍ଡଳିର ପ୍ରତି ଛୋଟଛୋଟ କାର୍ଯ୍ୟକ୍ରମରେ ସାମିଲ ହୋଇ ଟିକେଟର ପ୍ରଥମ ଦାବିଦାର ବୋଲି ଦଳକୁ ସନ୍ଦେଶ ଦେବା ପାଇଁ ଚେଷ୍ଠା କରୁଛନ୍ତି। ଏପରିକି ରଘୁନାଥଙ୍କୁ ଯଦି ଦଳ ଟିକେଟ ନ ଦିଏ ତେବେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବେ ବୋଲି ତାଙ୍କ ସମର୍ଥକ ମାନେ କହି ବୁଲିଲେଣି।

ଏପରି ପରିସ୍ଥିତିରେ ପଞ୍ଚାୟତ ଏବଂ ଏନଏସି ସ୍ତରର ନେତାମାନେ ମଧ୍ୟ ବିଧାୟକ ପ୍ରାର୍ଥୀ ହେବା ସ୍ବପ୍ନ ଦେଖିବା ଆରମ୍ଭ କଲେଣି। ଯାହାକି ସୋସିଆଲ ମିଡ଼ିଆ ପୋଷ୍ଟରୁ ସ୍ପଷ୍ଟ ବାରି ହୋଇପଡୁଛି। ପାଖାପାଖି ଦଶ ବିଜେଡି ନେତା ବିଧାୟକ ଟିକେଟ ପାଇଁ ଆଶାୟୀ ରହିଛନ୍ତି। ଦିନକୁ ଦିନ ଏହି ତାଲିକା ମଧ୍ୟ ବଢିବାରେ ଲାଗିଛି।

ନୂଆ ଆଶାୟୀଙ୍କ ମଧ୍ୟରେ ଅଛନ୍ତି ବିଧାୟକଙ୍କ ପ୍ରତିନିଧି ତଥା କୁମାରାଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ଏବଂ ବର୍ତ୍ତମାନ ସରପଞ୍ଚଙ୍କ ସ୍ୱାମୀ ମନୋଜ ପ୍ରଧାନ। ମନୋଜଙ୍କ ସମର୍ଥକମାନେ  ସୋସିଆଲ ମିଡିଆରେ କରୁଥିବା ପୋଷ୍ଟ ଗୁଡିକରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି। ସେ ମଧ୍ୟ ବିଧାୟକ ପ୍ରାର୍ଥୀ ବୋଲି ନିଜକୁ ପରୋକ୍ଷରେ ଦାବୀ କରିବାରେ ଲାଗିଛନ୍ତି।

ନିକଟରେ ବିଧାୟକ ଜଗଦ୍ଦେବଙ୍କ ଗ୍ରାଣ୍ଡ ଏଣ୍ଟ୍ରି କରିବା ପାଇଁ ଯେଉଁ ପ୍ରସ୍ତୁତି ବୈଠକ କରିଥିଲେ ସେଥିରେ ବିଜେଡିର ବହୁ ଆଗଧାଡ଼ିର ନେତା ତଥା ନିର୍ବାଚିତ ପ୍ରତିନିଧି ଅନୁପସ୍ଥିତ ଥିଲେ। ବିଶେଷ ସୂତ୍ର ମୁତାବକ ଅନୁପସ୍ଥିତ ନେତାମାନଙ୍କ ଉଦେଶ୍ୟ କିଛି ଅଲଗା ରହିଛି। ସେମାନେ ଏଥର ଚିଲିକାରେ ଆମଦାନୀ ନେତା ନୁହଁ ବରଂ ସ୍ଥାନୀୟ ନେତା ବିଜେଡିରୁ ବିଧାୟକ ହୁଅନ୍ତୁ ବୋଲି କର୍ମୀ ଏବଂ ନେତାମାନେ ଚାହୁଁଛନ୍ତି।

ଗୋଟିଏ ପଟେ ବିଜେପି ତାହାର ରଣନୀତି ପୁର୍ବରୁ ପ୍ରସ୍ତୁତ କରି ସଂଗଠନ ଜାରି ରଖିଥିବା ବେଳେ ଅନ୍ୟପକ୍ଷେ ବିଜେଡିର ନେତାମାନେ ପରସ୍ପର କନ୍ଦଳରେ ବ୍ୟସ୍ତ ଅଛନ୍ତି। ଯାହାକି ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି। ଏପରି ଗୋଳିଆ ସ୍ଥିତି ଦେଖି ଶାସକ ଦଳ କି ପ୍ରକାରର ଗୋଟି ଚାଳନା କରିବ ତାହା ଜଣାପଡି ନାହିଁ।

ତେବେ ସମସ୍ତଙ୍କ ନଜର ରହିଛି ଜୁଲାଇ ୨୮ ତାରିଖକୁ। କାରଣ ଉକ୍ତ ଦିନ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିଜ ନିର୍ବାଚନମଣ୍ଡଳିକୁ ଗ୍ରାଣ୍ଡ ଏଣ୍ଟ୍ରି ମାରିବେ। ଏଥିପାଇଁ ଚାଲିଛି ବିରାଟ ଆୟୋଜନ। ତେବେ ବିଧାୟକ ନିର୍ବାଚନ ମଣ୍ଡଳିକୁ ଆସିବା ପରେ ଅସଲି ରାଜନୈତିକ ଖେଳ ଆରମ୍ଭ ହେବ ବୋଲି ଜଣାପଡିଛି। ସେତେବେଳେ ଚିଲିକାରେ ବିଜେଡି ସ୍ଥିତିର ଆକଳନ କରି  ହେବ।

Categories
ଆଞ୍ଚଳିକ

ବାଣପୁର ଖବର: ସ୍କୁଟି ଦୁର୍ଘଟଣାରେ ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର :- ଆଜି ସାନ୍ଧ୍ୟରେ ବାଣପୁର ଅନ୍ତର୍ଗତ ଆୟତପୁର ଛକରେ ଏକ ସ୍କୁଟି ଦୁର୍ଘଟଣା ହୋଇ ଜଣେ ମହିଳା ଗୁରୁତର ହୋଇଥିବା ଜଣାଯାଇଛି। ଖବରରୁ ଜଣାଯାଇଛି ବଡହନ୍ତୁଆଡ଼ ଗ୍ରାମର ସରୋଜିନୀ ନାୟକ ସ୍ୱାମୀ ତ୍ରିନାଥ ନାୟକ ବୟସ 45ବର୍ଷ ତାଙ୍କ ପୁଅଙ୍କ ସାଥିରେ ଏକ ସ୍କୁଟି ଯାହାର ନମ୍ବର OD02CD5077 ରେ ଆୟତପୁର ଥିବା ତାଙ୍କ ଝିଅ ଘରକୁ ଯାଉଥିଲେ।

ଆୟତପୁର ଛକ ଠାରେ ଭାରସାମ୍ୟ ହରାଇ ସ୍କୁଟିଟି ଦୁର୍ଘଟଣା ହୋଇଥିଲା। ଯାହାଫଳରେ ମହିଳାଙ୍କର ମୁଣ୍ଡ ଗଭୀର ଭାବରେ ଆଘାତ ହେବାରୁ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ବାଣପୁର ଅଗ୍ନିଶମ ବିଭାଗ ଅଧିକାରୀ ବିବେକାନନ୍ଦ ଦାସ ତାଙ୍କ ଟିମ ଶହ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାକୁ ଗଲେ ମୋର ପ୍ରଥମ ଲକ୍ଷ୍ୟ ହେବ ‘କମନ ୱାର୍କ ଫର କମନ ମ୍ୟାନ’; ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଏହି ନାମଟି ଉଚ୍ଚାରଣ କଲେ ଓଡିଶା ରାଜନୀତିରେ ସେ କିଏ ତାହା କହିବା ଆବଶ୍ୟକ ନାହିଁ। ସେ ହୋଇପାରନ୍ତି ବାହୁବଳୀ, ସେ ହୋଇପାରନ୍ତି ଦଉଡିବା ଘୋଡା. ସେ ହୋଇପାରନ୍ତି ରାଗ ସ୍ବାଭାବ। ହେଲେ ସବୁରି ଉପରେ ଗୋଟିଏ ନିଶ୍ଚିତ ଯେ, ସେ ଯେଉଁ ନିର୍ବାଚନ ମଣ୍ଡଳିକୁ ଯାଆନ୍ତି ସେଠାକାର ଲୋକଙ୍କୁ ସେ ନିଜର କରି ନିଅନ୍ତି। ଆଉ ଜିତନ୍ତି ମଧ୍ୟ। ବାଣପୁର ପଲଟନ ପଡିଆରେ ଗାଡି ମଡାଇବା ଅଭିଯୋଗ ପରେ ତାଙ୍କୁ ଚିଲିକା ଯିବାକୁ କୋର୍ଟ ବାରଣ କରିଛନ୍ତି। ସେପଟେ ବିଜେଡି ମଧ୍ୟ ଦଳରୁ ଦୂରେଇ ଦେଇଛି। ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବଙ୍କ ରାଜନୈତିକ ଭବିଷ୍ୟତ କଣ, ସେ ନେଇ ତାଙ୍କୁ ସାକ୍ଷାତ କରିଛନ୍ତି ଆମ ସମୀକ୍ଷା ପ୍ରତିନିଧି ସୀତାରାମ ଅଗ୍ରୱାଲ।

ସମୀକ୍ଷା- କୋର୍ଟ କଟକଣା ଯୋଗୁଁ ଆପଣ ଚିଲିକା ନିର୍ବାଚନ ମଣ୍ଡଳୀକୁ ଆଉ ଯାଇପାରୁ ନାହାଁନ୍ତି। ଯେତେବେଳେ ନିର୍ବାଚନ ମଣ୍ଡଳିକୁ ବିଧାୟକ ଯାଇପାରୁ ନାହିଁନ୍ତି, ସେତେବେଳେ ଚିଲିକାର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏଥିରେ ଚିଲିକାବାସୀ କାହାକୁ ଦୋଷ ଦେବେ ?

ବିଧାୟକ- ଦେଖନ୍ତୁ କୋର୍ଟ କଟକଣା ଯୋଗୁଁ ଯାଇପାରୁ ନାହିଁ, ତାହା ସତ କଥା। ହେଲେ ଚିଲିକା କାମ ଯେ, ସଂପୂର୍ଣ୍ଣ ଠପ୍ ହୋଇଯାଇଛି ତାହା କହିବା ଭୁଲ। ହଁ, ଏହା ସତ ଯେ, କାମ ଯେପରି ଦ୍ରୁତ ଗତିରେ ଆଗେଇବା କଥା ସେଥିରେ ଟିକିଏ ଧିମେଇ ଯାଇଛି। ହେଲେ ଭୁବନେଶ୍ବରରେ ରହି ଚିଲିକାର ସର୍ବାଙ୍ଗିନ ଉନ୍ନତି ପାଇଁ ଯାହା କରିବା କଥା ତାହା କରୁଛି। ଖୋର୍ଦ୍ଧା ଜିଲ୍ଲା ଅଫିସ ଏବଂ ଭୁବନେଶ୍ବର ଅଫିସରଙ୍କ ସହିତ ଯୋଗାଯୋଗ କରି ସମସ୍ତ କାମକୁ ଆଗେଇ ନେଉଛି।

ସମୀକ୍ଷା- ଜଗଦ୍ଦେବବାବୁ, କେଉଁ ଉନ୍ନତି କଥା କହୁଛନ୍ତି, କଣ ହେଉଛି ଉନ୍ନତି ? ବର୍ତ୍ତମାନ ବାଲୁଗାଁ ବାଣପୁର ଏନଏସିରେ ଏ ପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା ହୋଇପାରିଲା ନାହିଁ ? କଥାରେ କହନ୍ତି ବେଙ୍ଗ ମୁତିଲେ ବନ୍ୟା ପରି, ବାଣପୁରରେ ସାମାନ୍ୟ ବର୍ଷା ହେଲେ ସହର ଭାସୁଛି, ଆପଣ କେମିତି କହୁଛନ୍ତି ଉନ୍ନତି କାମ ହେଉଛି ?

ବିଧାୟକ- ସୀତାରାମ ବାବୁ ଆପଣ ଭଲ କଥାଟିଏ କହିଲେ। ମୁଁ ଆପଣଙ୍କୁ ଏହାର ଉତ୍ତର ମାଧ୍ୟମରେ ଏକ ନୂଆ ସୂଚନା ପ୍ରଦାନ କରିବାକୁ ଚାହୁଁଛି। ତାହା ହେଲା, ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ମୋର ନେତା ନବୀନ ପଟ୍ଟନାୟକ ବାଲୁଗାଁ ଓ ବାଣପୁର ଏନଏସିକୁ ୨୦୦ ଶହ କୋଟି ଲେଖାଏଁ ମୋଟ ୪୦୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ଟଙ୍କାରେ ଉଭୟ ସହରର ଜଳ ସଂରକ୍ଷଣ ଓ ନିସ୍କାସନ କାର୍ଯ୍ୟ କରାଯିବ।

ଆପଣ ଜାଣି ଖୁସି ହେବେ ଯେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କାର୍ଯ୍ୟର ଡିପିଆର ପ୍ରସ୍ତୁତ କରିବା ପାଇଁ କୋଟିଏ ଟଙ୍କା ଅନୁମୋଦନ ହୋଇସାରିଛି। ଡିପିଆର ପ୍ରସ୍ତୁତ ପରେ କାମ ଆରମ୍ଭ ହେବ। ଆଉ ଏକ ଖୁସି ଖବର ଆପଣଙ୍କ ମାଧ୍ୟମରେ ଚିଲିକା ଜନସାଧାରଣଙ୍କୁ ଦେବା ପାଇଁ ଚାହେଁ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଲିକା ନିର୍ବାଚନ ମଣ୍ଡଳି ପାଇଁ ପ୍ରାୟ ୧୨ ଶହ କୋଟି ଟଙ୍କାର ଉନ୍ନୟନ କାମ କରିବାକୁ ପ୍ରସ୍ତାବ କରିଛନ୍ତି। ତେଣୁ ଉନ୍ନତି କାମ ହେଉ ନାହିଁ ବୋଲି କହିବା ଭୁଲ କଥା।

ସମୀକ୍ଷା- ବର୍ତ୍ତମାନ ଆପଣ ଚିଲିକା ନିର୍ବାଚନ ମଣ୍ଡଳିକୁ ଯାଉ ନ ଥିବାରୁ ସେଠାକାର ରାଜନୀତି ମଧ୍ୟ ଗୋଲିଆ ହୋଇଗଲାଣି। ନେତା ନ ଥିବାରୁ କର୍ମିମାନେ ହତୋତ୍ସାହ ହୋଇପଡିଲେଣି। ଆପଣଙ୍କ ଅନୁପସ୍ଥିତରେ ଅନେକ ବର୍ତ୍ତମାନ ବିଧାୟକ ପ୍ରାର୍ଥୀ ହେବା ପାଇଁ ଅଣ୍ଟା ଭିଡିଲେଣି। କର୍ମିଙ୍କ ଭିତରେ ଆଉ ତାଳମେଳ ରହୁ ନାହିଁ। ନିର୍ବାଚନ ପାଖେଇଲାଣି, କେମିତେ ଚିଲିକାରେ ବିଜେଡିର ସଂଗଠନ କରିବେ ?

ବିଧାୟକ- ଦେଖନ୍ତୁ, କଥାରେ ଅଛି ବାଘ ନ ଥିଲେ ମିରିଗ ନାଟ, ମୋର ଦୁର୍ଭାଗ୍ୟ ଯେ, ଚିଲିକା ଯାଇପାରୁ ନ ଥିବାରୁ ସେଠାରେ କିଛି ମିରିଗ ପରି ନାଟ କରୁଛନ୍ତି। ଅନ୍ୟପଟେ କର୍ମିମାନେ ଯେଉଁ ହତୋତ୍ସାହ ହୋଇପଡିବା କଥା କହୁଛନ୍ତି ତାହା ସତ। ମୋର ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ କଟକଣା ରହିଛି। ଏହାପରେ ଏହି କଟକଣା ହଟିବ। ଅଗଷ୍ଟ ପ୍ରଥମ ସପ୍ତାହରେ ମୁଁ ଚିଲିକା ଯିବି।

ବିଜ୍ଞାନରେ ଅଛି, ଯଦି ସୂର୍ଯ୍ୟ ଉଇଁଲେ ଗଛଲତା ସବୁ କଅଁଳି ଉଠେ, ଫୁଲଫଳସବୁ ହସି ଉଠେ, ପରିବେଶ ପୁରା ସତେଜ ହୋଇଯାଏ । ଠିକ ସେହିପରି ମୁଁ ଚିଲିକା ଯିବା ପରେ ଦେଖିବେ, ପୁଣି ପୂର୍ବର ଯେଉଁ ସଂଗଠନ ଥିଲା ତାହା ସବୁ ପୁଣି କଅଁଳି ଉଠିବ। ପୁଣି କର୍ମିମାନେ ଚଳଚଞ୍ଚଳ ହୋଇ ଉଠିବେ। ପୁଣି ସଂଗଠନ ମଜବୁତ ହୋଇଯିବ। ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, କର୍ମିଙ୍କ ମଧ୍ୟରେ ସେହି ଉତ୍ସାହ ପୁଣି ଫେରି ଆସିବ। ମୋର ପ୍ରଥମ ଲକ୍ଷ ହେବ ‘କମନ ୱାର୍କ ଫର କମନ ମ୍ୟାନ’ ।

ସମୀକ୍ଷା- ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଚାଲିଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଆଉ ଚିଲିକାରୁ ନୁହଁ, ଖୋର୍ଦ୍ଧା କିମ୍ବା ବେଗୁନିଆରୁ ଛିଡା ହେବେ ?

ବିଧାୟକ- ଦେଖନ୍ତୁ, ଆପଣ କେବେ ଭାବି ଥିଲେ ଯେ, ପ୍ରଶାନ୍ତ ଜଗଦ୍ଦେବ ଚିଲିକାର ବିଧାୟକ ହେବେ। ଆଜ୍ଞା ମୋ ଘର ହେଉଛି ଖୋର୍ଦ୍ଧା, ମୋର ନେତା ନବୀନବାବୁ, ମୋତେ ସେ ପ୍ରଥମେ ବେଗୁନିଆରେ ଛିଡା ହେବାକୁ କହିଲେ। ସେଠାରେ ଛିଡା ହେଲି ଆଉ ଜିତିଲି ମଧ୍ୟ। ସେଇଟା ମୋର ଘର ନ ଥିଲା। ହେଲେ ପରେ ଘର ହେଲା।

ତାପରେ ୨୦୧୯ ରେ ସେହିପରି ମୋର ନେତା ନବୀନବାବୁ କହିଲେ ଚିଲିକାରୁ ଛିଡା ହୁଅ। ଛିଡା ହେଲି, ଆଉ ଭଲ ଭୋଟରେ ଜିତିଲି। ଏବେ ଚିଲିକା ମଧ୍ୟ ମୋର ଘର। ତେଣୁ ଏଥିରୁ ଆପଣ ଜାଣିପାରୁ ଥିବେ ମୋତେ ନବୀନ ବାବୁ ଯେଉଁଠାରୁ ପ୍ରାର୍ଥୀ କରୁଛନ୍ତି ମୁଁ ସେଠାରେ ଛିଡା ହୋଇଛି, ଆଉ ଜିତିକି ମଧ୍ୟ ଆସୁଛି। ସେହିପରି ଆସନ୍ତା ନିର୍ବାଚନରେ ମୋତେ ନବୀନବାବୁ ଯେଉଁଠାରୁ ପ୍ରାର୍ଥୀ କରିବେ ମୁଁ ସେହିଠାରୁ ଛିଡା ହେବି। ଆଉ ଗ୍ୟାରେଣ୍ଟି ସହ କହୁଛି ସେଠାରୁ ମଧ୍ୟ ଜିତିବି। ମୁଁ ହେଉଛି ଲଢୁଆ ପୁଅ, ଲଢିବି, ଭୟ କରିବାର ନାହିଁ।

ସମୀକ୍ଷା- ବର୍ତ୍ତମାନ ସୁଦ୍ଧା ବିଜେଡି ଆପଣଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇ ନାହିଁ। ଫଳରେ କର୍ମୀମାନଙ୍କର ସନ୍ଦେହ ହେଲାଣି ଯେ, ଆପଣଙ୍କୁ ଆଉ ବିଜେଡି ଟିକେଟ ଦେବ ନାହିଁ। ସେଥିପାଇଁ ଆପଣ କୁଆଡେ ବିଜେପି ଆଡେ ମୁହାଁଇଲେଣି ବୋଲି ଚର୍ଚ୍ଚା ଚାଲିଛି।

ବିଧାୟକ- ହା..ହା..ହା..। ଦେଖନ୍ତୁ ଦଳ ଯେହେତୁ ନିଳମ୍ବନ ଆଦେଶ ହଟାଇ ନାହିଁ ସେଥିପାଇଁ ଏପରି ଗୁଜାବ ଉଠୁଛି। ଯେଉଁଦିନ ଦଳ ନିଳମ୍ବନ ଆଦେଶ ହଟାଇ ଦେବ ସେହି ଦିନ ହୁଏତ ଏହି ଗୁଜବ ବା ଏହି ଚର୍ଚ୍ଚା ଆଉ ହେବ ନାହିଁ। ଏପରି ଗୁଜବ ବା ଚର୍ଚ୍ଚାକୁ ମୁଁ କେବେ ବିଶ୍ବାସ କରେ ନାହିଁ। ଆଜି ପର୍ଯ୍ୟନ୍ତ ଯାହା ବି ରାଜନୀତିରେ କରିଛି ତାହା କେବଳ ବିଜେଡି ପାଇଁ କରିଛି, ଆଉ ମୋର ନେତା ନବୀନ ପଟ୍ଟନାୟକଙ୍କ ଆର୍ଶିବାଦ ଯୋଗୁଁ କରିପାରିଛି। ତେଣୁ ଏପରି ଗୁଜବରେ ତିଳେ ମାତ୍ର ବାସ୍ତବତା ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାର ମା କାଳିଜାଈ ପୀଠ: ମିଳୁନି ପିଇବା ପାଣି, ପର୍ଯ୍ୟଟକ ହତାସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ୧୧୬୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ ଏସିଆ ମହାଦେଶର ସର୍ବବୃହତ ଲବଣ ହ୍ରଦ ଚିଲିକା ପୁରୀ,ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ଅବସ୍ଥାପିତ। ଏହି ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଇଙ୍କ ପୀଠ ଚିଲିକା ଗଣ୍ଡରେ ଅବସ୍ଥାପିତ।

ଚିଲିକାରେ ବିଦେଶାଗତ ପକ୍ଷୀ ସମେତ ସ୍ଥାନୀୟ ପକ୍ଷୀମାନଙ୍କ ସମାଗମରେ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ମା’ଙ୍କ ଦର୍ଶନ ନିମନ୍ତେ କାଳିଜାଇ ପୀଠରେ ଅହରହ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ।

ମାତ୍ର ମା’ କାଳିଜାଇଙ୍କ ପୀଠ ଅତ୍ୟନ୍ତ ଅବ୍ୟବସ୍ଥା ଦେଇ ଗତି କରୁଥିବା ଦେଖିବାକୁ ମିଳିଛି।ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ବହୁ ପୁରାତନ ଏକ କୂଅ ଉପରେ ନିର୍ଭର କରନ୍ତି ସମସ୍ତେ।

ସେଥିରୁ ପୁଣି ଖାରି ପାଣି ଯାହାକି ମନ୍ଦିର ନୀତିକାନ୍ତି ପୂଜା ଠାରୁ ଆରମ୍ଭ କରି ସ୍ଥାନୀୟ ଉଠା ଦୋକାନୀ ସମେତ ପାଣି ଟୋପେ ପିଇବା ପାଇଁ ସେହି କୂଅ ଉପରେ ସଦାସର୍ବଦା ନିର୍ଭର କରିଥାନ୍ତି ସ୍ଥାନୀୟ ବ୍ୟକ୍ତି।

ଉକ୍ତ ମନ୍ଦିରକୁ ଅନେକ ସମୟରେ କେତେ ନେତା, ମନ୍ତ୍ରୀ, ସରକାରୀ ଅଧିକାରୀ ମାନେ ଦର୍ଶନ କରିବାକୁ ଯାଉଥିଲେ ସୁଦ୍ଧା ପିଇବା ପାଣି ସମସ୍ୟା କାହାର ଦୃଷ୍ଟି ଗୋଚରରେ ଆସୁନଥିବା ସମସ୍ତଙ୍କୁ ଚକିତ କରିଛି।

ବହୁ କଷ୍ଟରେ ପାରିକୁଦ ରାଜା ସନ୍ତୋଷ ଦେଓଙ୍କ ସହାୟତା ଏବଂ ମନ୍ଦିର ପୂଜକ ଓ ଉଠା ଦୋକାନୀ ମାନଙ୍କ ପ୍ରୟାସରେ ଏଠାରେ ସୋଲାର ଲାଇଟ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ରକ୍ଷଣାବେକ୍ଷଣ ଅଭାବରୁ ତାହା ଦୟନୀୟ ଅବସ୍ଥାରେ ପଡିରହିଛି।

ନୀଳ ଜଳରାଶିରେ ବୋଟିଂ ସାଙ୍ଗକୁ ପ୍ରକୃତିମୟୀ ଚିଲିକାର ମନଲୋଭା ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକଙ୍କ ସମେତ ସ୍ଥାୟୀ ବାସିନ୍ଦା ମନଭରି ଉପଭୋଗ କରିବାସହ ମା’ଙ୍କ ଦର୍ଶନ ନିମନ୍ତେ ଅହରହ ସମାଗମ ହେଉଥିଲେ ସୁଦ୍ଧା ଏଭଳି ସ୍ଥିତିରେ ଏହାର ଉନ୍ନତିକରଣ ପାଇଁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି।

ନିଳାମ୍ବୁ ଚିଲିକା ପାଇଁ ବିଶ୍ଵ ମାନଚିତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ଚିଲିକା ଅଧିଷ୍ଠାତ୍ରୀ ମା’ କାଳିଜାଇଙ୍କ ପୀଠର ଉନ୍ନତି ଦିଗରେ ବିଭିନ୍ନ ମସ୍ୟଜୀବୀ ସଂଘ,ସ୍ଥାନୀୟ ପ୍ରଶାସନ, ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ଟ୍ରେନ ସମ୍ମୁଖରେ ଡେଇଁ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା, ପରିଚୟ ଜଣାପଡି ନାହିଁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ଗଙ୍ଗାଧରପୁର ଷ୍ଟେସନ ଟ୍ରାକରେ ଠାବ ହୋଇଛି ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ। ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ଶବଟି ଜଣେ ପୁରୁଷଙ୍କ ବୋଲି ଜଣାପଡିଛି।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଆଜି ସଂନ୍ଧ୍ୟାରେ ବ୍ୟକ୍ତି ଜଣକ ପୁରୀ ଚେନ୍ନାଇ ଏକ୍ସପ୍ରେସ ଗଙ୍ଗାଧରପୁର ଷ୍ଟେସନ ଅତିକ୍ରମ କରୁଥିବା ବେଳେ ଇଞ୍ଜିନ ସମ୍ମୁଖରେ ଡେଇଁ ଆତ୍ମହତ୍ୟା କରିଛନ୍ତି।

ଘଟଣାସ୍ଥଳରେ ବାଲୁଗାଁ ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇ ଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁରରେ ମିଳିତ ଅମଲା ମଞ୍ଚ କର୍ମଚାରୀଙ୍କ ଧାରଣା

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଠାରୁ ରାଜ୍ୟ ଅମଲା ମଞ୍ଚ ଗ୍ରେଡ ପେ ବୃଦ୍ଧି ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି। ପ୍ରାୟ ୫୦ ହଜାର ଅମଲା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଯାହାଫଳରେ ସରକାରୀ ଦପ୍ତରର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।

ଅମଲାମାନଙ୍କ ଦାବି ମୁତାବକ ୨୦୧୭ ପରେ ସରକାର ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି। ହେଲେ ସେହି ଅନୁସାରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅମଲାମାନଙ୍କର ଗ୍ରେଡ ପେ ବୃଦ୍ଧି କରାଯାଇନାହିଁ।

ସେମାନେ ପୂର୍ବରୁ ପାଉଥିବା ୧୯୦୦ ଗ୍ରେଡ ପେ, ଏବେ ବି ବଳବତ୍ତର ରହିଛି। ହେଲେ ସମାନ କାମକୁ ସମାନ ଦରମା ନୀତିର ଏହା ଉଲ୍ଲଂଘନ ଅଭିଯୋଗ କରି ଗ୍ରେଡ ପେ ୪୨୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଅମଲାମାନେ ଦାବି କରିଆସୁଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ମିଳିତ ଅମଲା ମଞ୍ଚ ର କର୍ମଚାରୀ ମାନେ। ହାତରେ ପ୍ଲାକାର୍ଡ ଧରି ନିଜର ଦାବି ପୂରଣ ପାଇଁ ବିଭିନ୍ନ ନାରା ଦେଉଥିବାର ଦେଖିବାକୁ ମିଳିଛି କର୍ମଚାରୀମାନଙ୍କୁ।

ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଉକ୍ତ ଧାରଣା ପ୍ରତିଦିନ ସରକାରୀ କାର୍ଯ୍ୟ ଦିବସରେ ଜାରି ରହିବ ବୋଲି ମିଳିତ ଅମଲା ମଞ୍ଚ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

କବି ଗୋଦାବରୀଶ ମହାପାତ୍ରଙ୍କ ଜନ୍ମସ୍ଥାନ ବାଣପୁର କୁମାରାଙ୍ଗ ଗ୍ରାମର ହେବ ଉନ୍ନତିକରଣ

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟ ସରକାର ଓଡିଶାର ବରପୁତ୍ରମାନଙ୍କ ଗ୍ରାମକୁ ଆଦର୍ଶ ବରପୁତ୍ର ଗ୍ରାମ ଭାବେ ଘୋଷଣା କରିବା ସହ ଏହାର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ବାଣପୁର ମାଟିର ବରପୁତ୍ର ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ କୁମାରାଙ୍ଗ ଗ୍ରାମକୁ ଆଦର୍ଶ ବରପୁତ୍ର ଗ୍ରାମରେ ସାମିଲ ହୋଇଛି।

ଗତକାଲି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉକ୍ତ ଗ୍ରାମ ଗସ୍ତରେ ଆସିଥିଲେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା। ତାଙ୍କ ସହ ଜିଲ୍ଲା ସଂକୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ମଧ୍ୟ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ବରପୁତ୍ର ଗୋଦାବରୀଶ ମହାପାତ୍ରଙ୍କ ବାସଗୃହକୁ ଯାଇ ତାଙ୍କ ପରିବାରବର୍ଗ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

ସ୍ବର୍ଗତ କବି ଶ୍ରୀ ମହାପାତ୍ରଙ୍କ ଘର ମରାମତି ,କୁମାର ପାଠାଗାରକୁ ନବୀକରଣ , ଗ୍ରାମରେ ନିଆଁଖୁଣ୍ଟାଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ଗ୍ରାମରେ ବରପୁତ୍ରଙ୍କ ସୂଚନା ଫଳକ ସ୍ଥାପନ, ନିଆଁଖୁଣ୍ଟାଙ୍କ ବିଭିନ୍ନ କାଳଜୟୀ କବିତା ଗୁଡ଼ିକକୁ ନେଇ ଏକ ଚିତ୍ରଣ ସ୍ତମ୍ଭ ସ୍ଥାପନ ଏବଂ ନିଆଁଖୁଣ୍ଟାଙ୍କ ଜନ୍ମ ଏବଂ ଶ୍ରାଦ୍ଧ ବାର୍ଷିକୀକୁ ଆଡମ୍ବର ସହକାରେ ପାଳନ ଆଦି କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ସୂଚନା ଦେଇଛନ୍ତି।

ଅତିରିକ୍ତ ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ସ୍ଥାନୀୟ ବିଡ଼ିଓ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ କୁମାରାଙ୍ଗ ଗ୍ରାମକୁ ଆଦର୍ଶ ବରପୁତ୍ର ଗ୍ରାମର ମାନ୍ୟତା ମିଳିଥିବାରୁ ସମସ୍ତ ବାଣପୁରବାସୀ ଏ ନେଇ ଖୁସି ବ୍ୟକ୍ତ କରିବା ସହ ଏଥି ନିମନ୍ତେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ବେଲେଡିହ ଗ୍ରାମର ପ୍ରମୋଦ ବାରିକଙ୍କ ଝିଅ ପୁଷ୍ପାଞ୍ଜଳି ବାରିକ(୨୨) କିଛି ବର୍ଷ ପୂର୍ବେ ନରେନ୍ଦ୍ରପୁର ଗ୍ରାମର କନ୍ଧ ବାରିକ ଙ୍କ ପୁତ୍ର ସମୀର ବାରିକଙ୍କୁ ବିବାହ କରିଥିଲେ।

ତେବେ କାଲି ରାତିରେ ପୁଷ୍ପାଞ୍ଜଳିଙ୍କୁ ଶ୍ୱଶୁର ଘର ଲୋକ ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲ ରେ ଭର୍ତ୍ତି କରି ବାପ ଘର ଲୋକଙ୍କୁ ଖବର ଦେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟରାତ୍ରିରେ ପୁଷ୍ପାଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ମେଡିକାଲ ପକ୍ଷରୁ ବାଣପୁର ପୋଲିସ କୁ ସୂଚନା ଦିଆଯାଇଥିଲା।

ତେବେ ପୁଷ୍ପାଞ୍ଜଳିଙ୍କ ପରିବାରବର୍ଗ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ ପୁଷ୍ପାଞ୍ଜଳି ଙ୍କୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକମାନେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ। ଏବଂ ପୁଷ୍ପାଞ୍ଜଳି ଙ୍କ ମୃତ୍ୟୁର ପଛରେ କୌଣସି ଏକ ରହସ୍ୟ ରହିଛି। ବାଣପୁର ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି। ସୂଚନା ଥାଉକି ପୁଷ୍ପାଞ୍ଜଳିଙ୍କ ଏକ ଛୋଟ ଶିଶୁ ପୁତ୍ର ଅଛି।

Categories
ଆଞ୍ଚଳିକ

ବାଣପୁରରେ ଦୁଃଖଦ ଘଟଣା, କୂଅରେ ପଡି ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। କୂଅରେ ପଡ଼ି ଜଣେ ୮୦ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଥିବା ଜଣାପଡିଛି। ସୂଚନାନୁଯାୟୀ ବାଣପୁର ଏନଏସି ଗୋପାଳପୁର ଶାସନ ଗ୍ରାମର ହାଡିବନ୍ଧୁ ରଣା ଆଜି ପୂର୍ବାହ୍ନରେ ଅସାବଧାନତା ବଶତଃ ବାରି କୂଅରେ ପଡିଯାଇଥିଲେ।

ଏ ନେଇ ପରିବାରବର୍ଗ ବାଣପୁର ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିବାରୁ ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସଙ୍କ ନେତୃତ୍ୱରେ ତୁରନ୍ତ ଏକ ଟିମ ହାଡିବନ୍ଧୁଙ୍କୁ ଘରେ ପହଞ୍ଚି ତାଙ୍କୁ କୂଅରୁ ଉଦ୍ଧାର କରିଥିଲେ। ତେବେ ତାଙ୍କୁ ବାଣପୁର ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ନାଭାଲ ଫାଣ୍ଡି ନିକଟରେ ଓଲଟିଲା ବସ୍, ଥିଲେ ୮୦ ଜଣ ଯାତ୍ରୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ନାଭାଲ ଫାଣ୍ଡି ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଯାତ୍ରୀବାହି ବସ ଭରସାମ୍ୟ ହରାଇ ଲେଉଟିପଡ଼ିଛି। ସୂଚନା ମୁତାବକ ଭୁବନେଶ୍ୱର ରୁ ଯାତ୍ରୀ ନେଇ ଆସ୍କା ଅଭିମୁଖେ ଯାଉଥିବା ନମସ୍କାର ନାମକ ବସଟି ଗତକାଲି ରାତି ପାଖାପାଖି ୨ ଘଟିକା ସମୟରେ ନାଭାଲ ଫାଣ୍ଡି ନିକଟସ୍ଥ ବ୍ରଜରାଜପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଲେଉଟିପଡିଥିଲା।

ବସରେ ପାଖାପାଖି ୮୦ ଜଣ ଯାତ୍ରୀ ଥିଲେ। ଖବର ପାଇ ସଙ୍ଗେସଙ୍ଗେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ ସହଯୋଗରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ତେବେ ସୌଭାଗ୍ୟବଶତଃ କୌଣସି ଯାତ୍ରୀ ମୃତାହତ ହୋଇନଥିବା ଫାଣ୍ଡି ଅଧିକାରୀ ଶ୍ରୀ ସାହୁ କହିଛନ୍ତି।

Categories
ଆଞ୍ଚଳିକ

ବାଣପୁରର ସ୍ୱୟଂସେବକ ପ୍ରଶାନ୍ତ, ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା

ସୀତାରାମ ଅଗ୍ରୱାଲ

ବାଣପୁର: ପ୍ରଶାନ୍ତ କୁମାର ସୁପକାର। ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ତାଙ୍କର ଘର। ପେଶାରେ ପ୍ରଶାନ୍ତ ଜଣେ ଗୋ ଚିକିତ୍ସକ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବା  ଆରଏସଏସର ସ୍ୱୟଂସେବକ। ତେବେ ବାଣପୁର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତିଦିନ ପ୍ରଶାନ୍ତ ସଂଘର ଶାଖା ଲଗାଉଥିବା ବେଳେ ମନ୍ଦିର ପରିଷ୍କାର ପରିଛନତା ଉପରେ ବେଶ ଧ୍ୟାନ ଦିଅନ୍ତି ସେ। ଫଳରେ ମନ୍ଦିରର ପରିଷ୍କାର ପରିଛନତାରେ ଆସିଛି ବ୍ୟାପକ ପରିବର୍ତ୍ତନ।

ପୁର୍ବରୁ ମନ୍ଦିର ମଧ୍ୟକୁ ଭକ୍ତମାନେ ଚପଲ ପିନ୍ଧି ପ୍ରବେଶ କରୁଥିଲେ ଏବଂ କିଛି ବ୍ୟକ୍ତି ନିଜର ସାଇକେଲ ଆଦି ରଖୁଥିଲେ । ଯାହା ଫଳରେ ମନ୍ଦିର ଦିନତମାମ ଅପରିଷ୍କାର ରହୁଥିଲା। ତେବେ ସକାଳୁ ଶାଖା ସମୟରେ ଏହା ପ୍ରଶାନ୍ତଙ୍କ ନଜରକୁ ଆସିଥିଲା। ସେବେଠାରୁ ସେ ମନ୍ଦିର ସ୍ୱଛତା ପାଇଁ ଅଣ୍ଟା ଭିଡ଼ିଥିଲେ।

ଆରଏସଏସ ର କର୍ମକର୍ତ୍ତା ଏବଂ ମନ୍ଦିରକୁ ସକାଳୁ ଆସୁଥିବା କିଛି ମହିଳା ଭକ୍ତ ମାନଙ୍କୁ ନେଇ ମନ୍ଦିର ପ୍ରଶାସନର ଅନୁମତି କ୍ରମେ ସ୍ୱଛତା ଅଭିଯାନ ଆରମ୍ଭ କରିଥିଲେ। ଉକ୍ତ ଅଭିଯାନ ଅନ୍ତର୍ଗତ ପ୍ରଶାନ୍ତ ଏବଂ ଅନ୍ୟ ସଦସ୍ୟମାନେ ପ୍ରତିଦିନ ମନ୍ଦିର ଦ୍ୱାରଦେଶ ରେ ଉପସ୍ଥିତ ରହି ମନ୍ଦିର ମଧ୍ୟକୁ ଚପଲ ଓ ସାଇକେଲ ଆଦି ନ ନେବା ପାଇଁ ଭକ୍ତକୁ ଅନୁରୋଧ କରିଥିଲେ।

ଏହାପରେ ପ୍ରତ୍ୟହ ସନ୍ଧ୍ୟାରେ ମଧ୍ୟ ପ୍ରଶାନ୍ତ ମନ୍ଦିର କୁ ଯାଇ ସଚେତନତା ଅଭିଯାନ ଜାରି ରଖିଥିଲେ। ତେବେ କିଛି ଦିନ ମଧ୍ୟରେ ଏହାର ସୁଫଳ ଦେଖିବାକୁ ମିଳିଛି ମନ୍ଦିରରେ। ଆଜି ଉକ୍ତ ମନ୍ଦିରଟି ପରିଷ୍କାର ଓ ପରିଛନ ରହୁଥିବା ବେଳେ ଭକ୍ତମାନେ ଆପେ ଆପେ ମନ୍ଦିର ପ୍ରବେଶ ପୁର୍ବରୁ ଚପଲ ବାହାରେ ରଖୁଛନ୍ତି।

ଅନୁରୂପ ଭାବେ ଏବେବି ପ୍ରଶାନ୍ତ ସଂଘ ଶାଖାରେ ପ୍ରତ୍ୟେକ ଦିନ ମନ୍ଦିର ପରିସର ସଫା କରୁଛନ୍ତି, ଯାହାକି ଅନ୍ୟ ପାଇଁ ଏକ ଉଦାହରଣ। ଏ ନେଇ ପ୍ରଶାନ୍ତଙ୍କୁ ପଚାରିବାରେ କୁହନ୍ତି ଜଣେ ସ୍ୱୟଂସେବକ ସଦାସର୍ବଦା ଦେଶ ମାତୃକାକୁ ଭଲପାଇବା ସହ ସହ ନିଜ ପରିବେଶକୁ ମଧ୍ୟ ସ୍ୱଚ୍ଛ ରଖିବା ତାହାର ଦାୟିତ୍ୱ। ତେବେ ପ୍ରଶାନ୍ତଙ୍କ ଉକ୍ତ ଅଭିଯାନକୁ ବାଣପୁର ବାସି ସମର୍ଥନ କରିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି। ଏବଂ ପ୍ରଶାନ୍ତ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

Categories
ଆଞ୍ଚଳିକ

ବାଣପୁରର ମାଟ୍ରିକ ଫଳ: ରିୟା ସିଂହ ସର୍ବାଧିକ ୫୬୮ ମାର୍କ ରଖି ଟପର

ସୀତାରାମ ଅଗ୍ରୱାଲ

ବାଣପୁର: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଏବଂ ଏନଏସି ରେ ପାସ ହାର ସନ୍ତୋଷଜନକ ରହିଛି। ବାଣପୁର ବ୍ଲକ ଏବଂ ଏନଏସି ରେ ପାସ ହାର ଶତକଡା ୯୮.୦୦ ପ୍ରତିଶତ ରହିଛି ।

ତେବେ ବାଣପୁର ବ୍ଲକ ଏବଂ ଏନଏସି ରେ ଏ-୧ ଗ୍ରେଡ଼ରେ ୧୬ ଜଣ, ଏ-୨ ଗ୍ରେଡ଼ରେ ୮୭ ଜଣ, ବି-୧ ଗ୍ରେଡ଼ରେ ୨୪୩ ଜଣ ଏବଂ ବି-୨ ଗ୍ରେଡ଼ରେ ୩୯୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ନାଚୁଣୀସ୍ଥିତ ଗୋଦାବରୀଶ ସରକାରୀ ହାଇସ୍କୁଲ ଛାତ୍ରୀ ରିୟା ସିଂହ ସର୍ବାଧିକ ୫୬୮ ମାର୍କ ରଖି ଟପର ହୋଇଛନ୍ତି l

Categories
ଆଞ୍ଚଳିକ

ବାଣପୁର ଏନଏସିକୁ ହେଲାଣି ୫୦ ବର୍ଷ, ଡ୍ରେନେଜ ବ୍ୟବସ୍ଥା ପାଇଁ ଲାଗିବ ଆଉ କେତେ ବର୍ଷ ?

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ୫୦ ବର୍ଷରେ ପାଦ ଥାପିଥିବା ବେଳେ ଅଦ୍ୟାବଧି ଏଠାରେ ଡ୍ରେନେଜ ବ୍ୟବସ୍ଥା ହୋଇପାରୁନାହିଁ। ଯାହାକି ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ଏନଏସି ବାସିନ୍ଦା ସରକାରଙ୍କୁ ଟିକସ ଦେଉଥିବା ବେଳେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଡ୍ରେନେଜ ନିର୍ମାଣ ବ୍ୟବସ୍ଥା ଏନଏସି ଦାୟିତ୍ୱ ଥିବା ବେଳେ ମୁଖ୍ୟ ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ଯାଉଛି।

ଫଳରେ ଉଭୟ ବିଭାଗ ପରସ୍ପରକୁ କାଦୁଅ ଫିଙ୍ଗିବାରେ ବ୍ୟସ୍ତ କିନ୍ତୁ ସମସ୍ୟାର ସମାଧାନ ହେଇପାରୁନାହିଁ। ଅଦିନିଆ କାଳବୈଶାଖୀ ବର୍ଷାରେ ସହରର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଜମୁଛି। ଦୁଇ ଦିନ ତଳେ ହୋଇଥିବା ସାମାନ୍ୟ କାଳବୈଶାଖୀ ବର୍ଷାରେ ବିଧାରପୁର ଛକରେ ଅଦ୍ୟାବଧି ପାଣି ଜମି ରହିଥିବାର ଦେଖିବାକୁ ମିଳିଛି। ତେବେ ଏଥିପାଇଁ ପୂର୍ତ୍ତବିଭାଗ ସମ୍ପୂର୍ଣ୍ଣ ଦାୟୀ ବୋଲି ଆଲୋଚନା ହେଉଛି।

ଆଗକୁ ମୌସୁମୀ ଆସିବାକୁ ଥିବାବେଳେ ଅଦ୍ୟାବଧି ଏନଏସି ରେ ଡ୍ରେନେଜ ବ୍ୟବସ୍ଥା ହୋଇପାରିନାହିଁ। ଫଳରେ ଆଗକୁ ପୁନଶ୍ଚ ବାଣପୁର ସହର ଜଳବନ୍ଦୀ ହେବ ଏଥିରେ କୌଣସି ସନ୍ଦେହ ନାହିଁ। ଅନୁରୂପ ଭାବେ ଏନଏସି ର ଏକାଧିକ ତଳିଆ ୱାର୍ଡରେ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ନାହିଁ। ଫଳରେ ବର୍ଷା ଜଳ ତଥା ନିତ୍ୟବ୍ୟବହାର୍ଯ୍ୟ ଜଳ ନିଷ୍କାସନ ପାଇଁ ବାଟ ନାହିଁ। ଯଦି ପୂର୍ତ୍ତବିଭାଗ ପକ୍ଷରୁ ମୁଖ୍ୟ ରାସ୍ତାରେ ଡ୍ରେନେଜ ନିର୍ମାଣ କରାଯାଏ ତେବେ ଅନ୍ୟ ୱାର୍ଡ ଗୁଡିକରେ ଡ୍ରେନେଜ ସଂଯୋଗୀକରଣ ରେ କୌଣସି ଅସୁବିଧା ହେବ ନାହିଁ।

ଏନଏସି କର୍ତ୍ତୃପକ୍ଷଙ୍କ କହିବା କଥା ପୂର୍ତ୍ତବିଭାଗ ଯେତେଶୀଘ୍ର ମୁଖ୍ୟ ରାସ୍ତାରେ ଡ୍ରେନ ନିର୍ମାଣ କରିବ ସେତେଶୀଘ୍ର ଏନଏସି ରେ ୱାର୍ଡ ୱାରୀ ଡ୍ରେଜେନ ନିର୍ମାଣ କରାଯିବ। ତେବେ ବିଡମ୍ବନାର ବିଷୟ ଏ ନେଇ ଦୀର୍ଘ ଦୁଇ ବର୍ଷ ହେବ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ସହ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ।

ଖୋର୍ଦ୍ଧା ଜିଲ୍ଲାରେ ସ୍ଥାୟୀ ପୂର୍ତ୍ତବିଭାଗ ନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ମିଳୁନଥିବା ବେଳେ ସଦାବେଳେ ପଡୋଶୀ ଜିଲ୍ଲାର ଅଧିକାରୀଙ୍କୁ ଅତିରିକ୍ତ ଦାଇତ୍ୱ ଦିଆଯାଉଛି। ଫଳରେ ଉନ୍ନୟନ କାର୍ଯ୍ୟ କ୍ଷିପ୍ର ହୋଇପାରୁନାହିଁ। ଅନୁରୂପ ଭାବେ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ମଧ୍ୟ ଉକ୍ତ ସମସ୍ୟାକୁ ନେଇ ପାଟି ସମ୍ପୂର୍ଣ୍ଣ ଚୁପ।

କେବଳ ନିର୍ବାଚନ ବେଳେ ଭୋଟ ପାଇଁ ମୁହଁ ଦେଖାଉଥିବା ନେତାମାନଙ୍କୁ ଆଗାମୀ ଦିନରେ ବାଣପୁର ଜନସାଧାରଣ ଉଚିତ ଜବାବ ଦେବେ ବୋଲି ଚର୍ଚ୍ଚା ହେଉଛି। ଯଦି ମୌସୁମୀ ପୁର୍ବରୁ ବାଣପୁର ଏନଏସି ରେ ଡ୍ରେନେଜ ନିର୍ମାଣ ନହୁଏ ତେବେ ବହୁ ସାମାଜିକ ସଂଗଠନ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁରର ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ଥାନା ଅନ୍ତର୍ଗତ ଖୁଣ୍ଟପଲ୍ଲୀ ଗ୍ରାମର ଜଣେ କଲେଜ ଛାତ୍ରୀ ଆଜି ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ସୂଚନା ମୁତାବକ ଚଗଲା ଜେନାଙ୍କ ଝିଅ ସୁନିତା ଜେନା(୧୭) ଆଜି ସଂନ୍ଧ୍ୟାରେ କୌଣସି କାରଣବଶତଃ ଚାଉଳ ବିଷ ଖାଇ ଦେଇଥିଲେ ।

ସଙ୍ଗେସଙ୍ଗେ ପରିବାର ବର୍ଗ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏ ନେଇ ମେଡିକାଲ ପକ୍ଷରୁ ବାଣପୁର ପୋଲିସ କୁ ସୂଚନା ଦିଆଯିବା ପରେ ପୋଲିସ ଶବ ଜବତ କରିଛି । ମୃତ ସୁନିତା ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଥିଲେ ବୋଲି ଜଣାପଡିଛି । ଏହି ଘଟଣାର କାରଣ କଣ ଜଣାପଡି ନାହିଁ।

Categories
ଆଞ୍ଚଳିକ

ବାଣପୁର ବାଲୁଗାଁ ରାସ୍ତା ପାଖରେ ଥିବା ଏଟିଏମ ରୁ ଲୁଟ ଉଦ୍ୟମ

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ବିଳମ୍ବିତ ରାତିରେ ଲୁଟେରା ମାନେ ବାଣପୁର ବାଲୁଗାଁ ରାସ୍ତା ପାଖରେ ଥିବା ଏକ ଷ୍ଟେଟବ୍ୟାଙ୍କ ଏଟିଏମ ରୁ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି। ସୂଚନା ମୁତାବକ ବାଣପୁର ବାଲୁଗାଁ ରାସ୍ତା ଅନ୍ତରକିଆରୀ ଛକରେ ଥିବା ଏକ ଷ୍ଟେଟବ୍ୟାଙ୍କ ଏଟିଏମରୁ ଦୁର୍ବୁର୍ତ୍ତ ମାନେ ରାତ୍ରି ପାଖାପାଖି ତିନିଟାରେ ଏକ ଧଳାରଙ୍ଗର କାରରେ ଆସି ସଟର ଭାଙ୍ଗି ଭିତରେ ପଶିଥିଲେ।

ନିକଟରେ ଥିବା ଜଣେ ବ୍ୟକ୍ତି ଏହା ଦେଖି ପୋଲିସକୁ ଖବର ଦେଇଥିଲେ। କିନ୍ତୁ ଦୁର୍ବୁତ୍ତମାନେ ଏଟିଏମକୁ ଭାଙ୍ଗିବାକୁ ଚେଷ୍ଟାକରି ବିଫଳ ହେଲା ପରେ ପୋଲିସ ପହଂଚିବା ପୂର୍ବରୁ ପାରିନୁଆଗାଁ କେନାଲ ରାସ୍ତା ଦେଇ ଖସି ପଳାଇଥିଲେ। ପୋଲିସ ଉକ୍ତ ସ୍ଥାନରେ ପହଂଚି ଏଟିଏମକୁ ସିଜ କରି ତନାଘନା କରୁଥିବାର ଦେଖାଯାଇଛି।

Categories
ଆଞ୍ଚଳିକ

ବାଲୁଗାଁ ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ କଲା ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ଜଣେ ଦୁର୍ଦାନ୍ତ ଅପରାଧୀଙ୍କୁ ଆଜି ଗିରଫ କରିଛି ପୋଲିସ। ଅପରାଧୀ ଜଣକ ହେଉଛନ୍ତି ଚନ୍ଦ୍ରାପୁଟ ଗ୍ରାମର ମାନସ ଦାସ। ମାନସ ଙ୍କ ନାମରେ ୧୪ ଗୋଟି ଅପରାଧିକ ମାମଲା ଏବଂ ଦୁଇ ଗୋଟି ଏନବିଡବ୍ଲୁ ରହିଛି। ତନ୍ମଧ୍ୟରୁ ତିନି ଗୋଟି ମରଣାନ୍ତକ ଆକ୍ରମଣ ମାମଲା ରହିଛି।

ପୋଲିସ ସୂଚନା ଅନୁଯାୟୀ ମାନସ ଦୀର୍ଘ ଦିନ ଧରି ବେଆଇନ ମଦ ବେପାରରେ ଜଡ଼ିତ ଥିଲେ । ତାଙ୍କୁ ପୁର୍ବରୁ ମଧ୍ୟ ଏକାଧିକ ଥର ପୋଲିସ ଗିରଫ କରିବା ପାଇଁ ଚଢ଼ାଉ କରିଥିଲେ ସୁଦ୍ଧା ସେ ଖସି ପଳେଇବାରେ ସଫଳ ହେଉଥିଲେ। ତେବେ ନିକଟରେ ତାଙ୍କରି ଗ୍ରାମର ସନ୍ତୋଷ ମାଳି ନାମକ ବ୍ୟକ୍ତିଙ୍କୁ ମଦ ବ୍ୟବସାୟରେ ଶତ୍ରୁତା କୁ ନେଇ ମାନସ ମରଣାନ୍ତକ ଆକ୍ରମଣ କରିଥିଲେ।

ଫଳରେ ପୋଲିସ କେସ ନମ୍ବର ୯୬/୨୩ ଦଫା ୩୦୭ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇଥିଲା। ଶେଷରେ ନିଜ ଗୁଇନ୍ଦା ସୂଚନା ଦ୍ୱାରା ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେବେ ମାନସ ଗିରଫ ହେବା ଦ୍ୱାରା ମଦ ମାଫିଆ ଙ୍କ ମନରେ ଛନକା ପଶିଯାଇଛି ଏବଂ ତାଙ୍କ ସହଯୋଗୀ ମାନେ ଖୁବଶୀଘ୍ର ଗିରଫ ହେବେ ବୋଲି ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁରର ଜଣେ ଯୁବକଙ୍କୁ ବାନ୍ଧିଲା ପୋଲିସ, ଜାଣନ୍ତୁ କାରଣ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦାଶରଥୀପୁର ଗ୍ରାମର ଜନୈକ ଯୁବକଙ୍କୁ ପୋଲିସ ପୋକସୋ ଆକ୍ଟ ବଳରେ ଆଜି ଗିରଫ କରିଛି । ଯୁବକ ଜଣକ ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିବା ନାବାଳିକାଙ୍କ ପରିବାର ବର୍ଗ ଗତକାଲି ଥାନାରେ ଅଭିଯୋଗ କରିଥିଲେ । ଫଳରେ ପୋଲିସ ଘଟଣାର ତଦନ୍ତ କରି ଆଜି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡାଙ୍କ ସୂଚନା ମୁତାବକ ନାବାଳିକାଙ୍କୁ ମାଡ଼ ମାରିବା ଏବଂ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନମ୍ବର ୧୫୪/୨୩ ରେ ଦଫା ୨୯୪, ୫୦୬,୩୫୪(କ),୩୫୪(ଖ) ଓ ୮ ପୋସ୍କୋ ଧାରା ରେ ମାମଲା ରୁଜୁ କରାଯାଇଛି।

Categories
ଆଞ୍ଚଳିକ

ବାଣପୁରର ବିଭିନ୍ନ ଅଞ୍ଚଳରେ ବେଶ ଧୂମଧାମରେ ପାଳନ ହେଲା ରାମନବମୀ

ସୀତାରାମ ଅଗ୍ରୱାଲ

ବାଣପୁର :- ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କର ଜନ୍ମ ଦିବସ ଗତକାଲି ପାଳିତ ହୋଇଛି। ଓଡିଶାର ପୂରପଲ୍ଲୀରେ ଚୈତ୍ରମାସ ଶୁକ୍ଳ ନବମୀ ଦିନଟିକୁ ରାମନବମୀ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଣପୁରର ଭେଟେଶ୍ୱର, ମଙ୍ଗରାଜପୁର, ପଦନପୁର ସମେତ ବହୁ ସ୍ଥାନରେ ରାମନବମି ପୂଜା ଅନୁଷ୍ଠିତ ହୋଇଯାଇଛି।

ପୁରାଣ କଥା ଅନୁଯାୟୀ ଭଗବାନ ବିଷ୍ଣୁଙ୍କ ଦଶ ଅବତାର ଭିତରେ ତ୍ରେତୟାଯୁଗରେ ପ୍ରଭୁ ରାମଚନ୍ଦ୍ର ସପ୍ତମ ଅବତାର ଗ୍ରହଣ କରିଥିଲେ। ଅତ୍ୟାଚାରୀ ରାବଣକୁ ବଧ କରିବା ସହିତ ବିଭନ୍ନ ଅତ୍ୟାଚାରରୁ ସୃଷ୍ଟିକୁ ରକ୍ଷା କରିବା ଏବଂ ସତ୍ୟ ରକ୍ଷା କରିବା ନିମିତ୍ତ ଏ ଧରାଧାମରେ ପ୍ରଭୁ ରାମଚନ୍ଦ୍ରଙ୍କର ଆବିର୍ଭାବ ହୋଇଥିଲା। ତେଣୁ ପ୍ରତ୍ୟେକ ହିନ୍ଦୁ ସନାତନ ଧର୍ମୀ ଲୋକମାନଙ୍କ ପାଇଁ ଆଜିର ଦିନଟି ହେଉଛି ଏକ ପବିତ୍ର ଦିନ।

ମଙ୍ଗରାଜପୁର ଗ୍ରାମରେ ରାମ ନବମୀ ଠାରୁ ପାଞ୍ଚ ଦିନ ବ୍ୟାପି ଏହି ପୂଜା ମହାଡ଼ମ୍ବରରେ ପାଳନ ହେଉଛି। ଗ୍ରାମର ବହୁ ମହିଳା ଓ ପୁରୁଷ ନିଜ ନିଜର ମାନସିକ କରି ରାମନବାମୀ ଦିନ ସଂକଳ୍ପ କରି କୁମ୍ଭ ଧାରଣ ପୂର୍ବକ ନଗର ପରିକ୍ରମା କରିଥିଲେ। ପ୍ରତ୍ୟେକ ଦିନ ହବିଷ୍ୟlଦି ଗ୍ରହଣ କରି ମାନସିକ ଧାରୀ ମାନେ ରାମାୟଣ ପୁସ୍ତକ ପଠନ ଓ ଶ୍ରବଣ କରି ରାମଙ୍କର ଲୀଳାକୁ ସ୍ମରଣ କରିଥାନ୍ତି।

ପୂଜାର ଶେଷ ଏବଂ ଅନ୍ତିମ ଦିନରେ ପୂର୍ଣ୍ଣାହୁତି କରାଯାଇ ରାମାୟଣ ପୁସ୍ତକ ପଠନ ସମ୍ପୂର୍ଣ୍ଣ କରାଯିବାର ଵିଧି ପ୍ରଚଳିତ ଅଛି। ଗ୍ରାମରେ ଉକ୍ତ ପଞ୍ଚାଦିନ ବ୍ୟାପି ଗ୍ରାମବାସୀ ଆମିଷ ଭକ୍ଷଣ ଠାରୁ ଦୂରରେ ରହି ରାମଚନ୍ଦ୍ରଙ୍କର ଗୁଣ ଗାନ କରିଥାନ୍ତି।