Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ: କୋଭିଡ୍ ସ୍ଥିତିକୁ ନେଇ କଲେ ସମୀକ୍ଷା

ରାଉରକେଲା: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର, ଡିଏମଇଟି ଡାକ୍ତର ସିବିକେ ମହାନ୍ତିଙ୍କ ସହିତ ଆସି ରାଉରକେଲା ସହର ଏବଂ ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ସ୍ଥିତି ଓ ଏହାର ପରିଚାଳନା ପାଇଁ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ ଟିମ୍ ରାଉରକେଲାରେ ପହଞ୍ଚି ଜେ ପି କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିବା ସହିତ ହାଇଟେକ୍ କୋଭିଡ୍ ହସ୍ପିଟାଲ, ଶାନ୍ତି ମେମୋରିଆଲ କୋଭିଡ୍ ହସ୍ପିଟାଲ, ଏନଟିପିସି କୋଭିଡ୍ ସେଣ୍ଟରରେ ଉପଲବ୍ଧ ଚିକିତ୍ସା ସୁବିଧା, ଉପକରଣ ଓ ଔଷଧପତ୍ର ଆଦି ବିଷୟରେ ସମୀକ୍ଷା କରିଥିଲେ। ରାଉରକେଲା ମହାନଗର ନିଗମର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ କୋଭିଡ୍ ସମ୍ପର୍କିତ କ୍ଷେତ୍ର ସ୍ତରୀୟ ସ୍ଥିତି ଓ ତଥ୍ୟ ଉପାସ୍ଥାପନ କରିଥିଲେ।

ସମୀକ୍ଷା ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସଂକ୍ରମିତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ କୋଭିଡ୍ ହସ୍ପିଟାଲରେ ଆବଶ୍ୟକ ବେଡ୍‌, ଆଇସିୟୁ ଏବଂ ଅକ୍ସିଜେନର ବ୍ୟବସ୍ଥା କରାଯାଇଛି। ରାଉରକେଲାରେ ଥିବା ଜେ ପି ହସ୍ପିଟାଲରେ ୨୫୦ଟି ବେଡ୍ କୋଭିଡ୍ ଚିକିତ୍ସା ପାଇଁ ରଖାଯାଇଛି। ସୁନ୍ଦରଗଡ଼ସ୍ଥିତ ଏନଟିପିସି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ପାଇଁ ୪୦୦ ଶଯ୍ୟା ରହିଛି। ସେହିପରି ରାଉରକେଲାସ୍ଥିତ ହାଇଟେକ କୋଭିଡ୍ ହସ୍ପିଟାଲକୁ ଖୁବଶୀଘ୍ର କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଖୋଲାଯିବ । ଏହାଛଡ଼ା ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ କେୟାର ସେଂଟରଗୁଡ଼ିକରେ ୧ ହଜାରରୁ ଅଧିକ ବେଡର ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ କୋଭିଡ୍ ସଂକ୍ରମଣର ପ୍ରତିରୋଧ ନିମନ୍ତେ କୋଭିଡ୍ ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପ୍ରବର୍ତ୍ତନ କରାଯିବ ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାଛଡ଼ା ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଅଧିକ ବ୍ୟାପକ କରାଯିବ। ଆବଶ୍ୟକସ୍ଥଳେ ଜିଲ୍ଲା ପ୍ରଶାସନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ମଧ୍ୟ କରିପାରିବେ।

ଏହି ଗସ୍ତ ଓ ସମୀକ୍ଷା ସମୟରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ, ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡ଼ା, ରାଉରକେଲା ଏସପି ମୁକେଶ ଭାମୋ, ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର, ଆରଏସପି ସିଇଓ ଦୀପକ ଚଟ୍ଟରାଜଙ୍କ ସହିତ ଆରଜିଏଚ, ଆଇଜିଏଚ, ଶାନ୍ତି ମେମୋରିଆଲ ହସ୍ପିଟାଲ, ହାଇଟେକ୍ ହସ୍ପିଟାଲ, ଆରଏସପିର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ: ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ ହାଇସ୍କୁଲ ନେବ ନୂଆ ରୂପ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ ହାଇସ୍କୁଲ ସଂପୂର୍ଣ୍ଣ ନୂଆ ରୂପ ନେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ରୂପାନ୍ତରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରଥମ ପର‌୍ୟ୍ୟାୟରେ ରୂପାନ୍ତରଣ ହେବାକୁ ଥିବା ହାଇସ୍କୁଲ ମଧ୍ୟରୁ ୪୦ଟି ସ୍କୁଲର ସମୀକ୍ଷା କରାଯାଇଛି। ଶନିବାର ଦିନ ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ସମୀକ୍ଷା କରିଛନ୍ତି।

ଏହି ଅବସରରେ ହାଇସ୍କୁଲ ରୂପାନ୍ତରଣ ଲାଗି ପ୍ରସ୍ତୁତ ଜିଲ୍ଲାସ୍ତରୀୟ ‘ଭିଜନ ଡକ୍ୟୁମେଣ୍ଟ’ ଉନ୍ମୋଚିତ ହୋଇଥିଲା। ଏଥିରେ କାର‌୍ୟ୍ୟକ୍ରମର ମୂଳ ଲକ୍ଷ୍ୟ ସହିତ ଏହାକୁ କିପରି ସଫଳତାର ସହ କାର‌୍ୟ୍ୟକାରୀ କରାଯିବ ସେ ନେଇ ମାର୍ଗଦର୍ଶନ ପ୍ରସ୍ତୁତ କରାଯାଇଛି। ସେହିପରି ପ୍ରତ୍ୟେକ ବିଦ୍ୟାଳୟର ମାଇକ୍ରୋ ପ୍ଲାନ୍ ମଧ୍ୟ ପ୍ରସ୍ତୁତ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ ଥିବା ଓସ୍ୱାନ ଭିଡିଓ କନଫରେନ୍ସିଂ ହଲଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୁନ୍ଦରଗଡ଼ରେ ଏହି କାର୍ଯ୍ୟକ୍ରମ ଲାଗୁ କରିବା ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇଥିଲେ। ହାଇସ୍କୁଲ ରୂପାନ୍ତରଣ ଲାଗି ସରକାରଙ୍କୁ ଧନ୍ୟବାଦ ଦେବା ସହିତ ଏହାର ସଫଳ ରୂପାୟନ ପାଇଁ ସେ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ।

ମୁଖ୍ୟମନ୍ତ୍ରୀଙ୍କର ପରିକଳ୍ପନା ହେଉଛି ରାଜ୍ୟର ସମସ୍ତ ସରକାରୀ ସ୍କୁଲକୁ ନୂଆ ରୂପ ଦେବା। ସ୍କୁଲର ଶିକ୍ଷା ପରିବେଶରେ ବ୍ୟାପକ ଉନ୍ନତି ଆଣିବା। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନର ମାନ ବଢ଼ାଇବା। ସେହିପରି ଅଭିଭାବକ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଶିକ୍ଷାନୁଷ୍ଠାନର ସାମଗ୍ରିକ ଉନ୍ନତି ଆଣିବା। ଏହା ହେଲେ ଆମ ସରକାରୀ ସ୍କୁଲଗୁଡ଼ିକରେ ଯେଉଁ ପ୍ରତିଭାବାନ୍ ଛାତ୍ରଛାତ୍ରୀ ଅଛନ୍ତି ସେମାନଙ୍କର ଭବିଷ୍ୟତ ଲକ୍ଷ୍ୟ ସାକାର ହୋଇପାରିବ’’, ସମୀକ୍ଷା ବେଳେ କହିଥିଲେ ଭି କାର୍ତ୍ତିକେୟନ୍ପାଣ୍ଡିଆନ୍। ତେଣୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତେ ଏକାଠି ହୋଇ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହି ସମୀକ୍ଷା ବେଳେ ୫-ଟି ସଚିବ ଗୋଟି ଗୋଟି କରି ସମସ୍ତ ସ୍କୁଲ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ। ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି କାର୍ଯ୍ୟକ୍ରମ ବେଳେ ବିଡିଓଙ୍କ ସହ ବ୍ଲକ ଶିକ୍ଷା ଅଧିକାରୀ, ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ, ପଞ୍ଚାୟତିରାଜ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

‘‘୫-ଟି ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୩୮୩ଟି ସରକାରୀ ହାଇସ୍କୁଲକୁ ସାମିଲ କରାଯାଇଛି। ତା’ ଭିତରୁ ପ୍ରଥମ ପର‌୍ୟ୍ୟାୟରେ ହେବାକୁ ଥିବା ହାଇସ୍କୁଲଗୁଡ଼ିକର ରୂପାନ୍ତରଣ ବିଷୟରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆଗାମୀ ଅକ୍ଟୋବର ୨ ତାରିଖ ସୁଦ୍ଧା ପ୍ରଥମ ପର‌୍ୟ୍ୟାୟ ରୂପାନ୍ତରଣ କାର‌୍ୟ୍ୟ ଶେଷ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଏହା ଫଳରେ ସରକାରୀ ସ୍କୁଲର ପାଠ୍ୟ ପରିବେଶରେ ବିଶେଷ ଉନ୍ନତି ଆସିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କ୍ୟାରିୟର ଗଠନ ଉପରେ ଗୁରୁତ୍ୱ ଦିଆଯାଉଛି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ଡିଏମଏଫର ସିଇଓ ରସାଇ ଲାଗୁରୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଏହି କାର‌୍ୟ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହି ରୂପାନ୍ତରଣ କାର‌୍ୟ୍ୟକ୍ରମ ଜରିଆରେ ସ୍କୁଲଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଶିକ୍ଷାନୁଷ୍ଠାନ କିପରି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇପାରିବ, ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ଉପରେ ପ୍ରାଥମିକତା ଦିଆଯାଉଛି। ସେହିପରି ଗୋଷ୍ଠୀ ସହଭାଗିତାକୁ ଆଧାର କରି ଏହି କାର‌୍ୟ୍ୟକ୍ରମକୁ ସଫଳ କରିବା ପାଇଁ ୫-ଟି ଅଧୀନରେ ଲକ୍ଷ୍ୟ ରଖାଯାଇଛି।