ଭୁବନେଶ୍ୱର: ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ-ସ୍କିଲ୍ସ’ ମାନ୍ୟତା ମିଳିଛି। ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ ମଲ୍ଟି ସେକ୍ଟରାଲ ବର୍ଗରେ ତିନି ବର୍ଷ ପାଇଁ ଏହି ସ୍ୱୀକୃତି ବିଶ୍ୱ ଦକ୍ଷତା କେନ୍ଦ୍ରକୁ ପ୍ରଦାନ କରାଯାଇଛି।
ନଭେମ୍ବର ୨ ତାରିଖରେ ନୂଆଦିଲ୍ଲୀସ୍ଥିତ କୌଶଳ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରାଳୟର ସଚିବ ଦେବଶ୍ରୀ ମୁଖାର୍ଜୀ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଏହି ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ସ୍ୱୀକୃତି ୨୦୨୬ ଅକ୍ଟୋବର ୯ରୁ ୨୦୨୯ ଅକ୍ଟୋବର ୮ ପର୍ଯ୍ୟନ୍ତ ବଳବତ୍ତର ରହିବ।
‘ସେଣ୍ଟର ଅଫ୍ ଏକ୍ସଲେନ୍ସ-ସ୍କିଲ୍ସ’ ମାନ୍ୟତା ଲାଗି ଜାତୀୟ ସ୍ତରର ୧୯ଟି ପ୍ରତିଷ୍ଠିତ ଅନୁଷ୍ଠାନକୁ ମନୋନିତ କରାଯାଇଛି। ତା’ ଭିତରେ ଓଡ଼ିଶାର ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାନ ପାଇଛି।
‘‘ବିଶ୍ୱ ଦକ୍ଷତା କେନ୍ଦ୍ର ପାଇଁ ଏହି ମାନ୍ୟତା ଏକ ବଡ଼ ସଫଳତା ଦେଶର ଦକ୍ଷତା ବକାଶ କ୍ଷେତ୍ରକୁ ଆହୁରି ସଶକ୍ତ କରିବା ଦିଗରେ ଏହି ମାନ୍ୟତା ଆମ ଭିତରେ ଉତ୍ସାହ ସୃଷ୍ଟି କରିବ। ‘ସ୍କିଲ୍ଡ ଇନ୍ ଓଡ଼ିଶା’କୁ ‘ସ୍କିଲ୍ଡ ଫର୍ ଦ ଓ୍ୱାର୍ଲ୍ଡ’ରେ ପରିଣତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଓଡ଼ିଶାର ଯୁବପିଢ଼ି ନିଜ ଦକ୍ଷତା ବଳରେ କିପରି ବିଶ୍ୱସ୍ତରୀୟ ସଂସ୍ଥାରେ ଅଧିକ ନିଯୁକ୍ତି ସୁଯୋଗ ପାଇପାରିବେ ସେ ଦିଗରେ ନିରନ୍ତର ଉଦ୍ୟମ ଜାରି ରହିଛି,’’ କହିଛନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ରଶ୍ମି ରଞ୍ଜନ ମହାପାତ୍ର।
ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳଠାରେ ସ୍ଥାପିତ ହୋଇଛି ବିଶ୍ୱ ଦକ୍ଷତା କେନ୍ଦ୍ର। ଏଠାରେ ଯୁବପିଢ଼ିଙ୍କୁ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ଶିଳ୍ପ ଉପଯୋଗୀ ତାଲିମ ପ୍ରଦାନ କରାଯାଉଛି। ଏଥିପାଇଁ ଏହି କେନ୍ଦ୍ରରେ ଅନ୍ତର୍ଜାତୀୟ ଢାଞ୍ଚାର ଭିତ୍ତିଭୂମି ସହିତ ଉନ୍ନତ ମାନର ଲାବୋରେଟୋରି ରହିଛି। ଏହାଛଡ଼ା ବିଭିନ୍ନ ଶିଳ୍ପ ସଂସ୍ଥାଗୁଡ଼ିକ ସମନ୍ୱୟରେ ଯୁବପିଢ଼ିଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯାଉଛି।
ଏବେ ସେଣ୍ଟର ଅଫ୍ ଏକ୍ସଲେନ୍ସ-ସ୍କିଲ୍ସ’ ମାନ୍ୟତା ମିଳିବା ଫଳରେ ବିଶ୍ୱ ଦକ୍ଷତା କେନ୍ଦ୍ର ଜାତୀୟ ସ୍ତରର ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଧିକ ସକ୍ରିୟ ଭାଗୀଦାର ହୋଇପାରିବ। ଏହା ଅଧୀନରେ ବିଶେଷଜ୍ଞ ପ୍ରଶିକ୍ଷଣ, ପ୍ରଶିକ୍ଷକଙ୍କ ଦକ୍ଷତା ବୃଦ୍ଧି, ଶିଳ୍ପ ସଂସ୍ଥାଗୁଡ଼ିକ ସହ ସହଭାଗିତା ଏବଂ ଅନ୍ୟ ଦକ୍ଷତା ବିକାଶ ଅନୁଷ୍ଠାନ ସହ ସହଯୋଗ ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇପାରିବ। ଫଳରେ ଆଗାମୀ ଦିନରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।


