Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କାରଣ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି। ସେଠାରେ ସ୍ପୋର୍ଟସ ଷ୍ଟାର ତରଫରୁ ହକି ଆଇକମ ପୁରସ୍କାର ଗ୍ରହଣ କରିବା ପାଇଁ ସେ ଏହି ଗସ୍ତ କରୁଛନ୍ତି। ସେ ଆଜି ମୁମ୍ବାଇ ଗସ୍ତର କରି ପୁରସ୍କାର ଗ୍ରହଣ ପରେ ଆସନ୍ତାକାଲି ଫେରିବେ।

ଓଡ଼ିଶାରେ ଦୁଇ ଦୁଇ ଥର ହକି ବିଶ୍ବକପ୍ ଆୟୋଜନ କରି ରାଜ୍ୟ ସରକାର ପ୍ରଶଂସାର ପାତ୍ର ହୋଇଛନ୍ତି। ସେହିପରି ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମକୁ ମାତ୍ର ବର୍ଷକରେ ନିର୍ମାଣ କରି ରେକର୍ଡ କରାଯାଇଛି। ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଏକା ସାଙ୍ଗରେ ୨୦ ହଜାର ଦର୍ଶକ ବସିବାର କ୍ଷମତା ରହିଛି। ଏ ସବୁ ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ସେହିପରି ଏହି ରହଣି ମଧ୍ୟରେ ସେ କେତେକ ନିବେଶକଙ୍କ ସହିତ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ହକି ପାଇଁ ‘କନେକ୍ଟ୍ ନାଇଟ୍ କ୍ଲବ୍ ଏବଂ ସ୍କାଏ ଲାଉଞ୍ଜ୍’ ରେ ପାଳନ ହେଉଛି ଏକ ଭିନ୍ନ ଉତ୍ସବ

ଭୁବନେଶ୍ବର: ଆରମ୍ଭ ହୋଇଛି ପୁରୁଷ ବିଶ୍ବକପ୍‌ ହକି ଟୁର୍ଣ୍ଣାମେଣ୍ଟ। ଏହାକୁ ନେଇ ଭୁବନେଶ୍ବର ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଏହି ଅବସରରେ ଭୁବନେଶ୍ୱର, ପାତ୍ରପଡା ସ୍ଥିତ ‘କନେକ୍ଟ୍ ନାଇଟ୍ କ୍ଲବ୍ ଏବଂ ସ୍କାଏ ଲାଉଞ୍ଜ୍’ ରେ ଅନୁଷ୍ଠିତ ହେଉଛି ‘ହକି ଫେଷ୍ଟ’। ଏହା ଦି ଗାର୍ଡେନିଆରେ ୧୨ ଜାନୁୟାରୀରୁ ଆରମ୍ଭ ହୋଇ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଚାଲିବ।

ଏହି ଫେଷ୍ଟ୍ ର ଉଦ୍ଦେଶ୍ୟ ହେଉଛି ହକିକୁ ପ୍ରୋତ୍ସାହିତ କରିବା। ଆମ ରାଜ୍ୟରେ ହକିକୁ ଏହାର ସଂସ୍କୃତି ସହିତ ଯୋଡ଼ିବା ଏବଂ ଏକ ନୂଆ ରାହା ସୃଷ୍ଟି କରିବ ବୋଲି ‘କନେକ୍ଟ୍ ନାଇଟ୍ କ୍ଲବ୍ ଏବଂ ସ୍କାଏ ଲାଉଞ୍ଜ୍’ ର ସିଇଓ ରୁଦ୍ର ନାରାୟଣ ବେହେରା କହିଛନ୍ତି। ଏହା କେବଳ ବିଶ୍ଵର ସମସ୍ତ ହକିର ପ୍ରଶଂସକଙ୍କୁ ନୁହେଁ, ବରଂ ଅନ୍ୟମାନଙ୍କୁ ମଧ୍ୟ ଆକର୍ଷିତ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ପ୍ରତିଦିନ ଭିନ୍ନ ଭିନ୍ନ କମ୍ୟୁନିଟିର ଗୋଟିଏ ଗୋଟିଏ ରାଉଣ୍ଡ ଅଛି ଯେଉଁଥିରେ ରାଜନୀତିଜ୍ଞଙ୍କ ଠାରୁ ଆରମ୍ଭ କରି ଓଲିଉଡ଼ ସେଲେବ୍ରେଟି ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ଉତ୍ସବରେ ଆପଣ ପାଇବେ। ସଙ୍ଗୀତ, ନୃତ୍ୟ, ଖାଦ୍ୟ ଓ ମଡେଲ ମାନଙ୍କର ସମ୍ଭାର ଲାଗିରହିିବ। ଏହାଛଡା କର୍ପୋରେଟ ଇଭେଣ୍ଟ ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ କରିବ।

ଆମେ ହକି ପାଇଁ ଏକ ସ୍ବତନ୍ତ୍ର ଉତ୍ସବ ପାଳନ କରୁଥିବାରୁ ଏହା ଏକ ବହୁତ ଭଲ ସମୟ, ତେଣୁ ସମସ୍ତଙ୍କୁ ଏଥିରେ ଯୋଡ଼ି ହେବାପାଇଁ ସେ ଅନୁରୋଧ କରିଛନ୍ତି। ବିଶ୍ବକପ୍‌ ହକି‌ ଶେଷ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମଡେଲ୍, କଳାକାର, ସାମ୍ବାଦିକ, ଓକିଲ, ନେତା, ବ୍ୟୁରୋକ୍ରାଟ୍, ଶିକ୍ଷାବିତ୍ ସହ ସମସ୍ତ ପ୍ରଫେସନାଲ୍ ଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର

Hockey World Cup: ଆଜି ରାଉରକେଲାରେ ଇଂଲଣ୍ଡକୁ ଭେଟିବ ଭାରତ

ଭୁବନେଶ୍ୱର: ଆଜି ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଭାରତ ଇଂଲଣ୍ଡକୁ ଭେଟିବ।  ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଗ୍ରୁପ ଡି’ରେ ଥିବା ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍‌ ଜିତିଛନ୍ତି। ତେଣୁ ଆଜି ଜୋରଦାର ଟକ୍କର ହେବ।

ବର୍ତ୍ତମାନ ବିଶ୍ୱ ରାଙ୍କିଂରେ ଇଂଲଣ୍ଡ ୫ମ ସ୍ଥାନରେ ଥିବା ବେଳେ ଭାରତ ୬ଷ୍ଠ ସ୍ଥାନରେ ରହିଛି। ସେହିପରି ଚଳିତ ବିଶ୍ୱକପରେ ଇଂଲଣ୍ଡ ପ୍ରତିପକ୍ଷ ୱେଲ୍ସକୁ ୫-୦ରେ ହରାଇ ଟେବୁଲ ଟପ୍‌ରେ ରହିଛି। ଭାରତ ମଧ୍ୟ ପ୍ରଥମ ମ୍ୟାଚ୍‌ରେ ସ୍ପେନକୁ ହରାଇଥିଲା। କିନ୍ତୁ ଗୋଲ ବ୍ୟବଧାନ ୨-୦ ଥିବାରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି।

ତେଣୁ ଆଜି ଭାରତ ମ୍ୟାଚ୍‌ ଜିତିଲେ ଟେବୁଲ ଟପ୍‌ରେ ପହଞ୍ଚିବ। ଏଥିସହ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଦଖଲ କରି ନକ୍ଆଉଟ୍ ପାଇଁ ଯୋଗ୍ୟତା ପାଇବ। ଇଂଲଣ୍ଡ ମଧ୍ୟ ସିଧାସଳଖ ନକଆଉଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ନିୟମ ଅନୁସାରେ ଗ୍ରୁପ୍‌ର ଶୀର୍ଷ ସ୍ଥାନରେ ରହିବାକୁ ଥିବା ଦଳ ସିଧା କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ।

Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

Hockey World Cup: ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କଲା ଭାରତ

ରାଉରକେଲା: ପୁରୁଷ ହକି ବିଶ୍ବକପର ପ୍ରଥମ ମ୍ୟାଚରୁ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ। ଆଜି ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ସ୍ପେନ ବିପକ୍ଷରେ ଭାରତ ୨-୦ ଗୋଲରେ ବିଜୟ ହାସଲ କରିଛି। ଭାରତୀୟ ଦଳର ଉପ-ଅଧିନାୟକ ଓଡ଼ିଶାର ଅମିତ ରୋହିଦାସ ପ୍ରଥମ ଗୋଲ୍‌ କରିଥିଲେ। ଏହାପରେ ଦ୍ୱିତୀୟ ଗୋଲଟି ହାର୍ଦ୍ଦିକ ସିଂ କରିଥିଲେ।

ଆଜି ବିଶ୍ବକପର ପ୍ରଥମ ମ୍ୟାଚ ହୋଇଥିଲା। ଏଥିରେ କଳିଙ୍ଗ ଷ୍ଟାଡିୟମରେ ଦୁଇଟି ଏବଂ ରାଉରକେଲା ଦୁଇଟି ମ୍ୟାଚ ଆୟୋଜିତ ହୋଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ଦୁଇଟି ମ୍ୟାଚ୍‌ରେ ଯଥାକ୍ରମେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲେ।

ଆର୍ଜେଣ୍ଟିନା ୧-୦ ଗୋଲର ଦକ୍ଷିଣ ଆଫ୍ରିକାକୁ ଓ ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ପରାଜିତ କରିଥିଲା। ସେହିପରି ରାଉରକେଲାରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳା ଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ଇଂଲଣ୍ଡ ୫-୦ ଗୋଲ୍‌ରେ ୱେଲ୍ସକୁ ପରାସ୍ତ କରିଥିଲା।

Categories
Hockey Worldcup23 ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

ଆଜି ଖେଳ ହେବ, ଭାରତ ସ୍ପେନ ମୁକାବିଲା

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ହକି ମହାକୁମ୍ଭ। ଗତ ୧୧ତାରିଖରେ ଏହାର ଉଦଘାଟନ ସରିବା ପରେ ଆଜି ମୁଖ୍ୟ ଖେଳ ଆରମ୍ଭ ହେବ। ଆଜି ଉଭୟ କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବର୍ସାମୁଣ୍ଡ ଷ୍ଟାଡିୟମରେ ଏହି ଖେଳ ଚାଲିବ।

ଆଜି ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଦୁଇଟି ଲେଖାଏଁ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଗ୍ରୁପ ‘ଏ’ର ଏହି ମ୍ୟାଚଟି ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଦିନ ୧ଟା ରେ ଆରମ୍ଭ ହେବ। ଏହା ସରିବା ପରେ ଗ୍ରୁପ ମ୍ୟାଚ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

ସେହିପରି ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଇଂଲଣ୍ଡ ଓ ୱେଲ୍ସ ମୁହାଁ ମୁହିଁ ହେବେ। ସେହିପରି ଆଜି ସଂଧ୍ୟାରେ ଭାରତ ସ୍ପେନ ମଧ୍ୟରେ ମୁକାବିଲା ହେବ।

Categories
Hockey Worldcup23 ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର

ଚର୍ଚ୍ଚାରେ ନବୀନଙ୍କୁ ଶାଷ୍ଟାଙ୍ଗ ପ୍ରଣିପାତ କରୁଥିବା ଅଭିନେତା ରଣବୀର ସିଂହ

କଟକ: ବଲିଉଡର ପ୍ରଖ୍ୟାତ ଅଭିନେତା ରଣବୀର ସିଂହ ନବୀନ ପଟ୍ଟନାୟକଙ୍କୁ ପୁରା ଶାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି। ଏହି ଫଟୋ ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛି। ବାରବାଟୀରେ ହେଉଥିବା ହକି ବିଶ୍ବକପ ଉଦଘାଟନୀ ସମାରୋହ ବେଳେ ନବୀନ ସେଠାରେ ଉପସ୍ଥିତ ଥିଲେ। ନବୀନଙ୍କୁ ଦେଖି ମେକଅପରେ ଥିବା ରଣବୀର ପୁରା ନଇଁପଡି ନତମସ୍ତକ ହୋଇପଡିଥିଲେ। ଏହାକୁ ଦେଖି ସେଠାରେ ଥିବା ଅନ୍ୟ ଅତିଥୀଗଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସେଠାରେ ଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ରଣବୀରଙ୍କ ନବୀନଙ୍କ ପ୍ରତି ଥିବା ସ୍ନେହକୁ ସେମାନେ ବେଶ୍ ଅନୁଭବ କରିଥିଲେ। ସେତିକି ନୁହେଁ ନବୀନଙ୍କ ପଦକ୍ଷେପକୁ ରଣବୀର ମଧ୍ୟ ବେଶ ପ୍ରଶଂସା କରିଥିଲେ। ହକିର ପ୍ରସାର ପାଇଁ ନବୀନଙ୍କ ଭୂମିକାକୁ ସେ ସମସ୍ତଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ।

Categories
Hockey Worldcup23 ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରଂଗାରଂଗ ପରିବେଷରେ ଉଦଘାଟିତ ହେଲା ହକି ବିଶ୍ବକପ, ସମସ୍ତେ ନବୀନଙ୍କୁ କଲେ ପ୍ରଶଂସା

କଟକ: ଏକ ରଂଗାରଂଗ ପରିବେଷ ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟିତ ହୋଇଛି ବିଶ୍ବକପ ହକି ଉଦଘାଟନୀ ସମାରୋହ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥୀ ଭାବେ ଯୋଗଦେଇଥିଲେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର।

ଅପରାହ୍ନରୁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ। ପ୍ରଥମେ ଓଡିଆ କଳାକାରଙ୍କୁ ନେଇ ଏହି ଉଦଘାଟନୀ ସମାରୋହର ଉଦଘାଟନ ହୋଇଥିଲା। ଏଥିରେ ଶାନ୍ତି ମିଶ୍ର, ପ୍ରନିସ୍ ଡ୍ୟାନସ ଗ୍ରୁପ ଏବଂ ସବ୍ୟ ଅର୍ଚ୍ଚିତାଙ୍କ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା। ପୁରା ଷ୍ଟାଡିୟମ ଦର୍ଶକରେ ପରିପୂର୍ଣ୍ଣ ରହିଥିଲା।

Hockey

ଏହାପରେ ସଂଧ୍ୟା ଅଧିବେସରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍ଘାଟନ କରିଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ, ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକିଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ଏବଂ ଆନ୍ତର୍ଜାତୀୟ ହକି ଫେଡେରସନର ସଭାପତି ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଭୂୟସି ପ୍ରଶଂସା କରିଥିଲେ। ହକିକୁ ଆନ୍ତର୍ଜାତୀୟ ସ୍ତରରେ ପହଁଚାଇବାରେ ନବୀନଙ୍କ ଭୂମିକାକୁ ସମସ୍ତେ ମୁକ୍ତ କଣ୍ଠରେ ସ୍ବୀକାର କରିଥିଲେ। ଏପରିକି କେନ୍ଦ୍ର କ୍ରୀଡାମନ୍ତ୍ରୀ ମଧ୍ୟ ନବୀନଙ୍କୁ ପ୍ରଶଂସା କରି କ୍ରୀଡା ପାଇଁ ରାଜ୍ୟକୁ ସମସ୍ତ ସହଯୋଗ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ।

Hockey

ସେହିପରି ଏହି ଉତ୍ସବରେ ଯୋଗଦେଇଥିବା କଳାକାରମାନେ ମଧ୍ୟ ନବୀନଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା ନ କରି ରହିପାରି ନ ଥିଲେ। ଉତ୍ସବରେ ବଲିଉଡ୍ ଷ୍ଟାର୍ ରଣବୀର ସିଂ, ଦିଶା ପଟାନୀ, ମନିଷ ପଲ୍ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ନୃତ୍ୟ ସଂଯୋଜନାରେ ଓଡିଶୀ ନୃତ୍ୟରେ ଦୁଲୁକିଥିଲା ବାରବାଟୀ ଷ୍ଟାଡିୟମ।

Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଆସିଲା ହକି ବିଶ୍ବକପ ଉଦଘାଟନ ଉତ୍ସବର କାର୍ଯ୍ୟସୂଚୀ, ଜାଣନ୍ତୁ କେଉଁମାନେ ଅଛନ୍ତି

ଭୁବନେଶ୍ବର: ଆଜି ରଂଗାରଂଗ ପରିବେଷ ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ବିଶ୍ବକପ ହକି ଉଦଘାଟନ ସମାରୋହ। ଏହି ସମାରୋହ ଆଜି ଦିନ 3ଟା ବେଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏହାପରେ ଆରମ୍ଭ ହେବ ସଂସ୍କୃତିକ ସମାରୋହ। ଏଥିରେ ଯେଉଁମାନେ ଭାଗ ନେଉଛନ୍ତି ସେମାନେ ହେଲେ

ଏହି ଉତ୍ସବରେ ଯୋଗଦେବା ପାଇଁ ଗତକାଲିଠାରୁ ମୁମ୍ବାଇ କଳାକାରମାନେ ଭୁବନେଶ୍ବରରେ ପହଁଚିସାରିଛନ୍ତି। ଆଜି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଭୁବନେଶ୍ବରରେ ପହଁଚିଛନ୍ତି। ଏବେ ସମସ୍ତଙ୍କର ସଂଧ୍ୟାକୁ ଅପେକ୍ଷା।

Categories
Hockey Worldcup23 ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଆଜି କଟକରେ ଆୟୋଜିତ ହେଉଥିବା ହକି ବିଶ୍ବକପ ଉଦଘାଟନ ସମାରୋହରେ ଯୋଗଦେବା ପାଇଁ ଭୁବନେଶ୍ବର ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।  ଆଜି ଅନୁରାଗ ଅପରାହ୍ନ 1. 30 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଏଥିସହିତ ଓଡିଶା ବିଜେପି ନେତାମାନେ ମଧ୍ୟ ତାଙ୍କୁ ସ୍ବାଗତ କରିଥିଲେ।

ଆଜି କଟକ ବାରବାଟୀ ଷ୍ଟାଡିମରେ ହକି ବିଶ୍ବକପର ଉଦଘାଟନ ସମାରୋହର ଆୟୋଜନ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଉଛନ୍ତି।

Categories
Hockey Worldcup23 ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ହକି ବିଶ୍ବକପ ଉଦଘାଟନୀ ସମାରୋହ, ଜଲୱା ଦେଖାଇବେ ରଣଭୀର ସିଂହ, ଦିଶା ପଟାନୀ

ଭୁବନେଶ୍ବର: ଆଉ କିଛି ସମୟ ପରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ପୁରୁଷ ହକି ବିଶ୍ବକପ ଉଦଘାଟନୀ ସମାରୋହ। କଟକ ବାରବାଟୀ ଷ୍ଟାଡିୟମରେ ଏଥିପାଇଁ ବଡ ଆଡମ୍ବର ପୂର୍ଣ୍ଣ ଆୟୋଜନ କରାଯାଇଛି। ତିନିଦିନ ଧରି ସେଠାରେ ତାରକାମାନଙ୍କର ଚାଲିଛି ଅଭ୍ୟାସ। ସେଥିପାଇଁ ପୁରା କଟକ ସହରକୁ କରାଯାଇଛି ଚକାଚକ୍। ରାସ୍ତାଘାଟକୁ ବିଭିନ୍ନ ତୋରଣରେ ସଜାଇବା ସହିତ ଷ୍ଟାଡିୟମକୁ ମଧ୍ୟ ବିଭିନ୍ନ ସ୍ଥାପତ୍ୟ ଓ କଳାରେ ସୌନ୍ଦର୍ଯ୍ୟ କରଣ କରାଯାଇଛି।

ଆଜି ଅପରାହ୍ନ ତିନିଟାରେ ଆରମ୍ଭ ହେବ ରଂଗାରଂଗ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡିଶାରେ ପହଞ୍ଚି ସାରିଛନ୍ତି ବଲିଉଡ ତାରକା ରଣଭୀର ସିଂହ ଏବଂ ଦିଶା ପଟାନୀ। ସେହିପରି ଏହି ସଂଧ୍ୟାକୁ ମ୍ୟୁଜିକରେ ସାବଲିଳ କରିବା ପାଇଁ ଆସିଛନ୍ତି ପ୍ରୀତମ ବ୍ୟାଣ୍ଡ। ଏମାନେ ଓଡିଆ ଦର୍ଶକଙ୍କୁ ତାଙ୍କର କଳାକୌଶଳରେ ବାନ୍ଧି ରଖିବା ପାଇଁ ଚେଷ୍ଠା କରିବେ।

ସେହିପରି ଏହି ଉତ୍ସବରେ ଓଲିଉଡ କଳାକାର ମଧ୍ୟ ସେମାନଙ୍କର ଜଲୱା ଦେଖାଇବେ। ଏଥିରେ ସବ୍ୟସାଚୀ ଅର୍ଚ୍ଚିତାଙ୍କର ରହିଛି ଗ୍ରୁପ ଡ୍ୟାନସ। ସେହିପରି ଏଲିନା ସାମନ୍ତରାୟ, ଅନ୍ୟନ୍ୟା ନନ୍ଦ, ଲିସା ମିଶ୍ର, ଋତୁରାଜ ମହାନ୍ତି ପ୍ରମୁଖ ନୃତ୍ୟ ଓ ସଂଗୀତରେ ସଂଧ୍ୟାକୁ କରିବେ ମନୋରମ। ଏଥିସହିତ ପ୍ରଖ୍ୟାତ ପ୍ରିନସ ଗ୍ରୁପ ମଧ୍ୟ ସେମାନଙ୍କର ନୂଆ ନୃତ୍ୟ ପରିବେଷଣ କରିବେ। ପ୍ରଖ୍ୟାତ ଓଡିଶୀ ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ଗ୍ରୁପ ମଧ୍ୟ ଏକ ଭିନ୍ନ ଧରଣର ନୃତ୍ୟ ପ୍ରଦର୍ଶନ କରିବା ପାଇଁ ଅଭ୍ୟାସ କରିସାରିଛନ୍ତି।

ଆଜି ଦିନ ତିନିଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାଡିୟମରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ଏଥିସହିତ ବହୁ ବିଶିଷ୍ଠ ବ୍ୟକ୍ତି ମଧ୍ୟ ଏହି ଉଦଘାଟନ ସମାରୋହରେ ଉପସ୍ଥିତ ରହିବେ। ବଲିଉଡ କଳାକାରମାନେ ଗତକାଲି ନୀବନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସେମାନଙ୍କୁ ନବୀନ ସ୍ବାଗତ କରିଛନ୍ତି।

ଏପଟେ ବିଶ୍ବକପ ଟ୍ରଫି ବିଭିନ୍ନ ସ୍ଥାନ ପରିଭ୍ରମଣ କରିବା ପରେ ଗତକାଲି କଟକ ଜବାହାରଲାଲା ନେହୁର ଇନଡୋର ଷ୍ଟାଡିୟମରେ ରଖାଯାଇଥିଲା। ଆଜି ସକାଳୁ ଟ୍ରଫିକୁ ଏକ ଶୋଭାଯାତ୍ରାରେ ନିଆଯାଇ ସହର ପରିକ୍ରମା କରାଯାଇଛି। ସଂଧ୍ୟାରେ ଏହି ଟ୍ରଫି ବାରବାଟୀ ଷ୍ଟାଡିୟମରେ ପହଁଚିବା ପରେ ମୁଖ୍ୟମନ୍ତ୍ରୀ ତାହାକୁ ଗ୍ରହଣ କରି କାର୍ଯ୍ୟକ୍ରମର ଉଦଘାଟନ କରିବେ। ଏହି ସମୟରେ ମ୍ୟାଜିକ ଆତସବାଜୀରେ ପୁରା ଷ୍ଟାଡିୟମ ଝଲସି ଉଠିବ।

Categories
Hockey Worldcup23 ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

‘ଆର୍ଟ ଫର ହକି’ ଭୁବନେଶ୍ୱର ପାନ୍ଥ ନିବାସରେ ଚିତ୍ରକଳା ପ୍ରଦର୍ଶନୀ

Art For Hockey: ଓଡିଶାରେ ପୁରୁଷ ହକି ବିଶ୍ୱକପ-୨୦୨୩ ଜାନୁଆରୀ ୧୩ ରୁ୨୯ତାରିଖ ପର‌୍ୟ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା କାଲି ୧୧ ତାରିଖରେ କଟକରେ ରହିଛି ଉଦଘାଟନୀ ଉତ୍ସବ। ଏହି ପରିପ୍ରେକ୍ଷୀରେ ହକି କ୍ରୀଡାକୁ ନେଇ ସମସ୍ତଙ୍କମନରେ ଉତ୍ସାହ ଉଦ୍ଦୀପନା ଭରି ରହିଛି।

ଅନ୍ୟ ବିଭିନ୍ନ ମାଧ୍ୟମ ଭଳି ଓଡିଶାରେ ହକି ଖେଳର ପ୍ରଚାର ପ୍ରସାର ପାଇଁ ଉଲ୍ଲେଖନୀୟ ଯୋଗଦାନ ରଖୁଥିବା ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କର ସୃଜନଶୀଳତାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ତରଫରୁ ଆଜି ଏକ ନିଆରା ପ୍ରୟାସ କରାଯାଇଥିଲା।

ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଟିଡିସି ସହାୟତାରେ କଟକ ଆର୍ଟିଷ୍ଟ ଆସୋସିଏସନ,ତରଫରୁ ଓଡିଶାରେ ହକି କ୍ରୀଡାର ଐତିହ୍ୟ, ପରମ୍ପରା ଏବଂ ହକି ଖେଳକୁ  ପର୍ଯ୍ୟବସିତ କରି ଭୁବନେଶ୍ୱର ସ୍ଥିତ ପାନ୍ଥନିବାସ ଠାରେ ଆଜି ଅପରାହ୍ଣରେ ଆୟୋଜିତ ଏହି ଦିନିକିଆ ଚିତ୍ରକଳା ପ୍ରଦର୍ଶନୀ।

ଏଥିରେ କଟକ, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱରରୁ ୩୦ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ।କେତେକ ପ୍ରଦର୍ଶନୀ ସ୍ଥଳରେ ଚିତ୍ର ଆଙ୍କୁ ଥିବା ବେଳେ, ଚିତ୍ର ଶିଳ୍ପୀଙ୍କ ଦ୍ୱାରା ହକି ଉପରେ ପର୍ଯ୍ୟବସିତ ସେମାନେ ଅଙ୍କନ କରି ଆଣିଥିବା ସୁନ୍ଦର ସୁନ୍ଦର ପେଣ୍ଟିଂ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା।

ହକି ଷ୍ଟିକ୍ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଓଡିଶାର ଆରାଧ୍ୟ ଶ୍ରୀଜଗନ୍ନାଥ ଓ ହକି, ବାରବାଟୀ ଦୁର୍ଗ ଓ ହକି, ହକି ବିଶ୍ୱକପ୍ ଓ ଭାରତର ଖେଳାଳୀ, ହକି ମାସ୍କଟ ଓଲି , ହକି ଷ୍ଟିକ୍ ଆଦିକୁ ନେଇ କାନଭାସ ଓ ତୂଳୀରେ ବିଭିନ୍ନ ଚିତ୍ରଶିଳ୍ପୀଙ୍କ ଦ୍ୱାରା ଅଙ୍କିତ ଆକର୍ଷଣୀୟ ବିଭିନ୍ନ ପେଣ୍ଟିଂଙ୍କୁ ଦର୍ଶକମାନେ ବେଶ୍ ପ୍ରଶଂସା କରିଥିଲେ ।

ଏହି ଚିତ୍ରକଳା ପ୍ରଦର୍ଶନୀ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡଃ ଲେନିନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଦର୍ଶନୀକୁ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଫିତାକାଟି ଉଦଘାଟନ କରିଥିଲେ।

ଏହି ପରିପ୍ରେକ୍ଷୀରେ ମେୟର ଶ୍ରୀମତୀ ଦାସ, ଓଡିଶାରେ ପୁରୁଷ ହକି ବିଶ୍ୱକପ ୨୦୧୮ ପରେ ଏବେ ୨୦୨୩ ରେ ପୁଣିଥରେ ବିଶ୍ୱକପ୍ ଆୟୋଜିତ ହୋଇଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କର ଦୁରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁଁ ଆଜି ବିଶ୍ୱରେ ଓଡିଶାରଖ୍ୟାତି ବହୁଗୁଣିତହୋଇଛି ଓ ସମସ୍ତେ ଆଜି ଉତ୍ସାହର ମାହୋଲରେ ସାମିଲ ହୋଇଛନ୍ତି ବୋଲି ଶ୍ରୀମତୀ ଦାସପ୍ରକାଶ କରିବା ସହ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ଏହାର ଅନ୍ୟତମ ଝଲକ ବୋଲି କହିଥିଲେ।

ଓଟିଡିସି ଅଧ୍ୟକ୍ଷ ଡଃ. ମହାନ୍ତି ଯୋଗଦେଇ ମୁଖ୍ୟମନ୍ତ୍ରୀ ବିକାଶର ପ୍ରତ୍ୟେକ କ୍ଷେତ୍ରରେ ସବୁଠି ରୂପାନ୍ତରୀକରଣକୁ ଗୁରୁତ୍ୱ ଦେଉଥିବା ପ୍ରକାଶ କରିବା ସହ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ  ଚିତ୍ରଶିଳ୍ରୀ ଓ ହକି କ୍ରୀଡାକୁ ଉତ୍ସାହିତ କହିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଅଧିକାରୀ ତଥା ଓଟିଡିସିର ଡିଭିଜନାଲ ମ୍ୟାନେଜର ଶ୍ରୀ ଅଂଶୁମାନ ରଥ,ପର‌୍ୟ୍ୟଟନ ବିଭାଗ,ନିଗମର ଅନ୍ୟ ପଦାଧିକାରୀ ଏବଂ କଟକ ଆର୍ଟିଷ୍ଟ ଆସୋସିଏସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।ଏହି ଅବସରରେ ବହୁ ସଂଖ୍ୟାରେ ଜନସାଧାରଣ ପାନ୍ଥ ନିବାସ ପରିଭ୍ରମଣ କରି ଚିତ୍ରକଳା ଶିବିର ବୁଲି ଦେଖିଥିଲେ ଏବଂଫଟୋ ଉଠାଇଥିଲେ ।

Categories
Hockey Worldcup23 ଆଜିର ଖବର ଖେଳ ରାଜ୍ୟ ଖବର

ବିଶ୍ବକପ ହକି ପାଇଁ ଆସନ୍ତାକାଲି ଅଧାଦିନ କଟକ ଛୁଟି ଘୋଷଣା

ଭୁବନେଶ୍ବର: ଆସନ୍ତାକାଲି ବହୁ ପ୍ରତୀକ୍ଷିତ ପୁରୁଷ ହକି ବିଶ୍ବକପର ଉଦଘାଟନ ଉତ୍ସବ। ଏହି ଉତ୍ସବ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏକ ରଂଗାରଂଗ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ। ସେଥିପାଇଁ ଆସନ୍ତାକାଲି କଟକ ମ୍ୟୁନିସପାଲ କରପୋରେସନର ସମସ୍ତ କାର୍ଯ୍ୟାଳୟ ଓ ସ୍କୁଲ ଦିନ ଗୋଟାଏରୁ ବନ୍ଦ ରହିବ।

ଏ ନେଇ ଆଜି ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ହକି ବିଶ୍ବକପ ପାଇଁ ଆସନ୍ତାକାଲି କଟକର ସମସ୍ତ ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କ ସହିତ ଜଡିତ ସଂସ୍ଥା ବନ୍ଦ ରହିବ। ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ସମସ୍ତ ସ୍କୁଲ ଦିନ ଗୋଟିଏ ପରେ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।

Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ବିଶ୍ବକପ ହକି ଉଦଘାଟନ ପୂର୍ବରୁ ବାରବାଟୀ ସ୍ଥିତି ପରଖିଲେ ପାଣ୍ଡିଆନ

କଟକ: ଆସନ୍ତାକାଲି ବେଶ ରଂଗାରଂଗ ଉତ୍ସବ ମଧ୍ୟରେ ଉଦଘାଟିତ ହେବ ହକି ବିଶ୍ବକପ ମହାସମର। ଏଥିପାଇଁ କଟକ ବାରବାଟୀ ଷ୍ଟାଡିୟମର ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ। ସେ ସକାଳୁ ପୁରା ଷ୍ଟାଡିୟମ ବୁଲି ସୁରକ୍ଷା ବ୍ୟବସ୍ଥା ସହିତ ଦର୍ଶକମାନେ ବସିବା ବ୍ୟବସ୍ଥା ତଦାରଖ କରିଥିଲେ।

ପାଣ୍ଡିଆନଙ୍କ ସହିତ ଓସିଏ ସଭାପତି ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, କ୍ରୀଡା ସଚିବ ଆର ଭିନିଲକ୍ରିଷ୍ଣା, କଟକ ଜିଲ୍ଲାପାଳ, ପୋଲିସ କମିଶନର, ଡିସିପି, କଟକ ମେୟର, ଚାରି ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ। ବୁଧବାର ସଂଧ୍ୟାରେ ଏହି ମେଗା କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶ ବିଦେଶରୁ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଯୋଗଦେବେ।

Categories
Hockey Worldcup23 ବିଶେଷ ଖବର ରାଜ୍ୟ ଖବର

ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କରିବେ କଣ, ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଧନ୍ୟବାଦ ଦେବେ କି ?

ଭୁବନେଶ୍ବର:  ଆଜି ଓଡିଶାର ପ୍ରମୁଖ ଖବର କାଗଜରେ ଏକ ପୁରା ପୃଷ୍ଟା ବିଜ୍ଞାପନ ବାହାରିଛି। ଆସନ୍ତାକାଲି ହେବାକୁ ଥିବା ହକି ମହାକୁମ୍ଭର ଉଦଘାଟନୀ ଉତ୍ସବର ଏହି ବିଜ୍ଞାପନ। ଏହାକୁ ପ୍ରକାଶ କରିଛନ୍ତି ଓଡିଶା ସରକାରଙ୍କ କ୍ରୀଡା ବିଭାଗ। ଏହି ବିଜ୍ଞାପନରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ।

ଏହି ବିଜ୍ଞାପନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତାହା ହେଲା ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିବେ କଣ? ଅର୍ଥାତ ସେ ପୂର୍ବରୁ ଯେଉଁ ବିଜ୍ଞାପନକୁ ନେଇ ବାଣ ଫୁଟାଇଥିଲେ, ତାହାର ଜବାବ ବିଜେଡି ଦେଲା। ଏହାପରେ ସେ ତାଙ୍କର ବକ୍ତବ୍ୟକୁ ଫେରାଇ ନେବେ ନା କ୍ଷମା ପ୍ରାର୍ଥନା କରିବେ ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବେ।

ନିକଟରେ ଏହି ଫଟୋକୁ ନେଇ ଖୋଦ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିଜେପିର ମଙ୍ଗୁଆଳମାନେ ବେଶ ତୁମ୍ବା ତୋଫାନ କରିଥିଲେ। ଭୁବନେଶ୍ବର ରାଉରକେଲା ବିମାନ ସେବା ଉଦଘାଟନ ଦିନ ଏହି ବିବାଦ ସୃଷ୍ଟି ହୋଇଥିଲା। ରାଜ୍ୟ ସରକାର ଏହି ବିମାନ ସେବାକୁ ନେଇ ଏକ ବିଜ୍ଞାପନ ଦେଇଥିଲେ। ସେଥିରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିଲା। ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କ୍ଷୋଭ ପ୍ରକାଶ କରିଥିଲେ।

ସେତେବେଳେ ସେ ଅଭିଯୋଗ କରିଥିଲେ ଯେ, ଭୁବନେଶ୍ବର ରାଉରକେଲା ବିମାନ ସେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନ। ଉଡାନ ଯୋଜନାରେ ଏହା କରାଯାଇଛି। ହେଲେ ରାଜ୍ୟ ସରକାର ଏହି ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦେଇଥିଲେ ଭଲ ହୋଇଥାଆନ୍ତା ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଫଟୋଟିଏ ଦେଇ ନବୀନ ନିଜର ମହନିୟତା ପ୍ରକାଶ କରିପାରି ଥାଆନ୍ତା ବୋଲି ଧର୍ମେନ୍ଦ୍ର କହିଥିଲେ।

ତେବେ ଆଜି ପ୍ରକାଶ ପାଇଥିବା ହକି ଉଦଘାଟନ ଉତ୍ସବ ବିଜ୍ଞାପନରେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ପ୍ରକାଶ ପାଇଛି। ଏହାକୁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପ୍ରକାଶ କରିଛି। ଏହା ଦେଖିବା ପରେ ଧର୍ମେନ୍ଦ୍ର କଣ କହିବେ ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଏବେ ଧର୍ମେନ୍ଦ୍ର ଖୋଲାମଖୁଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବାକୁ ଆଗେଇ ଆସିବେ କି ?

Categories
Hockey Worldcup23 ଆଜିର ଖବର ଖେଳ ରାଜ୍ୟ ଖବର

ବିଶ୍ବକପ ହକି ଟ୍ରଫିକୁ ସ୍ବାଗତ କଲେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ

ସମ୍ବଲପୁର: ସାରା ରାଜ୍ୟରେ ବିଶ୍ବକପ ହକି ଟ୍ରଫିକୁ ସ୍ବାଗତ କରାଯାଉଛି। ବିଭିନ୍ନ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ସଂସ୍ଥା ଏହାକୁ ସ୍ବାଗତ କରୁଛନ୍ତି। ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ରୀଛାତ୍ରୀ ମଧ୍ୟ ଏହାକୁ ବିପୁଳ ସଂଖ୍ୟାରେ ସ୍ବାଗତ କରିଛନ୍ତି। ସେଠାରେ ଟ୍ରଫି ପହଞ୍ଚିବା ପରେ ବିଶ୍ବବିଦ୍ୟାଳରେ ଏକ ରଂଗାରଂଗ ପରିବେଷରେ ସ୍ବାଗତ କରାଯାଇଥିଲା।

କେବଳ ସ୍ବାଗତ ନୁହଁ, ହକି ଖେଳକୁ ପ୍ରସାର କରାଇବା ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ତରଫରୁ ଆନ୍ତଃକଲେଜ ହକି ଟୁର୍ଣ୍ଣାମେଣ୍ଟର ଆୟୋଜନ ମଧ୍ୟ କରାଯାଉଛି। ଏହା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଆଠ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
Hockey Worldcup23 ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୁଷ ହକି ବିଶ୍ୱକପ୍‌ ପାଇଁ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଜଙ୍ଗଲ ମନ୍ତ୍ରୀ ଅମାତ

ଭୁବନେଶ୍ୱର: ଓଡ଼ିଶାରେ ଚଳିତ ମାସ ୧୩ ତାରିଖରୁ ରାଜଧାନୀ ଭୁବନେଶ୍ୱର ଏବଂ ରାଉରକେଲାଠାରେ ଆରମ୍ଭ ହେଉଥିବା ବହୁ ପ୍ରତିକ୍ଷିତ ପୁରୁଷ ହକି ବିଶ୍ୱକପ୍‌-୨୦୨୩ ଉପଲକ୍ଷେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ତରଫରୁ ରାଜ୍ୟର ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟକୁ ଗସ୍ତ କରିଛନ୍ତି ।

ସେହି ମର୍ମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ଆଜି ପୂର୍ବାହ୍ନରେ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହେମନ୍ତ ବିଶ୍ୱଶର୍ମାଙ୍କୁ ଦିସ୍‌ପୁରଠାରେ ସାକ୍ଷାତ କରି ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌-୨୦୨୩ରେ ଅତିଥି ଭାବରେ ଯୋଗଦେବା ପାଇଁ ସାଦର ନିମନ୍ତ୍ରଣ କରିଛନ୍ତି ।

ଏହି ସାକ୍ଷାତ ଅବସରରେ ମନ୍ତ୍ରୀ ଶ୍ରୀ ଅମାତ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମାଙ୍କୁ ସ୍ୱତନ୍ତ୍ର ଟି-ସାର୍ଟ, ରୌପ୍ୟ ସ୍ମାରକ ପ୍ରଦାନ କରିଛନ୍ତି । ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମା ବ୍ୟକ୍ତିଗତ ନିମନ୍ତ୍ରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଆନ୍ତରିକ ସାଧୁବାଦ ଜଣାଇବା ସହ ହକି ବିଶ୍ୱକପ୍‌ ଆୟୋଜନର ସଫଳତା କାମନା କରିଛନ୍ତି ।

Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ହକି: ରଣପୁରରୁ ରାଜେଶ ମନୋନୀତ

ରଣପୁର: ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ପରିସରରେ ଆନ୍ତଃ ବିଶ୍ୱ ବିଦ୍ୟାଳୟ ସ୍ତରୀୟ ହକି ମ୍ୟାଚ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ୱ ବିଦ୍ୟାଳୟର ହକି ଟିମ ଯୋଗ ଦେବ।  ଉତ୍କଳ ବିଶ୍ୱ ବିଦ୍ୟାଳୟ ମଧ୍ୟ ଏହି ହକି ଟିମରେ ସାମିଲ ହେବ।

କିନ୍ତୁ ଗୌରବର କଥା ରଣପୁର ମହା ବିଦ୍ୟାଳୟର ରାଜେଶ ବାରିକ ଆନ୍ତଃ ବିଶ୍ୱ ବିଦ୍ୟାଳୟ ହକି ମ୍ୟାଚରେ ଖେଳିବା ପାଇଁ ଉତ୍କଳ ବିଶ୍ୱ ବିଦ୍ୟାଳୟ ଟିମରେ ନିଜର ସ୍ଥାନ ପକ୍କା କରିଛନ୍ତି।  ଏ ନେଇ ରାଜେଶ ବେଶ ଉତ୍ସାହିତ ଅଛନ୍ତି। ରଣପୁର ସ୍ପୋର୍ଟସ ଆସୋସିଏସନ ରାଜେଶଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉନ୍ନତି କାମନା କରିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି: ପାକିସ୍ତାନକୁ ୩-୧ ରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ହକି ଦଳ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ୩-୧ ରେ ପରାସ୍ତ କରିଛି। ଭାରତ ପାଇଁ ହରମାନପ୍ରୀତ ୨ ଏବଂ ଆକାଶଦୀପ ସିଂ ୧ ଟି ଗୋଲ ସ୍କୋର କରିଥିଲେ। ଏହି ବିଜୟ ସହିତ ଭାରତ ବର୍ତ୍ତମାନ ୩ ଟି ମ୍ୟାଚରୁ ୭ ପଏଣ୍ଟ ପାଇଛି |

ପ୍ରଥମ କ୍ୱାର୍ଟରରେ ଭାରତ ପାଇଁ ହରମାନପ୍ରୀତ ସିଂ ପ୍ରଥମ ଗୋଲ ସ୍କୋର କରିଥିଲେ। ପେନାଲ୍ଟି କର୍ଣ୍ଣରରେ ଗୋଲ ସ୍କୋର କରି ହରମାନପ୍ରୀତ ଭାରତୀୟ ଦଳକୁ ଅଗ୍ରଣୀ ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତୀୟ ଦଳର ଫରୱାର୍ଡମାନେ ପାକିସ୍ତାନୀ ପୋଷ୍ଟ ଉପରେ ଆକ୍ରମଣ ଜାରି ରଖିଥିଲେ। ତେବେ ପାକିସ୍ତାନୀ ଗୋଲକିପର ଅଲି ଅମଜାଦ ଚମତ୍କାର ରକ୍ଷା କରୁଥିବାବେଳେ ଭାରତୀୟ ଦଳର ଅଗ୍ରଣୀକୁ ଦ୍ୱିଗୁଣିତ କରିବାକୁ ଦେଇନଥିଲେ।

ତୃତୀୟ କ୍ୱାର୍ଟରରେ ଆକାଶଦୀପ ସିଂ ଟିମ୍ ଇଣ୍ଡିଆର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ। ୪୧ ତମ ମିନିଟରେ ଏହି ଗୋଲର ମାତ୍ର ୨ ମିନିଟ ପରେ ପାକିସ୍ତାନର ଜୁନାଦ ମଞ୍ଜୁର ଏକ ଗୋଲ ସ୍କୋର କରି ମ୍ୟାଚକୁ ପୁଣି ରୋମାଞ୍ଚକର କରିଥିଲେ। ତେବେ ଚତୁର୍ଥ କ୍ୱାର୍ଟରରେ ହରମାନପ୍ରୀତ ଅନ୍ୟ ଏକ ପେନାଲ୍ଟି କର୍ଣ୍ଣରକୁ ରୂପାନ୍ତର କରି ଟିମ୍ ଇଣ୍ଡିଆର ଅଗ୍ରଣୀକୁ ୩-୧ ରେ ପରିଣତ କରିଥିଲେ। ଅନ୍ତିମ କ୍ୱାର୍ଟରରେ ଟିମ୍ ଇଣ୍ଡିଆର ଡିଫେଣ୍ଡରମାନେ ଏହି ଅଗ୍ରଣୀ ବଜାୟ ରଖିଥିଲେ। ପାକିସ୍ତାନ ଉପରେ ଏହି ବିଜୟ ସହ ଟିମ୍ ଇଣ୍ଡିଆର ସେମିଫାଇନାଲ ଖେଳିବା ନେଇ ନିଶ୍ଚିତ ହୋଇଛି।

ଏହାପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ପ୍ରଥମ ମ୍ୟାଚ୍ କୋରିଆ ବିପକ୍ଷରେ ୨-୨ ଡ୍ର ରହିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ଆୟୋଜକ ବାଂଲାଦେଶକୁ ୯-୦ ରେ ପରାସ୍ତ କରିଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ତୃଣମୂଳ ସ୍ତରରେ ହକିକୁ ବୃହତ୍ ପ୍ରୋତ୍ସାହନ: ବିଜେତାମାନଙ୍କ ପାଇଁ ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି

ନୂଆଦିଲ୍ଲୀ: ଯୁବ ବ୍ୟାପାର ଏବଂ କ୍ରୀଡା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ନୂଆଦିଲ୍ଲୀସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍‌ଠାରେ ଆନୁଷ୍ଠାନିକ ଭାବେ ସର୍ବପ୍ରଥମ ଜାତୀୟ ସ୍ତରୀୟ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌କୁ (୨୧ ବର୍ଷରୁ କମ୍ ବୟସ ବର୍ଗର) ବୁଧବାର ଦିନ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଠାକୁରଙ୍କ ସହିତ ଯୁବ ବ୍ୟାପାର ଏବଂ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ନିଶୀଥ ପ୍ରାମାଣିକ ଏବଂ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍‌ର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିବୃନ୍ଦ ଯୋଗ ଦେଇଥିଲେ। ଏହି ଲିଗ୍ ନିମନ୍ତେ ବିଜେତାଙ୍କ ପାଇଁ ପୁରସ୍କାର ରାଶି ୩୦ ଲକ୍ଷ ଟଙ୍କା ରଖାଯାଇଛି ଯାହା ବାବଦକୁ ଏମ୍‌ୱାଇଏଏସ୍ ୧୫ ଲକ୍ଷ ଏବଂ ହକି ଇଣ୍ଡିଆ ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବେ।

ସମୁଦାୟ ୧୪ଟି ଦଳଙ୍କୁ ନେଇ ୧୫ରୁ ୨୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଂଟର ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରଥମ ପର୍ଯ୍ୟାୟରେ ୪୨ଟି ମ୍ୟାଚ୍ ଖେଳାଯିବ, ଯେତେବେଳେ କି ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍ ଆସନ୍ତା ବର୍ଷ ପ୍ରାରମ୍ଭିକ ଭାଗରେ ଖେଳାଯିବ।

ଭାରତୀୟ ଖେଳ ପ୍ରାଧିକରଣ ଏବଂ ହକି ଇଣ୍ଡିଆ ଯୁଗ୍ମ ଭାବେ ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ଲିଗ୍ ଆୟୋଜନ କରିଥିବାରୁ ଶ୍ରୀ ଠାକୁର ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହି ଲିଗ୍ ଗୁଡିକର ମହତ୍ୱ ସମ୍ପର୍କରେ କହିଥିଲେ, “ଆମର ସମସ୍ତ କ୍ରୀଡ଼ାବିତ୍ ବର୍ଷସାରା ବହୁତ କଠିନ ପ୍ରଶିକ୍ଷଣ ନେଇଥାନ୍ତି, କିନ୍ତୁ ଯଦି ସେମାନଙ୍କୁ ବଡ ବଡ ପ୍ରତିଯୋଗିତା ନିମନ୍ତେ ନିଜକୁ ପ୍ରସ୍ତୁତ କରିବାର ଅଛି, ତା’ହେଲେ ଖେଳାଳିମାନଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ପ୍ରତିଯୋଗିତାର ଅଭିଜ୍ଞତା ଲାଭ କରିବା ଯଥେଷ୍ଟ ମହତ୍ୱପୂର୍ଣ୍ଣ ଅଟେ। ତେଣୁ, ଏ ପ୍ରକାରର ଲିଗ୍‌ରେ ଖେଳିବା, ଯାହା ଖେଳାଳିଙ୍କୁ ବର୍ଷସାରା ପ୍ରତିଯୋଗିତା ପ୍ରତି ଉନ୍ମୁଖ କରାଇ ଥାଏ, ତାହା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ।’ ଶ୍ରୀ ଠାକୁର ଆହୁରି କହିଥିଲେ ଯେ ଆଗକୁ ଅନ୍ୟାନ୍ୟ ଖେଳଗୁଡ଼ିକ ନିମନ୍ତେ ମଧ୍ୟ ଏହିଭଳି ଲିଗ୍ ମ୍ୟାଚ୍‌ମାନ ଆୟୋଜନ କରାଯିବ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ୨୦୧୫ ପରେ ଧ୍ୟାନଚାନ୍ଦ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ହେଉଛି ପ୍ରଥମ ବୃହତ୍ କାର୍ଯ୍ୟକ୍ରମ ଏବଂ ଏହି ପ୍ରତିଷ୍ଠିତ ସ୍ଥାନକୁ ସେ ଖେଳାଳି ମାନଙ୍କର ସ୍ୱାଗତ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ପୁନଃ ଉପସ୍ଥାପନ କରି, ଶ୍ରୀ ପ୍ରାମାଣିକ କହିଥିଲେ ଯେ, “ଶ୍ରୀ ମୋଦୀଙ୍କ ଦୃଷ୍ଟିକୋଣର ନେତୃତ୍ୱରେ ଆମେ ଏହି ଲିଗ୍ ମାଧ୍ୟମରେ ଚିୟର ୪ ଇଣ୍ଡିଆର ଅଭିଯାନକୁ ଆଗକୁ ବଢ଼ାଉଛେ। ମୁଁ ବିଶ୍ୱାସ କରେ ଯେ ଏମିତି ଅନେକ ଯୁବ ଖେଳାଳି ଅଛନ୍ତି, ଯେଉଁମାନେ ଖେଳ ପଡିଆରେ ନିଜ ଦେଶର ପତାକାର ଟେକ ରଖିବାକୁ ସୁନିଶ୍ଚିତ କରିଥାନ୍ତି।’

ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍‌ର ଅଧ୍ୟକ୍ଷ ଶ୍ରୀ ବାତ୍ରା କହିଥିଲେ ଯେ ହକିକୁ ଭାରତର କୋଣ ଅନୁକୋଣରେ ପହଂଚାଇବା ବାବଦରେ ଏହି ଲିଗ୍ ଚମତ୍କାର କାର୍ଯ୍ୟ କରିବ। “ମୋର ବିଶ୍ୱାସ ଯେ ଏହା ଏକ ବଡ ପଦକ୍ଷେପ ଅଟେ। ଗତ ୫- ୬ ବର୍ଷ ମଧ୍ୟରେ ସାଇ ଏବଂ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ଏଥିପ୍ରତି ଯଥେଷ୍ଟ ଅଧିକ ସମର୍ଥନ ରହିଛି ଏବଂ ଏହି ସକାରାତ୍ମକ ଆଭିମୁଖ୍ୟ ଚଳିତ ବର୍ଷ ଅଲିମ୍ପିକ୍‌ରେ ଏକ ଉତମ ଫଳାଫଳ ଲାଭ କରାଇବାରେ ସହାୟକ ହୋଇଥିଲା ବୋଲି ଶ୍ରୀ ବାତ୍ରା କହିଥିଲେ।

ଲିଗ୍‌ର ଶୁଭାରମ୍ଭ ହେବା ପୂର୍ବରୁ ଯୁବ ଖେଳାଳିମାନଙ୍କ ସହିତ ଅନୁରାଗ ଠାକୁର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଭାବ ବିନିମୟ କରିଥିଲେ।

Categories
ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହକି ଖେଳାଳୀଙ୍କ ଗହଣରେ ବିଜୟ ଉତ୍ସବ ପାଳିଲେ କ୍ରୀଡ଼ାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନଙ୍କୁ କୃତଜ୍ଞତା

ଭୁବନେଶ୍ୱର, ଭାରତୀୟ ପୁରୁଷ ହକି ଦଳ ଆଜି ଟୋକିଓ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ କ୍ରୀଡ଼ା ଓ ଯୁବସେବା ତଥା ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଭାରତୀୟ ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ହକି ଖେଳାଳିଙ୍କ ଗହଣରେ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଓଡ଼ିଶା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସମସ୍ତ ହକିପ୍ରେମୀମାନଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଆଜି ମନ୍ତ୍ରୀ ଶ୍ରୀ ବେହେରା କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ହକି ହାଇପରଫର୍ମାନ୍ସ ସେଣ୍ଟର ପରିସରରେ ହକି ଖେଳାଳୀଙ୍କୁ ମିଠା ଖୁଆଇବା ସହ ଅଲିମ୍ପିକ୍‌ ବିଜୟର ଉତ୍ସବ ପାଳନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ଭାରତୀୟ ପୁରୁଷ ହକି ଦଳ ଆଜି ନିଜର ଅଦମ୍ୟ ପରାକାଷ୍ଠା ସହ ଦୀର୍ଘ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ହାସଲ କରିଛି । ଆଜିର ଦିନ ସମଗ୍ର କ୍ରୀଡ଼ା ଇତିହାସରେ ଏକ ଗୌରବମୟ ଦିନ ହୋଇ ରହିବା ସହ ଆଗାମୀ ପିଢ଼ିର ଖେଳାଳୀମାନଙ୍କୁ ବେଶ୍‌ ପ୍ରେରଣା ଯୋଗାଇବ । ଆସନ୍ତକାଲି ଭାରତୀୟ ମହିଳା ଦଳ ବ୍ରୋଞ୍ଜ ପଦକ ପାଇଁ ଖେଳିବାକୁ ଯାଉଥିବାବେଳେ ଆଜିର ଉତ୍ସାହ ସେମାନଙ୍କୁ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି ।

ବିଗତ ୮/୧୦ ବର୍ଷ ଧରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରୀଡ଼ା ପ୍ରତି ଭଲପାଇବା ଏବଂ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ତାଙ୍କ ପ୍ରତିବଦ୍ଧତା ଆଜି ଆମକୁ ସଫଳତାର ସୋପାନରେ ପହଞ୍ଚାଇପାରିଛି। ମୁଖ୍ୟମନ୍ତ୍ରୀ ଭାରତର ପୁରୁଷ ଓ ମହିଳା ହକି ଦଳକୁ ୫ ବର୍ଷ ପାଇଁ ପ୍ରାୟୋଜନ କରିବା ପାଇଁ ଯେଉଁ ନର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ଆମେ ତାକୁ ପାଳନ କରିଆସୁଛୁ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରି ଭାରତୀୟ ପୁରୁଷ ହକି ଦଳ ଆଜି ଯେଉଁ ଅଦ୍ଭୂତପୂର୍ବ ବିଜୟ ହାସଲ କଲେ ତାହା ବର୍ତ୍ତମାନର କ୍ରୀଡ଼ାବିତ୍‌ଙ୍କୁ ବେଶ୍‌ ପ୍ରେରଣା ଯୋଗାଇବ । ଏହି ପରିପ୍ରେକ୍ଷୀରେ ଆଗାମୀ ପିଢ଼ିର ଖେଳାଳୀମାନଙ୍କ ଲାଗି ଆମ ସରକାର ସ୍ପୋନସର୍‌ସିପ୍‌ ସହ କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା, ହାଇ ପରଫର୍ମାନ୍ସ ସେଣ୍ଟର ଏବଂ ତୃଣମୂଳ ସ୍ତରରୁ କୋଚିଂ ପ୍ରଦାନ ଲାଗି ଯେଉଁ ବ୍ୟବସ୍ଥା କରିଛନ୍ତି ତାହା ନିଶ୍ଚିତ ଭାବେ ଫଳପ୍ରଦ ହେବ । ଆମର ଦୃଢ଼ ପ୍ରଚେଷ୍ଠା ଆଗାମୀ ଦିନରେ ଓଡ଼ିଶାରେ ବହୁତ ଭଲ ଖେଳାଳୀ ସୃଷ୍ଟି କରି ଆମ ରାଜ୍ୟ ତଥା ଦେଶ ପାଇଁ ଗର୍ବ ଓ ଗୌରବ ଆଣିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଭାରତୀୟ ଦଳର ସମସ୍ତ ଖେଳାଳୀ, କୋଚ, ଅଫିସିଆଲ୍‌, ହକି ଇଣ୍ଡିଆ, ଅନ୍ତର୍ଜାତୀୟ ହକି ଫେଡେରେସନ୍‌ର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଟୋକିଓ ମାଟିିରେ ଭାରତୀୟ ବିଜୟ ପତାକା ଉଡ଼ାଇଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟୋକିଓ ଅଲମ୍ପିକ୍ସ: ୪୧ ବର୍ଷ ପରେ ଭାରତୀୟ ପୁରୁଷ ଦଳ ହକିରେ ଜିତିଲା ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ: ଚମତ୍କାର ପ୍ରଦର୍ଶନ କରି ଭାରତୀୟ ହକି ଦଳ ଜର୍ମାନୀକୁ ୫-୪ ବ୍ୟବଧାନରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି। ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସରେ ହକିରେ ପଦକ ଜିତିଛି। ଏହାପୂର୍ବରୁ ଭାରତ ଭାସୁଦେବନ ଭାସ୍କରନଙ୍କ ଅଧିନାୟକତ୍ୱରେ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଭାରତ ପାଇଁ ସିମରଞ୍ଜିତ ସିଂ ଦୁଇଟି ଗୋଲ ସ୍କୋର କରିଥିଲେ, ହରମାନପ୍ରୀତ ସିଂ, ରୁପିନ୍ଦର ପାଲ ସିଂ ଏବଂ ହାର୍ଦ୍ଦିକ ସିଂ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ଏହି ମ୍ୟାଚରେ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ବର୍ତ୍ତମାନର ବିଶ୍ୱ ମାନ୍ୟତାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଭାରତ ଏହି ମ୍ୟାଚରେ ଖରାପ ଆରମ୍ଭ କରିଥିଲା ​​ଏବଂ ମ୍ୟାଚ୍ର ପ୍ରଥମ ମିନିଟରେ ଜର୍ମାନୀ ଗୋଟିଏ ଗୋଲ୍ ସ୍କୋର କରି ୦-୧ରେ ଅଗ୍ରଣୀ ହାସଲ କରିଥିଲା। ଜର୍ମାନୀ ପାଇଁ ତିମୁର ଓରୁଜ ଏହି ଗୋଲ ସ୍କୋର କରିଥିଲେ। ପଞ୍ଚମ ମିନିଟରେ ଭାରତ ଫେରିବାର ସୁଯୋଗ ପାଇଲା କିନ୍ତୁ ରୁପିନ୍ଦର ପାଲ ସିଂ ପେନାଲ୍ଟି କର୍ଣ୍ଣରକୁ ରୂପାନ୍ତର କରିବାରେ ବିଫଳ ହୋଇଥିଲେ। ପ୍ରଥମ କ୍ୱାର୍ଟର ଶେଷ ହେବା ପରେ ଜର୍ମାନୀ ଭାରତଠାରୁ ୦-୧ରେ ଅଗ୍ରଣୀ ହାସଲ କରିଥିଲା। ତେବେ ଭାରତର ଗୋଲକିପର ଶ୍ରୀଜେଶ ଏହି କ୍ୱାର୍ଟରରେ କିଛି ଉଜ୍ଜ୍ୱଳ ପ୍ରତିରକ୍ଷା କରିଥିଲେ।