Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରାପଡା ରାଜନୀତି: ଅନୁଭବ ମହାନ୍ତି ଆଉଟ, ଅଂଶୁମାନ ମହାନ୍ତି ଇନ୍ !!!

ଭୁବନେଶ୍ବର: କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ସାମିଲ ହେବା ପରେ ବର୍ତ୍ତମାନ କେନ୍ଦ୍ରାପଡା ରାଜନୀତି ଗଣିତ ଓଲଟି ଯାଇଛି। କାରଣ ଅଂଶୁମାନ କେନ୍ଦ୍ରାପଡା ରାଜନୀତିରେ ଜଣେ ବେଶ ପରିଚିତ ବ୍ୟକ୍ତିତ୍ବ। ସେ ଯେତେବେଳେ କଂଗ୍ରେସରୁ ଇସ୍ତଫା ଦେଲେ ସେତେବେଳେ ଜଣାପଡିଥିଲା ଯେ ସେ ବିଜେଡିରେ ଯୋଗ ଦେବେ। ତାହା ସତ ହେଲା।

ଅଂଶୁମାନ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ପୁତ୍ର। ଫଳରେ ଅଂଶୁମାନଙ୍କ କେବଳ ରାଜନଗର ନୁହେଁ ପୁରା କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳିରେ ରହିଛି ପତିୟାରା। ସେଥିପାଇଁ ବିଜେଡି ତାଙ୍କୁ କୋଳକୁ ଟାଣିଆଣିଛି। ପୂର୍ବରୁ ବାପା ନଳିନୀ ମହାନ୍ତିଙ୍କ ବିଜୁବାବୁଙ୍କ ସହ ଘନିଷ୍ଠତା ଥିଲା। ଫଳରେ ବିଜୁ ପରିବାର ସହିତ ମିଶିବା ଅଂଶୁମାନଙ୍କ ପାଇଁ କିଛି ଅଡୁଆ ମଧ୍ୟ ହୋଇ ନାହିଁ।

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଅଂଶୁମାନଙ୍କୁ ବିଜେଡି ଆଣିବାର କଣ ଉଦ୍ଦେଶ୍ୟ ରହିଛି। ରାଜନୈତିକ ସମୀକ୍ଷକଙ୍କ ଅନୁସାରେ ବିଜେଡି ଅଂଶୁମାନଙ୍କୁ କେନ୍ଦ୍ରାପଡା ଲୋକସଭା ପାଇଁ  ଟିକେଟ ଦେବ। କାରଣ ବର୍ତ୍ତମାନର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଉପରେ ଦଳ ଆଉ ଭରସା କରିପାରୁ ନାହିଁ। ଛାଡପତ୍ର ମାମଲାରେ ଅନୁଭବ ବଦନାମ ହୋଇଯାଇଥିବାରୁ ଦଳ ଆଉ ତାଙ୍କୁ ରିପିଟ କରିବ ନାହିଁ। ଯାହା ପୂର୍ବରୁ ଜଣାପଡିଛି।

ସେଥିପାଇଁ ଦୀର୍ଘ ବର୍ଷ ଧରି ଅନୁଭବଙ୍କୁ ବିଜେଡି ଏକ ପ୍ରକାର ଅଲଗା କରିଦେଇଛି। ଦଳର ବିଭିନ୍ନ ସାଂଗଠନିକ ବୈଠକରେ ତାଙ୍କର ଦେଖା ମିଳୁ ନାହିଁ। ଦଳ ତରଫରୁ ତାଙ୍କୁ ଆଉ କୌଣସି କାମରେ ଲୋଡା ଯାଉ ନାହିଁ। ବହୁ ବର୍ଷ ଧରି ବିଜେଡି ବିଭିନ୍ନ ଉପନିର୍ବାଚନରେ ଅନୁଭବଙ୍କୁ ଆଉ ଷ୍ଟାର ପ୍ରଚାରକ ତାଲିକାରେ ରଖୁ ନାହିଁ। ଅନ୍ୟପଟେ ପଞ୍ଚାୟତ ଓ ପୌର ନିର୍ବାଚନରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରଚାର କରିବାକୁ ଦଳ ସୁଯୋଗ ଦେଇଛି।

ଏ ସବୁ ଘଟଣାକୁ ବିଚାର କଲେ ଅନୁଭବ ଆଉ ବିଜେଡି ଟିକେଟରେ ଲଢିବା ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ ହୋଇଛି। ବର୍ତ୍ତମାନ ତାଙ୍କ ବଦଳରେ ବିଜେଡି ଅଂଶୁମାନଙ୍କୁ ଆଗକୁ ଆଣିଛି। ଦଳ ଅନୁଭବ କରିଛି ଯେ, ଅଂଶୁମାନଙ୍କ ବାପାଙ୍କ ପତିୟାରା, ନିଜର କଂଗ୍ରେସ ସଂଗଠନ ଏବଂ ବିଜେଡିର ପୁରୁଣା ସଂଗଠନ ଏକାଠି ମିଶି କେନ୍ଦ୍ରାପଡା ରାଜନୀତିକୁ ହଲଚଲ କରିବେ।  ଫଳରେ ବର୍ତ୍ତମାନ କେନ୍ଦ୍ରାପଡା ରାଜନୀତିରେ ଅନୁଭବ ମହାନ୍ତି ଆଉଟ ଓ ଅଂଶୁମାନ ମହାନ୍ତି ଇନ୍ ହେଲେ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି

ଭୁବନେଶ୍ବର: ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଶେଷରେ କଂଗ୍ରେସ ଛାଡି ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି। ସେ ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ତାଙ୍କୁ ସାଂଗଠନିକ ସଂପାଦକ ପ୍ରଣବ ଦାସ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଂସଦ ମାନସ ମଙ୍ଗରାଜ, ବିଧାୟକ ପ୍ରତାପ ଜେନା, ବିଧାୟକ ଧ୍ରବ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଦଳକୁ ସ୍ବାଗତ କରି ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ, ‘ଅଂଶୁମାନଙ୍କ ପରିବାର ସହ ସମସ୍ତଙ୍କ ପୁରୁଣା ସମ୍ପର୍କ ଥିଲା । ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଏହା କହିଥିଲେ। ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ କଲେ । ଓଡ଼ିଶା ଯେପରି ସମୃଦ୍ଧ ହେଉଛି ଓ ରାଜନଗରର ଯେଉଁ ବିକାଶ ହୋଇଛି ତାହା ବିଧାୟକ ଧ୍ରବ ସାହୁ ଏବଂ ଅଂଶୁମାନ ଆଗକୁ ବଢ଼ାଇବେ ।

ଅଂଶୁମାନଙ୍କ ବାପା ନଳିନୀ ମହାନ୍ତି ବିଜୁ ପଟ୍ଟନାୟକଙ୍କ ସହ ସମ୍ପର୍କ ନିବିଡ଼ ଥିଲା। ସେ ୭ ଥର ବିଧାୟକ ଥିଲେ। ବିଜେଡି ଉପରେ ଯେଉଁମାନେ ଆସ୍ଥା ରଖି ଆସିଛନ୍ତି, ସମସ୍ତଙ୍କ ସମ୍ମାନ ଅତୁଟ ରହିବ ବୋଲି ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି।’

ବିଜେଡିରେ ସାମିଲ ହେବା ପରେ ଅଂଶୁମାନ କହିଛନ୍ତି, ‘ଆଜି ମୋ ପାଇଁ ଏକ ସୌଭାଗ୍ୟର ଦିନ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ମୁଁ ବିଜେଡିରେ ମିଶିଲେ । ତାଙ୍କ ସ୍ୱଚ୍ଛ, ନିର୍ମଳ ଓ ବିକାଶ ଧାରାରେ ମୁଁ ଅନୁପ୍ରାଣିତ ହୋଇ ରାଜନଗର ପରିବାର ସହ ବିଜେଡିରେ ସାମିଲ ହୋଇଛି । ରାଜନଗରର ବିକାଶ ଧାରାକୁ ଆଗେଇ ନେବା ସହ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବାକୁ କାମ କରିବି ।’

ତେବେ ଅଂଶୁମାନ ଶଙ୍ଖ ଭବନ ଏକ ବିରାଟ ପଟୁଆର ମଧ୍ୟରେ ଆସିଥିଲେ। ତାଙ୍କର ଶହଶହ ସମର୍ଥକ ଗହଣରେ ଆସି ବିଜେଡିରେ ସାମିଲ ହୋଇଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ହେଲେ କୁଆଡେ ଯିବେ

ଭୁବନେଶ୍ବର: କଂଗ୍ରେସ ନେତା ତଥା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ପ୍ରଦେଶ ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଏଥିରେ ସେ କୌଣସି କାରଣ ଉଲ୍ଲେଖ କରି ନ ଥିଲେ ମଧ୍ୟ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲି ବୋଲି କହିଛନ୍ତି।

ତେବେ ସେ କେଉଁ ଦଳକୁ ଯିବେ ସେ ନେଇ ଚର୍ଚ୍ଚା ଚାଲିଛି। ରାଜନଗରରେ 2014 ମସିହାରେ ଅଂଶୁମାନ ରାଜନଗରର ବିଧାୟକ ଥିଲେ। ସେ ବିଜେଡିର ଧ୍ରୁବ ସାହୁଙ୍କୁ ପ୍ରାୟ 5 ହଜାର ଭୋଟରେ ପରାଜିତ କରିଥିଲେ। ହେଲେ 2019 ରେ ସେ ଧ୍ରୁବ ସାହୁଙ୍କଠାରୁ ହାରିଯାଇଥିଲେ।