କେନ୍ଦ୍ରାପଡା ରାଜନୀତି: ଅନୁଭବ ମହାନ୍ତି ଆଉଟ, ଅଂଶୁମାନ ମହାନ୍ତି ଇନ୍ !!!

Published: Feb 17, 2024, 8:21 am IST

ଭୁବନେଶ୍ବର: କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ସାମିଲ ହେବା ପରେ ବର୍ତ୍ତମାନ କେନ୍ଦ୍ରାପଡା ରାଜନୀତି ଗଣିତ ଓଲଟି ଯାଇଛି। କାରଣ ଅଂଶୁମାନ କେନ୍ଦ୍ରାପଡା ରାଜନୀତିରେ ଜଣେ ବେଶ ପରିଚିତ ବ୍ୟକ୍ତିତ୍ବ। ସେ ଯେତେବେଳେ କଂଗ୍ରେସରୁ ଇସ୍ତଫା ଦେଲେ ସେତେବେଳେ ଜଣାପଡିଥିଲା ଯେ ସେ ବିଜେଡିରେ ଯୋଗ ଦେବେ। ତାହା ସତ ହେଲା।

ଅଂଶୁମାନ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ପୁତ୍ର। ଫଳରେ ଅଂଶୁମାନଙ୍କ କେବଳ ରାଜନଗର ନୁହେଁ ପୁରା କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳିରେ ରହିଛି ପତିୟାରା। ସେଥିପାଇଁ ବିଜେଡି ତାଙ୍କୁ କୋଳକୁ ଟାଣିଆଣିଛି। ପୂର୍ବରୁ ବାପା ନଳିନୀ ମହାନ୍ତିଙ୍କ ବିଜୁବାବୁଙ୍କ ସହ ଘନିଷ୍ଠତା ଥିଲା। ଫଳରେ ବିଜୁ ପରିବାର ସହିତ ମିଶିବା ଅଂଶୁମାନଙ୍କ ପାଇଁ କିଛି ଅଡୁଆ ମଧ୍ୟ ହୋଇ ନାହିଁ।

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଅଂଶୁମାନଙ୍କୁ ବିଜେଡି ଆଣିବାର କଣ ଉଦ୍ଦେଶ୍ୟ ରହିଛି। ରାଜନୈତିକ ସମୀକ୍ଷକଙ୍କ ଅନୁସାରେ ବିଜେଡି ଅଂଶୁମାନଙ୍କୁ କେନ୍ଦ୍ରାପଡା ଲୋକସଭା ପାଇଁ  ଟିକେଟ ଦେବ। କାରଣ ବର୍ତ୍ତମାନର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଉପରେ ଦଳ ଆଉ ଭରସା କରିପାରୁ ନାହିଁ। ଛାଡପତ୍ର ମାମଲାରେ ଅନୁଭବ ବଦନାମ ହୋଇଯାଇଥିବାରୁ ଦଳ ଆଉ ତାଙ୍କୁ ରିପିଟ କରିବ ନାହିଁ। ଯାହା ପୂର୍ବରୁ ଜଣାପଡିଛି।

ସେଥିପାଇଁ ଦୀର୍ଘ ବର୍ଷ ଧରି ଅନୁଭବଙ୍କୁ ବିଜେଡି ଏକ ପ୍ରକାର ଅଲଗା କରିଦେଇଛି। ଦଳର ବିଭିନ୍ନ ସାଂଗଠନିକ ବୈଠକରେ ତାଙ୍କର ଦେଖା ମିଳୁ ନାହିଁ। ଦଳ ତରଫରୁ ତାଙ୍କୁ ଆଉ କୌଣସି କାମରେ ଲୋଡା ଯାଉ ନାହିଁ। ବହୁ ବର୍ଷ ଧରି ବିଜେଡି ବିଭିନ୍ନ ଉପନିର୍ବାଚନରେ ଅନୁଭବଙ୍କୁ ଆଉ ଷ୍ଟାର ପ୍ରଚାରକ ତାଲିକାରେ ରଖୁ ନାହିଁ। ଅନ୍ୟପଟେ ପଞ୍ଚାୟତ ଓ ପୌର ନିର୍ବାଚନରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରଚାର କରିବାକୁ ଦଳ ସୁଯୋଗ ଦେଇଛି।

ଏ ସବୁ ଘଟଣାକୁ ବିଚାର କଲେ ଅନୁଭବ ଆଉ ବିଜେଡି ଟିକେଟରେ ଲଢିବା ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ ହୋଇଛି। ବର୍ତ୍ତମାନ ତାଙ୍କ ବଦଳରେ ବିଜେଡି ଅଂଶୁମାନଙ୍କୁ ଆଗକୁ ଆଣିଛି। ଦଳ ଅନୁଭବ କରିଛି ଯେ, ଅଂଶୁମାନଙ୍କ ବାପାଙ୍କ ପତିୟାରା, ନିଜର କଂଗ୍ରେସ ସଂଗଠନ ଏବଂ ବିଜେଡିର ପୁରୁଣା ସଂଗଠନ ଏକାଠି ମିଶି କେନ୍ଦ୍ରାପଡା ରାଜନୀତିକୁ ହଲଚଲ କରିବେ।  ଫଳରେ ବର୍ତ୍ତମାନ କେନ୍ଦ୍ରାପଡା ରାଜନୀତିରେ ଅନୁଭବ ମହାନ୍ତି ଆଉଟ ଓ ଅଂଶୁମାନ ମହାନ୍ତି ଇନ୍ ହେଲେ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

Related posts