Categories
ଆଜିର ଖବର ରାଜ୍ୟ ଖବର

ନାଳରେ ପଡ଼ି ଦିନ ମଜୁରିଆର ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅନ୍ତର୍ଗତ ବାସୁଦେବପୁର ନିକଟସ୍ଥ ଛୋଟରାୟ ପୁର ଗ୍ରାମର ଟୁନା ମହାରଣା ନାମକ ଜଣେ ଦିନ ମଜୁରୀଆର ନାଳରେ ପଡ଼ି ଅକାଳ ବିୟୋଗ ଘଟିଛି।

ଘଟଣାରୁ ପ୍ରକାଶ ଯେ, ମୃତ ଟୁନା ପ୍ରତ୍ୟେକ ଦିନ ମଜୁରିଆ ଭାବେ କାମ କରିବା ପାଇଁ ଗାଁ ରୁ ବ୍ରହ୍ମପୁର ଆସୁଥିଲେ। କିନ୍ତୁ ରବିବାର ଦିନ ଗାଁ କୁ ଫେରିଥିଲେ। ଘର ଲୋକେ ତାଙ୍କ ଆସିବା ବାଟ ଚାହିଁଥିବା ବେଳେ ଗତକାଲି ସକାଳୁ ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲୀ ଜାତୀୟ ରାଜପଥ ପାର୍ଶ୍ବରେ ଏକ ନାଳରେ ଜନୈକ ବ୍ୟକ୍ତି ର ଶବ ଭାସୁଥିବା ଅବସ୍ଥାରେ ଅଞ୍ଚଳ ଲୋକ ଲାଞିପଲୀ ଫାଣ୍ଡିକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡି ଅର୍ମାସ୍ ଙ୍କ ଅକାଳ ବିୟୋଗ: ୨୬ ବର୍ଷ ବୟସରେ କଲେ ମୃତ୍ୟୁବରଣ

ନୂଆଦିଲ୍ଲୀ: ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡି ଅର୍ମାସଙ୍କ ଅକାଳ ବିୟୋଗ ହୋଇଛି। ସେ ୨୦୧୫ରେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଉରୁଗୁଏର ପ୍ରତିନିଧିତ୍ୱ କରିଥିଲେ। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଶେରିକା ଡି ଅର୍ମାସ୍ ଗର୍ଭାଶୟ କର୍କଟ ଯୁଦ୍ଧରେ ହାରିଯାଇଥିଲେ ଏବଂ ଅକ୍ଟୋବର ୧୩ ରେ ୨୬ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ। ଡି ଅର୍ମାସ୍ କେମୋଥେରାପି ଏବଂ ରେଡିଓଥେରାପି ଚିକିତ୍ସା ମଧ୍ୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାର ପୂର୍ବତନ କଂଗ୍ରେସ ଉପ ସଭାପତି ଭାସ୍କର ପତିଙ୍କ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଭଞ୍ଜନଗର: ଭଞ୍ଜନଗର ଅଂଚଳର ଜଣା ଶୁଣା ବ୍ୟବସାୟୀ, କଂଗ୍ରେସର ଜଣେ ବରିଷ୍ଠ ନେତା, ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ତଥା ଗଞ୍ଜାମ ଜିଲ୍ଲାର ପୂର୍ବତନ ଉପ ସଭାପତି ଭାସ୍କର ପତିଙ୍କ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ହୋଇଯାଇଛି।

ଖବର ମୁତାବକ ଗତ କାଲି ସନ୍ଧ୍ୟା ସମୟରେ ସେ ନିଜ ଚାଷ ଜମି ସାମ୍ନାରେ ନିଜ ମୋଟର ସାଇକେଲ ଉପରେ ବସି ଚାଷ ଜମିରେ କାମ କରୁଥିବା ଶ୍ରମିକମାନଙ୍କ କାର୍ଯ୍ୟକୁ ଅନୁସନ୍ଧାନ କରୁଥିଲେ। ଠିକ୍ ସେତିକି ବେଳେ ଅପର ପାର୍ଶ୍ଵରୁ ଏକ କାର ଆସି ତାଙ୍କୁ ଶାକ୍ତ ଧକ୍କା ଦେଇ ଥିଲା। ଯେଉଁଥିରେ ତାଙ୍କର ପ୍ରାଣହାନୀ ଘଟିଥିଲା।

ଭଞ୍ଜନଗର ଥାନା ଅଧିକାରୀଙ୍କ ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା କୌଣସି ଏତଲା ହୋଇ ନଥିବା ବେଳେ, କାର ଟି ଥାନାରେ ଅଟକ ରହିଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଭଞ୍ଜନଗର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Categories
ଆଞ୍ଚଳିକ

ପର୍ଶୁରାମ ମହାବିଦ୍ୟାଳୟ ଅଧ୍ୟାପକଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ସୀତାରାମ ଅଗ୍ରୱାଲ
ବାଣପୁର: ଶନିବାର ସକାଳେ ଗମ୍ଭାରୀମୁଣ୍ଡା ଅଞ୍ଚଳର ଜଣେ ଅଧ୍ୟାପକଙ୍କ ଆକସ୍ମିକ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଥାଉକି ଗମ୍ଭାରୀମୁଣ୍ଡା ପର୍ଶୁରାମ ମହାବିଦ୍ୟାଳୟରେ ଶିକ୍ଷା ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ନୀଳମଣି ଘଡ଼ାଇଙ୍କ ହୃଦଘାତରେ ପ୍ରାଣହାନି ଘଟିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିବା ବେଳେ ଟାଙ୍ଗୀ ଥାନା ଅନ୍ତର୍ଗତ ବାଲିନାସି ଗ୍ରାମରେ ତାଙ୍କର ନିଜ ଘର।

ଶ୍ରୀ ଘଡ଼ାଇ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ଚାନ୍ଦପୁର ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ଗ୍ରାମକୁ ଆସିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି।

ତାଙ୍କ ଶବାଧାର ନିକଟରେ ଆତ୍ମୀୟ ସ୍ୱଜନଙ୍କ ସହ କଲେଜ ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନ ଏବଂ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରି ବିଦାୟ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅଜଣା ଗାଡି ଧକ୍କାରେ ଏକ୍ସାଇଜ୍ କନେଷ୍ଟବଳଙ୍କ ମୃତ୍ୟୁ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ରେଢାଖୋଲ ଚାରମାଳ ମଦଭାଟି ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ କନେଷ୍ଟବଳଙ୍କର ଅକାଳ ବିୟୋଗ ଘଟିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ସବ୍ ଡିଭିଜନ୍ ଚାରମାଳ ଥାନାର ମଦଭାଟି ସାମ୍ନାରେ ରେଢାଖୋଲ କୁକୁଡାବାହାଳି ପଂଚାୟତର ସାନ ନୂଆପଡା ଗ୍ରାମର ଦିଲ୍ଲୀପ୍ କୁମାର ସ୍ୱାଇଁ (୪୦)ନିଜ ଘରୁ ସମ୍ବଲପୁର ଡ୍ୟୁଟିକୁ ଯାଉଥିଲେ। ସକାଳ ୧୦ ଘଟିକା ସମୟରେ ଏକ ଅଜଣା ଗାଡି ମୃତ ଦିଲୀପ କୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେ ସମ୍ବଲପୁରରେ ଏକସାଇଜ୍ କନେଷ୍ଟ ବଳ ଭାବରେ କାମ କରୁଥିଲେ। ଚାରମାଳ ପୋଲିସ୍ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣା କରି ଫେରାର୍‌୍ ଥିବା ଗାଡି କୁ ପୋଲିସ୍ ଧରିବାରେ ବିଫଳ ହୋଇଥିଲା।

ସୂଚନା ଯୋଗ୍ୟ ଯେ, ୨୦୧୩ ରେ ବାପା ବୀରବର ସ୍ୱାଇଁ ଙ୍କର ବାଇକ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ମୃତକର ୪ ବର୍ଷ ଏବଂ ୪ ମାସର ଦୁଇଟି ଶିଶୁପତ୍ର ଥିବା ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ବିଶାଳ ଶୋକ ସଭା ଅନୁଷ୍ଠିତ

ଭୁବନେଶ୍ବର: ଆଜି ଓଡିଶା ମୁଖ୍ୟ ଦପ୍ତର କର୍ମଚାରୀ ସଂଘ ଆନୁକୁଲ୍ୟରେ ସ୍ବର୍ଗୀୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ଏକ ବିଶାଳ ଶୋକ ସଭା ନ ତାଲା (ମୁଖ୍ୟ ଦପ୍ତର) ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଦପ୍ତରର ସମସ୍ତ କର୍ମଚାରୀ ଓ ଅଧିକାରୀ ଯୋଗଦାନ କରିଥିଲେ।

ଏହି ସଭାରେ ମୁଖ୍ୟ ଦପ୍ତର ସଂଘର ସଭାପତି ମିହିର ନାରାୟଣ ଜେନା ସ୍ବର୍ଗତ ମନ୍ତ୍ରୀଙ୍କର କରୋନା ମହାମାରୀ ସମୟରେ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଓ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ ବିଷୟରେ ସ୍ମୃତିଚାରଣ କରି କହିଥିଲେ ଯେ, ତାଙ୍କର ଅକାଳ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ପରିଶେଷରେ ଅମର ଆତ୍ମା ର ସଦ୍ଗତି ନିମନ୍ତେ ଦୁଇ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା।

Categories
ଆଞ୍ଚଳିକ

ପ୍ରାଧ୍ୟାପକ ଦୀପକ ସିଂହଙ୍କ ଅକାଳ ବିୟୋଗ: ବାଲୁଗାଁ ଏବଂ ବଡବିଲ କଲେଜରେ ଶୋକାକୁଳ ପରିବେଶ

ଭୁବନେଶ୍ବର: ବଡ଼ବିଲ କଲେଜର ପ୍ରାଧ୍ୟାପକ ଦୀପକ ସିଂହଙ୍କ ଅକାଳ ବିୟୋଗ ହୋଇଯାଇଛି। ମାତ୍ର ୫୫ ବର୍ଷ ବୟସରେ ଭୁବନେଶ୍ବରସ୍ଥିତ ଆପୋଲ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ଚିକିତ୍ସା ପାଇଁ ସେ ଗତ ୨ ତାରିଖରେ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ସମୟରେ ବ୍ରେନରେ ଏକ ଛୋଟ ଅସ୍ତ୍ରୋପଚାର କଲେ ଦୀପକ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଡାକ୍ତର କହିଥିଲେ। ହେଲେ ନିଜ ଦାୟିତ୍ଵରେ କେବେ ଅବହେଳା କରୁନଥିବା ଛାତ୍ରବତ୍ସଳ ପ୍ରାଧ୍ୟାପକ ଶ୍ରୀ ସିଂହ ମାତ୍ର ୧୫ ଦିନ କଲେଜରୁ ଛୁଟି ନେଇପାରିବେ ବୋଲି ଡାକ୍ତରଙ୍କ ଆଗରେ ପ୍ରକାଶ କରିଥିଲେ। କିନ୍ତୁ ସେ ମାତ୍ର ୮ ଦିନରେ ସଂପୂର୍ଣ୍ଣ ସୁସ୍ଥ ହୋଇ ନିଜର କର୍ତ୍ତବ୍ୟ କରିପାରିବେ ବୋଲି ଡାକ୍ତର କହିଥିଲେ।

ତା’ପରେ ତାଙ୍କର ବ୍ରେନରେ ଅସ୍ତ୍ରୋପଚାର (ଇଣ୍ଡୋସ୍କୋପି) କରାଯାଇଥିଲା। ହେଲେ ପ୍ରଥମ ଅସ୍ତ୍ରୋପଚାର ବିଫଳ ହୋଇଥିବା କୁହାଯାଉଥିବା ବେଳେ ଜାନୁୟାରୀ ୫ ତାରିଖରେ ତାଙ୍କର ଦ୍ଵିତୀୟ ଥର ପାଇଁ ଅସ୍ତ୍ରୋପଚାର କରାଯାଇଥିଲା। ତେବେ ସେବେଠାରୁ ସେ ସଜ୍ଞାହୀନ ଅବସ୍ଥାରେ ଥିବା ବେଳେ ଗତକାଲି ଅପରାହ୍ନ ୧୨ ଟା ୪୦ ମିନିଟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଯାହାପରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଠାରୁ ପୈତୃକ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ବେତୁଲି ପର୍ଯ୍ୟନ୍ତ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କର ଏହି ଅକାଳ ବିୟୋଗ ଖବର ଶୁଣି ସାଙ୍ଗସାଥି, ବନ୍ଧୁ ପରିଜନ ଭାଙ୍ଗି ପଡିଛନ୍ତି। ମୃତ୍ୟୁ ବେଳକୁ ଦୀପକଙ୍କ ନିକଟରେ ତାଙ୍କ ସ୍ତ୍ରୀ, ପୁଅ, ଝିଅ, ତାଙ୍କର ୭ ଭାଇ, ସାଙ୍ଗସାଥି, ସମ୍ପର୍କୀୟମାନେ ଉପସ୍ଥିତ ଥିଲେ।

ଦୀପକ ନଭେମ୍ବର ୧୧ ତାରିଖ ୧୯୬୬ ମସିହାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବେତୁଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଆଦର୍ଶ ଶିକ୍ଷକ ସ୍ଵର୍ଗତ ସଚ୍ଚିଦାନନ୍ଦ ନାୟକ ଏବଂ ପ୍ରମିଳା ନାୟକଙ୍କ ସେ ତୃତୀୟ ନମ୍ବର ସନ୍ତାନ। ତାଙ୍କର ଛୋଟ ଛୋଟ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।

ଦୀପକ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ନିଜର ଛାତ୍ର ଜୀବନ ଶେଷ କରି କେନ୍ଦୁଝର ଜିଲ୍ଲା ବଡ଼ବିଲ ମହାବିଦ୍ୟାଳୟରେ ସେ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ତାଙ୍କ ସହକର୍ମୀ ବନ୍ଧୁମାନେ ଏହି ଦୁଃଖଦ ଖବରରେ ମ୍ରିୟମାଣ ହୋଇପଡିଥିବା ବେଳେ ସେମାନେ ଏହାକୁ ବିଶ୍ଵାସ ବି କରିପାରୁନାହାନ୍ତି। ଜଣେ ସୁସ୍ଥ ଦେଖାଯାଉଥିବା ଏବଂ ନିଜର କର୍ତ୍ତବ୍ୟ ଜାରି ରଖିଥିବା ଲୋକ କିପରି ହଠାତ୍ ଅସୁସ୍ଥ ହୋଇ ଆର ପାରିକୁ ଚାଲିଯିବ, ସେକଥା କେହି ବିଶ୍ଵାସ କରିପାରୁନାହାନ୍ତି।

ଏତେ ବଡ ଦୁଃଖଦ ସମୟରେ ମହାବିଦ୍ୟାଳୟ ତରଫରୁ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଦୀପକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ମହାପ୍ରଭୁ ଜଗନ୍ନାଥ ଦୀପକଙ୍କ ଆତ୍ମା-ପ୍ରଦୀପକୁ ତାଙ୍କ ଚରଣକମଳ ନିକଟରେ ପ୍ରଜ୍ଜ୍ଵଳିତ ରଖନ୍ତୁ ବୋଲି ବଡ଼ବିଲ ମହାବିଦ୍ୟାଳୟ ପରିବାର ପକ୍ଷରୁ ପ୍ରାର୍ଥନା କରାଯାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଭଉଣୀଙ୍କର ଅକାଳ ବିୟୋଗ, ଆଇପିଏଲ ଛାଡି ଘରକୁ ଫେରିଲେ ଆରସିବି ଖେଳାଳି ହର୍ଷଲ ପଟେଲ

ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦ୍ରୁତ ବୋଲର ହର୍ଷଲ ପଟେଲଙ୍କ ପରିବାର ଉପରେ ଦୁଃଖର ପାହାଡ ଖସିପଡିଛି। ହର୍ଷଲଙ୍କ ପରିବାରର ଜଣେ ସଦସ୍ୟଙ୍କର ଦେହାନ୍ତ ହୋଇଛି। ଏହି କାରଣରୁ ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ବାୟୋ-ବବୁଲ୍ ଛାଡି ଘରକୁ ଚାଲିଯାଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ ପରେ ସେ ତାଙ୍କ ଭଉଣୀର ମୃତ୍ୟୁ ଖବର ପାଇଥିଲେ।

ଗତ ଦୁଇ ସିଜିନରେ ଆରସିବି ପାଇଁ ହର୍ଷଲ ଭଲ ପ୍ରଦର୍ଶନ କରି ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ଦୁଇଟି ୱିକେଟ୍ ନେଇଥିଲେ। ଏକ ଆଇପିଏଲ୍ ସୂତ୍ର କହିଛି, ଦୁର୍ଭାଗ୍ୟବଶତଃ ଭଉଣୀଙ୍କ ଦେହାନ୍ତ ହେତୁ ହର୍ଷଲଙ୍କୁ ବାୟୋ-ବବୁଲ୍ ଛାଡିବାକୁ ପଡିଲା।

ସେ କହିଛନ୍ତି ଯେ, ଏପ୍ରିଲ୍ ୧୨ ତାରିଖରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍ ପୂର୍ବରୁ ସେ ଦଳରେ ଯୋଗଦେବେ।

ସୂଚନାଯୋଗ୍ୟ ଯେ, ହର୍ଷଲଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ରହିଛି। ସେ ଆଇପିଏଲର ୬୭ ଟି ମ୍ୟାଚରେ ୮୪ ଟି ୱିକେଟ୍ ନେଇଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୨୭ ରନ୍ ଦେଇ ୫ ୱିକେଟ୍ ନେଇଛନ୍ତି। ହର୍ଷଲ ୮ ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ୧୧ ୱିକେଟ୍ ନେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର: ସିଡ଼ିଏସ ବିପିନ ରାୱତଙ୍କ ଅକାଳ ବିୟୋଗରେ ଏନସିସି କ୍ୟାଡେଟମାନଙ୍କ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ତାମିଲନାଡୁ ଅନ୍ତର୍ଗତ କୁନ୍ନୁରଠାରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ସିଡ଼ିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀଙ୍କ ସମେତ ୧୩ ଜଣ ବିର ସୈନିକ ପ୍ରାଣ ହରାଇଛନ୍ତି। ସାରା ଦେଶ ଉକ୍ତ ଘଟଣାରେ ସ୍ତବ୍ଧ ଥିବାବେଳେ ଦେଶର କୋଣ ଅନୁକୋଣରୁ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଆଜି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟର ଏନସିସି ୟୁନିଟର କ୍ୟାଡେଟ ମାନଙ୍କଦ୍ୱାରା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ନିମନ୍ତେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଉକ୍ତ ଶୋଭାଯାତ୍ରାଟି ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ସହର ପରିକ୍ରମା କରି ମା’ ଭଗବତୀ ମନ୍ଦିର ଠାରେ ସମାପ୍ତ ହୋଇଥିଲା। ସେଠାରେ ଶହୀଦଙ୍କ ଆତ୍ମାର ସଦଗତି ନିମନ୍ତେ ସମସ୍ତ କ୍ୟାଡେଟମାନେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ଶହୀଦଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଲିଉଟନାଣ୍ଟ ଡ଼ା. ଗୁରୁକିଶୋର ନାୟକ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ସୋଆ କର୍ମଚାରୀଙ୍କ ଅକାଳ ବିୟୋଗ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିବା କିଶୋର ପାତ୍ରଙ୍କ ର ହୃଦ୍‌ଘାତ ଯୋଗୁଁ ଅକାଳ ବିୟୋଗ ଘଟିଛି। ଦୀର୍ଘ ୧୭ ବର୍ଷ ଧରି ସୋଆରେ
ଷ୍ଟୋର ଇନ୍‌ଚାର୍ଜ ଭାବେ କାର୍ଯ୍ୟ କରିଆସୁଥିବା ସ୍ୱର୍ଗତଃ ପାତ୍ର ଗତ ୨୭ ତାରିଖ ବିଳମ୍ବିତ ରାତିରେ ଛାତିରେ କଷ୍ଟ ଅନୁଭବ କରିବା ପରେ ହୃଦ୍‌ଘାତ ହେବା କାରଣରୁ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ହୋଇଥିଲା।

ଅଡ଼ସପୁର ଅଂଚଳର ବାସିନ୍ଦା ଶ୍ରୀ ପାତ୍ରଙ୍କ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।
ଅତ୍ୟନ୍ତ ମିଷ୍ଟଭାଷୀ ଏବଂ କର୍ତ୍ତବ୍ୟନିଷ୍ଠ ସ୍ୱର୍ଗତଃ ପାତ୍ରଙ୍କ ମୃତ୍ୟୁରେ ସୋଆରେ ଶୋକର ଛାୟା
ଖେଳିଯାଇଛି।

ସୋମବାର ସୋଆ ପରିବାର ପକ୍ଷରୁ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ଏକ ସଭାରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।

Categories
ଆଜିର ଖବର

କବି ଓ ସୁସଙ୍ଗଠକ ଦିଲୀପ ବେହୁରାଙ୍କ ପରଲୋକ

ଓଡିଶାର ଜଣେ ଜଣାଶୁଣା ଗୀତିକବି, ଶିଶୁ ସାହିତ୍ୟିକ ଓ ସାହିତ୍ୟ ସଂଗଠକ ଦିଲୀପ ବେହୁରାଙ୍କର ଅକାଳ ବିୟୋଗ ଘଟିଛି। ଗତକାଲି ରାତିରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି ବୋଲି ପରିବାର ସୂତ୍ରରୁ ପ୍ରକାଶ। ଶ୍ରୀ ବେହୁରା ରାଜଧାନୀର ବିଭିନ୍ନ ସାହିତ୍ୟ ସଂଗଠନ ଓ ପାତ୍ର ପତ୍ରିକା ସହିତ ଜଡିତ ରହିଥିଲେ। ୨୪, ଜାନୁଆରୀ ୧୯୬୫ ରେ ଭୁବନେଶ୍ଵରରେ ଜନ୍ମଗ୍ରହଣ କରିଥିବା ଶ୍ରୀ ବେହୁରା ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ଥିଲେ। ବହୁ ପ୍ରମୁଖ ସାହିତ୍ୟ ସଂଗଠନର କର୍ମକର୍ତ୍ତା ଓ ସାହିତ୍ୟ ଉତ୍ସବର ଆୟୋଜକ ଭାବରେ ତାଙ୍କର ଏକ ପ୍ରମୁଖ ଭୂମିକା ରହିଥିଲା। ରାଜଧାନୀର ସର୍ବ ପୁରାତନ ସାହିତ୍ୟ ଖଟି  ଭାବେ ପରିଚିତ ପୁରୁଣା ବସଷ୍ଟାଣ୍ଡ ସାହିତ୍ୟିକ ଖଟିର ସେ ଥିଲେ ଜଣେ ସକ୍ରିୟ ସଦସ୍ୟ। ତାଙ୍କ ଅକାଳ ବିୟୋଗରେ ବହୁ ଲେଖକ ଓ ସାହିତ୍ୟିକ ଶୋକ ପ୍ରକାଶ କରିଛନ୍ତି।