Categories
ଆଜିର ଖବର ରାଜ୍ୟ ଖବର

ଆଇଏନଏସ ଚିଲିକାରେ ଅଖିଳ ଭାରତୀୟ ଏନସିସି ନୌଚାଳନା ପ୍ରତିଯୋଗିତା ଶିବିର ଉଦଯାପିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଅପରାହ୍ନରେ ଅଖିଳ ଭାରତୀୟ ଏନସିସି ନୌଚାଳନା ପ୍ରତିଯୋଗିତା ଶିବିର ଆଇଏନଏସ ଚିଲିକା ଠାରେ ଉଦଯାପିତ ହୋଇଯାଇଛି। ଚଳିତ ମାସ ୯ ତାରିଖରୁ ଆରମ୍ଭ ହୋଇ ଦୀର୍ଘ ଏକ ସପ୍ତାହ ଧରି ପ୍ରତିଯୋଗିତା ଚାଲିଥିବାବେଳେ ଆଜି ବହୁ ଆଡମ୍ବରରେ ଏହା ଉଦଯାପିତ ହୋଇଯାଇଛି।

ଏହି ଶିବିରରେ ଜାତୀୟ ସ୍ତରରେ ଥିବା ସମସ୍ତ ୧୭ ଗୋଟି ଏନସିସି ନିର୍ଦ୍ଦେଶାଳୟରୁ ୧୦୨ ଜଣ ବାଳକ ଓ ବାଳିକା ଭାଗ ନେଇଥିଲେ। ଅନ୍ତର୍ଜାତୀୟ ସ୍ତରର ସମସ୍ତ ନିୟମାବଳୀକୁ ପାଳନ କରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚିଲିକା ଜଳରାଶିରେ କାଳିଜାଇ ନିକଟରେ ସର୍ବମୋଟ ୩୦ଟି ନୌକା ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଉଭୟ ବାଳକ ଓ ବାଳିକା ବର୍ଗର କ୍ୟାଡେଟମାନଙ୍କ ମଧ୍ୟରୁ ସର୍ବୋତ୍ତମ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା।

ଏହି ପ୍ରତିଯୋଗିତାରେ ବାଳିକା ବର୍ଗରେ ବିହାର ଓ ଝାଡ଼ଖଣ୍ଡ ନିର୍ଦ୍ଦେଶାଳୟ ପ୍ରଥମ ସ୍ଥାନ, ଓଡିଶା ନିର୍ଦ୍ଦେଶାଳୟ ଦ୍ୱିତୀୟ ସ୍ଥାନ ଅଧିଗ୍ରହଣ କରିଥିବା ବେଳେ ବାଳକ ବର୍ଗରେ ତାମିଲ ନାଡୁ ଓ ଓଡିଶା ନିର୍ଦ୍ଦେଶାଳୟ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।

ଏହି ପ୍ରତିଯୋଗିତାରେ ଓଡିଶାରୁ ବାଳକ ବର୍ଗରେ ସ୍ୱାଧୀନ ରଣା, ଅଜୟ କିଷାନ, ଅମୀୟ ରଞ୍ଜନ ନାୟକ ଓ ବାଳିକା ବର୍ଗରେ ଲିନା ରାଣୀ ଗଙ୍ଗଦେଵ, ଶାନ୍ତିଲତା ପାତ୍ର, ଅର୍ପିତା ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଉକ୍ତ ପ୍ରତିଯୋଗିତାରେ ଓଡିଶା ଏନସିସି ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଭବାନୀପାଟଣା ନାଭଲ ୟୁନିଟ ଏନସିସି ଦ୍ୱାରା ପରିଚାଳିତ ହୋଇଥିଲା। ସମ୍ବଲପୁର ଏନସିସି ଗ୍ରୁପ କମାଣ୍ଡର କର୍ନେଲ ଅମିତାଭ ରଏ ଓ ଭବାନୀପାଟଣା ନାଭଲ ୟୁନିଟ ଏନସିସି କମାଣ ଅଧିକାରୀ କମାଣ୍ଡର ସୁନୀଲ କୁମାର ବେହେରାଙ୍କ ନେତୃତ୍ୱରେ ଏହି ଶିବିର ସୁଚାରୁ ରୁପେ ଅନୁଷ୍ଠିତ ହୋଇଯାଇଛି।

ଉଦଯାପନି ଉତ୍ସବରେ ଓଡିଶା ଏନସିସି ଉପନିର୍ଦ୍ଦେଶକ କମାଣ୍ଡର ସୌମେନ ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଓ ଏନସିସି ନିର୍ଦେଶାଳୟ ନୂଆଦିଲ୍ଲୀରୁ ବ୍ରିଗେଡିଆର ନିଶ୍ଚଳ ସୁଦ ସଂମାନିତ ଅତିଥିଭାବେ ଯୋଗ ଦେଇ କୃତିତ୍ୱ ଅର୍ଜନ କରିଥିବା ବାଳକ ଓ ବାଳିକା ମାନଙ୍କୁ ସଂମାନିତ କରି ଉତ୍ସାହ ବର୍ଦ୍ଧନ କରିଥିଲେ। ଏହି ପ୍ରତିଯୋଗିତାରେ ତାମିଲନାଡୁ ଓ ଓଡିଶା ନିର୍ଦ୍ଦେଶାଳୟ ଯୁଗ୍ମ ଭାବେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପରବର୍ତ୍ତୀ ସ୍ଥାନରେ ମହାରାଷ୍ଟ୍ର ନିର୍ଦେଶାଳୟ ରହିଥିଲା।