Categories
ଜାତୀୟ ଖବର ବିଶେଷ ଖବର

ଅଯୋଧ୍ୟାରେ ଅଶୋକ ସିଂଘଲଙ୍କ ପ୍ରତିମୂର୍ତ୍ତି ଓ କୀର୍ତ୍ତିସ୍ତମ୍ଭ ସ୍ଥାପନ ପାଇଁ ଅଖିଳ ଭାରତ ଆଖଡା ପରିଷଦର ଦାବୀ

ପ୍ରୟାଗରାଜ, ଦୀର୍ଘ ବର୍ଷ ଧରି ରାମମନ୍ଦିର ନିର୍ମାଣ ପାଇଁ ଚାଲିଥିବା ଆନ୍ଦୋଳନ ଏବେ ସଫଳ ହୋଇଛି। ହେଲେ ଏହି ଅନ୍ଦୋଳନର ଯେ ସାରଥୀ ସାଜିଥିଲେ ସେ ହେଉଛନ୍ତି ସ୍ବାର୍ଗତ ଅଶୋକ ସିଂଘଲ। ସେହି ମହାନ ବ୍ୟକ୍ତିଙ୍କର ଏକ ପ୍ରତିମୂର୍ତ୍ତି ଅଯୋଧ୍ୟା ଓ ପ୍ରୟାଗରାଜରେ ନିର୍ମାଣ କରାଯାଉ। ଏହିପରି ଏକ ଦାବୀ କରିଛି ଭାରତର ସାଧୁସନ୍ଥଙ୍କ ସଂଘ “ ଅଖିଳ ଭାରତ ଆଖଡା ପରିଷଦ”।

ଏଥିସହିତ ଏହି ଆନ୍ଦୋଳନରେ ଅନେକ ନିଜ ଜୀବନକୁ ତ୍ୟାଗ କରିଛନ୍ତି, ସେମାନଙ୍କ ପାଇଁ ଏକ କୀର୍ତ୍ତି ସ୍ତମ୍ଭ କରାଯାଉ। ସେହି ସ୍ତମ୍ଭରେ ସମସ୍ତଙ୍କ ନାମ ଖୋଦେଇ କରାଯାଇ ନିର୍ମାଣ କରାଯାଉ ବୋଲି ପରିଷଦର ସାଧାରଣ ସଂପାଦକ ମହନ୍ତ ନରେନ୍ଦ୍ର ଗିରି ଦାବୀ କରିଛନ୍ତି।

ଏ ନେଇ ଭାରତର ସାଧୁ ସନ୍ଥଙ୍କ ଏକ ସମ୍ମିଳନୀ କରାଯାଇ ସେମାନଙ୍କ ମତାମତ ନିଆଯିବ। ସେହି ମତାମତକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି ପରିଷଦ କହିଛି। ଏହି ବୈଠକ ଆସନ୍ତା ଅକ୍ଟୋବର ତୃତୀୟ ସପ୍ତାହ ନବରାତ୍ରୀ ବେଳେ ବସିବ। ସେ ନେଇ ସମସ୍ତ ସାଧୁ ସନ୍ଥ ଏବଂ କର୍ମକର୍ତ୍ତାଙ୍କୁ ଅବଗତ କରାଯାଇଛି ବୋଲି ପରିଷଦର ସଂପାଦକ ସ୍ବାମୀ ହରିଗିରି କହିଛନ୍ତି।

ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ନେଇ ବହୁ ବର୍ଷ ଧରି ଆନ୍ଦୋଳନ ଜାରୀ ରହିଥିଲା। ଏଥିରେ ପ୍ରମୁଖ ଯୋଦ୍ଧା ସାଜିଥିଲେ ବିଶ୍ବ ହିନ୍ଦୁ ପରିଷଦର ମୁଖ୍ୟ ଅଶୋକ ସିଂଘଲ। ଏହି ଆନ୍ଦୋଳନ ପାଇଁ ଅଶୋକ ତାଙ୍କ ବାସଭବନଟି ମଧ୍ୟ ନିୟୋଜିତ କରିଥିଲେ। ସେହିପରି ଏହି ଆନ୍ଦୋଳନରେ କୋଠାରୀ ଭ୍ରାତା, ରାମ କୁମାର ଓ ଶରଦ କୁମାର କୋଠାରୀ ମୃତ୍ୟୁବରଣ କରିଥିଲେ। 1990 ମସିହା ନଭେମ୍ବର 2 ତାରିଖରେ ପୋଲିସ ସେମାନଙ୍କୁ ଗୁଳି କରିଥିଲା।

ଏତେ ସବୁ ସଂଘର୍ଷ ଭିତରେ ବର୍ତ୍ତମାନ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସାକାର ହେବାକୁ ଯାଉଛି। ସେଥିପାଇଁ କୀର୍ତ୍ତି ସ୍ତମ୍ଭ ଏବଂ ସିଂଘଲଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହେବାର ସମୟ ମଧ୍ୟ ଆସିଛି। ଏହାର କାର୍ଯ୍ୟକାରିତା ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରାଯାଇଛି। ସେହି ଯୋଜନା ସାଧୁସନ୍ଥଙ୍କ ଦ୍ବାରା ମନୋନିତ ହେବା ପରେ କେନ୍ଦ୍ର ସରକାରଙ୍କୁ ଦିଆଯିବ ବୋଲି ସ୍ବାମୀ ହରିଗିରି କହିଛନ୍ତି।

ଏଥିସହିତ ସ୍ବାମୀ ଗିରି କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଏହି ଆନ୍ଦୋଳରେ ସାମିଲ ଥିବା ଅନେକ ବ୍ୟକ୍ତିଙ୍କ ନାମରେ ମାମଲା ଚାଲିଛି। ତାହା ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରାଯିବ। ଯେଉଁଥି ପାଇଁ ଏହି ଆନ୍ଦୋଳନ ହେଉଥିଲା ତାହା ବର୍ତ୍ତମାନ ସାକାର ହୋଇଛି, ସେଥିପାଇଁ ଏହି ମାମଲାର କୈଣସି ମାନେ ନାହିଁ। ଏହାକୁ ପ୍ରତ୍ୟାହାର କରିବା ପାଇଁ ସାଧୁସନ୍ଥମାନେ ମଧ୍ୟ ଦାବୀ କରିଛନ୍ତି ବୋଲି ସ୍ବାମୀ କହିଛନ୍ତି।

ପ୍ରତ୍ୟେକ ହିନ୍ଦୁଙ୍କ ପାଇଁ ଅଗଷ୍ଠ ପାଞ୍ଚ ତାରିଖ ରାମମନ୍ଦିର ଭୂମି ପୂଜା ଏକ ସ୍ମରଣୀୟ ଦିନ ହୋଇ ରହିବ। ସେଥିପାଇଁ ଏହି ଅଗଷ୍ଠ ପାଞ୍ଚ ତାରିଖକୁ ଦୀପାବଳି ପରି ପାଳନ କରିବା ପାଇଁ ମଧ୍ୟ ପରିଷଦ ନିଷ୍ପତି କରିଛି।