Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏୟାର ଇଣ୍ଡିଆକୁ ମିଳିଲା କ୍ରେତା, ୬୮ ବର୍ଷ ପରେ ପୁଣି ଥରେ ଟାଟା ସନ୍ସକୁ ମିଳିଲା ଦାୟିତ୍ଵ

ନୂଆଦିଲ୍ଲୀ: ଅଗଣିତ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟ ସ୍ଥଳକୁ ନେଇଥିବା ଏୟାର ଇଣ୍ଡିଆକୁ ଜଣେ କ୍ରେତା ମିଳିଛି। ଟାଟା ସନ୍ସ ଏୟାର ଇଣ୍ଡିଆ ବିଡ ଜିତିଛି। ଏହାର ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସରକାରୀ ସୂତ୍ର ଅନୁଯାୟୀ, ଏୟାର ଇଣ୍ଡିଆର ବିକ୍ରୟ ପାଇଁ କରାଯାଇଥିବା ଦୁଇଟି ବିଡ ମଧ୍ୟରୁ ସରକାର ଟାଟା ଗ୍ରୁପକୁ ଚୟନ କରିଛନ୍ତି। ଏୟାର ଇଣ୍ଡିଆ କିଣିବା ପାଇଁ ଟାଟା ଗ୍ରୁପ୍ ଏବଂ ସ୍ପାଇସ ଜେଟର ଚେୟାରମ୍ୟାନ୍ ଅଜୟ ସିଂ ଶେଷ ପ୍ରସ୍ତାବ ଦେଇଥିଲେ।

୧୯୩୨ରେ ଟାଟା ଗ୍ରୁପ୍ ଦ୍ୱାରା ଏୟାର ଇଣ୍ଡିଆ ଆରମ୍ଭ ହୋଇଥିଲା। ଟାଟା ଗ୍ରୁପ୍ ର ଜେ.ଆର.ଡି. ଟାଟା ଏହାର ପ୍ରତିଷ୍ଠାତା ଥିଲେ। ପରେ ଏୟାର ଇଣ୍ଡିଆର ନାମ ଟାଟା ଏୟାର ସର୍ଭିସ ଭାବରେ ରଖାଗଲା। ୧୯୩୮ ସୁଦ୍ଧା, କମ୍ପାନୀ ଏହାର ଘରୋଇ ବିମାନ ଆରମ୍ଭ କରିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହାକୁ ଏକ ସରକାରୀ କମ୍ପାନୀ କରାଯାଇଥିଲା। ସ୍ୱାଧୀନତା ପରେ ସରକାର ଏଥିରେ ୪୯% ଅଂଶଧନ କିଣିଥିଲେ। ଟାଟା ସନ୍ସଙ୍କୁ ୨୩,୨୮୬.୫ କୋଟି ଟଙ୍କାର ଋଣ ଭାର ବହନ କରିବାକୁ ପଡିବ।

୨୦୦୭ରେ ଇଣ୍ଡିଆନ୍ ଏୟାରଲାଇନ୍ସ ସହିତ ମିଶ୍ରଣ ହେବା ପରଠାରୁ ଏୟାର ଇଣ୍ଡିଆ କଦାପି ଲାଭରେ ଆସିନାହିଁ। ମାର୍ଚ୍ଚ ୨୦୨୧ ଶେଷ ଏୟାର ଇଣ୍ଡିଆର ପ୍ରାୟ ୧୦ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ଆଶା କରାଯାଉଛି। ମାର୍ଚ୍ଚ ୩୧ ତାରିଖ ୨୦୧୯ ସୁଦ୍ଧା କମ୍ପାନୀର ମୋଟ ୬୦,୦୭୪ କୋଟି ଟଙ୍କା ଋଣ ଥିଲା। କିନ୍ତୁ ବର୍ତ୍ତମାନ ଟାଟା ସନ୍ସଙ୍କୁ ଏଥିରୁ ୨୩,୨୮୬.୫ କୋଟି ଟଙ୍କା ଋଣ ବହନ କରିବାକୁ ପଡିବ।

ବର୍ତ୍ତମାନ ଏୟାର ଇଣ୍ଡିଆ ଦେଶରେ ୪ ହଜାର ୪୦୦, ବିଦେଶରେ ୧୮୦୦ ଲ୍ୟାଣ୍ଡିଂ ଏବଂ ପାର୍କିଂ ସ୍ଲଟ୍ ନିୟନ୍ତ୍ରଣ କରୁଛି।