Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ବାଣ ଦୋକାନୀଙ୍କ ପାଇଁ ନିୟମ ଜାରୀ କଲା ଓଡିଶା ଅଗ୍ନିଶମ ବିଭାଗ, ଜାଣନ୍ତୁ କଣ

ଭୁବନେଶ୍ବର: ଆଉ ଦିନକ ପରେ ହେବ ଦୀପାବଳି। ଏହିଦିନ ସମସ୍ତେ ବାଣ ଫୁଟାଇ ଏହି ଉତ୍ସବକୁ ପାଳନ କରିଥାନ୍ତି। ହେଲେ ଏହି ଆଲୋକର ଉତ୍ସବରେ ଅନେକ ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁ ଓଡିଶା ଅଗ୍ନିସେବା ତରଫରୁ ବାଣ ଦୋକାନୀଙ୍କ ପାଇଁ ଜାରୀ କରାଯାଇଛି ନିୟମ। ସେଗୁଡିକ ହେଲା

ଅସ୍ଥାୟୀ ବାଣ ଦୋକାନ:-

  • ବିକ୍ରି ପାଇଁ ଉଦ୍ଦିଷ୍ଟ ବାଣ ଗୁଡ଼ିକୁ ଉପଯୁକ୍ତ ଓ ସୁରକ୍ଷିତ ଭାବରେ ରଖାଯିବା ଏବଂ ପ୍ରଦର୍ଶନ କରିବା ଆବଶ୍ୟକ । ଅନଧିକୃତ ବ୍ୟକ୍ତିମାନେ ସେଠାକୁ ପ୍ରବେଶ କରିପାରିବେ ନାହିଁ । ଏହାର ଚତୁଃପାର୍ଶ୍ୱରେ ପଲିଥିନ୍ ଏବଂ ଦହନଶୀଳ ପଦାର୍ଥର ବ୍ୟବହାରକୁ ନିଷିଦ୍ଧ କରାଯିବ ଉଚିତ୍ ।
  • ବାଣ ବିକ୍ରୟ ପାଇଁ ବ୍ୟବହୃତ ଅସ୍ଥାୟୀ ଦୋକାନ ଗୁଡିକ ପରସ୍ପରଠାରୁ ଅତି କମ୍ ରେ ୧୦ ଫୁଟ୍ ଏବଂ କୌଣସି ସୁରକ୍ଷିତ କାର୍ଯ୍ୟସ୍ଥଳ ଠାରୁ ଅତିକମ୍ ରେ ୧୫୦ଫୁଟ୍ ଦୂରତାରେ ରହିବ ।ଦୋକାନ ଗୁଡ଼ିକ ସାମ୍ନାସାମ୍ନି ହୋଇ ରହିବେ ନାହିଁ।
  • ଦୋକାନରେ କିମ୍ବାଦୋକାନର ନିରାପତ୍ତା ଦୂରତା ମଧ୍ୟରେ କୌଣସି ତେଲ ଦୀପ, ଗ୍ୟାସ୍ ଦୀପ କିମ୍ବା ଖୋଲା ଲାଇଟ୍ ବ୍ୟବହାର କରାଯିବ ନାହିଁ। ବିଦ୍ୟୁତ୍ ଲାଇଟ୍ ଗୁଡିକୁ ଖୋଲା ଏବଂ ଝୁଲୁଥିବା ନମନୀୟ ତାର ଦ୍ୱାରା ନ ରଖି କାନ୍ଥ କିମ୍ବା ଛାତରେ ସ୍ଥାୟୀ ଭାବେ ଲଗାଯିବ ଉଚିତ୍ । ପ୍ରତ୍ୟେକଦୋକାନ ପାଇଁ ସୁଇଚ୍ ଗୁଡିକ କାନ୍ଥରେ ସ୍ଥାୟୀ ଭାବେ ଲଗାଯାଇ ପ୍ରତି ଧାଡ଼ିରେ ଥିବା କୋଠରୀ ପାଇଁ ଏକ ମାଷ୍ଟର ସୁଇଚ୍ ବ୍ୟବସ୍ଥା କରାଯିବଆବଶ୍ୟକ ।
  • କୌଣସି ଦୋକାନର ୫୦ ମିଟର ଦୂରତା ମଧ୍ୟରେ ବାଣ ପ୍ରଦର୍ଶନ ନିଷିଦ୍ଧ ଅଟେ ।
  • ଗୋଟିଏ ନିର୍ଦିଷ୍ଟ ସ୍ଥାନ/ ପରିସରରେ ୫୦ରୁ ଅଧିକ ଦୋକାନ ରହିବା ଅନୁଚିତ୍ ।
  • ଦୋକାନରେ ଥିବା ବାଣକୁ ବିଦ୍ୟୁତ୍ ରହିତ ପାତ୍ରରେ କିମ୍ବା ସ୍ଥିରୀକୃତ ମୂଳ ପ୍ୟାକେଟ୍ ରେ ରଖାଯିବ, ଯେଉଁଥିରେ ସେଗୁଡ଼ିକ ଗ୍ରହଣ କରାଯାଇଛି।
  • କେବଳ ସ୍ୱୀକୃତିପ୍ରାପ୍ତ ଆବେଦନକାରୀଙ୍କୁଦୋକାନ ରେ ବାଣ ବିକ୍ରି ଏବଂ ବାଣ ସରଂକ୍ଷିତ ରଖିବା ନିମନ୍ତେ ଅନୁମତି ଦିଆଯିବ ।
  • ଅସ୍ଥାୟୀବାଣ ଦୋକାନ ଗୁଡିକରେ ବାଣ ବ୍ୟତୀତ ଅନ୍ୟ କୌଣସି ବିସ୍ଫୋରକ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ରଖିବା କିମ୍ବା ବିକ୍ରି କରିବାକୁ ଅନୁମତି ଦିଆଯିବ ନାହିଁ ।
  • ସରକାରୀ ପ୍ରମାଣିତ ବୈଦ୍ୟୁତିକ ଠିକାଦାରଙ୍କ ଦ୍ୱାରା ବିଦ୍ୟୁତ୍ ତାର ଏବଂ ସଂଯୋଗ ଠିକ୍ ଭାବରେ କରାଯିବା ଉଚିତ୍ ।
  • ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ବାଣ ଦୋକାନ ସମ୍ମୁଖରେ ଗାଡ଼ି ପାର୍କିଂ ଓ ଧୂମ୍ରପାନକୁ କଡ଼ାକଡ଼ି ଭାବେ ନିଷେଧ କରିବା ଆବଶ୍ୟକ ଏବଂ ଦୋକାନରେ ନିର୍ଦ୍ଦିଷ୍ଟ ସ୍ଥାନରେ “ଧୂମ୍ରପାନ ନିଷେଧ” ବୋର୍ଡ ପ୍ରଦର୍ଶନ କରାଯିବା ଉଚିତ୍ ।
  • ଦୋକାନରେ ଆବଶ୍ୟକୀୟ ଅଗ୍ନି ନିର୍ବାପକ ଯନ୍ତ୍ର, ଓଦା ବସ୍ତା ଓ ୨୦୦ ଲିଟର କ୍ଷମତା ବିଶିଷ୍ଟ ପାଣି ଡ୍ରମ୍ ଏବଂ ଶୁଖିଲା ବାଲି ଥିବା ଗୋଟିଏ ବାଲ୍ଟି ରଖାଯିବା ଆବଶ୍ୟକ ।

ସ୍ଥାୟୀ ବାଣ ଦୋକାନ:-

  • ସ୍ଥାୟୀ ବାଣ ବିକ୍ରୟ ନିମନ୍ତେ ଉଦ୍ଧିଷ୍ଟ ଦୋକାନ ଗୁଡିକ ସାଧାରଣତଃ ଇଟା, ପଥର କିମ୍ବା କଂକ୍ରିଟ୍ ରେ ନିର୍ମିତ ହେବା ସଙ୍ଗେ ବନ୍ଦ ହେବା ଆବଶ୍ୟକ । ଦୋକାନ ଗୁଡିକ ଅନଧିକୃତ ବ୍ୟକ୍ତିମାନଙ୍କ ପ୍ରବେଶ ପାଇଁ ନିଷେଧ ହେବ ଉଚିତ୍ ।
  • ସ୍ଥାୟୀ ଦୋକାନ ଗୁଡିକ ଅନ୍ୟ ମହଲା ମାନଙ୍କ ଠାରୁ ଅଲଗା ହେବ ଦରକାର ଏବଂ ତଳ ମହଲାରେ ହେବା ଆବଶ୍ୟକ । ଏହାର ପୃଥକ୍ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାର ରହିବା ଆବଶ୍ୟକ ଏବଂ କବାଟ ଗୁଡିକ ବାହାରକୁ ଖୋଲାଯିବାର ବ୍ୟବସ୍ଥା ଥିବା ଆବଶ୍ୟକ ।
  • ସାଧାରଣତଃ ଏହା ଭୂତଳ କିମ୍ବା ଘରର ମଝି ମହଲା, ଉପର ମହଲା ଇତ୍ୟାଦିରେ ରହି ପାରିବ ନାହିଁ । ଏଥି ସହିତ ବାଣ ଗୁଡିକ ସିଡି/ ଲିଫ୍ଟ୍ ନିକଟରେ ମଧ୍ୟ ଗଚ୍ଛିତ କରି ରଖାଯିବ ନାହିଁ ।
  • ସ୍ଥାୟୀ ଦୋକାନ ଗୁଡିକ ନିକଟକୁ ଅଗ୍ନିଶମ ସେବା ସଂସ୍ଥାର ଯାନବାହାନ ଏବଂ ଉପକରଣ ଯିବା ପାଇଁ ଉପଯୁକ୍ତ ରାସ୍ତା ଥିବା ଆବଶ୍ୟକ ।
  • ଦୋକାନରେ କିମ୍ବାଦୋକାନର ନିରାପତ୍ତା ଦୂରତା ମଧ୍ୟରେ କୌଣସି ତେଲ ଦୀପ, ଗ୍ୟାସ୍ ଦୀପ କିମ୍ବା ଖୋଲା ଲାଇଟ୍ ବ୍ୟବହାର କରାଯିବ ନାହିଁ। ବିଦ୍ୟୁତ୍ ଲାଇଟ୍ ଗୁଡିକୁ ଖୋଲା ଏବଂ ଝୁଲୁଥିବା ନମନୀୟ ତାର ଦ୍ୱାରା ନ ରଖି କାନ୍ଥ କିମ୍ବା ଛାତରେ ସ୍ଥାୟୀ ଭାବେ ଲଗାଯିବ ଉଚିତ୍ । ପ୍ରତ୍ୟେକଦୋକାନ ପାଇଁ ସୁଇଚ୍ ଗୁଡିକ କାନ୍ଥରେ ସ୍ଥାୟୀ ଭାବେ ଲଗାଯାଇ ପ୍ରତି ଧାଡ଼ିରେ ଥିବା କୋଠରୀ ପାଇଁ ଏକ ମାଷ୍ଟର୍ ସୁଇଚ୍ ବ୍ୟବସ୍ଥା କରାଯିବା ଆବଶ୍ୟକ । ଏଥି ସହିତ ବୈଦ୍ୟୁତିକ ମେନ୍ ସୁଇଚ୍ କୁ ବାହାର ପାର୍ଶ୍ଵରୁ ଯଥାଶୀଘ୍ର ପହଞ୍ଚିବାର ବ୍ୟବସ୍ଥା ଥିବା ଆବଶ୍ୟକ ।
  • ନିୟମ ଅନୁଯାୟୀ ଆବଶ୍ୟକଓ କାର୍ଯ୍ୟକ୍ଷମ ଅଗ୍ନି ନିରାପତ୍ତା ଉପକରଣ ମାନ ସଂସ୍ଥାପନ କରାଯାଇଥିବା ଆବଶ୍ୟକ ।

ଆବଶ୍ୟକ ସ୍ଥଳେ ଅଗ୍ନିଶମ ଓ ଜରୁରୀକାଳୀନ ସେବା ୧୧୨ ନମ୍ବର କୁ କଲ୍ କରନ୍ତୁ।