Categories
ବିଶେଷ ଖବର ବ୍ୟବସାୟ

ଆସୁଛି ନୂଆ ନିୟମ, ଏଣିକି ଇଣ୍ଟରେନେଟ ନ ଥିଲେ ମଧ୍ୟ ମୋବାଇଲରୁ କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ: ଖୁବ ଶିଘ୍ର ଦେଶରେ ମୋବାଇଲ ପେମେଣ୍ଟର ଆସୁଛି ଏକ ନୂଆ ନିୟମ। ସେହି ନିୟମ ଅନୁସାରେ ଆପଣଙ୍କର ଇଣ୍ଟରନେଟ ନ ଥିଲେ ମଧ୍ୟ ଆପଣ ଟଙ୍କା ପେମେଣ୍ଟ କରିପାରିବେ। ତେବେ ଏହାର ପରିମାଣ ମାତ୍ର 200 ଟଙ୍କାରେ ସୀମିତ ରଖାଯାଇଛି। ତାହା ପୁଣି ଦୋକାନି ପାଖରେ ପେମେଣ୍ଟ କରିପାରିବେ। ଦୂରରେ ଥିବା କୌଣସି ବ୍ୟକ୍ତିଙ୍କୁ ଏହି ପେମେଣ୍ଟ କରିପାରିବେ ନାହିଁ।

ମୁଖ୍ୟତଃ ଡିଜିଟାଲ ପେମେଣ୍ଟର ପ୍ରସାର ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପରୀକ୍ଷା ମୂଳକ ଭାବେ ଏହି ସେବା ଆରମ୍ଭ କରିଛି। ଗତ 2020 ମସିହାରୁ ଏହି ସେବା ନିର୍ଦ୍ଧିଷ୍ଠ କେତେକ ଅଞ୍ଚଳ ତଥା ଗ୍ରାହକଙ୍କୁ ନେଇ ଆରମ୍ଭ କରାଯାଇଛି। ଏଥିରେ ଯେଉଁ ଅସୁବିଧା ବାହାରିଲା ତାହାକୁ ସମାଧାନ କରି ଆରବିଆଇ ଏହା ଲାଗୁ କରିବାକୁ ଯାଉଛି।

ମୁଖ୍ୟତଃ ଯେଉଁମାନେ ଦୁର୍ଗମ ଅଞ୍ଚଳରେ ରହନ୍ତି, ସେମାନଙ୍କ ପାଖରେ ଇଣ୍ଟରନେଟର ସୁବିଧା ନ ଥାଏ। ସେମାନଙ୍କୁ ଏହି ଡିଜିଟାଲ ପେମେଣ୍ଟରେ ସାମିଲ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଅନ୍ୟପକ୍ଷରେ ଯେଉଁମାନଙ୍କର ମୋବାଇଲରେ ଇଣ୍ଟରନେଟ ଥିବା, ହେଲେ ରିଚାର୍ଯ୍ୟ ନ କରିବାରୁ ଇଣ୍ଟରନେଟ କଟିଯାଇଥିବ ସେମାନେ ମଧ୍ୟ ଏହି ଅପଲାଇନ ପେମେଣ୍ଟ କରିପାରିବେ।

ତେବେ ଏହି ପେମେଣ୍ଟରେ କେତେକ ସର୍ତ୍ତ ରଖାଯାଇଛି। ଯେପରି ଗ୍ରାହକ ଦୋକାନୀ ଆଗରେ ଏହି ପେମେଣ୍ଟ କରିପାରିବେ। ଦୂରରୁ ରହି ପେମେଣ୍ଟ କରାଯାଇପାରିବ ନାହିଁ। ସେହିପରି ଗୋଟିଏ ନିର୍ଦ୍ଧିଷ୍ଠ ସମୟ ମଧ୍ୟରେ ସର୍ବମୋଟ ମାତ୍ର 2000 ଟଙ୍କା ପେମେଣ୍ଟ ହୋଇପାରିବ। ଅର୍ଥାତ ଦିନସାରା 200 ଟଙ୍କା ଲେଖାଏଁ ଦୁଇ ହଜାରରୁ ଅଧିକା କରିପାରିବେ ନାହିଁ।

ଏହି ସେବା ଯୋଗାଇବା ପାଇଁ ଆରବିଆଇ କେତେକ କଂପାନୀ ସହିତ ଆଲୋଚନା କରିଛି। ସେମାନେ ଯେପରି ଗ୍ରାହକମାନଙ୍କ ପେମେଣ୍ଟ ସଂପର୍କରେ ସୂଚନା ପ୍ରଦାନ କରିପାରିବେ ସେ ନିଶ୍ଚିତତା ଦେବା ପାଇଁ କୁହାଯାଇଛି। ଏ ନେଇ କେତେକ କଂପାନୀ ଆଗ୍ରହୀ ଥିବାରୁ ଖୁବ ଶିଘ୍ର ଦେଶରେ ଏହି ଅପଲାଇନ ପେମେଣ୍ଟ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜଣାପଡିଛି।