Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ-୨୦୨୩ରେ ସଂଗୀତ-ନୃତ୍ୟରେ ମୁଖରିତ ହେଲା ପରିବେଶ

ଭୁବନେଶ୍ୱର: ମାଣ୍ଡିଆ ତଥା ଅନ୍ୟାନ୍ୟ ପୁଷ୍ଟିଶସ୍ୟକୁ ନେଇ ଦେଶର ବିଭିନ୍ନ ରାଜ୍ୟର ଲୋକକଥା ଓ ଲୋକସଂସ୍କୃତି ଉପଦାନ ସମ୍ବଳିତ ଗୀତନାଚରେ ଝୁମିଥିଲେ ଦର୍ଶକ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଗୋଟିଏ ଅଣ-ବୈଷିୟିକ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା କୃଷକମାନେ ପରିବେଷଣ କରିଥିଲେ ସୁମଧୁର ସଂଗୀତ। ସବୁବେଳେ ଏପରି ଲୋକସଂଗୀତ ପୁଷ୍ଟିଶସ୍ୟ ଚାଷ ସହତ ସୁରକ୍ଷା ଦିଗରେ ସହାୟକ ହୋଇଆସିଛି।

ଆଜିର କାର୍ଯ୍ୟକ୍ରମରେ ମାଣ୍ଡିଆ ଦିବସ ଅବସରରେ ମେଘାଳୟ, କର୍ଣ୍ଣାଟକ, ଗୁଜୁରାଟ ଓ ଓଡ଼ିଶାର କୃଷକ ଦଳ ସମବେତ ହୋଇ ପୁଷ୍ଟିଶସ୍ୟ ସଂଗୀତ ପରିବେଷଣ କରିଥିଲେ। କଣ୍ଠରେ ଥିଲା ପୁଷ୍ଟିଶସ୍ୟର ଜୟଗାନ, ପରିଚ୍ଛଦ ଥିଲା ପାରମ୍ପରିକ। ବିଭାଗୀୟ ସହକାରୀ ନିର୍ଦ୍ଦେଶକ ପ୍ରିୟଙ୍କା ପି୍ରୟଦର୍ଶିନୀ ସ୍ୱାଗତ ଭାଷଣ ଦେଇଥିବାବେଳେ କାର୍ଯ୍ୟକ୍ରମର ସଂଚାଳକ ଅନୁଷ୍ଠାନ ‘ରିଭିଟାଲାଇଜିଂ ରେନ୍‌ଫେଡ୍‌ ଏରିଆ (ଆର୍‌ଆର୍‌ଏ)’ର ଜାତୀୟ ନିର୍ଦ୍ଦେଶକ ଡ. ସବ୍ୟସାଚୀ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ।

ଗୀତିକାର ଓ ସମାଜକର୍ମୀ ଭାବରେ ପରିଚିତ ଗୁଜରାଟର ବିନୟ ମହାଜନ ଓ ଚାରୁ ଭରୱାଡ଼ା ସଂଗୀତ ପରିବେଷଣ କରିଥିବାବେଳେ ଓଡ଼ିଶାରୁ ଲୋକକବି ପଦ୍ମଶ୍ରୀ ହଳଧର ନାଗ ଅତିଥି ଭାବରେ ଉପସ୍ଥିତ ଥିଲେ। ବିଭାଗ ପକ୍ଷରୁ କୃଷକ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ କୃଷକ, ସେ୍ୱଚ୍ଛାସେବୀ ସଂଗଠନର ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ସାଧାରଣ ଜନତା ଉପସ୍ଥିତ ରହି ଭରପୂର ମଜା ଉଠାଇଥିଲେ।

କର୍ଣ୍ଣାଟକର ଶିଳ୍ପୀମାନେ ପରିବେଷଣ କରିଥିଲେ ‘ଅର୍ଣ୍ଣଦାତା’। ଗୁଜୁରାଟ ଓ ମେଘାଳୟର ଦଳ ଫସଲ ଅମଳ ନେଇ ସେମାନଙ୍କ ପାରମ୍ପରିକ ଲୋକଗୀତ ପ୍ରସ୍ତୁତ କରିଥିଲେ। ଏସବୁ ସଂଗୀତ କୃଷକମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ଥିଲା। ଗଜପତି ଜିଲ୍ଲାର ଶିଳ୍ପୀମାନେ ବାଦ୍ୟଯନ୍ତ୍ର ସହିତ ସଂଗୀତ ପରିବେଷଣ କରିଥିଲେ। ଉପସ୍ଥିତ ଶିଳ୍ପୀ, ଅଂଶଗ୍ରହଣକାରୀ ଓ ଅତିଥିମାନେ ପୁଷ୍ଟିଶସ୍ୟକୁ ନେଇ ଶପଥପାଠ କରିଥିଲେ।

ସଂଗୀତ ଓ ନୃତ୍ୟରେ ମୁଖରିତ ହୋଇଥିଲା ପରିବେଶ। ସମ୍ମିଳନୀର ଅନ୍ୟତମ ଆକର୍ଷଣୀୟ ଏହି କାର୍ଯ୍ୟକ୍ରମରେ ପୁଷ୍ଟିଶସ୍ୟର ସନ୍ଦେଶ ପ୍ରତିଟି ଦର୍ଶକଙ୍କ ହୃଦୟରେ ପ୍ରତିଧ୍ୱନିତ ହୋଇଥିଲା

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଅବସରରେ, ରାଜ୍ୟସ୍ତରୀୟ ମିଲେଟ ପ୍ରବନ୍ଧ ଓ କୁଇଜ୍‌ ପ୍ରତିଯୋଗିତା

ଭୁବନେଶ୍ୱର: ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଅବସରରେ ପ୍ରଥମ ଦିବସରେ ଆଜି ରାଜ୍ୟସ୍ତରୀୟ ମିଲେଟ ପ୍ରବନ୍ଧ ଓ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସମବେତ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଏହି ଦୁଇଟି ପ୍ରତିଯୋଗିତାରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଚଳିତ ବର୍ଷ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ବର୍ଷ ପାଳନ ହେଉଥିବା ପରିପ୍ରେକ୍ଷୀରେ ଆୟୋଜିତ ପ୍ରତିଯୋଗିତା ଦୁଇଟିର ପ୍ରସଙ୍ଗ ଥିଲା ‘ମିଲେଟ: ଆଧୁନିକ ଆହ୍ୱାନ ପାଇଁ ପୁରାତନ ଶସ୍ୟ’।ଓଡ଼ିଶା ବିଦ୍ୟାଳୟ ଓ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା)ଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିଯୋଗିତା ଦୁଇଟିରେ ପୂର୍ବରୁ ଅନୁଷ୍ଠିତ ‘ଜିଲ୍ଲାସ୍ତରୀୟ ସୁରଭି’ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

ପ୍ରଫେସର ଅମରେଶ ଖୁଣ୍ଟିଆ (ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ), ଡ. ସୁସ୍ମିତା ବେହେରା (ଆସୋସିଏଟ୍‌ ପ୍ରଫେସର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ) ଓ ଶ୍ରୀ ବିଷ୍ଣୁଚରଣ ସୁତାର (ଯୁଗ୍ମ ନିର୍ଦ୍ଦେଶକ, ଓସେପା) ବିଚାରକ ମଣ୍ଡଳୀର ସଦସ୍ୟ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଲେଟର ପୁଷ୍ଟି ନିରାପତ୍ତା ନେଇ ଅଧିକ ସଚେତନତା ସୃଷ୍ଟି କରିବା ଥିଲା ଏପରି ପ୍ରତିଯୋଗିତାର ଆଭିମୁଖ୍ୟ।

ବିଚାରକବୃନ୍ଦ ଆନ୍ତର୍ଜାତିକ ପୁଷ୍ଟିଶସ୍ୟ ବର୍ଷ ପାଳନର ପୃଷ୍ଠଭୂମି, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ପ୍ରତିଯୋଗୀମାନଙ୍କୁ ଅବଗତ କରାଇଥିବାବେଳେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନେ କୁଇଜ ଓ ପ୍ରବନ୍ଧ ପ୍ରତିଯୋଗିତା ମାଧ୍ୟମରେ ପୁଷ୍ଟିଶସ୍ୟର ଗୁରୁତ୍ୱ ଓ ବ୍ୟବହାର ନେଇ ସଚେତନ ହୋଇଥିଲେ। ଆମର ଦୈନନ୍ଦିନ ଖାଦ୍ୟ ସଂସ୍କୃତିରେ ପୁଷ୍ଟିଶସ୍ୟକୁ ନିଶ୍ଚିତ ଅନ୍ତର୍ଭୁକ୍ତ କରିବା ନେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରାଯାଇଥିଲା।